Unknown

 

 

 

 

 

 

 

 

 

 

 

ବିଶ୍ୱ ମାନବର ପଥେ

ବିଶ୍ୱକବି ରବୀନ୍ଦ୍ରନାଥ

 

ଅଗ୍ରଲେଖ

 

‘ବିଶ୍ୱ ମାନବର ପଥେ’ ପ୍ରକାଶ ପାଇବା ଦ୍ୱାରା ଓଡ଼ିଆରେ ଚିନ୍ତାତ୍ମକ ସାହିତ୍ୟର ପରିସର ଅବଶ୍ୟ ବୃଦ୍ଧିଲାଭ କରିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ବିଶ୍ୱକବି ରବୀନ୍ଦ୍ରନାଥ କେବଳ ଯେ ଜଣେ ମହାକବି ଏବଂ ବରେଣ୍ୟ ସ୍ରଷ୍ଟା, ତାହା ନୁହେଁ—ସେ ଜଣେ ଦାର୍ଶନିକ, ସମାଜ ସଙ୍ଗଠକ, ଶିକ୍ଷାତତ୍ତ୍ୱବିଦ୍‌ ଓ ମନୀଷୀ ଥିଲେ । ସମଗ୍ର ମାନବ ଜାତିର କଲ୍ୟାଣ-କାମନା ହିଁ ତାଙ୍କୁ ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି କରିବାକୁ ପ୍ରେରଣା ଦେଇଥିଲା । ଏହି ପୁସ୍ତକର ଛତ୍ରେ ଛତ୍ରେ କବିଗୁରୁଙ୍କ ଚିନ୍ତାର ଗଭୀରତା, ପରିକଳ୍ପନାରେ ଉଦାରତା, ସଂଗଠନ ପ୍ରଚେଷ୍ଟାର ବ୍ୟାପକତା ଏବଂ ପ୍ରକାଶଶୈଳୀର ଚମତ୍‌କାରିତା ରୂପାୟିତ । ଓଡ଼ିଆ ସାହିତ୍ୟ ଏକାଡେମୀ ପକ୍ଷରୁ ଏଭଳି ପୁସ୍ତକ ପ୍ରକାଶ ଅତ୍ୟନ୍ତ ସମୟୋଚିତ ହୋଇଅଛି । ପୁଣି ବିଶ୍ୱକବିଙ୍କର ଶତବାର୍ଷିକ ଉତ୍ସବର ସ୍ମାରକରୂପେ ଏହାର ମୂଲ୍ୟ ବହୁଗୁଣିତ ହୋଇଅଛି ।

 

ସନ୍ତୋଷ କୁମାର ସାହୁ

ସଭାପତି,

ଓଡ଼ିଆ ସାହିତ୍ୟ ଏକାଡେମୀ

ଭୁବନେଶ୍ୱର

ତା ୨୨ । ୭ । ୬୩

 

ଦୁଇପଦ

 

ବିଶ୍ୱକବି ରବୀନ୍ଦ୍ର ନାଥଙ୍କର ଶତବାର୍ଷିକ ଉତ୍ସବ ପାଳନ ଉପଲକ୍ଷେ ସରକାରଙ୍କ ପକ୍ଷରୁ ଯେଉଁସବୁ ପ୍ରଶଂସନୀୟ ଉଦ୍ୟମ ହୋଇଥିଲା, ଏହି ‘‘ବିଶ୍ୱମାନବର ପଥେ’’ ତହିଁର ଏକ ସାଧୁ ଅଭିବ୍ୟକ୍ତି ମାତ୍ର । ସରକାରଙ୍କ ପକ୍ଷରୁ ଗଠିତ ‘‘ରବୀନ୍ଦ୍ର ଶତବାର୍ଷିକ ଉତ୍ସବ କମିଟି’’ ପକ୍ଷରୁ ଅଧ୍ୟାପକ ଶ୍ରୀ କାହ୍ନୁଚରଣ ମିଶ୍ର, ଅଧ୍ୟାପକ ଶ୍ରୀ ଚିନ୍ତାମଣୀ ବେହେରା ଓ ଅଧ୍ୟାପକ ଶ୍ରୀ ଶ୍ରୀନିବାସ ମିଶ୍ର କବିଗୁରୁଙ୍କ ଇଂରାଜୀ ପ୍ରବନ୍ଧାବଳୀ ‘‘Towards Universal Man’’ର ଓଡ଼ିଆ ଅନୁବାଦ କରିଥିଲେ ଓ ଶେଷରେ ନିଷ୍ପତ୍ତି ହୋଇଥିଲା ଯେ ‘‘ଓଡ଼ିଆ ସାହିତ୍ୟ ଏକାଡେମୀ’’ ଉକ୍ତ କମିଟିଠାରୁ ପାଣ୍ଡୁଲିପି ପାଇବା ପରେ, ତାହା କେବଳ ପ୍ରକାଶ କରି ଅଛନ୍ତି । ଆଶା; ଏହି ପ୍ରବନ୍ଧମାଳାର ଉଚ୍ଚ ଚିନ୍ତା ଓ ପ୍ରଗତିଶୀଳ ଆଭିମୁଖ୍ୟ ଏ ଦେଶରେ ଅଗଣିତ ପାଠକ ପାଠିକାଙ୍କୁ ଉଦ୍‌ବୁଦ୍ଧ କରିବ । ଇତି ।

 

ଭୁବନେଶ୍ୱର,

ଶ୍ରୀ ଗୌରୀକୁମାର ବ୍ରହ୍ମା

୨୩-୮-୬୩

ସେକ୍ରେଟେରୀ

 

ଓଡ଼ିଆ ସାହିତ୍ୟ ଏକାଡେମୀ

 

ବିଷୟ ସୂଚୀ

 

୧.

ଶିକ୍ଷାର ବ୍ୟବଧାନ

୨.

ରାଷ୍ଟ୍ର ଓ ସମାଜ

୩.

ଶିକ୍ଷା ସମସ୍ୟା

୪.

ତତଃ କିମ୍

୫.

ସଭାପତିଙ୍କ ଅଭିଭାଷଣ

୬.

ପୂର୍ବ ଓ ପଶ୍ଚିମ

୭.

ହିନ୍ଦୁ ବିଶ୍ୱବିଦ୍ୟାଳୟ

୮.

ଯାତ୍ରାର ପୂର୍ବ ପତ୍ର

୯.

କର୍ତ୍ତାର ଇଚ୍ଛାରେ କର୍ମ

୧୦.

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର

୧୧.

ଶିକ୍ଷାର ମିଳନ

୧୨.

ସତ୍ୟର ଆହ୍ୱାନ

୧୩.

ସ୍ୱରାଜ ସାଧନ

୧୪.

କବିର ବିଦ୍ୟାଳୟ

୧୫.

ପଲ୍ଳୀ ଓ ସହର

୧୬.

ସମବାୟ

୧୭.

କାଳାନ୍ତର

୧୮.

ସଭ୍ୟତାର ସଂକଟ

 

ଗ୍ରନ୍ଥ ପ୍ରବେଶ

 

ରବୀନ୍ଦ୍ରନାଥ ଯେ ପୃଥିବୀର ସର୍ବକାଳର ସର୍ବୋତ୍କୃଷ୍ଟ ଗୀତି କବିମାନଙ୍କ ମଧ୍ୟରୁ ଅନ୍ୟତମ, ଏହା ଆଜି ସର୍ବବାଦୀ ସମ୍ମତ, ଗାଳ୍ପିକ, ଔପନ୍ୟାସିକ, ନାଟ୍ୟକାର ଓ ସଙ୍ଗୀତ-ଶିଳ୍ପୀ ହିସାବରେ ମଧ୍ୟ ତାଙ୍କର ଆସନ ଯେ ସୁଦୃଢ଼, ତାହା ବି ସଂଶୟାତୀତ । ଜୀବନର ଶେଷ ସ୍ତରରେ ଚିତ୍ରକଳାରେ ସେ ମନୋନିବେଶ କରିଥିଲେ, ଏବଂ ସେ କ୍ଷେତ୍ରରେ ମଧ୍ୟ କୃତିତ୍ୱର ଅଧିକାରୀ ହୋଇଥିଲେ । ଗୋଟିଏ କଥାରେ କହିଲେ, ଜଣେ କଳାକାରର ବ୍ୟାପକ ସଂଜ୍ଞାଦୃଷ୍ଟିରୁ ତାଙ୍କର ସିଦ୍ଧି ଇତିହାସରେ ବାସ୍ତବିକ ଅତୁଳନୀୟ ।

 

ରବୀନ୍ଦ୍ରନାଥ ଶିକ୍ଷା, ଅର୍ଥନୀତି, ରାଜନୀତି ଏବଂ ସାମାଜିକ ବ୍ୟବସ୍ଥା କ୍ଷେତ୍ରରେ ଯେଉଁ ବ୍ୟାପକ ଦାନ କରିଯାଇଅଛନ୍ତି, ତାହା ହୁଏତ ଆଜି ସମଗ୍ର ପୃଥିବୀ ପାଇଁ ଅନେକଙ୍କ ନିକଟରେ ଅଜ୍ଞାତ । ତାଙ୍କ ଦାନର ଗୁରୁତ୍ୱ କେବଳ ଭାରତ ପାଇଁ ନୁହେଁ, ସମଗ୍ର ପୃଥିବୀ ପାଇଁ ମଧ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ । ଭାରତର ନବଯୁଗ ଉପରେ ସେ ଯେଉଁ ଯୁଗାନ୍ତକାରୀ ପ୍ରତିଭାର ପ୍ରଭାବ ବିସ୍ତାର କରିଥିଲେ, ତାହା ବଙ୍ଗଭୂମି ବ୍ୟତୀତ ଅନ୍ୟତ୍ର ଏ ପର୍ଯ୍ୟନ୍ତ ପୂର୍ଣ୍ଣମାତ୍ରରେ ଉପଲବ୍‍ଧ ହୋଇ ନାହିଁ ଏହାର କାରଣ ହେଉଛି ଯେ ତାଙ୍କର ଏ ସମ୍ପର୍କୀୟ ଅଧିକାଂଶ ରଚନା ବଙ୍ଗଳାରେ ହିଁ ଲିଖିତ, ଏବଂ ସେଗୁଡ଼ିକ ଅଧିକାଂଶ ଅନୁଦିତ ହୋଇ ନାହିଁ କିମ୍ବା ଅନୁଦିତ ହୋଇଥିଲେ ହେଁ ତାହା ସମ୍ପୂର୍ଣ୍ଣ ନୁହେ । ଯଦି ଭାରତୀୟମାନେ ତାଙ୍କ ପ୍ରତିଭାର ପୂର୍ଣ୍ଣ ପରିଚୟ ପାଇ ନାହାନ୍ତି, ତା’ହେଲେ ରବୀନ୍ଦ୍ରନାଥ କିପରି ଭାରତୀୟ ଜୀବନକୁ ଗଭୀର ଭାବରେ ଦେଖିଥିଲେ ଏବଂ ବଭିନ୍ନ ଉପାୟରେ ଆଧୁନିକ ଭାରତର ବହୁ ସୃଷ୍ଟିଧର୍ମୀ ଆନ୍ଦୋଳନକୁ ମୌଳିକ ପ୍ରେରଣା ଦେଇଥିଲେ, ଏ ସମ୍ପର୍କରେ ପାଶ୍ଚାତ୍ୟ ଜଗତ ଅନଭିଜ୍ଞ ରହିବା କିଛି ଆଶ୍ଚର୍ଯ୍ୟକର ନୁହେଁ ।

 

୧୯୬୧ ମସିହା ରବୀନ୍ଦ୍ରନାଥଙ୍କ ଜନ୍ମର ଶତବାର୍ଷିକୀ । ଅନେକ ଦିନରୁ ମୁଁ ଅନୁଭବ କରୁଛି ଯେ, ଏହି ଉପଲକ୍ଷରେ ଆମେ ଯଦି ତାଙ୍କ ଲିଖିତ ସମାଜ, ଅର୍ଥନୀତି, ରାଜନୀତି, ଶିକ୍ଷା ଓ ଧର୍ମ ସମ୍ବନ୍ଧୀୟ ବିଭିନ୍ନ ପ୍ରବନ୍ଧର ଇଂରାଜୀ ଅନୁବାଦର ଏକ ସଙ୍କଳନ ପ୍ରକାଶ କରି ପାରୁ, ତା’ ହେଲେ, ତାହା ହିଁ ହେବ ତାଙ୍କର ଶ୍ରେଷ୍ଠ ସ୍ମୃତିପୂଜା । ଭାରତ ଓ ପାଶ୍ଚାତ୍ୟ କଗତ ମଧ୍ୟରେ ସଭାବ କିପରି ନିବିଡ଼ତର ହେବ, ଏହି ଭାବରେ ଅନୁପ୍ରାଣିତ ହୋଇ ‘ଫୋର୍ଡ଼ ଫାଉଣ୍ଡେସନ’ ଏହି ଶତବାର୍ଷିକୀ ଉତ୍ସବ ପାଇଁ ଆର୍ଥିକ ସାହାଯ୍ୟ ଦେବାକୁ ଯୋଜନା କରୁଥିଲେ । ମୁଁ ଯେତେବେଳେ ପ୍ରସ୍ତାବ ଦେଲି ଆଗାମୀ ୧୯୬୧ ମସିହା, ମଇ ୭ ତାରିଖ ଦିନ, ଭାରତ, ବ୍ରିଟେନ ଓ ଯୁକ୍ତରାଷ୍ଟ୍ରରେ ରବୀନ୍ଦ୍ରନାଥଙ୍କର ସମାଜ, ଶିକ୍ଷା, ରାଜନୀତି, ଅର୍ଥନୀତି ଓ ଧର୍ମ ସମ୍ବନ୍ଧୀୟ ଶ୍ରେଷ୍ଠ ଚିନ୍ତା ସମ୍ବଳିତ ପ୍ରବନ୍ଧାବଳୀର ଏକ ସଂକଳନ ପ୍ରକାଶିତ ହେବା ଆବଶ୍ୟକ, ମୋର ଏହି ପ୍ରସ୍ତାବକୁ ଆନନ୍ଦର ସହିତ ଫୋର୍ଡ଼ ଫାଉଣ୍ଡେସନ ଗ୍ରହଣ କରିଥିଲେ । ଉକ୍ତ ଅନୁଷ୍ଠାନର ୧୩ ହଜାର ଡଲାର ମୂଲ୍ୟର ଉଦାର ଦାନ ଦ୍ୱାରା, ଆମେ ଏହି ଯୋଜନାକୁ ସକ୍ରିୟ କରିବା ପାଇଁ ଗୋଟିଏ ରେଜେଷ୍ଟ୍ରୀକୃତ ସମିତି ପ୍ରତିଷ୍ଠା କଲୁଁ । ଊକ୍ତ ସମିତି ଯେଉଁମାନଙ୍କୁ ସଭ୍ୟଭାବରେ ଗ୍ରହଣ କରିଥିଲା, ସେମାନଙ୍କ ନାମ ପରିଶିଷ୍ଟ ୧ରେ ଦ୍ରଷ୍ଟବ୍ୟ ।

 

ପୂର୍ବୋକ୍ତ ରବୀନ୍ଦ୍ର ଶତବାର୍ଷିକୀ ସ୍ମରଣିକା ସମିତ ତରଫରୁ ଆମେ ରବୀନ୍ଦ୍ରନାଥଙ୍କ ମୌଳିକ ରଚନା ପାଠ କରିଥିବା ପ୍ରାୟ ଏକଶହ ଜଣଙ୍କୁ, ତାଙ୍କ ଶ୍ରେଷ୍ଠ ରଚନା ମଧ୍ୟରୁ ୩୦ଟି ସର୍ବଶ୍ରେଷ୍ଠ ପ୍ରତିନିଧିମୂଳକ ପ୍ରବନ୍ଧ ନିର୍ବାଚନ କରିବାକୁ ଅନୁରୋଧ କରିଥିଲୁଁ । ସେମାନଙ୍କ ମଧ୍ୟରୁ ପ୍ରାୟ ୪୦ ଜଣ ଆମର ଅନୁରୋଧ ରକ୍ଷାକରି ମତାମତ ଜଣାଇଲେ ଏବଂ ଆଶ୍ଚର୍ଯ୍ୟ ବିଷୟ ଏହି ଯେ, ସେମାନେ ଯେଉଁ ମତାମତ ପ୍ରଦାନ କଲେ ତାହା ପ୍ରାୟ ସମାନ ଧରଣର । ସେହିମାନଙ୍କ ପ୍ରସ୍ତାବାନୁଯାୟୀ ଏହି ସମିତି ୩୦ଟି ପ୍ରବନ୍ଧ ବିର୍ବାଚନ କରିଥିଲା ଏବଂ ସେଗୁଡ଼ିକର ନୂତନ ଭାବରେ ଇଂରାଜୀରେ ଅନୁବାଦ ପାଇଁ ଆୟୋଜନ କରାଯାଇଥିଲା । ଏହି ପ୍ରବନ୍ଧ ଗୁଡ଼ିକର ତାଲିକା ପରଶିଷ୍ଟ ‘୨’ରେ ପ୍ରଦତ୍ତ । ଉକ୍ତ ସମିତି ଏହି ସଂକଳନର ମୁଖ୍ୟ ଅନୁବାଦକ ତଥା ସମ୍ପାଦକ ରୂପେ, ଭାରତର ଶ୍ରେଷ୍ଠ ଇଂରାଜୀ ଲେଖକମାନଙ୍କ ମଧ୍ୟରେ ଅନ୍ୟତମ ଡକ୍ଟର ଭବାନୀ ଭଟ୍ଟାଚାର୍ଯ୍ୟଙ୍କୁ ଅନୁର୍ଯ୍ୟରୋଧ କରିଥିଲେ । ଯେଉଁମାନେ ଆମର ଏହି ପ୍ରାଥମିକ ନିର୍ବାଚନ ଓ ଅନୁବାଦ କାର୍ଯ୍ୟରେ ସହାୟତା କରିଛନ୍ତି ସେମାନଙ୍କର ନାମ ପରିଶିଷ୍ଟର ତୃତୀୟ ଓ ଚତୁର୍ଥ ଭାଗରେ ଦିଆଯାଇଛି ।

 

ଏହି ତିରିଶଟି ପ୍ରବନ୍ଧ ମଧ୍ୟରୁ ଯେଉଁଗୁଡ଼ିକ ପାଶ୍ଚାତ୍ୟ ପାଠକଙ୍କୁ ଗଭୀରତା ଓ ଚିରନ୍ତନତାର ସ୍ପର୍ଶ ଦେଇ ପାରିବ, ଏହିଭଳି ପନ୍ଦର କୋଡ଼ିଏଟି ପ୍ରବନ୍ଧ ବାଛିଦେବା ପାଇଁ ୟୁରୋପ ଓ ଆମେରିକାର ବହୁ ବିଶିଷ୍ଟ ଚିନ୍ତାବିଦ୍‌ମାନଙ୍କୁ ଅନୁରୋଧ କରାଯାଇଥିଲା । ସୁଖର କଥା ଯେ ଯେଉଁମାନଙ୍କୁ ମୁଁ ଅନୁରୋଧ କରିଥିଲି, ସେମାନେ ତାଙ୍କର ବହୁ କାର୍ଯ୍ୟବ୍ୟସ୍ତତା ସତ୍ତ୍ୱେ ପ୍ରାୟ ଛ’ଶତ ଟାଇପ୍‌କରା ପୃଷ୍ଠା ପଢ଼ିବାର ଦୁର୍ବିହ ଦାୟିତ୍ତ୍ୱ ବହନ କରିଥିଲେ ଏବଂ ମୁଁ ଚାହୁଁଥିବା ନିର୍ଦ୍ଦିଷ୍ଟ ସମୟ ଭିତରେ ମଧ୍ୟ ସେମାନେ ତାଙ୍କର ଅଭିମତ ପଠାଇଥିଲେ, ପୁନଶ୍ଚ ସୌଜନ୍ୟ ପ୍ରକାଶ ପୂର୍ବକ ସେମାନେ ମୋର ଲିଖିତ ମୁଖବନ୍ଧଟି ପାଠ କରି ଅନେକ ମୂଲ୍ୟବାନ ସୂଚନା ମଧ୍ୟ ଦେଇଥିଲେ ଏବଂ ସେଗୁଡ଼ିକ ମଧ୍ୟରୁ ଅଧୁକା°ଶ ଏହି ଗ୍ରନ୍ଥର ମୁଖବନ୍ଧରେ ମୁଁ ଗ୍ରହଣ କରିଛି । ଏହି ବିଶିଷ୍ଟ ବ୍ୟକ୍ତିଙ୍କର ମତାମତକୁ ବିଚାର କରି ସମିତି ଶେଷରେ ଏହି ଗ୍ରନ୍ଥରେ ଥିବା ୧୮ ଗୋଟି ପ୍ରବନ୍ଧକୁ ନିର୍ବାଚନ କରିଛି । ବିଦେଶରେ ଏବଂ ବଙ୍ଗଳା ବାହାରେ ଭାରତବର୍ଷରେ, ଯେଉଁ ସହଯୋଗୀଗଣ ଏହି କାର୍ଯ୍ୟରେ ଆମକୁ ସହାୟତା କରିଛନ୍ତି, ସେମାନଙ୍କର ନାମ ପରିଶିଷ୍ଟ ୫ରେ ପ୍ରଦତ୍ତ । ଆଧୁନିକ ଜଗତରେ ଭାରତୀୟ ଚିନ୍ତାର ଅଧିକତର ଉପଲବ୍ଧି ପାଇଁ ଯେଉଁମାନେ ଏ କାର୍ଯ୍ୟକୁ ସାଫଲ୍ୟମଣ୍ଡିତ କରିଛନ୍ତି, ସେମାନଙ୍କ ନକଟରେ କେବଳ ଏହି ସମିତି ନୁହେ, ସଭାବାପନ୍ନ ସକଳ ଦେଶର ନରନାରୀମାନେ ମଧ୍ୟ କୃତଜ୍ଞ ।

 

ଯେଉଁ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ରବୀନ୍ଦ୍ରନାଥ ଆଜୀବନ ସାଧନା କରିଥିଲେ, ତାହାରି ସୂଚନା ଦେବା ପାଇଁ ସମିତି ବହୁ ଅନୁଶୀଳନ ପରେ ଏ ସଙ୍କଳନର ନାମ ‘‘ବଶ୍ୱମାନବର ପଥେ’’ ରଖିବା ପାଇଁ ସ୍ଥିର କରିଛି । ମୃତ୍ୟୁର ପ୍ରାୟ ଶେଷ ଦିବସ ପର୍ଯ୍ୟନ୍ତ ରବୀନ୍ଦ୍ରନାଥ ସ୍ଵୀୟ ଭାବରାଜ୍ୟରେ ଜାତୀୟତା ଓ ଧର୍ମସ୍ୱାତନ୍ତ୍ର୍ୟର ସୀମା କ୍ରମଶଃ ଅତିକ୍ରମ କରି ଚିନ୍ତାଧାରାରେ ଉନ୍ନତ ଗଭୀରତାର ପରିଚୟ ଦେଇଥିଲେ । ଅଧିକ ବିସ୍ମୟର କଥା ହେଉଛି ଯେ, ତାଙ୍କର ମନ ଓ କଳ୍ପନାର ବିସ୍ତୃତି, ନିଜର ମୌଳିକ, ସାମାଜିକ, ଜାତୀୟ ଓ ଧାର୍ମିକ ପୃଷ୍ଠଭୂମିର ମୂଲ୍ୟବାନ ଉପାଦାନଗୁଡ଼ିକୁ ନିଜ ଚିନ୍ତା କ୍ଷେତ୍ରରୁ ସେ କେବେ ଅସ୍ୱୀକାର କରି ନ ଥିଲା । ବାସ୍ତବିକ ସେ ହେଉଛନ୍ତି ଜଣେ ଯଥାର୍ଥ ବିଶ୍ୱମାନବ ଏବଂ ତାଙ୍କର ସେହି ବିଶ୍ୱମାନବିକତା ଦେଶ, କାଳ ଓ ବିଶ୍ୱାସର ବ୍ୟକ୍ତିଗତ ମୂଲ୍ୟବୋଧକୁ ଅଙ୍ଗୀଭୂତ କରିବା ଦ୍ୱାରା ସମୃଦ୍ଧ ହୋଇଥିଲା ।

 

ଏହି କାର୍ଯ୍ୟଟିର ଲକ୍ଷ୍ୟ ଓ ଅଭିପ୍ରାୟ ଯେ ପ୍ରକୃତରେ ଆନ୍ତର୍ଜାତିକ, ତାହା ଆମେ ଦାବୀ କରି ପାରୁ । ଯେହେତୁ ପ୍ରଥମ ତିରିଶଟି ପ୍ରବନ୍ଧ ରବୀନ୍ଦ୍ର-ସାହିତ୍ୟ ଗଭୀର ଭାବରେ ଅନୁଶୀଳନ କରିଥିବା ବ୍ୟକ୍ତିଙ୍କ ଦ୍ୱାରା ମୌଳିକଭାବେ ନିର୍ବାଚିତ ହୋଇଥିଲା, ଏବଂ ଭାରତ, ଉଉରୋପ ଓ ଆମେରିକାର ବଶିଷ୍ଟ ଚିନ୍ତାବିଦ୍‌ମାନଙ୍କ ଦ୍ୱାରା ଶେଷ ବିର୍ବାଚନ ସମ୍ପନ୍ନ ହୋଇଥିଲା । ଆମର ବିଶ୍ୱାସ ରବୀନ୍ଦ୍ରନାଥଙ୍କର ଏହି ରଚନାବଳୀ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଊଭୟ ଭୂଖଣ୍ଡରେ ମୂଲ୍ୟବାନ ଓ ଚିରସ୍ଥାୟୀ ବୋଲି ବିବେଚିତ ହେବ । ଅନ୍ୟ ପକ୍ଷରେ ମୁଁ ଜାଣୁଛି, ହୁଏତ ଏହି ନିର୍ବାଚନ ସମସ୍ତଙ୍କୁ ସନ୍ତୁଷ୍ଟ କରି ନ ପାରେ ପୁଣି ଏହି ସଂକଳନରେ ଏପରି କେତେକ ପ୍ରବନ୍ଧ ଅଛି, ଯାହାକୁ ହୁଏତ ସୁଦକ୍ଷ ସମାଲୋଚକଗଣ ପରିହାର କରି ତା’ ପରିବର୍ତ୍ତେ ଅନ୍ୟ ପ୍ରବନ୍ଧ ଗ୍ରହଣ କରିଥାନ୍ତେ, କିନ୍ତୁ ମୋର ଯୁକ୍ତି ହେଉଛି ନିଜେ ସମ୍ପାଦନା କରି ନ ଥିଲେ କୌଣସି ସଙ୍କଳନ କେବେ ଜଣେ ବ୍ୟକ୍ତିକୁ ସନ୍ତୋଷ ଦାନ କରି ନ ପାରେ ।

 

ଏହି ଆନ୍ତର୍ଜାତିକ ପ୍ରରିକଳ୍ପନାକୁ କାର୍ଯ୍ୟକାରୀ କରିବା ପାଇଁ ଯେଉଁମାନେ ସହଯୋଗ କରିଛନ୍ତି, ସମିତି ସେମାନଙ୍କ ନିକଟରେ କୃତଜ୍ଞ । ଆନ୍ତର୍ଜାତୀୟ ବିଶ୍ୱବିଦ୍ୟାଳୟ ବିଶ୍ୱଭାରତୀ ଯାହା କି ରବୀନ୍ଦ୍ରନାଥଙ୍କ ଦ୍ୱାରା ପ୍ରତିଷ୍ଠିତ ଏବଂ ରବୀନ୍ଦ୍ର ରଚନାବଳୀର ମଧ୍ୟ ସତ୍ତ୍ୱାଧିକାରୀ, ଏହି ପ୍ରବନ୍ଧଗୁଡ଼ିକୁ ଇଂରାଜୀରେ ଅନୁବାଦ କରିବାକୁ ଅନୁମତି ଦେଇଥିବାରୁ, ସମିତି ତାହା ନିକଟରେ ମଧ୍ୟ ଋଣୀ । ତିରିଶଟିଯାକ ପ୍ରବନ୍ଧ ପ୍ରଥମେ ନିର୍ବାଚନ କରିବାକୁ ଯେଉଁମାନେ ତାଙ୍କର ପରାମର୍ଶ ପଠାଇଥିଲେ, ଯେଉଁମାନେ ଏହାର ଅନୁବାଦର ଦାୟିତ୍ୱ ଗ୍ରହଣ କରିଥିଲେ, ଭାରତ, ଇଉରୋପ, ଓ ଆମେରିକାର ଯେଉଁ ସହଦୟଗଣ ଏଥିରେ ସହଯୋଗ ପ୍ରଦାନ କରିଥିଲେ, ସେମାନଙ୍କ ନିକଟରେ ଓ ଏହି ସମିତିର ସଦସ୍ୟଗଣଙ୍କ ନିକଟରେ ବ୍ୟକ୍ତିଗତ ଭାବରେ ମୁଁ କୃତଜ୍ଞ । ପୁଣି ପ୍ରବନ୍ଧଗୁଡ଼ିକର ଟିପ୍ପଣୀ ପ୍ରସ୍ତୁତ କରିବା ସଙ୍ଗେ ସଙ୍ଗେ ସେଗୁଡ଼ିକୁ ଟାଇପ୍ କରାଇବା ଓ ତା’ ର ଅନୁଲିପି ପ୍ରସ୍ତୁତ କରିବା ଆଦି କେତେକ ଗୁରୁ ଓ ଦୁର୍ବହ ଦାୟିତ୍ୱ ବହନ କରିବାରେ ନିଷ୍ଠାପ୍ରଦର୍ଶନ କରିଥିବାରୁ ଏବଂ ଏ ପ୍ରସଙ୍ଗରେ ଶାନ୍ତିନିକେତନର ଶ୍ରୀ କ୍ଷିତିଶ ରାୟ ଓ କଲିକତାର ଜାତୀୟ ପାଠାଗାରର ଶ୍ରୀ କେଶବନଙ୍କ ନାମ ବିଶେଷଭାବେ ଉଲ୍ଳେଖଯୋଗ୍ୟ । ଫୋର୍ଡ଼ ଫାଉଣ୍ଡେସନର ଭାରତୀୟ ପ୍ରତିନିଧି ଡକ୍ଟର ଡଗଲାସ ଏନସ୍‌ମେନ୍‌ଜାର ଓ ଡକ୍ଟର ଭବାନୀ ଭଟ୍ଟାଚାର୍ଯ୍ୟଙ୍କ ନାମ ମଧ୍ୟ ଏ ସମ୍ପର୍କରେ ବିଶେଷ ସ୍ମରଣୀୟ । ଡାକ୍ତର ଏନସ୍‌ମେନ୍‌ଜାରଙ୍କ ସକ୍ରିୟ ସହଯୋଗ ବ୍ୟତୀତ ଏହି ଯୋଜନାକୁ ସହସା କାର୍ଯ୍ୟକାରୀ କରିବା ସମ୍ଭବପର ହୋଇ ନ ଥାନ୍ତା । ଡକ୍ଟର ଭବାନୀ ଭଟ୍ଟାଚାର୍ଯ୍ୟ ମଧ୍ୟ ମୋ ସହିତ ପ୍ରତ୍ୟେକଟି ପ୍ରବନ୍ଧକୁ ପାଠ କରିଛନ୍ତି, ଏବଂ ଇଂରାଜୀ ଅନୁବାଦକୁ ଯେତେଦୂର ସମ୍ଭବ ରବୀନ୍ଦ୍ରନାଥଙ୍କ ଚିନ୍ତାଧାରା ସହିତ ସାମଞ୍ଜସ୍ୟ ରକ୍ଷା କରି ସମ୍ପାଦନା ଓ ପୁନଃ ସମ୍ପାଦନା କାର୍ଯ୍ୟରେ ସାହାଯ୍ୟ ପ୍ରଦାନ କରିଛନ୍ତି । ମୋର ସହକାରୀ ପ୍ରାଇଭେଟ ସେକ୍ରେଟେରୀ ଶ୍ରୀ ଆର୍. ଏନ୍. ରାୟ ତାଙ୍କର ଅଧିକାଂଶ ଅବସର ସମୟ ବ୍ୟୟକରି ପ୍ରବନ୍ଧାବଳୀ ଓ ମୁଖବନ୍ଧକୁ ପୂର୍ଣ୍ଣ ରୂପଦେବାରେ ମଧ୍ୟ ସହାୟତା କରିଛନ୍ତି । ଏସିଆ ପବ୍ଳିଶିଂ ହାଉସ୍‍ର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ ଜୟ ସିଂ ଓ କଲିକତା ସରସ୍ୱତୀ ପ୍ରେସ ଲିମିଟେଡ଼ର ଶ୍ରୀ ଶୈଳେନ୍ଦ୍ରନାଥ ଗୁହ ରାୟ ଏହି ଗ୍ରନ୍ଥକୁ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତିନୋଟି ମହାଦେଶରେ ଜନସାଧାରଣଙ୍କ ହସ୍ତରେ ଅର୍ପଣ କରିବାର ଦାୟିତ୍ୱ ବହନ କରିଥିବାରୁ ସେମାନଙ୍କର ନାମ ଏ ପ୍ରସଙ୍ଗରେ ମଧ୍ୟ ଉଲ୍ଲେଖଯୋଗ୍ୟ ।

 

ପରିଶେଷରେ କବିଙ୍କର ପୁତ୍ର ଶ୍ରୀ ରଥୀନ୍ଦ୍ରନାଥ ଠାକୁର ଏହି ଗ୍ରନ୍ଥର ପ୍ରାପ୍ୟ ଲାଭାଂଶ ରବୀନ୍ଦ୍ରନାଥଙ୍କର ଗ୍ରନ୍ଥାନୁଶୀଳନକାରୀ ଅବଙ୍ଗାଳୀ ଯୋଗ୍ୟ ଛାତ୍ରଙ୍କୁ ପୁରଷ୍କାର ଓ ବୃତ୍ତି ଆକାରରେ ପ୍ରଦାନ କରିବାକୁ ବିଶ୍ୱ ଭାରତୀକୁ ଦାନ କରିବା ସକାଶେ ସ୍ଵୀକୃତି ଦେଇ ନିଜର ବଦାନ୍ୟତା ପ୍ରକାଶ କରିଛନ୍ତି । ସେଥିପାଇଁ ଏହି ସମିତି ତାଙ୍କ ନିକଟରେ କୃତଜ୍ଞ ।

 

ହୁମାୟୁନ କବୀର

ନୂଆଦିଲ୍ଳୀ

୭/୫/୧୯୭୧

Image

 

ମୁଖବନ୍ଧ

 

କୌଣସି ପ୍ରତିଭାର ଆବିର୍ଭାବର ହେତୁ ପୂର୍ବରୁ ନିର୍ଣ୍ଣୟ କରିବା କଷ୍ଟକର, କାରଣ ପ୍ରକୃତିର ସାଧାରଣ ଓ ଗତାନୁଗତିକ ନିୟମ-ଶୃଙ୍ଖଳ ମଧ୍ୟରେ ଏକ ବ୍ୟତିକ୍ରମସ୍ୱରୂପ ପ୍ରତିଭାର ସ୍ୱଭାବ ସର୍ବଦା ପ୍ରକଟିତ । ପୁଣି ଗୋଟିଏ ଜାତିର ଅଚେତନ ଓ ଅବଚେତନ ମନରେ ଅନୁଭୂତ ହେଉଥିବା ଆବେଗ ଓ ଧାରଣାକୁ ଅଭିବ୍ୟକ୍ତ ଦେବା ପ୍ରତିଭାର ସ୍ଵଧର୍ମ । ଏହିପରି ଭାବରେ ପ୍ରତିଭା ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ପ୍ରତିଷ୍ଠିତ ହୁଏ, ଏବଂ ତା’ ର ଆବିର୍ଭାବର ପ୍ରାଥମିକ ବିସ୍ମୟ କଟିଯିବା ପରେ ଜନସାଧାରଣରେ ସେ ଉଚ୍ଛ୍ୱସିତ ଶ୍ରଦ୍ଧା ଓ ଅଭିନନ୍ଦନର ଅଧିକାରୀ ହୋଇଥାନ୍ତି । ଯେଉଁ ଅନୁଭୂତି ଓ ଆକାକ୍ଷାଂ ମନୁଷ୍ୟର ଚିତ୍ତରାଜ୍ୟରେ ଅସ୍ପଷ୍ଟଭାବେ ରହିଥାଏ କିନ୍ତୁ ଅଭିବ୍ୟକ୍ତିର ପଥ ପାଉ ନ ଥାଏ, ପ୍ରତିଭାର କଥା ଓ କର୍ମରେ ତାହା ପ୍ରମୂର୍ତ୍ତ ହେବାର ଲୋକେ ଲକ୍ଷ୍ୟ କରନ୍ତି । ଜନସାଧାରଣଙ୍କ ସହିତ ଏହି ସମ୍ପର୍କ ଦ୍ଵାରା ପ୍ରତିଭା ମଧ୍ୟ ଉପକୃତ ହୁଏ । ସାଧାରଣ ମନୁଷ୍ୟର ମନରେ ସ୍ପନ୍ଦନ ସୃଷ୍ଟି କରୁଥିବା ବିଶୃଙ୍ଖଳ ଅନୁଭୂତି ଓ ଅସ୍ପଷ୍ଟ ଆକାକ୍ଷାଂ ମଧ୍ୟରୁ ସେ ଶକ୍ତି ଓ ସାମର୍ଥ୍ୟ ସଞ୍ଚୟ କରିଥାଏ । ଏହି ଉଭୟ ଦୃଷ୍ଟିରୁ ରବୀନ୍ଦ୍ରନାଥ ହେଉଛନ୍ତି ପ୍ରତିଭାର ପ୍ରତିନିଧି । ତାଙ୍କ ପ୍ରତିଭାର ଅପୂର୍ବତା ଓ ଅସାଧାରଣତା ସଂଶୟାତୀତ ଏବଂ ତା’ ସହିତ ଯେଉଁ ଜନସାଧାରଣଙ୍କୁ ସେ ସ୍ନେହ କରୁଥିଲେ ଓ ଯାହାଙ୍କ ସକାଶେ ବ୍ୟାକୁଳ ହେଉଥିଲେ ସେହି ଜନସାଧାରଣଙ୍କ ଜୀବନ ସହିତ ତାଙ୍କ ସମ୍ପର୍କ ଅତି ଗଭୀର ଓ ନିବିଡ଼ ।

 

ଯେଉଁ ସମୟରେ ଓ ଯେଉଁ ସ୍ଥାନରେ ରବୀନ୍ଦ୍ରନାଥ ଜନ୍ମଗ୍ରହଣ କରିଥିଲେ ସେହି ଉଭୟ ଦିଗରୁ ସେ ଥିଲେ ଭାଗ୍ୟବାନ୍ । ପାଶ୍ଚାତ୍ୟ ସଭ୍ୟତାର ପ୍ରତିଘାତ ଫଳରେ ଭାରତୀୟ ଜୀବନର ପ୍ରଶାନ୍ତ ସାଗରରେ ସତେବେଳେ ବିକ୍ଷୋଭ ସୃଷ୍ଟି ହୋଇଥିଲା ଏବଂ ଦେଶର ସର୍ବତ୍ର ଏକ ନୂତନ ଜାଗରଣ ଦେଖାଦେଇଥିଲା । ଏହାର ପ୍ରଥମ ସଂସର୍ଗ ଭାରତୀୟ ଚିତ୍ତରେ ଝଲକ ସୃଷ୍ଟି କରି ତାକୁ ମୁଗ୍ଧ କରିବା ସଙ୍ଗେ ଭାରତର ତତ୍‌କାଳୀନ କେତେଜଣ ସଂସ୍କାରକଙ୍କୁ ଏପରି ଭାବରେ ଅଭିଭୂତ କରିଥିଲା ଯେ ସେମାନେ ସମୟ ସମୟରେ ପଶ୍ଚିମୀ ସଭ୍ୟତାର ଅନ୍ଧ ଅନୁସରଣ କରିବା ଭଳି ପ୍ରତୀତ ହେଉଥିଲେ । ସେମାନଙ୍କର ଏହି ଅତିରିକ୍ତ ଓ ବାହୁଲ୍ୟ ପାଇଁ ଆମେ ଆଜି ତାଙ୍କୁ ଉପହାସ କରି ପାରୁଁ, କିନ୍ତୁ ପାଶ୍ଚାତ୍ୟ ଚିନ୍ତାଧାରାକୁ ପୂର୍ଣ୍ଣପ୍ରାଣତା ଓ ସାହସିକତାର ସହିତ ସେତେବେଳେ ଗ୍ରହଣ କରି ନ ଥିଲେ ଭାରତୀୟ ନବଜାଗରଣ ଏତେ ଦ୍ରୁତ ଓ ସୁଦୂରସ୍ପର୍ଶୀ ହୋଇ ନ ଥାନ୍ତା । ସାମାଜିକ ଜଡ଼ତାର ଶକ୍ତି ସର୍ବତ୍ର ସମନଭାବେ ସୁଦୃଢ଼ । ଭାରତର ସୁପ୍ରାଚୀନ ପରଂପରା ଯୋଗୁ ତାହା ପ୍ରାୟ ଅପରିହାର୍ଯ୍ୟ ଥିଲା କହିଲେ ଚଳେ । ଏଭଳି ପରିବେଶରେ ରକ୍ଷଣଶୀଳତାର ଦୁର୍ଜ୍ଜୟ ସଂଶୟର ପ୍ରତିରୋଧ ପାଇଁ ନୂତନ ମୂଲ୍ୟବୋଧକୁ ପ୍ରାୟ ଉନ୍ନତ ଭାବରେ ଗ୍ରହଣ କରୁଥିବା ଗୋଟିଏ ଗୋଷ୍ଠୀର ପ୍ରୟୋଜନୀୟତା ସେତେବେଳେ ରହିଥିଲା ।

 

ପାଶ୍ଚାତ୍ୟ ସଭ୍ୟତାର ଏହି ଅଯୌକ୍ତିକ ପ୍ରଶଂସା ଅବଶ୍ୟ ଦୀର୍ଘକାଳ ସ୍ଥାୟୀ ହୋଇ ନ ଥିଲା । କିନ୍ତୁ ପାଶ୍ଚାତ୍ୟ ମୂଲ୍ୟବୋଧ ପ୍ରତି ଆଗ୍ରହ କ୍ରମଶଃ ପଶ୍ଚିମର ସାହିତ୍ୟ, ଦର୍ଶନ ଓ ଧର୍ମର ଗଭୀର ଅଧୟନ ପାଇଁ ପଥ ସୁଗମ କରିଥିଲା । ଉଚ୍ଚକୋଟିର ଜ୍ଞାନାର୍ଜୁନ ଫଳରେ ପାଶ୍ଚାତ୍ୟ ଚିନ୍ତାର ଗଭୀର ଉପଲବ୍ଧି ହେତୁ ତା’ ର ସବଳ ଓ ଦୁର୍ବଳ ଉଭୟ ଦିଗ ପ୍ରତି ଏ ଦେଶର ମାନସ ସଚେତନ ହୋଇଉଠିଥିଲା ଏବଂ ତତ୍‌ସଙ୍ଗେ ପ୍ରାଚ୍ୟ ମୂଲ୍ୟବୋଧ ପ୍ରତି ଜ୍ଞାନ ଓ ଶ୍ରଦ୍ଧାର ପରିସର ମଧ୍ୟ ବୃଦ୍ଧି ପାଇବାକୁ ଲାଗିଲା । ସାର୍ ଉଇଲିୟମ୍ ଜୋନ୍‍ସଙ୍କ ପରି ପାଶ୍ଚାତ୍ୟ ମନୀଷୀଗଣ ଏ ଦେଶର କେତେକ ଅତୀତ ଐଶ୍ୱର୍ଯ୍ୟର ସନ୍ଧାନରେ ଆମକୁ ସାହାଯ୍ୟ କରିଥିଲେ । ରାଜା ରାମମୋହନ ରାୟ ଆରବୀ ଓ ସଂସ୍କୃତଭାଷା ଅଧ୍ୟୟନରେ ମନୋନିବେଶ କରି ନିଜର ପଣ୍ଡିତ ଜୀବନ ପ୍ରଥମେ ଆରମ୍ଭ କରିଥିଲେ ସତ, କିନ୍ତୁ କ୍ରମେ ପାଶ୍ଚାତ୍ୟ ଚିନ୍ତାର ଗଭୀର ଅଧ୍ୟୟନରେ ସେ ବ୍ରତୀ ହୋଇଥିଲେ । ପ୍ରାଚ୍ୟ ଓ ପାଶ୍ଚାତ୍ୟ ଉଭୟ ଧର୍ମାଲେଚନାର ଧୁରୀଣ ହୋଇଥିବାରୁ ପ୍ରାଚ୍ୟ ହିଁ ଜୀବନ ଓ ସଂସାରର ସର୍ବୋଚ୍ଚ ନୀତିର ପ୍ରଥମ ଜନ୍ମଦାତା ବୋଲି ସେ ଘୋଷଣା କରିବାକୁ ସମର୍ଥ ହୋଇଥିଲେ । ସେ ବ୍ରହ୍ମସମାଜ ପ୍ରତଷ୍ଠା କରିବା ସଙ୍ଗେ ସଙ୍ଗେ ପ୍ରମାଣ କରିଥିଲେ ଯେ ଭାରତର ପ୍ରାଚୀନ ପରଂପରା ସହିତ ପାଶ୍ଚାତ୍ୟ ମୂଲ୍ୟବୋଧର ସମନ୍ୱୟ ସମ୍ଭବପର । ସେଥିପାଇଁ ସଂଖ୍ୟାରେ ମୁଷ୍ଟିମେୟ ହେଲେ ହେଁ ଭାରତୀୟ ନବଜାଗରଣର ଇତିହାସରେ ବ୍ରାହ୍ମ ସମାଜର ସଭ୍ୟଗଣ ଆଶାତୀତଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ସୃଷ୍ଟି କରିବା କିଛି ବିସ୍ମୟକର ନୁହେଁ ।

 

ହିନ୍ଦୁ ସମାଜରେ ରାଜା ରାମମୋହନରାୟଙ୍କ ପରି ମୁସଲମାନ ସଂପ୍ରଦାୟ ମଧ୍ୟରେ ସାର୍ ସୟଦ୍ ଅହମ୍ମଦ ଖାଁ ଅନୁରୁପ ସଂସ୍କାର ଆଣିବାକୁ ପ୍ରୟାସୀ ହୋଇଥିଲେ ହେଁ ସମାନଭାବରେ ସଫଳତାର ଅଧିକାରୀ ହୋଇ ନ ଥିଲେ । ପାଶ୍ଚାତ୍ୟ ଚିନ୍ତାର ଆଲୋକରେ ଇସ୍‌ଲାମ ଧର୍ମନୀତିର ନୂତନ ଭାଷ୍ୟ ପ୍ରସ୍ତୁତି ତାଙ୍କର ପ୍ରାଚ୍ୟ ଓ ପାଶ୍ଚାତ୍ୟ ମୂଲ୍ୟବୋଧ ମଧ୍ୟରେ ସାଲିସ୍ ଆଣିବା ଉଦ୍ୟମର ଅନ୍ୟତମ ଦୃଷ୍ଟାନ୍ତ । ପଞ୍ଜାବର ‘ଆର୍ଯ୍ୟସମାଜ’ ଏବଂ ପଶ୍ଚିମ ଓ ଦକ୍ଷିଣ ଭାରତର ‘ପ୍ରାର୍ଥନାସମାଜ’ ମଧ୍ୟରେ ଅନୁରୂପ ଆନ୍ଦୋଳନ ଦେଖାଯାଇଥିଲା । ଏହି ଆନ୍ଦୋଳନଗୁଡ଼ିକର ପୁଙ୍ଖାନୁପୁଙ୍ଖ ବିବରଣୀରେ ଭିନ୍ନତା ପରିଲକ୍ଷିତ ହେଲେ ହେଁ ଆଧୁନିକ ବିଜ୍ଞାନର ଆବିଷ୍କାର ସହିତ ପ୍ରାଚୀନ ଧର୍ମଧାରଣ ଓ ନୀତିବାଣୀର ସମନ୍ୱୟ ସାଧନ ଉଦ୍ୟମରେ ସମସ୍ତେ ଗୋଟିଏ ଆଭିମୁଖ୍ୟର ସୂଚନା ଦେଇଥିଲେ । ପାଶ୍ଚାତ୍ୟ ପ୍ରତି ଅନୁରକ୍ତିର ପ୍ରଥମ ମୋହ ତୁଟିଯାଇ ଯୁକ୍ତିନିର୍ଭର ଏକ ସଂଯତ ଶ୍ରଦ୍ଧାବୋଧ ଏ ଦେଶରେ ସୃଷ୍ଟି ହେଉଥିବା ସମୟରେ ରବୀନ୍ଦ୍ରନାଥଙ୍କର ଜନ୍ମ । ଏହି ପରିବେଶରେ ପାଶ୍ଚାତ୍ୟ ଚିନ୍ତାଦର୍ଶ ସକ୍ରିୟ ଓ ବଳିଷ୍ଟ ଥିଲେ ହେଁ ଭାରତୀୟ ସାଧନାର ଐତିହ୍ୟ ଓ ତା’ର ମୂଲ୍ୟବୋଧ ପ୍ରତି ସ୍ଵୀକୃତି ଓ ସମ୍ମାନ କ୍ରମଶଃ ବୃଦ୍ଧିଲାଭ କରୁଥିଲା ।

 

କେବଳ ଏହି ସମୟ ନୁହେଁ, ସ୍ଥାନ ମଧ୍ୟ ରବୀନ୍ଦ୍ର ପ୍ରତିଭାର ବିକାଶ ପାଇଁ ଅନୁକୂଳ ଥିଲା-। ଭାରତର ଅନ୍ୟାନ୍ୟ ଅଞ୍ଚଳ ଅପେକ୍ଷା ବଙ୍ଗଲା ହିଁ ପ୍ରଥମେ ପାଶ୍ଚାତ୍ୟ ସଭ୍ୟତାର ସଂସ୍ପର୍ଶ ଅତି ନିବିଡ଼ଭାବେ ଅନୁଭବ କରିଥିଲା । ସେତେବେଳେ ବଙ୍ଗଳାର ପ୍ରାଣକେନ୍ଦ୍ର ଥିଲା କଲିକତା-। କଲିକତାର ପ୍ରାଣ ପ୍ରାଚୁର୍ଯ୍ୟ ଓ ଉତ୍ତେଜନା । ସେତେବେଳେ ଲକ୍ଷ୍ୟ କରିବାର ବିଷୟ ଥିଲା । ଏହି ନଗରୀ ଓ ତାର ଉପାନ୍ତ ଅଞ୍ଚଳକୁ କେବଳ ବାଣିଜ୍ୟ ଓ ସଂଗ୍ରାମର ଅଭିଯାତ୍ରୀ ଆସି ନ ଥିଲେ । ସେଠାକୁ ଆସିଥିଲେ ବହୁ ଶାସକ, ଧର୍ମପ୍ରଚାରକ ଓ ସବୁଠାରୁ ଉଲ୍ଲେଖଯୋଗ୍ୟ ବ୍ୟକ୍ତି ଯେଉଁମାନେ କି ଆଜନ୍ନ ଶିକ୍ଷକ । କେବଳ ବ୍ରିଟିଶ୍ ଦ୍ୱୀପପୁଞ୍ଜରୁ ନୁହେ, ୟୁରୋପର ପର୍ତ୍ତୁଗାଲ୍, ହଲାଣ୍ଡ, ଫ୍ରାନ୍ସ ପ୍ରଭୃତି ବହୁ ବିଭିନ୍ନ ଅଞ୍ଚଳରୁ ସେମାନେ ଆସିଥିଲେ । ରୁଷିଆର ଦୂରତ୍ୱ ସେତେବେଳେ ଥିଲା କଳ୍ପନାନୀତ; ତଥାପି କଲିକତା ରଙ୍ଗ ମଞ୍ଚର ବିକାଶ ଇତିହାସରେ ସେତେବେଳର ଅଗ୍ରଣୀ ପଥିକୃତ୍‌ମାନଙ୍କ ମଧ୍ୟରେ ଜଣେ ରୁଷୀୟ ବ୍ୟକ୍ତିଙ୍କର ନାମୋଲ୍ଲେଖ ଲକ୍ଷ୍ୟ କରିବାର ବିଷୟ । ଭାରତୀୟ ଜୀବନର ବେଳାଭୂମିରେ ପ୍ରାଚ୍ୟ ଓ ପାଶ୍ଚାତ୍ୟର ଏହି ମିଳନ ରବୀନ୍ଦ୍ରନାଥଙ୍କ ପକ୍ଷରେ ଥିଲା ବାସ୍ତବ ଓ ଆଦର୍ଶ ।

 

ରବୀନ୍ଦ୍ର ପ୍ରତିଭାର ବିକାଶ ପାଇଁ ତାଙ୍କ ପାରିବାରିକ ଜୀବନର ଘଟଣାବଳୀ ମଧ୍ୟ ଯଥେଷ୍ଟ ସହାୟକ ହୋଇଥିଲା । ଏହି ପରିବାରର ଆଦି ନିବାସ ହେଉଛି ପୂର୍ବବଙ୍ଗ । କିନ୍ତୁ ମୋଗଲ ରାଜତ୍ୱର ଶେଷ ଆଡ଼କୁ ଏହି ପରିବାର ଏକ ସମୃଦ୍ଧ ଓ ସଂଭ୍ରାନ୍ତ ପରିବାରରେ ପରିଣତ ହୋଇ ସାରିଥିଲା ! ଶାସକଗୋଷ୍ଠୀର ପକ୍ଷ ସମର୍ଥନ ହେତୁ ଅର୍ଥାଗମ ଓ ସାଂସ୍କୃତିକ ବିକାଶର ପଥ ସୁଗମ ହୋଇଥିଲା । କିନ୍ତୁ ତତ୍‌ସଙ୍ଗେ ରକ୍ଷଣଶୀଳ ସଂପ୍ରଦାୟ ଏହି ପରିବାର ପ୍ରତି ବିତଶ୍ରଦ୍ଧ ହୋଇଉଠିଥିଲା । ଏହା ଆଦିକାଳର ବିସ୍ତୃତ ବିବରଣୀ ବିଷୟରେ ଆମେ ବିଶେଷ କିଛି ଜାଣୁ ନା । କିନ୍ତୁ ଇଷ୍ଟଇଣ୍ଡିଆ କମ୍ପାନୀ ଏ ଦେଶରେ ନିଜକୁ ପ୍ରତିଷ୍ଠିତ କଲାବେଳକୁ ଠାକୁର ପରିବାର କଲିକତାର ନେତୃସ୍ଥାନୀୟ ନୂତନ ଅଭିଜାତ ପରିବାରମାନଙ୍କ ମଧ୍ୟରେ ପରିଗଣିତ ହେଲଣି । ରବୀନ୍ଦ୍ରଙ୍କ ପିତାମହ ତାଙ୍କର ସମୃଦ୍ଧ ଓ ଉନ୍ନତ ଜୀବନ ଯାପନ ପାଇଁ ରାଜା ଦ୍ଵାରକାନାଥ ନାମରେ ପରିଚିତ ଥିଲେ ଏବଂ ରାମମୋହନ ରାୟଙ୍କର ପାଶ୍ଚାତ୍ୟ ଶିକ୍ଷା ବିସ୍ତାରରୂପୀ ଅଭିଯାନର ସେ ଥିଲେ ଜଣେ ନୈଷ୍ଠିକ ସମର୍ଥକ । ରବୀନ୍ଦ୍ରନାଥଙ୍କ ବାପା ଉପନିଷଦର ମନ୍ତ୍ର ଓ ହାଫିଜ୍‌ଙ୍କର ଲେଖା ସକାଳେ ଆବୃତ୍ତି କରି ଶଯ୍ୟାତ୍ୟାଗ କରୁଥିଲେ ଏବଂ ତାଙ୍କର ଧର୍ମାନୁରାଗ ଓ ନିଷ୍ଠା ପାଇଁ ସେ ମହର୍ଷି ନାମରେ ପରିଚିତ ହୋଇଥିଲେ । ରାମମୋହନ ରାୟଙ୍କ ମୃତ୍ୟୁପରେ ବ୍ରାହ୍ମସମାଜର ସେ ହେଲେ ଶ୍ରେଷ୍ଠ ଓ ସମ୍ମାନିତ ଧର୍ମଗୁରୁ । ଉପନିଷଦ ଓ ଇସଲମ୍ ଧର୍ମର ପରଂପରାରେ ଗଭୀର ଅବଗାହନ ହେତୁ ଠାକୁର ପରିବାର ଏକାଧାରରେ ପାଶ୍ଚାତ୍ୟ ଶିକ୍ଷା ଓ ପାଶ୍ଚାତ୍ୟ ଜୀବନ ଯାପନ ପ୍ରଣାଳୀର ଅନ୍ୟତମ ପଥସ୍ରଷ୍ଟାରୂପେ ପରିଗଣିତ ହୋଇଥିଲା ।

 

ରବୀନ୍ଦ୍ରନାଥଙ୍କ ଜୀବନ ଦର୍ଶନରେ ପରଂପରା ଓ ପ୍ରଗତିମୂଳକ ନୂତନ ପରୀକ୍ଷାର ଯେଉଁ ସମନ୍ୱୟ ଲକ୍ଷିତ ହୁଏ, ତାହାର ଜନ୍ମ ତାଙ୍କ ପାରିବାରିକ ଜୀବନର ବୈଚିତ୍ର୍ୟ ଓ ମୂଲ୍ୟବୋଧ ମଧ୍ୟରେ ସ୍ୱଷ୍ଟ । ରବୀନ୍ଦ୍ରନାଥଙ୍କ ଜନ୍ମ ବେଳକୁ ଏହି ପରିବାର କ୍ରମାନ୍ୱୟଭାବେ ତିନି ପୁରୁଷ ଧରି ଅସାଧାରଣ ସୁଯୋଗ୍ୟ ବ୍ୟକ୍ତିଙ୍କୁ ଜନ୍ମ ଦେଇ ସାରିଲାଣି । ସମୃଦ୍ଧ ଓ ସୁପରିଚିତ ହେଲେହେଁ ଏହି ପରିବାର ତଥାପି ବ୍ରାହ୍ମଣ ସମାଜ ମଧ୍ୟରେ ଘୃଣିତ ହୋଇ ରହିଥିଲା ! ଠାକୁର ପରିବାରରେ ଭୋଜନ ସାମାଜିକ ଅନୁମୋଦନ ଲାଭ କରି ପାରୁ ନ ଥିଲା । ଠାକୁର ପରିବାର ସହିତ କେହି ବୈବାହିକ ସମ୍ବନ୍ଧ ସ୍ଥାପନ କଲେ ସମାଜରୁ ତାକୁ ବାସନ୍ଦ ହେବାକୁ ପଡ଼ୁଥିଲା । ଅନ୍ୟ ଦିଗରେ ନିଜର ଐଶ୍ୱର୍ଯ୍ୟ ଓ ପ୍ରତିଭା ପ୍ରତି ସଚେତନ ଏହି ପରିବାର ସେକାଳର ବହୁ ସାମାଜିକ ବିଧିବିଧାନ ପ୍ରତି ଏକ ଉଦ୍ଧତ ଔଦାସୀନ୍ୟ ପ୍ରଦର୍ଶନପୂର୍ବକ ନିଜର ପ୍ରତିକ୍ରିୟା ପ୍ରକାଶ କରୁଥିଲା । ରବୀନ୍ଦ୍ରନାଥଙ୍କ ପିତାମହ ତଦାନୀନ୍ତନ ସାମାଜିକ ପ୍ରଥାକୁ ଅସ୍ୱୀକାର କରି ବିଲାତ ଯାତ୍ରା କରିଥିଲେ ଏବଂ ତାଙ୍କ ପିତା ବ୍ରାହ୍ମଧର୍ମର ପୃଷ୍ଠପୋଷକରୂପେ ରକ୍ଷଣଶୀଳତା ବିରୁଦ୍ଧରେ ବିଦ୍ରୋହର ଅନ୍ୟତମ ଅଗ୍ରଣୀ ନେତା ଭାବେ କାର୍ଯ୍ୟ କରିଥିଲେ । ରବୀନ୍ଦ୍ରନାଥଙ୍କ ଜ୍ୟେଷ୍ଠଭ୍ରାତା ସତ୍ୟେନ୍ଦ୍ରନାଥ ହେଉଛନ୍ତି ପ୍ରଥମ ଭାରତୀୟ ଯେ କି ସେ କାଳର ଉଚ୍ଚପାହିଆ ଆଇ.ସି.ଏସ୍, ପରୀକ୍ଷାରେ କୃତିତ୍ତ୍ୱ ସହକାରେ ଉତ୍ତୀର୍ଣ୍ଣ ହୋଇଥଲେ । ତାଙ୍କ ସ୍ତ୍ରୀ ନାରୀର ପରିଧେୟରେ ଯେଉଁ ନୂତନ ରୁଚି ପ୍ରବର୍ତ୍ତନ କରିଥିଲେ ତାହା ବଙ୍ଗଳାରୁ କ୍ରମଶଃ ଭାରତର ଅନ୍ୟାନ୍ୟ ଅଞ୍ଚଳକୁ ପ୍ରସାରିତ ହୋଇଥିଲା ।

 

ରାମମୋହନ ରାୟଙ୍କର ବ୍ରାହ୍ମଧର୍ମର ନୀତି ଓ ପନ୍ଥାକୁ ସେକାଳର ରକ୍ଷଣଶୀଳ ହିନ୍ଦୁ ସମାଜ କିପରି ପ୍ରତିକ୍ରିୟାଶୀଳ ଭାବରେ ଗ୍ରହଣ କରିଥିଲା ସମୟର ଦୀର୍ଘ ବ୍ୟବଧାନ ପରେ ତାହା ଉପଲବ୍ଧ କରିବାକୁ ଆମେ ଆଜି ଅସମର୍ଥ । ବହୁ ଶତାବ୍ଦୀ ଧରି ହିନ୍ଦୁଧର୍ମ ବହିଃଶକ୍ତିର ଆକ୍ରମଣ ସହ ଆସିଛି । ପ୍ରଥମେ ଇସ୍‌ଲାମ ଓ ପରେ ଖ୍ରୀଷ୍ଟଧର୍ମର ଆକ୍ରମଣ ହିଁ ଉଲ୍ଲେଖଯୋଗ୍ୟ । ମଧ୍ୟଯୁଗୀୟ ସନ୍ଥମାନଙ୍କ ଦ୍ଵାରା ପ୍ରଚାରିତ ଧର୍ମ ଆନ୍ଦୋଳନ ଅନେକାଂଶରେ ଇସ୍‌ଲାମ୍ ଧର୍ମର ଏକେଶ୍ୱରବାଦ ଏବଂ ସମାନାଧିକାର ବିଶ୍ୱାସର ଏକ ସାଂସର୍ଗିକ ପରିଣତି । କିନ୍ତୁ ହିନ୍ଦୁଧର୍ମର ଅନେକ ବିଶ୍ୱାସକୁ ମଧ୍ୟଯୁଗର ଏହି ସନ୍ଥଗଣ ପରିହାର କରି ନ ଥିଲେ । ସେମାନଙ୍କ ଧର୍ମମତରେ ହିନ୍ଦୁଧର୍ମର ବହୁ ଦେବତା କ୍ରମେ ସ୍ଥାନ ଲାଭ କରିଥିଲେ । ବୃଦ୍ଧିର ଭ୍ରଷ୍ଟାଚାର ବୋଲି ଯାହାକୁ ଭାବୁଥିଲେ ତାକୁ ଗ୍ରହଣ କରିବାକୁ ରାମମୋହନ ରାୟ ସର୍ବଦା ବିମୁଖ ଥିଲେ । ତାଙ୍କର ଏକେଶ୍ୱରବାଦ ତେଣୁ ଇସ୍‌ଲାମ୍‌ଧର୍ମର ବହୁ ଏକନିଷ୍ଠ ଉପାସକଙ୍କୁ ଆକୃଷ୍ଟ କରିଥିଲା । ଏହି ନୈଷ୍ଠିକ ଏକେଶ୍ୱରବାଦ ଓ ଶାସ୍ତ୍ରୀୟ ଅନୁଷ୍ଠାନ ପଦ୍ଧତିର ବର୍ଜନ ଆମ୍ଭମାନଙ୍କୁ ଇସ୍‌ଲାମ୍‌ଧର୍ମର ଆଦିଯୁଗ ଓ ୟୁରୋପର ପ୍ୟୁରିଟାନ୍‌ ଆନ୍ଦୋଳନର କଥା ସ୍ମରଣ କରାଇଦିଏ । ରକ୍ଷଣଶୀଳ ହିନ୍ଦୁ ସମାଜ ଅଧିକ ଊତ୍ୟକ୍ତ ହେବାର ଅନ୍ୟତମ ଓ ପ୍ରଧାନ କାରଣ ହେଉଛି ଯେ ରାମମୋହନ ରାୟ ନିଜର ଧର୍ମମତକୁ ପ୍ରମାଣିତ ଓ ପ୍ରତିଷ୍ଠିତ କରିବା ପାଇଁ ଉପନିଷଦ ଓ ଅନ୍ୟାନ୍ୟ ହିନ୍ଦୁ ଶାସ୍ତ୍ରଗୁଡ଼ିକର ସାହାଯ୍ୟ ଗ୍ରହଣ କରୁଥିଲେ । ମହର୍ଷି ମଧ୍ୟ ତାଙ୍କରି ଭଳି ଥିଲେ ଉପନିଷଦର ଏକ ପରମ ଭକ୍ତ ଏବଂ ସେ କୌଣସି ପ୍ରକାରର ପୌତ୍ତଳିମତା ଓ ବହୁ ଦେବବାଦର ଚରମ ବିଦ୍ୱେଷୀ ।

 

ତେଣୁ ରବୀନ୍ଦ୍ରନାଥ ଏପରି ଏକ ପରିବାରରେ ଜନ୍ମଗ୍ରହଣ କରିଥିଲେ ଯାହାର ବାତାବରଣ ଗଭୀର ଧର୍ମାନୁଭୂତିରେ ପୂର୍ଣ୍ଣ ଥିଲେହେଁ କୌଣସି ପ୍ରକାରର ସାକାର ଉପାସନା ଓ ଶାସ୍ତ୍ରୀୟ ଅନୁଷ୍ଠାନ ପଦ୍ଧତିଠୁଁ ତାହା ସମ୍ପୂର୍ଣ୍ଣ ମୁକ୍ତ ଥିଲା । ତେଣୁ ଅତି ସହଜ ଓ ଅବାଧ ଭାବରେ ରବୀନ୍ଦ୍ର ନାଥ ଭାରତର ପ୍ରାଚୀନ ପରମ୍ପରା ଗ୍ରହଣ କରିବା ସଂଗେ କେବଳ ସାହିତ୍ୟ ନୁହେ, ସଂସ୍କୃତରେ ଥିବା ଧାର୍ମିକ ଓ ସାଂସ୍କୃତିକ ଆଦର୍ଶ ଦ୍ୱାରା ଗଭୀରଭାବେ ଅନୁପ୍ରାଣିତ ହୋଇଥିଲେ । ତାଙ୍କ ପାରିବାରିକ ଇତ୍ତିହାସ ମଧ୍ୟଯୁଗୀୟ ଜୀବନଧାରା ସହିତ ତାଙ୍କୁ ପରିଚିତ କରାଇଥିଲା ଏବଂ ମୋଗଲ ରାଜତ୍ୱ କାଳରେ ଗଢ଼ି ଉଠିଥିବା ମିଶ୍ର ସଂସ୍କୃତିକୁ ସେ ବିନା ଦ୍ୱିଧାରେ ଗ୍ରହଣ କରିଥିଲେ । ଏହି ଉଭୟ ଦିଗରେ ସେ ତତ୍‌କାଳୀନ ଅନ୍ୟାନ୍ୟ ବ୍ରାହ୍ମଣ ଜମିଦାରଙ୍କଠୁଁ ପ୍ରାୟ ସ୍ୱତନ୍ତ୍ର ନ ଥିଲେ; କିନ୍ତୁ ତାଙ୍କ ପାରିବାରିକ ପୃଷ୍ଠଭୂମି ଯାହାକି ଆଧୁନିକ ବିଶ୍ୱର ଜୀବନ ସ୍ରୋତ ପ୍ରତି ତାଙ୍କୁ ସ୍ପର୍ଶ-ଚେତନ କରିଥିଲା, ତାହା ଅତ୍ୟନ୍ତ ବିରଳ ଥିଲା କହିଲେ ଚଳେ ।

 

ପାଶ୍ଚାତ୍ୟ ମୂଲ୍ୟବୋଧର ଉପଲବ୍ଧିରେ ରବୀନ୍ଦ୍ରନାଥ ସର୍ବଦା ଥିଲେ ବିଚାରବନ୍ତ ଓ ସହାନୁଭୂତିଶୀଳ । କିନ୍ତୁ ସେହି ମୂଲ୍ୟବୋଧର ଯାନ୍ତ୍ରିକ ପ୍ରୟୋଗର କୁଫଳ ପ୍ରତି ମଧ୍ୟ ସେ ସଚେତନ ଥିଲେ । ଜୀବନର ସ୍ୱତଃସ୍ଫୁର୍ତ୍ତତା ଓ ମୌଳିକ ଶକ୍ତିକୁ ଏକ ବିଦେଶୀ ସଂସ୍କୃତିର ଛାଞ୍ଚରେ ଢାଳି ଗଢ଼ିବାର ଯତ୍ନ କଲେ ତାର ପରିଣତ କିପରି କ୍ଷତିକାରକ ହୁଏ, ତାହା ସେ ଦୂରଦୃଷ୍ଟିର ସହିତ ସ୍ପଷ୍ଟ ଭାବରେ କହିଛନ୍ତି । ଅନ୍ୟପକ୍ଷରେ ଜୀବନର ଯେ କୌଣସି ଉତ୍ସରୁ ମୁଲ୍ୟବାନ ଉପାଦାନ ଗ୍ରହଣ କରିବାକୁ ସେ ସର୍ବଦା ପ୍ରସ୍ତୁତ ଥିଲେ । ଭାରତର ପ୍ରାଚୀନ ଓ ମଧ୍ୟଯୁଗର ପରମ୍ପରା ପାଳିତ ଓ ଅପର ପକ୍ଷରେ ଆଧୁନିକ ନବଜାଗରଣର ଅନ୍ୟତମ ପଥସ୍ରଷ୍ଟା ଏହି ପରିବାର, ତେଣୁ ତାର ଅତୀତର ସମୃଦ୍ଧି ଐତିହ୍ୟ ପରିହାର ନ କରି ନବଯୁଗର ଆହ୍ୱାନକୁ ସହଜ ଭାବରେ ଗ୍ରହଣ କରିଥିଲା । ଏହି ପାରିବାରିକ ପୃଷ୍ଠଭୂମି ହିଁ ରବୀନ୍ଦ୍ରନାଥଙ୍କୁ ଭାରତୀୟ ସମୃଦ୍ଧ ଐତିହ୍ୟର ଉତ୍ତରାଧିକାରୀ ହେବାକୁ ଓ ପାଶ୍ଚାତ୍ୟ ଜଗତର ନୂତନ ଚିନ୍ତା ଗ୍ରହଣ କରିବାକୁ ଆଗ୍ରହାନ୍ୱିତ କରିଥିଲା । ତେଣୁ ସକଳ କର୍ମରେ ପରମ୍ପର ଭିତ୍ତି ଉପରେ ନୂତନ ଚିନ୍ତାର ପ୍ରୟୋଗ ବା ପରୀକ୍ଷା କରିବାରେ ରବୀନ୍ଦ୍ର ନାଥଙ୍କର ଯେଉଁ ଅସାଧାରଣ ଦକ୍ଷତା ପ୍ରକାଶ ପାଇଥିଲା ତାହାର ରହସ୍ୟ ଏହାରି ମଧ୍ୟରେ ହିଁ ନିହିତ ।

 

ଜନସାଧାରଣଙ୍କ ସହିତ ରବୀନ୍ଦ୍ରନାଥଙ୍କର ସୌହାର୍ଦ୍ଦ୍ୟ ସ୍ଥାପନ ପାଇଁ ଅନ୍ୟ ଏକ କାରଣ ମଧ୍ୟ ସହାୟକ ହୋଇଥିଲା । ରବୀନ୍ଦ୍ରନାଥ ସେତେବେଳେ ଯୌବନରେ ପଦାର୍ପଣ ମାତ୍ର କରିଥାନ୍ତି । ସେ ସମୟରେ ତାଙ୍କ ବାପା ତାଙ୍କୁ ପରିବାରର ଜମିଦାରୀ ଇଲାକାଗୁଡ଼ିକର ତତ୍ତ୍ୱାବଧାନ ନବାକୁ ଆଦେଶ ଦେଲେ । ପାରିବାରିକ ସମ୍ପତ୍ତିର ରକ୍ଷଣାବେକ୍ଷଣ କାର୍ଯ୍ୟରେ ମହର୍ଷି ଯେ ତାଙ୍କର ସର୍ବ କନିଷ୍ଠ, କବି ଏବଂ ସ୍ଵପ୍ନବିଳାସୀ ରୂପେ ପରିଚିତ ପୁତ୍ରଙ୍କୁ ନିର୍ବାଚନ କରିବେ ଏ ଘଟଣା । ସେତେବେଳେ ବହୁ ଲେକଙ୍କୁ ବିସ୍ମିତ କରିଥିଲା । କିନ୍ତୁ ଜଣେ କବିଙ୍କୁ ଜମିଦାରୀ ଇଲାକାର ତତ୍ତ୍ୱାବଧାରକ ରୂପେ ନିୟୋଜିତ କର ମହର୍ଷି ଯେ ବିବେକୀ କାର୍ଯ୍ୟ କରିଛନ୍ତି ରବୀନ୍ଦ୍ରନାଥଙ୍କ ଦ୍ୱାରା ଖୁବ୍ ଶୀଘ୍ର ତାହା ପ୍ରମାଣିତ ହୋଇଥିଲା ! କେବଳ ଏଇଥିପାଇଁ ଯେ ରବୀନ୍ଦ୍ରନାଥ ପୂର୍ବ ବଙ୍ଗର ଗାଆଁ ଗହଳିରେ ବର୍ଷ ବର୍ଷ ଧରି ଜୀବନ କଟାଇବାକୁ ବାଧ୍ୟ ହୋଇଥିଲେ, ତାହା ହିଁ ଏ କ୍ଷେତ୍ରରେ ଆମର ଜାଣିବାର କଥା । ଏହି ସ୍ଥାନରେ ଅଧିକାଂଶ ସମୟରେ ପଦ୍ମା ନଦୀର ସିକତାମୟ ପ୍ରଦେଶରେ ନୌକା ଯୋଗେ ସେ କଟାଉଥିଲେ । ଏହିପରି ଭାବରେ ପଲ୍ଳୀମୟୀ ବଙ୍ଗର ପ୍ରକୃତି ଓ ମନୁଷ୍ୟ ସହିତ ନିବିଡ଼ ସଖ୍ୟ ସେ ପ୍ରତିଷ୍ଠା କରି ପାରିଥିଲେ । ଜୀବନର ଯେଉଁ ମୁଲ୍ୟବାନ ଅଭିଜ୍ଞତା ଏହି ଅଞ୍ଚଳଗୁଡ଼ିକରେ ସେ ଲାଭ କରିଥିଲେ ଜନ୍ମମାଟିର ଆଦିମ ଓ ପ୍ରାଚୀନ ଇତିହାସ ସହିତ ତାର ମୌଳିକ ସଂପର୍କ ନିହିତ ଥିଲା । ମଧ୍ୟଯୁଗରେ ଗଢ଼ି ଉଠିଥିବା ନଗର-ସଂସ୍କୃତି ଅପେକ୍ଷା ଏହାର ସଂସ୍କୃତି ଜନ ସାଧାରଣଙ୍କ ଜୀବନକୁ ଗଭୀର ଭାବେ ସ୍ପର୍ଶ କରିଥିଲା । ଅଧିକାଂଶ ନବ୍ୟଶିକ୍ଷିତ ଶ୍ରେଣୀ ନିକଟରେ ଅନନୁଭୂତ ଏକ ଜଗତ ମଧ୍ୟରେ ରବୀନ୍ଦ୍ରନାଥ ଏହିପରି ସହଜ ଭାବରେ ପ୍ରବେଶ କରିଥିଲେ ଏବଂ ଜନସାଧାରଣଙ୍କୁ ସାମୂହିକ ଚେତନାର କେତେକ ଗଭୀର ସ୍ତରର ମୌଳକ ସ୍ପର୍ଶ ପାଇଥିଲେ ।

 

ରବୀନ୍ଦ୍ରଙ୍କ ଚିନ୍ତାଧାରାର ସବୁଠୁଁ ବଳିଷ୍ଠ ଦିଗ ହେଉଛି, ଜୀବନର ସଂହତି ପ୍ରତି ତାଙ୍କର ଚେତନଶୀଳତା । କୌଣସି ଆଦର୍ଶ ବା ସଂସ୍କୃତିର ବିଭାଗୀକରଣ ତାଙ୍କ ଚିନ୍ତାଶକ୍ତିକୁ ବିଭକ୍ତ କରି ପାରି ନ ଥିଲା । କଳା ଓ ଜୀବନର ଅଦ୍ୱୈତ ସଂପର୍କରେ ଆସ୍ଥା, ତେଣୁ ତାଙ୍କଠାରେ କିଛି ବିସ୍ମୟକର ନୁହେ । ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ ୟୁରୋପର ସୌନ୍ଦର୍ଯ୍ୟତତ୍ତ୍ୱର ନୂତନ ଏକ ସଂପ୍ରଦାୟର ବିଜୟ ପରିଲକ୍ଷିତ ହୋଇଥିଲା । ଜୀବନ ସହିତ କଳାର ସଂପର୍କକୁ ସଂପୂର୍ଣ୍ଣ ଅସ୍ୱୀକାର କରି କେବଳ କଳା ପାଇଁ କଳାର ଆରାଧନା ହେବା ଆବଶ୍ୟକ- ଏହି ମତରେ ସେତେବେଳେ ବହୁ ବ୍ୟକ୍ତି ବିଶ୍ୱାସ ସ୍ଥାପନ କରିଥିଲେ । କଳ୍ପନାର ଗଜଦନ୍ତ ମୀନାର ସୃଷ୍ଟି ହିଁ ସାରସ୍ୱତ ଆରାଧନାର ହେଲା ପ୍ରତୀକ ଓ ମୂଳମନ୍ତ୍ର । ଏହି ସଂପ୍ରଦାୟର ମତାବଲମ୍ବୀଗଣ ପ୍ରଚାର କଲେ ଯେ କବି ଓ କଳାକାର ପ୍ରଥମତଃ ଓ ପ୍ରଧାନତଃ ହେଉଛନ୍ତି ସ୍ୱପ୍ନବାଦୀ, ଏହି ଆଦର୍ଶ ପ୍ରତି ରବୀନ୍ଦ୍ରନାଥ ଯୌବନର ପ୍ରଥମ ସ୍ତରରେ ଆକୃଷ୍ଟ ହୋଇଥିଲେ । କିନ୍ତୁ କ୍ରମେ ନିଜ ଇଲାକାର ଜମିଦାରୀଗୁଡ଼ିକର ପରିଚାଳନା ମାଧ୍ୟମରେ ସାଧାରଣ ମନୁଷ୍ୟର ଆନନ୍ଦବେଦନା ସହିତ ସେ ପ୍ରତ୍ୟକ୍ଷ ଯୋଗାଯୋଗ ସ୍ଥାପନ କରିଥିଲେ । ଜୀବନଠୁଁ ବିଚ୍ଛିନ୍ନ ହୋଇଥିବା କଳାର ଏକ ଅବଧାରଣା ଏହା ପରେ ବୋଧହୁଏ ତାଙ୍କ ପକ୍ଷରେ ଅସମ୍ଭବ ହୋଇଉଠିଲା । ସୌନ୍ଦର୍ଯ୍ୟର ଆରାଧନା ସେ କରିଥିଲେ ସତ, ତାହା କିନ୍ତୁ ଥିଲା ଜୀବନର ମୂର୍ତ୍ତିମନ୍ତ ଅଭିବ୍ୟକ୍ତି । ଏହା ସଙ୍ଗେ ତାଙ୍କର ପୂର୍ଣ୍ଣ ବିଶ୍ୱାସ ଥିଲା ଯେ ଯେଉଁ ଜୀବନ ସୌନ୍ଦର୍ଯ୍ୟ ସହିତ ସଂଲଗ୍ନ ନୁହେ, ତାହା ଲାବଣ୍ୟହୀନ । କବିର ଧର୍ମ ହିଁ ରବୀନ୍ଦ୍ରନାଥଙ୍କ ନିକଟରେ ଥିଲା ମନୁଷ୍ୟର ଧର୍ମ ।

 

ରବୀନ୍ଦ୍ରନାଥଙ୍କ ଜୀବନ ଓ କୃତି ବିଷୟ ବିଚାର କଲେ ଯେ କୌଣସି ବ୍ୟକ୍ତି ବାରମ୍ବାର ତାଙ୍କ ବିଶ୍ୱଚାରିଣୀ ପ୍ରତିଭାରେ ବିମୁଗ୍ଧ ହୋଇଥାଏ । ମୌଳିକଭାବେ ସେ ଥିଲେ ଜଣେ କବି, କିନ୍ତୁ ତାଙ୍କ ଆଗ୍ରହ କେବଳ କବିତା ମଧ୍ୟରେ ସୀମିତ ନ ଥିଲା । ତାଙ୍କ କବିକୃତିର ପରିମାଣ ବିଷୟ ବିଚାର କଲେ ମଧ୍ୟ ତାଙ୍କର ପ୍ରତିଦ୍ୱନ୍ଦୀ ମିଳିବା ଦୁର୍ଲ୍ଲଭ । ସହସ୍ରାଧିକ କବିତା ଓ ଦ୍ୱିସହସ୍ରରୁ ଅଧିକ ସଙ୍ଗୀତ ସହିତ କ୍ଷୁଦ୍ର ଗଳ୍ପ, ଉପନ୍ୟାସ, ନାଟକ ଓ ବହୁ ବିଭିନ୍ନ ବିଷୟକ ପ୍ରବନ୍ଧାବଳୀ ତାଙ୍କ କୃତିର ଅନ୍ତର୍ଗତ । ଗୁଣଗତ ଉତ୍କର୍ଷ ଦିଗରୁ ମଧ୍ୟ ରବୀନ୍ଦ୍ରନାଥ ଏପରି ଉନ୍ନତିର ସୀମାରେ ଉପନୀତ ହୋଇଛନ୍ତି, ଯେଉଁ ସୀମା ସମଗ୍ର ମାନବଜାତିର ଅଳ୍ପ କେତୋଟି ମହତ୍ତମ ପ୍ରତିଭା ସ୍ପର୍ଶ କରିଥିବାର ସୌଭାଗ୍ୟ ଲାଭ କରିଅଛନ୍ତି ।

 

ତାଙ୍କ ସାହିତ୍ୟିକ କୃତିର ବୈଚିତ୍ର ଏହିପରି ଆଶ୍ଚର୍ଯ୍ୟଜନକ । କିନ୍ତୁ ବ୍ୟାପକ ଅର୍ଥରେ ସାହିତ୍ୟ ତାଙ୍କ ଜୀବନର ଅକ୍ଷୟ ଶକ୍ତି ଭଣ୍ଡାରକୁ ନିଃଶେଷ କରି ପାରି ନ ଥିଲା । ଅତି ଉଚ୍ଚକୋଟୀର ଜଣେ ସଙ୍ଗୀତଜ୍ଞ ମଧ୍ୟ ସେ ଥିଲେ । ସତୁରୀ ବର୍ଷ ବୟସରେ ଚିତ୍ର ବିଦ୍ୟାର ସାଧନା ସେ ଆରମ୍ଭ କଲେ । ତଥାପି ଦଶ ବର୍ଷ ମଧ୍ୟରେ ପ୍ରାୟ ତିନି ହଜାର ଚିତ୍ର ସେ ପ୍ରସ୍ତୁତ କରିଥିଲେ ଏବଂ ତନ୍ନଧ୍ୟରୁ କେତେକ ଚିତ୍ର କଳାଦୃଷ୍ଟିରୁ ଅସାଧାରଣ ଗୁଣସମ୍ପନ୍ନ । ଏହା ବ୍ୟତୀତ ଧର୍ମ, ଶିକ୍ଷା, ରାଜନୀତି, ସମାଜସସ୍କାର ସ୍ୱର, ନୈତିକ ଉନ୍ନୟନ ଓ ଆର୍ଥନୀତିକ ପୁନର୍ଗଠନ ଆଦି ବିଭିନ୍ନ ବିଷୟରେ ତାଙ୍କର ଚିନ୍ତାମୂଳକ ପ୍ରବନ୍ଧାବଳୀ ଉଲ୍ଲେଖଯୋଗ୍ୟ । ଏହି ସମସ୍ତ କ୍ଷେତ୍ରରେ ତାଙ୍କର କୃତିତ୍ୱ ଏତେ ବ୍ୟାପକ ଓ ଉନ୍ନତ ଯେ କେବଳ ଏଇଥିରୁ ହିଁ ସ୍ପଷ୍ଟ ସୂଚିତ ହେବ, ରବୀନ୍ଦ୍ରନାଥ ଭାରତର ମହତ ଓ ବରେଣ୍ୟ ସନ୍ତାନମାନଙ୍କ ମଧ୍ୟରେ ଅନ୍ୟତମ ଏବଂ ସମଗ୍ର ମାନବଜାତିର ଜଣେ ବିଶିଷ୍ଟ ବାର୍ତ୍ତାବହ । ତାଙ୍କ ରଚନାବଳୀର ଏହି ନିର୍ଦ୍ଦିଷ୍ଟ ସଙ୍କଳନଟି ରବୀନ୍ଦ୍ର ପ୍ରତିଭାର ଅଲଜ୍ଞାତ କେତୋଟି ବିଭାବ ପ୍ରତି ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରିବ - ଏଥିରେ ସନ୍ଦେହ ନାହିଁ ।

 

ଶିକ୍ଷାବିତ୍‍ ରବୀନ୍ଦ୍ରନାଥଙ୍କ ପ୍ରସଙ୍ଗ ପ୍ରଥମେ ଧରାଯାଉ । ଶିକ୍ଷା ସମ୍ପର୍କୀୟ ତାଙ୍କର ଚିନ୍ତାଧାର ମୁଖ୍ୟତଃ ତାଙ୍କ ଅଭିଜ୍ଞତାରୁ ହିଁ ଆହୂତ । ଭୃତ୍ୟମାନଙ୍କର ତତ୍ତ୍ୱାବଧାନରେ ଥିବା ସହରର ସୀମାବଦ୍ଧ ଜୀବନ ଶିଶୁମାନଙ୍କର ସ୍ଵାଧୀନ ବିହାର ଓ ବ୍ୟାପକ ପରସରର ଅଭାବ ପ୍ରତି ତାଙ୍କୁ ପ୍ରଥମେ ଗଭୀରଭାବେ ସଚେତନ କରିଥିଲା । ଯେଉଁ ବିଦ୍ୟାଳୟଗୁଡ଼ିକରେ ଯୋଗ ଦେଇଥିଲେ ସେ ଲକ୍ଷ୍ୟ କରିଥଲେ ସେ ଗତାନୁଗତିକ ନିୟମବଦ୍ଧ ଜୀବନ ଓ ତାଙ୍କର ଆଗ୍ରହ ନ ଥିବା କେତେକ ବିଷୟର ଅଧ୍ୟୟନ ଉପରେ ହିଁ ସବୁଠି ଜୋର ଦିଆଯାଉଛି । ଏଇଥିରୁ ପ୍ରଚଳିତ ଶିକ୍ଷା ପ୍ରଣାଳୀ ପ୍ରତି ସେ ପ୍ରବଳଭାବେ ବିଦ୍ରୋହୀ ହୋଇଥିଲେ । ପୁଣି ସହଜାତ ପ୍ରକୃତି ବଳରେ ସେ ଉପଲବ୍ଧି କରିଥିଲେ ଯେ ତାଙ୍କୁ ଦିଆଯାଉଥିବା ଶିକ୍ଷା ଆମର ସାମାଜିକ ଜୀବନ ଓ ସାଂସ୍କୃତିକ ପରମ୍ପରା ସହିତ ସମ୍ପର୍କ ହୀନ । ଜୀବନରେ ପ୍ରଥମ ଥର ପାଇଁ ପିତାଙ୍କ ସହିତ ହିମାଳୟ ଦର୍ଶନରେ ସେ ଯେତେବେଳେ ଯାଅନ୍ତି ପ୍ରକୃତିର ସୌନ୍ଦର୍ଯ୍ୟ ସନ୍ଦର୍ଶନରେ ତାଙ୍କପ୍ରାଣରେ କି ଅପୁର୍ବ ଆନନ୍ଦ ଓ ବିସ୍ମୟଭାବ ସୃଷ୍ଟି ହୋଇଥିଲା-ତାହା ସେ ଲିପିବଦ୍ଧ କରିଯାଇଛନ୍ତି । ଶିଶୁର ସୁସ୍ଥ ବିକାଶ ପାଇଁ ପ୍ରକୃତିର ନିବିଡ଼ ଓ ନିୟତ ସାନ୍ନିଧ୍ୟ ଏବଂ ବହିଃଶକ୍ତିର ଅସ୍ୱାଭାବିକ ଚାପରୁ ମୁକ୍ତି ଏକାନ୍ତଭାବେ ଯେ ଆବଶ୍ୟକ - ଏହି ଦୃଢ଼ ପ୍ରତ୍ୟୟ ତାଙ୍କ ପ୍ରାଣରେ ସେହି ଘଟଣାରୁ ହିଁ ସୃଷ୍ଟି ହେଲା । ଏପରି ଏକ ଶିକ୍ଷାପ୍ରଣାଳୀ ସେ ତେଣୁ କାର୍ଯ୍ୟକାରୀ କରିବାକୁ ଇଚ୍ଛା କଲେ । ଯେଉଁ ବ୍ୟବସ୍ଥା ମଧ୍ୟରେ ଶିଶୁ ମନର ସମସ୍ତ ଆବେଗ ଓ କୌତୁହଳ ପ୍ରତି ଏକ ବିଚାରବନ୍ତ ଦୃଷ୍ଟିଭଙ୍ଗୀ ରହିବ ଏବଂ କେବଳ ସେତିକି ନୁହେଁ, ଯେଉଁ ଶିକ୍ଷା ବ୍ୟବସ୍ଥାର ଜନ୍ମ ଓ ବିକାଶ ଏ ଦେଶର ପରମ୍ପରା ଓ ଇତିହାସ ସହ ସଂଲଗ୍ନ ହେବା ସଙ୍ଗେ ପ୍ରକୃତିର ନିବିଡ଼ ଚିରନ୍ତନ ସଂସର୍ଗର ଆବଶ୍ୟକତା ପୂର୍ଣ୍ଣମାତ୍ରାରେ ଉପଲବ୍ଧି କରି ପାରୁଥିବ ।

 

‘ଶିକ୍ଷାର ବ୍ୟବଧାନ ଶୀର୍ଷକ ପ୍ରବନ୍ଧଟି ଏ ଦିଗରୁ କେବଳ ପ୍ରଥମ ଓ ଦୀର୍ଘ ପ୍ରବନ୍ଧ ବୋଲି ନୁହେ, ମାନବିକ ବ୍ୟକ୍ତିତ୍ୱର ସର୍ବାଙ୍ଗୀଣ ଉନ୍ନତି କଲେ ମାତୃଭାଷାର ଅଧ୍ୟୟନ ସେ ଏକାନ୍ତ ଆବଶ୍ୟକ - ଏହି ମତର ବଳିଷ୍ଠ ପ୍ରଖ୍ୟାପନ ଯୋଗୁ ସର୍ବଶେଷ ଉଲ୍ଲେଖଯୋଗ୍ୟ । ଏ ଦୃଷ୍ଟିରୁ ଶିକ୍ଷା ସଂସ୍କାର କ୍ଷେତ୍ରରେ ସେ ଜଣେ ବିପ୍ଳବୀ ରୂପେ ବିବେଚିତ, କିନ୍ତୁ କେବଳ ଏହି ଅର୍ଥରେ ସେ ବିପ୍ଳବୀ ଯେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ଯେଉଁ ମୁଲ୍ୟବାନ ଉପାଦାନ ସବୁ ବିସ୍ତୃତ ବା ଅବହେଳିତ ହୋଇଥିଲା ସେଗୁଡ଼ିକର ପୁନରୁଦ୍ଧାର ପାଇଁ ସେ ଉଦ୍ୟମ କରିଥିଲେ ! ଦୂରଦୃଷ୍ଟି ଓ ପ୍ରଜ୍ଞାବଳରେ ସେ ଅନୁଭବ କରି ପାରିଥିଲେ ଯେ ଯେଉଁ ବିପ୍ଳବ, ପରମ୍ପରାକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରେ ପରିଣାମରେ ନିଜଠାରେ ହିଁ ସେ ନିଜେ ପରାଜିତ ହୋଇଥାଏ । ବିପ୍ଳବର ବିଜୟ ସକାଶେ ବିସ୍ତୃତ ମୂଲ୍ୟବୋଧର ନବାବିଷ୍କାର ସଙ୍ଗେ ତାର ସମୟୋପଯୋଗୀ ପୁନର୍ଗଠନ ଆବଶ୍ୟକ ।

 

ରବୀନ୍ଦ୍ରନାଥଙ୍କର ଦୃଢ଼ ବିଶ୍ୱାସ ଯେ ପ୍ରକୃତି ସହ ସଂପର୍କ ରକ୍ଷା କରି ଶିକ୍ଷାପ୍ରଣାଳୀ ଶିଶୁର ବ୍ୟକ୍ତିତ୍ୱର ବିକାଶ ସାଧନ କରିବା ଆବଶ୍ୟକ । ପ୍ରକୃତିର ସ୍ୱର ସହିତ ନିଜକୁ ମିଶାଇ ଶିଶୁ ଯଦି ତା କ୍ଷମତାର ଉନ୍ନତି ସାଧନ କରେ ତାହେଲେ ସେ ପୂର୍ଣ୍ଣ ବ୍ୟକ୍ତିତ୍ୱର ଅଧିକାରୀ ହୋଇପାରିବ-। ବୈଚିତ୍ର୍ୟପୁର୍ଣ୍ଣ ନିସର୍ଗ ସୌନ୍ଦର୍ଯ୍ୟ ଶିଶୁ ମନରେ ତାର ଅଜ୍ଞାତ ସାରରେ ରେଖାପାତ କରିବା ଆବଶ୍ୟକ, ସନ୍ଧ୍ୟାର ପ୍ରଶାନ୍ତି ଓ ଉଷାର ପ୍ରତିଶ୍ରୁତି, ତାରକାର ଜ୍ୟୋତିପ୍ରସାରୀ ସୌନ୍ଦର୍ଯ୍ୟ ଓ ଉଦୟଭାନୁର ଦୀପ୍ତି ଶିଶୁର ବ୍ୟକ୍ତିତ୍ୱ ମଧ୍ୟରେ ପ୍ରବେଶ କରିବା ବାଞ୍ଚ୍ଥନୀୟ । ପ୍ରକୃତ ଓ ରାଜ୍ୟରେ ଦୃଶ୍ୟମାନ ସଂଘର୍ଷ ଓ ଦ୍ୱନ୍ଦ ବିଷୟରେ ରବୀନ୍ଦ୍ରନାଥ ଯେ ଅଜ୍ଞାତ ଥିଲେ ତାହା ନୁହେଁ, ବରଂ ଏକ ବୃହତ୍ତର ସମନ୍ୱୟ ମଧ୍ୟରେ ସକଳ ଦ୍ୱନ୍ଦ୍ୱ ଓ ସଂଘର୍ଷର ସେ ଅବସାନ ଘଟେ - ଏ ବିଷୟରେ ତାଙ୍କର ଦୃଢ଼ ଧାରଣା ରହିଥିଲ । ବହିଃବିଶ୍ୱର ଏହି ସମନ୍ୱୟ ପ୍ରତି ଶିଶୁ ମନ ସଚେତନ ହେବା ସଙ୍ଗେ ତାର ଅନ୍ତଃ ପ୍ରକୃତିରେ ମଧ୍ୟ ଐକ୍ୟତାନ ସୃଷ୍ଟି ହେବା ସ୍ୱାଭାବିକ ।

 

ରବୀନ୍ଦ୍ରନାଥଙ୍କର ଏହି ଶିକ୍ଷାଦର୍ଶରେ ସଂକୀର୍ଣ୍ଣତାର ଆଦୌ ସ୍ଥାନ ନ ଥିଲା । ମାନବ ପ୍ରକୃତିରେ କୌଣସି ବିଭାବକୁ ଅବଦମିତ କରି ରଖିବାର ସେ ପକ୍ଷପାତୀ ମଧ୍ୟ ନ ଥିଲେ । ବରଂ ସେ ବିଶ୍ୱାସ କରୁଥିଲେ ସେ ସକଳ କ୍ଷମତାର ସମନ୍ୱିତ ବିକାଶ ଦ୍ଵାରା ହିଁ ସପୂର୍ଣ୍ଣ ବ୍ୟକ୍ତିର ଅର୍ଜନ ସମ୍ଭବପର । ବୁଦ୍ଧିବୃତ୍ତି ସହିତ ମାନବିକ ଆବେଗ ଓ ପ୍ରବୃତ୍ତିର ବିକାଶ ସାଧନ କରିବା ପ୍ରକୃତିସହ ସଙ୍ଗତି ରକ୍ଷା କରିବା ଓ ବିଭିନ୍ନ ପାଠ୍ୟ ବିଷୟଗୁଡ଼ିକ ମଧ୍ୟରେ ସମତାବିଧାନ କରିବା ସତ୍‌ଶିକ୍ଷାର ଲକ୍ଷ୍ୟ । ‘ଶିକ୍ଷା ସମସ୍ୟା’ ଶୀର୍ଷକ ପ୍ରବନ୍ଧରେ ସେ ଊଲ୍ଲେଖ କରିଅଛନ୍ତି ଯେ ଏସକଳ ବିଷୟର ସିଦ୍ଧି କେବଳ ଅଧ୍ୟୟନ ଓ ସମ୍ପୂର୍ଣ୍ଣ ବାସ - ବ୍ୟବସ୍ଥା ଥିବା ଏକ ବିଦ୍ୟାଳୟରେ ହିଁ ସମ୍ଭବ । ସେଠାରେ ଶିଶୁମାନଙ୍କୁ ପ୍ରକୃତି ସହିତ ନିବିଡ଼ ଓ ପ୍ରାତ୍ୟହିକ ସମ୍ପର୍କ ସ୍ଥାପନ କରିବାର ସୁଯୋଗ ଦିଆଯାଇ ପାରିବ । ଶିକ୍ଷା ସକାଶେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଶିକ୍ଷକମାନଙ୍କର ବ୍ୟକ୍ତିଗତ ଜୀବନର ଆନ୍ତରିକ ସାନ୍ନିଧ୍ୟଲାଭ କରି ଜାତୀୟ ପରମ୍ପରାର ଗୌରବ ସେମାନେ ସେଠାରେ ହୃଦୟଙ୍ଗମ କରି ପାରିବେ । ଏହି ସମସ୍ତ ଆଦର୍ଶକୁ ବାସ୍ତବ ରୂପରେଖ ଦେବା ସଙ୍ଗେ ଶିଶୁ ବ୍ୟକ୍ତିତ୍ତ୍ୱର ବିଭିନ୍ନ ବିଭାବର ଅଭିବୃଦ୍ଧି ପାଇଁ କର୍ମସୂଚୀ କରିବାକୁ ଶାନ୍ତିକେତନରେ ସେ ନିଜର ଏକ ବିଦ୍ୟାଳୟ ସ୍ଥାପନ କରିଥିଲେ ।

 

ବିଭିନ୍ନ ପ୍ରକାରର କର୍ମାନୁଷ୍ଠାନ ଦ୍ୱାରା ଶିଶୁର ସବୋତ୍କୃଷ୍ଟ ଉନ୍ନତି ସମ୍ଭବପର ବୋଲି ରବୀନ୍ଦ୍ରନାଥଙ୍କର ମତ । ଗୋଟିଏ ଶିଶୁକୁ ନିଷ୍କର୍ମା ଓ ନିଶ୍ଚଳ ହୋଇ ବସି ରହିବାକୁ ବାଧ୍ୟ କରିବାଠୁ ଅଧିକତାର ଦୂର କର୍ମ ସେ ନାହିଁ- ଏ କଥା ବାରମ୍ବାର ସେ ପ୍ରକାଶ କରି ଯାଇଛନ୍ତି । ଶିଶୁ ସ୍ଵଭାବତଃ ସକ୍ରିୟ, ଏହି ସକ୍ରିୟତାକୁ ଶିକ୍ଷାର ଏକ ଅପରିହାର୍ଯ୍ୟ ଅଙ୍ଗରୂପେ ବ୍ୟବହାର କରିବାକୁ ରବୀନ୍ଦ୍ରନାଥଙ୍କ ବିଦ୍ୟାଳୟ ପ୍ରାରମ୍ଭରୁ ହଁ ଚେଷ୍ଟା କରି ଆସିଅଛି । ତାଙ୍କର ଶିକ୍ଷାଦର୍ଶ ଅନ୍ୟାନ୍ୟ ଶିକ୍ଷାବିତ୍‌ଙ୍କ ଦ୍ୱାରା ଆଜି ଗୃହୀତ ଏବଂ ତାଙ୍କ ପ୍ରବର୍ତ୍ତୀତ ବହୁ ନୂତନ ପନ୍ଥା ମଧ୍ୟ ସାଧାରଣ ଶିକ୍ଷାପଦ୍ଧତିରେ ଅଙ୍ଗରୂପେ ଆଜି ପରିଣତ । କିନ୍ତୁ ସମନ୍ୱୟ ସମତା ଓ ବ୍ୟକ୍ତିତ୍ୱର ସର୍ବାଙ୍ଗୀଣ ଉନ୍ନତି ଉପରେ ପ୍ରାଧାନ୍ୟ ଦେବାରେ ହିଁ ଶିକ୍ଷା ଜଗତକୁ ଯେ ତାଙ୍କର ନିର୍ଦ୍ଦିଷ୍ଟ ଦାନ ରହିଛି, ଏକଥା ଆମ ସମସ୍ତଙ୍କ ଦ୍ୱାର ସ୍ଵୀକୃତ । ସତ୍ୟରେ ଉପନୀତ ହେବାକୁ ହେଲେ ସୌନ୍ଦର୍ଯ୍ୟର ନୀତି ସହିତ ଓ ନୀତି ସୌନ୍ଦର୍ଯ୍ୟର ମର୍ମ ସହିତ ସଂପୃକ୍ତ ହେବା ଆବଶ୍ୟକ ବୋଲି ତାଙ୍କର ମତ । ଏହି ଭାବରେ ତାଙ୍କର ଶିକ୍ଷାଦର୍ଶରେ ସତ୍ୟ, ଶିବ, ସୁଦରର ସମନ୍ୱୟ ବିଦ୍ୟମାନ ।

 

ଯେଉଁ ମୌଳିକ ଶିକ୍ଷା ସ୍ଵାଧୀନ ଭାରତରେ ଆଜି ଶିକ୍ଷାର ମୂଳ ଉପାଦାନରୂପେ ଗୃହୀତ, ତାହା ରବୀନ୍ଦ୍ରନାଥଙ୍କ ଚିନ୍ତା ଓ ଶିକ୍ଷାପ୍ରଣାଳୀ ନିକଟରେ ଅନେକାଂଶର ଋଣୀ । ଜନସାଧାରଣଙ୍କ ସାମାଜିକ ଓ ଅର୍ଥ ନୈତିକ ଜୀବନ ସହିତ ଶିକ୍ଷା ଯେ ସମ୍ପର୍କହୀନ ହେବା ଅନୁଚିତ, ଏ କଥା ସେ ବହୁବାର ଉଲ୍ଲେଖ କରି ଯାଇଛନ୍ତି । “କବିର ବିଦ୍ୟାଳୟ’ ଶୀର୍ଷକ ପ୍ରବନ୍ଧରେ ସେ କହିଛନ୍ତି ଯେ ପ୍ରାଚୀନ ଭାରତର ତପୋବନର ଆଶ୍ରମ ଜୀବନ ଭଳି ଛାତ୍ରଜୀବନରେ ଶିକ୍ଷା କର୍ମ ସହିତ ଗୃହସ୍ଥ କର୍ମ ସଂଯୁକ୍ତ ହେବା ଆବଶ୍ୟକ । ଶିଳ୍ପ କର୍ମରେ ନୈପୁଣ୍ୟ ଅର୍ଜନ କରିବାକୁ ମୌଳିକ ଶିକ୍ଷାପଦ୍ଧତିରେ ଯେଉଁ ପ୍ରାଧାନ୍ୟ ଆଉ ଦିଆଯାଉଛି ତାର ଆଦି ବୀଜ ରବୀନ୍ଦ୍ରନାଥଙ୍କ ଚିନ୍ତାଧାରା ମଧ୍ୟରେ ନିହିତ । କିନ୍ତୁ ବାଧ୍ୟତାମୂଳକ ସୂତାକଟା ଉପରେ ଏହି ଶିକ୍ଷାପଦ୍ଧତିର କେତେକ ମତାନ୍ଧ ଭକ୍ତଗଣ ଆଉ ଯେପରି ଜୋର ଦେଇଛନ୍ତି ବୋଧହୁଏ ରବୀନ୍ଦ୍ରନାଥ ତାହାକୁ ଗ୍ରହଣ କରି ନ ଥାନ୍ତେ-। ନିୟମାବଦ୍ଧ ଅନୁଶାସନ ଅପେକ୍ଷା ସ୍ଵାଧୀନତା ଓ ସ୍ୱତଃସ୍ଫୁର୍ତ୍ତତା ତାଙ୍କ ନିକଟରେ ଥିଲା ଅଧିକ ମୂଲ୍ୟବାନ । ତେଣୁ ମୌଳକ ଶିକ୍ଷାର ସମର୍ଥକଗଣ ଯେତେବେଳେ ରବୀନ୍ଦ୍ରଙ୍କ ଚିନ୍ତାଦର୍ଶ ପରିହାର କରି ସ୍ଵାତନ୍ତ୍ୟଦେଖେଇବାକୁ ଚେଷ୍ଟା କରିଛନ୍ତି, ସେତେବେଳେ ପ୍ରାୟ ଭ୍ରମାତ୍ମକ ମାର୍ଗରେ ସେମାନେ ସର୍ବଦା ଗତି କରିଥିବା କିଛି ଆଶ୍ଚର୍ଯ୍ୟଜନକ ନୁହେଁ ।

 

ରବୀନ୍ଦ୍ରନାଥ ଏହି ଆଦର୍ଶାବଳୀକୁ କେବଳ ଯେ ବଚନ ସ୍ୱୀକୃତ ଦେଇଥିଲେ ତାହା ନୁହେ, ସେଗୁଡ଼ିକର ନିର୍ଦ୍ଦିଷ୍ଟ ରୂପରେଖ ଓ ବ୍ୟାବହାରିକ ପ୍ରୟୋଗ ପାଇଁ କାର୍ଯ୍ୟସୂଚୀ ମଧ୍ୟ ପ୍ରସ୍ତୁତ କରିଥିଲେ । ନିଜର ଅଜ୍ଞାତସାରରେ ଅର୍ଜିତ ହେଲେ ଶିକ୍ଷା ଯେ ସବୁଠୁ ଅଧିକ ଫଳପ୍ରସୁ ହୁଏ ଏହି ଚିନ୍ତାରୁ ହିଁ ସେ ପରେ ପ୍ରାଧାନ୍ୟ ଦେଇଥିଲେ ଯେ ମାତୃଭାଷା ହଁ ଶିକ୍ଷାର ମାଧ୍ୟମରୂପେ ଗୃହୀତ ହେବା ଆବଶ୍ୟକ । ଗୋଟିଏ ବିଦେଶୀ ଭାଷା ଯେତେ ସମୃଦ୍ଧ ହେଉନା କାହିଁକି ତାର ନିଜସ୍ୱ ବାତାବରଣ ଓ ଆନୁସଙ୍ଗିକତା ରହିଛି । ଅପରିଚିତ ହେତୁ ଶିଶୁମନରେ ତାହା ଅଯଥା ଚାପ ପକାଇବା ସ୍ଵାଭାବିକ ! ଜଣେ ଶିଶୁ ଯଦି ବିଦେଶୀ ଭାଷାରେ ବକ୍ତୃତାଟିଏ ଶୁଣେ ତେବେ ଭାଷା ଓ ବିଷୟବସ୍ତୁ ମଧ୍ୟରେ ତାର ମନ ସ୍ୱତଃ ଦ୍ଵିଧା ବିଭକ୍ତି ହୋଇଥାଏ । କିନ୍ତୁ ଯଦି ଶିକ୍ଷା ମାତୃଭାଷା ମାଧ୍ୟମରେ ହୁଏ ତେବେ ତାର ଧ୍ୟାନ ଅବିଭାଜ୍ୟ ରହିବା ସ୍ଵାଭାବିକ । ତେଣୁ ରବୀନ୍ଦ୍ରନାଥ ନିର୍ଦ୍ଦେଶ ଦେଇଛନ୍ତି ଯେ ଭାରତୀୟ ଶିଶୁ ନିଜ ଭାଷା, ପରମ୍ପରା ଓ ସଂସ୍କୃତିର ଦୃଢ଼ ଭିତ୍ତି ଉପରେ ଠିଆହୋଇ ବିଶ୍ୱ ଗନ୍ତାଘରରୁ ପ୍ରଚୁର ବୌଦ୍ଧିକ, ନୈତିକ ଓ ସାଂସ୍କୃତିକ ଉପାଦାନ ଆହରଣ କରିବା ଆବଶ୍ୟକ ।

 

ବ୍ୟକ୍ତି ମର୍ଯ୍ୟାଦା ପ୍ରତି ରବୀନ୍ଦ୍ରନାଥଙ୍କ ଐକାନ୍ତିକ ସମ୍ମାନବୋଧ ହେତୁ, ଶିକ୍ଷକମାନଙ୍କ ବ୍ୟକ୍ତତ୍ୱ ଉପରେ ସେ ଗୁରୁତ୍ୱ ପ୍ରଦାନ କରିବା ଅତି ସ୍ୱାଭାବିକ । ‘ଶିକ୍ଷା ସମସ୍ୟା’ ପ୍ରବନ୍ଧର ସେ ଉଲ୍ଲେଖ କରିଛନ୍ତି ଯେ ଜଣେ ଯଥାର୍ଥ ଶିକ୍ଷକର ସନ୍ଧାନ ନେବା ହେଉଛି ପ୍ରଥମ କର୍ତ୍ତବ୍ୟ । ଏ ସମସ୍ୟାର ସମାଧାନ ପରେ ଶିକ୍ଷାପ୍ରଣାଳୀ, ଶିକ୍ଷାପ୍ରସଙ୍ଗ, ଓ ଛାତ୍ରଶୃଙ୍ଖଲା ବିଷୟରେ ସମାଧାନ ସହଜରେ ହୋଇଯାଏ । ଜଣେ ଶିକ୍ଷକର ଜ୍ୱଳନ୍ତ ଦୃଷ୍ଟାନ୍ତ ତା’ର ପେଶା ଓ ଏପରିକି ତା’ର ପାଣ୍ଡିତ୍ୟ ଅପେକ୍ଷା ଅଧିକ ପ୍ରୟୋଜନ । ତା’ର ଜ୍ଞାନ ଯଦି ତ୍ୟାଗନିଷ୍ଠା ଦ୍ୱାରା ମନ୍ତ୍ରପୂତ ଓ ଉଜ୍ଜଳ ନ ହୁଏ ଏବଂ ବହୁ ଉତ୍ତର ପୁରୁଷକୁ ଆଲୋକ ଓ ଉତ୍ତାପ ବିକୀରଣ ନ କରେ ତେବେ ସେ ଜ୍ଞାନ କେବଳ ଦୁର୍ବହ ଭାରମାତ୍ର । ରବୀନ୍ଦ୍ରନାଥଙ୍କ ମତରେ ‘ଶିକ୍ଷା’ ଏକ ଅବିଚ୍ଛିନ୍ନ ପ୍ରଣାଳୀ ଏବଂ ଛାତ୍ର ଓ ଶିକ୍ଷକର ହାର୍ଦ୍ଦିକ ମିଳନରେ ତାର ଯଥାର୍ଥ ଊଦ୍ଦେଶ୍ୟ ସାଧିତ ହୋଇଥାଏ । ଗୋଟିଏ ପ୍ରଦୀପରୁ ଅନ୍ୟ ଗୋଟିଏ ପ୍ରଦୀପକୁ ପ୍ରଜ୍ଜଳିତ କରିବା ଶିକ୍ଷାର ହେଉଛି ସ୍ୱଭାବ ଏବଂ ଜଣେ ଯଥାର୍ଥ ଶିକ୍ଷକ ଗୋଟିଏ ପ୍ରଦୀପ୍ତ ଦୀପ ସଦୃଶ । ଶିକ୍ଷକର ଶିକ୍ଷା କରିବା ପ୍ରବୃତ୍ତିରେ ଯଦି ପୂର୍ଣ୍ଣଚ୍ଛେଦ ପଡ଼େ, ତେବେ ଦୀପଶିଖା ମଧ୍ୟ ନିର୍ବାପିତ ହେବା ସ୍ୱାଭାବିକ ।

 

ବ୍ୟକ୍ତିଗତ ଉଦ୍ୟମ ଓ ସ୍ଵାଧୀନତା ଉପରେ ପ୍ରାଧାନ୍ୟ ଦେଉଥିବା ହେରୁ କଠୋର ନିୟମ-ଶୃଙ୍ଖଳ ଉପରେ ରବୀନ୍ଦ୍ରଙ୍କର ଆସ୍ଥାନ ଥିଲା । ଭାରତୀୟ ଆଦର୍ଶ ଓ ପରଂପରା ପ୍ରତି ପୂର୍ଣ୍ଣ ନଷ୍ଠା ପ୍ରଦର୍ଶନ କରିବା ସଙ୍ଗେ ସଙ୍ଗେ ସେ ଅନୁଭବ କରିଥିଲେ ସେ ଆହରଣ କ୍ଷେତ୍ରରେ ପାଶ୍ଚାତ୍ୟ ଚିନ୍ତାଦର୍ଶର ଉପଯୋଗୀ ପରିବର୍ତ୍ତନ ଏକାନ୍ତ ଆବଶ୍ୟକ । କୌଣସି ନୂତନ ରୀତି ପ୍ରବର୍ତ୍ତନର ସେ ସର୍ବଦା ପକ୍ଷପାତୀ ଥିଲେ; କାରଣ ତାଙ୍କ ମତରେ ପରିବର୍ତ୍ତନ ହିଁ ଜୀବନର ଧର୍ମ । ଏପରିକି ତାଙ୍କ ନିଜ ଉପଦେଶକୁ କେହି ଯଦି ଅନୁକରଣ କରିବାକୁ ବସୁଥିଲା ସେ ତାକୁ ନିରୁତ୍ସାହିତ କରୁଥିଲେ ଏବଂ ଶିକ୍ଷା ଦେଉଥିଲେ ଯେ ପରିବର୍ତ୍ତନ ମାଧ୍ୟମରେ ହିଁ ଜୀବନର ମୂଲ୍ୟୋପଲବ୍ଧି ସମ୍ଭବ । ତାଙ୍କ ମତରେ ପ୍ରତିଦେଶ ଓ ପ୍ରତି ଜାତିର ନିଜସ୍ୱ ଓ ସ୍ୱତନ୍ତ୍ର ସଂସ୍କୃତି ଏବଂ ଅଭାବବୋଧ ରହିଛି । ପ୍ରତି ଯୁଗ ଓ ପ୍ରତି ସମାଜ ତା’ର ଅତୀତ ଆଦର୍ଶକୁ ତେଣୁ ବର୍ତ୍ତମାନର ଆବଶ୍ୟକତା ଅନୁଯାୟୀ ନୂତନ ରୂପରେଖ ପ୍ରଦାନ କରିବା ଉଚିତ୍‌ । ବିଭିନ୍ନ ଦେଶ ଓ ସଂସ୍କୃତି ମଧ୍ୟରେ ସଦ୍‍ଭାବର ବିକାଶ ଦୃଷ୍ଟିରୁ ବିଭିନ୍ନ ସମସ୍ୟାର ସମାଧାନରେ ମନୁଷ୍ୟ କିପରି ଭିନ୍ନ ଭିନ୍ନ ପନ୍ଥା ଅବଲମ୍ବନ କରିଛି ସେ ସମ୍ପର୍କରେ ଅଧିକତର ଜ୍ଞାନ ଉପଲବ୍ଧି ଆଦି ଏକାନ୍ତ ପ୍ରୟୋଜନ । ଏହି ସମାଧାନଗୁଡ଼ିକର ମୌଳିକ ପରିବେଶ ସ୍ଥାନୀୟ ହେଲେ ହେଁ ପ୍ରତ୍ୟେକଟିର ସାର୍ବଭୌମିକ ତାତ୍ପର୍ଯ୍ୟ ରହିଛି । ‘‘ଶିକ୍ଷାର ମିଳନ’’ ପ୍ରବନ୍ଧରେ ରବୀନ୍ଦ୍ରନାଥ ତେଣୁ କହିଛନ୍ତି ଯେ ଭାଷାବୈଷମ୍ୟ ଓ ଜାତି ବୈଷମ୍ୟ ଧରି ମଧ୍ୟ ଏକ ଆନ୍ତର୍ଜାତିକ ଦୃଷ୍ଟିଭଙ୍ଗୀର ବିକାଶ ସାଧନରେ ଭାରତବର୍ଷର ଏକ ନିର୍ଦ୍ଦିଷ୍ଟ ଭୂମିକା ରହିଛି ।

 

‘ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର’ ପ୍ରବନ୍ଧଟିରେ ଜାତୀୟତା ଓ ଆନ୍ତର୍ଜାତିକତାର ମିଳନାଦର୍ଶ ନିହିତ ଏବଂ ରବୀନ୍ଦ୍ରଙ୍କ ଶିକ୍ଷାଦର୍ଶର ଏହା ଏକ ମୁଖ୍ୟ ବକ୍ତବ୍ୟ । ଶାନ୍ତି - ନିକେତନରେ ବିଦ୍ୟାଳୟ ପ୍ରତିଷ୍ଠା କରିବା ପୂର୍ବରୁ ମାତୃଭାଷାରେ ଶିକ୍ଷାଦାନ ପଦ୍ଧତିକୁ ନିଜ ରଚନାବଳୀର ପ୍ରାଣବସ୍ତୁ ରୂପେ ସେ ଗ୍ରହଣ କରିଥିଲେ । କିନ୍ତୁ ବିଦ୍ୟାଳୟ ପ୍ରତିଷ୍ଠା ପରେ ପ୍ରକୃତ ସହ ନିବିଡ଼ ସମ୍ପର୍କ ରକ୍ଷା କରି ଜାତୀୟ ପରଂପର୍ ପ୍ରତି କିପର ଧ୍ୟାନ ଦିଆଯିବ, ସେଥିପାଇଁ ଶିକ୍ଷା ଓ ବାଧ୍ୟତାମୂଳକ ବାସ ବ୍ୟବସ୍ଥା ଥିବା ଗୋଟିଏ ପୂର୍ଣ୍ଣାଙ୍ଗ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟରେ ସେ ମନୋନିବେଶ କରିଥିଲେ । କ୍ରମେ ଅଭିଜ୍ଞତା ଓ ସହାନୁଭୂତିର ବିକାଶ ସଙ୍ଗେ ‘ବିଶ୍ୱଭାରତୀ’ କୁ ଏକ ଆନ୍ତର୍ଜାତିକ ବିଶ୍ୱ ବିଦ୍ୟାଳୟରେ ପରିଣତ କରିବାକୁ ଏବଂ ମାନବତା ଉପରେ ଆସ୍ଥାଥିବା ଏକ ପ୍ରକୃତ ସାର୍ବଭୌମିକ ଓ ମାନବିକ ଦୃଷ୍ଟିଭଙ୍ଗୀର ବିକାଶ ପାଇଁ ତାହାକୁ ପ୍ରାଚ୍ୟ ଓ ପାଶ୍ଚାତ୍ୟ ମୂଲ୍ୟବୋଧର ଯଥାର୍ଥ ମିଳନତୀର୍ଥ କରିବାକୁ ସେ ଚାହିଁଥିଲେ ।

 

ଆମର ଆର୍ଥନୀତିକ ଚିନ୍ତାଧାରକୁ ରବୀନ୍ଦ୍ରନାଥଙ୍କୁ ଦାନ ସମ୍ପର୍କରେ ବର୍ତ୍ତମାନ ଆଲୋଚନା କରାଯାଉ । ପ୍ରାଚୀନ ଭାରତର ବିକାଶଲାଭ କରିଥିବା ଆର୍ଥନୀତିକ ସମତା ପ୍ରସଙ୍ଗରେ ସେ ବାରମ୍ବାର ପ୍ରଶଂସାର ସହିତ ଉଲ୍ଲେଖ କରିଛନ୍ତି ଏବଂ ଯୁଗ ଯୁଗ ଧରି ଭାରତୀୟମାନଙ୍କୁ ଏହା କିପରି ନିଯୁକ୍ତି, ନିରାପଦତା ଓ ଆନନ୍ଦ ଦାନ କରୁଥିଲା, ତାହା ପ୍ରକାଶ କରିବା ସମୟରେ ଆଧୁନିକ ଅର୍ଥନୀତିର ଦୁର୍ଦ୍ଦଶା ଦେଖି ବେଦନା ମଧ ଅନୁଭବ କରିଛନ୍ତି । ଅଭାରତୀୟ ପାଠକଙ୍କ ପାଇଁ ଏହା ସାମାନ୍ୟ ପ୍ରହେଳିକାମୟ ବୋଧ ହୋଇ ପାରେ, କାରଣ ଭାରତୀୟ ଗ୍ରାମ୍ୟଜୀବନର ଦୁଃଖ, ଦୁର୍ଦ୍ଦଷ ହଁ ସର୍ବଦା ତାର ଶ୍ରୁତିଗୋଚର ହୋଇଥାଏ । ଭାରତୀୟ ଗ୍ରାମ୍ୟ ଅର୍ଥନୀତିର ସୀମା ପ୍ରତି ରବୀନ୍ଦ୍ରନାଥ ସଚେତନ ଥିଲେ । କିନ୍ତୁ କୃଷି ସହିତ କ୍ଷୁଦ୍ର ଶିଳ୍ପଯୋଜନାର ସମନ୍ୱୟ ଏକ ସରଳ ଜୀବନ ସାଧନାର ଯୁଗରେ ଜନସାଧାରଣଙ୍କର ସହଜ ଅଭାବଗୁଡ଼ିକର ପରିପୂରଣ ଦିଗରେ ଯେ ସମର୍ଥ ହୋଇ ପାରିଥିଲା ଏ ବିଶ୍ୱାସ ତାଙ୍କର ରହିଥିଲା ।

 

ୟୁରୋପ ବା ଆମେରିକାର ଗ୍ରାମ୍ୟ ଜୀବନଠାରୁ ଭାରତୀୟ ଗ୍ରାମ୍ୟ ଜୀବନ ଯେ ସ୍ୱତନ୍ତ୍ର, ଏକଥା ଆମେ ସ୍ମରଣ ରଖିବା ଉଚିତ । ସେଠାରେ ପ୍ରତି ପରିବାର ନିଜ ଜମି ଜମା ମଧ୍ୟରେ ହଁ ବାସ କରିଥାଏ । କିନ୍ତୁ ଭାରତୀୟ ଗ୍ରାମ ଅନେକଗୁଡ଼ିଏ ଗୃହସ୍ଥ ପରିବାରର ସମଷ୍ଟି ଏବଂ ପ୍ରତି ପରିବାରର ଜମି ଜମା ବିଭିନ୍ନ ଦୁରବର୍ତ୍ତୀ ସ୍ଥାନମାନଙ୍କରେ ବିକ୍ଷିପ୍ତ ହୋଇ ରହିଥାଏ । ଭାରତାୟ ଗ୍ରାମ୍ୟଜୀବନ ଏହିପରିଭାବେ ଦୃଢ଼ ଓ ଘନିଷ୍ଠ ଏବଂ ୟୁରୋପୀୟ ଗ୍ରାମ ଅପେକ୍ଷା ଏହା ବୃହତ୍ତର । ଚାରି ପାଞ୍ଚ ହଜାର ଲୋକଥିବା ଗ୍ରାମ ଆମ ଦେଶରେ ଅତି ସାଧାରଣ ଏବଂ ବେଳେ ବେଳେ ପ୍ରାୟ ଦଶ ହଜାର ପର୍ଯ୍ୟନ୍ତ ଲୋକ ଥିବା ଗ୍ରାମ ମଧ ଏଠାରେ ଦେଖାଯାଏ । ଅନେକ ସମୟରେ ଏବଂ ବିଶେଷତଃ ଭାରତର ଉତ୍ତର-ପଶ୍ଚିମାଞ୍ଚଳରେ ଗ୍ରାମଗୁଡ଼ିକ ପ୍ରାଚୀର ବୃତ୍ତ । ସେଗୁଡ଼ିକର ଆକାର ପ୍ରକାର ଅନେକାଂଶରେ ଛୋଟ ଛୋଟ ସହର ବା ନାଗରିକ ବିଭାଗ ଭଳି । ଅଧିକ ଜନସଂଖ୍ୟା ଓ କୃଷି ଏବଂ ଶିଳ୍ପର କୁଶଳ ସମନ୍ୱୟ ହେତୁ ଆଧୁନିକ ଯୁଗର ଆଗମନ ପର୍ଯ୍ୟନ୍ତ ଭାରତୀୟ ଗ୍ରାମ - ଜୀବନ ବହୁପରିମାଣରେ ସ୍ୱାବଲମ୍ବୀ ଓ ଆନନ୍ଦର ନିକେତନ ଥିଲା ।

 

ପ୍ରାଚୀନ ଭାରତର ଗ୍ରାମମାନଙ୍କ ପ୍ରତି ସମସ୍ତ ଶ୍ରଦ୍ଧା ସତ୍ତ୍ୱେ ରବୀନ୍ଦ୍ରନାଥ ଅନୁଭବ କରିଥିଲେ ଯେ ଯୁଗର ପରିବର୍ତ୍ତନ ହେତୁ ତାର ଆର୍ଥନୀତିକ ମୂଳଦୁଆ ଭୂଷୁଡ଼ିପଡ଼ିଛି ଏବଂ ପ୍ରାଚୀନ ଆକୃତ୍ତି ପ୍ରକୃତି ଧରି ତାହା ଆଉ ଅଧିକ ସମୟ ତିଷ୍ଠି ରହି ପାରିବା ଅସମ୍ଭବ । ୟୁରୋପର ଶିଳ୍ପ-ବିଳ୍ପବ ଫଳରେ ଗ୍ରାମ୍ୟ ଅର୍ଥନୀତିର ସରଳ ପ୍ରଣାଳୀ ଅକାମୀ ଓ ଅଚଳ ହୋଇ ପଡ଼ିଛି । ଯନ୍ତ୍ରର ବ୍ୟବହାର ବୃଦ୍ଧି ପାଇବା ସଙ୍ଗେ ଉତ୍ପାଦନର ପରିସର ବୃଦ୍ଧି ପାଇଛି ଏବଂ ଉନ୍ନତ ବିକ୍ରୟ ସ୍ଥଳୀର ଆବଶ୍ୟକତା ମଧ୍ୟ ଅନୁଭୂତ ହେଉଛି । ସଭ୍ୟଜଗତ ସହିତ ସମାନଭାବେ ପଦକ୍ଷେପ କରିବାକୁ ହେଲେ ଆମେ ସମୟ ସହିତ ଗତି କରିବା ଉଚିତ୍‌ ଓ ନୂତନତମ ଯନ୍ତ୍ରପ୍ରଣାଳୀ ପ୍ରୟୋଗ କରିବା ଆବଶ୍ୟକ ବୋଲି ରବୀନ୍ଦ୍ରନାଥଙ୍କର ମତ ।

 

ରବୀନ୍ଦ୍ରନାଥ କେବେ ରକ୍ଷଣଶୀଳ ନ ଥିଲେ, ବରଂ ଭାରତୀୟ ଅର୍ଥନୀତିରେ ଯନ୍ତ୍ରପ୍ରଣାଳୀକୁ ସ୍ଥାନଦେବାକୁ ଆନନ୍ଦର ସହିତ ସ୍ୱାଗତ-ସମ୍ବର୍ଦ୍ଧନା ଜଣେଇଥିଲେ । ବହୁ କ୍ଷେତ୍ରରେ ସେ ପ୍ରକାଶ କରିଛନ୍ତି ଯେ ଏକ ଅକାମୀ, ପ୍ରାଚୀନ ପ୍ରଣାଳୀକୁ ଆବୋରି ବସିବା ଦ୍ଵାରା ଭାରତର ପ୍ରକୃତ ସ୍ୱାର୍ଥସାଧନ ଆଜି ଅସମ୍ଭବ । ହସ୍ତଶିଳ୍ପର ମହତ୍ତ୍ୱ ସେ ଅବଶ୍ୟ ଉପଲବ୍‌ଧ କରିଥିଲେ ଏବଂ ସ୍ଫଷ୍ଟଭାବେ ସ୍ୱୀକାର କରିଥିଲେ ଯେ କେତେ ଗୁଡ଼ିଏ ସୁନ୍ଦର କାରିଗରୀ କାମ ଶ୍ରମ ଓ ନୈପୂଣ୍ୟର ନିଦର୍ଶନ । କିନ୍ତୁ ତତ୍‌ସଙ୍ଗେ ସେ ସ୍ୱୀକାର କରିଛନ୍ତି ଯେ ସମାଜର ସବୁ ବ୍ୟକ୍ତିଙ୍କର ଆବଶ୍ୟକୀୟ ଉପକରଣ ଯୋଗାଇବାକୁ ହେଲେ ଯନ୍ତ୍ରର ବ୍ୟବହାର ବୃଦ୍ଧି ପାଇବା ବାଞ୍ଚନୀୟ । ପ୍ରତି ଦିନର କଠୋର ଶ୍ରମ ଓ କ୍ରାନ୍ତିର ଦୁଃସହତାରୁ ଯନ୍ତ୍ର ମନୁଷ୍ୟକୁ ଆଜି ମୁକ୍ତିଦାନ କରିଛି । ତେଣୁ କୌଣସି ମାନସିକ ଗ୍ଲାନି ନ ରଖି ଯନ୍ତ୍ରକୁ ଆମେ ଗ୍ରହଣ କରିବା ଉଚିତ୍‌ । କିନ୍ତୁ ମନୁଷ୍ୟ ଯନ୍ତ୍ରର କ୍ରୀତ୍‌ଦାସ ନ ହୋଇ ତାହାର ପ୍ରଭୁ ହେବା ଆବଶ୍ୟକ । ଯନ୍ତ୍ର ବ୍ୟବସ୍ଥା ଓ ଉନ୍ନତ ଯନ୍ତ୍ରପ୍ରଣାଳୀର ପ୍ରୟୋଗ ଦ୍ୱାର ସାମୟିକ ବେକାର ସମସ୍ୟା ଯେ ସୃଷ୍ଟି ହେବ, ଏ କଥା ରବୀନ୍ଦ୍ରନାଥ ଜାଣିଥିଲେ ‘ସମବାୟ’ ପ୍ରବନ୍ଧରେ ସେ ସୂଚାଇ ଦେଇଛନ୍ତି ଯେ ଯନ୍ତ୍ର ବ୍ୟବସ୍ଥାର ଏହା ଏକ ସ୍ଵାଭାବିକ ପରିଣତି ନୁହେ । ଯନ୍ତ୍ର-ପ୍ରଣାଳୀର ଉନ୍ନତି ଓ ଧନ ଦୌଲତର ଅଭିବୃଦ୍ଧି ସଙ୍ଗେ ୟୁରୋପରେ ନୂତନ ଧରଣର ପେଶା ଓ ବ୍ୟବସାୟର ସୃଷ୍ଟି ପ୍ରାୟ ସମାନ୍ତରାଳଭାବେ ଘଟିଛି । କେବଳ ଆଦିମ ସମାଜଗୁଡ଼ିକରେ ହିଁ ଏହାର ଶ୍ରମିକ ସଂଖ୍ୟା ବଳକା ହେଉଥିବାର ଦେଖାଯାଏ । କିନ୍ତୁ ପ୍ରଗତିଶୀଳ ସମାଜମାନଙ୍କରେ ଯନ୍ତ୍ର ବ୍ୟବସ୍ଥା ବୃଦ୍ଧି ପାଇବା ସଙ୍ଗେ ଯନ୍ତ୍ରଶକ୍ତିର ଅଭାବ ଅଧିକ ମାତ୍ରାରେ ଅନୁଭୂତ ହୋଇଥାଏ । ଭାରତରେ ଏହା ନ ଘଟିବାର କୌଣସି କାରଣ ନାହିଁ । ନିଯୁକ୍ତ ଓ ଅବସର ବିନିଯୋଗର ନୂତନ ପଥ-ସନ୍ଧାନୀ ପାଶ୍ଚାତ୍ୟ ମନୁଷ୍ୟର କର୍ମଶକ୍ତି ଓ କର୍ମୋଦ୍ୟମର ଉଚ୍ଛ୍ୱସିତ ପ୍ରଶଂସା ରବୀନ୍ଦ୍ରନାଥଙ୍କ କରୁଥିଲେ । ଏହା ଅତି ଆନନ୍ଦର ବିଷୟ ଯେ ସ୍ୱାଧୀନ ଭାରତର ଅର୍ଥନୈତିକ ପୁନର୍ଗଠନର ଯେଉଁ ଉଦ୍ୟମ ଆଜି ଚାଲିଛି ରବୀନ୍ଦ୍ରନାଥଙ୍କ ଦୃଷ୍ଟିକୋଣ ସହିତ ତା’ର ସାମଞ୍ଜସ୍ୟ ବହୁ ପରିମାଣରେ ରହିଛି । ଯନ୍ତ୍ର ଓ ହସ୍ତ ପ୍ରସ୍ତୁତ ଉପକରଣ, ଯନ୍ତ୍ରଶିଳ୍ପ ଓ କୁଟୀରଶିଳ୍ପ । ମୂଳଧନ ଓ ଖାଉଟି ସାମଗ୍ରୀ, ସାଧାରଣ ଓ ବ୍ୟକ୍ତିଗତ ଶିଳ୍ପୋଦ୍ୟମ–ଏ ସମସ୍ତର ଆବଶ୍ୟକତା ସମାନଭାବେ ଅନୁଭବ କରି ପ୍ରତ୍ୟେକକୁ ସ୍ୱୀକୃତି ଓ ଗୁରୁତ୍ୱ ଦେବା ଆମ ଅର୍ଥନୀତିକ ବ୍ୟବସ୍ଥାର ଲକ୍ଷ୍ୟ ।

 

ରବୀନ୍ଦ୍ରନାଥଙ୍କ ମତରେ ଆଧୁନିକଯୁଗର ଭାରତୀୟ ଗ୍ରାମ-ଜୀବନ, ଅତୀତର ଶ୍ରୀସୌନ୍ଦର୍ଯ୍ୟ ଓ ଲାବଣ୍ୟରୁ ବଞ୍ଚିତ ହେବା ଏକ ଦୁର୍ଭାଗ୍ୟର ବିଷୟ । ‘ସଭ୍ୟତା’–ଏହି ଶବ୍ଦଟିରୁ ହିଁ ତା’ର ନଗର-ଜୀବନ ସହିତ ସମ୍ପର୍କ ଥିବାର ସୂଚନା ମିଳୁଛି । ପାଶ୍ଚାତ୍ୟ ସଭ୍ୟତା ତେଣୁ ମୁଖ୍ୟତଃ ନଗର ସର୍ବସ୍ୱ ସଭ୍ୟତା । ଆଧୁନିକ ଯୁଗରେ ଜନସାଧାରଣଙ୍କର ଏହି ନଗର ଓ ସହର - ମୁଖୀନତା ତେଣୁ ଅଧିକତର ସ୍ପଷ୍ଟ । ବହୁ ସୁଦକ୍ଷ ନରନାରୀ ଗ୍ରାମ୍ୟ - ଜୀବନ ପରିହାର କରି ସହର ଅଭିମୁଖରେ ଯେ ଏକ ସ୍ରୋତ ପରି ନିୟମିତଭାବେ ଚାଲିଛନ୍ତି, ଏ ଚିତ୍ର ଆଜି ପୃଥିବୀ ବ୍ୟାପୀ ପରିଲକ୍ଷିତ । ନଗର ସଭ୍ୟତାର ବିକାଶରେ ଏହା ଏକ ଅଶୁଭ କଳ୍ପନା ଏବଂ ଗ୍ରାମ୍ୟ ଜୀବନର ରୂପାନ୍ତର ଦ୍ୱାରା ଏହାର ପ୍ରତିରୋଧ କେବଳ ସମ୍ଭବ ବୋଲି ରବୀନ୍ଦ୍ରନାଥଙ୍କ ମତ । ‘ନଗର ଓ ପଲ୍ଲୀ’ ପ୍ରବନ୍ଧରେ ଆଜିର ପାଶ୍ଚାତ୍ୟ ସଭ୍ୟତା ଓ ଅତୀତର ଭାରତୀୟ ସଭ୍ୟତାର ପାର୍ଥକ୍ୟ ସେ ନିର୍ଣ୍ଣୟ କରିଛନ୍ତି । ପଲ୍ଲୀ-ଜୀବନର ଭିତ୍ତି ଉପରେ ଭାରତୀୟ ସଂସ୍କୃତି ସେ କେବଳ ଗଢ଼ି ଉଠିଥୁଲା ତା’ନୁହେ, ଜୀବନର ସର୍ବାଙ୍ଗୀଣ ଉନ୍ନତି ପାଇଁ ପ୍ରକୃତିକୁ ଏକ ଅପରିହାର୍ଯ୍ୟ ଉପାଦାନରୂପେ ତାହା ଗ୍ରହଣ ମଧ୍ୟ କରିଥିଲି । ପ୍ରକୃତିକୁ ଜୟ କରିବାର ପ୍ରୟାସ ମଧ୍ୟରେ ୟୁରୋପୀୟ ସଭ୍ୟତାର ଭ୍ରାନ୍ତି ନିହିତ ବୋଲି ରବୀନ୍ଦ୍ରନାଥଙ୍କର ମତ । ତାଙ୍କ ମତରେ ପ୍ରକୃତି ସହିତ ସାମଞ୍ଜସ୍ୟ ସ୍ଥାପନ କରିବା ୟୁରୋପ ପକ୍ଷରେ ବରଂ ଅଧିକ ବିଜ୍ଞତାର ପରିଚାରକ ହୋଇଥାନ୍ତା । ଉତ୍ତର ଆମେରିକାର ବିସ୍ତୃତ ସମତଳ ଅଞ୍ଚଳର ଅରଣ୍ୟାନୀ ୟୁରୋପୀୟ ଔପନିବେଶିକମାନଙ୍କ ଦ୍ୱାରା କିପରି ନଷ୍ଟ ହୋଇଥିଲା ଏବଂ ଭାରତରେ ଆର୍ଯ୍ୟ ଔପନିବେଶିକଗଣ ଅରଣ୍ୟ ପ୍ରତି ଶ୍ରଦ୍ଧା ପ୍ରଦର୍ଶନ କରି କ୍ରମେ ତାହାକୁ କିପରି ‘ତପୋବନ’ ବା ଋଷିଆଶ୍ରମ ପୀଠରେ ପରିଣତ କରିଥିଲେ ତାହାର ଏକ ତୁଳନାତ୍ମକ ଚିତ୍ର ରବୀନ୍ଦ୍ରନାଥ ପ୍ରଦାନ କରିଛନ୍ତି ।

 

ଜୀବନର ଅତି ପ୍ରାକ୍ କାଳରେ ରବୀନ୍ଦ୍ରନାଥ ଅନୁଭବ କରିଥିଲେ ଯେ ସମୟ-ସ୍ରୋତର ଗତିକୁ ପଶ୍ଚାତ୍‌ମୁଖୀ କରିବା ଏକବାରେ ଅସମ୍ଭବ ‘ସ୍ୱଦେଶୀ ସମାଜ’ ଶୀର୍ଷକ ପ୍ରବନ୍ଧ ଓ ‘ସଭାପତିର ଅଭିଭାଷଣ’ରେ ସେ ତେଣୁ ଉଲ୍ଲେଖ କରିଛନ୍ତି ଯେ ସୁଦକ୍ଷ ନରନାରୀମାନଙ୍କର ଯେଉଁ ଜନସ୍ରୋତ ପଲ୍ଲୀ, ପରିହାର କରି ଆଜି ନଗରାଭିମୁଖୀ ତାର ପ୍ରତିରୋଧ ପଲ୍ଲୀବାସୀଙ୍କୁ ଭାଷଣ ଦେବା ବା ପଲ୍ଲୀ ସୌନ୍ଦର୍ଯ୍ୟର ସ୍ତୁତିଗାନ କରିବା ଦ୍ଵାର ସମ୍ଭବପର ନୁହେ । ଗ୍ରାମ୍ୟ-ଜୀବନର ଅବସ୍ଥା ପରିବର୍ତ୍ତୀତ କରିବା ଓ ସହର ଏବଂ ଗ୍ରାମ ମଧ୍ୟରେ ସୃଷ୍ଟି ହୋଇଥିବା ବ୍ୟବଧାନକୁ ଦୁରୀଭୂତ କରିବା ଦ୍ଵାରା ଏହା ଉଭୟ ମଧ୍ୟରେ ସମତା ବିଧାନ କେବଳ ସମ୍ଭବପର । ଯୋଗ୍ୟ ବ୍ୟକ୍ତିଗଣ ଗ୍ରାମର ବାସିନ୍ଦା ହିସାବରେ ଜୀବନ ଯାପନ କରିବା ଉଚିତ୍‌, ଏକଥା ଆମେ ଆଶା କରିବା ପୂର୍ବରୁ ଲକ୍ଷ୍ୟ କରିବା ଉଚିତ ଯେ ଶିକ୍ଷା ସ୍ଵାସ୍ଥ୍ୟ ଓ ଆତ୍ମପ୍ରକାଶ ପାଇଁ ପଲ୍ଲୀବାସିଙ୍କ ସକାଶେ ଉପଯୁକ୍ତ ବ୍ୟବସ୍ଥା ରହିଅଛି । ସହରର ଯେଉଁସକଳ ଉପକରଣ ପ୍ରତି ଯୁବକଯୁବତୀମାନେ ସାଧାରଣତଃ ଆକୃଷ୍ଟ ତାହା ଯଦି ପଲ୍ଲୀରେ ସୁଲଭ ହୁଏ ଏବଂ ଆତ୍ମପ୍ରକାଶ ନିମିତ୍ତ ସୁଯୋଗ ମିଳେ, ତା’ହେଲେ ଏ ଜନସ୍ରୋତର ଗତି ସ୍ଥଗିତ ହେବା ସ୍ୱାଭାବିକ ।

 

ରବୀନ୍ଦ୍ରନାଥଙ୍କ ଆର୍ଥନୀତିକ ଚିନ୍ତାଧାରରେ ଅନ୍ୟ ଏକ ଉପାଦାନ ଉଲ୍ଲେଖଯୋଗ୍ୟ । ତାହା ହେଉଛି ସମବାୟ-ଆନ୍ଦୋଳନରେ ତାଙ୍କର ଗଭୀର ଆସ୍ଥା ପ୍ରକାଶ । ଭାରତର ପ୍ରଥମ ଓ ଶ୍ରେଷ୍ଠ ସହଯୋଗୀମାନଙ୍କ ମଧ୍ୟରେ ସେ ହେଉଛନ୍ତି ଅନ୍ୟତମ । ବହୁବାର ପୂର୍ବରୁ ସେ ସୂଚାଇଛନ୍ତି, ସେ ବ୍ୟକ୍ତିଗତ ଅଭାବରେ ଜଣେ ଗ୍ରାମବାସୀ ହୁଏତ ଦରିଦ୍ର ହୋଇପାରେ କିନ୍ତୁ ସମବାୟ ସୂତ୍ରରେ ଅଧିକାଂଶଙ୍କର ଉପାର୍ଜ୍ଜନ ଯଦି ସମ୍ମିଳିତ ହୁଏ ତେବେ ବ୍ୟକ୍ତିଗତ ଉଦ୍ୟମ ଦ୍ୱାରା ଦୁଃସାଧ୍ୟ ହେଉଥିବା ବହୁ କାର୍ଯ୍ୟ ସେମାନେ ସମ୍ପନ୍ନ କରି ପାରନ୍ତି - ‘ସମବାୟ’ ପ୍ରବନ୍ଧରେ ରବୀନ୍ଦ୍ରନାଥ ତାହା ହିଁ ଉଲ୍ଲେଖ କରିଛନ୍ତି । କର୍ମ ଓ ସକ୍ରିୟ ପନ୍ଥା ଉପରେ ତାଙ୍କର ଥିଲା ଅଗାଧ ବିଶ୍ୱାସ । ସାମାଜିକ ଓ ଅର୍ଥନୈତିକ ପୁନର୍ଗଠନ ସକାଶେ ଦେଶବାସୀଙ୍କୁ ସେ ତେଣୁ ବାରମ୍ବାର ନିର୍ଦ୍ଦେଶ ଦେଇଛନ୍ତି ଯେ ପ୍ରତି ପଦକ୍ଷେପରେ ସରକାରୀ ସାହାଯ୍ୟ ବା ଅନୁଗ୍ରହ ଉପରେ ଭରସା ନ ରଖି ନିଜର ବ୍ୟକ୍ତିଗତ ଉଦ୍ୟମ ଊପରେ ହଁ ନିର୍ଭର କରିବା ଉଚିତ୍‌ ।

 

ଗ୍ରାମର ଆର୍ଥନୀତିକ, ସାମାଜିକ, ଓ ସାଂସ୍କୃତିକ ଜୀବନର ପୁନର୍ଗଠନ ସକାଶେ ରବୀନ୍ଦ୍ରନାଥଙ୍କର ଯେଉଁ କର୍ମସୂଚୀ, ତାହାକୁ ଶାନ୍ତିନିକେତନରୁ ନିକବର୍ତ୍ତୀ ଗ୍ରାମମାନଙ୍କରେ ବାସ୍ତବ ରୂପଦେବାକୁ ସେ ପ୍ରୟାସୀ ହୋଇଥିଲେ । ଭାରତୀୟ କୃଷିପଦ୍ଧତି ଓ ଗ୍ରାମ୍ୟଅର୍ଥନୀତି ସେ ଗତ ତିନି ଶତାବ୍ଦୀ ମଧ୍ୟରେ ପ୍ରାୟ ଅପରିବର୍ତ୍ତିତ ଅବସ୍ଥାରେ ରହିଥିଲା ଏହା କହିବା ଅତିରଞ୍ଜନ ନୁହେ । କୃଷିପ୍ରଣାଳୀର ପରିବର୍ତ୍ତନ ଓ ଗ୍ରାମ୍ୟ ଅର୍ଥନୀତିର ଏକ ନୂତନ ପ୍ରଣାଳୀର ସଙ୍ଗଠନ ସକାଶେ ବହୁଁ ଶତାବ୍ଦୀ ପରେ ରବୀନ୍ଦ୍ରନାଥଙ୍କ ଗ୍ରାମ-ପୁନର୍ଗଠନର କାର୍ଯ୍ୟସୂଚୀରେ ତେଣୁ ପ୍ରଥମ ସଚେତ ଊଦ୍ୟମ ଆମେ ଲକ୍ଷ୍ୟ କରିଥାଉଁ । ଗତ ଶତାବ୍ଦୀର ଶେଷ ଦଶକର ଆଦ୍ୟ ପାଦରେ ସେ ପ୍ରକାଶ କରିଥିଲେ ସେ ଗ୍ରାମବାସୀଗଣ ନିଜର ଆତ୍ମସମ୍ମାନ ଓ ଉଦ୍ୟୋଗ ଶକ୍ତିଲାଭ ନ କରିବା ପର୍ଯ୍ୟନ୍ତ ଦେଶର ଅର୍ଥନୀତିକ ନବଜନ୍ମ ଓ ରାଜନୀତିକ ସ୍ୱାଧୀନତା ପ୍ରଶ୍ନ ଉତ୍‍ଥାପନ କରିବା ଅସମୀଚୀନ । ସମବାୟୁ କ୍ଷେତ୍ରରେ ଶାନ୍ତି-ନିକେତନ ଓ ପରେ ଶ୍ରୀନିକେତନରେ ମି: ଆମହାର୍ଡ଼ଙ୍କ ସହିତ ତାଙ୍କର ଯେଉଁ କର୍ମଯୋଜନା ତାହା ଭାରତୀୟ ଗ୍ରାମ୍ୟ-ଜୀବନରେ ସମ୍ମାନବୋଧ ଓ ପ୍ରାଣଶକ୍ତିର ପୁନଃ ପ୍ରତିଷ୍ଠା ପାଇଁ ମୁଖ୍ୟତଃ ଅଭିପ୍ରେତ । ଏହି ଉଦ୍ୟମର ବାସ୍ତବ ପରିଣତି ଆଶାନୁରୂପ ପ୍ରତିଷ୍ଠା ଅର୍ଜନ ନ କରିଥାଇ ପାରେ, କିନ୍ତୁ ରବୀନ୍ଦ୍ରନାଥଙ୍କ ନିଜେ ଏହି ଛୋଟ ଛୋଟ ଉଦ୍ୟମରେ ଆସ୍ଥାବାନ ଥିଲେ ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଜନସାଧାରଣଙ୍କ ମଧ୍ୟରେ ନବଜାଗରଣ ଆଣିଥିବା ଦୃଷ୍ଟିରୁ ରବୀନ୍ଦ୍ରନାଥଙ୍କ ଏହି ଉଦ୍ୟମ ତାତ୍ପର୍ଯ୍ୟପୂର୍ଣ୍ଣ । ବିଶେଷତଃ ଗ୍ରାମ୍ୟ-ଜୀବନର ଗଣଶିକ୍ଷା ଓ ସ୍ଵାସ୍ଥ୍ୟ ପ୍ରତି ଉଦାସୀନ ରହି ପୂର୍ବରୁ ସମସ୍ତେ ଅବହେଳା ପ୍ରଦର୍ଶନ କରୁଥିଲେ; କିନ୍ତୁ ଏହି କର୍ମସୂଚୀରେ ସେଥିପାଇଁ ତୀକ୍ଷ୍ମ ଦୃଷ୍ଟି ଦିଆଯାଇଥିଲା । ସ୍ଵାଧୀନ ଭାରତର ବୃହତ୍ତର ଦାୟିତ୍ୱଗୁଡ଼ିକ ମଧ୍ୟରେ ପଲ୍ଲୀ-ଜୀବନକୁ ନବକଳେବର ଦେବା ଏକ ପ୍ରଧାନ କର୍ତ୍ତବ୍ୟରୂପେ ଅଜି ଗୃହୀତ । ଏହାର ପ୍ରେରଣା ଓ କର୍ମଯୋଜନା ରବୀନ୍ଦ୍ରନାଥଙ୍କ ଧାରଣ ଓ ଅଭିଜ୍ଞତା ନିକଟରେ ବହୁ ପରିମାଣରେ ଋଣୀ ।

 

ଆମ ଅର୍ଥନୈତିକ ଜୀବନର ପୁନର୍ଜନ୍ମ ପାଇଁ ପରମ୍ପରା ସହିତ ନୂତନ ପରୀକ୍ଷାର ସମ୍ମେଳନ ହେବା ଆବଶ୍ୟକ ବୋଲି ରବୀନ୍ଦ୍ରନାଥଙ୍କ ମତ । ସେ ଚାହୁଁଥିଲେ ଯେ, ବ୍ୟକ୍ତିଗତ ସ୍ୱାଧୀନତା ଓ ସମ୍ମାନବୋଧ ଅକ୍ଷୁଣ୍ଣ ରଖିବାକୁ ହେଲେ ପାଶ୍ଚାତ୍ୟ ବିଜ୍ଞାନର ନୂତନତମ ଯନ୍ତ୍ରପ୍ରଣାଳୀ ଏ ଦେଶରେ ପ୍ରୟୋଗ କରାଯିବା ଉଚିତ୍ । ତାଙ୍କ ଅର୍ଥନୈତିକ ବ୍ୟବସ୍ଥା ମଧ୍ୟରେ କୃଷି ଓ ଶିଳ୍ପକୁ ଏପରି ଏକ ଉପାୟରେ ଏକତ୍ରିତ କରିବାକୁ ସେ ଚାହୁଁଥିଲେ ଯଦ୍ଦ୍ୱାରା ପଲ୍ଲୀ ଓ ସହରର ସହଯୋଗ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇ ପାରିବ । ଏ ସକଳ ବିଷୟରେ ସୃଷ୍ଟିଶୀଳ ସଂହତିର ଏକ ଦର୍ଶନ ଦ୍ୱାରା ସେ ପରିଚାଳିତ ହେଉଥିଲେ ଏବଂ ସମୃଦ୍ଧ ଓ ଜଟିଳ ଭାରତୀୟ ସମାଜର ବିଭିନ୍ନ ଆଙ୍ଗିକ ଉପାଦାନ ମଧ୍ୟରେ ସମତା ଓ ସାମଞ୍ଜସ୍ୟ ସ୍ଥାପନ କରିବା - ଏହି ଦର୍ଶନର ଆଭିମୁଖ୍ୟ ଥିଲା ।

 

ରାଜନୀତି କ୍ଷେତ୍ରରେ ମଧ୍ୟ ରବୀନ୍ଦ୍ରନାଥ ଚାହୁଁଥିଲେ ଯେ ଭାରତୀୟ ଓ ପାଶ୍ଚାତ୍ୟ, ଚିନ୍ତାଧାରାର ସୂକ୍ଷ୍ମତମ ଉପାଦାନଗୁଡ଼ିକର ସମନ୍ୱୟ ଘଟିବା ଆବଶ୍ୟକ । ପରସ୍ପର ପ୍ରତି ଶ୍ରଦ୍ଧା ବା ସମ୍ମାନ ଯଦି ନ ଥାଏ, ତା’ହେଲେ ଉଭୟ ପ୍ରତି ଦାନ କ୍ଷତିକାରକ ହୁଏ ବୋଲି ତାଙ୍କର ବିଶ୍ୱାସ । ୟୁରୋପ ଭ୍ରମଣକୁ ରବୀନ୍ଦ୍ରନାଥ ଏକ ତୀର୍ଥଯାତ୍ରା ସ୍ଵରୂପ ମନେ କରୁଥିଲେ । ସେ ଭାରତ ଓ ବ୍ରିଟେନ୍‌ ଭିତରେ ବିଭେଦ ସୃଷ୍ଟି କରୁଥୁବା ତତ୍‌କାଳୀନ ପ୍ରବଳ ରାଜନୀତିକ ଉତ୍ତେଜନା ସତ୍ତ୍ୱେ ପାଶ୍ଚାତ ଜୀବନବୋଧ ପ୍ରତି କି ସମ୍ମାନ ପ୍ରଦର୍ଶନ କରୁଥିଲେ ତାର ସ୍ପଷ୍ଟ ସୂଚନା ‘ଯାତ୍ରାର ପୂର୍ବପତ୍ର’ରେ ଆମେ ପାଇଥାଉଁ । ପୁଣି ‘କାଳନ୍ତର’ ପ୍ରବନ୍ଧରେ ସେ ଉଲ୍ଲେଖ କରିଛନ୍ତି ଯେ ପାଶ୍ଚତ୍ୟ ଜଗତର ସମ୍ପର୍କ ଯଦିଓ କେତେଗୁଡ଼ିଏ ବହିଃଶୃଙ୍ଖଳରେ ଆମକୁ ଆବଦ୍ଧ କରିଥିଲା, ତଥାପି କର୍ତ୍ତୃପକ୍ଷଙ୍କ ପ୍ରତି ଆମର ଦୃଷ୍ଟିକୋଣରେ ତାହା ତୁମୁଳ ପରିବର୍ତ୍ତନ ଆଣିଥିଲା । ପରିଶେଷରେ ଅତୀତର ଜାତୀୟ ଚରିତ୍ରରେ ଅନ୍ୟତମ ଦୁର୍ବଳତାରୂପେ ଦେଖାଦେଇଥିବା ମରଣ-ପ୍ରୀତିରୁ ପ୍ରାୟ ଚିରକାଳ ସକାଶେ ତାହା ଆମକୁ ମୁକ୍ତ କରିଥିଲା ।

 

ପାଶ୍ଚାତ୍ୟ ଜଗତର ଗଣତନ୍ତ୍ରର ଧାରଣାକୁ ରବୀନ୍ଦ୍ରନାଥ ବିନା ଦ୍ୱିଧାରେ ଗ୍ରହଣ କରିବା ସଙ୍ଗେ ସାମାଜିକ ଉଦ୍ୟମ ଓ ଦାୟିତ୍ୱ ସମ୍ପର୍କରେ ଭାରତୀୟ ଚିନ୍ତାଧାରକୁ ତାହା ସହିତ ସେ ସଂଯୁକ୍ତ କରିଥିଲେ । ସେ ଉଲ୍ଲେଖ କରିଛନ୍ତି ଯେ ପ୍ରାଚୀନ ବା ମଧ୍ୟଯୁଗୀୟ ଭାରତବର୍ଷରେ ପ୍ରଚୁର ଐଶ୍ଚର୍ଯ୍ୟ ଓ ଅଖଣ୍ଡ ରାଜନୀତିକ ପ୍ରତିପତ୍ତି ରାଜଶକ୍ତି ନିକଟରୁ ପାଉଥିଲେ ମଧ୍ୟ ଶ୍ରେଷ୍ଠ ଧନଶାଳୀ ବା କ୍ଷମତାପନ୍ନ ବ୍ୟକ୍ତିଗଣ ନିଜ ସମାଜର ଅନୁମୋଦନ ଲାଭ କରିବା ପର୍ଯ୍ୟନ୍ତ ତୃପ୍ତିଲାଭ କରୁ ନ ଥିଲେ । ଏହାଦ୍ୱାରା ବହୁ ସମାଜ-ଉନ୍ନୟନ-ବିଷୟକ କର୍ମ ରାଷ୍ଟ୍ରଶକ୍ତିର ସାହାଯ୍ୟ ବିନା : ସ୍ୱାଧୀନ ଭାବରେ ସମ୍ପନ ହୋଇ ପାରୁଥିଲା ଏବଂ ସମାଜର ବ୍ୟକ୍ତି ବିଶେଷଙ୍କ ମଧ୍ୟରେ କର୍ମପ୍ରେରଣା ଓ କଲ୍ୟାଣଭାବ ବିକଶିତ କରିବାରେ ଏହା ସହାୟକ ହେଉଥିଲା ।

 

ରାଷ୍ଟଶକ୍ତି ସାହାଯ୍ୟ ପାଇଁ ସର୍ବଦା ସତୃଷ୍ଣଭାବରେ ନ ଚାହିଁ ଜାତିର ନିର୍ମାଣ କାର୍ଯ୍ୟରେ ଭାରତୀୟଗଣ ନିଜର ଶକ୍ତି ଓ ଶ୍ରମଦାନ କରିବା ଉଚିତ ବୋଲି ରବୀନ୍ଦ୍ରନାଥ ବାରମ୍ବାର ଜୋର୍‍ଦେଇ କହିଛନ୍ତି । ଏହି ଚିନ୍ତାଧାରାର ପ୍ରେରଣା ପ୍ରାଚୀନ ଭାରତର ସାମାଜିକ ଦାୟିତ୍ୱ ସମ୍ପର୍କୀୟ ପରମ୍ପରା ପ୍ରତି ତାଙ୍କର ସମ୍ମାନବୋଧ ମୂଳରେ ନିହିତ । ବ୍ୟକ୍ତିଗତ ଉଦ୍ୟମ ପ୍ରତି ଆଜିର ପାଶ୍ଚାତ୍ୟ ଧାରଣା ସହିତ ଏହି ଚିନ୍ତାଧାରାର ଯଥେଷ୍ଟ ସାମଞ୍ଜସ୍ୟ ମଧ୍ୟ ରହିଛି । ସେ ହେଉଛି ସର୍ବୋତ୍ତମ ଶାସନପଦ୍ଧତି ଯାହାର ଦଣ୍ଡନୀତିର ଅସ୍ତିତ୍ୱ କ୍ୱଚିତ୍‌ ଉପଲବ୍ଧ ହୋଇଥାଏ । ଏହି ନୀତିବାଦ ଉପରେ ହିଁ ରବୀନ୍ଦ୍ରନାଥଙ୍କ ସମ୍ପୂର୍ଣ୍ଣ ରାଜନୀତିକ ଦୃଷ୍ଟିକୋଣର ଆତ୍ମପ୍ରତିଷ୍ଠା । ସେ ଯେତେବେଳେ କହିଛନ୍ତି ସମାଜର ବୃହତ କର୍ମାନୁଷ୍ଠାନଗୁଡ଼ିକୁ ରାଷ୍ଟ୍ରର ନିୟନ୍ତ୍ରିତ ନିର୍ଦ୍ଦେଶରୁ ମୁକ୍ତ ହୋଇ ବ୍ୟକ୍ତିବିଶେଷଙ୍କ ଦ୍ୱାରା ବା ସ୍ଵାଧୀନ ସମ୍ପର୍କ ଥିବା ଦଳବିଶେଷଙ୍କ ଦ୍ୱାରା ଅନୁଷ୍ଠିତ ହେବା ଆବଶ୍ୟକ, ସେତେବେଳେ ପାଶ୍ଚାତ୍ୟ ଜଗତର ମହାନ ଓ ଉଦାର ରାଜନୀତିକ ପରମ୍ପରା ଦ୍ୱାରା ସେ ହୁଏତ ପ୍ରଭାବିତ ହୋଇଥାଇ ପାରନ୍ତି ।

 

ରବୀନ୍ଦ୍ରନାଥଙ୍କ ଚିନ୍ତାଧାରାରେ ରାଷ୍ଟ୍ର ଓ ସମାଜର ପୃଥକ୍ ସଜ୍ଞା ମୌଳିକଭାବେ ସ୍ଵୀକୃତ-। ସେ ବିଶ୍ୱାସ କରୁଥିଲେ ରାଷ୍ଟ୍ରର ଅଧିକାର ସୀମାବଦ୍ଧ କରି ସମାଜ ହସ୍ତରେ ତାହା ସମର୍ପଣ କରିବା ଦ୍ୱାରା ପ୍ରକୃତ ପ୍ରଗତି ସମ୍ଭବପର । ଜୀବନର ପ୍ରତି କ୍ଷେତ୍ରରେ ସେ ତେଣୁ ସ୍ୱାୟତ୍ତଶାସନର ଜଣେ କଲ ବଳିଷ୍ଠ ଥିଲେ । ତାଙ୍କର ବିଶ୍ୱାସ, କେବଳ ସ୍ୱାୟତ୍ତଶାସନ ମଧ୍ୟରେ ହଁ ବ୍ୟକ୍ତିପୂର୍ଣ୍ଣତାର ସ୍ୱାଦୁ ଉପଭୋଗ୍ୟ ଏବଂ ନିଜର କିଲ୍ୟାଣ ଦାୟିତ୍ୱ ନିଜେ ବହନ କଲେ ସମାଜର ବିକାଶ ମଧ୍ୟ ସାଧିତ ହୋଇଥାଏ । କ୍ଷମତାର ବିକେନ୍ଦ୍ରୀକରଣରେ ସେ ତେଣୁ ବିଶ୍ୱାସୀ ଥିଲେ ଏବଂ ତାଙ୍କ ମତରେ ବ୍ୟକ୍ତିବିଶେଷ ବା ଦଳ ଦ୍ୱାରା ସାମାଜିକ ଜୀବନର ଯେଉଁ ଦିଗଗୁଡ଼ିକ ଶାସିତ ହେବା ସମ୍ଭବ ନୁହେ କେବଳ ତାହା ହିଁ ରାଷ୍ଟ୍ରକର୍ତ୍ତୃକ ପରିଚାଳିତ ହେବା ଆବଶ୍ୟକ । ଅଳ୍ପ କଥାରେ କହିଲେ, ସେ ଏପରି ଏକ ରାଷ୍ଟ୍ରର ପରିକଳ୍ପନା କରିଥିଲେ ଯାହା କ୍ଷମତାର ବିକେନ୍ଦ୍ରୀକରଣ ଓ ମୈତ୍ରୀ ସୂତ୍ରରେ ଆବଦ୍ଧ ପରସ୍ପର ସାହାଯ୍ୟଧର୍ମୀ କେତେକ ପ୍ରାଦେଶିକ ବିଭାଗ ଉପରେ ପ୍ରତିଷ୍ଠିତ ହୋଇଥିବ ଏବଂ ଏହି ସ୍ଥାନୀୟ ବିଭାଗଗୁଡ଼ିକ ରାଷ୍ଟ୍ରୀୟ ଉନ୍ନତିରେ କ୍ରମଶଃ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବେ ।

 

ରବୀନ୍ଦ୍ରଙ୍କ ମତରେ ଆର୍ଥନୀତିକ ଓ ରାଜନୀତିକ କ୍ଷେତ୍ରରେ ମଧ୍ୟ ବ୍ୟକ୍ତି ଭୂମିକାକୁ ଉନ୍ନତ କରିବା ପାଇଁ ଏହି ସ୍ୱାୟତ୍ତଶାସନ ନୀତି ଗୃହୀତ ହେବା ଆବଶ୍ୟକ । ‘ସ୍ୱଦେଶୀ ସମାଜ’ର ପ୍ରକାଶନ ପୂର୍ବରୁ ସେ ପ୍ରକାଶ କରିଥିଲେ ଯେ ରାଜନୀତିକ ପରାଧୀନତା ଆମ ଚାରିତ୍ରିକ ଦୁର୍ବଳତାର ଏକି ନିଦର୍ଶନ ମାତ୍ର । ତେଣୁ କେବଳ ଗୋଟିଏ ରାଜନୀତିକ କର୍ମସୂଚୀ ଗ୍ରହଣ କରିବା ଦ୍ୱାରା ଭାରତର ମୁକ୍ତିସାଧନ ସମ୍ଭବ ନୁହେଁ ବୋଲି ସେ ବିଶ୍ୱାସ କରୁଥିଲେ । କାରଣ ରୋଗର ନିଦାନ ଅପେକ୍ଷା ଉତ୍ସର୍ଗ ହିଁ ଥିଲା ତାର ଧ୍ୟାନ ସାମଗ୍ରୀ । ତାଙ୍କ ମତରେ ଦେଶର ବ୍ୟକ୍ତିବିଶେଷ ଯେତେବେଳେ ସ୍ୱାବଲମ୍ବୀ ହେବେ, ତାଙ୍କର ଜ୍ଞାନ, ନୈତିକ ଉଦ୍ଦେଶ୍ୟ ଓ ସୌନ୍ଦର୍ଯ୍ୟ ବୋଧର ପରିସର ଯେତେବେଳେ ବିସ୍ତୃତ ହେବ, ଭାରତର ସ୍ଵାଧୀନତା ଲାଭ ସେତେବେଳେ ସୁନିଶ୍ଚିତ । ତାଙ୍କ ଦୃଷ୍ଟିରେ ସେଦିନର ରାଜନୀତି ଅଧିକାଂଶ ସ୍ଥଳରେ ଥିଲା ବାସ୍ତବ ଏବଂ ଉତ୍ତେଜନା ସର୍ବସ୍ୱ । ଦେଶର ଜନସାଧାରଣ କାତୀୟ ମୁକ୍ତି ସଂଗ୍ରାମରେ କିପରି ଅଂଶ ଗ୍ରହଣ କରିବେ ସେ ସଂପର୍କରେ ଚିନ୍ତା ନ କରି କେବଳ ମୁଷ୍ଟିମେୟ କେତେକ ଇଂରାଜୀ ଶିକ୍ଷିତ ବ୍ୟକ୍ତି ପରସ୍ପର ମଧ୍ୟରେ ଭାବବିନିମୟ କରୁଥିଲେ । ବିଦେଶୀମାଧ୍ୟମ ହେତୁ ଶିକ୍ଷାର ଗତି ଯଦି ସନ୍ତୋଷଜନକ ହୋଇ ନ ପାରିଲା, ତେବେ ସେହି କାରଣରୁ ହିଁ ରାଜନୀତିକ ଉଦ୍ଦେଶ୍ୟ ମଧ୍ୟ ଅଧିକତର ବିଫଳ ହେବା ସ୍ୱାଭାବିକ । ତେଣୁ ରବୀନ୍ଦ୍ରନାଥ କହୁଥିଲେ ଯେ ଲୋକେ ବୁଝିବା ଭଳି ଏକ ମାଧ୍ୟମରେ ସେମାନଙ୍କ ସହିତ ଯଦି ସଂପର୍କ ସ୍ଥାପନ କରାଯାଏ, ତେବେ ଉତ୍ସାହ ସହକାରେ ସେମାନେ ନିଶ୍ଚେ ଆମକୁ ଗ୍ରହଣ କରିବେ ।

 

ରବୀନ୍ଦ୍ରନାଥ ଜୀବନରେ କେବଳ ଥରକ ପାଇଁ ଏକ ରାଜନୀତିକ ସମ୍ମିଳନୀରେ ପୌରହିତ୍ୟ କରିବା ହେତୁ ତାଙ୍କ ‘‘ସଭାପତିର ଅଭିଭାଷଣ’’ର ଗୁରୁତ୍ୱ ଓ ତାତ୍ପର୍ଯ୍ୟ ରହିଛି । ଏହାବ୍ୟତୀତ ଏକ ରାଜନୈତିକ ସମ୍ମିଳନୀରେ ଜଣେ ଭାରତୀୟ, ସଭାପତି ତାର ଭାରତୀୟ ଶ୍ରୋତୃମଣ୍ଡଳୀକୁ ଭାରତୀୟ ଭାଷାରେ ଭାଷଣ ଦେବା ଏହା ହିଁ ହେଉଛି ପ୍ରଥମ । ଏହି ଅଭିଭାଷଣରେ ରବୀନ୍ଦ୍ରନାଥ ତାଙ୍କ ରାଜନୈତିକ କର୍ମସୂଚୀର ଏକ ରୂପରେଖ ପ୍ରଦାନ କରିଥିଲେ ଏବଂ ଆର୍ଥନୀତିକ ସ୍ଵାବଲମ୍ବନ ଓ ସାମାଜିକ ସ୍ୱାଧୀନତା ପାଇଁ ଆମେ ସକ୍ରିୟ ହେବା ଆବଶ୍ୟକ ବୋଲି ଘୋଷଣା କରିଥିଲେ । ସେ କହିଥିଲେ ଯେ ବ୍ୟକ୍ତି - ଜୀବନ ପ୍ରତି ଅବହେଳା ପ୍ରଦର୍ଶନ କରିବା ଓ ଲକ୍ଷ ଲକ୍ଷ ଭାରତୀୟ ସନ୍ତାନଙ୍କୁ ସେମାନଙ୍କର ସ୍ଵାଧୀକାରରୁ ବଞ୍ଚିତ କରି ଅପମାନିତ ଓ ଅବଦମିତ କରିବା ମଧ୍ୟରେ ହିଁ ଭାରତୀୟ ପରାଧିନତାର ମୂଳ କାରଣ ନିହିତ । ତେଣୁ ବାରମ୍ବାର ସେ ଉଲ୍ଲେଖ କରିଥିଲେ ଯେ, ଯେପର୍ଯ୍ୟନ୍ତ ଭାରତୀୟମାନଙ୍କ ମଧ୍ୟରେ ସମତା ପ୍ରତିଷ୍ଠିତ ନ ହୋଇଛି, ସେ ପର୍ଯ୍ୟନ୍ତ ଅନ୍ୟ ଦେଶର ଜାତିମାନଙ୍କ ସହିତ ସମାନ ଅଧିକାର ଦାବୀ କରିବା ଏକ ବ୍ୟର୍ଥ ପ୍ରୟାସ ମାତ୍ର ।

 

ଭାରତୀୟ ଜାତୀୟତାର ଆଦର୍ଶ ରବୀନ୍ଦ୍ରନାଥ ଅବଶ୍ୟ ଗ୍ରହଣ କରିଥିଲେ । କିନ୍ତୁ ତତ୍କାଳୀନ ଅଧିକାଂଶ ରାଜନୈତିକ ନେତାମାନଙ୍କଠାରୁ ତାଙ୍କ ଚିନ୍ତାଧାର ସ୍ୱତନ୍ତ୍ର ଥିଲା । ସେହି ସ୍ୱାତନ୍ତ୍ର୍ୟ ହେଉଛି ତାଙ୍କ ମତରେ ଇଂରେଜ ଜାତିର ନିନ୍ଦାବାଦ କରିବା ଦ୍ୱାରା ଭାରତୀୟ ସ୍ୱାଧୀନତା ହାସଲ କରିବା ସମ୍ଭବ ନୁହେ, ବରଂ ଆମ ପୁରୁଷକାରର ସକ୍ରିୟ ଗୁଣାବଳୀର ଉପାସନା ଓ ଆତ୍ମନିର୍ଭରତା ଦ୍ୱାରାହିଁ ସମ୍ଭବପର । ଅର୍ଥନୀତି, ରାଜନୀତି ଓ ସଂସ୍କୃତି କ୍ଷେତ୍ରରେ ନିର୍ଯ୍ୟାତନାର ପରିବେଶ ସୃଷ୍ଟି କରୁଥିଲେ ହେଁ, ଇଂରେଜ ଜାତି ପ୍ରତି ଏକା ରବୀନ୍ଦ୍ରନାଥ ହିଁ କେବଳ ଥିଲେ ବିଦ୍ୱେଷମୁକ୍ତ । ବ୍ରିଟେନ୍ ଓ ଭାରତର ସଂପର୍କ ଯେତେବେଳେ ଅତିଶୟ ଆବିଳ ଏବଂ ନିଜେ ରବୀନ୍ଦ୍ରନାଥ ମଧ୍ୟ ଯେତେବେଳେ ଇଂରେଜ ଜାତିର କର୍ମ ପନ୍ଥାକୁ ଆକ୍ରମଣ କରୁଛନ୍ତି, ସେତେବେଳେ ମଧ୍ୟ ସେ ଜାତିର ଗୁଣାବଳୀର ପ୍ରଶସ୍ତି ଗାନ କରିବାକୁ ଅକୁଣ୍ଠିତ । ଇଂରେଜ ଜାତି ନିଜେ ଯେଉଁ ସକଳ ଆଦର୍ଶ ପ୍ରଚାର କରୁଥିଲା, ତାହାର ସ୍ଵୀକୃତି ଓ ଭିତ୍ତି ଉପରେ ହିଁ ଏ ଦେଶର ଇଂରେଜ ଜାତି ପ୍ରତି ତାଙ୍କର ଅଶ୍ରଦ୍ଧା ପ୍ରକଟିତ । ଏପରି କି ପାଶ୍ଚାତ୍ୟ ସଭ୍ୟତା ସଂପର୍କରେ ସେ ଯେତେବେଳେ ସଂପୂର୍ଣ୍ଣ ଆସ୍ଥାହୀନ ସେତେବେଳେ ମଧ୍ୟ ପାଶ୍ଚାତ୍ୟ ଜଗତର ଶୀର୍ଷ ପ୍ରତିନିଧି ସ୍ଥାନୀୟ ବ୍ୟକ୍ତିମାନଙ୍କର ମାନବିକତା ଉପରେ ସେ ଅଖଣ୍ଡ ଆସ୍ଥାବାନ ଏବଂ ତାହା ହିଁ ‘‘ସଭ୍ୟତାର ସଙ୍କଟ’’ ପ୍ରବନ୍ଧରେ ସେ ସ୍ପଷ୍ଟ ଭାବରେ ଉଲ୍ଲେଖ କରିଛନ୍ତି । ସେଥିପାଇଁ ପାଶ୍ଚାତ୍ୟ ଜଗତର ଚିନ୍ତା, ବ୍ୟବହାର ଓ ଉଦ୍ଦେଶ୍ୟର ଶ୍ରେଷ୍ଠ ଦାନ ଉପରେ ଧ୍ୟାନ ନିବଦ୍ଧ କରିବାକୁ ଏବଂ ନିଜ ଦେଶର ଲୋକଙ୍କ ମଧ୍ୟରେ ସେଗୁଡ଼ିକର ଉପଲବ୍ଧି ଓ ଆହରଣ ସକାଶେ ବାରମ୍ବାର ବଳିଷ୍ଠ ଉଦ୍ୟମ କରିବାକୁ ସେ ସମର୍ଥ ଥିଲେ ।

 

ଆଧୁନିକ ଯୁଗର ଆନ୍ତର୍ଜାତିକ ଭାବାପନ୍ନ ଶ୍ରେଷ୍ଠ ବ୍ୟକ୍ତିମାନଙ୍କ ମଧ୍ୟରେ ରବୀନ୍ଦ୍ର ଯେ ଅନ୍ୟତମ -ଏଥିରେ ବିସ୍ମିତ ହେବାର କିଛି ନାହିଁ । ସେ ସ୍ୱୀକାର କରିଥିଲେ ଯେ, ଲକ୍ଷ୍ୟସିଦ୍ଧି ପାଇଁ ନିର୍ଦ୍ଦିଷ୍ଟ କର୍ମପନ୍ଥା ଗ୍ରହଣ କରିବା ସକାଶେ ପ୍ରତ୍ୟେକ ଜାତିର ମୌଳିକ ଅଧିକାର ରହିଛି । କିନ୍ତୁ ମାନବିକ ସ୍ଵାଧିକାର କ୍ଷେତ୍ରରେ ବଳପୂର୍ବକ ତାର ପ୍ରବେଶାଧିକାର ନିଷିଦ୍ଧ । ନିଜ ଜାତିର ଆଦର୍ଶ ପ୍ରତି ସ୍ନେହ ସମ୍ମାନ ଏକ ମହତଗୁଣ ରୂପେ ବିବେଚିତ ହୋଇପାରେ । ତା ବୋଲି ଅନ୍ୟ ଜାତିର ଆଦର୍ଶ ଓ ପରମ୍ପର ପ୍ରତି ଅସମ୍ମାନ ପ୍ରଦର୍ଶନ କରିବା ଏକ ମାନବିକ ଅପରାଧ । ଯେଉଁ ଆକ୍ରମଣକାରୀ ଜାତିଗୁଡ଼ିକ ଜାତୀୟ ରାଷ୍ଟ୍ରକୁ ଉପଦେବତାର ଗୌରବ ପ୍ରଦାନ କରିଥାନ୍ତି ରବୀନ୍ଦ୍ରନାଥ ସେଗୁଡ଼ିକର ତୀବ୍ର ନିନ୍ଦାବାନ୍ଦ କରିଛନ୍ତି । ଜାତି ଓ ଜାତୀୟ ଅନ୍ଧ ଉପାସନା ମୂଳରେ ମନୁଷ୍ୟ ସମାଜର ଧ୍ୱଂସର ବୀଜ ନିହିତ ବୋଲି ସେ ଘୋଷଣା କରିଥିଲେ ।

 

ଭାରତୀୟ ଓ ପାଶ୍ଚାତ୍ୟ ସଂସ୍କୃତିର ମୂଲ୍ୟବାନ ଉପାଦାନଗୁଡ଼ିକୁ ରବୀନ୍ଦ୍ରନାଥ ଗ୍ରହଣ କରୁଥିଲେ ଏବଂ ଉଭୟର ପରମ୍ପରା ଏବଂ ଆଚରଣରେ ଯାହା ସଂକୀର୍ଣ୍ଣ, ଓ ପ୍ରତିକ୍ରିୟାଶୀଳ ବୋଲି ମନେ କରୁଥିଲେ ତାହାର ନିନ୍ଦା ମଧ୍ୟ ସେ କରୁଥିଲେ । ଆବଶ୍ୟକ ସ୍ଥଳରେ ନିଜ ଦେଶବାସୀ ବା ବିଦେଶୀମାନଙ୍କୁ ସ୍ଵାଧୀନ ଓ ନିର୍ଭୀକ ଭାବରେ ସେ ଆଲୋଚନା କରୁଥିଲେ । ମହାତ୍ମାଗାନ୍ଧୀଙ୍କ ପ୍ରତି ତାଙ୍କର ଶ୍ରଦ୍ଧା ଓ ସମ୍ମାନ ଯଥେଷ୍ଟ ଥିଲା । ତଥାପି ତାଙ୍କ ଚିନ୍ତା ଓ କର୍ମରେ କୌଣସି ସଂକୀର୍ଣ୍ଣ ଓ ପ୍ରତିକୂଳ ଉପାଦାନ ଲକ୍ଷ୍ୟ କଲେ ତାର ତୀବ୍ର ପ୍ରତିବାଦ ସେ କରୁଥିଲେ । ‘‘ସତ୍ୟର ଆହ୍ୱାନ ଓ ସ୍ୱରାଜ ସାଧନ’’ ପ୍ରବନ୍ଧରେ ମହାତ୍ମାଗାନ୍ଧୀଙ୍କର କେତେକ ମୌଳିକ ଧାରଣାର ପ୍ରତିବାଦ ସେ କରିଛନ୍ତି ଏବଂ ତାଙ୍କ କର୍ମସୂଚୀର ଅଂଶବିଶେଷ ସ୍ୱନିର୍ଦ୍ଦିଷ୍ଟ ନୀତିର ପ୍ରତିକୂଳ ବୋଲି ଉଲ୍ଲେଖ କରିଛନ୍ତି ।

 

ରାଜନୀତି ରବୀନ୍ଦ୍ରନାଥଙ୍କ ଜୀବନର ବ୍ରତ ନ ଥିଲା; କିନ୍ତୁ ଭାରତୀୟ ଜନତା ପ୍ରତି ବେଦନାବୋଧ ଜାତୀୟ ସଂଗ୍ରାମର ପ୍ରତ୍ୟେକ ଘଡ଼ିସନ୍ଧି ଅବସ୍ଥାରେ ତାଙ୍କୁ ସକ୍ରିୟ ଓ ବାଙ୍ନୟ କରିବାକୁ ବାଧ୍ୟ କରିଥିଲା । ୧୯୦୫ ମସିହାର ସ୍ୱଦେଶୀ ଆନ୍ଦୋଳନର ସେ ହେଲେ ଚାରଣ ଓ ପ୍ରତିନିଧି । ପୁଣି ୧୯୧୯ ମସିହାରେ ଜାଲିୟାନାବାଗ୍‌ର ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାରେ ରବୀନ୍ଦ୍ରନାଥ ହେଉଛନ୍ତି ଅଗ୍ରଣୀ । କିନ୍ତୁ ସରକାରର ରାଜନୀତିକ କ୍ରିୟାକଳାପ ଗଭୀର ନିନ୍ଦା ଓ ପ୍ରତିବାଦ ସତ୍ତ୍ୱେ ଇଂରେଜ ଜାତି ପ୍ରତି ତାଙ୍କର ଶ୍ରଦ୍ଧା ଥିଲା ଅକ୍ଷୁଣ୍ଣ । ବିଦେଶୀ ଶାସନ ବିରୁଦ୍ଧରେ କେବଳ ଅନ୍ଧ ପ୍ରତିକ୍ରିୟା ସୃଷ୍ଟି ନ କରି ଜାତିର ନବଜନ୍ମ ପାଇଁ ଆମେ ରାଜନୀତିକ କର୍ମ ଓ ସକ୍ରିୟ କର୍ମପନ୍ଥା ଅନୁସରଣ କରିବା ଉଚିତ ବୋଲି ସେ ଚାହୁଁଥିଲେ । ୧୯୦୫ ର ସ୍ୱଦେଶୀ ଆନ୍ଦୋଳନ ସମୟରେ ଓ ୧୯୨୧ ର ଅସହଯୋଗ ଆନ୍ଦୋଳନର ଶୀର୍ଷତମ ଅବସ୍ଥାରେ ଆମ ଜାତୀୟ ରାଜନୈତିକ କର୍ମସୂଚୀର ଯେଉଁ ବିଭାଗଗୁଡ଼ିକୁ ସଙ୍ଗଠନ ଅପେକ୍ଷା ଅଧିକ ଧ୍ୱଂସମୂଳକ ବୋଲି ସେ ଚିନ୍ତା କରିଥିଲେ ଦୃଢ଼ଭାବରେ ତାହା ଅନୁମୋଦନ କରିବାକୁ ସେ କୁଣ୍ଠାବୋଧ କରି ନ ଥିଲେ ।

 

ସକଳ ଜାତିର ବ୍ୟକ୍ତି - ମର୍ଯ୍ୟାଦା, ସ୍ଵାଧୀନତା ଓ କର୍ମପ୍ରେରଣାରେ ରବୀନ୍ଦ୍ରନାଥଙ୍କର ଅଖଣ୍ଡ ବିଶ୍ୱାସ, ଅନୈକ୍ୟ ମଧ୍ୟରେ ଐକ୍ୟ ସମ୍ପାଦନ କରିବାର ନୀତି ବିଶ୍ଵସଭ୍ୟତାକୁ ଭାରତୀୟ ସଭ୍ୟତାର ଏକ ମହତଦାନ ଏହି ପ୍ରଗାଢ଼ ବିଶ୍ୱାସ “ପୂର୍ବ ଓ ପଶ୍ଚିମ’’ ପ୍ରବନ୍ଧରେ ସେ ବାରମ୍ବାର ଉଲ୍ଲେଖ କରିଅଛନ୍ତି । ତାଙ୍କ ମତରେ ବୈଷମ୍ୟର ମଧ୍ୟ ମୂଲ୍ୟ ରହିଛି ଓ ଜୀବନର ଭୂୟୋବିକାଶ ପାଇଁ ତାହା ସହାୟକ । ଭାରତୀୟ ଜୀବନର ଭାଷା, ଧର୍ମ ଓ କୃଷ୍ଟିର ବୈଷମ୍ୟ ମୂଳରେ ଏକ ସ୍ଵର୍ଗୀୟ ଉବ୍ଦେଶ୍ୟ ନିହିତ ବୋଲି ତାଙ୍କର ଧାରଣା । ଏହି ଅନୈକ୍ୟ ମଧ୍ୟରେ ଐକ୍ୟସ୍ଥାପନ କରି ପ୍ରତ୍ୟେକ ଭାଷା, ଧର୍ମ ଓ କୃଷ୍ଟିକୁ ତା’ର ନ୍ୟାଯ୍ୟ ଆସନ ପ୍ରଦାନ କରିବା ଭାରତୀୟ ସଭ୍ୟତାର ମୂଳମନ୍ତ୍ର ଏବଂ ସକଳ ଅବସ୍ଥାରେ ଏହି ନୀତି ହିଁ ଗୃହୀତ ହେବା ଆବଶ୍ୟକ ବୋଲି ସେ ତେଣୁ ଘୋଷଣା କରିଥିଲେ । ଆଧୁନିକ ବିଶ୍ୱର ବିଭିନ୍ନ ଜାତି ପାଇଁ ଏହି ନୀତି କିପରି ଅଧିକ ପରିମାଣରେ ପ୍ରଯୁଜ୍ୟ ତାହା ସହଜରେ ଅନୁମେୟ ।

 

ଆଧୁନିକ ଭାରତର ରାଜନୀତିକ ଚେତନା ସହିତ ରବୀନ୍ଦ୍ରନାଥଙ୍କ ଆଦର୍ଶ କିପରି ବିଭିନ୍ନ ଭାବରେ ସମ୍ପର୍କିତ, ତାହା ଆମେ ଅନାୟାସରେ ଲକ୍ଷ୍ୟ କରି ପାରିବା । ଆମ ଶାସନ ବ୍ୟବସ୍ଥାର ଅନ୍ତରୂପ ପ୍ରତି ଦୃଷ୍ଟି ଦେଲେ ଆମେ ଦେଖି ପାରିବା ଯେ ନିର୍ବାଚନ ପ୍ରଣାଳୀରେ ଆମ ରାଷ୍ଟ୍ର ମୈତ୍ରୀ ସୂତ୍ରରେ ଆବଦ୍ଧ କେତେକ ପ୍ରାଦେଶିକ ବିଭାଗଗୁଡ଼ିକର ସମାହାର ଏବଂ ପ୍ରତ୍ୟେକ ବିଭାଗ ଉପରେ ସ୍ୱାୟତ୍ତଶାସନର ସମ୍ପୂର୍ଣ୍ଣ ଅଧିକାର ନ୍ୟସ୍ତ । ଜାତି, ସଂପ୍ରଦାୟ, ଧର୍ମ, ଭାଷା ବା ଲିଙ୍ଗ ଭେଦରେ ଭାରତୀୟ ନାଗରିକଗଣ ସମତାର ଅଧିକାରୀ ହୁଅନ୍ତୁ–ଏହି ସ୍ୱର ଉତ୍ତୋଳନ କରିବାରେ ରବୀନ୍ଦ୍ରନାଥ ପ୍ରଥମ କିମ୍ବା ଏକାକୀ ହୋଇ ନ ପାରନ୍ତି, କିନ୍ତୁ ଏଥିପାଇଁ କ୍ରମାଗତଭାବେ ସେ ଯେ ଦାବୀ କରିଛନ୍ତି ଏଥିରେ କୌଣସି ସନ୍ଦେହ ନାହିଁ । ପୁଣି ବାହ୍ୟତଃ ଲକ୍ଷ୍ୟ କଲେ ଆମେ ଦେଖି ପାରିବା ଯେ ବିଭିନ୍ନ ଜାତିର ପୃଥକ୍ ରାଜନୀତିକ ମତବାଦ ପାଇଁ ଆଜି ଆମର ଯେଉଁ ସମ୍ମାନ ଓ ବିପରୀତ ମତକୁ ଦମନ ନ କରି ଆମର ଚିନ୍ତାଦର୍ଶରେ ତାର ସ୍ଥାନ ସ୍ୱୀକାରପୂର୍ବକ ଐକ୍ୟ ସାଧନ କରିବାର ଯେଉଁ ପ୍ରୟାସ ତାହା ମୁଖ୍ୟତଃ ରବୀନ୍ଦ୍ରନାଥଙ୍କ ପ୍ରଚାରିତ ଦର୍ଶନର ଆଶୁ ପରିଣତି ମାତ୍ର । ଗୋଟିଏ ଦେଶ ମଧ୍ୟରେ ଯେ କୌଣସି ଦଳ ବା ବ୍ୟକ୍ତି ବିଶେଷର ବ୍ୟକ୍ତିତ୍ୱକୁ ଅବଦମିତ କରିବାର ଉଦ୍ୟମ ହେଲେ ତାହା ସମଗ୍ର ଦେଶ ପକ୍ଷରେ ଯେପରି କ୍ଷତିକାରକ, ଠିକ୍ ସେହିପରି କୌଣସି ଜାତି ବା ଗୋଷ୍ଠୀ ସ୍ୱାଧୀନ ଓ ସମ୍ପୂର୍ଣ୍ଣ ଆତ୍ମବିକାଶରୁ ବଞ୍ଚିତ ହେଲେ ବିଶ୍ୱ ପକ୍ଷରେ ତାହା କ୍ଷତିକାରକ ବୋଲି ସେ ଘୋଷଣା କରିଯାଇଛନ୍ତି । ‘ହିନ୍ଦୁ ବିଶ୍ୱବିଦ୍ୟାଳୟ’ରେ ମୁଖ୍ୟତଃ ଶିକ୍ଷା ସମସ୍ୟା ଆଲୋଚିତ; ତଥାପି ଭାରତର ବିଭିନ୍ନ ଜାତିର କେବଳ ସମତା ବିଧାନ ଦ୍ୱାରା ନୁହେ, ସେଗୁଡ଼ିକର ଐକ୍ୟସାଧନ ମଧ୍ୟରେ ଯେ ତାର ମୁଣ୍ଡ ନିହିତ, ରବୀନ୍ଦ୍ରନାଥଙ୍କର ଏହି ବିଶ୍ୱାସର ‘ପୁନରୁକ୍ତି’ ପ୍ରବନ୍ଧଟିରେ ଦେଖିବାକୁ ମିଳିଥାଏ ।

 

ବ୍ୟକ୍ତି ବା ଦଳ ବିଶେଷର ଆତ୍ମପ୍ରକାଶର ମୂଲ୍ୟ ଉପରେ ଗୁରୁତ୍ୱ ଦେଉଥିବାରୁ ସବୁ ଧର୍ମ, ସଂପ୍ରଦାୟ ଓ ବିଶ୍ୱାସ ପ୍ରତି ସମ୍ମାନ ପ୍ରଦର୍ଶନ କରୁଥିବା ଏକ ଧର୍ମନିରପେକ୍ଷ ରାଷ୍ଟ୍ରର ପରିକଳ୍ପନା ଆମ ଜାତୀୟ ନେତାମାନଙ୍କ ମଧ୍ୟରେ ରବୀନ୍ଦ୍ରନାଥ ପ୍ରଥମେ କରିଥିବା ତେଣୁ ବିସ୍ମୟଜନକ ନୁହେ । ତାଙ୍କର ବିଶ୍ୱାସ, ଦଳ ବା ବ୍ୟକ୍ତିର ମର୍ଯ୍ୟାଦା ପ୍ରତି ସମ୍ମାନ ପ୍ରଦର୍ଶନ କରିବାର ମତ ଯେଉଁଠି ଅନୁସୃତ, ସେଠାରେ ସମ୍ପୃକ୍ତ ସବୁ ଶ୍ରେଣୀର ଲୋକମାନଙ୍କର ପ୍ରଭୂତକଲ୍ୟାଣ ନିଶ୍ଚୟ ସାଧିତ ହୋଇଛି । ଯେଉଁଠି ଏହି ନୀତିର ଅନୁସରଣ ବିଫଳ ହୋଇଛି, ସେଠାରେ ପ୍ରାୟଶଃ ଜାତୀୟ ସଂସ୍କୃତି ଓ ସମୃଦ୍ଧିରେ ଦାରିଦ୍ର୍ୟ ଦେଖାଦେବା ସଙ୍ଗେ ପରିଣତ ଧ୍ୱଂସରେ ହିଁ ପର୍ଯ୍ୟବସିତ ହୋଇଛି । ତେଣୁ ଆଧୁନିକ ଜଗତର ବିଭିନ୍ନ ଜାତି ପରସ୍ପର ପ୍ରତି ସମ୍ମାନ ପ୍ରଦର୍ଶନପୂର୍ବକ ପ୍ରତ୍ୟେକର ପାର୍ଥକ୍ୟକୁ ସ୍ୱୀକୃତି ଦେବା ହିଁ ମାନବଜାତିର ଏକମାତ୍ର ମୁକ୍ତି ସାଧନର ପନ୍ଥା ବୋଲି ରବୀନ୍ଦ୍ରନାଥଙ୍କର ମତ ।

 

ପୃଥିବୀର ସୁଦୂରତମ ସ୍ଥାନମାନଙ୍କୁ ରବୀନ୍ଦ୍ରନାଥଙ୍କର ଭ୍ରମଣ କରି ଯିବାର ଆଗ୍ରହ ମୂଳରେ ମାନବଜାତିର ଅନୈକ୍ୟ ମଧ୍ୟରେ ତାଙ୍କର ଐକ୍ୟ ସନ୍ଧାନର ପିପାସା ହିଁ ବିଦ୍ୟମାନ । ବୌଦ୍ଧ ଯୁଗରେ ଭାରତୀୟ ଜ୍ଞାନ-ସାମ୍ରାଜ୍ୟ ଥିଲା ସୁଦୂର ପ୍ରସାରୀ; କିନ୍ତୁ ସେହି ଗୌରବାବହ ଯୁଗର ଅବସାନ ପରେ ତାର ଜ୍ଞାନଗାରିମା ନିଜ ମଧ୍ୟରେ କ୍ରମଶଃ ସଙ୍କୁଚିତ ହୋଇପଡ଼ିଲା । ମଧ୍ୟଯୁଗରେ ଅବଶ୍ୟ ପଶ୍ଚିମ ଏସିଆ ଓ ଆଧୁନିକ ଯୁଗରେ ୟୁରୋପ ସହିତ ତାର ସମ୍ପର୍କ ସ୍ଥାପିତ ହେଲା । ଏହି ସମ୍ପର୍କ ଫଳରେ ଭାରତ ଦଶମ ଶତାବ୍ଦୀ ପରଠୁ ଦାତାର ସମ୍ମାନ ହରାଇ କ୍ରମେ ଗ୍ରହୀତାର ସ୍ଥାନ ଅଧିକାର କଲା । ନୂତନତାର ସନ୍ଧାନୀ ଭାରତୀୟ ମନର ଗତି ସ୍ପୃହାର ଅଧୋପତନ ତାର ବୌଦ୍ଧିକ ଓ ନୈତିକ ଅବକ୍ଷୟର ଆଦ୍ୟସୂଚନା-ରୂପେ ଦେଖାଦେଇଥିଲା ଏବଂ ପରେ ରାଜନୀତି ଓ ଅର୍ଥନୀତି କ୍ଷେତ୍ରରେ ତାହା ହିଁ ହୋଇଥିଲା ପରାଜୟର କାରଣ ।

 

ଶିକ୍ଷା, ଧର୍ମ, ରାଜନୀତି ବା ଅର୍ଥନୀତି ସମ୍ବନ୍ଧୀୟ କୌଣସି ଆଶୁ ଓ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନ ରଖି ଅନ୍ୟ ଦେଶର ଜନସାଧାରଣଙ୍କ ସହିତ ସମ୍ପର୍କର ପୁନଃପ୍ରତିଷ୍ଠା ଓ ମୈତ୍ରୀ ସ୍ଥାପନ ଉଦ୍ଦେଶ୍ୟରେ ବିଦେଶକୁ ସାଂସ୍କୃତିକ ବାର୍ତ୍ତାବହନ କରିଯିବାରେ ରବୀନ୍ଦ୍ରନାଥ ହିଁ ହେଉଛନ୍ତି ଶ୍ରେଷ୍ଠ ଭାରତୀୟମାନଙ୍କ ମଧ୍ୟରେ ଅନ୍ୟତମ । ଏହା ମଧ୍ୟ ଉଲ୍ଲେଖଯୋଗ୍ୟ ଯେ ସାଂସ୍କୃତିକ ମୈତ୍ରୀ ଉବ୍ଦେଶ୍ୟରେ ତାଙ୍କର ଏହି ବିଦେଶ ଯାତ୍ରା କେବଳ ପାଶ୍ଚାତ୍ୟ ଜଗତରେ ସୀମାବଦ୍ଧ ନ ଥିଲା । ଚୀନ, ଜାପାନ, ସିଂହଳ, ମାଳୟ, ଇଣ୍ଡୋନେସିଆ, ବର୍ମା, ଥାଇଲାଣ୍ଡ, ଇନ୍ଦୋଚୀନ, ଇରାନ୍, ଆଫଗାନୀସ୍ଥାନ, ଉତ୍ତର ଓ ଦକ୍ଷିଣ ଆମେରିକା ପ୍ରଭୃତି ବିଭିନ୍ନ ଦେଶକୁ ସବ୍ଦିଚ୍ଛାର ରାଷ୍ଟ୍ରଦୂତ ରୂପେ ସେ ଯାତ୍ରା କରିଥିଲେ । ଏହି ଉପାୟରେ ମଧ୍ୟ ଭାରତୀୟ ଜନତାର ବୌଦ୍ଧିକ ଦୃଷ୍ଟିକୋଣ ଓ ହାର୍ବ୍ଦିକ ସମ୍ପର୍କର ସୀମା ସଂପ୍ରସାରିତ କରିବାକୁ ସେ ଚେଷ୍ଟା କରିଥିଲେ । ପ୍ରାୟ ଦୁଇ ଶତାବ୍ଦୀ ଧରି ପାଶ୍ଚାତ୍ୟ ଜଗତର ବିଶେଷତଃ ଇଂରେଜ ଜାତିର ପ୍ରତିଚକ୍ଷୁ ସାହାଯ୍ୟରେ ଭାରତ ବିଶ୍ୱରୂପର ଦର୍ଶନ ଲାଭ କରୁଥିଲା । କିନ୍ତୁ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣର ପଡ଼ୋଶୀମାନଙ୍କର ସୁମହାନ ସାଂସ୍କୃତିକ ଦାନ ସଂପର୍କରେ ଆମକୁ ଯଥେଷ୍ଟ ଆଲୋକ ଦେବା ଦ୍ୱାରା ଦୃଷ୍ଟିକୋଣର ଅନୁପାତ ରକ୍ଷା କରିବା ଦିଗରେ ରବୀନ୍ଦ୍ରନାଥ ଆମକୁ ସାହାଯ୍ୟ କରିଥିଲେ ।

 

ବର୍ତ୍ତମାନର ଇତିହାସ ରବୀନ୍ଦ୍ରନାଥଙ୍କ ଚିନ୍ତାଧାରାର ଯୌକ୍ତିକତା ଯଥେଷ୍ଟ ପରିମାଣରେ ପ୍ରତିପାଦନ କରିଅଛି । ଅର୍ଥନୀତିକ ତଥା ରାଜନୀତିକ ପନ୍ଥାର ବ୍ୟବଧାନ ଦୂରହୋଇ ବିଜ୍ଞାନ ଓ ଯନ୍ତ୍ରବିଦ୍ୟା ସାହାଯ୍ୟରେ ସେମାନଙ୍କର ନିବିଡ଼ ସମ୍ପର୍କ ଆଜି ସ୍ଥାପିତ ହୋଇଅଛି । ଧର୍ମ ଓ ଆଦର୍ଶ ନେଇ ଯେଉଁ ସମସ୍ତ ଦଳ ମଧ୍ୟରେ ଦିନେ ଭୌଗଳିକ ବ୍ୟବଧାନ ସୃଷ୍ଟି ହୋଇଥିଲା, ଆଜି ସେମାନେ ଯଦି ଅତି ନିକଟରେ ଏକତ୍ରିତ ହୋଇ ବସବାସ କରନ୍ତି ତେବେ ପୃଥବୀରେ ଧ୍ୱଂସଲୀଳାର ଅବସାନ ପାଇଁ ସେମାନଙ୍କ ମଧ୍ୟରେ ସହଯୋଗିତାର ଭାବ ସୃଷ୍ଟିହେବା ଆବଶ୍ୟକ । ଏହି ସକଳ ବୈଷମ୍ୟ ଯଦି ସଂଘର୍ଷରେ ପରିଣତ ହୁଏ ତେବେ ପରିଣତି ସମସ୍ତଙ୍କ ପାଇଁ ଭୟାବହ ହେବା ସୁନିଶ୍ଚିତ । ରବୀନ୍ଦ୍ରନାଥ ଉପଦେଶ ଦେଇଥିଲେ ଯେ ଏହି ସକଳ ବୈଷମ୍ୟ ଅବଦମିତ ନ ହୋଇ ଏକ ବୃହତ୍ତର ପରିଧି ମଧ୍ୟରେ ସଂସ୍ଥାପିତ ହେବା ଦରକାର । ବିଭିନ୍ନ ଜାତି ବା ଆଦଶ ମଧ୍ୟରେ ପ୍ରତିଯୋଗିତା ପରିବର୍ତ୍ତେ ସହଯୋଗିତା ପାଇଁ ସେ ତେଣୁ ନିର୍ଦ୍ଦେଶ ଦେଇଥିଲେ, କାରଣ ତାଙ୍କ ମତରେ ସ୍ୱାବଲମ୍ବନ ଅପେକ୍ଷା ପରସ୍ପର ପ୍ରତି ନିର୍ଭରଶୀଳତାହିଁ ଆଧୁନିକ ଯୁଗର ସମସ୍ୟା ସମାଧାନ ପାଇଁ କେବଳ ସମର୍ଥ ।

 

ରବୀନ୍ଦ୍ରନାଥଙ୍କର ଶିକ୍ଷା, ସାମାଜିକ, ଅର୍ଥନୀତିକ ଓ ରାଜନୀତିକ ଧାରଣାସମୂହ ତାଙ୍କର ଗଭୀର ଧର୍ମବିଶ୍ୱାସ ଦ୍ଵାରା ଅନୁରଞ୍ଜିତ । ତାଙ୍କ ପିତା ଉପନିଷଦ୍‌ ଓ ରହସ୍ୟବାଦୀ ସୁଫି ଦାର୍ଶନିକମାନଙ୍କର ଜଣେ ନୈଷ୍ଠିକ ଶିଷ୍ୟ ଥିଲେ ଏବଂ ଜୀବନର ଐକ୍ୟବୋଧର ଅନୁଭୂତି ଅତି ସହଜଭାବେ ରବୀନ୍ଦ୍ରନାଥ ତାଙ୍କଠାରୁ ହିଁ ଲାଭ କରିଥିଲେ । ପ୍ରକୃତ ଓ ମନୁଷ୍ୟର ସୌହାର୍ଦ୍ଦ ବନ୍ଧନର ଗଭୀର ଅଭିଜ୍ଞତା ସହସା ଜୀବନର ବିଂଶତି ବର୍ଷ ବୟଃକ୍ରମ ମଧ୍ୟରେ ଦିନେ କିପରି ଅର୍ଜ୍ଜନ କରିଥିଲେ-ତାହା ସେ ଲିପିବଦ୍ଧ କରି ଯାଇଛନ୍ତି । ଏହା ଫଳରେ ତାଙ୍କ ଜୀବନର ଗୋଟିଏ ଅନ୍ୟତମ ଶ୍ରେଷ୍ଠ ଗୀତିକବିତା ଆମେ ଲାଭ କରବୁଁ ସତ ତା’ଠୁଁ ଅଧିକ ମୂଲ୍ୟବାନ ହେଉଛି ଯେ ଯୌବନର ପ୍ରାକ୍‌କାଳରେ ରବୀନ୍ଦ୍ରନାଥ ଏହି ଅଭିଜ୍ଞତାରୁ ଆଜୀବନ ପରିଚାଳିତ ହେବା ଭଳି ନୀତି-ନିର୍ଦ୍ଦେଶ ଲାଭ କରିଥିଲେ ।

 

ରବୀନ୍ଦ୍ରନାଥଙ୍କ ଦୃଷ୍ଟିକୋଣ ବାସ୍ତବତା ଉପରେ ପ୍ରତିଷ୍ଠିତ ହେଲେହେଁ ତାର ଚରମ ଲକ୍ଷ୍ୟ ଥିଲା ସତ୍ୟ, ଶିବ, ଓ ସୁନ୍ଦରର ଆଦର୍ଶ । ସମସ୍ତ ସତ୍ତା ମଧ୍ୟରେ ଯେ ଐକ୍ୟନୀତି ନିହିତ, ଏହି ଚେତନାରୁ ହିଁ ତାଙ୍କ ଶିକ୍ଷା ପ୍ରଣାଳୀରେ ପ୍ରକୃତି ଓ ମନୁଷ୍ୟର ସାମଞ୍ଜସ୍ୟ ବିଧାନ ଉପରେ ପ୍ରାଧାନ୍ୟ ଦେବାର ଚିନ୍ତା ଗୃହୀତ । ସମସ୍ତ ବ୍ୟକ୍ତି ପରିଣତିରେ ପରମ ସତ୍ତା ସହିତ ଯେ ଏକ ଓ ଅଭିନ୍ନ, ଏହି ବିଶ୍ୱାସ ରବୀନ୍ଦ୍ରନାଥଙ୍କର ଥିଲା । ଏହି ବିଶ୍ୱାସ ସକାଶେ ଅର୍ଥନୀତି ଓ ରାଜନୀତି କ୍ଷେତ୍ରରେ ତେଣୁ ସେ ବ୍ୟକ୍ତିବିଶେଷ ପ୍ରତି ସମ୍ମାନ ପ୍ରଦର୍ଶନ କରୁଥିଲେ । ବିଭିନ୍ନ ମତବାଦ ପ୍ରତି ତାଙ୍କର ସମ୍ମାନ ଥିଲା ଓ ସମସ୍ତେ ପରମେଶ୍ୱରଙ୍କର ସନ୍ତାନ ବୋଲି ସେ ବିଶ୍ୱାସ କରୁଥିଲେ । ଏଥିପାଇଁ ରାଜନୀତି କ୍ଷେତ୍ରରେ ଜାତି ଜାତି ମଧ୍ୟରେ ସହଯୋଗିତାର ଭାବ ଯେପରି ପ୍ରତିଷ୍ଠିତ ହୁଏ, ସେଥିପାଇଁ ସେ ପ୍ରାଧାନ୍ୟ ଦେଇଥିଲେ । ଶ୍ରେଣୀଗତ ସ୍ୱାର୍ଥବୃଦ୍ଧି ଉପରେ ଅହେତୁକ ପ୍ରାଧାନ୍ୟ ଦେବା ହିଁ ସକଳ ଦ୍ୱନ୍ଦ-ସଂଘର୍ଷର ମୂଳ କାରଣ ବୋଲି ତାଙ୍କର ବିଶ୍ୱାସ । ‘ଚତଃକିମ୍’ ଶୀର୍ଷକ ପ୍ରବନ୍ଧରେ ସେ ତେଣୁ ପ୍ରକାଶ କରିଛନ୍ତି ଯେ ବିଶ୍ୱର ଐକ୍ୟଭାବର ଚେତନା ଦ୍ୱାରା ଆମେ ସମସ୍ତେ ଯେତେବେଳେ ଉଦ୍‌ବୁଦ୍ଧ ହେଉଁ ସେତେବେଳେ ସମସ୍ତ ଶ୍ରେଣୀଗତ ଅଧିକାରର ପ୍ରଶ୍ନ ସ୍ୱତଃ ମୀମାଂସିତ ହୋଇଥାଏ-। ତାଙ୍କ ମତରେ ଧର୍ମ ହିଁ ଜୀବନର ଚରମ ସିଦ୍ଧି, କାରଣ ସକଳ ପ୍ରାଣୀ ମଧ୍ୟରେ, ସ୍ନେହ ଓ ଏକତାଭାବ ପ୍ରତିଷ୍ଠା ହେଉଛି ଏହାର ପରମ ଲକ୍ଷ୍ୟ ।

 

ଜୀବନର ଏହି ଗଭୀର ଐକ୍ୟବୋଧ ହେତୁ ରବୀନ୍ଦ୍ରନାଥଙ୍କ ଧର୍ମା-ଦର୍ଶ ଶ୍ରେଣୀଗତ ନ ହୋଇ ସାର୍ବଜନୀନ ହେବା ସ୍ଵାଭାବିକ । କୌଣସି ମାନସିକଭାବ ଗୁପ୍ତ ନ ରଖି ଜୀବନକୁ ପୂର୍ଣ୍ଣ ରୂପରେ ହିଁ ସେ ଗ୍ରହଣ କରିଥିଲେ ଏବଂ ମାନବ ପ୍ରକୃତିର କୌଣସି ଅପରିହାର୍ଯ୍ୟ ଉପାଦାନକୁ ପ୍ରତ୍ୟାଖ୍ୟାନ କରିବାକୁ ସେ ପ୍ରସ୍ତୁତ ନ ଥିଲେ । ବୈରାଗ୍ୟ ସାଧନରେ ଯେ ତାଙ୍କର ବିଶ୍ୱାସ ନ ଥିଲା, ଏକଥା ବାରମ୍ବାର ସେ ଉଲ୍ଲେଖ କରିଯାଇଛନ୍ତି । ତାଙ୍କ ମତରେ ସମଗ୍ର ମାନବଜାତି ପ୍ରତି ବହୁମୁଖୀ ଦାୟିତ୍ୱ ସମ୍ପନ୍ନ କରିବାରେ ହିଁ ବ୍ୟକ୍ତିବିଶେଷର ମୁକ୍ତି ନିହିତ । ଆମର ଆବେଗ ଓ ସୌନ୍ଦର୍ଯ୍ୟସ୍ପୃହାକୁ ଆମେ ଯଦି ଦମନ କରିବାକୁ ଚେଷ୍ଟା କରୁଁ ତେବେ ପ୍ରାଣରେ ଭୀଷଣ ପ୍ରତିକ୍ରିୟା ସୃଷ୍ଟି ହେବା ସ୍ଵାଭାବିକ ଏବଂ ଫଳରେ ଆମ ସତ୍ତାର ମୂଳଭିତ୍ତି ମଧ୍ୟ ବିଚଳିତ ହୋଇ ପାରେ । ଜୀବନର ଆନନ୍ଦ-ବେଦନାକୁ ଗ୍ରହଣ କରି ପ୍ରାତ୍ୟହିକ ଜୀବନର କର୍ତ୍ତବ୍ୟ ସମ୍ପାଦନରେ ହିଁ ଆମେ ପୂର୍ଣ୍ଣତାର ସନ୍ଧାନୀ ହେବା ଆବଶ୍ୟକ । ଆମ ମାନସିକ ଶକ୍ତିର ସୁଷମ ବିକାଶ ଦ୍ୱାରା ବ୍ୟକ୍ତିତ୍ୱର ପୂର୍ଣ୍ଣତା ସାଧନ ହୋଇଥାଏ । ଯେତେବେଳେ ଅଧିକାଂଶ ସଭ୍ୟ-ମନୁଷ୍ୟ ବ୍ୟକ୍ତିଗତ ଜୀବନରେ ଏହି ଐକ୍ୟର ଅଧିକାରୀ ହେବେ, ସେତେବେଳେ ପ୍ରକୃତ ଅର୍ଥରେ ସମାଜ ପ୍ରଗତିଶୀଳ ବୋଲି ବିବେଚିତ ହେବ ।

 

ବ୍ୟକ୍ତିତ୍ୱର ବିକାଶ ଉପରେ ପ୍ରାଧାନ୍ୟ ଦେଉଥିବା ହେତୁ ଧର୍ମାଚାରର ଶାସ୍ତ୍ରୀୟ ବିଧି ଅପେକ୍ଷା ଧର୍ମର ଅନ୍ତଃରୂପ ଉପରେ ଅଧିକ ଗୁରୁତ୍ୱ ଦେବା ରବୀନ୍ଦ୍ରନାଥଙ୍କ ପକ୍ଷେ ସ୍ଵାଭାବିକ । ସେ ବାରମ୍ବାର କହିଛନ୍ତି ଯେ ଧର୍ମଜୀବନରେ ଅନୁଷ୍ଠାନ ପଦ୍ଧତିର ସ୍ଥାନ ଥିଲେ ମଧ୍ୟ ବିଶ୍ୱାସର ଆନ୍ତରିକତା ଓ ନିଷ୍ଠା ଉପରେ ତାର ମହତ୍ତ୍ୱ ନିର୍ଭର କରେ । କୌଣସି ବିଧାନର ମର୍ମଭାବକୁ ଅନୁସରଣ ନ କରି ଲୋକେ ଯେତେବେଳେ ତାର ବାହ୍ୟିକ ଆଚରଣକୁ ଗ୍ରହଣ କରନ୍ତି ସେତେବେଳେ ସେମାନେ ନିଜର ଆତ୍ମାକୁ କିପରି ହରାଇବସନ୍ତି ‘କର୍ତ୍ତାର ଇଚ୍ଛାରେ କର୍ମ’ ଶୀର୍ଷକ ପ୍ରବନ୍ଧରେ ତାର ଚମତ୍କାର ବିଶ୍ଳେଷଣ ରବୀନ୍ଦ୍ରନାଥ କରିଛନ୍ତି । ପ୍ରଥା ଓ ପରଂପରା, ଅର୍ଥନୀତିକ, ସାମାଜିକ ଓ ରାଜନୀତିକ କ୍ଷେତ୍ରରେ ମଧ୍ୟ ଏହି ନୀତି ପ୍ରଯୋଜ୍ୟ । ଧର୍ମକ୍ଷେତ୍ରରେ ଏହାର ଯାଥାର୍ଥ୍ୟ ଅଧିକ ପରିମାଣରେ ସତ୍ୟ । ପୃଥିବୀରେ କୌଣସି ପଦାର୍ଥ ସ୍ଥାଣୁ ନୁହେ, ତେଣୁ ଧର୍ମର ଅନୁଷ୍ଠାନ ପଦ୍ଧତି ମଧ୍ୟ ପରିବର୍ତ୍ତିତ ହେବାକୁ ବାଧ୍ୟ । ଅଧ୍ୟାତ୍ମ ଅଭିଜ୍ଞତା ପ୍ରଥମେ ଅତି ସହଜଭାବେ ଜନ୍ମଲାଭ କରିଥାଏ, ତାହାକୁ ବିଭିନ୍ନ ବାହ୍ୟରୂପ ଓ ଶାସ୍ତ୍ରୀୟ ଅନୁଷ୍ଠାନ - ପଦ୍ଧତି ମଧ୍ୟରେ ସୀମିତ କରିବାର ଉଦ୍ୟମ ପରେ ଧର୍ମନ୍ଧତା ଦ୍ୱାରା ହୋଇଥାଏ । ଯେତେବେଳେ ମୌଳିକ ପ୍ରେରଣା ଦୁର୍ବଳ ହୋଇଯାଏ, ସେତେବେଳେ ଏହି ବହିଃରୂପ ହିଁ ତାର ସ୍ଥାନ ଅଧିକାର କରି ବସେ । ଏଥିରୁ ଏହା ସ୍ପଷ୍ଟ ଯେ ନୂତନ ଯୁଗର ଆବଶ୍ୟକତା ଅନୁଯାୟୀ ପ୍ରାଚୀନ ରୂପ ପରିହାର ପୂର୍ବକ ନବକଳେବର ଧାରଣ ସକାଶେ ଧର୍ମଭାବ ମଧ୍ୟ ଅପେକ୍ଷା ରଖେ । ରବୀନ୍ଦ୍ରନାଥଙ୍କ ମତରେ ଧର୍ମର ବାସ୍ତବ ମୌଳିକ ଅଭିଜ୍ଞତା ଅପେକ୍ଷା ଶାସ୍ତ୍ରୀୟ ଅନୁଷ୍ଠାନ ପଦ୍ଧତି ଉଚ୍ଚାସନ ଲାଭ କରିବା ଅନୁଚିତ । କାରଣ ଏହି ଆଧ୍ୟାତ୍ମିକ ଅଭିଜ୍ଞତା ମନୁଷ୍ୟ ଜାତି ନିକଟରେ ଚିରକାଳ ପାଇଁ ଅପୂର୍ବ ଓ ଅପରିବର୍ତ୍ତନୀୟ ।

 

ରବୀନ୍ଦ୍ରନାଥ ତାଙ୍କ ‘ଧର୍ମକୁ ସମୟ ସମୟରେ ‘ମନୁଷ୍ୟର ଧର୍ମ ନାମରେ ଅଭିହିତ କରିଛନ୍ତି । ଏହା ଦ୍ୱାରା ସେ ବୋଧହୁଏ ବୁଝାଇବାକୁ ଚେଷ୍ଟା କରିଛନ୍ତି ଯେ ବ୍ୟକ୍ତି ହେଉଛି ବିଶ୍ୱଚେତନାର ଏକକ ପ୍ରତିନିଧି । ତାଙ୍କ ମତରେ ପରମାତ୍ମା ମନୁଷ୍ୟ ମଧ୍ୟରେ ହିଁ ମୂର୍ତ୍ତିମନ୍ତ । କାରଣ ବିଶ୍ୱରେ ମନୁଷ୍ୟର କର୍ମ ମାଧ୍ୟମରେ ନିଜରୂପ ଉପଲବ୍ଧି କରିବାକୁ ସେ ସମର୍ଥ । ବିଶ୍ୱର ବିବର୍ତ୍ତନ ଏକ ସମ୍ମିଳିତ ପ୍ରକ୍ରିୟା । ଏଥିରେ ମନୁଷ୍ୟ କେବଳ ଗ୍ରହୀତା ନୁହେଁ, ଦାତାର ସ୍ଥାନ ମଧ୍ୟ ଗ୍ରହଣ କରିଥାଏ । ପୁଣି ସମୟେ ସମୟେ ରବୀନ୍ଦ୍ରନାଥ ଉଲ୍ଲେଖ କରିଛି ଯେ ଆମର ବ୍ୟକ୍ତିତ୍ୱ ଦେଇଥିଲେ । ଶ୍ରେଣୀଗତ ସ୍ୱାର୍ଥବୃଦ୍ଧି ଉପରେ ଅହେତୁକ ପ୍ରାଧାନ୍ୟ ଦେବା ହିଁ ସକଳ ଦ୍ୱନ୍ଦ୍ୱ-ସଂଘର୍ଷର ମୂଳ କାରଣ ବୋଲି ତାଙ୍କର ବିଶ୍ୱାସ । ‘ତତଃକିମ୍’ ଶୀର୍ଷକ ପ୍ରବନ୍ଧରେ ସେ ତେଣୁ ପ୍ରକାଶ କରିଛନ୍ତି ଯେ ବିଶ୍ୱର ଐକ୍ୟଭାବର ଚେତନା ଦ୍ୱାରା ଆମେ ସମସ୍ତେ ଯେତେବେଳେ ଉଦ୍‌ବୁଦ୍ଧ ହେଉଁ ସେତେବେଳେ ସମସ୍ତ ଶ୍ରେଣୀଗତ ଅଧିକାରର ପ୍ରଶ୍ନ ସ୍ୱତଃ ମୀମାଂସିତ ହୋଇଥାଏ । ତାଙ୍କ ମତରେ ଧର୍ମ ହିଁ ଜୀବନର ଚରମ ସିଦ୍ଧି, କାରଣ ସକଳ ପ୍ରାଣୀ ମଧ୍ୟରେ, ସ୍ନେହ ଓ ଏକତାଭାବ ପ୍ରତିଷ୍ଠା ହେଉଛି ଏହାର ପରମ ଲକ୍ଷ୍ୟ ।

 

ଜୀବନର ଏହି ଗଭୀର ଐକ୍ୟବୋଧ ହେତୁ ରବୀନ୍ଦ୍ରନାଥଙ୍କ ଧର୍ମା-ଦର୍ଶ ଶ୍ରେଣୀଗତ ନ ହୋଇ ସାର୍ବଜନୀନ ହେବା ସ୍ୱାଭାବିକ । କୌଣସି ମାନସିକଭାବ ଗୁପ୍ତ ନ ରଖି ଜୀବନକୁ ପୂର୍ଣ୍ଣ ରୂପରେ ହିଁ ସେ ଗ୍ରହଣ କରିଥିଲେ ଏବଂ ମାନବ ପ୍ରକୃତିର କୌଣସି ଅପରିହାର୍ଯ୍ୟ ଉପାଦାନକୁ ପ୍ରତ୍ୟାଖ୍ୟାନ କରିବାକୁ ସେ ପ୍ରସ୍ତୁତ ନ ଥିଲେ । ବୈରାଗ୍ୟ ସାଧନରେ ଯେ ତାଙ୍କର ବିଶ୍ୱାସ ନ ଥିଲା, ଏକଥା ବାରମ୍ବାର ସେ ଉଲ୍ଳେଖ କରିଯାଇଛନ୍ତି । ତାଙ୍କ ମତରେ ସମଗ୍ର ମାନବଜାତି ପ୍ରତି ବହୁମୁଖୀ ଦାୟିତ୍ୱ ସମ୍ପନ୍ନ କରିବାରେ ହିଁ ବ୍ୟକ୍ତିବିଶେଷର ମୁକ୍ତି ନିହିତ । ଆମର ଆବେଗ ଓ ସୌନ୍ଦର୍ଯ୍ୟସ୍ପୃହାକୁ ଆମେ ଯଦି ଦମନ କରିବାକୁ ଚେଷ୍ଟା କରୁଁ ତେବେ ପ୍ରାଣରେ ଭୀଷଣ ପ୍ରତିକ୍ରିୟା ସୃଷ୍ଟି ହେବା ସ୍ଵାଭାବିକ ଏବଂ ଫଳରେ ଆମ ସତ୍ତାର ମୂଳଭିତ୍ତି ମଧ୍ୟ ବିଚଳିତ ହୋଇ ପାରେ । ଜୀବନର ଆନନ୍ଦ-ବେଦନାକୁ ଗ୍ରହଣ କରି ପ୍ରାତ୍ୟହିକ ଜୀବନର କର୍ତ୍ତବ୍ୟ ସମ୍ପାଦନରେ ହିଁ ଆମେ ପୂର୍ଣ୍ଣତାର ସନ୍ଧାନୀ ହେବା ଆବଶ୍ୟକ । ଆମ ମାନସିକ ଶକ୍ତିର ସୁଷମ ବିକାଶ ଦ୍ୱାରା ବ୍ୟକ୍ତିତ୍ୱର ପୂର୍ଣ୍ଣତା ସାଧନ ହୋଇଥାଏ । ଯେତେବେଳେ ଅଧିକାଂଶ ସଭ୍ୟ-ମନୁଷ୍ୟ ବ୍ୟକ୍ତିଗତ ଜୀବନରେ ଏହି ଐକ୍ୟର ଅଧିକାରୀ ହେବେ, ସେତେବେଳେ ପ୍ରକୃତ ଅର୍ଥରେ ସମାଜ ପ୍ରଗତିଶୀଳ ବୋଲି ବିବେଚିତ ହେବ ।

 

ବ୍ୟକ୍ତିତ୍ୱର ବିକାଶ ଉପରେ ପ୍ରାଧାନ୍ୟ ଦେଉଥିବା ହେତୁ ଧର୍ମାଚାରର ଶାସ୍ତ୍ରୀୟ ବିଧି ଅପେକ୍ଷା ଧର୍ମର ଅନ୍ତଃରୂପ ଉପରେ ଅଧିକ ଗୁରୁତ୍ୱ ଦେବା ରବୀନ୍ଦ୍ରନାଥଙ୍କ ପକ୍ଷେ ସ୍ଵାଭାବିକ । ସେ ବାରମ୍ବାର କହିଛନ୍ତି ଯେ ଧର୍ମଜୀବନରେ ଅନୁଷ୍ଠାନ ପଦ୍ଧତିର ସ୍ଥାନ ଥିଲେ ମଧ୍ୟ ବିଶ୍ୱାସର ଆନ୍ତରିକତା ଓ ନିଷ୍ଠା ଉପରେ ତାର ମହତ୍ତ୍ୱ ନିର୍ଭର କରେ । କୌଣସି ବିଧାନର ମର୍ମଭାବକୁ ଅନୁସରଣ ନ କରି ଲୋକେ ଯେତେବେଳେ ତାର ବାହ୍ୟିକ ଆଚରଣକୁ ଗ୍ରହଣ କରନ୍ତି ସେତେବେଳେ ସେମାନେ ନିଜର ଆତ୍ମାକୁ କିପରି ହରାଇବସନ୍ତି ‘କର୍ତ୍ତାର ଇଚ୍ଛାରେ କର୍ମ’ ଶୀର୍ଷକ ପ୍ରବନ୍ଧରେ ତାର ଚମତ୍କାର ବିଶ୍ଳେଷଣ ରବୀନ୍ଦ୍ରନାଥ କରିଛନ୍ତି । ପ୍ରଥା ଓ ପରଂପରା, ଅର୍ଥନୀତିକ, ସାମାଜିକ ଓ ରାଜନୀତିକ କ୍ଷେତ୍ରରେ ମଧ୍ୟ ଏହି ନୀତି ପ୍ରଯୋଜ୍ୟ । ଧର୍ମକ୍ଷେତ୍ରରେ ଏହାର ଯାଥାର୍ଥ୍ୟ ଅଧିକ ପରିମାଣରେ ସତ୍ୟ । ପୃଥବୀରେ କୌଣସି ପଦାର୍ଥ ସ୍ଥାଣୁ ନୁହେ, ତେଣୁ ଧର୍ମର ଅନୁଷ୍ଠାନ ପଦ୍ଧତି ମଧ୍ୟ ପରିବର୍ତ୍ତିତ ହେବାକୁ ବାଧ୍ୟ । ଅଧ୍ୟାତ୍ମ ଅଭିଜ୍ଞତା ପ୍ରଥମେ ଅତି ସହଜଭାବେ ଜନ୍ମଲାଭ କରିଥାଏ, ତାହାକୁ ବିଭିନ୍ନ ବାହ୍ୟରୂପ ଓ ଶାସ୍ତ୍ରୀୟ ଅନୁଷ୍ଠାନ-ପଦ୍ଧତି ମଧ୍ୟରେ ସୀମିତ କରିବାର ଉଦ୍ୟମ ପରେ ଧର୍ମନ୍ଧତା ଦ୍ୱାରା ହୋଇଥାଏ । ଯେତେବେଳେ ମୌଳିକ ପ୍ରେରଣା ଦୁର୍ବଳ ହୋଇଯାଏ, ସେତେବେଳେ ଏହି ବହିଃରୂପ ହିଁ ତାର ସ୍ଥାନ ଅଧିକାର କରି ବସେ । ଏଥିରୁ ଏହା ସ୍ପଷ୍ଟ ଯେ ନୂତନ ଯୁଗର ଆବଶ୍ୟକତା ଅନୁଯାୟୀ ପ୍ରାଚୀନ ରୂପ ପରିହାର ପୂର୍ବକ ନବକଳେବର ଧାରଣ ସକାଶେ ଧର୍ମଭାବ ମଧ୍ୟ ଅପେକ୍ଷା ରଖେ । ରବୀନ୍ଦ୍ରନାଥଙ୍କ ମତରେ ଧର୍ମର ବାସ୍ତବ ମୌଳିକ ଅଭିଜ୍ଞତା ଅପେକ୍ଷା ଶାସ୍ତ୍ରୀୟ ଅନୁଷ୍ଠାନ ପଦ୍ଧତି ଉଚ୍ଚାସନ ଲାଭ କରିବା ଅନୁଚିତ । କାରଣ ଏହି ଆଧ୍ୟାତ୍ମିକ ଅଭିଜ୍ଞତା ମନୁଷ୍ୟ ଜାତି ନିକଟରେ ଚିରକାଳ ପାଇଁ ଅପୂର୍ବ ଓ ଅପରିବର୍ତ୍ତନୀୟ ।

 

ରବୀନ୍ଦ୍ରନାଥ ତାଙ୍କ ‘ଧର୍ମକୁ ସମୟ ସମୟରେ ‘ମନୁଷ୍ୟର ଧର୍ମ’ ନାମରେ ଅଭିହିତ କରିଛନ୍ତି । ଏହା ଦ୍ୱାରା ସେ ବୋଧହୁଏ ବୁଝାଇବାକୁ ଚେଷ୍ଟା କରିଛନ୍ତି ଯେ ବ୍ୟକ୍ତି ହେଉଛି ବିଶ୍ୱଚେତନାର ଏକକ ପ୍ରତିନିଧି । ତାଙ୍କ ମତରେ ପରମାତ୍ମା ମନୁଷ୍ୟ ମଧ୍ୟରେ ହିଁ ମୂର୍ତ୍ତିମନ୍ତ । କାରଣ ବିଶ୍ୱରେ ମନୁଷ୍ୟର କର୍ମ ମାଧ୍ୟମରେ ନିଜରୂପ ଉପଲବ୍ଧି କରିବାକୁ ସେ ସମର୍ଥ । ବିଶ୍ୱର ବିବର୍ତ୍ତନ ଏକ ସମ୍ମିଳିତ ପ୍ରକ୍ରିୟା । ଏଥିରେ ମନୁଷ୍ୟ କେବଳ ଗ୍ରହୀତା ନୁହେଁ, ଦାତାର ସ୍ଥାନ ମଧ୍ୟ ଗ୍ରହଣ କରିଥାଏ । ପୁଣି ସମୟେ ସମୟେ ରବୀନ୍ଦ୍ରନାଥ ଉଲ୍ଲେଖ କରିଛନ୍ତି ଯେ ଆମର ବ୍ୟକ୍ତିତ୍ୱ ଶରୀରର ପ୍ରତ୍ୟେକ ଅଣୁକୋଷ ସହ ଯେପରି ସଂଶ୍ଳିଷ୍ଟ ସେହିପରି ଈଶ୍ୱରଙ୍କର ବାସ୍ତବ ରୂପ ପ୍ରତ୍ୟେକ ବ୍ୟକ୍ତି ମଧ୍ୟରେ ଅନ୍ତର୍ନିହିତ । ଶରୀରର ଏହି ଅଣୁକୋଷଗୁଡ଼ିକ ଯଦି ଆତ୍ମଚେତନ ହୋଇଉଠନ୍ତି ତେବେ ସ୍ୱାଧୀନ ବ୍ୟକ୍ତି ବିଶେଷ ପରି ସେମାନେ ନିଜେ ନିଜେ ବୋଧହୁଏ ଚିନ୍ତା କରନ୍ତେ । ତେଣୁ, ଚିନ୍ତା କ୍ଷେତ୍ରରେ ମନୁଷ୍ୟ ନିଜ ନିଜ ମଧ୍ୟରେ ବ୍ୟବଧାନ ସୃଷ୍ଟି କରୁଥିଲେ ମଧ୍ୟ ପରମାତ୍ମାଙ୍କର ମହାନ୍ ସତ୍ତାର ସେମାନେ ଅଂଶ ବିଶେଷ ।

 

ରବୀନାନ୍ଦ୍ରନାଥଙ୍କ ଅଧ୍ୟାତ୍ମ୍ୟ ଚିନ୍ତାରେ ଯେଉଁ ରହସ୍ୟବାଦୀ ଉପାଦାନ ପରିଲକ୍ଷିତ, ବାସ୍ତବ ଜୀବନର ପ୍ରାତ୍ୟହିକ ପ୍ରସଙ୍ଗରେ ତାର ଯଥାର୍ଥ୍ୟ ମଧ୍ୟ ସ୍ପଷ୍ଟ । ତେଣୁ ତାଙ୍କ ମତରେ ବ୍ୟକ୍ତି ବା ଜାତିର ମୁକ୍ତିମାର୍ଗ ସରଳ, ସୁଖ-ଦୁଃଖ-ସମ୍ବଳିତ ଆମର ପ୍ରାତ୍ୟହିକ ଜୀବନରେ ଏହି ଧରତ୍ରୀ ମଧ୍ୟରେ ହିଁ ନିହିତ । ଏହାର ଅନ୍ୱେଷଣ ପାଇଁ ବାସ୍ତବ ଜଗତର ବାହାରେ ଥିବା କେଉଁ ସୁଦୂର କଳ୍ପଲୋକର ସନ୍ଧାନୀ ହେବା ନିଷ୍‌ପ୍ରୟୋଜନ । ମନୁଷ୍ୟର ମୈତ୍ରୀ ସମ୍ପର୍କ ଉପରେ ରବୀନ୍ଦ୍ରନାଥ ସର୍ବଶେଷ ଗୁରୁତ୍ୱ ଦେଉଥିଲେ । କାରଣ ସାଧାରଣ ଜୀବନଯାତ୍ରା ମଧ୍ୟରେ ହିଁ ବ୍ୟକ୍ତିଗତ ମୁକ୍ତି ଓ ସାମାଜିକ ପରିପୂର୍ଣ୍ଣତାର ଅଧିକାରୀ ସେମାନେ ହୋଇ ପାରିବେ । ପ୍ରତ୍ୟେକ ବ୍ୟକ୍ତି ସମାଜ ଜୀବନର ଅଂଶବିଶେଷ ହୋଇଥିବାରୁ ସମସ୍ତଙ୍କୁ ସମାନ ଦୃଷ୍ଟିରେ ସେ ଦେଖୁଥିଲେ ଏବଂ ମନୁଷ୍ୟ ମନୁଷ୍ୟ ମଧ୍ୟରେ ଭେଦଭାବ ସୃଷ୍ଟି କରୁଥିବା ଭାରତୀୟ ସାମାଜିକ ଓ ଧର୍ମ ଜୀବନର ଆଚାର ନିହିତ ଉପାଦାନ ଗୁଡ଼ିକୁ ଦୃଢ଼ଭାବରେ ପ୍ରତ୍ୟାଖ୍ୟାନ କରୁଥିଲେ । ଅତୀତରେ ଭାରତର ମହର୍ଷିଗଣ ଆତ୍ମଜ୍ଞାନର ଅଧିକାରୀ ହେବାକୁ ସର୍ବଦା ଉପଦେଶ ଦେଉଥିଲେ । ଏହି ନିର୍ଦ୍ଦେଶ ସହିତ ରବୀନ୍ଦ୍ରନାଥ ଯୋଗକଲେ ଯେ ପ୍ରତିବେଶୀକୁ ଜାଣିବା ଏବଂ ସୁଖ ପାଇବା ମଧ୍ୟ ସମାନଭାବରେ ଆବଶ୍ୟକ । ଏହା ରବୀନ୍ଦ୍ରନାଥଙ୍କ ଉପରେ ଇସଲାମ୍ ଓ ଖ୍ରୀଷ୍ଟଧର୍ମର ଫଳ ବୋଲି ମନେହୁଏ । ଆମ ଦୈନନ୍ଦିନ ଜୀବନର ଚିନ୍ତା ଓ କର୍ମ ମଧ୍ୟରେ ଅଭିବ୍ୟକ୍ତ ଲାଭ କରୁଥିବା ସମତା, ଆତ୍ମପ୍ରକାଶ ଓ ପ୍ରତିବେଶୀ ପ୍ରୀତି ହିଁ ତାଙ୍କ ନିକଟରେ ଧର୍ମରୂପେ ବିବେଚିତ ।

 

ତେଣୁ ରବୀନ୍ଦ୍ରନାଥଙ୍କ ‘ଧର୍ମ’ ତାଙ୍କ ପ୍ରାଣସତ୍ତାର ଏକ ଅପରିହାର୍ଯ୍ୟ ଅଂଶବିଶେଷ ଏବଂ ତାଙ୍କ ଜୀବନର ପ୍ରତ୍ୟେକ ବିଭାବ ‘ଧର୍ମ’ ଦ୍ୱାରା ପ୍ରଭାବିତ । ତାଙ୍କର ରାଜନୀତିକ ଦୃଷ୍ଟିଭଙ୍ଗୀ ଓ ବିଶ୍ୱାସ ଏହି ଧର୍ମବିଶ୍ୱାସ ଦ୍ୱାରା କିପରି ଅନୁରଞ୍ଜିତ ହୋଇଥିଲା, କୌଣସି କଂଗ୍ରେସ ଅଧିବେଶନ ପାଇଁ ଦିନେ ଲିଖିତ ହୋଇଥିବା ଆଜିର ଜାତୀୟ ସଙ୍ଗୀତଟି ତାହାର ଏକ ଉଜ୍ଜଳ ଦୃଷ୍ଟାନ୍ତ । ସଙ୍ଗୀତଟିରେ ଭାରତର ପ୍ରାକୃତିକ ଦୃଶ୍ୟ ଓ ଭୌଗୋଳିକ ପରିବେଶର ବହୁଳ ଉଲ୍ଲେଖ ଥିଲେ ମଧ୍ୟ ସମଗ୍ର ମାନବ ଜାତି ପ୍ରତି ଉଦ୍ଦିଷ୍ଟ ଏକ ଗଭୀର ମମତାବୋଧର ସ୍ପର୍ଶ ତାର ଲୌକିକ ରୂପକୁ ରସାଣିତ କରି ଜାତୀୟ ସଙ୍ଗୀତ ଅପେକ୍ଷା ତାକୁ ଗୋଟିଏ ଧର୍ମମନ୍ତ୍ରର ମର୍ଯ୍ୟାଦା ଅଧିକ ପ୍ରଦାନ କରିଛି । ଗୀତର ଆରମ୍ଭରେ ସମଗ୍ର ବିଶ୍ୱର ଜନ-ଗଣ-ମନ ଦେବତାର ବନ୍ଦନା ଏବଂ ଇତିହାସର ପତନ-ଅଭ୍ୟୁଦୟପୂର୍ଣ୍ଣ ପଥରେ ମାନବଜାତିକୁ ଯୁଗେ ଯୁଗେ ପରିଚାଳିତ କରୁଥିବା ଚିରନ୍ତନ ସାରଥିର ସ୍ତୁତିଗାନ ହିଁ ଏଥିରେ ନିହିତ । କେବଳ ଭାରତର ନୁହେ, ପୂର୍ବ-ପଶ୍ଚିମ ଓ ଉତ୍ତର-ଦକ୍ଷିଣର ସକଳ ଦେଶର ଶୁଭକାମନା । ସେ ଏଥିରେ କରିଛନ୍ତି ଏବଂ ଏହି ଗୀତଟି ପ୍ରକୃତରେ କେବଳ ଭାରତ ପାଇଁ ନୁହେ, ସମଗ୍ର ମାନବଜାତି ପାଇଁ ଉଦ୍ଦିଷ୍ଟ । ଭାରତର ଏହି ଜାତୀୟ ସଙ୍ଗୀତ ମଧ୍ୟରେ ରବୀନ୍ଦ୍ରନାଥଙ୍କ ଆଦର୍ଶବାଦର ପରିକଳ୍ପନା ନିହିତ । ଏହି ଆଦର୍ଶ ଜଗତରେ ମନୁଷ୍ୟ ମନୁଷ୍ୟ ମଧ୍ୟରେ ସୌହାର୍ଦ୍ୟ ଓ ସହଯୋଗିତା ଏବଂ ପରସ୍ପର ପ୍ରତି ଶ୍ରଦ୍ଧା ଓ ସମ୍ମାନ ଭାବପୋଷଣର କଳ୍ପନା ସେ କରିଛନ୍ତି । ଏପରି ଏକ ପୃଥିବୀର ଚିତ୍ର ସେ ଏଥିରେ ଦେଇଛନ୍ତି ଯାହାକି ଆମର ଉଦ୍ୟମ ଓ ସହଯୋଗିତା ଦ୍ଵାରା ନବରୂପ ଲାଭ କରିବା ସଙ୍ଗେ ପ୍ରତ୍ୟେକ ବ୍ୟକ୍ତିକୁ ସଭ୍ୟ ଜଗତର ଏକ ସଭ୍ୟମାନବର ସକଳ ସମ୍ମାନ ଓ ଅଧିକାର ପ୍ରଦାନ କରିବ । ଗୋଟିଏ କଥାରେ କହିଲେ, ବିଶ୍ୱମାନବର ପଥରେ ମନୁଷ୍ୟର ଜୟଯାତ୍ରାରେ ରବୀନ୍ଦ୍ରନାଥଙ୍କର ଯେଉଁ ବିଶ୍ୱାସ, ଏହି ସଙ୍ଗୀତଟି ହେଉଛି ତାର ମୂର୍ତ୍ତିମନ୍ତ ଅଭିବ୍ୟକ୍ତି ।

 

ଶେଷରେ କେହି ହୁଏତ ପ୍ରଶ୍ନ କରିପାରେ ଯେ ଆଧୁନିକ ବିଶ୍ୱ ପାଇଁ ରବୀନ୍ଦ୍ରନାଥଙ୍କ ଚିନ୍ତାଧାରା କେଉଁ ଦୃଷ୍ଟିରୁ ତାତ୍ପର୍ଯ୍ୟପୂର୍ଣ୍ଣ ? ମୌଳିକଭାବେ ସେ ହୁଏତ ଜଣେ ରାଜନୀତିଜ୍ଞ, ସମାଜସଂସ୍କାରକ ଓ ଶିକ୍ଷାବତ ଥିଲେ । କିନ୍ତୁ ପ୍ରତ୍ୟେକ କ୍ଷେତ୍ରରେ ତାଙ୍କର ଯେ ଦାନ ରହିଛି, ତାହା ଏହି ଗ୍ରନ୍ଥର ପ୍ରବନ୍ଧାବଳୀରୁ ହିଁ ସ୍ପଷ୍ଟ ହେବ । ମୁଖ୍ୟତଃ ସେ ଥିଲେ ଜଣେ କବି ଓ ଲେଖକ । କଳାକାରମାନଙ୍କ ପରି ତାଙ୍କୁ ବାର୍ତ୍ତା ନିଜ ଜାତି ବା ଯୁଗ ପ୍ରତି ଉଦ୍ଦିଷ୍ଟ ନ ହୋଇ ସକଳ ଜାତି ଓ ଯୁଗ ପାଇଁ ଅଭିପ୍ରେତ । ସର୍ବୋପରି ଏହି ସମସ୍ତ କାରଣରୁ ନିଜ ଦେଶର ତଥା ସମଗ୍ର ବିଶ୍ୱର ସେ ଜଣ ମହାମାନବ ଏବଂ ବିଶ୍ୱ-ଜୀବନର ପ୍ରତିଷ୍ଠା ପାଇଁ ତାଙ୍କର ଅକ୍ଲାନ୍ତ ଉଦ୍ୟମ ହିଁ ଆଧୁନିକ ଯୁଗର ବିଭିନ୍ନ ଜଟିଳ ସମସ୍ୟାର ସମାଧାନ ସକାଶେ ଦିଗ୍‌ର୍ଶକରୂପେ ବିଦ୍ୟମାନ ।

 

‘ଗୀତାଞ୍ଜଳି’ର ସରଳତା ଓ ଆନ୍ତରିକତା ଦ୍ୱାରା ଝଞ୍ଜାର ସ୍ପର୍ଶ ଅନୁଭବ କଲା ପରି ଦିନେ ୟୁରୋପୀୟ ମନ ସ୍ପନ୍ଦିତ ହୋଇ ଉଠିଥିଲା । ସେ ଅନୁଭବ କରିଥିଲା ଯେ ଧ୍ୱଂସ ଓ ମୃତ୍ୟୁର ଆତଙ୍କ ପ୍ରଦର୍ଶନ କରୁଥିବା ଦ୍ୱନ୍ଦ ଓ ସଂଘର୍ଷ ମଧ୍ୟରେ ଏକ ମାନବକଣ୍ଠର ନିର୍ମଳ ସ୍ୱର ଏଥିରେ ଝଙ୍କୃତ । ସମରକ୍ଳାନ୍ତ ମାନବହୃଦୟର ପ୍ରାଣତନ୍ତ୍ରୀକୁ ରବୀନ୍ଦ୍ରନାଥଙ୍କ ବାର୍ତ୍ତା ସହସା ସ୍ପର୍ଶ କରିଥିଲା । ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଓ ଠିକ୍ ଯୁଦ୍ଧ ପରେ ପରେ ପାଶ୍ଚାତ୍ୟ ଜଗତରେ ସେ ଜଣେ ଋଷି ଓ ମନ୍ତ୍ରଦୁଷ୍ଟାରୂପେ ଅଭିନନ୍ଦିତ ହୋଇଥିଲେ । ଦଶ ବର୍ଷ ଧରି ପାଶ୍ଚାତ୍ୟ ଜଗତରେ ରବୀନ୍ଦ୍ରନାଥଙ୍କର ଏହି ସ୍ତୁତିବାଦ, ଯାହାକି ଅତରଂଜନର ସୀମା ପ୍ରାୟ ସ୍ପର୍ଶ କରିଥିଲା କହିଲେ ଚଳେ, ଦଶ ବର୍ଷ ପରେ ସେଥିରେ କ୍ରମେ ଭଟ୍ଟା ଦେଖାଯାଇଥିଲା । କେତେକ ମତ ବ୍ୟକ୍ତ କଲେ ଯେ ତାଙ୍କର କାବ୍ୟଚେତନା ଅତି ସୂକ୍ଷ୍ମ ଓ ଅଶରୀରୀ ହୋଇଥିବାରୁ ରକ୍ତମାଂସଧାରୀ ନରନାରୀଙ୍କର ପିପାସା ! ଚରିତାର୍ଥ କରିବାକୁ ତାହା ଅସମର୍ଥ । ଅନ୍ୟ କେତେକ ଲକ୍ଷ୍ୟ କଲେ ଯେ ତାଙ୍କ କବିତାବଳୀରେ କେବଳ ଭାବୋଚ୍ଛ୍ୱାସର ଏକ ସ୍ରୋତ ପ୍ରବାହମାନ । ପ୍ରଥମେ ତାହା ପ୍ରାଣକୁ ଯେତେ ଆକୃଷ୍ଟ କଲେ ମଧ୍ୟ ଖୁବ୍ ଶୀଘ୍ର ଆମର ରୁଚି ତାକୁ ସ୍ୱାଦହୀନ ବୋଲି ମନେକରେ । ତାଙ୍କର ବକ୍ତୃତା ଓ ପ୍ରବନ୍ଧଗୁଡ଼ିକ ସମ୍ପର୍କରେ କୁହାଗଲା ଯେ ସେଗୁଡ଼ିକ ଅଯଥା ଦୀର୍ଘ ଉପଦେଶଧର୍ମୀ ଓ ନିର୍ଜୀବ । ସ୍ଥଳବିଶେଷରେ ଗୋଟିଏ ଗୋଟିଏ କାବ୍ୟିକ ଚିତ୍ରକଳ୍ପ ବା ଶ୍ରୁତିମଧୁର ଗୋଟିଏ ଗୋଟିଏ ପଦବିନ୍ୟାସ ପାଠକ ସେଥିରେ ଲକ୍ଷ୍ୟ କଲେ ହେଁ ବହୁ ସମୟରେ ସେଗୁଡ଼ିକ ନୀରସ ଓ ପୁନାରାବୃତ୍ତିରେ ପରିପୂର୍ଣ୍ଣ । ରବୀନ୍ଦ୍ରନାଥଙ୍କର ଏହି ନିନ୍ଦୁକଦଳ ପୁଣି ମତ ଦେଲେ ଯେ ତାଙ୍କ କବିତାଗୁଡ଼ିକରେ ଗଭୀରତା ଓ ଇନ୍ଦ୍ରିୟାନୁଭୁତିର ଆବେଗର ଅଭାବ ପରିଲକ୍ଷିତ ଏବଂ ମନୁଷ୍ୟର ଉନ୍ନତି ପାଇଁ ଆନ୍ତରିକ ଅଭିଳାଷ ସତ୍ତ୍ୱେ ତାଙ୍କର ପ୍ରବନ୍ଧାବଳୀର ଚିନ୍ତାଧାରା ନିଷ୍‌ପ୍ରଭ, ଅସ୍ପଷ୍ଟ, ଦୀର୍ଘ ଓ ଯୁକ୍ତିହୀନ ।

 

କବି ହିସାବରେ ରବୀନ୍ଦ୍ରନାଥଙ୍କ ଆସନ ଏତେ ତର୍କାତୀତ ଯେ ଏହି ସମାଲୋଚକମାନଙ୍କୁ ଆକ୍ଷେପୋକ୍ତି ସଂପର୍କରେ ଆଲେଚନା କରିବା ଅନାବଶ୍ୟକ । ସେ ଯାହା ହେଉ ବର୍ତ୍ତମାନ କ୍ଷେତ୍ରରେ ଏହି ଗ୍ରନ୍ଥଟି ସଂପୂର୍ଣ୍ଣଭାବେ ତାଙ୍କ ପ୍ରବନ୍ଧାବଳୀ ସହିତ ସଂପୃକ୍ତ । ଏହି ସମସ୍ତ ସମାଲୋଚନା ଯୌକ୍ତିକତା ଉପରେ କେତେଦୂର ପ୍ରତିଷ୍ଠିତ, ତାହାର ବିଚାର ବର୍ତ୍ତମାନ ପାଠକଗଣ ହିଁ କରିବେ । ତେବେ ଗୋଟିଏ ବିଷୟ ଆମକୁ ସର୍ବଦା ସ୍ୱୀକାର କରିବାକୁ ହେବ, ତାଙ୍କର ଅଧିକାଂଶ ପ୍ରବନ୍ଧ ସଂଜ୍ଞାହୀନ ଦେଶବାସୀଙ୍କର ଚୈତନ୍ୟୋଦୟ ସକାଶେ ଭାଷଣ ଆକାରରେ ପ୍ରଥମେ ଲିଖିତ ହୋଇଥିଲା । କେବଳ ଗୋଟିଏ ପୁରୁଷ ମଧ୍ୟରେ ନିଜ ଲୋକମାନଙ୍କର ମଧ୍ୟଯୁଗୀୟ ମନୋବୃତ୍ତି ପରିବର୍ତ୍ତନ କରି ସେମାନଙ୍କୁ ଆଧୁନିକ ଦୃଷ୍ଟିଭଙ୍ଗୀ ପ୍ରଦାନ କରିବା ସକାଶେ ରବୀନ୍ଦ୍ରନାଥ ଏକାକୀ କିପରି ନିର୍ଭୀକ ଉଦ୍ୟମ କରିଥିଲେ, ତାହାର ପରିଚୟ ଏହି ପ୍ରବନ୍ଧଗୁଡ଼ିକ ମଧ୍ୟରୁ ମିଳିଥାଏ । ଏଥିସକାଶେ ହିଁ ତାଙ୍କ ପ୍ରବନ୍ଧାବଳୀରେ ଆଳଙ୍କାରିକତା ଓ ପୁନରାବୃତ୍ତି ପରିଲକ୍ଷିତ । ଏହା କେବଳ ତାଙ୍କଠିଁ ନୁହେ, ଭାରତ ଓ ଭାରତ ବାହାରେ ତାଙ୍କର ବହୁ ସମସାମୟିକମାନଙ୍କ ଲେଖାବଳୀରେ ମଧ୍ୟ ପରିଦୃଷ୍ଟ ହୋଇଥାଏ । କିନ୍ତୁ ରବୀନ୍ଦ୍ରନାଥଙ୍କ ରଚନାବଳୀରେ ସ୍ୱାତନ୍ତ୍ର୍ୟ ଓ ଉଲ୍ଳେଖ-ଯୋଗ୍ୟ ବୈଶିଷ୍ଟ୍ୟ ହେଉଛି ଯେ ତାହା ସର୍ବଦା ସ୍ୱାଧୀନ ଓ ଯେ କୌଣସି ପ୍ରକାରର ତିକ୍ତତା ବା ଅସୂୟାର ସ୍ପର୍ଶରୁ ତାହା ମୁକ୍ତ ।

 

ରବୀନ୍ଦ୍ରନାଥଙ୍କ ବୟସ୍କଜୀବନ ଯେ ଭାରତୀୟ ଜାତୀୟତାର ଅଭ୍ୟୁଦୟ ଓ ବିକାଶ ପର୍ବର ଏକ ଗମ୍ଭୀର ବାତାବରଣ ମଧ୍ୟରେ ଅତିବାହିତ ହୋଇଥିଲା—ଏକଥା ଅନେକ ସମୟରେ ଆମେ ଭୂଲିଯାଉଁ । ଇଂରେଜ ଜାତିର ଆଗମନ ଫଳରେ ଯେଉଁ ବିପ୍ଳବ ଏ ଦେଶରେ ହୋଇଥିଲା ତାହା କେବଳ ଦେଶର ପ୍ରାଚୀନ ଧର୍ମବିଶ୍ୱାସ ଓ ସାମାଜିକ ଚିନ୍ତା ବିରୁଦ୍ଧରେ ବିଦ୍ରୋହ ସୃଷ୍ଟି କରିବାରେ ସୀମିତ ହୋଇ ରହି ନ ଥିଲା । ଏହି ବିଦ୍ରୋହ ଏକ ନୂତନ ରୂପ ଶୀଘ୍ର ଧାରଣ କଲା ଏବଂ ଇଂରେଜ ଜାତିର ଅର୍ଥନୀତିକ ଶୋଷଣ ଓ ରାଜନୈତିକ ଆଧିପତ୍ୟ ବିରୁଦ୍ଧରେ ସଂଗ୍ରାମ ଘୋଷଣା କଲା । ୧୮୪୫ ମସିହାରେ ‘ଭାରତୀୟ ଜାତୀୟ କଂଗ୍ରେସ’ ପ୍ରତିଷ୍ଠିତ ହେଲା ଏବଂ ସେତେବେଳକୁ ରବୀନ୍ଦ୍ରନାଥଙ୍କ ବୟସ ଚବିଶ ବର୍ଷ ।

 

ଭାରତୀୟଗଣ ଅଧିକ ପରିମାଣରେ ସରକାରୀ ଚାକିରୀ ଓ ନାଗରିକ ସ୍ଵାଧୀନତା କିପରି ଲାଭ କରିବେ, ସେହି ଦାବୀ ଉପସ୍ଥାପିତ କରିବା ସକାଶେ ଏହି ଅନୁଷ୍ଠାନ ପ୍ରଥମେ ଗଠିତ ହୋଇଥିଲା । କିନ୍ତୁ ଉନବିଂଶ ଶତାବ୍ଦୀର ଶେଷ ଆଡ଼କୁ ଏହା ଜାତୀୟ ମୁକ୍ତି ସଂଗ୍ରାମର ଏକ ଅନୁଷ୍ଠାନରେ ପରିଣତ ହେଲା । ବିଂଶ ଶତାବ୍ଦୀର ପ୍ରଥମ ଦଶକରେ ଭାରତରେ ଏକ ସଂନ୍ତ୍ରାସବାଦୀଦଳ ସୃଷ୍ଟି ହୋଇଥିଲା ଏବଂ କ୍ଷମତାପନ୍ନ ରାଜନୀତିକମାନଙ୍କର ହତ୍ୟାବିଧାନ ଦ୍ୱାରା ସ୍ୱାଧୀନତା ହାସଲ ଥିଲା ଏହି ଦଳର ଆଭିମୁଖ୍ୟ । ସେତେବେଳେ ଭାରତର ସମଗ୍ର ବାୟୁମଣ୍ଡଳ ତିକ୍ତତା ଓ ଉତ୍ତେଜନା ଦ୍ୱାରା ପରିପୂର୍ଣ୍ଣ ହୋଇଥିଲା । କିନ୍ତୁ ଏଭଳି ପରିବେଶରେ ମଧ୍ୟ ରବୀନ୍ଦ୍ରନାଥ ଯେ ତାଙ୍କର ନିରପେକ୍ଷ, ଅନାସକ୍ତ ଓ ମାନବିକ ଦୃଷ୍ଟିଭଙ୍ଗୀ ଅକ୍ଷୁର୍ଣ୍ଣରଖି ପାରିଥିଲେ, ତାହା ହିଁ ତାଙ୍କର ମହାନ ଆତ୍ମଶକ୍ତିର ପରିଚାୟକ ।

 

ଏହା ମଧ୍ୟ ଆମେ ସ୍ମରଣ ରଖିବା ଉଚିତ ଯେ ହିନ୍ଦୁସଂସ୍କୃତି କିପରି ନବଜୀବନ ଲାଭ କରିବ ତାହାର ଊଦ୍ୟମ ସହ ଭାରତୀୟ ଜାତୀୟତା ଆରମ୍ଭରୁ ହିଁ ବନ୍ଧୁ ପରିମାଣରେ ଜଡ଼ିତ । ଯେଉଁ ସଂନ୍ତ୍ରାସବାଦୀଦଳ ଭାରତୀୟ ସମାଜରେ ବିପ୍ଳବ ଆଣିବାକୁ ଚାହୁଁଥିଲେ, ସେମାନେ ମଧ୍ୟ ‘କଳି’ ସମ୍ପ୍ରଦାୟ ଦ୍ୱାରା ପ୍ରଭାବିତ ହୋଇଥିଲେ । ଆଦ୍ୟକାଳୀନ ଅଧିକାଂଶ ରାଜନୀତିକ ନେତା ଯେତେବେଳେ ଭାରତୀୟ ସ୍ଵାଧୀନତା ବିଷୟ ଉଲ୍ଳେଖ କରୁଥିଲେ, ସେମାନେ ମୁଖ୍ୟତଃ ହିନ୍ଦୁଧର୍ମର ଦର୍ଶନ ଓ ସଂସ୍କୃତି ସମ୍ପର୍କରେ ହିଁ ଚିନ୍ତା କରୁଥିଲେ । ଇଂରେଜ ଜାତି ଦ୍ୱାରା ଆନୀତ କେବଳ ବିଦେଶୀ ଉପାଦାନଗୁଡ଼ିକୁ ସେମାନେ ଯେ ପ୍ରତ୍ୟାଖ୍ୟାନ କରିବାକୁ ଚାହୁଁଥିଲେ, ତା ନୁହେ, ହିନ୍ଦୁ ଓ ମୁସଲମାନର ପାରସ୍ପରିକ ଉଦ୍ୟମରେ ଗଢ଼ି ଉଠିଥିବା ସହସ୍ର ବର୍ଷର ମିଳିତ ସଂସ୍କୃତିକୁ ମଧ୍ୟ ସେମାନେ ଅସ୍ୱୀକାର କରିବାକୁ ଚେଷ୍ଟା କରୁଥିଲେ । ପୁଣି ଏହି ରାଜନୈତିକ ନେତାଗଣ ଭାରତବର୍ଷର ନାମ ମୁଖରେ ସର୍ବଦା ଉଚ୍ଚାରଣ କରୁଥିଲେ ମଧ୍ୟ, ମନ ମଧ୍ୟରେ ପ୍ରାଦେଶିକତା ଓ ସାଂପ୍ରଦାୟିକତାକୁ ସ୍ଥାନ ଦେଉଥିବା ଏକ ସତ୍ୟ ଘଟଣା । ଏପରିକ ରବୀନ୍ଦ୍ରନାଥଙ୍କ ଚିନ୍ତାଧାରା ମଧ୍ୟ ଅନେକ ସମୟରେ ବଙ୍ଗଳା ଓ ବଙ୍ଗାଳିକୁ ହିଁ କେନ୍ଦ୍ର କଲାଭଳି ବୋଧ ହେଉଥିଲା ଏବଂ ଏହି ପ୍ରବନ୍ଧାବଳୀର ପାଠକଗଣ ତାହା ଲକ୍ଷ୍ୟ କରି ପାରିବେ । ଅନେକ ସମାଲୋଚକ ମତ ଦେଇଛନ୍ତି ଯେ ପ୍ରାୟ ୧୯୦୮ ମସିହା ପର୍ଯ୍ୟନ୍ତ ଭାରତ ଅପେକ୍ଷା ବଙ୍ଗଳା ସହିତ ରବୀନ୍ଦ୍ରନାଥ ଅଧିକ ସଂପୃକ୍ତ ଥିଲେ ଏବଂ ବଙ୍ଗଳାରେ ମଧ୍ୟ ହିନ୍ଦୁସମାଜ ପ୍ରତି ତାଙ୍କର ଗଭୀର ସହାନୁଭୂତି ଥିଲା ।

 

କିନ୍ତୁ ସେ ସମୟର ଅନ୍ୟାନ୍ୟ ନେତାମାନଙ୍କ ସଂପର୍କରେ ଯାହା କୁହାଯାଉ ନା କାହିଁକି ରବୀନ୍ଦ୍ରନାଥଙ୍କୁ ସଂକୀର୍ଣ୍ଣ ମାନଦଣ୍ଡରେ ବିଚାର କରିବା ଅନ୍ୟାୟ ହେବ । ଏକଶ୍ୱରବାଦ ପ୍ରତି ପ୍ରଗାଢ ବିଶ୍ୱାସ ଏପରିକି ତାର ପ୍ରତିଷ୍ଠା ପାଇଁ ସଂଗ୍ରାମଶୀଳ ପରିବେଶ ଥିବା ଏକ ପାରିବାରିକ ବାତାବରଣରେ ରବୀନ୍ଦ୍ରନାଥ ଲାଳିତପାଳିତ ହୋଇଥିଲେ । ଏହି ପରିବାରିକ ପୃଷ୍ଠଭୁମି ହେତୁ ନିଜର ଦେଶବାସୀ ଖ୍ରୀଷ୍ଟିୟାନ୍ ଓ ମୁସଲମାନଙ୍କ ପ୍ରତି ତାଙ୍କର ଶ୍ରଦ୍ଧାଭାବ ସ୍ୱତଃ ସୃଷ୍ଟି ହୋଇଥିଲା । ତେଣୁ ଭାରତୀୟ ସଂସ୍କୃତି କିପରି ବୈଷମ୍ୟ ଉପରେ ପ୍ରତିଷ୍ଠିତ ଓ ଐକ୍ୟବିଧାନ ପାଇଁ ବିଭିନ୍ନ ଉପାଦାନଗୁଡ଼ିକ କିପରି ସଂରକ୍ଷିତ ହେବା ଆବଶ୍ୟକ, ସେ ବିଷୟରେ ରବୀନ୍ଦ୍ରନାଥ ସଚେତନ ଥିଲେ । ଏହାର ନିଦର୍ଶନ ଆମେ ତାଙ୍କ ଆଦ୍ୟ ଜୀବନର ଲିଖିତ ରଚନାବଳୀରୁ ମଧ୍ୟ ପାଇଥାଉଁ ! ଭାରତର ମିଳିତ ଜୀବନର କୌଣସି ଉପାଦାନକୁ ଦମନ ନ କରି ଏକ ବୃହତ୍ତର ପୂର୍ଣ୍ଣତା ମଧ୍ୟରେ ସେଗୁଡ଼ିକର ଯଥାଯଥ ବିକାଶ ଓ ସମନ୍ୱୟ ସାଧନ କରିବା ଦ୍ୱାରା, ଯେ ଦେଶର ମହତ୍ କଲ୍ୟାଣ ସମ୍ଭବପର, ଏହି ଚିନ୍ତା ପ୍ରାରମ୍ଭରୁ ହିଁ ଯେଉଁ କେତେଜଣ ଭାରତୀୟ କରିଛନ୍ତି, ରବୀନ୍ଦ୍ରନାଥ ସେମାନଙ୍କ ମଧ୍ୟରେ ଅନ୍ୟତମ । ବଙ୍ଗଳା ସଂପର୍କରେ ସେ ଯେ ଅଧିକ କହିଛନ୍ତି ତାର କାରଣ ହେଉଛି ତାଙ୍କର ବିଶ୍ୱାସ ଥିଲା ଯେ କୌଣସି ସଙ୍ଗଠନମୂଳକ କାର୍ଯ୍ୟର ଅୟମାରମ୍ଭ ପ୍ରଥମେ ନିଜର ଅନୁବର୍ତ୍ତୀ ପରିପାର୍ଶ୍ଵରେ ହିଁ ହେବା ଉଚିତ । ସେ ତେଣୁ ବାରମ୍ବାର ଜୋର ଦେଇ କହିଛନ୍ତି ଯେ ରାଜନୈତିକ ଓ ସାମାଜିକ କର୍ମୀଗଣ ନିଜର ପଡ଼ୋଶୀମାନଙ୍କ ଉପରେ ବିଶେଷ ଧ୍ୟାନ ଦେବା ଆବଶ୍ୟକ । ତାଙ୍କର ବିଶ୍ୱାସ ଗୋଟିଏ ଗ୍ରାମ ଯଦି ତାଙ୍କ କଳ୍ପିତ କର୍ମପନ୍ଥା ଗ୍ରହଣ କରେ, ତାହାହେଲେ ଦୀପଶିଖାର ଜ୍ୟୋତିଭଳି ଚତୁର୍ଦ୍ଦିଗକୁ ତାହା ନିଶ୍ଚୟ ଆଲୋକଦୀପ୍ତ କରିବ ।

 

ରବୀନ୍ଦ୍ରନାଥଙ୍କର ବଙ୍ଗଳା ସହିତ ସଂଶ୍ଳିଷ୍ଠ ହେବାର ଅନ୍ୟ ଏକ କାରଣ ହେଉଛି ଭାରତୀୟ ନବଜାଗରଣର ଆଦି ପର୍ବରେ ବଙ୍ଗଭୂମି ପ୍ରଥମେ ପ୍ରଧାନ ଭୂମିକା ଗ୍ରହଣ କରିଥିଲା । ପାଶ୍ଚାତ୍ୟର ସ୍ପର୍ଶ ଭାରତର ପୂର୍ବାଞ୍ଚଳରେ ହିଁ ପ୍ରଥମେ ସ୍ପଷ୍ଟ ଭାବରେ ଅନୁଭୂତ ହୋଇଥିଲା । ତେଣୁ କେବଳ ସାହିତ୍ୟ ନୁହେ, ସମାଜ ଓ ରାଜନୀତି କ୍ଷେତ୍ରରେ ମଧ୍ୟ ନବଜାଗରଣ ପ୍ରଥମେ ଦେଖାଦେଇଥିଲା ବଙ୍ଗଳାରେ । ଏହା ବ୍ୟତୀତ ଅନ୍ୟ ଏକ କାରଣ ହେଉଛି ସଂପୂର୍ଣ୍ଣ ବ୍ୟକ୍ତିଗତ ଓ ପ୍ରତିଭା ସାପେକ୍ଷ । ରବୀନ୍ଦ୍ରନାଥ ବୋଧହୁଏ ଅନୁଭବ କରିଥିଲେ ଯେ ବଙ୍ଗଳାର ଅବସ୍ଥା ସଂପର୍କରେ ସେ ଅଧିକ ଦକ୍ଷତାର ସହିତ ଲେଖନୀ ଚାଳନା କରି ପାରିବେ ଏବଂ ଭାରତର ଅନ୍ୟାନ୍ୟ ଅଞ୍ଚଳ ଲୋକମାନଙ୍କ ଅପେକ୍ଷା ନିଜର ଲୋକମାନଙ୍କୁ ଅଧିକ ପରିମାଣରେ ଅନୁଯୋଗ କରି ପାରିବେ । ରବୀନ୍ଦ୍ରନାଥ ଜଣେ ବଙ୍ଗାଳୀ କବି ଭାବରେ ହିଁ ନିଜର କାବ୍ୟଜୀବନ ପ୍ରଥମେ ଆରମ୍ଭ କରିଛନ୍ତି ଏବଂ ଜୀବନର ଦ୍ୱିତୀୟ ଦଶକ ମଧ୍ୟରେ ସେ ମୁଖ୍ୟତଃ ଜଣେ ସୌନ୍ଦର୍ଯ୍ୟ-ସନ୍ଧାନୀ ସ୍ରଷ୍ଟାଭାବରେ ଆତ୍ମପ୍ରକାଶ କରନ୍ତି । କିନ୍ତୁ ନିଜ କମିଦାରୀ ଇଲାକାଗୁଡ଼ିକର ପରିଚାଳନା ଦାୟିତ୍ୱ ବହନ କରି ସେ ଅନୁଭବ କଲେ ଯେ ଗଜଦନ୍ତମୀନାରର ସ୍ୱପ୍ନ ମଧ୍ୟରୁ କବି ବାହାରି ଆସି ନିଜ ପ୍ରତିବେଶୀଙ୍କର ସୁଖ ଦୁଃଖ ଓ ଆନନ୍ଦବେଦନାର ଅଂଶୀଦାର ହେବା ଆବଶ୍ୟକ । ଏହି ଅନୁଭୂତି ଫଳରେ ସେ କ୍ରମଶଃ ସାମାଜିକ, ଅର୍ଥନୈତିକ ଓ ରାଜନୀତିକ ସମସ୍ୟା ପ୍ରତି କୌତୁହଳୀ ହେଲେ ଏବଂ ଜଣେ କବିର କଳ୍ପନା ଦୃଷ୍ଟିର ଲକ୍ଷ୍ୟକଲେ ଯେ ସମାଜର ପ୍ରତ୍ୟେକ ବ୍ୟକ୍ତି ଯଦି ପୂର୍ଣ୍ଣ ବ୍ୟକ୍ତିତ୍ୱର ଅଧିକାରୀ ହୁଅନ୍ତି, ତା’ହେଲେ ସମାଜ ଜୀବନରେ ଐକ୍ୟତାନ ସୃଷ୍ଟିହେବା ସମ୍ଭବପର । ଶିକ୍ଷା ଦିଗରେ ସେ ଚିନ୍ତାକରି ଏପରି - ଏକ ପ୍ରଣାଳୀ କାର୍ଯ୍ୟକାରୀ କରିବାକୁ ଚାହିଁଲେ ଯାହାକି ପ୍ରତ୍ୟେକ ବ୍ୟକ୍ତିକୁ ପ୍ରକୃତି ଓ ସମାଜ ସହିତ ସମନ୍ୱୟ ରକ୍ଷା କରି ପୂର୍ଣ୍ଣ ଆତ୍ମବିକାଶର ସୁଯୋଗ ପ୍ରଦାନ କରିବ ।

 

କିନ୍ତୁ ସହାନୁଭୁତି ଓ ଦୃଷ୍ଟିର ଦିଗ୍‌ବଳୟ ସଂପ୍ରାସାରିତ ହେବା ସଙ୍ଗେ ସେ କ୍ରମଶଃ ଅନୁଭବ କଲେ ଯେ ନିଜର ଜାତୀୟ ସଂସ୍କୃତିର ନିକଟ ଆବେଦନ ଓ ଆଶୁମୁଲ୍ୟ ରହିଛି ସତ୍ୟ, କିନ୍ତୁ ଏକ ସାର୍ବଭୌମିକ ମାନବସଭ୍ୟତାର ବୃହତ୍ତର ସମନ୍ୱୟ ମଧ୍ୟରେ ଏହା ଆସନ ଗ୍ରହଣ କରିବା ଆବଶ୍ୟକ । ବଙ୍ଗ ବିଚ୍ଛେଦ ପରେ ପରେ ଦେଶରେ ଯେଉଁ ସଂନ୍ତ୍ରାସବାଦୀ କ୍ରିୟାକଳାପ ପରିଲକ୍ଷିତ ହେଲା, ତଦ୍ଦ୍ୱାରା ତାଙ୍କର ଦୃଢ଼ ଧାରଣ ଜନ୍ମିଲା ଯେ ସହଜ ଓ ନିକଟ ପନ୍ଥା ଦ୍ୱାରା ଭାରତର ସ୍ୱାଧୀନତା ହାସଲ କରିବା ଅସମ୍ଭବ । ପୁନଶ୍ଚ ସେ ଅନୁଭବ କଲେ ଯେ କେବଳ ବିଦେଶୀ ପ୍ରତି ଘୃଣା ବା ଆତ୍ମସ୍ୱାର୍ଥର ଭିତ୍ତି ଉପରେ ଭାରତର ବିଭିନ୍ନ ସଂପ୍ରଦାୟଗୁଡ଼ିକର ମିଳନ ଅସମ୍ଭବ । ଏହି ଧରଣର ସଘଂଗୁଡ଼ିକ ଦ୍ୱାରା ସାମାୟିକ ଉଦ୍ଦେଶ୍ୟ ସାଧିତ ହୋଇ ପାରେ, କିନ୍ତୁ ତଦ୍ଦ୍ୱାରା ଚିରନ୍ତନ ଐକ୍ୟ ପ୍ରତିଷ୍ଠା ସମ୍ଭବ ନୁହେ । ତେଣୁ ସେ ଚିନ୍ତା କଲେ ଯେ କେବଳ ସାଧାରଣ ଆଦର୍ଶ ପ୍ରତି ନିଷ୍ଠା ପ୍ରଦର୍ଶନ ଦ୍ୱାରା ହିଁ ସେମାନଙ୍କ ମଧ୍ୟରେ ମୈତ୍ରୀସମ୍ପର୍କ ପ୍ରତିଷ୍ଠିତ ହୋଇପାରେ । ହିଂସାକୁ ରବୀନ୍ଦ୍ରନାଥ ସର୍ବଦା ନିନ୍ଦା କରୁଥିଲେ । ୟାର କାରଣ ନୁହେ ଯେ ଅହିଂସା ଉପରେ ତାଙ୍କର କୌଣସି ନିର୍ଦ୍ଦିଷ୍ଟ ବିଶ୍ୱାସ ଥିଲା । କିନ୍ତୁ ତାଙ୍କ ମତରେ ସେ ଧରଣର କର୍ମପନ୍ଥା ଇତିହାସର ବିରାଟ ରୂପକୁ ସଂକୀର୍ଣ୍ଣ ଓ ଆବଦ୍ଧ କରିବାର ଉଦ୍ୟମ ମାତ୍ର ।

 

ଏକ ମାନବିକ ଓ ସାର୍ବଭୌମିକ ଦୃଷ୍ଟିକୋଣରେ ଉପନୀତ ହେବାକୁ ନିଜର ଦୀର୍ଘ ଓ ସିଦ୍ଧିବହୁଳ ଜୀବନରେ ରବୀନ୍ଦ୍ରନାଥ ନିରବଚ୍ଛିନ୍ନ ସାଧନା କରିଛନ୍ତି । ଉପନିଷଦ୍ ବର୍ଣ୍ଣିତ ହିନ୍ଦୁଧର୍ମର ଆଦର୍ଶ ଦ୍ଵାରା ସେ ଗଭୀର ଭାବରେ ଅନୁପ୍ରାଣିତ ହୋଇଥିଲେ ସତ, କିନ୍ତୁ ଜାତୀୟତା ବୋଧରେ ସଂକୀର୍ଣ୍ଣତାର ସ୍ପର୍ଶ ଆଦୌ ନ ଥିଲା । ପ୍ରଥମରୁ ହିଁ ଭାରତୀୟ ଜୀବନର ବୈଚିତ୍ର୍ୟ ଓ ବହୁତ୍ୱ ଏବଂ ତାର ଉପାଦାନଗୁଡ଼ିକର ପୂର୍ଣ୍ଣ ଓ ସ୍ୱାଧୀନ ବିକାଶ ପାଇଁ ସୁଯୋଗ ଦେବାର ଆବଶ୍ୟକତା ସେ ଅନୁଭବ କରିଥିଲେ । ସମୟ ସ୍ରୋତର ଗତିରେ ସେ ପୁଣି ଉପଲବ୍ଧି କରିଥିଲେ ଯେ ବିଜ୍ଞାନ ଓ ଯନ୍ତ୍ରବିଦ୍ୟା ଦ୍ୱାରା ପୃଥିବୀରେ ଆଜି ଯେପରି ଐକ୍ୟବୋଧ ପ୍ରତିଷ୍ଠିତ ହୋଇଛି, ସେଥିରେ କେବଳ ମାତ୍ର ଜାତୀୟତାବୋଧ ଯଥେଷ୍ଟ ନୁହେ । ସେ ତେଣୁ ଘୋଷଣା କରିଥିଲେ ଯେ ଆତ୍ମନିର୍ଭରତା ପରିବର୍ତ୍ତେ ବିଭିନ୍ନ ଜାତି ଓ ଦେଶ ମଧ୍ୟରେ ନିର୍ଭରଶୀଳତା ଓ ସହଯୋଗିତାର ଭାବ ବୃଦ୍ଧି ପାଇବା ଆବଶ୍ୟକ ଏବଂ ତାହା ହିଁ ଜୀବନଯାତ୍ରା ଓ ପ୍ରଗତି ପାଇଁ ଆଧୁନିକ ଓ ଭବିଷ୍ୟତ ଦୁନିଆର ନୀତି ହେବା ବାଞ୍ଛନୀୟ । ବିଶ୍ୱ ପରିଚିତି କ୍ରମଶଃ ଏହି ଭାବରେ ବ୍ୟାପକ ହେବା ସଙ୍ଗେ ରବୀନ୍ଦ୍ରନାଥ ଅନୁଭବ କଲେ ଯେ ବିଶ୍ୱମାନବତା ପାଇଁ ଭାରତ ଯଦି କିଛି ଦାନ କରିବାକୁ ଆଗ୍ରହୀ, ତେବେ ସକଳ ସମସ୍ୟା ପ୍ରତି ସେ ଏକ ସକ୍ରିୟ ଓ ସଜନାତ୍ମକ ଦୃଷ୍ଟିକୋଣ ପ୍ରଦର୍ଶନ କରିବା ଉଚିତ । ତାଙ୍କ ମତରେ ଜୀବନର ମୌଳିକ ନୀତି ହେଉଛି ଗ୍ରହଣ, –ପ୍ରତ୍ୟାଖ୍ୟାନ ନୁହେ । ପୁଣି ଯାହାକିଛି ମୃତ ତାକୁ ଫିଙ୍ଗିଦେବା ହେଉଛି ଜୀବନର ସ୍ଵଧର୍ମ । ଭାରତୀୟ ଜୀବନ ଓ ଆଚରଣରେ ଯେଉଁ ଉପାଦାନଗୁଡ଼ିକ ସେ ସ୍ଥାଣୁ, ଶକ୍ତିହୀନ ଓ ପ୍ରତିକ୍ରିୟାଶୀଳ ବୋଲି ମନେ କରୁଥିଲେ, ତାକୁ ସମାଲୋଚନା କରିବାକୁ ସେ କୁଣ୍ଠାବୋଧ କରୁ ନ ଥିଲେ କିମ୍ବା ପାଶ୍ଚାତ୍ୟ ସଭ୍ୟତାର କୌଣସି ଦୁର୍ବଳତାକୁ ମଧ୍ୟ ସେ କ୍ଷମା କରୁ ନ ଥିଲେ । ଏ ଦିଗରେ ପ୍ରାଚ୍ୟର ଆଳସ୍ୟ ଓ ଅନ୍ଧବିଶ୍ୱାସକୁ ଯେପରି ଘୃଣା କରୁଥିଲେ ଅନ୍ୟ ଦିଗରେ ପାଶ୍ଚାତ୍ୟ ଜଗତରେ ଅତି ରଂଜିତ ଜାତୀୟତା ଓ ବସ୍ତୁତାନ୍ତ୍ରିକତାକୁ ସେହିପରି ନିନ୍ଦା କରୁଥିଲେ । ପ୍ରଥମେ ଅବଶ୍ୟ ତାଙ୍କର ବିଶ୍ୱାସ ଥିଲା ଯେ ଏକ ନୂତନ ଓ ପ୍ରକୃତ ମାନବ-ସଭ୍ୟତାର ଉତ୍ସ ୟୁରୋପର ଅନ୍ତଃ ପ୍ରଦେଶରୁ ହିଁ ନିସୃତ ହେବ । କିନ୍ତୁ ଶେଷରେ ଲେଖିଥିବା ପ୍ରବନ୍ଧଟିରେ ସେ କ୍ଷୋଭର ସହିତ ସ୍ୱୀକାର କରିଛନ୍ତି ଯେ ପାଶ୍ଚାତ୍ୟ ଜଗତ ଉପରେ ଥିବା ତାଙ୍କର ବିଶ୍ୱାସ କ୍ରମେ ଦୂରୀଭୂତ ହୋଇଯାଇଛି । ରବୀନ୍ଦ୍ରନାଥଙ୍କର କେତେକ ପାଶ୍ଚାତ୍ୟ ସମାଲୋଚକଙ୍କୁ ଏହା ବ୍ୟଥିତ କରିଛି ସତ, କିନ୍ତୁ ସେମାନେ ଭୁଲିଯାଆନ୍ତି ଯେ ରବୀନ୍ଦ୍ରନାଥ ଠିକ୍ ସମାନଭାବରେ ଭାରତବର୍ଷରେ ନିଜ ବନ୍ଧୁ ଓ ସହକର୍ମୀମାନଙ୍କୁ ମଧ୍ୟ ସମାଲୋଚନା କରିବାରେ ପଶ୍ଚାତ୍‌ପଦ ନ ଥିଲେ । ଏପରିକି ମହାତ୍ମାଗାନ୍ଧିଙ୍କ ପ୍ରତି ଗଭୀର ଶ୍ରଦ୍ଧା ସତ୍ତ୍ୱେ କେତେକ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ତାଙ୍କୁ ମଧ୍ୟ ସେ ତୀବ୍ରଭାବରେ ସମାଲୋଚନା କରିଥିଲେ । ତେଣୁ ପାଶ୍ଚାତ୍ୟ ଜଗତ୍ ପ୍ରତି ତାଙ୍କର ଗଭୀର ଶ୍ରଦ୍ଧା ଥିଲେ ହେଁ ଭୌତିକ ଐଶ୍ଵର୍ଯ୍ୟ ଓ ଜାତୀୟ ଗର୍ବ ପ୍ରତି ତାର ଅତ୍ୟଧିକ ଗୁରୁତ୍ୱ ଦାନକୁ ନିନ୍ଦା କରିବାରେ ସେ କୁଣ୍ଠିତ ନ ଥିଲେ ।

 

କିନ୍ତୁ ମନୁଷ୍ୟ ଉପରେ ରବୀନ୍ଦ୍ରନାଥଙ୍କ ଆସ୍ଥା ଥିଲା ଅଖଣ୍ଡ । ମହାତ୍ମାଗାନ୍ଧିଙ୍କୁ ସେ ସମାଲୋଚନା କଲାବେଳେ ମଧ୍ୟ ମନୁଷ୍ୟ ହିସାବରେ ତାଙ୍କ ମହତ୍ତ୍ୱ ସେ ଉପଲବ୍ଧି କରୁଥିଲେ ଏବଂ ପାଶ୍ଚାତ୍ୟ ଜଗତ୍ ପ୍ରତି ସେ ନିରାଶ ହୋଇଥିଲେ ହେଁ ତାଙ୍କର ପରିଚିତ ବନ୍ଧୁ ଓ ମହାମନା ବ୍ୟକ୍ତିମାନଙ୍କ ସମ୍ପର୍କରେ ଗର୍ବ ଓ କୃତଜ୍ଞତାର ସହିତ ଉଲ୍ଲେଖ କରୁଥିଲେ । ତାଙ୍କ ପ୍ରବନ୍ଧାବଳୀର ବିଷୟବସ୍ତୁ ପ୍ରାୟ ସମାନ । ଗୋଟିଏ ଦିଗରେ ମାନବଜାତିର ଏକତା, ସତ୍ୟର ରୂପାନ୍ତରୀକରଣ ଶକ୍ତି, ସକଳପ୍ରକାର ବିଭାଗୀକରଣ ଓ ପ୍ରାଦେଶିକତାର ମନ୍ଦଫଳ, ମତାନ୍ଧତା, ଆତ୍ମବିଭେଦ, ସଂକୀର୍ଣ୍ଣତା, ଆତ୍ମକେନ୍ଦ୍ରିକତା ଏବଂ ଅନ୍ୟ ଦିଗରେ ଅତିରଞ୍ଜନ, ଗର୍ବସ୍ଫୀତି, ଆତ୍ମସମାଲୋଚନାର ଅଭାବ, ଦାୟିତ୍ୱହୀନ ଘୃଣା-ବିଦ୍ୱେଷ, ଆତ୍ମ-ଛଳନା ଓ ସର୍ବୋପରି ଅନ୍ୟର ମୁଲ୍ୟବୋଧର ମାନ ସମ୍ପର୍କରେ ଦାସ ମନୋଭାବ ପୋଷଣର ବିଷୟବସ୍ତୁ ଉପରେ ହିଁ ତାଙ୍କ ପ୍ରବନ୍ଧାବଳୀର ପ୍ରାଣ ପ୍ରତିଷ୍ଠିତ । ସମଗ୍ର ବିଶ୍ୱ ସକାଶେ ଯେଉଁ ଆତ୍ମ- ବାଣୀ ନିଜର ଶେଷ ପ୍ରବନ୍ଧଟିରେ ସେ ସ୍ଵରସଂଚାର କରିଛନ୍ତି ତାହା ହିଁ ଉଲ୍ଳେଖ କରି ଏହି ଅଧ୍ୟୟନର ଉପସଂହାର ବର୍ତ୍ତମାନ କରାଯାଉ- “ବର୍ତ୍ତମାନର ପରାଜୟକୁ ଶେଷକଥା ବୋଲି ସ୍ୱୀକାର କରି ମନୁଷ୍ୟ ଉପରେ ଆସ୍ଥା ହରାଇବାର ମହାପାପ ଜୀବନରେ ମୁଁ ଅର୍ଜନ କରି ନ ପାରେ । ଆଜିର ଖଣ୍ଡପ୍ରଳୟ ପରେ ଆକାଶ ଯେ ପୁଣି ଦିନେ ମେଘମୁକ୍ତ, ନିର୍ମଳ ଓ ସଘଂର୍ଷହୀନ ହେବ ଏବଂ ଇତିହାସର ଗତିଧାରା ପରିବର୍ତ୍ତିତ ହେବ ସେହି ସୁଦିନର ଅପେକ୍ଷାରେ ମୁଁ ରହିଛି । ଯେଉଁ ଦିଗ୍‌ବଳୟରେ ସୂର୍ଯ୍ୟ ପ୍ରତିଦିନ ଉଦିତ ହୁଅନ୍ତି, ମୋର ବିଶ୍ୱାସ, ନୂତନ ଭାଷାର ଅଭ୍ୟୁଦୟ ସେହି ପ୍ରାଚୀ ଦିଗ୍‌ବଳୟରେ ଦିନେ ସଘଂଟିତ ହେବ । ସେତେବେଳେ ଅପରାଜିତ ମାନବ ସକଳ ବାଧାବନ୍ଧନ ଅତିକ୍ରମ କରି ତା’ର ଲୁପ୍ତ ଐତିହ୍ୟ ଉଦ୍ଧାର କରିବା ସକାଶେ ଉଦୟପଥର ସନ୍ଧାନ ପୁଣି ଲାଭ କରିବ ।’’

 

–ହୁମାୟନ କବୀର

Image

 

ଶିକ୍ଷାର ବ୍ୟବଧାନ

 

ଜୀବନର କେବଳ ପ୍ରୟୋଜନୀୟ ବିଷୟ ମଧ୍ୟରେ ପରିତୃପ୍ତି ଲାଭ କରିବା ମାନବର ଧର୍ମ ନୁହେ । ଆମ୍ଭେମାନେ କେତେକ ପରିମାଣରେ ଆବଶ୍ୟକତାର ଶୃଙ୍ଖଳାରେ ଆବଦ୍ଧ ଓ କେତେକ ପରିମାଣରେ ସ୍ୱାଧୀନ । ସାଧାରଣ ମନୁଷ୍ୟ ସାଢ଼େ ତିନିହାତ ଉଚ୍ଚତାବିଶିଷ୍ଟ କିନ୍ତୁ ସେ ଢେର ଅଧିକ ଉଚ୍ଚ ଗୃହରେ ବାସ କରେ । ସ୍ଵାଧୀନ ଚଳପ୍ରଚଳ ନିମନ୍ତେ ତାର ଅନେକ ସ୍ଥାନ, ବହୁକୋଠରୀ ଦରକାର । ଏହା ତାର ସ୍ୱାସ୍ଥ୍ୟ ଓ ସ୍ୱାଚ୍ଛନ୍ଦ୍ୟ ନିମନ୍ତେ ଏକାନ୍ତ ଆବଶ୍ୟକ । ଶିକ୍ଷା ସମ୍ବନ୍ଧରେ ମଧ୍ୟ ଏହି କଥା ପ୍ରଯୁଜ୍ୟ । ବିଦ୍ୟାଳୟ ପାଠ ନିମନ୍ତେ ନିର୍ଦ୍ଦିଷ୍ଟ ପାଠ୍ୟପୁସ୍ତକ ଛାତ୍ର ନିଶ୍ଚୟ ପଢ଼ିବ, କିନ୍ତୁ ଏହା ସହିତ ତାକୁ ନିଜର ରୁଚି ମୁତାବକ ଅନ୍ୟ ପୁସ୍ତକ ପଢ଼ିବାକୁ ଦିଆଯିବା ଉଚିତ । ଏହା ନ ହେଲେ ତାହାର ମନ ଯଥେଷ୍ଟ ପରିମାଣରେ ବିକଶିତ ହୋଇ ପାରିବ ନାହିଁ । ବୟଃପ୍ରାପ୍ତ ହେଲେ ସୁଦ୍ଧା ବୁଦ୍ଧି ବୃତ୍ତିରେ ସେ ଅନେକ ପରିମାଣରେ ବାଳକ ହୋଇ ରହିଯିବ ।

 

ଦୁର୍ଭାଗ୍ୟ କ୍ରମେ ଆମ ଦେଶରେ ବାଳକର ନିଜ ହାତରେ ଯଥେଷ୍ଟ ସମୟ ନଥାଏ । ଯେତେ ଶୀଘ୍ର ସମ୍ଭବ ଗୋଟିଏ ବିଦେଶୀ ଭାଷା ତାକୁ ଶିକ୍ଷା କରିବାକୁ ହେବ, ଗୁଡ଼ିଏ ପରୀକ୍ଷାରେ ପାସ୍ କରି ଚାକିରୀ ନିମନ୍ତେ ନିଜକୁ ଯୋଗ୍ୟ କରିବାକୁ ପଡ଼ିବ । ଫଳତଃ ଅଣନିଶ୍ୱାସୀ ହୋଇ ଦ୍ରୁତ ବେଗରେ କେତେଗୁଡ଼ିଏ ପାଠ୍ୟପୁସ୍ତକ ମୁଖସ୍ଥ କରିବା ଛଡ଼ା ତାର ଗତ୍ୟନ୍ତର ନାହିଁ । ଛାତ୍ର ନିଜ ଆମୋଦ ନିମନ୍ତେ ଖଣ୍ଡେ ପୁସ୍ତକ ପଢ଼ିବାର ଦେଖିଲେ ପିତାମାତା ଓ ଶିକ୍ଷକମାନେ ତାର ବହୁମୂଲ୍ୟ ସମୟ ନଷ୍ଟ ହେଲା ବୋଲି ମନେକରନ୍ତି; ସୁତରାଂ ପିଲାମାନଙ୍କ ହାତରେ ଏ ଧରଣର ଖଣ୍ଡେ ବହି ଦେଖିଲେ ତତ୍‌କ୍ଷଣାତ୍ ସେମାନେ ଛଡ଼ାଇ ନେବାକୁ ପଛାନ୍ତି ନାହିଁ ।

 

ଦୁର୍ଭାଗ୍ୟର ତାଡ଼ନା ବଶତଃ ବଙ୍ଗଦେଶର ବାଳକକୁ ବ୍ୟାକରଣ, ଅଭିଧାନ ଓ ଭୂଗୋଳ ବିବରଣର ଲଘୁ ଖାଦ୍ୟ ଉପରେ ନିର୍ଭର କରିବାକୁ ପଡ଼େ । ଅନ୍ୟ ଦେଶର ବାଳକମାନେ ଯେଉଁ ବୟସରେ ବିଭିନ୍ନ ପ୍ରକାର ଭୋଜ୍ୟ ପଦାର୍ଥ ଆନନ୍ଦରେ ଚର୍ବଣ କରି ଜୀର୍ଣ୍ଣ କରିବାର ସାମର୍ଥ୍ୟ ଲାଭ କରନ୍ତି ସେହି ବୟସରେ ବଙ୍ଗାଳି ପିଲା ସ୍କୁଲର ଶ୍ରେଣୀ କକ୍ଷର ବେଞ୍ଚ ଉପରେ ବସି ଜଗତର ହତଭାଗ୍ୟତମ ଶିଶୁ ଭଳି ତାର ଦୁଇଖଣ୍ଡ ଶୀର୍ଣ୍ଣ ଖର୍ବପଦକୁ ଦୋଦୁଲ୍ୟମାନ ଅବସ୍ଥାରେ ରଖି ଶିକ୍ଷକଙ୍କ ବେତ୍ରାଘାତକୁ ହଜମ କରେ, ଶିକ୍ଷକଙ୍କ କଟୁଗାଳି ଛଡ଼ା ସେଥିରେ ଅନ୍ୟ କିଛି ମସଲା ମିଶି ନ ଥାଏ ।

 

ଏ ଧରଣର ଖାଦ୍ୟ ନିଶ୍ଚିତ ଭାବରେ ଯେ କୌଣସି ବାଳକର ହଜମ ଶକ୍ତିକୁ ହ୍ରାସ କରିଦେବ । ଏହା ନିଃସନ୍ଦେହ ଯେ ଉପଯୁକ୍ତ ଖାଦ୍ୟ ଓ ଅବସର–ବିନୋଦନ ଅଭାବରୁ ବଙ୍ଗ ସନ୍ତାନର ଶରୀର ଯେପରି ଅପୁଷ୍ଟ, ମାନସିକ ଶକ୍ତି ମଧ୍ୟ ସେହିପରି ଅପରିଣତ । ଏହି କାରଣରୁ ଆମ୍ଭମାନଙ୍କ ମଧ୍ୟରୁ ଅନେକ ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ଉପାଧି ଲାଭ କରିଥିଲେ ସୁଦ୍ଧା ଓ ଅନେକ ଗ୍ରନ୍ଥର ରଚୟିତା ହୋଇଥିଲେ ମଧ୍ୟ ମନୁଷ୍ୟ ଭାବରେ ଆମର ବୁଦ୍ଧିବୃତ୍ତି ବଳିଷ୍ଠ ଓ ପରିପକ୍ୱ ନୁହେ-। କୌଣସି ବିଷୟରେ ଆମର ସେପରି ପାରଦର୍ଶିତା ନାହିଁ, କୌଣସି ବିଷୟକୁ ଦୃଢ଼ତା ସହକାରେ ଛିଡ଼ା କରାଇବାରେ ଆମେ ଶକ୍ତିହୀନ, ଆଦ୍ୟୋପାନ୍ତ କିଛି ପଢ଼ିବାରେ ଆମେ ଅସମର୍ଥ-। ଆମର କଥାବାର୍ତ୍ତା, ଚିନ୍ତା ଓ କାର୍ଯ୍ୟ ନାବାଳକ ତୁଲ୍ୟ । ତେଣୁ ଆମେ ଆମର ମାନସିକ ଦୈନ୍ୟ ଢାଙ୍କିବା ନିମନ୍ତେ ଅତ୍ୟୁକ୍ତି ଆଡ଼ମ୍ବର ଓ ଆସ୍ଫାଳନର ଆଶ୍ରୟ ନେଉ ।

 

ଏହାର ପ୍ରଧାନ କାରଣ; ବାଲ୍ୟକାଳାବଧି ଆମର ବାଳକମାନେ ଆନନ୍ଦହୀନ ଶିକ୍ଷା ଲାଭ କରୁଛନ୍ତି । କେତେଗୁଡ଼ିଏ ପାଠ୍ୟପୁସ୍ତକ ସେମାନଙ୍କର କେବଳ କଣ୍ଠସ୍ଥ, କୌଣସି ପ୍ରକାରେ କାର୍ଯ୍ୟ ଚଳାଇବା ନିମନ୍ତେ ସେମାନେ କେତେଗୁଡ଼ିଏ ବିଷୟରେ ସାମାନ୍ୟ ଜ୍ଞାନ ଅର୍ଜ୍ଜନ କରନ୍ତି । ଏଗୁଡ଼ିକ ଉପରେ ସେମାନଙ୍କର ପ୍ରକୃତ ଦଖଲ ଆସେ ନାହିଁ । ପବନ ପିଇ ପେଟ ପୂରେ ନାହିଁ, ସେଥିଲାଗି ଖାଦ୍ୟ ଦରକାର, କିନ୍ତୁ ଆହାର୍ଯ୍ୟ ପଦାର୍ଥକୁ ରୀତିମତ ହଜମ କରିବା ଲାଗି ବାୟୁ ସେବନ ଆବଶ୍ୟକ । ସେହିପରି ଖଣ୍ଡେ ପାଠ୍ୟପୁସ୍ତକକୁ ରୀତିମତ ହଜମ କରିବାଲାଗି ଆନନ୍ଦସହକାରେ ପାଠ କରିବାର ଉପଯୋଗୀ ବହୁ ପୁସ୍ତକ ଆବଶ୍ୟକ । ଆନନ୍ଦ ନିମନ୍ତେ ପଢ଼ୁ ପଢ଼ୁ ଛାତ୍ରର ପଢ଼ିବାର ଶକ୍ତି ଅଲକ୍ଷିତ ଭାବରେ ବୃଦ୍ଧିପ୍ରାପ୍ତ ହୁଏ । ତାର ଗ୍ରହଣଶକ୍ତି ଧାରଣାଶକ୍ତି ଓ ଚିନ୍ତାଶକ୍ତି ବେଶ୍ ସହଜରେ ଓ ସ୍ୱାଭାବିକ ନିୟମରେ ବିକଶିତ ହୁଏ ।

 

ଭାଷା ଆମର ପ୍ରଧାନ ଅସୁବିଧା । ଶବ୍ଦବିନ୍ୟାସ ଓ ପଦ ବିନ୍ୟାସରେ ଆମ ଭାଷାସହ ଇଂରାଜୀର ଅନେକ ପାର୍ଥକ୍ୟ ଥିବାରୁ ଇଂରାଜୀ ଭାଷା ଅତିମାତ୍ରାରେ ବିଜାତୀୟ ଭାଷା । ତା’ ପରେ ଭାବବିନ୍ୟାସ ଓ ବିଷୟ ପ୍ରସଙ୍ଗର ଅସୁବିଧା ହେତୁ ଇଂରାଜୀ ବହି ଆମ ନିକଟରେ ଅଧିକ ବିଜାତୀୟ ହୋଇଉଠେ । ଏଥିରେ ବର୍ଣ୍ଣିତ ଜୀବନର ଚିତ୍ର ଆମର ପୂର୍ଣ୍ଣ ଅପରିଚିତ, ସୁତରାଂ ଧାରଣା ଜନ୍ମିବା ପୂର୍ବରୁ ମୁଖସ୍ଥ କରିବା ନିମନ୍ତେ ଆମେ ଉଦ୍ୟମ କରୁ । ଫଳରେ ନ ଚୋବାଇ ଖାଦ୍ୟପଦାର୍ଥ ଗିଳିଦେବା ଭଳି ଅବସ୍ଥା ଉପୁଜେ । ମନେକରାଯାଉ ଇଂରାଜୀରେ ଖଣ୍ଡେ ଶିଶୁପାଠ୍ୟ ପୁସ୍ତକରେ hay-making ବା ଘାସ ଶୁଖାଇବା ସମ୍ବନ୍ଧରେ ଏକ ଗଳ୍ପ ଅଛି; କିମ୍ବା snow-ba)] ଖେଳୁଥିବା ବେଳେ ‘ଚାଲି’ ଓ ‘କେଟୀ’ଙ୍କ ମଧ୍ୟରେ ଘଟିଥିବା ବିବାଦର ବର୍ଣ୍ଣନା ଅନ୍ୟ ଏକ ଗଳ୍ପରେ ଅଛି । ଇଂରେଜ ସନ୍ତାନଙ୍କ ନିକଟରେ ଏହି ଗଳ୍ପବର୍ଣ୍ଣିତ ଘଟଣା ବେଶ୍ ପରିଚିତ, ତେଣୁ ଅତ୍ୟନ୍ତ ଚିତ୍ତାକର୍ଷକ ଓ ଆନନ୍ଦଦାୟକ । କିନ୍ତୁ ଆମ ପିଲାମାନେ ସେଗୁଡ଼ିକ ପଢ଼ିବାବେଳେ ସେମାନଙ୍କ ମନରେ କୌଣସି ସ୍ମୃତିର ଉଦୟ ହୁଏ ନାହିଁ, ଚକ୍ଷୁ ସମକ୍ଷରେ କୌଣସି ଚିତ୍ର ତାହା ଉନ୍ମୋଚନ କରେ ନାହିଁ । ଏହି ପୁସ୍ତକଗୁଡ଼ିକ ପଢ଼ିଲାବେଳେ ଆମର ପିଲମାନେ ଅନ୍ଧକାର ମଧ୍ୟରେ ଇତସ୍ତତଃ ହେଲା ପରି ବୋଧ କରନ୍ତି ।

 

ପୁଣି ଅନ୍ୟ ଏକ ଅସୁବିଧା ଶିକ୍ଷକମାନଙ୍କ ସମ୍ପର୍କରେ ଦେଖାଦିଏ । ଆମ ବିଦ୍ୟାଳୟମାନଙ୍କରେ ନିମ୍ନ ଶ୍ରେଣୀରେ ପଢ଼ାଉଥିବା ଶିକ୍ଷକମାନେ ସେମାନଙ୍କ କର୍ମ ନିମନ୍ତେ ଯଥେଷ୍ଟ ଶିକ୍ଷାପ୍ରାପ୍ତ ସିନା କିନ୍ତୁ ଅଭିଜ୍ଞ ନୁହଁନ୍ତି । ସେମାନଙ୍କ ମଧ୍ୟରୁ କେହି କେହି ମାଟ୍ରିକ୍ ପରୀକ୍ଷାରେ ପାସ୍ କରିଛନ୍ତି, କେହି ବା ମାଟ୍ରିକ୍ ଫେଲ୍, ଇଂରାଜୀ ଭାଷା ଓ ସାହିତ୍ୟର ପର୍ଯ୍ୟାପ୍ତ ଜ୍ଞାନ ସେମାନଙ୍କର ନାହିଁ, ପୁଣି ଇଂରେଜ ଜାତିର ଜୀବନ, ଭାବଧାରା ସମ୍ପର୍କରେ ସେମାନେ ଅଜ୍ଞ । ତଥାପି ଇଂରେଜି ଶିକ୍ଷା ସହ ଆମର ପ୍ରଥମ ପରିଚୟ ସେମାନେ ଘଟାଇଥାନ୍ତି । ସେମାନେ ଭଲ ଇଂରାଜୀ ଜାଣନ୍ତି ନାହିଁ, ଭଲ ବଙ୍ଗଳା ମଧ୍ୟ ନୁହେ– ଶିଶୁମାନଙ୍କୁ ଭୁଲ ପଢ଼ାଇବାହିଁ ସେମାନଙ୍କ ପକ୍ଷରେ ଅତି ସହଜ କାର୍ଯ୍ୟ ।

 

ବିଚରା ଶିକ୍ଷକଙ୍କୁ ଦୋଷଦେଇ ଲାଭ ନାହିଁ । ‘The horse is a noble animal’ ମନେ କରାଯାଉ ଏହି ବାକ୍ୟଟିକୁ ବଙ୍ଗଳାରେ ପ୍ରକାଶ କରିବାକୁ ହେବ । ଏହା କିପରି କରାଯିବ ? ଏକ କାଳରେ ଉଭୟ ଭାଷା ପ୍ରତି କିପରି ବା ବିଶ୍ୱସ୍ତତା ପ୍ରଦର୍ଶନ କରାଯାଇ ପାରିବ ? ଘୋଡ଼ା ଗୋଟିଏ ମହତ୍ ପ୍ରାଣୀ, ଘୋଡ଼ା ଅତି ଉଚ୍ଚଦରର ଜାନୁଆର, ଘୋଡ଼ା ଜନ୍ତୁଟି ଖୁବ୍ ଭଲ– କଥାଟା କୌଣସି ପ୍ରକାରେ ସେପରି ମନଃପୂତ ହେଉ ନାହିଁ । Noble ଶବ୍ଦର ତର୍ଜମା କରି ଯେତୋଟି ବଙ୍ଗଳା ଶବ୍ଦ କୁହାଯାଏ, ପ୍ରାୟ କେହି ଠିକ୍ ନୁହଁ, କିନ୍ତୁ ଶେଷରେ ଠକିବା ଛଡ଼ା ଅନ୍ୟ ଉପାୟ ନାହିଁ । ତେଣୁ ଶିକ୍ଷକ ଯଦି ଶେଷରେ ଏ ଧରଣର ଫାଙ୍କି ଦେବା ପଦ୍ଧତିର ଆଶ୍ରୟ ନିଅନ୍ତି, ତାଙ୍କୁ ପ୍ରକୃତରେ ଦୋଷ ଦିଆଯିବ ନାହିଁ ।

 

ଫଳରେ ଛାତ୍ର କିଛି ଶିଖେ ନାହିଁ । କେବଳ ବଙ୍ଗଳା ଭାଷା ଶିଖୁଥିଲେ ସେ ରାମାୟଣ ଓ ମହାଭାରତ ପଢ଼ି ଆସ୍ୱାଦନ କରିବାକୁ ସମର୍ଥ ହୁଅନ୍ତା । ବିଦ୍ୟାଳୟକୁ ଆଦୌ ଯାଉ ନ ଥିଲେ ଖେଳି, ଗଛଚଢ଼ି, ନଦୀ ଓ ପାଖରୀରେ ପହଁରି, ଫୁଲତୋଳି ପ୍ରକୃତି ଜନନୀ ଉପରେ ଅଜସ୍ର ଦୌରାତ୍ମ୍ୟ କରିବାକୁ ପ୍ରଚୁର ଅବସର ପାଇ ତାର ବାଲ୍ୟ ପ୍ରକୃତିର ପୂର୍ଣ୍ଣ ପରିତୃପ୍ତି ଘଟିଥାନ୍ତା, ଶରୀରର ପୃଷ୍ଟି ଓ ମନର ଉଲ୍ଲାସ ଲାଭ କରିବାକୁ ସେ ସମର୍ଥ ହୋଇଥାନ୍ତା । କିନ୍ତୁ ଇଂରାଜୀ ଶିଖିବାକୁ ଯାଇ, ଏଥିଲାଗି ରୀତିମତି କସରତ କରି ସେ ହୁଏତ ଏହାକୁ ଶିଖିଲା ନାହିଁ, କିମ୍ବା ନିଜକୁ ଉପଭୋଗ କରିବାକୁ ସମର୍ଥ ହେଲା ନାହିଁ । ସାହିତ୍ୟର କଳ୍ପନା-ରାଜ୍ୟରେ ପ୍ରବେଶ କରିବାର ପଥ ରୁଦ୍ଧ ହେଲା, ପ୍ରକୃତିର ସତ୍ୟ ରାଜ୍ୟରେ ବିଚରଣ କରିବାର ଅବକାଶ ଆଉ ତାର ରହିଲ ନାହିଁ ।

 

ଦୁଇଟି ଜଗତ ମନୁଷ୍ୟର ବିହାରକ୍ଷେତ୍ର । ଗୋଟିଏ ତାର ଅନ୍ତରର ଅନ୍ୟଟି ବାହରର । ଏହି ଉଭୟ ତାକୁ ଜୀବନ, ସ୍ୱାସ୍ଥ୍ୟ ଓ ବଳଦାନ କରନ୍ତି; ରୂପ, ବର୍ଣ୍ଣ ଓ ଗନ୍ଧ, ଗତି ଓ ଗୀତି, ପ୍ରୀତି ଓ ପ୍ରଫୁଲ୍ଲତାରେ ତାକୁ ସର୍ବଦା ହିଲ୍ଲୋଳିତ ଏବଂ ସମ୍ପୂର୍ଣ୍ଣ ବିକଶିତ କରନ୍ତି । ଏହି ଦୁଇ ମାତୃଭୂମିରୁ ଆମର ହତଭାଗ୍ୟ ଶିଶୁମାନେ ନିର୍ବାସିତ ହୋଇ ଏକ ବିଦେଶୀ କାରାଗାରରେ ଶୃଙ୍ଖଳାବଦ୍ଧ ହୋଇଛନ୍ତି । ଈଶ୍ୱର ପିତା ମାତାଙ୍କର ଦୃଦୟରେ ସ୍ନେହ ପୂର୍ଣ୍ଣ କରିଛନ୍ତି କାରଣ ଶିଶୁମାନେ ତାର ପୂର୍ଣ୍ଣ ଅଧିକାରୀ ହେବେ । ସେ ଜନନୀର ବକ୍ଷ କୋମଳ କରିଛନ୍ତି କାରଣ ତାହା ଶିଶୁମାନଙ୍କର ଆଶ୍ରୟସ୍ଥଳ ହେବ ! ଶିଶୁମାନ ଆକାରରେ କ୍ଷୁଦ୍ର ତଥାପି ସମସ୍ତ ଗୃହର ସକଳ ଶୂନ୍ୟସ୍ଥାନ ଅଧିକାର କରି ମଧ୍ୟ ସେମାନଙ୍କର ଖେଳଲାଗି ସ୍ଥାନ ଅଣ୍ଟେ ନା । ସେହି ଶିଶୁମାନଙ୍କୁ ସେମାନଙ୍କର ବାଲ୍ୟକାଳଯାପନ ନିମନ୍ତେ ଆମେ ଗୋଟିଏ ବିଦେଶୀ ଭାଷାର ବ୍ୟାକରଣ ଓ ଶବ୍ଦକୋଷ ମଧ୍ୟରେ ଆବଦ୍ଧ ରଖୁଛୁ । ଯାହା ମଧ୍ୟରେ ଜୀବନ, ଆନନ୍ଦ, ଅବକାଶ ଓ ନବୀନତା ନାହିଁ ଏବଂ ଯଥେଷ୍ଟ ସ୍ଥାନର ମଧ୍ୟ ଅଭାବ ସେପରି ସ୍କୁଲ ଘରର ଅତି ଶୁଷ୍କ କଠିନ ସଂକୀର୍ଣ୍ଣତା ମଧ୍ୟରେ ଆଜି ଶିଶୁମାନେ ଅବସ୍ଥାପିତ ।

 

ଏକ ବୟସରୁ ଅନ୍ୟ ଏକ ବୟସ ପର୍ଯ୍ୟନ୍ତ ସର୍ବଦା ଗୋଟିଏ ଯୋଗସୂତ୍ର ରହିଛି । ଶୈଶବ କ୍ରମେ କ୍ରମେ ଯୌବନରେ ପରିଣତ ହୁଏ ଏହି ଚିର ପରିଚିତ କଥା ନୂତନ କରି କହିବା ବାହୁଲ୍ୟମାତ୍ର ! ଜଗତର କର୍ମକ୍ଷେତ୍ରରେ ପ୍ରବେଶ କରିଥିବା ବୟସ୍କ ଲୋକ ନିମନ୍ତେ କେତେକ ମାନସିକ ଗୁଣ ଅତ୍ୟାବଶ୍ୟକ । କିନ୍ତୁ ଏହି ଶକ୍ତିଗୁଡ଼ିକ ଯେ ସଙ୍ଗେ ସଙ୍ଗେ ମିଳିଯାଏ ତାହା ନୁହେଁ, ସେଗୁଡ଼ିକର ବିକାଶ ଆବଶ୍ୟକ । ହସ୍ତ ପଦ ପରି ଆମର ମାନସିକ ଗୁଣାବଳୀ ଜୀବନର ପ୍ରତ୍ୟେକ ସ୍ତରରେ ଆବଶ୍ୟକତା ଅନୁପାତରେ ବର୍ଦ୍ଧିତ ହେଉଥାଏ । ସେମାନେ ପ୍ରସ୍ତୁତ ସାମଗ୍ରୀ ତୁଲ୍ୟ ନୁହଁନ୍ତି, ପ୍ରୟୋଜନ ସମୟରେ ସେମାନଙ୍କୁ ବଜାରରୁ କିଣାଯିବା ସମ୍ଭବ ହେବ ନାହିଁ ।

 

ଜୀବନଯାତ୍ରା ନିର୍ବାହ ନିମନ୍ତେ ଚିନ୍ତାଶକ୍ତି ଓ କଳ୍ପନାଶକ୍ତି ଦୁଇଟି ଯେ ଅତ୍ୟାବଶ୍ୟକ ଏଥିରେ ସନ୍ଦେହ ନାହିଁ । ପ୍ରକୃତ ମନୁଷ୍ୟ ଭାବରେ ବଞ୍ଚିରହିବାକୁ ହେଲେ ଏହି ଦୁଇ ଶକ୍ତିକୁ ଜୀବନରୁ ବାଦ-ଦେଲେ ଚଳିବ ନାହିଁ । ବାଲ୍ୟକାଳରୁ ସେଗୁଡ଼ିକ ଅଭ୍ୟାସ ନ କଲେ ପରିଣତ ବୟସରେ ସେଗୁଡ଼ିକୁ ଲାଭ କରିବା କଷ୍ଟକର ।

 

ଆମର ବର୍ତ୍ତମାନ ଶିକ୍ଷାପଦ୍ଧତି ଆମକୁ ଚିନ୍ତା ଓ କଳ୍ପନାର ଅଭ୍ୟାସ ନିମନ୍ତେ ଅବସର ଦେଇ ନ ଥାଏ । ଆମ ବାଲ୍ୟକାଳର ବହୁବର୍ଷ ଗୋଟିଏ ବିଦେଶୀ ଭାଷା ଶିକ୍ଷାରେ ବ୍ୟୟିତ ହୁଏ ଏବଂ ଏହି ଶିକ୍ଷା ସାଧାରଣତଃ ଆମେ ଅଳ୍ପ ଶିକ୍ଷିତ ଶିକ୍ଷକମାନଙ୍କଠାରୁ ଲାଭ କରୁ । ଇଂରାଜୀ ଭାଷା ଶିକ୍ଷା କରିବା ଅତ୍ୟନ୍ତ କଷ୍ଟକର, ପୁଣି ଇଂରେଜୀ ଚିନ୍ତା ଓ ଅନୁଭୂତି ସଙ୍ଗରେ ଆମକୁ ସୁପରିଚିତ କରାଇବା ଅଧିକ ଆୟାସସାଧ୍ୟ । ଏଥିପାଇଁ ବହୁସମୟ ଲାଗେ ଏବଂ ଏହି ସମୟରେ ଆମର ଚିନ୍ତାଶକ୍ତି ଉପଯୁକ୍ତ ପ୍ରକାଶର କ୍ଷେତ୍ର ନ ପାଇ ନିଶ୍ଚେଷ୍ଠ ଭାବରେ ରହେ ।

 

ଗୃହ ନିର୍ମାଣର ସାମଗ୍ରୀ ସ୍ତୁପାକାରରେ ଜମାଇ ଘର ନିର୍ମାଣ ନ କରିବା ଯାହା, ପଡ଼ିବା ସଙ୍ଗେ ସଙ୍ଗେ ଚିନ୍ତା ନ କରିବାହିଁ ତାହା । ପର୍ବତ ପ୍ରମାଣ ସୁରକି, ଚୂନ, ବାଲି, ଇଟା, କଡ଼ି ଓ ବରଗା ଜମା କଲା ପରେ ବିଶ୍ୱବିଦ୍ୟାଳୟରୁ ହଠାତ୍ ହୁକୁମ ଆସିଲା ତିନିତାଲା ଘରର ଛାତ ପ୍ରସ୍ତୁତ କର । ତେଣୁ ସଙ୍ଗେ ସଙ୍ଗେ ସେହି ଉପକରଣ ସ୍ତୁପ ଉପରେ ଚଢ଼ି ଦୁଇ ବର୍ଷ ପର୍ଯ୍ୟନ୍ତ ତାକୁ ଅବିଶ୍ରାନ୍ତ ପିଟାପିଟି କରି କୌଣସି ପ୍ରକାରେ ଆମେ ଏହାକୁ ସମତଳ କରିଦେଲୁ ଏବଂ କେତେକ ପରିମାଣରେ ତାହା ଘରର ଛାତ ପରି ମଧ୍ୟ ଦେଖାଗଲା । କିନ୍ତୁ ଏହି ସ୍ତୂପକୁ କଅଣ ଅଟ୍ଟଳିକା କୁହାଯିବ ? ଏହା ମଧ୍ୟରେ ବାୟୁ ଓ ଆଲୋକ ପ୍ରବେଶ କରିବାର କଅଣ କୌଣସି ବାଟ ଅଛି ? ଚିରଜୀବନ ନିମନ୍ତେ ବାସଯୋଗ୍ୟ କୌଣସି ଆଶ୍ରୟ ଏହା ମଧ୍ୟରେ ମନୁଷ୍ୟ ପାଇଁ କଅଣ ରହିଛି ? ଏହାର କଣ କୌଣସି ଶୃଙ୍ଖଳା; ସୌନ୍ଦର୍ଯ୍ୟ ଓ ସାମଞ୍ଜସ୍ୟ ଅଛି ?

 

ଆମ ଦେଶରେ ମାନସିକ ଅଟ୍ଟାଳିକା ନିର୍ମାଣର ଉପଯୁକ୍ତ ମାଲମସଲା ବର୍ତ୍ତମାନ ବହୁପରିମାଣରେ ସଂଗୃହୀତ ହୋଇଅଛି ଏଥିରେ ସନ୍ଦେହ ନାହିଁ । ଏ ଦେଶର ଇତିହାସରେ କେବେହେଲେ ଏତେ ଉପାଦାନ ଏକତ୍ର ଆମ ଆୟତ୍ତରେ ନ ଥିଲା । କିନ୍ତୁ, କେବଳ ସଂଗ୍ରାମ କରିବାକୁ ଶିଖିଲେ ଯେ ନିର୍ମାଣର ଶିକ୍ଷା ଲାଭ କରାଗଲା, ଏ ଧରଣର ଚିନ୍ତା କରି ଆମେ ଭୁଲ କରିବା ଅନୁଚିତ । ସଂଗ୍ରହ ଓ ନିର୍ମାଣ କର୍ମ ଏକ ସଙ୍ଗରେ ଧୀରେ ଧୀରେ ସମ୍ପନ୍ନ ହେଲେ ସୁଫଳ ଫଳିବା ନିଶ୍ଚିତ ।

 

ତେଣୁ ପୁଅକୁ ମଣିଷ କରିବାକୁ ଇଚ୍ଛା କଲେ ପିଲାବେଳରୁ ସେ ଯେପରି ମନୁଷ୍ୟ ହୁଏ ତାର ଯତ୍ନନେବାକୁ ହେବ । ତା ନ ହେଲେ ସେ ଚିରକାଳ ପିଲା ହୋଇ ରହିଯିବ, ମଣିଷ ହୋଇ ପାରିବ ନାହିଁ । ତାକୁ କୁହାଯିବ ଯେ କେବଳ ସ୍ମରଣ ଶକ୍ତି ଉପରେ ପୂର୍ଣ୍ଣ ନିର୍ଭର କରବା ଉଚିତ ନୁହେଁ । ଚିନ୍ତାଶକ୍ତି ଓ କଳ୍ପନାଶକ୍ତିର ସ୍ୱାଧୀନ ପରିଚାଳନା ନିମନ୍ତେ ତାକୁ ଯଥେଷ୍ଟ ସୁଯୋଗ ଦେବାକୁ ହେବ । କେବଳ ଲଙ୍ଗଳ ଦ୍ୱାରା ଚାଷ ବା ମଈ ସାହାଯ୍ୟରେ ଟେକା ଭାଙ୍ଗିଦେଲେ ଭଲ ଫସଲ ହେବ ନାହିଁ– ଏହା ସଙ୍ଗକୁ ଜମିରେ ଉତ୍ତମରୂପେ ଜଳ ଯୋଗାଇବା ବ୍ୟବସ୍ଥା ଭଲ ଫସଲ ଆମଦାନୀ ଲାଗି ଆବଶ୍ୟକ, ବିଶେଷତଃ ଉତ୍ତମ ଜଳଯୁକ୍ତ ମୃତ୍ତିକାରେ ଧାନ ଫସଲ ଭଲ ଉତ୍ପନ୍ନ ହୁଏ । ଚାଷର ଏକ ବିଶେଷ ଅବସ୍ଥାରେ ଧାନ ଲାଗି ପାଣି ଦରକାର । ସେହି ଅଧିକ ଦରକାର ବେଳରେ ବର୍ଷା ନ ହେଲେ ଫସଲ ନଷ୍ଟ ହୋଇଯିବ । ସେ ବେଳ ଗଡ଼ିଗଲେ ହଜାର ବର୍ଷା ହେଲେ ସୁଦ୍ଧା ଫସଲର ଲାଭ ନାହିଁ । ସେପରି ଶୈଶବ ଓ ବୟୋବିକାଶର ବିଶେଷ ଅବସ୍ଥାରେ ସାହିତ୍ୟର ପ୍ରେରଣା ମନୁଷ୍ୟର ବିକାଶ ନିମନ୍ତେ ଆବଶ୍ୟକ । ସେହି ପ୍ରେରଣା ଦ୍ୱାରା ଚାଳିତ ହୋଇ ତାର ଚିତ୍ତ ଓ ହୃଦୟର ସୂକ୍ଷ୍ମ ଭାବନା ଓ କଳ୍ପନାସମୂହ ଜଗତରେ ପ୍ରକାଶିତ ହେବ । ସେ ସ୍ୱାସ୍ଥ୍ୟ ଓ ଶକ୍ତିରେ କ୍ରମବିକାଶ ଲାଭ କରିବ । କିନ୍ତୁ ଶୁଷ୍କ ଓ ମଳିନ ବ୍ୟାକରଣ ଏବଂ ଶବ୍ଦକୋଷ ଅଧ୍ୟୟନ କରିବାରେ ସେହି ବିଶେଷ ମୁହୂର୍ତ୍ତ ନିୟୋଜିତ ହେଲେ ତାର ଚିତ୍ତବୃତ୍ତି ଅବିକଶିତ ରହିଯିବ । ପରେ ଇଉରୋପୀୟ ସାହିତ୍ୟର ନବ ନବ ଜୀବନ୍ତ ସତ୍ୟ, ବିଚିତ୍ର କଳ୍ପନା ଓ ଉନ୍ନତ ଭାବ ସମ୍ପଦର ଜଳଧାରା ଜୀବନର ଅବଶିଷ୍ଟ କାଳଯାଏ ତା ଉପରେ ମୁଷଳଧାରାରେ ବୃଷ୍ଟି କରାଇଲେ ସୁଦ୍ଧା ସାହିତ୍ୟର ଅନ୍ତର୍ନିହିତ ଜୀବନୀଶକ୍ତି ଆଉ ସେ ଜୀବନରେ ଅନୁଭବ କରିବାକୁ ସମର୍ଥ ହେବ ନାହିଁ ।

 

ଆମ ଜୀବନର ସେହି ମାହେନ୍ଦ୍ରବେଳା ନୀରସ ଶିକ୍ଷାରେ ଅତୀତ ହୋଇଯାଏ । ବାଲ୍ୟକାଳରୁ କୈଶୋର, କୈଶୋରରୁ ଯୌବନ କାଳରେ ପ୍ରବେଶ କରି ଆମେ କେବଳ ବିଦ୍ୟାଦେବୀ ସରସ୍ୱତୀଙ୍କ ସମ୍ରାଜ୍ୟରେ ମଜୁରୀଦାର ରୂପ ଜୀବନ କଟାଉ, ଆମ ପୃଷ୍ଠର ମେରୁଦଣ୍ଡ ବକ୍ର କରି ଶବ୍ଦର ବିରାଟ ଭାର ବହନ କରୁ । ଯଦି ବା ଇଂରାଜୀ ଭାବରାଜ୍ୟ ମଧ୍ୟରେ କୌଣସି ପ୍ରକାରେ ପ୍ରବେଶ କରିବାକୁ ସମର୍ଥ ହେଉ, ତାକୁ ନିଜର ଘରଭଳି ଆମେ ମନେକରୁନା ! ଭାବଗୁଡ଼ିକ କୌଣସି ପ୍ରକାରେ ବୁଝିପାରିଲେ ସୁଦ୍ଧା ସେଗୁଡ଼ିକୁ ମର୍ମସ୍ଥଳରେ ଗ୍ରହଣ କରିବାକୁ ଅସମର୍ଥ ହେଉ । ବକ୍ତୃତା ଓ ଲେଖା ମଧ୍ୟରେ ସେଗୁଡ଼ିକୁ ବ୍ୟବହାର କଲେ ସୁଦ୍ଧା ଆମ ବ୍ୟବହାରିକ ଜୀବନରେ ସେଗୁଡ଼ିକର ପ୍ରୟୋଗ ସମ୍ଭବ ହୁଏ ନାହିଁ ।

 

ଏହିପରି ଆମ ଜୀବନର ପ୍ରଥମ କୋଡ଼ିଏ, ବାଇଶ ବର୍ଷ ଇଂରାଜୀ ପୁସ୍ତକର ଭାବ ଶିକ୍ଷା କରିବାରେ କଟିଯାଏ । କିନ୍ତୁ ଆମ ଜୀବନ ସହିତ ସେହି ଭାବଧାରାମାନଙ୍କର ଏକ ରାସାୟନିକ ମିଶ୍ରଣ କେବେହେଲେ ସମ୍ଭବ ହୋଇ ପାରେନାହିଁ । ଫଳତଃ ଆମ ମନର ଏକ ଅଦ୍‌ଭୂତ ରୂପ ପ୍ରକାଶିତ ହୁଏ । ସେହି ଭାବଧାରାମାନଙ୍କ ମଧ୍ୟରୁ କେତେକ ଆମ ମନର ଅଠାଲଗା କାଗଜ ପରି ଯୋଡ଼ି ହୋଇ ରହେ, କେତେକ କାଳକ୍ରମେ ଲିଭିଯାଏ । ଅସଭ୍ୟ ଜାତିର ଲୋକମାନେ ଯେପରି ଦେହରେ ରଙ୍ଗବୋଳି, ଚିତ୍ରଆଙ୍କି ପରମ ଗର୍ବ ଅନୁଭବ କରନ୍ତି, କନ୍ତୁ ଶରୀରର ସ୍ଵାଭବିକ ଉଜ୍ୱଳତା ଓ ଲବଣ୍ୟ ଆଚ୍ଛନ୍ନ ହୁଏ, ସେହପରି ଆମର ଅନ୍ତର୍ଜୀବନ ସହିତ ସମ୍ପର୍କ ନ ଥିବା ବିଲାତି ବିଦ୍ୟା ଆମ ଦେହରେ ବୋଳି ଦମ୍ଭ ସହକାରେ ପାଦ ପକାଇ ଆମେ ଏଣେ ତେଣେ ବୁଲୁ । ଆଦିମ ଅସଭ୍ୟ ରାଜାମାନେ ଇଉରୋପୀୟ ପୋଷାକ ପିନ୍ଧା ଏବଂ ଶସ୍ତା ବିଲାତି କାଚାମାଳାରେ ନିଜକୁ ସଜାଇ ହାସ୍ୟଜନକ ଦେଖାଗଲେ ସୁଦ୍ଧା ନିଜେ ତାହା ବୁଝି ପାରନ୍ତି ନାହିଁ । ଆମେ ମଧ୍ୟ ସେହିପରି କେତେଗୁଡ଼ିଏ ଶସ୍ତା ଚକମକ ବିଲାତି କଥା ନେଇ ଗର୍ବ ସହକାରେ ଅଗ୍ରସର ହେଉ । ବଡ଼ ବଡ଼ ବିଲାତି ଭାବଗୁଡ଼ିକ ହୁଏତ ସମ୍ପୂର୍ଣ୍ଣ ଅସ୍ଥାନରେ ଅସଙ୍ଗତରୂପେ ପ୍ରୟୋଗ କରୁ ତଥାପି ଅଜ୍ଞାତସାରରେ କି ଏକ ଅପୂର୍ବ ପ୍ରହସନର ଅଭିନୟ କରୁଛୁ ବୁଝି ପାରୁ ନା । ଆମକୁ ଅନାଇ କେହି ହସୁଥିବାର ଦେଖିଲେ ତତ୍‌କ୍ଷଣାତ୍ ବଡ଼ ବଡ଼ ନଜିର ଦେଖାଇ ଆମେ ନିଜ କର୍ମର ଯାଥାର୍ଥ୍ୟ ପ୍ରତିପାଦନ କରୁ ।

 

ଆମ ଜୀବନସହ ଶିକ୍ଷାର ସମ୍ପର୍କ ନ ଥିବାରୁ ପାଠ୍ୟପୁସ୍ତକରେ ଆମ ବାସଗୃହର ଉନ୍ନତି ଚିତ୍ର ମିଳେ ନା, ଆମ ସମାଜର ଆଦର୍ଶାବଳୀ ମଧ୍ୟ ପ୍ରଶଂସିତ ହୋଇ ନ ଥାଏ । ଆମର ଦୈନିକ ଜୀବନର କାର୍ଯ୍ୟକଳାପ ଏହି ପୁସ୍ତକର ପୃଷ୍ଠାମାନଙ୍କରେ ବର୍ଣ୍ଣିତ ହୁଏ ନାହିଁ, ଆନନ୍ଦସହକାରେ ଆମେ ସମ୍ବନ୍ଧ ସ୍ଥାପନ କରିଥିବା ଆମର ବନ୍ଧୁସୁହୃଦ, ଆମର ଆକାଶ ଓ ପୃଥିବୀ, ଆମର ପ୍ରଭାତ ଓ ପ୍ରଦୋଷ, ଆମର ଶସ୍ୟକ୍ଷେତ୍ର ଓ ସ୍ରୋତସ୍ୱିନୀ ଗୁଡ଼ିକର ଚିତ୍ର ସେଥିରେ ନ ଥାଏ । ଏପରି ଅବସ୍ଥାରେ ଶିକ୍ଷା ଓ ଜୀବନର କେବେ ହେଲେ ନିବିଡ଼ ମିଳନ ହୋଇ ପାରିବ ନାହିଁ । ଉଭୟ ମଧ୍ୟରେ ବ୍ୟବଧାନର ଏକ ପ୍ରାଚୀର ସୃଷ୍ଟି ହେବ । ଆମର ଶିକ୍ଷାକୁ ବୃଷ୍ଟିପାତ ସହ ତୁଳନା କରାଯାଇ ପାରେ, କିନ୍ତୁ ତାହା ଆମ ସମସ୍ତ ଜୀବନର ଚେରଠାରୁ ବହୁଦୂରରେ ଜଳଧାରା ବର୍ଷଣ କରିଅଛି । ବାଧା ଭେଦକରି ଯେତିକି ରସ ଆସି ନିକଟରେ ପହୁଞ୍ଚୁଛି ଆମ ଜୀବନର ଶୁଷ୍କତା ଦୂର କରିବା ପକ୍ଷରେ ତାହା ଯଥେଷ୍ଟ ନୁହେଁ ।

 

ଜୀବନଠାରୁ ଶିକ୍ଷାକୁ ବିଚ୍ଛିନ୍ନ କରି ରଖୁଥିବା ପ୍ରତିବନ୍ଧକ ଅତିକ୍ରମ କରିବା ଏ ଦେଶରେ ପ୍ରକୃତରେ କଷ୍ଟସାଧ୍ୟ । ଫଳତଃ, ସେମାନଙ୍କର ମିଳନ ଲାଭ ବିଡ଼ମ୍ବନା ମାତ୍ର । ତେଣୁ ଏହାର ପରିଣତି ରୂପେ ଉଭୟଙ୍କ ମଧ୍ୟରେ ଦୁରନ୍ତ ବୈରଭାବ କ୍ରମଶଃ ବୃଦ୍ଧିଲାଭ କରୁଛି । ସ୍କୁଲ ଓ କଲେଜରେ ଆମେ ସାହା ଶିଖୁ ଆମର ଚତୁସ୍ପାର୍ଶ୍ୱସ୍ଥ ଜୀବନର ପରିବେଶ ମଧ୍ୟରେ ତାହା ଗୋଟି ଗୋଟି କରି ଅସ୍ୱୀକୃତ ହୁଏ, ଅସଙ୍ଗତ ମନେ ହୁଏ, ଫଳତଃ ଏହା ପ୍ରତି ଆମର ଏକ ମୌଳିକ ଅଶ୍ରଦ୍ଧା ଓ ଅବିଶ୍ୱାସ ଜାତ ହୁଏ । ଆମେ ଅସତ୍ୟ ଶିଖୁଅଛୁ ଏବଂ ଇଉରୋପୀୟ ସଭ୍ୟତା ଏହାରି ଉପରେ ପୂର୍ଣ୍ଣ ପ୍ରତିଷ୍ଠିତ । ଭାରତୀୟ ସଭ୍ୟତା ପୂର୍ଣ୍ଣତଃ ସତ୍ୟାଶ୍ରୟୀ ଏବଂ ଆମର ଶିକ୍ଷା ଆମକୁ ସମ୍ମୋହିତ କରି ଏକ ପ୍ରବଞ୍ଚନା ଆଡ଼କୁ ନେଇଯାଉଅଛି, ଏହିପରି ଭାବନାକୁ ପ୍ରଶ୍ରୟ ଦେବାକୁ ଆମେ ଆରମ୍ଭ କରୁ । ଇଉରୋପୀୟ ବିଦ୍ୟା ଆମକୁ ଅନେକ ସମୟରେ ବିଫଳ କରାଉଛି, ଏହାର କାରଣ ସେହି ବିଦ୍ୟାର ଦୁର୍ବଳତା ମଧ୍ୟରେ ଖୋଜିବାକୁ ହେବ ନାହିଁ, ବରଂ ଆମ ଜୀବନର ପ୍ରତିକୂଳ ଅବସ୍ଥାହିଁ ଏଥିପାଇଁ ଦାୟୀ । ତଥାପି ଆମ୍ଭେମାନେ କହୁ ବିଲାତିପାଠ ଆମକୁ ଅକୃତକାର୍ଯ୍ୟ କରାଉଛି କାରଣ ଅକୃତକାର୍ଯ୍ୟତା ଏହାର ସ୍ୱାଭାବିକ ବୈଶିଷ୍ଟ୍ୟ । ଏହି ପାଠ ପ୍ରତି ଆମର ଅଶ୍ରଦ୍ଧା ଯେତେ ଅଧିକ ବଢ଼ୁଥିବ, ଆମ ନିମନ୍ତେ ଏହାର ଉପଯୋଗିତା ତେତିକି ହ୍ରାସପ୍ରାପ୍ତ ହେବ । ଫଳରେ ଆମ ଶିକ୍ଷା ଓ ଜୀବନ ମଧ୍ୟରେ ବିରୋଧ ତୀବ୍ର ହୋଇଅଛି । ଉଭୟେ ପରସ୍ପରଠାରୁ ଅଧିକ ଦୂରବର୍ତ୍ତୀ ହେଲେ, ଆମ ଜୀବନର ଦିନଗୁଡ଼ିକ ଆମ ନିମନ୍ତେ ରଙ୍ଗମଞ୍ଚ ତୁଲ୍ୟ ମନେହୁଏ ଓ ଏଠାରେ ସେମାନେ ପ୍ରହସନର ଦୁଇଟି ଚରିତ୍ର ପରି ପରସ୍ପରକୁ ବିଦ୍ରୂପ ଓ ତୀବ୍ର ପରିହାସ କରନ୍ତି ।

 

ଶିକ୍ଷାସହ ଜୀବନର ସାମଞ୍ଜସ୍ୟ ବିଧାନହିଁ ଆଜି ଆମର ପ୍ରଧାନତମ ସମସ୍ୟା, ଏହି ମିଳନ ବଙ୍ଗଭାଷା ଓ ସାହିତ୍ୟ ଦ୍ୱାରା ସାଧିତ ହୋଇ ପାରିବ । ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ‘ବଙ୍ଗଦର୍ଶନ’ ପତ୍ରିକା ବଙ୍ଗଦେଶର ଆକାଶରେ ଏକ ନୂତନ ପ୍ରଭାତତୁଲ୍ୟ ଅତ୍ମପ୍ରକାଶ କରିଥିଲା, ତାହା ଆମେ ସମସ୍ତେ ଜାଣୁ । ସମଗ୍ର ଶିକ୍ଷିତ ଶ୍ରେଣୀକୁ ଏହା କାହିଁକି ଏତେ ଅପୂର୍ବ ଆନନ୍ଦ ଓ ସନ୍ତୋଷ ଦେଇଥିଲା ? ଇଉରୋପର ଇତିହାସ, ଦର୍ଶନ ଓ ବିଜ୍ଞାନର ଏପର୍ଯ୍ୟନ୍ତ ଅଜ୍ଞାତ ଏପରି କିଛି ନୂତନ ତତ୍ତ୍ୱ, ନୂତନ ସତ୍ୟ ଏଥିରେ ପ୍ରକାଶିତ ହୋଇଥିଲା କି ? ଏହାର ଉତ୍ତର ହେଉଛି, ବଙ୍ଗ ଦର୍ଶନକୁ ଅବଲମ୍ବନ କରି ଜଣେ ପ୍ରବଳ ପ୍ରତିଭାସମ୍ପନ୍ନବ୍ୟକ୍ତି ଆମର ଶିକ୍ଷା ଓ ଜୀବନର ବ୍ୟବଧାନ ଭାଙ୍ଗି ଦେଇଥିଲେ ଏବଂ ବହୁଦିନ ପରେ ହୃଦୟ ସହିତ ଭାବର ଏକ ଆନନ୍ଦମୟ ସମ୍ମିଳନ ଘଟାଇଥିଲେ । ଏପର୍ଯ୍ୟନ୍ତ ଇଉରୋପୀୟ ସଂସ୍କୃତି ଆମ ମଧ୍ୟରେ ବୈଦେଶିକ ହୋଇ ରହିଥିଲା । ଶିକ୍ଷାର ‘ବଙ୍ଗଦର୍ଶନ’ ଏହି ପ୍ରବାସୀକୁ ସ୍ୱଗୃହମଧ୍ୟକୁ ଆଣିବାରୁ ଆମ୍ଭେମାନେ ନିଜକୁ ଏକ ନୂତନ ପ୍ରକାଶକ୍ଷମ ଆଲୋକର ଜ୍ୟୋତି ମଧ୍ୟରେ ଦେଖିବାକୁ ପାଇଲୁ । ‘ବଙ୍ଗଦର୍ଶନ’ର ଶିକ୍ଷାରେ ଆମେ ଆମ ଘରର ସ୍ତ୍ରୀଲୋକମାନଙ୍କୁ ସୂର୍ଯ୍ୟମୁଖୀ, କମଳିନୀରୂପେ ଦେଖିବାକୁ ସମର୍ଥ ହେଲୁ । ଚନ୍ଦ୍ରଶେଖର ଓ ପ୍ରତାପ ଚରିତ୍ର ମଧ୍ୟରେ ବଙ୍ଗୀୟ ପୁରୁଷତ୍ୱର ଅଦର୍ଶ ଏକ ଉଚ୍ଚତର ଭାବାଲୋକରେ ପ୍ରତିଷ୍ଠିତ ହେଲା, ଆମର ପ୍ରତିଦିନର କ୍ଷୁଦ୍ର ଜୀବନ ଉପରେ ଏକ ମହିମା ରଶ୍ମି ନିପତିତ ହେଲା ।

 

‘ବଙ୍ଗଦର୍ଶନ’ରୁ ଲାଭ କରିଥିବା ନୂତନ ଆନନ୍ଦର ଆସ୍ଵାଦ ହେତୁ ଶିକ୍ଷିତ ବଙ୍ଗୀୟମାନେ ଆଜିକାଲି ନିଜ ମାତୃଭାଷାରେ ଭାବପ୍ରକାଶ ନିମନ୍ତେ ଉତ୍ସାହୀ ହୋଇଛନ୍ତି । ଇଂରାଜୀଭାଷା କେବଳ ବ୍ୟବସାୟର ପ୍ରୟୋଜନ ମେଣ୍ଟାଇ ପାରେ କିନ୍ତୁ ତାହା ଭାବର, ସାହିତ୍ୟ ପ୍ରୟୋଜନର ଭାଷା ନୁହେ, ଏହା ସେମାନେ ବୁଝିଛନ୍ତି । ସେମାନେ ପ୍ରତ୍ୟକ୍ଷଭାବେ ଦେଖିଛନ୍ତି ଯେ ଏକାନ୍ତ ଯତ୍ନ ସହକାରେ ଇଂରାଜୀଭାଷା ଏ ଦେଶରେ ଶିକ୍ଷା କରାଯାଉଥିଲେ ସୁଦ୍ଧା ଆମ ଦେଶର ବର୍ତ୍ତମାନ ଯାହା କିଛି ସ୍ଥାୟୀ ସାହିତ୍ୟ ତାହା ସମସ୍ତ ବଙ୍ଗଳାରେ ହିଁ ଲିଖିତ ହୋଇଛି । ଏହାର ପ୍ରଧାନ କାରଣ, ସାହିତ୍ୟର ସ୍ଵାଧୀନ ଭାବୋଚ୍ଛ୍ୱାସ ଇଂରାଜୀଭାଷା ମଧ୍ୟରେ ସହଜରେ ପ୍ରକାଶ କରିବା ନିମନ୍ତେ ଜଣେ ବଙ୍ଗୀୟ ବ୍ୟକ୍ତି କେବେ ହେଲେ ଉକ୍ତ ଭାଷାରେ ସେପରି ଘନିଷ୍ଠ ଆତ୍ମୀୟ ଜ୍ଞାନ ଲାଭ କରିବାକୁ ସମର୍ଥ ହେବେ ନାହିଁ । ଇଂରାଜୀ ଭାଷାରେ ତାଙ୍କର ସେପରି ଦଖଲ ଆସିଥିଲେ ସୁଦ୍ଧା ସେ ବଙ୍ଗୀୟଭାବ ଓ ଅନୁଭୂତ ଇଂରାଜୀରେ ଜୀବନ୍ତରୂପେ ପ୍ରକାଶ କରି ପାରିବେ ନାହିଁ । ଯେଉଁ ସକଳ ଅସାଧାରଣ ସୁଷମା ଓ ବିଶେଷ ସ୍ମୃତି ଆମ୍ଭମାନଙ୍କୁ ସୃଷ୍ଟି କର୍ମ ନିମନ୍ତେ ପ୍ରେରଣା ଦିଏ, କିମ୍ବା ଯେଉଁ ସକଳ ସଂସ୍କାର ପୁରୁଷାନୁକ୍ରମେ ଆମର ମନକୁ ଏକ ବିଶେଷ ଗଠନ ଦାନ କରିଛି, ଏକ ବୈଦେଶିକ ଭାଷାରେ ସେଗୁଡ଼ିକ ଯଥାର୍ଥ ରୂପ ଲାଭ କରି ପାରିବ ନାହିଁ ।

 

ପୂର୍ବରୁ କହିଛି ଆମର ବାଲ୍ୟ ଓ ବୟଃପ୍ରାପ୍ତିକାଳ ଗୋଟିଏ ଭାଷା ଶିକ୍ଷାରେ ଅତିବାହିତ ହୁଏ, କିନ୍ତୁ ଏହାର ଅନ୍ତର୍ନିହିତ ଭାବଧାରା ମଧ୍ୟରେ ଆମର ପ୍ରବେଶ ଘଟେ ନାହିଁ । ଆମେ ବୟସ୍କ ହେଲେ ବିପରୀତ ଅବସ୍ଥା ଦେଖାଦିଏ । ସେତେବେଳେ ଭାବର ସାକ୍ଷାତକାର ଘଟିଲେ ସୁଦ୍ଧା ଏହାର ପ୍ରକାଶ ନିମନ୍ତେ ଭାଷାର ଅଭାବ ଆମେ ଅନୁଭବ କରୁ । ଏକଥା ମଧ୍ୟ ମୁଁ ପୂର୍ବରୁ ଉଲ୍ଳେଖ କରିଛି ଯେ ଜୀବନର ପ୍ରଥମ ଅବସ୍ଥାରେ ଭାଷାଶିକ୍ଷା ସଙ୍ଗେ ସଙ୍ଗେ ଭାବଶିକ୍ଷା ଅବିଚ୍ଛେଦ୍ୟାଭାବେ ବୃଦ୍ଧିପାଏ ନା ବୋଲି ଇଂରାଜୀ ସାହିତ୍ୟର ଯଥାର୍ଥ ନିକଟ ସଂସର୍ଗ ଆମ୍ଭେମାନେ କେବେହେଲେ ଲାଭ କରୁ ନାହୁଁ । ଏହି କାରଣରୁ ପରବର୍ତ୍ତୀ କାଳରେ ଆମର ଅନେକ ଶିକ୍ଷିତ ଲୋକ ଇଂରାଜୀ ସାହିତ୍ୟ ପ୍ରତି ଅସନ୍ତୋଷ ପ୍ରଦର୍ଶନ କରିଛନ୍ତି । ଏହି ଶିକ୍ଷିତ ଲୋକଙ୍କ ପ୍ରତି ଦୃଷ୍ଟି ଫେରାଇଲେ ଆମେ ଦେଖୁ, ସେମାନଙ୍କ ଚିନ୍ତାଧାରା କେବଳ ଇଂରାଜୀ ସହ ସଂପର୍କଚ୍ୟୂତ ନୁହେ, ମାତୃଭାଷାଠାରୁ ଦୂରରେ ପଡ଼ିଥିବାରୁ ତାହା ସହ ମଧ୍ୟ ଅସମ୍ପୃକ୍ତ । ବଙ୍ଗଳାଭାଷା ପକ୍ଷରେ ସେମାନେ ଆଗନ୍ତୁକ ଅଜ୍ଞାତ ବ୍ୟକ୍ତି ହୋଇଥିବାରୁ ଏହା ପ୍ରତି ସେମାନଙ୍କର ଅବଜ୍ଞା ମଧ୍ୟ ଜାତ ହୋଇଛି । ବଙ୍ଗଳା ଜାଣନ୍ତି ନାହିଁ, ଏକଥା ସ୍ପଷ୍ଟରୂପେ ପ୍ରକାଶ୍ୟଭାବରେ ସ୍ୱୀକାର ନ କରି ସେମାନେ କହନ୍ତି, ବଙ୍ଗଭାଷାରେ କ’ଣ କୌଣସି ଭାବ ପ୍ରକାଶ କରାଯାଇ ପାରେ ? ଏହା ଆମ୍ଭମାନଙ୍କ ଭଳି ଶିକ୍ଷିତ ଲୋକଙ୍କର ମନର ଉପଯୋଗୀ ଭାଷା ନୁହେ । ପ୍ରକୃତ କଥା ହେଉଛି, ଆୟତ୍ତର ଅତୀତ ହେଲେ ଅଙ୍ଗୁର ଖଟା ବୋଲି ଉପେକ୍ଷା କରିବା ପୁରୁଣା ନୀତିଟିର ଏହା ପୁନରାବୃତ୍ତି ମାତ୍ର ! ଯେଉଁ ଦିଗରୁ ଆମେ ଏ ଘଟଣାର ବିଚାର କରୁ ନା କାହିଁକି ଏହା ସ୍ପଷ୍ଟ ଯେ ଆମ ଜୀବନ, ଆମ ଭାବ ଓ ଭାଷା ମଧ୍ୟରେ ସାମଞ୍ଜସ୍ୟ ନାହିଁ । ଏହି ମୌଳିକ ଅନୈକ୍ୟ ହେତୁ ଆମ୍ଭେମାନେ ଦୃଢ଼ ଭାବରେ ଦଣ୍ଡାୟମାନ ହେବାକୁ ଅକ୍ଷମ, ଆମର ଆବଶ୍ୟକତାକୁ ସହଜରେ ମେଣ୍ଟାଇ ପାରୁ ନା, ଆମର ଉଦ୍ୟମରେ ସଫଳକାମ ହେବାକୁ ଅସମର୍ଥ । ଗୋଟିଏ ଗଳ୍ପ ଥରେ ପଢ଼ିଥିଲି, ଜଣେ ଦରିଦ୍ର, ଶୀତକାଳ ପାଇଁ ଉଷ୍ଣବସ୍ତ୍ର ଓ ଗ୍ରୀଷ୍ମକାଳ ଉପଯୋଗୀ ଶୀତଳବସ୍ତ୍ର କିଣିବାକୁ ଇଚ୍ଛା କରି ଭିକ୍ଷାଲବ୍‍ଧ ସମସ୍ତ ଧନ ସଞ୍ଚୟ କଲା । ତା’ର ସକଳ ଚେଷ୍ଟା ସତ୍ତ୍ୱେ ଗ୍ରୀଷ୍ମର ଲଘୁବସ୍ତ୍ର ନିମନ୍ତେ ସଞ୍ଚୟ କରିବା ପୂର୍ବରୁ ଗ୍ରୀଷ୍ମକାଳ ଅତୀତ ହୋଇଗଲା । ବର୍ଷ ବର୍ଷ ଧରି ଏହିପରି ତାର ଅସାମର୍ଥ୍ୟ ପ୍ରକାଶ ପାଇବାରୁ ଦେବତା କରୁଣା-ପରବଶ ହୋଇ ତାହାକୁ ଏକ ବର ଦେବାକୁ ଇଚ୍ଛା ପ୍ରକାଶ କଲେ । ମନୁଷ୍ୟଟି କହିଲା, ‘‘ମୋର ଏହି ପ୍ରାର୍ଥନା, ଭାଗ୍ୟ ବ୍ୟବଧାନର ସମାପ୍ତି ଘଟୁ ଏବଂ ମୁଁ ଯେପରି ଗ୍ରୀଷ୍ମକାଳରେ ଶୀତଳ ପୋଷାକ ଓ ଶୀତକାଳରେ ଗରମ ପୋଷାକ ଲାଭ କରିବାକୁ ସମର୍ଥ ହୁଏ-।’’

 

ଈଶ୍ୱରଙ୍କ ନିକଟରେ ଆମର ମଧ୍ୟ ସେହି ପ୍ରାର୍ଥନା । ଆମ ଶିକ୍ଷାର ବ୍ୟବଧାନ ଘୁଞ୍ଚିଲେ ଆମେ ଚରିତାର୍ଥ ହେବୁ ଏବଂ ଶୀତକାଳର ଶୀତବସ୍ତ୍ର, ଗ୍ରୀଷ୍ମକାଳରେ ଗ୍ରୀଷ୍ମବସ୍ତ୍ର ଲାଭ କରିବାକୁ ସମର୍ଥ ହେବୁ । ଈଶ୍ୱର ଆମ ଆବଶ୍ୟକତା ଉପଯୋଗୀ ସକଳ ପଦାର୍ଥ ଆମ ନିକଟରେ ରଖିଛନ୍ତି, କିନ୍ତୁ ଉପଯୁକ୍ତ ମୁହୂର୍ତ୍ତରେ ଉପଯୁକ୍ତ ପଦାର୍ଥମାନ ଆମେ ପାଇ ପାରୁ ନାହୁଁ । ସେହି କାରଣରୁ ପୂର୍ବ ଗଳ୍ପର ଭିକ୍ଷୁକ ତୁଲ୍ୟ ଆମ ଜୀବନର ଦୈନ୍ୟ । ତେଣୁ ବିଧାତାଙ୍କ ନିକଟରେ ଆମର ପ୍ରାର୍ଥନା, ଆମ କ୍ଷୁଧା କାଳରେ ଅନ୍ନ, ଶୀତ କାଳରେ ବସ୍ତ୍ର ସେ ଆମକୁ ଦିଅନ୍ତୁ । ଆସ, ପ୍ରାର୍ଥନା କରିବା, ଯେ ଆମର ଭାବ ସହିତ ଭାଷା ଓ ଶିକ୍ଷା ସହିତ ଜୀବନର ଐକ୍ୟ ସେ ବିଧାନ କରନ୍ତୁ ।

 

(୧୮୯୨)

Image

 

Unknown

ରାଷ୍ଟ୍ର ଓ ସମାଜ

 

ଆମ ଦେଶରେ ରାଜା ଯୁଦ୍ଧ ବିଗ୍ରହ, ରାଜ୍ୟରକ୍ଷା ଓ ବିଚାର କାର୍ଯ୍ୟ ସମ୍ପନ୍ନ କରୁଥିଲେ, କିନ୍ତୁ ଜଳଦାନଠାରୁ ବିଦ୍ୟାଦାନ ପର୍ଯ୍ୟନ୍ତ ଅନ୍ୟ ସକଳ ଦାୟିତ୍ୱ ସମାଜ ବହନ କରିଥିଲା । ଏହା ଅତ୍ୟନ୍ତ ଦକ୍ଷତା ସହକାରେ ସମ୍ପନ୍ନ ହେଉଥିବାରୁ ବିଭିନ୍ନ ଶତାବ୍ଦୀରେ ନୂତନ ନୂତନ ରାଜାଙ୍କର ରାଜତ୍ୱ ବନ୍ୟାତୁଲ୍ୟ ପ୍ରବାହିତ ହୋଇ ସୁଦ୍ଧା ଆମର ଆଧ୍ୟାତ୍ମିକ ଜୀବନ ନଷ୍ଟ କରି ଆମକୁ ପଶୁ ସମାନ କରି ପାରି ନାହିଁ କିମ୍ବା, ଆମ ସମାଜକୁ ଖଣ୍ଡେ ଖଣ୍ଡେ କରି ଆମକୁ ଲକ୍ଷ୍ମୀଛଡ଼ା କରିବାକୁ ସମର୍ଥ ହୋଇ ନାହିଁ ।

 

ରାଜା ରାଜା ମଧ୍ୟରେ କେବେ ଯୁଦ୍ଧର ଅନ୍ତ ନ ଥିଲା; କିନ୍ତୁ ବଂଶକୁଞ୍ଜର ପରିଷ୍କୃତ ସ୍ଥାନରେ, ଆମ୍ରୋଦ୍ୟାନର ଛାୟା ତଳେ, ଦେବାୟତନ ଓ ଅତିଥିଶାଳା ସ୍ଥାପିତ ହେବା ସଙ୍ଗେ ପୁଷ୍କରିଣୀ ଖନନ ମଧ୍ୟ ହୋଇଥିଲା । ଗୁରୁ ମହାଶୟ ଗ୍ରାମ୍ୟ ପାଠଶାଳାରେ ଶୁଭଙ୍କରୀ କଷାଉଥିଲେ, ଶାସ୍ତ୍ର ଅଧ୍ୟୟନ କେବେ ବନ୍ଦ ହେଉ ନ ଥିଲା ଏବଂ ଚଣ୍ଡୀ ମଣ୍ଡପରେ ରାମାୟଣ ପାଠ ଓ କୃଷ୍ଣକୀର୍ତ୍ତନର ସଙ୍ଗୀତ-ମାଧୁର୍ଯ୍ୟରେ ଗ୍ରାମ ପ୍ରାଙ୍ଗଣ ମୁଖରିତ ହେଉଥିଲା । ଆମର ଗ୍ରାମ୍ୟ ସମାଜ ବାହାରର ସାହାଯ୍ୟ ନିମନ୍ତେ ଅପେକ୍ଷା ରଖି ନ ଥିଲା କିମ୍ବା ବାହାରର ଉପଦ୍ରବରେ ଏହାର ଗଠନ-ସମୃଦ୍ଧି ଶ୍ରୀଭ୍ରଷ୍ଟ ହୋଇ ନ ଥିଲା ।

 

ଆଜି ଦେଶରେ ଜଳାଭାବ ନିମନ୍ତେ ଆମର ଅଭିଯୋଗ ଅପେକ୍ଷାକୃତ ଏକ ସାମାନ୍ୟ ବିଷୟ । ଏହି ଅଭାବର ମୂଳ କାରଣ ହିଁ ହେଉଛି ପ୍ରକୃତରେ ପରିତାପର ବିଷୟ । ଆଜି ସମାଜ ନିଜ ସମ୍ପର୍କରେ ସକଳ ଆଗ୍ରହ ହରାଇ ବସିଛି ଏବଂ ତାର ମନୋଯୋଗ ବହିର୍ଦିଗରେ ହିଁ ପରିଚାଳିତ ।

 

କୌଣସି ଗ୍ରାମ ପାର୍ଶ୍ୱଦେଇ ଅବିରତ ପ୍ରବାହିତ ହେଉଥିବା ନଦୀ ନିଜର ପୁରାତନ ଗତିପଥ ବଦଳାଇଲେ ଗ୍ରାମର ଜଳ ଯୋଗାଣ, ଶସ୍ୟ ଉତ୍ପାଦନ ବାଧାପ୍ରାପ୍ତ ହୁଏ, ସ୍ଵାସ୍ଥ୍ୟ ଓ ବାଣିଜ୍ୟ ନଷ୍ଟ ହୁଏ । ବଗିଚା ଜଙ୍ଗଲରେ ପରିଣତ ହୁଏ ଏବଂ ପୂର୍ବ ସମୃଦ୍ଧର ଭଗ୍ନାବଶେଷ ନିଜର ଜୀର୍ଣ୍ଣ ଭିତ୍ତିର ଛିଦ୍ର ମଧ୍ୟରେ ବଟ ଅଶ୍ୱତ୍‍ଥକୁ ପ୍ରଶ୍ରୟ ଦେଇ ପେଚା ଓ ବାଦୁଡ଼ିଙ୍କର ବିହାରସ୍ଥଳୀ ହୋଇଉଠେ ।

 

ମନୁଷ୍ୟର ଚିନ୍ତାସ୍ରୋତ ନଦୀର ପ୍ରବାହ ଅପେକ୍ଷା କମ୍ ଗୁରୁଢ୍ୱପୂର୍ଣ୍ଣ ନୂହେ । ଏହି ଚିନ୍ତା ପ୍ରବାହ ଚିରକାଳ ବଙ୍ଗଦେଶର ଛାୟାଶୀତଳ ଗ୍ରାମମାନଙ୍କରେ ଉତ୍ତମ ସ୍ୱାସ୍ଥ୍ୟ ଓ ଆନନ୍ଦ ରକ୍ଷା କରିବାରେ ସହାୟକ ହୋଇ ଆସିଥିଲା । କିନ୍ତୁ, ବର୍ତ୍ତମାନ ବଙ୍ଗଦେଶର ଚିତ୍ତଧାରା ବିକ୍ଷପ୍ତ । ସେହି କାରଣରୁ ତା’ର ଦେବାଳୟଗୁଡ଼ିକ ଜୀର୍ଣ୍ଣପ୍ରାୟ, ସଂସ୍କାର ନିମନ୍ତେ ଲୋକ ଅଭାବ; ତାହାର ଜଳାଶୟଗୁଡ଼ିକ ଦୁଷିତ–ପଙ୍କୋଦ୍ଧାର ନିମନ୍ତେ ଲୋକ ନାହାନ୍ତି; ଧନୀମାନଙ୍କର ଅଟ୍ଟାଳିକାଗୁଡ଼ିକ ପରିତ୍ୟକ୍ତ–ସେଠାରେ ଆନନ୍ଦଦାୟକ ଉତ୍ସବାଦି ଅନୁଷ୍ଠିତ ହୁଏ ନାହିଁ । ତେଣୁ ବର୍ତ୍ତମାନ ପାନୀୟଜଳ ଦାତା, ଉତ୍ତମ ସ୍ୱାସ୍ଥ୍ୟର କର୍ତ୍ତା ସରକାର ବାହାଦୁର, ବିଦ୍ୟାଦାନର ବ୍ୟବସ୍ଥା ନିମନ୍ତେ ଆମ୍ଭମାନଙ୍କୁ ବିନୀତ ଭାବରେ ଜାନୁପାତ ପୂର୍ବକ କର୍ତ୍ତୃପକ୍ଷଙ୍କର ଦ୍ୱାରସ୍ଥ ହେବାକୁ ପଡ଼ୁଛି । ଯେଉଁ ବୃକ୍ଷ ଦିନେ ଆପଣାର ପୁଷ୍ପ ପ୍ରସ୍ଫୁଟିତ କରୁଥିଲା, ଆଜି ନିଜର ସମସ୍ତ ଶୀର୍ଣ୍ଣ ଶାଖାପ୍ରଶାଖା ଟେକି ପୁଷ୍ପବୃଷ୍ଟି ନିମନ୍ତେ ତାହା ସ୍ୱର୍ଗଲୋକକୁ ଆବେଦନ ଜଣାଉଛୁ । ଯଦି ବା ତା’ର ଆବେଦନ ସଫଳ ହୁଏ ଏ ସମସ୍ତ ଆକାଶ କୁସୁମରେ ତା’ର ସାର୍ଥକତା କେତେଦୂର ପ୍ରକଟିତ ହେବ ?

 

ଇଂରାଜୀରେ ‘ଷ୍ଟେଟ’ କହିଲେ ଯାହା, ଆମ ଦେଶରେ ସରକାର ବା ‘ଗଭର୍ଣ୍ଣମେଣ୍ଟ’ କହିଲେ ତାହାକୁହିଁ ବୁଝାଏ । ଏହି ସରକାର ପ୍ରାଚୀନ ଭାରତବର୍ଷରେ ରାଜଶକ୍ତି ଆକାରରେ ଥିଲା । କିନ୍ତୁ, ବର୍ତ୍ତମାନ ବିଲାତର ଷ୍ଟେଟ ସଙ୍ଗରେ ଆମ ରାଜଶକ୍ତିର ପ୍ରଭେଦ ରହିଛି । ବିଲାତ ନିଜ ଦେଶର ସମସ୍ତ କଲ୍ୟାଣ କର କାର୍ଯ୍ୟ ଷ୍ଟେଟର ଦାୟିତ୍ୱରେ ଛାଡ଼ିଦିଏ—ଭାରତବର୍ଷ ତାହା ଏକ ସୀମାବଦ୍ଧ କ୍ଷେତ୍ରରେ କରିଥିଲା ମାତ୍ର ।

 

ଦେଶର ଯେଉଁ ଗୁରୁସ୍ଥାନୀୟ ବ୍ୟକ୍ତିମାନେ ସମସ୍ତ ଦେଶକୁ ବିନା ବେତନରେ ବିଦ୍ୟା ଓ ଧର୍ମଶିକ୍ଷା ଦାନ କରୁଥିଲେ ସେମାନଙ୍କୁ ରାଜାପାଳନ ଓ ପୁରଷ୍କୃତ ଯେ କରୁ ନ ଥିଲେ ତାହା ନୁହେ, କିନ୍ତୁ ତାଙ୍କର ଦାୟିତ୍ୱ ଆ°ଶିକ ଥିଲା, ପ୍ରକୃତ ଦାୟିତ୍ୱ ଥିଲା ଗୃହସ୍ଥ ଉପରେ । ରାଜା ଯଦି ସାହାଯ୍ୟ ବନ୍ଦ କରୁଥିଲେ କିମ୍ବା ହଠାତ୍ ଯଦି ଦେଶରେ ଅରାଜକତା ଦେଖା ଦେଉଥିଲା, ବିଦ୍ୟାଶିକ୍ଷା ଓ ଧର୍ମଶିକ୍ଷା ଏକାନ୍ତ ବାଧାପ୍ରାପ୍ତ ହେଉ ନ ଥିଲା । ରାଜା ପ୍ରଜାମାନଙ୍କ ନିମନ୍ତେ ପୁଷ୍କରିଣୀ ଯେ ଖନନ କରୁ ନ ଥିଲେ ତାହା ନୁହେ, କିନ୍ତୁ ସମାଜର ଜଣେ ସଙ୍ଗତିସମ୍ପନ୍ନ ବ୍ୟକ୍ତି ଅପେକ୍ଷା ସେ କ୍ୱଚିତ୍ ଅଧିକ କିଛି କରୁଥିଲେ । ଏକାକୀ ରାଜା ଅମନୋଯୋଗୀ ହେଲେ ଦେଶର ଜଳଧାରଗୁଡ଼ିକ ଶୁଷ୍କ ହୋଇଯାଉ ନ ଥିଲା ।

 

ଇଂଲଣ୍ଡରେ ଲେକମାନେ ନିଜର ଆରାମ, ଆମୋଦ, ଉପଭୋଗ ଓ ସ୍ଵାର୍ଥସାଧନରେ ସ୍ଵାଧୀନ । ସେମାନେ ସାମାଜିକ କର୍ତ୍ତବ୍ୟରେ ଭାରାକ୍ରାନ୍ତ ନୁହନ୍ତି । ସେମାନଙ୍କ ବଡ଼ ବଡ଼ କର୍ତ୍ତବ୍ୟଭାର ରାଜଶକ୍ତି ଉପରେ ନ୍ୟସ୍ତ । ଆମ ଦେଶରେ ରାଜଶକ୍ତି ଅପେକ୍ଷାକୃତ ସ୍ୱାଧୀନ–ପ୍ରଜାସାଧାରଣ ସାମାଜିକ କର୍ତ୍ତବ୍ୟ ଦ୍ୱାରା ଆବଦ୍ଧ । ରାଜା ଯୁଦ୍ଧ ବା ଶିକାର କରିବାକୁ ଯାଆନ୍ତୁ, ନିଷ୍ଠା ସହକାରେ ରାଜକାର୍ଯ୍ୟ ଚଳାନ୍ତୁ, ବା ଆମୋଦପ୍ରମୋଦପୂର୍ବକ ବିଳାସରେ ଦିନ କାଟନ୍ତୁ, ସେଥିଲାଗି ସେ ଧର୍ମର ବିଚାରରେ ଦାୟୀ, କିନ୍ତୁ ଲୋକମାନେ ନିଜ ସାମାଜିକ ମଙ୍ଗଳସାଧନ ନିମନ୍ତେ ତାଙ୍କ ଉପରେ ନିର୍ଭର କରୁ ନ ଥିଲେ । ସମାଜର କାର୍ଯ୍ୟ ସମାଜର ପ୍ରତ୍ୟେକ ବ୍ୟକ୍ତି ଉପରେ ନିର୍ଦ୍ଦିଷ୍ଟଭାବରେ ଅର୍ପିତ ହୋଇଥିଲା ।

 

ଫଳତଃ ‘ଧର୍ମ’ କହିଲେ ଆମ୍ଭେମାନେ ଯାହା ବୁଝୁ ତାହା ସମାଜର ସର୍ବତ୍ର ସଞ୍ଚାରିତ ହୋଇଥିଲା । ପ୍ରତ୍ୟେକ ମନୁଷ୍ୟ ଆତ୍ମସଂଯମର ଶୃଙ୍ଖଳା ଅଭ୍ୟାସ କରୁଥିଲେ, ପ୍ରତ୍ୟେକ ବ୍ୟକ୍ତି ଧର୍ମପାଳନ କରିବାରେ ବାଧ୍ୟ ଥିଲେ ।

 

ଭିନ୍ନ ଭିନ୍ନ ସଭ୍ୟତାର ପ୍ରାଣଶକ୍ତି ଭିନ୍ନ ଭିନ୍ନ ସ୍ଥାନରେ ପ୍ରତିଷ୍ଠିତ । ସାଧାରଣଙ୍କର କଲ୍ୟାଣଭାର ଯେଉଁଠାରେ କେନ୍ଦ୍ରୀଭୂତ, ସେହି ସ୍ଥାନହିଁ ଦେଶର ପ୍ରକୃତ ମର୍ମସ୍ଥାନ । ସେଠାରେ ଆଘାତ କଲେ ସମଗ୍ର ଦେଶ ସାଂଘାତିକ ଭାବରେ ଆହତ ହୁଏ । ବିଲାତରେ ରାଜଶକ୍ତି ବିପର୍ଯ୍ୟସ୍ତ ହେଲେ ସମଗ୍ର ଦେଶର ବିନାଶ ଉପସ୍ଥିତ ହୁଏ, ସେ କାରଣରୁ ସେଠାରେ ରାଜନୀତି ଏତେ ଅଧିକ ଗୁରୁତର ବିଷୟ । ଆମ ଦେଶରେ ସମାଜ ପଙ୍ଗୁ ହେଲେ ହିଁ ଦେଶର ସଙ୍କଟାବସ୍ଥା ଯଥାର୍ଥରୂପେ ଉପସ୍ଥିତ ହୁଏ । ତେଣୁ ରାଷ୍ଟ୍ରୀୟ ସ୍ଵାଧୀନତା ନିମନ୍ତେ ଆମ୍ଭେମାନେ ଏତେକାଳ ପ୍ରାଣପଣ ଉଦ୍ୟମ କରି ନାହୁଁ କିନ୍ତୁ ସାମାଜିକ ସ୍ୱାଧୀନତା ସର୍ବତୋଭାବେ ଆମେ ରକ୍ଷା କରିଅଛୁ । ନିଃସ୍ୱକୁ ଭିକ୍ଷାଦାନଠାରୁ ଆରମ୍ଭ କରି ସାଧାରଣଙ୍କୁ ଧର୍ମଶିକ୍ଷା ଦାନ ପର୍ଯ୍ୟନ୍ତ ସକଳ ବିଷୟରେ ଇଂଲଣ୍ଡ ଷ୍ଟେଟ ଉପରେ ନିର୍ଭର କରେ । କିନ୍ତୁ ଆମ ଦେଶରେ ଏହା ଲୋକମାନଙ୍କର କର୍ତ୍ତବ୍ୟବୋଧ ଉପରେ ପ୍ରତିଷ୍ଠିତ । ସେହି କାରଣରୁ ଇଂଲଣ୍ଡ ଷ୍ଟେଟକୁ ବଞ୍ଚାଇଲେ ହିଁ ବଞ୍ଚିବ, କିନ୍ତୁ ଆମେ ଆମର ସମାଜ ସଚେତନତାକୁ ରକ୍ଷା କରିଲେ ପ୍ରକୃତରେ ବଞ୍ଚି ପାରିବା ।

 

ଇଂଲଣ୍ଡ ସ୍ୱଭାବତଃ ଷ୍ଟେଟକୁ ଜାଗ୍ରତ ଓ ସଚେଷ୍ଟ ରଖିବାକୁ ସର୍ବଦା ନିଯୁକ୍ତ । ଆମ୍ଭେମାନେ ଇଂରାଜୀ ବିଦ୍ୟାଳୟମାନଙ୍କରେ ପଢ଼ି ସ୍ଥିର କରିଅଛୁ ଯେ ସକଳ ଅବସ୍ଥାରେ ସରକାରକୁ ଆଘାତ ଦେଇ ମନୋଯୋଗୀ କରାଇବା ହେଉଛି ଜନସାଧାରଣଙ୍କର ପ୍ରଧାନ କର୍ତ୍ତବ୍ୟ-। କନ୍ତୁ, ଅନ୍ୟର ଶରୀରରେ ପ୍ରଲୋପ ବୋଳି ନିଜ ବ୍ୟାଧିକୁ ଯେ କେବେ ଆରୋଗ୍ୟ କରି ପାରିବୁ ନାହିଁ ଏହା ଆମ୍ଭେମାନେ ଭୁଲି ଯାଇଅଛୁ ।

 

ଏହି ପ୍ରସଙ୍ଗରେ ଏକ ଯୁକ୍ତି ଏଠାରେ ଉତ୍ମାପିତ ହୋଇ ପାରେ ସାଧାରଣଙ୍କ କର୍ମଭାର ସାଧାରଣଙ୍କର ସର୍ବଙ୍ଗରେ ସଞ୍ଚାରିତ ହୋଇ ରହିବା ଉତ୍ତମ, ନା ତାହା ବିଶେଷ ଭାବରେ ସରକାର ନାମକ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଆବଦ୍ଧ ରହିବା ଶ୍ରେୟସ୍କର ? ମୁଁ ଜୋରଦେଇ କହିବାକୁ ଚାହେ ଯେ ଏ ଧରଣର ଆଲୋଚନା ଗୋଟିଏ ବିଦ୍ୟାଳୟର ତର୍କସଭା ପାଇଁ ଉପଯୁକ୍ତ, କିନ୍ତୁ ବର୍ତ୍ତମାନ ଆମ ନିମନ୍ତେ ଏହା ଉପାଦେୟ ନୁହେ । ବିଲାତି ଷ୍ଟେଟ ଲୋକମାନଙ୍କର ସମ୍ମତି ଓ ଶୁଭେଚ୍ଛା ଉପରେ ଦୃଢ଼ରୂପେ ସ୍ଥାପିତ ଓ ଏକ ସ୍ୱାଭାବିକ ନିୟମରେ ତାହା ଅଭିବ୍ୟକ୍ତ, ଆମ୍ଭେମାନେ ଏହା ବୁଝିବା ଉଚିତ । କେବଳ ତର୍କ ଦ୍ୱାରା ଆମ୍ଭେମାନେ ତାହା ଲାଭ କରି ପାରିବୁ ନାହିଁ । ଯେତେ ଉତ୍ତମ ହେଲେ ମଧ୍ୟ ଏହା ଆଜି ଆମ୍ଭମାନଙ୍କ ପକ୍ଷରେ ଅନଧିଗମ୍ୟ ।

 

ଆମ ଦେଶରେ ସମାଜ ସହିତ ସରକାରର ସମ୍ପର୍କ ନାହିଁ, ସମାଜ ସଂସ୍ଥାର ତାହା ବହିର୍ଭୂତ । ତେଣୁ ସରକାର ନିକଟରୁ ଆମେ ଯାହା କିଛି ପ୍ରତ୍ୟାଶା କରୁ, ସ୍ଵାଧୀନତାର ମୂଲ୍ୟ ଦେଇ ତାହା ଲାଭ କରିବାକୁ ପଡ଼ିବ । ସରକାରଙ୍କ ଉପରେ ଦାୟିତ୍ୱ ଲଦିଦେଲେ ସମାଜ ସେହି କର୍ମ ସମ୍ବନ୍ଧରେ ନିଜକୁ ଅକର୍ମଣ୍ୟ କରିବ । ଅଥଚ ଏହି ଅକର୍ମଣ୍ୟତା ଆମ ଦେଶର ସ୍ୱଭାବସିଦ୍ଧ ନୂହେ । ଆମ୍ଭେମାନେ ବହୁ ଜାତିର, ବହୁ ରାଜାଙ୍କର ଅଧୀନତା ସ୍ୱୀକାର କରିଅଛୁ, କିନ୍ତୁ ସମାଜ ଚିରଦିନ ନିଜର ସମସ୍ତ କାର୍ଯ୍ୟ ନିଜେ ସମ୍ପନ୍ନ କରି ଆସିଅଛି । ଛୋଟ ହେଉ ବା ବଡ଼ ହେଉ କୌଣସି ବିଷୟରେ, ଏହା ବାହାରର ଅନ୍ୟ କାହାକୁ ହସ୍ତକ୍ଷେପ କରିବାକୁ ପ୍ରଶୟ ଦେଇ ନାହିଁ । ସୁତରାଂ ରାଜଶ୍ରୀ ରାଜ୍ୟରୁ ନିର୍ବାସିତ ହେବା କାଳରେ ସମାଜଲକ୍ଷ୍ମୀ ବିଦାୟ ଗ୍ରହଣ କରି ନାହାନ୍ତି ।

 

ଆଜି ଆମ୍ଭେମାନେ ନିଜ ଇଚ୍ଛାରେ ସମାଜର ସକଳ ଦାୟିତ୍ୱ ଗୋଟି ଗୋଟି କରି ସରକାରଙ୍କ ହସ୍ତରେ ଅର୍ପଣ କରିବାକୁ ଉଦ୍ୟତ । କାଳକ୍ରମେ ଆମ ସମାଜ ମଧ୍ୟରେ ବହୁ ନବ ନବ ସମ୍ପ୍ରଦାୟର ଆବିର୍ଭାବ ଘଟିଅଛି । ସେମାନେ ହିନ୍ଦୁସମାଜ ମଧ୍ୟରେ ଥାଇ ନିଜର ବିଶେଷ ଆଚାର ବିଚାର ଓ ନିୟମର ପ୍ରବର୍ତ୍ତନ କରିଛନ୍ତି, ହିନ୍ଦୁସମାଜ କେବେହେଁ ସେମାନଙ୍କୁ ତିରସ୍କାର କରି ନାହିଁ । କିନ୍ତୁ, ଆଜି ସବୁକିଛି ଇଂରେଜଙ୍କ ଶାସନ ଆଇନରେ କଠିନ ଭାବରେ ଆବଦ୍ଧ, ସାମାନ୍ୟ ବିଚ୍ୟୁତି ମାତ୍ରେହିଁ ତାହାକୁ ଅହିନ୍ଦୁ ବୋଲି ଘୋଷଣା କରିବାକୁ ସମାଜ ବାଧ୍ୟ ହୋଇଅଛି । ନିଜ ଅନ୍ତର ମଧ୍ୟରେ ଯତ୍ନ ସହକାରେ ଯୁଗ ଯୁଗ ଧରି ରକ୍ଷା କରି ଆସିଥିବା ଆମ ସମାଜର ମର୍ମସ୍ଥାନ ଶେଷରେ ଅନାବୃତ ଓ ବାହ୍ୟ ଆକ୍ରମଣର ସମ୍ମୁଖୀନ ହୋଇ କେବଳ ବିପର୍ଯ୍ୟୟ ଓ ବିଶୃଙ୍ଖଳା ବରଣ କରିଅଛି । ଏହାହିଁ ବିପଦର ମୂଳ, ଜଳକଷ୍ଟ ପ୍ରଧାନ ବିପଦ ନୁହେ ।

 

(୨)

 

ଅତୀତ କାଳରେ ଯେଉଁମାନେ ରାଜଦରବାରରେ ବିଶେଷ ସମ୍ମାନ ଓ ପ୍ରତିଷ୍ଠା ଲାଭ କରିଥିଲେ, ଯେଉଁମାନଙ୍କ ମନ୍ତ୍ରଣା ଓ ସହାୟତା ଶାସକମାନଙ୍କର ଅପେକ୍ଷିତ ଥିଲା, ସେମାନଙ୍କ ଦୃଷ୍ଟିରେ ଏହି ରାଜପ୍ରାସାଦଜନିତ ସନ୍ତୋଷ ଯଥେଷ୍ଟ ନ ଥିଲା । ନିଜ ସମାଜର ସ୍ୱୀକୃତିକୁ ସେମାନେ ବଡ଼ ମନେକରୁଥିଲେ । ଅଖ୍ୟାତ ପଲ୍ଳୀର କୁଟୀର ଦ୍ୱାରରେ ସେମାନେ ସେହି ଚରମ ସମ୍ମାନ ନିମନ୍ତେ ଅପେକ୍ଷା କରୁଥିଲେ, ରାଜରାଜେଶ୍ୱରଙ୍କର ରାଜଧାନୀ ଦିଳ୍ଳୀ ଦରବାର ତାଙ୍କୁ ସେ ସମ୍ମାନ ଦେଇ ପାରୁ ନ ଥିଲା । ଜନସାଧାରଣଙ୍କର ନିକଟରୁ ଲବ୍‍ଧ ସମ୍ମାନ ରାଜପ୍ରଦତ୍ତ ସର୍ବୋଚ୍ଚ ଉପାଧି ଅପେକ୍ଷା ସେମାନଙ୍କ ନିକଟରେ ବଡ଼ ଥିଲା ।

 

ଦେଶ ଲୋକମାନେ ଧନ୍ୟ କହିବେ, ଏ ଧରଣର ସମ୍ମାନ ପ୍ରତି ଆମେ ଆଜି ଅଧିକ ଗୁରୁତ୍ୱ ଦେଉ ନାହୁଁ; ଫଳତଃ ଜନସାଧାରଣଙ୍କର ମଙ୍ଗଳ ଦିଗରେ ଆମ ଚେଷ୍ଟା ସ୍ଵାଭାବିକ ଭାବରେ ଗତି କରୁ ନାହିଁ । ବର୍ତ୍ତମାନ ସରକାରଙ୍କ ନିକଟରୁ ହୁଏତ ଆଶୀର୍ବାଦ ବା ଭିକ୍ଷା ଆମ ପକ୍ଷରେ ଅପରିହାର୍ଯ୍ୟ । ଦେଶର ଜଳକଷ୍ଟ ନିବାରଣ ନିମନ୍ତେ ଶାସକ, ଲୋକମାନଙ୍କୁ ତାଗିଦ ଦେଉଛନ୍ତି । ଆମ ହୃଦୟ ଇଂରେଜମାନଙ୍କ ନିକଟରେ ଦାସତ୍ୱର ସ୍ୱୀକୃତି ପ୍ରଦାନ କରିଅଛି, ଆମର ସୁରୁଚି ସାହେବୀ ଦୋକାନରେ ମଧ୍ୟ ବିକ୍ରୀତ ।

 

ମୁଁ ଭାବୁଛି ମୋରେ ଅନେକେ ଭୁଲ୍ ବୁଝି ପାରନ୍ତି । ସମସ୍ତେ ନିଜ ନିଜ ପଲ୍ଳୀମାଟି ଆବୋରି ପଡ଼ି ରହିବେ, ବିଦ୍ୟା, ସମ୍ମାନ ଓ ଧନ ଅର୍ଜନ ନିମନ୍ତେ ଗ୍ରାମ ବାହାରକୁ ଆସିବେ ନାହିଁ । ଏହା ମୁଁ କହୁ ନାହିଁ । ଯେଉଁ ଆକର୍ଷଣ ବଙ୍ଗାଳୀଜାତିକୁ ବାହାରକୁ ଟାଣୁଛି, ତା'ର ପ୍ରଚ୍ଛନ୍ନ ଶକ୍ତିକୁ ଉଦ୍‌ବୋଧିତ ଓ କର୍ମକ୍ଷେତ୍ରକୁ ପ୍ରସାରିତ କରି ଚିତ୍ତକୁ ବିସ୍ତୀର୍ଣ୍ଣ କରୁଅଛି ସେହି ଆକର୍ଷଣ ପ୍ରତି କୃତଜ୍ଞତା ଜ୍ଞାପନ ଛଡ଼ା ଆମର ଅନ୍ୟ ପନ୍ଥା ନାହିଁ । କିନ୍ତୁ, ଘର ଓ ବାହାରର ସ୍ଵାଭାବିକ ସମ୍ପର୍କ ଯେପରି ବିପର୍ଯ୍ୟସ୍ତ ନ ହୁଏ ତାହା ଆମ ଲେକମାନଙ୍କୁ ସ୍ମରଣ କରାଇଦେବାର ବେଳ ଆସି ପହଞ୍ଚିଛି । ବାହାରକୁ ଅର୍ଜ୍ଜନ କରିବାକୁ ଯିବାକୁ ହେବ ଏବଂ ସଞ୍ଚୟଲବ୍‍ଧ ଧନସହ ପ୍ରତ୍ୟାବୃତ୍ତ ହେବାକୁ ପଡ଼ିବ । ବାହାରେ ଶକ୍ତିର ବିନିଯୋଗ ଘଟିଲେ ସୁଦ୍ଧା ହୃଦୟ ସ୍ଵଦେଶରେ କେନ୍ଦ୍ରୀଭୂତ ହେବା ଆବଶ୍ୟକ । ଆମେ ବାହାରେ ଯାହା ଶିଖିବା ଘରେ ତାହାର ପ୍ରୟୋଗ କରିବା, କିନ୍ତୁ ଆମ୍ଭେମାନେ ଘର ଓ ବାହାରର ସମ୍ପର୍କକୁ, ଆତ୍ମୀୟ ଓ ଆଗନ୍ତୁକଙ୍କ ସମ୍ବନ୍ଧକୁ ଠିକ୍ ବିପରୀତଭାବେ ପରିବର୍ତ୍ତିତ କରିଛୁ ।

 

ଆମ୍ଭମାନଙ୍କର ବହୁ କାର୍ଯ୍ୟରେ ଯେଉଁ ଅସଙ୍ଗତ ଅଛି ପ୍ରାଦେଶିକ ସଭା ତାହାର ଏକ ଉତ୍କୃଷ୍ଟ ଦୃଷ୍ଟାନ୍ତ । ଏହି କନଫରେନ୍ସ ବା ସଭା ଦେଶକୁ ମନ୍ତ୍ରଣା ଦେବା ନିମନ୍ତେ ସମବେତ । ଅଥଚ ଏହାର ବ୍ୟବହୃତ ଭାଷା ବିଦେଶୀ । ଜଣାଯାଏ ବେବଳ ଇଂରେଜୀ ଶିକ୍ଷିତ ଲୋକମାନଙ୍କ ବିଷୟରେ ଆମେ ଆଗ୍ରହୀ । ଜନସାଧାରଣ ଏବଂ ଆମ୍ଭମାନଙ୍କ ମଧ୍ୟରେ ଏକ ଦୁର୍ଭେଦ୍ୟ ପ୍ରାଚୀର ଆମେ ଛିଡ଼ା କରାଇଛୁ ।

 

ଏହି ସଭା ଦେଶ ଉପରେ ବଳିଷ୍ଠ ପ୍ରଭାବ ପକାଇବା ନିମନ୍ତେ କିପରି ସମର୍ଥ ହେବ ଏବଂ ଏହି ଉଦ୍ଦେଶ୍ୟରେ ଆମେ କିପରି ଅଗ୍ରସର ହେବା, ତାହା ବର୍ତ୍ତମାନ ଚିନ୍ତା କରାଯାଉ । ବିଲାତି ଧରଣରେ ସଭା କରିବା ଅପେକ୍ଷା ଦେଶୀ ଧରଣର ଏକ ବୃହତ୍‌ ମେଳା ଆମେ କରିଥାନ୍ତେ-। ସେଠାରେ ଯତ୍ରା; ସଙ୍ଗୀତ ଆମୋଦ ଆହ୍ଳାଦର ବିରାଟ ଉତ୍ସବର ଆକର୍ଷଣରେ ଦେଶର ଦୂରଦୂରାନ୍ତରୁ ଲୋକମାନେ ଏକତ୍ର ହୁଅନ୍ତେ, ଭଲ ଗାୟକ, ଯାତ୍ରାଦଳ ଓ କଥକମାନଙ୍କୁ ସେଠାରେ ପୁରସ୍କୃତ କରାଯାଆନ୍ତା । ଦେଶର କୃଷିଜାତ ଦ୍ରବ୍ୟର ପ୍ରଦର୍ଶନୀ ହୁଅନ୍ତା, ମ୍ୟାଜିକଲଣ୍ଠନ ପ୍ରଭୃତି ସାହାଯ୍ୟରେ ସ୍ୱାସ୍ଥ୍ୟରକ୍ଷାର ନିୟମ ଓ ଉପଦେଶ ସ୍ପଷ୍ଟଭାବେ ବୁଝାଇ ଦିଆଯାଆନ୍ତା । ସର୍ବୋପରି ଜାତୀୟ ସ୍ଵାର୍ଥ ସମ୍ବନ୍ଧରେ ଆମର ଯାହା କିଛି କହିବାର ଅଛି ସରଳ ବଙ୍ଗଳାଭାଷାରେ ତାହା ଆଲୋଚିତ ହୁଅନ୍ତା ଏବଂ ଏ ଆଲୋଚନାରେ ସମ୍ଭ୍ରାନ୍ତ ଓ ସାଧାରଣ ସମଭାବରେ ଭାଗ ନେଇ ପାରନ୍ତେ ।

 

ଆମ ଦେଶର ଜନସାଧାରଣ ପ୍ରଧାନତଃ ପଲ୍ଲୀବାସୀ । ଏହି ପଲ୍ଲୀ ବେଳେ ବେଳେ ବାହାର ଜଗତର ବୃହତ୍ତର ଜୀବନର ସ୍ପନ୍ଦନ ଅନୁଭବ କରିବା ନିମନ୍ତେ ଉତ୍ସୁକ ହୋଇଉଠେ, ଏହାର ଚରିତାର୍ଥତା ନିମନ୍ତେ ମେଳା ସର୍ବୋତ୍କୃଷ୍ଟ ପନ୍ଥା ।

 

ଏହି ମେଳା ମଧ୍ୟ ଦେଇ ଆମ ଘର ଭିତରେ ବାହାର ଜଗତକୁ ଅନୁଭବ କରିବାକୁ ହେବ । ଏ ଧରଣର ଉତ୍ସବ ମଧ୍ୟରେ ଗ୍ରାମ ତାହାର ସଂକୀର୍ଣ୍ଣତା ବିସ୍ମୃତ ହୁଏ, ହୃଦୟ ଖୋଲି ଦାନ ଓ ଗ୍ରହଣ କରିବାର ଏହା ଉପଯୁକ୍ତ ସୁଯୋଗ । ଆକାଶ ଜଳରେ ଜଳାଶୟ ପୂର୍ଣ୍ଣ ହେବାର ସମୟ ଯେପରି ବର୍ଷାଋତୁ, ସେହିପରି ପଲ୍ଲୀହୃଦୟକୁ ବିଶ୍ୱଭାବରେ ପୂର୍ଣ୍ଣ କରିବାର ଉପଯୁକ୍ତ ଅବସର ହେଉଛି ମେଳା ।

 

ଏହି ମେଳା ଆମ ଦେଶରେ ଅତ୍ୟନ୍ତ ସ୍ୱାଭାବିକ ବ୍ୟାପାର । ଗୋଟିଏ ସଭା ନିମନ୍ତେ ଲୋକଙ୍କୁ ଡାକ ଦିଅ, ସେମାନେ ସନ୍ଦେହ ଓ ଅବିଶ୍ୱାସ ଭାବାକ୍ରାନ୍ତ ମନନେଇ ଆସିବେ, ତାଙ୍କର ମନ ସହଜରେ ଉନ୍ମୁକ୍ତ ହେବ ନାହିଁ । କିନ୍ତୁ ମେଳା ଉପଲକ୍ଷରେ ଏକତ୍ର ହେଉଥିବା ଲୋକମାନେ ସେମାନଙ୍କ ହୃଦୟ ଖୋଲି ଆସନ୍ତି । ହଳ ଲଙ୍ଗଳ ପଛରେ ପଡ଼ିରହେ, ଲୋକମାନଙ୍କର ସେ ଦିନ ପ୍ରକୃତ ଛୁଟି । ସେମାନଙ୍କ ପାଖରେ ବସିବାର ତାହାହିଁ ଉପଯୁକ୍ତ ବେଳ, ଏହିଠାରେ ହିଁ ଦେଶର ମନ ଚିହ୍ନିବାର ପ୍ରକୃତ ସୁଯୋଗ ମିଳେ ।

 

ବଙ୍ଗଦେଶରେ ବର୍ଷର ବିଭିନ୍ନ ସମୟରେ ମେଳା ଅନୁଷ୍ଠିତ ହୁଏ । ଏହି ମେଳାମାନଙ୍କରେ ଏକ ତାଲିକା କରି, ସେହି ଉନ୍ନୁକ୍ତ ଦ୍ୱାର ମଧ୍ୟଦେଇ ଦେଶର ଲୋକମାନଙ୍କ ସଙ୍ଗରେ ଯଥାର୍ଥ ଭାବେ ପରିଚିତ ହେବା ଉଚିତ ।

 

ଶିକ୍ଷିତ ସମ୍ପ୍ରଦାୟ ଯଦି ମେଳାଗୁଡ଼ିକର ଆୟୋଜନ ନିଜ ଅଞ୍ଚଳରେ କରି ସେଗୁଡ଼ିକୁ ନବଭାବରେ ଜାଗ୍ରତ ଓ ନବପ୍ରାଣରେ ସଜୀବ କରି ପାରନ୍ତି, ଏହା ମଧ୍ୟରେ ଯଦି ସେମାନେ ହିନ୍ଦୁ ଓ ମୁସଲମାନମାନଙ୍କୁ ଏକତ୍ର କରି ସେମାନଙ୍କ ମଧ୍ୟରେ ସଦ୍‌ଭାବ ସ୍ଥାପନ କରିବାକୁ ସମର୍ଥ ହୁଅନ୍ତି; କୌଣସି ପ୍ରକାର ନିଷ୍ଫଳ ରାଜନୀତିରୁ ଦୂରରେ ରହି ବିଦ୍ୟାଳୟ, ରାସ୍ତା ଘାଟ, ଜଳାଧାର, ଗୋଚର ଜମିପ୍ରଭୃତି ଲେକମାନଙ୍କ ପ୍ରକୃତ ଅଭାବ ସ୍ଥିରପୂର୍ବକ ସେଗୁଡ଼ିକର ପ୍ରତିକାରର ପରାମର୍ଶ ଦିଅନ୍ତି ତେବେ ଅତି ଅଳ୍ପକାଳ ମଧ୍ୟରେ ଦେଶ ନବଜୀବନରେ ପରିପୂର୍ଣ୍ଣ ହୋଇ ପାରିବ ।

 

ଦଳେଲୋକ ବଙ୍ଗଦେଶର ବିଭିନ୍ନ ଅଞ୍ଚଳରେ ବୁଲି ବୁଲି ମେଳା ନିମନ୍ତେ ସଙ୍ଗୀତ, ପୌରାଣିକ ଗଳ୍ପ ‘କଥକ’ ଆବୃତ୍ତି ମ୍ୟାଜିକ ଲଣ୍ଠନ ପ୍ରଦର୍ଶନୀ ପ୍ରଭୃତିର ଆୟୋଜନ କଲେ, ବ୍ୟୟ ନିର୍ବାହ ନିମନ୍ତେ ସେମାନଙ୍କୁ ଚିନ୍ତିତ ହେବାକୁ ପଡ଼ିବ ନାହିଁ । ପ୍ରତ୍ୟେକ ମେଳା ନିମନ୍ତେ ସେମାନେ ଜମିଦାରଙ୍କୁ ନିଜ ସଂଗୃହୀତ ଅର୍ଥର ସାମାନ୍ୟ କର ଆକାରରେ ଦେଇ ଉପଯୁକ୍ତ ବ୍ୟବସ୍ଥା ଦ୍ୱାରା ସମସ୍ତ ଆୟୋଜନକୁ ଲାଭଜନକ କରି ପାରିବେ । ଏହି ଲାଭର ଉଦ୍‌ବୃତ୍ତାଂଶ ଦେଶର କଲ୍ୟାଣକର କର୍ମରେ ନିୟୋଜିତ ହୋଇ ପାରିଲେ ମେଳା ଦଳସହ ସମସ୍ତ ଦେଶର ହୃଦୟର ସମ୍ବନ୍ଧ ଘନିଷ୍ଠ ହେବ । ଏହି ଭାବରେ ଯେ କେତେ ଉପକାର ସାଧିତ ହୋଇ ପାରିବ ତାହାର ସୀମା ନାହିଁ । ଏହା ମନେରଖିବାକୁ ହେବ ଯେ ବହୁକାଳରୁ ଆନନ୍ଦ ଉତ୍ସବ ମଧ୍ୟଦେଇ ଲୋକମାନଙ୍କୁ ସାହିତ୍ୟରସ ପରିବେଷଣ ଓ ଧର୍ମଶିକ୍ଷା ଦାନ କରା ହୋଇଅଛି ।

 

ସମ୍ପ୍ରତି ନାନା କାରଣବଶତଃ ଆମର ଜମିଦାରମାନେ ସହର ପ୍ରତି ଆକୃଷ୍ଟ । ସେମାନଙ୍କ ପୁତ୍ର କନ୍ୟାର ବିବାହ ଉତ୍ସବ ଉପଲକ୍ଷରେ ଯାହାକିଛି ଆମୋଦ ଆହ୍ଳାଦ, ସଙ୍ଗୀତ, ଥିଏଟର ପ୍ରଭୃତି କେବଳ ସହରର ଧନୀ ବନ୍ଧୁମାନଙ୍କୁ ଦେଖାଇବା ନିମନ୍ତେ ଅନୁଷ୍ଠିତ ହୁଏ, କିନ୍ତୁ ଦରିଦ୍ର ପ୍ରଜାମାନେ ହିଁ ଅଧିକ ଚାନ୍ଦା ଦେବାର ଭାର କେବଳ ବହନ କରନ୍ତି । ଦରିଦ୍ର ଓ ଇତର ଲୋକମାନେ ଭୋଜୀ ଉପଲକ୍ଷେ ମିଷ୍ଠାନ୍ନର ସମ୍ବଳ ଯୋଗାନ୍ତି କିନ୍ତୁ ନିଜେ ମିଷ୍ଟାନ୍ନର କଣାମାତ୍ର ଆସ୍ୱାଦନ କରି ପାରନ୍ତି ନାହିଁ । ଏଥିପାଇଁ ବଙ୍ଗଦେଶର ଗ୍ରାମଗୁଡ଼ିକ ଦିନୁଦିନ ଆନନ୍ଦଶୂନ୍ୟ ହୋଇପଡ଼ୁଛି, ଏବଂ ଯେଉଁ ସାହିତ୍ୟ ସଂସ୍କୃତି ଏସରୁ ଉତ୍ସବର ସ୍ୱାତନ୍ତ୍ର୍ୟରୂପେ ସାଧାରଣତଃ ଗୃହୀତ ହୋଇଥିଲା ଏବଂ ଦେଶର ଆବାଳବୃଦ୍ଧବନିତା ସମସ୍ତଙ୍କ ମନକୁ ସରସ ଓ ଶୋଭନ କରିଥିଲା, ତାହା ଆଜି ସାଧାରଣ ଲୋକମାନଙ୍କ ନିକଟରୁ ଦୂରକୁ ଚାଲିଯାଇଅଛି । ଆମର ଏହି କଳ୍ପିତ ମେଳାସମ୍ପ୍ରଦାୟ ଯଦି ସାହିତ୍ୟର ଧାରା ଆନନ୍ଦର ସ୍ରୋତ ବଙ୍ଗଦେଶର ପଲ୍ଲୀଦ୍ଵାରରେ ପୁଣି ପ୍ରବାହିତ କରିପାରେ, ଏହି ଶସ୍ୟଶ୍ୟାମଳା ବଙ୍ଗଦେଶର ଅନ୍ତଃକରଣ ଯାହାକି କ୍ରମେ କ୍ରମେ ମରୁଭୂମିରେ ପରିଣତ ହେଉଛି, ସେଥିରୁ ପରିତ୍ରାଣ ଲାଭ କରିବ ।

 

ଆମ୍ଭମାନଙ୍କୁ ପାନୀୟଜଳ ଓ ଉତ୍ତମ ସ୍ୱାସ୍ଥ୍ୟ ଦାନ କରୁଥିବା ଜଳାଧାରଗୁଡ଼ିକ ଆଉ ଦୂଷିତ । ସମାନେ ଯେ କେବଳ ଜଳକଷ୍ଟ ଦେଉଛନ୍ତି ତାହାନୁହେ, ରୋଗ ଓ ମୃତ୍ୟୁ ମଧ୍ୟ ବିତରଣ କରୁଛନ୍ତି । ସେହିପରି ଆମଦେଶରେ ଅନୁଷ୍ଠିତ ହେଉଥିବା ମେଳାମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଶିକ୍ଷାର ମାଧ୍ୟମ ହେବାକୁ ଯେ ଅଯୋଗ୍ୟ ହୋଇଛି ତାହା ନୁହେଁ, ବରଂ ଅନ୍ୟାୟ ଅନୀତିର ଆକାର ଧାରଣ କରିଅଛି । ଏହି ଶୋଚନୀୟ ଅଧୋଗତି ନିବାରଣ କରିବାକୁ ଅସମର୍ଥ ହୋଇ ଆମ୍ଭେମାନେ ଦୋଷ ଓ ଲଜ୍ଜାରେ ନିଜକୁ ଆଚ୍ଛାଦିତ କରିଛୁ ।

 

ମନୁଷ୍ୟ ସଙ୍ଗରେ ମନୁଷ୍ୟର ଆତ୍ମୀୟ ସମ୍ବନ୍ଧ ସ୍ଥାପନହିଁ ଚିରକାଳ ଭାରତବର୍ଷର ସର୍ବପ୍ରଧାନ ଉଦ୍ୟମ ହୋଇଆସିଛି । ଦୂର ଆତ୍ମୀମାନଙ୍କୁ ସଙ୍ଗରେ ମଧ୍ୟ ସମ୍ବନ୍ଧ ରଖିବାକୁ ହେବ; ସନ୍ତାନମାନେ ବୟସ୍କ ହେଲେ ସୁଦ୍ଧା ଶିଥିଳ ହେବ ନାହିଁ, ସେମାନଙ୍କୁ ଗ୍ରାମର ଲୋକମାନଙ୍କ ସଙ୍ଗରେ ଜାତି ଓ ଅବସ୍ଥା ନିର୍ବିଚାରରେ ଯଥାଯୋଗ୍ୟ ଆତ୍ମୀୟ ସମ୍ପର୍କ ରକ୍ଷା କରିବାକୁ ହେବ । ଗୁରୁ, ପୁରୋହିହ, ଅତିଥି, ଭିକ୍ଷୁକ, ଭୂସ୍ୱାମୀ, ପ୍ରଜା ସମସ୍ତଙ୍କ ସଙ୍ଗରେ ଯଥୋଚିତ ସମ୍ବନ୍ଧ ରହିଛି । ଏଗୁଡ଼ିକ କେବଳ ଶାସ୍ତବିହିତ ନୈତିକ ସମ୍ପର୍କ ମାତ୍ର ନୁହେ - ଏହାହିଁ ହୃଦୟର ପ୍ରକୃତ ସମ୍ବନ୍ଧ । କେହି ପିତୃସ୍ଥାନୀୟ, କେହି ବା ପୁତ୍ରସ୍ଥାନୀୟ, କେହି ବା ଭାଇ, କେହି ବା ବନ୍ଧୁ । କୌଣସି ମନୁଷ୍ୟର ସଂସ୍ରବରେ ଆସିଲେ ଆମ୍ଭେମାନେ ତାଙ୍କ ସହିତ ସମ୍ବନ୍ଧ ନର୍ଣ୍ଣୟ କରିବସୁ । ତେଣୁ ଆମ୍ଭେମନେ ମନୁଷ୍ୟକୁ ଆମର କାର୍ଯ୍ୟସାଧନ ବା କୌଣସି ଉଦ୍ଦେଶ୍ୟର ଚରିତାର୍ଥତା ନିମନ୍ତେ ଉପକରଣ ମାତ୍ର ମନେକରୁ ନାହିଁ । ଏହାର ଭଲ ମନ୍ଦ ଉଭୟଦିଗ ଥାଇପାରେ, କିନ୍ତୁ ଏହା ଆମଦେଶର ଚଳଣି, ଅଧିକନ୍ତୁ ଏହା ପ୍ରାଚ୍ୟର ରୀତି ।

 

ଆମର ପ୍ରକୃତି ଏହିପରି । ପ୍ରୟୋଜନର ସମ୍ବନ୍ଧକୁ ହୃଦୟର ସମ୍ବନ୍ଧ ଦ୍ୱାରା ବିଶୋଧନ କରି ଆମ୍ଭେମାନେ ଗ୍ରହଣ କରୁ । ସୁତରାଂ ଅଧିକ ଦାୟିତ୍ୱ ମଧ୍ୟ ଆମକୁ ଗ୍ରହଣ କରିବାକୁ ହେବ । ପ୍ରୟୋଜନର ସମ୍ପର୍କ, ସଂକୀର୍ଣ୍ଣ, ଅଫିସ ମଧ୍ୟରେ ଏହାର ଆରମ୍ଭ ଓ ଶେଷ । ଯଦି ପ୍ରଭୁ ଓ ଭୃତ୍ୟ ମଧ୍ୟରେ ଦ୍ୱିତୀୟ ସମ୍ବନ୍ଧ ନାହିଁ ତାହେଲେ କାର୍ଯ୍ୟ ଆଦାୟ ଓ ବେତନ ଦେବା ମଧ୍ୟରେ ସବୁକିଛି ତୁଟିଯାଏ । କିନ୍ତୁ ଯେଉଁ ମୁହୂର୍ତ୍ତରେ ଆମେ ମାନବିକ ସମ୍ପର୍କ ସ୍ୱୀକାର କରୁ, ଆମର ଦାୟିତ୍ୱ, ଭୃତ୍ୟର ପୁଅ ଝିଅର ବିବାହ କର୍ମ ଓ ପିତୃପିତାମହଙ୍କ ଶ୍ରାଦ୍ଧକ୍ରିୟା ପ୍ରଭୃତି ବ୍ୟକ୍ତିଗତ ସୁଖ ଦୁଃଖ ପ୍ରତି ପ୍ରସାରିତ ହୁଏ ।

 

ଏଇଠି ଗୋଟିଏ ଅପେକ୍ଷାକୃତ ଆଧୁନିକ ଦୃଷ୍ଟାନ୍ତ ଦେଖନ୍ତୁ । ଢାକା ରାଜସାହୀଠାରେ ପ୍ରାଦେଶିକ ସମ୍ମିଳନୀରେ ମୁଁ ଉପସ୍ଥିତ ଥିଲି । ଏହି ସମ୍ମିଳନୀ ବ୍ୟାପାରକୁ ଆମ୍ଭେମାନେ ସେ ଗୁରୁତର ବିଷୟ ବୋଲି ମନ କରୁ, ଏହା କହିବା ବାହୁଲ୍ୟ ମାତ୍ର । କିନ୍ତୁ, ଆଶ୍ଚର୍ଯ୍ୟର ବିଷୟ ଏହା ମଧ୍ୟରେ କର୍ମର ଉତ୍ସାହ ଅପେକ୍ଷା ଅତିଥି ସତ୍କାରର ଭାବ ସୁପରିସ୍ଫୁଟ ହେବାର ଦେଖିଲି । ମନେହେଲା ଯେପରି ମୁଁ ବରଯାତ୍ରୀ ଦଳରେ ଯାଇଅଛି; ଆହାର ବିହାର, ଆରାମ ଆମୋଦ ନିମନ୍ତେ ଆୟୋଜନ ଏତେ ଅତିରିକ୍ତ ଯେ ତାହା ଆମର ଅତିଥିସେବାମାନଙ୍କ ପକ୍ଷରେ ଅତ୍ୟନ୍ତ ବ୍ୟୟସାପେକ୍ଷ ହୋଇଥିବା ନିଶ୍ଚିତ ।

 

ସେମାନେ ଯଦି କହିଥାନ୍ତେ, ‘‘ତୁମ୍ଭ ଦେଶସେବା କରିବା ନିମନ୍ତେ ଏଠାକୁ ଆସିଛ, ଆମକୁ ଅନୁଗୃହୀତ କରିବାକୁ ଆସି ନାହଁ । ଆଗେ କାହିଁକି ଏତେ ପରିମାଣରେ ଉତ୍ତମ ଖାଦ୍ୟ ମଧୁର ପାନୀୟ, କୋମଳ ଶଯ୍ୟା ଓ ସୁଗମ ଯାନବାହନର ଆୟୋଜନ କରିବୁ ?’’ –କଥାଟା କୌଣସି ପ୍ରକାରେ ଅନ୍ୟାୟ ହୁଅନ୍ତା ନାହିଁ । କିନ୍ତୁ, କଠିନ କର୍ତ୍ତବ୍ୟର ଦ୍ଵାହିଦେଇ ଏପରି ମନୋଭାବ ପୋଷଣ କରିବା ଆମର ସ୍ୱାଭାବସମ୍ମତ ନୁହେ । ଆମ୍ଭେମାନ ବ୍ୟକ୍ତିଗତ ସମ୍ପର୍କସହ କର୍ତ୍ତବ୍ୟ ଅର୍ପଣ କରିବାକୁ ଚାହୁ । ତେଣୁ ସମ୍ମିଳନୀର କାର୍ଯ୍ୟକ୍ରମ ଆମ ଚିତ୍ତକୁ ଯେତେ ଆକୃଷ୍ଟ କରି ପାରି ନ ଥିଲା, ଏଠାରେ ଲାଭ କରିଥିବା ଆତିଥ୍ୟ ଦ୍ୱାରା ଆମେ ଅଧିକ ମୁଗ୍‌ଧ ହୋଇଥିଲୁ । ସେହି ସମ୍ମିଳନୀଗୁଡ଼ିକ ତା’ର ବିଲାତି ବହିରାବରଣ ସତ୍ତ୍ୱେ ଭାରତୀୟ ହୃଦୟକୁ ବାଦ୍‌ଦେଇ ପାରି ନ ଥିଲା-। ଆମର ଜାତୀୟ କଂଗ୍ରେସ ପକ୍ଷରୁ ମଧ୍ୟ ସମାନ କଥା । କଂଗ୍ରେସ ମଧ୍ୟରେ ଆତିଥ୍ୟ ଅଂଶଟି ପ୍ରକୃତ ଦେଶୀୟ, ତାହା ସର୍ବଦା ଦେଶ ମଧ୍ୟରେ କାର୍ଯ୍ୟକରେ, କିନ୍ତୁ ବାର୍ଷିକ ଅଧିବେଶନର କାର୍ଯ୍ୟ ମାତ୍ର ତିନିଦିନରେ ସରିଯାଏ, ବାକି ବର୍ଷସାରା ଏହା ପାଖରେ ଜୀବନର କୌଣସି ଚିହ୍ନ ନ ଥାଏ ।

 

ଏହା ସ୍ପଷ୍ଟ ଯେ ଭାରତୀୟମାନେ ପ୍ରଚୁର କର୍ମ ମଧ୍ୟରେ ସୁଦ୍ଧା ମାନବ ସମ୍ବନ୍ଧର ମାଧୁର୍ଯ୍ୟ ପରିତ୍ୟାଗ କରି ପାରିବେ ନାହିଁ । ଫଳତଃ ଦେଶ ସାରା ଆମ୍ଭୀୟ ଓ ଆଗନ୍ତୁକ, ଉଚ୍ଚ ଓ ନୀଚ, ଗୃହସ୍ଥ ଓ ଅତିଥି ମଧ୍ୟରେ ଘନିଷ୍ଠ ସମ୍ପର୍କ । ଏହି କାରଣରୁ ଏ ଦେଶରେ ଟୋଲ୍, ପାଠଶାଳା, ଅତିଥିଶାଳା, ମନ୍ଦିର ଓ ଜଳାଶୟର ପ୍ରତିଷ୍ଠା; ନିରାଶ୍ରୟ ଅନ୍ଧ ଓ ଦୁର୍ବଳର ପ୍ରତିପାଳନ ନିମନ୍ତେ କୌଣସି ଦିନ କୌଣସି ବାହାରର ଲୋକକୁ ଚିନ୍ତିତ ହେବାକୁ ପଡ଼ି ନାହିଁ ।

 

ସର୍ବାପେକ୍ଷା ଅଧିକ ଉପକାର ଲାଭ କରୁଥିବା ବିଷୟମାନଙ୍କରେ ନିଜର ସକଳ ସ୍ଵାର୍ଥ ଓ ଉଦ୍ୟମ କେନ୍ଦ୍ରୀଭୂତ କରିବା ଗୋଟିଏ ଦେଶ ପକ୍ଷରେ ସ୍ୱାଭାବିକ । ଦେଶର ଧନ ବିଭିନ୍ନ ବାଟଦେଇ ନାନା ଆକାରରେ ବିଦେଶକୁ ଚାଲିଯାଉଛି ବୋଲି ଆମ୍ଭେମାନେ ଆକ୍ଷେପ କରିଥାଉଁ । କିନ୍ତୁ, ଦେଶର ଆତ୍ମା ଯଦି ଲକ୍ଷ୍ୟଚ୍ୟୂତ ହୁଏ, ଆମ ଦେଶର ଯାହାକିଛି କଲ୍ୟାଣକର ସମ୍ବନ୍ଧ ଯଦି ବିଦେଶୀମାନଙ୍କ ହାତକୁ ଚାଲିଯାଏ, ଆମ ନିମନ୍ତେ କିଛି ଅବଶିଷ୍ଟ ରହେ ନାହିଁ ତା’ହେଲେ ବିଦେଶଗାମୀ ଧନସ୍ରୋତ ଅପେକ୍ଷା ଏହା କଣ କମ୍ ଦୁଃଖଦାୟକ ହେବ ?

 

(୪)

 

ଆମ ଦେଶରେ ଅନେକ ଉଦ୍ୟୋଗୀ ବ୍ୟକ୍ତି ପ୍ରାଥମିକ ଉତ୍ସାହର ପ୍ରେରଣାରେ ବହୁ କାଳ୍ପନିକ ଫୁଲ ଫୁଟାଇ ଦିଅନ୍ତି, କିନ୍ତୁ ପରିଶେଷରେ ଅଧିକାଂଶ ପୁଷ୍ପ ଫଳପ୍ରସୂ ହୁଏ ନାହିଁ । ତା’ର ପ୍ରଧାନ କାରଣ ଆମ୍ଭମାନଙ୍କଠାରେ ଐକ୍ୟର ଅଭାବ । ଦାୟିତ୍ୱବୋଧ ପ୍ରତି ଲଘୁ ମନୋଭାବ ହେତୁ ତାହା ସ୍କନ୍ଧରୁ କ୍ରମଶଃ ଅପସାରିତ ହୋଇ ଶେଷରେ ନଷ୍ଟ ହୁଏ ।

 

ଆମର ସମାଜ ଏହି ଭାବରେ ଅଧିକ କାଳ ଚଳି ପାରିବ ନାହିଁ, କାରଣ ବାହାରୁ ଯେଉଁ ଶକ୍ତିସମୂହ ସମାଜକୁ ଆତ୍ମସାତ୍‌ କରୁଛନ୍ତି, ସେମାନେ ଦୃଢ଼ ଓ ଏକତାବଦ୍ଧ । ଆମର ବିଦ୍ୟାଳୟଠାରୁ ଆରମ୍ଭ କରି ପ୍ରତିଦିନର ଦୋକାନ ବଜାର ପର୍ଯ୍ୟନ୍ତ ସେମାନେ ଅଧିକାର କରିଛନ୍ତି ଏବଂ ତାଙ୍କର ଅଖଣ୍ଡ ଆଧିପତ୍ୟ ସ୍ଥୂଳ ସୂକ୍ଷ୍ମଭାବରେ କିପରି ସର୍ବତ୍ର ପରିବ୍ୟାପ୍ତ, ତାହା ସ୍ପଷ୍ଟଭାବେ ପରିଲକ୍ଷିତ । ଏହା ବିରୁଦ୍ଧରେ ଆତ୍ମରକ୍ଷା କରିବାକୁ ହେଲେ ସମାଜର ମିଳିତଶକ୍ତି ସାହାଯ୍ୟରେ ନିଶ୍ଚିତ ଭାବରେ ଦଣ୍ଡାୟମାନ ହେବାକୁ ପଡ଼ିବ । ତାହା କରିବାର ଏକମାତ୍ର ଉପାୟ ଜଣେ ସମର୍ଥ ବ୍ୟକ୍ତିଙ୍କୁ ଅଧିପତି ଭାବରେ ବରଣ କରି ସମାଜର ପ୍ରତ୍ୟେକଙ୍କୁ ତାଙ୍କ ମଧ୍ୟରେ ପ୍ରତ୍ୟକ୍ଷ କରିବା ଏବଂ ତାଙ୍କ ଶାସନକୁ ମାନିନେବାକୁ ଆତ୍ମସମ୍ମାନ ହାନିକର ମନେ ନ କରି ତାଙ୍କୁ ଆମ ସ୍ୱାଧୀନତାର ପ୍ରତୀକ ବୋଲି ମନେ କରିବା ।

 

ଏହି ସମାଜପ୍ରତି କେତେବେଳେ ଭଲ୍ ବା କେତେବେଳେ ମନ୍ଦ ହୋଇ ପାରନ୍ତି, କିନ୍ତୁ ସମାଜ ଯଦି ଜୀବନ୍ତ ଓ ଜାଗ୍ରତ ରହେ କୌଣସି ନେତା ସମାଜର ସ୍ଥାୟୀ ଅନିଷ୍ଟ କରି ପାରିବେ ନାହିଁ । ବରଂ ଏ ଧରଣର ଅଧିପତିଙ୍କର ଅଭିଷେକ ସମାଜକୁ ଜାଗ୍ରତ ରଖିବାର ଏକ ବାସ୍ତବ ପନ୍ଥା-। ସମାଜ ଜଣେ ବିଶେଷ ବ୍ୟକ୍ତିକୁ ନିଜ ଐକ୍ୟର ପ୍ରତୀକ ଭାବରେ ଉପଲବ୍‌ଧ କଲେ ତାହାର ଶକ୍ତି ଅପରାଜେୟ ହେବ ।

 

ସମାଜର ପ୍ରତ୍ୟେକ ବ୍ୟକ୍ତି ସ୍ୱେଚ୍ଛାକୃତ ଭାବରେ ପ୍ରତ୍ୟହ ସ୍ଵଦେଶ ନିମନ୍ତେ ଅତି ଅଳ୍ପ ପରିମାଣରେ କିଛି ଉତ୍ସର୍ଗ କରିବେ । ଏହାଛଡ଼ା ପ୍ରତ୍ୟେକ ଗୃହରେ ବିବାହାଦି ଉତ୍ସବ କାଳରେ ଏହି ସ୍ୱଦେଶୀ ସମାଜ ନିମନ୍ତେ କର ଆକାରରେ କିଛି ଅର୍ଥ ସଂଗୃହୀତ ହେବ । ଏହି ଧରଣର ପ୍ରାପ୍ୟ ଉପଯୁକ୍ତ ଉପାୟର ଆଦୟ କରାଗଲେ ଅର୍ଥାଭାବ ଘଟିବ ନାହିଁ ।

 

ଭାରତବର୍ଷରେ ସ୍ୱେଚ୍ଛାଦତ୍ତ ଦାନରେ ବଡ଼ ବଡ଼ ମଠ ଓ ମନ୍ଦିର ସ୍ଥାପିତ ହୋଇଅଛି । ସମାଜ କ’ଣ ଏହିପରି ଭାବରେ ଚାଳିତ ହେବା ସମ୍ଭବ ନୁହେଁ ? ବିଶେଷତଃ ଏହାର ଜନମଙ୍ଗଳକର କର୍ମ ନିମନ୍ତେ କୃତଜ୍ଞ ଲୋକମାନଙ୍କର ଦାନ ଲାଭ କରିବାକୁ ଏହା ନିଶ୍ଚୟ ସମର୍ଥ ହେବ ।

 

ଏ ପର୍ଯ୍ୟନ୍ତ ବଙ୍ଗଦେଶକୁ ମୁଁ ମୋର ଚକ୍ଷୁ ସମକ୍ଷରେ ରଖିଥିଲେ । ଯଦି ଆମ୍ଭେମାନେ ବଙ୍ଗରେ ସମାଜର ଜଣେ ଉପଯୁକ୍ତ ଅଧିନାୟକ ନିର୍ବାଚନ କରିପାରୁ, ଆମର ସାମାଜିକ ସ୍ୱାଧୀନତାକୁ ଉଜ୍ଜ୍ୱଳ ଓ ସ୍ଥାୟୀ କରି ପାରୁ ଭାରତବର୍ଷର ଅନ୍ୟାନ୍ୟ ଅଞ୍ଚଳ ଆମର ଅନୁବର୍ତ୍ତୀ ହେବ-। ଏହି ଭାବରେ ଭାରତବର୍ଷର ପ୍ରତ୍ୟେକ ପ୍ରଦେଶ ନିଜ ମଧ୍ୟରେ ଏକ ନିର୍ଦ୍ଦିଷ୍ଟ ଏକ୍ୟ ଲାଭ କରି ପାରିଲେ ପରସ୍ପରର ସହଯୋଗିତା ଲାଭ କରିବା ପ୍ରତ୍ୟେକ ପକ୍ଷର ସହଜ ହେବ । ଏକ୍ୟର ନିୟମ ଥରେ ପ୍ରତିଷ୍ଠିତ ହେଲେ ସହଜରେ ବ୍ୟାପ୍ତ ହୁଏ, କିନ୍ତୁ ରାଣୀକୃତ ବିଚ୍ଛିନ୍ନତାକୁ କେବଳ ମାତ୍ର ସ୍ତୁପୀ କୃତ କଲେ ତାହା ଐକ୍ୟରୂପେ ବିବେଚିତ ହେବ ନାହିଁ ।

 

(୫)

 

ଏକ ବିଶେଷ ସ୍ଥାନରେ ଆତ୍ମଶକ୍ତି ସଞ୍ଚୟ କରି ଉପଲବଧ୍ କରିବା ଓ ସେହି ସ୍ଥାନରୁ ଏହାକୁ ସର୍ବତ୍ର ପ୍ରୟୋଗ କରିବାର ଏକ ବ୍ୟବସ୍ଥା କରିବା ଆମ ପକ୍ଷରେ କିଭଳି ପ୍ରୟୋଜନୀୟ, ଆଲୋଚନା କଲେ ତାହା ସୃଷ୍ପରୂପେ ବୁଝାଯିବ । ନିଜ କାର୍ଯ୍ୟର ସୁବିଧା ବା ଅନ୍ୟ ଯେ କୌଣସି କାରଣରୁ ହେଉ ନା କାହିଁକ ସରକାର ବଙ୍ଗଦେଶକୁ ଦ୍ଵିଖଣ୍ଡ କରିବାକୁ ଇଚ୍ଛା କରୁଛନ୍ତି, ଆମର ଆଶଙ୍କା ବଙ୍ଗଦେଶ ଏଥିରେ ଦୁର୍ବଳ ହେବ । ସେହିହେତୁ ଆମ୍ଭେମାନେ ପ୍ରତିବାଦ ସ୍ୱରୂପ ଯଥେଷ୍ଟ ଦୁଃଖପ୍ରକାଶ କରନ୍ତି । କିନ୍ତୁ, ଆମର ପ୍ରତିବାଦ ବୃଥା ହେଲେ ସମସ୍ତ କଅଣ ସେଠାରେ ଶେଷ ହେବ ? ଦେଶ ଖଣ୍ଡିତ ହେଲେ ଯେଉଁ ସକଳ ଅମଙ୍ଗଳ ଘଟିବାର ସମ୍ଭାବନା ସେଗୁଡ଼ିକର ପ୍ରତିକାର ନିମନ୍ତେ ଦେଶ ମଧ୍ୟରେ କଣ କୌଣସି ବ୍ୟବସ୍ଥା ରହିବ ନାହିଁ ?

 

ବ୍ୟାଧିର କୀଟ ଶରୀର ମଧ୍ୟରେ ପ୍ରବେଶ ନ କଲେ ଉତ୍ତମ, କିନ୍ତୁ ଯଦି ସେମାନେ ପ୍ରବେଶ କରନ୍ତି ଶରୀରର ଅନ୍ତର୍ନିହିତ ରୋଗକୁ ପ୍ରତିରୋଧ କରି ସ୍ୱାସ୍ଥ୍ୟର ପୁନଃପ୍ରତିଷ୍ଟା ନିମନ୍ତେ କୌଣସି ଶକ୍ତି ଥିବା ଉଚିତ ନୁହେଁ କି ? ଆମ ସମାଜରେ ଆମେ ଯଦି ସୁଦୃଢ଼ ଓ ସୁସ୍ପଷ୍ଟ ଭାବରେ ସେହି କର୍ତ୍ତୃତ୍ୱକୁ ପ୍ରତିଷ୍ଠା କରି ପାରୁ ତେବେ କୌଣସି ବହିଃଶକ୍ତି ବଙ୍ଗଦେଶକୁ ନିର୍ଜୀବ କରିବାକୁ ସମର୍ଥ ହୋଇ ପାରିବ ନାହିଁ ! ପ୍ରତ୍ୟେକ କ୍ଷତକୁ ଆରୋଗ୍ୟ କରିବା, ଐକ୍ୟର ବନ୍ଧନକୁ ଦୃଢ଼ କରିବା, ମୁର୍ଚ୍ଛିତକୁ ସଚେତନ କରିବା ଏହି ଶକ୍ତିର କାର୍ଯ୍ୟ ହେବ ।

 

ଆଜିକାଲି ବିଦେଶୀ ରାଜପୁରୁଷ ସତ୍‌କର୍ମର ପୁରଷ୍କାର ସ୍ୱରୂପ ଆମ୍ଭମାନଙ୍କୁ ଉପାଧି ବିତରଣ କରୁଛନ୍ତି । କିନ୍ତୁ ସ୍ଵଦେଶର ଲୋକମାନଙ୍କ ଠାରୁ ନିଜ ସତ୍‌କର୍ମ ନିମନ୍ତେ ସାଧୁବାଦ ଓ ଆଶୀର୍ବାଦ ଲାଭ କଲେ ଆଗ ପ୍ରକୃତରେ ଧନ୍ୟ ହେବୁ । ପୁରସ୍କାର ଦେବାର ଶକ୍ତି ସମାଜ ଉପରେ ଅର୍ପଣ ନ କଲେ ଏକ ସ୍ୱତନ୍ତ୍ର ସନ୍ତୋଷରୁ ଆମେ ଚିରଦିନ ଲାଗି ନିଜକୁ ବଞ୍ଚିତ କରିବୁ । ଆମ ଦେଶରେ ସାମାନ୍ୟ ଘଟଣାରେ ସମୟ ସମୟରେ ହିନ୍ଦୁ ମୁସଲମାନମାନଙ୍କ ମଧ୍ୟରେ କଳହ ଘଟିଥାଏ । ଏ ଧରଣର ବିରୋଧ ମୀମାଂସା କରି ଉଭୟ ପକ୍ଷ ମଧ୍ୟରେ ଶାନ୍ତି ଓ ସଦ୍‌ଭାବ ସ୍ଥାପନ, ଉଭୟ ପକ୍ଷର ଅଧିକାର ନିୟମିତ କରିବାର କର୍ତ୍ତୃତ୍ୱ ଯଦି ସମାଜର କୌଣସି ଉପାଦାନ ଉପରେ ଅର୍ପିତ ନ ହୁଏ, ବାରମ୍ବାର କ୍ଷତବିକ୍ଷତ ହୋଇ ସମାଜ ଉତ୍ତରୋତ୍ତର ଦୁର୍ବଳ ହେବ ।

 

ନିଜ ଶକ୍ତିକୁ ଅବିଶ୍ୱାସ କର ନାହିଁ । ନିଶ୍ଚୟ ଜାଣିରଖ, ପ୍ରକୃଷ୍ଟ ସମୟ ଆସି ଉପସ୍ଥିତ । ଭାରତବର୍ଷର ଐକ୍ୟବିଧାନର ଏକ ଶକ୍ତି ସର୍ବଦା କାର୍ଯ୍ୟକାରୀ ଏହା ମଧ୍ୟ ମନେରଖିବା ଉଚିତ୍‌ । ନାନା ପ୍ରତିକୂଳ ପରିସ୍ଥିତିରେ ଭାରତବର୍ଷ ବରାବର ନିଜର ବ୍ୟବସ୍ଥା କରିଥିବାରୁ ଆଜି ଆତ୍ମରକ୍ଷା କରିଛି । ଏହି ଭାରତବର୍ଷ ଉପରେ ମୋର ଅଖଣ୍ଡ ବିଶ୍ୱାସ । ଆଉ ମଧ୍ୟ ଏହି ମୁହୂର୍ତ୍ତରେ ଭାରତବର୍ଷ ଧୀରେ ଧୀରେ ନିଶ୍ଚିତ ଭାବରେ ନୂତନ କାଳ ସହ ନିଜ ପୁରାତନ ପରମ୍ପରାର ଏକ ଆଶ୍ଚର୍ଯ୍ୟକର ସାମଞ୍ଜସ୍ୟ ବିଧାନ କରିଛି । ଆମ୍ଭେମାନେ ପ୍ରତ୍ୟେକ ସଜ୍ଞାନ ଭାବରେ ଏଥିରେ ଯୋଗଦେବା, ବିଦ୍ରୋହର ମନୋଭାବ ବା ଜଡ଼ତ୍ୱର ବଶବର୍ତ୍ତୀ ହୋଇ ପ୍ରତିକ୍ଷଣରେ ଆମ୍ଭେମାନେ ଅସହଯୋଗ ପୂର୍ବକ ଏହାର ପ୍ରତିକୂଳତା ଆଚରଣ କରିବା ନାହିଁ ।

 

ବାହାର ଜଗତ ସହ ହିନ୍ଦୁ ସମାଜର ସଂଘାତ ନୂତନ ନୁହେ । ଭାରତବର୍ଷରେ ପ୍ରବେଶ କରିବା ସଙ୍ଗେ ସଙ୍ଗେ ଏଠାରେ ଆଦିମ ଅଧିବାସୀମାନଙ୍କ ସହ ଆର୍ଯ୍ୟମାନଙ୍କର ତୁମୁଳ ବିରୋଧ ଘଟିଥିଲା । ଏହି ସଂଘର୍ଷରେ ଆର୍ଯ୍ୟମାନେ ଜୟୀ ହେଲେ, କିନ୍ତୁ ଅନାର୍ଯ୍ୟମାନେ ଆଦିମ ଅଷ୍ଟେଲିଆବାସୀ ବା ଆମେରିକାବାସୀଙ୍କ ତୁଲ୍ୟ ଉଚ୍ଛନ୍ନ ହୋଇଯାଇ ନ ଥିଲେ । ଆର୍ଯ୍ୟ ଉପନିବେଶମାନଙ୍କରୁ ଅନାର୍ଯ୍ୟମାନେ ବହିଷ୍କୃତ ହୋଇ ନ ଥିଲେ ବରଂ ଆଚାରବ୍ୟବହାର ଓ ସଂସ୍କୃତିର ସକଳ ପାର୍ଥକ୍ୟ ସତ୍ତ୍ୱେ ଏକ ସମାଜତନ୍ତ୍ର ମଧ୍ୟରେ ନିଦ୍ଦିଷ୍ଟ ସ୍ଥାନ ସେମାନଙ୍କୁ ମିଳିଥିଲା । ସେମାନଙ୍କୁ ନେଇ ଆର୍ଯ୍ୟସମାଜ ବିଚିତ୍ର ଓ ସମୃଦ୍ଧ ହେଲା ।

 

ପରବର୍ତ୍ତୀ କାଳରେ ଏହି ସମାଜ ପୁଣି ତା’ର ରକ୍ଷଣଶୀଳତାକୁ ଘୁଞ୍ଚାଇ ଦେବାର ଆହ୍ୱାନ ପାଇଲା । ବୌଦ୍ଧଯୁଗରେ ନୂତନ ବୌଦ୍ଧଧର୍ମର ଆକର୍ଷଣରେ ଆକୃଷ୍ଟ ବହୁ ବିଦେଶୀ ଲୋକଙ୍କସହ ଭାରତୀୟମାନଙ୍କର ଘନିଷ୍ଟ ସଂସ୍ରବ ସ୍ଥାପିତ ହେଲା । ବିରୋଧର ସଂଘର୍ଷ ଅପେକ୍ଷା ମିଳନର ସଂସ୍ରବ ଅଧିକ ଶକ୍ତିଶାଳୀ । ମିଳନର ମୁହୂର୍ତ୍ତରେ ଅତି ସହଜରେ ସମସ୍ତେ ଏକାକାର ହୁଅନ୍ତି । ବୌଦ୍ଧଯୁଗରେ ତାହାହିଁ ଘଟିଥିଲା । ଏସିଆବ୍ୟାପୀ ଧର୍ମ ଭାବନାର ସେହି ବନ୍ୟାପ୍ଳାବନରେ ନାନାଜାତିର ଆଚାର ବ୍ୟବହାର, କ୍ରିୟାକର୍ମ ଓ ଅନୁଷ୍ଠାନ ଭାରତବର୍ଷକୁ ଆସିଥିଲା, ତାର ପ୍ରତିରୋଧ କରିବା କାହାରି ପକ୍ଷରେ ସମ୍ଭବ ହୋଇ ନ ଥିଲା ।

 

କିନ୍ତୁ ଏହି ବିରାଟ ବିଶୃଙ୍ଖଳା ମଧ୍ୟରେ ସୁଦ୍ଧା ସଂଯୋଗସାଧନର ପ୍ରତିଭା ଭାରତକୁ ତ୍ୟାଗ କରି ନ ଥିଲା । ଯାହା କିଛି ନିଜର, ଯାହା କିଛି ଅତିଥିମାନଙ୍କଦ୍ୱାରା ଆନୀତ ସକଳ ଏକତ୍ର କରି ଭାରତ ପୁନର୍ବାର ନିଜର ସମାଜଗଠନ ଆରମ୍ଭ କଲା । ଫଳତଃ ପୂର୍ବାପେକ୍ଷା ଏହା ଅଧିକ ସମୃଦ୍ଧ ହୋଇଉଠିଲା ।

 

ଏହି ବିପୁଳ ସଂଗୃହୀତ ଉପାଦାନ ମଧ୍ୟରେ ସର୍ବତ୍ର ଆପଣାର ଐକ୍ୟର ମୁଦ୍ରା ଅଙ୍କନ କରିଅଛି । ଆଜି ଅନେକ ଲୋକ ଜିଜ୍ଞାସା କରନ୍ତି , ‘‘ନାନା ଆତ୍ମବିରୁଦ୍ଧ, ଆତ୍ମଖଣ୍ଡନ ସଙ୍କୁଳ ଏହି ହିନ୍ଦୁସମାଜ ଓ ଧର୍ମ ମଧ୍ୟରେ ଐକ୍ୟ-ଚେତନା କେଉଁଠାରେ ? ଏହା ଏକ ଦୁରୁହ ପ୍ରଶ୍ନ । ଏହା ଠିକ୍ ଏକ ବିରାଟ ବୃତ୍ତର କେନ୍ଦ୍ର ଆବିଷ୍କାର କରିବା ତୁଲ୍ୟ କଠନ, କିନ୍ତୁ କେନ୍ଦ୍ର ସର୍ବଦା ବିଦ୍ୟମାନ । ଛୋଟ ଗୋଲକର ଗୋଲତ୍ୱ ବୁଝିବା ସହଜ, କିନ୍ତୁ ଯେଉଁମାନେ ଗୋଲ ପୃଥିବୀକୁ ଖଣ୍ଡ ଖଣ୍ଡ କରି ଦେଖନ୍ତି ଏହା ସେମାନଙ୍କୁ ସମତଳ ପ୍ରତୀତ ହୁଏ । ସେହିପରି ହିନ୍ଦୁସମାଜ ନାନା ପରସ୍ପରଅସଙ୍ଗତ ବୈଚିତ୍ର୍ୟକୁ ନିଜ ମଧ୍ୟରେ ଏକ କରି ନେଇଥିବାରୁ ମିଳନର ବନ୍ଧନସୁତ୍ର ଏହାର ଅକୃତି ମଧ୍ୟରେ ନିଗୂଢ଼ ହୋଇଅଛି । ସେହି ଐକ୍ୟ ଅଙ୍ଗୁଳି ଦ୍ଵାରା ନିର୍ଦ୍ଦେଶ କରିବା କଷ୍ଟକର, କିନ୍ତୁ ଆପାତ ପ୍ରତୀୟମାନ ବିରୋଧ ମଧ୍ୟରେ ଏହାର ନିର୍ଦ୍ଦିଷ୍ଟ ସ୍ଥିତ ଯେ ବିଦ୍ୟମାନ ତାହା ସ୍ପଷ୍ଟ ଉପଲବ୍ଧ କରି ହେବ ।

 

ଏହାପରେ ଭାରତ ମୁସଲମାନମାନଙ୍କ ଆକ୍ରମଣର ସମ୍ମୁଖୀନ ହୋଇଥିଲା । ବାହ୍ୟ ସଂଘର୍ଷମୟ ଉପାଦାନସହ ସାମଞ୍ଜସ୍ୟ ସାଧନର ପ୍ରକ୍ରିୟା ଭାରତର ସଙ୍ଗେ ସଙ୍ଗେ ଆରବ ହେଲା ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ଏକ ସାଧାରଣ ସଂଯୋଗ ସ୍ଥଳ ବିସ୍ତୃତ ହେଲା, ସେଠାରେ ଉଭୟ ସମାଜର ସୀମାରେଖା କ୍ରମଶଃ କ୍ଷୀଣତର ହୋଇଥିଲା । ନାନକପନ୍ଥୀ, କବୀରପନ୍ଥୀ ଓ ନିମ୍ନଶ୍ରେଣୀୟ ବୈଷ୍ଣବସମାଜ ଏହାର ଦୃଷ୍ଟାନ୍ତସ୍ଥଳ ।

 

ଆମ ଦେଶରେ ସାଧାରଣଙ୍କ ମଧ୍ୟରେ ନାନାସ୍ଥାନରେ ଧର୍ମ ଓ ଆଚାର ସମ୍ବନ୍ଧୀୟ ଯେଉଁସକଳ ଅଗଣିତ ଭଙ୍ଗାଗଢ଼ା-ବ୍ୟାପାର ଚାଲିଛି, ଶିକ୍ଷିକ ସମ୍ପ୍ରଦାୟ ତା’ର ଖବର ରଖନ୍ତି ନାହିଁ; ରଖୁଥିଲେ ସେମାନେ ଲକ୍ଷ୍ୟ କରିଥାନ୍ତେ ଯେ ଆଜି ମଧ୍ୟ ଭିତରେ ଭିତରେ ଏହି ସାମଞ୍ଜସ୍ୟ ସାଧନର ଗୁପ୍ତ ଅଥବ ସଜୀବ ପ୍ରକ୍ରିୟା ସ୍ଥଗିତ ହୋଇ ନାହଁ ।

 

ଶେଷରେ ଆଉ ଏକ ପ୍ରବଳ ବିଦେଶୀଧର୍ମ ନିଜର ବିଶ୍ୱାସ, ରୀତିନୀତି, ପରମ୍ପରା ଓ ଶିକ୍ଷାଦୀକ୍ଷା ନେଇ ସମ୍ପ୍ରତି ଭାରତର୍ଷରେ ଉପସ୍ଥିତ । ତେଣୁ ପୃଥବୀରେ ଯେଉଁ ଚାରି ପ୍ରଧାନ ଧର୍ମକୁ ଅବଲମ୍ବନ କରି ଚାରୋଟି ବୃହତ ସମାଜ-ହିନ୍ଦୁ, ବୌଦ୍ଧ, ମୁସଲମାନ ଓ ଖ୍ରୀଷ୍ଟିୟାନ ସେମାନେ ସମସ୍ତେ ଭାରତବର୍ଷରେ ଆଜି ସମ୍ମିଳିତ । ମନେହୁଏ, ବିଧାତା ପୁରୁଷ ଯେପରି ଏକ ବିରାଟ ସାମାଜିକ ମିଳନ ନିମନ୍ତେ ଭାରତବର୍ଷରେ ଏକ ବୃହତ ରାସାୟନିକ କାରଖାନା ଖୋଲିଛନ୍ତି ।

 

ଏଇଠି ଗୋଟିଏ କଥା ମତେ ସ୍ଵୀକାର କରିବାକୁ ପଡ଼ିବ । ବୌଦ୍ଧ ଧର୍ମର ପ୍ରାଦୁର୍ଭାବ କାଳରେ ସମାଜରେ ଯେଉଁ ବିପର୍ଯ୍ୟସ୍ତତା ଓ ସମ୍ମିଶ୍ରଣ ଘଟିଥିଲା ତାହା ପରବର୍ତ୍ତୀ ହିନ୍ଦୁସମାଜ ମଧ୍ୟରେ ଏକ ଆତଙ୍କର ଚିହ୍ନ ଛାଡ଼ି ଯାଇଛି ! ନୂତନତ୍ୱ ଓ ପରିବର୍ତ୍ତନ ପ୍ରତି ସମାଜର ଏକ ନିରତିଶୟ ସନ୍ଦେହ ଅଦ୍ୟାବଧି ସେ କାଳରୁ ରହିଆସିଛି । ଏପରି ଚିରସ୍ଥାୟୀ ଆତଙ୍କ ଜନକ ଅବସ୍ଥାରେ ସମାଜର ଅଗ୍ରଗତି ହୋଇ ନ ପାରେ, ବାହାରର ‘‘ଯୁଦ୍ଧଂଦେହି’’ ଆହ୍ଵାନରେ ଜୟୀହେବା ତା'ପକ୍ଷରେ ଅସାଧ୍ୟ ହୋଇ ପଡ଼େ । କେବଳମାତ୍ର ଆତ୍ମରକ୍ଷାରେ ନିଜର ସକଳ ଶକ୍ତି କ୍ଷୟ କରୁଥିବା ସମାଜ ତାର ସହଜ ଗତିଶୀଳତା ହାସଲ କରି ପାରେ ନାହିଁ । ସମାଜରେ ସ୍ଥିତଶୀଳତା ସଙ୍ଗେ ସଙ୍ଗେ କେତେକ ଗତିଶୀଳ ବୈଶିଷ୍ଟ୍ୟ ମଧ୍ୟ ରକ୍ଷା କରିବାକୁ ହେବ, ତା’ନ ହେଲେ ସମାଜ ନିଜ ରକ୍ଷଣଶୀଳତାର ପାଶରେ ଆବଦ୍ଧ ହୋଇ ପଡ଼ିବ । ଏହା ତା’ପକ୍ଷରେ ଏକ ପ୍ରକାର ଜୀବନ୍ମୃତ୍ୟୁ-

 

ବୌଦ୍ଧ-ପରବର୍ତ୍ତୀ ହିନ୍ଦୁସମାଜ ବାହାର ପ୍ରଭାବରୁ ନିଜକୁ ସର୍ବତୋଭାବେ ମୁକ୍ତ ରଖି ନିଜର ଅବଶିଷ୍ଟ ଗୌରବର ସୁରକ୍ଷା ନିମନ୍ତେ ବିଧିନିଷେଧର ଏକ ପ୍ରାଚୀର ନିର୍ମାଣ କରିଥିଲା । ଫଳତଃ ଭାରତବର୍ଷକୁ ତାର ଗୌରବମୟ ସ୍ଥାନ ହରାଇବାକୁ ପଡ଼ିଛି ।

 

ଏକ ସମୟରେ ଭାରତବର୍ଷ ପୃଥିବୀରେ ଗୌରବର ଶୀର୍ଷସ୍ଥାନ ଅଧିକାର କରିଥିଲା ଏବଂ ଧର୍ମ, ଦର୍ଶନ ଓ ବିଜ୍ଞାନ କ୍ଷେତ୍ରରେ ତାର ଅଭିଯାନର ସାହସିକତା ଥିଲା ଅସୀମ । ଚିନ୍ତା-ଜଗତରେ ନୂତନ ବାକ୍ୟ ଅଧିକାର କରିବା ନିମନ୍ତେ ଅବାଧରେ ତାର ଶକ୍ତି ବହୁଦୂର ପର୍ଯ୍ୟନ୍ତ ବିସ୍ତୃତ ହେଉଥିଲା । ଏହି ଭାବରେ ଭାରତ ଦିନେ ଯେଉଁ ଗୁରୁର ସିଂହାସନରେ ଆସୀନ ହୋଇଥିଲା ତହିଁରୁ ସେ ଆଜି ଭ୍ରଷ୍ଟ, ଏବଂ ଆଜି ତାକୁ ଶିଷ୍ୟର ସ୍ଥାନ ଗ୍ରହଣ କରିବାକୁ ପଡ଼ିବ । ଏହାର କାରଣ ହେଉଛି ଯେ ତାର ଆତ୍ମା ଆଜି ସନ୍ତ୍ରସ୍ତ୍ର ।

 

ଆତଙ୍କ ହେତୁ ଗଭୀର ସମୁଦ୍ରରେ ଆମର ଜଳଯାତ୍ରା–କି ଜଳମୟ ସମୁଦ୍ର କି ଜ୍ଞାନମୟ ସାଗର ଉଭୟ କ୍ଷେତ୍ରରେ ବନ୍ଦ ହୋଇ ଯାଇଛି । ଆମ୍ଭେମାନେ ଥିଲୁ ସମଗ୍ର ବିଶ୍ୱର-କିନ୍ତୁ ଆଜି ଆମେ ପଲ୍ଲୀରେ ନିର୍ବାସିତ । ସଞ୍ଚୟ ଓ ରକ୍ଷା କରିବା ନିମନ୍ତେ ସମାଜରେ ଯେଉଁ ଭୀରୁ ନାରୀଶକ୍ତି ଅଛି ସେହି ଶକ୍ତିହିଁ ଆମର ପୁରୁଷସୁଲଭ ସାହସିକତାକୁ ପରାଭୂତ କରିଛି । ଜ୍ଞାନ ରାଜ୍ୟରେ ମଧ୍ୟ ଆମ୍ଭେମାନେ ଦୃଢ଼ ସସ୍କାରବଦ୍ଧ ସ୍ତ୍ରୈଣ ପ୍ରକୃତିସମ୍ପନ୍ନ ହୋଇପଡ଼ିଛୁ । ଜ୍ଞାନର ବାଣିଜ୍ୟ ଭାରତ, ଯାହା କିଛି ଆରମ୍ଭ କରିଥିଲା, ଯେଉଁ ବାଣିଜ୍ୟ ଦିନୁଦିନ ବର୍ଦ୍ଧିତ ହୋଇ ଜଗତକୁ ସମୃଦ୍ଧ କରିଥିଲା, ତାହା ଆଜି ଅନ୍ତଃପୁରର ସଂକୀର୍ଣ୍ଣ ଅଳଙ୍କାର ପେଡ଼ିରେ ସ୍ଥାନଲାଭ କରିଛି । ସେଠାରେ ଏହା ଯଥେଷ୍ଟ ନିରାପଦ ରହି ପାରେ, କିନ୍ତୁ ଏହା ଆଉ ବଢ଼ିବ ନାହିଁ, ଯାହ ନଷ୍ଟ ହେଲା ପ୍ରକୃତରେ ତାହା ନଷ୍ଟହିଁ ହୋଇଯାଇଅଛି ।

 

ଏହି ଗୁରୁର ପଦ ଆମ୍ଭେମାନେ ହରାଇଅଛୁ । ରାଜପଦ କୌଣସି ଦିନ ଆମ ଦେଶର ଚରମ ସମ୍ପଦ ନ ଥିଲା ଓ ଏହା କେବହେଁ ଆମ ଦେଶର ସମସ୍ତ ଲୋକଙ୍କର ଚିତ୍ତ ଅଧିକାର କରି ନ ଥିଲା । ଏହାର ଅଭାବ ମଧ୍ୟ ଦେଶ ପକ୍ଷରେ ପ୍ରାଣାନ୍ତକ ନୁହେ । ବ୍ରାହ୍ମଣତ୍ୱର ଅଧିକାର ଅର୍ଥାତ୍ ଜ୍ଞାନ, ଧର୍ମ ଓ ତପସ୍ୟାର ଅଧିକାର ଆମ ସମାଜର ଯଥାର୍ଥ ପ୍ରାଣର ଆଧାର ଥିଲା । ଯେଉଁ ସମୟରୁ କେବଳ ଆଚାର ପାଳନ ମାତ୍ରହିଁ ତପସ୍ୟାର ସ୍ଥାନ ଗ୍ରହଣ କଲା । ସମାଜକୁ ନର ନବ ତପସ୍ୟାର ଫଳ, ନବ ନବ ଐଶର୍ଯ୍ୟ ବିତରଣରେ ଦାୟିତ୍ତ୍ୱ ଯେଉଁ ବ୍ରାହ୍ମଣ ଉପରେ ନ୍ୟସ୍ତ ଥିଲା, ସେ ଯେଉଁଦିନଠାରୁ ନିଜର ଯଥାର୍ଥ ମାହାତ୍ମ୍ୟ ବିସର୍ଜ୍ଜନ ଦେଇ ସମାଜର ଦ୍ଵାର ଦେଶରେ ନିମ୍ନସ୍ଥାନ ଗ୍ରହଣପୂର୍ବକ କେବଳମାତ୍ର ପ୍ରହରୀର ଦାୟିତ୍ୱ ଗ୍ରହଣ କଲା ସେହିଦିନଠାରୁ ଆମ୍ଭେମାନେ ଜଗତକୁ ଆଉ କିଛି ଦେବାରୁ ବିରତ ହୋଇ ନିଜର ଯାହା କିଛି ଥିଲା ତାକୁ ବିକୃତ ଓ ଅକର୍ମଣ୍ୟ କରିଅଛୁ ।

 

ପ୍ରତ୍ୟେକ ଜାତି ବିଶ୍ୱମାନବର ଅଙ୍ଗ, ଏହା ଆମ୍ଭେମାନେ ନିଶ୍ଚୟ ଜାଣିବା ଉଚିତ । ‘‘ବିଶ୍ୱମାନବକୁ କ’ଣ ଦାନ କରିଅଛ; ତା’ର ସୁଖବିଧାନ ନିମନ୍ତେ କି ନୂତନ ପନ୍ଥା ଉଦ୍‌ଭାବନ କରିଅଛ, ପ୍ରତ୍ୟେକ ଏହି ପ୍ରଶ୍ନର ସଦୁତ୍ତର ଦେବା ବିଧେୟ । ଏକ ଜାତି ଏ ଧରଣର ଉଦ୍‌ଭାବନର ପ୍ରାଣଶକ୍ତି ହରାଇଲେ, ଉକ୍ତ ବରାଟ ବିଶ୍ୱମାନବର କଳେବରରେ ପକ୍ଷାଘାତଗ୍ରସ୍ତ ଅଙ୍ଗସ୍ୱରୂପ କେବଳ ଭାର ତୁଲ୍ୟ ବିରାଜମାନ କରେ । ବସ୍ତୁତଃ କେବଳ ବଞ୍ଚିରହିବାହିଁ ଗୌରବଜନକ ନୁହେ ।

 

ଭାରତବର୍ଷ ନୂତନ ରାଜ୍ୟ ନିମନ୍ତେ କେବେହେଁ ଲୋଭପରବଶ ହୋଇ ନାହିଁ; କିମ୍ବା ବାଣିଜ୍ୟର ଲୁଣ୍ଠିତ ସମ୍ଭାର ପାଇଁ ମଧ୍ୟ ପ୍ରତିଦ୍ୱନ୍ଦିତା କରି ନାହିଁ । ଯେଉଁ ଚୀନ, ଜାପାନ ଓ ତିବ୍ଦତ ଇଉରୋପର ଅଗ୍ରଗତି ଭୟରେ ନିଜର ସକଳ ଦ୍ୱାର ଓ ବାତାୟନ ରୁଦ୍ଧ କରିବା ଲାଗି ଆଜି ବ୍ୟଗ୍ର ହୋଇ ଉଠିଛନ୍ତି, ଦିନେ ସେହିମାନେହିଁ ଧର୍ମଗୁରୁ ଭାବରେ ଭାରତକୁ ଆଦର ସହକାରେ ନିଜ ଗୃହକୁ ସ୍ଵାଗତ ଜଣାଇଥିଲେ ।

 

ଭାରତବର୍ଷ କେବେ ସୈନ୍ୟବାହିନୀ ପଠାଇ ଅନ୍ୟ ଦେଶକୁ ଲୁଣ୍ଠନ କରି ନାହିଁ, କେବଳ ଶାନ୍ତି ଓ ସଦ୍‌ଭାବର ବାର୍ତ୍ତା ବହନ କରିବା ତା’ର ଉଦ୍ଦେଶ୍ୟ । ଏହି ଭାବରେ ସେ ଯେଉଁ ଗୌରବ ଲାଭ କରିଛି ତାହା ତପସ୍ୟାର ଫଳ ଏବଂ ତାହା ରାଜଚକ୍ରବର୍ତ୍ତୀର ମର୍ଯ୍ୟାଦା ଅପେକ୍ଷା ମହତ୍ତର ।

 

ସେହି ଗୌରବରୁ ବଞ୍ଚିତ ହୋଇ ଆମ୍ଭେମାନେ ଆମର ସାମାନ୍ୟ ପୁଟୁଳି ପତ୍ର ଧରି ଭୀତ ଚିତ୍ତରେ ଗୃହର ଏକ କୋଣରେ ବସିଥିଲୁ, ଏହି ସମୟରେ ଇଂରେଜମାନଙ୍କର ଆସିବାର ଆବଶ୍ୟକତା ପଡ଼ିଲା । ଏହି ଭୀରୁ ପଳାତକ ସମାଜ ଆତ୍ମରକ୍ଷା ନିମନ୍ତେ ଯତ୍ନ ସହକାରେ ନିର୍ମାଣ କରିଥିବା ପ୍ରାଚୀର ସେମାନଙ୍କ ପ୍ରବଳ ଆଘାତରେ ବହୁ ସ୍ଥାନରେ ଭାଙ୍ଗି ଗଲା । ଏ ପର୍ଯ୍ୟନ୍ତ ବାହାର ଜଗତକୁ ଭୟ କରି ଆମେ ନିଜକୁ ଦୂରରେ ରଖିଥିଲୁ, କିନ୍ତୁ ଏହି ଭଗ୍ନ ପଥଦେଇ ବାହାର ଜଗତ ଦ୍ରୁତ ବେଗରେ ଭିତରକୁ ପଶି ଆସିଛି । ଏହାକୁ ପଛକୁ ଠେଲି ଦେବାର ସାଧ୍ୟ କାହାର ? ଏହି ଉତ୍ପାତରେ ଆମର ଯେଉଁ ପ୍ରାଚୀର ଭାଙ୍ଗିଗଲା, ତହିଁରୁ ଆମେ ଦୁଇଟି ପଦାର୍ଥ ଆବିଷ୍କାର କଲୁ । ଦିନେ ଆମର ଯେଉଁ ଆଶ୍ଚର୍ଯ୍ୟକର ଶକ୍ତି ଥିଲା ତାହା ଆମେ ଉପଲବ୍ଧି କଲୁ ଏବଂ ସେମାନଙ୍କୁ ହରାଇ ଆମେ ଯେପରି ଶୋଚନୀୟଭାବେ ଅଶକ୍ତ ହୋଇପଡ଼ିଛୁ ତାହା ମଧ୍ୟ ଆମର ଅନୁଭୂତ ହେଲା ।

 

ଦୂରରେ ନିଜକୁ ଲୁଚାଇରଖିବା ଆତ୍ମରକ୍ଷା ନୁହେ, ଆଜି ମଧ୍ୟ ଏହା ଆମ୍ଭେମାନେ ଉତ୍ତମରୂପେ ଉପଲବ୍ଧି କରିଛୁ । ନିଜର ଅନ୍ତର୍ନିହିତ ଶକ୍ତିକୁ ସର୍ବତୋଭାବେ ଜାଗ୍ରତ କରି ଚାଳନା କରିବା ଆତ୍ମରଷାର ପ୍ରକୃତ ଉପାୟ । ଆମ୍ଭେମାନେ ଆମ ଜଡ଼ତ୍ୱ ତ୍ୟାଗ ନ କରିବା ପର୍ଯ୍ୟନ୍ତ ଇଂରେଜ ଆମର ଚିତ୍ତକୁ ଅଭିଭୂତ କରି ରଖିବ । ଏକ କୋଣରେ ବସିରହି ଆମ ପରାଭବ ନିମନ୍ତେ ହାହାକାର କରି ବିଳାପ କରିବାରେ କୌଣସି ଫଳ ନାହିଁ । ଇଂରେଜମାନଙ୍କ ଅନୁକରଣ ପୂର୍ବକ ଛଦ୍ମବେଶ ଧାରଣ କରି ନିଜକୁ ରକ୍ଷା କରିବାର ଚେଷ୍ଟା କେବଳ ଆତ୍ମପ୍ରତାରଣା ମାତ୍ର । ଆମେ କେବେହେଁ ଇଂରେଜ ହୋଇ ପାରିବୁ ନାହିଁ । କିମ୍ବା ନକଲି ଇଂରେଜ ହୋଇ ଇଂରେଜଙ୍କୁ ଠକାଇବା ଆମ ପକ୍ଷରେ ଅସମ୍ଭବ ।

 

ଆମର ବୁଦ୍ଧି, ଅନୁଭୂତି ଓ ରୁଚି ଦିନକୁଦିନ ଶସ୍ତା ଧରଣର ହୋଇଉଠୁଛି । ତାହାକୁ ରୋକିବାର ଏକମାତ୍ର ଉପାୟ ହେଉଛି ଯେ ସଜ୍ଞାନରେ, ସକ୍ରିୟ ଭାବରେ ଏବଂ ସମସ୍ତ ଶକ୍ତି ସାହାଯ୍ୟରେ ଆମର ଯଥାର୍ଥ ଆତ୍ମାର ପରିଚୟ ଲାଭ କରିବା ।

 

ଆମ ମଧ୍ୟରେ ଆବଦ୍ଧ ଥିବା ଶକ୍ତିସମୂହ ବିଦେଶୀ ସଂଘର୍ଷର ଚାପରେ ମୁକ୍ତିଲାଭ କରିବ-। ପ୍ରାଚୀନ ଭାରତର ଋଷିମାନେ ଆତ୍ମସଂଯମ ଦ୍ଵାରା ଯେଉଁ ମହାମୂଲ୍ୟ ଶକ୍ତି ସଞ୍ଚୟ କରିଥିଲେ, ତାହା ଲାଭ କରିବା ଆଜି ପୃଥିବୀ ପକ୍ଷରେ ଅତ୍ୟନ୍ତ ଆବଶ୍ୟକ । ବିଧାତା ଏହି ଶକ୍ତିସମୂହକୁ ନିଷ୍ଫଳ ହେବାକୁ ଦେବେ ନାହିଁ । ସେହି କାରଣରୁ ପ୍ରକୃଷ୍ଟ ମୁହୂର୍ତ୍ତରେ ସେ ନିଶ୍ଚେଷ୍ଟ ଭାରତକୁ କଠିନ ଆଘାତ ଦ୍ୱାରା ଜାଗ୍ରତ କରିଛନ୍ତି ।

 

ବହୁ ମଧ୍ୟରେ ଐକ୍ୟର ଉପଲବ୍ଧି, ବୈଚିତ୍ର୍ୟ ମଧ୍ୟରେ ସମନ୍ୱୟ ସ୍ଥାପନହିଁ ଭାରତବର୍ଷର ଅନ୍ତର୍ନିହିତ ଧର୍ମ । ଭାରତବର୍ଷ ପାର୍ଥକ୍ୟକୁ ବିରୋଧ ବୋଲି ଭାବେ ନା କିମ୍ବା କୌଣସି ଆଗନ୍ତୁକକୁ ସେ ଶତ୍ରୁ ଜ୍ଞାନ କରେ ନା । ତେଣୁ ପରିତ୍ୟାଗ ନ କରି, ବିନାଶ ନ କରି ଏକ ବୃହତ୍ ସମାଜ ବ୍ୟବସ୍ଥା ମଧ୍ୟରେ ସମସ୍ତଙ୍କୁ ସ୍ଥାନ ଦେବାକୁ ସେ ଇଚ୍ଛୁକ । ପ୍ରତ୍ୟେକ ପନ୍ଥାକୁ ସେ ସ୍ୱୀକାର କରି ଉପଯୁକ୍ତ ସ୍ଥାନରେ ସମସ୍ତଙ୍କ ମାହାତ୍ମ୍ୟ ଉପଲବ୍‍ଧ କରେ ।

 

ଐକ୍ୟ ବିଧାନରେ ଏହି ପ୍ରତିଭା ଭାରତବର୍ଷର ଥିବାରୁ କାଳ୍ପନିକ ଶତ୍ରୁର ଚିନ୍ତାରେ ଆମେ ଭୟଭୀତ ହେବା ଉଚିତ ନୁହେଁ । ପ୍ରତ୍ୟେକ ନୂତନ ସଂଘାତର ଚରମ ଫଳସ୍ୱରୂପ ଆମ୍ଭେମାନେ ଆତ୍ମବିସ୍ତାରକୁହିଁ ପ୍ରତ୍ୟାଶା କରିବା । ହିନ୍ଦୁ, ବୌଦ୍ଧ, ମୁସଲମାନ; ଖ୍ରୀଷ୍ଟିୟାନ ଭାରତବର୍ଷର ଭୂମିରେ ପରସ୍ପର ସହ ଯୁଦ୍ଧରତ ରହି ମୃତ୍ୟୁବରଣ କରିବେ ନାହିଁ । ଏଠାରେ ସେମାନେ ସାମଞ୍ଜସ୍ୟ ଖୋଜି ପାଇବେ । ସେହି ସାମଞ୍ଜସ୍ୟ ଅହିନ୍ଦୁ ହେବ ନାହିଁ, ଅନ୍ୟ ପକ୍ଷରେ ତାହା ବିଶେଷ ଭାବରେହିଁ ହିନ୍ଦୁ ହେବ । ତା’ର ଅଙ୍ଗ ପ୍ରତ୍ୟଙ୍ଗ ଯେତେ ଦେଶ ବିଦେଶରେ ହେଉ ନା କାହିଁକି, ତାହାର ଆତ୍ମା ହେବ ଭାରତବର୍ଷର ଆତ୍ମା ।

 

ବିଧି ନିର୍ଦ୍ଦିଷ୍ଟ ଏହି ନିୟୋଗ ଆମେ ସ୍ମରଣ କଲେ ଆମ ଲକ୍ଷ୍ୟ ସ୍ଥିରହେବ, ଲଜ୍ଜା ଦୂର ହେବ, ଭାରତର ମୃତ୍ୟୁହୀନ ଶକ୍ତିର ପ୍ରକୃତ ସନ୍ଧାନ ଆମେ ଲାଭ କରି ପାରିବା । ଆମ୍ଭେମାନେ କେବଳ ଶିଷ୍ୟ ଭାବରେ ଚିରକାଳ ଇଉରୋପର ଜ୍ଞାନ ବିଜ୍ଞାନ ଯେ ଗ୍ରହଣ କରିବା ନାହିଁ, ଏ କଥା ଆମକୁ ସ୍ମରଣ ରଖିବାକୁ ପଡ଼ିବ । ଭାରତବର୍ଷର ଜ୍ଞାନର ଅଧିଷ୍ଠାତ୍ରୀ ଦେବୀ ସରସ୍ୱତୀ, ଆମ୍ଭମାନଙ୍କ ପାଇଁ ଶତଦଳବିଶିଷ୍ଟ ପଦ୍ମତୁଲ୍ୟ ପ୍ରତ୍ୟେକ କଳା ଓ ବିଜ୍ଞାନକୁ ବିକଶିତ କରିବେ ।

 

୧୯୦୪

 

‘‘ଐଶ୍ୱର୍ଯ୍ୟ ବିପୁଳତାର ବୋଝ ମାତ୍ର,

କିନ୍ତୁ କଲ୍ୟାଣ ହେଉଛି ପ୍ରାଣୀର ପରିପୂର୍ଣ୍ଣତା ।”

 

ରବୀନ୍ଦ୍ରନାଥ

Image

 

ଶିକ୍ଷା ସମସ୍ୟା

 

ଏ ଦେଶରେ ସ୍କୁଲ କହିଲେ ଯାହା ବୁଝାଯାଏ, ପ୍ରକୃତରେ ତାହା ଶିକ୍ଷା ଦେବାର ଏକ କାରଖାନା । ଶିକ୍ଷକମାନ ସେହି କାରଖାନାର ଏକ ଅଂଶ ମାତ୍ର । ସକାଳ ସାଢ଼େ ଦଶଟା ବେଳେ ଘଣ୍ଟା ବାଜିଲେ ଏ କାରଖାନା ଖୋଲିଯାଏ । ଶିକ୍ଷକମାନେ ପଢ଼ାଇବା ଆରମ୍ଭ କରି ମୁହଁ ଖୋଲିଲେ କଳ ଚାଲିବା ଆରମ୍ଭ ହୁଏ । ଅପରାହ୍ନ ଚାରିଟା ବେଳେ କାରଖାନା ବନ୍ଦ ହୁଏ । ଶିକ୍ଷକମାନେ ମୁହଁ ବନ୍ଦ କରନ୍ତି, ଛାତ୍ରମାନେ କଳପ୍ରସ୍ତୁତ ଦ୍ରବ୍ୟ ଭଳି ଦୁଇ ଚାରି ପୃଷ୍ଠାର ପାଠ ନେଇ ଘରକୁ ଫେରିଆସନ୍ତି । ପରେ ଏହି ପାଠର ପରୀକ୍ଷା ହୁଏ ଏବଂ ତା ଉପରେ ମୋହର ମରା ଯାଏ ।

 

କଳର ଗୋଟିଏ ସୁବିଧା, ଏହା ଫରମାସ ମୁତାବକ ଠିକ୍ ଜିନିଷ ତିଆରି କରେ । ଅଧିକନ୍ତୁ ବିଭିନ୍ନ କଳରେ ପ୍ରସ୍ତୁତ ହେଉଥିବା ଦ୍ରବ୍ୟମାନଙ୍କ ମଧ୍ୟରେ ବିଶେଷ ପାର୍ଥକ୍ୟ ନ ଥିବାରୁ ସେଗୁଡ଼ିକୁ ମାର୍କା ଦେବା ସୁବିଧା ହୁଏ ।

 

କିନ୍ତୁ ଜଣେ ମନୁଷ୍ୟର ଅନ୍ୟ ମନୁଷ୍ୟ ସଂଗରେ ଅନେକ ତଫାତ୍ । ଏପରିକି ଜଣେ ମନୁଷ୍ୟର ଗୋଟିଏ ଦିନ ସଂଗରେ ଅନ୍ୟ ଏକ ଦିନର ବିଶେଷ ପାର୍ଥକ୍ୟ ଅଛି ।

 

ଅଧିକନ୍ତୁ ମନୁଷ୍ୟଠାରୁ ଆମ୍ଭେମାନେ ଯାହା ପାଉଁ କଳଠାରୁ ତାହା କେବେହେଲେ ପାଇପାରିବୁ ନାହିଁ । କଳ ଆମ ସମ୍ମୁଖରେ ଜିନିଷ ଧରି ରଖେ, କିନ୍ତୁ ଆମକୁ ଦାନ କରି ପାରେ ନାହିଁ । ଆଲୁଅ ଲଗାଇବା ଲାଗି ଏହା ତେଲ ଦେଇ ପାରେ, କିନ୍ତୁ ଆଲୁଅ ଜଳାଇବା ନିମନ୍ତେ ସେ ସମର୍ଥ ନୁହେ ।

 

ୟୁରୋପରେ ବାଳାକର ମାନସିକ ବିକାଶରେ ବିଦ୍ୟାଳୟର ଅବଦାନ ଗୌଣ, ସମାଜଜୀବନ ଭିତରେ ବଢ଼ି ସେ ମନୁଷ୍ୟ ହୁଏ । ଜୀବନ ସମ୍ପର୍କରୁ ବିଚ୍ଛିନ୍ନ ନ ହୋଇ ଇଉରୋପୀୟ ଶିକ୍ଷା ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ହୋଇପଡ଼େ । ସମାଜ ମଧ୍ୟରେ ଏହାର ଜନ୍ମ, ବିକାଶ ଓ ପ୍ରସାର ସାଧିତ ହୁଏ । ଲୋକମାନଙ୍କ ନିତିଦିନିଆ ଜୀବନର କଥାବାର୍ତ୍ତା, ଚିନ୍ତା ଓ କାର୍ଯ୍ୟ ଉପରେ ଏହାର ପ୍ରଭାବ ସ୍ପଷ୍ଟ ହୋଇଉଠେ । ସେଠାରେ ଜନସମାଜ କାଳେ କାଳେ ନାନା ଘଟଣାରେ ଓ ବହୁଲୋକଙ୍କ ବିବିଧ କର୍ମ ମଧ୍ୟରେ ଲାଭ କରିଥିବା ସଂସ୍କୃତିକୁ ପରିବେଷଣ କରିବା ନିମନ୍ତେ ବିଦ୍ୟାଳୟ କେବଳ ଏକ ମାଧ୍ୟମ ମାତ୍ର ।

 

କିନ୍ତୁ ଆମ ଦେଶରେ ବିଦ୍ୟାଳୟମାନ ସମାଜ ସହିତ ଏକ ହୋଇ ମିଶି ରହିବା ଦୂରେଥାଉ, ସେଗୁଡ଼ିକୁ ବାହାରୁ ସମାଜ ଉପରେ ଯେପରି ଲଦି ଦିଆଯାଇଛି । ସେମାନେ ଶିକ୍ଷା ଦେଇଥିବା ପାଠ୍ୟ ବିଷୟଗୁଡ଼ିକ ଶୁଷ୍କ ଓ ନିର୍ଜୀବ, ତାକୁ ଶିକ୍ଷା କରିବା କଷ୍ଟକର, ଏବଂ ଶିକ୍ଷା କଲେ ମଧ୍ୟ ପ୍ରୟୋଗ କାଳରେ ତାହା ନିରର୍ଥକ । ଦଶଟାରୁ ଚାରିଟା ପର୍ଯ୍ୟନ୍ତ ଛାତ୍ରମାନେ ନାନାପାଠ ମୁଖସ୍ଥ କରନ୍ତି, କିନ୍ତୁ ସେମାନେ ବାସ କରୁଥୁବା ଦେଶ ସଙ୍ଗରେ ତା’ର କୌଣସି ସାଧାରଣ ସଂଯୋଗ-ସାଦୃଶ୍ୟ ଦେଖାଯାଏ ନା । ଛାତ୍ରମାନେ ବିଦ୍ୟାଳୟରେ ଯାହା ଶିକ୍ଷା କରନ୍ତି ତା’ ସହିତ ଘରେ ପିତା ମାତା, ଓ ଜ୍ଞାତି କୁଟୁମ୍ବ କରୁଥିବା ଆଲୋଚନାର କୌଣସି ଯୋଗ ନାହିଁ, ବରଂ ଅନେକ ବିରୋଧ ପରିଲକ୍ଷିତ ହୋଇଥାଏ । ଏପରି ଅବସ୍ଥାରେ ବିଦ୍ୟାଳୟଗୁଡ଼ିକ କାରଖାନା ଅପେକ୍ଷା ଟିକିଏ ଉନ୍ନତ ଧରଣର–ତାହା ବସ୍ତୁ ମାତ୍ର ଯୋଗାଏ-ପ୍ରାଣ ଯୋଗାଏ ନାହିଁ ।

 

ଏହି କାରଣରୁ ଏହା ସ୍ପଷ୍ଟ ଯେ ୟୁରୋପର ବିଦ୍ୟାଳୟମାନଙ୍କର ଅବିକଳ ବାହ୍ୟ ନକଲ କଲେ ସୁଦ୍ଧା ଆମେ କେବେହେଲେ ପ୍ରକୃତ ପଦାର୍ଥ ପାଇ ପାରିବୁ ନାହିଁ । ଏହି ନକଲରୁ ଇଉରୋପୀୟ ବିଦ୍ୟାଳୟମାନଙ୍କର ସେହି ଟେବୁଲ୍ ବେଞ୍ଚ, ସେହି ପ୍ରକାର ଆଇନ୍ ଓ କାର୍ଯ୍ୟପ୍ରଣାଳୀ ସମସ୍ତ ଠିକ୍ ମିଳି ପାରେ, କିନ୍ତୁ ସେଗୁଡ଼ିକ ଆମ ପକ୍ଷରେ ବୋଝ ହୋଇ ଉଠିବ ।

 

ପ୍ରାଚୀନ ଭାରତରେ ଶିକ୍ଷା ଗୁରୁମାନଙ୍କର ଦାୟିତ୍ୱାଧିନ ଥିଲା, ସେମାନେ ଥିଲେ ନୈତିକ ଓ ଆଧ୍ୟାତ୍ମିକ ଉପଦେଷ୍ଟା । ସେ କାଳର ଶିକ୍ଷକମାନଙ୍କଠାରେ ମନୁଷ୍ୟତ୍ୱ ଥିଲା, ସେମାନେ କେବଳ କଳମାତ୍ର ନ ଥିଲେ, ସେତେବେଳେ ଶିକ୍ଷାର ବିଷୟ ଏତେ ବିସ୍ତୃତ ଓ ବିଚିତ୍ର ନ ଥିଲା ଏବଂ ସମାଜରେ ପ୍ରଚଳିତ ଭାବ ଓ ମତ ସହ ପୋଥିଗତ ଶିକ୍ଷାର କୌଣସି ବିରୋଧ ନ ଥିଲା । କିନ୍ତୁ ସେ କାଳର ପଦ୍ଧତିକୁ ଆଜି ଫେରାଇ ଆଣିବାର ଚେଷ୍ଟାକଲେ ତାହାର କୌଣସି ଉପଯୋଗିତା ରହିବ ନାହିଁ; ଏବଂ ପରିଶେଷରେ ତାହା ମଧ୍ୟ ବୋଝରେ ପରିଣତ ହେବ ।

 

ଯଦି ଆମେ ପ୍ରକୃତରେ ଆମର ବର୍ତ୍ତମାନ କାଳର ପ୍ରୟୋଜନ ଠିକ୍‌ରୂପେ ବୁଝୁ, ତା’ହେଲେ ଆମଦ୍ୱାରା ସ୍ଥାପିତ ନୂତନ ବିଦ୍ୟାଳୟମାନଙ୍କରେ ନିମ୍ନ ସୂଚିତ ଅବସ୍ଥାର ପୂରଣ ନିମନ୍ତେ ବ୍ୟବସ୍ଥା କରିବା ଉଚିତ । ଆମ ବିଦ୍ୟାଳୟର ପାଠ୍ୟ ବିଚିତ୍ର ଓ ଜୀବନ୍ତ ହେବା ଆବଶ୍ୟକ । ସେମାନେ ହୃଦୟ ଓ ବୁଦ୍ଧିର ପୋଷକତା ଅବଲମ୍ବନ କରିବା ବାଞ୍ଛନୀୟ । ଦେଖିବାକୁ ହେବ ଆମ ଛାତ୍ରମାନଙ୍କର ମନ କୌଣସି ପ୍ରକାର ବିଚ୍ଛେଦ ଓ ବିରୋଧ ଦ୍ୱାରା ଯେପରି କଳୁଷିତ ନ ହୁଏ । ବିଦ୍ୟାଶିକ୍ଷା ଯେପରି ଅବାସ୍ତବ, ଜଡ଼ ଓ ଦୁରୂହ ନ ହୁଏ ଏବଂ ଛାତ୍ରମାନେ ବିଦ୍ୟାଳୟରେ ଥିବା ଅଳ୍ପ କେତେକ ଘଣ୍ଟା ପାଇଁ ଏଥିଲଗି ଯେପରି ଅଧିକ ଚିନ୍ତିତ ନ ହୁଅନ୍ତି, ତାର ବ୍ୟବସ୍ଥା କରିବାକୁ ହେବ-

 

ବିଦ୍ୟାଳୟକୁ ଗୃହରେ ପରିଣତ କରିବାକୁ ଚେଷ୍ଟା କଲେ ତାହା ବୋର୍ଡ଼ିଂ ସ୍କୁଲର ଆକାର ଧାରଣ କରେ । ଏହି ବୋର୍ଡ଼ିଂ ସ୍କୁଲ କହିଲେ ମନରେ ଯେଉଁ ଛବି ସୃଷ୍ଟି ହୁଏ, ତାହା ଆଦୌ ମନୋହର ନୁହେ । ସେଗୁଡ଼ିକ ସୈନ୍ୟବାହିନୀର ବାରାକ୍, ପାଗଳା ଗାରଦ, ହାସପାତାଳ ବା ଜେଲ୍‌ର ସମଗୋଷ୍ଠୀଭୁକ୍ତ ।

 

ଅତଏବ ବିଲାତର ନଜିରକୁ ପୂରାପୁରି ଆମ ମନରୁ ଦୁର କରିଦେବାକୁ ହେବ, କାରଣ ବିଲାତର ଇତିହାସ ଓ ବିଲାତି ସମାଜ ଆମ ଇତିହାସ ସମାଜରୁ ପୃଥକ୍ । ଆମ ଦେଶର ଲୋକମାନଙ୍କ ଚିତ୍ତ ଅତୀତ କାଳରେ ଯେଉଁ ଆଦର୍ଶ ଦ୍ୱାରା ଆକୃଷ୍ଟ ଓ ମୁଗ୍‌ଧ ହୋଇଥିଲା, ଯେଉଁ ଆଦର୍ଶ ଏହାକୁ ଅନୁପ୍ରାଣିତ କରିଥିଲା, ତାହା ଭଲକରି ବୁଝିବାକୁ ହେବ ।

 

ଏହି ବୁଝିବାରେ ଅନେକ ବାଧା ଅଛି । ଆମ୍ଭେମାନେ ଇଂରାଜୀ ଶିକ୍ଷାଲାଭ କରିଥିବାରୁ ଇଂରେଜମାନଙ୍କର ଦୃଷ୍ଟାନ୍ତ ଆମ ଦୃଷ୍ଟିସୀମାର ସକଳ କ୍ଷେତ୍ରକୁ ଅଧିକାର କରିଅଛି । ଏହାର ଅନ୍ତରାଳରେ ଆମ ଦେଶର ବୈଶିଷ୍ଟ୍ୟ ଅସ୍ପଷ୍ଟ ରହିଯାଏ । ଏପରିକି ବ୍ରିଟିଶ୍ ଶାସନରୁ ସ୍ୱାଧୀନତା ଲାଭ କରିବା ନିମନ୍ତେ ଲିପ୍ତଥିବା ତୀବ୍ର ସଂଗ୍ରାମରେ ମଧ୍ୟ ଆମେ ବ୍ରିଟେନ୍ ସହ ଶୃଙ୍ଖଳାବଦ୍ଧ ରହୁ । କାରଣ ଇଂରେଜ ଜାତିର ରାଜନୀତିକ ଆଦର୍ଶ ଛଡ଼ା ଆମର ଅନ୍ୟ ଆଦର୍ଶ ନାହିଁ ।

 

ଆମ ଅସୁବିଧାର ଏକ ପ୍ରଧାନ ହେତୁ, ଆମେ ଇଂଲଣ୍ଡ ଦେଶର ସମାଜ ବିଷୟରେ ଜ୍ଞାନଲାଭ କରି ନ ଥିବାରୁ ଇଂରାଜୀ ଶିକ୍ଷାକୁ ତାର ଯଥା ସ୍ଥାନରେ ପ୍ରୟୋଗ କରିବାକୁ ଅସମର୍ଥ ହେଉ । ଯେଉଁ ସମାଜର ଏହା ଅନ୍ତର୍ଗତ, ସେହି ସମାଜ ସହ ଏହାର ଯଥାର୍ଥ ସମ୍ପର୍କ ଆମେ ଜାଣୁ ନାହିଁ, ଫଳରେ ସେହି ବିଦ୍ୟାଳୟର ଭାରତୀୟ ପ୍ରତିରୂପ ଯେପରି ଭାବେ ଆମ ଜୀବନ ସଙ୍ଗେ ଏକ ତାନରେ ସମନ୍ୱିତ ହେବ, ତାହା ନିରୂପଣ କରିବାରେ ଆମେ ବ୍ୟର୍ଥକାମ, ଅଥଚ ଏହାହିଁ ସର୍ବାପେକ୍ଷା ଅଧିକ ପ୍ରୟୋଜନୀୟ । ବିଲାତର କେଉଁ ସ୍କୁଲ ବା କଲେଜରେ କେଉଁ ପାଠ୍ୟପୁସ୍ତକ ପଢ଼ାଯାଏ, କି ପ୍ରକାର ନିୟମ ପାଳିତ ହୁଏ, ଏ ଧରଣର ପ୍ରଶ୍ନ ଆଲୋଚନାରେ କାଳକ୍ଷେପ କରିବା ସମୟର ଅପଚୟମାତ୍ର ।

 

ଏହି ବିଷୟରେ ଏକ ଅନ୍ଧସଂସ୍କାର ଆମର ମଜ୍ଜାଗତ ହୋଇଅଛି । ଆମେ ମନେକରୁ କୌଣସି ପ୍ରକାରେ ଗୋଟିଏ ସଭା ସ୍ଥାପନ କରି ଓ ଏକ କମିଟି ବସାଇଲେ ସହଜରେ ଫଳଲାଭ ହେବ । ଏହି ବିଷୟରେ ଆମେ ତିବ୍ଦତୀୟମାନଙ୍କ ସଙ୍ଗେ ସମାନ । ସେମାନେ ବିଶ୍ୱାସ କରନ୍ତି ଜଣେ ଧର୍ମ ପ୍ରଚାରକ ଲାମାଙ୍କୁ ଉଡ଼ା କରି ତାଙ୍କ ଦ୍ୱାରା ଗୋଟିଏ ପ୍ରାର୍ଥନାଚକ୍ର, ବୁଲାଇଦେଲେ ସ୍ଵର୍ଗରେ ପୁଣ୍ୟଲାଭ କରାଯାଇ ପାରେ । ଅନେକଦିନ ହେଲା ଆମ୍ଭେମାନେ ବିଜ୍ଞାନସଭା ସ୍ଥାପନ କରିଅଛୁ, କିନ୍ତୁ ଆମ ଦେଶ ବିଜ୍ଞାନ ଶିକ୍ଷାରେ ଉଦାସୀନ, ଏଥିପାଇଁ ବର୍ଷ ବର୍ଷ ଧରି ଆମ୍ଭମାନଙ୍କର ବିଳାପର ଅନ୍ତ ନାହିଁ । ବିଜ୍ଞାନସଭା ସ୍ଥାପନ କରିବା ଏବଂ ଦେଶର ଲେକଚିତ୍ତକୁ ବିଜ୍ଞାନ ଶିକ୍ଷା ପ୍ରତି ଆକୃଷ୍ଟ କରାଇବା ସମାନ କଥା ନୁହେ । ଆମ୍ଭେମାନେ କେବଳ ବିଜ୍ଞାନସମିତି ସ୍ଥାପନ କରିଦେଲେ ଦେଶ ସଙ୍ଗେ ସଙ୍ଗେ ଯେ ଶତ ଶତ ବିଜ୍ଞାନୀ ପ୍ରସ୍ତୁତ କରି ପାରିବ, ବର୍ତ୍ତମାନ କାଳରେ ଆମର ଏକନିଷ୍ଟ କଳ ଉପାସନା ହିଁ ଏହି ଚିନ୍ତାର ପରିଚାୟକ ।

 

ଅସଲ କଥା ହେଉଛି, ମନୁଷ୍ୟର ଚିତ୍ତ ଆକର୍ଷଣ କରିବା । ତାହା ହୋଇ ପାରିଲେ ଆମର ଉଦ୍ୟମ ପୂର୍ଣ୍ଣ ସଫଳ ହେବ । ପ୍ରାଚୀନ ଭାରତୀୟମାନେ ନିଜେ ଲାଭ କରୁଥିବା ଶିକ୍ଷାରେ ଏତେ ନିବିଷ୍ଟ ଥିଲେ କିପରି ? ଏହା ଭଲ ଭାବରେ ବିବେଚନା କରି ଦେଖିବା କଥା । ମୁଁ ଜାଣେ କେତେକ ଲୋକ ବିଦେଶୀ ବିଦ୍ୟାଳୟମାନଙ୍କର ପଞ୍ଜିକା (କାଲେଣ୍ଡର) ଖୋଲି ମନୋଯୋଗ ସହକାରେ ଅଧ୍ୟୟନ କରନ୍ତି ମନେହୁଏ ତାହା ମଧ୍ୟରୁ ସେମାନେ ପ୍ରଚୁର ଆନନ୍ଦ ଲାଭ କରୁଅଛନ୍ତି । ସେମାନଙ୍କ ଆନନ୍ଦ ଉପଭୋଗରେ ବାଧାଦେବା ମୋର ଆନ୍ତରିକ ଇଚ୍ଛା ନୁହେ । ଆମ ବିଦ୍ୟାଳୟମାନଙ୍କରେ କି ବିଷୟ ପଢ଼ାହେବ, ତାହା ଚିନ୍ତା କରିବା ନିଶ୍ଚୟ ପ୍ରଧାନ କଥା, କିନ୍ତୁ ଛାତ୍ରମାନଙ୍କୁ ସେମାନଙ୍କ ପାଠ୍ୟ ପ୍ରତି ନିବିଷ୍ଟ କରାଇବା କମ୍‍ ଗୁରୁତ୍ୱପୂର୍ଣ୍ଣ ବିଷୟ ନୁହେ ।

 

ଆମର ପରମ୍ପରା କହେ ପ୍ରାଚୀନ ଭାରତର ଗୁରୁମାନେ ତପୋବନ କୁଟୀରରେ ବାସ କରୁଥିଲେ । ତପୋବନମାନଙ୍କର ଏକ ସୂକ୍ଷ୍ମ ଚିତ୍ର ଆମ ମନରେ ଅଙ୍କନ କରିହେବ ନାହିଁ । କିନ୍ତୁ ଗୋଟିଏ କଥା ନିଶ୍ଚିତ ଯେ ଗୁରୁ ଜଣେ ଗୃହୀ ବ୍ୟକ୍ତି ଥିଲେ ଏବଂ ଶିଷ୍ୟମାନେ ସନ୍ତାନତୁଲ୍ୟ ତାଙ୍କ ଗୃହସ୍ଥଳୀରେ ବାସ କରୁଥିଲେ । ଶିକ୍ଷକ ଓ ଶିକ୍ଷାର୍ଥୀ ଉଭୟ ଏକତ୍ର ବାସ କରିବା ଉଚିତ, ଏହି ଭାବଧାରା ଆମ ଦେଶରେ ଆଜିକାଲି ମଧ୍ୟ ଟୋଲ, ଚତୁଷ୍ପାଠୀ ନୈଷ୍ଠିକ ହିନ୍ଦୁ ବିଦ୍ୟାଶିକ୍ଷା ଦେଉଥିବା ସ୍କୁଲ ଓ କଲେଜମାନଙ୍କରେ ଠାଏ ଠାଏ ଦେଖାଯାଇଥାଏ ।

 

ଏହି ଟୋଲ ଓ ଚତୁଷ୍ପାଠୀ ପ୍ରତି ଦୃଷ୍ଟି ନିକ୍ଷେପ କଲେ ଜଣାଯିବ ସେମାନେ ପୁସ୍ତକପାଠକୁ ଶିକ୍ଷାର ସର୍ବାପେକ୍ଷା ପ୍ରଧାନ ଅଙ୍ଗରୂପେ ବିଚାର କରନ୍ତି ନାହିଁ । ସେଠାରେ ଚତୁର୍ଦ୍ଦିଗରେ ସଂସ୍କୃତିର ଏକ ବାତାବରଣ ବିଦ୍ୟମାନ, ଶିକ୍ଷକମାନେ ସେମାନଙ୍କ କର୍ମରେ ନିଜକୁ ଉତ୍ସର୍ଗ କରିଛନ୍ତି । ସେଠୀର ଜୀବନଯାତ୍ରା ଅତ୍ୟନ୍ତ ସାଧାସିଧା, ବୈଷୟିକ ସ୍ଵାର୍ଥ ବା ବିଳାସ ସେମାନଙ୍କ ମନକୁ ବିଚଳିତ କରି ପାରେ ନାହିଁ, ସୁତରାଂ ଶିକ୍ଷା ସେମାନଙ୍କର ସ୍ୱଭାବ ସଙ୍ଗରେ ମିଶିବା ନିମନ୍ତେ ଯଥେଷ୍ଟ ସୁବିଧା ଓ ସମୟ ଅଛି । ୟୁରୋପର ବଡ଼ ବଡ଼ ଶିକ୍ଷାୟତନମାନଙ୍କରେ ଏହି ଭାବଧାରା ମଧ୍ୟ ବିଦ୍ୟମାନ ସେ ବିଷୟ ଏଠାରେ ମୁଁ ସୂଚାଇଦେଇ ପାରେ ।

 

ପ୍ରାଚୀନ ଭାରତବର୍ଷରେ ଛାତ୍ର ପକ୍ଷରେ ଅଧ୍ୟୟନ କାଳରେ ଗୁରୁ ଗୃହରେ ବାସ ଓ ବ୍ରହ୍ମଚର୍ଯ୍ୟ ପାଳନ ଏହି ଦୁଇଟି ଅତ୍ୟାବଶ୍ୟକ ବିଷୟ ବିବେଚିତ ହେଉଥିଲା ।

 

ବ୍ରହ୍ନଚର୍ଯ୍ୟ କହିଲେ ସଂକୀର୍ଣ୍ଣ ଅର୍ଥରେ କୃଚ୍ଛ୍ରସାଧନ ବୁଝାଯାଏ ନାହିଁ । ସମାଜ ମଧ୍ୟରେ ପରିବର୍ଦ୍ଧିତ ବାଳକ ବହୁ ଲୋକଙ୍କର ସଂସର୍ଗ, ନାନା ବିଷୟର ପ୍ରଭାବରେ ଚଞ୍ଚଳ ହୋଇଉଠେ, ତାହାର ସ୍ୱାଭାବିକ ବିକାଶ ବାଧାପ୍ରାପ୍ତ ହୁଏ । ତାହାର ହୃଦୟବୃତ୍ତି ଭ୍ରୁଣ ଅବସ୍ଥାରେ ଥିଲାବେଳେ କୃତ୍ରିମ ଉତ୍ତେଜନା ଦ୍ୱାରା ଅକାଳରେ ଜାଗ୍ରତ ହୁଏ, ଫଳରେ ଶାରୀରିକ ଓ ମାନସିକ ଶକ୍ତିର ପ୍ରଭୂତ ଅପଚୟ ଘଟେ । ବିକୃତିର ସମସ୍ତ କୃତ୍ରିମ କାରଣ ନିକଟରୁ ତରୁଣ ସ୍ୱଭାବକୁ ପ୍ରକୃତିସ୍ଥ ରଖିବା ଏକାନ୍ତ ଆବଶ୍ୟକ । ପ୍ରବୃତ୍ତିର ଅକାଳବୋଧନ ଏବଂ ବିଳାସିତାର ଉଗ୍ର ଉତ୍ତେଜନାକୁ ସଂଯତ କରି ଏହା ନିକଟରୁ ମନୁଷ୍ୟତ୍ୱର କ୍ରମବିକଶିତ ଅବସ୍ଥାକୁ ସୁରକ୍ଷିତ କରିବାହିଁ ବ୍ରହ୍ମଚର୍ଯ୍ୟା ପାଳନର ଉଦ୍ଦେଶ୍ୟ ।

 

ବସ୍ତୁତଃ ସ୍ୱଭାବର ଶୃଙ୍ଖଳା ମଧ୍ୟରେ ବାସ କରିବାହିଁ ବାଳକମାନଙ୍କ ପକ୍ଷରେ ସୁଖକର ଅବସ୍ଥା । ଶୃଙ୍ଖଳା ସେମାନଙ୍କ ପୂର୍ଣ୍ଣ ବିକାଶରେ ସହାୟତା କରେ ଏବଂ ପ୍ରକୃତ ସ୍ଵାଧୀନତାର ଆନନ୍ଦ ସେମାନେ ଉପଭୋଗ କରି ପାରନ୍ତି । ଏହା ସେମାନଙ୍କର ନବାଙ୍କୁରିତ ମନକୁ ସତେଜ ରଖେ । ସେମାନଙ୍କ ଶରୀର ମଧ୍ୟରେ ଦୀପ୍ତି ସଞ୍ଚାର କରେ ।

 

ଆମ୍ଭମାନଙ୍କ ବିଦ୍ୟାଳୟରେ ବ୍ରହ୍ମଚର୍ଯ୍ୟ ପାଳନ ପରିବର୍ତ୍ତେ ଆଜିକାଲି ନୀତିପାଠ ପ୍ରବର୍ତ୍ତିତ ହୋଇଅଛି । ଯେକୌଣସି ଉପଲକ୍ଷରେ ଛାତ୍ରମାନଙ୍କୁ ନୀତି ଉପଦେଶ ଦେବାକୁ ହେବ, ଅଭିଭାବକମାନଙ୍କର ଏହି ଅଭିପ୍ରାୟ । କିନ୍ତୁ ଏହା ମଧ୍ୟ ଯାନ୍ତ୍ରିକ ବ୍ୟାପାର, ପ୍ରତ୍ୟହ ନିୟମିତ ଭାବରେ କଛି ସାଲସା କିମ୍ୱା ଉତ୍ତମ ଖାଦ୍ୟଦେଇ ଦୁର୍ବଳ ଅକର୍ମଣ୍ୟ ଶିଶୁକୁ ପ୍ରଫୁଲ୍ଲ ସୁନ୍ଦର କରିବାର ଚେଷ୍ଟା ସହ ଏହା ସମାନ, ଏହାର ମଧ୍ୟ ଅନେକ ଅସୁବିଧା ଅଛି । ଏ ପଦ୍ଧତି କୌଣସି ପ୍ରକାରେ ବାଳକ ପକ୍ଷରେ ମନୋରମ ହୋଇ ନ ପାରେ । ଏହା ତାହାକୁ ଆଘାତ କରେ କିମ୍ୱା ତାର ମସ୍ତକରେ ବୋଝତୁଲ୍ୟ ହୁଏ, କାଠଗଡ଼ା ମଧ୍ୟରେ ଠିଆ ହୋଇଥିବା ଦୋଷୀ ଆସାମୀ ପରି ସେ ନିଜକୁ ଅନୁଭବ କରେ । ମୋ ବିବେଚନାରେ ନୀତିଶିକ୍ଷା ସମୟ ଓ ଉଦ୍ୟମର ବିପୁଳ ଅପଚୟ ଏବଂ ବହୁ ଉତ୍ତମ ବ୍ୟକ୍ତି ଯେ ଏଥିନିମନ୍ତେ ଆଗ୍ରହୀ, ଏହାହିଁ ମୋର ଆଶଙ୍କାର ବିଷୟ । ଏହା ଯେପରି ଅସାର ସେହିପରି ଅସନ୍ତୋଷଜନକ ଏବଂ ଏହାଠାରୁ ବଳି ମନୁଷ୍ୟ ସମାଜର କ୍ଷତିକର ବିଷୟ ଅନ୍ୟକିଛି ନାହିଁ ।

 

ସଂସାରରେ ଜୀବନଯାତ୍ରାର ଅସତ୍ୟ ଓ ବିକୃତି ଦ୍ୱାରା ପ୍ରତି ମୁହୂର୍ତ୍ତରେ ଆମର ରୁଚି ବିନଷ୍ଟ । ସେପରି ଅବସ୍ଥାରେ ବିଦ୍ୟାଳୟରେ ଦଶଟାରୁ ଚାରିଟା ମଧ୍ୟରେ କେତେଖଣ୍ଡ ପୁସ୍ତକର ବଚନକୁ ଉଚ୍ଚାରଣ କଲେ ସମସ୍ତ ସଂଶୋଧିତ ହେବ ଏପରି ଆଶା କରିବା ବୃଥା । ଏଥୁରେ କେବଳି ଭୂର ଭୂରି ମାରାତ୍ମକ ଛଳନା ଓ ଧୃଷ୍ଟତାର ସୃଷ୍ଟି ହୁଏ, ଏହା ତରୁଣ ପ୍ରାଣର ସୌକୁମାର୍ଯ୍ୟ ଓ ସ୍ଵାଭାବିକତା ନଷ୍ଟ କରେ ।

 

ବ୍ରହ୍ମଚର୍ଯ୍ୟ ପାଳନ, ଖାଲି ଉପଦେଶ ପରିବର୍ତ୍ତେ ବରଂ ଶକ୍ତିଦାନ କରେ । ନୀତିଜ୍ଞାନକୁ ବାହ୍ୟଭୂଷଣ ତୁଲ୍ୟ ଏହା ଜୀବନ ଉପରେ ଲଦି ଦିଏ ନାହିଁ ବରଂ ଏହାକୁ ଜୀବନର ଅତ୍ୟାବଶ୍ୟକ ସାମଗ୍ରୀଭାବରେ ବିବେଚନା କରେ, ଏହାକୁ ଅଭ୍ୟାସ କରୁଥିବା ଲୋକ ଧର୍ମକୁ ଜୀବନର ବିରୋଧୀ-ଭାବରେ ସ୍ୱୀକାର ନ କରି ବରଂ ଅନ୍ତରଙ୍ଗ ବନ୍ଧୁ ଭାବରେ ଗ୍ରହଣ କରନ୍ତି ଓ ତାଙ୍କ ଦୃଷ୍ଟିରେ ଜୀବନ ଧର୍ମ ସଙ୍ଗରେ ଅବିଚ୍ଛେଦ୍ୟ ଭାବରେ ଗୃହୀତ ହୁଏ । ବାଳକର ମନ ଓ ଚରିତ୍ରର ଗଠନ ନିମନ୍ତେ ନୀତି ଉପଦେଶ ଆବଶ୍ୟକ ନୁହେ, ବରଂ ଅନୁକୂଳ ବାତାବରଣ ଓ ବନ୍ଧୁସୁଲଭ ପରିଚାଳନା ଏକାନ୍ତ ଆବଶ୍ୟକ ।

 

କେବଳ ବ୍ରହ୍ମଚର୍ଯ୍ୟ ପାଳନ ନୁହେ । ପ୍ରକୃତିର ଅନୁକୂଳ ପରିବେଶ ମଧ୍ୟରେ ଛାତ୍ର ଜୀବନଯାପନ କରିବା ଉଚିତ । ସହରଗୁଡ଼ିକ ଆମ୍ଭମାନଙ୍କର ସ୍ଵାଭାବିକ ବାସସ୍ଥାନ ନୁହନ୍ତି, ଆମର ବ୍ୟାବହାରିକ ପ୍ରୟୋଜନ ଯୋଗାଇବା ନିମନ୍ତେ ସେମାନେ ଗଠିତ ହୋଇଛନ୍ତି । ସହରରେ ଜନ୍ମଗ୍ରହଣ କରି ଇଟା ପଥର କୋଳରେ ଆମ୍ଭେମାନେ ମନୁଷ୍ୟ ହେବା, ଏହା କେବେ ବିଧାତାଙ୍କର ବିଧାନ ନ ଥିଲା । ସହରଗୁଡ଼ିକ ପ୍ରକୃତିର ବକ୍ଷରୁ ଆମ୍ଭମାନଙ୍କୁ ଦୂରକୁ ଟାଣିନେଇ ସେମାନଙ୍କ କ୍ଷୁଧାର୍ତ୍ତ, ଉତ୍ତପ୍ତ, ଜଠର ଗହ୍ୱରରେ ପରିପାକ କରନ୍ତି । ଏହି ସହରରେ ବାସ କରୁଥିବା କର୍ମବିହ୍ୱଳ ଲୋକମାନେ ସେମାନଙ୍କର ସ୍ୱଭାବଭ୍ରଷ୍ଟ ହୋଇ ବୃହତ୍ ବିଶ୍ଵର ସଂସ୍ରବରୁ ପ୍ରତ୍ୟହ ଦୂରକୁ ଚାଲିଯାଉଥିଲେ ସୁଦ୍ଧା ନିଜ ଜୀବନର ଅଭାବ କ୍ୱଚିତ୍‌ ଉପଲବ୍‌ଧି କରି ପାରନ୍ତି ।

 

କିନ୍ତୁ କର୍ମବ୍ୟାପାରର ଘୂର୍ଣ୍ଣାବର୍ତ୍ତ ମଧ୍ୟରେ ସଂପୂର୍ଣ୍ଣରୂପେ ନିକ୍ଷିପ୍ତ ହେବା ପୂର୍ବରୁ, ଶିକ୍ଷାକାଳରେ, ଶକ୍ତିବିକାଶ ବେଳରେ ପ୍ରକୃତିର ସହାୟତା ନିତାନ୍ତ ଦରକାର । ବୃକ୍ଷ ଓ ନଦୀ, ନୀଳ ଆକାଶ ଓ ସୁନ୍ଦର ଦୃଶ୍ୟାବଳୀ, ଶିକ୍ଷା ନିମନ୍ତେ ବେଞ୍ଚ, କଳାପଟା, ପୁସ୍ତକ ଓ ପରୀକ୍ଷା ଅପେକ୍ଷା କୌଣସି ଗୁଣରେ କମ୍‍ ଆବଶ୍ୟକ ନୁହେ ।

 

ପ୍ରାଚୀନକାଳରୁ ଭାରତବର୍ଷର ମନ ପ୍ରକୃତିସହ ଦୃଢ଼ ଓ ଅବିଚ୍ଛେଦ୍ୟ ସମ୍ବନ୍ଧ ରଖି ବିକଶିତ ହୋଇଅଛି । ଜଗତର ଜଡ଼-ଉଭିଦ-ଚେତନ ସଙ୍ଗରେ ନିଜକୁ ଏକାନ୍ତଭାବେ ବ୍ୟାପ୍ତ କରିବା ଭାରତବର୍ଷରେ ସ୍ୱଭାବସିଦ୍ଧ ହୋଇଅଛି । ପ୍ରାଚୀନ ଭାରତର ତପୋବନରେ ତରୁଣ ଦ୍ୱିଜବଟୁଙ୍କ କଣ୍ଠରୁ ଏହି ମନ୍ତ୍ର ଉଚ୍ଚାରିତ ହେଉଥିଲା–

 

ଯେ ଦେବୋଽଗ୍ନୌ ଯୋଽପ୍‌ସୁ ଯୋ ବିଶ୍ୱଂ ଭୂବନମାବିବେଶ,

ଯୋ ଓଷଧିଷ୍ଣୁ ଯୋ ବନଷ୍ପତିଷୁ ତସ୍ମୈ ଦେବାୟ ନମୋ ନମଃ ।

 

ଯେଉଁ ଦେବତା ଅଗ୍ନିରେ, ଜଳରେ, ବିଶ୍ୱଭୂବନରେ ଆବିଷ୍ଟ ହୋଇଅଛନ୍ତି, ଯେ ଔଷଧରେ, ବନସ୍ପତିରେ ବ୍ୟାପ୍ତ, ସେହି ଦେବତାକୁ ନମସ୍କାର, ନମସ୍କାର ।

 

ଅଗ୍ନି, ବାୟୁ, ଜଳ-ସ୍ଥଳଯୁକ୍ତ ବିଶ୍ୱକୁ ବିଶ୍ୱାତ୍ମାସହ ସହଜରେ ପରିପୂର୍ଣ୍ଣ କରି ଦେଖିବାର ଶିକ୍ଷାହିଁ ଯଥାର୍ଥ ଶିକ୍ଷା–ଏହି ଶିକ୍ଷା ସହରର ସ୍କୁଲରେ ଠିକ୍‌ରୂପେ ଲାଭ କରିବା ସମ୍ଭବ ନୁହେ । ସହରର, ବିଦ୍ୟାଳୟ ଗୋଟିଏ କାରଖାନା ଏବଂ ତାହା ଜଗତକୁ ଯନ୍ତ୍ର ଭାବରେ ଗ୍ରହଣ କରିବାକୁ ଶିକ୍ଷାଦିଏ । କାମିକାଲୋକମାନେ ଏ ଧରଣର କଥାକୁ ମିଷ୍ଟିସିଜ୍‌ମ୍ ବା ଭାବ କୁହେଳିକା ବୋଲି ଉଡ଼ାଇଦେବେ । ତଥାପି ନୀଳ ଆକାଶ ଓ ମୁକ୍ତ ପବନ; ବୃକ୍ଷ ଓ ପୁଷ୍ପ ଗୋଟିଏ ବାଳକର ଶରୀର ଓ ମନର ଯଥାର୍ଥ ବିକାଶ ନିମନ୍ତେ ଅତ୍ୟନ୍ତ ଦରକାର, ଏ କଥା ସେମାନେ ଅସ୍ୱୀକାର କରି ପାରିବେ ନାହିଁ । ବୟସ ବଢ଼ିଲେ, ଜନବହୁଳ ସହରର ଅଫିସରେ କାମ କରି ବ୍ୟାପାରସମ୍ପନ୍ନ କର୍ମବ୍ୟସ୍ତ ଲୋକ ହେଲେ, ପ୍ରକୃତି ସହିତ ଆମର ନିବିଡ଼ ସମ୍ପର୍କ ରକ୍ଷିତ ହୋଇ ପାରିବ ନାହିଁ । ତାହା ପୂର୍ବରୁ ଆମର ତରୁଣ ବୟସରେ ପ୍ରକୃତି ଧାତ୍ରୀର ପ୍ରଭାବରେ ରହିବା ଆମ ପକ୍ଷରେ ଅଧିକ ଆବଶ୍ୟକ । ଏତେବେଳେ ଆମର ମନ ନବୀନ, ଶିକ୍ଷା କରିବାର କୌତୁହଳ ସଜୀବ, ସମୁଦାୟ ଇନ୍ଦ୍ରିୟଶକ୍ତି ସତେଜ ଥାଏ । ସେତେବେଳେ ନିଜର ମାତୃସ୍ତନ୍ୟ ତୁଲ୍ୟ ସ୍ଥଳ ଓ ଜଳ, ଆକାଶ ଓ ବାୟୁର ଅମୃତ ରସରେ ପୁଷ୍ଟ ହୋଇ ଆମ୍ଭେମାନେ ପୂର୍ଣ୍ଣ ମନୁଷ୍ୟ ହୋଇ ପାରିବୁ । ତେଣୁ ପିଲାମାନଙ୍କୁ ମେଘ ଓ ରୌଦ୍ରର ଲୀଳାଭୂମି ଅବାରିତ ମୁକ୍ତ ଆକାଶତଳେ ଖେଳିବାକୁ ଦିଅ; ସେମାନଙ୍କୁ ପୂର୍ଣ୍ଣଶକ୍ତି ଭୂମାଙ୍କର ଆଲିଙ୍ଗନରୁ ବଞ୍ଚିତ କର ନାହିଁ । ସିଗ୍‌ଧ ନିର୍ମଳ ପ୍ରାତଃକାଳରେ ସୂର୍ଯ୍ୟଙ୍କର ଜ୍ୟୋତିର୍ମୟ ଅଙ୍ଗୁଳି ଦ୍ୱାରା ଦିବସର ଉଦ୍‌ଘାଟନ ଏବଂ ସୂର୍ଯ୍ୟସ୍ତ ଦୀପ୍ତ ସୌମ୍ୟ ଗମ୍ଭୀର ସନ୍ଧ୍ୟା, ରାତ୍ରିର ନକ୍ଷତ୍ରଖଚିତ ଅନ୍ଧକାର ମଧ୍ୟରେ ନିଃଶବ୍ଦରେ ମିଳିତ ହେବାର ଦୃଶ୍ୟ ସେମାନେ ଦେଖନ୍ତୁ । ତରୁଲତାର ଶାଖା-ପଲ୍ଲବିତ ପ୍ରକୃତିର ନାଟ୍ୟଶାଳାରେ ଛଅ ଅଙ୍କରେ ବିଭକ୍ତ ବର୍ଷର ଛଅ ଋତୁର ନାନା ରସ ବିଚିତ୍ର ଗୀତ ନାଟ୍ୟାଭିନୟ ସେମାନେ ଦର୍ଶନ କରନ୍ତୁ । ନବ ବର୍ଷା ତାହାର ପୁଞ୍ଜ ପୁଞ୍ଜ ସଜଳ ନିବିଡ଼ ମେଘ ନେଇ ବନଭୂମିକୁ ଆସନ୍ନ ବର୍ଷାର ଛାୟାରେ ଆଚ୍ଛନ୍ନ କରିବା ଦୃଶ୍ୟ ସେମାନେ ଦେଖନ୍ତୁ ଓ ବଜ୍ରର ମନ୍ଦ୍ରନିର୍ଘୋଷ ସେମାନେ ଶୁଣନ୍ତୁ । ବର୍ଷାଋତୁର ଶେଷରେ ଶରତରେ ଶିଶିର ସଞ୍ଚିତ, ବାୟୁରେ ଆନ୍ଦୋଳିତ ଦିଗନ୍ତବ୍ୟାପୀ ସବୁଜ ଶସ୍ୟକ୍ଷେତ୍ରର ବିସ୍ତାର ସେମାନେ ସ୍ୱଚକ୍ଷୁରେ ଅବଲୋକନ କରନ୍ତୁ ।

 

ମନର ବିକାଶ କାଳରେ ଏଥିପାଇଁ ସ୍ଵାଧୀନତା ଆବଶ୍ୟକ । ବିଶ୍ୱପ୍ରକୃତି ମଧ୍ୟରେ ସେହି ସ୍ୱାଧୀନତା ବିଚିତ୍ରଭାବେ ବିରାଜମାନ । କୌଣସି ପ୍ରକାରେ ସକାଳ ସାଢ଼େ ନଅଟାରୁ ଦଶଟା ମଧ୍ୟରେ । ଅସ୍ତବ୍ୟସ୍ତ ହୋଇ ଚଞ୍ଚଳ ମୁଠାଏ ଖାଇ ଥାନାରେ ସନ୍ଦେହଜନକ ଦୋଷୀବ୍ୟକ୍ତି ହାଜର ହେଲାପର ବିଦ୍ୟାଳୟରେ ନାମ ଡକା ବେଳରେ ଉପସ୍ଥିତ ହେଲେ ବାଳକ ପ୍ରକୃତିର ସୁସ୍ଥ ବିକାଶ ଅସମ୍ଭବ । ଶିକ୍ଷାକୁ ପ୍ରାଚୀର ଭିତରେ ଘେରାଇ ଦରୁଆନ ପହରାଦିଆ ଫାଟକ ଭିତରେ ରୁଦ୍ଧକରି ରଖିଲେ ଛାତ୍ରମାନଙ୍କର କ୍ଷତି ଛଡ଼ା ଲାଭ ନାହିଁ । ଶିଶୁ ଯେ ଆଲ୍‌ଜେବ୍ରା ନ କଷି, ଇତିହାସର ତାରିଖ ମୁଖସ୍ଥ ନ କରି ମାତୃଗର୍ଭରୁ ଭୂମିଷ୍ଠ ହୋଇଅଛି ସେଥି ନିମନ୍ତେ କଅଣ ସେ ଅପରାଧୀ ? ଉକ୍ତ କାରଣରୁ ସେହି ହତଭାଗ୍ୟଙ୍କ ନିକଟରୁ ବାୟୁ ଓ ଆଲୋକ, ଅବକାଶ ଓ ଆନନ୍ଦ ଛଡ଼ାଇ ନେଇ ଶିକ୍ଷାକୁ ସର୍ବଦିଗରୁ ସେମାନଙ୍କ ପକ୍ଷରେ ଶାସ୍ତି ସ୍ୱରୂପ କରିବାର କୌଣସି ଯାଥାର୍ଥ୍ୟ ଅଛି କି-? ଶିଶୁମାନେ ଜ୍ଞାନହୀନ ହୋଇ ଜନ୍ମ ହୋଇଅଛନ୍ତି । ତେଣୁ କ୍ରମେ କ୍ରମେ ଜ୍ଞାନର ଆନନ୍ଦ ଭିତରେ ପରିବର୍ଦ୍ଧିତ ହେବାର ସୁଯୋଗ ସେମାନଙ୍କୁ ଦେବାକୁ ହେବ । ଆମର ଅଯୋଗ୍ୟତାବଶତଃ ଆମେ ଶିକ୍ଷାକୁ ଆନନ୍ଦଜନକ କରି ନ ପାରୁ, କିନ୍ତୁ ଅତ୍ୟନ୍ତ ନିଷ୍ଠୁରଭାବରେ ବିଦ୍ୟାଳୟକୁ କାରାଗାରରେ ପରିଣତ କରିବା ଆମ ପକ୍ଷରେ ଅସଙ୍ଗତ । ବିଶ୍ୱପ୍ରକୃତିର ରମଣୀୟ ଅବକାଶ ମଧ୍ୟରେ ଶିଶୁମାନଙ୍କର ଜ୍ଞାନଶିକ୍ଷାକୁ ଉନ୍ନେଷିତ କରିବା ବିଧାତାଙ୍କର ଅଭିପ୍ରାୟ ଥିଲା - ସେହି ଅଭିପ୍ରାୟ ଆମ୍ଭେମାନ ବ୍ୟର୍ଥ କରି ସମ ପରିମାଣରେ ନିଜେ ବ୍ୟର୍ଥକାମ ହୋଇଛୁ । ତେଣୁ ଦୟାପୂର୍ବକ ସହି କାରାଗାରର ପ୍ରାଚୀର ଭାଙ୍ଗିଦେବା ଉଚିତ । ମାତୃଗର୍ଭ ମଧ୍ୟରେ ପଣ୍ଡିତ ହେବାକୁ ସମର୍ଥ ହୋଇନାହାନ୍ତି ବୋଲି ଶିଶୁମାନଙ୍କୁ ଆଉ ଅଧିକ କାଳ କଠିନ ଶ୍ରମସହ କାରାବାସ ଦଣ୍ଡବିଧାନ କରିବା ଅବାଞ୍ଛନୀୟ ।

 

ତେଣୁ ମୁଁ କହେ, ପ୍ରାଚୀନ ଭାରତର ଶିକ୍ଷାପଦ୍ଧତି ଆମ୍ଭମାନଙ୍କର ଅନୁସରଣ କରିବା ବିଧେୟ । ଛାତ୍ର ଓ ଶିକ୍ଷକ ପ୍ରାକୃତିକ ବାତାବରଣ ମଧ୍ୟରେ ଏକତ୍ର ବାସ କରିବା ଉଚିତ । ବ୍ରହ୍ମଚର୍ଯ୍ୟ ଅଭ୍ୟାସ କରି ଛାତ୍ରମାନେ ନିଜ ଶିକ୍ଷା ସମାପ୍ତ କରିବା ବାଞ୍ଛନୀୟ । ଯୁଗର ପରିବର୍ତ୍ତନ ସତ୍ତ୍ୱେ ଆମ ଅବସ୍ଥାର ଯେତେ ପରିବର୍ତ୍ତନ ହେଉ ନା କାହିଁକି ମାନବ, ପ୍ରକୃତିର ଚିରନ୍ତନ ସତ୍ୟ ଉପରେ ପ୍ରତିଷ୍ଠିତ ହୋଇଥିବାରୁ ଏହି ପଦ୍ଧତିଗୁଡ଼ିକ ଏପର୍ଯ୍ୟନ୍ତ ସେମାନଙ୍କର ଉପଯୋଗିତା ହରାଇ ନାହାନ୍ତି-

 

ଅତଏବ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ହେଲେ ଜନବହୁଳ ନଗରଠାରୁ ଦୂରରେ ଏକ ଶାନ୍ତିପୂର୍ଣ୍ଣ ବାତାବରଣ ମଧ୍ୟରେ, ମୁକ୍ତ ଆକାଶ, ପ୍ରାନ୍ତର, ବୃକ୍ଷ ଓ ତତ୍ତୁଲ୍ୟ ପ୍ରାକୃତିକ ଅନୁକୂଳ ପରିବେଷ ମଧ୍ୟରେ ଏହାକୁ ସ୍ଥାପନ କରିବାକୁ ହେବ । ଏହି ନିଭୃତ ସ୍ଥାନରେ ଅଧ୍ୟାପକମାନେ ଅଧ୍ୟୟନ ଓ ଅଧ୍ୟାପନାରେ ନିଯୁକ୍ତ ରହିବେ, ଛାତ୍ରମାନେ ଜ୍ଞାନଲାଭ କର୍ମରେ ନିଜକୁ ନିୟୋଜିତ କରିବେ ।

 

ଯଦି ସମ୍ଭବ ହୁଏ, ଏହି ବିଦ୍ୟାଳୟ ସଙ୍ଗରେ ଫସଲଯୋଗ୍ୟ ଜମି କିଛି ଥିବା ଆବଶ୍ୟକ-। ଏହି ଜମିରୁ ବିଦ୍ୟାଳୟର ପ୍ରୟୋଜନୀୟ ଆହାର୍ଯ୍ୟ ଉତ୍ପନ୍ନ ହେବ । ଛାତ୍ରମାନେ ଚାଷକର୍ମରେ ସହାୟତା କରିବେ । ଦୁଧ ଘିଅ ନିମନ୍ତେ ଗାଈ ରହିବେ, ଗୋ ପାଳନରେ ଛାତ୍ରମାନେ ଯୋଗ ଦେବେ । ପଠନ କର୍ମରେ ନିବିଷ୍ଟ ନ ଥିବା ସମୟରେ ସେମାନେ ବଗିଚାରେ କାମ କରିବେ, ଗଛ ଚେରର ଚାରିପାଖରେ ମୃତ୍ତିକାକୁ କୋମଳ କରିବେ, ଗଛରେ ପାଣି ଦେବେ, ଗଛଲତା ଲାଗି ବାଡ଼ ବୁଜିବେ । ଏହିପର ପ୍ରକୃତି ସଙ୍ଗରେ ସେମାନଙ୍କର ସମ୍ପର୍କ, ଉଭୟ ଭାବର ଓ କର୍ମର ସମ୍ପର୍କ ହେବ-

 

ଅନୁକୂଳ ପାଖରେ ବଡ଼ ଗଛମାନଙ୍କର ଛାଇରେ ଛାତ୍ରମାନଙ୍କର କ୍ଳାସ ବସିବ । ବୃକ୍ଷ ଶ୍ରେଣୀର ଧାଡ଼ି ଭିତରେ ବୁଲୁଥିବା ଅବସରରେ ଛାତ୍ର ଓ ଶିକ୍ଷକଙ୍କ ମଧ୍ୟରେ ଆଲୋଚନା ରୂପରେ ଶିକ୍ଷାଦାନର କେତେକ ଅଂଶ ସମାହିତ ହେବ । ସନ୍ଧ୍ୟାର ଅବକାଶରେ ଛାତ୍ରମାନେ ନକ୍ଷତ୍ର ପରିଚୟ ଓ ସଙ୍ଗୀତ ଚର୍ଚ୍ଚାରେ ଏବଂ ପୁରାଣକଥା ଓ ଇତିହାସର ଗଳ୍ପ ଶୁଣିବାରେ କଟାଇବେ ।

 

ଅପରାଧ କଲେ ଛାତ୍ରମାନେ ପ୍ରାଚୀନ ଭାରତୀୟ ପ୍ରଥା ଅନୁସାରେ ପ୍ରାୟଶ୍ଚିତ୍ତ ପାଳନ କରିବେ । ଶାସ୍ତି ଅପର ନିକଟରୁ ଅପରାଧୀର ଅପରାଧ ନିମନ୍ତେ ପ୍ରତିଫଳ । ପ୍ରାୟଶ୍ଚିତ୍ତ ଆତ୍ମକୃତ ଅପରାଧର ସ୍ୱେଚ୍ଛାକୃତ ସଂଶୋଧନ । ଦଣ୍ଡ ସ୍ୱୀକାର କରିବା ନିଜର କର୍ତ୍ତବ୍ୟ ଏବଂ ନ କଲେ ଅପରାଧ କେବେହେଲେ ପୂର୍ଣ୍ଣରୂପେ ମୋଚିତ ହେବ ନାହିଁ । ଜୀବନର ବାଲ୍ୟକାଳରୁ ଆମ୍ଭେମାନେ ଏହି ଶିକ୍ଷା ଲାଭ କରିବା ଉଚିତ । ଅପର ନିକଟରେ ନିଜକୁ ଦଣ୍ଡନୀୟ କରିବାର ହୀନତା ମନୁଷ୍ୟୋଚିତ ନୁହେ ।

 

ଏହି ପ୍ରସଙ୍ଗରେ ଆଉକିଛି କଥା କହି ରଖିବା ଦରକାର । ଆମର ଆଦର୍ଶ ବିଦ୍ୟାଳୟରେ ଟେବୁଲ, ଚେୟାର ଓ ବେଞ୍ଚ ରଖିବାର କୌଣସି ଉପଯୋଗିତା ମୁଁ ଦେଖୁ ନାହିଁ । ଇଂରେଜୀ ସାମଗ୍ରୀ ଓ ଚଳଣି ବିରୁଦ୍ଧରେ ପକ୍ଷପାତିତା ହେତୁ ଏକଥା ମୁଁ କହୁଛି ବୋଲି କେହି ଯେପରି ମନେ ନ କରନ୍ତି । ମୋର ବକ୍ତବ୍ୟ, ଆମ ବିଦ୍ୟାଳୟରେ ଅନାବଶ୍ୟକ ସକଳ ବସ୍ତୁକୁ ଖର୍ବ କରିବାର ଆଦର୍ଶ ଯେପରି ସର୍ବତୋଭାବେ ସ୍ପଷ୍ଟ ରୂପରେ ଅନୁସୃତ ହୁଏ, ସେଥିପ୍ରତି ଯତ୍ନଶୀଳ ହେବା ଆବଶ୍ୟକ । ଚୌକି, ଟେବୁଲ ଓ ବେଞ୍ଚ ପ୍ରଭୃତିର ଆୟୋଜନ କରିବା ସବୁବେଳେ ଆମ୍ଭମାନଙ୍କ ପକ୍ଷରେ ସହଜ ହୋଇ ନ ପାରେ, କିନ୍ତୁ ଭୂମି ସର୍ବଦା ଆମ୍ଭମାନଙ୍କର ଉପବେଶନ ନିମନ୍ତେ ପ୍ରସାରିତ ହୋଇ ରହିଛି । ଚୌକି, ଟେବୁଲ ଆମକୁ ଏହାର ବ୍ୟବହାରରୁ ବଞ୍ଚିତ କରେ । ଆମ ଦେଶ ଶୀତପ୍ରଧାନ ଦେଶ ନୁହେ, କିମ୍ବା ଭୂମିରେ ବସିବା ନିମନ୍ତେ ଆମର ପରିଚ୍ଛଦ ଅସୁବିଧାଜନକ ନୁହେ । ତଥାପି ପରଦେଶର ଅଭ୍ୟାସ ଅନୁକରଣ କରିବାରେ ଆମ୍ଭେମାନେ ଏତେଦୂର ଆଗ୍ରହୀ ଯେ, ଅନାବଶ୍ୟକ ଆସବାବ ପତ୍ରର ବାହୁଲ୍ୟ ସୃଷ୍ଟି କରୁ । ଅନାବଶ୍ୟକ ପଦାର୍ଥଗୁଡ଼ିକୁ ଯେଉଁ ପରିମାଣରେ ଅତ୍ୟାବଶ୍ୟକ ମନେକରିବୁ; ସେହି ପରିମାଣରେ ଆମ ଶକ୍ତିର ଅପଚୟ ଘଟିବ, ଏଥିରେ ସନ୍ଦେହ ନାହିଁ ।

 

ଧନଶାଳୀ ୟୁରୋପ ତୁଲ୍ୟ ଆମ ଦେଶର ସମ୍ୱଳ ନାହିଁ, ସେମାନଙ୍କ ପକ୍ଷରେ ଯାହା ସୁଲଭ ଆମ ପକ୍ଷରେ ତାହା ଦୁର୍ମୂଲ୍ୟ । ସାଧାରଣ ଜନକଲ୍ୟାଣକର କର୍ମର ଯୋଜନା କରିବାକୁ ଆମ୍ଭେମାନେ ଘରବାଡ଼ି ଓ ଆସବାବପତ୍ର ପ୍ରଭୃତି ପ୍ରାରମ୍ଭିକ ବ୍ୟାପାର ଉପରେ ମନୋନିବେଶ କରୁ, କିନ୍ତୁ ସେଗୁଡ଼ିକର ମୂଲ୍ୟ ଚିନ୍ତା କରି ଆମର ଶିରଃପୀଢ଼ା ସୃଷ୍ଟି ହୁଏ, ଯଦିଚ ସେମାନଙ୍କ ମଧ୍ୟରୁ ଅନେକ ଅନାବଶ୍ୟକ ବାହୁଲ୍ୟମାତ୍ର । ମାଟି କୁଡ଼ିଆରେ କାମ ଆରମ୍ଭ କରିବା, ଭୂଇଁ ଉପରେ ଆସନ ଗ୍ରହଣ କରି ସଭା କରିବା, ଏହା ସାହାସ ସହକାରେ ଆମେ କାହିଁକି କରି ନ ପାରିବା ? ଏହା କରି ପାରିଲେ ଆମର ଶ୍ରମ ଅର୍ଦ୍ଧେକ କମିଯିବ ଅଥଚ କାର୍ଯ୍ୟର ଉପାଦେୟତା କୌଣସି ପ୍ରକାରେ ହ୍ରାସ ହେବ ନାହିଁ । ଅସୀମ ଶକ୍ତିଶାଳୀ, ପ୍ରଚୁର ଧନଶାଳୀ ପର ଦେଶର ଆଦର୍ଶରେ ସକଳ କର୍ମ ନିମନ୍ତେ ଉଚ୍ଚାଭିଳାଷଯୁକ୍ତ ଯୋଜନା ନ କଲେ ଆମେ ଲଜ୍ଜା ଓ ଅସନ୍ତୋଷ ଅନୁଭବ କରୁ । ଫଳତଃ ଆମର କ୍ଷୁଦ୍ର ସମ୍ବଳର ଅଧିକାଂଶ ପ୍ରାରମ୍ଭିକ ଆୟୋଜନରେ ନିଃଶେଷିତ ହୁଏ ଏବଂ ଅସଲ କାମ ନିମନ୍ତେ ହାତରେ ବିଶେଷ କିଛି ସମ୍ବଳ ରହେ ନା ।

 

ଯେତେଦିନଯାଏଁ ଶିଶୁର ବିଦ୍ୟାଶିକ୍ଷା ନିମନ୍ତେ ଭୂଇଁ ଉପର ଓ ମାଟିଖଡ଼ି ଆବଶ୍ୟକ ହେଉଥିଲା, ସତେଦିନ ପର୍ଯ୍ୟନ୍ତ ପାଠଶାଳା ସ୍ଥାପନ କରିବାରେ ଆମର ଭାବନା ନ ଥିଲା । ବର୍ତ୍ତମାନ ବଜାରରେ ସ୍ଳେଟ୍‌ ଓ ପେନ୍‌ସିଲ୍‌ର ପ୍ରାଦୁର୍ଭାବ ବଢ଼ିଅଛି କିନ୍ତୁ ବିଦ୍ୟାଳୟ ଅଳ୍ପ । ଆବଶ୍ୟକବସ୍ତୁ ପ୍ରତି ପରଙ୍‌ମୁଖ ହୋଇ ଅନାବଶ୍ୟକ ବସ୍ତୁରେ ଅଧିକ ମନୋଯୋଗ ବର୍ତ୍ତମାନ ଆମର ଜୀବନର ପ୍ରତ୍ୟେକ ବିଭାବରେ ଦେଖାଯାଉଛି । ଆମର ପୂର୍ବପୁରୁଷମାନେ ସାମାଜିକ ଆଚାରକୁ ତେତେ ବଡ଼ ମନେକରୁ ନ ଥିଲେ; ସାମାଜିକ କର୍ତ୍ତବ୍ୟ ସେମାନଙ୍କ ନିକଟରେ ବଡ଼ ଥିଲା-। କିନ୍ତୁ ଆମେ ଏହାର ବିପରୀତ ଆଚରଣ କରୁଛୁ । ସେମାନେ ଆସବାବକୁ ଐଶ୍ଵର୍ଯ୍ୟର ଅଙ୍ଗ ବୋଲି କହୁଥିଲେ କିନ୍ତୁ ସଭ୍ୟତାର ଅଙ୍ଗଭାବରେ ଗ୍ରହଣ କରୁ ନ ଥିଲେ । ସଭ୍ୟତାର ଅଭିଭାବକମାନଙ୍କୁ ଗୃହରେ ସେ କାଳରେ ବିଶେଷ ଆସବାବ ନ ଥିଲା, ସେମାନେ ଦାରିଦ୍ର୍ୟକୁ ସମ୍ମାନାର୍ହ ମନେକରି ସମଗ୍ର ଦେଶକୁ ସନ୍ତୋଷ ପ୍ରଦାନ କରୁଥିଲେ । ଶିକ୍ଷା କାଳରେ ସରଳଜୀବନ ଯାପନର ଆଦର୍ଶରେ ଯଦି ଆମ୍ଭେମାନେ ଅନୁପ୍ରାଣିତ ହୋଇ ପାରୁ, ଅନ୍ୟ କିଛି ନ ହେଉ ପଛକେ ଆମର କେତେକ ଶକ୍ତି ଲାଭ ହେବ–ଭୂମିରେ ବସିବାର ସାମର୍ଥ୍ୟ, ସାଧାସିଧା ପୋଷାକ ପିନ୍ଧିବାର ଅଭ୍ୟାସ, ମୋଟା ଖାଇବାର କ୍ଷମତା, ଯଥାସମ୍ଭବ ଅଳ୍ପ ଆୟୋଜନରେ ଅଧିକ ଫଳଲାଭର ସାମର୍ଥ୍ୟ ଆମେ ହାସଲ କରିପାରିବୁ । ଏଗୁଡ଼ିକ କମ କ୍ଷମତା ନୁହେଁ ବରଂ ଏଗୁଡ଼ିକ ଲାଭ କରିବା ନିମନ୍ତେ ଯଥେଷ୍ଟ ସାଧନା ଆବଶ୍ୟକ ।

 

ସରଳତା, ସ୍ୱାଭାବିକତା ଓ ସହଜତା ହିଁ ଯଥାର୍ଥ ସଭ୍ୟତା–ବହୁ ଆୟୋଜନର ଆଧିକ୍ୟ ଓ ଆଡ଼ମ୍ବର, ବର୍ବରତା ମାତ୍ର । ପ୍ରକୃତ ମନୁଷ୍ୟତ୍ୱର ସମ୍ଭ୍ରମ ସ୍ୱାଭାବିକ ଦୀପ୍ତିରେ ଉଭାସିତ; ସରଳ ବାତାବରଣ ମଧ୍ୟରେ ତାହାର କୌଣସି କ୍ଷତି ହୁଏ ନାହିଁ । ଏହି ସହଜ ସତ୍ୟକୁ ଆମ୍ଭର ଶିଶୁମାନଙ୍କ ଆଗରେ ସକଳ ଉପାୟରେ ଉପସ୍ଥାପନ କରିବାକୁ ହେବ । କେବଳ ନିଷ୍ଫଳ ନୈତିକ ଉପଦେଶ ଭାବରେ ନୁହେ, ସରଳ ଜୀବନଯାପନର ପ୍ରତ୍ୟକ୍ଷ ଦୃଷ୍ଟାନ୍ତ ବିଦ୍ୟାଳୟର ସର୍ବତ୍ର ସେମାନେ ଦେଖି ସେହି ସତ୍ୟ ଉପଲବ୍‌ଧି କରିବେ । ଯଦି ସେମାନେ ଏହା ଶିକ୍ଷା ନ କରନ୍ତି, ଶାରୀରିକଶ୍ରମ ପ୍ରତି ସେମାନଙ୍କର ଅବଜ୍ଞା ଜାତହେବ, ଭୂମି ଉପରେ ବସିବାକୁ ସେମାନେ ଘୃଣାଜନକ ମନେକରିବେ । କେବଳ ସେତିକି ନୁହେ, ନିଜର ପିତା-ପିତାମହଙ୍କୁ ମଧ୍ୟ ସେମାନେ ଘୃଣା କରିବେ । ପ୍ରାଚୀନ ଭାରତର ସାଧନାର ମାହାତ୍ମ୍ୟ ଯଥାର୍ଥଭାବେ ଉପଲବ୍‌ଧି କରିବାରେ ସେମାନଙ୍କ ଅସାମର୍ଥ୍ୟ ପ୍ରକାଶିତ ହେବ ।

 

ମନେକରାଯାଉ ଯେ ବାହାରର ଜିନିଷ ଯେତେ ଚିକ୍କଣ ଚାକଣ ହେଲେ ସୁଦ୍ଧା ଆମେ ଏହାକୁ ପରିତ୍ୟାଗ କରିବା ଏବଂ ଭିତରର ଜିନିଷକୁ ମୁଲ୍ୟବାନ୍ ମନେ କରିବା । ତେବେ ପ୍ରଶ୍ନ ହୁଏ, ଏଥି ନିମନ୍ତେ ଯେଉଁ ସମ୍ବଳ ଆବଶ୍ୟକ ତାହା ଆମଠାରେ ପ୍ରଚୁର ପରିମାଣରେ ଅଛି କି ? ସ୍କୁଲର ପ୍ରତିଷ୍ଠାତା ଭାବରେ ଆମର ପ୍ରଥମ କର୍ତ୍ତବ୍ୟ–ଶିକ୍ଷାକୁ ଗୁରୁମାନଙ୍କ ଦାୟିତ୍ୱରେ ଛାଡ଼ିଦେବା, କିନ୍ତୁ ସେମାନଙ୍କୁ ପାଇବାର ପନ୍ଥା କଅଣ ? କାଗଜରେ ବିଜ୍ଞାପନ ଦେଲେ ଆମ୍ଭେମାନେ ସ୍କୁଲ ଶିକ୍ଷକ ପାଇ ପାରୁ, କିନ୍ତୁ ଫରମାସ ଦେଇ ଗୁରୁ ପାଇବା ସମ୍ଭବ ହେବ ନାହିଁ ।

 

ଏ ସମ୍ବନ୍ଧରେ ମୁଁ ସ୍ଵୀକାର କରେ ଯେ ସଙ୍ଗତିକୁ ଚାହିଁ ଆମର ଦାବୀ ବା ଆକାଙ୍‍କ୍ଷା ପ୍ରକାଶିତ ହେବା ଉଚିତ । ଆମ୍ଭମାନଙ୍କ ପକ୍ଷରେ ଗୁରୁ ଅତ୍ୟନ୍ତ ଆବଶ୍ୟକ, ତେଣୁ ସହସା ଆମେ ଜଣେ ଯାଜ୍ଞବଲ୍କ ଋଷି ଆମଦାନୀ କରିବୁ ଏହା କାହାରି ଆୟତ୍ତାଧୀନ ନୁହେ । କିନ୍ତୁ ଏ ବିଷୟ ମଧ୍ୟ ସ୍ମରଣ ରଖିବାକୁ ହେବ ଯେ କୌଣସି ଲାଭଜନକ କର୍ମରେ ମୂଳଧନ ବିନିଯୋଗ ନ କରି ତାକୁ ପକାଇ ରଖିବା ପରି ଆମ ଦେଶର ପ୍ରତିଭାର ବହୁଳ ଅଂଶ ବର୍ତ୍ତମାନ ଅବସ୍ଥାରେ କର୍ମହୀନ ହୋଇ ରହୁଛି । ଲଫାଫା ଉପରେ ଡାକ ଟିକଟ ଲଗାଇବାବେଳେ ବିରାଟ ଜଳପାତ୍ର ବ୍ୟବହାର କଲେ ଅଧିକାଂଶ ଜଳ ଅବ୍ୟବହୃତ ହୋଇ ରହିଯାଏ । କିନ୍ତୁ ସ୍ନାନ କରିବାକୁ ହେଲେ ଏହି ଜଳର ସମ୍ପୂର୍ଣ୍ଣାଂଶ ବ୍ୟବହୃତ ହୁଏ । ଫଳରେ ବ୍ୟବହାର ଗୁଣରେ ଜଳପାତ୍ରର ଉପଯୋଗିତା ବଢ଼େ ଓ କମେ । ଆଜିକାଲି ଜଣେ ସ୍କୁଲଶିକ୍ଷକ କର୍ତ୍ତବ୍ୟ ସମ୍ପାଦନ କରିବା ସମୟରେ ତାଙ୍କ ହୃଦୟ ମନର ଅତି ଅଳ୍ପ ଅଂଶ ହିଁ କାର୍ଯ୍ୟରେ ବ୍ୟବହୃତ ହୁଏ । ଗୋଟିଏ ଗ୍ରାମୋଫୋନ୍ ଯନ୍ତ୍ର ସଙ୍ଗରେ ଖଣ୍ଡିଏ ବେତ ଓ ଟିକିଏ ମଗଜ ଯୋଡ଼ିଦେଲେ ଏହି କର୍ତ୍ତବ୍ୟ ପ୍ରାୟ ସମାନ ଭାବରେ ସମ୍ପାଦିତ ହୋଇ ପାରନ୍ତା, କିନ୍ତୁ ଏହି ଶିକ୍ଷକଙ୍କୁ ଯଦି ଗୁରୁଙ୍ଗ ଆସନରେ ବସାଇ ଦିଆଯାଏ ତେବେ ସ୍ୱଭାବତଃ ହିଁ ତାଙ୍କ ହୃଦୟ ମନର ଶକ୍ତି, ସମୂହ ଭାବରେ ଶିଷ୍ୟଙ୍କ କର୍ମରେ ଧାବିତ ହେବ । ଅବଶ୍ୟ ସେ ତାଙ୍କର ସାଧ୍ୟତୀତ କିଛି ଦେଇ ପାରିବେ ନାହିଁ, ତଥାପି ସାଧ୍ୟ ଅପେକ୍ଷା କମ୍ ଦେବା ତାଙ୍କ ପକ୍ଷରେ ଲଜ୍ଜାଜନକ ହେବ । ଏକ ପକ୍ଷରୁ ଯଥାର୍ଥଭାବେ ଦାବୀ ଉପସ୍ଥାପିତ ନ ହେଲେ ଅନ୍ୟ ପକ୍ଷର ପୂର୍ଣ୍ଣ ଶକ୍ତିର ଉଦ୍‌ବୋଧନ ଘଟେ ନାହିଁ । ଆଜି ବିଦ୍ୟାଳୟର ଶିକ୍ଷକଭାବରେ ଦେଶର ମାନସିକ ଓ ଆତ୍ମିକ ଶକ୍ତିର ଅତି କ୍ଷୁଦ୍ର ଅଂଶ କାର୍ଯ୍ୟ କରୁଛି, କିନ୍ତୁ ଦେଶ ଅନ୍ତରର ସହିତ ପ୍ରାର୍ଥନା କଲେ ଗୁରୁରୁପେ ତାହା ଅପେକ୍ଷା ଅନେକ ବେଶୀ ଶକ୍ତି କାର୍ଯ୍ୟ କରି ପାରିବ ।

 

ଆଜିକାଲି ଅର୍ଥନୀତିଘଟିତ ପ୍ରୟୋଜନର ନିୟମରେ ଶିକ୍ଷକ ଛାତ୍ରମାନଙ୍କ ନିକଟକୁ ଆସିବାକୁ ବାଧ୍ୟ ହେଉଛନ୍ତି କିନ୍ତୁ ସ୍ୱଭାବର ନିୟମରେ ଗୁରୁଙ୍କୁ ଅନ୍ୱେଷଣ କରିବା ହେଉଛି ଛାତ୍ର ପକ୍ଷରେ ପ୍ରୟୋଜନ । ଶିକ୍ଷିକ ଆଜି ଜଣେ ଦୋକାନଦାର, ବିଦ୍ୟାଦାନ ତାହାଙ୍କର ବ୍ୟବସାୟ ଓ ଗରାଖମାନଙ୍କର ସନ୍ଧାନରେ ସେ ବାହାରନ୍ତି । ତାହାଙ୍କର ପଣ୍ୟ ତାଲିକାରେ ସ୍ନେହ, ଶ୍ରଦ୍ଧା, ନିଷ୍ଠା ପ୍ରଭୃତି ହୃଦୟର ସାମଗ୍ରୀ ରହିବ–ଏହା କେହି ପ୍ରତ୍ୟାଶା କରିବା ଅନୁଚିତ । ନିଜ ବିଦ୍ୟାବସ୍ତୁର ବିକ୍ରୀସ୍ୱରୂପ ବେତନ ଗ୍ରହଣ କରିସାରିବା ପରେ ଛାତ୍ରଙ୍କ ସହିତ ତାଙ୍କର ସମସ୍ତ ସମ୍ପର୍କ ଶେଷ ହୁଏ-। ବର୍ତ୍ତମାନ କାଳର ଏହି ପ୍ରତିକୂଳ ଅବସ୍ଥା ସତ୍ତ୍ୱେ ଆମ ଦେଶରେ ଏ ପର୍ଯ୍ୟନ୍ତ ମଧ୍ୟ କେତେକ ଶିକ୍ଷକ ଅଛନ୍ତି ଯେଉଁମାନେ ଟଙ୍କା ପଇସା ବିବେଚନାର ଉର୍ଦ୍ଧ୍ୱକୁ ଉଠିବାକୁ ସମର୍ଥ–ଏହା ତାଙ୍କ ଅନ୍ତରର ମହାନ୍ ଗୁଣରୁ ସମ୍ଭବ ହୋଇଛି । ଏହି ଶିକ୍ଷକଙ୍କ ମଧ୍ୟରୁ ଜଣକୁ ଗୁରୁର ଆସନକୁ ଉନ୍ନୀତ କରିବାକୁ ହେବ । ଏହି ଶିକ୍ଷକ ଯଦି ଜାଣନ୍ତି, ସେ ଗୁରୁ ଆସନରେ ବସିଛନ୍ତି, ନିଜ ଜୀବନ ଦ୍ଵାରା ଛାତ୍ରଙ୍କ ମଧ୍ୟରେ ତାଙ୍କୁ ଜୀବନ ସଞ୍ଚାର କରିବାକୁ ହେବ, ନିଜ ଜ୍ଞାନ ଦ୍ୱାରା ସେମାନଙ୍କର ଜ୍ଞାନଦୀପ ଜାଳିବାକୁ ପଡ଼ିବ, ସ୍ନେହ ଦାନ କରି ସେମାନଙ୍କ କଲ୍ୟାଣ ସାଧନ କରିବାକୁ ହେବ, ତା'ହେଲେ ସେ ନିଶ୍ଚୟ ଗୌରବ ଲାଭ କରିବେ । ସେ ଛାତ୍ରମାନଙ୍କୁ ଏପରି ପଦାର୍ଥ ଦାନ କରିବେ, ଯାହା ପଣ୍ୟଦ୍ରବ୍ୟ ତୁଲ୍ୟ କ୍ରୟ ବିକ୍ରୟ ହୋଇ ପାରିବ ନାହିଁ–ତାହା ମୂଲ୍ୟାତୀତ; ତେଣୁ ଛାତ୍ରମାନଙ୍କ ନିକଟରୁ ଦଣ୍ଡ ଦେବାର ଅଧିକାର ହେତୁ ନୁହେ, ଧର୍ମର ବିଧାନରେ, ସ୍ୱଭାବର ନିୟମରେ ସେ ଗଭୀର ଓ ଅକୃତ୍ରିମ ଭକ୍ତି ଗ୍ରହଣର ଯୋଗ୍ୟ ହୋଇ ପାରିବେ । ଜୀବିକା ଅନୁରୋଧରେ ବେତନ ଗ୍ରହଣ କଲେ ସୁଦ୍ଧା ସେହି ଅର୍ଥ ଅପେକ୍ଷା ଯଥେଷ୍ଟ ଅଧିକ ଦେଇ ସେ ନିଜ କର୍ତ୍ତବ୍ୟକୁ ମହିମାନ୍ୱିତ କରିବେ । ଏ ସକଳ ବିସ୍ତାରିତ ଆଲୋଚନାରେ ପ୍ରବୃତ୍ତ ହେବା ମୋର ବହୁ ପାଠକଙ୍କ ନିକଟରେ ବୃଥା ମନେ ହୋଇପାରେ । ଲେଖାପଢ଼ା ଶିଖାଇବା ଲଗି ଛାତ୍ରମାନଙ୍କୁ ଘରୁ ଦୂରକୁ ପଠାଇବା ହିତକର–ମୋର ଏହି ମୌଳିକ ମତରେ ଅନେକଙ୍କର ଅସମ୍ମତି ଅଛି ।

 

ଏ ସମ୍ବନ୍ଧରେ ମୋର ପ୍ରଥମ ବକ୍ତବ୍ୟ ଏହି ଯେ, ‘ଲେଖାପଢ଼ା ଶିଖିବା’ କହିଲେ ସାଧାରଣତଃ ଆଜିକାଲି ଯାହା ବୁଝାଯାଏ ସେଥିଲାଗି ପିତାମାତାମାନେ ଶିଶୁକୁ ନିକଟତମ ସ୍କୁଲକୁ ପଠାଇବା କିମ୍ବା ବଡ଼ ଜୋର୍ ଜଣେ ଗୃହଶିକ୍ଷକ ନିଯୁକ୍ତ କରିବାକୁ ଯଥେଷ୍ଟ ମନେକରନ୍ତି । କିନ୍ତୁ ଏ ଧରଣର ଶିକ୍ଷାର ଲକ୍ଷ୍ୟ କେବଳ ଅର୍ଥ ରୋଜଗାରରେ ସୀମିତ–ଏହି ଶିକ୍ଷାର ଦୀନତା ଓ କାର୍ପଣ୍ୟ ଏହାକୁ ଶିକ୍ଷା ନାମର ଯେ ଅଯୋଗ୍ୟ କରିଅଛି, ମୁଁ ପୂର୍ବରୁ ତାର ସୂଚନା ଦେଇଛି ।

 

ବିଭିନ୍ନ ବ୍ୟବସାୟର ଲୋକମାନଙ୍କୁ ନେଇ ଏହି ଜଗତ । ଏମାନଙ୍କର ଗୃହର ପ୍ରକୃତ ଓ ବାତାବରଣ ସ୍ୱତନ୍ତ୍ର । ସେମାନଙ୍କ ପିଲାମାନେ ତାଙ୍କ ଶୈଶବରୁ ବିଶେଷ ବିଶେଷ ଛାପନେଇ ବଢ଼ନ୍ତି । ଜୀବନଯାତ୍ରାର ବୈଚିତ୍ର୍ୟ ହେତୁ ବୟସ୍କ ଲୋକମାନେ ବିଭିନ୍ନ ବିଶେଷତ୍ୱ ଲାଭ କରନ୍ତି । ବିଭିନ୍ନ ଗୋଷ୍ଠୀରେ ବିଭକ୍ତ ହୁଅନ୍ତି । କିନ୍ତୁ ସଂସାରକ୍ଷେତ୍ରରେ ପ୍ରବେଶ କରିବା ପୂର୍ବରୁ ବାଳକକୁ ତାର ପିତାମାତାଙ୍କ ଛାଞ୍ଚରେ ତିଆରି କରିବା କେବେ ହେଲେ କଲ୍ୟାଣକର ନୁହେ ।

 

ଉଦାହରଣ ସ୍ଵରୂପ ଧନୀର ସନ୍ତାନକୁ ନିଆଯାଉ । ଜଗତକୁ ଆସିଲାବେଳେ ଦରିଦ୍ରର ପୁତ୍ରଠାରୁ ପୃଥକ୍ ହେଲାଭଳି ବିଶେଷ କିଛି ସ୍ୱତନ୍ତ୍ର୍ୟ ସଙ୍ଗରେ ନେଇ ସେ ଆସି ନ ଥାଏ । ଜନ୍ମ ପରଠାରୁ ସେ ଯେଉଁ ଉପାୟରେ ପାଳିତ ହୁଏ, ତାହାହିଁ ତାହାକୁ ଧନିକର ସ୍ଵୀକୃତି ଦାନ କରେ ।

 

ସୁତରାଂ ଆରମ୍ଭରୁ ସନ୍ତାନର ସାଧାରଣ ମନୁଷ୍ୟର ଗଠନହିଁ ପିତାମାତାଙ୍କର ପ୍ରଥମ କର୍ତ୍ତବ୍ୟ । ତାହା ହେଲା ପରେ ଆବଶ୍ୟକମତେ ତାକୁ ଧନୀର ସନ୍ତାନଭାବରେ ବିକାଶର ସୁଯୋଗ ଦେବା ଆବଶ୍ୟକ । କିନ୍ତୁ ସାଧାରଣତଃ ତାହାର ବିପରୀତ ଘଟିଥାଏ । ମାନବସନ୍ତାନ ଭାବରେ ବ୍ୟବହାର ଓ କର୍ମ କରିବାର ଶିକ୍ଷା ପୂର୍ଣ୍ଣରୂପେ ପାଇବା ପୂର୍ବରୁ ଧନୀ ସନ୍ତାନ ଭାବରେ ଅଭ୍ୟସ୍ତ ହେବାକୁ ସେ ଶିଖେ, ଫଳରେ ଶୈଶବର ବହୁ ସଫଳ ଅଭିଜ୍ଞତା ଲାଭ କରିବାର ସୁଯୋଗରୁ ସେ ବିଞ୍ଚିତ ହୁଏ ଏବଂ ସୀମାବଦ୍ଧ ଅନୁଭୂତି ମଧ୍ୟରେ ତାର ବିକାଶ ଘଟେ । ପିତାମାତା ନିଜେ ପିଞ୍ଜୂରାବଦ୍ଧ ଛିନ୍ନପଷ ପକ୍ଷୀତୁଲ୍ୟ ବାସ କରୁଥିଲେ ସୁଦ୍ଧା ସନ୍ତାନର ହସ୍ତ ପଦ ଥିବା ସତ୍ତ୍ୱେ ତାକୁ ପଙ୍ଗୁ କରିଦିଅନ୍ତି । ତାହାର ଚାଲିବାର ଜୋର ନାହିଁ, ଗାଡ଼ି ଆବଶ୍ୟକ । ସାମାନ୍ୟ ବୋଝ ସୁଦ୍ଧା ସେ ବହିବ ନାହିଁ, ସେଥିଲାଗି ମୋଟିଆ ଦରକାର । ନିଜର କାର୍ଯ୍ୟ ନିଜେ ମଧ୍ୟ କରିବ ନାହିଁ, ସେଥିଲାଗି ଚାକର ପ୍ରୟୋଜନ । ତାର ସୁସ୍ଥ ଅଙ୍ଗପ୍ରତ୍ୟଙ୍ଗ ଥିଲେ ସୁଦ୍ଧା, ସେ ପଷାଘାତଗ୍ରସ୍ତ ରୋଗୀପରି ଚଳିବା, ତାର ପିତାମାତାଙ୍କୁ ଇଚ୍ଛା । ନିଜର କୌଣସି ଶାରୀରିକ କ୍ଷମତାର ଅଭାବରୁ ସେ ଯେ ଏପରି କରେ ତା ନୁହେ, କେବଳ ଲୋକଲଜ୍ଜାର ଭୟ ତାକୁ ହତଭାଗ୍ୟ କରେ । ପରିଣାମରେ ସହଜତମ ପଦାର୍ଥ ତା ପକ୍ଷରେ କଷ୍ଟସାଧ୍ୟ ହୁଏ, ସ୍ୱାଭାବିକ ପଦାର୍ଥ ଲଜ୍ଜାଜନକ ବୋଧ ହୁଏ । ନିଜର ସାମରିକ ବେଷ୍ଟନୀର ସମ୍ଭ୍ରମ ଦୃଷ୍ଟିରୁ ତା’ର ପିତାମାତା ତାକୁ ଗୁଡ଼ିଏ ନିରର୍ଥକ ରୀତି ମଧ୍ୟରେ ଶୃଙ୍ଖଳିତ କରନ୍ତି । ଫଳରେ ମାନବସନ୍ତାନ ଭାବରେ ତା’ର ସ୍ୱାଭାବିକ ଅଧିକାର ତା ଠାରୁ ପ୍ରାୟ ଅପହୃତ ହୁଏ । ତା’ହେଲେ କ’ଣ କହିବାକୁ ହେବ ଯେ ପୃଥିବୀର ଶସ୍ୟକ୍ଷେତ୍ରଗୁଡ଼ିକରେ କଣ୍ଟାଗଛ ବୁଣି ଦେଉଥିବା ଏହି ସମସ୍ତ ପିତାମାତା ସନ୍ତାନମାନଙ୍କର ପ୍ରକୃତ ହୈତୈଷୀ ?

 

ଯେଉଁମାନେ ବୟଃପ୍ରାପ୍ତ ହୋଇ ସ୍ୱେଚ୍ଛାପୂର୍ବକ ବିଳାସିତାକୁ ବରଣ କରନ୍ତି, ସେମାନଙ୍କୁ ବାଧା ଦେବାକୁ କାହାର ସାଧ୍ୟ ନାହିଁ, କିନ୍ତୁ ଶିଶୁର ପ୍ରକୃତିକୁ ଆମେ ଯଦି ଉତ୍ତମରୂପେ ବୁଝୁ,....ଚେଷ୍ଟାପୂର୍ବକ ସେମାନଙ୍କୁ ଏ ଧରଣର ବିକୃତି ଭିତରକୁ ଠେଲିଦେବା କେବେ ହେଲେ ଉଚିତ୍‌ହେବ ନାହିଁ । ଶିଶୁ ଧୂଳିମାଟି ଭରା ପୃଥିବୀକୁ ଭଲପାଏ, ସୂର୍ଯ୍ୟ, ବାୟୁ ଓ ବର୍ଷା ତାହାର ଆଦରର ସାମଗ୍ରୀ । ସାଜସଜ୍ଜା ଶିଶୁମାନଙ୍କର ମନଃପୂତ ନୁହେ, ନିଜର ସମସ୍ତ ଇନ୍ଦ୍ରିୟ ଚାଳନା କରି ଜଗତକୁ ପ୍ରତ୍ୟକ୍ଷଭାବରେ ଆବିଷ୍କାର କରିବାରେ ସେମାନଙ୍କର ପରମ ଆନନ୍ଦ, ନିଜ ସ୍ୱଭାବରେ ସ୍ଥିତହେଲେ ସେମାନେ ଲଜ୍ଜା ଅନୁଭବ କରନ୍ତି ନାହିଁ ।

 

ଆମ ଦେଶର ଅନେକ ବାଳକବାଳିକା ଏ ଦେଶରେ ବାସ କରୁଥିବା ସାହେବମାନଙ୍କରେ ଢଙ୍ଗରେ ପାଳିତ ହେଉଅଛନ୍ତି । ଆୟାମାନଙ୍କ ହାତରେ ସେମାନେ ମନୁଷ୍ୟ ହୁଅନ୍ତି, ବିକୃତ ହିନ୍ଦୀ ଶିଖି ସେମାନେ ବଙ୍ଗଳା ଭୂଲିଯାଆନ୍ତି, ଦେଶର ସନ୍ତାନ ନିଜ ମାତୃଭୂମି ସହ ଯେଉଁ ନାଭିଗ୍ରନ୍ଥି ଦ୍ଵାରା ସମ୍ପୃକ୍ତ ଓ ଦେଶର ସମାଜସହ ଭାବସୂତ୍ର ରକ୍ଷା କରି ବିଚିତ୍ର ରସ ଆକର୍ଷଣ ପୂର୍ବକ ପରିପୃଷ୍ଠ ହେବାକଥା ସେମାନେ ସେହି ସମ୍ପର୍କରୁ ବିଚ୍ୟୁତ । ଅଥଚ ଇଂରାଜୀ ସମାଜସହ ସେମାନଙ୍କର ସମ୍ପର୍କ ନାହିଁ । ସେମାନେ ଅରଣ୍ୟରୁ ଉତ୍ପାଟିତ ହୋଇ ବିଲାତି ଫୁଲକୁଣ୍ଡ ମଧ୍ୟରେ ରୋପିତ ହୋଇଅଛନ୍ତି । ଜଣେ ବୟସ୍କ ବଙ୍ଗୀୟ ସ୍ଵାଧୀନ ରୁଚିବଶତଃ ସ୍ୱେଚ୍ଛାକୃତ ଭାବରେ ବିଲାତି ଢଙ୍ଗ ଅବଲମ୍ବନ କରି ପାରନ୍ତି, କିନ୍ତୁ ବଙ୍ଗଦେଶର ପିତାମାତା ନିଜ ସନ୍ତାନମାନଙ୍କୁ ବିଲାତି କାଇଦାରେ ବଢ଼ାଇବାର ଯତ୍ନ କରିବା ସଙ୍ଗତ କି ? ମୁଁ ସ୍ଵକର୍ଣ୍ଣରେ ଥରେ ଶୁଣିଛି, ବିଲାତୀ ଢଙ୍ଗରେ ବଢ଼ିଥିବା ଗୋଟିଏ ବାଳକ ଦୂରରୁ କେତେଜଣ ଦେଶୀ ଭାବାପନ୍ନ ଭାରତୀୟ ପୋଷାକ ପିନ୍ଧା ଆତ୍ମୀୟଙ୍କୁ ଦେଖି ମାଆକୁ ସମ୍ବୋଧନ କରି କହୁଥିଲା- ‘Mamma, Mamma, look a lot of babus are coming’- ମାମ, ମାମା; ଦେଖ ଅନେକ ବାବୁ ଆସୁଅଛନ୍ତି । ଏହା ଅପେକ୍ଷା ଅଧିକ ଦୁର୍ଗତ ମୋର କଳ୍ପନାତୀତ । ଏ ଧରଣର ବାଳକମାନେ ବଡ଼ହେଲେ ବଙ୍ଗାଳି ସମାଜ ନିମନ୍ତେ ଅଯୋଗ୍ୟ ଓ ବିଲାତି ସମାଜରେ ଅଗ୍ରାହ୍ୟ ହୋଇ ସମାଜଚ୍ୟୁତ ବ୍ୟକ୍ତଭଳି ଜୀବନଯାପନ କରିବେ ।

 

ବସ୍ତୁତଃ ସେହି ପିତାମାତା ନିଜ ସନ୍ତାନକୁ ଏପରି ଭୁଲ୍ ଉପାୟରେ ବଢ଼ାଉଛନ୍ତି ବୋଲି ଧାରଣା କରିପାରନ୍ତି ନାହିଁ । ମନୁଷ୍ୟ ନିଜର ଦୋଷ ଦୁର୍ବଳତା ପ୍ରତି ଅନ୍ଧ ହୋଇ ଅପର ପ୍ରତି କରୁଥିବା ଅନିଷ୍ଟ ଦର୍ଶନରେ ଅସମର୍ଥ ହୁଏ । ସେହିହେତୁ ପରିବାର ନାନାପ୍ରକାର ଦୋଷ, ଦ୍ୱେଷ, ଅନ୍ୟାୟ, ପକ୍ଷପାତ, ବିବାଦ, ବିରୋଧ, ମତାନ୍ଧତା ଓ କୁସଂସ୍କାରର ଲୀଳାଭୂମି ହୋଇଥିଲେ ସୁଦ୍ଧା ସେମାନେ ନିଜର ପିଲାମାନଙ୍କୁ ଶିକ୍ଷିତ କରିବା ପାଇଁ ଦୂରକୁ ପଠାଇବାକୁ ଅନିଚ୍ଛୂକ । ଏହା ନିର୍ଦ୍ଦେଶ କରିଦେବା ଉଚିତ ଯେ ପିତାମାତାମାନେ ନିଜର ସନ୍ତାନମାନଙ୍କୁ ଏପରି ବିଦ୍ୟାଳୟକୁ ପଠାଇବା କର୍ତ୍ତବ୍ୟ–ଯେଉଁ ବିଦ୍ୟାଳୟରେ ଗ୍ରନ୍ଥମାନେ ସ୍ୱଭାବର ନିୟମରେ ବିଶ୍ୱପ୍ରକୃତି ସହ ଘନିଷ୍ଠ ହୋଇ ବ୍ରହ୍ମଚର୍ଯ୍ୟ ପାଳନ ପୂର୍ବକ ଗୁରୁଙ୍କ ସହ ବାସ କରି ପ୍ରକୃତ ମନୁଷ୍ୟ ହୋଇ ପାରିବେ ।

 

ଭ୍ରୁଣ ଗର୍ଭ ମଧ୍ୟରେ ଓ ବୀଜ ମାଟି ଭିତରେ ନିଜର ଉପଯୁକ୍ତ ଖାଦ୍ୟ ଦ୍ଵାରା ପରିବୃତ୍ତ ହୋଇ ଗୋପନରେ ରହିଥାଏ । ସେତେବେଳେ ସେମାନଙ୍କର ଏକମାତ୍ର କାର୍ଯ୍ୟ–ଦିବାରାତ୍ର ନିଜର ପରିବେଶ ମଧ୍ୟରୁ ଖାଦ୍ୟ ଶୋଷଣ ପୁର୍ବକ ବାୟୁ ଓ ଆଲୋକ ମଧ୍ୟରେ ପ୍ରକାଶିତ ହେବା ପାଇଁ ବଳ ସଞ୍ଚୟ କରିବା । ପ୍ରକୃତି ସେମାନଙ୍କୁ ଅନୁକୂଳ ବାତାବରଣ ମଧ୍ୟରେ ବେଷ୍ଟନ କରି ରଖେ ବାହାରର ନାନା ଆଘାତ ଓ ଆକର୍ଷଣ ତାକୁ ଯେପରି ବିକ୍ଷୁବ୍‍ଧ କରି ତା’ର ଶକ୍ତି କ୍ଷୟ ନ କରେ ସେଥିପ୍ରତି ପ୍ରକୃତିର ଅଶେଷ ଯତ୍ନ ।

 

ମନୁଷ୍ୟର ମନ ଶିଶୁକାଳରେ ଏହି ଭ୍ରୂଣ ଅବସ୍ଥାରେ ଥାଏ । ଏହି ସମୟରେ ସ୍କୁଲ ଛାତ୍ରମାନେ ଚିତ୍ତର ବିଭ୍ରାନ୍ତକର ପରିବେଷରୁ ଦୂରରେ ରହି ଜ୍ଞାନର ସଜୀବ ବେଷ୍ଟନୀ ମଧ୍ୟରେ ବାସ କରିବା ଉଚିତ । ସଜ୍ଞାନ ଓ ନିର୍ଜ୍ଞାନ ଉଭୟ ପ୍ରକାରରେ ଜ୍ଞାନ ଲାଭ କରି ଶକ୍ତି ସଂଗ୍ରହ କରିବା ସେମାନଙ୍କର ଏକମାତ୍ର ଲକ୍ଷ୍ୟ ହେବା ଉଚିତ ଏବଂ ସେମାନଙ୍କର ଚତୁର୍ଦ୍ଦିଗର ପରବେଷ ଏହି ଉଦ୍ଦେଶ୍ୟ ସାଧନର ଉପଯୋଗୀ ହେବା ବାଞ୍ଛନୀୟ ।

 

–୧୯୪୬

 

କୀଟ ଚିନ୍ତା କରୁଛି, “ମଣିଷ ଆହା କେଡ଼େ ନିର୍ବୋଧ, ନିକ ଗ୍ରନ୍ଥକୁ ମଧ୍ୟ ସେ ନିଜେ ଆତ୍ମସାତ୍‌ କରିବାକୁ ଅକ୍ଷମ !”

–ରବୀନ୍ଦ୍ରନାଥ

Image

 

Unknown

ତତଃ କିମ୍

 

ଶିଳ୍ପୀ ସତର୍କତା ସହକାରେ ନିଜର ଅଙ୍କନରେଖା ଓ ରଙ୍ଗ ମନୋନୟନ କରି ବିଚିତ୍ର ପ୍ରଣାଳୀରେ ସେମାନଙ୍କର ମଧୁର ମିଳନ ଘଟାନ୍ତି; ଫଳରେ ସେଗୁଡ଼ିକ କେବଳ ରେଖା ଓ ବର୍ଣ୍ଣ ସମୂହର ଏକତ୍ରୀକରଣ ବୋଲି ମନେ ହୁଏନା । ଉତ୍କୃଷ୍ଟ ରୂପଧାରଣ ପୂର୍ବକ ସେମାନ ଏକ ଚିତ୍ରରେ ପରିଣତ ହୁଅନ୍ତି, ଏଥିରେ ଶିଳ୍ପୀର ପୂର୍ଣ୍ଣତାର ଆଦର୍ଶ ବାସ୍ତବରୂପ ମଧ୍ୟରେ ଆତ୍ମପ୍ରକାଶ କରେ । ଠିକ୍ ସମାନ ଭାବରେ ଭାରତବର୍ଷ ମଧ୍ୟ ତା’ର ସ୍ୱାଧୀନତାର ଆଦର୍ଶ ଅନୁଧାବନରେ ଏକ ନିର୍ଦ୍ଦିଷ୍ଟ ଚରମ ଉଦ୍ଦେଶ୍ୟ ଅଭିମୁଖରେ ନିଜ ପ୍ରାଣଶକ୍ତିକୁ ପରିଚାଳିତ କରିବା ପାଇଁ ଚେଷ୍ଟା କରିଥିଲା । ଜୀବନ ନିଜ ସୀମା ମଧ୍ୟରେ ବିକଶିତ ନ ହୋଇ କ୍ରମବର୍ଦ୍ଧିତ ପୁଷ୍ପ ଫଳରେ ପରିଣତ ହେଲା ପରି ଏକ ଉଚ୍ଚତର ଲକ୍ଷ୍ୟ ଦିଗରେ ବିକଶିତ ହେବା ବାଞ୍ଛନୀୟ- ଏହା ହିଁ ଭାରତର ଆଦର୍ଶ । ରେଖାସମୂହ ସେମାନଙ୍କ ସୀମାର ଶୃଙ୍ଖଳା ମଧ୍ୟଦେଇ ସୌନ୍ଦର୍ଯ୍ୟ ରାଜ୍ୟରେ ଉପନୀତ ହୁଅନ୍ତି ଏବଂ ଏହାହିଁ ହେଉଛି ଅସୀମର ପ୍ରକାଶ । ନିଜର ସୀମାରେଖା ବା କୂଳ ମଧ୍ୟଦେଇ ସ୍ୱାଧୀନତାର ଏକ ଅସୀମ ସାଗର ମଧ୍ୟକୁ ଜୀବନସ୍ରୋତ ବୁହାଇ ନେବା ଭାରତର ଲକ୍ଷ୍ୟ । ଭାରତ ବନେ ଜୀବନଯାପନ ରୂପକ କଳାର ପ୍ରଣାଳୀ ଓ ପଦ୍ଧତି ଅବଲମ୍ବନ କରିବା ନିମନ୍ତେ ନିଜ ସନ୍ତାନମାନଙ୍କୁ ଯେଉଁ ଶିକ୍ଷା ଦେଇଥିଲା, ତାହାହିଁ ଏହି ପ୍ରବନ୍ଧରେ ଆଲୋଚିତ ହେଉଅଛି ।

 

ଏହି ଦେହ ଅପବିତ୍ର, ସଂସାର ଅନିତ୍ୟ ଓ ଅସାର ଏବଂ କଠିନ ସଂଯମହିଁ ମୁକ୍ତିଲାଭର ପନ୍ଥା-ଏ ଧରଣର ବୈରାଗ୍ୟ ଧର୍ମର ଶ୍ରେଷ୍ଠତା ମଧ୍ୟଯୁଗୀୟ ଇଉରୋପରେ ପାରମାର୍ଥିକ ଜୀବନର ଆଦର୍ଶରୂପେ ଗୃହୀତ ହୋଇଥିଲା । ସଂସାର ଅନିତ୍ୟ ବୋଲି ଏକି ଦିଗରେ ମନୁଷ୍ୟର ସ୍ୱାଭାବିକ ପ୍ରବୃତ୍ତି ଓ ସାମାଜିକ ଆଦର୍ଶ ଏବଂ ଅନ୍ୟ ଦିଗରେ ପାରମାର୍ଥିକ ଜୀବନର ଅଭିଳାଷ ଓ ଶୃଙ୍ଖଳାଜନିତ ନିବୃତ୍ତି ମଧ୍ୟରେ ଚିରସ୍ଥାୟୀ ଏକ କଳହକୁ ସ୍ୱୀକାର କରିବାକୁ ଆଧୁନିକ ଇଉରୋପ ଶ୍ରେୟସ୍କର ମନେ କରି ନାହିଁ । ଏହି ଭାବଧାରା ଅନୁସାରେ ଜଗତର ଅସାରତା ଉପରେ ଅଧିକ ଗୁରୁତ୍ୱ ଦେବା ଦ୍ୱାରା ମାନବସତ୍ତାର ନୈତିକ ଆଦର୍ଶ ଖର୍ବୀକୃତ ହୁଏ । ଜୀବନର ପ୍ରତିଯୋଗିତା ମଧ୍ୟରେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ପୂର୍ଣ୍ଣବେଗରେ ଧାବମାନ ହେବାହିଁ ବୀରତ୍ୱ ଏବଂ କାର୍ଯ୍ୟରେ ବିଶ୍ରାମ ନ ନେଇ ଜୀବନ ଶେଷ କରିବା ଗୌରବାନ୍ୱିତ ମୃତ୍ୟୁଭାବେ ସେମାନଙ୍କ ଦ୍ୱାରା ବିବେଚିତ ।

 

ସଂସାରର ଅନିତ୍ୟତା ଓ ମୃତ୍ୟୁର ନିଶ୍ଚିତତା ମନ ମଧ୍ୟରେ ପୋଷଣ ନ କରି ସଂସାର ସହିତ ଚିରନ୍ତନ ସମ୍ପର୍କ ସ୍ଥାପନ କରିବାର ଚେଷ୍ଟାରୁ ୟୁରୋପୀୟ ଜାତି ଏକ ବିଶେଷ ଫଳ ଓ ଶକ୍ତି ଯେ ଲାଭ କରିଅଛି ଏଥିରେ ସନ୍ଦେହ ନାହିଁ । ତା’ର ସନ୍ତାନମାନେ ଜୀବନକୁ ସଂଗ୍ରାମ ବୋଲି ଜାଣନ୍ତି; ବିଜ୍ଞାନର ଶିକ୍ଷା ଅନୁସାରେ ଯୋଗ୍ୟତମର ଉଦ୍‌ବର୍ତ୍ତନ ନୀତି ଉପରେ ସେମାନେ ଆସ୍ଥା ପୋଷଣ କରନ୍ତି ।

 

ଏହା ହିଁ ୟୁରୋପୀୟମାନଙ୍କ ନିକଟରେ ଜୀବନର ପୂର୍ଣ୍ଣ ତାତ୍ପର୍ଯ୍ୟ । ତଥାପି ଏ ଧରଣର ଜୀବନ-ଦର୍ଶନର ବ୍ୟବହାରିକ ମୂଲ୍ୟ ଯାହା ହେଉ ନା କାହିଁକି ଜଗତ ସହ ଆମର ସମ୍ବନ୍ଧ ଯେ ଅସ୍ଥାୟୀ; ଏହା ଏକ ନିର୍ଦ୍ଦଷ୍ଟ ସତ୍ୟ ।

 

ପ୍ରକୃତି ନିଜର ଜୈବ ଉଦ୍ଦେଶ୍ୟ ସାଧନ ନିମନ୍ତେ ଆମ୍ଭମାନଙ୍କ ମଧ୍ୟରେ ଜୀବନ ପ୍ରତି ଏକ ବଳିଷ୍ଟ ବିଶ୍ୱାସ ସୃଷ୍ଟି କରି, ମୃତ୍ୟୁ ସମ୍ପର୍କରେ ଆମକୁ ସଚେତନ କରି ନାହିଁ । ତଥାପି ସଂସାରରେ ଆମର ଦୈହିକସତ୍ତାର ଅବସାନ ଘଟିବା ସଙ୍ଗେ ଏହାର ସକଳ କୃତିତ୍ୱ ବିଜୟର ଶିଖରତମ ପ୍ରଦେଶରେ ବିଲୀନ ହୁଏ । ସର୍ବୋଚ୍ଚ ସମୃଦ୍ଧି ଶୂନ୍ୟତାରେ ପରିଣତ ହୁଏ ଏବଂ ପରମ ଶକ୍ତିଶାଳୀ ସାମ୍ରାଜ୍ୟ ଉତ୍ସବର ଉଲ୍ଳାସମୟ ଆଲୋକମାଳା ମଧ୍ୟରେ ସୁଦ୍ଧା ହତଜ୍ଞାନ ହୋଇ କବଳିତ ହୁଏ । ଏହି ସତ୍ୟ ଆମ ପକ୍ଷରେ କ୍ଲାନ୍ତିଦାୟକ ହୋଇପାରେ, କିନ୍ତୁ ଏହା ଉଣା ଅଧିକ ସତ୍ୟ । ତେଣୁ ଜୀବନର ପୃଷ୍ଠଭୂମି ସହ ବା ମୃତ୍ୟୁ ସହ ସମତାନ ରକ୍ଷା କରିବାର ସାମର୍ଥ୍ୟ ଦିଗରୁ ଆମର କାର୍ଯ୍ୟାବଳୀର ଗୁରୁତ୍ୱ ବିଚାର କରିବା ଉଚିତ ।

 

ଏହା ସମାନ ଭାବରେ ସତ୍ୟ ଯେ ଆମର ନଶ୍ୱର ସମ୍ବନ୍ଧଗୁଡ଼ିକ ନିଶ୍ଚୟ ଧ୍ୱଂସପ୍ରାପ୍ତ ହେବ, ତଥାପି ସେଗୁଡ଼ିକର ବିଦ୍ୟମାନବତାରେ ଆମେ ସେମାନଙ୍କୁ ଅବହେଳା କରି ପାରିବା ନାହିଁ-। ସେମନଙ୍କ ଅସ୍ଥାୟୀତ୍ୱ ହେତୁ ଆମେ ଯଦି ତାଙ୍କୁ ଅବର୍ତ୍ତମାନ ରୂପେ ବ୍ୟବହାର କରୁ ସେମାନେ କ୍ଷତିପୂରଣ ଆକାରରେ ସେମାନଙ୍କର ପ୍ରାପ୍ୟ ଆମ୍ଭମାନଙ୍କ ନିକଟରୁ ନିଶ୍ଚୟ ଆଦାୟ କରିବେ । ରେଲଗାଡ଼ି ମାନଙ୍କରେ ବାସଗୃହର ସ୍ଥାୟୀ ବ୍ୟବସ୍ଥା ନାହିଁ ବୋଲି ଆମେ ରେଳଯାତ୍ରାର ଭଡ଼ାରୁ ଅବ୍ୟାହିତ ପାଇଁ ଦାବୀ କରି ପାରିବା ନାହିଁ । ଅସ୍ଥାୟୀ ହେଲେ ସୁଦ୍ଧା ବାସ୍ତବ ବନ୍ଧନକୁ ଅବହେଳା କରିବାର ପ୍ରୟାସ ହିଁ ଆମ ବନ୍ଧନକୁ ଦୃଢ଼ ଓ ଦୀର୍ଘକାଳସ୍ଥାୟୀ କରିବ ।

 

ବସ୍ତୁତଃ ଗ୍ରହଣ ଓ ବର୍ଜ୍ଜନ, ବନ୍ଧନ ଓ ବୈରାଗ୍ୟ ଦୁଇ ସମାନ ସତ୍ୟକୁ ଯଥାର୍ଥରୂପେ ମିଳାଇ ପାରିଲେ ପୂର୍ଣ୍ଣତା ଲାଭ କରିବା ସହଜ ହେବ । ସତ୍ୟର ସସୀମ ବିଭାବର ସ୍ପର୍ଶ ଆମେ ବନ୍ଧନ ମଧ୍ୟରେ ପାଉଁ, କିନ୍ତୁ ବୈରାଗ୍ୟ ଆମକୁ ସତ୍ୟର ଅସୀମତା ମଧ୍ୟରେ ନିହିତ ସ୍ୱାଧୀନତା ଦିଗକୁ ନେଇଯାଏ ଏବଂ ଏହାହିଁ ହେଉଛି ଆଦର୍ଶ ବିଭାବ । ଗମନ ପ୍ରକ୍ରିୟାରେ ମୃତ୍ତିକାକୁ ସ୍ପର୍ଶ କରିବା ସମୟର ପଦକ୍ଷେପ ବନ୍ଧନର ପ୍ରତୀକ, ପୁଣି ସେ ସମୟରେ ଆପେ ଆପେ ଟେକି ହେଉଥିବା ଅପର ପାଦର ଗତି ମୁକ୍ତିର ସୂଚକ । ବନ୍ଧନ ଓ ମୁକ୍ତିର ଐକ୍ୟତାନିକ ମିଳନହିଁ ସୃଷ୍ଟିର ନୃତ୍ୟ । ଭାରତୀୟ ଚିନ୍ତାଧାରାର ସୂଚନା ଅନୁସାରେ ସତ୍ୟର ପୁଂ ସତ୍ତା ଶିବ ଶକ୍ତିର ସ୍ୱାଧୀନତାର ପ୍ରତୀକ, ନାରୀସତ୍ତା ଶିବା ଭୌତିକ ଜଗତର ବନ୍ଧନର ପ୍ରତୀକ । ଉଭୟେ ମିଳିତ ହୋଇ ଏକାଙ୍ଗ ହେଲେ ସମ୍ପୂର୍ଣ୍ଣତାର ଆନନ୍ଦ ।

 

ଏହି ବୈପରୀତ୍ୟ ମଧ୍ୟରେ ଐକ୍ୟ ଆଣିବାକୁ ହେଲେ, ମନୁଷ୍ୟ ସମ୍ବନ୍ଧରେ ଆମର ପ୍ରକୃତ ଧାରଣା ଥିବା ଆବଶ୍ୟକ, ଅର୍ଥାତ୍ ଆମେ ତା’କୁ କୌଣସି ନିର୍ଦ୍ଦିଷ୍ଟ କର୍ତ୍ତବ୍ୟର ଆବଶ୍ୟକତାର ନିମ୍ନଭୂମିକୁ ଆଣିବା ଅନୁଚିତ । କେବଳ ଇନ୍ଧନ ଦୃଷ୍ଟିରେ ବୃକ୍ଷକୁ ଦେଖିବା ଦ୍ଵାରା ବୃକ୍ଷର ଫଳ ପୁଷ୍ପ ପତ୍ର ସମ୍ପର୍କରେ ସାମଗ୍ରିକ ଜ୍ଞାନ ଲାଭ କରାଯାଇ ପାରେ ନାହିଁ । ସେହିପରି ମନୁଷ୍ୟକୁ କେବଳ ଦେଶର ରକ୍ଷାକାରୀ ବା ତା’ର ସମୃଦ୍ଧିର ଉତ୍ପାଦନକାରୀ ଭାବରେ ବିଚାର କରିବା ଦ୍ୱାରା ଆମେ ତା’କୁ କେବଳ ସୈନ୍ୟ, ବ୍ୟବସାୟୀ ବା କୂଟନୀତିଜ୍ଞର ଶ୍ରେଣୀଭୁକ୍ତ କରିଥାଉ ଏବଂ କର୍ମର ଯୋଗ୍ୟତାକୁ ତା'ର ମନୁଷ୍ୟତ୍ୱର ମାନଦଣ୍ଡଭାବେ ଗ୍ରହଣ କରୁ । ଏ ଧରଣର ସଙ୍କୀର୍ଣ୍ଣ ଦୃଷ୍ଟି ମାରାତ୍ମକ ଏବଂ ଯେଉଁମାନଙ୍କର ମହତ୍ତ୍ୱ ଅବଧାରଣରେ ଆମେ ପ୍ରବୃତ୍ତ ହେଉଁ ଏହା ଦ୍ୱାରା ସେମାନେ ଅପମାନିତ ହୋଇଥାନ୍ତି ଓ ତାଙ୍କ ମର୍ଯ୍ୟାଦା କ୍ଷୁର୍ଣ୍ଣ ହୋଇଥାଏ ।

 

ଭାରତବର୍ଷରେ ଦିନେ ମନୁଷ୍ୟକୁ ସକଳ ପ୍ରୟୋଜନ ଅପେକ୍ଷା ବଡ଼ ବୋଲି ମନେ କରାଯାଉଥିଲା ଏବଂ ଚାଣକ୍ୟଙ୍କର ଗୋଟିଏ ସାଧାରଣ ପ୍ରଚଳିତ ଶ୍ଳୋକ ମଧ୍ୟରେ ତାହା ନିହିତ-

 

ତ୍ୟଜେଦେକଂ କୁଳସ୍ୟାର୍ଥେ ଗ୍ରାମସ୍ୟାର୍ଥେ କୁଳଂ ତ୍ୟଜେତ୍‌ ।

ଗ୍ରାମଂ ଜନିପଦସ୍ୟାର୍ଥେ ଆମ୍ବାର୍ଥେ ପୃଥିବୀଂ ତ୍ୟଜେତ୍ ।।

 

–ମନୁଷ୍ୟର ଆତ୍ମା କୁଳ ଅପେକ୍ଷା, ଗ୍ରାମ ଅପେକ୍ଷା, ଜନପଦ ଅପେକ୍ଷା, ସକଳ ପୃଥିବୀ ଅପେକ୍ଷା ବଡ଼ ।

 

ତାହାହେଲେ ପ୍ରଶ୍ନ ହୋଇପାରେ; ଏହି ଆତ୍ମା କଅଣ ? ତେବେ ଅପେକ୍ଷାକୃତ ଅଧିକ ସରଳ ଗୋଟିଏ ପ୍ରଶ୍ନର ଉତ୍ତର ଦେବା ନିମନ୍ତେ ପ୍ରଥମେ ଚେଷ୍ଟା କରାଯାଉ । ଏହି ଜୀବନ କଅଣ-? ନିଃଶ୍ୱାସ ପ୍ରଶ୍ୱାସ, ପାଚନ କ୍ଷମତା ଓ ଶରୀରର ଅନ୍ୟାନ୍ୟ ପ୍ରକ୍ରିୟା କିମ୍ବା ସେମାନଙ୍କର ଐକ୍ୟଜନିତ ପଦ୍ଧତି–ଏ ଧରଣର ଜୀବନଧାରଣ ସମ୍ପର୍କୀୟ ବିଷୟକୁ ସାଧାରଣତଃ ଆମେ ‘ଜୀବନ’ କହୁଁ, କିନ୍ତୁ ନିଶ୍ଚିତଭାବେ ତାହା ଜୀବନ ନୁହେ, ରହସ୍ୟମୟ ଭାବରେ ଏହି ଜୀବନ ମଧ୍ୟରେ ଭବିଷ୍ୟତ ନିହିତ, ଏହା ବର୍ତ୍ତମାନର ଆବରଣ ସର୍ବଦା ଲଙ୍ଘନ କରିବାକୁ ପ୍ରୟାସୀ, ଅଦୃଷ୍ଟ ଅବସ୍ଥା ସହ ଏହାର ସମ୍ପର୍କ ଏବଂ ନୂତନ ନୂତନ ପରିବର୍ତ୍ତନ ମଧ୍ୟରେ ଏହାର ପରୀକ୍ଷା । ଏହାର ନିତ୍ୟ ବିକଶିତ ଭବିଷ୍ୟତର ପଥ ଜଡ଼ବସ୍ତୁ ସମୂହ ଦ୍ୱାରା ଅବରୁଦ୍ଧ ହେଲେ ଜୀବନ ବିଶ୍ୱାସଘାତକ ହୁଏ ଏବଂ ବିଶ୍ୱାସ ପ୍ରତି ଏହାର ଛଳନା ପ୍ରଦର୍ଶିତ ହୁଏ ।

 

ଆତ୍ମା ଆମର ପାରମାର୍ଥିକ ଜୀବନ, ଏହା ମଧ୍ୟରେ ଆମର ଅସୀମ ସତ୍ତା ନିହିତ । ଆମର ଅଶାନ୍ତ ପ୍ରବୃତ୍ତି ସମୂହ ଏକ ସଂକୀର୍ଣ୍ଣ ପରିସୀମା ମଧ୍ୟରେ ପ୍ରଭୁତ୍ୱ ଲାଭ କରିବାକୁ ପ୍ରୟାସୀ ହେଉଥିବା ଜାନ୍ତବ ଜୀବନର କ୍ଷୀଣ ଆଲୋକିତ ପ୍ରାଚୀର ଲଙ୍ଘନ କରିବାକୁ ଆତ୍ମା ଆମ ଚେତନାକୁ ଉଦ୍ଦୀପିତ କରେ । ପ୍ରାଣୀମାନଙ୍କ ତୁଲ୍ୟ ମନୁଷ୍ୟ ଅହଂଭାବ ଦ୍ୱାରା ଅତ୍ୟଧିକ ପ୍ରଭାବିତ ହେଲେ ସୁଦ୍ଧା ତା’ର ଏକ ସ୍ୱାଭାବିକ ସଂସ୍କାର, ଏହା ବିରୁଦ୍ଧରେ ସଂଗ୍ରାମ କରେ ଏବଂ ଏହା ଠିକ୍ ବିଦ୍ରୋହୀ ପ୍ରାଣ କାରାଗାରର ଅନ୍ଧକାରମୟ ପ୍ରଦେଶକୁ ଲଙ୍ଘନ କରି ତା'ର ସ୍ଵାଧୀନତାର ପତାକା ବହିର୍ଜଗତରେ ଉଡ଼ାଇବା ସଙ୍ଗେ ସମାନ । ଆମ ପ୍ରାଚ୍ୟର ମନୀଷୀମାନେ ସର୍ବଦା ସ୍ୱୀକାର କରିଛନ୍ତି ଯେ ଆତ୍ମମୁକ୍ତି ମନୁଷ୍ୟ ନିମନ୍ତେ ଚରମ ସ୍ୱାଧୀନତା, କାରଣ ଏହି ଅବସ୍ଥାରେ ଅନନ୍ତର ହୃଦୟ ମଧ୍ୟର ତା’ର ପୂର୍ଣ୍ଣତା । ଏହା କେବଳ କେତେକ ନିର୍ଦ୍ଦିଷ୍ଟ ପଦ୍ଧତିର ଅନୁସରଣ ପୂର୍ବକ ଲାଭ କରିଥିବା ପୁରସ୍କାରରୂପୀ ପରିତ୍ରାଣ ମାତ୍ର ନୁହେ ।

 

ଭାରତବର୍ଷରେ ଏହା ସବୁବେଳେ ପ୍ରଚାରିତ ଏବଂ ଅଭ୍ୟାସରୂପେ ମଧ୍ୟ ଗୃହୀତ । ବ୍ରହ୍ମଶକ୍ତି ମଧ୍ୟରେ ଲାଭ କରୁଥିବା ମାନବ ଶକ୍ତିର ଅସୀମ ମର୍ଯ୍ୟାଦା ଆମ ଦେଶର ଋଷିମାନେ ସ୍ୱୀକାର କରିଛନ୍ତି । ମନୁଷ୍ୟ ସମ୍ବନ୍ଧରେ କୌଣସି ସୀମାବଦ୍ଧ ବିଚାର ଅଳୀକ । ସେ କେବଳ ନାଗରିକ ବା ଦେଶପ୍ରେମୀ ନୁହେ, କାରଣ କେବଳ ନଗର ବା ଦେଶ କିମ୍ବା ଜଗତ୍‌ରୂପୀ ବୁଦ୍‌ବୁଦ ତା’ର ଚିରନ୍ତନ ଆତ୍ମାକୁ ଧାରଣ କରିବାକୁ ଅସମର୍ଥ ।

 

ପ୍ରାଚୀନ ଭାରତରେ ଏକ କାଳରେ ରାଜା ଥିବା କବି ଭର୍ତ୍ତୃହରି ଥରେ ପ୍ରଶ୍ନ କରିଥିଲେ–

 

ପ୍ରାପ୍ତାଶ୍ରିୟଃ ସକଳ କାମଦୁଘାସ୍ତତଃ କିଂ

ନ୍ୟସ୍ତଂ ପଦଂ ଶିରସି ବିଦ୍ୱିଷତାଂ ତତଃ କିମ୍ ।

ସମ୍ପାଦିତାଃ ପ୍ରଣୟିନୋ ବିଭବୈସ୍ତତଃ କିଂ

କଳ୍ପସ୍ଥିତା ସ୍ତନୁଭୃତାଂ ତନବସ୍ତତଃ କିମ୍ ।

 

–ସକଳ କାମ୍ୟ ଫଳପ୍ରଦ ଲକ୍ଷ୍ମୀଙ୍କୁ ଲାଭ କଲେ ବା କ’ଣ ହବ, ଶତ୍ରୁମାନଙ୍କର ମସ୍ତକ ଉପରେ ବା ପଦ ରଖିଲେ କ'ଣ ହେବ କିମ୍ବା ବିଭବ ବଳରେ ବହୁ ସୁହୃଦ ସଂଗ୍ରହ କଲେ ବା କ’ଣ ହେବ, ଦେହଧାରୀମାନଙ୍କର ଦେହଗୁଡ଼ିକୁ କଳ୍ପକାଳ ପର୍ଯ୍ୟନ୍ତ ବଞ୍ଚାଇ ରଖିଲେ ବା କ'ଣ ହେବ ?

 

ଅର୍ଥାତ୍ ଏହି ସକଳ କାମନାର ବିଷୟ ଦ୍ୱାରା ମନୁଷ୍ୟକୁ ବିଚାର କରାଯାଇ ନ ପାରେ, ସେ ଏହା ଅପେକ୍ଷା ବଡ଼ । ଆରମ୍ଭ ଓ ଅନ୍ତଃଶୂନ୍ୟ ମନୁଷ୍ୟର ଜୀବନପ୍ରବାହ ଅନାଦି କାଳରୁ ଅନନ୍ତ ମୁଖରେ ପ୍ରଧାବିତ ବିଷୟ ଅପେକ୍ଷା ବୃହତ୍ତର, ଏହି ସତ୍ୟ ମନେ ରଖିଲେ ତା’ର ଜୀବନକୁ ପରିପୂର୍ଣ୍ଣତା ଦିଗରେ ପରିଚାଳନା କରାଯାଇ ପାରେ ।

 

ଆମ ଦେଶରେ ପ୍ରାଚୀନ ମନୀଷୀଗଣ ନିଜର ପ୍ରସାରିତ ଦୃଷ୍ଟିଭଙ୍ଗୀ ହେତୁ ମନୁଷ୍ୟର ଆତ୍ମାକୁ ବଡ଼ କରି ଦେଖିଥିବାରୁ ସେମାନଙ୍କ ଜୀବନଯାତ୍ରାର ସ୍ୱତନ୍ତ୍ର ଆଦର୍ଶ ମଧ୍ୟଯୁଗୀୟ ୟୁରୋପୀୟ ସନ୍ନ୍ୟାସୀମାନଙ୍କର ଜୀବନାଦର୍ଶରୁ ପୃଥକ୍ ହୋଇଛି । ଜୀବନର ଶେଷ ପର୍ଯ୍ୟନ୍ତ ପରିଶ୍ରମ କରି ମୃତ୍ୟୁ ବରଣ କରିବାକୁ ଭାରତୀୟମାନେ ଗୌରବାବହ ମନେ କରି ନାହାନ୍ତି । କର୍ମକୁ ସେମାନେ ଜୀବନର ଶେଷ ଲକ୍ଷ୍ୟରୂପେ ସ୍ୱୀକାର ନ କରି କର୍ମ ଦ୍ୱାରା କର୍ମ ବିରତିକୁହିଁ ଚରମ ସାଧନା ବୋଲି ଗ୍ରହଣ କରିଛନ୍ତି । ଆତ୍ମମୁକ୍ତି ଯେ ପ୍ରତ୍ୟେକ ମନୁଷ୍ୟର ଏକମାତ୍ର ଶ୍ରେୟ ଓ କାମ୍ୟ ଏ ବିଷୟରେ ସେମାନେ ଥିଲେ ନିଃସନ୍ଦେହ ।

 

ସ୍ୱାଧୀନତାର ଗୌରବ ସକଳ ସମୟରେ ୟୁରୋପ ଅକ୍ଲାନ୍ତ ଭାବରେ ଗାନ କରୁଛି । ଏହି ସ୍ୱାଧୀନତାର ଅର୍ଥ ଆହରଣ କରିବାର ସ୍ଵାଧୀନତା, ଭୋଗ କରିବାର ସ୍ୱାଧୀନତା ଓ କର୍ମ କରିବାର ସ୍ୱାଧୀନତା । ଏ ସ୍ଵାଧୀନତା କୌଣସି ପ୍ରକାର କ୍ଷୁଦ୍ର ପଦାର୍ଥ ନୁହେ । କିନ୍ତୁ ଭାରତର ମନୀଷୀଗଣ ଏଥିରେ ଚରମ ସନ୍ତୋଷ ଲାଭ କରି ନ ଥିଲେ, ସେମାନେ ପ୍ରଶ୍ନ କରିଥିଲେ ‘ତତଃ କମ୍’ । ଏ ସ୍ୱାଧୀନତାକୁ ସେମାନେ ଚରମ ସ୍ୱାଧୀନତା ଭାବେ ସ୍ୱୀକାର ନ କରି କାମନା ଓ କର୍ମର ଊର୍ଦ୍ଧ୍ୱରେ ସ୍ୱାଧୀନ ହେବା ନିମନ୍ତେ ପ୍ରବଳଭାବେ ଆଗ୍ରହୀ ଥିଲେ ।

 

ସ୍ଵାଧୀନତା ପ୍ରାପ୍ତିର କ୍ରମିକ ଗତି ମଧ୍ୟରେ ମନୁଷ୍ୟ ତା’ର ଇଚ୍ଛାକୁ ନିୟମାଧୀନ କରିବା ବାଞ୍ଛନୀୟ; ତା ହେଲେ ଏହାର ଶକ୍ତି ଅସ୍ଥିରତା ଓ ଅପଚୟ ମଧ୍ୟରୁ ମୁକ୍ତିଲାଭ କରିବ ଏବଂ ଅଧୀନତା ମଧ୍ୟରେ ରହିଲେ ସୁଦ୍ଧା ବିପୁଳ ଶକ୍ତିଲାଭ ତା’ ପକ୍ଷରେ ସହଜ ହେବ । କେବଳ ମାତ୍ର ରାଜନୀତିକ ସ୍ତରରେ ସ୍ୱାଧୀନତା ଲାଭ କରିବାକୁ ଇଚ୍ଛୁକ ଥିବା ବ୍ୟକ୍ତିମାନେ ଏହାକୁ ସର୍ବଦା ସଙ୍କୁଚିତ କରି ସେମାନଙ୍କ ଚିନ୍ତା ଓ କର୍ମର ସ୍ଵାଧୀନତାକୁ ସଂକୀର୍ଣ୍ଣ ସୀମା ମଧ୍ୟରେ ଆବଦ୍ଧ କରନ୍ତି । ନିଜ ବିବେକର ସ୍ଵାଧୀନତାକୁ ମଧ୍ୟ ବଳି ଦେଇଥାନ୍ତି । ଇଂଲଣ୍ଡରେ ଯେଉଁ ସୈନ୍ୟମାନେ ଅଛନ୍ତି: ସେମାନେ କ'ଣ ସ୍ଵାଧୀନ ? ମନୁଷ୍ୟତ୍ୱକୁ ମଣିଷମରା କଳରେ ପରିଣତ କରି ସେମାନେ କେବଳ ଜୀବନ୍ତ ବନ୍ଧୁକ ନୁହନ୍ତି କି ? ପୁଣି ଇଂଲଣ୍ଡର ଅନ୍ଧକାରମୟ ଖଣିଗର୍ଭ ଓ କାରଖାନାର ଅଗ୍ନି କୁଣ୍ଡମାନଙ୍କରେ କର୍ମରତ ଶ୍ରମିକମାନେ ତାଙ୍କ ନିକଟବର୍ତ୍ତୀ ନିର୍ଜୀବ ଯନ୍ତ୍ରମାନଙ୍କର ସଜୀବ ଅଙ୍ଗ ପ୍ରତ୍ୟଙ୍ଗ ନୁହନ୍ତି କି ? ସେମାନେ ରକ୍ତଦାନ କରି ଇଂଲଣ୍ଡର ରାଜଲକ୍ଷ୍ମୀଙ୍କ ପଦ ଅଲକ୍ତକରଞ୍ଜିତ କରି ନାହାନ୍ତି କି ? ଇଂଲଣ୍ଡର ଜନସଂଖ୍ୟାର କେତେ ଶତାଂଶ ଲୋକ ସ୍ୱାଧୀନତାର ଫଳଭୋଗ କରୁଛନ୍ତି-? ୟୁରୋପ ବ୍ୟକ୍ତିର ଅଧିକାର ସ୍ଵୀକାର କରି ଏହାର ପ୍ରତିଷ୍ଠା ନିମନ୍ତେ ଉଦ୍ୟମ କରି ଥାଇ ପାରେ କିନ୍ତୁ ପୃଥିବୀର ଅନ୍ୟ କେଉଁଠି ବ୍ୟକ୍ତିର ପରତନ୍ତ୍ରତା ଏତେ ଅଧିକ ପରିମାଣରେ ପରିଲିକ୍ଷିତ-?

 

ଏହାର ଉତ୍ତରରେ ଗୋଟିଏ ସ୍ୱଗତ ବିରୋଧୀ ବିଷୟ ପୂର୍ବରୁ କୁହାଯାଇଛି । ଶୃଙ୍ଖଳାର ବନ୍ଧନ ମଧ୍ୟଦେଇ ସ୍ୱାଧୀନତା ଲାଭ କରାଯାଇ ପାରେ ଏବଂ ଏଥିଲାଗି ବ୍ୟକ୍ତିଗତ ପ୍ରବଣତାକୁ ଉତ୍ସର୍ଗ କରିବାକୁ ପଡ଼ିବ । ଆତ୍ମସଂଯମ ରୂପକ ପ୍ରଭୂତ ମୂଳଧନର ବିନିଯୋଗ ବଳରେ ସ୍ୱାଧୀନତାର ସୁଫଳ ଲାଭ କରାଯାଇ ପାରେ ।

 

ଆମ ଦେଶରେ ମଧ୍ୟ ବ୍ୟକ୍ତି ସ୍ୱାତନ୍ତ୍ର୍ୟ ସାଧନାର ବିଷୟ ଥିଲା, କିନ୍ତୁ ତାହା ଏ ଧରଣର ସଙ୍କୀର୍ଣ୍ଣ ସ୍ୱାତନ୍ତ୍ର ନୁହେ । ସେହି ସ୍ୱାତନ୍ତ୍ର୍ୟର ଆଦର୍ଶ ଆତ୍ମମୁକ୍ତି ଦିଗରେ ଚାଳିତ ହେଉଥିଲା । ଇଉରୋପରେ ସ୍ୱାଧୀନ ତାର ଆଦର୍ଶ ଯାନ୍ତ୍ରିକ ବନ୍ଧନର ପୂର୍ଣ୍ଣ କଠୋରତା ମଧ୍ୟରେ ପ୍ରକଟିତ ହୋଇଥିଲା । ସେହି ଆଦର୍ଶର ସ୍ଵରୂପ ଦର୍ଶନରେ ଅସମର୍ଥ ହୋଇ ଆମେ ଆଧୁନିକ କାଳର ବାହ୍ୟ ନିୟମ-ସଂଯମ ଉପରେ ଗୁରୁତ୍ୱ ଦେଲେ ଭାରତରେ ବ୍ୟକ୍ତି ସ୍ୱାତନ୍ତ୍ର୍ୟର ଖର୍ବ ଅଧିକ ପ୍ରକାଶିତ ହେବ-। ମୁଖ୍ୟ ପଦାର୍ଥକୁ ଛାଡ଼ି ଗୌଣକୁ ବଡ଼ କରି ଦେଖିବା ମାନବ ସମାଜର ଇତିହାସରେ ବାରମ୍ବାର ଘଟିଛି । ଲୋଭଲାଳସା ଆମ୍ଭମାନଙ୍କର ଚିତ୍ତକୁ ଆଦର୍ଶ ଲକ୍ଷ୍ୟରୁ ଜାଗତିକ କାମନା ଆଡ଼କୁ ଆକୃଷ୍ଟ କଲେ ଆଦର୍ଶର ଆପେକ୍ଷିକ ମହତ୍ତ୍ୱ ସମ୍ବନ୍ଧରେ ଆମେ ଅନ୍ଧ ହେଉ କିମ୍ବା ଶକ୍ତିର ଅବସନ୍ନତା ହେତୁ ଆମର ଉଦ୍ୟମ ଲକ୍ଷ୍ୟଚ୍ୟୁତ ହୁଏ । ନିରର୍ଥକ ନିୟମ ବନ୍ଧନର ସ୍ୱୀକୃତି ମଧ୍ୟରେ ଆମେ ଗର୍ବ ଅନୁଭବ କରି ଅଧିକ ପରିମାଣରେ ତ୍ୟାଗ ସ୍ୱୀକାର କରୁ ମାତ୍ର କୌଣସି ଫଳଲାଭ କରୁ ନାହିଁ । ଏପରି ଅବସ୍ଥାରେ ଉପେୟ ଉପାୟ ଅପେକ୍ଷା ବଡ଼ ବୋଲି ବିବେଚିତ ହୁଏ ।

 

ଆମ ଦେଶରେ ତାହାହିଁ ଘଟିଛି । ଆମ୍ଭେମାନେ ବର୍ତ୍ତମାନ ସମାଜିକ ନିୟମରେ ବିବିଧ ବନ୍ଧନକୁ ମଧ୍ୟ ମାନୁଛୁ ଅଥଚ ତାହାର ପରିଣାମ ମୁକ୍ତିପ୍ରତି ଆମର ଲକ୍ଷ୍ୟ ନାହିଁ । ଆଦର୍ଶକୁ ଆମେ ବିସ୍ତୃତ ହୋଇଛୁ । ଆମ ସାଧନାର ମହତ୍ତ୍ୱ ସମ୍ବନ୍ଧୀୟ ସମସ୍ତ ଧାରଣା ଆମ ନିକଟରେ ଅବଜ୍ଞାତ, ଅଥଚ ଅନ୍ଧ ଅଭ୍ୟାସର କ୍ରିୟାହୀନତା ଆମକୁ ଆଚ୍ଛନ୍ନ କରି ରଖିଛି । ଯଦି ଜଣେ ଦର୍ଶକ ଆମ ସମ୍ବନ୍ଧରେ କହନ୍ତି ଯେ, ଭାରତବର୍ଷର ସାମାଜିକ ପଦ୍ଧତି ଲୋକମାନଙ୍କୁ ଅର୍ଥହୀନ ଆଚାର ବିଚାରର ବନ୍ଧନ ମଧ୍ୟରେ ବାନ୍ଧି ରଖିବା ନିମନ୍ତେ ଉଦ୍ଦିଷ୍ଟ-ଆମେ ରାଗାନ୍ୱିତ ହୋଇପାରୁ କିନ୍ତୁ ତାଙ୍କୁ ପ୍ରତି ଉତ୍ତର ଦେବା ଆମ ପକ୍ଷରେ କଠିନ ହେବ ।

 

ଆମର ପତନ ନିମନ୍ତେ ବିଳାପ କରିବା ମୋର ଉଦ୍ଦେଶ୍ୟ ନୁହେ । ସମାଜ ମଧ୍ୟ ଦେଇ ସମାଜ ଜୀବନକୁ ଅତିକ୍ରମ କରିବା ନିମନ୍ତେ ସାମାଜିକ ନିୟମର ବନ୍ଧନକୁ ଭାରତ ମୂଳତଃ ଗ୍ରହଣ କରିଥିଲା । ଅଶ୍ୱାରୋହୀ ଅଧିକ ବେଗ ଉଦ୍ଦେଶ୍ୟରେ ଘୋଡ଼ାକୁ ଲଗାମ ଦେଇ ବାନ୍ଧେ ଏବଂ ନିଜେ ମଧ୍ୟ ଗୋଡ଼ରେ ଜିନର ରେକାବ ପିନ୍ଧେ । ଭାରତବର୍ଷ ଜାଣିଥିଲା ଯେ ସମାଜ ମନୁଷ୍ୟର ଶେଷଲକ୍ଷ୍ୟ ନୁହେ, ବ୍ୟକ୍ତିମାନଙ୍କର ସାମୁହିକ ଉଦ୍ୟମହିଁ ମୁକ୍ତି ଲାଭର ପ୍ରକୃଷ୍ଟ ପନ୍ଥା । ଇଉରୋପ ନିଜ ଉପରେ ଲଦିଥିବା ବନ୍ଧନ ଅପେକ୍ଷା ଭାରତର ବନ୍ଧନ ଗୁରୁତର । ସାଂସାରିକ ବନ୍ଧନରୁ ନିଷ୍କୃତି ଲାଭ କରି ବୃହତ୍ତର ସ୍ଵାଧୀନତା ଲାଭ ଉଦ୍ଦେଶ୍ୟରେ ଭାରତ ଏହି ବନ୍ଧନକୁ ଅଧିକ ସ୍ୱୀକାର କରିଥିଲା । ବର୍ତ୍ତମାନ ତା’ର ଅଧୋଗତି ଦେଖିଲେ ମନେହୁଏ ଯେ ହ୍ରଦ ଯେତେ, ଗଭୀର, ଶୁଷ୍କ ହେଲେ ତାହା ସେତିକି ବଡ଼ ଶୂନ୍ୟ ଗର୍ତ୍ତରେ ପରିଣତ ହୁଏ ।

 

ଏହି ଭାବରେ ବନ୍ଧନ ଓ ମୁକ୍ତି, ଉପାୟ ଓ ଉଦ୍ଦେଶ୍ୟ ଉଭୟର ବରୁଦ୍ଧାତ୍ମକ ବିଭାବ ମଧ୍ୟରେ ସମନ୍ୱୟ ବିଧାନର ନିର୍ଦ୍ଦେଶ ଈଶୋପ ନିଷଦରେ ଅଛି ।

 

ଅଂନ୍ଧ ତମଃ ପ୍ରବିଶନ୍ତି ଯେ ଅବିଦ୍ୟାମୁପାସତେ

ତତୋ ଭୂୟ ଇବ ତେ ତମୋ ଯ ଉ ବିଦ୍ୟାୟାଂ ରତାଃ ।

ବିଦ୍ୟାଞ୍ଚାବିଦ୍ୟାଞ୍ଚ ଯସ୍ତଦ୍‌ବେଦୋ ଭୟଂ ସହ

ଅବିଦ୍ୟୟା ମୃତ୍ୟୁଂ ତୀର୍ତ୍ୱା ବିଦ୍ୟୟା ମୃତମପ୍ନୂତେ ।

 

–ଯେଉଁମାନେ କେବଳମାତ୍ର ଅବିଦ୍ୟା ଅର୍ଥାତ୍ ସଂସାରର ଉପାସନା କରନ୍ତି ସେମାନେ ଅନ୍ଧତମସ ମଧ୍ୟରେ ପ୍ରବେଶ କରନ୍ତି, ଯେଉଁମାନେ କେବଳମାନ ବ୍ରହ୍ମର ଉପାସନା କରନ୍ତି ତଦପେକ୍ଷା ଅଧିକ ଅନ୍ଧକାର ମଧ୍ୟରେ ସେମାନଙ୍କର ପ୍ରବେଶା କିନ୍ତୁ ବିଦ୍ୟା ଓ ଅବିଦ୍ୟା ଉଭୟଙ୍କୁ ଗ୍ରହଣ କରିଥିବା ବ୍ୟକ୍ତି ଅବିଦ୍ୟା ସମ୍ପର୍କରେ ଜ୍ଞାନ ଦ୍ଵାରା ନିଜକୁ ମୃତ୍ୟୁ ମୁଖରୁ ରକ୍ଷା କରେ, ବିଦ୍ୟା ଦ୍ୱାରା ଅମରତ୍ୱ ଲାଭ କରେ ।

 

ଅସୀମତ୍ୱ ପ୍ରାପ୍ତି ପୂର୍ବରୁ ଜାଗତିକ ଜୀବନର ପୂର୍ଣ୍ଣତା ଉପଲବ୍ଧ ଆବଶ୍ୟକ । କର୍ମ ସହ ପ୍ରବୃତ୍ତି ସଂଯୁକ୍ତ ହେବା ଉଚିତ, ତା ହେଲେ କର୍ମ ଓ ପ୍ରଭୃତ୍ତି ଉଭୟଙ୍କୁ ଅତିକ୍ରମ କରି ହେବ । ସେତିକିବେଳେ ହିଁ ବ୍ରହ୍ମ ସହ ମିଳନ ସମ୍ଭବ । ସଂସାରକୁ ବଳପୂର୍ବକ ଅସ୍ୱୀକାର କରି କେହି ଅମୃତତ୍ୱର ଅଧିକାରୀ ହୋଇ ପାରିବେ ନାହିଁ । ଉପରୋକ୍ତ ଶାସ୍ତ୍ରରେ ମଧ୍ୟ କୁହାଯାଇଛି–

 

କୁର୍ବନ୍ନେବେହ କର୍ମାଣି ଜିଜୀବିଷେତ୍ ଶତଂ ସମାଃ

ଏବଂ ତ୍ୱୟି ନାନ୍ୟଥେତୋଽସ୍ତି ନ କର୍ମ ଲିପ୍ୟତେ ନରେ ।

 

–କର୍ମ କରି ଶହେ ବର୍ଷ ଇହଲୋକରେ ଜୀବିତ ରହିବାକୁ ଇଚ୍ଛା କର । ହେ ମନୁଷ୍ୟ, ତୁମ ପକ୍ଷରେ ଏହାର ଅନ୍ୟଥା କିଛି ସମ୍ଭବ ନୁହେ, କର୍ମରେ ଲିପ୍ତ ହେବା ଛଡ଼ା ତୁମର ଅନ୍ୟ ପଥ ନାହିଁ ।

 

କର୍ମମୟ ଉନ୍ନତ ଜୀବନ ହିଁ ମନୁଷ୍ୟ ଭାଗ୍ୟର ପୂର୍ଣ୍ଣ ସମ୍ପାଦନ କରିବ । ଏହି ଜାଗତିକ ଜୀବନ ସମ୍ପୂର୍ଣ୍ଣ ହେଲେ; ଏହାର ସ୍ୱାଭାବିକ ସମାପ୍ତି ଆସେ, ଜୀବନର ପ୍ରୟୋଜନ ନିଃଶେଷ ହୋଇଯାଏ ଏବଂ କର୍ମ ସମାପ୍ତି ହେଲେ କର୍ମର ବନ୍ଧନ ଶିଥିଳ ହୁଏ । ଜୀବନକୁ ଓ ଜୀବନର ସମାପ୍ତିକୁ ଏହିପରି ଅତ୍ୟନ୍ତ ସହଜ ଭାବରେ ଗ୍ରହଣ କରିବାକୁ ହେଲେ ଈଶୋପନିଷଦର ପଂକ୍ତି ଆମର ମନେପଡ଼େ–

 

ଈଶାବାସ୍ୟମିଦଂ ସର୍ବଂ ଯତ୍‌କିଞ୍ଚ ଜଗତ୍ୟାଂ ଜଗତ୍‌

ତେନ ତ୍ୟକ୍ତେନ ଭୁଞ୍ଜୀଥା ମା ଗୃଧଃ କସ୍ୟଶ୍ଚଦ୍ଧନମ୍ ।

 

–ଏହି ଜଗତର ସକଳ କିଛିକୁ ଈଶ୍ୱରଙ୍କ ଦ୍ୱାରା ଆଚ୍ଛନ୍ନ ବୋଲି ଜାଣିବ । ସେ ଯାହା ତ୍ୟାଗ କରିଛନ୍ତି, ଯାହା ଦେଇଛନ୍ତି ତାହାକୁ ହିଁ ଭୋଗ କରିବ, ଅନ୍ୟ କାହା ଧନରେ ଲୋଭ ପ୍ରକାଶ କରିବ ନାହିଁ ।

 

ସଂସାରକୁ ବ୍ରହ୍ମଙ୍କ ଦ୍ୱାରା ଆଚ୍ଛନ୍ନ ବୋଲି ଜାଣିବା ସଙ୍ଗେ ସଙ୍ଗେ ସଂସାର ଜୀବନର ବିଷ ଅନେକ କଟିଯିବ । ତାହାର ସଙ୍କୀର୍ଣ୍ଣତା ଦୁରୀଭୂତ ହେବ ଏବଂ ତାର ବନ୍ଧନ ଆମକୁ ଦୃଢ଼ଭାବରେ ଆବଦ୍ଧ କରି ପାରିବ ନାହିଁ । ସଂସାରର ଭୋଗକୁ ଈଶ୍ୱରଙ୍କର ଦାନଭାବେ ଗ୍ରହଣ କଲେ ଅପହରଣ ଓ ଆକ୍ରମଣ ନିମନ୍ତେ ଆଉ ଅବକାଶ ନ ଥିବ । ଏହି ଭାବେ ସଂସାରର କର୍ମ ଓ ଭୋଗକୁ ବ୍ରହ୍ମୋପଲବ୍‌ଧି ସଙ୍ଗେ ଯୁକ୍ତ କରି ଖୁବ୍ ବଡ଼ ଭାବରେ ଦେଖିବା ଭାରତୀୟ ସମାଜ ବ୍ୟବସ୍ଥାର ମୂଳ କଥା । ଏହିପରି ଭାବେ ଭାରତ ମନୁଷ୍ୟର ଆତ୍ମାକୁ ମୁକ୍ତି ଦେବାକୁ ଚେଷ୍ଟା କରିଥିଲା ।

 

ୟୁରୋପରେ ମନୁଷ୍ୟର ଜାଗତିକ ଜୀବନର ଦୁଇଟି ବିଭାଗ ପରିଦୃଷ୍ଟ । ଗୋଟିଏ ଶିଖିବାର ଓ ଅନ୍ୟଟି ସଂସାରରେ କର୍ମ କରିବାର ଅବସ୍ଥା । ତୁମେ ଅବସନ୍ନ ହୋଇ ନିଜ ତୁଳୀକୁ ତଳେ ରଖିବା ପର୍ଯ୍ୟନ୍ତ ଏହା ଏକ ସରଳରେଖାକୁ ପ୍ରସାରିତ କରିବା ସଦୃଶ ଅବସ୍ଥା । ଏକ ସରଳ ରେଖାକୁ ଏହିପରି ଲମ୍ବାଇବାର ପ୍ରୟାସ ଦ୍ୱାରା କେବେହେଲେ ଛବି ସୃଷ୍ଟି ହୁଏ ନାହିଁ, କାରଣ କୌଣସି ନିର୍ଦ୍ଦିଷ୍ଟ ଗଠନ ନ ଥିବାରୁ ତାହା ନିରର୍ଥକ । କର୍ମ କେବଳ ଏକମାତ୍ର ଧାରା, ଏହା କେବେ ନିଜ ମଧ୍ୟରେ ସମ୍ପୂର୍ଣ୍ଣ ହୋଇ ନ ପାରେ । କିଛି ଲାଭ ଓ କିଞ୍ଚିତ୍ ସଫଳତା ହିଁ ଏହାର ଲକ୍ଷ୍ୟ । କିନ୍ତୁ କର୍ମର ସ୍ୱାଭାବିକ ପରିଣତି ପାଇଁ ୟୁରୋପ କୌଣସି ନିର୍ଦ୍ଦିଷ୍ଟ ଲକ୍ଷ୍ୟ ପୋଷଣ କରି ନାହିଁ । ସଂଗ୍ରହ ବା ଜ୍ଞାନାର୍ଜ୍ଜନର ଅନ୍ତ ନାହିଁ । ଇଉରୋପୀୟ ସଭ୍ୟତା ରାଶୀକୃତ ଅର୍ଜ୍ଜନର ବୃଦ୍ଧି ଉପରେ ଅଧିକ ଗୁରୁତ୍ୱ ଦେଉଛି । ମାନବସମାଜର ଉନ୍ନତିଶୀଳ ଜୀବନ ପାଇଁ ପ୍ରତ୍ୟେକ ବ୍ୟକ୍ତିର ଶ୍ରେଷ୍ଠ ଦାନରେ ହିଁ ତା’ ନିଜ ଜୀବନର ପୂର୍ଣ୍ଣତା ଯେ ନିହିତ, ୟୁରୋପ ତାହା ଭୂଲିଯାଇଛି । ତେଣୁ ବସ୍ତୁସମୂହର ମଧ୍ୟ ଅବସ୍ଥାରେ ହିଁ ସେମାନଙ୍କର ପରିଣତି ଦେଖାଦିଏ; ଶିକାର ପାଇବାର ନୁହେ, କେବଳ ଶିକାର ପଛରେ ଅନୁଧାବନ କରିବା ହିଁ ସେମାନଙ୍କ ନିକଟରେ ପରମ ଆନନ୍ଦ ରୂପେ ଗୃହୀତ ।

 

ଆମେ ମଧ୍ୟ କହୁ କାମନାର ଅନ୍ତ ନାହିଁ, ବରଂ ପ୍ରାପ୍ତିରେ ହିଁ ଏହାର କ୍ରମିକ ଅଭିବୃଦ୍ଧି । ତା’ ହେଲେ କର୍ମର ସମାପ୍ତି ହେବ କିପରି ? ପ୍ରାଚୀନ ଭାରତର ଉତ୍ତର ହେଉଛି–ଏହି ସାଧାରଣ ନିୟମର ଏକ ବ୍ୟତିକ୍ରମ ରହିଛି ଏକ ସ୍ଥାନରେ ପ୍ରାପ୍ତିର ସମାପ୍ତି ଘଟେ । ବିଶ୍ୱବ୍ୟାପାରକୁ ପାଗଳା ଗାରଦର ହାଲଚାଲ ବୋଲି ଭାବିବା ଅନୁଚିତ, କିମ୍ବା ଆମର କାମନା ବିରତିହୀନ ଏକ ଅବିଶ୍ରାନ୍ତ ସଙ୍ଗୀତ ମାତ୍ର ନୁହେ । ସଙ୍ଗୀତର ସ୍ୱର ଯେତେ ଶ୍ରୁତିମଧୁର ହେଉ ନା କାହିଁକି ମଧ୍ୟପଥରେ ଅକସ୍ମାତ୍ ଗୀତର ସମାପ୍ତି ହେଲେ ରସବୋଧ ବ୍ୟାହତ ହୁଏ । ସମସ୍ତ ସ୍ୱରର ଐକତାନ ହିଁ ନିବିଡ଼ ରସବୋଧ ସଞ୍ଚାର କରେ ।

 

ତେଣୁ ଭାରବର୍ଷ କର୍ମର ମଧ୍ୟସ୍ଥଳରେ ହଠାତ୍ କର୍ମରୁ ବିରତ ହେବା ନିମନ୍ତେ ଆମକୁ ଉପଦେଶ ଦେଇ ନାହିଁ । ଏହା ସତ୍ୟ ଯେ ଜଗତର ଅସମାପ୍ତ ଶୋଭାଯାତ୍ରା ନାନା ଉତ୍ଥାନ ପତନ ମଧ୍ୟ ଦେଇ ସୃଷ୍ଟିର ଆରମ୍ଭରୁ ଆଜି ପର୍ଯ୍ୟନ୍ତ ଅବିରାମ ଭାବେ ଚାଲିଛି ! କିନ୍ତୁ ଏହା ମଧ୍ୟ ସ୍ପଷ୍ଟ ଯେ ପ୍ରତ୍ୟେକ ବ୍ୟକ୍ତିର ସଂସାର ଲୀଳାର ଅବସାନ ଘଟିଥାଏ । ସମ୍ପୂର୍ଣ୍ଣତାର ଉପଲବ୍ଧି ବ୍ୟତୀତ ତା’ର ମହାଯାତ୍ରା କଅଣ ବାଞ୍ଛନୀୟ ? ତା’ ହୋଇଥିଲେ ପ୍ରକୃତରେ ସେ ବଡ଼ ଦୁର୍ଭାଗ୍ୟ ସମ୍ପନ୍ନ ହୋଇଥାନ୍ତା !

 

ଏକ ଦିଗରେ ମୋ ମଧ୍ୟରେ ବଂଶ ପରମ୍ପରାର ଅନନ୍ତ ସ୍ରୋତ ପ୍ରବାହିତ । ମୋ ଜୀବନକାଳ ମଧ୍ୟରେ ମୁଁ ଏହି ପ୍ରବାହକୁ ପରିପୃଷ୍ଟ କରେ । ଜ୍ଞାନର ସତତ ବୃଦ୍ଧିଶୀଳ ଅନୁଭୂତି ଏବଂ ଶକ୍ତି ସମ୍ଭାବନାର ଭଣ୍ଡାରକୁ ସମୃଦ୍ଧ କରିବା ଦିଗରେ ମୁଁ ମୋର ସାଧ୍ୟମତେ ଯତ୍ନଶୀଳ । ଅନ୍ୟଦିଗରେ ମୁଁ ଜଣେ ବ୍ୟକ୍ତି, ମୋ ଜୀବନର ଏକ ଆରମ୍ଭ ଓ ଅନ୍ତ ଅଛି । ସମୟର ସୀମାବଦ୍ଧ କାଳ ମଧ୍ୟରେ ପୂର୍ଣ୍ଣତାର କିଞ୍ଚିତ୍ ଆଦର୍ଶରେ ମୋତେ ନିଶ୍ଚୟ ଉପନୀତ ହେବାକୁ ପଡ଼ିବ । ଅନନ୍ତ ଜଳଧାରାର ପୂର୍ଣ୍ଣତାର କୌଣସି ଧାରଣା ନ ଥାଇ ପାରେ, କାରଣ ଏହାର ପ୍ରକୃତି ହେଉଛି ଗତି । କ୍ଷଣକଲାଗି ଏହାର ଅଂଶ ବିଶେଷ ହୋଇ ଅନ୍ତର୍ହିତ ହେବାର ଅର୍ଥ ହେଉଛି ସଂଗ୍ରାମ କିନ୍ତୁ ଉପଲବ୍ଧି ନୁହେ । ଯେଉଁମାନେ କହନ୍ତି ଯେ ଜଗତ ଅର୍ଥହୀନ କୋଳାହଳ ଧ୍ୱନିର ଏକ ଚରମ ପୀଠ, ବିନା କାରଣରେ ଏହା ଧ୍ୱନିମୁଖର ଓ ଆବର୍ତ୍ତିତ, ସେମାନେ କର୍ମର ମହିମା ଗାନକରି ଏହି ଗତିର ପାଗଳାମିକୁ ବଢ଼ାଇବାରେ ସାହାଯ୍ୟ କରିବା ଅବାଞ୍ଛନୀୟ । ସକଳ ବସ୍ତୁର ଅନ୍ତରରେ ଅନନ୍ତ ଅଗ୍ରଗତିର ପ୍ରେରଣା ଥିଲାପରି ପୂର୍ଣ୍ଣତାର ଆଦର୍ଶ ମଧ୍ୟ ଥିବା ଉଚିତ୍ । ଏହା ସକଳ ଗତିର ଅର୍ଥବୋଧକ ହେବ । ବ୍ୟକ୍ତି ଛଡ଼ା ଅନ୍ୟ କିଏ ଏହାକୁ ଉପଲବ୍‌ଧି କରିବ ? ସସୀମ ଗତିର ଦାବୀ ତା’ ନିକଟରେ ଅଛି, କିନ୍ତୁ ଅସୀମତା ମଧ୍ୟରେ ନିହତ ଥିବା ସୂର୍ଣ୍ଣତାର ଆହ୍ୱାନ ମଧ୍ୟ ତା ନିମନ୍ତେ ଉଦ୍ଦିଷ୍ଟ । ଯେତେବେଳେ ସେହି ଆହ୍ୱାନର ଉତ୍ତର ଆମେ ଦେଉଁ, ଆମ ବାସ୍ତବ ଜଗତରେ ମୃତ୍ୟୁ ଏକ ଆକସ୍ମିକ ପ୍ରତିବନ୍ଧକ ରୂପେ ଦେଖା ଦେଇ ପାରେ ନାହିଁ ।

 

ଏହି କାରଣରୁ ଭାରତବର୍ଷ ମନୁଷ୍ୟର ଜାଗତିକ ଜୀବନକୁ ଯେପରି ବିଭକ୍ତ କରିଥିଲା ସେଥିରେ କର୍ମକୁ ମଧ୍ୟସ୍ଥଳରେ ଓ ମୁକ୍ତିକୁ ପ୍ରାନ୍ତ ଭାଗରେ ରଖିଥିଲା । ପ୍ରଭାତ, ମଧ୍ୟାହ୍ୱ, ଅପରାହ୍ନ ଓ ସନ୍ଧ୍ୟା ଏହି ଭାବରେ ଦିବସକୁ ବିଭକ୍ତ କଲା ପରି ଭାରତବର୍ଷ ମନୁଷ୍ୟର ଜୀବନକୁ ଚାରି ଆଶ୍ରମରେ ବିଭକ୍ତ କରିଥିଲା ଏବଂ ଏହି ବିଭାଗ ତା’ର ସ୍ୱଭାବର ଆବଶ୍ୟକତା ଅନୁସାରେ ଗଠିତ ହୋଇଥିଲା । ଆଲୋକ ଓ ଉତ୍ତାପର କ୍ରମିକ ବୃଦ୍ଧି ଓ କ୍ଷୟ ଦିବସର ଥିଲାପରି ମନୁଷ୍ୟର ଇନ୍ଦ୍ରିୟ ଶକ୍ତିର କ୍ରମୋନ୍ନତି ଓ ଅବନତି ଅଛି । ସେହି ସ୍ୱାଭାବିକ କ୍ରମକୁ ଅବଲମ୍ବନ କରି ଭାରତବର୍ଷ ଜୀବନର ଆରମ୍ଭରୁ ଅନ୍ତ ପର୍ଯ୍ୟନ୍ତ ଏହାକୁ ଏକ ଅଖଣ୍ଡ ତାତ୍ପର୍ଯ୍ୟ ଦାନ କରିଥିଲା ।

 

ପ୍ରଥମରେ ଶିକ୍ଷାର କାଳ, ତା’ପରେ ସଂସାରର କର୍ମାବଳୀ, ପରେ ପରେ ବନ୍ଧନଗୁଡ଼ିକ ଶିଥିଳ କରିବାର ଉଦ୍ୟମ, ଶେଷରେ ମୃତ୍ୟୁ ମଧ୍ୟରେ ମୁକ୍ତିର ପ୍ରତୀକ୍ଷା ଏହାହିଁ ବ୍ରହ୍ମଚର୍ଯ୍ୟ, ଗାର୍ହସ୍ଥ୍ୟ, ବାନପ୍ରସ୍ଥ ଓ ପ୍ରବଜ୍ୟା ।

 

ଆଧୁନିକ କାଳରେ ଜୀବନ ସଙ୍ଗରେ ମୃତ୍ୟୁର ଏକ ବିରୋଧ ଅନୁଭୂତ ହୁଏ । ମୃତ୍ୟୁ ଯେ ଜୀବନର ସ୍ଵାଭାବିକ ପରିଣତି ଏହା ବିଚାର ନ କରି ଆମେ ଏହାକୁ ଜୀବନର ଶତ୍ରୁ ବୋଲି ମନେକରୁ । ଜୀବନର ପ୍ରତ୍ୟେକ ପର୍ବରେ ଆମ୍ଭେମାନେ ଅକ୍ଷମ ଭାବରେ ମୃତ୍ୟୁ ସଙ୍ଗରେ ଦ୍ୱନ୍ଦ କରି ଗତି କରିବାକୁ ପ୍ରୟାସୀ । ଯୌବନ ଅତିକ୍ରାନ୍ତ ହେଲେ ସୁଦ୍ଧା ଆମେ ତାକୁ ବଳପୂର୍ବକ ଧରି ରଖିବାକୁ ଚେଷ୍ଟା କରୁ । ଭୋଗର ଅଗ୍ନି ଶାନ୍ତ ହେଲେ ତାକୁ ଆମ୍ଭେମାନେ ନାନାପ୍ରକାର ଉପଚାର ସାହାଯ୍ୟରେ ପ୍ରଜ୍ୱଳିତ କରି ରଖିବାକୁ ପ୍ରୟାସୀ ହେଉ । ଇନ୍ଦ୍ରିୟ ଶକ୍ତି ଦୁର୍ବଳ ହେଲେ ପ୍ରାଣପଣେ ଯତ୍ନ କରି ସେମାନଙ୍କୁ କର୍ମକ୍ଷମ କରିବାକୁ ଚେଷ୍ଟା କରୁ । ମୁଷ୍ଟି ସ୍ୱଭାବତଃ ଶିଥିଳ ହୋଇ ଆସିଲେ ମଧ୍ୟ ଆମେ କୌଣସି ପ୍ରକାରେ ବସ୍ତୁର ଦଖଲ ଛାଡ଼ିବାକୁ କୁଣ୍ଠିତ । ପ୍ରଭାତ ଓ ମଧ୍ୟାହ୍ନ ଛଡ଼ା ଜୀବନର ଅନ୍ୟ କୌଣସି ଅଂଶକୁ କୌଣସି ଭାବେ ସ୍ୱୀକାର କରିବାକୁ ଆମେ ଅନିଚ୍ଛୁକ । ଅବଶେଷରେ ଜୀବନ-ସନ୍ଧ୍ୟାର ପ୍ରଭାବ ଆମକୁ ସ୍ପର୍ଶ କଲେ, ଆମେ ବିଦ୍ରୋହୀ ହେଉ ବା ବିଷଣ୍ଣ ହେଉ । ନିଶ୍ଚିତ ପରିଣତିଗୁଡ଼ିକୁ ସହଜରେ ଗ୍ରହଣ କରିବାର ଶିକ୍ଷା ନାହିଁ ବୋଲି ବଳପୂର୍ବକ ଆମଠାରୁ ଛଡ଼ାଇ ନିଆ ନ ଯିବା ପର୍ଯ୍ୟନ୍ତ ଆମେ କୌଣସି ବସ୍ତୁ ପରିତ୍ୟାଗ କରିବାକୁ ଅପ୍ରସ୍ତୁତ । ସତ୍ୟକୁ ଅତିଥି ଭାବରେ ଗ୍ରହଣ କରିବାର ସାମର୍ଥ୍ୟ ହରାଇ ଥିବାରୁ ଏହା ଆମର ପ୍ରବଳ ଶତ୍ରୁ ରୂପେ ଦେଖାଦିଏ ।

 

ପକ୍ୱ ଫଳର ବୃନ୍ତ ଶିଥିଳ ଓ ମଜ୍ଜା କୋମଳ ହୁଏ କିନ୍ତୁ ତା'ର ବୀଜ ଶକ୍ତ ହୋଇ ନୂତନ ପ୍ରାଣ ନିମନ୍ତେ ସମ୍ବଳ ଲାଭ କରିଥାଏ । ଆମଠାରେ ସେହି ହରଣ ପୂରଣ ମଧ୍ୟ ଅଛି । ବୟସ ବୃଦ୍ଧି ହେତୁ ଆମ ବହିଃ ଶକ୍ତିର କ୍ଷୟ ସଙ୍ଗେ ସଙ୍ଗେ ଅନ୍ତର୍ନିହିତ ଶକ୍ତିର ବିକାଶ ଘଟେ । କିନ୍ତୁ ମନୁଷ୍ୟର ଆନ୍ତର ଜୀବନରେ ଚା’ ନିଜର ଇଚ୍ଛା ବଳିଦାନ୍, ତେଣୁ ଏହି ବୃଦ୍ଧି ଓ ପରିଣତ ତା’ର ଶୃଙ୍ଖଳିତ ସାଧନାର ଅପେକ୍ଷା ରଖେ । ସେହି କାରଣରୁ ଦେଖାଯାଏ ଯେ ଅସଂଯତ ମନୁଷ୍ୟର ଦାନ୍ତ ହୁଏତ ପଡ଼ିଗଲେ, ବାଳ ପାଚିଲା, ଶରୀରର ତେଜ କମିଲା, ପଦକ୍ଷପ ଶିଥିଳ ହେଲା, ସେ ତା ଆୟୁର ଶେଷପ୍ରାନ୍ତରେ ଆସି ଦଣ୍ଡାୟମାନ ହେଲା, ତଥାପି କୌଣସି ପ୍ରକାରେ ସହଜରେ ସଂସାରରୁ ତା’ର ନିବିଡ଼ ମମତା ଘଟିଲା ନାହିଁ–ପ୍ରାଣପଣେ ସେ ସବୁକିଛି ଦୃଢ଼ରୂପେ ଧରି ରଖିବାକୁ ଚେଷ୍ଟିତ, ଏପରି କି ମୃତ୍ୟୁ ପରେ ମଧ୍ୟ ସଂସାରର କ୍ଷୁଦ୍ର ବିଷୟରେ ତାହାର କାମନା ଅତୁଟ ରଖିବାକୁ ସେ ବ୍ୟଗ୍ର । ଏ ଧରଣର ସଂସାର ଜୀବନ ପ୍ରତି ଆସକ୍ତି ଆଧୁନିକ କାଳରେ ମଧ୍ୟ ଆମ ଦେଶରେ ଗର୍ବର ବିଷୟ ବୋଲି ବିବେଚିତ ହେଉଅଛି । କିନ୍ତୁ ଏଥିରେ ଗୌରବାନ୍ୱିତ ହେବା ଭଳି କିଛି ବିଷୟ ଅଛି କି ?

 

ତ୍ୟାଗ କରିବାକୁ ହେବ ଏବଂ ତ୍ୟାଗ ଦ୍ୱାରାହିଁ ଲାଭ କରିବାକୁ ହେବ, ଏହାହିଁ ଜଗତର ମର୍ମଗତ ସତ୍ୟ । ଫୁଲ ପାଖୁଡ଼ା ଝରାଇ ଫଳ ଧରେ, ଫଳ ଝଡ଼ି ପଡ଼ିଲେ ବୃକ୍ଷର ପୁନର୍ଜନ୍ମ ହୁଏ । ଗର୍ଭସ୍ଥ ଶିଶୁ ଠିକ୍ ସେହିପରି ଗର୍ଭାଶୟ ଛାଡ଼ି ପୃଥିବୀରେ ଭୂମିଷ୍ଠ ହୁଏ ଏବଂ ଶରୀର ଓ ମନର ଅଧିକ ଅଭିବୃଦ୍ଧି ହେଉଛି ତା’ର ଲକ୍ଷ୍ୟ । ତା' ପରେ ସେ ସଙ୍କୀର୍ଣ୍ଣ ଆତ୍ମ କୈନ୍ଦ୍ରିକ ଜଗତ ପରିତ୍ୟାଗ କରି ଅଗଣିତ ଲୋକଙ୍କ ସହିତ ବିଚିତ୍ର ସମ୍ବନ୍ଧ ସ୍ଥାପନ କରେ । ଶେଷରେ ତା’ର ଶରୀର ଓ ପ୍ରବୃତ୍ତି କ୍ଷୀଣ ହୁଏ । ମନୁଷ୍ୟ ନିଜର ବିଚିତ୍ର ଅଭିଜ୍ଞତା ଓ ଅନାସକ୍ତ ପ୍ରବୀଣତା ସାହାଯ୍ୟରେ ଆପଣାର କ୍ଷୁଦ୍ର ସଂସାର ମଧ୍ୟରୁ ବୃହତ୍ତର ସଂସାରରେ ଜନ୍ମଗ୍ରହଣ କରେ ଏବଂ ତାହାର ଶିକ୍ଷା, ଆହୃତ ଜ୍ଞାନ ବିଶାଳ ସଂସାରର ସାଧାରଣ ମାନବର କାର୍ଯ୍ୟରେ ବିନିଯୁକ୍ତ ହୁଏ; ଅନ୍ୟ ଦିଗରେ ସେ ଅବସନ୍ନ ପ୍ରାୟ ମାନବ ଜୀବନ ସଙ୍ଗରେ ନିଜ ଜୀବନର ସମ୍ବନ୍ଧ ସ୍ଥାପନ କରେ । ତା’ ପରେ ସାଂସାରିକ ରଜ୍ଜୁର ବନ୍ଧନ ସମ୍ପୂର୍ଣ୍ଣ କ୍ଷୟପ୍ରାପ୍ତ ହୁଏ । ଅନନ୍ତ ଲୋକରେ ଜନ୍ମଗ୍ରହଣ କରିବା ଆଶାରେ ସେ ଅତି ସହଜରେ ବିନା ଦ୍ୱିଧାରେ ମୃତ୍ୟୁ ସମ୍ମୁଖରେ ଆସି ଦଣ୍ଡାୟମାନ ହୁଏ ।

 

ଏହିପରି ସେ ବ୍ୟକ୍ତି ଶରୀର ମଧ୍ୟରୁ ସମାଜରେ ସମାଜ ମଧରୁ ବିଶ୍ୱରେ, ବିଶ୍ୱ ମଧ୍ୟରୁ ଅଧ୍ୟାତ୍ମ ଜଗତରେ ମାନବ ଜନ୍ମକୁ ପରିଣତି ଦାନ କରେ । ଏହାହିଁ ଆତ୍ମାର ସାଧାରଣ ଅଗ୍ରଗତି ।

 

ତେଣୁ ଆମର ପ୍ରାଚୀନ ମନୀଷୀଗଣ ଏହି ଅଗ୍ରଗତିର ଲକ୍ଷ୍ୟକୁ ବିଚାର କରି ଆମ ଜୀବନର ପ୍ରାରମ୍ଭିକ ସ୍ତରର ଶିକ୍ଷାକୁ କେବଳ ବିଷୟ ଶିକ୍ଷା ବା ଗ୍ରନ୍ଥ ଅଧ୍ୟୟନରେ ପରିଣତ କରି ନ ଥିଲେ, ତାହା ଥିଲା ବ୍ରହ୍ମଚର୍ଯ୍ୟର ଶିକ୍ଷା । ନିୟମ ସଂଯମର ଅଭ୍ୟାସ ଦ୍ଵାରା ଏପରି ଏକ ବଳଲାଭ ହେଉଥିଲା ଯେଉଁଥିରେ ଭୋଗ ଓ ବୈରାଗ୍ୟ ଉଭୟ ଆମ ଚରିତ୍ରକୁ ଦୃଢ଼ କରିଥିଲେ । ସମସ୍ତ ଜୀବନହିଁ ଥିଲା ଧର୍ମାଚରଣ, ତାହାର ଲକ୍ଷ ବ୍ରହ୍ମ ମଧ୍ୟରେ ମୁକ୍ତି ଏବଂ ସେଥିପାଇଁ ସେହି ଜୀବନ ଯାପନ କରିବାର ଶିକ୍ଷା ଧର୍ମ ବ୍ରତରୂପେ ବିବେଚିତ ହେଉଥିଲା । ଏହି ବ୍ରତ ଶ୍ରଦ୍ଧା, ଭକ୍ତି ଓ ନିଷ୍ଠା ସହକାରେ ଅତି ସାବଧାନରେ ପାଳନ କରିବାକୁ ପଡ଼ୁଥିଲା । ଏହି ଚରମ ସତ୍ୟକୁ ସମ୍ମୁଖରେ ସ୍ଥାପନ କରି ଶିକ୍ଷାର୍ଥୀ ବାଳକ ତାହାର ଜୀବନ ପଥରେ ପ୍ରବେଶ କରୁଥିଲା ।

 

ବାହାର ଶକ୍ତି ସଙ୍ଗରେ ଅନ୍ତର ଶକ୍ତିର ସାମଞ୍ଜସ୍ୟ ବିଧାନ ପ୍ରାଣର ଲକ୍ଷଣଭାବେ କଥିତ ହୋଇଛି । ଏହି ସାମଞ୍ଜସ୍ୟ ପ୍ରକ୍ରିୟା ପ୍ରାୟ ସ୍ୱୟଂକ୍ରିୟ ଯନ୍ତ୍ର ତୁଲ୍ୟ । କିନ୍ତୁ ମନୁଷ୍ୟର ମନ ଏ ପର୍ଯ୍ୟନ୍ତ ସଜ୍ଞାନ ପରୀକ୍ଷାମୂଳକ ସ୍ତରରେ ଥିବାରୁ ତା’ ନିମନ୍ତେ ଏହା ବିଶୃଙ୍ଖଳାର କରଣରୁପେ ଦେଖାଦିଏ; ଏହାର କ୍ରିୟାକଳାପକୁ ସାର୍ବଜନୀନ ନିୟମସହ ସଂଯୁକ୍ତ କରା ନ ଯିବା ପର୍ଯ୍ୟନ୍ତ ଏହା ମନୁଷ୍ୟ ନିମନ୍ତେ ଅସୀମ ଦୁଃଖର ଆଧାର ହୁଏ । ଉଦାହରଣ ସ୍ଵରୂପ ବର୍ତ୍ତମାନ ପାଇଁ ଶରୀର ଯନ୍ତ୍ର ନିମନ୍ତେ ଖାଦ୍ୟ ଆବଶ୍ୟକତାର ସମାପ୍ତି ଘଟିଛି, କିନ୍ତୁ ମନ ନିମନ୍ତେ ହୁଏତ ସେ ଅବସ୍ଥା ପ୍ରଯୁଜ୍ୟ ହୋଇ ନ ପାରେ । ପ୍ରକୃତ ଆବଶ୍ୟକତାର ଊର୍ଦ୍ଧ୍ୱରେ ଏହାର ପରିତୃପ୍ତିକୁ ବଢ଼ାଇବା ପାଇଁ ଇଚ୍ଛୁକ ହେଲେ ରସନା ଓ ପାକଯନ୍ତ୍ରକୁ ଅଧିକ କାର୍ଯ୍ୟକାରୀ କରାଇବା ନିମନ୍ତେ ମନ ଉତ୍ତେଜନା ଦିଏ । ଫଳରେ ବାହାର ସହିତ ପ୍ରାଣର ଓ ପ୍ରାଣ ସହିତ ମନର ଐକ୍ୟତାନ ନଷ୍ଟ କରି ସେ ନାନା ଅନାବଶ୍ୟକ ଚେଷ୍ଟା, ଅନାବଶ୍ୟକ ଉପକରଣର ଆହରଣଜନିତ ଦୁଃଖର ସୃଷ୍ଟି କରିବାକୁ ସମର୍ଥ ହୁଏ ।

 

ଥରେ ମନୁଷ୍ୟର ମନ ପ୍ରକୃତ ଆବଶ୍ୟକତାର ସୀମା ଲଙ୍ଘନ କଲେ, କେଉଁଠି କୌଣସି ସୀମା ମଧ୍ୟରେ ସେ ବିରାମ ନେବାର କାରଣ ରହେ ନାହିଁ । ତେଣୁ ତୈଳ ସାହାଯ୍ୟରେ ଅଗ୍ନି ନିର୍ବାପିତ କରିବାର ଚେଷ୍ଟା ଭଳି ମନୁଷ୍ୟ ମନର ଅର୍ଜ୍ଜନ କେବଳ ତାହାର କାମନାକୁ ଅଧିକ ପ୍ରଜ୍ଜ୍ୱଳିତ କରେ । ସେହି କାରଣରୁ ପ୍ରଥମରୁ ମନକୁ ଅଭ୍ୟସ୍ତ କରିବା ଆବଶ୍ୟକ, ଯେପରି ସେ ପ୍ରାକୃତିକ ସୀମାସମୂହ ମଧ୍ୟରେ ରହିବାର ଆବଶ୍ୟକତା ସମ୍ପର୍କରେ ସଚେତନ ହୋଇ ପାରିବ । ଅନ୍ୟ କଥାରେ ବିଶ୍ୱଶକ୍ତି ସଙ୍ଗରେ ମନୁଷ୍ୟର ଇଚ୍ଛା ଶକ୍ତିର ସାମଞ୍ଜସ୍ୟ ବିଧାନ କରି ପାରିଲେ ଆମେ ପରମାନନ୍ଦ ଲାଭ କରି ପାରିବା । ତା’ହେଲେ ଏହି ଇଚ୍ଛା ନିଜର ବିଭିନ୍ନ ସ୍ଵର ଝଙ୍କାର ସୃଷ୍ଟି କରିବାର ସ୍ୱାଧୀନତା ସତ୍ତ୍ୱେ ମଙ୍ଗଳ ଓ ସତ୍ୟ ସହିତ କୌଣସି ବିରୋଧ ସୃଷ୍ଟି କରିବାକୁ ଅସମର୍ଥ ହେବ ।

 

ଏହିପରି ଶିକ୍ଷାର କାଳ ଉଦ୍‌ଯାପନ କରି ସଂସାର ଜୀବନ ମଧ୍ୟରେ ପ୍ରବେଶ କରିବାକୁ ହେବ । ଆମର ସଂହିତାକର ମନୁ କହିଛନ୍ତି–

 

ନ ତଥୈତାନି ଶକ୍ୟନ୍ତେ ସଂନିୟନ୍ତୁମସେବୟା

ବିଷୟେଷୁ ପ୍ରଜୁଷ୍ଟାନି ଯଥା ଜ୍ଞାନେନ ନିତ୍ୟଶଃ ।

 

–ବିଷୟର ସେବା ନ କରି ସଂଯମ ଆଚରଣ କରାଯାଇ ନ ପାରେ । ବିଷୟରେ ନିଯୁକ୍ତ ଥାଇ ସୁଦ୍ଧା ଜ୍ଞାନ ଦ୍ଵାରା ସଂଯମ ସର୍ବଦା ପାଳନ କରାଯାଇ ପାରେ ।

 

ଅର୍ଥାତ୍ ବିଷୟ ବିଯୁକ୍ତ ହୋଇ ଜୀବନର ପୂର୍ଣ୍ଣତା ଆସ୍ୱାଦନ ନ କଲେ ପୂର୍ଣ୍ଣଜ୍ଞାନ ଲାଭ କରାଯାଇ ପାରେ ନାହିଁ । ପୁଣି ଯେଉଁ ସଂଯମ ଜ୍ଞାନ ଦ୍ୱାରା ଲବ୍‌ଧ ନୁହେ, ତାହା ପ୍ରକୃତ ସଂଯମ ନୁହେ, ତାହା ଜଡ଼ ଆଚାର ବା ଅନଭିଜ୍ଞତାର ଅନୁସରଣ ମାତ୍ର ।

 

କାମନା ସଂଯତ ହେବାର ଅଭ୍ୟାସ ଥିଲେ କର୍ମ ସହଜସାଧ୍ୟ ହୁଏ । ସେହି ଅବସ୍ଥାରେହିଁ ଗୃହସ୍ଥାଶ୍ରମ ସମାଜ କଲ୍ୟାଣର ଆଧାର ହୋଇ ଉଠେ । ସେହି ଅବସ୍ଥା ମନୁଷ୍ୟର ପୂର୍ଣ୍ଣ ମୁକ୍ତି ପଥରେ ବାଧା ନୁହେ, ସହାୟ ମାତ୍ର । ତା’ର ସମସ୍ତ କର୍ମ ଆତ୍ମପରତନ୍ତ୍ରତାର ବନ୍ଧନ ମୁକ୍ତ ହେଲେ କର୍ମ ଦାୟିତ୍ୱ ଆତ୍ମିକ ସ୍ୱାଧୀନତାକୁ ହ୍ରାସ କରି ପାରେ ନାହିଁ; ସେ ବ୍ରହ୍ମ ସମର୍ପଣପୂର୍ବକ କର୍ମାନୁଷ୍ଠାନ କରି ଆନନ୍ଦିତ ହୁଏ ।

 

ଜୀବନର ଦ୍ୱିତୀୟ ଭାଗ ଏହି ଭାବରେ ସଂସାର ଧର୍ମରେ ନିଯୋଗ କରି ଶାରୀରିକ ଶକ୍ତିର ହ୍ରାସ ଘଟିଲେ ମନେ ରଖିବାକୁ ହେବଯେ ଏହି କ୍ଷେତ୍ରରେ ସ୍ଵାଭାବିକ ସମାପ୍ତି ଆସିଛି । ଚାକିରୀ କରିବାକୁ ଅଧିକ ଆଗ୍ରହୀ ଥିବା ବ୍ୟକ୍ତି ଚାକିରୀରୁ ବରଖାସ୍ତ ହେବାର ନିର୍ଦ୍ଦେଶ ପାଇଲେ ଯେପରି ଦୁଃଖିତ ହୁଏ, ସେପରି ଏହି ଚେତନାରେ ଦୁଃଖାଭିଭୂତ ହେବାର କୌଣସି କାରଣ ନାହିଁ । ବରଂ ମହତ୍ତର କର୍ତ୍ତବ୍ୟ ସମ୍ପାଦନ ନିମନ୍ତେ ପଦୋନ୍ନତିର ସମ୍ବାଦରେ ଆନନ୍ଦିତ ହେବା ପରି ସନ୍ତୋଷ ଲାଭ କରିବା ବାଞ୍ଛନୀୟ ।

 

ଶାରୀରିକ ବଳ ଯାହାକି ଇନ୍ଦ୍ରିୟଶକ୍ତି ଓ ପ୍ରବୃତ୍ତି ସମୂହର କ୍ଷେତ୍ର ଥଲା ବର୍ତ୍ତମାନ ତାହା ପଛରେ ପଡ଼ି ରହିଲା । ସେଠାରେ ଉତ୍ପନ୍ନ ଫସଲ ଗଚ୍ଛିତ ହୋଇଛି, ବର୍ତ୍ତମାନ ସନ୍ଧ୍ୟା ସମାଗତ । କର୍ମ ସମାପ୍ତ କରି ଘରକୁ ଯିବାର ରାସ୍ତା ଧରିବାକୁ ହେବ । ଘରେ ନ ପହଞ୍ଚିଲେ ଚରମ ଶାନ୍ତି ବା କାହିଁ ? ଜୀବନ ସାରା ଯେତେ କିଛି ପରିଶ୍ରମ କରାଗଲା, ଯେତେ କଷ୍ଟ ସହିବାକୁ ପଡ଼ିଲା ସବୁ ଏହି ଘର ଲାଗି ନୁହେ କି ? ସେହି ଘରହିଁ ହେଉଛି ଭୂମା, ତାହାହିଁ ହେଉଛି ଆନନ୍ଦର ଆଧାର । ଯେଉଁ ଆନନ୍ଦରୁ ଆମେ ଆସିଛୁ, ସେହି ଆନନ୍ଦକୁ ଆମେ ନିଶ୍ଚୟ ଫେରିଯିବା । ତାହା ଯଦି ନ ହୁଏ ତେବେ ତତଃ କିମ୍‌କେଉଁଥି ପାଇଁ ବା ଆମେ ଦୃଢ଼ ସଂକଳ୍ପବଦ୍ଧ ହୋଇଛୁ ?

 

ଶିଶୁ ଗର୍ଭରୁ ଭୂମିଷ୍ଠ ହେଲେ ମଧ୍ୟ ସମ୍ପୂର୍ଣ୍ଣ ସ୍ୱାଧୀନ ହେବା ପୂର୍ବରୁ କିଛିକାଳ ମା’ ପାଖେ ପାଖେ ରହେ । ବିଯୁକ୍ତ ହୋଇ ସୁଦ୍ଧା ସେ ଥାଏ ସଂଯୁକ୍ତ ଏବଂ ସମ୍ପୂର୍ଣ୍ଣ ବିଯୁକ୍ତ ହେବା ନିମନ୍ତେ ପ୍ରସ୍ତୁତ ହୁଏ । ଜୀବନର ତୃତୀୟାବସ୍ଥା-ବାନପ୍ରସ୍ଥାଶ୍ରମର ଏହାହିଁ ପ୍ରକୃତ କଥା । ସଂସାର ଗର୍ଭରୁ ମନୁଷ୍ୟ ନିଷ୍କ୍ରାନ୍ତ ହୋଇ ସୁଦ୍ଧା ସେହି ସଂସାର ସଙ୍ଗରେ ତା’ର ସଂଯୋଗ ଥାଏ । ସେ ଜଗତକୁ ନିଜର ସଞ୍ଚିତ ଜ୍ଞାନ ତଥାପି ଦାନ କରେ । ପକ୍ୱଫଳ ନିଜ ବୃନ୍ତରୁ ଝଡ଼ିପଡ଼େ ଓ ତାର ବୀଜ ନିଜର ନୂତନ ଜନ୍ମ ନିମନ୍ତେ ଭୂମି ନର୍ବାଚନ କରିବା ପୂର୍ବରୁ ଫଳ ଭୋଜ୍ୟରୂପେ ବ୍ୟବହୃତ ହୁଏ । ତା’ର ଜ୍ଞାନ ବୃଷ୍ଟିଧାରା ତୁଲ୍ୟ ସମସ୍ତଙ୍କ ନିମନ୍ତେ ବର୍ଷିତ ହୁଏ, ଏକ ଊର୍ଦ୍ଧ୍ୱ ଅନାସକ୍ତ ବାୟୁମଣ୍ଡଳରୁ ଏହା ନିମ୍ନକୁ ଅବତରଣ କରେ ।

 

ଅବଶେଷରେ ଜୀବନର ଶେଷ ଅବସ୍ଥା ଆସେ, ସକଳ ସ୍ୱାଧୀନ ସମ୍ପର୍କର ପରିସମାପ୍ତି ଘଟେ । ମୁକ୍ତ ଆତ୍ମା ନିଜ ଜାଗତିକ କର୍ମ ସମାପ୍ତ କରି ପରମ ଆତ୍ମାର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ହୁଏ । ଜୀବନର ପ୍ରତି ପଦକ୍ଷେପରେ ମୃତ୍ୟୁକୁ ଲଙ୍ଘନ କରିବାକୁ ଚେଷ୍ଟା ନ କରି କିମ୍ୱା ମୃତ୍ୟୁ ଦ୍ୱାରା ଅବଶେଷର ସମ୍ପୂର୍ଣ୍ଣ ପରାହତ ନ ହୋଇ ଏହି ଭାବେହିଁ ପ୍ରକୃତ ମାନବଜୀବନ ଯାପନ କରାଯାଇ ପାରେ ।

 

ଭାରତବର୍ଷ ଚାରି ଆଶ୍ରମ ମଧ୍ୟଦେଇ ମନୁଷ୍ୟ ଜୀବନକୁ ବାଲ୍ୟ, ଯୌବନ, ପୌଢ଼ତ୍ୱ ଓ ବାର୍ଦ୍ଧକ୍ୟର ସ୍ଵାଭାବିକ ବିଭାଗର ଅନୁଗତ କରି ଅଧ୍ୟାୟେ ଅଧ୍ୟାୟେ ଯେପରି ସମାପ୍ତି ଦିଗରେ ନେଇଯାଇଛି ସେଥିରେ ବିଶାଳ ବିଶ୍ୱ-ସଙ୍ଗୀତ ସହ ମନୁଷ୍ୟର ଜୀବନ-ସଙ୍ଗୀତ ସମ୍ମିଳିତ । ସେଠାରେ ବିଦ୍ରୋହ ବା ବିପ୍ଳବ ନାହିଁ କିମ୍ବା ଅସଂଯତ ପ୍ରବୃତ୍ତି ନିଜର ଉପଯୁକ୍ତ ସ୍ଥାନ କାଳ ବିସ୍ମୃତ ହୋଇ ଯେଉଁ ସକଳ ଅଶାନ୍ତ ଓ ଧ୍ୱଂସଲୀଳା ସୃଷ୍ଟି କରେ ତାହା ମଧ୍ୟ ନାହିଁ । ବରଂ ପରମବ୍ରହ୍ମଙ୍କ ସହ ସେମାନଙ୍କ ଚରମ ସମ୍ପର୍କ ସ୍ଥାପିତ ହୋଇଛି ।

 

ଜୀବନର ଯେ କୌଣସି ଅଭିପ୍ସାକୁ ଆମେ ଚରମ ବୋଲି ଜ୍ଞାନ କରି ତାହାକୁ ଦେଶପ୍ରୀତି, ଲୋକହିତ ବା ଯେ କୌଣସି ବଡ଼ ନାମ ଦେଉ ନା କାହିଁକି ତାହା ଆମକୁ ସମ୍ପୂର୍ଣ୍ଣତା ଆଡ଼କୁ ନେଇ ପାରିବ ନାହଁ, ତାହା ଆମକୁ ଆମର କର୍ମ ପରିସରର ମଧ୍ୟପଥରେ ଅକସ୍ମାତ୍ ପରିତ୍ୟାଗ କରିବ ଏବଂ ତାହା ମଧ୍ୟରେ ଏହି ପ୍ରଶ୍ନ ବାରମ୍ବାର ଆମ କର୍ଣ୍ଣରେ ଧ୍ୱନିତ ହେବ–ତତଃ କିମ୍‌; ତତଃ କିମ୍ ।

 

ମୁଁ ଜାଣେ ଏଇଠି ସନ୍ଦେହ ଉଦିତ ହେବ, ଗୋଟିଏ ଦେଶର ସମସ୍ତ ଲୋକଙ୍କୁ ଏହି ଆଦର୍ଶରେ ଗଢ଼ିବା କେତେଦୂର ସମ୍ଭବ ? ତା’ର ଉତ୍ତରରେ ମୁଁ କହେ ଯେ, ଗୋଟିଏ ସଳିତାର ଅଗ୍ରଭାଗ କେବଳ ଜଳୁଥିଲେ ମଧ୍ୟ ସମଗ୍ର ପ୍ରଦୀପ ପ୍ରଜ୍ଜ୍ୱଳିତ ହେଲା ବୋଲି କୁହାଯାଏ । ଜୀବନଯାପନର ଆଦର୍ଶ ସମଗ୍ର ଦେଶର ମୁଖମଣ୍ଡଳ ସଦୃଶ ଅଳ୍ପ କେତେକ ଶୀର୍ଷସ୍ଥାନୀୟ ବ୍ୟକ୍ତିଙ୍କ ନିକଟରେ ଉଜ୍ଜ୍ୱଳରୂପେ ଅଭିବ୍ୟକ୍ତି ଲାଭ କରେ । ଯଦି ଦେଶରେ ଅଳ୍ପସଂଖ୍ୟକ ଲୋକ ମଧ୍ୟ କୌଣସି ଆଦର୍ଶ ଉପଲବ୍‌ଧି କରିବାରେ ସଫଳକାମ ହୁଅନ୍ତି, ସମଗ୍ର ଦେଶ ପକ୍ଷରେ ତାହା ଲାଭଜନକ । ଭାରତବର୍ଷରେ ଯଦି ଏପରି ଦିନ କେବେ ଆସେ, ଯେତେବେଳେ ଆମର ନେତୃବର୍ଗ ସର୍ବୋଚ୍ଚ ସତ୍ୟ ଓ ସର୍ବୋଚ୍ଚ ମଙ୍ଗଳକୁ ଅନ୍ୟ ସମସ୍ତ ଖଣ୍ଡ ପ୍ରୟୋଜନର ଉର୍ଦ୍ଧ୍ୱରେ ରଖି ଚିରଜୀବନର ସାଧନାର ସାମଗ୍ରୀ କରନ୍ତି, ତା’ହେଲେ ତାଙ୍କର ସାଧନା ଓ ସାର୍ଥକତା ସମସ୍ତ ଦେଶ ମଧ୍ୟରେ ଏକ ବିଶେଷ ଗତି ଓ ସ୍ୱତନ୍ତ୍ର ଶକ୍ତି ସଞ୍ଚାର କରିବ ।

 

ଦିନେ ପ୍ରାଚୀନ ଭାରତବର୍ଷର ଚିନ୍ତାନାୟକମାନେ ବ୍ରହ୍ମସାଧନାରେ ଏ ଧରଣର ସଂଯତ ଓ ଉଦ୍ଦେଶ୍ୟମୟ ଜୀବନ ଯାପନ କରୁଥିଲେ । ସେମାନଙ୍କର ସାଧନା କେବଳ ଧର୍ମ କ୍ଷେତ୍ରରେ ନିୟୋଜିତ ନ ଥିଲା, ରାଜକର୍ମ, ଯୁଦ୍ଧ, ବାଣିଜ୍ୟ, ସାହିତ୍ୟ ଓ ଶିଳ୍ପ ସକଳ କ୍ଷେତ୍ରରେ ସେହି ବ୍ରହ୍ମଙ୍କର ସ୍ଵର ଝଂକୃତ ହେଉଥିଲା । କେବଳ ମୈତ୍ରେୟୀଙ୍କ କଣ୍ଠରେ ନୁହେ, ସମଗ୍ର ସମାଜ ତାଙ୍କ ବାଣୀ ପ୍ରତିଧ୍ୱନିତ କରି କହୁଥିଲା, ‘‘ଯେନାଽହଂ ନାମୃତା ସ୍ୟାଂ କିମହଂ ତେନ କୁର୍ଯ୍ୟାମ୍‌ ?’’ –ଯାହା ଅମୃତ ନୁହେ, ତାହାକୁ ନେଇ ମୁଁ କ’ଣ କରିବି ?

 

ଯଦି ଆମେ ବିଶ୍ୱାସ କରୁ ଯେ ସେ ପ୍ରତିବାଦର ସ୍ୱର ଆମ ଦେଶରେ ଚିରକାଳ ପାଇଁ ନୀରବ, ତାହାହେଲେ ବିଜେତା ବିଦେଶୀ ଜାତି ନିକଟରେ ଆତ୍ମସମର୍ପଣ କରିବା ପ୍ରକୃତରେ ଆମ ପକ୍ଷରେ ଶ୍ରେୟସ୍କର; ମୃତ ସମାଜକୁ ଜୀବନ୍ତ କରିବା ସକାଶେ ବ୍ୟର୍ଥ ଉଦ୍ୟମ କରିବା ଅପେକ୍ଷା ତାହା ଯଥେଷ୍ଟ ଉତ୍ତମ ହେବ ।

 

କିନ୍ତୁ ଏହା କେବେହେଲେ ଆମେ ସ୍ୱୀକାର କରି ପାରିବା ନାହିଁ । ଭାରତରେ ଆମକୁ କବଳିତ କରିଥିବା ବାହ୍ୟ ଦୁର୍ଗତି ଯେତେ ଅଧିକ ହେଉ ନା କାହିଁକି, ଆମର ଅନ୍ତରତମ ସ୍ଥାନ ଏପରି ଭାବରେ ପ୍ରସ୍ତୁତ ଯେ ଯେଉଁଥିରେ ବ୍ରହ୍ମ ଅପେକ୍ଷା ନ୍ୟୁନ କୌଣସି ଅସମ୍ପୂର୍ଣ୍ଣ ଅଧିକାରକୁ ଆମେ ପରମ ଲାଭ ବୋଲି ସ୍ୱୀକାର କରି ନ ପାରୁଁ । ଆଜି ମଧ୍ୟ କୌଣସି ମହାତ୍ମା-ସାଧକ ଯଦି ମହାନ୍ ବାଣୀ ଉଚ୍ଚାରଣ କରନ୍ତି ଆମ ହୃଦୟ ତାରରେ ତା’ର ଝଙ୍କାର ସୃଷ୍ଟ ହେବ; ତାହାକୁ ଆମର ନିମ୍ନତମ ଜାଗତିକ ଉଦ୍ଦେଶ୍ୟ ପ୍ରତିରୋଧ କରି ପାରିବ ନାହିଁ । ବିକ୍ରମ ଓ ଐଶ୍ୱର୍ଯ୍ୟକୁ ଆମେ ଯେତେ ଉଚ୍ଚକଣ୍ଠରେ ବିଶ୍ୱସ୍ତ ଭାବରେ ବଡ଼ କରି ପ୍ରଚାର କରିବାର ଚେଷ୍ଟା କରୁ ନା କାହିଁକି, ମନପ୍ରାଣ ଦେଇ ତାହାକୁ ଗ୍ରହଣ କରି ପାରିବୁ ନାହିଁ ।

 

ଆମ ସମାଜରେ ଆଜିକାଲି ବିବାହ ପ୍ରଭୃତି ଉତ୍ସବମାନଙ୍କରେ ଗତାନୁଗତିକ ଦେଶୀ ବାଦ୍ୟ ସଙ୍ଗରେ ବିଦେଶୀ ବାଦ୍ୟ ବାଜି ଉଠିବାର ଆମେ ଶୁଣୁ । ଏହା ସ୍ୱରର ଏକ ବିରାଟ ବିଶୃଙ୍ଖଳା ସୃଷ୍ଟି କରେ; ସଙ୍ଗୀତର ମାଧୁରୀ ଛିନ୍ନ ବିଚ୍ଛିନ୍ନ ହୋଇଯାଏ । ଏହି ବିଷମ ଗଣ୍ଡଗୋଳ ଓ କର୍କଶ ଧ୍ୱନି ମଧ୍ୟରେ ମନୋନିବେଶ କଲେ ବୁଝାଯାଏ ଯେ ଆମ ଭାରତୀୟ ସଙ୍ଗୀତର ବୈରାଗ୍ୟ ଗାମ୍ଭୀର୍ଯ୍ୟମିଶ୍ରିତ ସ୍ଵର ହିଁ ଆମ କର୍ଣ୍ଣରସାୟନ ହେଉଛି । ଆଉ ବିଦେଶୀୟ ବରାଟ ବାଦ୍ୟ ତା’ର ପ୍ରକାଣ୍ଡ କାଂସ୍ୟ କଣ୍ଠ ଓ ସ୍ଫୀତୋଦର ନେଇ କେବଳମାତ୍ର ନେଇ ଧନର ଅହଙ୍କାର ଓ ସାଜସଜ୍ଜାର ଆଡ଼ମ୍ବରକୁ ଅଭ୍ରଭେଦୀ କରି ଆମର ଗଭୀରତର ଓ ଅନ୍ତରତର ସ୍ୱରକୁ ଆଚ୍ଛନ୍ନ କରିଦେଉଛି । ଏହା ଆମର ମଙ୍ଗଳ ଅନୁଷ୍ଠାନ ମଧ୍ୟରେ ଅହଙ୍କାର ପୂର୍ଣ୍ଣ ଏକ ଅସାମଞ୍ଜସ୍ୟକୁ ଅତି ଉତ୍କଟ କରେ । ତାହା ଆମ ଉତ୍ସବର ଚିରନ୍ତନ ବେଦନା ସହିତ ନିଜର ସ୍ୱର ମିଳାଇବାକୁ ଅସମର୍ଥ । ଇଉରୋପୀୟ ରାଷ୍ଟ୍ରନୀତି, ସମାଜ ବ୍ୟବସ୍ଥା ଓ ବାଣିଜ୍ୟ ନୀତିର ଉପଯୋଗିତା ଆମେ ଯେତେ ଉଚ୍ଚକଣ୍ଠରେ ଘୋଷଣା କଲେ ସୁଦ୍ଧା ତାହା ଆମର ସମସ୍ତ ହୃଦୟର ଆବଶ୍ୟକତାକୁ ପୂର୍ଣ୍ଣରୂପେ ଚରିତାର୍ଥ କରୁ ନାହିଁ । ବରଂ ଆମ ଅନ୍ତର ମଧ୍ୟରେ ବିଦ୍ୟମାନ ଥିବା ପୂର୍ଣ୍ଣତାର ଆଦର୍ଶକୁ ଏହା ଆଘାତ କରୁଛି ଏବଂ ଆମ ଅନ୍ତରାତ୍ମା ଏମାନଙ୍କ ବିରୁଦ୍ଧରେ ଚିତ୍କାର କରିଉଠୁଛି ।

 

ଆମ୍ଭେମାନେ ସର୍ବଦା ଏପରି ହାଟୁଆ ମଣିଷ ନ ଥିଲୁ । ଆଜି ଆମେ ହାଟ ମଧରେ ବାହାରି ପରସ୍ପର ଭିତରେ ଇତର ଭାବରେ ଠେଲାପେଲା ଓ ଚିତ୍କାର କରୁ, ସମ୍ମାନ ଓ ପଦବୀକୁ ଆଳ କରି କଳହରତ ହେଉ, ନିର୍ଲଜ୍ଜ ଭାବରେ ଆସ୍ଫାଳନ କରି ଉଚ୍ଚକଣ୍ଠରେ ନିଜ ମହତ୍ୱର ବିଜ୍ଞାପନ ପ୍ରଚାର କରୁ । ଏହା ଏକ ନକଲି ପ୍ରକ୍ରିୟା, ଏହା ମଧ୍ୟରେ ସତ୍ୟର ପରମାଣ ଅଳ୍ପ; ଏଥିରେ ଶାନ୍ତି ନାହିଁ, ଗାମ୍ଭୀର୍ଯ୍ୟ ନାହିଁ, ଶିଷ୍ଟତା ସଂଯମ ଓ ଶ୍ରୀ ନାହିଁ । ଏହି ନକଲର ଯୁଗ ଆସିବା ପୂର୍ବରୁ ଆମ ମଧ୍ୟରେ ଏକ ସ୍ଵାଭାବିକ ମର୍ଯ୍ୟାଦା ଥିଲା; ଦାରିଦ୍ର୍ୟ ଓ ସରଳ ଜୀବନ ସତ୍ତ୍ୱେ ଏହା ନଷ୍ଟପ୍ରାପ୍ତ ହୋଇ ପାରି ନ ଥିଲା । ତାହା ଆମ୍ଭମାନଙ୍କ ପକ୍ଷରେ ସହଜାତ ରକ୍ଷାକବଚ ତୁଲ୍ୟ ଥିଲା, ତାହା ଆମକୁ ଭୌତିକ ଜୀବନର କଳଙ୍କର ପରୀକ୍ଷା ଓ ଅସମ୍ମାନ ନିକଟରୁ ରକ୍ଷା କରିଥିଲା । ସେହି ରକ୍ଷାକବଚ ହରାଇ ଆମ୍ଭେମାନେ ଆସ୍ଫାଳନ ଓ ଆଡ଼ମ୍ବର ମଧ୍ୟରେ ଆତ୍ମରକ୍ଷାର ବୃଥା ପ୍ରୟାସ କରୁଛୁ । ସମ୍ମାନ ବର୍ତ୍ତମାନ ବାହାରର ପଦାର୍ଥ ହୋଇଛି ଏବଂ ତାହାକୁ ଆମ୍ଭେମାନେ ବାହାରର ଆଡ଼ମ୍ବର ଦ୍ୱାରା ଧରିରଖିବାକୁ ଚାହୁଁ, ବିଦେଶୀ ଦୋକାନମାନଙ୍କରେ ଏହାର ସାଜସଜ୍ଜା, ଉପକରଣ ଆମ୍ଭେମାନେ ଖୋଜୁ ତଥାପି କେବେହେଲେ ସେମାନଙ୍କ ମଧ୍ୟରୁ ଯଥେଷ୍ଟ ସଂଗ୍ରହ କରିବାକୁ ସମର୍ଥ ହେବୁ ନାହଁ । ସନ୍ଧାନର ଏହି ସକଳ ଅର୍ଥହୀନ ଉତ୍ତେଜନା ଓ ଉନ୍ମାଦନାକୁ ଆମ୍ଭେମାନେ ସୁଖ ବୋଲି ବରଣ କରିଛୁ । ଫଳରେ ଆମେ ପୂର୍ବରୁ କେବଳ ବହିର୍ବିଷୟରେ ଆଂଶିକ ପରାଧୀନ ମାତ୍ର ଥିଲୁ, କିନ୍ତୁ ବର୍ତ୍ତମାନ ଚିରଦିନ ପାଇଁ ବିଦେଶୀମାନଙ୍କର ଦାସାନୁଦାସ ହୋଇଛୁ ।

 

ତଥାପି ମୁଁ ବିଶ୍ୱାସ କରେ ଯେ ଏହି ଉପସର୍ଗ ବର୍ତ୍ତମାନ ମଧ୍ୟ ଆମ ଅସ୍ଥିମଜ୍ଜା ମଧ୍ୟରେ ପ୍ରବେଶ କରି ନାହିଁ । ବର୍ତ୍ତମାନ ମଧ୍ୟ ଏହା ଏକ ବହିବ୍ୟାପାର, ବାହାରେ ଅଛି ବୋଲି ତା’ର ଏତେ ଆତିଶଯ୍ୟ । ବର୍ତ୍ତମାନ ସୁଦ୍ଧା ଏହା ଆମର ଗଭୀରତର ସ୍ଵଭାବର ଅନୁଗତ ହୋଇ ନାହିଁ ବୋଲି ଅନଭିଜ୍ଞ ସନ୍ତରଣକାରୀର ସନ୍ତରଣ ପ୍ରକ୍ରିୟା ସଦୃଶ ଏହାକୁ ନେଇ ଆମେ ଏପରି ଉନ୍ନତ୍ତ ଆସ୍ଫାଳନ ପ୍ରକାଶ କରୁଛୁ ।

 

କିନ୍ତୁ ଯଦି କେହି ଯୋଗ୍ୟ ବ୍ୟକ୍ତି ଆମ ମଧ୍ୟରେ ଛିଡ଼ାହୋଇ ଦୃଢ଼ତାର ସହିତ କହେ ଯେ ଉନ୍ନତ୍ତ ପ୍ରତିଯୋଗିତା, ଅନିତ୍ୟ ଐଶ୍ୱର୍ଯ୍ୟ, ଲକ୍ଷ୍ୟହୀନ ଉନ୍ମାଦନା ଆମ ନିମନ୍ତେ ଶ୍ରେୟ ନୁହେଁ, ସକଳ କର୍ମ, ସକଳ ସାଧନାର ଏକ ସ୍ଵାଭାବିକ ପରିସମାପ୍ତି ଅଛି ଏବଂ ସେହି ପରିଣତି, ସେହି ପରିସମାପ୍ତି ହିଁ ଆମ୍ଭ ପ୍ରତ୍ୟେକଙ୍କର ଏକମାତ୍ର ଚରମ ଚରିତାର୍ଥତା-ବ୍ରହ୍ମ ବ୍ୟତିରେକ ସକଳ ତୁଚ୍ଛ–ତା’ହେଲେ ଆଜି ଏହି ହାଟବଜାରର କୋଳାହଳ ମଧ୍ୟରେ ସୁଦ୍ଧା ଆମର ସମସ୍ତ ହୃଦୟରେ ସେହି ବାଣୀ ନିଶ୍ଚୟ ଝଙ୍କାର ସୃଷ୍ଟି କରିବ । ହୃଦୟ ଊତ୍ତର ଦେବ, ‘‘ସତ୍ୟ, ଏହାହଁ ସତ୍ୟ, ଏହା ଅପେକ୍ଷା ଅଧିକ ସତ୍ୟ ଅନ୍ୟ କିଛି ନାହିଁ ।’’ ସେତେବେଳେ ବିଦ୍ୟାଳୟରେ ମୁଖସ୍ଥ କରଥିବା ଇତିହାସର ପାଠ ଅନୁଯାୟୀ ମୂଢ଼ ପ୍ରତଯୋଗିତାର ଲାଭ, ରକ୍ତରଞ୍ଜିତ ଜାତୀୟତାର ଗୌରବ ଆମ ଚିତ୍ତପ୍ରଦେଶରୁ ଦୂରୀଭୂତ ହେବ । ସୈନ୍ୟବାହିନୀର ଦମ୍ଭ ବା ନୌସେନାର ଔଦ୍ଧତ୍ୟ ଆମ ଚିତ୍ତକୁ ଆଉ ଅଭିଭୂତ କରି ପାରିବ ନାହିଁ ।

 

ଅଥଚ ଆମେ ଯାହାକୁ ମନୁଷ୍ୟ ଜୀବନର ଶ୍ରେୟ ଆଖ୍ୟା ଦେଇଛୁ ତାହା କେବଳ ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ ପରିସୀମା ମଧ୍ୟରେ ସୀମିତ ନୁହେଁ ବୋଲି ମୋର ବିଶ୍ୱାସ । ଆମେ ଅକ୍ଷମ ବୋଲି ଧର୍ମକୁ କେବଳ ଦାୟରେ ପଡ଼ି ଗ୍ରହଣ କରିବା କିମ୍ବା ପବିତ୍ରତାକୁ ଆମ ଦାରିଦ୍ର୍ୟ ଗୋପନର ଏକ ସୁବିଧାଜନକ ଆଚ୍ଛାଦନ ମନେ କରିବା ମଧ୍ୟ ସମାନଭାବେ ଅସତ୍ୟ । ପୃଥିବୀର ପ୍ରସିଦ୍ଧ ମନୀଷୀମାନେ ପ୍ରଚାର କରିଥିବା ଆଦର୍ଶାବଳୀର ଗ୍ରହଣ ପାଇଁ ଦୃଢ଼ ସାହସ, ପୂର୍ଣ୍ଣ ଶିକ୍ଷା ଓ ତ୍ୟାଗଶକ୍ତି ଆବଶ୍ୟକ । ବିଦ୍ୟାଳୟରେ ପଢ଼ିଥିବା ପ୍ରତଯୋଗିତାର ଲାଭ ପ୍ରସଙ୍ଗ କିମ୍ବା ମନୁଷ୍ୟ ମାଂସ ଉପରେ ବର୍ଦ୍ଧିଷ୍ଣୁ ହେଉଥିବା ବୁଭୁକ୍ଷୁ ଜାତୀୟତାର ରକ୍ତପାତର ବିଷୟ ଅପେକ୍ଷା ଏହାର ଗୁରୁତ୍ୱ ନିଶ୍ଚୟ ଅଧିକ ।

 

ନବ ଯୌବନରେ ଜଗତ ଜୀବନ ପାଇଁ ପ୍ରସ୍ତୁତ ହେବା, ଏହି ଅବସରରେ ଆତ୍ମୋତ୍ସର୍ଗ ଓ ସଂଯମ ଦ୍ୱାରା ଆତ୍ମାକୁ ପରିପୁଷ୍ଟ କରିବା ଏବଂ ଦୈହିକ ସତ୍ତାର ଅବସାନବେଳେ ଆନନ୍ଦ ସହକାରେ ଅନିର୍ବଚନୀୟ ଆଲୋକମୟ ରାଜ୍ୟ ଦର୍ଶନ କରିବା ହିଁ ମନୁଷ୍ୟ ଜୀବନର ପୂର୍ଣ୍ଣ ମହତ୍ତ୍ୱ ଉପଲବ୍‌ଧିର ଏକମାତ୍ର ପନ୍ଥା ।

 

ଏହାହିଁ ଆମର ବିଶ୍ୱାସ ହେଲେ ଆମେ ଅନୁଭବ କରିବା ଉଚିତ ଯେ ଏହି ସତ୍ୟର ଉପଲବ୍‌ଧି ନିମନ୍ତେ ସକଳ ଜାତି ଉଦ୍ୟୋଗୀ ହେବା ଆବଶ୍ୟକ । ସେତେବେଳେ ବ୍ୟକ୍ତଗତ ସମ୍ପତ୍ତିର ବିଳାସ, ଜାତିର ପ୍ରତାପ, ଅନ୍ୟ ସମସ୍ତ ଗୌଣ ବୋଲି ବିବେଚିତ ହେବ ଏବଂ ମନୁଷ୍ୟର ଆତ୍ମା ବିଜୟୀ ହୋଇ ନିଜକୁ ମୁକ୍ତ କଲେ ତା’ର ଐତିହାସିକ ଦାୟିତ୍ୱ ସମ୍ପନ୍ନ ହେବ ।

 

ଯଦି ତାହା ନ ହୁଏ ଏବଂ ଅଗ୍ରଗତିର କୁହୁକ ଦଣ୍ଡ ବଳରେ ମନୁଷ୍ୟ-ସମାଜ ଯଦି ସୁବିଧାର ଅସରନ୍ତି ଉତ୍ସର ସନ୍ଧାନ ପାଏ, ଏକ ସେକେଣ୍ଡରେ ଲକ୍ଷ ଲକ୍ଷ ଶତ୍ରୁ ନାଶ କରିବା ଭଳି ଅସ୍ତ୍ର ନିର୍ମାଣ କରେ, କିମ୍ୱା ତରଳ ଔଷଧ ଜାତୀୟ ପାନୀୟ ବଳରେ ମୃତ୍ୟୁଶୀଳ ଦେହକୁ ଶତ ଶତ ବର୍ଷ ପର୍ଯ୍ୟନ୍ତ ବଞ୍ଚାଇ ରଖେ–ତାହାହେଲେ ତତଃ କିମ୍ ।

 

(୧୯୦୬)

 

‘‘କୁହେଳି ଦ୍ଵାରା ପରାଜିତ ହେବା ଭଳି ପ୍ରତୀତ ହେଲେହେଁ

ପର୍ବତ ଅଚଳ ଓ ଅବିଚଳିତ ରହିଥାଏ ।’’

 

-ରବୀନ୍ଦ୍ରନାଥ

Image

 

ସଭାପତିଙ୍କ ଅଭିଭାଷଣ

 

ଏହି ଜାତୀୟ-ମହାସଭାର ସଭାପତି ଆସନରେ ବସାଇ ଆପଣମାନେ ମୋତେ ଯେଉଁ ସମ୍ମାନ ଦେଇଛନ୍ତି ମୁଁ ଯେ ତା’ର ଅଯୋଗ୍ୟ ଏହା କହିବା ବାହୁଲ୍ୟ ମାତ୍ର । ଏ ଧରଣର ସମ୍ମାନ କେତେକଙ୍କ ପକ୍ଷରେ ସହଜଲଭ୍ୟ, ଅନ୍ୟମାନଙ୍କ ପକ୍ଷରେ ଏହା ଦୁଃଖଦାୟକ ଭାର ସଦୃଶ । ଅଯୋଗ୍ୟ ଲୋକକୁ ଉଜ ପଦରେ ବସାଇବା ଅର୍ଥ ତାହାକୁ ଅପଦସ୍ଥ କରିବା ।

 

ଅନ୍ୟ ସମୟ ହୋଇଥିଲେ ଏତେବଡ଼ ଦାୟିତ୍ୱରୁ ନିଷ୍କୃତ ପାଇବାକୁ ମୁଁ ଚେଷ୍ଟା କରିଥାନ୍ତି-। କିନ୍ତୁ ଜଣେ ଲୋକ ସ୍ଥଳଭାଗରେ ବ୍ୟାଘ୍ର ଓ ଜଳଭାଗରେ କୁମ୍ଭୀରର ସମ୍ମୁଖୀନ ହେଲା ପରି ଆମ୍ଭେମାନେ ଆଜି ଅନ୍ତର୍ବିବାଦ ଓ ବିହିର୍ବିବାଦର ସଙ୍କଟଜନକ କାଳରେ ଜୀବନଯାପନ କରୁଛୁ-। ଆଜି ରାଜପୁରୁଷର ମୂର୍ତ୍ତି କାଳପୁରୁଷର ମୂର୍ତ୍ତି ଧାରଣ କରିଛି ଏବଂ ଆତ୍ମୀୟ ସମାଜରେ ମଧ୍ୟ ପରସ୍ପର ପ୍ରତି ସହିଷ୍ଣୁତା ଅବଲମ୍ବନ କରିବା କଷ୍ଟକର ହୋଇପଡ଼ିଛି । ତେଣୁ ଆଜି ସଭାପତିର ଆସନ ସୁଖର ଆସନ ନୁହେ, ହୁଏତ ଏହା ସମ୍ମାନଜନକ ଆସନ ମଧ୍ୟ ନ ହୋଇ ପାରେ । ଅପମାନ ଓ ଲାଞ୍ଛନାର ଆଶଙ୍କା ଚତୁର୍ଦ୍ଦିଗରେ ପୁଞ୍ଜୀଭୂତ । ତଥାପି ଏପରି ସମୟରେ ବିନୟର ଉପଲକ୍ଷ୍ୟ କରି ଆପଣମାନଙ୍କ ଆମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିବା ମୋ ପକ୍ଷରେ ସମ୍ଭବ ହୋଇ ପାରିଲା ନାହିଁ ।

 

ମୁଁ ମଧ୍ୟ ଜାଣେ ଯେ ଏପରି ସମୟ ଆସେ ଯେତେବେଳେ ଅଯୋଗ୍ୟତାହିଁ ବିଶେଷ ଯୋଗ୍ୟତାର ସ୍ଥାନ ଗ୍ରହଣ କରିଥାଏ । ଏତେଦିନ ପର୍ଯ୍ୟନ୍ତ ଆମର ରାଜନୈତିକ ଜୀବନରେ ସ୍ଥାନ ପାଇବା ସକାଶେ ମୁଁ ଇଚ୍ଛା ପ୍ରକାଶ କରି ନାହିଁ । ଏହା ମୋର ଅସାମର୍ଥ୍ୟର ପ୍ରମାଣ ଓ ସମ୍ଭବତଃ ସ୍ୱଭାବର ଦୁର୍ବଳତା ପ୍ରକାଶ କରୁଛି । ଏହି ଦୁର୍ବଳତା ବଶତଃ ମୁଁ ନିଜକୁ ସମସ୍ତ ଦଳଠାରୁ ଦୂରରେ ରଖିଛି । ହୁଏତ ଏହି କାରଣରୁ ଆପଣମାନେ ମୋତେ ସଭାପତିର ଆସନ ପ୍ରଦାନ କରିଛନ୍ତି । ସମସ୍ତଙ୍କ ଅପେକ୍ଷା ନିରୀହ ଭାବରେ ମୁଁ କୌଣସି ପ୍ରକାରେ ନିଜକୁ ସଭାପତିର ପଦମର୍ଯ୍ୟାଦାର ଉପଯୁକ୍ତ ବୋଲି ବିବେଚନା କରୁ ନାହିଁ ।

 

ସମ୍ପ୍ରତି କଂଗ୍ରେସ ମଧ୍ୟରେ ଯେଉଁ ଆତ୍ମସଂଘର୍ଷ ଘଟି ଗତ ଅଧିବେଶନରେ ତାହାକୁ ବିପର୍ଯ୍ୟସ୍ତ କରିଛି, କୌଣସି ଦଳଭୁକ୍ତ ହୋଇ ନ ଥିବାରୁ ମୁଁ ହୁଏତ ଦୂରରୁ ଏହାକୁ ଅନାସକ୍ତ ଭାବରେ ଦେଖିବାର ଅବସର ପାଇଛି । ପ୍ରତ୍ୟକ୍ଷ ଭାବରେ ଏହା ସହ ସଂପୃକ୍ତ ସଭ୍ୟମାନେ ସ୍ୱଭାବତଃ ଏହି ବ୍ୟାପାରକୁ ଉତ୍କଟ ଭାବରେ ଦେଖିଛନ୍ତି ଏବଂ ଏହା ମଧ୍ୟରୁ ଏକ ଗୁରୁତର ଅମଙ୍ଗଳ ଆଶଙ୍କା କରିଛନ୍ତି । କିନ୍ତୁ ବସ୍ତୁତଃ ଯେଉଁ ଘଟଣା ଘଟି ସାରିଛି, ତାହାର ଦୁଃଖଦାୟକ ସ୍ମୁତି ମନମଧ୍ୟରେ ଜୀବନ୍ତ ରଖି କ୍ଷୋଭ ପ୍ରକାଶ କରିବା କେବେ ବଳିଷ୍ଠ ପ୍ରକୃତିର ଲକ୍ଷଣ ନୁହେ । ଶୁଖିଲା କାଠକୁ ଭାଙ୍ଗିଲେ ଚିରକାଳ ପାଇଁ ତାହା ଭାଙ୍ଗିଯାଏ, କିନ୍ତୁ ସଜୀବ ବୃକ୍ଷର କୌଣସି ଶାଖା ଛିନ୍ନ ହେଲେ ତାହା ଅଧିକ ତେଜ ସହକାରେ ନୂତନ ପତ୍ର ଓ ଶାଖା ଧାରଣ କରେ । ସୁସ୍ଥ ଦେହ ନିଜ କ୍ଷତକୁ ଆରୋଗ୍ୟ କରିବା । କଲା ପରି ଆମ୍ଭମାନେ କଂଗ୍ରେସ ଅନୁଷ୍ଠାନର କ୍ଷତକୁ ଆରୋଗ୍ୟ କରିବା । ଏହି ରୋଗମୁକ୍ତି ଆମ ନୂତନ କର୍ମପନ୍ଥାର ଦିଗଦର୍ଶକ ହେଉ । କିନ୍ତୁ ତାହା ସଙ୍ଗେ ସଙ୍ଗେ ଏହି ଘଟଣାର ଶିକ୍ଷାକୁ ମଧ୍ୟ ନମ୍ର ଭାବରେ ଗ୍ରହଣ କରିବା ଉଚିତ ହେବ ।

 

ଆମର କର୍ମସୂଚୀ ମଧ୍ୟରେ ବୈଚିତ୍ର୍ୟ ଓ ଅନୈକ୍ୟକୁ ସହିଷ୍ଣୁତା ସହକାରେ ଗ୍ରହଣ କରିବା ହିଁ ହେବ ଏହି ଶିକ୍ଷାର ସାରକଥା । ଅଥବା ଆମ ଚିତ୍ତ ନିର୍ଜୀବ ଓ ଉଦାସୀନ ଥିଲାବେଳେ ନାନା ରୂପରେ ଜୀବନୀ ଶକ୍ତିର ପରିପ୍ରକାଶ ନିମନ୍ତେ ଅଧୈର୍ଯ୍ୟ ହେବା ଆମ ପକ୍ଷରେ ଅନୁଚିତ । ଯାହା ଆମର ଅପ୍ରିୟ ତାହାକୁ ବଳପୂର୍ବକ ଧ୍ୱଂସ କରିବା ଏବଂ ଯାହା ଆମର ବିରୋଧୀ ତାହାକୁ ଆଘାତ ଦ୍ୱାରା ନିରସ୍ତ୍ର କରିବାର ପ୍ରୟାସ କୌଣସି ପ୍ରକାରେ ବାଞ୍ଛନୀୟ ନୁହେ । ସମୟ ବିଶେଷରେ ପରାଜୟ ସ୍ୱୀକାର କରି ସୁଦ୍ଧା ଜୟଲାଭ କରିବାକୁ ହେବ । ସକଳ ମତର ଅନୈକ୍ୟକୁ ଆମ୍ଭେମାନେ ଯେ କେବଳ ଗ୍ରହଣ କରିବା ତାହା ନୁହେଁ, ବରଂ ଆମର କର୍ମପଦ୍ଧତି ପରିବର୍ତ୍ତନ କରି ବୃହତ୍ତର ସମ୍ପୂର୍ଣ୍ଣତାର ଗଠନରେ ନିଜ ଅଂଶ ଗ୍ରହଣ କରିବାକୁ ପ୍ରତ୍ୟେକକୁ ପୂର୍ଣ୍ଣ ସୁଯୋଗ ଦେବାକୁ ପଡ଼ିବ । ଆମ୍ଭେମାନେ ଯଦି ଏହାର ବ୍ୟବସ୍ଥା ନ କରୁ ଓ ଏହି ଉତ୍ତମ ପ୍ରଣାଳୀ ଦ୍ୱାର ଶିକ୍ଷା ଲାଭ ନ କରୁ ସ୍ୱାୟତ୍ତଶାସନ ଆମ୍ଭମାନଙ୍କ ପକ୍ଷରେ ଅସମ୍ଭବ ହେବ ।

 

କୌଣସି ଏକ ସ୍ୱାଧୀନ ସରକାର ମଧ୍ୟରେ ମତପାର୍ଥକ୍ୟକୁ କେବେ ଚାପି ଦିଆଯାଏ ନାହିଁ । ଏହି ଶାସନ ବ୍ୟବସ୍ଥା ମଧ୍ୟରେ ପ୍ରତ୍ୟେକ ମତ ନିଜର ଉପଯୁକ୍ତ ସ୍ଥାନ ଲାଭ କରେ । ବିଭିନ୍ନ ଶକ୍ତିର ବିରୋଧୀ ପ୍ରଭାବ ପ୍ରତ୍ୟେକକୁ ବଳଶାଳୀ କରି ଚରମ ଫଳ ନିରୂପଣରେ ସମର୍ଥ ହୁଏ । ଏପରିକି ୟୁରୋପର ସାଂପ୍ରତିକ ସମାଜ ବ୍ୟବସ୍ଥାରେ ନିଜର କାର୍ଯ୍ୟସୂଚୀରେ ବୈପ୍ଲବିକମନ୍ତ୍ର ପ୍ରଚାର କରୁଥିବା ଶ୍ରମିକ ଓ ସାମ୍ୟବାଦୀ ଦଳ ମଧ୍ୟ ନିଜ ନିଜ ଜାତିର ରାଷ୍ଟ୍ରସଭାରେ ସ୍ଥାନ ଗ୍ରହଣ କରିଛନ୍ତି ।

 

ଏ ଧରଣର ବିଭିନ୍ନ ରାଜନୀତିକ ମତବାଦର ପ୍ରତିନିଧିମାନଙ୍କ ମଧ୍ୟରେ ସହଯୋଗିତାର ପ୍ରକୃତ ରହସ୍ୟ କ’ଣ ? ସେମାନଙ୍କର ବିରୋଧ ଜାତୀୟ ଐକ୍ୟର ଭିତ୍ତିକୁ ଧ୍ୱଂସ କରିବା ନିମନ୍ତେ କାହିଁକି ଅସମର୍ଥ ? ଏହାର କାରଣ ଅନ୍ୟ କିଛି ନୁହେ, ଏହି ଜାତିମାନଙ୍କର ଚରିତ୍ର - ନିହିତ ସୁଦୃଢ଼ ଶୃଙ୍ଖଳା; ଏଥି ପାଇଁ ସମସ୍ତ ଦଳ ନିୟମର ଶାସନକୁ ମାନ୍ୟ କରି ଚଳନ୍ତି । ନିୟମକୁ ଲଙ୍ଘନ କରି ପ୍ରାର୍ଥିତ ଫଳକୁ ସେମାନେ କାଢ଼ି ନେବାକୁ ଚାହାନ୍ତି ନାହିଁ । ନିୟମକୁ ପାଳନ କରି ଜୟଲାଭ କରିବା ନିମନ୍ତେ ଧୈର୍ଯ୍ୟ ଧାରଣ କରିବାର ଶିକ୍ଷା ସେମାନଙ୍କର ଅଛି ।

 

ଆତ୍ମସଂଯମହିଁ ସେମାନଙ୍କର ବଳର ପରିଚୟ । ଏହି କାରଣରୁ ବିଭିନ୍ନ ଓ ପରସ୍ପର ବିରୋଧୀ ମତିଗତିର ଲୋକମାନଙ୍କୁ ଏକତ୍ର କରି କେବଳ ତର୍କ ଓ ଆଲୋଚନା ନୁହେ, ବଡ଼ ବଡ଼ ରାଜ୍ୟ ଓ ସାମ୍ରାଜ୍ୟ ଚାଳନାର ଦାୟିତ୍ୱ ବହନ କରିବାକୁ ସେମାନେ ସମର୍ଥ ହୋଇଛନ୍ତି ।

 

ରାଜ୍ୟ ବା ସାମ୍ରାଜ୍ୟ ଶାସନର କୌଣସି ଦାୟିତ୍ୱ ଆମ କଂଗ୍ରେସ ଉପରେ ନାହିଁ । ଦେଶର ଶିକ୍ଷିତ ଲୋକମାନେ ଏକତ୍ର ହୋଇ ଜାତୀୟ ଚେତନାର ଜାଗରଣ ଓ ଜାତୀୟ ଇଚ୍ଛାର ବଳିଷ୍ଠତା ସମ୍ପାଦନ କରିବା ନିମନ୍ତେ କଂଗ୍ରେସ ଅନୁଷ୍ଠାନ ଗଠନ କରିଛନ୍ତି । ଏହି ଉପାୟରେ କାଳକ୍ରମେ ସ୍ୱାଧୀନତା ନିମନ୍ତେ ଦେଶର ଆକାଂକ୍ଷା ପରିସ୍ଫୁଟ ହୋଇ ବଳଲାଭ କରିବ ଏବଂ ସେହି ଇଚ୍ଛାଶକ୍ତି କ୍ରମେ କର୍ମ ଶକ୍ତିରେ ପରିଣତ ହୋଇ ସ୍ୱାଧୀନତା ଉପଲବ୍ଧିରେ ସହାୟକ ହେବ, ଏହାହିଁ ଆମର ଲକ୍ଷ୍ୟ । ଏହି ଉଦ୍ଦେଶ୍ୟର ପୋଷକତା ନିମନ୍ତେ ଆମ ଦେଶର ଉଚ୍ଚ ସଂସ୍କୃତି-ସଂପନ୍ନ ଲୋକମାନଙ୍କର ସମ୍ମିଳିତ ଚେଷ୍ଟାରେ ଯେଉଁ ମହାସଭା ଆହୁତି ହୋଇଅଛି, ତହିଁରେ ବିଭିନ୍ନ ଆଦର୍ଶର ପ୍ରତିଷ୍ଠା ଓ ସେମାନଙ୍କର ଚାଳନା ନିମନ୍ତେ ସୁଯୋଗ ଦାନ କରିବାରେ ଆମ ସହନଶୀଳତାର ଅଭାବ ଘଟିଲେ ଆମେ କ୍ଷମତା ଓ ଅଧିକାରର ଦାରିଦ୍ର୍ୟ ପ୍ରକାଶ କରିବା ମାତ୍ର ।

 

ଆମ୍ଭେମାନେ ଏ ପର୍ଯ୍ୟନ୍ତ କଂଗ୍ରେସ ଓ ମହାସଭାର ପ୍ରତିନିଧି ନର୍ବାଚନ ନିମନ୍ତେ ବିଧିବଦ୍ଧ ନିୟମ ପ୍ରଣୟନ କରି ନାହୁଁ ଯେତେଦିନ ପର୍ଯ୍ୟନ୍ତ ଦେଶର ଲୋକମାନେ ଉଦାସୀନ ଥିଲେ, ରାଷ୍ଟ୍ରୀୟ କର୍ତ୍ତବ୍ୟ ସମ୍ବନ୍ଧରେ ଆମ ମଧ୍ୟରେ କୌଣସି ମତଦ୍ୱୈଧ ନ ଥିଲା, ସେତେଦିନ କଂଗ୍ରେସ ମଧ୍ୟରେ ମତର ଐକ୍ୟ ଥିଲା ! ଏପରି ଅବସ୍ଥାରେ ସମ୍ବିଧାନର ଅଭାବ ଉପଲବ୍‌ଧ ହୋଇ ନ ଥିଲା । ବର୍ତ୍ତମାନ ଦେଶର ମନ ଜାଗ୍ରତ ହୋଇଛି; ଦେଶର କର୍ମ ନିମନ୍ତେ ସେହି ମନ ଚାଳିତ ହେବା ବାଞ୍ଛନୀୟ । ତେଣୁ ଆମର ପ୍ରତିନିଧି ନିର୍ବାଚନରେ ଲୋକମାନଙ୍କର ସମ୍ମତି ଲାଭ କରିବା ଆଜି ଦରକାର । ପ୍ରକୃତରେ ପ୍ରତିନିଧି ନିର୍ବାଚନ ନିମନ୍ତେ ନିୟମ ପ୍ରଣୟନ କେବଳ ଆବଶ୍ୟକ ହୋଇ ନାହିଁ, କଂଗ୍ରେସ ଓ ମହାସଭାର କାର୍ଯ୍ୟ ପ୍ରଣାଳୀର ବିଧି ସୁନିର୍ଦ୍ଦିଷ୍ଟ ହେବାର ସମୟ ମଧ୍ୟ ଉପସ୍ଥିତ ।

 

ଏପରି ନ କରି ଯଦି ଦେଶର ବିଭିନ୍ନ ଦଳ ବିବାଦଠାରୁ ଦୂରରେ ରହିବା ନିମନ୍ତେ ଭିନ୍ନ ଭିନ୍ନ ସାମ୍ପ୍ରଦାୟିକ ଅନୁଷ୍ଠାନ ଆରମ୍ଭ କରନ୍ତି କଂଗ୍ରେସର କୌଣସି ଯାଥାର୍ଥ୍ୟ ରହିବ ନାହିଁ । ସମଗ୍ର ଦେଶର ସମ୍ମିଳିତ ବିଚାର ବୁଦ୍ଧି ଭାବରେ କଂଗ୍ରେସର କେବଳ ସ୍ଥିତି । ଅନୈକ୍ୟ ଘଟିବା ସଙ୍ଗେ ସେହି ସମଗ୍ରତାକୁ ବିସର୍ଜ୍ଜନ ଦେବା ନିମନ୍ତେ ଆମ୍ଭେମାନେ ଉଦ୍ୟତ ହେଲେ କେବଳମାତ୍ର ଏହାର ସଭ୍ୟ ସଂଖ୍ୟା ବୃଦ୍ଧି କରି ଆମର ବା କି ଲାଭ ହେବ ?

 

ବଙ୍ଗ ବିଭାଗ ରହିତ କରିବା ନିମନ୍ତେ ଆମେ ପ୍ରାଣପଣେ ସଂଗ୍ରାମ କରିଅଛୁ । ଏହି ଆସନ୍ନ ଆତ୍ମ ବିଭାଗକୁ ରହିତ କରିବା ଲାଗି ଆମ୍ଭମାନଙ୍କୁ ଆଜି ମଧ୍ୟ କଠିନ ସଂଗ୍ରାମ କରିବାକୁ ହେବ । ପର ନିକଟରେ ଯେ ଦୁର୍ବଳ, ଆତ୍ମୀୟଙ୍କ ନିକଟରେ ସେ ପ୍ରଚଣ୍ଡ ହୋଇ ନିଜର ପ୍ରବଳତା ନିମନ୍ତେ ଯେପରି ସାନ୍ତ୍ୱନା ଲାଭ ନ କରୁ । ବାହାରର ଲୋକ ଯେଉଁ ବିଛେଦ ସାଧନ କରନ୍ତି ତହିଁରେ ଅନିଷ୍ଟମାତ୍ର ଘଟିଥାଏ । କିନ୍ତୁ ଆତ୍ମକୃତ ବିଚ୍ଛେଦ ପାପ । ଏହି ପାପର ଅନିଷ୍ଟ ଆମ ଅନ୍ତରର ଗଭୀରତମ ସ୍ଥାନରେ ପ୍ରବେଶ କରେ, କେବଳ ପ୍ରାୟଶ୍ଚିତ ଦ୍ଵାରା ଏହାର ଦୂରୀକରଣ ସମ୍ଭବ ।

 

ଆଜି ଯେଉଁ ସମୟ ଉପସ୍ଥିତ ହୋଇଛି, ସେଥିରେ ଆମ୍ଭେମାନେ ଆତ୍ମବିସ୍ତୁତ ହେଲେ ଚଳିବ ନାହିଁ, କାରଣ ବର୍ତ୍ତମାନ ଆମ୍ଭେମାନେ ମୁକ୍ତିର ତପସ୍ୟାରେ ମଗ୍ନ । ଆମକୁ ଲକ୍ଷ୍ୟଚ୍ୟୁତ କରିବା ନିମନ୍ତେ ପ୍ରଲୋଭନର ଅଭାବ ନାହିଁ, ସେମାନଙ୍କର କବଳିତ ହେଲେ ଆମର ସକଳ ସାଧନା ବ୍ୟାହତ ହେବ । ଅତଏବ ବନ୍ଧୁଗଣ, ଯେଉଁ କ୍ରୋଧ ହେତୁ ଭାଇ ବିରୁଦ୍ଧରେ ଭାଇ ହାତ ଉଠାଇବାକୁ ଉତ୍ତେଜିତ ହୋଇ ଉଠି ତାକୁ ଦମନ କରିବା ଉଚିତ; ଏହା ହଁ ମୋର ଅନୁରୋଧ । ଏହି ବିରୋଧରେ ପ୍ରବୃତ୍ତ ଆତ୍ମୀୟମାନଙ୍କୁ ବାରମ୍ବାର ଆମେ କ୍ଷମା ଦେବା । ପରସ୍ପରର ଅବିବେଚନା ଦ୍ୱାରା ଘଟିଥିବା ସଂଘାତକୁ ଯଥାଶୀଘ୍ର ସଂଶୋଧନ କରି ଆମେ ସେଗୁଡ଼ିକୁ ଭୁଲିଯିବା-। ଅଗ୍ନିଶିଖାରେ ଆଜି ଆମ ଗୃହ ଆକ୍ରାନ୍ତ । ଏପରି ସମୟରେ ଦୁଇ ବିରୋଧୀ ପକ୍ଷ ଉଭୟ ଦିଗରୁ ଉଷ୍ମ କ୍ରୋଧଜର୍ଜର ବାକ୍ୟ ଦ୍ୱାରା ଏହି ଅଗ୍ନିକୁ ପୁଷ୍ଟ କରି ଏହା ମଧ୍ୟରୁ ଏକ ବିରାଟ ଅଗ୍ନିକାଣ୍ଡ ସୃଷ୍ଟି କଲେ ତାହା ଅପେକ୍ଷା ଅଧିକ ମୂଢ଼ତା ଆଉକିଛି ହୋଇ ନ ପାରେ ।

 

ଆଜି ବିଚ୍ଛେଦର ଖଡ଼୍‌ଗ ଦେଶ ଉପରେ ଝୁଲୁଛି । ଶତ ଶତ ବର୍ଷ ଧରି ହିନ୍ଦୁ ଓ ମୁସଲମାନମାନେ ଏକ ଦେଶ-ମାତାର କୋଳରେ ପାଳିତ ହୋଇ ସମାନ ମାତୃସ୍ନେହ ଉପଭୋଗ କରିଛନ୍ତି : ତଥାପି ଆମ୍ଭେମାନେ ପରସ୍ପର କେତେ ଦୂରବର୍ତ୍ତୀ ! ଏହାକୁ ସମ୍ଭବ କରିଥିବା ଆମ ଚରିତ୍ରର ଦୁର୍ବଳତା ଦୂର ନ ହେଲେ ଦେଶରେ କୌଣସି ମହତ୍ ଆଶା ସମ୍ପୂର୍ଣ୍ଣ ସଫଳ ହେବ ନାହଁ; ଆମର ରାଷ୍ଟ୍ରୀୟ କର୍ତ୍ତବ୍ୟ ପାଳନ ପଦେ ପଦ ଦୁରୂହ ହେବ ।

 

ବାହାରର କୌଣସି ବ୍ୟକ୍ତି ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ବିଭେଦକୁ ସଂଘର୍ଷରେ ପରିଣତ କରିବାକୁ ଉଦ୍ୟମ କଲେ, ଆମ୍ଭେମାନେ ଭୀତହେବା ଅନାବଶ୍ୟକ । ଆମ ଭିତରର ଭେଦବୁଦ୍ଧିକୁ ନିରସ୍ତ କରି ପାରିଲେ ପରସ୍ପର ବିରୁଦ୍ଧରେ ଆମକୁ ଉତ୍ତେଜିତ କରାଉଥିବା ବାହାରର ସକଳ ଶକ୍ତିକୁ ଆମେ ସହଜରେ ଉପହାସ କରି ପାରିବା । ଏହି ଧରଣର ପ୍ରରୋଚନା କାଳକ୍ରମ ଯେ କୌଣସି ଭାବର ହେଉ, ନିଶ୍ଚୟ ଲୋପ ପାଇବ । ଏହି ବିରୋଧର ଅଗ୍ନିରେ ଯଥେଷ୍ଟ ଇନ୍ଧନ ଯୋଗାଇବା ମଧ୍ୟ ସରକାର ପକ୍ଷର ଅସାଧ୍ୟ । ଅଧିକନ୍ତୁ ଏହି ଅଗ୍ନିକୁ ପ୍ରଶୟ ଦେଲେ ଏହା ଅବିଳମ୍ବେ ଏପରି ଏକ ସୀମାରେ ପହଞ୍ଚିବ ଯେତେବେଳେ ଏହାକୁ ନିର୍ବାପିତ କରାଇବା ନିମନ୍ତେ ଦମକଳ ଡକାଇବା ଛଡ଼ା ସରକାରର ଅନ୍ୟ ଉପାୟ ରହିବ ନାହିଁ । ପ୍ରଜାମାନଙ୍କ ଘରେ ଘରେ ନିଆଁ ଲାଗିଲେ କୌଣସି ଦିନ କୌଣସି ଦିଗରୁ ଅଗ୍ନିଶିଖା ନିଶ୍ଚିତଭାବରେ ରାଜପ୍ରାସାଦରେ ଯାଇ ପହଞ୍ଚିବ ।

 

ସରକାର ହିନ୍ଦୁମାନଙ୍କୁ ଦମନ କରିବା ନିମନ୍ତେ ମୁସଲମାନମାନଙ୍କୁ ଅନୁଚିତ ପ୍ରଶୟ ଦେଉଛନ୍ତି; ଯଦି ଏହା ସତ୍ୟ ହୁଏ, ଅନ୍ତତକୌଣସି ପ୍ରକାରେ ସରକାରଙ୍କ ମତିଗତି ଦେଖି ଯଦି ମୁସଲମାନମାନେ ଏହି ଧରଣର ଧାରଣା ପୋଷଣ କରନ୍ତି ତେବେ ଏହି ଭେଦନୀତିର କୁପରିଣାମ ଦିନେ ସରକାରଙ୍କୁ ଭୋଗ କରିବାକୁ ପଡ଼ିବ । ସ୍ୱାଭାବିକ କ୍ଷୁଧା ନିବାରଣ ସହଜ । ଯୋଗ୍ୟତାର ସ୍ଵାଭାବିକ ଦାବୀର ମଧ୍ୟ ସୀମା ଅଛି, କିନ୍ତୁ ପ୍ରଶ୍ରୟର ଦୀବୀର କୌଣସି ଅନ୍ତ ନାହିଁ । ଅସଙ୍ଗତରୂପେ ଭୋଜ୍ୟବସ୍ତୁ ଲାଭ କରିଥିବା ବ୍ୟକ୍ତିମାନେ କେବେହେଲେ ପରିତୃପ୍ତ ହୋଇ ପାରିବେ ନାହିଁ । ତାହା ଫଟା କଳସୀରେ ପାଣି ଆଣିବା ଚେଷ୍ଟା ଭଳି ବ୍ୟର୍ଥ ହେବ ।

 

ଏହି ବ୍ୟାପାର ମଧ୍ୟରେ ଥିବା ଅନୁକୂଳ ଉପାଦାନ ମଧ୍ୟ ଆମକୁ ବିବେଚନା କରିବାକୁ ପଡ଼ିବ । ଆରମ୍ଭରୁ ହିନ୍ଦୁମାନେ ଇଂରେଜମାନଙ୍କ ଦ୍ୱାର ସ୍ଥାପିତ ସ୍କୁଲମାନଙ୍କରେ ପ୍ରଦତ୍ତ ଶିକ୍ଷା ପ୍ରତି ଅଧିକ ଆଗ୍ରହ ପ୍ରକାଶ କରିଆସିଛନ୍ତି । ଫଳତଃ ଆମର ମୁସଲ୍‌ମାନ ଭାଇମାନଙ୍କ ଅପେକ୍ଷା ସରକାରୀ ଚାକିରୀ ଓ ଆନୁକୂଲ୍ୟରେ ଅଧିକ ଅଂଶ ଆମ ଭାଗରେ ଯେ ପଡ଼ିଛି, ଏଥିରେ ସନ୍ଦେହ ନାହିଁ । ଏହିପରି ଭାବରେ ଆମ ମଧ୍ୟରେ ଏକ ପାର୍ଥକ୍ୟ ସୃଷ୍ଟି ହୋଇଛି । ଏହା ଅପସାରିତ ନ ହେଲେ ଆମ ମନର ପ୍ରକୃତ ମିଳନ ଘଟିବ ନାହିଁ । ଆମ୍ଭମାନଙ୍କ ମଧ୍ୟରେ ସବୁବେଳେ ଅସୂୟାର ଏକ ବିଭେଦ ପ୍ରାଚୀର ରହିଯିବ । ମୁସଲମାନମାନେ ସରକାରୀ ଚାକିରୀ ଓ ସମ୍ମାନ ଯଥେଷ୍ଟ ପରିମାଣରେ ଲାଭ କରି ପାରିଲେ ଅବସ୍ଥାର ବୈଷମ୍ୟ ହେତୁ ଦେଖାଯାଉଥିବା ମନୋମାଳିନ୍ୟ ଦୂରୀଭୂତ ହେବ ଏବଂ ଆମେ ଏକତାର ପୁନଃପ୍ରତିଷ୍ଠା କରିବାକୁ ସମର୍ଥ ହେବୁ । ଯେଉଁ ରାଜପ୍ରସାଦ ଏତେକାଳ ଭୋଗ କରି ଆସିଛୁଁ, ଆଜି ପ୍ରଚୁର ପରିମାଣର ତାହା ମୁସଲମାନମାନଙ୍କ ଉପରେ ବର୍ଷିତ ହେଉ, ଏହା ଯେପରି ମୁକ୍ତ ପ୍ରାଣରେ ଆମେ ପ୍ରାର୍ଥନା କରୁ, ଏହି ପ୍ରସାଦ ଲାଭର ଏକ ସୀମା ଅଛି, ସେହି ସୀମାରେ ପହଞ୍ଚିଲେ ସେମାନେ ବୁଝିବେ ସେ ଅନ୍ତରର ଗଭୀର ଶୂନ୍ୟତା ବାହାରର ଦାନ ଦ୍ଵାରା କେବେ ହେଲେ ପୂର୍ଣ୍ଣ ହୁଏ ନାହିଁ । ସେତେବେଳେ ସେମାନେ ବୁଝିବେ ଶକ୍ତି ବିନା ଉନ୍ନତ ନାହିଁ ଏବଂ ଐକ୍ୟ ବ୍ୟତୀତ ଶକ୍ତିଲାଭ ଅସମ୍ଭବ । ଯେଉଁ ଦେଶରେ ଆମ୍ଭେମାନେ ଜନ୍ମ ହୋଇଛୁ ତାହାର ଏକ୍ୟଖଣ୍ଡନ ଯେ ପ୍ରକୃତରେ ଧର୍ମହାନିକର, ସେମାନେ ତାହା ଉପଲବ୍ଧ କରିବେ । ନିଜର ପ୍ରକୃତି ଲଙ୍ଘନ ଦ୍ୱାରା କେବେ ହେଲେ ସ୍ୱାର୍ଥରକ୍ଷା ହୋଇ ପାରିବ ନାହିଁ, ଏହା ବୁଝିବା ସେମାନଙ୍କ ପକ୍ଷରେ ସହଜ ହେବ । ସେତିକିବେଳେ ଆମ୍ଭେମାନେ ଦୁଇଭାଇ ପରି ମିଳିତ ଚେଷ୍ଟାରେ ଏକ କ୍ଷେତ୍ରରେ ପରସ୍ପରର ହାତ ଧରି ଏକତ୍ର ଦଣ୍ଡାୟମାନ ହେବା ।

 

ହିନ୍ଦୁ ଓ ମୁସଲମାନ ଭାରତବର୍ଷର ଦୁଇ ପ୍ରଧାନ ସମ୍ପ୍ରଦାୟ । ଏକ ରାଷ୍ଟ୍ର ସମ୍ମିଳନ ମଧ୍ୟରେ ସେମାନଙ୍କୁ ଆବଦ୍ଧ କରିବା ନିମନ୍ତେ ଯେଉଁ ତ୍ୟାଗ, ସହିଷ୍ଣୁତା, ସତର୍କତା ଓ ଆତ୍ମସଂଯମ ଆବଶ୍ୟକ ତାହା ଦର୍ଶାଇବା ଲାଗି ଆମ୍ଭମାନଙ୍କୁ ପ୍ରସ୍ତୁତ ହେବାକୁ ପଡ଼ିବ । ଏହି କର୍ମ ସମ୍ପାଦନରେ ଆମ ସାମର୍ଥ୍ୟର ମଧ୍ୟ ସୀମା ଅଛି ଏପରି ଅବସ୍ଥାରେ ପ୍ରାଣଧର୍ମର ନିୟମରେ ସୃଷ୍ଟି ହେଉଥିବା ଦେଶର ନୂତନ ନୂତନ ଦଲଙ୍କୁ ସୁବୁଦ୍ଧି ଓ ଧର୍ମର ଦ୍ୱାହି ଦେବାକୁ ପଡ଼ିବ, ଯେପରି କି ଦେଶକୁ ବହୁଧା ବିଭକ୍ତ କରିବା ନିମନ୍ତେ ସେମାନେ ବିରୋଧର ପ୍ରତୀକ ନ ହୁଅନ୍ତି । ଅନ୍ୟପକ୍ଷରେ ସେମାନେ ଏକ ବୃକ୍ଷ ଗଣ୍ଡିର ନୂତନ ନୂତନ ସତେଜ ଶାଖାରୁପେ ଦେଶରେ ରାଷ୍ଟୀୟ ଚିତ୍ତକୁ ପରିଣତି ଦାନ କରିବା ଲାଗି ପ୍ରକାଶିତ ହେବା ବାଞ୍ଛନୀୟ ।

 

ପୁରାତନ ଦଳ ମଧ୍ୟରୁ ଦେଶରେ ନୂତନ ଦଳର ଉଭବ ହେଲେ ବହୁ ସମୟରେ ତାହା ଅନାହୁତ ବୋଲି ଭ୍ରମ ଜାତ ହୋଇଥାଏ । ଆମେ ତାହାକୁ ଜାଣି ନ ଥିବାରୁ ଏହା ବିରୁଦ୍ଧରେ ପ୍ରତିକ୍ରିୟା ପ୍ରକାଶ କରୁ । ଅତୀତ ଗର୍ଭରୁ ଏକ ଅନିବାର୍ଯ୍ୟ ବିକାଶଭାବେ ଏହା ପ୍ରକାଶିତ : ଏ ଧାରଣା ଆମର ରହେ ନାହିଁ । ସେହି କାରଣରୁ ନୂତନ ଦଳ ନିଜ ସ୍ଥିତିର ଅଧିକାର ଦୃଢ଼ କରିବା ନିମନ୍ତେ ବ୍ୟଗ୍ର ହୁଏ, ଏବଂ ସ୍ୱାଭାବିକ ବିକାଶର ଶାନ୍ତ ତା’ ଠାରେ ରହେ ନାହିଁ । ଫଳତଃ ଆତ୍ମୀୟତାର ବନ୍ଧନରେ ଆମ୍ଭମାନଙ୍କ ସହ ଐକ୍ୟବଦ୍ଧ ହୋଇଥିଲେ ସୁଦ୍ଧା ଆମେ ଏହାକୁ ବିରୁଦ୍ଧ ମନେକରୁ ।

 

କିନ୍ତୁ ଗୋଟିଏ କଥା ନିଶ୍ଚିତ । ବୀଜକୁ ବିଦାର୍ଣ୍ଣ କରି ତା’ ମଧ୍ୟରୁ ଅଙ୍କୁର ବାହାରିଲା ପରି ଦେଶରେ ନୂତନଦଳ ନାନା ବାଧା ସତ୍ତ୍ୱେ ସ୍ୱଭାବର ନିୟମରେ ପରିବର୍ଦ୍ଧିତ ହୁଏ । ପୁରାତନ ଓ ଚତୁର୍ଦ୍ଦିଗର ପରିବେଶ ସଙ୍ଗରେ ତା’ର ଅନ୍ତରର ଘନିଷ୍ଠ ସମ୍ପର୍କ ରହିଛି । ଏହା ନୂତନ ହୋଇ ପାରେ କିନ୍ତୁ ଏହା ଆମ ନିଜର ଓ ଏହାର ସଭ୍ୟମାନେ ଆମ ଆପଣାର ଲୋକ । ସମୟ ସମୟରେ ସେମାନଙ୍କ ସଙ୍ଗରେ ଆମର ପାର୍ଥକ୍ୟ ଘଟି ପାରେ, କିନ୍ତୁ ତତ୍‌କ୍ଷଣାତ୍ ଆମେ ସେମାନଙ୍କୁ ଆପଣାର କରି ନିକଟକୁ ଟାଣି ଆଣିବା ଏବଂ କାନ୍ଧକୁ କାନ୍ଧ ମିଳାଇ ଦେଶର କାର୍ଯ୍ୟ କରିବାକୁ ଏକ ସଙ୍ଗରେ ଛିଡ଼ାହେବା ।

 

ଆଜିକାଲି ବହୁ ସମୟରେ ଶୁଣାଯାଏ, ଦେଶର ’ଚରମପନ୍ଥୀ’ ନାମରେ ଗୋଟିଏ ଦଳ ଅଛି ଏବଂ ତାହା କୌଣସି ସୀମା ସ୍ୱୀକାର କରେ ନାହଁ । ମୁଁ ଜାଣିବାକୁ ଚାହୁଛି ସେହି ଦଳଟି କେଉଁଠି ? ଏ ଦେଶରେ ସର୍ବାପେକ୍ଷା ବଡ଼ ଚରମପନ୍ଥୀ କିଏ ? ଚରମପନ୍ଥାର ଧର୍ମ ହେଉଛି ଏକଦିଗ ଚରମକୁ ଉଠିଲେ ଅନ୍ୟ ଦିଗକୁ ମଧ୍ୟ ଚରମକୁ ଉଠିବାକୁ ଏହା ପ୍ରଭାବିତ କରେ । ବଙ୍ଗଦେଶ ବଙ୍ଗ ବିଚ୍ଛେଦର ବେଦନା ଯେଉଁପରି ଅନୁଭବ କରିଛି ଭାରତରେ ଏପରି କେବେ ତାହା ଅନୁଭୂତ ହୋଇ ନ ଥିଲା । କିନ୍ତୁ ପ୍ରଜାମାନଙ୍କର ସେହି ବେଦନା ପ୍ରତି ଶାସକମାନେ ଯେ କେବଳ ଉଦାସୀନ ତାହା ନୁହେ ବରଂ ସେମାନେ କ୍ରୁଦ୍ଧ ଓ ଦମନ ପରାୟଣ ହୋଇଛନ୍ତି । ରାଜ୍ୟ ଶାସନର ସର୍ବୋଚ୍ଚ କର୍ମଚାରୀ ଭାବରେ ଲର୍ଡ ମର୍ଲିଙ୍କର ନିଯୁକ୍ତି ସମ୍ବାଦରେ ସମଗ୍ର ଭାରତବର୍ଷ ଉଜ୍ଜ୍ୱସିତ ହୋଇ ଉଠିଥିଲା । ଆମର ଦୁର୍ଭାଗ୍ୟବଶତଃ ସେ ତାଙ୍କର ସୁଦୂର ବାସସ୍ଥଳୀରୁ ସମ୍ବାଦ ପଠାଇଛନ୍ତି ଯେ ଯାହା ହୋଇ ଯାଇଅଛି ତାହା ଚୂଡ଼ାନ୍ତ ଏବଂ ତାହାର ଅନ୍ୟଥା ହୋଇ ପାରିବ ନାହିଁ ।

 

ବଙ୍ଗଦେଶର ଚିତ୍ତବେଦନାକୁ ନିର୍ଦ୍ଦୟ ଭାବରେ ଅବହେଳା କରିବା ରାଜ୍ୟ ଶାସନର ଚରମପନ୍ଥା ନୁହେ କି ? ଏ ଧରଣର କାର୍ଯ୍ୟ ଲୋକମାନଙ୍କଠାରେ ପ୍ରତିକ୍ରିୟା ସୃଷ୍ଟି କରିବା ନାହିଁ କି-? ଏହି ପ୍ରତିକ୍ରିୟା କଅଣ କେବଳ ନିର୍ଜୀବ ଓ ଅବସନ୍ନ ?

 

ଏହି ସ୍ଵାଭାବିକ ପ୍ରତିକ୍ରିୟାକୁ ଶାନ୍ତ କରିବା ପାଇଁ କର୍ତ୍ତୁପକ୍ଷ କୌଣସି ବ୍ୟବସ୍ଥା କଲେ ନାହିଁ । ଅନ୍ୟ ପକ୍ଷରେ ସେମାନଙ୍କର ଦମନକ୍ଷମ କର୍ମପନ୍ଥା ଅଧିକ ଚରମ ହୋଇଉଠିଲା । ନିଜର ଆଘାତ ଦ୍ଵାରା ଯେଉଁ ଢେଉ ଉଠାଇଥିଲେ ସେହି ଢେଉକୁ ନିରସ୍ତ କରିବା ଲାଗି ସେମାନେ ପାଣିକୁ ପ୍ରବଳ ଭାବରେ ବାଡ଼େଇବାକୁ ଲାଗିଲେ । ଏହି କର୍ମପଦ୍ଧତି ସେମାନଙ୍କ ଶକ୍ତିର ବଳିଷ୍ଠତା ପ୍ରତିପାଦନ କରିପାରେ, କିନ୍ତୁ ବିଚାରଶୀଳ ଶାସକ ଭାବରେ ସେମାନଙ୍କର ପରିଚୟ ଦେଇ ପାରୁ ନାହିଁ । ଆମ୍ଭେମାନେ ଦୁର୍ବଳ ଓ ଅକ୍ଷମ ହୋଇ ପାରୁ ମାତ୍ର ବିଧାତା ଆମକୁ ଯେଉଁ ହୃତ୍‌ପିଣ୍ଡ ଦେଇଅଛନ୍ତି ତାହା କେବଳ ମୃତ୍‌ପିଣ୍ଡ ନୁହେ; ଆମେ ମଧ୍ୟ ଆଘାତ ପାଇଲେ ସହସା ଚକିତ ହୋଇପାରୁ; ଏହି ସ୍ୱାଭାବିକ ପ୍ରତିଘାତକୁ ଇଂରେଜରେ Reflex action ବା ପ୍ରତ୍ୟାବର୍ତ୍ତିତ କ୍ରିୟା ବୋଲାଯାଏ । ଯଦି ରାଜସଭାରେ କର୍ତ୍ତୁପକ୍ଷମାନେ ଏହାକୁ ଅବିନୟର ଚିହ୍ନ ମନେ କରନ୍ତି ସେମାନେ ମନେରଖିବା ଉଚିତ୍‌, ଏହା ସେମାନଙ୍କ ଉତ୍ତେଜକ କର୍ମର ଫଳ ମାତ୍ର । ଦୁଇ ସଙ୍ଗରେ ଦୁଇ ମିଶାଇଲେ ଯୋଗଫଳ ଚାରି ହେବା ନିଶ୍ଚିତ, ଏଥିରେ ରାଗାନ୍ୱିତ ହେବା ନିର୍ବୋଧତା ମାତ୍ର ।

 

ଆଜି ଏକ ଦିଗରେ ଶାସକବର୍ଗ ଆଇନ ପ୍ରତି ପୂର୍ଣ୍ଣ ଅଶ୍ରଦ୍ଧା ପ୍ରଦର୍ଶନ କରି ଆମ୍ଭମାନଙ୍କୁ କାରାଦଣ୍ଡ, ଦମନ ଓ ପୀଡ଼ନ ପ୍ରଭୃତି ଦେଉଛନ୍ତି । ଅନ୍ୟ ଦିଗରେ ପ୍ରଜାମାନଙ୍କ ମଧ୍ୟରେ କ୍ରମଶଃ ଉତ୍ତେଜନାର କୁଆର ବର୍ଦ୍ଧିତ ହେଉଛି । ଅଳ୍ପକାଳ ପୂର୍ବେ ଯେଉଁ ଉତ୍ତାପ କେବଳ ମାତ୍ର ସେମାନଙ୍କ ରସନାର ପ୍ରାନ୍ତ ଭାଗରେ ଦେଖା ଦେଇଥିଲା କ୍ରମଶଃ ତାହା ବ୍ୟାପ୍ତ ଓ ଗଭୀର ହୋଇ ସେମାନଙ୍କର ଅସ୍ଥିମଜ୍ଜାରେ ପ୍ରବେଶ କରିଛି । ଶକ୍ତିର ଦୌରାତ୍ମ୍ୟ ନିକଟର ବଶୀଭୂତ ନ ହୋଇ ଲୋକମାନେ ଅସହିଷ୍ଣୁ ହୋଇଉଠୁଛନ୍ତି ଏଥିର ଆମ୍ଭମାନଙ୍କର ଯଥେଷ୍ଟ ଅସୁବିଧା ଓ ଆଶଙ୍କା କରିବାର ଯେ ରହିଛି ତାହା ମାନିବାକୁ ପଡ଼ିବ; ତଥାପି ଏହା ମଧ୍ୟରେ ଆଶାର କାରଣ ନିହିତ । ବହୁକାଳର ଅବସାଦ ପରେ ମଧ୍ୟ ସ୍ଵଭାବ ଆମ୍ଭମାନଙ୍କ ମଧ୍ୟରେ ଏ ପର୍ଯ୍ୟନ୍ତ ପୂର୍ଣ୍ଣ ମୃତ ନୁହେ, ପ୍ରବଳଭାବେ କଷ୍ଟ ଅନୁଭବ କରିବାର ସାମର୍ଥ୍ୟ ଏ ପର୍ଯ୍ୟନ୍ତ ମଧ୍ୟ ଆମ୍ଭମାନଙ୍କର ଯେ ରହିଛି, ତାହା ସହଜରେ ଏହା ଦ୍ୱାରା ପ୍ରମାଣିତ ହେଉଛି ।

 

ଚରମ ନୀତି କହିଲେ ବୁଝାଯାଏ ଲକ୍ଷ୍ୟହୀନ ନୀତି । ସୁତରାଂ କେଉଁସ୍ଥାନ ଉଦ୍ଦେଶ୍ୟରେ ସେମାନଙ୍କର ଚରମ ଗତି ତାହା ସ୍ଥିର କରି କହିହେବ ନାହିଁ । ଏହାର ବେଗକୁ ସର୍ବଦା ନିୟମିତ କରିବା ଏହି ପନ୍ଥାନୁସରଣକାରୀଙ୍କ ପକ୍ଷରେ ଅସାଧ୍ୟ । ଚରମ ନୀତିର ପ୍ରବର୍ତ୍ତନ ସହଜ କିନ୍ତୁ ଏହାର ସମ୍ବରଣ କଠିନ । ଏହି ଚରମ ନୀତି ପୋଷଣ କଲାବେଳେ ବହୁ ଦୂର ପର୍ଯ୍ୟନ୍ତ ସେ ଯିବାକୁ ପଡ଼ିବ, ତାହା ମୁହୂର୍ତ୍ତକ ପାଇଁ ଆମର କର୍ତ୍ତୃପକ୍ଷମାନେ ଉପଲବ୍‌ଧ କରି ପାରି ନ ଥିଲେ । ମୋର ପୂର୍ଣ୍ଣ ବିଶ୍ୱାସ ଭାରତଶାସନର କର୍ଣ୍ଣଧାରମାନେ ଏ ଧରଣର ପରିସ୍ଥିତି ନିମନ୍ତେ ପ୍ରସ୍ତୁତ ନ ଥିଲେ ଏବଂ ଅଧୀନସ୍ଥ ସହକାରୀମାନଙ୍କର ଏ ଧରଣର ଚରମ ପନ୍ଥା ଓ ଅସଂଯମ ସେମାନଙ୍କର ଅଭିପ୍ରେତ ନ ଥିଲା । ଆମ୍ଭେମାନେ ନିଶ୍ଚୟ ଜାଣିବା ଉଚିତ୍‌, ସରକାର ଏକ ଅଲୌକିକ ବ୍ୟାପାର ନୁହେ, ଶାସନର ପ୍ରତିନିଧିମାନେ ରକ୍ତ ମାଂସର ମନୁଷ୍ୟ ଏବଂ କ୍ଷମତାର ଉନ୍ୱାଦ, ସେମାନଙ୍କ ପ୍ରକୃତିରେ ଅଳ୍ପାଧିକ ପରିମାଣରେ ପ୍ରବେଶ କରିଛି । ପ୍ରବୀଣ ସାରଥି ଗାଡ଼ିର ଲଗାମକୁ ଜୋରରେ ଟାଣି ଧରିଲେ ଅଶ୍ୱମାନେ, ସମାନଙ୍କର ଉଚ୍ଚଗ୍ରୀବା ବକ୍ର କରନ୍ତି, ତଥାପି ତାହା ରଜରଥ ପକ୍ଷରେ ଅଶୋଭନ ହୁଏ ନାହିଁ । ଏହି ସମୟରେ ସେମାନଙ୍କର ପଦକ୍ଷେପ ମୋଟ ଉପରେ ସମତାଳ ରକ୍ଷା କରେ । ପଦାତିକମାନେ ଯଦି ଟିକିଏ ଆଡ଼ ହୋଇ ବାଟ ଛାଡ଼ନ୍ତି ସେମାନଙ୍କର ଅପଘାତର ଆଶଙ୍କା ନ ଥାଏ । କିନ୍ତୁ ଚରମ ନୀତି ପ୍ରଭାବରେ କର୍ତ୍ତୁପକ୍ଷ ଲଗାମଛଡ଼ା ନୀତି ଧରିଲେ ବିଶାଳ ଶାସନତନ୍ତ୍ରର ସହକାରୀମାନ ଶୀଘ୍ର ଦାୟିତ୍ୱହୀନତା ଦ୍ଵାରା ସଂକ୍ରମିତ ହୁଅନ୍ତି । ଏପରି ଅବସ୍ଥାରେ ନିରୀହ ଲୋକମାନଙ୍କର ମୁଣ୍ଡ କେତେବେଳେ ପୋଲିସର ଠେଙ୍ଗାରେ ଫାଟିବ, କିମ୍ବା ଅନାସକ୍ତ ବିଚାରକଙ୍କ ହାତରେ ମଧ୍ୟ ନ୍ୟାୟ ବିଷମ ବକ୍ରଗତି ଧାରଣ କରିବ, ତାହାର ସମ୍ଭାବନା କେହି ସହଜରେ ପୋଷଣ କରି ପାରିବେ ନାହିଁ ।

 

ଏପରି ସମୟରେ ପ୍ରଜାମାନଙ୍କ ମଧ୍ୟରେ ଏକ ସମ୍ପ୍ରଦାୟ ସ୍ୱତନ୍ତ୍ର ଅଗ୍ରାଧିକାର ଲାଭ କଲେ ଏହି ପ୍ରଶୟର ସୀମା କେଉଁଠି ତାହା ସେମାନଙ୍କର ମଧ୍ୟ ଅଗୋଚର । ଚତୁର୍ଦ୍ଦିଗରେ ଶାସନର ଅଭୂତ ଦୁର୍ବଳତା ପ୍ରକାଶ ପାଇଲେ ସରକାର ନିଜର କର୍ମପନ୍ଥା ହେତୁ ଲଜ୍ଜିତ ହୁଅନ୍ତି । ସେତେବେଳେ ଶାସନର ଦୁର୍ବଳତାକୁ ଘୋଡ଼ାଇବା ଲାଗି ଦୋଷମୁକ୍ତ କମିଶନର ରିପୋର୍ଟ ଆବଶ୍ୟକ ହୁଏ । ନିପୀଡ଼ିତ ବ୍ୟକ୍ତିମାନ ମିଥ୍ୟାବାଦୀ ଭାବରେ ଅପମାନିତ ହୁଅନ୍ତି, ଅଥଚ ଉଚ୍ଛୃଙ୍ଖଳ ଅତ୍ୟାଚାରୀମାନେ ଉତ୍ପୀଡ଼ିତ ବୋଲି କ୍ଷମା ଲାଭ କରନ୍ତି ।

 

ଲୋକମାନଙ୍କ ପକ୍ଷରେ ମଧ୍ୟ ଏହା ଅନୁରୂପ । ସେମାନଙ୍କ ମଧ୍ୟରେ ଚରମ ନୀତିର ପ୍ରକାଶ ନିୟନ୍ତ୍ରଣ କରିବା କଷ୍ଟସାଧ୍ୟ । ଦଳର ହିଂସାତ୍ମକ କାଣ୍ଡ ଦ୍ୱାରା ନେତା ମଧ୍ୟ ନିଜେ ପଥଭ୍ରଷ୍ଟ ହୁଅନ୍ତି । ଏହି ପରିସ୍ଥିତିରେ କୌଣସି ଏକ ମତବାଦ ବା କାର୍ଯ୍ୟପନ୍ଥା ନିମନ୍ତେ କେଉଁ ନେତା ଦାୟୀ ତାହା ନିର୍ଣ୍ଣୟ କରିବା କଷ୍ଟକର ହୋଇଉଠେ ।

 

ଆଉ ଏକ ବିଷୟ ଆମ୍ଭମାନଙ୍କୁ ମନେରଖିବାକୁ ହେବ । ଚରମପନ୍ଥୀ ଏବଂ ନରମପନ୍ଥୀମାନଙ୍କ ମଧ୍ୟରେ ସ୍ଵାତନ୍ତ୍ର୍ୟ ଆମ ସ୍ୱୀକୃତ ନୁହେ । ଏହା ଶାସକ ଅଙ୍କିତ କୃଷ୍ଣରେଖା । ସୁତରାଂ କେଉଁ ଉଦ୍ଦେଶ୍ୟରେ କେତେବେଳେ କେଉଁ ସ୍ଥାନରେ ଏହି ଚିହ୍ନ ଅଙ୍କିତ ହେବ ତାହା ସବୁବେଳେ ଆମର ଅଗୋଚର । ପ୍ରକୃତରେ କର୍ତ୍ତୃପକ୍ଷଙ୍କ କ୍ଷମତାର ଖିଆଲ ଅନୁସାରେ ଏହି ରେଖାର ପରିବର୍ତ୍ତନ ଘଟିପାରେ, କୌଣସି ନୀତିର ଅବଲମ୍ବନରେ ତାହା ଘଟେ ନାହିଁ ।

 

ତେଣୁ ମୁଁ ପୁଣି କହେଁ, ଚରମପନ୍ଥୀମାନଙ୍କର ଏପରି କୌଣସି ଦଳ ନାହିଁ ଯେଉଁମାନଙ୍କ ସହ ସରକାର କୌଣସି ଭଲମନ୍ଦ ସମ୍ପର୍କ ରଖି ପାରନ୍ତି । ଜାତୀୟ ଆନ୍ଦୋଳନର ଏହା ଏକ ଲକ୍ଷଣମାତ୍ର ଏବଂ ଉତ୍ତ୍ୟକ୍ତ ହେବାର ଉପାଦାନଗୁଡ଼ିକ ଥିବା ପର୍ଯ୍ୟନ୍ତ ଅସ୍ତିତ୍ୱ ଥିବ । କୌଣସି ଭାବରେ ଏହାକୁ ଚାପି ରଖିଲେ ଏହା ଅନ୍ୟ ରୂପରେ ପ୍ରକାଶିତ ହୋଇ ନିଜ ସୁବିଧା ସନ୍ଧାନ ଦିଗରେ ଚାଳିତ ହେବ ।

 

ମନୁଷ୍ୟ ମନର କୌଣସି ସ୍ୱାଭାବିକ ପ୍ରକାଶକୁ ନାପସନ୍ଦ କରି ଏହାକୁ ସମ୍ପ୍ରଦାୟ ବିଶେଷରେ ଚକ୍ରାନ୍ତମାତ୍ର କହିବାକୁ ଆମେ ଚେଷ୍ଟା କରୁଁ । ଅଷ୍ଟାଦଶ ଶତାବ୍ଦୀରେ ୟୁରୋପ ଧର୍ମକୁ ସ୍ୱାର୍ଥପର ଧର୍ମଯାଜକମାନଙ୍କର କୃତ୍ରିମ ସୃଷ୍ଟି ଭାବରେ ଗ୍ରହଣ କରିଥିଲା । ବିଶ୍ୱାସ କରାଯାଉଥିଲା ଯେ ପାଦ୍ରୀମାନଙ୍କ ଉଚ୍ଛେଦ ସାଧନ କଲେ ଧର୍ମର ଆପଦ ସହଜରେ ଦୂରୀଭୂତ ହୋଇ ପାରିବ ।

 

ହିନ୍ଦୁଧର୍ମର ବିରୋଧୀମାନେ ଠିକ୍‌ ସମଭାବରେ କହିଥାନ୍ତି ଯେ ବ୍ରାହ୍ମଣଗୋଷ୍ଠୀ ଯେପରି କି ପରାମର୍ଶ କରି ନିଜ ଜୀଵିକାର୍ଜ୍ଜନର ପନ୍ଥାରୂପେ ଏହି ଧର୍ମକୁ ସୃଷ୍ଟି କରିଛନ୍ତି । ବ୍ରାହ୍ମଣମାନଙ୍କୁ ଭାରତବର୍ଷରୁ ଦ୍ୱୀପାନ୍ତରିତ କଲେ ହିନ୍ଦୁଧର୍ମର ଉପଦ୍ରବରୁ ଆମେ ରକ୍ଷା ପାଇ ପାରିବା । ସେହିପରି ଆମର ଶାସକବର୍ଗ ବିଶ୍ୱାସ କରନ୍ତି, କେତେକ ଦୁଷ୍ଟ ସ୍ୱଭାବାପନ୍ନ ବ୍ୟକ୍ତି ଦଳ ଗଠନ କରି କୌଣସି ଗୁପ୍ତ କାରଖାନାରେ ଚରମପନ୍ଥା ନାମକ ଉତ୍‌କ୍ଷେପକ ପଦାର୍ଥ ପ୍ରସ୍ତୁତ କରୁଛନ୍ତି ଏବଂ କେତେଜଣ ଦଳପତିଙ୍କୁ ଧରିଆଣି ପୁଲିସ୍‌ ମାଜିଷ୍ଟ୍ରେଟଙ୍କ ହାତରେ ଅର୍ପଣ କରିଦେଲେ ସମସ୍ତ ଉତ୍ପାତ ଶାନ୍ତ ହୋଇଯିବ ।

 

ଏହା ସେମାନଙ୍କ ପକ୍ଷରେ ଉତ୍ତମ ହୋଇପାରେ, କିନ୍ତୁ ଅସଲ ସମସ୍ୟା ହେଉଛି ଏକ ଭିତରର ବ୍ୟାପାର । ବାହାର ଆଖିରେ ତାକୁ ଦେଖିବା ସହଜ ନୁହେ; ଏହାକୁ ବୁଝିବା ନିମନ୍ତେ ଗଭୀର ଚିନ୍ତା ଆବଶ୍ୟକ । ଏକ ଅବ୍ୟକ୍ତ ସତ୍ୟ ପ୍ରଥମ ସ୍ତରରେ ମୃଦୁମନ୍ଦ ଓ ମଧୁରଭାବ ପ୍ରକାଶିତ ହୁଏ ନାହିଁ । ଏକ ଝଡ଼ତୁଲ୍ୟ ତାହାର ଆତ୍ମପ୍ରକାଶ । କାରଣ ଅସାମଞ୍ଜସ୍ୟର ସଙ୍ଘର୍ଷହିଁ ଆମକୁ ଉକ୍ତ ସତ୍ୟ ସମ୍ପର୍କରେ ଅବିହିତ କରେ ।

 

ଗମନାଗମନ ଓ ଭାବ ବିନିମୟର କ୍ରମବର୍ଦ୍ଧିତ ସୁଯୋଗ, ଇତିହାସର ଶିକ୍ଷା, ରାଜ୍ୟଶାସନ ଐକ୍ୟ, ସାହିତ୍ୟ ଅଭ୍ୟୂଦୟ ଓ କଂଗ୍ରେସର ଚେଷ୍ଟା ଫଳରେ କିଛିକାଳ ହେଲା ଆମେ ବୁଝୁଛୁ ଯେ ଆମର ଦେଶ ଏକ, ଆମେ ଏକ ଜାତିର ଅନ୍ତର୍ଭୁକ୍ତ, ସୁଖ ଦୁଃଖରେ ଆମର ସମାନ ଦଶା ଏବଂ ପରସ୍ପରକୁ ପରମ ଆତ୍ମୀୟଭାବେ ଗ୍ରହଣ କରିବାରେ ବନ୍ଧନରଜ୍ଜୁ ଆବିଷ୍କାର କରି ତାକୁ ସୁଦୃଢ଼ ନ କଲେ ଆମର କୌଣସି ଉନ୍ନତି ନାହିଁ ।

 

ଏହି ଚେତନା ଆମ୍ଭମାନଙ୍କ ମଧ୍ୟରେ ବୃଦ୍ଧିପ୍ରାପ୍ତ ହେଉଛି, କିନ୍ତୁ ଏ ପର୍ଯ୍ୟନ୍ତ ଏହା ମଝିରେ ମଝିରେ ପ୍ରକାଶିତ ହେଉଥିଲା ଓ ଆମର ମାନସିକ ଅବଗତିର ବିଷୟମାତ୍ର ଥିଲା । ଏହି ସତ୍ୟ ପୂର୍ଣ୍ଣ ପ୍ରାଣରେ ଉପଲବ୍‌ଧି କରି ପାରି ନ ଥିବାରୁ ଆମେ ହୃଦୟସହକାରେ କର୍ମରେ ପ୍ରବୃତ୍ତ ହୋଇ ପାରୁ ନ ଥିଲୁ କିମ୍ବା ଦେଶରେ ଆବଶ୍ୟକତା ଅନୁସାରେ ସ୍ୱାର୍ଥତ୍ୟାଗ କରି ଦେଶସେବା କରିବାକୁ ଆମର ସାମର୍ଥ୍ୟ ନ ଥିଲା ।

 

ଏହି ଅବସ୍ଥାରେ ଅନେକଦିନ କଟି ଯାଇଥାନ୍ତା, କିନ୍ତୁ ହଠାତ୍‌ ଲର୍ଡ଼ କର୍ଜନ ପ୍ରବଳ ବେଗରେ ଏହି ଯବନିକାକୁ ଅନ୍ୟପାର୍ଶ୍ୱକୁ ଟାଣିନେଲେ । ଫଳତଃ ଯାହାକିଛି ନେପଥ୍ୟରେ ଥିଲା ତାହାର କୌଣସି ଆଚ୍ଛାଦନ ଆଉ ରହିଲା ନାହିଁ । ଯେଉଁ ମୁହୂର୍ତ୍ତରେ ବଙ୍ଗ ବିଚ୍ଛେଦର ଆଦେଶ ଦିଆଗଲା, ପୂର୍ବରୁ ପଶ୍ଚିମ ପର୍ଯ୍ୟନ୍ତ ଗୋଟିଏ ମାତ୍ର ଧ୍ୱନି ଉଠିଲା, ସମସ୍ତ ବଙ୍ଗାଳୀ ଜାତି ଏକ । ବଙ୍ଗଦେଶର ଅଧିବାସୀମାନଙ୍କର ଆତ୍ମୀୟତା ଓ ରକ୍ତର ସମ୍ପକ ମଧ୍ୟରେ ପ୍ରତିଷ୍ଠିତ ଚେତନାର ଐକ୍ୟଜନିତ ବନ୍ଧନ ବଙ୍ଗଦେଶର ସକଳ ଅଂଶକୁ ଦୃଢ଼ ଭାବରେ ଉପଲବ୍‌ଧି କରି ପାରେ, ଏହା ପୁର୍ବରୁ ଆମ୍ଭେମାନେ ଏପରି ପ୍ପଷ୍ଟ ଓ ଗଭୀର ଭାବରେ ଉପଲବ୍‌ଧ କରି ପାରିନଥିଲୁ ।

 

ବିଭାଗର ବେଦନା ଆମ ପକ୍ଷରେ ଅସହ୍ୟ ହେବାରୁ ଆମେ ଭାବିଲୁଁ ଯେ ରାଜାଙ୍କ ନିକଟରେ ସମସ୍ତେ ମିଳିତ, ଭାବରେ ନିବେଦନ ଜଣାଇଲେ ଆମର ଦୁଃଖ ଦୂର ହେବ । ଶାସକମାନଙ୍କର ଦୟା ଆକର୍ଷଣ କରିବା ଉଦ୍ଦେଶ୍ୟରେ ନିବେଦନ ଛଡ଼ା ଆମ୍ଭମାନଙ୍କ ନିମନ୍ତେ ଅନ୍ୟ ପନ୍ଥା ଯେ ଉନ୍ମୁକ୍ତ, ସେ କାଳରେ ଆମର ଏ ଧାରଣା ନ ଥିଲା ।

 

କିନ୍ତୁ ନିଃସହାୟର ଭରସାସ୍ଥଳ ସହ ବିଦେଶୀ ଅନୁଗ୍ରହ ଲାଭରୁ ଆମେ ବଞ୍ଚିତ ହେଲୁ । ନିଜକୁ ପଙ୍ଗୁ ମନେକରି ବହୁକାଳ ଅଚଳ ରହିଥିବା ଜଣେ ବ୍ୟକ୍ତି ନିଜ ଘରେ ନିଆଁ ଲାଗିଲେ ହଠାତ୍‌ ତାର ଚଳନଶକ୍ତି ଆବିଷ୍କାର କଲା ପରି ଆମର ଅବସ୍ଥା ସୃଷ୍ଟି ହୋଇଥିଲା । ବିଲାତି ପଣ୍ୟଦ୍ରବ୍ୟ ଆମେ ବ୍ୟବହାର କରିବୁ ନାହିଁ, ଜୋର କରି ଏହା କହିବାର ଶକ୍ତି ଆମର ଯେ ରହିଛି, ଅନ୍ତଃକରଣର ଉତ୍ତେଜନା ହେତୁ ଆମ୍ଭେମାନେ ସହଜରେ ତାହା ଜାଣି ପାରିଲୁ ।

 

ଅଧିକାଂଶ ଆବିଷ୍କାର ତୁଲ୍ୟ ଏହି ଆବିଷ୍କାର ମଧ୍ୟ ଏକ ନିର୍ଦ୍ଦିଷ୍ଟ ଅନୁଭୂତିକୁ ଉପଲକ୍ଷ୍ୟ କରି ଆମ ନିକଟରେ ଉପସ୍ଥିତ ହେଲା । ଏହି ଆବିଷ୍କାର ତାହାର ଉତ୍ତେଜକ ଉପଲକ୍ଷ୍ୟ ଅପେକ୍ଷା ଯେ ଯଥେଷ୍ଟ ବଡ଼, ଏହାକୁ ଦେଖି ଦେଖି ଆମେ ଶୀଘ୍ର ଓ ଉପଲବ୍ଧ କଲୁ । ଏଠାରେ ଶକ୍ତି ଓ ସମ୍ପଦର ଉତ୍ସ ଆମେ ସନ୍ଧାନ କଲୁ । ବିଦେଶୀ ପଦାର୍ଥର ବର୍ଜନ ଆମକୁ ବଳିଷ୍ଟ କରିବାର ଉପାୟବିଶେଷ ଓ ତାହା ଅନ୍ୟକୁ ବିବ୍ରତ କରିବାର ଏକ ପନ୍ଥା ମାତ୍ର ନୁହେ, ଏହି ଅନୁଭୂତି ଆମେ ଅର୍ଜନ କଲୁ । ଏହାର ଅନ୍ୟ କୌଣସି ଉପାଦେୟତା ଥାଉ ବା ନ ଥାଉ ଆମ ନିମନ୍ତେ ଏହା ଏକ ଆଶୁ ସତ୍ୟର ଅନୁଭୂତି ହୋଇଛି ।

 

ଶକ୍ତିର ଏହି ଅକସ୍ମାତ ଅନୁଭୂତି ଆମକୁ ଏକ ନୂତନ ପ୍ରତିଶ୍ରୁତିର ଆନନ୍ଦ ଦେଇଛି । ସେହି ଆନନ୍ଦ ନ ଥିଲେ ଏହି ବିଦେଶୀ ବସ୍ତୁ ବର୍ଜ୍ଜନ ବ୍ୟାପାରଜନିତ ଅବିରାମ ଦୁଃଖ ଆମେ କଦାପି ସହ୍ୟ କରି ନ ଥାନ୍ତୁ । କ୍ରୋଧର ଏତେ ସହିଷ୍ଣୁତା କେବେହେଲେ ନାହିଁ । ବିଶେଷତଃ ଦୁର୍ବଳର କ୍ରୋଧ ପ୍ରବଳର ଶକ୍ତି ସମ୍ମୁଖରେ ଏତେ ଦୃଢ଼ଭାବେ ଦଣ୍ଡାୟମାନ ହୋଇ ପାରିବ ନାହଁ ।

 

ଦୁଃଖ ଯେତେ ଅଧିକ ପାଉଛୁ ସତ୍ୟର ଉପଲବ୍ଧ ସେତେ ନିବିଡ଼ ତର ହେଉଛି । ପରୀକ୍ଷା କଠୋର ହେବା ସଙ୍ଗେ ସଙ୍ଗେ ଆମର ଶକ୍ତି ଗଭୀରତର ଓ ଅଧିକ ବ୍ୟାପ୍ତ ହେଉଛି ! ଦୁଃଖ ମଧ୍ୟରେ ଲବ୍‌ଧ ଏହି ସମ୍ପଦ କ୍ରମଶଃ ଆମ ହୃଦୟର ଚିରନ୍ତନ ସାମଗ୍ରୀ ହେଉଛି । ଦୁଃଖ ଅଗ୍ନିରେ ବାରମ୍ବାର ଦ୍ରବୀଭୂତ ହୋଇ ଆମ ହୃଦୟରେ ଯେଉଁ ମୁଦ୍ରା ଅଙ୍କିତ ହୋଇଛି ତାହା କେବେ ନିଭିଯାଇ ନ ପାରେ । ରାଜକୀୟ ମୋହରର ମୁଦ୍ରା ଭଳି ଆମ ଦୁଃଖ ସହ୍ୟ କରିବାର ଶକ୍ତି ଭାବରେ ଏହା ବରାବର ବିଦ୍ୟମାନ ଥିବ । ଦୁଃଖ ବଳରେ ଏହା ପ୍ରସ୍ତୁତ ହୋଇଛି ଏବଂ ଏହା ବଳରେ ଆମେ ସକଳ ଦୁଃଖ ସହ୍ୟ କରି ପାରିବା ।

 

ସତ୍ୟ ଦ୍ୱାରା ଲବ୍‌ଧ ଆନନ୍ଦ କେତେ ବଳଶାଳୀ ହୋଇ ପାରେ ତାହା ଦେଖି ମୁଁ ଅତ୍ୟନ୍ତ ଆଶ୍ଚର୍ଯ୍ୟାନ୍ୱିତ ହେଲି । ଶାରୀରିକ କର୍ମ ପ୍ରତି ଘୃଣା ପ୍ରଦର୍ଶନ କରି ସରକାରୀ ଚାକିରୀକୁ ଜୀବନର ସାରବସ୍ତୁରୂପେ ଗ୍ରହଣ କରିବା ଦ୍ୱାରା ଆମ ମନୁଷ୍ୟର ନଷ୍ଟ ହୋଇଯାଏ, ଏହା ବିଭିନ୍ନ କାଳରେ ଜ୍ଞାନୀ ଲୋକମାନେ ବାରମ୍ବାର କହିଛନ୍ତି । ଯେ ଏହା ଶୁଣିଛି, କଥାଟି ପ୍ରକୃତରେ ସତ ବୋଲି ସେ କହିଛି, କିନ୍ତୁ ପର ମୁହୂର୍ତ୍ତରେ ଚାକିରୀ ନିମନ୍ତେ ସେ ଦରଖାସ୍ତ ଲେଖିବାକୁ ପ୍ରସ୍ତୁତ ! ଆଜି ଏ ସମସ୍ତ ପରିବର୍ତ୍ତିତ । ଧନୀର ସନ୍ତାନ ତନ୍ତକାମ ଶିଖିବାକୁ ଆଗ୍ରହୀ, ବ୍ରାହ୍ମଣର ପୁତ୍ର ହଳଲଙ୍ଗଳ ଉପରେ ଗର୍ବ ସହକାରେ ନିଜ ହାତ ରଖିବାକୁ ଉଦ୍ୟତ, ଆମ ସମାଜରେ ଏ ଧରଣର ଘଟଣା ଯେ ଘଟି ପାରେ, ଆମେ କେବେ ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲୁ । ତର୍କ ଦ୍ୱାରା ତର୍କ ମେଣ୍ଟ ନାହିଁ, କେବଳ ଉପଦେଶ ଦ୍ଵାରା ଯୁଗ ଯୁଗର ସଂସ୍କାର ଘୁଞ୍ଚେ ନାହିଁ, କିନ୍ତୁ ସତ୍ୟ ଯେତେବେଳେ ଗୃହ କୋଣରେ ଗୋଟିଏ କ୍ଷୁଦ୍ର ଦୀପଶିଖା ଭଳି ପ୍ରଜ୍ଜ୍ୱଳିତ ହୋଇଉଠେ ସେତେବେଳେ ସମସ୍ତ କକ୍ଷର ଅନ୍ଧକାର ସ୍ୱତଃ ଦୂରୀଭୂତ ହୁଏ ।

 

ପୂର୍ବେ ଦେଶର ପ୍ରୟୋଜନ ସମୟରେ ଦ୍ୱାରେ ଦ୍ୱାରେ ଭିକ୍ଷା କଲେ ମଧ୍ୟ ଅର୍ଥ ତ ମିଳୁ ନ ଥିଲା, ବରଂ କେବଳ ଘୃଣାହିଁ ସାର ହେଉ ଥିଲା, କିନ୍ତୁ ଆଜି ହଠାତ୍ ଆହ୍ୱାନ ଆସିଲେ ଦେଶର ଲୋକମାନେ କୌଣସି ଅତ୍ୟାବଶ୍ୟକ ପ୍ରୟୋଜନ କଥା ଚିନ୍ତା ନ କରି ଆତ୍ମତ୍ୟାଗର ପ୍ରବଣତା ବଶତଃ ଆଗଭର ହୋଇ ନିଜର ସର୍ବସ୍ୱ ଦାନ କରିବାକୁ ପ୍ରସ୍ତୁତ । ଅତୀତରେ କେବଳ ସାମାନ୍ୟ କେତେଜଣ ଆଶାବାଦୀ ଲୋକ ଆମ ଦେଶର ଜାତୀୟ ବିଦ୍ୟାଳୟ ପ୍ରତିଷ୍ଠା ସମ୍ପର୍କରେ ଆଶାପୋଷଣ କରି ଥିଲେ । କିନ୍ତୁ ଯେଉଁ ମୁହୂର୍ତ୍ତରେ ଶକ୍ତିର ପ୍ରଥମ ସ୍ପନ୍ଦନ ଆମେ ଅନୁଭବ କଲୁ, କଳ୍ପନାର ସେହେ ଦୁର୍ଲ୍ଲଭ ସାମଗ୍ରୀ ଆମ ହାତମୁଠାକୁ ଚାଲିଆସିଲା । ଏ ପର୍ଯ୍ୟନ୍ତ ବଙ୍ଗଦେଶର ଲୋକମାନେ ଏକତ୍ର ହେଇ ବଡ଼ ବଡ଼ କାରଖାନା ଚଳାଇବାର ସାମର୍ଥ୍ୟ, ଶିକ୍ଷା ବା ଅଭିଜ୍ଞତା ଲାଭ କରି ନ ଥିଲେ । ଏସମସ୍ତ ଅସୁବିଧା ସତ୍ତ୍ୱେ ସେମାନେ ଇତି ମଧ୍ୟରେ ଗୋଟିଏ ବୃହତ୍ କାରଖାନା ବସାଇ ଚଳାଉଛନ୍ତି । ଏହା ସାଙ୍ଗକୁ ସେମାନେ ଆଉ କେତେଗୁଡ଼ିଏ ଛୋଟ ବଡ଼ ଶିଳ୍ପ ପ୍ରତିଷ୍ଠାରେ ପ୍ରବୃତ୍ତ ହୋଇଛନ୍ତି । ଜାତୀୟ ଆକାଙ୍‍କ୍ଷା ତା’ର ଉଦ୍ଦେଶ୍ୟମାନଙ୍କ ମଧ୍ୟରୁ ଥରେ ଗୋଟିକରେ ସଫଳ ହୋଇ ଦେଖାଇ ଦେଇଛି ଯେ ଜାତୀୟ ଶକ୍ତି ଦୁଃଖ ଓ କ୍ଷତିକୁ ଅତିକ୍ରମ କରି ମଧ୍ୟ ବିଜୟୀ ହୋଇପାରେ ଏବଂ ନାନା ଭାବରେ ଓ ନାନା କ୍ଷେତ୍ରରେ ନିଜକୁ ପୂର୍ଣ୍ଣ କରିବା ଦିଗରେ ଆମ୍ଭେମାନେ ଏଣିକି ଧାବିତ ହେବୁ ଏଥିରେ ସନ୍ଦେହର ଅବକାଶ ନାହିଁ ।

 

ହଠାତ୍‌ ଆମ୍ଭେମାନେ ଆମର ଜାତୀୟଶକ୍ତି ବିଷୟରେ ସଚେତନ ହେଲୁ । ପୁଣି ସେହି ଉପଲବ୍ଧ ହେତୁ ନିଜର ଏକ ବଡ଼ ଅଭାବ ଆମେ ଅନୁଭବ କରି ପାରିଲୁ । ଆମର ପ୍ରଭୂତ ଶକ୍ତିକୁ ଶୃଙ୍ଖଳିତ କରିବା ନିମନ୍ତେ କୌଣସି ବ୍ୟବସ୍ଥା ନାହିଁ, ଏହା ଆମେ ଲକ୍ଷ୍ୟ କଲୁ । ବାଷ୍ପ ନାନା ଭାବରେ ନଷ୍ଟ ହୋଇଯାଉଛି, ତାହାକୁ ଆବଦ୍ଧ କରି ରଖି ଜାତୀୟ ଲକ୍ଷ୍ୟସାଧନ ଦିଗରେ ନିୟୋଜିତ କରି ପାରିଲେ ଏହା ଆମର ଚିରସ୍ଥାୟୀ ଶକ୍ତିର ଉତ୍ସ ହେବ - ଏହି ଚିନ୍ତା ଆଜି ଆମକୁ ବ୍ୟାକୁଳ କରିଛି ।

 

ଆମ ମଧ୍ୟରେ ଏକ ଗଭୀର ଅଭାବ ବା ପୀଡ଼ା ଥିଲେ ଏବଂ ଯଥାର୍ଥ ଭାବେ ନିରୂପଣ ପୂର୍ବକ ତାର ପ୍ରତିକାର ବିଧାନ କରି ନ ପାରିଲେ ଆମେ କ୍ରୁଦ୍ଧ ଓ ଅକାରଣରେ ବିରକ୍ତ ହେଉ । ଅନେକ ସମୟରେ ଶିଶୁ ବିନା କାରଣରେ ରାଗିଯାଇ ମା’କୁ ମାରେ, ସେତେବେଳେ ମାଆ ବୁଝିବା ଉଚିତ ଯେ ଶିଶୁର ରାଗ ତା’ପ୍ରତି କେବଳ ବାହ୍ୟିକ, କିନ୍ତୁ ବସ୍ତୁତଃ ତାହା ଶିଶୁର ଅସ୍ୱାସ୍ଥ୍ୟର ଏକ ଅନିର୍ଦ୍ଦେଶ୍ୟ ନିଦର୍ଶନ । ସୁସ୍ଥ ଶିଶୁ ସୁଖୀ ଏବଂ ବିରକ୍ତିର କାରଣ ଅପସାରିତ ହେଲେ ସଙ୍ଗେ ସଙ୍ଗେ ସେ ତାହାକୁ ବିସ୍ମୃତ ହୁଏ । ସେହିପରି ଆଜି ଆମ୍ଭମାନଙ୍କ ନିଜ ନିଜ ମଧ୍ୟରେ ସୃଷ୍ଟି ହୋଇଥିବା କଳହର କାରଣ ଦେଶର କୌଣସି ଅନ୍ତର୍ନିହିତ ବିଶୃଙ୍ଖଳା ମଧ୍ୟରେ ନିହିତା । ଆମ୍ଭେମାନ ନିଜର ନବଜାତ ଶକ୍ତି ସମ୍ପର୍କରେ ସଚେତନ, କିନ୍ତୁ ଏହାର ବ୍ୟବହାର ବିଷୟରେ ଅଜ୍ଞ । ଉପଯୁକ୍ତ ବ୍ୟବସ୍ଥା ଓ ଶୃଙ୍ଖଳାର ଅଭାବରୁ ଜାତୀୟ ଉଦ୍ୟମର ଅପଚୟ ଆମକୁ ନିରାଶ କରିଛି । ଏହି କାରଣରୁ ଆଜି ଆମ୍ଭେମାନେ ଆତ୍ମୀୟମାନଙ୍କୁ ମଧ୍ୟ ସହ୍ୟ କରିବାକୁ ଅସମର୍ଥ ।

 

ଆମ ଦରିଦ୍ର ଦେଶ ବହୁ ପରିବାର ଦ୍ଵାରା ଭାରଗ୍ରସ୍ତ କିନ୍ତୁ ଏହାର ଆୟ ସ୍ୱଳ୍ପ । ତଥାପି ଏଠାରେ ଜାତୀୟ ପାଣ୍ଠି ନିମନ୍ତେ ଦିନକର ଉଦ୍ୟମରେ ଯଥେଷ୍ଟ ଅର୍ଥ ସଂଗୃହୀତ ହୋଇ ପାରିବ ଏହା ବର୍ତ୍ତମାନ ଆମେ ଆବିଷ୍କାର କରିଛୁ । ତେଣୁ ଦିନକର ଉଦ୍ୟମକୁ ଜୀବନର ଚିରସ୍ଥାୟୀ ବ୍ୟାପାର କରିବାରେ ଉପଯୁକ୍ତ ବ୍ୟବସ୍ଥାର ଅଭାବହିଁ ଆମର ପ୍ରଧାନ ପ୍ରତିବନ୍ଧକ ହୋଇଅଛି ଏବଂ ଏହା ଆମେ କିପରି ବା ଭୁଲିଯାଇ ପାରିବୁ ? କେବଳ ଏତିକି ନୁହେ ଆମ ସଂଗୃହୀତ ଚାନ୍ଦା କିପର ବିନିଯୁକ୍ତ ହେବ ତାହା ଆଜି ପର୍ଯ୍ୟନ୍ତ ସ୍ଥିର କରିବା ଆମ ପକ୍ଷରେ କଷ୍ଟକର ହୋଇଛି । ସ୍ତନର ଦୁଗ୍ଧସ୍ରାବ ନିରୁଦ୍ଧ ହେଲେ ମାତା ଭୀଷଣ ପୀଡ଼ା ଅନୁଭବ କରେ । ଠିକ୍‌ସେହିପରି ଆମେ ଗଚ୍ଛିତ ଅର୍ଥ ଆମ ପକ୍ଷରେ ଭୀଷଣ ପୀଡ଼ାଦାୟକ ହୋଇଛି ! ଦେଶର ଲୋକମାନେ ବର୍ତ୍ତମାନ ଦାନ ଦେବା ପାଇଁ ଓ କାର୍ଯ୍ୟ କରିବାକୁ ଉତ୍କଣ୍ଠିତ । କାହାକୁ କ’ଣ ଦେବାକୁ ହେବ ସେମାନେ ଜାଣିବାକୁ ଚାହାନ୍ତି । ଆମ୍ଭେମାନେ ଦେଶର ଉଦ୍ୟତ ଇଚ୍ଛାକୁ ଠିକ୍ ଦିଗରେ ପରିଚାଳିତ କରି ନ ପାରିଲେ ଏବଂ ସମସ୍ତ କାର୍ଯ୍ୟ ଅଧାପନ୍ତରିଆ ଓ ବିକ୍ଷିପ୍ତଭାବେ ସମ୍ପନ୍ନ ହେଲେ ଲୋକମାନେ ଅସନ୍ତୁଷ୍ଟ ହୋଇ ଭାଇ ମଧ୍ୟରେ କଳହ କରି ସେମାନଙ୍କ ଶକ୍ତିର ଅପଚୟ ଘଟାଇବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି କାରଣ ନାହିଁ ।

 

ଏପରି ଘଟିଲେ କଳହର ଉପଲକ୍ଷ୍ୟ ଅତ୍ୟନ୍ତ ଅସଙ୍ଗତ ମନେ ହୁଏ । ଆମ୍ଭମାନଙ୍କ ମଧ୍ୟରୁ କେତେକ କହନ୍ତି ବ୍ରିଟିଶ ସାମ୍ରାଜ୍ୟଭୁକ୍ତହୋଇ ଆମେ ସ୍ୱାୟତ୍ତଶାସନ ଚାହୁ । ଅନ୍ୟ କେତେକ କହନ୍ତି ବ୍ରିଟିଶ ସାମାଜ୍ୟ ବର୍ଜ୍ଜିତ ସ୍ୱାଧୀନତା ଆମର କାମ୍ୟ । ଏସମସ୍ତେ ଦାବୀ କେବଳ ମୌଖକ ବଚନ ମାତ୍ର ତାହା ଆମ୍ଭେମାନେ ଭୁଲିଯାଉଁ । ପୁଣି ଏଗୁଡ଼ିକ ଏତେ ସୁଦୂରବର୍ତ୍ତୀ ପ୍ରସଙ୍ଗ ଯେ ଆମର ଉପସ୍ଥିତ ଦାୟିତ୍ୱ ସହ ସେମାନଙ୍କର କୌଣସି ସଂଯୋଗ ନାହିଁ । ବିଧାତା ଯଦି ଏକ ହାତରେ ଔପନିବେଶିକ ସ୍ୱାୟତ୍ତ ଶାସନ ଓ ଅନ୍ୟ ହାତରେ ସ୍ୱାଧୀନତାରୂପକ ଦୁଇଟି ବର ଧରି ଆମ ସମ୍ମୁଖରେ ଆବିର୍ଭୂତ ହୁଅନ୍ତେ ଓ ମୁହୂର୍ତ୍ତକ ମଧ୍ୟରେ ଆମଠାରୁ ଆମର ଅଭୀଷ୍ଟ ଜାଣିବାକୁ ଇଚ୍ଛା ପ୍ରକାଶ କରନ୍ତେ ତା’ହେଲେ ଏକ ଆଶୁ ସିଦ୍ଧାନ୍ତରେ ପହଞ୍ଚିବା ପାଇଁ ପରସ୍ପର ସହ ସଙ୍ଘର୍ଷରତ ହେବାର କୌଣସି ଅର୍ଥ ଆଉ ନ ଥାନ୍ତା । କିନ୍ତୁ କ୍ଷେତ୍ର କର୍ଷିତ ନ ହେଉଣୁ ଫସଲ ଭାଗ ପାଇଁ ମୋକଦ୍ଦମା କରିବାର କି ଯଥାର୍ଥ୍ୟ ଅଛି ?

 

ଜାତି ତୁଲ୍ୟ ବ୍ୟକ୍ତି ନିମନ୍ତେ ମଧ୍ୟ ସ୍ୱାଧୀନତା ହେଉଛି ଚରମ ସିଦ୍ଧି । କିନ୍ତୁ ଆମର ଶାସ୍ତ୍ରମାନଙ୍କରେ ଉକ୍ତି ଅଛି ଯେ, ଆମ ପ୍ରକୃତି ମଧ୍ୟରେ ମୁକ୍ତିଲାଭର ନିଗୁଢ଼ ବାଧା ନିହିତ । ସେଗୁଡ଼ିକୁ ପ୍ରଥମ କର୍ମ ଦ୍ୱାରା ଅପସାରିତ କରିବାକୁ ହେବ । ଜାତୀୟ ମୁକ୍ତିର ପ୍ରଧାନ ପ୍ରତିବନ୍ଧକ ସମୂହ ସେହିପରି ଆମ ମଧ୍ୟରେ ନାନାଭାବରେ ବିଦ୍ୟମାନ । ସେଗୁଡ଼ିକୁ କର୍ମ ଦ୍ୱାରା ମୋଚନ କରିବାକୁ ପଡ଼ିବ, ତର୍କ ଦ୍ୱାରା ସେଗୁଡ଼ିକ କେବେ ଦ୍ରବୀଭୂତ ହୋଇ ନ ପାରେ । ବିବାଦ ଦ୍ଵାର ବସ୍ତୁତଃ, ସେଗୁଡ଼ିକ କେବଳ ବୃଦ୍ଧିପ୍ରାପ୍ତ ହେବେ । ମୁକ୍ତି କେତେ ପ୍ରକାରର ହୋଇ ପାରେ, ସାଯୁଜ୍ୟ ମୁକ୍ତି ଶ୍ରେୟ ବା ସ୍ୱାତନ୍ତ୍ର୍ୟ ମୁକ୍ତି ଶ୍ରେୟ ଇଚ୍ଛା କଲେ ଶାନ୍ତିପୂର୍ଣ୍ଣଭଭାବରେ ତା’ର ଆଲେଚନା ଆମେ କରି ପାରୁଁ । କିନ୍ତୁ ସାଯୁଜ୍ୟ ହେଉ ବା ସ୍ୱତାନ୍ତ୍ର୍ୟ ହେଉ କେବଳ କର୍ମ ଦ୍ୱାରା ଏହା ଲାଭ କରାଯାଇ ପାରେ । ଉଭୟର ଅନୁଗାମୀମାନ ଉପଲବ୍ଧ କରିବା ଉଚିତ ତର୍କ ଓ କଳହ ନୁହେଁ : କର୍ମହିଁ ଆମର ଆଶୁ କର୍ତ୍ତବ୍ୟ । ଏହି କର୍ମହିଁ ଆମକୁ ଶକ୍ତିଦାନ କରିବ । ଯେଉଁ ସ୍ଵାଭାବିକ କାରଣରୁ ଆମେ ଦରିଦ୍ର ଓ ଦୁର୍ବଳ, ବିଭକ୍ତ ଓ ପରତନ୍ତ୍ର ସେହି କାରଣଗୁଡ଼ିକୁ ଆମେ ଜାତୀୟ ଚରିତ୍ରକୁ ଘୁଞ୍ଚାଇ ଦେବା ଆବଶ୍ୟକ ।

 

ଦେଶସେବା କହିଲେ କ’ଣ ବୁଝାଯାଏ ଏବଂ ତା’ର ଯଥାର୍ଥ ଗତି କେଉଁ ଦିଗକୁ ହେବା ଉଚିତ୍‌ ସେ ସମ୍ବନ୍ଧରେ ଆମ ମଧ୍ୟରେ କୌଣସି ମତଭେଦ ଯେ ପ୍ରକୃତରେ ଅଛି, ଏହା ମୁଁ କ୍ଷଣକ ପାଇଁ ସୁଦ୍ଧା ଚିନ୍ତା କରି ପାରୁ ନାହିଁ । ଆମ କର୍ମର ଉଦ୍ଦେଶ୍ୟ କେବଳ ଉପସ୍ଥିତ କୌଣସି ଫଳଲାଭ ମାତ୍ର ନୁହେ । ଆମ ଅନ୍ତର୍ନିହିତ ଶକ୍ତିର ବିନିଯୋଗ ପାଇଁ କର୍ମ ଆବଶ୍ୟକ । ଉପଯୁକ୍ତ ସୁଯୋଗ ପାଇଲେ ଶକ୍ତି ନାନା ଆଶ୍ଚର୍ଯ୍ୟକର ଓ ଅଭାବନୀୟ ରୂପରେ ଅଭିବ୍ୟକ୍ତ ହୋଇଥାଏ ।

 

ସମ୍ଭବ ହେଲେ ସୁଦ୍ଧା ଶକ୍ତି ବିନିଯୋଗ ନ କରି ଫଳଲାଭ କରିବା ଆମ ପକ୍ଷରେ ହିତକର ହେବ ନାହିଁ । ବସ୍ତୁତଃ ଏପରି ଭାବରେ ଫଳଲାଭ ମଧ୍ୟ କରାଯାଇ ନ ପାରେ । ଅନ୍ୟର କୃପା ଦ୍ୱାରା ଶ୍ରେୟ ପଦାର୍ଥ ଆମେ ଲାଭ କରି ପାରିବା ନାହିଁ, ଏଥିପାଇଁ ଆମର ଶକ୍ତିହିଁ କେବଳ ଆବଶ୍ୟକ । ଏହି ନିୟମ ଅନ୍ୟଥା ହୋଇ ନ ପାରେ । ବିଧାତା ବରଂ ଆମକୁ ହତ୍ୟା କରି ପାରନ୍ତି କିନ୍ତୁ ମନୁଷ୍ୟକୁ ଅପମାନିତ କରିବାରେ ଆମ ଆକାଙ୍‍କ୍ଷାକୁ ସେ କେବଳ ପ୍ରଶୟ ଦେବେ ନାହିଁ ।

 

ସେଥିପାଇଁ ଆମ୍ଭେମାନେ ଦେଖୁଛୁ ଯେ ସରକାରଙ୍କୁ ଦାନ ସହିତ ଯେଉଁଠି ଆମ ଶକ୍ତିର ସହଯୋଗିତା ନାହିଁ, ସେଠାରେ ଉକ୍ତ ଦାନ ତିକ୍ତ ହୋଇ ଆମ ନିମନ୍ତେ ବିପଦର କାରଣ ହେଉଛି । ପ୍ରଶ୍ରୟପ୍ରାପ୍ତ ପୋଲିସ ଦସ୍ୟୁବୃତ୍ତି ଧାରଣ କଲେ ତାଙ୍କ ଅତ୍ୟାଚାରର କୌଣସି ପ୍ରତିକାର ନାହିଁ । ସରକାରଙ୍କ ପ୍ରସାଦପ୍ରାପ୍ତ ଗ୍ରାମପଞ୍ଚାୟତ ଗୁପ୍ତଚରର କାର୍ଯ୍ୟ ଆରମ୍ଭ କଲେ ଗ୍ରାମ ନିମନ୍ତେ ତାହା ଚରମ ଉଦ୍ୱେଗର କାରଣ ହୋଇଉଠେ । କୌଣସି ଶ୍ରେଣୀ ବିଶେଷ ଦେଶରେ ସ୍ୱତନ୍ତ୍ର ଅନୁଗ୍ରହ ଲାଭ କଲେ ଆମ ନିଜ ଲୋକଙ୍କ ମଧ୍ୟରେ ଈର୍ଷା ଓ ବିଦ୍ୱେଷ ଜଳିଉଠେ । ଆମ ନିଜ ମଧ୍ୟରେ ତେଜ ଓ ଶକ୍ତି ଥିଲେ ଏ ଧରଣର ବିଚ୍ୟୁତି ଓ ବିପଥ ଗମନ କେବେ ଘଟି ନ ଥାନ୍ତା । ଆମ୍ଭେମାନେ ଦାନ ଗ୍ରହଣ କରି ତାକୁ ଉପଯୋଗ କରିବାକୁ ସମର୍ଥ ହୋଇଥାନ୍ତୁ । ଦାନ ଆମ ପକ୍ଷରେ ସେତେବେଳେ ଆମ୍ଭ ସମର୍ପଣର ପ୍ରାଥମିକ ଅଭିନୟ ହୋଇ ନ ଥାନ୍ତା ।

 

ଅତଏବ ଏହାର ଅର୍ଥ ନୁହେ ଯେ ଆମର କର୍ମନିର୍ଘଣ୍ଟରେ ଆମେ ସରକାରଙ୍କ ନିକଟରୁ କୌଣସି ସାହାଯ୍ୟ ଗ୍ରହଣ କରିବୁ ନାହିଁ । କିନ୍ତୁ ନିଜର ସକଳ ଶକ୍ତି ପ୍ରୟୋଗ କରି କର୍ମର ପ୍ରବୃତ୍ତ ହେଲେ ଆମେ କୌଣସି ସ୍ଥାନରୁ ଦାନ ଗ୍ରହଣ କରିବାରେ ବାଧା ନାହିଁ, ଏହାହିଁ ହେଉଛି ପ୍ରକୃତ କଥା । ତା ନ ହେଲେ ପୁରାଣର ସେହି ଗଳ୍ପବର୍ଣ୍ଣିତ ମନୁଷ୍ୟ ପରି ଆମ ଦଶା ଉପସ୍ଥିତ ହେବ । ଥରେ ଜଣେ ଲୋକ ତା’ର ଅସାମର୍ଥ୍ୟ ସତ୍ତ୍ୱେ ମା’ କାଳୀଙ୍କ ନିକଟରେ ଗୋଟିଏ ମହିଷବଳୀ ଦେବାକୁ ମାନସିକ କଲା । କିନ୍ତୁ ଠାକୁରାଣୀ ଯେତେବେଳେ ଗୋଟିଏ ପତଙ୍ଗ ମାତ୍ର ଚାହିଲେ ସେତେବେଳେ ସେ ଉତ୍ତର ଦେଲା, ଦେବୀ ନିଜେ ଯାଇ ତାକୁ ଆଣନ୍ତୁ । ଆମ୍ଭେମାନେ ବଡ଼ ବଡ଼ କଥା କହିପାରୁ କିନ୍ତୁ ପ୍ରକୃତ ବେଳ ଆସି ପହଞ୍ଚିଲେ କ୍ଷୁଦ୍ରତମ ଦାୟିତ୍ୱ ସୁଦ୍ଧା ବହନ କରିବାକୁ ଆମେ ଅନିଚ୍ଛୁକ ହେବୁ ।

 

ନିଜର କାର୍ଯ୍ୟ ସମ୍ବନ୍ଧରେ ଆମେ ମନୋଯୋଗୀ ହୋଇ କ୍ରୋଧ, ଗର୍ବ ବା ଅନ୍ୟ କୌଣସିର ବଶୀଭୂତ ହେଲେ ବା ନିଶ୍ଚିତ ବସ୍ତୁକୁ ବାଦ ଦେଲେ ଚଳିବ ନାହିଁ । ଭାରତରେ ଇଂରେଜ ସରକାରଙ୍କ ଅସ୍ତିତ୍ୱ ପ୍ରତି ରୁଦ୍ଧିନେତ୍ର ହେବା କେବଳ ଶୟନକକ୍ଷର ଶଯ୍ୟା ଉପରେ ନିଷ୍କ୍ରିୟ ହୋଇ ପଡ଼ିଥିବାବେଳେ ସମ୍ଭବ ହୋଇ ପାରେ, କିନ୍ତୁ କର୍ମକ୍ଷେତ୍ରରେ ସେପରି ଆଚରଣ କଲେ ପ୍ରତି ପଦରେ ଆମକୁ ଦୁଃଖଭୋଗ କରିବାକୁ ପଡ଼ିବ ।

 

ଅବଶ୍ୟ ଏହା ସତ୍ୟ–ଇଂରେଜମାନେ ଆମ ଅସ୍ତିତ୍ୱକୁ ହେୟ ଜ୍ଞାନ କଲା ପରି ଆଚରଣ କରୁଛନ୍ତି । ତିରିଶ କୋଟି ଲୋକଙ୍କ ମଝିରେ ଥାଇ ସୁଦ୍ଧା ବହୁଦୂରରେ ସେମାନଙ୍କର ବସବାସ । ସମ୍ଭବତଃ ସେହି କାରଣରୁ ଆମ୍ଭମାନଙ୍କ ସହିତ ବ୍ୟବହାର ସମୟରେ ସେମାନେ ସମସ୍ତ ଅନୁପାତ ଜ୍ଞାନ ହରାଇଛନ୍ତି । ସେହି କାରଣରୁ ପନ୍ଦର ବର୍ଷ ବୟସ୍କ ସ୍କୁଲ ଛାତ୍ରର ଟିକିଏ ତେଜ ଦେଖିଲେ ମଧ୍ୟ ସେମାନେ ତାହାକୁ କାରାଗାର ମଧ୍ୟରେ ବେକ୍ରାଘାତ କରୁଛନ୍ତି ଏବଂ ସେଇଥିପାଇଁ ସେମାନେ ବୁଭୁକ୍ଷୁ ଲୋକମାନଙ୍କର ମୃତ୍ୟୁର ବିଲାପକୁ ମଧ୍ୟ ଅତିରଞ୍ଜିତ ଅଭିଯୋଗ ବୋଲି ଚିତ୍ରଣ କରୁଛନ୍ତି । ସେଇଥିପାଇଁ ମର୍ଲିଙ୍କ ପରି ଜଣେ ବ୍ୟକ୍ତି ସମଗ୍ର ବଙ୍ଗାଳୀ ସମ୍ପ୍ରଦାୟର ମର୍ମବାଣୀ ପ୍ରତି କର୍ଣ୍ଣପାତ ନ କରି ବଙ୍ଗ ବିଭାଗକୁ ଚରମ ନିଷ୍ପତିଭାବେ ଘୋଷଣା କରିବାକୁ ସମର୍ଥ ହୋଇଛନ୍ତି । ଏହିପରି ଇଂରେଜମାନଙ୍କର ଚିନ୍ତା, କର୍ମ ଓ ରାଷ୍ଟ୍ରବିଧାନରେ ଆମେ ବିରାଟ ଶୂନ୍ୟସ୍ଥାନ ଅଧିକାର କରିଥିବାର ଦେଖୁଛୁ । ଆମ୍ଭମାନେ ମଧ୍ୟ ଯେତେଦୂର ପାରୁ ସମାନ ପ୍ରତିଫଳ ଦେବା ନିମନ୍ତେ ସେମାନଙ୍କୁ ଅସ୍ୱୀକାର କରିବାର ଅଭିନୟ ଦେଖାଇବାକୁ ଇଚ୍ଛୁକ ।

 

ଇଂରେଜମାନେ ଆମକୁ ତାଙ୍କ ଖାତାରେ ଶୂନ୍ୟସ୍ଥାନରେ ବସାଇ ଦେଲେ ସୁଦ୍ଧା ଆମ୍ଭମାନେ ତ ଏକାନ୍ତ ଶୂନ୍ୟ ନୋହୁ । ଅନ୍ୟପକ୍ଷରେ ବ୍ରିଟିଶ୍‌ ହିସାବରକ୍ଷକମାନେ କ୍ରମାଗତ ଭାବରେ ପୂର୍ଣ୍ଣସଂଖ୍ୟାର ଅସ୍ତିତ୍ୱକୁ ଅସ୍ୱୀକାର କରିବା ଫଳରେ ସେମାନଙ୍କ ହିସାବ ଭୁଲ୍ ହୋଇଯାଉଛି । ବଳପୁର୍ବକ ‘ହଁ’ କୁ ‘ନା’ କଲେ ଗଣିତଶାସ୍ତ୍ର ଆମକୁ କ୍ଷମା କରିବ ନାହିଁ । କିନ୍ତୁ ସେମାନେ ଭୁଲ କଲେ ବୋଲି ଆମ୍ଭମାନେ କୃଦ୍ଧ ହୋଇ କଣ ସେଇ ଭୁଲ୍ କରିବା ? ଅନ୍ୟ ପ୍ରତି ବିରକ୍ତ ହୋଇ ଆମେ ନିଜ ଉପରେ ତା’ର ପ୍ରତିଶୋଧ ନେବା ସଙ୍ଗତ ହେବ କି ?

 

ପ୍ରତ୍ୟେକ ବିରୋଧ ହିଁ ଶକ୍ତିର କ୍ଷୟ, ଫଳତଃ ଅନାବଶ୍ୟକ ବିରୋଧ ଅପବ୍ୟୟ ମାତ୍ର । ଦେଶର ହିତସାଧନ ବ୍ରତ ଯେଉଁମାନେ ଗ୍ରହଣ କରିଛନ୍ତି ସେମାନଙ୍କୁ ପଦେ ପଦେ କଣ୍ଟକ ଉପରେ ଗତି କରିବାକୁ ପଡ଼ିବ ! କିନ୍ତୁ ଶକ୍ତିର ଔଦ୍ଧତ୍ୟ ପ୍ରକାଶ ନିମନ୍ତେ ସ୍ଵଦେଶର ଯାତ୍ରାପଥରେ କଣ୍ଟକ ରୋପଣ କରିବା କ’ଣ ଦେଶ ହିତୈଷିତା ? ବିଦେଶୀ ବସ୍ତୁ ବର୍ଜ୍ଜନ ନିମନ୍ତେ ଆମର ସଙ୍କଳ୍ପ ଆମ ଉପରେ ଗୁରୁଦାୟିତ୍ୱ ନ୍ୟସ୍ତ କରିଛି । ୟୁରୋପରେ ମଧ୍ୟ ନିଜ ଧନବୃଦ୍ଧିର ପଥ ଅବ୍ୟାହତ ରଖିବା ନିମନ୍ତେ ପୁଞ୍ଜିପତି ଶ୍ରମିକ ନିମନ୍ତେ କଠୋର ଆଇନ ପ୍ରଣୟନ କରିବାକୁ ଇଚ୍ଛୁକ । ଏଥିପାଇଁ ସେଠାରେ ଅତି ତୀବ୍ର ସଂଘର୍ଷ ପରିଲକ୍ଷିତ । ଆମ ଦେଶର ପୁଞ୍ଜିପତି କେବଳ ଧନୀ ନୁହେଁ, ସେ ଜେଲ୍‌ର ଦାରୋଗା, ଲିଭରପୁଲର ଲୁଣ ଖାଇ ତାର ଶରୀର ପରିପୃଷ୍ଟ ।

 

ଆମ ଦେଶର ସମ୍ପଦ ଅପହରଣ କରି ଇଂରେଜ ଆଜି ପୃଥିବୀର ଜାତିସମୂହ ମଧ୍ୟରେ ମୁଖ୍ୟ ଶକ୍ତି ଭାବେ ବିବେଚିତ । ତେଣୁ ନିଜ ଅଧିକାର ସେମାନେ ସହଜରେ ପରିତ୍ୟାଗ କରିବେ ଏହା ଆଶା କରାଯାଇ ନ ପାରେ । ଏପରି ଅବସ୍ଥାରେ ଆମ ସମ୍ମୁଖସ୍ଥ ସଂଘର୍ଷ ପିଲାଖେଳ ମାତ୍ର ନୁହେ, ଏଥିଲାଗି ଆମର ସକଳ ଶକ୍ତି ଓ ଧୈର୍ଯ୍ୟ ପ୍ରୟୋଜନ । ବୃଥା ଔଦ୍ଧତ୍ୟ ଓ ଅନାବଶ୍ୟକ ବାକ୍ୟ ପ୍ରୟୋଗ କରି କର୍ମର ଏହି ଦୁରୁହତାକୁ ଯେଉଁମାନେ ବଢ଼ାଇଦିଅନ୍ତି ସେମାନେ ମୁଖରେ ଦେଶସେବା ନାମ ଧରୁଥିଲେ ସୁଦ୍ଧା ଏହି ଉଦ୍ଦେଶ୍ୟ ସାଧନକୁ ବିଫଳ କରନ୍ତି । ଆମେ ପୂର୍ଣ୍ଣ ରୂପେ ନିଜର କର୍ମଭାର ବହନ କରିବା ଏବଂ କୌଣସି ପ୍ରକାରେ ପରାଭବ ସ୍ୱୀକାର କରିବା ନାହିଁ । ଦେଶର ଶିଳ୍ପ ବାଣିଜ୍ୟକୁ ସ୍ୱାଧୀନ କରିବା, ବିଦ୍ୟାଶିକ୍ଷାକୁ ନୂତନ ରୂପ ଦେବା ଓ ସମାଜକୁ ଦେଶର କର୍ତ୍ତବ୍ୟ ସାଧନୋପଯୋଗୀ ବଳିଷ୍ଟ କରିବା ଆମର ବ୍ରତ ହେବ । ଏହା କରିବା ନିମନ୍ତେ ଆମର ସକଳ ଶକ୍ତି ଆବଶ୍ୟକ ହେବ ଏବଂ ଏହି ଅଦ୍‌ଭୂତ କର୍ମରେ ଆମ୍ଭେମାନେ ପ୍ରାଣପଣେ ଉଦ୍ୟମ କରିବା । ଘରେ ବାହାରେ ଦାୟିତ୍ୱହୀନ ବିରୋଧର ବିଳାସରେ ଆମ୍ଭେମାନେ କେବେ ଲିପ୍ତ ହେବା ନାହିଁ । କାରଣ କେବଳ ପ୍ରାଚୁର୍ଯ୍ୟ ମଧ୍ୟଦେଇ ଦେଶସେବା କରାଯାଇ ନ ପାରେ, ବରଂ ଆତ୍ମ ସଂଯମ ଓ ଦୃଢ଼ ଉଦ୍ୟମ ଦ୍ୱାରାହିଁ ତାହା ସହଜସାଧ୍ୟ ।

 

ତା’ ହେଲେ ଏହି ବୃହତ୍ କର୍ମ ନିର୍ଘଣ୍ଟ ପ୍ରସ୍ତୁତ କରିବା ପାଇଁ ଆମକୁ କିପରି ଭାବରେ ଆରମ୍ଭ କରିବାକୁ ହେବ ? ପ୍ରାସାଦ ଉଚ୍ଚ ହେଲେ ମୂଳଭିତ୍ତି ସୁଦୃଢ଼ ହେବା ଉଚିତ । ଜାତୀୟ ଆକାଙ୍‍କ୍ଷାକୁ ପ୍ରତିଫଳିତ କରିବା ଭଳି ଏକ ଅଟ୍ଟାଳିକା ନିର୍ମାଣ କରିବାକୁ ଚାହିଁଲେ ପ୍ରତ୍ୟେକ ଜିଲ୍ଳାରୁ ଏହାର କାର୍ଯ୍ୟ ଆରମ୍ଭ କରି ପ୍ରତ୍ୟେକ ପ୍ରଦେଶ ନିମନ୍ତେ ଏକ ପ୍ରତିନିଧିସଭା ଗଠନ କରିବାକୁ ପଡ଼ିବ । ଏହି ପ୍ରାଦେଶିକ ପ୍ରତିନିଧିସଭା ପ୍ରତ୍ୟେକ ଗ୍ରାମରେ ସେମାନଙ୍କ ଶାଖା ଅନୁଷ୍ଠାନମାନ ସ୍ଥାପନ କରି ପ୍ରଦେଶର ସର୍ବାଞ୍ଚଳରେ ସମସ୍ତପ୍ରକାର ତଥ୍ୟ ସଂଗ୍ରହ କରିବ । କର୍ମର ଭୂମିକା ହିଁ ଜ୍ଞାନ ଏବଂ ଦକ୍ଷତା ସହକାରେ କର୍ମ ସମ୍ପାଦନ ନିମନ୍ତେ ବ୍ୟାପକ ଜ୍ଞାନ ବିତାନ୍ତ ଆବଶ୍ୟକ ।

 

ଦେଶର ସମସ୍ତ ଗ୍ରାମକୁ ନିଜର ପ୍ରୟୋଜନ- ସାଧନକ୍ଷମ କରି ଗଢ଼ିବା ଆମର ଲକ୍ଷ୍ୟ ହେବ । ଗୋଟିଏ ଗୋଟିଏ ଆଞ୍ଚଳିକ ମଣ୍ଡଳୀ ଗଠନ ନିମନ୍ତେ କେତେଗୁଡ଼ିଏ ଗ୍ରାମ ଏକତ୍ରିତ ହେବେ । ସେହି ମଣ୍ଡଳୀର ମୁଖ୍ୟମାନେ ଐକ୍ୟବଦ୍ଧ ଗ୍ରାମମାନଙ୍କର ସକଳ କର୍ମ ଓ ଅଭାବ ମୋଚନର ବ୍ୟବସ୍ଥା କରି ମଣ୍ଡଳକୁ ଆତ୍ମନିର୍ଭରଶୀଲ କରି ପାରିଲେ ସ୍ୱାୟତ୍ତଶାସନ ବାସ୍ତବରୂପ ଗ୍ରହଣ କରିବ । ଶିଜର ପାଠଶାଳା, ଶିଳ୍ପ ଶିକ୍ଷାଳୟ, ଶସ୍ୟାଗାର, ସମବାୟମୂଳକ ପଣ୍ୟଭଣ୍ଡାର ଓ ବ୍ୟାଙ୍କ ସ୍ଥାପନ କରିବା ନିମନ୍ତେ ସେମାନଙ୍କୁ ସହାୟତା ଦାନ କରି ସେଗୁଡ଼ିକର ପରିଚାଳନା ନିମନ୍ତେ ଶିକ୍ଷା ଦେବାକୁ ପଡ଼ିବ । ପ୍ରତ୍ୟେକ ମଣ୍ଡଳୀର ଗୋଟିଏ ଲେଖାଁଏ ସାଧାରଣ ସଭାମଣ୍ଡପ ଥିବ, ସେଠାରେ କର୍ମ ଓ ଆମୋଦି ସମସ୍ତେ ଏକତ୍ର ହେବେ ଏବଂ ଭାରପ୍ରାପ୍ତ ମୁଖ୍ୟମାନେ ସ୍ଥାନୀୟ କଳହ ଓ ବିବାଦ ଶୁଣି ସେଠାରେ ତାର ନିଷ୍ପତ୍ତି କରିବେ ।

 

ଜମିର ମାଲିକ ଓ ଚାଷୀ ପ୍ରତ୍ୟେକ ସ୍ଵତନ୍ତ୍ର ରହି ଚାଷବାସ କରୁଥିବା ପର୍ଯ୍ୟନ୍ତ କାହାରି ଅବସ୍ଥା ସ୍ୱଚ୍ଛଳ ହେବ ନାହିଁ । ପୃଥିବୀର ଚାରିଆଡ଼େ ଲୋକମାନେ ଶକ୍ତିଲାଭ ନିମନ୍ତେ ସଂଘ ଗଠନ କରୁଛନ୍ତି । ଆଧୁନିକ ଜଗତରେ ଯେଉଁମାନେ ବିଚ୍ଛିନ୍ନ ଓ ଏକକଭାବେ ରହିବେ ସେମାନଙ୍କୁ ଚିରଦିନ ଅନ୍ୟର ଗୋଲାମି ଓ ପରର ସୁଖ ଲାଗି ଅତି ନୀଚକର୍ମ କରିବାକୁ ପଡ଼ିଥିବ । ମିଳିତ ଉଦ୍ୟମରେ ଗୋଟିଏ ବନ୍ଧ ତିଆରି କରିବାକୁ ଆମେ ଯଦି ଏକ ନ ହେଉ ଆମ ଉଦ୍ୟମର ଫଳ କ୍ଷୁଦ୍ର କ୍ଷୁଦ୍ର ଜଳାଧାର ତୁଲ୍ୟ ପର୍ବତର ତାଲୁ ପଥ ଦେଇ ଅନ୍ୟର ଜଳାଶୟ ପୂର୍ଣ୍ଣ କରିବାକୁ କେବଳ ପ୍ରବାହିତ ହେବ । ସେତେବେଳେ ଆମେ ଅନ୍ୟମାନଙ୍କ ନିମନ୍ତେ ଖାଦ୍ୟ ଉତ୍ପାଦନ କରି ନିଜେ ଅନାହାରରେ କଷ୍ଟ ପାଇବା ଓ ତା’ର କାରଣ ମଧ୍ୟ ଆମେ ନର୍ଣ୍ଣୟ କରି ପାରିବା ନାହିଁ । ତେଣୁ ଯେଉଁମାନଙ୍କର ସେବା ଆମେ କରିବାକୁ ଚାହୁଁ ସେମାନଙ୍କୁ ପ୍ରଥମେ ସମ୍ମଳିତ କରିବାକୁ ପଡ଼ିବ ।

 

ୟୁରୋପରେ କୃଷିକର୍ମର ଶ୍ରମ ଲାଘବ କରିବା ପାଇଁ ନାନାପ୍ରକାର ଯନ୍ତ୍ରପାତି ଆବିଷ୍କୃତ; କିନ୍ତୁ ଚାଷଜମିର ଆକାରଗତ କ୍ଷୁଦ୍ରତା ଓ ନିଜ ଦାରିଦ୍ର୍ୟବଶତଃ ସେଗୁଡ଼ିକ ଆମ ବ୍ୟବହାରୋପଯୋଗୀ ନୁହେ । ଯଦି ଗୋଟିଏ ଗ୍ରାମ ବା ଏକ ମଣ୍ଡଳୀର କୃଷିକାରୀମାନେ ଅଧିକ ସୁବଧା ପାଇଁ ଏକତ୍ର ହୁଅନ୍ତି, ନିଜର ସମସ୍ତ ଜମି ସମବାୟମୂଳକ ଭିତ୍ତିରେ ଏକାଠି ମିଶାଇଦେଇ କୋଠଚାଷରେ ପ୍ରବୃତ୍ତ ହୁଅନ୍ତି, ଏହି ଆଧୁନିକ ଯନ୍ତ୍ରପାତି ବ୍ୟବହାର କରିବା ସେମାନଙ୍କ ପକ୍ଷରେ ସୁବିଧାଦାୟକ ଓ ଲାଭଜନକ ହୋଇପାରିବ । ଫଳରେ ଖର୍ଚ୍ଚ କମିଯାଇ ଉତ୍ପାଦନ ବୃଦ୍ଧିପ୍ରାପ୍ତ ହେବ-। ଗ୍ରାମରେ ଉତ୍ପନ୍ନ ହେଉଥିବା ସମସ୍ତ ଝୋଟ ଏକ ସାଧାରଣ କେନ୍ଦ୍ର ସ୍ଥାନକୁ ଅଣାଗଲେ ଗାଁରେ ଝୋଟକଳ ବସାଇବା ଲୋକଙ୍କ ପକ୍ଷରେ ସହଜସାଧ୍ୟ ହେବ । ଗାଁର ଗଉଡ଼ମାନେ ଏକାଠି ହେଲେ ଗୋପାଳନ କର୍ମରେ ଉନ୍ନତି ଘଟିବ । ସମାନ ଭାବ ଗାଁର ତନ୍ତୀମାନେ ସମବାୟମୂଳକ ଭିତ୍ତିରେ ନିଜ ସମ୍ବଳ ଲଗାଇ ଉନ୍ନତ କଳତନ୍ତ ବସାଇବାକୁ ସମର୍ଥ ହୋଇ ପାରିବେ !

 

ପୁଞ୍ଜୀପତିମାନଙ୍କ ଦ୍ୱାରା ପ୍ରତିଷ୍ଠିତ କଳ କାରଖାନାରେ କାମ କରିବାକୁ ସହରକୁ ଗଲେ ଶ୍ରମିକମାନଙ୍କର ମନୁଷ୍ୟତ୍ୱ କିପରି ନଷ୍ଟ ହୁଏ ତାହା ସମସ୍ତେ ଜାଣନ୍ତି । ବିଶେଷତଃ ଆମ ଦେଶର ସମାଜ ପୂର୍ଣ୍ଣରୂପେ ପାରିବାରିକ ଭିତ୍ତି ଉପରେ ପ୍ରତିଷ୍ଠିତ ହୋଇଥିବାରୁ ଏହି ବିପଦର ଆଶଙ୍କା ଏଠାରେ ଅଧିକ । ଥରେ ପାରିବାରିକ ଜୀବନ ବିଶୃଙ୍ଖଳ ହେଲେ ଧର୍ମର ଏକ ପ୍ରଧାନ ଅବଲମ୍ବନ ଅନ୍ତର୍ହିତ ହୋଇ ସମାଜର ମର୍ମସ୍ଥାନରେ ବିଷ ସଞ୍ଚାରିତ ହେବ । ଯଦି ଭାରତରେ ବଡ଼ ବଡ଼ କାରଖାନା ପ୍ରତିଷ୍ଠିତ ହୁଏ ଏବଂ ସହରରେ ଆବର୍ତ୍ତ ରଚନା କରି ତା’ର ଗହ୍ୱର ମଧ୍ୟକୁ ଦରିଦ୍ର ଗ୍ରାମବାସୀଙ୍କୁ ଆକର୍ଷଣ କରେ ତା’ହେଲେ ବାସସ୍ଥାନରୁ ବିଚ୍ଛିନ୍ନ ବହୁସଂଖ୍ୟକ ନରନାରୀ ନିରାନନ୍ଦମୟ କଳର ଗତାନୁଗତିକ କାର୍ଯ୍ୟରେ ନିଯୁକ୍ତ ହୋଇ ଅନୁମାନ କି ଧରଣର ଦୁର୍ଗ ମଧ୍ୟରେ ନିକ୍ଷିପ୍ତ ହେବେ ତାହା ସହଜରେ ଅନୁମାନ କରାଯାଇ ପାରେ । କଳ ଦ୍ୱାରା କେବଳ ଜିନିଷପତ୍ରର ଉତ୍ପାଦନ ବଢ଼ାଇବାକୁ ଯାଇ ମାନବିକ ମୂଲ୍ୟବୋଧ କ୍ଷୟପ୍ରାପ୍ତ ହେଲେ କୌଣସି ସମାଜ ତାହା ଅଧିକ କାଳ ସହ୍ୟ କରି ପାରିବ ନାହିଁ । ଅତଏବ ପଲ୍ଳୀବାସୀମାନେ ମିଳିତ ହୋଇ ପଲ୍ଳୀ ଅଞ୍ଚଳରେ ଯେଉଁ ସମସ୍ତ ଯନ୍ତ୍ରର ବ୍ୟବହାର ସମ୍ଭବପର ତାହାର ପ୍ରତିଷ୍ଠା କରି ପାରିଲେ ଆମର ପ୍ରକୃତ ମଙ୍ଗଳ ସାଧିତ ହେବ । ଏହା କେବଳ ଅର୍ଥନୀତି ଦିଗରୁ ଯେ ଏକ ଲାଭ ତା ନୁହେ, ଦେଶର ଜନସାଧାରଣଙ୍କୁ ଐକ୍ୟ ନୀତିରେ ଦୀକ୍ଷିତ କରିବାର ଏହା ଏକ ପ୍ରଧାନ ଉପାୟ । ପ୍ରତ୍ୟେକ ପ୍ରାଦେଶିକ ସଭା ଉପଦେଶ ଓ ଦୃଷ୍ଟାନ୍ତ ଦ୍ୱାରା ଯଦି ଗୋଟିଏ ମଣ୍ଡଳୀକୁ ଏହି ଭାବରେ ଗଢ଼ି ପାରେ ତା’ ହେଲେ ଏହି ଦୃଷ୍ଟାନ୍ତର ସଫଳତା ଦେଖୁ ଦେଖୁ ଦେଶର ଚାରିଆଡ଼େ ପରିବ୍ୟାପ୍ତ ହେବ ।

 

ଭାରତବର୍ଷର ପ୍ରଦେଶଗୁଡ଼ିକ ଆତ୍ମନିର୍ଭରଶୀଳ ଓ ଏହି ଭାବରେ ସଂଗଠିତ ହେଲେ ସମଗ୍ର ଦେଶ ନିମନ୍ତେ ଏକ କେନ୍ଦ୍ର ପ୍ରତିଷ୍ଠାର ବେଳ ଆସି ପହଞ୍ଚିବ । ସେତେବେଳେ ସେହି କେନ୍ଦ୍ରହିଁ ଭାରତବର୍ଷର ପ୍ରକୃତ ମର୍ମସ୍ଥାନ ହେବ । ଏହା ନ ହେବା ପର୍ଯ୍ୟନ୍ତ ଏକ କେନ୍ଦ୍ର ଗଠନର କୌଣସି ସାର୍ଥକତା ନାହିଁ । ପରିଧିର ଅସ୍ତିତ୍ୱ ନ ଥିବା ପର୍ଯ୍ୟନ୍ତ କେନ୍ଦ୍ରର କଳ୍ପନା କରାଯାଇ ନ ପାରେ । ଦେଶର କର୍ମ ନିମନ୍ତେ ଯେ ପର୍ଯ୍ୟନ୍ତ କଂଗ୍ରେସର କୌଣସି ଉଦ୍ୟୋଗ ନାହିଁ, କେବଳମାତ୍ର ଦୁର୍ବଳ ଦାବୀ ଉତ୍‌ଥାପନ ଓ ଦାୟିତ୍ୱହୀନ ପରାମର୍ଶ ଦେବା ନିମନ୍ତେ ତାହା ଏକ ସଭାମଞ୍ଚ ମାତ୍ର, ସେ ପର୍ଯ୍ୟନ୍ତ ଦେଶର ଶାସନରେ ଅଧିକାର ଦାବୀ କରିବା ପାଇଁ ଏହାର କୌଣସି କ୍ଷମତା ଓ ଶକ୍ତି କିପରି ଥାଇପାରେ ?

 

କଳ ଆସି ଆମର ହସ୍ତଶିଳ୍ପକୁ ହତ୍ୟା କଲା ପରି ଏକ ବିଦେଶୀ ଶାସନରେ ସର୍ବବ୍ୟାପୀ କଳ ଆମର ପ୍ରାଚୀନ ଗ୍ରାମ୍ୟ ସମାଜର ସହଜ ବ୍ୟବସ୍ଥାକୁ ନଷ୍ଟ କରି ଦେଉଛି । ପ୍ରୟୋଜନର ବିସ୍ତାର ହେତୁ କ୍ଷୁଦ୍ର ବ୍ୟବସ୍ଥା ବୃହତ୍‌ ବ୍ୟବସ୍ଥାରେ ପରିଣତ ହେଲେ ସାଧାରଣତଃ ଉତ୍ତମ ଫଳ ଦେଖାଯାଏ, କିନ୍ତୁ ଏହାର ବିକାଶ ସ୍ୱାଭାବିକ ହେବା ଉଚିତ । ଆମ ଗ୍ରାମ୍ୟ ବ୍ୟବସ୍ଥା କ୍ଷୁଦ ହେଲେ ସୁଦ୍ଧା ତାହା ପ୍ରକୃତରେ ଆମର ନିଜସ୍ୱ ଥିଲା । ବ୍ରିଟିଶ ବ୍ୟବସ୍ଥା ଯେତେ ବୃହତ୍ ହେଲେ ସୁଦ୍ଧା ତାହା ଆମର ନୁହେ, ପରସ୍ୱ । ସୁତରାଂ ସେମାନେ ଆମକୁ ଯେ କେବଳ ନିଷ୍କ୍ରିୟ କରିଛନ୍ତି ତାହା ନୁହେ, ଆମର ସକଳ ପ୍ରୟୋଜନ ଠିକ୍‌ରୂପେ ପୂରଣ କରିବାରେ ବିଫଳ ହୋଇଛନ୍ତି । ନିଜର ଚକ୍ଷୁ ନଷ୍ଟ ହୋଇଛି ବୋଲି ଅପରରେ ଚକ୍ଷୁ ସାହାଯ୍ୟରେ କାର୍ଯ୍ୟ ଚଳାଇବାର ଇଚ୍ଛା କଦାପି ସଙ୍ଗତ ନୁହେ ।

 

ଗ୍ରାମବାସୀଙ୍କ ସମ୍ମୁଖରେ ଲୋକହିତକର କୌଣସି ଉଚ୍ଚ ଆଦର୍ଶ କିମ୍ବା ଆତ୍ମୋତ୍ସର୍ଗର ଜୀବନ୍ତ ଦୃଷ୍ଟାନ୍ତ ଆଉ ନାହିଁ । ପୁଣି ଅନ୍ତରର ଚେତନାଲବ୍‌ଧ ନୈତିକ ଧାରଣା ସେମାନଙ୍କଠାରେ ମଧ୍ୟ ଅଭାବ । ହୃଦୟହୀନ ଆଇନର ଯାନ୍ତ୍ରିକ ଅବରୋଧ ହେତୁ ସେମାନେ ଅରାଜକତାରୁ ରକ୍ଷା ପାଇଛନ୍ତି । ମାତ୍ର ପରସ୍ପର ବିରୋଧୀ ମିଥ୍ୟା ମାମଲାର ନଖପ୍ରସାରପୂର୍ବକ ଉନ୍ମତ୍ତ ଭାବରେ ପରସ୍ପରକୁ ଛିନ୍ନ କରିବାକୁ ଉଦ୍ୟତ । ସେମାନଙ୍କୁ ପ୍ରକୃତିସ୍ଥ କରିବାକୁ କେହି ନାହିଁ । ଇତ୍ୟବସରରେ ଗ୍ରାମ ଜଙ୍ଗଲରେ ପରିଣତ, ମେଲେରିଆ ଦ୍ୱାରା ଦେଶ ଧ୍ୱସ୍ତବିଧ୍ଵସ୍ତ; ଦୁର୍ଭିକ୍ଷ ବାରମ୍ବାର ପରିଦୃଷ୍ଟି ଏବଂ ଅଭାବ ପଡ଼ିଲେ ପରବର୍ତ୍ତୀ ଫସଲ ଅମଳ ପର୍ଯ୍ୟନ୍ତ କ୍ଷୁଧା ନିବାରଣପୂର୍ବକ ଜୀବନ ଧାରଣ ନିମନ୍ତେ ସଞ୍ଚୟ-ଭଣ୍ଡାର ମଧ୍ୟ ନିଃଶେଷିତ । ଚୋର ଡକାୟତଙ୍କ ଉପଦ୍ରବରୁ କିମ୍ବା ଏହି ଅପରାଧର ତଦନ୍ତ ବାହାନାରେ ପୋଲିସ ଘରେ ପଶିଲେ ତାଙ୍କ ଦାଉରୁ ଗୃହ ରକ୍ଷା ନିମନ୍ତେ କୌଣସି ସାମାଜିକ ଦାୟିତ୍ୱବୋଧ ବା ମନୁଷ୍ୟତ୍ୱ ଆଜି ଆଉ ନାହିଁ । ପୁଣି ଯେଉଁ ଖାଦ୍ୟ ଗ୍ରହଣ କରି ଶରୀର ବଳଲାଭ କରେ ଓ ବ୍ୟାଧି ପ୍ରତିରୋଧ କରିବାକୁ ସମର୍ଥ ହୁଏ ତାହା ଆଜି ବା କାହିଁ ? ଦୁଗ୍ଧ ଦୁର୍ମୂଲ୍ୟ, ଘୃତ ଦୂଷିତ, ମତ୍ସ୍ୟ ଦୁର୍ଲ୍ଲଭ ଏବଂ ତୈଳ ବିଷାକ୍ତ । ଯେଉଁ କେତେକ ଦେଶୀୟ ରୋଗ ଥିଲା ତାହା ଆମର ବର୍ଦ୍ଧିତ ପ୍ଳୀହା ଓ ଯକୃତ ଉପରେ ସିଂହାସନ ମାଡ଼ିବସିଛି । ସେମାନଙ୍କ ସଙ୍ଗକୁ ବିଦେଶୀ ବ୍ୟାଧି ଗୁଡ଼ିକ ଅତିଥି ଭାବରେ ଆସି କୁଟୁମ୍ବରୂପେ ବସବାସ କରିଛନ୍ତି ।

 

ଆଜି ଅନ୍ନ ନାହିଁ, ସ୍ୱାସ୍ଥ୍ୟ ନାହିଁ, ଆନନ୍ଦ ନାହିଁ, ଭରସା ନାହଁ; ପଡ଼ୋଶୀକୁ ସାହାଯ୍ୟ କରିବା ନିମନ୍ତେ ମଧ୍ୟ ଲୋକର ଅଭାବ । ବିପଦ ଉପସ୍ଥିତ ହେଲେ ଆମେ ତାକୁ ନତମସ୍ତକରେ ଗ୍ରହଣ କରୁଛୁ । ମୃତ୍ୟୁ ଭୟ ଉପସ୍ଥିତ ହେଲେ ନିଶ୍ଚେଷ୍ଟ ଭାବରେ ଆତ୍ମସମର୍ପଣ କରି, ନ୍ୟାୟ ଲାଭରୁ ବଞ୍ଚିତ ହେଲେ ନିଜ ଭାଗ୍ୟକୁ ନିନ୍ଦା କରି, ପ୍ରତିବେଶୀମାନେ ବିପଦରେ ପଡ଼ିଲେ ଦୈବ ଉପରେ ନିର୍ଭର କରି ଆମେ ନିଷ୍କ୍ରିୟ ରହୁ । ଏହାର କାରଣ ବୃକ୍ଷର ମୂଳଚେର ରୋଗଗ୍ରସ୍ତ ହେଲା ପରି ଆମର ଅବସ୍ଥା ସୃଷ୍ଟି ହୋଇଛି । ଆମକୁ ଜୀବନଧାରଣ ନିମନ୍ତେ ଖାଦ୍ୟ ଯୋଗାଉଥିବା ଭୂମି ଆଜି ଶୁଷ୍କ, ଜାତିର ମାତୃଭୂମି ଓ ଜାତୀୟ ଉଦ୍ୟମର ସହାୟକ ଗ୍ରାମ୍ୟ ସମାଜ ଆଜି ଛିନ୍ନ ବିଚ୍ଛିନ୍ନ ଓ ମୃତକଳ୍ପ । ଏହାର ଜୀବନ ଅନୁଷ୍ଠାନଗୁଡ଼ିକ ଆଜି ନିର୍ମୂଳ ହୋଇ ଛିନ୍ନମୂଳ ଶୁଷ୍କ କାଷ୍ଠ ଖଣ୍ଡ ସଦୃଶ କାଳ ସ୍ରୋତରେ ଭାସମାନ ।

 

ଦେଶ ମଧ୍ୟରେ ବାହାରର ପରିବର୍ତ୍ତନ ପ୍ରବେଶ କଲେ ପୁରାତନ ସାମାଜିକ ବିଧି ବ୍ୟବସ୍ଥା ଅବ୍ୟବହାର ହେତୁ ଭାଙ୍ଗିଯାଇ ମୃତ ହୁଏ । ନୂତନ କାଳର ପ୍ରୟୋଜନୋପଯୋଗୀ ନୂତନ ବ୍ୟବସ୍ଥାର ପ୍ରବର୍ତ୍ତନ କରି ନ ପାରି ବହୁ ଜାତି ଇତିହାସର ସନ୍ଧି କ୍ଷଣରେ ପୃଥିବୀ ପୃଷ୍ଠରୁ ଲୁପ୍ତ ହୋଇ ଯାଇଛନ୍ତି । ଆମ୍ଭେମାନେ କ’ଣ ଧୀରେ ଧୀରେ ଆମ ଜାତିର ଧ୍ୱଂସ ଉଦାର ଚକ୍ଷୁରେ ଦେଖି ସନ୍ତୁଷ୍ଟ ହେବା ? ମେଲେରିଆ, ଦୁର୍ଭିକ୍ଷ ଓ ମହାମାରୀ–ଏଗୁଡ଼ିକ ଆକସ୍ମିକ ଦୁର୍ବିପାକ ନୁହନ୍ତି, ବରଂ ମଜ୍ଜାଗତ ବ୍ୟାଧିର ଲକ୍ଷଣ । ଏସମସ୍ତ ଦୁର୍ଘଟଣା ଅପେକ୍ଷା ଉଭୟଙ୍କର ଦୁର୍ଲକ୍ଷଣ ଆମ ଦେଶର ହୃଦୟନିହିତ ହତାଶା ଓ ନିଶ୍ଚେଷ୍ଟତା । ଯେତେବେଳେ ଗୋଟିଏ ଜାତି ଆତ୍ମପ୍ରତ୍ୟୟ ହରାଏ ଓ ନିଜ ପାଇଁ କିଛି କରିବାକୁ ସେ ସମର୍ଥ ଏହି ବିଶ୍ୱାସ ତା’ର ଅଧିକ କାଳ ଆଉ ରହେ ନାହିଁ, ଯେତେବେଳେ ଭାଗ୍ୟର ବିଧାନ ବୋଲି ସେ ଘଟଣାମାନଙ୍କ ନିକଟରେ ନିଜକୁ ସମର୍ପଣ କରି ସନ୍ତୁଷ୍ଟ ରହେ ଏବଂ ନିଃସହାୟ ଓ ଆଶାଶୂନ୍ୟ ନିଷ୍କ୍ରିୟତା ମଧ୍ୟରେ କରୁଣ ଭାବରେ ନିଜ ଲଲାଟରେ କରଚାଳନା କରେ ସେତେବେଳେ ସେ କେବେହେଁ ସାମାନ୍ୟ ଆକ୍ରମଣ ସହ୍ୟ କରି ପାରେ ନାହିଁ ଏବଂ କ୍ଷୁଦ୍ରତମ କ୍ଷତ ମଧ୍ୟ ତା’ ପକ୍ଷରେ ବିଷାକ୍ତ ଓ ପ୍ରାଣଘାତୀ ହୋଇ ଉଠେ । ଜାତି ମୃତ୍ୟୁକୁ ଭୟ କରି ମୃତ୍ୟୁବରଣ କରିଥାଏ ।

 

ଆମର ଜାତୀୟ ଚେତନା ସମାଜର ସର୍ବତ୍ର ସମାନଭାବେ ପ୍ରସାରିତ ନୁହେ, ତାହା ଗୋଟିଏ ଛୋଟ ପରୀକ୍ଷାରୁ ଜଣାଯିବ । ଆମର ବେଦନାବୋଧ କେବଳ ସହରରେ ପୁଣି ସହରର ଗୋଟିଏ ନିର୍ଦ୍ଦିଷ୍ଟ ଅଂଶରେ ନିହିତ । ସ୍ୱଦେଶୀ ଆନ୍ଦୋଳନ ସହରର ଶିକ୍ଷିତ ସମ୍ପ୍ରଦାୟ ପ୍ରବର୍ତ୍ତନ କରିଥିଲେ କିନ୍ତୁ ମୋଟ ଉପରେ ସେମାନେ ବେଶ୍ ନିରାପଦ ଥିଲେ; ଗ୍ରାମବାସୀମାନେହିଁ ସେଥିଲାଗି ବିପଦରେ ପଡ଼ିଛନ୍ତି । ସମସ୍ତଙ୍କୁ ଚାପି ଦେଉଥିବା ଜଗଦ୍ଦଳ ପଥର ବିଷୟ ଆମେ ସମସ୍ତେ ରୂପକଥାରେ ଶୁଣିଛୁ । ବର୍ତ୍ତମାନ ରାଷ୍ଟ୍ରଶାସନରେ ରୂପକଥାର ଉକ୍ତ ଜଗଦ୍ଦଳ ପଥର ଶାସ୍ତିଦାତା ପୋଲିସର ବାସ୍ତବ ମୂର୍ତ୍ତି ଧରି ଗ୍ରାମର ବକ୍ଷ ଉପରେ ବସିଛି । କିନ୍ତୁ ଅସହାୟ ଗ୍ରାମବାସୀଙ୍କୁ ଚାପି ଦେଉଥିବା ଏହି ଭାରରେ ଆମେ ସମସ୍ତେ କାହିଁକି ଭାଗୀ ନ ହେବା ? ଆମ୍ଭେମାନେ ହୃଦୟରେ କଷ୍ଟ ଅନୁଭବ କରି, ଦୁଃଖକୁ ଭାଗ କରି ନେଇ ସେହି ବେଦନାକୁ ସମାନଭାବେ ବରଣ କରିବା ନାହିଁ କାହିଁକି ? ଯଦି ସ୍ଵଦେଶୀ ମତ ପ୍ରଚାର ଅପରାଧ ହୁଏ ତେବେ ଆମ୍ଭେମାନେ ସମସ୍ତେ ସମାନଭାବେ ଅପରାଧୀ । ଏହାର ଭାର ବହନ କରିବାରେ ଆମେ ମିଳିତ ହୋଇ ଯଦି ସମ ଅଂଶ ଗ୍ରହଣ କରୁ, ଏହା ଆଉ ବେଦନା ହୋଇ ରହିବ ନାହିଁ, ବରଂ ତାହା ଜାତୀୟ ଉନ୍ନତିର ଏକ ଉତ୍ସ ହେବ ।

 

ଯାହା ହେଉ ନା କାହିଁକି କେବଳ ଦୂରରେ ଥାଇ ଅର୍ଥଦାନ କଲେ ହିତସାଧନ ହେବ ନାହିଁ । କିଛିକାଳ ପୂର୍ବେ ମୁଁ ଜାଣିବାକୁ ପାଇଲି ଯେ ଜଣେ ଉଚ୍ଚପଦସ୍ଥ ପୋଲିସ କର୍ମଚାରୀ କେତେକ ମତ୍ସ୍ୟଜୀବୀଙ୍କର ଗୁରୁତର ଅନିଷ୍ଟ ସାଧନ କରି ସୁଦ୍ଧା ତହିଁରେ ସନ୍ତୁଷ୍ଟ ନ ହୋଇ ସ୍ଥାନୀୟ ତଦନ୍ତର ଉପଲକ୍ଷ୍ୟରେ ସମଗ୍ର ଗ୍ରାମରେ ଉତ୍ପୀଡ଼ନ ସୃଷ୍ଟି କରିଛନ୍ତି । ମୁଁ କେଉଟମାନଙ୍କୁ ପାଖକୁ ଡକାଇ ଆଣିଲି ଏବଂ ସେମାନଙ୍କର ଅଧିକାର ରକ୍ଷା ସକାଶେ କଲିକତାରୁ ଜଣେ ପ୍ରବୀଣ ଓକିଲି ଆଣି ମକଦ୍ଦମା ଚଲାଇବାକୁ ଖର୍ଚ୍ଚ ଦେବା ପାଇଁ ଇଚ୍ଛା ପ୍ରକାଶ କଲି । ସେମାନେ କିନ୍ତୁ ହାତଯୋଡ଼ି କହିଲେ, “ହଜୁର ! ମକଦ୍ଦମାରେ ଆମେ ଜିତିଲେ ସୁଦ୍ଧା କି ଲାଭ ? ପୋଲିସ ସବୁବେଳେ ଆମ ସଙ୍ଗରେ ଲାଗିବେ ଏବଂ ଆମେ କେବେହେଲେ ଶାନ୍ତିରେ ବାସ କରି ପାରିବୁ ନାହିଁ ।’’ ମୁଁ ଭାବି ଦେଖିଲି ଯେ ସେମାନଙ୍କ କଥା ପ୍ରକୃତରେ ଠିକ୍ । ଦୁର୍ବଳ ଲୋକ ଜିତିଲେ ସୁଦ୍ଧା କଷ୍ଟଭୋଗ କରେ-। ଅସ୍ତ୍ରୋପଚାର ଚମତ୍କାରଭାବେ ସଫଳ ହୋଇ ପାରେ । କିନ୍ତୁ ଦୁର୍ବଳ ରୋରୀ ମୃତ୍ୟୁମୁଖରୁ ରକ୍ଷା ପାଇ ପାରେ ନାହିଁ । ଶକ୍ତିଦାନହିଁ ପ୍ରକୃତ ଦାନ, ଅନ୍ୟ ସକଳ ଦାନ ବୃଥା ।

 

ଗୋଟିଏ ଗଳ୍ପ ଅଛି, ଛେଳିଛୁଆଟିଏ ଥରେ ବ୍ରହ୍ମାଙ୍କ ନିକଟରେ ପହଞ୍ଚି କାନ୍ଦି କାନ୍ଦି ବହିଲା, “ପ୍ରଭୋ ! ତୁମ ସୃଷ୍ଟିରେ ସମସ୍ତେ ମୋତେ ଖାଇବାକୁ ଇଚ୍ଛା କରନ୍ତି କାହିଁକି ? ବ୍ରହ୍ମା ଉତ୍ତର ଦେଲେ, “ବତ୍ସ ! ମୁଁ କଅଣ କରିବି । ଅନ୍ୟକୁ ବା କାହିଁକି ଦୋଷ ଦେବି ? ତୋତେ ଅନାଇଲେ ମୋ ନିଜର ମଧ୍ୟ ଲୋଭ ଜାତ ହେଉଛି ।”

 

ପୃଥିବୀରେ ଅକ୍ଷମ ଅଯୋଗ୍ୟ ବ୍ୟକ୍ତି ସର୍ବଦା ସୁବିଚାର ପାଇ ପାରିବ ଏପରି ବ୍ୟବସ୍ଥା ଈଶ୍ୱର ମଧ୍ୟ କରି ପାରି ନାହାନ୍ତି । ତା’ ହେଲେ ଆମ୍ଭେମାନେ ଶାସନତନ୍ତ୍ର ବା ପାର୍ଲିଆମେଣ୍ଟଠାରୁ ସୁବିଚାର ପାଇବା ନିମନ୍ତେ ବୃଥା ଆଶା କାହିଁକି ପୋଷଣ କରୁଛୁ ? ଏହି ପରିସ୍ଥିତିରେ ସାଧୁ ଇଚ୍ଛା ପୋଷଣ ଅପ୍ରାସଙ୍ଗିକ । ଦୁର୍ବଳର ସଂସ୍ପର୍ଶରେ ଆସି ଆଇନ ମଧ୍ୟ ଦୁର୍ବଳ ହୁଏ । ପୋଲିସ ନିଜେ ବିଭୀଷିକାରେ ପରିଣତ ହୁଏ ଏବଂ ରକ୍ଷାକର୍ତ୍ତାଭାବରେ ଆମେ ପୋଲିସ ବିପକ୍ଷରେ ଯାହାର ଆଶ୍ରୟ ଗ୍ରହଣ କରୁ ସେ ପୋଲିସର ଧର୍ମବାସ ହୋଇ ତାକୁ ରକ୍ଷା କରନ୍ତି ।

 

ପ୍ରଜାମାନଙ୍କୁ ଶକ୍ତିଶାଳୀ କରିବାକୁ ଉଦ୍ୟତ ହେବା ଆମ ଶାସକମାନଙ୍କର ବର୍ତ୍ତମାନ ନୀତିବିରୁଦ୍ଧ, ଏହା ଆମେ ଉପଲବ୍ଧି କରିବା ଉଚିତ । ଯେଉଁ ଲୋକ ପୋଲିସ କମିଶନରେ ରହି ନିଜର ନ୍ୟାୟ ବିଚାର ବୁଦ୍ଧି ପ୍ରୟୋଗ କରି ପୋଲିସକୁ ଅତ୍ୟାଚାରୀ ବୋଲି ଘୋଷଣା କରିଥିଲେ ସେ ପୁଣି ଶାସକ ଗାଦିରେ ବସି କର୍ମବୁଦ୍ଧିର ତାଡ଼ନାରେ ପୋଲିସର ଦାୟିତ୍ୱହୀନ ଶକ୍ତି ଉପରେ ସାମାନ୍ୟ ଆଞ୍ଚ ଆସିଲେ ଅସହ୍ୟ ବେଦନାରେ ଅଶ୍ରୁବର୍ଷଣପୂର୍ବକ ତାକୁ ଅଭୟ ଦାନ କରିବାକୁ ଆବଶ୍ୟକ ମନେ କରୁଛନ୍ତି । ପ୍ରଜାମାନେ ଶକ୍ତିଲାଭ କରି ଅଧିକ ବଳଶାଳୀ ହେଲେ ତାଙ୍କ ନିମନ୍ତେ ସେମାନେ ଯେ ସମସ୍ୟା ହେବେ ସମ୍ଭବତଃ ଏହି ଭୟରେ ସେ ଆତଙ୍କିତ । ଯଦି ଛେଳିଛୁଆ ଅନ୍ୟମାନଙ୍କ ଦାନ୍ତକୁ ଶକ୍ତିଲାଗେ ଦେବତାଙ୍କ ପାଟିକୁ ମଧ୍ୟ ତାହା କେବେ ରସାଳ ଲାଗିବ ନାହିଁ । ବାସ୍ତବିକ ଦେବତାମାନେ ମଧ୍ୟ ଦୁର୍ବଳର ଘାତକ–‘ଦେବାଃ ଦୁର୍ବଳଘାତକାଃ ।’

 

ସେହି କାରଣରୁ ଦେଶର ଜମିଦାରମାନଙ୍କୁ ମୋର ବିନୀତ ଅନୁରୋଧ ସେମାନେ ନିଜର ପ୍ରଜାମାନଙ୍କୁ ଉପଯୁକ୍ତଭାବେ ଶିକ୍ଷିତ, ବଳିଷ୍ଟ ଓ ସୁସ୍ଥ କରିବା ପାଇଁ ସାହାଯ୍ୟ କରିବା ଏକାନ୍ତ ବାଞ୍ଛନୀୟ । ଫଳତଃ ପ୍ରଜାମାନେ ନିଜକୁ ଜମିଦାର ବା ଅନ୍ୟମାନଙ୍କ ଅତ୍ୟାଚାରରୁ ମୁକ୍ତ କରି ଆତ୍ମରକ୍ଷା କରିବାକୁ ସମର୍ଥ ହେବେ । ଏହା ନ ହେଲେ କେବଳ ଆଇନ କରି କିମ୍ବା ସରକାରୀ ଅନୁଗ୍ରହ ପ୍ରଦର୍ଶନପୂର୍ବକ ପ୍ରଜାମାନଙ୍କ ଅଧିକାର ସୁରକ୍ଷିତ କରାଯାଇ ପାରିବ ନାହିଁ । ସେମାନଙ୍କ ଦୁର୍ବଳତା ଦେଖିବା ମାତ୍ରକେ ଅନ୍ୟମାନଙ୍କ ଜିହ୍ୱା ଲଲାୟିତ ହେବ । ଜମିଦାର, ମହାଜନ, ପୋଲିସ, କାନୁନଗୋ ଓ ଅଦାଲତର ଅମଲାମାନଙ୍କର ପାଲରେ ଆମ ଦେଶର ଅଧିକାଂଶ ଲୋକ ସହଜରେ ପଡ଼ୁଥିବା ପର୍ଯ୍ୟନ୍ତ ଦେଶର ମନୁଷ୍ୟତ୍ୱର ପୁନରୁଦ୍ଧାର କିପରି ସମ୍ଭବ ହେବ ? ଆମ ଦେଶର ଲୋକମାନେ ପ୍ରକୃତ ମଣିଷ ହେବାକୁ ନ ଶିଖିବା ଯାଏ ପ୍ରବଳ ପରାକ୍ରାନ୍ତ ଶାସନକର୍ତ୍ତା ହେବା ନିମନ୍ତେ କିପରି ବା ସେମାନଙ୍କୁ ଶିକ୍ଷା ଦିଆଯିବ ?

 

ଅବଶେଷରେ ହେ ଦୃଢ଼ସଂକଳ୍ପ ଯୁବକଗଣ ! ସମସ୍ତ ସଙ୍କଟକୁ ଉପେକ୍ଷା କରି ତୁମ୍ଭେମାନେ ସ୍ୱଦେଶ ହିତ ନିମନ୍ତେ ସ୍ଵଚ୍ଛାବ୍ରତ ଗ୍ରହଣ କରିଛି । ମାତୃଭୂମିର ଆଶୀର୍ବାଦ ତୁମ ଉପରେ ବର୍ଷିତ ହେଉ । ରକ୍ତବର୍ଣ୍ଣ ପ୍ରତ୍ୟୁଷରେ ସର୍ବପ୍ରଥମେ ଜାଗ୍ରତ ହୋଇ ଦିବସବ୍ୟାପୀ କର୍ମର ଦ୍ୱନ୍ଦ୍ୱ ସଂଘାତ ଓ ଦୁଃଖ ତୁମ୍ଭେମାନେ ସହ୍ୟ କରିଛି । ତୁମର ଉଦ୍‌ବୋଧିତ ପୁରୁଷତ୍ୱ ଯୁଦ୍ଧଭୂମିର ବଜ୍ର ଝଙ୍କାରରେ କେବଳମାତ୍ର ଘୋଷିତ ହୋଇ ଉଠିନାହିଁ, କରୁଣା ବାରି ବର୍ଷଣ କରି ତୃଷାତୁର ଦେଶରେ ପ୍ରଚୁର ଜଳପ୍ରବାହ ସୃଷ୍ଟି କରିଛି । ଯେଉଁମାନେ ପତିତ ଥିଲେ, ସମସ୍ତେ ଯାହାଙ୍କୁ ଅବଜ୍ଞା କରୁଥିଲ, ଘୃଣିତ ଓ ଅପମାନିତ ହେବାରେ ଯେଉଁମାନେ ଥିଲେ ଅଭ୍ୟସ୍ତ, ନିଜ ପରିବାରର ଲୋକମାନଙ୍କ ଛଡ଼ା ଅନ୍ୟମାନଙ୍କଠାରୁ ଯେଉଁମାନେ ଦିନେହେଲେ ସୁଦ୍ଧା ସହାନୁଭୂତି ଲାଭ କରିବାରେ ଅନଭ୍ୟସ୍ତ ଏବଂ ମନୁଷ୍ୟ ଭାବରେ ନିଜ ଅଧିକାର ସମ୍ପର୍କରେ ଅନବହତି, ଆଜି କେବଳ ତୁମ୍ଭମାନଙ୍କ ହେତୁ ସେମାନେ ମାନବିକ ଭ୍ରାତୃତ୍ୱର ପ୍ରକୃତ ମୁଲ୍ୟ ବୁଝିବାକୁ ଶିକ୍ଷା କରିଛନ୍ତି ।

 

ତୁମ୍ଭମାନଙ୍କ ଅନ୍ତର୍ନିହିତ ଶକ୍ତି ଆଜି ପ୍ରୀତି ରୂପରେ ବିକଶିତ ହୋଇଥିବାରୁ ପ୍ରତିବନ୍ଧକ ଆଉ ଅଧିକକାଳ ରହିବ ନାହିଁ । ମରୁଭୂମି ଫଳ-ପୁଷ୍ପୋଦ୍ୟାନର ଶୋଭା ଧାରଣ କରିବ, କାରଣ ଈଶ୍ୱର ତାଙ୍କର ଅପାର କରୁଣାରୁ ଆମକୁ ବଞ୍ଚିତ କରିବେ ନାହିଁ । ଭଗୀରଥ ନିଜ ତପସ୍ୟା ବଳରେ ଗଙ୍ଗାମାତାଙ୍କୁ ପୃଥିବୀକୁ ଆଣି ଦଗ୍‌ଧୀଭୂତ ନିଜର ପୂର୍ବପୁରୁଷଙ୍କ ଭସ୍ମରାଶିକୁ ସଞ୍ଜୀବିତ କଲାଭଳି ତୁମ ଉଦ୍ୟମ ଭାରତବର୍ଷରେ ନହବଜୀବନ ସଞ୍ଚାର କରୁଛି । କୌଣସି ପ୍ରତିବନ୍ଧକ ଏହି ଉତ୍ସାହର ପୁଣ୍ୟ ପ୍ରବାହକୁ ବାଧାଦେବା ଅସମ୍ଭବ । ଦେବରାଜ ଇନ୍ଦ୍ରଙ୍କର ବିଶାଳକାୟ ପରାକ୍ରମଶାଳୀ ଐରାବତ ମଧ୍ୟ ଗଙ୍ଗାର ଜଳପ୍ରବାହକୁ ଅବରୁଦ୍ଧ କରି ପାରିବ ନାହିଁ । ତରୁଣ ତେଜରେ ଉଦ୍ଦୀପ୍ତ, ହେ ଭାରତ ଭାଗ୍ୟବିଧାତାଙ୍କର ପ୍ରେମର ଦୂତବୃନ୍ଦ, ମୁଁ ତୁମ୍ଭମାନଙ୍କର ଜୟଧ୍ୱନି କରି ଏହି ନିବେଦନ କରୁଛି ଓ ତୁମ୍ଭଙ୍କୁ ସ୍ମରଣ ରଖିବାକୁ ଅନୁରୋଧ କରୁଅଛି ଯେ ଅର୍ଦ୍ଧୋଦୟ ଉତ୍ସବ ଉପଲକ୍ଷ୍ୟରେ ପବିତ୍ରସ୍ନାନ କ୍ରିୟାତୁଲ୍ୟ ଦେଶସେବାରେ ଆତ୍ମୋତ୍ସର୍ଗ ଏକ କ୍ଷଣିକ ବ୍ୟାପାର ନୁହେଁ । ଭାରତର ଅସହାୟ, ଅନାଥ ଶିଶୁମାନେ ଯେଉଁ ଅଭାବ, ଭୟ ଓ ଦୁଃଖ ଅନୁଭବ କରୁଛନ୍ତ ତାହା କୌଣସି ବିଶେଷ କାଳ ଓ ସ୍ଥାନ ମଧ୍ୟରେ ଆବଦ୍ଧ ନୁହେ । ସେମାନଙ୍କ ନିଜ ଚେଷ୍ଟା ବ୍ୟତୀତ କେବଳ ତୁମ ଉଦ୍ୟମ ସେମାନଙ୍କୁ ରକ୍ଷା କର ଅଭୟ ଦାନ କରିବା ଏପରି ଭାବିବା ମଧ୍ୟ ଅନୁଚିତ ।

 

ଶକ୍ତଶାଳୀ ହୋଇ ନିଜକୁ ରକ୍ଷା କରିବା ନିମନ୍ତେ ସେମାନଙ୍କୁ ଶିକ୍ଷା ଦିଅ, ତାହାହିଁ ଏକମାତ୍ର ପନ୍ଥା । ତୁମ୍ଭେମାନେ ଗୋଟିଏ ଗ୍ରାମର ଭାର ଗ୍ରହଣ କରି ତା’ର ସଂଗଠନରେ ଲାଗ, ଗ୍ରାମବାସୀଙ୍କୁ ଶିକ୍ଷିତ କରାଅ, ଗ୍ରାମରେ କୃଷି ଓ ଉତ୍ପାଦନର ନୂତନ କର୍ମ ନିର୍ଘଣ୍ଟା ପ୍ରବର୍ତ୍ତନ କର । ଲୋକମାନଙ୍କଠାରେ ନୂତନ ପ୍ରାଣ ସଞ୍ଚାର କଲେ ସେମାନେ ନିଜ ନିମନ୍ତେ ପରିଚ୍ଛନ୍ନ, ସ୍ୱାସ୍ଥ୍ୟକର ଓ ସୁନ୍ଦର ବାସଗୃହ ନିର୍ମାଣ କରିବାକୁ ସମର୍ଥ ହେବେ । ସମବାୟୁ କର୍ମପନ୍ଥାର ଉପାଦେୟତା ସେମାନଙ୍କୁ ଶିକ୍ଷାଦେଲେ, ନିଜର ସମ୍ମିଳିତ ଶକ୍ତି ପ୍ରୟୋଗ କରି ସେମାନେ ସାମାଜିକ କର୍ତ୍ତବ୍ୟର ସମ୍ମୁଖୀନ ହୋଇପାରିବେ । ନିଜ ଉଦ୍ୟମ ନିମନ୍ତେ ଯଶ ବା ପ୍ରଶଂସାଲାଳସୀ ହୁଅ ନାହିଁ, ବରଂ ଯେଉଁ ଗ୍ରାମବାସୀଙ୍କୁ ତୁମେ ନିଜ ଜୀବନ ଦାନ କରିଛ, ସେମାନଙ୍କଠାରୁ କୃତଜ୍ଞତା ପରିବର୍ତ୍ତେ ବାଧା ଓ ଅବିଶ୍ୱାସ ସ୍ୱୀକାର ବରି ନେବାକୁ ପ୍ରସ୍ତୁତ ହୁଏ । ଏହି କର୍ମରେ କୌଣସି ଉତ୍ତେଜନା, ବିରୋଧ ବା ବାହ୍ୟ ଜାକଜମକ ନାହିଁ, ଏହା ଧୈର୍ଯ୍ୟ, ପ୍ରେମ ଏବଂ ନୀରବ ତପସ୍ୟାର ଅପେକ୍ଷା ରଖେ । କିନ୍ତୁ ଏକାଗ୍ରଚିତ୍ତରେ ଗୋଟିଏ ପଣ ତୁମକୁ ସକଳ କର୍ମରେ ପ୍ରେରଣା ଦେଉ । ଦେଶ ମଧ୍ୟରେ ଯେଉଁମାନେ ସର୍ବାଧିକ ଦୁଃଖୀ, ସେମାନଙ୍କ ଦୁଃଖରେ ଭାଗନେଇ ସେହି ଦୁଃଖର ମୂଳ କାରଣର ବିଲୋପ ସାଧନକୁ ନିଜ ଜୀବନର ବ୍ରତ କରିନେବା ହିଁ ତୁମର ପଣ ହେବା ଉଚିତ !

 

ଆମର ପ୍ରାଦେଶିକ ମହାସଭା ପ୍ରତ୍ୟେକ ଜିଲ୍ଲାରେ ଏ ଧରଣର ସଭା ସ୍ଥାପନ କରିବାର ଦାୟିତ୍ୱ ବହନ କଲେ ଏବଂ ଏହି ଜିଲ୍ଲା ପରିଷଦଗୁଡ଼ିକ ପ୍ରତ୍ୟେକ ଗ୍ରାମରେ ବିସ୍ତୃତ ହେଲେ କେବଳ ସ୍ୱଦେଶ ପ୍ରତି ଆମର ପ୍ରକୃତ ଅଧିକାର ଜନ୍ମିବ । ସେତିକିବେଳେ ହିଁ କଂଗ୍ରେସ ସ୍ଵଦେଶର ସର୍ବାଙ୍ଗରୁ ଅସଂଖ୍ୟା ଧମନୀଯୋଗ ଜୀବନ୍ତ ରକ୍ତ ଦ୍ଵାରା ପରିପୁଷ୍ଟି ହୋଇ ଭାରତର ସ୍ପନ୍ଦମାନ ହୁତ୍‌ପିଣ୍ତ ସ୍ୱରୂପ ଦେଶର ପ୍ରାଣବାନ୍ ଐକ୍ୟର ପ୍ରତୀକ ହେବ ।

 

ସଭାପତି ଭାବରେ ମୋର ଅଭିଭାଷଣରେ ସଭାର କର୍ମସୂଚୀ ଅବଲମ୍ବନ କରି ମୁଁ କୌଣସି ଆଲୋଚନା କରି ନାହିଁ । କିନ୍ତୁ ଦେଶସେବା ବ୍ୟାପାରରେ ଯେଉଁ ସମସ୍ତ ମୂଳନୀତି ଅବଲମ୍ବନ କରି ଆମର କର୍ମପନ୍ଥା ନିୟନ୍ତ୍ରିତ ହେବ ତାହା ନିର୍ଦ୍ଦେଶ କରିଛି ମାତ୍ର । ସେଗୁଡ଼ିକୁ ପୁଣି ଥରେ ତୁମ୍ଭମାନଙ୍କ ଆଗରେ ସ୍ଥାପନ କରୁଛି ।

 

ପ୍ରଥମତଃ ବର୍ତ୍ତମାନ କାଳର ପ୍ରକୃତ ସହିତ ଆମର ସାମାଜିକ ଅବସ୍ଥାର ସାମଞ୍ଜସ୍ୟ ବିଧାନ କରି ନ ପାରିଲେ ଆମ୍ଭମାନେ ବିଲୁପ୍ତ ଓ ବିସ୍ମୃତ ହୋଇଯିବା । ବର୍ତ୍ତମାନ କାଳର ସେହି ପ୍ରକୃତି ହେଉଛି ଐକ୍ୟ ସାଧନ, ବ୍ୟୁହବଦ୍ଧତା ଓ ସଂଗଠନ । ଏକ ବ୍ୟକ୍ତି-ଗୋଷ୍ଠୀର ବହୁ ମହତ୍ ଗୁଣ ଥାଇ ପାରେ କିନ୍ତୁ ସଂଗଠିତ ଜନସମାଜ ନିକଟରେ ତାହା ସମାନ ହୋଇ ନ ପାରେ । ତେଣୁ ଗ୍ରାମେ ଗ୍ରାମେ ଆମ ମଧ୍ୟରେ ଯେଉଁ ବିଚ୍ଛିନ୍ନତା ଆମକୁ ଅବିରତ ମୃତ୍ୟୁ ଦିଗରେ ଚାଳିତ, କରୁଛି, ଆତ୍ମରକ୍ଷା ନିମନ୍ତେ ଗ୍ରାମଗୁଡ଼ିକୁ ଶୀଘ୍ର ବ୍ୟବସ୍ଥାବଦ୍ଧ କରି ତା’ର ପୂର୍ଣ୍ଣଚ୍ଛେଦ ଆମେ ପକାଇବା ଆବଶ୍ୟକ ।

 

ଦ୍ୱିୀତୀୟତଃ ଆମର ଜାତୀୟଚେତନା ଦେଶର ସର୍ବତ୍ର ସମାନ ଭାବରେ ବିସ୍ତୃତ ହୋଇ ନାହିଁ । ଏକ ଅଙ୍ଗକୁ ବଳିଷ୍ଟ କରିବାରେ ଆମେ ବ୍ୟସ୍ତ ଥିଲାବେଳେ ଅପରଟି ଦୁର୍ବଳ ହୁଏ । ଶିକ୍ଷିତ ସମ୍ପ୍ରଦାୟ ଓ ଜନ-ସାଧାରଣଙ୍କ ମଧ୍ୟରେ ବିଚ୍ଛେଦ ହେତୁ ଜାତୀୟ ଐକ୍ୟବୋଧ ବାସ୍ତବତାରେ ପରିଣତ ହେଉ ନାହିଁ ।

 

ତୃତୀୟତଃ ଆମର ଆବଶ୍ୟକୀୟ ଜାତୀୟଚେତନା କେବଳ ଯୁକ୍ତି ତର୍କ ବା ଉପଦେଶ ଦ୍ୱାରା ଅଣାଯାଇ ପାରିବ ନାହିଁ । ଶିକ୍ଷିତ ଶ୍ରେଣୀର ଲୋକମାନେ ସାଧାରଣ ଲୋକମାନଙ୍କ ସଙ୍ଗରେ ଏକ କର୍ମଚେଷ୍ଟାରେ ମିଳିତ ହେଲେ ଆତ୍ମୀୟତାର ନିବିଡ଼ ଧାରଣା ସମସ୍ତଙ୍କ ମନରେ ସଞ୍ଚାରିତ ହେବ ।

 

ଶିକ୍ଷିତ ସମାଜର ଲୋକମାନେ ନିଜ ନିଜ ମଧ୍ୟରେ ବିରୋଧ ସୃଷ୍ଟିକରି ବିରକ୍ତ ଥିବା ପର୍ଯ୍ୟନ୍ତ ସର୍ବସାଧାରଙ୍କୁ ଆକୃଷ୍ଟ କଲା ଭଳି ଏକ ଜାତୀୟ କର୍ମବ୍ୟବସ୍ଥାର ପ୍ରଣୟନ କେବେହେଲେ ସମ୍ଭବ ନୁହେଁ । ମତଭେଦ ରହିବ, କର୍ମପ୍ରଣାଳୀରେ ପାର୍ଥକ୍ୟ ନିଶ୍ଚୟ ଦେଖାଦେବ, କିନ୍ତୁ ଏହା ବରଂ ଶ୍ରେୟ; ସମ୍ଭବତଃ ଏ ଧରଣର ବିଭେଦ ଶେଷରେ ଆମର ମଙ୍ଗଳ ସାଧନ କରିବ । ସୁଦୂରପ୍ରସାରୀ ଏହି ବିଚାରଗୁଡ଼ିକ ଭବିଷ୍ୟତ ପାଇଁ ଓ ବିବାଦର ବିଷୟ ତର୍କସଭା ପାଇଁ ସଂରକ୍ଷିତ ହୋଇପାରେ, କିନ୍ତୁ ସମସ୍ତ ଦେଶକୁ ବିଚ୍ଛେଦ ଓ ବିନାଶ ହାତରୁ ରକ୍ଷା କରିବାକୁ ହେଲେ ଆମର ସକଳ ବିଭେଦ ସତ୍ତ୍ୱେ ବିଭିନ୍ନ ମତର ଲୋକମାନଙ୍କୁ ସମାନ ଉଦ୍ୟମର ଦୁର୍ଗମ ପଥରେ ଏକତ୍ର ଯାତ୍ରା କରିବାକୁ ହେବ-ଏ ବିଷୟରେ ଅନ୍ତତଃ ମତଭେଦ ରହି ନ ପାରେ । ଯଦି ଏ ବିଷୟରେ ମତପାର୍ଥକ୍ୟ ରହେ, ଦେଶର ଯେଉଁ ସାଂଘାତିକ ଦଶା ଘଟିଛି ତାହା ହୁଏତ ଆମ ଉପଲବ୍‌ଧି କରୁ ନାହଁ କିମ୍ବା ଏହି ସାଘାଂତିକ ଦଶାର ସର୍ବାପେକ୍ଷା ଦୁର୍ଲକ୍ଷଣ ନୈରାଶ୍ୟର ଔଦାସିନ୍ୟ ଆମର ଦୁରାରୋଗ୍ୟ ବ୍ୟାଧି ଭାବରେ ଆମକୁ ଆକ୍ରମଣ କରଛି, ଏହା ସ୍ୱୀକାର କରିବା ଛଡ଼ା ଗତ୍ୟନ୍ତର ନାହିଁ ।

 

ବନ୍ଧୁଗଣ, ଜଗତର ଯେଉଁ ସକଳ ବୃହତ୍ ଓ ବିସ୍ତୃତ କର୍ମ-କ୍ଷେତ୍ରରେ ମାନବଜାତି ନିଜର ମହତ୍ତମ ସ୍ୱରୂପକୁ ଦୁଃଖ ଓ ତ୍ୟାଗ ମଧ୍ୟ ଦେଇ ପ୍ରକାଶ କରିଛି, ଆସ ସେହି ଉଦାର ଉନ୍ନୁକ୍ତ ଭୂମିରେ ଆମର ଚିତ୍ତ ନିବେଶ କରିବା । ଯେଉଁ ମହାପୁରୁଷମାନେ ଦୀର୍ଘକାଳ କଠୋରତମ ସାଧନା ବଳରେ ନିଜ ନିଜ ଜାତିର ସିଦ୍ଧିରେ ପୂର୍ଣ୍ଣତା ଆଣିଦେଇଛନ୍ତି ସେମାନଙ୍କୁ ନିକଟରେ ଭକ୍ତପ୍ରଣତ ହେବା । ସମଗ୍ର ବଙ୍ଗଦେଶର ଉଦ୍‌ବିଗ୍ନ ଚିତ୍ତ ଯେଉଁ ଆକାଙ୍‍କ୍ଷାର ସଫଳତା ନିମନ୍ତେ ଏହି ମହାସଭା ଆଡ଼କୁ ସତୃଷ୍ଣ ନୟନରେ ଅନାଇଁ ରହିଛି ସେତେବେଳହଁ କେବଳ ତାହା ପ୍ରକୃତରେ ଆମେ ସମ୍ପନ୍ନ କରି ପାରିବା । ଏହା ସ୍ୱରଣ ନ ରଖିଲେ ବୃଥା କଳହରେ ଆମେ ନିଜକୁ ଭୁଲିଯିବୁ, ବ୍ୟକ୍ତଗତ ଅସୂୟାରେ ଆମର ଆଦର୍ଶକୁ ଦୂଷିତ କରିବୁ କିମ୍ବା ଆହୁରି ଅଧିକ ମନ୍ଦକର୍ମ ସ୍ଵରୂପ ଦଳର ସ୍ୱାର୍ଥକୁ କୌଣସି ପ୍ରକାରେ ପୂରଣ କରି ତାହାକୁ ସ୍ୱଦେଶରେ ସ୍ୱାର୍ଥ ପୂରଣଭାବେ ଭୁଲ ବୁଝିବୁ ।

 

ଆମ୍ଭେମାନେ ଆଜିର ଲୋକ, କାଲିକୁ ଆମେ ନ ଥିବୁ । ଆମର କ୍ଷୁଦ୍ର କ୍ଷୁଦ୍ର ଈର୍ଷା, କଳହ ଓ ବିରୋଧକୁ କିଏ ସେତେବେଳେ ମନେ ରଖିବ ? କିନ୍ତୁ ବିଧାତାଙ୍କର ନିଗୂଢ଼ ଚାଳନାରେ ଆମ ଜୀବନର କର୍ମ କାର୍ଯ୍ୟ-କାରଣର ଅନନ୍ତ କ୍ରମ ରକ୍ଷା ପୂର୍ବକ ଧୀରେ ଧୀରେ ବଂଶ ପରମ୍ପରା କ୍ରମେ ରାଶୀକୃତ ହୋଇ ଆମ ଜାତିକୁ ଉନ୍ନତିର ଅଭିମୁଖୀ କରାଇବ । ଦାରିଦ୍ର୍ୟ ଓ ଶ୍ରୀହୀନତା ମଧ୍ୟରେ ଆମେ ସେହି ମେଘମୁକ୍ତ ସମୁଜ୍ୱଳ ଭବିଷ୍ୟତର ସ୍ୱପ୍ନ ଦେଖିବା । ଦିନ ଆସିବ ଯେତେବେଳେ କି ଆମର ପୌତ୍ରମାନେ ଗୌରବ ସହକାରେ କହି ପାରିବେ ‘‘ଏ ସମସ୍ତ ଆମର, ଏ ସମସ୍ତ ଆମେ ଗଢ଼ିଅଛୁଁ । ଆମ୍ଭେମାନେ ଏ ଜମିକୁ ଉର୍ବର, ଏ ଜଳାଶୟକୁ ନିର୍ମଳ ଓ ବାୟୁମଣ୍ଡଳକୁ ନିରାମୟ କରିଛୁଁ । ଜ୍ଞାନକୁ ଆମେ ଚତୁର୍ଦ୍ଦିଗରେ ବିସ୍ତୁତ ଓ ଚିତ୍ତକୁ ନିର୍ଭୀକ କରିଛୁଁ । ପୁଣି ସେମାନେ କହିବାକୁ ସମର୍ଥ ହେବେ, ‘‘ଏପରି ପରମ ସୁନ୍ଦର ଦେଶ, ଆମର ଏହି ସୁଜଳ ସୁଫଳା ମଳୟଜଶୀତଳା ମାତୃଭୂମି ! ଏଠାରେ ଜ୍ଞାନ, କର୍ମ ଓ ଧର୍ମରେ ବୃହତ୍ତର ମନୁଷ୍ୟ ସମାଜର ସେବା କରିବା ପାଇଁ ମନୁଷ୍ୟତ୍ୱ ଓ ଆତ୍ମସଂଯମ ଦ୍ଵାରା ସମାଜ ପରିପୁଷ୍ଟ । ଏ ସକଳ ଆମ ନିଜ ଉଦ୍ୟମରେ ଆମେ ଲାଭ କରିଛୁଁ । ସମଗ୍ର ଦେଶ ଆମ ଜୀବନରେ ପୂର୍ଣ୍ଣ, ଆମ ସଙ୍ଗୀତରେ ଆନନ୍ଦମୁଖର । ଯେଉଁଆଡ଼କୁ ଆଖି ପକାଇଲେ ଦେଖୁଛୁ ଆମର ଆଦର୍ଶ ଓ ଉଦ୍ୟମ କାର୍ଯ୍ୟକାରୀ, ନୂତନ ଓ ଅସଂଖ୍ୟ ଯାତ୍ରାପଥରେ ଗତି କରୁଥିବା ଯାତ୍ରୀମାନଙ୍କର ଅକ୍ଲାନ୍ତ ପଦଧ୍ୱନିରେ ପୃଥିବୀ ପ୍ରତିଧ୍ୱନିତ ଏବଂ ସେହି ଚିରବାଞ୍ଛିତ ଧାମ ଆଡ଼କୁ ସେମାନଙ୍କର ଗତି ଅବ୍ୟାହତ ।’’

 

-୧୯୦୮

 

‘‘ବଞ୍ଚିବାର ଅଧିକାର ଆମର ଯେତେବେଳେ ପୂର୍ଣ୍ଣପ୍ରାପ୍ୟ ହାସଲ କରେ, ସେତେବେଳେହିଁ କେବଳ ଆମେ ସ୍ୱାଧୀନତାର ଅଧିକାରୀ ।’’

 

-ରବୀନ୍ଦ୍ରନାଥ

Image

 

Unknown

ପୂର୍ବ ଓ ପଶ୍ଚିମ

 

ଭାରତବର୍ଷର ଇତିହାସ–ଏ ଇତିହାସ କେଉଁମାନଙ୍କର ?

 

ସୂଦୂର ଅତୀତରେ ଶ୍ୱେତକାୟ ଆର୍ଯ୍ୟମାନେ ପ୍ରକୃତିର ଦୁର୍ଲଂଘ୍ୟ ବାଧା ଓ ମନୁଷ୍ୟର ଦୁରୂହ ପ୍ରତିରୋଧ ଲଙ୍ଘନ କରି ଭାରତବର୍ଷରେ ପ୍ରବେଶ କରିଥିଲେ । ଏହି ବୃହତ୍ ଦେଶକୁ ଆଚ୍ଛନ୍ନ କରି ରହିଥିବା ଅନ୍ଧକାରମୟ ନିବିଡ଼ ଅରଣ୍ୟକୁ ପରିଷ୍କାର କରି ସେମାନେ ତାହାକୁ ଫଳଶସ୍ୟରେ ସମୃଦ୍ଧ ଏକ ଆଲୋକମୟ ସୁବିସ୍ତୀର୍ଣ୍ଣ ଭୂଖଣ୍ଡରେ ପରିଣତ କରିଥିଲେ । ସେମାନଙ୍କର ବୁଦ୍ଧି, ଶକ୍ତି ଓ ସମ୍ମିଳିତ ଉଦ୍ୟମ ସାହାଯ୍ୟରେ ଆର୍ଯ୍ୟମାନେ ଭାରତ ଇତିହାସର ଭିତ୍ତି ରଚନା କରିଥିଲେ । କିନ୍ତୁ ସେମାନେ କେବେହେଲେ ଘୋଷଣା କରି ନ ଥିଲେ–‘ଭାରତବର୍ଷ ହେଉଛି ଆମର ।’

 

ଆର୍ଯ୍ୟମାନେ ଏ ଦେଶର ଅନାର୍ଯ୍ୟମାନଙ୍କ ସଙ୍ଗରେ ମିଳିତ ହେବାକୁ ଆରମ୍ଭ କଲେ । ଜାତିଗତ ପ୍ରାଧାନ୍ୟର ପ୍ରାଥମିକ ଦୀପ୍ତି ସତ୍ତ୍ୱେ ସେମାନେ ଅନାର୍ଯ୍ୟ ସ୍ତ୍ରୀମାନଙ୍କସହ ପ୍ରତିଲୋମ ବିବାହ କରିଥିଲେ । ବୌଦ୍ଧଯୁଗରେ ଏହି ପାରସ୍ପରିକ ମିଶ୍ରଣ ଅଧିକ ଅବାଧ ହୋଇଥିଲା । ଏହି ଯୁଗର ଅବସାନ ପରେ ହିନ୍ଦୁସମାଜ ବୈବାହିକ ସ୍ୱାଧୀନତା ବିରୁଦ୍ଧରେ ପ୍ରତିକ୍ରିୟାଶୀଳ ହେବାକୁ ଆରମ୍ଭ କଲା । ଜାତିଗତ ସୀମା ପୁନଃସ୍ଥାପିତ ହେଲା ଏବଂ ତାହା ଲଂଘନ କରିବା ଥିଲା କଷ୍ଟସାଧ୍ୟ-। କିନ୍ତୁ ଏହା ଫଳରେ ଅବସ୍ଥା ଏପରି ହୋଇଥିଲା ଯେ ଦେଶର କ୍ରିୟାକର୍ମ ପାଳନ ନିମନ୍ତେ ବିଶୁଦ୍ଧ ବ୍ରାହ୍ମଣ ଖୋଜି ପାଇବା କଠିନ ହେଲା । ଅନେକ ସ୍ଥାନରେ ଦୂରଦେଶରୁ ବ୍ରାହ୍ମଣଙ୍କୁ ଆମନ୍ତ୍ରଣ କରି ଅଣାଗଲା କିମ୍ବା ଅନେକ ସ୍ଥଳରେ ରାଜାଦେଶରେ ଉପବୀତ ପିନ୍ଧାଇ ନୂତନ ବ୍ରାହ୍ମଣଗୋଷ୍ଠୀ ରଚନା କରିବାକୁ ପଡ଼ିଲା । ଯେଉଁ ଗୌରବର୍ଣ୍ଣ ଦିନେ ଆର୍ଯ୍ୟମାନଙ୍କର ଗୌରବର ବିଷୟ ଥିଲା, ତାହା ଇତି ମଧ୍ୟରେ ମଳିନ ହୋଇଥିଲା ଏବଂ ଆର୍ଯ୍ୟମାନେ ଶୂଦ୍ରମାନଙ୍କର କ୍ରିୟାକର୍ମ ଓ ପରମ୍ପରାକୁ ନିଜର ସାମାଜିକ ରୀତିନୀତି ମଧରେ ମିଶ୍ରିତ କରି ସାରିଥିଲେ । ଏହିପରି ଭାବର ବୃହତ୍ତର ହିନ୍ଦୁସମାଜ ସୃଷ୍ଟି ହୋଇଥିଲା । ଏହା ବୈଦିକ ଯୁଗର ଆର୍ଯ୍ୟସମାଜଠାରୁ ଯେ କେବଳ ପୃଥକ୍ ଥିଲା, ତାହା ନୁହେଁ, ବରଂ ଅନେକ ଦିଗରୁ ଉଭୟମଧ୍ୟରେ ବହୁ ବିରୋଧ ପରିଲକ୍ଷିତ ହୋଇଥିଲା ।

 

ଯାହାହେଉ, ଭାରତର ଇତିହାସ, ସେହି ପର୍ବରେ କେବଳ ସମାପ୍ତ ହେଲା ନାହିଁ । ଭାରତବର୍ଷର ଇତିହାସ ହିନ୍ଦୁର ଇତିହାସ, ଏହା ତାକୁ କହିବାକୁ ଦେବା ବୋଧହୁଏ ବିଧାତାଙ୍କର ଅଭିପ୍ରାୟ ନ ଥିଲା । ରାଜପୁତ ରାଜାମାନେ ପରସ୍ପର ମଧ୍ୟରେ ସଂଗ୍ରାମରେ ଲିପ୍ତ ରହି ଆତ୍ମଘାତୀ ଅନ୍ତର୍ଯୁଦ୍ଧରେ ନିଜ ବୀରତ୍ୱର ଅଭିମାନ ପ୍ରଦର୍ଶନ କରୁଥିଲାବେଳେ ଦେଶର ସେହି ବିଚ୍ଛିନ୍ନତାର ସୁଯୋଗ ନେଇ ମୁସଲମାନମାନେ ବାହାରୁ ଆସି ଏ ଦେଶରେ ପ୍ରବେଶ କଲେ ଏବଂ ଚତୁର୍ଦ୍ଦିଗରେ ବିସ୍ତୃତ ହେଲେ । ପୁରୁଷାନୁକ୍ରମେ ଏ ଦେଶରେ ବାସ କରି ଓ ମୃତ୍ୟୁବରଣ କରି ଏ ଦେଶ ମାଟିକୁ ସେମାନେ ନିଜର କରିନେଲେ ।

 

ଯଦି ଏଇ ପର୍ଯ୍ୟନ୍ତ ଆସି ଗୋଟାଏ ରେଖା ଟାଣି ଅମେ ବଡ଼ ପାଟିରେ କହୁ ‘ବନ୍ଦକର, ଆଉ ଅଧିକ ଯିବା ଅନାବଶ୍ୟକ’ ଭାରତର ଇତିହାସକୁ ଆମେ ହିନ୍ଦୁ ଓ ମୁସଲମାନର ଇତିହାସ କହିବୁ–ତା’ ହେଲେ ଯେଉଁ ବିଶ୍ୱକର୍ମା ସର୍ବଦା କର୍ମନିରତ ରହି ମାନବସମାଜର ସଂପର୍କରୁ ସଂକୀର୍ଣ୍ଣ କେନ୍ଦ୍ର ମଧ୍ୟରୁ ବୃହତ୍ତର ପରିଧି ମଧ୍ୟରେ ବିସ୍ତୃତ କରିବାର କଳ୍ପନା କରୁଛନ୍ତି, ନିଜ ଅଭିପ୍ରାୟ ବଦଳାଇ କଣ ସେ ଆମ ଅହଂକାରକୁ ସାର୍ଥକ କରିବେ ?

 

ଭାରତବର୍ଷ ହିନ୍ଦୁମାନଙ୍କର କି ମୁସଲମାନମାନଙ୍କର ଅଧିକ ହେବ, କିମ୍ବା ଅନ୍ୟ କୌଣସି ଜାତି ଆସି ଏଠାରେ ଆହୁରି ଅଧିକ ଆଧିପତ୍ୟ ବିସ୍ତାର କରିବେ–ବିଧାତା ଚିତ୍ତ ଏହି ସମସ୍ୟାରେ ଆନ୍ଦୋଳିତ ନୁହେ । ବିଧାତାଙ୍କର ଅଦାଲତରେ ବିଭିନ୍ନ ପକ୍ଷର ଓକିଲ ହିନ୍ଦୁ, ମୁସଲମାନ୍ ଏବଂ ଇଂରେଜମାନଙ୍କର ବିରୋଧୀ ଦାବୀ ସମ୍ବନ୍ଧରେ ବାକ୍‌ଯୁଦ୍ଧ କରୁଅଛନ୍ତି, କିମ୍ବା କୌଣସି ପକ୍ଷ ଅବଶେଷରେ ଏହି ଦ୍ୱନ୍ଦ୍ୱରେ ଚୂଡ଼ାନ୍ତ ଡିଗ୍ରୀ ହାସଲପୂର୍ବକ ନିଜ ବିଜୟପତାକା ପୋତି ଚିରସ୍ଥାୟୀ ଅଧିକାର ମାଡ଼ି ବସିବ, ଏପରି କୌଣସି କଥା ମଧ୍ୟ ସତ୍ୟ ନୁହେ । ଆମ୍ଭେମାନେ ଅହଙ୍କାର-ପରବଶ ହୋଇ ମନେ କରୁଁ, ଜଗତରେ ସ୍ଵତ୍ୱର ଲଢ଼ାଇ ଚାଲିଛି, କିନ୍ତୁ ପ୍ରକୃତରେ ଚିରନ୍ତନ ସଂଗ୍ରାମ କେବଳ ସତ୍ୟର ପ୍ରତିଷ୍ଠା ନିମନ୍ତେ ।

 

ଯାହା ଶ୍ରେଷ୍ଠ ଓ ଚରମ ସତ୍ୟ ତାହା ସମସ୍ତଙ୍କ ନିମନ୍ତେ-ନାନା ଆଘାତ, ସଘାଂତ ଓ ପ୍ରତିକୂଳ ଶକ୍ତିକୁ ଲଘଂନ କରି ଏହା ପ୍ରତିଷ୍ଠିତ ହୋଇଥାଏ । ଆମ୍ଭେମାନେ ଆମର ସକଳ ଇଚ୍ଛା ଦେଇ, ଏହାକୁ ଯେବେ ଅଗ୍ରସର କରିବାକୁ ଚେଷ୍ଟା କରିବୁ ସେହି ପରିମାଣରେ ଆମର ଚେଷ୍ଟା ସାର୍ଥକ ହେବ । ବ୍ୟକ୍ତିଭାବରେ ହେଉ ବା ଜାତିଭାବରେ ହେଉ, ନିଜକୁ ଚିରକାଳ ଜୟୀ କରିବାର ଉଚ୍ଚାଭିଳାଷ ବିଶ୍ଵବିଧାନ ମଧ୍ୟରେ ସ୍ଥାନ ପାଇ ନ ପାରେ । ଆଲେକ୍‌ଜାଣ୍ଡାରଙ୍କୁ ଆଶ୍ରୟ କରି ଗ୍ରୀସ୍‌ର ଜୟପତାକା ସମଗ୍ର ପୃଥିବୀକୁ ଏକତ୍ର କରି ପାରି ନାହିଁ, ସେଥିରେ ଗ୍ରୀସ୍‌ର ତୁଚ୍ଛ ଦାମ୍ଭିକତା ପ୍ରମାଣିତ ହୋଇଛି ମାତ୍ର । ଆଜି ଗ୍ରୀସ୍‌ର ସେହି ସ୍ପର୍ଦ୍ଧିତ ଅଭିଳାଷର କୌଣସି ମୂଲ୍ୟ ନାହିଁ । ବିଶ୍ୱସାମ୍ରାଜ୍ୟ ସ୍ଥାପନ ନିମନ୍ତେ ରୋମାନ୍‌ମାନଙ୍କର ସ୍ୱପ୍ନ ବର୍ବରମାନଙ୍କ ସଘାଂତରେ ଚୂର୍ଣ୍ଣୀଭୂତ ହୋଇଥିଲା । ରୋମର ସେହି ରାଜକୀୟ ସ୍ପର୍ଦ୍ଧାର ଅକୃତାର୍ଥତା ପାଇଁ ଜଗତରେ ଆଜି କେହି ବିଳାପ କରୁଛି କି ? ଗୀସ୍ ଓ ରୋମ୍ ମହାକାଳର ସ୍ୱର୍ଣ୍ଣତରୀରେ ନିଜ ସଂସ୍କୃତିର ପକ୍ୱ ଫସଲ ବୋଝାଇ କରିଦେଇଛନ୍ତି, କିନ୍ତୁ ସେମାନେ ନିଜେ ସେହି ତରଣୀରେ ସ୍ଥାନ ଗ୍ରହଣ କରି ଆଜି ପର୍ଯ୍ୟନ୍ତ ଯେ ବସି ନାହାନ୍ତି, ସେଥିରେ କାଳର ଅନାବଶ୍ୟକ ଭାର ଲାଘବ ହୋଇଛି ସିନା କୌଣସି କ୍ଷତି ଘଟି ନାହିଁ ।

 

ଏ ଦେଶର ହିନ୍ଦୁ ବଡ଼ ହେବେ କିମ୍ବା ଅନ୍ୟ କେହି ବଡ଼ ହେବେ ଭାରତବର୍ଷ ଇତିହାସର ତାହା ଲକ୍ଷ୍ୟ ନୁହେଁ, ବରଂ ଭାରତରେ ମାନବତା ଏକ ସାର୍ଥକ ପରିପୂର୍ଣ୍ଣ ମୂର୍ତ୍ତି ପରିଗ୍ରହ କରିବ ଏବଂ ଏହି ପରିପୂର୍ଣ୍ଣତାର ପ୍ରତିମା ଗଠନରେ ଯଦି ହିନ୍ଦୁ, ଓ ମୁସଲମାନ୍ ଓ ଇଂରେଜ ନିଜ ନିଜ ବ୍ୟକ୍ତିତ୍ୱର ଆକ୍ରମଣକାରୀରୂପକୁ ବିଲୁପ୍ତ କରଦିଅନ୍ତି, ସେଥିରେ ସେମାନଙ୍କର ଜାତିଗତ ଅଭିମାନର ଅପମୃତ୍ୟୁ ଘଟି ପାରେ, କିନ୍ତୁ ସତ୍ୟ ବା ମାନବିକ ଅଧିକାରର ଅପଚୟ ବୋଲି ତାହା ଗଣ୍ୟ ହେବ ନାହିଁ ।

 

ବିଶାଳ ଭାରତ ଗଢ଼ିବା ନିମନ୍ତେ ଆମେ ସମସ୍ତେ ସମବେତ । ଏହି ଉଦ୍ଦେଶ୍ୟରେ ସଫଳତା ନିମନ୍ତେ ଆବଶ୍ୟକୀୟ ଉପକରଣମାନଙ୍କ ମଧ୍ୟରୁ ଆମେ ଏକ ଏକ ଉପକରଣ । ଯଦି କୌଣସି ଏକ ଉପକରଣ ବିଦ୍ରୋହୀ ହୋଇ ଅନୁଚିତ ଆଧିପତ୍ୟ ଦାବୀ କରେ, ଅପରଙ୍କ ସହିତ ମିଳିତ ହେବାକୁ ଅନିଚ୍ଛା ପ୍ରକାଶ କରେ, ଗଠନ କର୍ମର ଗତି ନିଶ୍ଚୟ ହ୍ରାସପ୍ରାପ୍ତ ହେବ । ପୃଥକ୍ ରହିବାକୁ ଇଚ୍ଛା ପ୍ରକାଶ କରୁଥିବା ଅଂଶକୁ ଏକ ପାର୍ଶ୍ୱକୁ ଠେଲି ଦେବାକୁ ପଡ଼ିବ । କିନ୍ତୁ ଯେଉଁ ଅଂଶ କହିବ ମୁଁ ସ୍ଵୟଂ ଅକିଞ୍ଚନ, ଯେଉଁ ସମଗ୍ରତା ରଚିତ ହେଉଛି, ସେହି ଉଦ୍ଦେଶ୍ୟରେ ସଂପୂର୍ଣ୍ଣଭାବରେ ମୁଁ ଉତ୍ସୃଷ୍ଟ, ସେହି କେବଳ କ୍ଷୁଦ୍ରକୁ ତ୍ୟାଗ କରି, ବଳଶାଳୀ ବୃହତ୍ତର ମଧ୍ୟରେ ଚିରକାଳ ନିମନ୍ତେ ସ୍ଥାନ ଲାଭ କରିବ ।

 

ଭାରତବର୍ଷର ଯେଉଁ ଅଂଶ ସୁଦୂର ଅତୀତକାଳର ଅନ୍ତରାଳ ମଧ୍ୟରେ ପ୍ରଚ୍ଛନ୍ନ ରହି ଅନ୍ୟ ସମସ୍ତଙ୍କଠାରୁ ବିଚ୍ଛିନ୍ନ ରହିବାକୁ ଇଚ୍ଛା କରେ, ଭାରତ ଇତିହାସର ବିଧାତା ତାହାକୁ ସମସ୍ତଙ୍କ ସଙ୍ଗରେ ସମାନ କରି ଦେବେ, ନ ହେଲେ ତାହାକୁ ଅନାବଶ୍ୟକ ବ୍ୟାଘାତ ମନେ କରି ବର୍ଜ୍ଜନ କରିବେ । ଭାରତବର୍ଷର ଇତିହାସ କେବଳ ହିନ୍ଦୁମାନଙ୍କ କାହାଣୀ ନୁହେଁ, ସେହି ଇତିହାସ ମଧ୍ୟରେ ଆମେ ଉପାଦାନରୂପେ ସମାଦୃତ; ଆମେ ନିଜକୁ ସେହି ଆଦର୍ଶର ଉପଯୋଗୀ କରି ନ ପାରିଲେ ନିଶ୍ଚୟ ନଷ୍ଟ ହେବୁଁ । ସକଳ ସହିତ ସଂପର୍କ ଚ୍ଛିନ୍ନ କରି ଗର୍ବରେ ଯଦି ଆମ୍ଭେମାନେ ବିଶୁଦ୍ଧ ରହିବା ଆସ୍ଫାଳନରେ ବଂଶ ପରଂପରାକ୍ରମେ ଚେଷ୍ଟା କରୁଁ, ଯଦି ଆମ ଧର୍ମ, ସମାଜିକ ଆଚାର, ସ୍ୱତନ୍ତ୍ର ଭାବରେ କେବଳ ଆମର ହୁଏ, ଆମର ପୂଜା କ୍ଷେତ୍ର ବାହାର ଲୋକମାନଙ୍କ ନିମନ୍ତେ ନିଷିଦ୍ଧ ହୁଏ, ଆମର ପ୍ରାଚୀନ ଜ୍ଞାନ ଲୌହ ସିନ୍ଦୂକରେ ଆବଦ୍ଧ ରହେ, ତା’ହେଲେ ମାନବସମାଜର ଦରବାରରେ ଆମର ମୃତ୍ୟୁଦଣ୍ଡର ଆଦେଶ ଯେ ହୋଇଯାଇଛି ଓ ବର୍ତ୍ତମାନ ସେଥିନିମନ୍ତେ ଆମକୁ ସ୍ୱରଚିତ, ଅନ୍ଧକାରାଚ୍ଛନ୍ନ ବନ୍ଦୀ ଗୃହରେ କେବଳ ଅପେକ୍ଷା କରିବାକୁ ପଡ଼ିଅଛି-ଏହା ଆମେ ଜଗତବାସୀଙ୍କ ଆଗରେ ଘୋଷଣା କରିବା ଉଚିତ ।

 

ସଂପ୍ରତି ଇଂରେଜମାନେ ଆସି ଭାରତ ଇତିହାସରେ ଏକ ପ୍ରଧାନ ସ୍ଥାନ ଅଧିକାର କରିଛନ୍ତି । ଏହି ଘଟଣା ଆକସ୍ମିକ ନୁହେ । ପଶ୍ଚିମ ସହ ଏହି ସଂସଦର ଅଭାବରେ ଭାରତ ଅସମ୍ପୂର୍ଣ୍ଣ ରହିଥାନ୍ତା । ଇଉରୋପ ଆଜି ନିଜର ପ୍ରଦୀପ ପ୍ରଜ୍ଜ୍ୱଳିତ କରିଛି । ସେହି ଶିଖାରୁ ଆଲୋକ ନେଇ ଆମେ ଆମର ପ୍ରଦୀପ ଜଳାଇବା ଏବଂ କାଳର ପଥରେ ପୁଣି ଯାତ୍ରା ଆରମ୍ଭ କରିବା । ଆମ୍ଭେମାନେ ଏତେ ହତଭାଗ୍ୟ ନୋହୁ କିମ୍ୱା ଜଗତ ଏତେ ଦରିଦ୍ର ନୁହେ । ତିନି ହଜାର ବର୍ଷ ପୂର୍ବେ ଆମର ପୂର୍ବ ପୁରୁଷମାନେ ଏହି ବିଶ୍ଵଜଗତରୁ ସକଳ ଗ୍ରହଣ କରି ଯେ ନିଃଶେଷ କରିଛନ୍ତି ଏବଂ ଆମ ପାଇଁ କିଛି ଅବଶିଷ୍ଟ ନାହିଁ, ଏହା ସତ୍ୟ ନୁହେ । ଆମେ ଯାହା କରିବା ଆବଶ୍ୟକ, ତାହା ପୂର୍ବରୁ ସମ୍ପନ୍ନ ହୋଇଅଛି; -ଏ କଥା ସତ୍ୟ ହେଲେ ଜଗତର କର୍ମକ୍ଷେତ୍ରରେ ଆମର ଅଧିକ କାଳ ସ୍ଥିତି ପୃଥବୀ ପକ୍ଷରେ ଭାର ସଦୃଶ ହେବ । ଯେଉଁମାନେ ପୂର୍ବପୁରୁଷମାନଙ୍କ ମଧ୍ୟରେ ନିଜର ସର୍ବପ୍ରକାର ପୂର୍ଣ୍ଣତାର ସତ୍ତା ଉପଲବ୍‍ଧି କରନ୍ତି, ନିଜ ବିଶ୍ୱାସ ଓ ଆଚାର ଦ୍ୱାରା ଆଧୁନିକତାର ସଂସ୍ପର୍ଶରୁ ନିଜକୁ ମୁକ୍ତ ରଖିବାର ଚେଷ୍ଟା କରନ୍ତି, ସେମାନେ ବର୍ତ୍ତମାନର କେଉଁ ତାଡ଼ନାରେ, ଭବିଷ୍ୟତର କେଉଁ ଅଶ୍ୱାସରେ ନିଜକୁ ବଞ୍ଚାଇ ରଖିବାକୁ ଚେଷ୍ଟା କରିବେ ?

 

ପୃଥବୀରେ ଆମର ଆବଶ୍ୟକତା ଅଛି, ସେ ପ୍ରୟୋଜନ ଆମ ନିଜର ସଂକୀର୍ଣ୍ଣ କ୍ଷୁଦ୍ରତା ମଧ୍ୟରେ ଆବଦ୍ଧ ନୁହେ । ନିଖିଳ ମାନବ ସଙ୍ଗରେ ଜ୍ଞାନ, କର୍ମ, ନୂତନ ଉଭାବନର କ୍ରମବର୍ଦ୍ଧମାନ ସମ୍ୱନ୍ଧରେ ଆମକୁ ଆବଦ୍ଧ ହେବାକୁ ହେବ, ଏହି ପ୍ରେରଣା ଆମକୁ ଦେବା ନିମନ୍ତେ ଶୁଭକ୍ଷଣରେ ସ୍ୱର୍ଗର ଦେବଦୂତ ତୁଲ୍ୟ ଇଂରେଜମାନେ ଜୀର୍ଣ୍ଣ ଦ୍ୱାରର ପ୍ରବେଶ ପଥ ଲଘଂନ କରି ଆମ ଗୃହରେ ପ୍ରବେଶ କରିଅଛନ୍ତି । ଆମ୍ଭେମାନେ ଯେ ପର୍ଯ୍ୟନ୍ତ ସେମାନଙ୍କର ଆମନ୍ତ୍ରଣର ଉତ୍ତର ନ ଦେଇଛୁ, ତାଙ୍କ ସଙ୍ଗରେ ସମପଦକ୍ଷେପରେ ଯାତ୍ରା ନ କରିଛୁ, ସେ ପର୍ଯ୍ୟନ୍ତ ସେମାନେ ଆମକୁ ପୀଡ଼ା ଦେବେ, ଏବଂ ଆମର ଦାୟକ ନିଦ୍ରାରୁ ଆମକୁ ବଞ୍ଚିତ କରିବେ । ଭାରତବର୍ଷ ନିମନ୍ତେ ଉନ୍ନତିର ପ୍ରକ୍ରିୟାକୁ ଅବିଚ୍ଛିନ୍ନ ରଖିବା ପୃଥିବାର ଲୋକଙ୍କର ସୁଖ ସାଧନ ପକ୍ଷରେ ଗୁରୁତ୍ୱପୂର୍ଣ୍ଣ । ଏ ଦେଶ କେବଳ ଆମର, ଏ କଥା କହିବାକୁ ଆମେ କିଏ ? ପ୍ରକୃତରେ ସେହି ‘ଆମ୍ଭେ ମାନେ’ ବା କିଏ ? ବଙ୍ଗାଳୀ, ମରାଠି, ପଞ୍ଜାବୀ, ହିନ୍ଦୁ ନା ମୁସଲମାନ୍ ? କେବଳ ସେହି ଅଖଣ୍ଡ ବୃହତ୍ତର ‘ଆମେ’ ଯେଉଁଥିରେ ହିନ୍ଦୁ, ମୁସଲମାନ, ଇଂରେଜ ଅବା ଅନ୍ୟ ଯେ କେହି ସମାଗତ-ନିଶ୍ଚୟ ଏକ ହେବେ ଏବଂ ସେମାନେ ହିଁ ‘ଭାରତ କଣ’ ଓ କେଉଁଟି ଭାରତ ବାହାରର ତାହା ନିଶ୍ଚିତରୂପେ ନିର୍ଦ୍ଧାରଣ କରିବେ ।

 

ଇଂରେଜମାନଙ୍କ ସଙ୍ଗରେ ଆମର ମିଳନକୁ ଫଳପ୍ରଦ କରିବାକୁ ହେବ । ମହାଭାରତ ଗଠନର ବ୍ୟାପାରରେ ଏହି ଭାର ଆମ୍ଭମାନଙ୍କ ଉପରେ ନ୍ୟସ୍ତ । ବିମୁଖ ରହିବୁ, ବିଚ୍ଛିନ୍ନ ହେବୁ; କିଛି ଗ୍ରହଣ କରିବୁ ନାହିଁ, ବା ଦେବୁ ନାହିଁ,-ଏହି ମନୋଭାବ ଦ୍ଵାରା ଭାରତର ଇତିହାସକୁ ଆମେ ଦରିଦ୍ର କରିବୁ ।

 

ତେଣୁ ଆଧୁନିକ ଭାରତର ମଣୀଷୀମାନେ ପୂର୍ବ ଓ ପଶ୍ଚିମର ମିଳନ ସାଧନକୁ ନିଜ ଜୀବନର କର୍ମଭାବେ ଗ୍ରହଣ କରିଅଛନ୍ତି । ରାମମୋହନ ରାୟ ହେଉଛନ୍ତି ଏହାର ଦୃଷ୍ଟାନ୍ତ । ମନୁଷ୍ୟତ୍ୱର ଉଦାର ଭିତ୍ତି ଉପରେ ଭାରତକୁ ସମଗ୍ର ପୃଥିବୀ ସହ ମିଳିତ କରାଇବା ଲାଗି ସେ ଦିନେ ଏକାକୀ ଦଣ୍ଡାୟମାନ ହୋଇଥିଲେ । କୌଣସି ଅନ୍ଧବିଶ୍ୱାସ, କୌଣସି ବଂଶଗତ ସଂସ୍କାର ତାଙ୍କ ଦୃଷ୍ଟିକୁ ଆଚ୍ଛନ୍ନ କରି ପାରି ନ ଥିଲା । ଆଶ୍ଚର୍ଯ୍ୟକର ଉଦାର ହୃଦୟ ଓ ବୁଦ୍ଧି ଦ୍ଵାରା, ସେ ପୂର୍ବକୁ ପରିତ୍ୟାଗ ନ କରି ପଶ୍ଚିମକୁ ଗ୍ରହଣ କରିଥିଲେ ଏବଂ ଏକାକୀ ନବରଙ୍ଗ ଗଠନ କରିଥିଲେ । ସାହସ ସହକାରେ ସେ ତାଙ୍କ କର୍ମରେ ନାନା ବିରୋଧର ସମ୍ମୁଖୀନ ହୋଇ ସତ୍ୟ ସନ୍ଧାନରେ ମାନବର ଚିରନ୍ତର ଅଧିକାର ଆମ ନିମନ୍ତେ ହାସଲ କରିବାକୁ ସମର୍ଥ ହୋଇଥିଲେ । ପୃଥିବୀର ଉତ୍ତରାଧିକାର ନେଇ ଯେ ଆମେ ଜନ୍ମଗ୍ରହଣ କରିଅଛୁ, ଏହା ଆମକୁ ସେ ଉପଲବ୍‌ଧି କରାଇ ଦେଇଥିଲେ । ସେ ପ୍ରଥମେ ଅନୁଭବ କରି ଘୋଷଣା କରିଥିଲେ ଯେ ବୁଦ୍ଧ, ମହମ୍ମଦ ଓ ଖ୍ରୀଷ୍ଟଙ୍କ ଜନ୍ମ ଆମରି ପାଇଁ, ଆମ୍ଭମାନଙ୍କ ନିମନ୍ତେ ଆମ ପ୍ରାଚୀନ ଋଷିମାନଙ୍କର ସାଧନାର ଫଳ ସଞ୍ଚିତ; ଯେ କେହି ଜ୍ଞାନ ପଥରୁ ପ୍ରତିବନ୍ଧକ ଦୂର କରିଛନ୍ତି ବା ଜଡ଼ତ୍ୱର ଶୃଙ୍ଖଳ ମୋଚନ କରି ମାନବ ଶକ୍ତିକୁ ମୁକ୍ତି ଦେଇଛନ୍ତି, ସେମାନେ ସମସ୍ତେ ଆମ ଆପଣାର ଏବଂ ସେମାନଙ୍କ ସମ୍ପର୍କ ହେତୁ ଆମ ପ୍ରତ୍ୟେକ ଧନ୍ୟ ।

 

ରାମମୋହନ ରାୟ ଭାରତବର୍ଷ ଓ ୟୁରୋପ ମଧ୍ୟରେ ଏକ ସେତୁ ନିର୍ମାଣ କରିଥିଲେ । ଆଜି ପର୍ଯ୍ୟନ୍ତ ସେ ଭାରତବର୍ଷର ପ୍ରତ୍ୟେକ ସୃଷ୍ଟିକ୍ଷମ କ୍ରିୟାକଳାପରେ ପ୍ରେରଣାଦାତା ଶକ୍ତି ତୁଲ୍ୟ ବିରାଜମାନ । କୌଣସି ଅନ୍ଧ ଅଭ୍ୟାସ ବା ଅହଙ୍କାର ତାଙ୍କୁ ମହାକାଳର ଅଭିପ୍ରାୟ ଅସ୍ୱୀକାର କରିବାକୁ ପ୍ରବର୍ତ୍ତନା ଦେଇ ନ ଥିଲା । ଏହି ଅଭିପ୍ରାୟ କେବଳ ଅତୀତ ମଧ୍ୟରେ ନିଃଶେକ୍ଷିତ ହୋଇ ନାହିଁ, ଭବିଷ୍ୟତର ପୂର୍ଣ୍ଣତାପ୍ରାପ୍ତି ଦିଗରେ ଏହା ଗତିଶୀଳ ।

 

ଦକ୍ଷିଣ ଭାରତରେ ରାନାଡ଼େ ପୂର୍ବପଶ୍ଚିମର ଏ ଧରଣର ସେତୁବନ୍ଧନ କର୍ମରେ ନିଜ ଜୀବନ ନିୟୋଜିତ କରିଥିଲେ । ଯାହା ଅସାମଞ୍ଜସ୍ୟକୁ ଦୂର କରେ, ଇଛାଶକ୍ତିର ସ୍ୱାଧୀନତାକୁ ପ୍ରକାଶ କରେ, ସେହ ମିଳନତତ୍ତ୍ୱ ରାନାଡ଼େଙ୍କ ପ୍ରକୃତି ମଧ୍ୟରେ ନିହିତ ଥିଲା । ସେଥିଲାଗି ଭାରତବାସୀ ଓ ଇଂରେଜମାନଙ୍କ ମଧ୍ୟରେ ନାନାପ୍ରକାର ଭାବର ସଂଘର୍ଷ ଓ ସ୍ଵାର୍ଥର ବିରୋଧ ଥିଲେ ସୁଦ୍ଧା, ସେ ସମସ୍ତ ସମାଧାନ କରିବାରେ ନିରନ୍ତର ଚେଷ୍ଟା କରି ରାନାଡେ ଆମ ଇତିହାସକୁ ସମୃଦ୍ଧ କରିବାରେ ଇଂରେଜମାନଙ୍କ ଅବଦାନକୁ ଗ୍ରହଣ କରିବାର ପଥ ପରିଷ୍କାର କରି ଦେଇଥିଲେ-

 

ଅଳ୍ପଦିନ ତଳେ ଯେଉଁ ମହାତ୍ମାଙ୍କ ମୃତ୍ୟୁଶୋକ ଆମ ସମସ୍ତଙ୍କୁ ଆଚ୍ଛନ୍ନ କରିଥିଲା, ସେ ବିବେକାନନ୍ଦ ସମାନ ଧରଣର କର୍ମରେ ମଧ୍ୟ ନିଯୁକ୍ତ ଥିଲେ । ଗ୍ରହଣ କରିବାର, ମିଲନ ଘଟାଇବାର ଓ ସୃଷ୍ଟି କରିବାର ପ୍ରତିଭା ତାଙ୍କର ଥିଲା । ସେ ଭାରତବର୍ଷ ଓ ପଶ୍ଚିମ ମଧ୍ୟରେ ସାଧନାଜନିତ ଆଦର୍ଶର ଆଦାନପ୍ରଦାନ ନିମନ୍ତେ ନିଜର ଜୀବନ ଉତ୍ସର୍ଗ କରିଥିଲେ ।

 

ଦିନେ ବଙ୍କିମଚନ୍ଦ୍ର ବଙ୍ଗଦର୍ଶନ ପତ୍ରିକା ମଧ୍ୟରେ ପୂର୍ବ ଓ ପଶ୍ଚିମର ମିଳନ ଜନିତ ବାସ୍ତବ ଉତ୍ସବ ଦର୍ଶନ ନିମନ୍ତେ ନିଜ ପାଠକମାନଙ୍କୁ ଆମନ୍ତ୍ରଣ କରିଥିଲେ । ସେହି ଦିନଠାରୁ ବଙ୍ଗ ସାହିତ୍ୟରେ ବିଶ୍ୱଜନୀନତାର ଆବାହନ ଆଶ୍ଚାର୍ଯ୍ୟକର ଅଭିବୃଦ୍ଧି ଲାଭ କରିଅଛି ଏବଂ ବିଶ୍ୱସାହିତ୍ୟ ସହ ଏହାର ଐକ୍ୟ ସ୍ଥାପିତ ହୋଇଅଛି ।

 

ଶିକ୍ଷିତ ସମ୍ପ୍ରଦାୟ ମଧ୍ୟରେ ଆଜି ଆମ୍ଭମାନଙ୍କ ମଧ୍ୟରୁ ଅନେକ ମନେ କରନ୍ତି, ଭାରତବର୍ଷର ବିଭିନ୍ନ ଜାତିକୁ ଏକ କରିବାର ଚେଷ୍ଟା ରାଜନୈତିକ ବଳଲାଭ ଉଦ୍ଦେଶ୍ୟର ହେତୁ । ଗୋଟିଏ ମହତ୍‌ ଉଦ୍ୟମକୁ କ୍ଷୁଦ୍ର ଉଦ୍ଦେଶ୍ୟ ସମ୍ବଳିତ କହି ଆମ୍ଭେମାନେ ଏହାକୁ ତୁଚ୍ଛ କରିବାର ପ୍ରୟାସ କରୁ । ଭାରତବର୍ଷରେ ସମସ୍ତ ମନୁଷ୍ୟଙ୍କ ମିଳନ ସର୍ବାପେକ୍ଷା ମହନୀୟ ଉଦ୍ଦେଶ୍ୟ, କାରଣ ଏହା ମନୁଷ୍ୟତ୍ୱ, ଏହି ଉଦ୍ଦେଶ୍ୟ ବିଫଳ ହେଲେ ଆମେ ଜୀବନର ଏକ ମୂଳନୀତି ହରାଇବସୁ, ଆମର ସମସ୍ତ ପ୍ରକାର ଶକ୍ତି କ୍ଷୀଣ ଓ ବାଧାପ୍ରାପ୍ତ ହୁଏ ।

 

ମନୁଷ୍ୟର ଉଦାର ଧର୍ମବୁଦ୍ଧିରେ ଏହି ମିଳନ ଚେଷ୍ଟାକୁ ଆମ୍ଭେମାନେ ଗ୍ରହଣ କଲେ ଆମର ଉଦ୍ୟମ ସଫଳ ହେବ । କିନ୍ତୁ ପ୍ରକୃତ ଧର୍ମ ଚେତନା କୌଣସି କ୍ଷୁଦ୍ର ଅହଙ୍କାର ବା ପ୍ରୟୋଜନ ମଧ୍ୟରେ ଆବଦ୍ଧ ନୁହେ । ସେହି ବୁଦ୍ଧିର ଅନୁଗତ ହେଲେ, ଆମର ଉଦ୍ୟମ କେବଳ ଭାରତବର୍ଷର କ୍ଷୁଦ୍ର କ୍ଷୁଦ୍ର ଜାତି ମଧ୍ୟରେ ଆବଦ୍ଧ ରହିବ ନାହିଁ, ଏହା ଇଂରେଜମାନଙ୍କ ନିକଟରେ ପହଞ୍ଚିବା ଲାଗି ମଧ୍ୟ ପ୍ରସାରିତ ହେବ ।

 

ସଂପ୍ରତି ଇଂରେଜମାନଙ୍କ ସଙ୍ଗରେ ଭାରତୀୟମାନଙ୍କର ଯେଉଁ ବିରୋଧ ଦେଖାଦେଇଛି, ତାହା ଆମେ କି ଭାବରେ ଗ୍ରହଣ କରିବୁ । ତାହା ମଧ୍ୟରେ କଣ କୌଣସି ସତ୍ୟ ନାହିଁ ? ତାହା କଣ କେବଳ କେତେଜଣ ଚକ୍ରାନ୍ତକାରୀଙ୍କର ଇନ୍ଦ୍ରଜାଲ ମାତ୍ର ? ଭାରତର ଏହି ବିରାଟ ଭୂଖଣ୍ଡରେ ସମାଗତ ନାନାଜାତି ଓ ନାନାଶକ୍ତିର ସଂଘାତ ଓ ସମ୍ମିଳନରେ ଯେଉଁ ଇତିହାସ ଗଠିତ ହୋଇଅଛି, ବର୍ତ୍ତମାନ ବିରୋଧର ଆବର୍ତ୍ତ କଣ ତାର ପ୍ରତିକୂଳ ? ବର୍ତ୍ତମାନ କାଳରେ ଏହି ବିରୋଧର ତାତ୍ପର୍ଯ୍ୟ ବୁଝିବା ପାଇଁ ଆମେ ଚେଷ୍ଟା କରିବା ଉଚିତ ।

 

ଭାରତୀୟ ଭକ୍ତି ଧର୍ମରେ ବିରୋଧକୁ ଈଶ୍ୱରଙ୍କସହ ମିଳନ ସାଧନର ଏକ ଅଙ୍ଗରୂପେ ଗ୍ରହଣ କରାଯାଏ । ଲୋକପ୍ରସିଦ୍ଧ ଅଛି, ରାବଣ ଭଗବାନଙ୍କ ସହ ଶତ୍ରୁତା କରି ମୁକ୍ତିଲାଭ କରିଥିଲା-। ଏହାର ଅର୍ଥ ପ୍ରଥମରେ ସତ୍ୟସହ ‘ଯୁଦ୍ଧଂ ଦେହି’ ଆହ୍ୱାନପୂର୍ବକ ତା’ ନିକଟରୁ ପରାସ୍ତ ହେଲେ, ନିବିଡ଼ ଭାବରେ ସତ୍ୟର ଉପଲବ୍‌ଧି ଘଟେ । ବିରୋଧ ନ କରି, ସଂଶୟ ପ୍ରଦର୍ଶନ ନ କରି, ସହଜରେ ସତ୍ୟକୁ ଗ୍ରହଣ କଲେ, ଏହି ଗ୍ରହଣ ସଂପୂର୍ଣ୍ଣ ହୁଏ ନାହିଁ । ଏହି ହେତୁ କଠୋର ସନ୍ଦେହ ଓ ପ୍ରତିବାଦ ଉପରେ ସକଳ ବିଜ୍ଞାନ ପ୍ରତିଷ୍ଠିତ ।

 

ଦିନେ ଆମ୍ଭେମାନେ ୟୁରୋପର ଚାକଚକ୍ୟରେ ଅଭିଭୂତ ହୋଇ ଭିକ୍ଷାବୃତ୍ତି ଅବଲମ୍ବନ ପୂର୍ବକ ତାହାର ଦାନ ନିର୍ବିଚାର ଭାବରେ ଗ୍ରହଣ କରିଥିଲୁ । ଏହାଦ୍ୱାରା କୌଣସି ଯଥାର୍ଥ ଲାଭ ସାଧିତ ହୋଇ ନ ପାରେ । ଜ୍ଞାନ ହେଉ ବା ରାଷ୍ଟ୍ରୀୟ ଅଧିକାର ହେଉ, ତାହା ଉପାର୍ଜନର ଅପେକ୍ଷା ରଖିଥାଏ, ଅର୍ଥାତ୍‌ ବିରୋଧ ଓ ବ୍ୟାଘାତସହ ସଂଗ୍ରାମ କରି ଆତ୍ମଶକ୍ତି ଦ୍ୱାରା ଲାଭ କଲେ ତାହାର ଯଥାର୍ଥ ଉପଲବ୍‌ଧି ଘଟିଥାଏ । ଯଦି କେହି ଏହାକୁ ଆଣି ଆମ ହାତରେ ଭିକ୍ଷାଦାନ ଭଳି ଅର୍ପଣ କରେ ଆମେ ତାହାକୁ ଆମ ଅଧିକାରରେ ରଖିବାକୁ ସମର୍ଥ ହେବା ନାହିଁ । ଏପରି ଭାବରେ ଗ୍ରହଣ କଲେ ଆମେ ନିଜକୁ କେବଳ ଅପମାନିତ କରୁଁ ଏବଂ ଲାଭ ଅପେକ୍ଷା ଆମର ଅଧିକ କ୍ଷତି ହୋଇଥାଏ ।

 

ଏଥିପାଇଁ ଇଉରୋପର ସଂସ୍କୃତି ଓ ଆଦର୍ଶ ବିରୁଦ୍ଧରେ ଆମ ମନରେ ପ୍ରତିକ୍ରିୟା ଦେଖା ଦେଇଛି । ଆତ୍ମାଭିମାନର ଏକ ସଦ୍ୟଜାତ ଧରଣା ଆମକୁ ଅଧିକରୁ ଅଧିକ ନିଜ ଆଡ଼କୁ ଫେରି ଆସିବାକୁ ପ୍ରରୋଚନା ଦେଇଛି ।

 

ଭାରତ ଭୂମିରେ ଯେଉଁ ମହାକାଳର ବିବର୍ତ୍ତନ ବିଷୟ ପୂର୍ବରୁ କହିଛି, ସେହି ଅଭିପ୍ରାୟର ଅନୁଗତ ହୋଇ ଇତିହାସର ଉଦ୍ଦେଶ୍ୟ ସାଧନ ନିମନ୍ତେ ଏହି ପରିବର୍ତ୍ତନ ଆବଶ୍ୟକ ହୋଇଅଛି । ଆମ୍ଭେମାନେ ନିର୍ବିଚାର ଭାବରେ ମାନସିକ ଦୁର୍ବଳତା ହେତୁ ଦୀନ ଭାବରେ ଯାହା ଗ୍ରହଣ କରିଥିଲୁ, ତାହା କେବେହେଲେ ଆମର ନିଜସ୍ୱ ହୋଇ ପାରିଲା ନାହିଁ । କାରଣ ସେଗୁଡ଼ିକର ମୂଲ୍ୟ ନିରୂପଣରେ ଅସମର୍ଥ ହୋଇ ଆମ୍ଭେମାନେ ତାହାକୁ ବାହାରର ପୋଷାକୀ ଜିନିଷଭାବେ ବ୍ୟବହାର କଲୁ । ଏହା ଉପଲବ୍‌ଧି କରିବା ପରେ ପରିବର୍ତ୍ତନର ଆକାଙ୍‍କ୍ଷା ଆମଠାରେ ସ୍ୱାଭାବିକ ହୋଇଅଛି-

 

ରାମମୋନହନରାୟ ପଶ୍ଚିମର ଭାବଧାରାକୁ ଏପରି ପରିପୂର୍ଣ୍ଣ ଭାବରେ ଆତ୍ମସାତ୍‌ କରିବାକୁ ସମର୍ଥ ହୋଇଥିଲେ କାରଣ ଏହା ତାହାଙ୍କୁ ଅଭିଭୂତ କରି ପାରି ନ ଥିଲା । ତାଙ୍କର କୌଣସି ଦୁର୍ବଳତା ନ ଥିଲା । ନିଜ ଦେଶର ସଂସ୍କୃତିକଭିତ୍ତି ଉପରେ ଦୃଢ଼ ଭାବରେ ଦଣ୍ଡାୟମାନ ହୋଇ ନିଜର ବିଚାର ମାନଦଣ୍ଡ ସାହାଯ୍ୟରେ ସେ ବାହାରର ଜିନିଷ ଗ୍ରହଣ କରିଥିଲେ ଏବଂ ସେମାନଙ୍କର ମୂଲ୍ୟ ନିର୍ଣ୍ଣୟ କରିଥିଲେ ।

 

ଯେଉଁ ଶକ୍ତି ନବଭାରତର ପ୍ରଥମ ବିରାଟ ଶିଳ୍ପୀଙ୍କ ପ୍ରକୃତି ମଧ୍ୟରେ ସହଜ ଭାବରେ ଥିଲା, ଆମ ମଧ୍ୟରେ ତାହା ନାନା ଘାତପ୍ରତିଘାତ, କ୍ରିୟା ପ୍ରତିକ୍ରିୟାଜନିତ ଦ୍ୱନ୍ଦ୍ୱ ଭିତର ଦେଇ ଧୀରେ ଧୀରେ ଅଭିବ୍ୟକ୍ତ ହେଉଅଛି । ସେହି କାରଣରୁ ଆମେ ଏକ ସୀମାରୁ ବିପରୀତ ସୀମାର ଚୂଡ଼ାନ୍ତକୁ ନିକ୍ଷିପ୍ତ ହେଉଅଛୁ । ପର୍ଯ୍ୟାୟ କ୍ରମେ ଆମ୍ଭେମାନେ ଆଗ୍ରହ ସହକାରେ ଗ୍ରହଣ କରୁଅଛୁ ଏବଂ ଭୀତ ହୋଇ ପ୍ରତ୍ୟାଖ୍ୟାନ କରୁଅଛୁ, ଉଭୟ ପ୍ରକ୍ରିୟା ସମାନଭାବେ ଅସଙ୍ଗତ । ତେଣୁ ଆମେ ଅନ୍ଧଭାବରେ ଅଗ୍ରସର ହେଉଅଛୁ ।

 

ବର୍ତ୍ତମାନ ଇଂରେଜ ଓ ଭାରତବାସୀଙ୍କ ମଧ୍ୟରେ ଯେଉଁ ବିରୋଧ ଦେଖାଦେଇଛି ତା’ର ଏକ ପ୍ରଧାନ କାରଣ ଏହି ଭାବ ପ୍ରତିକ୍ରିୟାର ବଳିଷ୍ଠ ପ୍ରଭାବ । ଇଂରେଜମାନଙ୍କର ଜ୍ଞାନ ଓ ଶକ୍ତିକୁ କ୍ରମାଗତ ନିଶ୍ଚେଷ୍ଟ ଭାବରେ ମୁଣ୍ଡପୋତି ଗ୍ରହଣ କରି କରି ଆମର ଅନ୍ତରାତ୍ମା ପୀଡ଼ିତ ହୋଇ ଉଠିଥିଲା । ସେହି ପୀଡ଼ାର ମାତ୍ରା ଅଲକ୍ଷିତଭାବେ ବୃଦ୍ଧି ପାଇ ଆଜି ହଠାତ୍‌ ଦେଶର ଅନ୍ତଃକରଣ ପ୍ରବଳ ବେଗରେ ପରିବର୍ତ୍ତିତ ହେବାକୁ ଯାଉଛି ।

 

ଏହାର ଅନ୍ୟ କାରଣ ମଧ୍ୟ ଅଛି । ପଶ୍ଚିମ ଭାରତବର୍ଷର ଗୃହ ମଧ୍ୟରେ ଆସି ଉପସ୍ଥିତ । ତାହାକୁ କୌଣସି ପ୍ରକାରେ ଅନଭ୍ୟର୍ଥିତ ଅତିଥି ଭାବରେ ଫେରାଇ ଦେଇ ହେବ ନାହିଁ । ଆମ ତରଫରୁ ଯଦି ଭ୍ରାତୃତ୍ୱର ଅବମାନନା ଘଟେ ଆମେ କାଳର ଅଭିପ୍ରାୟକୁ ପରାହତ କରିବା । ଅନ୍ୟ ପକ୍ଷରେ ପଶ୍ଚିମ ନିଜର ଯାହା କିଛି ଉତ୍ତମ ଆମକୁ ଦେବାରେ ଯଦି କାର୍ପଣ୍ୟ ପ୍ରକାଶ କରେ ସମଭାବରେ କାଳର ଅଭିପ୍ରାୟ ମଧ୍ୟ ତା’ଦ୍ୱାରା ବ୍ୟାହାତ ହେବ ।

 

ଇଂରେଜ ଜାତିର ଯାହା ଶ୍ରେଷ୍ଠ ସତ୍ୟ ତାହା ସହିତ ଆମର ଯଦି ସଂସ୍ରବ ନ ଘଟେ, ଆମେ ଯଦି ସେମାନଙ୍କ ମଧ୍ୟରେ ପ୍ରଧାନତଃ ସୈନିକ, ବଣିକ ବା ଶାସନତନ୍ତ୍ର ଚାଳକର ପରିଚୟ ପାଉଁ ଯେଉଁ କ୍ଷେତ୍ରରେ ମନୁଷ୍ୟ ମନୁଷ୍ୟ ସଙ୍ଗରେ ଆତ୍ମୀୟଭାବେ ମିଶି ପରସ୍ପରକୁ ଗ୍ରହଣ କରେ ତା’ହା ଯଦି ସେମାନଙ୍କ ମଧ୍ୟରେ ପ୍ରତିଷ୍ଠିତ ନ ହୁଏ- ମୋଟ ଉପରେ ଭାରତୀୟ ଓ ଇଂରେଜ ଯଦି ପରସ୍ପର ବ୍ୟବହିତ ହୋଇ ପୃଥକ୍‌ ରହନ୍ତି- ତା’ହେଲେ ସେମାନେ ପରସ୍ପରର ପରମ ନିରାନନ୍ଦର କାରଣ ହୋଇ ରହିବେ । ଏପରି ସ୍ଥଳରେ ଶକ୍ତିଶାଳୀ ପକ୍ଷ ବିଦ୍ରୋହ ଦମନର ଆଇନ ପ୍ରଣୟନ କରି ଦୁର୍ବଳ ପକ୍ଷର ଅସନ୍ତୋଷକୁ ଲୌହଶୃଙ୍ଖଳ ମଧ୍ୟରେ ଆବଦ୍ଧ ରଖିବାର ଚେଷ୍ଟା କରିବ; ଫଳତଃ ଅସନ୍ତୋଷ ଦୂର ନ ହୋଇ କେବଳ ମାତ୍ର ଅବରୁଦ୍ଧ ହୋଇ ରହିବ ।

 

ଏକ ସମୟରେ ଡଭିଡ଼୍‌ହେୟାରଙ୍କ ପରି ମହାତ୍ମା ଇଂରେଜମାନେ ଆମର ଅତି ନିକଟକୁ ଆସି ଇଂରେଜ ଚରିତ୍ର ମହତ୍ୱ ଆମକୁ ଉପଲବ୍ଧି କରାଇଥିଲେ । ସୁତରାଂ ସେତେବେଳର ଛାତ୍ରଗଣ ଇଂରେଜ ଜାତି ନିକଟରେ ହୃଦୟ ସମର୍ପଣ କରିଥିଲେ । ଆଜିକାଲି ଆମ ସ୍କୁଲ ଓ କଲେଜର ଇଂରେଜ ଶିକ୍ଷକମାନେ ସ୍ୱଜାତିର ଯାହା କିଛି ଶ୍ରେଷ୍ଠ ସଂପଦ ତାହା କେବଳ ଯେ ନିଜ ଛାତ୍ରମାନଙ୍କ ସମ୍ମୁଖରେ ସ୍ଥାପନ କରୁ ନାହାନ୍ତି ତା ନୁହେ, ବରଂ ଇଂରେଜ ଆଦର୍ଶକୁ ଖର୍ବ କରୁଅଛନ୍ତି ମାତ୍ର । ଫଳତଃ ପୂର୍ବ ଛାତ୍ରଙ୍କ ତୁଲ୍ୟ ଆଜିର ଛାତ୍ରମାନେ ଇଂରେଜୀ ସାହିତ୍ୟର ପ୍ରକୃତ ତାତ୍ପର୍ଯ୍ୟ ବୁଝିବାକୁ ସମର୍ଥ ହେଉ ନାହାନ୍ତି । ସେମାନେ ଗ୍ରାସ କରୁ ଅଛନ୍ତି; ଉପଭୋଗ କରୁ ନାହାନ୍ତି । ପୂର୍ବ ଛାତ୍ରମାନେ ସେକ୍ସପିଅର୍‌ଓ ବାଇରନ୍‌ଙ୍କ ଯେପରି ଆନ୍ତରିକତା ସହକାରେ ଆସ୍ୱାଦନ କରୁଥିଲେ ତାହା ଆଜି ବିରଳ । ସାହିତ୍ୟର ବିମଳ ରାସାସ୍ୱଦନ ମଧ୍ୟ ଦେଇ ଇଂରେଜ ଜାତି ସଂଗରେ ଯେଉଁ ସମ୍ପର୍କ ସ୍ଥାପିତ ହୋଇଥାଆନ୍ତା ତାହା ଆଜି ବାଧାପ୍ରାପ୍ତ ହୋଇଅଛି ।

 

ଅଧ୍ୟାପକ, ମାଜିଷ୍ଟ୍ରେଟ, ବଣିକ ବା ପୋଲିସ୍‌ ବିଭାଗର କର୍ତ୍ତା ଭାବରେ ଭାରତରେ ଥିବା ଇଂରେଜମାନେ ତାଙ୍କ ସଭ୍ୟତାର ଚରମ ପରିଚୟ ଆମକୁ ପ୍ରଦାନ କରିବାକୁ ଅସମର୍ଥ । ଭାରତବର୍ଷକୁ ଇଂରେଜ ଆଗମନର ସର୍ବଶ୍ରେଷ୍ଠ ଲାଭର ସୁଫଳରୁ ଆମକୁ ବଞ୍ଚିତ କରି ସେମାନେ ଆମର ଆତ୍ମଶକ୍ତିର ବିକାଶକୁ ବାଧାଗ୍ରସ୍ତ ଓ ଆତ୍ମସମ୍ମାନକୁ ଖର୍ବ କରୁଛନ୍ତି । ସୁଶାସନ ଓ ଉତ୍ତମ ଆଇନ ମନୁଷ୍ୟର ସକଳ ଆବଶ୍ୟକତାକୁ ଚରିତାର୍ଥ କରେ ନାହିଁ । ମାନବିକ ସମ୍ପର୍କର ଅଭାବ ବଡ଼ ଅଭାବ । ମାନବିକ ସମ୍ପର୍କ ନିମନ୍ତେ ପ୍ରାର୍ଥନା କରି କେବଳ ବିଚାର ଏବଂ ଆଇନ ପାଇବା ଅର୍ଥ ରୁଟି ମାଗି ପଥର ପାଇବା ସଙ୍ଗେ ସମାନ । ପଥର ଦୁର୍ଲଭ ଓ ମୂଲ୍ୟବାନ ହୋଇ ପାରେ କିନ୍ତୁ କ୍ଷୁଧା ନିବାରଣ କରିବାର ଶକ୍ତି ଏହାର ନାହିଁ ।

 

ପୂର୍ବ ଓ ପଶ୍ଚିମର ମିଳନର ବିଫଳତା ହେତୁ ଆଜି ଯାହା କିଛି ଉତ୍ପାତର ସୃଷ୍ଟି । ପରସ୍ପରର ଅତି ନିକଟରେ ଥାଇ ମିଳିତ ନ ହେବା ଏକାନ୍ତ ଅସହ୍ୟ ଓ ଅନିଷ୍ଟକର । ସୁତରାଂ ଦିନେ ନା ଦିନେ ଏ ଧରଣର ଅବସ୍ଥା ବିରୁଦ୍ଧରେ ବିଦ୍ରୋହ କରିବାର ଆକାଙ୍‍କ୍ଷା ଦୁର୍ଦ୍ଦମ ହୋଇଉଠେ । ଏ ବିଦ୍ରୋହ ହୃଦୟର ବିଦ୍ରୋହ, ତେଣୁ ଏହା ଫଳାଫଳ ବିଚାର କରେ ନା ଏବଂ ଆତ୍ମହତ୍ୟା ପର୍ଯ୍ୟନ୍ତ ସ୍ୱୀକାର କରିବାକୁ ଏହା ପ୍ରସ୍ତୁତ ହୋଇଥାଏ ।

 

ତତ୍‌ସତ୍ତ୍ୱେ ଏହା ସତ୍ୟ ଯେ ଏ ସକଳ ବିଦ୍ରୋହ କ୍ଷଣିକ । ପ୍ରତିବନ୍ଧକର ସକଳ ଉପାଦାନ ସତ୍ତ୍ୱେ ପଶ୍ଚିମ ସହିତ ଆମର ସଂପର୍କ ପୂର୍ଣ୍ଣ ମିଳନରେ ପରିଣତ ହେବ । ପଶ୍ଚିମର ଯାହା କିଛି ଉପାଦେୟ, ତାହା ଗ୍ରହଣ ନ କରିବା ପର୍ଯ୍ୟନ୍ତ ଭାରତର ଅବ୍ୟାହତି ନାହିଁ । ଅପରିପକ୍ୱ ଫଳ ତାର ବୃନ୍ତଦେହରେ ସଂପୃକ୍ତ ନ ହେଲେ ତାହା ଆଦୌ ପରିପକ୍ୱ ହୋଇ ପାରିବ ନାହିଁ ।

 

ଆଉ ଗୋଟିଏ କଥା କହି ଏ ପ୍ରବନ୍ଧ ଶେଷ କରିବି । ଇଂରେଜମାନେ ସେମାନଙ୍କର ଶ୍ରେଷ୍ଠ ସଂପଦ ଆମକୁ ଯେ ଦେଉ ନାହାନ୍ତି, ଏଥିଲାଗି ଆମ୍ଭେମାନେ ଅଂଶତଃ ଦାୟୀ । ଆମ୍ଭମାନେ ଆମର ଦୈନ୍ୟ ଘୁଞ୍ଚାଇଦେଲେ ସେମାନେ ତାଙ୍କର କାର୍ପଣ୍ୟ ଦୂର କରିବେ । ବାଇବେଲ କହେ, ଯାହାର ଅଛି, ତାକୁ ହିଁ ଦେବାକୁ ହେବ । ସକଳ ଦିଗରୁ ଆମକୁ ଶକ୍ତିଶାଳୀ ହେବାକୁ ପଡ଼ିବ । ସେତେବେଳେ କେବଳ ଇଂରେଜମାନେ ଭାରତବର୍ଷକୁ ଯାହା ଦେବାକୁ ଆସିଛନ୍ତି ତାହା ଦେବେ । ଯେତେଦିନଯାଏଁ ସେମାନେ ଆମକୁ ଅବଜ୍ଞା କରିବେ, ସେତେଦିନ ପର୍ଯ୍ୟନ୍ତ ସେମାନଙ୍କ ସଙ୍ଗେ ଆମର ମିଳନ ହୋଇ ପାରିବ ନାହିଁ । ଆମ୍ଭେମାନେ ରିକ୍ତ ହସ୍ତ ପ୍ରସାରପୂର୍ବକ ସେମାନଙ୍କ ଦ୍ୱାରା ଦେଶରେ ଦଣ୍ଡାୟମାନ ହେଲେ ଆମକୁ ଫେରି ଆସିବାକୁ ପଡ଼ିବ ।

 

ଆମର ମନୁଷ୍ୟତ୍ୱ ଦ୍ୱାରା ଇଂରେଜମାନଙ୍କ ମନୁଷ୍ୟତ୍ୱକୁ ଆମେ ଉଦ୍‌ବୋଧିତ କରିବା–ଏହାହିଁ ଏକମାତ୍ର ପନ୍ଥା । ଯାହା କିଛି ଉତ୍ତମ ଓ ଶ୍ରେଷ୍ଠ, ଇଂରେଜମାନେ କଠିନ ଦୁଃଖ ଓ ଶ୍ରମ ମଧ୍ୟ ଦେଇ ତାହା ଲାଭ କରିଅଛନ୍ତି । ଏହି ସଦ୍‌ଗୁଣର ଯଥାର୍ଥ ସାକ୍ଷାତ୍‌ଲାଭ କରିବାକୁ ହେଲେ ଆମକୁ ଶକ୍ତିଶାଳୀ ହେବାକୁ ପଡ଼ିବ । ଅବନତ ମସ୍ତକରେ, ଯୋଡ଼ି ହାତରେ, ଇଂରେଜମାନଙ୍କ ସମ୍ମୁଖରେ ଉପସ୍ଥିତ ହେଲେ, ସେମାନଙ୍କ ଚରିତ୍ରର କ୍ଷୁଦ୍ରତା ଓ ନୀଚତା ଜାଗରିତ ହେବ । ଅନ୍ୟପକ୍ଷରେ ଅସଂଯତ କ୍ରୋଧ ଦ୍ୱାରା ଉନ୍ମତ୍ତଭାବେ ସେମାନଙ୍କୁ ଆଘାତ କଲେ ସେମାନଙ୍କର ପାପ ପ୍ରକୃତିହିଁ ଭଦ୍ରିକ୍ତ ହେବ । ଭାରତବର୍ଷ ଇଂରେଜମାନଙ୍କ ଲୋଭ, ଔଦ୍ଧତ୍ୟ, କାପୁରୁଷତା ଓ ନିଷ୍ଠୁରତାକୁ ଉଦ୍‌ବୋଧିତ କରିଅଛି, ଏହା ଯଦି ସତ୍ୟ ହୁଏ, ଏଥିଲାଗି ତାଙ୍କୁ କେବଳ ଦୋଷଦେଲେ ଚଳିବ ନାହିଁ, ବରଂ ଏ ଅପରାଧ ନିମନ୍ତେ ଆମେ ନିଜକୁ ଦୋଷୀ କରିବା ଉଚିତ ହେବ ।

 

ସ୍ୱଦେଶରେ ଇଂରେଜମାନଙ୍କ ସମାଜ ସେମାନଙ୍କର ନୀଚ ପ୍ରକୃତିକୁ ଦମନ କରି ଲୋକମାନଙ୍କ ମହତ୍ୱର ବିକାଶ ନିମନ୍ତ ନାନା ଚେଷ୍ଟା କରି ନିୟତ ଉତ୍ସାହ ପ୍ରଦାନ କରୁଅଛି । ସମସ୍ତ ସମାଜରେ ଧର୍ମବୁଦ୍ଧି ପ୍ରତ୍ୟେକ ବ୍ୟକ୍ତିକୁ ଉଚ୍ଚ ସ୍ଥାନରେ ଅଧିଷ୍ଠିତ ହେବା ନିମନ୍ତେ ଉତ୍ସାହିତ କରି ସେଠାରେ ତା’ର ଆସନ ଦୃଢ଼ ରଖେ । କିନ୍ତୁ ଭାରତବର୍ଷରେ ଇଂରେଜ ସମୂହ ଭାବରେ ସମାଜରେ ଅନ୍ତର୍ଭୁକ୍ତ ନୁହେ । ସେ ହୁଏତ ସିଭିଲିଆନ୍‌ ସମାଜ, ବଣିକ ସମାଜ ବା ସୈନିକ ସମାଜର ଅନ୍ତର୍ଭୁକ୍ତ । ଏହି ବର୍ଗ ମଧ୍ୟରୁ ପ୍ରତ୍ୟେକ ନିଜର ବିଶେଷ କାର୍ଯ୍ୟକ୍ଷେତ୍ରର ସଂକୀର୍ଣ୍ଣତା ଦ୍ୱାରା ଆବଦ୍ଧ । ଏହି ସକଳ କ୍ଷେତ୍ରର ପରମ୍ପରା ଓ ସଂସ୍କାର ତାହାର ଚାରି ଦିଗରେ ସାବଧାନତା ସହକାରେ କଠିନ ଆବରଣ ରଚନା କରେ । ଫଳତଃ ସେ ଜଣେ କଡ଼ା ଶାସକ, ଦକ୍ଷ ବ୍ୟବସାୟୀ ବା ଷୋଳ ଅଣା ସୈନିକ ହୋଇ ଉଠେ । ତାହା ମଧ୍ୟରେ ଥିବା ମନୁଷ୍ୟତ୍ୱର ସମାଧି ଘଟେ ।

 

ଅନ୍ୟ ପକ୍ଷରେ ଭାରତବର୍ଷର ସମାଜ ନିଜ ଦୁର୍ଗତିର ପରିଚୟ ଇଂରେଜକୁ ଦେଇ ତାର ଇଂରେଜତ୍ୱ ତାର ବିଶିଷ୍ଟ ଶକ୍ତିକୁ ଉଦ୍‌ବୋଧିତ କରି ପାରେ ନାହିଁ । ଫଳତଃ ଉଭୟ କ୍ଷତିଗ୍ରସ୍ତ ହୁଅନ୍ତି-। ପ୍ରକୃତ ଇଂରେଜ ସହିତ ଆମର ସାକ୍ଷାତ୍‌କାର ଘଟେ ନା । କେବଳ ତାର ବିକୃତ ପ୍ରତିମୂର୍ତ୍ତିର ପରିଚୟ ଆମେ ପାଉଁ । ସେ ଆମ ଅପମାନ ଓ ଦୁଃଖର କାରଣ ହୁଅନ୍ତି ।

 

ଶକ୍ତ କଥା କିମ୍ବା ଦୁଃସାହସିକ କାର୍ଯ୍ୟ ବଳର ପ୍ରକୃତ ପରୀକ୍ଷା ନୁହେ, ତ୍ୟାଗ ଓ କର୍ମ ଦ୍ୱାରା ବଳର ପ୍ରକୃତ ପରୀକ୍ଷା ଘଟେ । ଯେତେବେଳେ ଦେଶକୁ ଆପଣାର ମଣି ଦେଶର ମଙ୍ଗଳ ନିମନ୍ତେ ସମସ୍ତ ଶକ୍ତି ପ୍ରୟୋଗ କରିବୁ ଭାରତରେ ଇଂରେଜମାନେ ଆମ ସହ ମିତ୍ରତା ସ୍ଥାପନ କରିବେ । ଯେତେବେଳ ପର୍ଯ୍ୟନ୍ତ ସାମାଜିକ ବା ବ୍ୟକ୍ତିଗତ ମୂଢ଼ତା ପ୍ରଣୋଦିତ ହୋଇ ଆମର ନିଜ ଦେଶବାସୀଙ୍କ ପ୍ରତି ଅମନୁଷ୍ୟ ତୁଲ୍ୟ ବ୍ୟବହାର କରିବୁ, ଯେତେଦିନ ଯାଏଁ ଆମ ଦେଶର ଜମିଦାରମାନେ ପ୍ରଜାମାନଙ୍କୁ ନିଜ ବ୍ୟକ୍ତିଗତ ସମ୍ପତ୍ତିର ଅଙ୍ଗ ବୋଲି ଗଣନା କରିବେ, ଯେତେଦିନ ଯାଏଁ ଦେଶର ପ୍ରବଳ ପକ୍ଷ ଦୁର୍ବଳକୁ ପଦାନତ କରି ରଖିବାକୁ ସନାତନ ଅଧିକାର ବୋଲି ମନେ କରିବେ, ଉଚ୍ଚବର୍ଣ୍ଣ ନିମ୍ନବର୍ଣ୍ଣକୁ ପଶୁ ଅପେକ୍ଷା ହୀନ ଭାବରେ ଘୃଣା କରିବେ, ସେତେଦିନ ପର୍ଯ୍ୟନ୍ତ ଆମ୍ଭେମାନେ ଇଂରେଜମାନଙ୍କର ଉତ୍ତମ ଗୁଣଗୁଡ଼ିକର ଉଦ୍ଦୀପନରେ ଅସମର୍ଥ ହେବୁ ଏବଂ ହେୟ ଓ ଅପମାନିତ ଭାବରେ କଳକ୍ଷେପଣ କରିବୁ ।

 

ଭାରତବର୍ଷ ଆଜି ସକଳ ଦିଗରୁ ନିୟମ ଓ ଆଚାର, ଧର୍ମ ଓ ସାମାଜିକ ଅନୁଷ୍ଠାନମାନଙ୍କରେ ନିଜକୁ ପ୍ରବଞ୍ଚିତ ଓ ଅପମାନିତ କରୁଅଛି । ସେହି କାରଣରୁ ଆମ ଦେଶରେ ପୂର୍ବ ଓ ପଶ୍ଚିମର ମିଳନ ପୂର୍ଣ୍ଣତା ଲାଭ କରିବାକୁ ଅସମର୍ଥ । ବରଂ ସେହି ମିଳନ ଆମକୁ ଅପମାନ ଓ ଦୁଃଖ ଦେଉଅଛି । ଛଳବଳ ଓ କଉଶଳ ପ୍ରୟୋଗରେ ଇଂରେଜମାନଙ୍କୁ ଏ ଦେଶରୁ ତଡ଼ିଦେଲେ ସୁଦ୍ଧା ଆମର ଏ ଦୁଃଖ ରହିବ । ଉଭୟ ମଧ୍ୟରେ ଏକ ଆନ୍ତରିକ ମିଳନ ସାଧନ କରି ନ ପାରିବା ପର୍ଯ୍ୟନ୍ତ ଏ ଦୁଃଖର ନିଷ୍କୃତି ନାହିଁ । ସେତିକିବେଳେ କେବଳ ପୂର୍ବ ଓ ପଶ୍ଚିମ ଭାରତରେ ମିଳିତ ହେବେ ଯେତେବେଳେ ଦେଶ ସହ ଦେଶର, ଜାତି ସହ ଜାତିର, ଜ୍ଞାନ ସହ ଜ୍ଞାନର, ଉଦ୍ୟମ ସହ ଉଦ୍ୟମର ଯୋଗ ସାଧନ ଘଟିବ । ସେତିକିବେଳେ ହିଁ ଭାରତ ଇତିହାସର ବର୍ତ୍ତମାନ ଅଧ୍ୟାୟ ସମାପ୍ତ ହେବ ଏବଂ ଏକ ନୂତନ ଅଧ୍ୟାୟର ଆରମ୍ଭରେ ମନୁଷ୍ୟ ଜୀବନର ମହତ୍ତମ ଅଧ୍ୟାୟ ରଚିତ ହେବ ।

 

-୧୯୦୮

Image

 

Unknown

ହିନ୍ଦୁ ବିଶ୍ୱବିଦ୍ୟାଳୟ

 

ଆଜିକାଲି ପୃଥିବୀର ଲୋକମାନଙ୍କ ମଧ୍ୟରେ ଅଧିକ ସଂଯୋଗ ସ୍ଥାପିତ ହେଉଛି ଏବଂ ଆନ୍ତର୍ଜାତିକ ସମ୍ପର୍କ ମଧ୍ୟ କ୍ରମଶଃ ବୃଦ୍ଧିପ୍ରାପ୍ତ ହେଉଛି । ଅତଏବ ଭିନ୍ନ ଭିନ୍ନ ଜାତି ଓ ବର୍ଣ୍ଣଗତ ସ୍ୱାତନ୍ତ୍ର୍ୟ ଏକତା ମଧ୍ୟରେ ନିମଜ୍ଜିତ ହେବାର ସମୟ ଯେ ଆସି ଉପସ୍ଥିତ, ଏହା ସହଜରେ ଅନୁମାନ କରାଯାଇ ପାରେ ।

 

କିନ୍ତୁ ଆଶ୍ଚର୍ଯ୍ୟର ବିଷୟ, ବାହାର ଜଗତର ଦ୍ୱାରା ଯେତେ ମୁକ୍ତ ହେଉଛି, ସଂଯୋଗର ପ୍ରତିବନ୍ଧକ-ପ୍ରାଚୀର ଯେତେ ଭଗ୍ନ ହେଉଛି, ମନୁଷ୍ୟର ସ୍ୱାତନ୍ତ୍ର୍ୟବୋଧ ସେତିକି ଅଧିକ ଦୃଢ଼ ହେଉଛି । ଏକ ସମୟରେ ମନେ ହେଉଥିଲା, ମିଳନର ସୁବିଧା ନ ଥିବାରୁ ଲୋକମାନେ ପରସ୍ପରଠାରୁ ପୃଥକ୍‌ହୋଇ ରହିଛନ୍ତି, କିନ୍ତୁ ବର୍ତ୍ତମାନ ମିଳନର ସକଳ ପ୍ରତିବନ୍ଧକ ଅପସାରିତ, କିନ୍ତୁ ଦେଖାଯାଉଛି ଯେ, ପାର୍ଥକ୍ୟ ତଥାପି ଦୁରୀଭୂତ ହେଉ ନାହିଁ ।

 

ଇଉରୋପର ବହୁ ରାଜ୍ୟରେ ବିଭିନ୍ନ ଜାତି ଏକପ୍ରକାର ମିଳିତ ହୋଇ ରହିଥିଲେ, ବର୍ତ୍ତମାନ ସେମାନେ ପ୍ରତ୍ୟେକ ନିଜର ସ୍ୱତନ୍ତ୍ର ଆସନ ଗ୍ରହଣ କରିବା ନିମନ୍ତେ ବ୍ୟଗ୍ର । ନରୱେ ଓ ସୁଇଡେନ ପରସ୍ପରଠାରୁ ପୃଥକ୍‌ ହୋଇଛନ୍ତି । ଆୟରଲାଣ୍ଠ ବହୁକାଳରୁ ନିଜର ସ୍ୱାତନ୍ତ୍ର୍ୟ ଲାଭ ନିମନ୍ତେ ଅଶ୍ରାନ୍ତ ଉଦ୍ୟମ କରୁଛି । ଏପରି କି ଆୟରଲାଣ୍ଡର ଅଧିବାସୀମାନେ ଆପଣାର ଦେଶୀୟ ଭାଷା ଓ ସାହିତ୍ୟର ପୁନଃପ୍ରତିଷ୍ଠା ନିମନ୍ତେ ସଚେଷ୍ଟା । ୱେଲସବାସୀମାନେ ମଧ୍ୟ ସେହି ପ୍ରକାର ଚେଷ୍ଟା ଚଳାଇଛନ୍ତି । ବେଲଜିୟମରେ ଏ ପର୍ଯ୍ୟନ୍ତ ଫରାସୀ ଭାଷା ପ୍ରଧାନ ଭାଷା ଥିଲା, ଆଜି ଫେମିଶ୍‌ମାନେ ନିଜ ଭାଷାର ସ୍ୱାତନ୍ତ୍ର୍ୟକୁ ବଜାୟ ରଖିବା ଲାଗି ଉତ୍ସାହିତ ହୋଇଛନ୍ତି । ଅଷ୍ଟ୍ରିଆ ରାଜ୍ୟରେ ବହୁ କ୍ଷୁଦ୍ର କ୍ଷୁଦ୍ର ଜାତି ଏକ ସଙ୍ଗରେ ବାସ କରୁଥିଲେ । ସେମାନଙ୍କୁ ଏକ କରି ମିଳିତ କରିବାର ସମ୍ଭାବନା ଆଜି ସୁଦୂର ପରାହତ । ରୁଷିଆ ଆଜି ଫିନ୍‌ମାନଙ୍କୁ ଆତ୍ମାସାତ୍‌କରିବା ଲାଗି ବିପୁଳ ବଳ ପ୍ରୟୋଗ କରୁଛି, କିନ୍ତୁ ଦେଖୁଛି ଗିଳିଦେବା ଯେତେ ସହଜ, ପରିପାକ କରିବା ସେତେ ସହଜ ନୁହେ । ତୁରସ୍ଥ ସାମ୍ରାଜ୍ୟରେ ବାସ କରୁଥିବା ବିଭିନ୍ନ ଜାତିର ସ୍ୱତନ୍ତ୍ର ସଭା ବହୁ ରକ୍ତପାତ ପରେ ମଧ୍ୟ ନିଶ୍ଚିହ୍ନ ହୋଇଯାଇ ନାହିଁ ।

 

ଇଂଲଣ୍ଡରେ ହଠାତ୍‌ ସାମ୍ରାଜ୍ୟବାଦର ଏକ ଢେଉ ସୃଷ୍ଟି ହେଲା । ଦରିଆପାରିର ସମୁଦାୟ ଉପନିବେଶକୁ ଏକ ସାମ୍ରାଜ୍ୟତନ୍ତ୍ରର ଶୃଙ୍ଖଳ ମଧ୍ୟରେ ଆବଦ୍ଧ ରଖି ଏକ ବିରାଟ କଳେବର ଧାରଣ କରିବାର ପ୍ରଲୋଭନ ଇଂଲଣ୍ଡ ଚିତ୍ତରେ କ୍ରମାଗତ ପ୍ରବଳ ହୋଇ ଉଠିଥିଲା । କିନ୍ତୁ ନିକଟରେ ଇଂଲଣ୍ଡରେ ଅନୁଷ୍ଠିତ ହୋଇଯାଇଥିବା ସାମ୍ରାଜ୍ୟବାଦୀ ମହାସମିତିରେ ନିବିଡ଼ ମିଳନର ସକଳ ପ୍ରସ୍ତାବ ଅସାର୍ଥକ ହୋଇଯାଇଛି । ଉପନିବେଶଗୁଡ଼ିକର ସ୍ୱାତନ୍ତ୍ର୍ୟ ହାନି ହେବାର ଲେଶ ମାତ୍ର ଆଶଙ୍କା ହେତୁ ଏହି ସାମାନ୍ୟତମ ଉଦ୍ୟମ ବିରୁଦ୍ଧରେ ମଧ୍ୟ ପ୍ରବଳ ଆପତ୍ତି ଦେଖାଦେଇଛି ।

 

ନିବିଡ଼ ମିଳନରେ ସବଳତା ସହିତ ଏବଂ ବଡ଼ ହେବାର ପଥ ଦେଇ ଯେ ମହତ୍‌ ହେବାକୁ ପଡ଼ିବ ଏହା ଆଜିକାଲିକାର ବିଶ୍ୱାସ ନୁହେ । ଅସଲ କଥା, ପାର୍ଥକ୍ୟ ଯେଉଁଠି ସତ୍ୟ, ସେଠାରେ ସୁବିଧା ନିମନ୍ତେ ବଡ଼ ଦଳ ବାନ୍ଧିବାର ପ୍ରଲୋଭନରେ ତାକୁ ଆଖିବୁଜି ଲୋପ କରିବାର ଚେଷ୍ଟା ସତ୍ୟସମ୍ମତ ନୁହେ । ସ୍ୱାତନ୍ତ୍ର୍ୟକୁ       ବଳପୂର୍ବକ ଚାପି ରଖିବାର ଚେଷ୍ଟା କଲେ ତାହା ଏକ ଭୟାନକ ଉତ୍ପାତକ ଶକ୍ତି ହୋଇଉଠେ; କୌଣସି ସମୟରେ ଆଘାତ ପାଇଲେ ହଠାତ୍‌ ଫାଟିଯାଇ ଏକ ବିରାଟ ବିପ୍ଳବ ତାହା ସୃଷ୍ଟି କରିଥାଏ । ପ୍ରକୃତ ସ୍ୱତନ୍ତ୍ର ବସ୍ତୁର ସ୍ୱାତନ୍ତ୍ର୍ୟ ପ୍ରତି ସମ୍ମାନ ପ୍ରଦର୍ଶନ କରିବା ମିଳନ ସାଧନର ପ୍ରକୃଷ୍ଟ ଉପାୟ ।

 

ନିଜ ସ୍ୱାତନ୍ତ୍ର୍ୟ ମନୁଷ୍ୟ ଯଥାର୍ଥଭାବରେ ଉପଲବ୍‌ଧି କଲେ ବଡ଼ ହେବାର ଉଦ୍ୟମ ତା’ଠି ପ୍ରକାଶପାଏ । ଏହି ଅନୁଭୂତିର ଅଭାବରେ ସେ ବହୁ ମଧ୍ୟରେ ନିଜକୁ ହଜାଇ ଦିଏ । ନିଦ୍ରିତ ମନୁଷ୍ୟମାନଙ୍କ ମଧ୍ୟରେ କୌଣସି ପ୍ରଭେଦ ନାହିଁ, କିନ୍ତୁ ଜାଗ୍ରତ ହେଲେ ପ୍ରତ୍ୟେକର ସ୍ୱାତନ୍ତ୍ର୍ୟ ନାନାପ୍ରକାରେ ଆପଣାକୁ ପ୍ରକାଶ କରେ । ସକଳ ବିକାଶର ଅର୍ଥ ହିଁ ଐକ୍ୟ ମଧ୍ୟରେ ଅନୈକ୍ୟର ପ୍ରକାଶ । ବୀଜ ମଧ୍ୟରେ ବୈଚିତ୍ର୍ୟ ନାହିଁ । କଢ଼ି ମଧ୍ୟରେ ପାଖୁଡ଼ାଗୁଡ଼ିକ ଏକତ୍ର ହୋଇ ରହିଥାନ୍ତି । ଯେତେବେଳେ ସେମାନେ ପରସ୍ପରଠାରୁ ପୃଥକ୍‌ ହୋଇଉଠନ୍ତି କଢ଼ିଟି ବିକଶିତ ହୋଇ ଫୁଲରେ ପରିଣତ ହୁଏ । ପ୍ରତ୍ୟେକ ପାଖୁଡ଼ା ଭିନ୍ନମୁଖୀ ହୋଇ ଏକ ସ୍ୱତନ୍ତ୍ର ଉପାୟରେ ନିଜକୁ ପୂର୍ଣ୍ଣ କଲେ ପୁଷ୍ପପୂର୍ଣ୍ଣ ସାର୍ଥକତା ଲାଭ କରେ । ଆଜି ପରସ୍ପରର ସଂଘାତରେ ସମସ୍ତ ଜଗତରେ ଏକ ଜାଗରଣ ଦେଖାଦେଇଛି ବୋଲି ବିକାଶରେ ଅନିବାର୍ଯ୍ୟ ନିୟମରେ ମନୁଷ୍ୟ ସମାଜର ସ୍ୱାଭାବିକ ପାର୍ଥକ୍ୟଗୁଡ଼ିକ ସତର୍କ ହୋଇ ଆତ୍ମରକ୍ଷା ନିମନ୍ତେ ଚତୁର୍ଦ୍ଦିଗରେ ସଚେଷ୍ଟ ହୋଇ ଉଠିଛନ୍ତି । ଆପଣାକୁ ସଂପୂର୍ଣ୍ଣ ବିଲୁପ୍ତ କରି ଅନ୍ୟ ସଙ୍ଗରେ ମିଳିତ ହୋଇ ବଡ଼ ହେବାର ଲକ୍ଷଣ ବୋଲି ଗ୍ରହଣ କରିବ ନାହିଁ । ଗୋଟିଏ କ୍ଷୁଦ୍ର ବସ୍ତୁ ମଧ୍ୟ ନିଜର ସ୍ୱାତନ୍ତ୍ର୍ୟ ସମ୍ବନ୍ଧରେ ସଚେତନ ହୋଇଉଠିଲେ ତାହାକୁ ଅକ୍ଷୁର୍ଣ୍ଣ ରଖିବାକୁ ପ୍ରାଣପଣେ ଚେଷ୍ଟା କରେ ଏହା ହିଁ ହେଉଛି ପ୍ରାଣ-ଧର୍ମ । ବସ୍ତୁତଃ କ୍ଷୁଦ୍ର ହୋଇ ସୁଦ୍ଧା ବଞ୍ଚି ରହିବାକୁ ଚାହେଁ, ବୃହତ୍‌ଭିତରେ ମୃତ୍ୟୁବରଣ କରିବାକୁ ସେ ଅନିଚ୍ଛୁକ ।

 

ଫିନ୍‌ମାନେ କୌଣସି ପ୍ରକାରେ ଯଦି ରୁଷୀୟ ହୋଇଯାଇ ପାରନ୍ତେ, ଅନେକ ଉତ୍ପାତରୁ ସେମାନଙ୍କୁ ପରିତ୍ରାଣ ମିଳନ୍ତା । କ୍ଷୁଦ୍ରତ୍ୱର ଅଭିଶାପରୁ ସେମାନେ ମୁକ୍ତ ହୁଅନ୍ତେ, ଗୋଟିଏ ଜାତି ମଧ୍ୟରେ କୌଣସି ପ୍ରକାର ଦ୍ୱିଧା ରହିଲେ ତାର ବଳ କ୍ଷୟପ୍ରାପ୍ତ ହୋଇଯାଏ, ଏହି ଆଶଙ୍କାରେ ରୁଷୀୟମାନେ ବଳପୂର୍ବକ ଫିନ୍‌ଲାଣ୍ଡକୁ ରୁଷିଆ ସହ ମିଶାଇବାର ଅଭିପ୍ରାୟ ପୋଷଣ କରନ୍ତି । କିନ୍ତୁ ଫିନ୍‌ଲାଣ୍ଡର ପୃଥକ୍‌ସଭା ଏକ ସତ୍ୟ ବିଷୟ, ରୁଷୀୟମାନଙ୍କ ସ୍ୱାର୍ଥ ନିମନ୍ତେ ନିଜକୁ ବଳି ଦେବାକୁ ସେ ଅନିଚ୍ଛୁକ । ଏହି ଭିନ୍ନତାକୁ ନ୍ୟାୟସଙ୍ଗତ ଉପାୟରେ ବଶବର୍ତ୍ତୀ କରିବାର ଚେଷ୍ଟା କରାଯାଇ ପାରେ । ଏକ କରିବାର ଚେଷ୍ଟା ହତ୍ୟାକର୍ମ ପରି ଅନ୍ୟାୟ । ଆୟାରଲାଣ୍ଡ ସଂପର୍କରେ ଇଂଲଣ୍ଡରେ ମଧ୍ୟ ସେହି ସଙ୍କଟ । ସେଠାରେ ମଧ୍ୟ ସୁବିଧା ସହିତ ସତ୍ୟର ବିରୋଧ ଲାଗିଛି । ଆଜି ପୃଥିବୀର ନାନା ସ୍ଥାନରେ ଏହି ସମସ୍ୟା ଦେଖାଦେଇଛି, ତାହାର ଏକମାତ୍ର କାରଣ ସମଗ୍ର ପୃଥିବୀରେ ନବଜୀବନର ଏକ ବେଗ ଆଜି ସଞ୍ଚାରିତ ।

 

ଏ ସମସ୍ତ ଫଳ କଣ ? ଏହାର ଫଳ ହେଉଛି, ସ୍ୱାତନ୍ତ୍ର୍ୟର ଗୌରବ ବୋଧ ଜନ୍ମିଲେ ମନୁଷ୍ୟ ଦୁଃଖ ସ୍ୱୀକାର କରି ମଧ୍ୟ ନିଜକୁ ବଡ଼ କରିବାକୁ ଚାହିଁବ । ବଡ଼ ହେଲେ ମନୁଷ୍ୟମାନଙ୍କ ମଧ୍ୟରେ ମିଳନ ବାସ୍ତବ ସତ୍ୟରେ ପରିଣତ ହୁଏ । ଦୀନତାର ମିଳନ, ଅଧିନତାର ମିଳନ, ଏବଂ ବାଧ୍ୟତା ସହକାରେ ମିଳନ–ଏଗୁଡ଼ିକ କେବଳ ତାଳି ପକାଇ ଏକ କରିବାର ମିଳନ ଛଡ଼ା ଅନ୍ୟ କିଛି ନୁହେ ।

 

ମୋର ମନେଅଛି ଆମ ‘ସାହିତ୍ୟ ଏକାଡେମୀ’—ଏହିତ୍ୟ ପରିଷଦର ଗୋଟିଏ ସଭାରେ ବ୍ୟାକରଣ ଘଟିତ ମୋର କୌଣସି ପ୍ରବନ୍ଧ ନେଇ ଆଲୋଚନା ହୋଇଥିଲା ଯେ ବଙ୍ଗଳା ଭାଷାକୁ ଯଥାସମ୍ଭବ ସଂସ୍କୃତ ତୁଲ୍ୟ କରିବା ଉଚିତ—ତା’ ହେଲେ ଗୁଜରାଟୀ, ମରାଠୀ, ଓ ଅନ୍ୟମାନଙ୍କ ପକ୍ଷରେ ବଙ୍ଗଳା ଭାଷା ବୁଝିବା ସୁଗମ ହେବ ।

 

ବଙ୍ଗଳା ଭାଷାର ସ୍ୱାତନ୍ତ୍ର୍ୟ ଅଣବଙ୍ଗାଳୀମାନଙ୍କର ବଙ୍ଗଭାଷା ବୁଝିବା ପକ୍ଷରେ ଯେ ଏକ ପ୍ରଧାନ ଅସୁବିଧା ଏହା ଅସ୍ୱୀକାର କରି ହେବ ନାହିଁ । ତଥାପି ଏହି ଭାଷାର ଯାହା କିଛି ଶକ୍ତି, ଯାହା କିଛି ସୌନ୍ଦର୍ଯ୍ୟ ଅଛି, ସମସ୍ତ କିଛି ନିଶ୍ଚିତରୂପେ ସେହି ନିଜତ୍ୱ ଯୋଗୁହିଁ ସମ୍ଭବ ହୋଇଛି । ଯଦିଓ ବଙ୍ଗଳା ଭାଷା ସଂସ୍କୃତର କୃତ୍ରିମ ଛାଞ୍ଚରେ ଢଳା ବିଶେଷତ୍ୱ ବର୍ଜିତ ସହଜ ଭାଷା ନୁହେ, ତଥାପି ଗୁଜୁରାଟୀ ଆଜି ଏହି ଭାଷା ଶିକ୍ଷା କରିବାକୁ ଚେଷ୍ଟା କରୁଛି । ସାନ୍ତାଳିମାନେ ଯଦି ନିଜ ଭାଷାରୁ ସାନ୍ତାଳିତ୍ୱ ବର୍ଜନ କରନ୍ତି, ତା’ ହେଲେ ସାନ୍ତାଳି ସାହିତ୍ୟ ଆମ ଆଦର ଲାଭ କରିବାକୁ ସମର୍ଥ ହେବ କି ? କେବଳ ଏହି ବାଧା ଅତିକ୍ରମ କରିବାର ପଥ ଚାହିଁ ବଙ୍ଗାଳି ସାନ୍ତାଳିଙ୍କର ମିଳନ କଣ ପ୍ରତୀକ୍ଷା କରି ବସିବ ?

 

ଅତଏବ ବଙ୍ଗଳା ସାହିତ୍ୟ ବଙ୍ଗଭାଷାର ସ୍ଵାତନ୍ତ୍ର୍ୟକୁ ଭିତ୍ତି କରି ଉନ୍ନତ ହେଲେ ବଙ୍ଗାଳୀ ଓ ହିନ୍ଦୀ ଭାଷାଭାଷୀ ଲୋକଙ୍କ ମଧ୍ୟରେ ଯଥାର୍ଥ ମିଳନ ଘଟିବ । ବଙ୍ଗାଳୀ ହିନ୍ଦୁସ୍ଥାନୀମାନଙ୍କ ସାଙ୍ଗରେ ସହଜରେ ମିତ୍ରତା ସ୍ଥାପନ କରିବା ଲାଗି ହିନ୍ଦୀ ଛାଞ୍ଚରେ ବଙ୍ଗଳା ଭାଷାକୁ ରୂପ ଦେଲେ ବଙ୍ଗଳା ସାହିତ୍ୟର ପତନ ଘଟିବ । କୌଣସି ହିନ୍ଦୁସ୍ଥାନୀ ତାକୁ ଅନାଇବେ ନାହିଁ । ମୋର ମନେଅଛି, ଜଣେ ଉଚ୍ଚଶିକ୍ଷିତ ଓ ବିଶେଷ ବୁଦ୍ଧିମାନ ବ୍ୟକ୍ତି ମୋତେ କହୁଥିଲେ, ‘‘ବଙ୍ଗଳା ସାହିତ୍ୟର ଉନ୍ନତି ଆମ ଜାତୀୟ ମିଳନ ଦିଗରେ ଏକ ଅନ୍ତରାୟ । କାରଣ ଏହି ସାହିତ୍ୟ ଶ୍ରେଷ୍ଠତା ଲାଭ କଲେ ମୃତ୍ୟୁବରଣ କରିବାକୁ ଅନିଚ୍ଛୁକ ହେବ, ଏହାକୁ ଅବଲମ୍ବନ କରି ବଙ୍ଗଳାଭାଷା ବଙ୍ଗଦେଶର ମାଟିକାମୁଡ଼ି ପଡ଼ି ରହିବ । ତେଣୁ ବଙ୍ଗଳାଭାଷା ଭାରତବର୍ଷରେ ଭାଷାର ଐକ୍ୟ ସାଧନ ପକ୍ଷରେ ଏକ ପ୍ରତିବନ୍ଧକ ହେବ ।" ସକଳ ପ୍ରକାର ବିଭେଦକୁ, ଚୂର୍ଣ୍ଣ କରି ପାର୍ଥକ୍ୟହୀନ ପିଣ୍ଡୁଳା ଗଠନ ଦ୍ୱାରା ଯେ ଚରମ ଜାତୀୟ ଉନ୍ନତି ସାଧିତ ହୋଇପାରେ, ସେ କାଳରେ ଲୋକମାନଙ୍କର ଏହି ଧାରଣା ଥିଲା । ଅସଲ କଥା ହେଉଛି, ସ୍ଵାତନ୍ତ୍ର୍ୟ ପରିହାର ଦ୍ୱାରା ଲବ୍ଧ ସୁବିଧା ଦିନିକିଆ ମାତ୍ର । ସ୍ଵାତନ୍ତ୍ର୍ୟର ଯଥାର୍ଥ ଉନ୍ନତିଦ୍ୱାରା ପ୍ରକୃତ ସୁବିଧା ଲାଭ କରାଯାଇ ପାରେ ।

 

ଭାରତବର୍ଷରେ ରାଷ୍ଟୀୟ ଐକ୍ୟ ଲାଭର ଚେଷ୍ଟା ଯେତେବେଳେ ଆମ ମଧ୍ୟରେ ପ୍ରବଳ ହେଲା, ଅର୍ଥାତ୍ ଯେତେବେଳେ ନିଜର ସତ୍ତା ସମ୍ଵନ୍ଧରେ ଆମର ବିଶେଷ ଚେତନା ଜାଗ୍ରତ ହେଲା, ଆମ୍ଭେମାନେ ମୁସଲମାନମାନଙ୍କୁ ଆମ ସହ ଏକ କରି ନେବାକୁ ଚେଷ୍ଟା କରି, ଅକୃତକାର୍ଯ୍ୟ ହେଲୁଁ-। କୃତକାର୍ଯ୍ୟ ହୋଇଥିଲେ ଅବଶ୍ୟ ଆମର ସୁବିଧା ହୋଇଥାନ୍ତା । କିନ୍ତୁ ସୁବିଧା ହେତୁ ଯେ ମିଳନସାଧିତ ହୁଏ, ତାହା ନୁହେଁ । ହିନ୍ଦୁ ଓ ମୁସଲମାନମାନଙ୍କ ମଧ୍ୟରେ ଏକ ବାସ୍ତବ ପାର୍ଥକ୍ୟ ଅଛି-। ତାହା ଅସ୍ୱୀକାର କରିବା କେବେ ସମ୍ଭବ ନୁହେ । ପ୍ରୟୋଜନ ସାଧନର ଆଗ୍ରହବଶତଃ ଆମେ ଯଦି ସେହି ସ୍ଵାତନ୍ତ୍ର୍ୟକୁ ସ୍ୱୀକାର ନ କରୁ, ତେବେ ସେ ମଧ୍ୟ ଆମର ପ୍ରୟୋଜନକୁ ସ୍ୱୀକାର କରିବ ନାହିଁ

 

ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ସକଳ ଦିଗରୁ ଏକ ଯଥାର୍ଥ ଓ ପୂର୍ଣ୍ଣମିଳନ ସମ୍ଭବ ହୋଇ ନ ଥିବାରୁ ରାଜନୀତିକ କ୍ଷେତ୍ରରେ ସେମାନଙ୍କୁ ଏକ କରିବାର ଚେଷ୍ଟା ସନ୍ଦେହ ଓ ଅବିଶ୍ୱାସର ସୂତ୍ରପାତ କରିଛି । ଏହି ସନ୍ଦେହକୁ ଅମୂଳକ କହି ଉଡ଼ାଇ ଦେଲେ ଚଳିବ ନାହିଁ । ଆମ୍ଭେମାନେ ମୁସଲମାନଙ୍କୁ ଆହ୍ୱାନ କରୁଅଛୁଁ, କିନ୍ତୁ ଆପଣାର ମନେ କରି ନୁହେ କେବଳ କାର୍ଯ୍ୟ ସାଧନାର ସହାୟଭାବରେ ସେମାନଙ୍କୁ ଆମର ଆହ୍ୱାନ । ଯଦି ଆମେ କେତେବେଳେ ଦେଖୁ କାର୍ଯ୍ୟ ନିମନ୍ତେ ସେମାନେ ଆଉ ଉପଯୋଗୀ ନୁହନ୍ତି, ଅନାବଶ୍ୟକ ମନେ କରି ସେମାନଙ୍କୁ ପଛକୁ ଠେଲି ଦେଲେ ଆମର ମନସ୍ତାପ ହେବ ନାହିଁ । ପ୍ରକୃତ ସଙ୍ଗୀଭାବରେ ସେମାନଙ୍କପ୍ରତି ଆମର ଅନୁଭୂତି ନାହିଁ, କେବଳ ଆମର ଉଦ୍ଦେଶ୍ୟ ସାଧନାର ଉପାୟ ଭାବେ ସେମାନଙ୍କୁ ଆମେ ଗ୍ରହଣ କରି ନେଇଛୁ । ଦୁଇଟି ପକ୍ଷ ମଧ୍ୟରେ ଅସାମଞ୍ଜସ୍ୟ ଥାଇ ସୁଦ୍ଧା ସେମାନେ ସହଚର ତୁଲ୍ୟ ଏକତ୍ର ଆବଦ୍ଧ ରହି ପାରନ୍ତି ଯେତେଦିନ ପର୍ଯ୍ୟନ୍ତ ବାହାରର କୌଣସି ବାଧା ଅତିକ୍ରମ କରିବା ଲାଗି ସେମାନଙ୍କର ଏକତ୍ର ରହିବାର ଆବଶ୍ୟକତା ମାତ୍ର ରହିଥାଏ । ସେହି ଆବଶ୍ୟକତା ଅତୀତ ହେଲେ ଲୁଣ୍ଠିତ ଦ୍ରବ୍ୟର ଭାଗବଣ୍ଟନ ସମୟରେ ସେମାନେ ପରସ୍ପରକୁ ପ୍ରବାଞ୍ଚିତ କରନ୍ତି । ମୁସଲମାନମାନେ ଏହି ସନ୍ଦେହ ମନରେ ପୋଷଣ କରି, ଆମ ଆହ୍ୱାନର ଉତ୍ତର ଦେଇ ନାହାନ୍ତି । ଆମ୍ଭେମାନେ ଦୁଇ ପକ୍ଷ ଏକତ୍ର ହେଲେ ଉଭୟ ପକ୍ଷର ପ୍ରଚୁର ଲାଭ । କିନ୍ତୁ ପୃଥକ୍ ରହି ଲାଭ ଅଧିକ ହୋଇ ପାରେ କି ନା, ତାହାହିଁ ମୁସଲମାନଙ୍କର ବିବେଚନାର ବିଷୟ ହୋଇଅଛି ।

 

କିଛିକାଳ ଆଗେ ହିନ୍ଦୁ ମୁସଲମାନମାନଙ୍କ ମଧ୍ୟରେ ସ୍ଵାତନ୍ତ୍ର୍ୟର ଏହି ଅନୁଭୂତି ଆଦୌ ଏପରି ତୀବ୍ର ନ ଥିଲା । ଆମ୍ଭେମାନେ ଆନ୍ତରିକତା'ର ସହିତ ମିଶିଥିବାରୁ ପରସ୍ପରର ଭିନ୍ନତା ଆମ ଚକ୍ଷୁରେ ପଡ଼ୁ ନ ଥିଲା । ସ୍ଵାତନ୍ତ୍ର୍ୟ ଅନୁଭୂତିର ଅଭାବ ଯାହା ହେଉ ଅଭାବତ୍ମକ, ଭାବାତ୍ମକ ବ୍ୟାପାର ନୁହେଁ । ଅର୍ଥାତ୍ ଆମ୍ଭମାନଙ୍କ ମଧ୍ୟରେ ମିଳନ ଥିଲା ବୋଲି ଯେ ଆମ୍ଭେମାନେ ଆମର ଭେଦ ସମ୍ୱନ୍ଧରେ ସଚେତନ ନଥିଲୁଁ, ତା'ନୁହେ । ପ୍ରକୃତ କଥା, ଆମ ମଧ୍ୟରେ ପ୍ରାଣଶକ୍ତିର ଅଭାବ ଘଟିବାରୁ ଏକ ପ୍ରକାର ଜଡ଼ତା ମଧ୍ୟରେ ଆମେ ଅଭିଭୂତ ହୋଇଥିଲୁଁ । ଦିନ ଆଇଲା, ଯେତେବେଳେ ହିନ୍ଦୁ ହିନ୍ଦୁତ୍ୱର ଗୌରବ ସମ୍ବନ୍ଧରେ ସଚେତନ ହେବାକୁ ଆରମ୍ଭ କଲା । ସେତେବେଳେ ମୁସଲମାନ ହିନ୍ଦୁର ଗୌରବ ସ୍ୱୀକାର କରିନେଇ ନିଜେ ଚୁପ୍ ରହିଥିଲେ ହିନ୍ଦୁ ଖୁବ୍ ଖୁସି ହୋଇଥାନ୍ତା ଏଥିରେ ସନ୍ଦେହ ନାହିଁ । କିନ୍ତୁ ଯେଉଁ କାରଣରୁ ହିନ୍ଦୁର ହିନ୍ଦୁତ୍ୱ ଉଗ୍ର ହେଲା, ସେହି କାରଣରୁ ମୁସଲମାନର ମୁସଲମାନୀ ବିଶେଷତ୍ୱ ମୁଣ୍ଡଟେକି ନିଜକୁ ପ୍ରତିଷ୍ଠିତ କରିବାକୁ ଚାହିଁଲା । ବର୍ତ୍ତମାନ ସେ ମୁସଲମାନରୂପେ ପ୍ରବଳ ହେବାକୁ ଚାହେଁ, ହିନ୍ଦୁ ସଙ୍ଗେ ଏଥିପାଇଁ ମିଶିବାକୁ ତା'ର ଅଭିପ୍ରାୟ ନୁହେ ।

 

ସକଳ ବିଭେଦକୁ ଭୁଲି କିପରି ଏକତା ପ୍ରତିଷ୍ଠିତ ହେବ ? ତାହା ଆଜିର ଜଗତବ୍ୟାପୀ ସମସ୍ୟା ନୁହେ । କିନ୍ତୁ ସକଳ ବିଭେଦ ଅକ୍ଷୁର୍ଣ୍ଣ ରଖି କିପରି ଐକ୍ୟସ୍ଥାପିତ ହେବ, ତାହାହିଁ ବଡ଼ କଥା-। ଏହା ଏକ କଠିନ କାର୍ଯ୍ୟ, କାରଣ ଏଥିରେ କୌଣସି ପ୍ରକାର ଶଠତା ଚଳିବ ନାହିଁ ବରଂ ପରସ୍ପର ମଧ୍ୟରେ ଆଦାନପ୍ରଦାନ କ୍ରିୟାର ଏହା ଅପେକ୍ଷା ରଖେ । କିନ୍ତୁ ଯାହା ସହଜ ପ୍ରତୀତ ହୁଏ, ତାହାର ସମ୍ପାଦନ ସହଜସାଧ୍ୟ ନୁହେଁ; ପରିଣାମ ଦିଗକୁ ଚାହିଁଲେ ଦେଖାଯାଏ, କଠିନ ହିଁ ସହଜ ହୁଏ ।

 

ଆମ ଦେଶର ମୁସଲମାନମାନେ ସ୍ଵତନ୍ତ୍ର ଗୋଷ୍ଠୀ ଭାବରେ ଉନ୍ନତି ସାଧନାର ଚେଷ୍ଟା କରୁଛନ୍ତି । ତାହା ଆମ ନିମନ୍ତେ ଯେତେ ଅପ୍ରିୟ ଓ ଆପାତତଃ ଯେତେ ଅସୁବିଧାଜନକ ହେଉ ନା କାହିଁକି ଭବିଷ୍ୟତରେ ଦିନେ ପରସ୍ପରର ଯଥାର୍ଥ ମିଳନ ସାଧନର ଏହାହିଁ ପ୍ରକୃତ ଉପାୟ । ଧନୀ ହେଲେ ଦାନ କରିବା କଷ୍ଟକର । ପ୍ରଚୁର ଥିଲେହିଁ ଜଣେ ଦାନ କରିବାକୁ ଅସମର୍ଥ ହୁଏ । ମନୁଷ୍ୟର ଅଭାବ ଓ କ୍ଷୁଦ୍ରତା ଥିବା ପର୍ଯ୍ୟନ୍ତ, ତାହାର ଇର୍ଷା ଓ ବିରୋଧ ରହିଥିବ । ଦାରିଦ୍ର୍ୟ ଓ କ୍ଷୁଦ୍ରତା ମଧ୍ୟରେ ମିଳନ-ବାଧ୍ୟବାଧକତାର ମିଳନ;–ତାହା କୃତ୍ରିମ ।

 

ଆଧୁନିକ ଶିକ୍ଷା ପ୍ରତି ଯଥାସମୟରେ ମନୋଯୋଗର ଅଭାବ ହେତୁ ଭାରତୀୟ ମୁସଲମାନମାନେ ଅନେକ ବିଷୟରେ ହିନ୍ଦୁମାନଙ୍କ ପଛରେ ପଡ଼ି ରହିଛନ୍ତି । ଏହି ସକଳ ବିଷୟରେ ସେମାନେ ସମସ୍ତରକୁ ଆସିବା ବାଞ୍ଚନୀୟ । ଏହି ବୈଷମ୍ୟରୁ ମୁକ୍ତି ପାଇବା ପାଇଁ ମୁସଲମାନ ସଳକ ବିଷୟରେ ହିନ୍ଦୁ ଅପେକ୍ଷା ଅଧିକ ଦାବୀ କରୁଛି । ସେମାନଙ୍କର ଏହି ଦାବୀରେ ଆମର ଆନ୍ତରିକ ସମ୍ମତି ରହିବା ଉଚିତ । ଶିକ୍ଷା, ସମ୍ଭ୍ରମ, ଓ ପଦମର୍ଯ୍ୟାଦାରେ ମୁସଲମାନମାନେ ହିନ୍ଦୁଙ୍କର ସମକକ୍ଷ ହେଲେ ତାହା ହିନ୍ଦୁଙ୍କ ପକ୍ଷେ ମଙ୍ଗଳକର ହେବ ।

 

ବାହାରୁ ଯାହା ଲାଭ କରାଯାଇପାରେ, ତାର ଏକ ସୀମା ଅଛି । ସେହି ସୀମା ହିନ୍ଦୁ ଓ ମୁସଲମାନ ଉଭୟଙ୍କ ପକ୍ଷେ ସମାନ । ସେହି ସୀମାରେ ପହଞ୍ଚିବା ପର୍ଯ୍ୟନ୍ତ ମନ ମଧ୍ୟରେ ଏକ ଆଶା ଥାଏ, ଯେପରିକି କୌଣସି ସୀମା ଆଦୌ ନାହିଁ । ଏହି ପଥରେହିଁ ପରମାର୍ଥ ଲାଭ କରାଯିବ-। ଏହି ପଥର ପାଥେୟ କାହାର ଅନ୍ୟମାନଙ୍କ ଅପେକ୍ଷା ବେଶୀ ଅଛି, କାହାର ବା ଅଳ୍ପ ଅଛି, ଏହି ବିଚାର ସଂପୃକ୍ତ ପକ୍ଷମାନଙ୍କ ମଧ୍ୟରେ ତୀବ୍ର ଈର୍ଷା ଓ ବିରୋଧ ସଞ୍ଚାର କରେ ।

 

କିନ୍ତୁ କିଛି ଦୂର ଅଗ୍ରସର ହେଲେ ସ୍ପଷ୍ଟ ଜଣାଯାଏ, ଚିରସ୍ଥାୟୀ ମଙ୍ଗଳ ନିମନ୍ତେ ନିଜ ଗୁଣ ଓ ଶକ୍ତି ଉପରେ ଆମେ ନିର୍ଭର କରିବା ଉଚିତ । ଯୋଗ୍ୟତା ଅର୍ଜନ ନ କରି କେହି ଅଧିକାର ଲାଭ କରି ପାରିବ ନାହିଁ । ଏହା ଯେତେ ଚଞ୍ଚଳ ଉପଲବ୍‍ଧ ହୁଏ, ସେତେ ଉତ୍ତମ । ତେଣୁ ଯଦି ମୁସଲମାନମାନେ ପାଦ ସମ୍ମାନ ନିମନ୍ତେ ଏକ ସ୍ଵତନ୍ତ୍ର ସଳଖ ରାସ୍ତା ଆବିଷ୍କାର କରିଛନ୍ତି; ସେ ପଥରେ ତାଙ୍କର ଗତି ଅବ୍ୟାହତ ରହୁ । ସେମାନେ ଯେପରି ଉକ୍ତ ପଥରେ ଗତି କରି ନିଜ ଗନ୍ତବ୍ୟ ସ୍ଥାନରେ ଶୀଘ୍ର ପହଞ୍ଚି ପାରନ୍ତି ତାହା ପ୍ରସନ୍ନ ଚିତ୍ତରେ ଆମ୍ଭେମାନେ କାମନା କରିବା ଉଚିତ ।

 

କିନ୍ତୁ ଏହି ବାହ୍ୟ ଅବସ୍ଥାର ବୈଷମ୍ୟ ଉପରେ ଅଧିକ ଗୁରୁତ୍ୱ ଦେବାକୁ ମୁଁ ଚାହୁଁ ନାହିଁ । ଏହାର ଅପସାରଣ ଆଦୌ କଷ୍ଟକର ନୁହେ । ଅବଶ୍ୟ ସ୍ଵାତନ୍ତ୍ର୍ୟ ବୋଧ ଯେ ମୋର ଧାରଣାର ବିଷୟ, ଏହା ସତ୍ୟ ସେହି ସ୍ଵାତନ୍ତ୍ର୍ୟର ବିଲୋପ ଆତ୍ମହତ୍ୟା ସଙ୍ଗେ ସମାନ ।

 

ଯଦି ନିଜର ସ୍ୱତନ୍ତ୍ର ବିଶ୍ଵବିଦ୍ୟାଳୟ ସ୍ଥାପନ ଉଦ୍ୟମରେ ମୁସଲମାନମାନେ ଉତ୍ସାହିତ ହୋଇ ଉଠିଥାନ୍ତି ଏବଂ ସେହି ଉତ୍ସାହ ଅନ୍ତରାଳରେ ପ୍ରତିଯୋଗିତାର ଭାବିଥାଏ, ମୋର ଦୃଢ଼ ବିଶ୍ଵାସ ତାହା ସ୍ଥାୟୀ ଓ ସତ୍ୟ ପଦାର୍ଥ ହେବ ନାହିଁ । ଏହା ମଧ୍ୟରେ କେବଳ ସତ୍ୟ ପଦାର୍ଥ ହେଉଛି ନିଜର ସ୍ଵାତନ୍ତ୍ର୍ୟ ଉପଲବ୍‍ଧି । ନିଜ ପ୍ରକୃତିରେ ମହତ୍ତ୍ୱ ଲାଭ କରିବା ହିଁ ମୁସଲମାନର ପ୍ରକୃତ ଇଚ୍ଛା-

 

ଏହିପରି ଏକ ବିଶେଷ ସ୍ଵାତନ୍ତ୍ର୍ୟକୁ ପ୍ରବଳ ହେବାର ଦେଖିଲେ ଆମ ମନରେ ମୂଳରୁ ଆଶଙ୍କା ଜାତ ହୁଏ । ମନେହୁଏ, ସ୍ଵାତନ୍ତ୍ର୍ୟର ଯେଉଁ ଯେଉଁ ଅଂଶରେ ଆଜି ବିରୋଧ ପରିଦୃଷ୍ଟ ହେଉଛି, ସେଗୁଡ଼ିକ ପ୍ରଶ୍ରୟ ପାଇଁ ଅତ୍ୟନ୍ତ ବଡ଼ ହେବ ଏବଂ ମନୁଷ୍ୟ ମଧ୍ୟରେ ପରସ୍ପରର ପ୍ରତିକୂଳତା ମଧ୍ୟ ଭୀଷଣ ଭାବେ ଉଗ୍ର ହେବ ।

 

ଏକଦା ସେହି ଆଶଙ୍କାର ସମୟ ଥିଲା । ସେତେବେଳେ ପ୍ରତ୍ୟେକ ଜାତି ନିଜ ମଧ୍ୟରେ ଆବଦ୍ଧ ରହି ନିଜର ବିଶେଷତ୍ୱକୁ ଅପରିମିତ ରୂପେ ବଢ଼ାଇ ଚାଲିଥିଲେ । ଫଳରେ ସମସ୍ତ ମନୁଷ୍ୟ ସମାଜ ନିମନ୍ତେ ତାହା ଏକ ବ୍ୟାଧି ଓ ଅକଲ୍ୟାଣର ରୂପ ଧାରଣ କରିଥିଲା ।

 

ଆଜି ଘଟଣାର ଏ ଧରଣର ବିକାଶ ସମ୍ଭବପର ନୁହେ । ବର୍ତ୍ତମାନ ଆମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ମାନବ ସମାଜର ମଧ୍ୟସ୍ଥଳରେ ପହୁଞ୍ଚିବା ଲାଗି ନିଜ ପଥର ସନ୍ଧାନ ପାଇଛନ୍ତି । ଅସଙ୍ଗତରୂପେ ଅବାଧରେ ବିସ୍ତୃତ ହୋଇ ଅଦ୍ଭୁତରୂପେ ବିଶାଳ ହେବା ଲାଗି ଏତେ ବଡ଼ କୋଣ ଆଜି କେହି ଖୋଜି ବାହାର କରି ପାରିବ ନାହିଁ ।

 

ଆଜିକାଲିର ଜ୍ଞାନ ଓ ଶିକ୍ଷାରେ ପ୍ରାଚ୍ୟ ଓ ପଶ୍ଚ୍ୟତ ସକାଳ ଜାତିର ଲୋକମାନେ ଭାଗ ନେଇ ପାରନ୍ତି । କେହି ନିଜ ଶାସ୍ତ୍ର ପଢ଼ି ପଣ୍ଡିତ ବୋଲାଇବା ବା ଜ୍ଞାନ ବିକାଶ ଦ୍ଵାରା ଉନ୍ନତ ହେବାର ଆଶା ଏକାକୀ କରି ନ ପାରନ୍ତି । ଇତିହାସର ପ୍ରବାହ ପଥରେ ଜ୍ଞାନ ଏକ ବିଶ୍ଵଜନୀନ ବ୍ୟାପାରରେ ପରିଣତ ହୋଇ ମାନବ ସମାଜର ବୈଦ୍ଧିକ ମିଳନର କ୍ଷେତ୍ର ପ୍ରସ୍ତୁତ କରିଛି ।

 

ଇତିହାସର ଏହି ପ୍ରବୃତ୍ତି ଆଜି ସମାନ ଭାବରେ ହିନ୍ଦୁ ଓ ମୁସଲମାନମାନଙ୍କ ଦ୍ୱାରରେ ଆଘାତ କରୁଛି । ଏତେଦିନ ପର୍ଯ୍ୟନ୍ତ ଆମ୍ଭେମାନେ ଲାଭ କରିଥିବା ଶିକ୍ଷା ପୂରାପୂରି ପାଶ୍ଚାତ୍ୟ । ଏ ଦେଶରେ ସେହି ଶିକ୍ଷା ପ୍ରଣାଳୀ ପ୍ରବର୍ତ୍ତିତ ହେଲାବେଳେ ସକଳ ପ୍ରକାର ପ୍ରାଚ୍ୟବିଦ୍ୟା ପ୍ରତି ତାହାର ଅବଜ୍ଞା ଥିଲା । ଏ ପର୍ଯ୍ୟନ୍ତ ସେହି ଅବଜ୍ଞା ମଧ୍ୟରେ ଆମ୍ଭେମାନେ ବଢ଼ି ଆସିଛୁଁ । ଫଳରେ ସରସ୍ୱତୀଙ୍କ ପବିତ୍ର ପୀଠରେ ପାରିବାରିକ ଗୃହ ବିଚ୍ଛେଦ ଘଟିଛି । ପୂର୍ବ ମହଲର ଛାତ୍ରମାନେ ପଶ୍ଚିମ ମହଲ ଆଡ଼କୁ ନିଜର ଦ୍ଵାର ରୁଦ୍ଧ କରନ୍ତି । ପଶ୍ଚିମ ମହଲର ଛାତ୍ରମାନେ ପୂର୍ବର ପବନକୁ ଗ୍ରୀଷ୍ମପ୍ରଧାନ ଜଙ୍ଗଲର ଅସ୍ୱାସ୍ଥ୍ୟକର ବାୟୁ ମନେକରି ତାହାର ସ୍ୱର୍ଶଲାଭ ନ କରିବା ଲାଗି କାନ ପର୍ଯ୍ୟନ୍ତ ନିବିଡ଼ ଭାବେ ଆବୃତ କରନ୍ତି ।

 

ଇତି ମଧ୍ୟରେ ସମୟର କ୍ରମଶଃ ପରିବର୍ତ୍ତନ ଘଟିଛି । ପ୍ରାଚ୍ୟବିଦ୍ୟା ଆଜି ସର୍ବତ୍ର ଅବନତ ଅବସ୍ଥାରୁ ନିଜକୁ ଉଦ୍ଧାର କରି ଶ୍ରଦ୍ଧା ଲାଭ କରୁଛି । ମନୁଷ୍ୟର ଜ୍ଞାନ -ବିକାଶରେ ଏହାର ଅବଦାନ ଯେ ସାମାନ୍ୟ ନୁହେଁ, ତାର ପରିଚୟ ପ୍ରତିଦିନ ଅଧିକରୁ ଅଧିକତର ହେଉଅଛି ।

 

ଅଥଚ ଆମର ଶିକ୍ଷାନୀତି ପୂର୍ବର ପ୍ରଣାଳୀକୁ ଅନୁସରଣ କରି ଚାଲିଛି । ଆମ ଦେଶୀୟ ବିଶ୍ଵବିଦ୍ୟାଳୟମାନଙ୍କରେ ଦେଶୀୟ ବିଦ୍ୟା ବ୍ୟତୀତ ନ୍ୟ ସମସ୍ତ ବିଦ୍ୟା ଉପଯୁକ୍ତ ସ୍ଥାନ ଲାଭ କରିଛି-। ହିନ୍ଦୁ ଓ ଇସଲାମ୍ ଶାସ୍ତ୍ର ଅଧ୍ୟୟନ ନିମନ୍ତେ ଜଣେ ଜର୍ମାନ ଛାତ୍ରର ଯେଉଁ ସୁବିଧା ଅଛି, ସେ ସୁବିଧା ଆମ ନିମନ୍ତେ ବିରଳ । ଏ ଧରଣର ଶିକ୍ଷା ଯେ ଆମ ପକ୍ଷରେ କ୍ଷତିକାରକ, ଯୁଗ ଧର୍ମ ହେତୁ ଆମ ମନରେ ଏ ଧାରଣା ଜାଗ୍ରତ ହୋଇଛି । ଆମ୍ଭେମାନେ ଯଦି ଶୁକପକ୍ଷୀ ପରି ପାଶ୍ଚତ୍ୟ ଶିକ୍ଷାର ପୁନରାବୃତ୍ତି କରୁ, ସେଥିରେ ରାସ୍ତାର ଲୋକମାନେ କ୍ଷଣକାଳ ଲାଗି ବିସ୍ମୟ ଓ କୌତୁକ ଅନୁଭବ କରିପାରନ୍ତି, ମାତ୍ର ସେଥିରେ ପୃଥିବୀର କୌଣସି ଲାଭ ନାହିଁ । ସମସ୍ତ ମନୁଷ୍ୟ ସମାଜ ଆଜି ଆମ ପାଖରୁ ଆଶା କରୁଛି ଯେ ଆମେ ନିଜ ଭାଷା ହିଁ ଶିକ୍ଷା କରିବା ।

 

ସେହି ପ୍ରତ୍ୟାଶା ପୂର୍ଣ୍ଣ କରିବାକୁ ଅସମର୍ଥ ହେଲେ, ମନୁଷ୍ୟ ସମାଜ ନିକଟରୁ ଆମେ କୌଣସି ସମ୍ମାନ ଲାଭ କରି ପରିବା ନାହିଁ । ସେହି ସମ୍ମାନ ଲାଭ ପାଇଁ ପ୍ରସ୍ତୁତ ହେବା ନିମନ୍ତେ ଆଜି ସମୟର ଆହ୍ୱାନ ଆସିଛି ।

 

ଫଳତଃ ଅଳ୍ପଦିନ ହେଲା ଆମ ଦେଶରେ ଶିକ୍ଷାର ଉପାୟ ଓ ପ୍ରଣାଳୀର ପରିବର୍ତ୍ତନ ଲାଗି ଚେଷ୍ଟା ଆରମ୍ଭ ହୋଇଛି । ଏପର୍ଯ୍ୟନ୍ତ ଆମ୍ଭେମାନେ ଲାଭ କରିଥିବା ଅସଂପୂର୍ଣ୍ଣ ଶିକ୍ଷା ଯୋଗୁ କେବଳ ଆମର ଉଦ୍ୟମ ସଫଳତା ଲାଭ କରି ପାରି ନାହିଁ । ଆମ୍ଭମାନେ ଯାହା ଉପଯୁକ୍ତ ପରିମାଣରେ ପାଇ ନାହୁଁ, ତାହା ଦେବାକୁ ଚେଷ୍ଟା କରି ସୁଦ୍ଧା ଅସମର୍ଥ ହୋଇଛୁଁ ।

 

ଆମ ଜାତି ମଧ୍ୟରେ କୌଣସି ମୂଲ୍ୟବାନ ବୈଶିଷ୍ଟ୍ୟ ରହିଛି, ତାହା ମୂଳରୁ ଅସ୍ୱୀକାର କରିବାକୁ ବହୁ ଲୋକ ଅଛନ୍ତି ଏବଂ ମୁଁ ସେମାନଙ୍କ ବିଷୟ ଏଠାରେ ଉତ୍‍ଥାପନ କରୁ ନାହିଁ ।

 

ଅନେକ ଲୋକ ଏହି ବିଶିଷ୍ଟତାକୁ ସ୍ୱୀକାର କରନ୍ତି କିନ୍ତୁ ବ୍ୟବହାର ସମୟରେ ତାକୁ ଅଗ୍ରାହ୍ୟ କରନ୍ତି । ସେମାନେ ନିଜ ଧର୍ମର ପାରମ୍ପରିକ ଆହ୍ନିକ ଓ ତର୍ପଣ କରନ୍ତି, ପ୍ରାଚୀନ ଶାସ୍ତ୍ରାଳାପରେ ସେମାନେ ପଟୁ । କିନ୍ତୁ ଜାତୀୟ ଆଦର୍ଶ ପ୍ରତି ସେମାନେଙ୍କର ଆନୁଗତ୍ୟ ଆଂଶିକ ଏବଂ ସେମାନଙ୍କର କଥା ସହ କର୍ମର ସାମଞ୍ଜସ୍ୟ ନାହିଁ । ସ୍କୁଲ ଓ କଲେଜର ମୁଖସ୍ଥ କରି ଯେଉଁ ପାଠ ସେମାନେ ଆୟତ୍ତ କରିଛନ୍ତି ତାହାକୁ ପରିତ୍ୟାଗ କରି ଅଧିକ ଦୂର ଅଗ୍ରସର ହେବାର ସାହସ ସେମାନଙ୍କର ନାହିଁ ।

 

ଅନ୍ୟମାନେ ଅଛନ୍ତି, ଯେଉଁମାନେ ସ୍ଵଜାତିର ବୈଶିଷ୍ଟ୍ୟ ସମ୍ପର୍କରେ ଗର୍ବ କରନ୍ତି କିନ୍ତୁ ଏହାକୁ ଅତ୍ୟନ୍ତ ସଂକୀର୍ଣ୍ଣ କରି ସେମାନେ ଦେଖିଥାନ୍ତି ଚିରନ୍ତନକୁ ବଡ଼ ସ୍ଥାନ ନ ଦେଇ ବର୍ତ୍ତମାନ ମୁହୂର୍ତ୍ତକୁ ସେମାନେ ଉଚ୍ଚାସନ ପ୍ରଦାନ କରନ୍ତି । ଆମର ଦୁର୍ଗତି ସମୟରେ ଯେଉଁ ବିକୃତିଗୁଡ଼ିକ ଅସଙ୍ଗତ ରୂପେ ବଢ଼ିଉଠି, ସମଗ୍ର ମନୁଷ୍ୟ ସମାଜ ସହିତ ଆମର ବିଭେଦ ସୃଷ୍ଟି କରିଛି, ଖଣ୍ଡ ଖଣ୍ଡ କରି ଆମକୁ ଦୁର୍ବଳ କରିଛି, ଏବଂ ଇତିହାସରେ ବାରମ୍ବାର ଯାହା ଆମକୁ ଲଜ୍ଜିତ କରିଛି, ସେମାନେ ଏହାକୁ ଆମର ଜାତୀୟ ବିଶେଷତ୍ୱ ରୂପେ ଗ୍ରହଣ କରି ଏଗୁଡ଼ିକ ପ୍ରତି ନାନା କାଳ୍ପନିକ ଗୁଣର ଆରୋପ କରିଥାନ୍ତି । କାଳର ଆବର୍ଜନା ମଧ୍ୟରେ ସ୍ଵଜାତିର ପ୍ରକୁତ ପରିଚୟ ଲାଭ କରିବାକୁ ଏବଂ ତାହାକୁ ହିଁ ଚିରନ୍ତନ କରିବାକୁ ସେମାନେ ପ୍ରୟାସ କରନ୍ତି । ଏ ଧରଣର ଲୋକମାନେ ଦୂଷିତ ବାଷ୍ପ ସୃଷ୍ଟ ଡାଆଣୀ ଆଲୁଅକୁ ଚନ୍ଦ୍ର ସୂର୍ଯ୍ୟଙ୍କ ଅପେକ୍ଷା ପ୍ରାଚୀନ ଓ ସନାତନ ବୋଲି ଅଧିକ ସମ୍ମାନ ଯେ ପ୍ରଦର୍ଶନ କରିବେ, ଏଥିରେ ସନ୍ଦେହ ନାହିଁ ।

 

ଅତଏବ ଯେଉଁମାନେ ସ୍ଵତନ୍ତ୍ରଭାବେ ହିନ୍ଦୁ ବା ମୁସଲମାନ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠାକୁ ଭୟ କରନ୍ତି ସେମାନଙ୍କ ଭୟ ପୂର୍ଣ୍ଣରୂପେ ଯେ ଅମୂଳକ, ଏ କଥା ମୁଁ କହି ନ ପାରେ । ତଥାପି ଏହା ଜୋର ଦେଇ କହିବାକୁ ହେବ, ଯେଉଁ ଶିକ୍ଷା ମଧ୍ୟରେ ପ୍ରାଚ୍ୟ ପାଶ୍ଚାତ୍ୟ ସକଳ ବିଦ୍ୟାର ସମାବେଶ ଘଟିଛି, ସେ ଶିକ୍ଷା କେବେ ଚିରଦିନ କୌଣସି ଏକାନ୍ତ ଆତିଶଯ୍ୟ ଦିଗରେ ପ୍ରଶ୍ରୟ ଲାଭ କରି ପାରିବ ନାହିଁ । ସ୍ୱତନ୍ତ୍ର ଵସ୍ତୁମାନେ ପରସ୍ପରର ନିକଟବର୍ତ୍ତୀ ହେଲେ ସେମାନଙ୍କର ଆତିଶଯ୍ୟ କମିଯାଏ ଓ ସେମାନଙ୍କ ମଧ୍ୟରେ ଥିବା ପ୍ରକୃତ ଉପାଦେୟତା ଯଥାର୍ଥଭାବେ ପ୍ରକାଶିତ ହୁଏ । ନିଜ ଘରେ ବସି ଜଣେ ମନୁଷ୍ୟ ନିଜ ଇଚ୍ଛାନୁସାରେ ବଡ଼ ଆସନ ନିଜ ଲାଗି ପ୍ରସ୍ତୁତ କରି ପାରେ । କିନ୍ତୁ ପାଞ୍ଚଜଣଙ୍କ ମଧ୍ୟରେ ସଭାରେ ବସିବାକୁ ହେଲେ ନିଜର ଉପଯୁକ୍ତ ଆସନଟି ସ୍ଥିର ହୋଇଥାଏ । ହିନ୍ଦୁ ମୁସଲମାନ ବିଶ୍ୱବିଦ୍ୟାଳୟ ବିଶ୍ଵଜନୀନ ବିଦ୍ୟାକୁ ସ୍ଥାନ ଦେଇ ପାରିଲେ ଏବଂ ତାହା ସଙ୍ଗେ ନିଜର ସ୍ଵାତନ୍ତ୍ର୍ୟକୁ ଉତ୍ସାହ ପୂର୍ବକ ଏଥିରେ ସ୍ଥାନ ଦେଲେ ଦୁଃଖ କରିବାର କୌଣସି କାରଣ ରହିବ ନାହିଁ । ବସ୍ତୁତଃ ଏହା ଦ୍ୱାରା ସ୍ଵାତନ୍ତ୍ର୍ୟର ଯଥାର୍ଥ ମୂଲ୍ୟ ନିର୍ଦ୍ଧାରଣର ସୁବିଧା ହେବ ।

 

ଏ ପର୍ଯ୍ୟନ୍ତ ଆମ୍ଭେମାନେ ପାଶ୍ଚାତ୍ୟ ଶାସ୍ତ୍ରସକଳକୁ ଯେଉଁ ପ୍ରକାର ବୈଞ୍ଜାନିକ, ଐତିହାସିକ ଓ ଯୁକ୍ତିମୂଳକ ପ୍ରଣାଳୀ ଦ୍ୱାରା ବିଚାର କରି ଆସିଛୁଆଁ ନିଜର ଶାସ୍ତ୍ରଗୁଡ଼ିକୁ ସେପରି କରି ନାହୁଁ । ମନେହୁଏ; ଯେପରି ଜଗତରେ ଅନ୍ୟ ସର୍ବତ୍ର ବିବର୍ତ୍ତନର ନିୟମ କାର୍ଯ୍ୟକାରୀ ହେଉଅଛି, କେବଳ ଭାରତବର୍ଷରେ ତାହା ପ୍ରବେଶ କରି ପାରି ନାହିଁ-ଏଠାରେ ସବୁ କିଛି ଅନାଦି ଓ ଇତିହାସର ଅତୀତ । ଭାରତବର୍ଷରେ ବିଭିନ୍ନ ବିଜ୍ଞାନ ବିଭିନ୍ନ ଦେବତାଙ୍କ ଦ୍ୱାରା ପୂର୍ଣ୍ଣରୂପଲାଭ ଓ ବିକଶିତ ହୋଇଥିବାର ବିଶ୍ୱାସ କରାଯାଏ । କୌଣସି ଦେବତା ବ୍ୟାକରଣ, କୌଣସି ଦେବତା ରସାୟନ, କୋଣସି ଦେବତା ଆୟୁର୍ବେଦ ସୃଷ୍ଟି କରିଛନ୍ତି । କୌଣସି ଦେବତାଙ୍କ ମୁଖ ଓ ହସ୍ତପଦ ମଧ୍ୟରୁ ଚାରି ବର୍ଣ୍ଣ ବାହାର ହୋଇ ପୂର୍ଣ୍ଣତା ଲାଭକରିଛନ୍ତି । ରୁଷି ଓ ଦେବତାମାନେ ସମ୍ମିଳିତ ହୋଇ ଏକ ମୁହୂର୍ତ୍ତରେ ଯେପରି ସମସ୍ତ ସୃଷ୍ଟି କରିଛନ୍ତି । ଏହି ଗୃହୀତ ମତ ଉପରେ ଆଉ କୌଣସି ପ୍ରଶ୍ନ କରିବାର ଅଧିକାର ନାହିଁ । ଫଳରେ ଭାରତବର୍ଷର ପ୍ରକୃତ ଇତିହାସ ରଚନା କାଳରେ ଅଭୂତ ଓ ଅସ୍ୱାଭାବିକ ଘଟଣାବଳୀ ବର୍ଣ୍ଣନା କରିବାରେ ଆମେ ପଶ୍ଚାତ୍‍ପଦ ହେଉ ନାହୁଁ । ଆମର ସାମଜିକ ଆଚାର ବ୍ୟବହାରରେ ବୁଦ୍ଧି ଓ ବିଚାରର କୌଣସି ସ୍ଥାନ ନାହିଁ । କାହିଁକି ଆମେ କିଛି ଗୋଟାଏ କରୁ ବା କରିବାରେ ଅସଫଳ ହେଉ, ତାହାର କାରଣ ଜିଜ୍ଞାସା କରିବା ଅସଂଗତ । କାର୍ଯ୍ୟ କାରଣ ନିୟମ ସମଗ୍ର ବିଶ୍ୱରେ ପ୍ରଚଳିତ, କେବଳ ଭାରତ ପ୍ରତି ତାହା ପ୍ରଯୁଜ୍ୟ ନୁହେ, ଆମର ସକଳ କାରଣ ଶାସ୍ତ୍ରବଚନ ମଧ୍ୟରେ ନିହିତ । ସମୁଦ୍ରଯାତ୍ରା ଭଲ କି ମନ୍ଦ ଶାସ୍ତ୍ର ଦ୍ୱାରା ତାହା ନିର୍ଣ୍ଣୀତ ହେବ, କୌଣସି ବ୍ୟକ୍ତି ତୁମ ଘରକୁ ଆସିଲେ ତୁମ ହୁକାର ପାଣି ଅପବିତ୍ର ହେଲା କି ନା ପଣ୍ଡିତମାନେ ତାହାର ବିଧାନ ଦେବେ । ନୀଚଜାତି ସ୍ପର୍ଶ କରିଥିବା ଜଳ ପିଇଲେ କାହିଁକି ପାପ ହେବ, ଅଥଚ ସେ ଛୁଇଁଥିବା ଦୁଧ, ଖଜୁରୀରସ ବା ଗୁଡ଼ ଖାଇଲେ କାହିଁକି ଅପରାଧ ହେବ ନାହିଁ; ଅଣହିନ୍ଦୁଙ୍କ ଦ୍ୱାରା ପ୍ରସ୍ତୁତ ଭାତ ଖାଇଲେ କାହିଁକି ଜଣକର ଜାତି ଯିବ କିନ୍ତୁ ତା' ହାତ ତିଆରି ମଦ ପିଇଲେ ଜାତି ଯିବ ନାହିଁ–ତୁମେ ଯଦି ଏହିସବୁ ପଶ୍ନ ପଚାର, ସାମାଜିକ ବାସନ୍ଦର ଧମକ ଦେଇ ତୁମ ମୁଖ ବନ୍ଦ କରି ଦିଆଯିବ ।

 

ଶିକ୍ଷିତ ଲୋକମାନେ କାହିଁକି ଏ ଧରଣର ଅଭୂତ ଓ ବିଚାରହୀନ ବ୍ୟବହାର ଦେଖାନ୍ତି, ତାହାର ଏକ କାରଣ ହେଉଛି, ଆମ୍ଭେମାନେ ସ୍କୁଲ କଲେଜରେ ପାଶ୍ଚାତ୍ୟ ଜ୍ଞାନ ବିଜ୍ଞାନ ଶିଖୁ, କିନ୍ତୁ ପ୍ରାଚ୍ୟବିଦ୍ୟା ଅନ୍ୟତ୍ର ଅନ୍ୟ ଅବସ୍ଥା ମଧ୍ୟରେ ଶିଖୁ । ଏହି କାରଣରୁ ଉଭୟ ସମ୍ପର୍କରେ ଆମ ମନୋଭାବରେ ଏକ ପ୍ରଭେଦ ଘଟିଥାଏ -ଅନାୟାସରେ ଆମେମାନେ କରୁ ଯେ ବୁଦ୍ଧିର ନିୟମ କେବଳ ପ୍ରଥମ ସ୍ଥାନଟିର ହିଁ ଖଟେ । ଏକ ବିଦ୍ୟାମନ୍ଦିରରେ, ଏକ ଶିକ୍ଷା ପଦ୍ଧତିର ଅଙ୍ଗ ଭାବରେ ଉଭୟକୁ ଦେଖି ପାରିଲେ ଆମେ ଏହି ମୋହରୁ ମୁକ୍ତିଲାଭ କରିବାର ଉପାୟ ଖୋଜି ପାଇବା ।

 

ଶିକ୍ଷିତ ବ୍ୟକ୍ତିମାନଙ୍କ ମଧ୍ୟରେ ବରଂ ଆମର ସ୍ୱତନ୍ତ୍ର ସଭାର ଅଭିମାନ ପ୍ରବଳ ହୋଇଉଠୁଛି । ଏହି ପ୍ରଥମ ଉତ୍ତେଜନା କାଳରେ କେବଳ ଜୋର ଥାଏ ବିଚାର ନ ଥାଏ । ଏହାର ବିଶେଷ କାରଣ ହେଉଛି ଏତେଦିନଯାକେ ଆମ୍ଭେମାନେ ଆମର ସବୁକିଛିକୁ ନିର୍ବିଚାରରେ ଅବଜ୍ଞା କରି ଆସିଛୁ । ଆଜି ତା’ର ଏକ ଶକ୍ତିଶାଳୀ ପ୍ରତିକ୍ରିୟା ମଧ୍ୟରେ ପଡ଼ି ବୈଜ୍ଞାନିକ ବିଚାରର ଛଳନା ଆମେ ବେଳେ ବେଳେ କରୁ । ବିଚାରହୀନତା ଅପେକ୍ଷା ଏହି ଛଳନା ଅଧିକ ମନ୍ଦ ।

 

ଏହି ତୀବ୍ର ଅଭିମାନର ଆବିଳତା କେବେହେଲେ ଚିରଦିନ ପର୍ଯ୍ୟନ୍ତ ରହି ପାରିବ ନାହିଁ-। ଏହି ପ୍ରତିକ୍ରିୟାର ଆଲୋଡ଼ନ ନିଶ୍ଚୟ ଶାନ୍ତ ହେବ । ସେତେବେଳେ ଘରୁ ଓ ବାହାରୁ ସତ୍ୟ ଗ୍ରହଣ କରିବା ଆମ ପକ୍ଷରେ ସହଜ ହେବ ।

 

ପୂର୍ଣ୍ଣ ବିକଶିତ ହିନ୍ଦୁ ସମାଜ ସମ୍ପର୍କରେ ଆମର ପ୍ରତ୍ୟକ୍ଷ ଅନୁଭୂତି ନ ଥିଲା । ତେଣୁ ହିନ୍ଦୁ କ'ଣ କରିଛି ବା କ'ଣ କରି ପାରେ, ସେ ସମ୍ପର୍କରେ ଆମର ଧାରଣା ଦୁର୍ବଳ ଓ ଅସ୍ପଷ୍ଟ । ବର୍ତ୍ତମାନ ଆମେ ଯାହା ଆମ ଚକ୍ଷୁ ସମକ୍ଷରେ ଦେଖୁଛୁଁ, ତାହାହିଁ ଆମ ପକ୍ଷରେ ଗୁରୁତ୍ୱପୂର୍ଣ୍ଣ । ହିନ୍ଦୁ ସମାଜର ବର୍ତ୍ତମାନ ଅବସ୍ଥା ନାନାଭାବରେ ହିନ୍ଦୁର ଯଥାର୍ଥ ପ୍ରକୃତି ଓ ଶକ୍ତିକୁ ଆଛନ୍ନ କରି ତାହାକୁ ଅବନତ କରିଛି, ଏହା ଉପଲବଧି କରିବା ଆମ ପକ୍ଷରେ କଠିନ । ପାଞ୍ଜିରେ ସଂକ୍ରାନ୍ତି ପୁରୁଷର ଛବି ପରି ଆମ୍ଭମାନଙ୍କ ନିକଟରେ ହିନ୍ଦୁ ସଭ୍ୟତାର ମୂର୍ତ୍ତି ଦେଖାଯାଏ । ସେ କେବଳ ଯେପରି ସ୍ନାନ କରେ, ଜପ କରେ, ବ୍ରତ ଉପବାସଦ୍ୱାରା କୃଶ ହୋଇ ଜଗତର ସକାଳ ସ୍ପର୍ଶ ପରିହାରପୂର୍ଵକ ସଙ୍କୋଚ ସହକାରେ ଏକ କୋଣରେ ଦଣ୍ଡାୟମାନ ହୁଏ । କିନ୍ତୁ ଦିନେ ଏହି ହିନ୍ଦୁ-ସଭ୍ୟତା ମଧ୍ୟରେ ସଜୀବତା ପୂର୍ଣ୍ଣ ହୋଇ ରହିଥିଲା, ସେତେବେଳେ ତା’ର କାର୍ଯ୍ୟକଳାପ ବହୁମୁଖୀ ଥିଲା, ସେତେବେଳେ ହିନ୍ଦୁମାନେ ସମୁଦ୍ର ପାର ହେଉଥିଲେ, ଉପନିବେଶ ସ୍ଥାପନ କରିଥିଲେ, ତା’ର ନିଜର କଲା ଓ କାରିଗରୀ ଥିଲା, ବାଣିଜ୍ୟ ଓ ଶିଳ୍ପ ଥିଲା । ସେତେବେଳେ ତା’ର ଇତିହାସ ନବ ନବ ସତ୍ୟ ଅଭ୍ୟୁତଥାନର ସାକ୍ଷ୍ୟ ବହନ କରିଥିଲା, ଏଥିରେ ସମାଜ ବିପ୍ଳବ, ଧର୍ମ ବିପ୍ଳବ ନିମନ୍ତେ ସ୍ଥାନ ଥିଲା; ସେତେବେଳେ ନାରୀସମାଜ ମଧ୍ୟ ନିଜର ବୀରତ୍ୱ, ବିଦ୍ୟା ଓ ଏକନିଷ୍ଠ ତପସ୍ୟା ନିମନ୍ତେ ପ୍ରସିଦ୍ଧି ଲାଭ କରିଥିଲା ।

 

ସେ କାଳରେ ସାମାଜିକ ରୀତି ଓ ଆଚାର ବ୍ୟବହାର ଜାତିର ଲୌହ ଛାଞ୍ଚରେ ନିର୍ଦ୍ଧିଷ୍ଟ ରୂପ ପାଉ ନ ଥିଲା । ମହାଭାରତର ପୃଷ୍ଠାମାନଙ୍କରେ ଏହାର ଦୃଷ୍ଟାନ୍ତ ରହିଅଛି । ସେହି ବୃହତ୍ ବିଚିତ୍ର, ଜୀବନ ଛନ୍ଦରେ ଚଞ୍ଚଳ, ଜାଗ୍ରତ ଚିତ୍ତବୃତ୍ତିର ତାଡ଼ନାରେ ନବ ନବ ଅଧ୍ୟବସାୟରେ ପ୍ରବୃତ୍ତ ହିନ୍ଦୁ ସମାଜ ଭ୍ରାନ୍ତି ମଧ୍ୟ ଦେଇ ସତ୍ୟର ସନ୍ଧାନ ପାଇଥିଲା, ପରୀକ୍ଷା ମଧ୍ୟ ଦେଇ ସିଦ୍ଧହନ୍ତା, ସାଧନା ମଧ୍ୟ ଦେଇ ସିଦ୍ଧିରେ ଉପନୀତ ହୋଇଥିଲା । ଶ୍ଳୋକ ସଂହିତାର ଜଟିଳ ରଜ୍ଜୁରେ ଆବଦ୍ଧ କଳର ପୁତ୍ତଳୀ ତୁଲ୍ୟ ଏକ ଜୈନମାନଙ୍କ ନିଜର ଅଙ୍ଗଭାବରେ ଗ୍ରହଣ କରିଥିଲା । ମୁସଲମାନ ଓ ଖ୍ରୀଷ୍ଟିୟାନଙ୍କୁ ମଧ୍ୟ ଏହି ସମାଜ ନିଜର ଅଙ୍ଗ ଭାବେ ସ୍ଥାନ ଦେଇଥାନ୍ତା । ଏହି ସମାଜର ଜଣେ ମହାପୁରୁଷ ଏକଦା ଅନାର୍ଯ୍ୟମାନଙ୍କୁ ନିଜର ମିତ୍ର ଭାବରେ ଗ୍ରହଣ କରିଥିଲେ, ଆଉଜଣେ ମହାପୁରୁଷ କର୍ମର ଆଦର୍ଶକୁ ବୈଦିକ ଯାଗଯଜ୍ଞର ସଙ୍କୀର୍ଣ୍ଣତାରୁ ଉଦ୍ଧାର ପୂର୍ବକ, ଧର୍ମକୁ ବାହ୍ୟ ଅନୁଷ୍ଠାନ ଓ ବିଧି ନିଷେଧ ମଧ୍ୟରେ ଆବଦ୍ଧ ନ କରି ଉଭୟକୁ ଉଦାର ମନୁଷ୍ୟତ୍ୱର କ୍ଷେତ୍ରରେ ମୁକ୍ତିଦାନ କରିଥିଲେ । ସେହି ମହାନ୍ ସମାଜକୁ ଆମେ ଆଜି ହିନ୍ଦୁ ସମାଜ ଭାବରେ ସ୍ୱୀକାର କରୁ ନାହୁଁ । ଏକ ଜଡ଼ପିଣ୍ଡ ହିଁ ଆଜି ହିନ୍ଦୁସମାଜ ଭାବରେ ଗୃହୀତ । ପ୍ରାଣର ଧର୍ମ ବିକାଶର ଧର୍ମ, ପରିବର୍ତ୍ତନର ଧର୍ମ, ନିୟତ ଗ୍ରହଣ ଓ ବର୍ଜ୍ଜନରେ ଧର୍ମ; କିନ୍ତୁ ଏହାକୁ ଆମ୍ଭେମାନେ ହିନ୍ଦୁସମାଜର ଧର୍ମ ଭାବରେ ସ୍ୱୀକାର କରୁ ନାହୁଁ

 

ଏହି କାରଣରୁ ହିନ୍ଦୁ ବିଶ୍ୱବିଦ୍ୟାଳୟ ସ୍ଥାପନରେ ଉଦ୍ୟୋଗୀ ବ୍ୟକ୍ତିମାନେ ହିନ୍ଦୁତ୍ୱର ଯେଉଁ ଧାରଣା ନେଇ ଏହି କର୍ମରେ ପ୍ରବୃତ୍ତ ହୋଇଛନ୍ତି ସେ ସଂପର୍କରେ ମନରେ ଆଶଙ୍କା ଜାତ ହେବା ସ୍ୱାଭାବିକ । କିନ୍ତୁ କେବଳ ସେହି ଆଶଙ୍କାର ଅବକାଶ ଅଛି ବୋଲି ସେମାନଙ୍କ ଉଦ୍ୟମ ପରିତ୍ୟାଜ୍ୟ, ମୁଁ ତାହା ଶ୍ରେୟସ୍କର ମନେ କରେ ନାହିଁ । କାରଣ ହିନ୍ଦୁତ୍ୱର ଧାରଣାକୁ ଆମେ ନଷ୍ଟ କରିବାକୁ ଚାହୁଁ ନାହିଁ : ଏହାକୁ ବଡ଼ କରି ଦେଖିବାକୁ ଚାହୁଁ । ସ୍ୱାଧୀନ ଚାଳନା ନିମନ୍ତେ ଏହାକୁ କ୍ଷେତ୍ର ଦିଆଗଲେ ସେ ବିକଶିତ ହେବା ଦିଗରେ ନିଶ୍ଚିତରୂପେ ଗତି କରିବ । ଗର୍ତ୍ତମଧ୍ୟରେ ବାନ୍ଧି ରଖିଲେ ଏହାର କ୍ଷୁଦ୍ରତା ଓ ବିକୃତ ଅନିବାର୍ଯ୍ୟ । ବିଶ୍ଵବିଦ୍ୟାଳୟ ସେହି ସ୍ୱାଧୀନ ଚାଳନାର କ୍ଷେତ୍ର । ଏଠାରେ ବୁଦ୍ଧି କ୍ରିୟା ଓ ଚିତ୍ତବୃତ୍ତିକୁ ସଚେତନ କରିବାର ଆୟୋଜନ ରହିଛି । ସେହି ଚେତନାର ସ୍ରୋତ ପ୍ରବାହିତ ହେଲେ ତାହା ଜଡ଼ା ସଂସ୍କାରର ସଙ୍କୀର୍ଣ୍ଣତାକୁ କ୍ଷୟ କରି ଧୀରେ ଧୀରେ ନିଜକୁ ପ୍ରଶସ୍ତ କରିବ । ମନୁଷ୍ୟର ମନ ଉପରେ ମୋର ପୂର୍ଣ୍ଣ ବିଶ୍ୱାସ ଅଛି । ଭୁଲ କରି ସୁଦ୍ଧା ଯଦି ଜଣେ ଆରମ୍ଭ ୱାକରେ; ତାହା ସ୍ୱାଗତଯୋଗ୍ୟ, କାରଣ ନିଶ୍ଚୟ ଆରମ୍ଭ କରିବାକୁ ହେବ -ନ ହେଲେ ଭୁଲ ସୁଧାରି ହେବ ନାହିଁ । ମନୁଷ୍ୟର ମନ ମୁକ୍ତି ହେଲେ ତାହା ଗତିକରି ଚାଲିବ । ଅଚଳତାକୁ ପରମାର୍ଥ ମନେକରୁଥିବା ସମାଜ ଅବିବେକିତାକୁ ନିଜର ସାହାଯ୍ୟ ବୋଲି ମାନେ କରେ ଏବଂ ମାନବ ମନକୁ ଅହିଫେନ ତୁଲ୍ୟ ମାଦକଦ୍ରବ୍ୟ ଖୁଆଇ ବିହ୍ଵଳ କରି ରଖେ । କିନ୍ତୁ ମନକୁ ସଚଳ ରଖିବା ବିଶ୍ଵବିଦ୍ୟାଳୟର ପ୍ରକୃତ କାର୍ଯ୍ୟ । ଯଦି ହିନ୍ଦୁ ପ୍ରକୃତରେ ମନେ କରେ ଯେ ଶାସ୍ତ୍ରର ଶ୍ଳୋକବାଣୀ ଦ୍ୱାରା ଚିରକାଳ ନିମନ୍ତେ ଦୃଢ଼ବଦ୍ଧ ଜଡ଼ ନିଶ୍ଚଳତା ହିଁ ତାହାର ସ୍ୱତନ୍ତ୍ର ବୈଶିଷ୍ଟ୍ୟ –ତା’ହେଲେ ବିଶ୍ଵବିଦ୍ୟାଳୟକୁ ସର୍ବତୋଭାବେ ପରିହାର କରିବା ତାର କର୍ତ୍ତବ୍ୟ । ଯତ୍ନ ସହକାରେ ବିଚାରହୀନ ଆଚାର ପୋଷଣର ଦାୟିତ୍ୱ ବିଶ୍ୱବିଦ୍ୟାଳୟ ହାତରେ ଛାଡ଼ି ଦିଆଗଲେ ତାହା ଅପାତ୍ରରେ ଦାୟିତ୍ୱଦାନ ତୁଲ୍ୟ ହେବ ।

 

କିନ୍ତୁ ଯେଉଁମାନେ ବିଶ୍ଵାସ କରନ୍ତି, ହିନ୍ଦୁତ୍ୱ ମଧ୍ୟରେ କୌଣସି ଗତିବିଧି ନାହିଁ, ତାହା ଏକ ସ୍ଥିତିଶୀଳ ଧାରା–ବର୍ତ୍ତମାନ କାଳର ଦୃଢ଼ ଆଘାତରୁ ଏହାକୁ ରକ୍ଷା କରିବା ଉଚିତ; ସେମାନେ ମନୁଷ୍ୟର ଚିତ୍ତକୁ ପ୍ରାଚୀର ଘେରାଇ ବନ୍ଦୀଶାଳାରେ ପରିଣତ କରିବାର ପ୍ରସ୍ତାବ ନ ଦେଇ ବିଶ୍ଵବିଦ୍ୟାର ବାୟୁ ପ୍ରବାହ ନିମନ୍ତେ ତାହାର ଚତୁର୍ଦ୍ଦିଗରେ ପ୍ରଶସ୍ତ ଦ୍ୱାରା ମୁକ୍ତ କରିବାର ଉଦ୍ୟମ, ନିଜର ଭ୍ରମ ଓ ଅବିବେକିତାବଶତଃ ଯେ କରୁଛନ୍ତି, ତାହା ସତ୍ୟ ନୁହେଁ । ମନୁଷ୍ୟ ମୁଖରେ ଯାହା କହେ, ତାହା ଅନେକ ସମୟରେ ତାର ସତ୍ୟ ବିଶ୍ଵାସ ନୁହେ । ତାହାର ଅନ୍ତରାତ୍ମା ସହଜ ଦୃଷ୍ଟି ମଧ୍ୟରେ ଅନେକ ସମୟରେ ଏହି ବାହ୍ୟ ବିଶ୍ୱାସ ବିରୁଦ୍ଧରେ ଏକ ପ୍ରତିବାଦ ରହିଥାଏ । ବିଶେଷତଃ ଯେଉଁ ସମୟରେ ଏ ଦେଶର ଇତିହାସରେ ପ୍ରାଚୀନ ସଂସ୍କାର ସହିତ ନୂତନ ଭାବଧାରାର ଦ୍ଵନ୍ଦ ଚାଲିଛି, ସେହି ଋତୁ ପରିବର୍ତ୍ତନର ସନ୍ଧି କାଳରେ ଆମ ମୌଖିକ ବାକ୍ୟ, ଆମ ଅନ୍ତରର ପ୍ରକୃତ ପରିଚୟ ଭାବେ ଗୃହୀତ ହୋଇ ପାରିବ ନାହିଁ । ଫାଲଗୁନ ମାସରେ ସମୟ ସମୟରେ ବସନ୍ତର ରୂପ ବଦଳି ଯାଇ ହଠାତ୍ ଉତ୍ତର ପବନ ବହେ, ସେତେବେଳେ ପୌଷ ଫେରିଆସିଲା ବୋଲି ଭ୍ରମ ଜାତ ହୁଏ–ତଥାପି ଏ କଥା ସତ୍ୟ ଯେ ଉତ୍ତରା ପବନ ଫାଲ୍‍ଗୁନ ଅନ୍ତରର ପ୍ରଭାବ ନୁହେ, ଏହା ଆମ୍ରମୁକୂଳ ମଧ୍ୟରେ ନବ କିଶଳୟର ତରୁଣ ସିଂଗଧାତା ମଧ୍ୟରେ ବରଂ ବିଗ୍ରହବନ୍ତ ହୋଇଥାଏ । ଆମ ଦେଶରେ ମଧ୍ୟ ପ୍ରାଣ–ବାୟୁ ବହି ଆମର ଜଡ଼ତା ଭାଙ୍ଗିଛି ଏବଂ ବର୍ତ୍ତମାନ ଅବସ୍ଥାକୁ ଅକ୍ଷୁର୍ଣ୍ଣ ରଖିବା ନିମନ୍ତେ ଆମେ ଉଚ୍ଚ ସ୍ୱରରେ ଘୋଷଣା କରୁଛୁ । ପଦାର୍ଥଗୁଡ଼ିକୁ ବସ୍ତୁତଃ ତାହାର ବର୍ତ୍ତମାନ ଅବସ୍ଥାରେ ଛାଡ଼ିଦେବା ନିମନ୍ତେ ଯଦି ଆମେ ଇଚ୍ଛା କରୁ, ତା’ହେଲେ ପୂର୍ଣ୍ଣ ସ୍ଥାବରତ୍ୱ ହିଁ ଉତ୍କୃଷ୍ଟ ପନ୍ଥା । କ୍ଷେତ ମଧ୍ୟରେ ବାଳୁଙ୍ଗାକୁ ଅଧିକ ବଢ଼ାଇବାକୁ ଲାଗି କେହି ଚାଷ କରି ବା ମଇଦେବା ବିଷୟ ବିଚାର କରନ୍ତି ନାହିଁ । ଉଦ୍ୟମ କରିବା ସଙ୍ଗେ ସଙ୍ଗେ ସେହି ଆଲୋଡ଼ନ କ୍ଷୟ ଓ ପରିବର୍ତ୍ତନର କାର୍ଯ୍ୟକୁ ଅଗ୍ରସର କରିବ ।

 

ନିଜ ମଧ୍ୟରେ ଅନୁଭୂତ ନୂତନ ସଂଜୀବନୀ ଶକ୍ତିକୁ ଆମ୍ଭେମାନେ ପ୍ରୟୋଗ କରି ମୃତକୁ ଚିରସ୍ଥାୟୀ କରିବାକୁ ଭାବିଛୁ । ମୃତକୁ ପ୍ରବଳ ବେଗରେ ଧ୍ଵଂସ କରି ଯେଉଁଠି ଜୀବନର କୌଣସି ଆଭାସ ଅଛି, ସେଇଠି ନିଜକୁ ପ୍ରୟୋଗ କରିବା ହିଁ ଜୀବନୀ ଶକ୍ତିର ଧର୍ମ । ଏହା କୌଣସି ପଦାର୍ଥକୁ ସ୍ଥିର ଭାବରେ ରଖେ ନାହିଁ, ଯେଉଁ ପଦାର୍ଥ ବଢ଼ି ପାରେ, ତାହାକୁ ବଢ଼ାଇବାରେ ଏହା ସହାୟକ ହୁଏ । ଯାହାର ବିକାଶ ପ୍ରକ୍ରିୟା ସମାପ୍ତ ହୋଇଛି, ତାହାକୁ ଧ୍ୱଂସପୂର୍ବକ ଅପସାରଣ କରିଥାଏ । ତେଣୁ ମୁଁ କହେ, ଆମ ମଧ୍ୟରେ ଜୀବନୀଶକ୍ତିର ନୂତନ ଉନ୍ମାଦନା ଆମକୁ ନାନା ଚେଷ୍ଟାରେ ପ୍ରବୃତ୍ତ କରୁଛି–ଏହି କଥାହିଁ ଆଧୁନିକ କାଳର ସର୍ବାପେକ୍ଷା ବୃହତ ସତ୍ୟ । ତାହା ମୃତ୍ୟୁକୁ ଚିରସ୍ଥାୟୀ କରିବାର ପରୀକ୍ଷାରେ ପ୍ରବୃତ୍ତ ହୋଇଥିବା କଥା ଗୁରୁତର ବିଷୟ ନୁହେ । ଏହା ତାର ଏକ କ୍ଷଣିକ ଲୀଳା ମାତ୍ର ।

 

ପ୍ରାଥମିକ ଶିକ୍ଷାର ବାଧ୍ୟତାମୂଳକ ପ୍ରବର୍ତ୍ତନ ନିମନ୍ତେ ଶ୍ରୀଯୁକ୍ତ ଗୋଖଲେଙ୍କ ବିଲ୍‍ ସମ୍ବନ୍ଧରେ କୌଣସି କୌଣସି ଶିକ୍ଷିତ ଲୋକ କହନ୍ତି, ଯେ ଆଧୁନିକ ଶିକ୍ଷା ଆମର ମୁଣ୍ଡ ଘୁରାଇ ଦେଉଛି, ଦେଶର ଜନସାଧାରଣକୁ ଏପରି ବିପଦରେ ପକାଇବା ଉଚିତ ନୁହେ । ଯେଉଁମାନେ ଏହା କହନ୍ତି, ନିଜ ପିଲାମାନଙ୍କୁ ଆଧୁନିକ ବିଦ୍ୟାଳୟରେ ଶିକ୍ଷା ଦେବାରୁ ସେମାନେ କ୍ଷାନ୍ତ ନୁହନ୍ତି । ଏ ଧରଣର ଅଦ୍ଭୂତ ଆତ୍ମବିରୋଧ କାହିଁକି ? ଏହା ଅବଶ୍ୟ କପଟାଚାର ନୁହେ । ଏହା ହେଉଛି, ଅନ୍ତରରେ ନୂତନ ବିଶ୍ଵାସର ବସନ୍ତ ପହଞ୍ଚିଛି, କିନ୍ତୁ ମୁଖମଣ୍ଡଳରେ ପୁରାତନ ସଂସ୍କାର ତଥାପି ରହିଛି । ତେଣୁ ଆମ୍ଭେମାନେ ଯାହା କରିବା କଥା, ତାହା କରୁଛୁ, କିନ୍ତୁ ମୁହଁରେ ଅନ୍ୟ ଏକ ଯୁଗର କଥା କହୁଛି । ଆଧୁନିକ ଶିକ୍ଷାରେ ନିହିତ ଚାଞ୍ଚଲତା ସତ୍ତ୍ୱେ ତାହାର ମଙ୍ଗଳକୁ ଆମେ ଅନ୍ତରରେ ଉପଲବ୍‍ଧି କରିଛୁ । ନିରାପଦ ମୃତ୍ୟୁକୁ ବାରଣ କରିବାକୁ ଆମେ ଅଧିକ କାଳ ନୋହୁ, ଜୀବନର ସକାଳ ଦୁଃଖ ଓଭାର ମସ୍ତକରେ ବହନ କରିବା ନିମନ୍ତେ ଆମ୍ଭେମାନେ ବୀର ଭାବରେ ପ୍ରସ୍ତୁତ ହେଉଛୁ । ସେଥିରେ ବହୁ ବିପର୍ଯ୍ୟୟର ସମ୍ଭାବନା ଅଛି, ବହୁ ଭୁଲ କରିବାକୁ, ଏହା ଆମେ ଜାଣିଛୁ । ପୁରାତନ ବ୍ୟବସ୍ଥାକୁ ଘୁଞ୍ଚାଇବା ନିମନ୍ତେ ଚେଷ୍ଟା କଲେ ପ୍ରଥମେ ବିଶୃଙ୍ଖଳାର ନାନା ଦୁଃଖଭୋଗ କରିବାକୁ ପଡ଼ିବ, ଏହା ମଧ୍ୟ ଆମେ ଜାଣୁ । ବହୁକାଳ ସଞ୍ଚିତଧୂଳି ପରିଷ୍କାର କରିବା ନିମନ୍ତେ କୋଠରୀରେ ଛାଞ୍ଚୁଣି ବୁଲାଇଲେ ପ୍ରାଥମିକ ସ୍ତରରେ ଧୂଳି ଆମକୁ ପ୍ରଚୁର ଭୋଗ କରିବାକୁ ପଡ଼ିବ-

 

ଆଜି ସମଗ୍ର ପୃଥିବୀର ପ୍ରତ୍ୟେକ ଜାତି ନିଜର ସ୍ଵାତନ୍ତ୍ର୍ୟ ରକ୍ଷା ନିମନ୍ତେ ଓରାଣାନ୍ତକ ଉଦ୍ୟମରେ ବ୍ୟସ୍ତ । ସମକାଳର ପ୍ରତ୍ୟେକ ଜାତି ବୃହତ ମାନବସମାଜ ସହିତ ନିଜର ଯୋଗସୂତ୍ର ମଧ୍ୟ ଅନୁଭବ କରୁଛି । ସେହି ଅନୁଭୂତି ପ୍ରକୃତରେ ଧନ୍ୟ, କାରଣ ତାହାରି ବଳରେ ପ୍ରତ୍ୟେକ ଜାତି ବାହାର ଜଗତ ସହିତ ସଂପର୍କ ସ୍ଥାପନର ପରିପନ୍ଥୀ ନିଜର ସକାଳ ବିକଟ ସ୍ୱାତନ୍ତ୍ର୍ୟକୁ ଆଜି ବିସର୍ଜନ ଦେଉଛି । ପ୍ରତ୍ୟେକ ଜାତି ନିଜର ସମସ୍ତ ସମ୍ପଦକୁ ବିଶ୍ଵ ସମକ୍ଷରେ ଉପସ୍ଥାପନ କରିବାର ପ୍ରୟାସୀ । ନିଜ ପ୍ରକୋଷ୍ଠ ମଧ୍ୟରେ ଏକାକୀ ଆବଦ୍ଧ ରହି ସ୍ଵାତନ୍ତ୍ର୍ୟର ଢକ୍‍କା ବଜାଇବାରେ ଆଜି କେହି ଅଧିକ କାଳ ତୃପ୍ତ ହେଉ ନାହାନ୍ତି । ନିଜର ସ୍ଵାତନ୍ତ୍ର୍ୟକୁ ସମସ୍ତ ମନବସମାଜର ଅଳଙ୍କାର କରିବା ନିମନ୍ତେ ପ୍ରତ୍ୟେକ ଅନ୍ତର ମଧ୍ୟରେ ପ୍ରେରଣା ଜାତ ହୋଇଛି ।

 

ଆଜି ଯେଉଁ ସମୟ ଉପସ୍ଥିତ, ସେଥିରେ ଗ୍ରାମ୍ୟତାକୁ ଜାତୀୟତା ବୋଲି ଅହଂକାର ସହକାରେ ପ୍ରକାଶ କରିବା ସମ୍ଭବ ନୁହେ । ଆମର ଯେଉଁ ସକଳ ଆଚାର ବ୍ୟବହାର ଓ ସଂସ୍କାର ଆମକୁ ବିଚ୍ଛିନ୍ନ କରି ରଖିଛି-ଚଳପ୍ରଚଳର ବାଧା, ଦାନ-ଗ୍ରହଣର ଅସୁବିଧା, ଚିନ୍ତା-କର୍ମର ଅବ୍ୟବସ୍ଥା ଭଳି କୃତିମ ପ୍ରତିବନ୍ଧକ ଆମ ଅନ୍ତରାଳରେ ରହିଛି, ସେହି ବିଘ୍ନଗୁଡ଼ିକ ଦୂର କରିବାକୁ ପଡ଼ିବ, ତା’ ନ ହେଲେ ମାନବିକତାର ରାଜଧାନୀରେ ଆମର ଲଜ୍ଜାର ଅନ୍ତ ଆଉ ରହିବ ନାହିଁ । ଏ କଥା ଆମେ ମୁକ୍ତ ଭାବରେ ସ୍ୱୀକାର କରୁ ବା ନ କରୁ ଆମର ଅନ୍ତରରେ ଏହା ଗଭୀରଭାବେ ଉପଲବ୍‍ଧି କରୁଛି । ଆମ୍ଭେମାନେ ଆମର ସେହି ସମ୍ପତ୍ତିକୁ ନାନା ଭାବରେ ଖୋଜୁଛୁଁ, ଯାହା କେବଳମାତ୍ର ଗୃହ ପ୍ରସ୍ତୁତ ଆଚାର ଅନୁଷ୍ଠାନ ବା କ୍ରିୟାପଦ୍ଧତି ମାତ୍ର ନୁହେ, ତାହା ସମଗ୍ର ବିଶ୍ୱର ଆଦରର ଐଶ୍ୱର୍ଯ୍ୟ । ତାକୁ ଲାଭ କଲେ ଆମେ ଯଥାର୍ଥଭାବେ ପରିତ୍ରାଣ ପାଇବା । ଏହି କାମ ଅନ୍ତର ମଧ୍ୟରେ ଜଗି ଉଠିଛି ବୋଲି ଆମେ ଆଉ ବେଶୀକାଳ ଗୋଟିଏ କୋଣରେ ବସି ରହିବାକୁ ଅସମର୍ଥ । ଆଜି ଆମ୍ଭେମାନେ ଯେଉଁ ସବୁ ଅନୁଷ୍ଠାନର ପ୍ରତିଷ୍ଠା କରୁଛୁ, ତାହା ମଧ୍ୟରେ ଆମର ଜାତୀୟ ସ୍ଵାତନ୍ତ୍ର୍ୟବୋଧ ଓ ବିଶ୍ୱବୋଧ ଉଭୟ ପ୍ରକାଶିତ ହେଉଛି । ପଚାଶ ବର୍ଷ ପୂର୍ବରୁ ହୋଇଥିଲେ ହିନ୍ଦୁ ବିଶ୍ଵବିଦ୍ୟାଳୟର କଳ୍ପନା ଆମ ନିକଟରେ ଅତି ଅଦ୍ଭୁତ ବିବେଚିତ ହୋଇ ଥାଆନ୍ତା ।

 

ଯାହା ହେଲେ ବି ଆମ ଦେଶର ଧର୍ମାଧିଷ୍ଠାତା ଦେବତାକୁ ଆମେ ଚିରକାଳମନ୍ଦିରର ଅନ୍ଧକାରମୟ କୋଣରେ ଆବଦ୍ଧ ରଖିବା ଅସମ୍ଭବ । ଆଜି ତାଙ୍କର ରଥଯାତ୍ରାଦିନ ଆସିଛି, ବିଶ୍ୱର ରାଜପଥରେ, ମାନବର ସୁଖ ଦୁଃଖ ଓ ଆଦାନପ୍ରଦାନର ପଣ୍ୟବୀଥିକାରେ ସେ ବାହାର ହୋଇଛନ୍ତି-। ଆମ୍ଭେମାନେ ଆମର ସାଧ୍ୟ ଅନୁସାରେ ମୂଲ୍ୟବାନ ବା ସୁଲଭ ଉପାଦାନରେ ତାଙ୍କର ରଥ ନିର୍ମାଣ କରିଛୁଁ; କାହାର ରଥ ହୁଏତ ଚାଲୁ ଚାଲୁ ପାଠ ମଧ୍ୟରେ ଭାଙ୍ଗିପଡ଼େ । କାହାର ବା ବର୍ଷ ବର୍ଷ ଧରି ଅଭଙ୍ଗ ରହେ । ସେ ଯାହା ହେଉ ନା କାହିଁକି ଶୁଭଲଗ୍ନରେ ରଥର ଉତ୍ସବକାଳ ଉପସ୍ଥିତ-। ଏ ରଥ କିମ୍ବା ସେ ରଥ କେତେ ବାଟ ଯିବ, ସେ କଥା ଆମେ ପୂର୍ବରୁ ହିସାବ କରି ପାରିବା ନାହିଁ-। କିନ୍ତୁ ଆମର ମହାନ ଦିବସ ସମାଗତ । ଆମର ଚିର ଈପସିତ ପ୍ରିୟବସ୍ତୁ ଆଜି ଆଉ ପୁରୋହିତଙ୍କର ବିଧି ନିଷେଧର ଅନ୍ତରାଳରେ ଧୁପଦ୍ୱୀପର ଘନ ଘୋର ବାଷ୍ପମଧ୍ୟରେ ଗୋପନୀୟ ରହିବ ନାହିଁ ।

 

ଆଜି ଏଠାରେ ଏ ଧରଣର ଗୋଟିଏ ରଥ ନିର୍ମାଣ ସମ୍ବନ୍ଧରେ କେବଳ ମୁଁ ଆଲୋଚନା କରିଅଛି । ଏହାର ପରିମାଣ କଣ, ମୁଁ ନିର୍ଦ୍ଧିଷ୍ଟ ଭାବରେ ଜାଣେ ନା, କିନ୍ତୁ ସର୍ବାପେକ୍ଷା ଆନନ୍ଦର ବିଷୟ ହେଉଛି ଯେ ଏହି ରଥ ବିଶ୍ଵ ପଥରେ ଗତିଶୀଳ, ପ୍ରକାଶ ପଥରେ ଅଗ୍ରସର; ଉକ୍ତ ଅଭିଭୂତ ଆନନ୍ଦର ଆବେଗରେ ଆମେ ସମସ୍ତେ ମିଳି ଜୟଧ୍ଵନି କରି ରଜ୍ଜୁ ଧାରଣପୂର୍ବକ ତାକୁ ଆକର୍ଷଣ କରିବାକୁ ଧାବମାନ ।

 

-୧୯୧୧

 

‘‘ମୃତ୍ତିକାର ବନ୍ଧନର ମଧ୍ୟରୁ କେବଳ ମୁକ୍ତି ବୃକ୍ଷ ପକ୍ଷରେ ସ୍ୱାଧୀନତା ନୁହେ ।’’

 

-ରବୀନ୍ଦ୍ର ନାଥ

Image

 

ଯାତ୍ରାର ପୂର୍ବ ପତ୍ର

 

ପ୍ରାନ୍ତର ମଧ୍ୟରେ ଆମର ଆଶ୍ରମ ବିଦ୍ୟାଳୟ । ଏଠାରେ ପ୍ରକୃତି କୋଳରେ ବଡ଼ ଓ ସାନ, ଶିକ୍ଷକ ଓ ଛାତ୍ର ଏକତ୍ର ବାସ କରି ସମାଜ ଜୀବନ ଯାପନ କରନ୍ତି । ପ୍ରଭାତକାଳୀନ ସୂର୍ଯ୍ୟ ତାଙ୍କର ପ୍ରଥମ କିରଣ ସମ୍ପାତରେ ଆମକୁ ସ୍ପର୍ଶ କରନ୍ତି ଏବଂ ରାତ୍ରି କାଳରେ ଆକାଶକୁ ଚାହିଁଲେ ତାରକାମାନଙ୍କର ଜ୍ୟୋତି ଆମ ମୁଖମଣ୍ଡଳ ଉପରେ ଆସି ପଡ଼େ । ଦିଗନ୍ତରେ ଧୂଳିର ଉତ୍ତରୀୟ ଉଡ଼ାଇ ଝଡ଼ବହୁଦୂରରୁ ତା’ର ଆଗମନର ସମ୍ବାଦ ଆମକୁ ଦେଇଥାଏ । ଆମ ଚତୁଃପାର୍ଶ୍ଵରେ ଥିବା ବୃକ୍ଷର ପତ୍ରାବଳୀରେ ଋତୁ ପରିବର୍ତ୍ତନର ପ୍ରଥମ ବାର୍ତ୍ତା ପ୍ରକାଶିତ ହୁଏ । ଆମ୍ଭେମାନେ ବିଶ୍ଵପ୍ରକୃତିକୁ ଆମ ଜୀବନରୁ ରୁଦ୍ଧ କରି ରଖି ନାହୁଁ ଏବଂ ଅତି ସହଜ ଓ ସିଧା ସଳଖ ଭାବରେ ଏହା ଆମ୍ଭମାନଙ୍କ ନିକଟରେ ଆସି ପହଞ୍ଚିଥାଏ ।

 

ତଥାପି ଆମର ଏହି ବିଚ୍ଛିନ୍ନତା ମଧ୍ୟରେ ସୁଦ୍ଧା ଆମେ ବାହାର ଜଗତ ସହିତ ପ୍ରତ୍ୟକ୍ଷ ସମ୍ପର୍କ ସମାନଭାବେ ସ୍ଥାପନ କରିବାକୁ ଇଛୁକ । ସର୍ବ ମାନବର ଇତିହାସରେ ଯେଉଁ ପରିବର୍ତ୍ତନ ଆସେ, ସୂର୍ଯ୍ୟଙ୍କର ଉଦୟାସ୍ତ ଘଟେ, ଯେଉଁ ସଂଘର୍ଷର ଝଡ଼ ମନୁଷ୍ୟ ଜୀବନକୁ ବିକ୍ଷୁବ୍‍ଧ କରେ ସେଗୁଡ଼ିକୁ ସ୍ପଷ୍ଟଭାବେ ଅନୁଭବ କରିବାକୁ ଆମର ବାସନା । କର୍ମବ୍ୟସ୍ତ ଲୋକାଳୟଠାରୁ ଦୂରରେ ଥିବାରୁ ଜଗତର ଘଟଣାବଳୀକୁ ପ୍ରକୃତ ଭାବେ ଗ୍ରହଣ କରିବାକୁ ସୁଯୋଗ ଆମ୍ଭମାନଙ୍କର ରହିଛି । ଉକ୍ତ ସମ୍ବାଦ କୌଣସି ଏକ ନିର୍ଦ୍ଦିଷ୍ଟ ଚିନ୍ତାର ଛଞ୍ଚରେ ଢଳାହୋଇ ଆମ ନିକଟରେ ଆସି ପହଞ୍ଚି ନ ଥାଏ । ତାହାକୁ ଆମେ ଅବାଧରେ ବିଶୁଦ୍ଧାରୂପେ ଗ୍ରହଣ କରୁଁ ।

 

ମନୁଷ୍ୟର ବୃହତ୍ତର ଜଗତସହ ଆମର ଏହି କ୍ଷୁଦ୍ର ଗ୍ରାମ୍ୟ ବିଦ୍ୟାଳୟର ସମ୍ବନ୍ଧ ଅବାରିତ ରଖିବା ପାଇଁ ପୃଥିବୀ ପ୍ରଦକ୍ଷିଣ କରିବାର ପ୍ରୟୋଜନ ଆମେ ଅନୁଭବ କରୁ । ସେହି ବିରାଟ ପୃଥିବୀ ଆମକୁ ନିମନ୍ତ୍ରଣ କରିଛି । ସେହି ନିମନ୍ତ୍ରଣ ବିଦ୍ୟାଳୟର ଦୁଇଶତ ଅନ୍ତେବାସୀଙ୍କ ପକ୍ଷରେ ଏକତ୍ର ରକ୍ଷା କରିବା ସମ୍ଭବ ନୁହେ । ତେଣୁ ମୁଁ ନିଜେ ତୁମ ପକ୍ଷରୁ ଏକାକୀ ସେହି ନିମନ୍ତ୍ରଣ ରକ୍ଷା କରି ଆସିବି । ମୋ ମଧ୍ୟରେ ତୁମ୍ଭେମାନେ ସମସ୍ତେ ଏହି ଭ୍ରମଣର ସୁଫଳ ଭୋଗ କରିବ । ଏହି ଆଶ୍ରମକୁ ଫେରି ଆସିଲା ବେଳକୁ ବାହାର ଜଗତର କିଛି ନା କିଛି ମୋ ନିଜ ଭିତରେ ସଞ୍ଚୟ କରି ତୁମ୍ଭମାନଙ୍କ ନିକଟକୁ ମୁଁ ବହନ କରି ଆଣିବି ।

 

ଫେରିବା ପରେ ସେ ବିଷୟରେ ବହୁ କଥାବାର୍ତ୍ତା ଆମ୍ଭେମାନେ ହେବା । ବର୍ତ୍ତମାନ ବିଦାୟ ଲଗ୍ନରେ ଗୋଟିଏ ଯୋଡ଼ିଏ କଥା ମୁଁ ପରିଷ୍କାର କରି ଯିବାକୁ ଚାହେ ।

 

ଅନେକ ମୋତେ ପଚାରିଛନ୍ତି, ‘‘ତୁମେ ଇଉରୋପ ଭ୍ରମଣ କରିବାକୁ କାହିଁକି ଯାଉଛ ? ଏ କଥାର ଉତ୍ତର କ’ଣ ଦେବୀ ମୁଁ ଜାଣେ ନା । ଭ୍ରମଣ ହିଁ କବଳ ଭ୍ରମଣର ଉଦ୍ଦେଶ୍ୟ, ଏପରି ଏକ ସରଳ ଉତ୍ତର ଦେଲେ ପ୍ରଶ୍ନକର୍ତ୍ତାମାନେ ହୁଏ ତ ମନେ କରିବେ କଥାଟାକୁ ମୁଁ ହାଲୁକା କରି ଉଡ଼ାଇ ଦେଉଛି । ଫଳା ଫଳ, ଲାଭ ଲୋକସାନ ବିଚାରରେ ଗୋଟିଏ କାର୍ଯ୍ୟର ପୂର୍ଣ୍ଣ ତାଲିକା ଦେଇ ନ ପାରିଲେ ମନୁଷ୍ୟ ଚିତ୍ତକୁ ଶାନ୍ତ କରିବା ସହଜ ନୁହେ ।

 

ଗୃହସହ ସୁଦୃଢ଼ ବନ୍ଧନରେ ଆମ୍ଭେମାନେ ଆବଦ୍ଧ । ବାହାରକୁ ବାହାରିବା ସଂଗେ ସଂଗେ ଏଯାତ୍ରା ଅବେଳା ଓ ଅଶୁଭର ଦୁର୍ଭାବନା ଏବଂ ଭୟ ଆମର ଅଧିକ, ବିଚ୍ଛେଦର ଅଶ୍ରୁପାତ ଅତି କରୁଣ-ଫଳତଃ ପୃଥିବୀ ଆମ ଦୃଷ୍ଟିସୀମାର ବହୁ ଦୂରକୁ ଚାଲି ଯାଇଛି । ଆତ୍ମୀୟବର୍ଗ ଆମ ଦେଶରେ ଏକ ନିବିଡ଼ ପରିଧି ଗଠନ କରିଛନ୍ତି, ଏହା ବାହାରେ ଥିବା ଅନ୍ୟ ସମସ୍ତେ ଆମ ସହିତ ଅସଂଯୁକ୍ତ, ଆମର ପର । ସେହି କାରଣରୁ ଅଳ୍ପ ସମୟ ପାଇଁ ବାହାରକୁ ବାହାରିଲେ ସୁଦ୍ଧା ଆମକୁ ବହୁ ପ୍ରଶ୍ନର ଜବାବ ଦେବାକୁ ଯେ ପଡ଼ିଥାଏ, ଏହା ନିଶ୍ଚିତ କଥା । ଆବଦ୍ଧ ରହିବା ଫଳରେ ଅବ୍ୟବହାର ହେତୁ ଆମର ପକ୍ଷ କଠିନ ହୋଇଛି, ତେଣୁ ଉଡ଼ିବାର ଆନନ୍ଦକୁ ଆମ ଦେଶରେ ପ୍ରକୃତ କେହି ଆନନ୍ଦ ବୋଲି ବିଶ୍ଵାସ କରି ନ ଥାନ୍ତେ ।

 

ଅଳ୍ପ ବୟସରେ ମୋର ବିଦେଶ ଯାତ୍ରାର ଏକ ବୈଷୟିକ ଉଦ୍ଦେଶ୍ୟ ଥିଲା । ସରକାରୀ ଶାସନ ବିଭାଗରେ ପ୍ରବେଶ କରିବା ବା ବାରିଷ୍ଟର ହେବାର ଚେଷ୍ଟା ସେତେବେଳେ ମୋ ଭ୍ରମଣର ଥିଲା ଏକ ଉପଯୁକ୍ତ କୈଫିୟତ । କିନ୍ତୁ ଆଜି ବାଉନ ବର୍ଷ ବୟସରେ ଏ ଧରଣର କୈଫିୟତ ଦେବା ସମ୍ଭବ ନୁହେ । ତେଣୁ ବର୍ତ୍ତମାନ କୌଣସି ପାରମାର୍ଥିକ ଉଦ୍ଦେଶ୍ୟର ଦ୍ୱାହି ନିଶ୍ଚୟ ଦେବାକୁ ପଡ଼ିବ ।

 

ଆଧ୍ୟାତ୍ମିକ ଉନ୍ନତି ନିମନ୍ତେ ଭ୍ରମଣର ପ୍ରୟୋଜନୀୟତା ଭାରତରେ ଲୋକମାନେ ସ୍ୱୀକାର କରିଥାନ୍ତି । ସେଥିପାଇଁ କେହି କେହି ତାକୁ ମୋ ଯାତ୍ରାର ଉଦ୍ଦେଶ୍ୟ ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ଥିଲେ ସୁଦ୍ଧା ଆଶ୍ଚର୍ଯ୍ୟ ହୁଅନ୍ତି ଇଉରୋପରେ ସେ ଉଦ୍ଦେଶ୍ୟ ବା କିପରି ଭାବରେ ସାର୍ଥକ ହେବ । ଏହି ଭାରତବର୍ଷର ତୀର୍ଥସ୍ଥାନ ଗୁଡ଼ିକରେ ଭ୍ରମଣ କରି ସାଧୁ ସନ୍ୟାସୀମାନଙ୍କ ସଙ୍ଗଲାଭ କରିବା ହିଁ ତାଙ୍କ ପକ୍ଷରେ ମୁକ୍ତିର ଏକମାତ୍ର ପନ୍ଥା ।

 

ମୁଁ କହେ ‘‘କେବଳ ବୁଲିଯିବା ହିଁ ମୋ ଭ୍ରମଣର ଉଦ୍ଦେଶ୍ୟ । ଭାଗ୍ୟକ୍ରମେ ଏ ପୃଥିବୀରେ ଜନ୍ମ ହୋଇଛି, ପୃଥିବୀ ସଂଗେ ମୋ ପରିଚୟ ଯେତେ ଅଧିକ ହେବ, ସେତେ ଅଧିକ ତୃପ୍ତି ମୁଁ ଲାଭ କରିବି । ଚକ୍ଷୁଯୁଗଳ ମୁଁ ପାଇଛି, ଏହି ବିରାଟ ଜଗତର ବୈଚିତ୍ର୍ୟ ଯଥାସମ୍ଭବ ଦର୍ଶନ କରି ପାରିଲେ ନେତ୍ରଦ୍ୱୟ ସାର୍ଥକ ହେବ ।

 

ତଥାପି ମୁଁ ସ୍ୱୀକାର କରେ ଯେ, ଲାଭ ପ୍ରତି ମୋର ଲୋଭ ରହିଛି, ଭ୍ରମଣର ଆନନ୍ଦ ଉପଲବ୍ଧି କରିବାକୁ କେବଳ ମୁଁ ଚାହେଁ ନାହିଁ । ବରଂ ଏହି ଭ୍ରମଣର ସଙ୍କଳ୍ପ ମଧ୍ୟରେ ପ୍ରୟୋଜନ ସାଧନର ଏକ ଆକାଙ୍‍କ୍ଷା ମୋର ନିହିତ ।

 

ମୋର ବିଶ୍ଵାସ, କୌଣସି ୟୁରୋପୀୟ ଯଥାର୍ଥ ଶ୍ରଦ୍ଧା ସହକାରେ ଭାରତ ଭ୍ରମଣ କରିବାକୁ ଯଦି ଆସନ୍ତି ତାହାହେଲେ ତୀର୍ଥାଟନର ଯଥାର୍ଥ ଫଳ ସେ ନିଶ୍ଚୟ ଲାଭ କରିବେ । ସେପରି ୟୁରୋପୀୟଙ୍କୁ ମଧ୍ୟ ମୁଁ ଜାଣେ ଏବଂ ସେମାନଙ୍କ ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି । ବିଦେଶୀମାନଙ୍କର ଗୁଣ ଗ୍ରହୀତା ହେତୁ ଏହା ଉକ୍ତ ମନ୍ତବ୍ୟର କାରଣ ନୁହେ । ସେମାନଙ୍କ ହୃଦୟର ଶକ୍ତି ନିକଟରେ ମୁଁ ଭକ୍ତିପ୍ରଣତ । ଅପରିଚୟର ପ୍ରତିବନ୍ଧକ ଅତିକ୍ରୟ କରି ସତ୍ୟକୁ ସ୍ୱୀକାର କରିବା ଓ କଲ୍ୟାଣକୁ ଗ୍ରହଣ କରିବାରେ ସେମାନଙ୍କ ଶକ୍ତି ପ୍ରାୟ ଅନ୍ୟତ୍ର ଦୁର୍ଲ୍ଲଭ । ଅନ୍ୟଦେଶ ପରିଦର୍ଶନ ନ କଲେ ସତ୍ୟ ମଧ୍ୟରେ ସ୍ୱଛନ୍ଦରେ ସଞ୍ଚରଣ କରିବା ଶକ୍ତିର ପରିଚୟ ମିଳେ ନାହିଁ । ସଂକୀର୍ଣ୍ଣମନା ବ୍ୟକ୍ତିମାନେ ଅଭ୍ୟସ୍ତ ବସ୍ତୁକୁ ଏକମାତ୍ର ସତ୍ୟବୋଲି ମନେ କରନ୍ତି । ଅନଭ୍ୟାସର ମନ୍ଦିର ଦ୍ୱାର ବଳପୂର୍ବକ ଉନ୍ମୁକ୍ତ କରି ତାର ଅନ୍ତର୍ନିହିତ ବସ୍ତୁ ଆବିଷ୍କାର ପୂର୍ବକ ଆମେ ଅନ୍ଧସଂସ୍କାର ପ୍ରଣୋଦିତ ନ ହୋଇ ଯଦି ମୁକ୍ତ ପ୍ରାଣରେ ତାକୁ ପୂଜାଦାନ କରିବାକୁ ସମର୍ଥ ହେବୁ, ତାହାହିଁ ହେବ ସତ୍ୟ ପ୍ରତି ଆମ ଅବିଚଳିତ ଭକ୍ତିର ପ୍ରମାଣ ।

 

ପ୍ରାଚୀନ ପ୍ରବଣତା ପରିତ୍ୟାଗ କରି ସଂସ୍କାରମୁକ୍ତ ଦୃଷ୍ଟିରେ ସତ୍ୟ ସଂଧାନର ମନୋଭାବ ନେଇ ଭାରତୀୟ ଯଦି ୟୁରୋପ ଯାତ୍ରା କରେ ତା’ର ଉଦ୍ଦେଶ୍ୟ ନିଶ୍ଚୟ ସଫଳ ହେବ । ଶ୍ରଦ୍ଧା ପରାୟଣ ୟୁରୋପୀୟ ତୀର୍ଥଯାତ୍ରୀ ମାନେ ଭାରତକୁ ଆସି ଆମ ଜୀବନର ବାହ୍ୟ ବିଭାବର ଦୁର୍ଗତି ଯେ ଦେଖି ନାହାନ୍ତି ତାହା ନୁହେଁ; କିନ୍ତୁ ସେହି ଧୂଳି ସେମାନଙ୍କ ଦୃଷ୍ଟିକୁ ଆଚ୍ଛନ୍ନ କରି ନାହିଁ; ଜୀର୍ଣ୍ଣ ଆବରଣର ଅନ୍ତରାଳରେ ସେମାନେ ଭାରତର ଅନ୍ତରତମ ସତ୍ୟ ଦର୍ଶନ କରିଛନ୍ତି ।

 

ୟୁରୋପର ସତ୍ୟ ଦୃଷ୍ଟି ଆମ ସମ୍ମୁଖରେ ଉନ୍ମୁକ୍ତ ନୁହେ; ତାହା ମଧ୍ୟ ଆବରଣ ଦ୍ଵାରା ପ୍ରଚ୍ଛନ୍ନ । କିନ୍ତୁ ପାର୍ଥକ୍ୟ ହେଉଛି, ସେ ଆବରଣ ଜୀର୍ଣ୍ଣ ନୁହେ, ବରଂ ସମୁଜ୍ଜ୍ଵଳ । ଏଥିପାଇଁ ସେଠାରେ ସତ୍ୟଦର୍ଶନ ହୁଏ ତ ଅଧିକ କଠିନ । ମଣିଷମୁକ୍ତର ଝାଲର ଥିବା ପରଦା ଦେଖି ଆମ ଚକ୍ଷୁ ହୁଏତ ଝଲସି ଉଠିପାରେ ଏବଂ ୟୁରୋପର ସର୍ବାପେକ୍ଷା, ମୂଲ୍ୟବାନ୍‍ ପଦାର୍ଥ ଭାବେ ତାକୁ ଆମେ ଆଶ୍ଚର୍ଯ୍ୟ ହୋଇ ଗ୍ରହଣ କରି ପାରୁ, କିନ୍ତୁ ସେହି ପରଦା ଅନ୍ତରାଳରେ ଥିବା ଦେବ ବିଗ୍ରହଙ୍କର କ୍ଷୀଣତମ ଦର୍ଶନ ସୁଦ୍ଧା ଲାଭ ନକରି ନିରାଶ ହୋଇ ଆମକୁ ଫେରିବାକୁ ପଡ଼ିବ ।

 

ସେହି ମଣିମୁକ୍ତା ଖଚିତ ପରଦା ହିଁ କେବଳ ସବୁକିଛି, ଏପରି ଏକ ଅଦ୍ଭୁତ ଅଶ୍ରଦ୍ଧା ନେଇ ଆମେ ଯଦି ୟୁରୋପ ଯାତ୍ରା କରୁ ତା’ହେଲେ ଆମର ଯାତ୍ରା ବିଫଳ ହେବା ସଙ୍ଗେ ବିରାଟ ଅପବ୍ୟୟରେ ପରିଣତ ହେବ ।

 

ୟୁରୋପୀୟ ସଭ୍ୟତା କେବଳ ବସ୍ତୁତାନ୍ତ୍ରିକ, ତାହା ମଧ୍ୟରେ ଆଧ୍ୟାତ୍ମିକତା ବୋଲି କିଛି ନାହିଁ; ଏ ଧରଣର ଏକ ଦୁହା ଆଜି ଚାରିଆଡ଼େ ପ୍ରଚଳିତ । ଏପରି ଜନଶ୍ରୁତି ପ୍ରଚାରଲାଭକଲେ ତାହାର ସତ୍ୟତା ପ୍ରମାଣର ଆବଶ୍ୟକତା ଆଉ ରହେ ନାହିଁ । କେତେଜଣ ଯାହା କହନ୍ତି ଅନ୍ୟମାନେ କେବଳ ତା’ର ପ୍ରତିଧ୍ଵନି କରନ୍ତି, ବହୁଲୋକଙ୍କ ଅନୁମୋଦନ ଲାଭ କରି ତାହା ଯୁକ୍ତିର ସ୍ଥାନ ଗ୍ରହଣ କରେ ।

 

ଆରମ୍ଭରୁ ଏ କଥାଏମେ ମନେରଖିବା ଉଚିତ ଯେ ମାନବ ସମାଜରେ ଯେଉଁଠି କିଛି ମଙ୍ଗଳ ଅଛି, ତା'ର ଅନ୍ତରାଳରେ ଆଧ୍ୟାତ୍ମିକ ଶକ୍ତି ବିଦ୍ୟମାନ । କାରଣ କଳ ଯେତେ ଶକ୍ତିଶାଳୀ ହେଉ ନ କାହିଁକି, ତଦ୍ୱାରା ସତ୍ୟ କେବେ ଲାଭ କରାଯାଇ ନ ପାରେ, କେବଳ ଆତ୍ମାହିଁ ତାକୁ ଲାଭ କରିବାକୁ ସମର୍ଥ । ୟୁରୋପରେ ଆମ୍ଭମାନେ ଯାହାକିଛି ଉନ୍ନତି ଦେଖୁଛି ତା ମୂଳରେ ନିଶ୍ଚିତ ଭାବେ ମାନବତାର ଶକ୍ତି ନିହିତ । ଏହା କେବେ ଜଡ଼ବସ୍ତୁର ସୃଷ୍ଟି ହୋଇ ନପାରେ । ଭୌତିକ ବସ୍ତୁର ବିକାଶରେ ମଧ୍ୟ ଆତ୍ମଶକ୍ତିର ପରିଚୟ ମିଳିଥାଏ ।

 

ଇଉରୋପ ତା’ର ମନବାତ୍ମାକୁ ପ୍ରକାଶ କରୁ ନାହିଁ, କେବଳ ଜଡ଼ବସ୍ତୁକୁ ସ୍ତୁପାକାର କରୁଅଛି, ଏ କଥା କହିବା ଯାହା, ବୃକ୍ଷ ତା’ର ଶୁଷ୍କପତ୍ର ଝଡ଼ାଇ ନିଜ ଜୀବନକୁ ପ୍ରକାଶ କରି ନଥାଏ, ଏ କଥା କହିବା ମଧ୍ୟ ଠିକ୍ ସେଇଆ । ବସ୍ତୁତଃ ବୃକ୍ଷର ପ୍ରବଳ ପ୍ରାଣଶକ୍ତି ହିଁ ପ୍ରଚୁର ପତ୍ର ବର୍ଷଣକରେ, ଶୁଷ୍କ ପତ୍ରସମୁହ ତା’ର ମୃତ୍ୟୁର ନିଦର୍ଶନ ନୁହେ । ଜୀବନ ହିଁ କେବଳ ପ୍ରତି ମୁହୂର୍ତ୍ତରେ ମରି ପାରେ-ମୃତ୍ୟୁର ବିରତି ହିଁ ପ୍ରକୃତ ମୃତ୍ୟୁର ପରିଚାୟକ ।

 

ଇଉରୋପରେ ମନୁଷ୍ୟ ନବ ନବ ପରୀକ୍ଷା ଓ ପରିବର୍ତ୍ତନ ବ୍ୟାପାରରେ ଅହରହ ନିଯୁକ୍ତ । ଯାହା ଆଜି ତା’ର ଗ୍ରହଣୀୟ, କାଲିକି ତାହା ବର୍ଜ୍ଜନୀୟ । ଚୁପ୍ ହୋଇ ଛିଡ଼ା ହେବ ତା’ ପକ୍ଷରେ ଅସମ୍ଭବ । ଅନେକ ଏହି ପରିବର୍ତ୍ତନଶୀଳତା ମଧ୍ୟରେ ଆଧ୍ୟାତ୍ମିକତାର ଅଭାବ ଲକ୍ଷ୍ୟ କରନ୍ତି ।

 

ବିଶ୍ଵ ଜଗତରେ ସକାଳ ପଦାର୍ଥ ମୃତ୍ୟୁ ଓ ପୁନର୍ଜ୍ଜନମର ପରିଧି ମଧ୍ୟରେ ଆବଦ୍ଧ । ତଥାପି ଆନନ୍ଦରୁ ଯେ ସକଳର ସୃଷ୍ଟି, ବିଶ୍ୱ ସମ୍ୱନ୍ଧରେ ଏହିକଥା ଆମର ଋଷିମାନେ ପୂର୍ବରୁ କହିଯାଇ ନାହାନ୍ତି କି ? ମୃତ୍ୟୁ ଉତ୍ସବର ମଧ୍ୟ ଦେଇ ଅମୃତ ନିରନ୍ତର ଆପଣାକୁ ପ୍ରକାଶ କରୁଛି । ବାହାରର ବସ୍ତୁକୁ ଆମ୍ଭେମାନେ ଭ୍ରମବଶତଃ ଚରମ ବୋଲି ଗ୍ରହଣ କଲେ ଆତ୍ମଦର୍ଶନ ହେବ ନାହିଁ କିମ୍ବା ଏହି ବର୍ହିବସ୍ତୁକୁ ଗ୍ରହଣ କରି ଆମେ ସୁଖୀ ପାରିବୁ ନାହିଁ । ଇଉରୋପରେ ମଧ୍ୟ ଆତ୍ମା ରହିଛି, ସେ ଆତ୍ମା ଶକ୍ତିହୀନ ନୁହେ । ଇଉରୋପର ସେହି ଆଧ୍ୟାତ୍ମିକତାକୁ ଆବିଷ୍କାର କଲେ ଆମେ ଏହାର ପ୍ରାଣ ସତ୍ୟ ଦର୍ଶନ କରି ପାରିବୁ । ସେହି ସତ୍ୟ କେବଳ ବସ୍ତୁ ନୁହେ, ବିଦ୍ୟା ନୁହେ, ଜୀବନର ଅବିମିଶ୍ର ଆନନ୍ଦ ମାତ୍ର ।

 

ମୁଁ ଯାହା କହିବାକୁ ଚେଷ୍ଟା କରୁଛି, ତାହା ସମ୍ପ୍ରତି ଘଟି ଯାଇଥିବା ଗୋଟିଏ ଘଟଣା ଦ୍ଵାରା ଉତ୍ତମରୂପେ ବୁଝାଇ ଦିଆଯାଇ ପାରେ । ଦୁଇ ହଜାର ଯାତ୍ରୀ ବହନ କରି ଏକ ଜାହାଜ ଅତଲାନ୍ତିକ ମହାସାଗର ଅତିକ୍ରମ କରୁଥିଲା । ଅର୍ଦ୍ଧରାତ୍ରରେ ଗୋଟିଏ ଭାସମାନ ହିମଶୈଳୀରେ ତାହା ଧକ୍କା ଲାଗିଲା । ଏହା ବୁଡ଼ିବାର ଉପକ୍ରମ କରିବାରୁ ଅଧିକାଂଶ ୟୁରୋପୀୟ ଓ ଆମେରିକାବାସୀ ଯାତ୍ରୀ ନିଜ ଜୀବନ ରକ୍ଷା ନିମନ୍ତେ ବ୍ୟାକୁଳତା ପ୍ରକାଶ ନ କରି ସ୍ତ୍ରୀଲୋକ ଓ ବାଲାକମାନଙ୍କ ଜୀବନ ରକ୍ଷା ପାଇଁ ଅକ୍ଲାନ୍ତ ଉଦ୍ୟମ କଲେ । ଏହି ଭୟାବହ ଦୁର୍ଘଟଣାରେ ୟୁରୋପର ବହିରାବରଣ ଅପସାରିତ ହେଲା, ଗୋଟିଏ ମୁହୂର୍ତ୍ତରେ ଆମ୍ଭେମାନେ ସେମାନଙ୍କର ଅନ୍ତରାତ୍ମାର ପରିଚୟ ଲାଭକଲୁ, ସେମାନେ କର୍ମର ପ୍ରଂଶସାରେ ଆମ ହୃଦୟ ଉଲ୍ଲସିତ ହେଲା ଏବଂ ଆମେ ସେମାନଙ୍କ ନିକଟରେ ନତମସ୍ତକ ହେଲୁ ।

 

ଏହି ଘଟଣାର ଅନତିକାଳ ପରେ ଆମର କେତେଜଣ ବନ୍ଧୁ ଢାକାରୁ ଷ୍ଟିମରରେ ଫେରୁଥିଲେ । ନଇଁ ମଝିରେ ଗୋଟିଏ ଲଞ୍ଚର ଆଘାତରେ ଆକସ୍ମିକଭାବେ ଏହି ନୌକଟି ଓଲଟି ପଡ଼ିଲା ଏବଂ ଏହାର ତିନି ଜଣ ଆରୋହୀ ପ୍ରାୟ ସଳିଳସମାଧୀ ଲାଭ କରିଥାନ୍ତେ । ଲଞ୍ଚରେ ଥିବା ପ୍ରତ୍ୟେକ ଲୋକ ନିକଟବର୍ତ୍ତୀ ନୌକାର ଆରୋହୀମାନଙ୍କୁ ଚିତ୍କାର କରି ଉଦ୍ଧାର ନିମନ୍ତେ ଡାକିଲେ, ମାତ୍ର ସେମାନେ କର୍ଣ୍ଣପାତ ନ କରି ଆଉ ଦ୍ୱିତୀୟବାର ନ ଚାହିଁ ଚାଲିଗଲେ । ଏହି ବିପନ୍ନମାନକୁ ଉଦ୍ଧାର କରିବା କାର୍ଯ୍ୟରେ ବିପଦର ଆଶଙ୍କା ନ ଥିଲା, ଅସୁବିଧା ମଧ୍ୟ ନ ଥିଲା, ତଥାପି ସେହି ମାଝିମାନେ ଭ୍ରୂକ୍ଷେପ ସୁଦ୍ଧା କଲେ ନାହିଁ ।

 

ଆଉ ଗୋଟିଏ ଦିନର ଘଟଣା ମାନେ ପଡୁଛି । ରାତିସାରା ପ୍ରବଳ ଝଡ଼ ହୋଇଥିଲା ଏବଂ ସକାଳବେଲା ବତାସର ବେଗ କମିଥିଲା । ମୋର ନୌକା ନଦୀ କୂଳରେ ଲଙ୍ଗର ପକାଇ ରହିଥିଲା । ହଠାତ୍ ମନେହେଲା ନଇଁ ମଝିରେ ଗୋଟିଏ ସ୍ତ୍ରୀ ଲୋକର ଦେହ ଯେପରି ଭାସି ଯାଉଛି କେବଳ ଜଳ ଉପରେ ତା’ର ଦୀର୍ଘ କେଶଗୁଛ ଦେଖାଯାଉଛି । ନିକଟରେ ଥିବା ଲୋକମାନଙ୍କୁ ମୁଁ ଡାକିଲି । ମୋର ଛୋଟ ଲାଇଫ୍‍ବୋଟ ନେଇ ସେଇ ସ୍ତ୍ରୀଲୋକଟିକୁ ଚଞ୍ଚଳ ଉଦ୍ଧାର କରି ଆଣିବାକୁ ଅନୁରୋଧ କଲି, କାଳେ ସ୍ତ୍ରୀଲୋକଟିର ଜୀବନ ହୁଏତ ଥାଇ ପାରେ । କେହି କିନ୍ତୁ ଟଳିଲେ ନାହିଁ । ତା’ ପରେ ଯେ ଉଦ୍ଧାର କରିବାକୁ ଯିବ ମୁଁ ତାଙ୍କୁ ପାଞ୍ଚ ଟଙ୍କା କରି ପୁରସ୍କାର ଦେବାକୁ କହିଲି । ସଙ୍ଗେ ସଙ୍ଗେ କେତେଜଣ ଲୋକ ଡଙ୍ଗା ନେଇ ବାହାରିଗଲେ ଓ ସେହି ସଜ୍ଞାହୀନ ସ୍ତ୍ରୀଲୋକଟିକୁ ଉଦ୍ଧାର କରି ଆଣିଲେ । କିଛି ସମୟ ପରେ ସେ ଚେତନା ଲାଭକଲା । ପୁରସ୍କାର ନ ଦେଖାଇଥିଲେ ସ୍ତ୍ରୀଲୋକଟିର ଜୀବନ ନଷ୍ଟ ହୋଇଥାନ୍ତା ।

 

ଆଉ ଦିନେ ମୁଁ ଗୋଟିଏ ବିସ୍ତୃତ ଓ ଅଗଭୀର ଜଳପୂର୍ଣ୍ଣ ପାଟି ନୌକାରେ ଅତିକ୍ରମ କରୁଥିଲି । ଏହି ଜଳଭାଗ ଯେଉଁଠି ନଦୀରେ ଆସି ମିଶିଛି, କେଉଁଟମାନେ ବଡ଼ ବଡ଼ ଖୁଣ୍ଟ ପୋତି ଜଳର ନିର୍ଗମପଥକୁ ସଂକୀର୍ଣ୍ଣ କରି ଦେଇଥାନ୍ତି । ଏହାଦ୍ୱାରା ମାଛ ଧରିବା ସେମାନଙ୍କ ପକ୍ଷରେ ସୁବିଧାଜନକ ହୁଏ କିନ୍ତୁ ଜଳସ୍ରୋତ ଅତ୍ୟନ୍ତ ପ୍ରବଳ ଓ ଭୟପ୍ରଦ ହୁଏ । ଏହିପରି ସ୍ଥାନରେ ଅନେକ ନୌକା ବିପନ୍ନ ହେବାର ମୁଁ ଦେଖିଛି, ଖୁଣ୍ଟ ମଝିରେ ଥିବା ଏହି ସଂକୀର୍ଣ୍ଣ ପଥ ପାରିହେବା ସମୟରେ ମୋର ନୌକା ଏକ ସଂକଟଜନକ ସ୍ଥାନରେ ଅଟକିଗଲା । ସାମାନ୍ୟ କେତେଗଜ ଦୂରରେ କେଉଁଟମାନେ ମାଛ ଧରୁଥିଲେ । କିନ୍ତୁ ସାହାଯ୍ୟ ପାଇଁ ଆମର ଅନୁରୋଧ ସେମାନେ ଶୁଣିଲେ ନାହିଁ । ଆମର ମାଝିମାନେ ପୁରସ୍କାର ଘୋଷଣା କଲେ କିନ୍ତୁ କେଉଟମାନେ ପୁରସ୍କାରର ପରିମାଣ ବଢ଼ାଇବା ପ୍ରତ୍ୟାଶାରେ ବଧିରତାର ଛଳନା କଲେ । ଅଥଚ ସେମାନଙ୍କର କୃତକର୍ମ ହିଁ ଆମ ବିପଦର କାରଣ । ଯେତେବେଳେ ପୁରାସ୍କାରର ପରିମାଣ ବେଶ୍‍ ମୋଟା ଅଙ୍କରେ ପହଞ୍ଚିଲା, ସେହି କେଉଟମାନଙ୍କର ଶ୍ରବଣଶକ୍ତି ହଠାତ ଫେରି ଆସିଲା ।

 

ତୁମ୍ଭମାନଙ୍କର ମନେଥିବ ଯେ, କିଛିକାଳ ପୂର୍ବେ ବୋଲପୁର ବଜାରରେ ଗୋଟିଏ ଦୋକାନରେ ନିଆଁ ଲାଗିବା ବେଳେ ଚାରି ଜଣ ଅ ବିଦେଶୀ କାବୁଲି ନିଆଁ ଲାଗିବା ବେଳେ ଚାରି ଜଣ ବିଦେଶୀ କାବୁଲି ନିଆଁ ଲିଭାଇଲା କାର୍ଯ୍ୟରେ ତୁମ୍ଭମାନଙ୍କୁ ସାହାଯ୍ୟ କରିଥିଲେ । କିନ୍ତୁ ପଡ଼ୋଶୀ ଲୋକମାନଙ୍କଠାରୁ କୌଣସି ସାହାଯ୍ୟ ମିଳି ନ ଥିଲା । ବସ୍ତୁତଃ ସେମାନେ ତାଙ୍କର ଜଳପାତ୍ର ମଧ୍ୟ ତୁମକୁ ଦେବାକୁ ମନା କରିଥିଲେ, କାରଣ କାବୁଲିମାନେ ଛୁଇଁଲେ ସେଗୁଡ଼ିକ ଅପବିତ୍ର ହୋଇ ନଷ୍ଟ ହେବ ।

 

ଆମ୍ଭେମାନେ ଚାରିଆଡ଼େ ସର୍ବଦା ଏହି ଆତ୍ମତ୍ୟାଗର କାର୍ପଣ୍ୟ ଦେଖୁଛୁଁ । ବହୁଳ ଦୃଷ୍ଟାନ୍ତ ଦେଇ ତାହା ପ୍ରମାଣ କରିବା ଅନାବଶ୍ୟକ । ଆତ୍ମସମର୍ଥନ ପାଇଁ ଆମେ ଯାହା କହୁ ନା କାହିଁକି ଅନ୍ତତଃ ମନେ ମନେ ଚରିତ୍ରର ଏହି ଶୋଚନୀୟ ଦୈନ୍ୟ ସ୍ୱୀକାର କରିବା ଛଡ଼ା ଆମର ଗତ୍ୟନ୍ତର ନାହିଁ ।

 

ଆତ୍ମତ୍ୟାଗ ସହିତ ଆଧ୍ୟାତ୍ମିକତାର କଣ କୌଣସି ଯୋଗସୂତ୍ର ନାହିଁ ? କେବଳ ଜନସଂଗ ବର୍ଜ୍ଜନ କରି ବିଚ୍ଛିନ୍ନତା ମଧ୍ୟରେ ଶୁଚିବନ୍ତ ହୋଇ ଈଶ୍ୱରଙ୍କ ନାମ ଜପ କରିବା କଣ ଆଧ୍ୟାତ୍ମିକତା ? ଆଧ୍ୟାତ୍ମିକ ଶକ୍ତି କଣ ମନୁଷ୍ୟକୁ ସାହାସ ଦାନ କରେ ନାହିଁ ।

 

ଟିଟାନିକ ଜାହାଜ ବୁଡ଼ିବା ଘଟଣାରେ ଆମ୍ଭେମାନେ ଗୋଟିଏ ମୁହୂର୍ତ୍ତରେ ବହୁ ମନୁଷ୍ୟକୁ ମୃତ୍ୟୁ ସମ୍ମୁଖରେ ଉଜ୍ଜ୍ୱଳ ଆଲୋକସ୍ନାତ ହୋଇ ଛିଡ଼ା ହେବାର ଲକ୍ଷ୍ୟ କରୁ । ଏହି ଘଟଣା କୌଣସି ଜଣେ ମାତ୍ର ମନୁଷ୍ୟର ଅସାମାନ୍ୟ ବୁଦ୍ଧି ବୃତ୍ତିର ପ୍ରକାଶକ ମଧ୍ୟ ନୁହେ । ସର୍ବାପେକ୍ଷା ଆଶ୍ଚର୍ଯ୍ୟର ବିଷୟ, ବିଳାସର ପାଚୁର୍ଯ୍ୟରେ ଲାଳିତ, ଆତ୍ମାଶ୍ଲାଘାପୂର୍ଣ୍ଣ ଶ୍ରେଣୀ ପ୍ରାଧାନ୍ୟର ଅହମିକା ମଧ୍ୟରେ ପରିପୁଷ୍ଟ ଧନୀବ୍ୟକ୍ତିମାନେହିଁ ଦୁର୍ବଳ ଓ ଅକ୍ଷୟଙ୍କୁ ବଞ୍ଚିବାର ପଥ ଛାଡ଼ି ଦେଇ ସ୍ୱେଚ୍ଛାକୃତ ଭାବରେ ମୃତ୍ୟୁ ବରଣ କଲେ ।

 

ଆକସ୍ମିକ ବିପତ୍ତିରେ ମନୁଷ୍ୟର ଆଦିମପ୍ରବୃତ୍ତି ସଭ୍ୟ ସମାଜର ଶୃଙ୍ଖଳା ଛିନ୍ନ କରି ପ୍ରକାଶିତ ହେବାକୁ ଚାହେଁ । ଭାବିବାଲାଗି ବେଳ ପାଇଲେ ଆତ୍ମସମ୍ୱରଣର ସମ୍ଭାବନା ଥାଏ । ଟିଟାନିକ ଜାହାଜରେ ସେହି ଅନ୍ଧକାର ଛିନ୍ନ ରାତ୍ରିରେ କେହିବା ଗଭୀର ନିଦ୍ରାରେ ଶାୟିତ କେହିବା ଆମୋଦପ୍ରମୋଦରେ ରତ ଥିଲେ । କିନ୍ତୁ ହଠାତ ରୁକ୍ଷ ଭାବରେ ନିଦ୍ରୌତ୍‍ଥିତ ହୋଇ ସମ୍ମୁଖରେ ଆଘାତ ମୃତ୍ୟୁର କୃଷ୍ଣମୂର୍ତ୍ତି ସେମାନେ ଦେଖିବାକୁ ପାଇଲେ । ତଥାପି ଏହି ନିଦାରୁଣ ଆତଙ୍କ ସେମାନଙ୍କୁ ପାଗଳ କରି ନଥିଲା । ନିଜ ଜୀବନ ରକ୍ଷା ନିମନ୍ତେ ସେମାନେ ପ୍ରୟାସ କରି ନ ଥିଲେ । ନିଜ ଜୀବନ ରକ୍ଷା ନିମନ୍ତେ ସେମାନେ ପ୍ରୟାସ କରି ନ ଥିଲେ । ଏହି ଭାବରେ ପ୍ରକଟିତ ବୀରତ୍ୱ, ଆକସ୍ମିକ ଘଟଣା କିମ୍ବା ବ୍ୟକ୍ତିଗତ ସୁଗୁଣ ନୁହେ, ଏହା ଦୀର୍ଘକାଳର ସାଧନା ଓ ଆତ୍ମସଂଯମ ବଳରେ ଲବ୍ଧ ସମସ୍ତ ଜାତିର ଏକ ବିଶେଷ ଗୁଣର ନାଟକୀୟ ରୂପ । ଏହା ଉପରେ ମନୁଷ୍ୟର ଆଧ୍ୟାତ୍ମିକ ଶକ୍ତିର ବିଜୟ ।

 

ଏହି ଜାହାଜବୁଡ଼ା ଘଟଣାରେ ନିବିଡ଼ ଭାବେ ପ୍ରକାଶିତ ସେଇ ଆଧ୍ୟାତ୍ମିକ ଶକ୍ତି ନାନା ଆକାରରେ ନାନା ବିଭାବରେ, ପାଶ୍ଚତ୍ୟ ଭୂଖଣ୍ଡର ଜୀବନରେ କଣ ପରିଦୃଷ୍ଟ ନୁହେ ? ଦେଶହିତ ଓ ଲୋକହିତ ନିମନ୍ତେ ସର୍ବସ୍ଵ ତ୍ୟାଗ ଓ ଆତ୍ମବିସର୍ଜନର ଅଗଣିତ ଦୃଷ୍ଟାନ୍ତ ସେଠାରେ ରହିଛି, ସେହି ଅଜସ୍ର ସଞ୍ଚିତ ପୁଞ୍ଜୀଭୂତ ତ୍ୟାଗର ଫଳ ମଧ୍ୟରୁ ହିଁ ୟୁରୋପୀୟ ସଭ୍ୟତା, ସମୁଦ୍ର ମଧ୍ୟରେ ପ୍ରବାଳ ଦ୍ୱୀପର ସୃଷ୍ଟି ହେଲାଭଳି ଜନ୍ମଲାଭ କରିଛି ।

 

ଦୁଃଖର ଭିତ୍ତି ଉପରେ ପ୍ରତିଷ୍ଠିତ ନ ହେଲେ କୌଣସି ସମାଜ ଯଥାର୍ଥ ଉନ୍ନତିଲାଭ କରି ପାରେ ନାହିଁ । କିନ୍ତୁ ଏହି ଦୁଃଖ ସହ୍ୟ କରିବାର ଶକ୍ତି ଜଡ଼ବାଦୀର ନାହିଁ । ଵସ୍ତୁ ମଧ୍ୟରେ ଚରମ ଆନନ୍ଦ ପାଉଥିବା ବ୍ୟକ୍ତି ବସ୍ତୁକୁ ବା କାହିଁକି ତ୍ୟାଗ କରିବ ? ଶାସ୍ତ୍ରବିହିତ ପୁଣ୍ୟକୁ ମନୁଷ୍ୟ ଇହଲୋକର ବିଷୟ ସମ୍ପତ୍ତି ତୁଲ୍ୟ ହିତକର ବୋଲି ଜାଣେ, ସେହି ସ୍ୱାର୍ଥପର ପୁଣ୍ୟଲାଗି ସେ ଦୁଃଖ ସ୍ୱୀକାର କରି ପାରେ, କିନ୍ତୁ ଯେଉଁ ପୁଣ୍ୟ ହୃଦୟରେ ସ୍ଵାଧୀନ ପ୍ରରୋଚନା ମାତ୍ର, କେବଳ ତାରି ସକାଶେ ଜଡ଼ବସ୍ତୁର କୌଣସି ଉପାସକ ନିଜ ଜୀବନ ଦେବାକୁ ଇଚ୍ଛା କରି ନ ଥାଏ ।

 

ୟୁରୋପରେ ଦେଶ ପାଇଁ, ମନୁଷ୍ୟ ସମାଜ ପାଇଁ, ପ୍ରେମ ଓ ଜ୍ଞାନର ପ୍ରସାର ପାଇଁ ହୃଦୟର ସ୍ୱାଧୀନ ଆବେଗର ବଶବର୍ତ୍ତୀ ହୋଇ ଦୁଃଖ ଓ ମୃତ୍ୟୁ ବରଣ କରିବାର ପ୍ରବଳ ଆଗ୍ରହର ଦୃଷ୍ଟାନ୍ତ ଆମ୍ଭେମାନେ ପ୍ରତିଦିନ ଦେଖିବାକୁ ପାଉଁ । ଏହା ମଧ୍ୟରେ ସମସ୍ତ ଅକୃତିମ ନୁହେ, ଅନେକଟା ହୁଏତ ବାହାଦୁରୀ । କିନ୍ତୁ ତାହା ବୋଲି ଅସଲ ପଦାର୍ଥର ମହତ୍ତ୍ଵକୁ ଖର୍ବ କରିବା ଉଚିତ ନୁହେ । କୌଣସି କୌଣସି ରାତ୍ରିରେ ଚନ୍ଦ୍ରଙ୍କ ଚାରିଦିଗରେ ଜ୍ୟୋତିର ଏକ ମଣ୍ଡଳ ଦେଖାଯାଏ । ଆମ୍ଭେମାନେ ଜାଣୁ, ତାହା ଚନ୍ଦ୍ର ନୁହେ, ମିଥ୍ୟା ଛାୟା, ତାହା, ମିଥ୍ୟା । ଯାହା ହେଉ, ସେହି ଛାୟା ଚନ୍ଦ୍ର ଚାରି ପାଖରେ ନିଶ୍ଚୟ ରହିବ । ପ୍ରତ୍ୟେକ ସମାଜରେ ବାସ୍ତବ ଆଲୋକର ଚାରିପାଖରେ ପ୍ରତିଫଳିତ ଗୌରବ ରହିଥାଏ । କିନ୍ତୁ ସେହି ନକଲ ବସ୍ତୁ ଅସଲର ପ୍ରତିବାଦ କରେ ନାହିଁ ବରଂ ଅସଲ ପଦାର୍ଥର ଅସ୍ତିତ୍ୱ ପ୍ରମାଣ କରେ ।

 

ପାଶ୍ଚାତ୍ୟର ଅସାମାନ୍ୟ ଲୋକଙ୍କ ସମ୍ବନ୍ଧରେ ଆମେ ପୁସ୍ତକାଦିରେ ପଢ଼ିଛୁଁ, ସେମାନଙ୍କୁ ନିକଟରେ ଦେଖିନାହୁଁ । ଯେଉଁ କେତେଜଣଙ୍କୁ ଆମେ ଦେଖିଛୁଁ, ୟୁରୋପର ଜୋତିଷ୍କମଣ୍ଡଳୀ ମଧ୍ୟରେ ସେମାନଙ୍କ ସ୍ଥାନ ନାହିଁ । ଅନେକ ଦିନ ତଳେ ସୁଇଡେନ୍‍ର ଜଣେ ବ୍ୟକ୍ତିଙ୍କୁ ଆମେ ଦେଖିଥିଲୁଁ, ତାଙ୍କର ନାମ ହାମାରଗ୍ରେନ୍‍ । ସେ ରାମମୋହନ ରାୟଙ୍କ ସମ୍ବନ୍ଧରେ କିଛି ପଢ଼ିବାର ସୁଯୋଗ ପାଇଥିଲେ, ଫଳରେ ତାଙ୍କର ମନରେ ଭାରତ ପ୍ରତି ଏକ ଗଭୀର ଅନୁରକ୍ତି ଜାତ ହୋଇଥିଲା । ତାଙ୍କର ସମ୍ୱଳଜନିତ ଅଭାବର ବାଧା ଲଙ୍ଘନ କରି ସେ ଏ ଦେଶକୁ ଆସିଥିଲେ । ଏଠାକାର ଭାଷା ତାଙ୍କୁ ଜଣା ନ ଥିଲା, ତଥାପି ସେ ଜଣେ ବଙ୍ଗାଳୀଙ୍କ ଘରେ ଆଶ୍ରୟ ଗ୍ରହଣ କରି ରାମ ମୋହନ ରାୟଙ୍କ ଦେଶକୁ ଆପଣାର କରିନେଲେ । ସେ ଅଳ୍ପକାଳ ବଞ୍ଚିଥିଲେ, ତଥାପି ଦୁଃସହ କଷ୍ଟ ସହ୍ୟ କରି ନିଷ୍ଠା ଓ ଅଧ୍ୟବସାୟ ସହକାରେ ସେ ଯେପରି ଏ ଦେଶର ହିତ ସାଧନ କରିଥିଲେ, ତାଙ୍କୁ ଜାଣିଥିବା ଲୋକେ ତାହା କେବେ ଭୁଲିବେ ନାହିଁ । ତଥାପି ନିମତୋଳା ଘାଟରେ ତାଙ୍କର ଶବ ଯେତେବେଳେ ସଂସ୍କାର କରାଗଲା ଆମର ଏକ ସାପ୍ତାହିକ ପତ୍ରିକା ହିନ୍ଦୁ ଶ୍ମଶାନ କଳୁଷିତ ହେଲା କ୍ଷୋଭ ପ୍ରକାଶ କରିଥିଲା ।

 

ଭଗିନୀ ନିବେଦିତା ସ୍ଵାମୀ ବିବେକାନନ୍ଦଙ୍କ ପ୍ରତି ଭକ୍ତିପ୍ରଣୋଦିତା ହୋଇ ଅଦ୍ଭୁତ ଆତ୍ମତ୍ୟାଗ ଦ୍ୱାରା ଭାରତବର୍ଷ ନିକଟରେ ଯେପରି ନିଜକୁ ଉତ୍ସର୍ଗ କରିଥିଲେ ତାହା ସମସ୍ତଙ୍କର ସୁବିଦିତ ।

 

ଏହି ଦୃଷ୍ଟାନ୍ତ ଦୁଇଟିରୁ ଆମେ ଦେଖୁ, ଦୁଇଜଣ ମହତ ଲୋକ ଯେପରି ସ୍ଥାନ ଓ ଅବସ୍ଥା ମଧ୍ୟରେ ଆତ୍ମଦାନ କରିଛନ୍ତି ସେଥିରେ ସେମାନଙ୍କ ସମ୍ମୁଖରେ ତାଙ୍କ ଜୀବନ ଓ ଅନୁଭୂତିର ପୂର୍ବ ଅଭ୍ୟସ୍ତ ସହଜ ପଥ ନ ଥିଲା । ସେମାନେ ସମ୍ମୁଖୀନ ହୋଇଥିବା ପରିବେଶର ସମସ୍ତ ଉପାଦାନ ତାଙ୍କ ହୃଦୟ ମନର ଆଜନ୍ମ ସଂସ୍କାରର ପୂର୍ଣ୍ଣ ବିରୋଧୀ ଥିଲା । ସେମାନେ କେବଳ ଆତ୍ମୋତ୍ସର୍ଗ କରି ନ ଥିଲେ, ପଦେ ପଦେ ଆତ୍ମୋତ୍ସର୍ଗର ସ୍ଵକୀୟ ପଥ ସେମାନଙ୍କୁ ଖନନ କରିବାକୁ ପଡ଼ିଥିଲା, କାରଣ ସକଳ ପରିଚିତ ପଥ ସେମାନଙ୍କର ପ୍ରବେଶ ନିମନ୍ତେ ନିଷିଦ୍ଧ ଥିଲା ।

 

ଏହି ଆଦର୍ଶ ଏବଂ ଏଥି ନିମନ୍ତେ ନିଜକୁ ଆକୁଣ୍ଠିତ ଭାବରେ ଦାନ କରିବାର ସାମର୍ଥ୍ୟ ସେମାନେ ନିଜର ଜତୀୟ ଚରିତ୍ରରୁ ନିଃସନ୍ଦେହ ଭାବରେ ଗ୍ରହଣ କରିଥିଲେ । ଏହି ଆଶ୍ଚର୍ଯ୍ୟକର ଶକ୍ତି ବସ୍ତୁ ଉପାସନାର ପରମ୍ପରା ମଧ୍ୟରୁ କ'ଣ କେବେହେଲେ କେହି ଲାଭ କରି ପାରେ ? ଏହା କ'ଣ ଯଥାର୍ଥ ଆଧ୍ୟାତ୍ମିକ ଶକ୍ତି ନୁହେ ? ଆମ ଦେଶରେ ଯଥେଷ୍ଟ ପରିମାଣରେ ଦେଖିବାକୁ ମିଳେ-?

 

ତଥାପି ଆମ ଦେଶରେ ଯେ ଆଧ୍ୟାତ୍ମିକତା ନାହିଁ, ଏହା ମୁଁ କେବେ କହୁ ନାହିଁ । ଏଠାରେ ମଧ୍ୟ ଆଧ୍ୟାତ୍ମିକତାର ଏକ ବିଭବ ସ୍ପଷ୍ଟଭାବେ ପ୍ରକାଶିତ । ଆମ ଦେଶର ପ୍ରକୃତ ସାଧକ କେହି ବା ଜ୍ଞାନ-ଚକ୍ଷୁ ଦ୍ୱାରା କେହି ବା ଭକ୍ତିର ଅନୁଭବ ଦ୍ଵାରା ଅଖଣ୍ଡ ସ୍ଵରୂପକୁ ସମସ୍ତ ଖଣ୍ଡ ପଦାର୍ଥ ମଧ୍ୟରେ ସହଜରେ ଉପଲବ୍ଧି କରିବାକୁ ସମର୍ଥ । ଏହି ଶକ୍ତିର ଅନ୍ତରାଳରେ ବହୁ ଶତାବ୍ଦୀର ଦୃଢ଼ ଭାବନା ଓ ଏକନିଷ୍ଠ ସାଧନା ବିଦ୍ୟମାନ । ଏହି କାରଣରୁ ଏ ଦେଶର ସାଧୁ ପୁରୁଷମାନେ ନିଜ ହୃଦୟଧାମରେ ଅନନ୍ତ ସହିତ ସହଜରେ ସଂଯୋଗ ସ୍ଥାପନ କରିବାକୁ ସମର୍ଥ ।

 

ଆମ ଜାତୀୟ ଚରିତ୍ରର ଏହି ଶକ୍ତିର ଅନ୍ୱେଷଣରେ କୌଣସି ବିଦେଶୀ ଶ୍ରଦ୍ଧାନ୍ୱିତ ହୋଇ ଆମ ଦେଶକୁ ଆସିଲେ ନିଶ୍ଚୟ ସେ ନିଜ ଇପ୍‍ସିତ ବସ୍ତୁର ସନ୍ଧାନ ଲାଭ କରିପାରିବେ ଏବଂ ଫଳରେ ତାଙ୍କ ନିଜ ପ୍ରକୃତିର ଏକ ଅଭାବ ପୂରଣ ହୋଇ ପାରିବ । ଆମ ଭିତରେ ମଧ୍ୟ ପୂରଣ ହେବା ନିମନ୍ତେ ସମାନ ଅଭାବ ରହିଛି । ସେହି ଅଭାବହିଁ ବହୁ କାଳରୁ ଆମର ଅଶେଷ ଦୁର୍ବଳତା ଓ ଅବସାଦର କାରଣ ।

 

ଏ କଥା ଶୁଣିଲେ ଆମ ପରମ୍ପରାଭିମାନୀ ବ୍ୟକ୍ତିମାନେ ତୀବ୍ର ଭାବରେ ଉତ୍ତର ଦେଇ କହିବେ, ଆମର ଅଭାବ ଆଧ୍ୟାତ୍ମିକତାର ନୁହେ, ଇଉରୋପ ଯେଉଁ ଵାସ୍ତୁଜ୍ଞାନ, ବିଷୟ ବୁଦ୍ଧି ବଳରେ ସମଗ୍ର ପୃଥିବୀରେ ପ୍ରାଧାନ୍ୟ ବିସ୍ତାର କରିଛି, ତାହା ହିଁ ଆମର ଅଭାବ ।

 

କିନ୍ତୁ କେବଳ ଜଡ଼ବସ୍ତୁ ସଞ୍ଚୟ ଦ୍ୱାରା କୌଣସି ଜାତି କେବେ ଉନ୍ନତି ଲାଭ କରିନାହିଁ କିମ୍ବା ବିଷୟ ବୁଦ୍ଧି ହେତୁ ଶକ୍ତିର ଅଧିକାରୀ ହୋଇ ନାହିଁ । ପ୍ରଦୀପରେ ଅଜସ୍ର ତେଲ ଢାଳିଲେ କିମ୍ବା ନୈପୁଣ୍ୟ ସହକାରେ ସଳିତା ତିଆରି କଲେ ଦୀପ ଜଳେ ନାହିଁ, କୌଣସି ପ୍ରକାରେ ପ୍ରଦୀପରେ ଅଗ୍ନି ସଂଯୋଗ କରିବା ଆବଶ୍ୟକ ।

 

ଇଉରୋପ ନିଜର ଜଡ଼ବାଦୀ ଶକ୍ତି ବଳରେ ସମଗ୍ର ଜଗତକୁ ଯେ ଶାସନ କରୁଛି, ଏହା ଅଵିଶ୍ଵାସୀ ନାସ୍ତିକ କେବଳ କହିପାରେ । ଏହା ଶାସନର ମୂଳଶକ୍ତି ପ୍ରକୃତରେ ଧର୍ମବଳ, ତାହା ଛଡ଼ା ଅନ୍ୟ କିଛି ସେହି ଶକ୍ତିର କାରଣ ହୋଇ ନ ପାରେ ।

 

ବୌଦ୍ଧଧର୍ମ ଯେ ବିଷୟାଶକ୍ତିର ଧର୍ମ ନୁହେ, ଏହା ସମସ୍ତେ ସ୍ୱୀକାର କରିବେ । ଅଥଚ ବୌଦ୍ଧଧର୍ମର ଅଭ୍ୟୁଦୟ ଓ ପ୍ରାଧାନ୍ୟ କାଳରେ ବୌଦ୍ଧସଭ୍ୟତା ପ୍ରଭାବରେ ବିଜ୍ଞାନ, ଶିଳ୍ପ ଓ ସାମ୍ରାଜ୍ୟ ଶକ୍ତିର ଯେପରି ବିକାଶ ଘଟିଥିଲା, ଆମ ଦେଶର ଇତିହାସରେ ଅନ୍ୟ କୌଣସି କାଳରେ ସେପରି ଘଟି ନାହିଁ । ତାହାର କାରଣ ମନୁଷ୍ୟର ଆତ୍ମା ଯେତେବେଳେ ଜଡ଼ତ୍ୱର ନିଶ୍ଚଳତା ମଧ୍ୟରୁ ମୁକ୍ତ ହୁଏ ତାହାର ଶକ୍ତିର ପ୍ରସାର ଘଟେ ଏବଂ ପୂର୍ଣ୍ଣ ବିକାଶ ଦିଗରେ ସେ ଉଦ୍ୟତ ହୁଏ । ଆଧ୍ୟାତ୍ମିକତାହିଁ ମନୁଷ୍ୟର ସକଳ ଶକ୍ତିର କେନ୍ଦ୍ର । ପରିପୂର୍ଣ୍ଣତା ହିଁ ଏହାର ସ୍ଵଭାଵ । ଅନ୍ତରରେ ହେଉ ବା ବାହାରେ ହେଉ ମନୁଷ୍ୟର ବିକାଶକୁ ଖର୍ବ କରି ଏହା କେବେ ନିଜକୁ ପରାହତ କରିବାକୁ ଚାହେ ନାହିଁ ।

 

ଇଉରୋପର ଶକ୍ତିର ବାହ୍ୟରୂପ ଯାହା ହେଉନା କାହିଁକି ତାହାର ଅନ୍ତର ରୂପ ଯେ ଧର୍ମବଳ, ଏଥିରେ ମୋର ସନ୍ଦେହ ନାହିଁ ।

 

ଏହି ଧର୍ମବଳ ଏକ ସଚେତନ ଶକ୍ତି । ଏହା ମନୁଷ୍ୟର କୌଣସି ଦୁଃଖ, କୌଣସି ଅଭାବ ପ୍ରତି ଅବହେଳା ପ୍ରଦର୍ଶନ କରି ନ ପାରେ । ମନୁଷ୍ୟର ସକଳପ୍ରକାର ଦୁର୍ଗତି ମୋଚନ କରିବା ନିମନ୍ତେ ଏହା ସର୍ବଦା ଦୁଃସାଧ୍ୟ ଚେଷ୍ଟାରେ ନିଯୁକ୍ତ । ଏହା ଉଦ୍ୟମର ପଶ୍ଚାତରେ ଏକ ସକ୍ରିୟ ଶୁଭବୁଦ୍ଧି ନିହିତ । ଏହି ଶୁଭବୁଦ୍ଧି ମନୁଷ୍ୟକୁ ତାହାର ଆରାମଦାୟକ ଶଯ୍ୟାରୁ ଟାଣିଆଣି ସ୍ୱାର୍ଥତ୍ୟାଗମୂଳକ କର୍ମାସାଧନରେ ଉଦ୍‍ବୁଦ୍ଧ କରେ ଏବଂ ମୃତ୍ୟୁର ଆହ୍ୱାନ ଶୁଣିବାକୁ ମଧ୍ୟ ପ୍ରେରଣା ଦିଏ । ଏହି ଉଦାର ମଙ୍ଗଳ କାମନାକୁ ସତେଜ କରୁଛି କିଏ ? ଏହା ସେହି ଅମର ଆତ୍ମା ବ୍ୟତୀତ ଅନ୍ୟ କିଛି ହୋଇ ନ ପାରେ ।

 

ଖ୍ରୀଷ୍ଟଙ୍କର ଜୀବନ ବୃକ୍ଷରୁ ଏକ ଧର୍ମବୀଜ ଇଉରୋପର ଚିତ୍ତକ୍ଷେତ୍ରରେ ପ୍ରବେଶ କରି ପ୍ରଚୁର ଫଳୋତ୍ପାଦନରେ ସମର୍ଥ ହୋଇଛି । ସେହି ବୀଜ ମଧ୍ୟରେ କି ଜୀବନୀ ଶକ୍ତି ନିହିତ ? ତାହା ହେଉଛି ଦୁଃଖକୁ ପରମ ବଳଭାବରେ ଗ୍ରହଣ କରିବାର ସାମର୍ଥ୍ୟ ।

 

ସ୍ୱର୍ଗୀୟ କରୁଣା ମନୁଷ୍ୟର ସକଳ ଦୁଃଖକୁ ଆପଣାର କରିନିଏ, ଏହି ବାଣୀ ବହୁଶତ ବର୍ଷ ହେଲା ନାନା ସଙ୍ଗୀତ, ପ୍ରାର୍ଥନା ଓ ଅନୁଷ୍ଠାନ ପଦ୍ଧତି ମଧ୍ୟରେ ଇଉରୋପ ଶୁଣି ଆସିଛି । ଯୁଗ ଯୁଗ ଧରି ଏହି ଧାରଣା ଇଉରୋପ-ଚିତ୍ତରେ ମର୍ମ ସ୍ଥାନରେ ପ୍ରବେଶ କରି ଅତି ଚେତନାର ଯେଉଁ ଗୋପନ ଗଭୀରତା ମଧ୍ୟରେ ମନୁଷ୍ୟର ସକାଳ ଉଦ୍ୟମର ବୀଜ ନିହିତ ଏବଂ ଏଇଶ୍ଵର୍ଯ୍ୟର ଭିତ୍ତି ସ୍ଥାପିତ, ସେଠାରେ ସ୍ଥାନ ଅଧିକାର କରି ବସିଛି ।

 

ସେହି କାରଣରୁ ଇଉରୋପର ଯେଉଁ ଲୋକମାନେ ମୁହଁରେ ଖ୍ରିଷ୍ଟଧର୍ମ ଅସ୍ୱୀକାର କରି ଜଡ଼ବାଦର ପ୍ରଶଂସା ଗାନ କରିଛନ୍ତି । ସେହିମାନେ ହିଁ ସମୟ ଉପସ୍ଥିତ ହେଲେ ଅକପଟ ଚିତ୍ତରେ ଆତ୍ମୋତ୍ସର୍ଗ ନିମନ୍ତେ ଅଗ୍ରସର ହୁଅନ୍ତି ଏବଂ ସକାଳ ଦୁଃଖ ଓ ବିଦ୍ରୁପକୁ ବୀରତ୍ୱ ସହକାରେ ସହ୍ୟ କରନ୍ତି । ଏହାର ବହୁଳ ଦୃଷ୍ଟାନ୍ତ ଆମ୍ଭେମାନେ ଇଉରୋପରେ ସର୍ବଦା ଦେଖିବାକୁ ପାଉଁ । ଅଜ୍ଞାତସାରରେ ସୁଦ୍ଧା ମୃତ୍ୟୁ ଉପରେ ଅମୃତର ମହତ୍ତ୍ୱ ସେମାନେ ସ୍ୱୀକାର କରନ୍ତି, ବ୍ୟକ୍ତିଗତ ସୁଖ ଅପେକ୍ଷା ସାମୁହିକ ମଙ୍ଗଳକୁ ଉଚ୍ଚ ସ୍ଥାନ ଦିଅନ୍ତି ।

 

ଟିଟାନିକ ଜାହାଜରେ ଯେଉଁମାନେ ନିଜ ବିପଦକୁ ଅଵଜ୍ଞା କରି ଅପରର ପ୍ରାଣ ରକ୍ଷା କଲେ ସେମାନେ ନୈଷ୍ଠିକ ଖ୍ରୀଷ୍ଟିୟାନ ନୁହନ୍ତି । ସେମାନଙ୍କ ମଧ୍ୟରେ ସମ୍ଭବତଃ ଅନେକେ ନିରୀଶ୍ଵରବାଦୀ ବା ଅତି ପ୍ରାକୃତବାଦରେ ଅଵିଶ୍ଵାସୀ । କିନ୍ତୁ କେବଳ ମାତ୍ର ମତାନ୍ତର ଗ୍ରହଣ ଦ୍ୱାରା ନିଜ ଧର୍ମ ସାଧନାର ପରମ୍ପରାରୁ ସେମାନେ ନିଜକୁ ବିଛିନ୍ନ କଲେ କିପରି ? କୌଣସି ମହତ ଉଦ୍ଦେଶ୍ୟ ନିମନ୍ତେ ଜୀବନୋତ୍ସର୍ଗ କରିଥିବା ବ୍ୟକ୍ତି ସମଗ୍ର ମାନବ ସମାଜ ନିମନ୍ତେ ଏକାକୀ ଭାବେ ସାଧନା କରିଥାନ୍ତି । ମୁଢ଼ତାବଶତଃ ଅସଂଖ୍ୟ ଲୋକ ନାସିକାକୁଞ୍ଚନ ପୂର୍ବକ ତାଙ୍କୁ ଅଵଜ୍ଞା କରି ପାରନ୍ତି । ତଥାପି ତାଙ୍କ ତପସ୍ୟାର ଫଳ ସେମାନଙ୍କର ଅଶେଷ ଉପକାର ସାଧନ କରିବ ।

 

ଭଗବତ ପ୍ରେମର ପ୍ରକୃତ ପ୍ରକାଶଭାବେ ପରର ଦୁଃଖକୁ ଆପେ ବହନ କରିବାର ସାମର୍ଥ୍ୟ ଓ ଉଦ୍ୟମ ଆମଦେଶରେ ବ୍ୟାପକଭାବେ ଦେଖିବାକୁ ମିଳେ ନାହିଁ, ଏ କଥା ଯେଡ଼େ ଅପ୍ରିୟ ହେଉ ନା କାହିଁକି ଆମକୁ ନିଶ୍ଚୟ ସ୍ୱୀକାର କରିବାକୁ ପଡ଼ିବ । ପ୍ରେମ ଭକ୍ତି ମଧ୍ୟରେ ଭାବର ଆବେଗ, ରସର-ଲୀଳା, ଉତ୍ସାହର ଗଭୀରତା ଆମର ଯଥେଷ୍ଟ ଅଛି, କିନ୍ତୁ ପ୍ରେମ ମଧ୍ୟରେ ନିହିତ ଅବିଚଳିତ ଦୁଃଖ ସ୍ୱୀକାର, ଆତ୍ମତ୍ୟାଗ ଓ ସେବାର ଆକାଙ୍‍କ୍ଷା ଆମ ମଧ୍ୟରେ ଅତି କ୍ଷୀଣ, ଆମ୍ଭେମାନେ ବିଭୁ ପ୍ରେମର ରସ-ଲୀଳାକୁ ଏକାନ୍ତଭାବେ ଗ୍ରହଣ କରି ଏହାର ଦୁଃଖ-ଲୀଳାକୁ ସ୍ୱୀକାର କରି ନାହୁଁ ।

 

କୌଣସି ଲାଭ ଉଦ୍ଦେଶ୍ୟରେ ଦୁଃଖ ସ୍ୱୀକାର କରିବାରେ ଆଧ୍ୟାତ୍ମିକତା ନାହିଁ, ପ୍ରେମ ନିମନ୍ତେ ଦୁଃଖ ବରଣକରିବା ହିଁ ପ୍ରକୃତ ଆଧ୍ୟାତ୍ମିକତା । ଅହରହ ସମ୍ପଦର ଅନ୍ୱେଷଣ ମନୁଷ୍ୟକୁ ଯେଉଁ ଦୁଃଖ ଦିଏ କିମ୍ବା ପରଲୋକରେ ନିରାପଦ ସ୍ଥାନ ଲାଭ କରିବା କାମନାରେ ମୁକ୍ତି ଲୋଲୁପ ବ୍ୟକ୍ତି ଯେଉଁ ଦୁଃଖବ୍ରତ ଗ୍ରହଣ କରେ ତାହା କେବେହେଲେ ପରିପୂର୍ଣ୍ଣତାର ସାଧନା ନୁହେ । ସେଥିରେ ଆତ୍ମାର ଦୈନ୍ୟମାତ୍ର ପ୍ରକାଶିତ ହୁଏ । ପ୍ରେମ ନିମନ୍ତେ ଦୁଃଖ ହିଁ ଯଥାର୍ଥ ତ୍ୟାଗର ଐଶ୍ଚର୍ଯ୍ୟ, ତାହା ଆତ୍ମାକୁ ଶକ୍ତି ଓ ଆନନ୍ଦର ସମୁଚ୍ଚ ଶିଖରରେ ମହୀୟାନ କରେ ଏବଂ ମନୁଷ୍ୟକୁ ମୃତ୍ୟୁଞ୍ଜୟ ହେବାରେ ସହାୟତା ପ୍ରଦାନ କରେ ।

 

ଦୁଃଖଲବ୍‍ଧ ଆନନ୍ଦରେ ହିଁ ଆମେ ଆପଣାକୁ ଅତିକ୍ରମ କରି ବିଶ୍ୱକୁ ଗ୍ରହଣ କରି ପାରୁଁ । ଦୁଃଖ ହିଁ ସତ୍ୟର ମୂଲ୍ୟ । ଏହି ଦୁଃଖସମ୍ପଦ ହିଁ ମାନବାତ୍ମାର ଶ୍ରେଷ୍ଠ ଐଶ୍ଚର୍ଯ୍ୟ । ଦୁଃଖ ମଧ୍ୟ ଦେଇ ଆତ୍ମାର ବଳ ପ୍ରକାଶିତ ହୁଏ । ଏହାରି ମଧ୍ୟ ଦେଇ ଆମ୍ଭେମାନେ ନିଜକୁ ଓ ମନୁଷ୍ୟ ସମାଜକୁ ବୁଝିବାକୁ ସମର୍ଥ ହେଉଁ, ଫଳତଃ ଶାସ୍ତ୍ର କହେ, 'ନାୟମାତ୍ମା ବଳହୀନେନ ଲଭ୍ୟଃ' ଅର୍ଥାତ୍ ଦୁଃଖ ସ୍ୱୀକାର କରିବାର ବଳ ନ ଥିଲେ କେହି ଆପଣାକୁ ଉପଲବ୍‍ଧି କରି ପାରିବ ନାହିଁ ।

 

ଆମ୍ଭେମାନେ ଦୁଃଖ ମଧ୍ୟ ଦେଇ ପରସ୍ପରକୁ ଆପଣାର ନିକଟତମ କରି ପାରି ନାହୁଁ । ଆମ୍ଭେମାନେ କୌଣସି ମୂଲ୍ୟ ନ ଦେଇ ଦେଶର ମନୁଷ୍ୟମାନଙ୍କୁ ଆପଣାର ବୋଲି କହି ପାରିବୁ କିପରି ? ମାତା ଆପଣାର ଗର୍ଭଜାତ ସନ୍ତାନକୁ ମଧ୍ୟ ଅହରହ ସେବା-ଦୁଃଖର ମୂଲ୍ୟ ଦେଇ ଲାଭ କରେ । ସତ୍ୟ ବୋଲି ମନ ମଧ୍ୟରେ ଯାହାକୁ ଶ୍ରଦ୍ଧା କରୁଁ, ତାହାକୁ ଅନାହୂତ ଭାବରେ ସ୍ଵଭାବତଃ ଏହି ମୂଲ୍ୟ ଆମ୍ଭେମାନେ ପ୍ରଦାନ କରୁ । ତଥାପି ଆମ ଚାରିପାଖର ମନୁଷ୍ୟମାନଙ୍କ ଅନ୍ତରର ସହିତ ସତ୍ୟ ବୋଲି ଗ୍ରହଣ କରିବାରେ ଆମ୍ଭେମାନେ ବିଫଳ ହୋଇଛୁଁ, ତେଣୁ ସେମାନଙ୍କ ନିମନ୍ତେ ଆନନ୍ଦ ସହକାରେ ଆତ୍ମତ୍ୟାଗ କରିବା ଆତ୍ମପକ୍ଷେ ସହଜ ନୁହେ ।

 

ଆମ୍ଭେମାନେ ଆତ୍ମାର ସତ୍ୟ ଦୃଷ୍ଟି ଅର୍ଥାତ୍ ପ୍ରେମଦ୍ୱାରା ଅନ୍ୟମାନଙ୍କ ସତ୍ୟ ସ୍ଵରୂପକୁ ଦେଖି ପାରୁ । ଦର୍ଶନଶାସ୍ତ୍ର ଯେତେବେଳେ କହେ, ସର୍ଵଭୂତ ହେଉଛି ଏକ, ତାହା କେବଳ ବାକ୍ୟ ମାତ୍ର । ସର୍ଵଭୂତକୁ ଆତ୍ମବତ ଦେଖିବାରେ ଏହି ତତ୍ତ୍ୱକଥା କେବଳ ଆମକୁ ବିଶେଷ ସାହାଯ୍ୟ କରି ପାରେ ନା । ଏହା କେବଳ ପ୍ରେମ ଦ୍ୱାରା ଲାଭ କରାଯାଏ । ଏହି ପ୍ରେମ ଆତ୍ମାର ଚରମ ଶକ୍ତି ଏହାର ଧୈର୍ଯ୍ୟ ଅସୀମ । ଆତ୍ମତ୍ୟାଗରେ ହିଁ ଏହାର ସ୍ୱାଭାବିକ ଆନନ୍ଦ । ଏହି ଶକ୍ତି ବଳରେ ଦେଶପ୍ରେମୀ ପରମାତ୍ମାଙ୍କୁ ନିଜ ଦେଶ ମଧ୍ୟରେ ଉପଲବ୍‍ଧି କରେ । ମାନବପ୍ରେମୀ ପରମାତ୍ମାଙ୍କୁ ସମସ୍ତ ମନୁଷ୍ୟ ମଧ୍ୟରେ ଲାଭ କରେ ।

 

ଇଉରୋପର ଧର୍ମ ପ୍ରେମର ଧର୍ମ । ସେଵାପରାୟଣାତା ମଧ୍ୟରେ ପ୍ରକାଶିତ ହେଉଥିବା ଦୁଃଖର ଧର୍ମ ହିଁ ତା'ର ମନୁଷ୍ୟ ସହିତ ମନୁଷ୍ୟର ମିଳନ ଘଟାଇଛି । ଦୁଃଖର ଅନିର୍ବାଣ ଶିଖା, ତାହାର ହୋମାଗ୍ନି ରଚନା କରିଛି ଏବଂ ଶତ ଶତ ତାପର ଆତ୍ମାହୁତି ଦାନପୂର୍ବକ ଏହି ଅଗ୍ନିକୁ ଜ୍ୱଳନ୍ତ ରଖି ସମଗ୍ର ଦେଶ–ଚିତ୍ତରେ ସେମାନେ ଅହରହ ତେଜ ସଞ୍ଚାର କରୁଛନ୍ତି । ସେହି ଦୁଃସହ ଯଜ୍ଞର ହୁତାଶନ ମଧ୍ୟରୁ ଯେଉଁ ଅମୃତର ଉଦ୍ଭବ ଘଟିଛି, ତାହାରି ଶକ୍ତି ହିଁ ସେଠାରେ ବିଜ୍ଞାନ, କଳା, ସାହିତ୍ୟ, ରାଷ୍ଟନୀତି ଓ ବାଣିଜ୍ୟ ମଧ୍ୟରେ ଆତ୍ମପ୍ରକାଶ କରିଛି । ଏଗୁଡ଼ିକ କୌଣସି ପ୍ରକାରେ କାରଖାନାରେ ତିଆରି ହୋଇ ପାରିବ ନାହିଁ । ଏହା ତପସ୍ୟାର ସୃଷ୍ଟି ଓ ସେହି ତପସ୍ୟାର ଅଗ୍ନି ହିଁ ମନୁଷ୍ୟର ଆଧ୍ୟାତ୍ମିକ ଶକ୍ତି, ମନୁଷ୍ୟର ଧର୍ମବଳ ।

 

ସୁତରାଂ ଆମ୍ଭେମାନେ ଦେଖୁଁ ବୌଦ୍ଧ ଯୁଗରେ ଭାରତବର୍ଷ ପ୍ରେମ ଓ ତ୍ୟାଗ ଧର୍ମକୁ ବରଣ କରି ଏପରି ଏକ ଉନ୍ନତି ଲାଭ କରିଥିଲା ଯାହା ଇଉରୋପରେ ସମ୍ପ୍ରତି ଦେଖିବାକୁ ମିଳିଥାଏ-। ସେ କାଳର ରୋଗୀମାନଙ୍କ ଲାଗି ଔଷଧ ପଥ୍ୟର ବ୍ୟବସ୍ଥା କେବଳ ହୋଇ ନ ଥିଲା, ପଶୁମାନଙ୍କ ନିମନ୍ତେ ଚିକିତ୍ସାର ସୁବିଧା ମଧ୍ୟ ଥିଲା । ନାନା ଭାବରେ ଜୀବନ ଓ ସ୍ଵାଚ୍ଛନ୍ଦ୍ୟକୁ ତୁଛ କରି ଦୁର୍ଗମପଥ ଉତ୍ତୀର୍ଣ୍ଣ ହୋଇ ବିଦେଶକୁ ଯାତ୍ରା କରୁଥିଲେ ଏବଂ ସଭ୍ୟତା ଲୋକବର୍ଜ୍ଜିତ ବୈଦେଶୀକମାନଙ୍କର ସଦ୍‍ଗତି ନିମନ୍ତେ ଅଶେଷ କଷ୍ଟ ସହ୍ୟ କରୁଥିଲେ । ସେକାଳରେ ଭାରତ ଦୁଃଖ ଦେଇ ତା'ର ସାଧକମାନଙ୍କୁ ଶକ୍ତି ଓ ମନୁଷ୍ୟତ୍ୱ ଦୀକ୍ଷା ଦେଇଥିଲା । ତେଣୁ ଧର୍ମ ଦ୍ଵାରା ଭାରତବର୍ଷ କେବଳ ନିଜର ଆତ୍ମା ନୁହେ, ପୃଥିବୀକୁ ମଧ୍ୟ ଜୟ କରିଥିଲା । ଆଧ୍ୟାତ୍ମିକତାର ତେଜରେ ଐହିକ ଓ ପର୍ଵତ୍ରିକ ଉନ୍ନତିକୁ ସେ ସମ୍ମିଳିତ କରିଥିଲା । ସେ କାଳରେ ଇଉରୋପରେ ଖ୍ରୀଷ୍ଟିୟାନ ସଭ୍ୟତା ସ୍ୱପ୍ନାତୀତ ଥିଲା । ସେହି ଦୁଃଖ ଓ ଆତ୍ମତ୍ୟାଗର ଉଜ୍ୱଳ ଦୀପ୍ତି ବର୍ତ୍ତମାନ କୃତ୍ରିମତା ଓ ଭାବେଗାର ଉତ୍ତେଜନା ଦ୍ୱାରା ଆଚ୍ଛନ୍ନ ହୋଇଛି । କିନ୍ତୁ ଏହି ଦୀପ୍ତି କ'ଣ ଚିରକାଳ ନିମନ୍ତେ ନିର୍ବାପିତ ? ବାହାରେ କେଉଁଠି ଯଦି ତା'ର ଉଦ୍‍ବୋଧନ ଆମେ ଦେଖିବାକୁ ପାଉଁ ଆମ ମଧ୍ୟରେ ଲୁପ୍ତ ହୋଇଥିବା ସେହି ପୂର୍ବଶକ୍ତି କ'ଣ ଆମର ମନେପଡ଼ିବ ନାହିଁ ?

 

ଆମ୍ଭେମାନେ ମାନେ ରଖିବା ଉଚିତ ଯେ ଯେଉଁଠି ଅଗ୍ନି ଉଜ୍ୱଳ ଭାବରେ ପ୍ରଜ୍ଜ୍ଵଳିତ ସେଠାରେ ପ୍ରଚୁର ପରିମାଣରେ ଭସ୍ମ ମଧ୍ୟ ନିହିତ । କ୍ଷୁଦ୍ରଶିଖା ଅଳ୍ପ ଉତ୍ତାପ ଦିଏ, ଏହା ବିଶେଷ ଫଳଦାୟକ ମଧ୍ୟ ନୁହେ ଏବଂ ଏହାର ଧ୍ଵଂସକାରୀ ଶକ୍ତି ମଧ୍ୟ କ୍ଷୀଣ । ପାପର ଭୟଙ୍କର ପ୍ରଚଣ୍ଡତା ଅଶାନ୍ତିର ବିକ୍ଷୋଭ ରୂପରେ ଇଉରୋପରେ ଯେପରି ପରିଦୃଷ୍ଟ, ଆମ ଦେଶରେ ତାହା ଯେ ବିରଳ ଏ କଥା ସ୍ୱୀକାର କରିବାକୁ ପଡ଼ିବ । ତଥାପି ଇଉରୋପର ଲୋକମାନେ ସେହି ଅବସ୍ଥାକୁ ଉଦାସୀନ ଭାବରେ ଗ୍ରହଣ କରି ନାହାନ୍ତି ବରଂ ଏହା ସେମାନଙ୍କୁ ସମଧିକ ଜାଗ୍ରତ କରିଛି । ମ୍ୟାଲେରିଆର ବାହାନ ମଶାଠୁଁ ଆରମ୍ଭ କରି ସମାଜ ଜୀବନର ପାପ ପର୍ଯ୍ୟନ୍ତ ସମସ୍ତ ଅସୁରଙ୍କ ସହିତ ସେମାନେ ସାହସ ସହକାରେ ସଂଗ୍ରାମ କରିବାକୁ ଆହ୍ୱାନ ଦିଅନ୍ତି, ନିଜର ପ୍ରାଣକୁ ମଧ୍ୟ ସଙ୍କଟାପନ୍ନ କରିବାକୁ ପଶ୍ଚାତ୍‍ପଦ ହୋଇ ନ ଥାନ୍ତି, ଗୀତାର ପ୍ରସିଦ୍ଧ ବାଣୀ 'ସ୍ୱଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ' ସ୍ଵଳ୍ପ ପରିମାଣ ଧର୍ମ ମଧ୍ୟ ମନୁଷ୍ୟକୁ ମହତ ଭୟରୁ ପରିତ୍ରାଣ କରେ । କୌଣସି ସମାଜରେ ସେହି ସଜୀଵ ଧର୍ମକଣାକୁ ମଧ୍ୟ ଅପରିମିତ ଦୁର୍ଗତି ଅପେକ୍ଷା ବଡ଼ ମନେ କରିବାକୁ ହେବ ।

 

ଇଉରୋପରେ ଦୁର୍ବଳ ଜାତି ପ୍ରତି ନ୍ୟାୟଧର୍ମର ବ୍ୟଭିଚାର ଦେଖାଯାଇଥାଏ । କିନ୍ତୁ ସେହି ବ୍ୟଭିଚାର ଏକ ମାତ୍ର ସତ୍ୟ ନୁହେ, ସେହି ନିଷ୍ଠୁର ବଳଦୃପ୍ତ ଲୁବ୍‍ଧତା ମଧ୍ୟରୁ ଧିକ୍କାର ଓ ଭର୍ତ୍ସନାର ସ୍ୱର ଉଚ୍ଛ୍ୱସିତ ହୁଏ । ପ୍ରବଳର ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ଦୃଢ଼ଭାବରେ ଦଣ୍ଡାୟମାନ ହେବା ନିମନ୍ତେ ଇଉରୋପରେ ସାହସିକ ବୀରମାନଙ୍କର ଅଭାବ ନାହିଁ । ଏହି ଦୃଢ଼ନିଷ୍ଠ ସାଧୁ ବ୍ୟକ୍ତିମାନେ ସୁଦୂରବର୍ତ୍ତୀ ଦେଶର ବିଦେଶୀ ଜାତିପକ୍ଷ ଗ୍ରହଣ କରି ସେମାନଙ୍କ ନିମନ୍ତେ ନିର୍ଯ୍ୟାତନା ସହ୍ୟ କରିବାକୁ କୁଣ୍ଠିତ ହୋଇ ନ ଥାନ୍ତି । ଭାରତୀୟମାନେ ସ୍ଵଦେଶ ପାଇଁ ସ୍ଵାୟତ୍ତଶାସନର ଅଧିକାର କାମନା କରୁଛନ୍ତି । ସେମାନଙ୍କର ଏହି ଉଦ୍ୟମରେ ଯଥାର୍ଥ ମିତ୍ର ତୁଲ୍ୟ ସହାୟକ କିଏ ? ପ୍ରତିକୂଳତା ଓ ବିଦ୍ରୁପ ପ୍ରତି ଭୂକ୍ଷେପ ନକରି ନ୍ୟାୟ ନିମନ୍ତେ ଆତ୍ମସ୍ୱାର୍ଥ ତ୍ୟାଗ କରିବା ପାଇଁ ନିଜ ଦେଶବାସୀଙ୍କୁ ସେମାନେ ପ୍ରବର୍ତ୍ତନା ଦେଉଛନ୍ତି । ବାହ୍ୟ ଦୃଷ୍ଟିରେ ସେମାନେ ସଂଖ୍ୟାରେ ଅଳ୍ପ ସତ୍ୟ, କିନ୍ତୁ ସତ୍ୟ ଦୃଷ୍ଟିରେ ସେମାନଙ୍କ ସଂଖ୍ୟା ଯଥେଷ୍ଟ ଅଧିକ । କାରଣ ଏହି ଲୋକମାନେ ନିଜର ସଂଖ୍ୟା ଅପେକ୍ଷା ଖୁବ୍ ବେଶୀ, ଦେଶର ପରମ୍ପରାର ସେମାନେ ଅଙ୍ଗବିଶେଷ-। ସେମାନେ ସମସ୍ତେ ଏକ ସମୟରେ ସମାନ ଲକ୍ଷ ପୋଷଣପୂର୍ବକ କାର୍ଯ୍ୟ କରି ନ ଥାନ୍ତି. ମାତ୍ର ସେଇମାନେ ହିଁ ସମାଜର ପ୍ରକୃତ ନ୍ୟାୟଶକ୍ତି । ସେମାନେ କ୍ଷତ୍ରିୟ, ଦୁର୍ବଳର ରକ୍ଷାବତ ସେମାନେ ଗ୍ରହଣ କରିଛନ୍ତି । ଦୁଃଖ ମଧ୍ୟରୁ ମନୁଷ୍ୟକୁ ଉଦ୍ଧାର କରିବା ନିମନ୍ତେ ଯେ ଦୁଃଖ ବହନ କରିଥିଲେ, ମୃତ୍ୟୁ ମଧ୍ୟରୁ ମନୁଷ୍ୟକୁ ଅମୃତଲୋକକୁ ନେବା ଲାଗି ଯେ ମୃତ୍ୟୁ ସ୍ୱୀକାର କରିଥିଲେ, ଅନ୍ଧକାର ମଧ୍ୟରୁ ଉଦ୍ଧାର କରି ମନୁଷ୍ୟକୁ ଆଲୋକର ସ୍ପଶଦେବା ଯାହାଙ୍କର କାମନା ଥିଲା, ସେହି ସ୍ୱର୍ଗୀୟ ଗୁରୁ ଯୀଶୁଖ୍ରୀଷ୍ଟଙ୍କର ରକ୍ତାପ୍ଲୁତ ଦୁର୍ଗମ ପଥରେ ସେମାନଙ୍କର ଯାତ୍ରା । ଇଉରୋପର ଅନ୍ତଃସ୍ଥଳର ଗଭୀର ପ୍ରଦେଶରେ ସେହି ଆଲୋକ ଏବେ ମଧ୍ୟ ଉଜ୍ଜ୍ଵଳକିରଣ ଦାନ କରୁଛି ।

 

ଅନ୍ୟ ପକ୍ଷରେ ଆମ୍ଭେମାନେ ଧର୍ମପ୍ରାଣ ଓ ଆଧ୍ୟାତ୍ମିକ ଜାତି, ଆମଠାରେ ଈଶ୍ୱର ଭୟ ରହିଛି, ପାର୍ଥିବବସ୍ତୁ ପ୍ରତି ଆମର ମନୋଯୋଗ ଅଳ୍ପ, ତେଣୁ ଜଗତିକ ବ୍ୟାପାରରେ ଆମର ଉନ୍ନତିର ଅଭାବ, ସବୁବେଳେ ଏହି କଥା କହି ଆମ୍ଭେମାନେ ନିଜକୁ ସାନ୍ତ୍ୱନା ଦେବାକୁ ଚାହୁଁ । ଏହିପରି ଭାବରେ ଆମ ଦୈନ୍ୟର ଲଜ୍ଜାକୁ ଆମେ ଖର୍ବ କରିବାକୁ ଚାହୁଁ । ଆମ୍ଭମାନଙ୍କ ମଧ୍ୟରୁ ଅନେକ ଆସ୍ଫାଳନ ପ୍ରକାଶ କରି କହିଥାଆନ୍ତି 'ଦାରିଦ୍ର୍ୟ ହିଁ ଆମର ପରମ ସମ୍ପଦ' ।

 

କିନ୍ତୁ ଐଶ୍ଵର୍ଯ୍ୟକୁ ଅଧିକାର କରିବାର ଶକ୍ତି ଯେଉଁମାନଙ୍କର ଅଛି, ଦାରିଦ୍ର୍ୟ ସେମାନଙ୍କର ହିଁ ଭୂଷଣ । ସମ୍ପଦ ତ୍ୟାଗ କରିବାରେ ଗୌରବ ଅଛି କିନ୍ତୁ ଅଭାବର ଦାରିଦ୍ର୍ୟ ଗୌରବଜନକ ନୁହେ । ଖାଦ୍ୟାଭାବରେ ଅର୍ଦ୍ଧମୃତ, କୌଣସି ପ୍ରକାରେ ପ୍ରାଣ ବଞ୍ଚାଇବାକୁ ଇଚ୍ଛୁକ, ଦରିଦ୍ର ହୋଇଥିବାରୁ ଦରିଦ୍ରକୁ ପୋଷଣ କରିବା ନିମନ୍ତେ ପ୍ରସ୍ତୁତ, ଶକ୍ତିହୀନ ହୋଇଥିବାରୁ ଶକ୍ତିଲାଭ ମାତ୍ରେ ଦୁର୍ବଳକୁ ଆଘାତ କରିବାକୁ ଉଦ୍‍ଗ୍ରୀବ ବ୍ୟକ୍ତିମାନଙ୍କୁ ଦାରିଦ୍ର୍ୟ କେବେହେଲେ ସମ୍ମାନିତ କରି ପାରେ ନାହିଁ ।

 

ଆମର ଦୁଃଖ ଦାରିଦ୍ୟ ଓ ଅପମାନ କୌଣସି ପ୍ରକାରେ ଆତ୍ମାକୁ ପ୍ରସାରିତ କରୁଥିବା ଧର୍ମପ୍ରାଣତାର ପୁରସ୍କାର ନୁହେ । ଆମ୍ଭେମାନେ ଆଧ୍ୟାତ୍ମିକତାର କ୍ଷେତ୍ରକୁ ବିସ୍ତୃତ କରି ପାରି ନାହୁଁ, ବ୍ୟକ୍ତିଗତ ଭକ୍ତିସାଧନା ମଧ୍ୟରେ ଏହା ସୀମାବଦ୍ଧ, ସେଠାରେ ବୃହତ୍ତର ମାନବସମାଜର ସ୍ଥାନ ନାହିଁ-। ଆମ ଧର୍ମବୋଧର ସଂକୀର୍ଣ୍ଣତା ଓ ମତାନ୍ଧତା ଆମକୁ ଦାସତ୍ୱ ବ୍ୟତୀତ ଅନ୍ୟ ସକଳ କ୍ଷେତ୍ର ନିମନ୍ତେ ଅଯୋଗ୍ୟ କରିଛି । ଆନନ୍ଦ ସହକାରେ ଆମେ କଳ୍ପନା କରୁ, ଆମର ଦୁଖଗୁଡ଼ିକର ସମାପ୍ତି ଆଇନ ଦ୍ୱାରା ହୋଇପାରେ ଏବଂ ରାଷ୍ଟ୍ରୀୟ ବିଧାନସଭାରେ ସ୍ଥାନ ଲାଭ କଲେ ଆମ୍ଭେମାନେ ପୂର୍ଣ୍ଣ ମନୁଷ୍ୟ ହୋଇ ପାରିବା । କିନ୍ତୁ ଗୋଟିଏ ଜାତିର ଉନ୍ନତି ଯାନ୍ତ୍ରିକ ଉପାୟରେ ସାଧିତ ହୋଇ ନ ପାରେ । ଆମ୍ଭେମାନେ ଯେ ପର୍ଯ୍ୟନ୍ତ ତା'ର ମୂଲ୍ୟଦେବା ନିମନ୍ତେ ପ୍ରସ୍ତୁତ ହୋଇ ନାହୁଁ, ତାହା ଲାଭ କରିବାକୁ ଆମେ ଅସମର୍ଥ ହେବା–‘ନାନ୍ୟଃ ପନ୍ଥା ବିଦ୍ୟତେ ଅୟନାୟ ।’

 

ତେଣୁ କହୁଥିଲି, ତୀର୍ଥଯାତ୍ରାର ମନୋଭାବ ନେଇ ଇଉରୋପ ଯାତ୍ରା କଲେ ତାହା ନିଷ୍ଫଳ ହେବ ନାହିଁ । ସେଠାରେ ମଧ୍ୟ ଆମର ଗୁରୁ ଅଛନ୍ତି । ଇଉରୋପୀୟ ମନବସମାଜର ଅନ୍ତରତମ ସେହି ଦିବ୍ୟଶକ୍ତି ହିଁ ଗୁରୁ । ଶ୍ରଦ୍ଧାନ୍ୱିତ ଚକ୍ଷୁରେ ସେହି ଗୁରୁଙ୍କ ସର୍ବତ୍ର ଆମକୁ ସନ୍ଧାନ କରିବାକୁ ପଡ଼ିବ । ଚାରିଆଡ଼େ କେବଳ ଠାରେ ଆଖି ବୁଲାଇ ଆଣିଲେ ଯଥେଷ୍ଟ ନୁହେ । ତା’ ହେଲେ ଆମର ଅନ୍ଧତା ଓ ଅହଂକାର ବଶତଃ ଆମେ ଗୁରୁଙ୍କୁ ଦର୍ଶନ କରି ପାରିବା ନାହିଁ । ପରନ୍ତୁ ଇଂଲଣ୍ଡର ଶକ୍ତି ତା'ର ପାର୍ଲାମେଣ୍ଟରେ ନିହିତ, ଇଉରୋପର ଐଶ୍ଵର୍ଯ୍ୟ ହେଉଛି କାରଖାନା ତିଆରି ସାମଗ୍ରୀ ଏବଂ ପାଶ୍ଚାତ୍ୟ ମହାଦେଶର ସମସ୍ତ ମାହାତ୍ମ୍ୟ କେବଳ ଯୁଦ୍ଧାସ୍ତ୍ର, ବାଣିଜ୍ୟର ଉପକରଣ ଓ ଅନ୍ୟ ବାହ୍ୟବସ୍ତୁ ପୁଞ୍ଜି ଦ୍ୱାରା ସଂଘଟିତ, ଏହିପରି କିଛି ଅଦ୍ଭୁତ ଧାରଣା ପୋଷଣ କରି ପ୍ରତ୍ୟାବର୍ତ୍ତନ କରିବା ହିଁ ଆମ ପକ୍ଷରେ କେବଳ ସାର ହେବ ।

 

ନିଜର ଅନ୍ତର୍ନିହିତ ଶକ୍ତି ସମ୍ବନ୍ଧରେ ଯେଉଁମାନଙ୍କର ପ୍ରକୃତ ଅନୁଭୂତି ନାହିଁ, ବାହାର ପଦାର୍ଥରେ ଯେ ଶକ୍ତି ରହିଛି, କୌଣସି ସୁଯୋଗକ୍ରମେ ସେ ପଦାର୍ଥଗୁଡ଼ିକୁ ଲାଭ କଲେ ସବୁକିଛି ଲବ୍‍ଧ ହେବ ବୋଲି ସେମାନେ ଅତି ସହଜରେ ମନେକରନ୍ତି । କିନ୍ତୁ ପ୍ରାଚୀନ ଭାରତର ବାଣୀ–‘ଯେନାହଂ ନା ମୃତା ଶ୍ୟାମ କିମହଂ ତେନ କୁର୍ଯ୍ୟାମ ।' –ଯେଉଁ ପଦାର୍ଥ ମୋତେ ଅମୃତ ଦେଇ ପାରିବ ନାହିଁ ତାହାକୁ ନେଇ ମୋର କ'ଣ ଲାଭ ? ଏହାହିଁ ଇଉରୋପର କଣ୍ଠରେ ଆଜି ପ୍ରତିଧ୍ଵନିତ । ଇଉରୋପ ଜାଣେ ଯେ ରେଳରାସ୍ତା । ଟେଲିଗ୍ରାଫ ଖୁଣ୍ଟ, କଳକାରଖାନା ଯୋଗୁ ସେ ବଡ଼ ନୁହେ । ସେହି କାରଣରୁ ସେ ବୀର ସଦୃଶ ସତ୍ୟବ୍ରତ ଗ୍ରହଣ କରିଛି । ସତ୍ୟ ନିମନ୍ତେ ତା'ର ଧନ ପ୍ରାଣ ଉତ୍ସର୍ଗୀକୃତ ଏବଂ ପ୍ରତ୍ୟେକ ଭ୍ରାନ୍ତି, ପ୍ରତ୍ୟକ ବିଫଳତା ତାହାକୁ ବହୁଗୁଣିତ ଉତ୍ସାହ ସହକାରେ ନୂତନ ଉଦ୍ୟୋଗରେ ବ୍ରତୀ କରୁଛି । ସମୟ -ସମୟରେ ଅମଙ୍ଗଳ ଦେଖାଯାଇଛି, ସଂଘାତ ଓ ସଂଘର୍ଷର ଅଗ୍ନି ଜଳିଉଠିଛି, ସମୁଦ୍ରମନ୍ଥନରୁ ମଧ୍ୟେ ମଧ୍ୟେ ବିଷ ଉଦ୍‍ଗୀର୍ଣ୍ଣ, କିନ୍ତୁ ମନ୍ଦକୁ ଚରମ ସମ୍ମାନ ଦେବାକୁ ସେ କେବେ ସମ୍ମତ ନୁହେ । ତା'ର ଅସ୍ତ୍ର ତୀକ୍ଷ୍‍ଣ, ତା'ର ସୈନ୍ୟଗଣ ନିର୍ଭୀକ, ସତ୍ୟର ଦୀକ୍ଷା ଗ୍ରହଣ କରି ସେମାନେ ମୃତ୍ୟୁଞ୍ଜୟ ହୋଇଛନ୍ତି । ଆମ୍ଭେମାନେ କିନ୍ତୁ ସତ୍ୟର ସମ୍ମୁଖୀନ ହେବା ନିମନ୍ତେ ଆଳସ୍ୟପରାୟଣ, ଏହାର ସାଧନାରେ ଉଦାସୀନ । ନିଜ ଗାଢ଼ ଶୃଙ୍ଖଳ ବନ୍ଧନ ମଧ୍ୟରେ ଆପାଦମସ୍ତକ ଆପଣାକୁ ଆବଦ୍ଧ କରି ଆମ୍ଭେମାନେ ତାହାକୁ ପ୍ରକୃତ ଆଶ୍ରୟ ବୋଲି କଳ୍ପନା କରିଛୁ ।

 

ସେଥିପାଇଁ ବିପଦର ଦିବସ ଆସନ୍ନ ହେଲେ ଓ ସତ୍ୟପନ୍ଥା ବ୍ୟତୀତ ଅନ୍ୟ ଗତି ନଥିଲେ ଆମ୍ଭେମାନେ ଯେ ପରିସ୍ଥିତିର ଆହ୍ୱାନ ଗ୍ରହଣ କରି ପାରୁ ନାହୁଁ ଏଥିରେ ବିସ୍ମିତ ହେବାର କିଛି ନାହିଁ । ଆମେ କ୍ରୀଡ଼ାରତ ରହି ତାହାକୁ କର୍ମ ମନେକରୁ ଏବଂ ଅସାରତା ମଧ୍ୟରେ ବାସ କରି ସତ୍ୟର ଫଳ ପ୍ରତ୍ୟାଶା କରୁ । ଆରବ୍‍ଧ କର୍ମକୁ ଶେଷ କରିବା ନିମନ୍ତେ ଆମର କୃତ୍ରିମ ଉତ୍ସାହକୁ ମଧ୍ୟ ପ୍ରଦୀପ୍ତ କରି ରଖିବାରେ ଆମେ ବିଫଳ ହୋଇଥାଉ । ପ୍ରଭୁତ୍ୱ ପରିଣାମ ତାତ୍ତ୍ୱିକତା ଓ ଭାବୁକତାର ଜାଲରେ ବିଜଡ଼ିତ ହୋଇ ଆମେ ବାରମ୍ବାର କର୍ମରେ ଵ୍ୟର୍ଥକାମ ହେଉ । ତେଣୁ ତୀର୍ଥଯାତ୍ରୀର ଶ୍ରଦ୍ଧା ସହକାରେ ଜୀବନର ପ୍ରକୃଷ୍ଟ ମୂଲ୍ୟବୋଧକୁ ଉପଲବ୍‍ଧ କରିବାର ଆକାଙ୍‍କ୍ଷା ନେଇ ଇଉରୋପ ଯାତ୍ରା କଲେ ଯାତ୍ରା କେବେ ବିଫଳ ହେବ ନାହିଁ । କିନ୍ତୁ ତୀର୍ଥଯାତ୍ରୀ ପକ୍ଷରେ ଐକାନ୍ତିକ ନିଷ୍ଠା ଓ ଅଟଳ ଶ୍ରଦ୍ଧା ଆବଶ୍ୟକ ଓ ସର୍ବାଙ୍ଗୀନ ମନୁଷ୍ୟତ୍ୱର ପରିପୂର୍ଣ୍ଣତା ହିଁ ତାଙ୍କର ସନ୍ଧାନ-ବିଷୟ ହେବା ଉଚିତ ।

 

ମୁଁ ଜାଣେ, ଇଉରୋପ ସହିତ ଆମର ଏକ ସ୍ଥାନରେ ସ୍ବାର୍ଥର ସଂଘର୍ଷ ରହିଛି । ତାହା ହେଉଛି ଆତ୍ମହିତ ସାଧନର ସଂଘର୍ଷ, ତାହା ଆମକୁ ନାନାଭାବରେ ଗଭୀର ବେଦନା ଦେଉଛି । ଆମର ଆଧ୍ୟାତ୍ମିକ ଦୈନ୍ୟର ଦୁଃଖ ଏବଂ ସଞ୍ଚିତ ପାପର ପ୍ରାୟଶ୍ଚିତ ମଧ୍ୟରୁ ସେହି ବେଦନା ଜନ୍ନଲାଭ କରିଥିଲେ ସୁଦ୍ଧା ତାହା ଆମକୁ ଆଘାତ ଦେଇଥାଏ । ଆମର ପ୍ରତିପକ୍ଷମାନେ ନିଜ ହୃଦୟର କ୍ଷୁଦ୍ରତାକୁ ଔଦ୍ଧତ୍ୟର ଛଦ୍ମତା ତଳେ ଲୁକ୍‍କାୟିତ କରନ୍ତି ଏବଂ ନିଜର ଅନ୍ଧତା ଓ ଅହଙ୍କାର ବଶତଃ ନିଜ ଛଡ଼ା ଅନ୍ୟ ଜାତିର ମାହାତ୍ମ୍ୟ ଅସ୍ୱୀକାର କରିଥାନ୍ତି । ଏହି କାରଣରୁ ଆମର ସେହି କ୍ଷତବେଦନା ସହ ଇଉରୋପର ସତ୍ୟ ଉପଲବ୍‍ଧି କରି ଗ୍ରହଣ କରିବା ଆମ ପକ୍ଷରେ ସହଜ ହୋଇ ନଥାଏ । ଇଉରୋପୀୟ ସଭ୍ୟତାର ଆନ୍ତଃରାଳରେ ନିହିତ ଧର୍ମଶକ୍ତି ଆମର ଅବିଶ୍ୱାସ୍ୟ ହୁଏ, ଏହି ସଭ୍ୟତାକୁ ବସ୍ତୁ ଜାଲଜଡ଼ିତ ସ୍ଥୂଳପଦାର୍ଥ ଜ୍ଞାନରେ ଆମେ ପ୍ରତ୍ୟାକ୍ଷାନ କଋଥାଉଁ । କେବଳ ସେତିକି ନୁହେ, ପାଖରେ ପ୍ରବଳ ପ୍ରତାପକୁ ସତ୍ୟର ଆସନ ପ୍ରଦାନ କରି ଭୁଲୁଣ୍ଠିତ ହୋଇ ତାହାର ଆରାଧନା କଲେ ଆତ୍ମା ଅପବିତ୍ର ହେବାର ଆଶଙ୍କା ଆମର ରହିଛି । ପୁଣି ଆମର ଭୟ ଯେ ଅନ୍ୟର ଗୌରବକୁ ସମ୍ମାନଜନକଭାବେ ଗ୍ରହଣ କରିବାକୁ ଆମେ ଅସମର୍ଥ ଏବଂ ସହଜରେ ଆତ୍ମବିଶ୍ୱାସର ଅବସାଦ ହେତୁ ନିଜ ବିଶ୍ୱାସର ବିସର୍ଜ୍ଜନ ପୂର୍ବକ ଅନୁକରଣର ଶୂନ୍ୟତା ମଧ୍ୟରେ ଲିପ୍ତ ରହି ଅପର କାୟାର ଛାୟା ଭାବରେ ସଂସାରରେ ନିଜ ଅସ୍ତିତ୍ୱ ଆମେ ରକ୍ଷା କରି ପାରିବୁ ନାହିଁ ।

 

ଏହି ସକଳ ବାଧାବିଘ୍ନ ରହିଛି; ସେଥିପାଇଁ ଏହି ପଥରେ ସତ୍ୟ ସନ୍ଧାନର ଯାତ୍ରା ହିଁ ତୀର୍ଥଯାତ୍ରା । ସମସ୍ତ ବାଧା ଉତ୍ତୀର୍ଣ୍ଣ ହେବାକୁ ପଡ଼ିବ; କ୍ଲେଶଦାୟକ ଉଦ୍ୟମର ଦୁଃଖ ସହ୍ୟକରି ଅଗ୍ରସର ହେବାର ଆବଶ୍ୟକତା ଉପଲବ୍‍ଧ ହେବ । ଆତ୍ମାଭିମାନର ବ୍ୟର୍ଥ ଭାରକୁ ପଛକୁ ଠେଲି ଏବଂ ଆତ୍ମଗୌରବର ପ୍ରକୃତ ପାଥେୟକୁ ଏକାନ୍ତ ଯତ୍ନ ସହକାରେ ସଞ୍ଚୟ କରି ଅଗ୍ରସର ହେବାକୁ ପଡ଼ିବ । ବସ୍ତୁତଃ ଏହି ସକଳ ବିଘ୍ନ ହେତୁ ଏହି ଯାତ୍ରାରେ ଫଳଲାଭର ପୂର୍ଣ୍ଣ ଆଶା ରହିଛି କାରଣ ସହଜଲବ୍ଧ ବସ୍ତୁ ଆମ ଆତ୍ମସତ୍ତାର ଅଙ୍ଗ ହୋଇ ନ ପାରେ । ଅଥଚ କୌଣସି ମହତ୍ ଲାଭର ଯଥାର୍ଥ ସଫଳତା ହିଁ ଚେତନାର ପୂର୍ଣ୍ଣତମ ପରିପ୍ରକାଶ । ଅର୍ଥାତ୍ ଯାହା କିଛି ଆମ୍ଭେମାନେ ସତ୍ୟ ଭାବରେ ଲାଭ କରୁ ତାହା ସତ୍ୟତାର ରୂପେ ବୃହତ୍ତର ଆତ୍ମୋପଲବ୍‍ଧି ଦିଗରେ ଆମକୁ ଚାଳନା କରିବା ବିଧେୟ । ଯଦି ତାହା ନ ହୁଏ ବାହାରର ବସ୍ତୁ ବାହାରର ହୋଇ ରହିବ ଏବଂ ଅନ୍ୟ ସକଳ ବସ୍ତୁ ତୁଲ୍ୟ ତାହା ମାୟା ଓ ମିଥ୍ୟା ।

 

-୧୯୧୨

 

ନିଜର କଣ୍ଟା ଲାଗି ଗୋଲାପ ଏକ ଲଜ୍ଜାରୁଣ

କ୍ଷମାଭିକ୍ଷା ମାତ୍ର ନୁହେ, ଏହା ତା'ଠାରୁ ଯଥେଷ୍ଟ ଅଧିକ ।

 

-ରବୀନ୍ଦ୍ରନାଥ

Image

 

Unknown

କର୍ତ୍ତାର ଇଚ୍ଛାରେ କର୍ମ

 

ପବନ ଯୋଗୁ ବର୍ଷା ଏପରି ହୁଏ ଯାହା ଫଳରେ ଆମ ଗଳିଠାରୁ ସାଧାରଣ ରାସ୍ତା ପର୍ଯ୍ୟନ୍ତ ଜଳ ଜମି ରହିଥାଏ । ପଥିକମାନେ ଛତା ଭଳି ସେମାନଙ୍କ ଜୋତାକୁ ମୁଣ୍ଡରେ ଧରି ଚାଲନ୍ତି ଏବଂ ପଡ଼ାବାସୀମାନେ ଆତ୍ମରକ୍ଷା ପାଇଁ ସଂଗ୍ରାମ କରୁଥିବାବେଳେ ଜଳଜନ୍ତୁଠାରୁ କୌଣସି ଗୁଣରେ ଅଧିକ ବୋଲି ମନେ ହୁଅନ୍ତି ନାହିଁ । ମୋର ପିଲାଦିନରୁ ବାଳ ପାଚିବା ଯାଏଁ ବର୍ଷ ବର୍ଷ ଧରି ଏହି ଦୃଶ୍ୟ, ମୁଁ ବାରଣ୍ଡାରେ ଥାଇ ଲକ୍ଷ୍ୟ କରିଛି ।

 

ଏହା ଭିତରେ ପ୍ରାୟ ଷାଠିଏ ବର୍ଷ ଅତିବାହିତ ହୋଇଗଲାଣି । ସେତେବେଳେ ଆମ ଯନ୍ତ୍ରଯୁଗର ବାଷ୍ପୀୟଯାନ ହିଁ ରପ୍ତାନୀର ଥିଲା ପ୍ରଧାନ ଅବଲମ୍ବନ । କିନ୍ତୁ ସେ କାଳରୁ ମଧ୍ୟ ବୈଦ୍ୟୁତିକ ଶକ୍ତି ଏହାକୁ ବିଦ୍ରୁପ ସହକାରେ ଉଙ୍କି ମାରି ଆସିଛି । ପରମାଣୁ ମତବାଦ ସେତେବେଳେ ପ୍ରାୟ ଅଜ୍ଞାତ, ମାତ୍ର ବର୍ତ୍ତମାନ ଏହାର ବ୍ୟାପକତା ସର୍ବତ୍ର ଅନୁଭୂତି । ମୃତ୍ୟୁ ପୂର୍ବରୁ ପିପିଲିକା ଯେପରି ପକ୍ଷ ବିସ୍ତାର କରେ ଠିକ୍ ସେହିପରି ମନୁଷ୍ୟ ଆଜି ଆକାଶରେ ପକ୍ଷ ବିସ୍ତାର କରି ବୁଲୁଅଛି ଏବଂ ଆକାଶରେ ନିଜ ନିଜର ଭାଗ ସକାଶେ ଅଂଶୀଦାରଙ୍କ ମଧ୍ୟରେ କଳହ ସୃଷ୍ଟି ହେବାର ଦିନ କେବେ ଆସିବ, ଓକିଲମାନେ ତାହା ବସି ଗଣୁଛନ୍ତି ।

 

ଚୀନର ଲୋକମାନେ ବହୁଦିନରୁ ରଖିଥିବା ନିଜ ନିଜର ଚୁରକି ରାତାରାତି ମୁଣ୍ଡରୁ କାଟି ଫିଙ୍ଗିଦେଲେ ଏବଂ ଜାପାନୀମାନେ ସମୟ ସାଗରରେ ବିରାଟ ଲମ୍ଫ ପ୍ରଦାନ ପୂର୍ବକ ପାଞ୍ଚଶହ ବର୍ଷର ଇତିହାସକୁ ପଚାଶ ବର୍ଷରେ ଅତିକ୍ରମ କରି ଏକ ନୂତନ ଇତିହାସ ସୃଷ୍ଟି କଲେ । କିନ୍ତୁ ସେହି ବର୍ଷାଜଳ ପ୍ରତି ଆମ ଗଳିର ଯେଉଁ ଆତିଥ୍ୟ ତାହା ସେହିପରି ଅପରିବର୍ତ୍ତିତ ହୋଇ ରହିଛି । ଏପରିକି ଭାରତୀୟ ଜାତୀୟ କଂଗ୍ରେସର ମୂଳଦୁଆ ପଡ଼ିବା ପୂର୍ବରୁ ଆମ ଗଳିର ସ୍ତ୍ରୀଲୋକମାନେ ବର୍ଷାଦିନେ ଗୀତ ଗାଉଥିଲେ ଯାହାର ଅର୍ଥ ହେଉଛି :–

 

"ଦୁଃଖର ସାଗର ଅତିକ୍ରମ କରିବାକୁହେ ପଥିକ, ତୁମକୁ କେତେକାଳ ଆଉ ଲାଗିବ ।"

 

ଆଜି ସ୍ଵରାଜ୍ୟ ଯେତେବେଳେ ଆମ ହାତମୁଠାରେ ଏବଂ ଗୋଟାଏ ପାଚିଲା ଫଳପରି ଆମର ଆଖି ଆଗରେ ଝୁଲୁଛି, ସେତେବେଳେ ମଧ୍ୟ ଏହି ସ୍ତ୍ରୀଲୋକମାନେ ବର୍ଷାକାଳର ଉପଯୋଗୀ ଏହି ଅର୍ଥ ସମ୍ବଳିତ ଗୀତଟିକୁ ଏକ ସ୍ୱର ଛାନ୍ଦରେ ଆବୃତ୍ତି କରିଥାନ୍ତି ।

 

ଅତି ଶୈଶବକାଳରୁ ଆମ ଗଳିଟି ବର୍ଷା ଜଳରେ ପ୍ଲାବିତ ହେବାର ଦୃଶ୍ୟ ଆମେ ଦେଖି ଆସିଛୁଁ । ସେଥିପାଇଁ ଏଥିରେ ଆମେ କେବେ ବିସ୍ମିତ ହୋଇ ନାହୁଁ । ପ୍ରତ୍ୟାଶିତ ଘଟଣାରେ କେହି କେବେ ବିଚଳିତ ହୋଇ ନ ଥାଏ । ସେଥିପାଇଁ ବିଚଳିତ ହେବା ପରିବର୍ତ୍ତେ ଆମେ ପରିତୁଷ୍ଟ ହୋଇ ରହିଥିଲୁ । ଚିଠିର ଗୋଟାଏ ଅଚିହ୍ନିତ ଶବ୍ଦର ହୁଏତ ଆମର ଦୃଷ୍ଟିକୁ ଆକର୍ଷଣ କରି ନ ପାରେ । କିନ୍ତୁ ରେଖାଙ୍କିତ ହୋଇଥିବା ଶବ୍ଦଟି ନିଶ୍ଚୟ ଆମର ଦୃଷ୍ଟିପଥାରୂଢ଼ ହେବ । କେବଳ ମୋର ମନ ନୁହେଁ, ମୋ ଗାଡ଼ିର ଚକ ମଧ୍ୟ ଯେତେବେଳେ ଆମ ଗଲି ଶେଷରେ ଚିତ୍‍ପୁର ରାସ୍ତାରେ ଥିବା ଯୁଗ୍ମ ଟ୍ରାମ୍ ଲାଇନ୍ ଗୁଡ଼ିକରେ ବାରମ୍ବାର ଧକ୍କା ଖାଇଥିଲା, ସେତେବେଳେ ତାହା ହିଁ ଘଟିଥିଲା । କହିବାକୁ ଗଲେ ଟ୍ରାମ୍ କମ୍ପାନୀ ସତେ ଯେପରି ଆମର ସେହି ଜଳ ପ୍ଲାବିତ ହେବ ଗଳିର ଦୃଶ୍ୟକୁ ପ୍ରଥମେ ହିଁ ରେଖାଙ୍କିତ କରିଥିଲା । ଏପରିକି ଏହି ଟ୍ରାମ୍ ଲାଇନ୍ ଗୁଡ଼ିକର ମରାମତି କାମ ଯଦିଓ ବର୍ଷାକାଳରେ ଆରମ୍ଭ ହେଉଥିଲା, ଏବଂ ତର୍କବିଜ୍ଞାନ ଅନୁସାରେ ଯେ କୌଣସି ଆରମ୍ଭର ଗୋଟିଏ ପରିସମାପ୍ତି ରହିବ ନିଶ୍ଚିତ ହେଲେ ମଧ୍ୟ, ଯୁକ୍ତିହୀନ ନୀତି ଅନୁସରଣ କରୁଥିବା ଟ୍ରାମ୍ କମ୍ପାନୀର ମରାମତି କାମ ଶେଷ ହେବା ପାଇଁ କୌଣସି ବ୍ୟବସ୍ଥା ରହୁ ନ ଥିଲା । ତେଣୁ ଯେତେବେଳେ ଟ୍ରାମ୍ ଲାଇନ୍ ତିଆରି ହେବାର ଦୃଶ୍ୟ ଓ ଜଳସ୍ରୋତ ସହିତ ମଣିଷ ସ୍ରୋତର ସଂଗ୍ରାମ ଦୃଶ୍ୟ ମୁଁ ଲକ୍ଷ୍ୟ କରୁଥିଲି ସେତେବେଳେ ମୋର ଦେହ ଓ ମନ ଉଭୟ ସିକ୍ତ ହୋଇ ଉଠୁଥିଲା । ଏହା ଫଳରେ ମୁଁ ସେତେବେଳେ ଗଭୀରଭାବରେ ଚିନ୍ତା କରିବାକୁ ଲାଗିଲି ଯେ ଆମେ କାହିଁକି ଏପରି ମୁଣ୍ଡ ନୁଆଁଇ ଚିରକାଳ ପଡ଼ିରହିବା ?

 

ଆମେ ଯଦି ସହୁଛୁ, ତାହାହେଲେ ଆମେ ନିଜ ପାଇଁ ଯେ ଭଲ କାମଟାଏ କରୁ ନାହୁଁ, ଏକଥା ଚୌରଙ୍ଗୀର ୟୁରୋପୀୟ ମହଲରେ କେବଳ ପହଞ୍ଚିଲେହିଁ ଆମେ ଅନୁଭବ କରିଥାଉଁ । ଆମେ ଏକା ସହର ଓ ଏକା ମ୍ୟୁନିସପାଲିଟି ଭିତରେ ରହିଛୁଁ; ମାତ୍ର ଆମଭିତରେ ପାର୍ଥକ୍ୟ ହେଉଛି ଯେ, ଭାରତୀୟମାନେ ଅଳ୍ପରେ ପରିତୃପ୍ତ କିନ୍ତୁ ସେମାନେ ନୁହନ୍ତି ।

 

ଧୀର ସୁସ୍ଥ ଭାବରେ ଦୀର୍ଘକାଳ ଧରି ଯଦି ଚିତ୍‍ପୁର ରାସ୍ତାଭଳି ଟ୍ରାମ୍ କମ୍ପାନୀ ମରାମତିକାମପାଇଁ ଚୌରାଙ୍ଗୀକୁ ଖୋଳି ତାର ଆଠ ଭାଗରୁ ସାତ ଭାଗ ସ୍ଥାନ ଅଧିକାର କରନ୍ତା ତାହାହେଲେ ଦିନ ରାତି ତାକୁ ଖାଇବାକୁ ବା ଶୋଇବାକୁ ସମୟ ମିଳୁ ନ ଥାନ୍ତା ।

 

ଆମ ଭିତରୁ ନିରୀହ ଓ ଭଲଲୋକମାନେ କହିବେ ‘‘ତୁମେ କ’ଣ ଚାହୁଁଛ ଯେ ସାମାନ୍ୟ ଅସୁବିଧା ପାଇଁ ଟ୍ରାମ୍‍ଲାଇନର ମରାମତି କାମ ବନ୍ଦ ରହିବ ଏବଂ ସେ ଅସୁବିଧା ଅନ୍ୟ ପ୍ରକାରରେ ତ ଆମେ ସହୁଛୁ ?’’ ‘‘ଅବଶ୍ୟ ସେଗୁଡ଼ିକର ମରାମତି ହେବ ଆବଶ୍ୟକ କିନ୍ତୁ ଏକ ଅଦ୍ଭୁତଧରଣର ସହଜମନ୍ଥର ଗତିରେ ହେବ ଅନୁଚିତ ।’’ ‘‘ତାହା କ’ଣ ସମ୍ଭବ ?" ଆମ ଭିତରେ ଯେଉଁ ଭଲଲୋକ ଅଛନ୍ତି ସେମାନଙ୍କର ପତିଆରା ନାହିଁ ଯେ, ଯେଉଁ ଅବସ୍ଥାରେ କୌଣସି ବିଷୟ ବର୍ତ୍ତମାନ ରହିଛି, ତାର ରୂପ ଅଧିକତର ସୁନ୍ଦର ହୋଇପାରେ । ସେଥିପାଇଁ ଆମ ରାସ୍ତା ଓ ଗଳିଗୁଡ଼ିକ ବର୍ଷା ପାଣିରେ ବୁଡ଼ି ରହିଥାଏ । ତେଣୁ ସର୍ବତ୍ର ଆମେ ଦାରିଦ୍ର୍ୟ ଦ୍ୱାରା ଆଚ୍ଛନ୍ନ ହୋଇଥାଉଁ, ଏବଂ ଫଟା ଟିଣରୁ ଆଲାକତାରା ଝରିଲାଭଳି ଆମର ଦାରିଦ୍ର୍ୟ ସବୁଠୁଁ ଫୁଟି ବାହାରୁଥାଏ ।

 

ମୁଁ ଯାହା କହୁଛି ତାହା ସାମାନ୍ୟ ବୋଲି ଶୁଣାଗଲେ ମଧ୍ୟ ସେପରି ତୁଚ୍ଛ ନୁହେ । କୌଣସି ବିଷୟ ଉପରେ ଆମର ଯେ ଆଧିପତ୍ୟ ରହିଛି ତାହା କୌଣସି ସମୟରେ ଆମେ ପୂର୍ଣ୍ଣମାତ୍ରାରେ ଉପଲବ୍ଧି କରି ନାହୁଁ । କୌଣସି ବହିରେ ଗୋଟେ କାଚ ପାତ୍ରରେ ରଖା ଯାଇଥିବା ମାଛ ବିଷୟ ପଢ଼ିଥିଲି । ସେହି ମାଛଟି କାଚ ପାତ୍ରରେ ବହୁବାର ତାର ମୁଣ୍ଡକୁ ଆଘାତ କରିବା ପାରେ ବୁଝି ପାରିଲା ଯେ କାଚ ପାଣି ନୁହେଁ । ତା ପରେ ତାକୁ ଗୋଟାଏ ବଡ଼ ଜଳାଶୟରେ ଛାଡ଼ି ଦିଆଗଲା ଏବଂ ସେଠାରେ ପାଣି ଯେ କାଚ ମୁହଁ ଏ କଥା ବୁଝିବାକୁ କେବେ ସେ ଆଉ ଶକ୍ତି ଅର୍ଜନ କରି ପାରିଲା ନାହିଁ, ଫଳରେ ମାଛଟି କେବଳ ଗୋଟିଏ ସଂକୀର୍ଣ୍ଣ ସ୍ଥାନ ମଧ୍ୟରେ ଘୁରିବାକୁ ଆରମ୍ଭ କଲା ।

 

ଠିକ୍ ସେହି ମାଛଭଳି ଆମର ଶିର ଆଘାତପ୍ରାପ୍ତ ହେବାର ଆତଙ୍କ ଆମର ଅସ୍ଥି ମଜ୍ଜାଗତ ହୋଇଯାଇଛି ଏବଂ ନିରାପତ୍ତା ସତ୍ତ୍ୱେ ସ୍ୱାଧୀନ ଭାବରେ ସନ୍ତରଣ କରିବାର ଶକ୍ତି ମଧ୍ୟ ଆମେ ହରାଇବସିଛୁଁ ।

 

ଆମ ପୁରାଣରେ ଅଛି ଯେ ଅଭିମନ୍ୟୁ ମାତୃଗର୍ଭରେ ଥିବା ସମୟରେ ଶତ୍ରୁ ଦୁର୍ଗରେ ପ୍ରବେଶ କରିବାର ବିଦ୍ୟା ଶିଖିଥିଲା । କିନ୍ତୁ ସେଥିରୁ ବାହାରି ଆସିବାର ବିଦ୍ୟା ସେ ଜାଣି ନ ଥିଲା । ଫଳରେ ରଥାରୋହୀ ସାତଜଣ ଯୋଦ୍ଧାଙ୍କ ଦ୍ୱାରା ତାର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ଆଘାତପ୍ରାପ୍ତ ହୋଇଥିଲା, ଠିକ୍ ସେହିପରି ଆମେ ମଧ୍ୟ ଜନ୍ମ ହେବା ପୂର୍ବରୁ ଆବଦ୍ଧ ହେବାର ବିଦ୍ୟା ହାସଲ କରୁଁ, କିନ୍ତୁ ବନ୍ଧନ ମୁକ୍ତ ହେବାର କୌଶଳ ଜାଣୁ ନାଁ; ତେଣୁ ଜନ୍ମ ମୁହୂର୍ତ୍ତରୁ ଆମେ ଯାହା କିଛି ଚିନ୍ତା ବା କର୍ମକରୁ, ପ୍ରତ୍ୟେକ ବିଷୟରେ କେବଳ ଜଡ଼ିତ ରହୁଁ, ଫଳରେ ବଡ଼ ସାନ ସମସ୍ତଙ୍କଠାରୁ ଆମେ ବିଧା ଗୋଇଠା ଖାଉଁ । ପୁରୁଷାନୁକ୍ରମେ ଆମେ ବିଭିନ୍ନ ବ୍ୟକ୍ତି, ଶାସ୍ତ୍ର, ଏପରି କି ଆମକୁ ସଂକୁଚିତ କରୁଥିବା ଭାବଭଙ୍ଗୀ ଓ ଲକ୍ଷଣ ନିକଟରେ ଏପରି ଗଭୀର ଆନୁଗତ୍ୟ ପ୍ରଦର୍ଶନ କରିଥାଉଁ ଯେ ପୃଥିବୀର କୌଣସି ସ୍ଥାନରେ ଆମର ଯେ କିଛି ଆଧିପତ୍ୟ ରହିଛି ତାହା ଅନୁଭବ କରିବାକୁ ଆମେ ଅକ୍ଷମ ହେଉଁ । ମନୁଷ୍ୟ ପକ୍ଷରେ ଜାଣିବାର ଶ୍ରେଷ୍ଠ କଥା ହେଉଛି କ୍ଷମତାର ଅଧିକାର ହିଁ ପୌରୁଷର ଐଶ୍ୱର୍ଯ୍ୟ । ଯେଉଁ ଦେଶରେ ଏହି ଜ୍ଞାନ ଧର୍ମର କେତେଗୁଡ଼ିଏ ଯଦୁମନ୍ତରା, ଶ୍ଳୋକ ଓ ଅନୁଷ୍ଠାନ ପଦ୍ଧତି ମଧ୍ୟରେ ଅବରୁଦ୍ଧ ହୋଇଥାଏ, ଯେଉଁଠି ମନୁଷ୍ୟ ନିୟମର ସୂକ୍ଷ୍ମତମ ବ୍ୟତିକ୍ରମ ମଧ୍ୟ ପରିହାର କରିବା ପାଇଁ ଆଚରଣ କ୍ଷେତ୍ରରେ ନିଜର ହସ୍ତପଦ ଶୃଙ୍ଖଳିତ କରିଥାଏ, ଯେଉଁଠି ଦୂରକୁ ଚାଲିଯିବା ଭୟରେ ନିଜ ହାତରେ ନିଜର ଗତିପଥ ସେ ନଷ୍ଟ କରି ଦେଇଥାଏ, ସେଭଳି ଦେଶ ଆଧ୍ୟାତ୍ମିକତା ନାମରେ ମାନବିକତା ପ୍ରତି ଘୋର ଅବମାନନା ପ୍ରଦର୍ଶନ କରିବାକୁ ଶିକ୍ଷା ଦେଇଥାଏ, ଏବଂ ପୃଥିବୀରେ କେବଳ କ୍ରୀତଦାସ ଉତ୍ପାଦନ କରିବା ପାଇଁ ବୃହତ୍ତମ କାରଖାନା ସେ ସୃଷ୍ଟି କରେ ।

 

ଆମର ଶାସକଗଣ ଶାସ୍ତ୍ରୀୟ ଆଡ଼ମ୍ବର ପ୍ରଦର୍ଶନ କରି ଆମକୁ କହିଥାନ୍ତି ଯେ ଆମ୍ଭେମାନେ ଅଯୋଗ୍ୟ, ଆମ୍ଭେମାନେ ଭୁଲ କରିବୁ ଏବଂ ସେଥିପାଇଁ କୌଣସି କ୍ଷମତା ଆମ ଉପରେ ନ୍ୟସ୍ତ କରାଯାଇ ନ ପାରେ । ଏ କଥାଗୁଡ଼ିକ ଆମର ଅତୀତଯୁଗ ରୁଷି ଓ ସ୍ମୃତିକାର ମନୁ ଏବଂ ପରାଶରଙ୍କ ନିକଟରେ ଶୋଭା ପାଇଁ ପାରେ; କିନ୍ତୁ ଇଂରାଜୀ ଶାସକଙ୍କ ମୁହଁରେ ତାହା ସୁନ୍ଦର ଶୁଣାଯାଏ ନାହିଁ । ତେଣୁ ସେମାନେ ସ୍ୱାଭାବିକ ଅବସ୍ଥାରେ ଥିବାବେଳେ ଯେପରି ସରଳ ଭାଷା ବ୍ୟବହାର କରିଥାଆନ୍ତି, ଠିକ୍ ସେହିପରି ସରଳ ଭାଷାରେ ଆମର ଶାସକମାନଙ୍କୁ ଆମେ ଉତ୍ତର ଦେଇ କହିଥାଉଁ ଯେ କ୍ଷମତା ନ ଥିବା ଅପେକ୍ଷା ଭୁଲ କରିବା ଅଧିକ ବିପଜ୍ଜନକ ନୁହେ । ଭୁଲ କରିବାର ସ୍ୱାଧୀନତାହିଁ ମନୁଷ୍ୟକୁ ସତ୍ୟରେ ଉପନୀତ ହେବାର ସ୍ୱାଧୀନତା ପ୍ରଦାନ କରିଥାଏ-। ନିର୍ଭୁଲ ହେବା ଆଶାରେ ପ୍ରାଣହୀନ ହେବା ଅପେକ୍ଷା ଆମେ ବରଂ ଭୁଲ କରିବା ଶ୍ରେୟସ୍କର-

 

ଆମେ ଅଧିକ ମଧ୍ୟ କହି ପାରନ୍ତୁ ଏବଂ ଆମର ଶାସକମାନଙ୍କୁ ସ୍ମରଣ କରାଇ ପାରନ୍ତୁ ଯଦିଚ ସେମାନେ ଆଜି ସ୍ୱାୟତ୍ତଶାସନର ମଟର ଗାଡ଼ିରେ ଚଢ଼ି ବୁଲୁଛନ୍ତି ସେମାନେ ପ୍ରଥମେ କୁକୁର ଟଣା ଗାଡ଼ିରେ ସେମାନଙ୍କର ରାଜନୀତିକ ଯାତ୍ରା ଆରମ୍ଭ କରିଥିଲେ । ସେତେବେଳେ ଉଷାର ଆବିର୍ଭାବ ହେବା ପୂର୍ବରୁ କେବଳ ଗୋଧୂଳିହିଁ ଲକ୍ଷିତ ହେଉଥିଲା । ସେଦିନ କାଦୁଅ ଗୁଲାରେ ଲାଖିଯାଉଥିବା ବେଳେ ସେମାନଙ୍କ ଗାଡ଼ି ଚକର କୋଳାହଳ ବିଜୟ-ଧ୍ୱନି ଭଳି ଶୁଣାଯାଉ ନ ଥିଲା । ଇଂରାଜୀ ପାର୍ଲାମେଣ୍ଟ ତାର ଆରମ୍ଭରୁ ଷ୍ଟିମ ରୋଲର ଦ୍ୱାରା ଚିକ୍କଣ ହୋଇଥିବା ପକ୍କା ରାସ୍ତାରେ କେବେ ଗତି କରି ନ ଥିଲା, ବରଂ ତାହାର ଜୀବନ ଇତିହାସରେ ସେ ବାରମ୍ବାର ଭୀଷଣ ଭାବରେ ବାଁ ଡାହାଣକୁ ନିକ୍ଷିପ୍ତ ହୋଇଛି ଏବଂ ବିଭିନ୍ନ ଦୃଷ୍ଟାନ୍ତର ବକ୍ର ପଥରେ ଗତି କରିଛି । ଏହା ବହୁ ଦୁର୍ନୀତି ଓ ଦ୍ଵନ୍ଦ, ବିରୋଧ, ଅନ୍ୟାୟ ଓ କୁ-ପରିଚାଳନା ମଧ୍ୟରେ ଦୋଳାୟିତ ହୋଇଅଛି ବା କେତେବେଳେ ପଛକୁ ପଡ଼ିଯାଇଛି । ଏହା କେତେବେଳେ ରାଜା, କେତେବେଳେ ଗୀର୍ଜା, କେତେବେଳେ ଜମିଦାର; ଏପରି କି କେତେବେଳେ ମଦ ବ୍ୟବସାୟୀଙ୍କ ସ୍ୱାର୍ଥଲାଗି ମଧ୍ୟ ବିନିଯୁକ୍ତ ହୋଇଛି । ସମୟ ଥିଲା ଯେତେବେଳେ କି ସଭ୍ୟଗଣ ଅର୍ଥଦଣ୍ଡ ଓ ତିରସ୍କାର ଭୟରେ ପାର୍ଲାମେଣ୍ଟରେ ଯୋଗଦାନ କରୁଥିଲେ । ମନୁଷ୍ୟର ଭ୍ରାନ୍ତି ସମ୍ପର୍କରେ କହିଲେ ଇଂରେଜ ଜାତିର ଗୋଟିଏ ଦୀର୍ଘ ତାଲିକା ଆମେ ଦେଇ ପାରୁ ଏବଂ ତାର ଅତୀତର ଆୟରଲାଣ୍ଡ ଓ ଆମେରିକା ସହିତ ସମ୍ପର୍କରୁ ଆରମ୍ଭ କରି ବର୍ତ୍ତମାନର ବୋର୍ ଯୁଦ୍ଧ, ମେସୋପଟାମିଆ, ଡାରଢ଼େନିଲିସ୍ ସହିତ ସମ୍ପର୍କ ସ୍ଥାପନରେ ଆମେ ଶେଷ କରି ପାରୁ । ଭାରତବର୍ଷରେ ମଧ୍ୟ ସେମାନେ ଯେଉଁ ଭୁଲ କରିଛନ୍ତି ତା'ର ତାଲିକା କିଛି କମ୍ ନୁହେଁ; କିନ୍ତୁ ସେ ସମ୍ବନ୍ଧରେ କିଛି ନ କହିବା ବରଂ ଭଲ । ଆମେରିକାର ରାଜନୀତିରେ ଧନକୁବେରର ଉପାସକଦଳ ଯେଉଁ ନିଷ୍ଠୁର ଅତ୍ୟାଚାରଲୀଳା ପ୍ରଦର୍ଶନ କରିଛନ୍ତି, ତାହା ଅବହେଳିତ ହେବାର ନୁହେ, ଫ୍ରାନ୍ସର ଡ୍ରାଇଫାସ ଘଟଣାରେ ସ୍ପଷ୍ଟ ହୋଇଥିବା ସାମରିକ ନେତାମାନଙ୍କର ଦୁର୍ନୀତି ଆମକୁ ଦେଖାଇ ଦେଇଛି ଫ୍ରାନ୍ସର ତତ୍କାଳୀନ ରାଜନୀତିରେ କିପରି ନୀଚତମ ପ୍ରବୃତ୍ତିର ଅନ୍ଧଶକ୍ତି ଆଧିପତ୍ୟ ବିସ୍ତାର କରିଥିଲା । ଏ ସକଳସତ୍ତ୍ୱେ ଆଜି କାହାର ଅଣୁମାତ୍ର ସନ୍ଦେହ ନାହିଁ ଯେ କେବଳ ସ୍ୱାୟତ୍ତଶାସନର ନିୟତ ସକ୍ରିୟ ପ୍ରେରଣାହିଁ ବିଭିନ୍ନ ପରୀକ୍ଷା ମଧ୍ୟରେ ମନୁଷ୍ୟକୁ ସକଳ ପ୍ରମାଦ ଅତିକ୍ରମ କରିବା ପାଇଁ ଏବଂ ପ୍ରତ୍ୟେକ ପତନ ପରେ ସଂଗ୍ରାମ କରି ଉନ୍ନତିର ଶୀର୍ଷସୋପାନ ଅପହରଣ କରିବାକୁ ସମର୍ଥ କରିଛି-। ସେଥିପାଇଁ ତାକୁ ଶୃଙ୍ଖଳବଦ୍ଧ କରି ତାର ସବୁଠୁ ବେଶୀ ରୁଚିକର ଖାଦ୍ୟଦେବା ପରିବର୍ତ୍ତରେ ସେ ଅନାହାରରେ ରହିଲେ ମଧ୍ୟ ତାକୁ ସ୍ୱାଧୀନ ଭାବରେ ନିଜ ଜୀବିକାର୍ଜନର ସୁଯୋଗ ଦେବା ଉଚିତ ।

 

ଏହାଠୁଁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ରାଜନୀତିକ ସ୍ୱାଧୀନତା, ଏହା କେବଳ ଯେ ଦାୟିତ୍ୱଜ୍ଞାନ ଓ ସୁପରିଚାଳନାର କ୍ଷମତା ପ୍ରଦାନ କରିଥାଏ ତାହା ନୁହେଁ; ତାହା ମାନସିକ ପରିସରକୁ ମଧ୍ୟ ବିସ୍ତୃତ କରିଥାଏ । ଗ୍ରାମର ସାମାଜିକ-ଶ୍ରେଣୀ-ବୈଷମ୍ୟ ଓ ତାର ସମାଜ ଭିତରେ ଆବଦ୍ଧ ହୋଇଥିବା ଲୋକମାନେ ଯେତେବେଳେ ରାଜନୀତିକ କ୍ଷମତା ହାସଲ କରନ୍ତି, ସେତେବେଳେ ଏକ ବୃହତ୍ତର ପରିଧି ଭିତରେ ଜୀବନକୁ ଦେଖିବା ପାଇଁ ସେମାନେ ଆରମ୍ଭ କରନ୍ତି-। ଏହି ସୁଯୋଗର ଅଭାବରୁ ମଣିଷ ହିସାବରେ ସେମାନେ ସଂକୀର୍ଣ୍ଣ ହୋଇ ରହନ୍ତି । ସେମାନଙ୍କର ଜୀବନ ଯେ ମାନବିକତାର ବ୍ୟାପକ ବିସ୍ତୃତି ସହିତ ସଂଲଗ୍ନ, ସେମାନେ ତାହା ଅନୁଭବ କରି ପାରନ୍ତି ନାହିଁ । ଫଳରେ ସେମାନଙ୍କର ଶାରୀରିକ ଓ ମନାସିକାଶକ୍ତି, ଆଶା ଓ ଆକାଂକ୍ଷା ସବୁ ସଂକୁଚିତ ହୋଇପଡ଼େ । ମନୁଷ୍ୟ ଆତ୍ମାର ଏହି ସଂକୋଚନ ତାହାର ମୃତ୍ୟୁ ଅପେକ୍ଷା ମଧ୍ୟ ଅଧିକ ଭୟାବହ । "ଭୂମୈବ ସୁଖମ୍, ନାଳ୍ପେ ସୁଖମସ୍ତି"-ସ୍ୱଳ୍ପତା ନୁହେଁ; କେବଳ ପ୍ରାଚୁର୍ଯ୍ୟହିଁ ସନ୍ତୋଷ ପ୍ରଦାନ କରିଥାଏ । ଆମର ଶାସକମାନଙ୍କୁ ଆମେ କହୁଚୁ ଯେ ସ୍ୱାୟତ୍ତଶାସନର ଦାବି ଦ୍ୱାରା ଭୁଲ କରିବାର ପ୍ରତ୍ୟେକ ବିପଜ୍ଜନକ ସମ୍ଭାବନାକୁ ଆମେ ସ୍ୱୀକାର କରୁଛୁଁ । ସାମୟିକ ପତନର ଆଶଙ୍କା ଆମର ଥିଲେ ମଧ୍ୟ ଆମେ ଆଗେଇ ଚାଲିବାକୁ ପ୍ରସ୍ତୁତ । ପାଟନାର କଥା ବାରମ୍ବାର ଆମକୁ କହି ଆମର ଅଗ୍ରଗତିରୁ ଆମକୁ ନିରୁଦ୍ଧ ନ କରନ୍ତୁ ବୋଲି ଆମର ଶାସକମାନଙ୍କୁ ତେଣୁ ଆମେ କହୁଛୁଁ ।

 

ଏହାହିଁ ହେଉଛି ପ୍ରକୃତ ଉତ୍ତର । ଏହି ଉତ୍ତର ଦେଇ ଯେଉଁ ଅବାଧ୍ୟ ଲୋକ ଶାସକଗୋଷ୍ଠୀଙ୍କୁ ଉତ୍ତେଜିତ କରନ୍ତି, ସେମାନେ ତାଙ୍କ ଦ୍ୱାରା ଦଣ୍ଡିତ ହୋଇଥାଆନ୍ତି । ଅନ୍ୟ ପକ୍ଷରେ ଜାତୀୟତାବାଦୀମାନଙ୍କ ଦ୍ୱାରା ସେମାନେ ପ୍ରଶଂସିତ ହୋଇଥାଆନ୍ତି । ଆମର ସମାଜନେତାଙ୍କୁ ଏହିଭଳି ଯଦି ଏକ ଉତ୍ତର ଦେଉଁ, ତାହାହେଲେ ତାହାର ଫଳାଫଳ କ’ଣ ହେବ ତାହା ବର୍ତ୍ତମାନ ବିଚାର କରାଯାଉ । ଧରି ନିଆଯାଉ ଆମେ ଆମର ସମାଜଶାସକମାନଙ୍କୁ କହିଲୁ ଯେ ସେମାନେ ଆମ ସମ୍ପର୍କରେ ଯାହା କହୁଛନ୍ତି, ତାହା ଆମେ ଗ୍ରହଣ କରି ନେଇଛୁ । ଆମେ ଗୋଟିଏ ଭ୍ରଷ୍ଟ ଯୁଗରେ ବାସ କରୁଛୁ । ଆମର ବିଚାର ସ୍ୱାଧୀନତା ଯେତେବେଳେ ପ୍ରୟୋଗ କରୁଛୁ ଆମେ ଭୁଲ କରୁଛୁ ଓ ସ୍ୱାଧୀନ ଆଚରଣ ଦ୍ୱାରା ଅନ୍ୟକୁ ଅପମାନିତ କରୁଛୁ । ସେଥିପାଇଁ ଆମର ବିବେକବୁଦ୍ଧିକୁ ସମ୍ମାନ ଦେବା ଉଚିତ ନୁହେ ଓ ନତମସ୍ତକରେ ଶାସ୍ତ୍ରବାକ୍ୟକୁ ଆମେ ସ୍ୱୀକାର କରିଯିବା ଉଚିତ । କିନ୍ତୁ ଆମେ ଯଦି ଆମର ସମାଜଶାସକମାନଙ୍କୁ କହୁଁ ଯେ, ଏସବୁ ଆମେ ସ୍ୱୀକାର କରି ନେଉଛୁ ସତ, କିନ୍ତୁ ତାଙ୍କୁ ସମ୍ମାନ ଦେଖାଇ ନିଜକୁ ଅପମାନିତ କରିବାକୁ ଆମେ କୁଣ୍ଠିତ, ତାହାହେଲେ ସେମାନଙ୍କ ଚକ୍ଷୁ କ୍ରୋଧରେ ଆରକ୍ତ ହୋଇ ଉଠିବ ଏବଂ ସଙ୍ଗେ ସଙ୍ଗେ ଆମର ସାମାଜିକ ନିର୍ବାସନ ପାଇଁ ସେମାନେ ଦଣ୍ଡାଦେଶର ବିଧାନ କରିବେ । ଯେଉଁମାନେ ରାଜନୀତିକ ଆକାଶରେ ଉଡ଼ିବା ପାଇଁ ପକ୍ଷ ସଞ୍ଚାଳନ କରନ୍ତି ସେମାନେ ସାମାଜିକ ଭିତ୍ତି ଉପରେ ନିଜର ପଦ ସୁଦୃଢ଼ ଭାବରେ ସ୍ଥାପନ କରିଥାନ୍ତି । ଏହି ବିଷୟର ପ୍ରକୃତ ସ୍ୱରୂପ ହେଉଛି ଯେ ନୌକାକୁ ବାମ ଡାହାଣ ଉଭୟ ଦିଗରେ ପରିଚାଳିତ କରିବାକୁ ଗୋଟିଏ ମାତ୍ର ଆହୁଲା ପ୍ରୟୋଜନ-। ଠିକ୍ ସେହିଭଳି ଏକ ମୌଳିକ ନୀତି ଆବଶ୍ୟକ, ଯାହା ଉପରେ ପ୍ରଭୁତ୍ୱ ଅର୍ଜନ କରିବା ଦ୍ୱାରା ମନୁଷ୍ୟ ସାମାଜିକ ଓ ରାଜନୀତିକ ଉଭୟ କ୍ଷେତ୍ରରେ ସତ୍ୟବାନ ହେବାକୁ ସମର୍ଥ ହୁଏ । ଚୌରଙ୍ଗୀ ଓ ଚିତ୍‍ପୁର ରାସ୍ତାର ପାର୍ଥକ୍ୟ ଏହି ନୀତିର ଦୃଷ୍ଟିକୋଣର ପାର୍ଥକ୍ୟ ମଧ୍ୟରେ ନିହିତ । ଚିତ୍‍ପୁର ରାସ୍ତା ସିଧା ସଳଖ ଭାବେ ସ୍ଥିର କରିନେଇଛି ଯେ ପ୍ରତ୍ୟେକ କଥା ତାର ଉଚ୍ଚ କତ୍ତୃପକ୍ଷଙ୍କ ହାତରେ ରହିଛି ଏବଂ ସେଥିପାଇଁ ସେ ଅକର୍ମା ହୋଇ ପଛରେ ପଡ଼ିରହିଛି । କିନ୍ତୁ ଚୌରାଙ୍ଗୀର ଦୃଷ୍ଟିକୋଣ ହେଉଛି, ତା'ସହିତ ସମ୍ପର୍କିତ ଯେ କୌଣସି ପ୍ରସଙ୍ଗରେ କଥା କହିବାର ଅଧିକାର ତାର ରହିଛି । ଏହା ବିଶ୍ୱାସ କରେ ଯେ କତ୍ତୃପକ୍ଷ ଓ ତା ନିଜ ମଧ୍ୟରେ ସୁଦୃଢ଼ ସମ୍ପର୍କ ବିଦ୍ୟମାନ ଏବଂ ସେହି ବିଶ୍ୱାସ ଫଳରେ ନିଜ ଶକ୍ତି ମଧ୍ୟରେ ସେ ସମଗ୍ର ପୃଥିବୀକୁ ଧାରଣ କରିଛି-। ମାତ୍ର ଏହି ବିଶ୍ୱାସର ଅଭାବ ଫଳରେ ଚିତ୍‍ପୁର ରାସ୍ତା ନିଜ ହାତ ମୁଠାରେ ପୃଥିବୀକୁ ଧରି ରଖି ପାରି ନାହିଁ ଏବଂ ଆଖିବୁଜି ସଂଜ୍ଞାହୀନ ହୋଇ ପଡ଼ିରହିଛି । ଆମର ସଂକୀର୍ଣ୍ଣ ସ୍ୱଦେଶୀଶାସନ ଯେ ସର୍ବୋତ୍କୃଷ୍ଟ ଏହା ଭାବିବାକୁ ଗଲେ ଆମକୁ ଆଖି ବୁଝିବାକୁ ପଡ଼ୁଛି । ଆଖି ଖୋଲିଲାବେଳକୁ ଆମେ ଦେଖୁଛୁଁ ସମଗ୍ର ପୃଥିବୀବ୍ୟାପୀ ଏକ ମହତ୍ ନୀତି ସକ୍ରିୟ । ଏହି ନୀତିକୁ ଗ୍ରହଣ କରିବା ଅର୍ଥ ଶକ୍ତି, ସୁଖ ଓ ସମୃଦ୍ଧି ଅର୍ଜନ କରିବା । ବ୍ୟକ୍ତିବିଶେଷର ସଫଳତା ବ୍ୟକ୍ତିଗତ ବିଧାନ ଦ୍ୱାରା ଘଟି ନ ଥାଏ । ତାହା ସାର୍ବଭୌମିକ ନୀତିର ଅନୁସରଣ ଦ୍ଵାରାହିଁ ସଂଘଟିତ ହୋଇଥାଏ । ଏହାର ନିଶ୍ଚିତ ଜ୍ଞାନ ହିଁ ଇଉରୋପୀୟ ସଭ୍ୟତାକୁ ଶକ୍ତିର ସୁଦୃଢ଼ ଭିତ୍ତି ପ୍ରଦାନ କରିଛି ।

 

କିନ୍ତୁ ପୃଥିବୀର ଏହି କୋଣରେ ବସି ଆମେ ହସ୍ତ ଉତ୍ତୋଳନ କରି ଓ ଦୀର୍ଘନିଶ୍ୱାସ ଛାଡ଼ି କହୁଛୁ ଯେ ସବୁ ସେହି କର୍ତ୍ତାର ହିଁ ଇଚ୍ଛା । ଏହି ପ୍ରଭୁଙ୍କୁ ଆମେ ସହସ୍ର ନାମ ଦେଇଛୁଁ । ତାଙ୍କୁ ବାପା, ବଡ଼ ଭାଇ, ପୋଲିସ୍ ଇନିସ୍ ପେକ୍ଟର, ପୁରୋହିତ, ପଣ୍ଡିତ, ଶିତଳା (ବସନ୍ତର ଠାକୁରାଣୀ) ମନସା (ସର୍ପଦେବୀ), ଓରାବିବି (ହଇଜା ଠାକୁରାଣୀ), ଦକ୍ଷିଣରାୟ (ବ୍ୟାଘ୍ର ଦେବତା) ଏବଂ ସ୍ୱର୍ଗୀୟ ଗ୍ରହାଦି ଯଥା ସାନି, ମଙ୍ଗଳ, ରହୁ ଓ କେତୁ ପ୍ରଭୃତି ବିଭିନ୍ନ ନାମରେ ଡାକିଛୁ । ଆମେ ନିଜର ଆତ୍ମଶକ୍ତିକୁ ସହସ୍ର ଖଣ୍ଡରେ ବିଭକ୍ତ କରି ଶୂନ୍ୟ ଗର୍ଭକୁ ନିକ୍ଷିପ୍ତ କରି ଦେଉଛୁ ।

 

କଲେଜ ପଢ଼ୁଆ ନିଶ୍ଚୟ କହିବେ, ‘‘ଆମେ ସେହି ପୁରୁଣା ପ୍ରଥା ଓ ବିଶ୍ୱାସକୁ ସବୁବେଳେ ମାନୁ ନା, ବସନ୍ତ ପାଇଁ ଆମେ ଟୀକା ନେଉଛୁଁ ଓ ହଇଜା ହେଲେ ଆମକୁ ସାଲାଇନ୍ ଇଞ୍ଜେକ୍ସନ ଦିଆଯାଉଛ ।’’ ମଶା ଆଣୁଥିବା ମେଲେରିଆକୁ ଦୈବୀ ବୋଲି ନ ଭାବି ଆମେ ତାକୁ ଜୀବାଣୁ ଦ୍ୱାରା ଘଟୁଛି ବୋଲି ମନେକରୁଛୁଁ । ‘‘ପରନ୍ତୁ ଆମ ପେଟ ଫୁଲାଇ ଦେଉଥିବା ପ୍ଳୀହାର ଚିକିତ୍ସା ପାଇଁ ଗୋଟିଏ ମନ୍ତ୍ର କବଚ ପେଟ ଉପରେ ଆମେ ଝୁଲାଇ ରଖୁଁ । ‘‘ଏ ବିଷୟରେ ଆମେ ମୁକ୍ତ କଣ୍ଠରେ ସ୍ୱୀକାର କରୁ ବା ନ କରୁ ସେଥିରେ କିଛି ଯାଏ ଆସେ ନା, କିନ୍ତୁ ଏହା ସତ୍ୟ ଯେ ଆନୁଗତ୍ୟର ବିଷ ଦ୍ୱାରା ଆମର ମନ କ୍ଷୟପ୍ରାପ୍ତ ହୋଇଯାଇଛି । ଏହି ମାନସିକ ଭୀରୁତା ଏକ ଅନିର୍ଦ୍ଧିଷ୍ଟ ଓ ସର୍ବବ୍ୟାପୀ ଆତଙ୍କ ମଧ୍ୟରୁ ଜନ୍ମଲାଭ କରିଥାଏ । ବିଶ୍ଵବିଧାନ ହିସାବରେ ଆତ୍ମପ୍ରକାଶ କରୁଥିବା ସାର୍ବଭୌମିକ ଶକ୍ତିକୁ ଉପଲବ୍ଧି କରୁ ନ ଥିବା ହେତୁ, ଆମେ ଆମର ବିବେକ ବୁଦ୍ଧିକୁ ପ୍ରଥମରୁ ଘଉଡ଼ି ଦେଉଁ ଏବଂ ତାହାକୁ ସହସ୍ର ଆଶଙ୍କା ଭିତରେ ନିକ୍ଷେପ କରୁ ।

 

ନିଜ ବୁଦ୍ଧିକୁ ସନ୍ଦେହ କରିବା ପାଇଁ ଭୀତ ସର୍ବଦା ପ୍ରେରଣା ଦିଏ ଏବଂ କୌଣସି କର୍ମପନ୍ଥା ଗ୍ରହଣ ନ କରିବାକୁ ଆଦେଶ ଦିଏ । ମୁଁ ମଧ୍ୟ ଦେଖିଛି ଯେ, ଯେତେବେଳେ ରାଜନୈତିକ ଶାସନର କୌଣସି ଛିଦ୍ରପଥରେ ଭୟ ଯେଉଁ ମୁହୂର୍ତ୍ତରେ ପ୍ରବେଶ କରେ, ସହସା ଆମର ଶାସକମାନେ ସେମାନଙ୍କର ପାଶ୍ଚାତ୍ୟ ନୀତିକୁ ଭୁଲିଯାଆନ୍ତି । ସେତେବେଳେ ତାଙ୍କ ଶକ୍ତିର ନିଶ୍ଚିତ ଭିତ୍ତିରୁପେ ରହିଥିବା ଅଲଂଘନୀୟ ନୀତିକୁ ମଧ୍ୟ ସେମାନେ ନିର୍ବିଚାର ଭାବରେ ଲଙ୍ଘନ କରିଥାନ୍ତି । ସେ କ୍ଷେତ୍ରରେ ନ୍ୟାୟ ନୀତି ଉପରେ ଆସ୍ଥା ହରାଇ ସେମାନେ ମର୍ଯ୍ୟାଦା ଜଗିବାକୁ ଅଧିକ ଜରୁରୀ ବୋଲି ମନେ କରିଥାନ୍ତି । ଏହା ପ୍ରକୃତରେ ବିଶ୍ଵବିଧାନ ପ୍ରତି ଅନାସ୍ଥା ଭାବରୁ ହିଁ ଘଟିଥାଏ ଏବଂ ଏହା ମୂଳରେ ରହିଛି ବ୍ୟକ୍ତିଗତ ସ୍ୱାଧୀକାର ପ୍ରତି ଅତ୍ୟଧିକ ବିଶ୍ୱାସ । ସାମାନ୍ୟ ଭୟ, ସଂକୀର୍ଣ୍ଣ ଲୋଭ ଓ ନିଜ କାମ ସହଜ କରିବାର ତୁଚ୍ଛ ଛଳନା ମଧ୍ୟରୁ ହିଁ ଏହା ଜନ୍ମଲାଭ କରିଥାଏ । ଅନ୍ଧ ଆତଙ୍କ ଦ୍ୱାରା ପରିଚାଳିତ ହୋଇ ଆମେ ମଧ୍ୟ ଆମର ମୌଳିକ ମାନବିକ ଶକ୍ତିକୁ ଜଳାଞ୍ଜଳି ଦେବାକୁ ଓ ପୃଥିବୀରେ ଯାହା କିଛି ରହିଛି ବା ରହି ନାହିଁ, ହାତଯୋଡ଼ି ସମସ୍ତଙ୍କର ଆଜ୍ଞାପାଳନ କରିବାକୁ ସର୍ବଦା ପ୍ରସ୍ତୁତ । ଆମେ ଜଡ଼ ବା ଜୀବନ୍ତ ବିଜ୍ଞାନ ପଢ଼ିଲେ ମଧ୍ୟ କିମ୍ବା ରାଜନୀତି ବିଜ୍ଞାନରେ ପରୀକ୍ଷା ଦେଇ କୃତକାର୍ଯ୍ୟ ହେଲେ ମଧ୍ୟ, ‘‘କର୍ତ୍ତାର ଇଛାରେ ଯେ ସବୁ କର୍ମ’’ ଏହି ରହସ୍ୟମୟ ମନକୁ ମନ ମଧ୍ୟରୁ ଫିଙ୍ଗିଦେଇ ପାରୁ ନା । ସୌଭାଗ୍ୟବଶତଃ ବର୍ତ୍ତମାନ ଯୁଗରେ ଆମ ଦେଶରେ ମିଳିତ ଉଦ୍ୟମର ମୂଳଭିତ୍ତି ଅନେକ କାର୍ଯ୍ୟ ସକାଶେ ସ୍ଥାପିତ ହୋଇଛି ।

 

କିନ୍ତୁ ଆମର ଅତୀତ ନିକଟରେ ଆମେ କୃତଜ୍ଞ ଯେ ମିଳିତ ଉଦ୍ଦେଶ୍ୟକୁ ବ୍ୟକ୍ତିଗତ ଉଦ୍ୟମରେ ପରିଣତ କରିବା ପାଇଁ ଏକ ଅବିରତ ପ୍ରଭାବ ସର୍ବଦା ସେଠାରେ ପରିଲକ୍ଷିତ । ଯେ କୌଣସି ଉଦ୍ଦେଶ୍ୟ ପାଇଁ ହେଉନା କାହିଁକି ଜଣେ ମାଲିକ କେବେ ତା’ର ମୁଣ୍ଡ ଦେଖାଇ ନଥାଏ । ତା'ର ପ୍ରଧାନ କାରଣ ହେଉଛି ଯେଉଁ ବ୍ୟକ୍ତିଗତ ଦଳ ଗଠନ କରନ୍ତି ସେମାନେ ପ୍ରଭୁଙ୍କ ଇଛାରେ ଛିଡ଼ା ହୁଅନ୍ତି, ବସନ୍ତି, ଖାଆନ୍ତି, ବିବାହ କରନ୍ତି ଓ ମୃତ୍ୟୁ ପରେ ନିଜର ବଂଶଧରଙ୍କ ଠାରୁ ପିଣ୍ଡ ଗ୍ରହଣ କରିଥାନ୍ତି ।

 

ପୁଣ୍ୟ ଓ ପାପକାର୍ଯ୍ୟ ସଂକ୍ରାନ୍ତୀୟ ସକାଳ କର୍ମ ଏବଂ ଏପରିକି ସେମାନଙ୍କର ସ୍ନାନପଯୋଗୀ ଗୋଟିଏ କୂପର ଜଳ ସକାଶେ, ତା'ର ପରିସୀମାର ହସ୍ତପରିଣାମ ଆଦି ସକାଳ ସମସ୍ୟାର ସମାଧ୍ୟାନ ପ୍ରଭୁଙ୍କ ଇଛା ଉପରେ ନିର୍ଭର କରି ସେମାନେ କରିଥାନ୍ତି । ସେହି ଦୃଷ୍ଟିକୋଣରୁ ଜଣେ ବିଦେଶୀ ଦ୍ୱାରା ପ୍ରସ୍ତୁତ ମଦ ଓ ଜଣେ ଅସ୍ପୃଶ୍ୟ ସ୍ପର୍ଶ କରିଥିବା ଜଳର ତୁଳନାତ୍ମକ ବିଚାରାଦି ସମସ୍ତ ସମସ୍ୟା ମଧ୍ୟ ସେହି ପ୍ରଭୁଙ୍କ ଇଛାରେ ସମାହିତ ହୋଇଥାଏ । ଆମେ ଯଦି ସେମାନଙ୍କୁ କହୁଁ ଯେ "ଜଣେ ହିନ୍ଦୁ ଯେଉଁ ପାଣି ପିଇବା ପାଇଁ ଦେଉଛି ତାହା ପାନୀୟ ପାଇଁ ଉପଯୁକ୍ତ ନୁହେ, କାରଣ ସେ ତାକୁ ଗୋଟିଏ ଅପରିଷ୍କାର ପାତ୍ର ସାହାଯ୍ୟରେ ତା'ର କଳସିରୁ କାଢ଼ୁଛି କିନ୍ତୁ ଜଣେ ମୁସଲମାନ ଯେଉଁ ସ୍ୱଚ୍ଛଜଳ ପିଇବା ପାଇଁ ଦେଉଛି ତାହା ସୁଦ୍ଧା ଓ ସ୍ୱାସ୍ଥ୍ୟକର ହେତୁ ପାନୀୟ ?’’ ପ୍ରଭୁଙ୍କର ଇଛା ନୁହେ ।

 

ଆମେ ଯଦି ପୁଣି ଜବାବ ଦେଇ କହୁ ଯେ, ସେଥିରେ କିଛି ଯାଏ ଆସେ ନ ଓ ତାହା ପ୍ରଭୁଙ୍କର ଇଛା ନୁହେ, ତାହାହେଲେ ସେମାନେ କେବେ ଆମକୁ ତାଙ୍କ ଘରକୁ ନିମନ୍ତ୍ରଣ କରିବେ ନାହିଁ ଏବଂ ଆମ ଭିତରର ସମସ୍ତ ସାମାଜିକ ଯୋଗାଯୋଗ ଛିନ୍ନ ହୋଇଯିବ । ଏହି ଲୋକମାନେ ପ୍ରତି ପଦକ୍ଷେପରେ ନିଷ୍ଠୁରତମ ବାଧ୍ୟବାଧକତା ଦ୍ୱାରା ସେମାନଙ୍କର ଖାଦ୍ୟ ଓ ସ୍ପୃଶ୍ୟତାର ମୌଳିକ ଅଧିକାରକୁ ସଂକୁଚିତ କରିଥାନ୍ତି ଏବଂ ସଂକୋଚକୁ ସେମାନେ କଲ୍ୟାଣକର ବୋଲି ଭାବିଥାନ୍ତି । ତାହାହେଲେ ସେମାନେ କାହିଁକି ଅବାଧ ରାଜନୀତିକ ଅଧିକାର ଦାବି କରିବାକୁ ଦ୍ଵିଧା ବୋଧ କରୁ ନାହାନ୍ତି ?

 

ଯେତେବେଳେ ଗୋଟାଏ ଜାତି ନିଜ ଶକ୍ତିର ମୂଳଧନରେ ତା'ର ବାଣିଜ୍ୟ ଚଳାଇବାକୁ ଅସମର୍ଥ, ସେତେବେଳେ ଭୟ ଓ ଭିକ୍ଷାବୃତ୍ତି ମଧ୍ୟରେ ସେମାନଙ୍କର ଦିନ ଅତିବାହିତ ହୋଇଥାଏ ଏବଂ ଅନ୍ୟ ଜାତି, ଦେବତା ଓ ଗ୍ରହମାନଙ୍କୁ ପ୍ରତ୍ୟେକ ବିପଦରେ ସାହାଯ୍ୟ କରିବାକୁ ପ୍ରାର୍ଥନା କରିଥାଆନ୍ତି । ବଙ୍ଗଳାର ପ୍ରାଚୀନ ମଙ୍ଗଳ କାବ୍ୟଗୁଡ଼ିକରେ ଏହାର ସୁନ୍ଦର ବର୍ଣ୍ଣନା ରହିଛି । ଚାନ୍ଦ ସୌଦାଗର ଜଣେ ଉଚ୍ଚ ଆଦର୍ଶବାଦୀ ବ୍ୟକ୍ତି ଥିଲା କିନ୍ତୁ ଯେଉଁ ଦେବତାକୁ ସେ ନୀଚ ଓ ସମ୍ମାନର ଅଯୋଗ୍ୟ ବୋଲି ବିବେଚନା କରୁଥିଲା ଶେଷରେ ବହୁ ଦୁଃଖ ଯନ୍ତ୍ରଣା ସହି ତାହାରି ନିକଟରେ ହିଁ ପରାଜୟ ସ୍ୱୀକାର କରିଥିଲା । ଏହି ଦେବତାଜ୍ଞାନ ଓ ନ୍ୟାୟବୋଧର ବିପକ୍ଷ ଶକ୍ତିର ଏକ ପ୍ରତୀକ । ସେ ଯେପରି ଅତ୍ୟାଚାରୀ ସେହିପରି ଭୟଙ୍କର ଥିଲା ଏବଂ ସେ ଚରମ ଆନୁଗତ୍ୟ ଦାବୀ କରିଥିଲା-। ମଙ୍ଗଳ କାବ୍ୟର ଆରମ୍ଭରୁ କବି କଙ୍କଣଙ୍କ ଛନ୍ଦି ପର୍ଯ୍ୟନ୍ତ ଆମେ ବିଶ୍ୱାସକର ଯେଉଁ ଧାରଣା ପାଇଥାଉଁ ସେକାଳର ରାଜନୀତିକ ଶାସନପଦ୍ଧତି ସହିତ ତାହାର ଗଭୀର ସମ୍ପର୍କ ରହିଛି । ସେ କାଳରେ ନ୍ୟାୟ ନ ଥିଲା ଓ କୌଣସି ଆଇନକୁ ଅସ୍ୱୀକାର କରିବାର ବାଟ ନ ଥିଲା କିମ୍ବା ବଳବାନର ଅତ୍ୟାଚାରକୁ ପ୍ରତିରୋଧ କରିବାକୁ କୌଣସି ନ୍ୟାର୍ଯ୍ୟପନ୍ଥା ମଧ୍ୟ ନ ଥିଲା । ପଶୁ ଶକ୍ତିର ଅଧିକାରୀ ହିଁ ଥିଲେ ଭୂମିର ମାଲିକ । କେବଳ ତୋଷାମଦ, ଉତ୍କୋଚଦାନ ଓ ଶେଷ ଆଶ୍ରୟ ହୋଇଛି ପଳାୟନ-ଏହିଗୁଡ଼ିକ ହିଁ ଦୁର୍ବଳତାର ପନ୍ଥାରୂପେ ସେତେବେଳେ ଉନ୍ମୁକ୍ତ ଥିଲା । ତତ୍କାଳୀନ ସାମାଜିକ ଓ ରାଜନୀତିକ ପରିସ୍ଥିତି ଏବଂ ପ୍ରଚଳିତ ଦେବବିଶ୍ୱାସ ମଧ୍ୟରେ ସାମଞ୍ଜସ୍ୟ ରହିଥିଲା ।

 

ତଥାପି ଦିନେ ଉପନିଷଦ ଯେଉଁ ବିଧାନ ସମ୍ପର୍କରେ କହିଥିଲା, ତାହା ନ୍ୟାୟାପର, ଶୃଙ୍ଖଳିତ ଓ ଚିରନ୍ତନ । ଚିରନ୍ତନତା ପାଇଁ ଏହା ହେଉଛି ଚିରକାଳର ବାଣୀ । ଅସ୍ଥିର ଓ ପରିବର୍ତ୍ତନଶୀଳ ମୁହୂର୍ତ୍ତଗୁଡ଼ିକର ଏହା ଅଧୀନ ନୁହେ । ସେହି କାରଣରୁ ହିଁ ନିଜର ଜ୍ଞାନ ମାଧ୍ୟମରେ ଆମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକେ ତାହାକୁ ନିଜସ୍ୱ କରିଥିଲୁ । ଏହାକୁ ଯେତେ ଗଭୀର ଭାବରେ ଆମେ ଆପଣାର କରି ପାରିବୁ ଆମେ ନିତ୍ୟ ନୂତନ ପ୍ରତିବନ୍ଧକକୁ ଅତିକ୍ରମ କରି ଅଗ୍ରସର ହୋଇ ପାରିବୁ । ଏହି ନ୍ୟାୟପର ଓ ଚିରନ୍ତନ ବିଧାନକୁ ଠିକ୍ ଭାବରେ ଜାଣିବା ହିଁ ହେଉଛି ବିଜ୍ଞାନ । ଏହି ବୈଜ୍ଞାନିକ ଶକ୍ତିରେ ବିଶ୍ୱାସୀ ଓ ବଳିୟାନ୍ ହୋଇ ଇଉରୋପ ଆଦି ମେଲେରିଆ ଓ ଅନ୍ୟାନ୍ୟ ରୋଗଗୁଡ଼ିକ ଧ୍ୱଂସ କରିବାକୁ ଏବଂ ଦାରିଦ୍ର୍ୟ ଓ ଅଜ୍ଞାତ ମାନବ କୁଟୀରରୁ ନିର୍ବାସିତ କରିବାକୁ ବଦ୍ଧପରିକର ।

 

ପ୍ରତ୍ୟେକ ଶିଶୁ ଦେହମନରେ ସୁସ୍ଥ ଓ ସବଳ ହୋଇ କିପରି ବିକାଶଲାଭ କରିବ ଏବଂ ରାଜନୀତିକ କ୍ଷେତ୍ରରେ ବ୍ୟକ୍ତିଗତ ସ୍ୱାଧୀନତା ଓ ସାମୁହିକ କଲ୍ୟାଣ ମଧ୍ୟରେ କିପରି ପୂର୍ଣ୍ଣ ସମନ୍ୱୟ ପ୍ରତିଷ୍ଠିତ ହେବ ସେଥିପାଇଁ ଇଉରୋପ ଆଜି ଯତ୍ନଶୀଳ । ଆଧ୍ୟାତ୍ମିକ ଭାବରେ ଭାରତବର୍ଷ ଦିନେ କହିଥିଲା ଯେ, ଅଜ୍ଞାତ ହେଉଛି ବନ୍ଧନ ଓ ଜ୍ଞାନ ହେଉଛି ମୁକ୍ତି କରିଥାଉଁ । ତାହାହେଲେ ଅସତ୍ୟ କ'ଣ ? ନିଜକୁ ସମ୍ପୂର୍ଣ୍ଣରୂପେ ବିଛିନ୍ନ କରି ଦେଖିବା ହିଁ ଅସତ୍ୟ । ସମଗ୍ର ବିଶ୍ୱ ସହିତ ଏକୀଭୂତ କରିବା ହିଁ ସତ୍ୟ ଜ୍ଞାନ । ମଣିଷର ମନ ନିକଟରେ ଏପରି ଏକ ମହାନ ସତ୍ୟ ପ୍ରାଚୀନ ଭାରତୀୟଗଣ କିପରି ଆଶ୍ଚର୍ଯ୍ୟଜନକ ଭାବରେ ପହଞ୍ଚାଇ ପାରିଥିଲେ ତାହା ଆଜି ଆମେ କଳ୍ପନା କରିବାକୁ ଅସମର୍ଥ ।

 

ଆଧ୍ୟାତ୍ମିକ ଜଗତରେ ପ୍ରାଚୀନ ଭାରତ ଦିନେ ଯେଉଁ ମୁକ୍ତି ସନ୍ଧାନ କରିଥିଲା, ଆଜି ଆଧୁନିକ ଇଉରୋପ ମଧ୍ୟ ବସ୍ତୁ ଜଗତରେ ସେହିପରି ମୁକ୍ତି ସନ୍ଧାନ କରିବାକୁ ତତ୍ପର; ଏବଂ ଏହି ଉଭୟ ମଧ୍ୟରେ ମୌଳିକ ସମୟ ବିଦ୍ୟମାନ । ବସ୍ତୁ-ଜଗତରେ ମଧ୍ୟ ଅଜ୍ଞତା ହେଉଛି ବନ୍ଧନର କାରଣ ଏବଂ ଜ୍ଞାନ ହେଉଛି ମୁକ୍ତିର ପନ୍ଥା । ବୈଜ୍ଞାନିକ ସତ୍ୟ ଆଜି ମନୁଷ୍ୟ ମନକୁ ବିଛିନ୍ନତାରୁ ସର୍ବଜନୀନତା ଆଡ଼କୁ ପରିଚାଳିତ କରୁଛି ଏବଂ ବ୍ୟକ୍ତିଗତ ଶକ୍ତି ଓ ବିଶ୍ୱଶକ୍ତି ମଧ୍ୟରେ ଯୋଗସୂତ୍ର ସ୍ଥାପନ କରୁଛି ।

 

ଋଷିମାନଙ୍କର ସଂସାର ତ୍ୟାଗପୂର୍ବକ ଆଧ୍ୟାତ୍ମିକ ସାଧନାର ଯୁଗ ଭାରତବର୍ଷରୁ କାଳକ୍ରମେ ଅନ୍ତର୍ହିତ ହୋଇଗଲା ଏବଂ ତା’ ପରେ ଆସିଲା ବୌଦ୍ଧଯୁଗ । ଭାରତବର୍ଷ ଯେଉଁ ମହାନ୍ ସତ୍ୟ ଲାଭ କରିଥିଲା, ତାହାକୁ ଜୀବନଠାରୁ ସେ ସର୍ବଦା ବିଛିନ୍ନ କରି ରଖିଥିଲା ଏବଂ ସଂସାର ତ୍ୟାଗକୁ ହିଁ ମୁକ୍ତିଲାଭର ଅପରିହାର୍ଯ୍ୟ ପନ୍ଥା ବୋଲି ଘୋଷଣା କରିଥିଲା । ଫଳରେ ଜ୍ଞାନ ଓ ଅଜ୍ଞାତ ମଧ୍ୟରେ ପରସ୍ପର ସମ୍ମତିକ୍ରମେ ଏକ ବିଭାଗୀକରଣ ଆମ ଦେଶରେ ଦେଖାଦେଲା । ଆଇନ ଦ୍ୱାରା ଗୋଟିଏ ପ୍ରାଚୀର ସାହାଯ୍ୟରେ ପୃଥକ୍ ହୋଇଥିବା ସମ୍ପତ୍ତି ପାଖାପାଖି ହୋଇ ରହିବାଭଳି ସେହି କାଳରୁ ହିଁ ସେମାନେ ସ୍ୱତନ୍ତ୍ରଭାବେ ତେଣୁ ରହି ଆସିଛନ୍ତି । ସଂକୀର୍ଣ୍ଣତା, ଅସଭ୍ୟତା ଓ ନିର୍ବୋଧତାରେ ପୃଥିବୀ ନିମଜ୍ଜିତ ହୋଇଯାଉ ପଛକେ ଏହି ମହାନ୍ ସତ୍ୟ ସାଧକଗଣ ତାହା ବିରୁଦ୍ଧରେ ପ୍ରତିବାଦ କରୁ ନ ଥିଲେ; ବରଂ ସେମାନେ ତାହା ସମର୍ଥନ କରୁଥିଲେ-। ଜ୍ଞାନ ସାଧକ କୌଣସି ବୃକ୍ଷ ମୂଳରେ ବସି କହୁଥିଲା–"ନିଜ ମଧ୍ୟରେ ସେ ସମସ୍ତଙ୍କୁ ଓ ସମସ୍ତ ମଧ୍ୟରେ ସେ ନିଜକୁ ଅନୁଭବ କରିଛି, ସେହି କେବଳ ସତ୍ୟ-ଦର୍ଶନ ଲାଭ କରିଛି । ‘‘ଏହା ଦ୍ୱାରା ସଂସାରୀ-ବ୍ୟକ୍ତି ସହସା ଭକ୍ତିରେ ତରଳି ଯାଉଥିଲା ଏବଂ ସାଧକକୁ ଦାନପତ୍ର ଲେଖିଦେଉଥିଲା । ସଂସାରୀଲୋକ ନିଜ ଘରେ ବସି କହୁଥିଲା–‘‘ଯେଉଁ ବ୍ୟକ୍ତି ଅନ୍ୟମାନଙ୍କୁ ଯେତେଦୂର ସମ୍ଭବ ନିଜଠୁ ଦୂରରେ ନ ରଖେ ସେଇ ନିର୍ବୋଧ ନିଜର ବିପଦ ହିଁ ବରଣ କରିଥାଏ । ‘‘ଜ୍ଞାନୀ ବ୍ୟକ୍ତି ତାକୁ ଆଶୀର୍ବାଦ କରିବା ସଙ୍ଗେ ତାର ଦୀର୍ଘ ଜୀବନ କାମନା କରୁଥିଲା, ଏହି କାରଣରୁ ହିଁ ଆମର ବୈରାଗ୍ୟ ଓ ନିଷ୍କ୍ରିୟତା ବିନା ପ୍ରତିରୋଧରେ ବରାବର ବୃଦ୍ଧିଲାଭ କରିଛି ଏବଂ ବହୁଶତାବ୍ଦୀଧରି କର୍ମ-ରାଜ୍ୟରେ ଆମେ ଅପମାନିତ ଓ ପରାଜିତ ହୋଇଅଛୁ ।

 

କିନ୍ତୁ ୟୁରୋପର ପରିସ୍ଥିତି ଥିଲା ସମ୍ପୂର୍ଣ୍ଣ ବିପରୀତ । ଆଦର୍ଶ ଓ ଆଚରଣ ଉଭୟ କ୍ଷେତ୍ରରେ ସତ୍ୟର ଅନୁସରଣ ସେମାନେ କରୁଥିଲେ । ସେମାନଙ୍କର ରାଜନୀତିକ ବା ସାମାଜିକ ଅନୁଷ୍ଠାନଗୁଡ଼ିକରେ ଯଦି କୌଣସି ତ୍ରୁଟି ପରିଲକ୍ଷିତ ହେଉଥିଲା, ସତ୍ୟର ଆଲୋକରେ ତାର ଆଲୋଚନା ଓ ସଂଶୋଧନ ପାଇଁ ସେମାନେ ଏକତ୍ରିତ ହେଉଥିଲେ । ସତ୍ୟ ବଳରେ ଯେଉଁ ଶକ୍ତି ଓ ସ୍ୱାଧୀନତା ସେମାନେ ଲାଭ କରୁଥିଲେ, ଏହିପରି ଭାବରେ ସମସ୍ତେ ସେଥିରେ ଅଂଶୀଦାର ହୋଇ ପାରୁଥିଲେ ଏବଂ ସମସ୍ତଙ୍କୁ ଏହା ଆଶା ଓ ସାହାସିକତା ପ୍ରଦାନ କରୁଥିଲା । ଧାର୍ମିକ ଅନୁଷ୍ଠାନ ପଦ୍ଧତି ଓ ମନ୍ତ୍ରର କୁହେଳି ମଧ୍ୟରେ ଅସ୍ପଷ୍ଟ ନ ହୋଇ ସ୍ପଷ୍ଟ ଦିବାଲୋକରେ ସତ୍ୟ ବିକଶିତ ହେବା ସଙ୍ଗେ ଅନ୍ୟମାନଙ୍କର ବିକାଶ ପାଇଁ ମଧ୍ୟ ସହାୟକ ହେଉଥିଲା ।

 

ଯେଉଁ ଅପମାନ ଆମେ କର୍ମ ଜଗତରେ ବହୁବର୍ଷ ଧରି ସହିଆସୁଥିଲେ, ତାହାହିଁ ରାଜନୀତିକ ପରାଧିନତା ରୂପରେ ଆମ ନିକଟରେ ମୂର୍ତ୍ତିମନ୍ତ ହୋଇଥିଲା । ଶରୀରର କ୍ଷତ ସ୍ଥାନକୁ ଯେପରି ଆମର ହାତ ଆପେ ଆପେ ଚାଲି ଯାଇଥାଏ, ଠିକ୍ ସେହିପରି ଆମର ଶାସକ ହୋଇଥିବା ୟୁରୋପୀୟମାନଙ୍କ ଦ୍ୱାରା ସ୍ଥାପିତ ରାଜନୀତିକ ପ୍ରତିଷ୍ଠାନ ଆଡ଼କୁ ଆମର ମନ ଆଜି ସ୍ୱତଃ ଆକର୍ଷିତ । ଭାରତୀୟ ଶାସନ ବ୍ୟବସ୍ଥାରେ ଆମେ ନିଜର ବକ୍ତବ୍ୟ ପ୍ରକାଶ କରିବାର ସୁଯୋଗ କିପରି ଲାଭ କରିବୁଁ; କେବଳ ଏହାରି ଉପରେ ହିଁ ଅନ୍ୟ ସମସ୍ତ ବିଷୟ ଭୁଲିଯାଇ ଆମର ଧ୍ୟାଦ ଆଜି ସମ୍ପୂର୍ଣ୍ଣଭାବେ ନିବଦ୍ଧ । ଉପରୁ ନ୍ୟସ୍ତ କରାଯାଉଥିବା ସ୍ୱେଚ୍ଛାଚାରୀ ଆଦେଶ ମେ ପାଳନ କରିବାକୁ ବର୍ତ୍ତମାନ ଅସ୍ୱୀକାର କରୁଛୁଁ । ପ୍ରଭୁତ୍ୱକୁ ଯେତେବେଳେ କାନ୍ଧରେ ବୋହିବା ପାଇଁ ଜଣକୁ ପଡ଼ିଥାଏ, ସେତେବେଳେ ତାହା ଗୋଟାଏ ବୋଝରେ ପରିଣତ ହୁଏ । ତେଣୁ ତାକୁ ଗୋଟିଏ ଠେଲାଗାଡ଼ି ଉପରେ ଥୋଇ ଦେବାକୁ ଆମେ ଚହୁଁଛୁଁ, କାରଣ ହାତରେ ତାକୁ ଆମେ ଠେଲି ନେଇ ପାରିବୁ ।

 

ନିଜର ସମ୍ପୂର୍ଣ୍ଣ ସ୍ୱାର୍ଥ ପାଇଁ କୌଣସି ବିଦେଶୀ ଶକ୍ତି ଯେ ମନୁଷ୍ୟକୁ ଆଉ ଏଣିକି ଶାସନ କରି ନ ପାରେ ଏ ଚିତ୍କାର ସମଗ୍ର ପୃଥିବୀରେ ଆଜି ପ୍ରତିଧ୍ୱନିତ, ସେଇ ସାଧାରଣ ଚିତ୍କାର ସହିତ ଆମର ସ୍ୱର ମିଳାଇବାରେ ଆମେ ଯୁଗର ଚିନ୍ତାଧାରା ପ୍ରତି କେବଳ ସମ୍ମାନ ପ୍ରଦର୍ଶନ କରିଛୁ । ଏହା କରିବାକୁ ଆମେ ଯଦି ବିଫଳ ହୋଇ ରାଜନୀତିକ ପରାଧିନତା ଚିରକାଳ ପାଇଁ ସ୍ୱୀକାର କରି ନିଅନ୍ତୁ ତା'ହେଲେ ଆମେ କେବଳ ନିଜକୁ ହିଁ ଅତି ଚରମଭାବରେ ଲାଞ୍ଛିତ କରିଥାନ୍ତୁ । ଗୋଟିଏ କ୍ଷୁଦ୍ର ଛିଦ୍ର ପଥଦେଇ ଆସିଥିଲେ ମଧ୍ୟ ଆମ ନିକଟରେ ସତ୍ୟ ଯେ ଶେଷରେ ଆସି ପହଞ୍ଚିଛି, ତାହା ଏକ ଶୁଭ ଲକ୍ଷଣ । ତେଣୁ ସାହସର ସହିତ କହୁଛି ଯେ ଆମର ନବ ଜାଗ୍ରତ ଜାତୀୟ ଆତ୍ମସମ୍ମାନ ଆମକୁ ଅଗ୍ରଗତିର ପ୍ରେରଣା ଯେତେବେଳେ ଦେଉଛି ମୁଁ ତାକୁ ପ୍ରଶଂସା କରୁଛି ଏବଂ ତାହା ଯେତେବେଳେ ବଳି ଉଦ୍ଦେଶ୍ୟରେ ଖୁଣ୍ଟାରେ ବନ୍ଧା ହୋଇଥିବା ଗୋଟିଏ ଛେଳି ପରି ଆମକୁ ଅତୀତ ସହିତ ଚିରକାଳ ବାନ୍ଧି ରଖିବାକୁ ଚେଷ୍ଟା କରୁଛି, ସେତେବେଳେ ମୁଁ ତାକୁ ଘୃଣା କରୁଛି । ଜାତୀୟ ଆତ୍ମସମ୍ମାନ ଆମକୁ ଆଜି ବିଶ୍ୱମୁଖୀନ କରାଇବା ସଙ୍ଗେ ରାଜନୀତିକ କ୍ଷମତା ଦାବୀ କରିବା ସକାଶେ ପ୍ରେରଣା ଦେଇଛି । କିନ୍ତୁ ଅନ୍ୟ ଦିଗରେ ନିଜର ଦେଶ ପ୍ରତି ଏହା ଆମକୁ ବିମୁଖ କରାଇବା ସଙ୍ଗେ ଧାର୍ମିକ, ସାମାଜିକ ଓ ଏପରିକି ବ୍ୟକ୍ତିଗତ ଆଦି ସମସ୍ତ ବିଷୟରେ ମଧ୍ୟ କର୍ତ୍ତାଙ୍କ ଇଚ୍ଛା ବିରୁଦ୍ଧରେ ଏକ ପାଦ ଯେପରି ଅଗ୍ରସର ନ ହେଉ, ତାହା ଦାବୀ କରିବାକୁ ପ୍ରବର୍ତ୍ତନା ଦେଇଛି-। ଏହାକୁ ହିଁ ହିନ୍ଦୁଧର୍ମର ନବ ସଂସ୍କାର ବୋଲି ମୁଁ କହୁଛି ।

 

ଏହି ଜାତୀୟ ଆତ୍ମସମ୍ମାନବୋଧ ଆମକୁ ଗୋଟିଏ ଚକ୍ଷୁ ଜାଗ୍ରତ ଓ ଅନ୍ୟ ଚକ୍ଷୁଟିକୁ ନିଦ୍ରିତ କରି ରଖିବାର ଅସମ୍ଭବ କାର୍ଯ୍ୟ ସାଧନ କରିବାକୁ ଆଦେଶ ଦେଉଛି । ଯେତେବେଳେ ଉପରର ଦଣ୍ଡବିଧାନ ନାମରେ ଆମ ପିଠି ବକ୍ରାଘାତ ଲାଭ କଲା, ଆମର ଜାତୀୟ ଆତ୍ମସମ୍ମାନ ବୋଧ ସହସା ଜାଗ୍ରତ ହୋଇ ଉଠିଲା ଏବଂ ଆମେ ସଙ୍ଗେ ସଙ୍ଗେ ଦାବୀ କଲୁ ଯେ, ବେତବଣ ପୋଡ଼ିଦେବା ଆବଶ୍ୟକ; କିନ୍ତୁ ଆମେ ଭୁଲିଗଲୁ ଯେ, ବେତବଣ ସହିତ ବାଉଁଶ ବଣ ମଧ୍ୟ ଅଛି, ବେତ ବା ବାଉଁଶ ଏଥିପାଇଁ ନିନ୍ଦିତ ହେବା ଉଚିତ ନୁହେ, କେବଳ ଆମେ ହିଁ ସେଥିପାଇଁ ନିନ୍ଦନୀୟ-। ପୁନଶ୍ଚ ସତ୍ୟ ଅପେକ୍ଷା ପ୍ରଭୁଙ୍କର ଇଛାକୁ ଆମେ ଯେପରି ସମ୍ମାନ ଦେଇଥାଉଁ ଓ ଆମ ନିଜର ଚକ୍ଷୁ ଅପେକ୍ଷା ତାର ଆବରଣକୁ ବିଶ୍ୱାସ କରିବାର ମଜ୍ଜାଗତ ଅଭ୍ୟାସ ଯେପରି ସୃଷ୍ଟି କଋଥାଉଁ ତାହାହିଁ ନିନ୍ଦନୀୟ । ଯେତେକାଳ ପର୍ଯ୍ୟନ୍ତ ଆମେ ଏହିଭଳି ଅବସ୍ଥାରେ ରହିବୁ; ସେ ପର୍ଯ୍ୟନ୍ତ ପୃଥିବୀର ଯେ କୌଣସି ସ୍ଥାନରେ ହେଲେ ବି ଆମ ପାଇଁ ବେତ ଥୁଆହୋଇ ରହିଛି ।

 

ସମୟ ଥିଲା, ଯେତେବେଳେ ଇଉରୋପରେ ମଧ୍ୟ ସବୁ କ୍ଷେତ୍ରରେ ଗୀର୍ଜା ତାର ଆଧିପତ୍ୟ ବିସ୍ତାର କରିଥିଲା । ୟୁରୋପୀୟ ଜାତିଗୁଡ଼ିକ ଯେତେବେଳେ ତାଙ୍କ ଶୃଙ୍ଖଳ ଭାଙ୍ଗିଦେବାକୁ ସମର୍ଥ ହୋଇଥିଲେ, କେବଳ ସେତେବେଳେ ହିଁ ସ୍ୱାୟତ୍ତଶାସନ ହାସଲ କରିବାକୁ ସେମାନେ ଉଦ୍ୟମ କରିଥିଲେ । ଇଂଲଣ୍ଡ ଗୋଟିଏ ଦ୍ୱୀପ ହୋଇଥିବାରୁ ଏବଂ ରୋମ୍ ଗୀର୍ଜାର ପ୍ରଧାନ ପୀଠ ହୋଇଥିବାରୁ ଇଂରେଜ ଜାତି ଗୋଟିଏ ବିଶେଷ ସୁଯୋଗ ଲାଭ କରିଥିଲା ଏବଂ ତାହାରି ଫଳରେ ରୋମର ପ୍ରଭୁତ୍ୱକୁ ଅସ୍ୱୀକାର କରିବା ତା' ପକ୍ଷରେ ସହଜ ହୋଇଥିଲା । ମୁଁ କହୁ ନାହିଁ ଯେ, ଇଂଲଣ୍ଡରେ ଗୀର୍ଜାର କୌଣସି କ୍ଷମତା ନାହିଁ; କିନ୍ତୁ ଜଣେ ସମ୍ଭ୍ରାନ୍ତ ମହିଳା, ବିଧବା ହେବା ଫଳରେ ପରିବାରରେ ଯେପରି ତାର ପୁରୁଣା କର୍ତ୍ତୃତ୍ୱ ହରାଇ ବସେ, ଠିକ୍ ସେହିଭଳି ଏହାର ଅବସ୍ଥା ଆଜି କରୁଣ । ଦିନ ଥିଲା, ଯେତେବେଳେ ସେ ଘରେ ଅନ୍ୟମାନଙ୍କ ଉପରେ ହାକିମ ଜାରି କରି ଧମକ ଦେଉଥିଲା, କିନ୍ତୁ ଅଳ୍ପ ପରିମାଣରେ ମାସିକ ଭତ୍ତା ପାଇ ସେ ଆଜି ଗୋଟାଏ କୋଠରୀ ଭିତରେ ବଞ୍ଚି ରହିଛି । ନୂଆ ଟୋକାଦଳ ତାଙ୍କୁ ପ୍ରାଚୀନ ପ୍ରଥାନୁଯାୟୀ କେବଳ ସମ୍ମାନ ଦିଅନ୍ତି ସିନା, କିନ୍ତୁ ମାନନ୍ତି ନାହିଁ । ତାଙ୍କର ଯଦି ଆଗର କ୍ଷମତା ଓ ପ୍ରଭୁତ୍ୱ ରହିଥାଆନ୍ତା, ତାହାହେଲେ ସେ ଏମାନଙ୍କୁ ଚୁପ୍ କରିଦେଇ ପାରନ୍ତା ।

 

ଏହି ବୃଦ୍ଧ ମହିଳାଙ୍କର ଜୁଆଳି ଇଂଲଣ୍ଡ ବହୁଦିନରୁ ଫିଙ୍ଗିଦେଇ ସାରିଛି କିନ୍ତୁ ସ୍ପେନ୍ ତାହା ସମ୍ପୂର୍ଣ୍ଣ ଭାବରେ ଫିଙ୍ଗି ଦେବାକୁ ବର୍ତ୍ତମାନ ସୁଦ୍ଧା ଅସମର୍ଥ । ସମୟ ଥିଲା ଯେତେବେଳେ ସ୍ପେନ୍‍ର, ନୌଜାହାଜ ବିଭିନ୍ନ ସମୁଦ୍ରରେ ଗତି କରୁଥିଲା ଏବଂ ବହୁ ବିଦେଶୀ ଉପକୂଳରେ ନିଜର ଜାତୀୟ ପତାକା ଉଡ଼ାଇଥିଲା । କିନ୍ତୁ ତାର ସେହି ନୌବାଣିଜ୍ୟର ଆଜି ପାଟଣା ଘଟିଛି । ତାହାର କାରଣ ହେଉଛି ଯେ, ସେହି ବୃଦ୍ଧ ମହିଳା ଏ ପର୍ଯ୍ୟନ୍ତ ସେଠାରେ ସମ୍ମାନର ଶୀର୍ଷାସନରେ ଅଧିରୁଢ଼ା । ଆକାଶରେ ଉଡ଼ିବାର ଉଦ୍ୟମ ସ୍ପେନ୍‍ କରିଥିଲା ସତ କିନ୍ତୁ ସେହି ବୃଦ୍ଧ ମହିଳା ତାର କାନ୍ଧ ଉପରେ ଚଢ଼ି ବସିଥିବାରୁ ସହସା ସେ ଶ୍ୱାସରୁଦ୍ଧ ହୋଇଯାଇଥିଲା । ସ୍ପେନର ରଣପୋତସମୂହ ଯେତେବେଳେ ଇଂଲଣ୍ଡ ନିକଟରେ ପରାଜୟ ସ୍ୱୀକାର କରିଥିଲା ସେତେବେଳେ ମଧ୍ୟ ସ୍ପେନ ଏହିଭଳି ଶ୍ୱାସରୁଦ୍ଧ ଅବସ୍ଥାରେ ଥିଲା । ଧର୍ମବିଶ୍ୱାସ ଭଳି ନୌଯୁଦ୍ଧ ବିଦ୍ୟାରେ ମଧ୍ୟ ସ୍ପେନ ସେତେବେଳେ ପରମ୍ପରା ଦ୍ୱାରା ଶୃଙ୍ଖଳାବଦ୍ଧ ହୋଇଥିବାର ଦେଖାଯାଇଥିଲା । ଇଂରେଜ ଜାହାଜ ପାଣି ଓ ପବନର ଗତିଭଳି ସେତେବେଳେ ସ୍ଵଚ୍ଛନ୍ଦରେ ବିହାର କରୁଥିଲା କିନ୍ତୁ ସ୍ପେନ୍‍ର ଜାହାଜ ରକ୍ଷଣଶୀଳତାର ବନ୍ଧନରେ ଗୁପ୍ତ ଭାବରେ ଆବଦ୍ଧ ହୋଇ ରହିଥିଲା । ଯେ କୌଣସି ଲୋକର ଆବଶ୍ୟକୀୟ ଯୋଗ୍ୟତା ଥିଲେ ଜାତି ନିର୍ବିଶେଷରେ ସେ ଇଂରେଜ ଜାତିର ଯୁଦ୍ଧ ଜାହାଜର ସୈନାଧକ୍ଷ ହୋଇପାରୁଥିଲା, କିନ୍ତୁ ସ୍ପେନ୍‍ରେ ଏହି ସୁଯୋଗ କେବଳ ଉଚ୍ଚ ସମ୍ଭ୍ରାନ୍ତ ବ୍ୟକ୍ତିହିଁ ଲାଭ କରୁଥିଲେ ।

 

ଆଦି ଇଉରୋପର ସବୁ ଦେଶରେ ବଡ଼ ହୁଅନ୍ତୁ ବା ସାନ ହୁଅନ୍ତୁ ପ୍ରତ୍ୟେକ ସାଧାରଣ ଲୋକ ନିଜର ମୁଣ୍ଡ ଟେକିବାର ସାମର୍ଥ୍ୟ ଅର୍ଜନ କରିଛନ୍ତି ଏବଂ ଗୀର୍ଜାର ଅନ୍ଧଶକ୍ତି ଦୁର୍ବଳ ହୋଇଯିବା ଫଳରେ ମଣିଷ ନିଜକୁ ସମ୍ମାନ କରିବାକୁ ଶିକ୍ଷାଲାଭ କରିଛି । ଜାର୍ ଶାସିତ ରୁଷିଆ ଭଳି ଯେଉଁ ଦେଶଗୁଡ଼ିକ ମାନବିକତା ପ୍ରତି ସମ୍ମାନ ପ୍ରଦର୍ଶନ କରିବାକୁ ଅସମର୍ଥ ହୋଇଛନ୍ତି, ସେମାନେ ମାଲିକହୀନ ଓ ଗୁଳ୍ମକଣ୍ଟକାଚ୍ଛନ୍ନ ପତିତ ଜମିଭଳି ଅଧଃପତନ ହୋଇ ରହିଛନ୍ତି । ଏହିଭଳି ଦେଶଗୁଡ଼ିକରେ ମନୁଷ୍ୟ ଅତୀତର ଧର୍ମଗ୍ରନ୍ଥ, ବର୍ତ୍ତମାନ ଶାସକଙ୍କର ପିଆଦା ଏବଂ ସ୍ୱେଚ୍ଛାଚାରୀ କ୍ଷମତାର ଯେ କୌଣସି ଯନ୍ତ୍ର ଦ୍ୱାରା ଅପମାନିତ, ଅତ୍ୟାଚାରିତ ଓ ଲୁଣ୍ଠିତ ହୋଇଛନ୍ତି-

 

ଅଗ୍ନି ଓ ଭସ୍ମର ପାର୍ଥକ୍ୟଭଳି ଧର୍ମର ବହିଃରୂପ ଓ ଅନ୍ତଃରୂପର ପାର୍ଥକ୍ୟ ଆମେ ସ୍ମରଣ ରଖିବା ଉଚିତ । ଯଦି ଧର୍ମର ବହିଃରୂପ ଅନ୍ତଃରୂପ ଅପେକ୍ଷା ପ୍ରାଧାନ୍ୟ ଅର୍ଜନ କରେ, ତା'ହେଲେ ନଦୀର ଜଳ ଅପେକ୍ଷା ତାର ଶର୍ଯ୍ୟାର ବାଲୁକାରାଶି ପ୍ରାଧାନ୍ୟ ଅର୍ଜନ କରିଥାଏ ଏବଂ ସ୍ରୋତର ଗତି ଅବରୁଦ୍ଧ ହେବ ସଙ୍ଗେ ପରିଣତିରେ ମରୁଭୂମିହିଁ ସୃଷ୍ଟି ହୋଇଥାଏ ।

 

ଧର୍ମର ଅନ୍ତଃରୂପ ଆମକୁ କହେ ଯେ, ମନୁଷ୍ୟ ପ୍ରତି ଅସମ୍ମାନ ପ୍ରଦର୍ଶନ ଦ୍ୱାରା, ଅପମାନକାରୀ ଓ ଅପମାନିତ ବ୍ୟକ୍ତି ଉଭୟଙ୍କର କୌଣସି କଲ୍ୟାଣ ସାଧିତ ହୋଇ ନ ଥାଏ । କିନ୍ତୁ ଧର୍ମର ବହିଃରୂପ କହେ ଯେ, ଶାସ୍ତ୍ରବିଧାନ ନିଃସନ୍ଦେହ ଭାବେ ପାଳନ କରି ମନୁଷ୍ୟକୁ ନିର୍ମମ ଭାବେ ଘୃଣା କଲେ ମଧ୍ୟ ତାହା ସ୍ୱଧର୍ମ ବୋଲି ଅଭିହିତ ହୁଏ । ଆମର ସହବାସୀ ପ୍ରାଣୀମାନଙ୍କୁ ଅହେତୁକ ଯନ୍ତ୍ରଣା ପ୍ରଦାନ କରି ନିଜ ଆତ୍ମାକୁ ନଷ୍ଟ ନ କରିବାକୁ ଧର୍ମଭାବ ଆମକୁ ଶିକ୍ଷା ଦେଉଛି । କିନ୍ତୁ ଧର୍ମାଚାର ପଦ୍ଧତି ବାପା ମାଙ୍କୁ ସତର୍କ କରିଦିଏ ଯେ, ମାସର କେତେଗୁଡ଼ିଏ ନିର୍ଦ୍ଦିଷ୍ଟ ଦିନରେ ତାଙ୍କର ବିଧବା କନ୍ୟାକୁ ଦୁଃଖ, ଯନ୍ତ୍ରଣାର ଉପଶମ ପାଇଁ ମଧ୍ୟ ଖାଦ୍ୟ ପାନୀୟ ଦେବା ହେଉଛି, ପାପ । ପାପଚିନ୍ତା ଓ ପାପକର୍ମର ପ୍ରାୟଶ୍ଚିତ୍ତ ପାଇଁ ଅନୁତାପ ଓ ପୁଣ୍ୟକର୍ମ କରିବା ପାଇଁ ଧର୍ମଭାବ ଆମକୁ ଉପଦେଶ ଦେଉଛି, କିନ୍ତୁ ଧର୍ମର ବାହ୍ୟାଚାର ସୂଯ୍ୟପରାଗ ବା ଚନ୍ଦ୍ରଗ୍ରହଣ ସମୟରେ କେତେଗୁଡ଼ିଏ ନିର୍ଦ୍ଦିଷ୍ଟ ନଦୀରେ ସ୍ନାନ କରିବାକୁ ଆମକୁ ବିଧାନ ଦେଉଛି । ସାଗର ପର୍ବତ ଅତିକ୍ରମ କରି ବିଶ୍ୱ ଦର୍ଶନ ଦ୍ୱାରା, ଆମର ମାନସିକ ଉନ୍ନତି ସାଧନ କରିବାକୁ ଧର୍ମଭାବ ଯେତେବେଳେ ଉପଦେଶ ଦେଉଛି, ସେତେବେଳେ ଧର୍ମର ବାହ୍ୟରୂପ ସମୁଦ୍ର ଯାତ୍ରା ନ କରିବାକୁ ପ୍ରାୟଶ୍ଚିତ୍ତ ବିଧାୟକ ନିଷେଧାଜ୍ଞା ପ୍ରଦାନ କରୁଛି । ଜାତି ନିର୍ବିଶେଷରେ ସମସ୍ତ ସଜ୍ଜନଙ୍କୁ ସମ୍ମାନ କରିବା ପାଇଁ ଧର୍ମଭାବ ଯେତେବେଳେ ନିର୍ଦ୍ଦେଶ ଦେଉଛି, ସେତେବେଳେ ଯେତେ ଅଯୋଗ୍ୟ ହେଲେ ମଧ୍ୟ ବ୍ରାହ୍ମଣକୁ ସମ୍ମାନ କରିବାକୁ ଧର୍ମର ବହିଃପଦ୍ଧତି ଆଦେଶ ପ୍ରଦାନ କରୁଛି । ମୋଟାମୋଟି ଧର୍ମଭାବ ଆମକୁ ମୁକ୍ତି ଆଡ଼କୁ ଓ ଧର୍ମାନୁଷ୍ଠାନ ପଦ୍ଧତି ଆମକୁ ଦାସତ୍ୱ ଆଡ଼କୁ ପରିଚାଳିତ କରୁଛି ।

 

ଧର୍ମ ନିଷ୍ଠାରେ ଗୋଟିଏ ଧରଣର ସୌନ୍ଦର୍ଯ୍ୟ ରହିଛି ଏବଂ ବିଦେଶୀ ପର୍ଯ୍ୟଟକମାନେ ସେ ସମ୍ପର୍କରେ ଆଲୋଚନା ମଧ୍ୟ କରିଛନ୍ତି; କିନ୍ତୁ ଗୋଟିଏ ପ୍ରାଚୀନ ଓ ଜରାଜୀର୍ଣ୍ଣ ସୌଧକୁ ଜଣେ ଚିତ୍ରକର ଅବଲୋକନ କରି ତାର ରୂପରମ୍ୟତାରେ ଯେପରି ମୁଗ୍ଧ ହୋଇଥାଏ କିନ୍ତୁ ତାହାର ବାସୋପଯୋଗିତା ସମ୍ପର୍କରେ ବିବେଚନା କରି ନ ଥାଏ, ଠିକ୍ ସେହିପରି ବିଦେଶୀ ପର୍ଯ୍ୟଟକଗଣ ଏହି ଧର୍ମନିଷ୍ଠାର ଅନ୍ତଃରୂପ ପରିବର୍ତ୍ତେ କେବଳ ବହିଃରୂପକୁ ପରିଦର୍ଶନ କରିଛନ୍ତି । ସ୍ନାନଯାତ୍ରା ଉତ୍ସବଦିନ କଲିକତା ଫେରିବା ବାଟରେ ମୁଁ ବହୁତୀର୍ଥଯାତ୍ରୀ ଦେଖିଚି ଏବଂ ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ସ୍ତ୍ରୀଲୋକ । ସେମାନେ ଗଙ୍ଗାସ୍ନାନ କରିବାକୁ ଆସି ଷ୍ଟିମର୍ ଓ ରେଳଷ୍ଟେସନମାନଙ୍କରେ ଅକଥନୀୟ ନିଗ୍ରହ ଓ ଯନ୍ତ୍ରଣା ସହ୍ୟ କରୁଥାନ୍ତି । ବାହାର ଦୃଷ୍ଟିରେ ସେମାନଙ୍କର ଏହି ଆକୁଳ ସହିଷ୍ଣୁତାରେ ଗୋଟିଏ ପ୍ରକାରର ସୌନ୍ଦର୍ଯ୍ୟ ରହିଛି–କିନ୍ତୁ ଆମର ଅନ୍ତର୍ଯ୍ୟାମୀ ପରମେଶ୍ୱର ଏହାକୁ ଅନୁମୋଦନ କରନ୍ତି ନାହିଁ କିମ୍ବା ଏହି ଧରଣର ଅନ୍ଧଉକ୍ତିକୁ ପୁରସ୍କୃତ ମଧ୍ୟ କରନ୍ତି ନାହିଁ । ନିଜର ସନ୍ତାନ ସନ୍ତତିକୁ ନାନାପ୍ରକାର ବ୍ରତ, ପ୍ରାୟଶ୍ଚିତ୍ତାଦିର ବେଢ଼ା ଭିତରେ ରଖି ପାଳନ କରିବା ଦ୍ୱାରା ଏହି ସ୍ତ୍ରୀଲୋକମାନେ ପୃଥିବୀର ପ୍ରତ୍ୟେକ ବସ୍ତୁ ନିକଟରେ ମୁଣ୍ଡ ନୁଆଁଇଛନ୍ତି ଏବଂ ଅପାର୍ଥିବ ଜଗତର ପ୍ରତ୍ୟେକ ଅବାସ୍ତବ ଛାୟା ନିକଟରେ ଏମାନେ ମୁଣ୍ଡ ବାଡ଼େଇଛନ୍ତି । ନିଜର ସ୍ୱାଧୀନ କର୍ମରେ ବାଧାସୃଷ୍ଟି କରିବା ହିଁ ହେଉଛି ସେମାନଙ୍କର କାର୍ଯ୍ୟ ଏବଂ ନିଜର ବାସ୍ତବ ପ୍ରଗତିପଥରେ ବିରାଟ ପ୍ରତିବନ୍ଧକ ସୃଷ୍ଟି କରି ତାହାକୁ ପ୍ରଗତି ଆଖ୍ୟା ଦେଇଥାନ୍ତି । ସତ୍ୟ ସକାଶେ କଷ୍ଟସହିଷ୍ଣୁତା ଶୋଭନୀୟ କିନ୍ତୁ ଦୁର୍ବଳତା ଓ ଅନ୍ଧତା ସକାଶେ ଯନ୍ତ୍ରଣା ଭୋଗ କୁତ୍ସିତ । ବୀରତ୍ୱ ସହକାରେ ଆମର ତ୍ୟାଗ ସ୍ୱୀକାର କରିବାର ଶ୍ରେଷ୍ଠତମ ଈଶ୍ୱରଦତ୍ତ ସମ୍ପତ୍ତିର ଏହା କେବଳ ଅର୍ଥହୀନ ଅପବ୍ୟୟ ମାତ୍ର ।

 

ଆଜି ଆମେ ତାହାର ହିସାବ ନିକାଶ କରୁଛୁ ଏବଂ ଦେଖୁଛୁଁ ଯେ ଆମର ବ୍ୟୟ ଆୟକୁ ଅତିକ୍ରମ କରି ଯାଇଛି । ପୁଣ୍ୟ ଅର୍ଜନ କରିବା ପାଇଁ ସହସ୍ର ନରନାରୀ ତୀର୍ଥଯାତ୍ରା ଉଦ୍ଦେଶ୍ୟରେ ଗଙ୍ଗାରେ ସ୍ନାନ କରିବାକୁ ଆସୁଥିବାର ଦୃଶ୍ୟ ମୁଁ ସ୍ୱଚକ୍ଷୁରେ ଦେଖିଛି । ଯେତେବେଳେ ସେମାନଙ୍କ ମଧ୍ୟରୁ ଜଣେ ପୀଡ଼ିତ ବ୍ୟକ୍ତି ରାସ୍ତାକଡ଼ରେ ମୁମୂର୍ଷୁ ଅବସ୍ଥାରେ ପଡ଼ି ରହିଥିଲା, ଅନ୍ୟମାନେ ତାକୁ ସ୍ପର୍ଶ କରିବାକୁ ଘୃଣା କରିଥିଲେ; କାରଣ ସେହି ଅଗନ୍ତୁକର ଜାତି କଣ, ସେମାନେ ତାହା ଜାଣି ନ ଥିଲେ । ଏହା ସ୍ପଷ୍ଟତଃ ଆମର ଆଧ୍ୟାତ୍ମିକ ନିଃସ୍ୱତାର ପରିଚାୟକ । ତୀର୍ଥଯାତ୍ରୀମାନଙ୍କର ଧର୍ମାନୁରାଗହିଁ ମୁମୂର୍ଷୁ ବ୍ୟକ୍ତିଟି ପ୍ରତି ସେମାନଙ୍କୁ ନିଷ୍କରୁଣ କରିଥିଲା ।

 

ଭକ୍ତି ସକାଶେ ଏକଲବ୍ୟ ନିଷ୍ଠୁର ଦ୍ରୋଣାଚାର୍ଯ୍ୟଙ୍କୁ ନିଜର ବୃଦ୍ଧାଙ୍ଗୁଳିକୁ କାଟି ଦାନ କରିଥିଲା । ଏହା ଦ୍ୱାରା ଜୀବନବ୍ୟାପୀ ପରିଶ୍ରମ କରି ସେ ଯେଉଁ ଧନୁର୍ବିଦ୍ୟା ହାସଲ କରିଥିଲା ସେହି ବିଦ୍ୟା ଶିକ୍ଷାରୁ ସେ ତା'ର ନିଜ ଲୋକଙ୍କୁ ବଞ୍ଚିତ କରିଥିଲା । ଏହି ଧରଣର ନିର୍ବୋଧ ଓ ନିଷ୍ଫଳ ଭକ୍ତି ଭଗବାନ ଶ୍ରଦ୍ଧାଚିତ୍ତରେ ଗ୍ରହଣ କରନ୍ତି ନାହିଁ; କାରଣ ଏହା ଦ୍ୱାରା ମନୁଷ୍ୟକୁ ଦେଇଥିବା ତାଙ୍କର ଦାନ ଅପମାନିତ ହୋଇଥାଏ । ଆଖି ବନ୍ଦକରି ଚାଲିବାକୁ ଯେ ଅଭ୍ୟସ୍ତ ଆଖି ଖୋଲି ଚାଲିବାକୁ ସେ ନିଶ୍ଚୟ ଅସମର୍ଥ ହେବ । ନିଜକୁ ନିଜର କର୍ତ୍ତା ମନେକଲେ ସୁଦ୍ଧା ଜଣେ ଆଜନ୍ମଦାସ ଯେ କି ତା'ର ପ୍ରଭୁ ପାଇଁ ନିଜର ଜୀବନ ଦେବାକୁ କେବଳ ଜାଣେ, ସେ କେବେ ନିଜ ଇଚ୍ଛାରେ କୌଣସି ନ୍ୟାୟ କାରଣ ପାଇଁ ନିଜର ଜୀବନୋତ୍ସର୍ଗ କରି ପାରେ ନା ।

 

ଆମ ଗ୍ରାମଗୁଡ଼ିକରେ ଚିରନ୍ତନ ଦୁର୍ଦ୍ଦଶାର କାରଣ ହେଉଛି ଯେ, ସମସ୍ତ ଜନହିତକର କାର୍ଯ୍ୟ କେବଳ ପୁଣ୍ୟାର୍ଜନର ପ୍ରେରଣାବଶତଃ କରାଯାଉଥିଲା । ନିଜେ ଈଶ୍ୱର ନ ହେଲେ ମଧ୍ୟ ଏହି ପୁଣ୍ୟପ୍ରାର୍ଥୀଦଳ ଏପର୍ଯ୍ୟନ୍ତ ଗ୍ରାମୋନ୍ନତିର ଦାୟିତ୍ୱ ବହନ କରିଆସିଛନ୍ତି । ଅନ୍ୟମାନେ ଶୋଷରେ ମରିଯାଆନ୍ତୁ ପଛକେ ନିଜ ହାତରେ ମୁଠାଏ ମାଟି ଖୋଳିବାକୁ ପଶ୍ଚାତ୍‍ପଦ ହୋଇଥାନ୍ତି-। ଗ୍ରାମର ଜନସାଧାରଣ ଆଜି ମଧ୍ୟ ଠିକ୍ ପୂର୍ବଭଳି ଅବସ୍ଥାରେ ରହିଛନ୍ତି ଏବଂ ସେହି "ବୃଦ୍ଧମହିଳା" ହାତରେ ରହିଛନ୍ତି ଏବଂ ସେହି ବୃଦ୍ଧମହିଳା ହିଁ ପ୍ରତ୍ୟେକ ନରନାରୀ ପାଇଁ ସମସ୍ତ ବିଷୟ ପୂର୍ବରୁ ନିର୍ଦ୍ଧାରଣ କରିଦେଉଛି-ସେମାନଙ୍କର ଜାତି, ଗୋତ୍ର, ସେମାନଙ୍କର ବୈଷୟିକ ଓ ଆଧ୍ୟାତ୍ମିକ ସାଧନା, ସେମାନଙ୍କର ଦୋଷଗୁଣ ଓ ଏପରିକି ସେମାନଙ୍କର ଖାଇବା, ବସିବା ମଧ୍ୟ ତାହାରି ଦ୍ୱାରା ନିୟନ୍ତ୍ରିତ ।

 

ଆମେ ପ୍ରକୃତରେ ସେମାନଙ୍କୁ ଦୋଷଦେଇ ପାରୁ ନା, କାରଣ ସେହି ବୁଢ଼ୀ ହିଁ ଅଫିମ ଦେଇ ତାଙ୍କର ମନକୁ ନିଦ୍ରାଚ୍ଛନ୍ନ କରିଛି । କିନ୍ତୁ ବିସ୍ମୟର କଥା ହେଉଛି ଯେ, ଆଜିର ଶିକ୍ଷିତବ୍ୟକ୍ତି ଏପରିକି ବିଶ୍ୱବିଦ୍ୟାଳୟର ତରୁଣ ଛାତ୍ରମାନେ ମଧ୍ୟ ଏହି ବୁଢ଼ୀର ମତ ପ୍ରତି ସମ୍ମାନ ପ୍ରଦର୍ଶନ କରିଥାଆନ୍ତି । ସେହି ସ୍ମରଣାତୀତ କାଳର ଧାତ୍ରୀକୋଳରେ ବସି ଭାରତବର୍ଷ ଗତି କରୁଥିବାର ଦେଖିଲେ ସେମାନେ ପରିତୃପ୍ତ ହୋଇଥାଆନ୍ତି । ଏଭଳି ଏକ ଉଚ୍ଚ ସ୍ଥାନରୁ ଭାରତବର୍ଷ ପାଦ ଭୂତଳ ସ୍ପର୍ଶ ନ କରିବା ସ୍ୱାଭାବିକ । ତଥାପି ଭାରତବର୍ଷ ସେହି ଧାତ୍ରୀକୋଳରେ ଥାଇ ନିଜ ହାତରେ ସ୍ୱାୟତ୍ତଶାସନ କ୍ଷମତା ଧାରଣା କରିଥିବାର ଦୃଶ୍ୟଠାରୁ ବଳି ସୁନ୍ଦର ଦୃଶ୍ୟ ଯେ ନାହିଁ-ଏହା କହି ସେମାନେ ଗର୍ବ ଅନୁଭବ କରିଥାନ୍ତି ।

 

ସେ ଯାହା ହେଉ ନା କାହିଁକି ଦୈନ୍ୟ, କ୍ଷୁଧା ଓ ମୃତ୍ୟୁର ଅନ୍ୟ ସକଳ ଚର ଆମ ଗୃହକୁ ଯେ ଆବାସସ୍ଥଳୀରେ ପରିଣତ କରିଛନ୍ତି, ଏଥିରେ କୌଣସି ସନ୍ଦେହ ନାହିଁ । ସେମାନେ ଯେତେବେଳେ ଲମ୍ଫ ଦେବାକୁ ପ୍ରସ୍ତୁତ ହୁଅନ୍ତି ଏବଂ ବିଷଦନ୍ତ ସାହାଯ୍ୟରେ ଆମର ଗଲା ଉପରେ ଦଂଶନ କରନ୍ତି, ସେତେବେଳେ ଆମେ ଦେଖୁ ଯେ, ଆମ ହାତରେ ବନ୍ଧୁକ ନାହିଁ । ଆମ ସମାଜଶାସକଗଣ ମଧ୍ୟ ଅସ୍ତ୍ରଶସ୍ତ୍ର ପ୍ରୟୋଗ କରିବାର ଅଧିକାର ପାଇବାକୁ ଆମକୁ ଅନୁମତି ଦେଇ ନ ଥାନ୍ତି, ଯାହା ଫଳରେ ଏହି ସାମାଜିକ ଶତ୍ରୁ ବିରୁଦ୍ଧରେ ସଂଗ୍ରାମ କରି ପାରନ୍ତୁ । ଠିକ୍ ଏହିଭଳି ଆମ ସରକାର ମଧ୍ୟ ବନ୍ଧୁକ ବ୍ୟବହାର କରିବାକୁ ଆମକୁ ନିଷେଧ କରିଛି, ଯାହା ଦ୍ୱାରା ହୁଏତ ଆମେ ବ୍ୟାଘ୍ର ଓ ଦସ୍ୟୁମାନଙ୍କ କବଳରୁ ନିଜକୁ ରକ୍ଷା କରି ପାରନ୍ତୁ । ଜ୍ଞାନ, ଯୁକ୍ତି ଓ ବୁଦ୍ଧି ହିଁ ଏହି ସକଳ ଅମଙ୍ଗଳକୁ ବିତାଡ଼ିତ କରିବାର ଅସ୍ତ୍ର ସ୍ୱରୂପ । ସେହି ବୃଦ୍ଧ ମହିଳାର ଶାସନ ପ୍ରତି ଯେଉଁ ଲୋକମାନଙ୍କର ବିଶ୍ୱାସ ଅବିଚଳିତ ରହିଛି, ସେମାନେ ପ୍ରତିବାଦ କରି କହନ୍ତି ଯେ, ଏହି ଅସ୍ତ୍ରଗୁଡ଼ିକୁ ତ ସମ୍ପୂର୍ଣ୍ଣରୂପେ ନିଷିଦ୍ଧ କରାଯାଇ ନାହିଁ । ସ୍ୱାଧୀନ ଭାବରେ ବିଜ୍ଞାନ ଅଧ୍ୟୟନ କରିବାର ଅଧିକାର ଆମର ଅଛି ଏବଂ ଏହାର ନୀତିଗୁଡ଼ିକ ଯେତେଦୂର ସମ୍ଭବ ପ୍ରୟୋଗ କରିବାକୁ ନିରୁତ୍ସାହିତ କରିବା ସକାଶେ ଅନୁମତି ପ୍ରଦାନ କରିବାରେ ନାନାପ୍ରକାର କଠୋର ନୀତି ଅବଲମ୍ବନ କରାଯାଉଛି, ସେଥିପାଇଁ ବହୁ କଟକଣା ଏପରିକି ସାମାନ୍ୟ ଆଇନଭଙ୍ଗ ପାଇଁ କଠୋର ଦଣ୍ଡାଦେଶ ମଧ୍ୟ ରହିଛି-। ଆମର ଗୁରୁ ଓ ପୁରୋହିତ, କୁହୁକ ଓ କବଚ, ପ୍ରାଚୀନ ଅନୁଶାସନ ଓ ସାହିତ୍ୟିକ ପ୍ରବଚନ, ଆମର ସଯତ୍ନ ଦୃଷ୍ଟି ଓ ସଭକ୍ତି ଆଜ୍ଞାପାଳନ ଏତେ ବେଶୀ ଦାବି କରନ୍ତି ଯେ, ଫଳରେ କେବେ ବ୍ୟବହାର କରି ନ ଥିବା ବନ୍ଧୁକ ଅପେକ୍ଷା ଦସ୍ୟୁ ଆକ୍ରମଣକୁ ଆମେ କମ୍ ବିପଜ୍ଜନକ ବୋଲି ଭାବିଥାଉ ।

 

ଯେଉଁ ଦୟାଶୀଳ ଲୋକମାନେ ଆଶୀର୍ବଚନ ଶୁଣାଇ କହନ୍ତି ଯେ, ଆମର ପଦଶୃଙ୍ଖଳ ଚିରନ୍ତନ ହେଉ ସେମାନେ କହିବା ଉଚିତ ଯେ, ଅନ୍ୟ ଲୋକଙ୍କର କାନ୍ଧରେ ବସି ତାଙ୍କରି ପାଦରେ ହିଁ ଚିରକାଳ ଆମେ ଚାଲୁଥାଉଁ । ଏହି ସମସ୍ତ ଲୋକେ ଆମର ସମସ୍ତ ପ୍ରାଚୀନ, ସାମାଜିକ ଭେଦଭାବର ପ୍ରାଚୀର ଓ ବ୍ୟକ୍ତିଗତ ବିଧିନିଷେଧଗୁଡ଼ିକୁ ମରାମତି ଓ ରକ୍ଷା କରିଥାନ୍ତି ଏବଂ ଏହାକୁ ନବ ଜାଗରଣ ବୋଲି କହିଥାନ୍ତି । ଜୀବନର ସ୍ଥାଣୁତ୍ୱ ଓ ତାକୁ ଅନୁସରଣ କରୁଥିବା ବୁଦ୍ଧି ନିରୋଧରେ ମଧ୍ୟ ସେମାନେ ଗର୍ବ ଅନୁଭବ କରିଥାନ୍ତି । ସେମାନଙ୍କୁ କହିଦେବା ଉଚିତ ଯେ, ତାଙ୍କର କାର୍ଯ୍ୟଫଳରେ ଯେଉଁ ଲକ୍ଷ ଲକ୍ଷ ଲୋକ ନିଃସ୍ୱ ଓ କ୍ଷୁଧାର୍ତ୍ତ ହେବେ ସେମାନଙ୍କର ଦାୟିତ୍ୱ ନେବାକୁ ସେମାନେ ପ୍ରସ୍ତୁତ ହେବା ଆବଶ୍ୟକ । ଜାଣେ ଯେତେ ଦକ୍ଷ ହେଉ ନା କାହିଁକି ଏକ ସମୟରେ ଦୁଇଟି ବିପରୀତମୁଖୀ ସ୍ୱାର୍ଥର ସେବା କରି ନ ପାରେ । ଏମାନଙ୍କର ବୋଧହୁଏ ଉଦ୍ଦେଶ୍ୟ ଯେ ପାଣି ଆଣିବା ପାଇଁ ଜାଣେ ତୁଷାର୍ତ୍ତ ବ୍ୟକ୍ତିର ଯେଉଁ ସମସ୍ତ ବାସନକୁସନ ଅଛି, ତାହାକୁ ପ୍ରଥମେ ସେମାନେ ଭାଙ୍ଗି ଚୁନା କରିଦିଅନ୍ତେ ଏବଂ ତା' ପାଇଁ ଗୋଟିଏ ଚାଲୁଣିରେ ଜଳ ଆଣିବାକୁ ସେମାନେ ନଦୀ ଓ ଘର ଭିତରେ ବେଶ୍ ଯିବା ଆସିବା କରୁଥାନ୍ତେ ।

 

ଅନେକ ମତ ପୋଷଣ କରିଥାନ୍ତି ଯେ, ଆମ ଦେଶର ଦୁରବସ୍ଥା ପାଇଁ ବିଦେଶୀ ଶାସନ ହିଁ ମୁଖ୍ୟତଃ ଦାୟୀ । ଏହି ମତ ସାବଧାନତାର ସହିତ ବିଚାର କରାଯିବା ଉଚିତ । ଶାସନ ଓ ଶାସିତର କ୍ଷମତା ମଧ୍ୟରେ ସଦ୍ଧିସ୍ଥାପନ ହିଁ ଇଂରେଜ ରାଜନୀତିର ମୌଳିକନୀତି । ଇଂଲଣ୍ଡରେ ଏହି ନୀତି ସକାଶେ ସ୍ୱୈର ଶାସନ ବିରୁଦ୍ଧରେ ଏକ ତିକ୍ତ ସଂଗ୍ରାମ ଚିରକାଳ ଦେଖାଦେଇଛି ଏବଂ ସେହି ସଂଗ୍ରାମର ଇତିହାସ ଆମ ନିକଟରେ ଅଜ୍ଞାତ ନୁହେ ଆମେ ଖୋଲାଖୋଲି ଭାବରେ ସରକାରୀ ବିଦ୍ୟାଳୟଗୁଡ଼ିକରେ ଏହା ଅଧ୍ୟୟନ କରୁଛୁ । ତାହା ପାଠ କରି ପରୀକ୍ଷାରେ କୃତକାର୍ଯ୍ୟ ହେଉଚୁ ଏବଂ ତାହାକୁ ଆମ ନିକଟରୁ କଦାପି କାଢ଼ି ନିଆଯାଇ ପାରେ ନା । କଂଗ୍ରେସ ଭଳି ଆମର ସକଳ ରାଜନୀତିକ ଅନୁଷ୍ଠାନଗୁଡ଼ିକର ମୂଳଭିତ୍ତି ଏହାରି ମୃତ୍ତିକାରେ ହିଁ ନିହିତ ।

 

ଇଉରୋପୀୟ ବିଜ୍ଞାନ ଉଆଁରେ ଆମର ଅଧିକାର ଯେପରି ସେହି ବିଜ୍ଞାନର ସ୍ୱଭାବ ମଧ୍ୟରେ ନିହିତ, ଠିକ୍ ସେହିପରି ଇଂରେଜ ରାଜନୀତିରେ ଆମର ଅଧିକାର ସେହି ରାଜନୀତିର ମୌଳିକ ପ୍ରକୃତି ମଧ୍ୟରେ ଗର୍ଭିତ । ମୁଷ୍ଟିମେୟ ଇଂରେଜ କହି ପାରନ୍ତି ଯେ, ଭାରତୀୟ ଛାତ୍ରମାନଙ୍କୁ ବିଜ୍ଞାନ ଅଧ୍ୟୟନର ସୁଯୋଗ ନ ଦେବା ଶ୍ରେୟସ୍କର କିନ୍ତୁ ବିଜ୍ଞାନ ଯେତେବେଳେ ବର୍ଣ୍ଣ ସମ୍ପ୍ରଦାୟ ନିର୍ବିଶେଷରେ ଏହାକୁ ଅଧ୍ୟୟନ କରି ଶକ୍ତିମାନ୍ ହେବାକୁ ବଜ୍ରସ୍ୱରରେ ଆହ୍ୱାନ କରିବ ସେତେବେଳେ ଏହି ଇଂରେଜମାନେ ବିଜ୍ଞାନ ଦ୍ୱାରା ସ୍ୱତଃ ଲଜ୍ଜିତ ହେବେ । ଠିକ୍ ସେହିପରି ଅଳ୍ପ କେତେଜଣ ବା ବହୁସଂଖ୍ୟକ ଇଂରେଜ ରାଜନୀତିଜ୍ଞ ଓ ସାମ୍ବାଦିକ ହୁଏତ କହିପାରନ୍ତି ଯେ, ଭାରତର ସ୍ୱାୟତ୍ତଶାସନ ପଥରେ ଯେ କୌଣସି ପ୍ରକାରର ପ୍ରତିବନ୍ଧକ ସୃଷ୍ଟି କରିବା ଅଧିକ କାମ୍ୟ କିନ୍ତୁ ଇଂରେଜ ରାଜନୀତି ବର୍ଣ୍ଣ ସମ୍ପ୍ରଦାୟ ନିର୍ବିଶେଷରେ ନିଜ ଦେଶର ଶାସନ କ୍ଷମତା ହାସଲ କରିବାକୁ ପ୍ରତ୍ୟେକ ଭାରତୀୟଙ୍କୁ ଆହ୍ୱାନ କରି ତାଙ୍କର ସେହି ଉପଦେଶକୁ ପଣ୍ଡ କରିଦେବ । ପ୍ରାଚୀନ ଭାରତରେ ବ୍ରାହ୍ମଣ ଯେପରି ଶୂଦ୍ରଙ୍କୁ ମୁହେଁ ମୁହେଁ କହି ଦେଉଥିଲା ଯେ ଧର୍ମ ଓ ବୁଦ୍ଧି ସାଧନା କ୍ଷେତ୍ରରେ ତାର କୌଣସି ଅଧିକାର ନାହିଁ, -ଠିକ୍ ସେହିପରି ଆମକୁ ସେମାନେ ସିଧାସଳଖ କହି ପାରନ୍ତି ଯେ, ଇଂରେଜ ରାଜନୀତିକ ଅନୁଷ୍ଠାନ ପାଇଁ ଆମେ ଅନୁପଯୁକ୍ତା ବ୍ରାହ୍ମଣ ଯେଉଁ ଶୁଦ୍ରର ଦେହକୁ ପଙ୍ଗୁ କରିଦେବାକୁ ଚାହିଁଥିଲା, ତାହାକୁ ମନରେ ପ୍ରଥମେ ପଙ୍ଗୁ କରିଦେବା ପାଇଁ ଯତ୍ନଶୀଳ ହୋଇ ସେ ଦୃଢ଼ ଭାବରେ ଅଧିକାର ଭେଦ ଆମୂଳଚୂଳ ସୃଷ୍ଟି କରିଥିଲା ।

 

ମନୁଷ୍ୟର କର୍ମରାଶି ଗୋଟିଏ ବୃକ୍ଷର ଶାଖା ପ୍ରଶାଖା ସଦୃଶ । ବୃକ୍ଷର ମୂଳ ଦୁର୍ବଳ ହେଲେ ଶାଖା ପ୍ରଶାଖା ଯେପରି ନୀରସ ଓ ଶୁଷ୍କ ହୋଇଯାଏ ଠିକ୍ ସେହିଭଳି ବୁଦ୍ଧିବୃତ୍ତି ପଙ୍ଗୁ ହୋଇଗଲେ ମନୁଷ୍ୟର ସକଳ କର୍ମ ନିଷ୍ପ୍ରଭ ହୋଇଯାଏ । ଶୁଦ୍ର ଜୀବନର ମୂଳରେ କୁଠାରାଘାତ କରିବାର ସହଜ କାର୍ଯ୍ୟ, ବ୍ରାହ୍ମଣ ସମ୍ପନ୍ନ କରି ସାରିବା ପରେ ଶୁଦ୍ରର ମସ୍ତକ ସ୍ୱତଃ ଅବନତ ହୋଇ ବ୍ରାହ୍ମଣର ପାଦ ଦେଶରେ ଶରଣାର୍ଥୀ ହୋଇଥିଲା । ଜ୍ଞାନର ଦ୍ୱାର ସ୍ୱାଧୀନତାର ପ୍ରଧାନ ତୋରଣ ହେଲେହେଁ, ଇଂରେଜ ଜାତି କିନ୍ତୁ ତାହା ଆମ ସକାଶେ ନିରୁଦ୍ଧ କରି ନାହିଁ । ମୁଁ ଭାବୁଛି, ଅନେକ ଇଂରାଜୀ କର୍ମଚାରୀ ଏଥିପାଇଁ ଦୁଃଖିତ; ଏବଂ ଶିକ୍ଷା ଜଗତରେ ସେମାନେ ଧୀର ମନ୍ଥରଗତି ଅନୁସରଣ କରୁଥିବାର ମୁଁ ଲକ୍ଷ୍ୟ କରୁଛି । କିନ୍ତୁ ଆତ୍ମସ୍ୱାର୍ଥ ପାଇଁ ନିଜର ମାନବିକତାକୁ ଜଳାଞ୍ଜଳି ଦେବା ଯେ ଆତ୍ମହତ୍ୟା ସଙ୍ଗେ ପ୍ରାୟ ସମାନ, ଏହା ସମ୍ପୂର୍ଣ୍ଣ ଭୁଲିଯିବାକୁ ସେମାନେ କେବେ ସମର୍ଥ ହେବେ ନାହିଁ ।

 

ସ୍ୱାୟତ୍ତଶାସନ ଦାବି କରିବାର ନ୍ୟାର୍ଯ୍ୟ ଧାରଣା ଇଂରେଜ ଜାତିର ମନୋବୃତ୍ତି ମଧ୍ୟରେ ମୌଳିକ ଭାବେ ଯେ ନିହିତ ଏହା ଯଦି ଦୃଢ଼ ଭାବରେ ଆମେ ବିଶ୍ୱାସ କରୁ, ତାହାହେଲେ ଏହା ହାସଲ କରିବା ପାଇଁ ବହୁ ଯନ୍ତ୍ରଣା ଓ ବହୁ ତ୍ୟାଗ ସ୍ୱୀକାର କରିବା ମଧ୍ୟ ଆମ ପକ୍ଷରେ ସହଜ ହେବ । କିନ୍ତୁ ପ୍ରଭୁଙ୍କର ଅପରିବର୍ତ୍ତନୀୟ ଇଛା ନିକଟରେ ସବୁକିଛି ଛାଡ଼ିଦେବାର ଦୁର୍ବଳ ଅଭ୍ୟାସକୁ ଯଦି ଆମେ ପ୍ରଶ୍ରୟ ଦେଉଁ, ତାହାହେଲେ ଫଳରେ ଯେଉଁ ଗଭୀର ବ୍ୟର୍ଥତା ଦେଖାଦେବ, ତାହା ଦୁଇଟି ମାର୍ଗରେ ଆତ୍ମପ୍ରକାଶ କରିବ । ପ୍ରଥମତଃ ଦେଶବ୍ୟାପୀ ଷଡ଼ଯନ୍ତ୍ର ହୁଏତ ଦେଖାଦେଇ ପାରେ ଓ ତାହା ଫଳରେ ସହସା ସନ୍ତ୍ରାସବାଦର କ୍ରିୟାକଳାପ ପରିଲକ୍ଷିତ ହୋଇପାରେ । ଦ୍ୱିତୀୟତଃ ଦେଶରେ ନାନାପ୍ରକାର ଛୋଟ ଛୋଟ ଗୋପନୀୟ କଥା ପରସ୍ପର କହୁଥିବାର ଶୁଣାଯିବ ଯେ, ଆମୁକ ଲୋକ ଜାଣେ ଭଲ ବଡ଼ଲାଟ ଓ ଅମୁକ ଜଣକ ହେଉଛନ୍ତି ଜାଣେ ଖରାପ ବଡ଼ଲାଟ; ଅମୁକ ବ୍ୟକ୍ତି ବଡ଼ଲାଟଙ୍କ କାର୍ଯ୍ୟ ନିର୍ବାହିକା ପରିଷଦରେ ଥିବାରୁ ଭାରତର କିଛି ମଙ୍ଗଳ ହେଉ ନାହିଁ; ପୁଣି ହୁଏତ କିଏ କହିବ, ମିଷ୍ଟର ମର୍ଲେ ଯେତେବେଳେ ଭାରତର "ସେକ୍ରେଟାରୀ ଅଫ୍ ଷ୍ଟେଟ୍" ହେବେ ସେତେବେଳେ ଭାରତର ଭାଗ୍ୟାକାଶରେ ସୌଭାଗ୍ୟ ଦିବସର ସୂର୍ଯ୍ୟୋଦୟ ଘଟିବ । ଏହିଭଳି ଅନ୍ୟ କେତେକ ବିଷୟରେ କଥାବାର୍ତ୍ତା ହୁଏତ ଶୁଣାଯିବ । ସଂକ୍ଷେପରେ ଏହି ବ୍ୟର୍ଥତା ହୁଏତ ଆମର ଶକ୍ତିକୁ ବିପଥଗାମୀ କରି ତାହାକୁ ରସାତଳଗାମୀ କରାଇବ କିମ୍ବା ନୀଚ ସଂଳାପର ବ୍ୟର୍ଥତା ମଧ୍ୟରେ ଏହାକୁ ସମ୍ପୂର୍ଣ୍ଣ ଭାବେ ନିଃଶେଷ କରିଦେବ, ତଥାପି ମାନବିକତା ଉପରେ ମୁଁ ଆସ୍ଥା ହରାଇ ନ ପାରେ କିମ୍ବା ଇଂରେଜ ରାଜନୀତିରେ ଶକ୍ତି ଅପେକ୍ଷା ନୈତିକତା ଯେ ଏକ ବୃହତ୍ତର ସ୍ୱାର୍ଥ, ଏ କଥା ଅସ୍ୱୀକାର କରି ନ ପାରେ । ଅବଶ୍ୟ ପ୍ରତିଦିନ ଏହା ବିପକ୍ଷରେ ନାନାପ୍ରକାର ପ୍ରମାଣ ମୋ ନିକଟକୁ ଆସୁଛି ଏବଂ ମୁଁ ଦେଖୁଚି ଯେ ସ୍ୱାର୍ଥପରତା, କ୍ଷମତାଲିପ୍‍ସା, ଲୋଭ, କ୍ରୋଧ, ଭୀରୁତା ଓ ଗର୍ବ ଭିତରେ ଇଂରେଜ ଜାତି ନିଜକୁ ନିକ୍ଷିପ୍ତ କରୁଛି । ଇଂରେଜ ଜାତିର ଏହି ତ୍ରୁଟି ଆମକୁ ଆଘାତ ଦେବାର କାରଣ ହେଉଛି ଯେ, ଆମେ ନିଜେ ସେହି ତୃଟି ଗୁଡ଼ିକର ଅଧିକାରୀ; ଆମେ ମଧ୍ୟ ସହଜରେ ଆତଙ୍କିତ ହେଉଛୁ ଓ ସହଜରେ ପ୍ରଲୁବ୍ଧ ହେଉଛୁ ଏବଂ ଆମେ ହୃଦୟରେ ଇର୍ଷା, ପରଶ୍ରୀକାତରତା ଓ ଅବିଶ୍ୱାସ ଭାବ ପୋଷଣ କରିଛୁ । ଆମେ ଯଦି ମହତ୍ ଓ ବୀରଭାବାପନ୍ନ ହୁଅନ୍ତୁ, ଉଦାର, ବିଶ୍ୱାସୀ ଓ ସଦ୍‍ଗୁଣସମ୍ପନ୍ନ ହୁଅନ୍ତୁ ଏବଂ ଆମେ ଯଦି ଆମର ଶତ୍ରୁ ଯେଉଁ ମହତ୍ତ୍ଵର ଅଧିକାରୀ ସେହି ମହତଗୁଣ ହାସଲ କରନ୍ତୁ, ତାହାହେଲେ ଆମ ଶତ୍ରୁର ତ୍ରୁଟିଜନିତ ଆଘାତ ସତ୍ତ୍ୱେ ଶାରୀରିକ ବଳରେ ନ ହେଲେହେଁ ନୈତିକ ବଳରେ ଆମେ ନିଶ୍ଚୟ ବିଜୟ ଲାଭ କରନ୍ତୁ । ଆମ ନିଜର ଭୀରୁତା ଫଳରେ ହିଁ ଆମେ ବ୍ରିଟିଶ୍ ସରକାରଙ୍କର ଗୁଣଗୁଡ଼ିକୁ ସାନ କରି ଏବଂ 'ଦୋଷ'ଗୁଡ଼ିକୁ ବଡ଼ କରି ଦେଖୁଚୁ । ଯେତେବେଳେ କୌଣସି ବ୍ୟାପାରରେ ମିଳିତ ଶକ୍ତି, ସେମାନଙ୍କୁ ସଫଳତା ପ୍ରଦାନ କରିଥାଏ । ବ୍ରାହ୍ମଣର ପ୍ରଭୁତ୍ୱ, ଶୁଦ୍ର ନମ୍ର ଭାବରେ ଗ୍ରହଣ କରିନେବା ଫଳରେ ବ୍ରାହ୍ମଣର ଅଧଃପତନ ପାଇଁ ସେ ଗଭୀର ଗର୍ତ୍ତ ଖନନ କରିଥିଲା । ବଳବାନ୍ ଦୁର୍ବଳର ଯେପରି ଶତ୍ରୁ, ଠିକ୍ ସେହିଭଳି ଦୁର୍ବଳ ମଧ୍ୟ ବଳବାନ୍‍ର ଶକ୍ତିଶାଳୀ ଶତ୍ରୁ ।

 

ଅନ୍ୟାୟର ପ୍ରତିରୋଧ ପାଶବିକ ଶକ୍ତିବିଶେଷ ନୁହେ । ନିଜର କର୍ତ୍ତବ୍ୟବୋଧ ମଧ୍ୟରୁ ଜନ୍ମଗ୍ରହଣ କରିଥିବା ଏହା ନୈତିକ ଶକ୍ତି । ଦେଶକୁ ପୋଲିସ୍ ଶାସନର ଚିରନ୍ତନ ଅତ୍ୟାଚାରରୁ ଉଦ୍ଧାର କରିବା ପାଇଁ ବହୁ ଶକ୍ତିଶାଳୀ ଓ ସାହସିକ ଲୋକ ଆବଶ୍ୟକ । ସେଇମାନେ ହିଁ ଏହାର ବାସ୍ତବରୂପ ବାରମ୍ବାର ପାଦରେ ପକାଇବେ ଏବଂ ନିଜର ଜୀବନୋତ୍ସର୍ଗ ଦ୍ୱାରା ସେମାନେ ଏହାକୁ ପ୍ରମାଣିତ କରିବେ । ମୁଁ ଜାଣୁଚି ଯେ, ଜଣେ ନିମ୍ନତମ ପୋଲିସ କର୍ମଚାରୀ ମଧ୍ୟ ଜଣେ ମଣିଷ ଅପେକ୍ଷା ଯଥେଷ୍ଟ ବଡ଼ ଏବଂ ସେ ଏକ ବିରାଟ ଶକ୍ତି । ଆଇନ ଅଦାଲତରେ ଜଣେ ପୋଲିସ ଗୁପ୍ତଚରର ଯଦି ବିଚାର ହୁଏ, ତାହାହେଲେ ତାକୁ ରକ୍ଷା କରିବା ପାଇଁ ସରକାର ସହସ୍ରାଧିକ ଟଙ୍କା ବ୍ୟୟ କରିବେ । ଗୋଟିଏ ରୂପକ ଛଳରେ କୁହାଯାଇ ପାରେ ଯେ, ବିଚାରର ବିକ୍ଷୁବ୍‍ଧ ସାଗର ଅତିକ୍ରମ କରିବା ପାଇଁ ଜଣେ ଗୁପ୍ତଚରକୁ ଯେତେବେଳେ ସରକାରଙ୍କ ଦ୍ୱାରା ଗୋଟିଏ ବାଷ୍ପୀୟ ଜାହାଜ ଯୋଗାଇ ଦିଆଯାଏ, ସେତେବେଳେ ବିଚରା ଅଭିଯୋଗକାରୀଟିକୁ ସମୁଦ୍ରରେ କେବଳ ପହଁରିବାକୁ ପଡ଼ିଥାଏ, ଏବଂ ଏପରିକି ତାର ଆଶ୍ରୟ ପାଇଁ ଖଣ୍ଡେ ଛୋଟ କାଠଭେଲା ମଧ୍ୟ ତାକୁ ଦିଆଯାଇ ନ ଥାଏ । ଏହା ଯେପରି ସେହି ନିର୍ଯ୍ୟାତିତ ବ୍ୟକ୍ତିକୁ ଅନେକଗୁଡ଼ିଏ କଥାରେ ସରକାର କହିଲା ଭଳି, "ହେ ମୋର ପ୍ରିୟ ସାଥି, ତୁମେ ମାଡ଼ ଖାଇଚ ସତ, କିନ୍ତୁ ପ୍ରତିବାଦ ନ କରି ମରିଯିବା ତୁମ ପକ୍ଷରେ ଅଧିକ ଶ୍ରେୟସ୍କର । ତାହାହେଲେ ତୁମେ ଆଉଥରେ ମାଡ଼ଖାଇ ପାରିବ ନାହିଁ ।"

 

ସମ୍ମାନ ! ସେ ଭଦ୍ରମହିଳା ହେଉଛନ୍ତି ଆମର ପୂର୍ବ ପରିଚିତା, ଆତ୍ମୀୟା, କବି କଙ୍କଣଙ୍କ କବିତାରେ ତାଙ୍କୁ ଆମେ ଚଣ୍ଡୀ ଭାବରେ ଏବଂ ବେହୁଲା କବିତାଗୁଡ଼ିକରେ ତାଙ୍କୁ ଆମେ ମନସା ରୂପରେ ଦେଖିଛୁ । ସେ ନ୍ୟାୟ, ଧର୍ମ ଏବଂ ପ୍ରତ୍ୟେକ ବସ୍ତୁ ଓ ପ୍ରତ୍ୟେକ ପ୍ରାଣୀର ଉପରେ । ଆମର ଶରୀରର ପ୍ରତ୍ୟେକ ଅସ୍ଥିଖଣ୍ଡ ଯଦି ଚୂର୍ଣ୍ଣ ବିଚୂର୍ଣ୍ଣ ନ କରିବାକୁ ଚାହୁଁ, ତା'ହେଲେ ଆମେ ତାଙ୍କୁ ଆରାଧନା କରିବା ଉଚିତ । ତାହାହେଲେ ଚାଲ ଆମେ ଗାଇବା-

 

ଯା ଦେବୀ ମାନରୂପେଣ

ସର୍ବକାରେଣ ସଂସ୍ଥିତା,

ନମସ୍ତସ୍ୟୈ ନମସ୍ତସ୍ୟୈ

ନମସ୍ତସ୍ୟୈ ନମୋନମଃ ।

 

କିନ୍ତୁ ଏହା ହେଉଛି ଅଜ୍ଞତା ଓ ମାୟା । ବହିଃଚକ୍ଷୁରେ ଏହା ସେହିଭଳି ପ୍ରତୀୟମାନ ହେଲେ ମଧ୍ୟ ସତ୍ୟ ନୁହେ । ପ୍ରକୃତ ସତ୍ୟ ହେଉଛି ଯେ ସରକାର ଜନସାଧାରଣଙ୍କର ପ୍ରତିନିଧି ଏବଂ ସବୁ ସରକାରୀ କର୍ମଚାରୀଙ୍କୁ ଏକତ୍ରିତ କଲେ ମଧ୍ୟ ତାହା ଅପେକ୍ଷା ସେ ବୃହତ୍ତର । ଇଂରେଜ ଜାତିର ପ୍ରକୃତ ଶକ୍ତି ଏହି ସତ୍ୟ ଉପରେ ପ୍ରତିଷ୍ଠିତ । ସେମାନଙ୍କର ଶକ୍ତିହିଁ ଆମର ଶକ୍ତି । ସତ୍ୟକୁ ଆମେ ଯଦି ହେଉ, ତାହାହେଲେ ସେମାନେ ମଧ୍ୟ ତାକୁ ହରାଇ ବସିବେ । ବ୍ରିଟିଶ୍ ରାଜନୀତିର ନୈତିକତା ଉପରେ ବିଶ୍ୱାସ ହରାଇବାକୁ ଆମେ ଯଦି ଭୀରୁତା ପ୍ରକାଶ କରୁ, ତାହାହେଲେ ପୋଲିସ୍‍ର ଅତ୍ୟାଚାର ବରାବର ଚାଲିବ ଏବଂ ନ୍ୟାୟ ବିଚାର ଦେବା ବିଚାରପତିମାନଙ୍କ ପକ୍ଷରେ କଷ୍ଟକର ହେବ । ସମ୍ମାନର ଦେବୀ ଚିରକାଳ ସେହିଭଳି ନରବଳି ଦାବୀ କରିବ ଏବଂ ଯୁଗ ଯୁଗଧରି ଇତିହାସରେ ଅଭିବ୍ୟକ୍ତି ଲାଭ କରିଥିବା ଇଂରେଜର ମୌଳିକ ଜୀବନଧାରାକୁ ଭାରତବର୍ଷର ଇଂରେଜଶାସନ ଚିରକାଳ ହାସ୍ୟାସ୍ପଦ କରୁଥିବେ ।

 

ବର୍ତ୍ତମାନ ମୁଁ ଯାହା କହିଲି ତାହାର ଉତ୍ତର ଠିକ୍ ଏହି ଧରଣର ହେବ-"ରାଜନୀତିରେ ଶକ୍ତି ଅପେକ୍ଷା ନୈତିକତା ଯେ ଏକ ବୃହତ୍ତର ସତ୍ୟ-ଏହି ନୀତି ଆଦର୍ଶ ଦୃଷ୍ଟିରୁ ଠିକ୍ ହେଲେ ମଧ୍ୟ ପ୍ରୟୋଗ ବା ବାସ୍ତବ କ୍ଷେତ୍ରରେ ବିପଜ୍ଜନକ । ତେଣୁ ଆମ ନିକଟରେ ଦୁଇଟି ପଥ ବିଦ୍ୟମାନ-ଗୋଟିଏ ହେଉଛି ଗୁପ୍ତ ଷଡ଼ଯନ୍ତ୍ରର ଦୁର୍ଗମପଥ ଏବଂ ଅନ୍ୟଟି ହେଉଛି ପ୍ରେସ ଆଇନର ନଖଦନ୍ତ ତଳେ ଚରମ ନୀରବତା ଅବଲମ୍ବନ କରିବାର ସହଜ ପଥ । "ଅବଶ୍ୟ ନାନାପ୍ରକାରର ବାଧାବିଘ୍ନ ରହିଛି; ତଥାପି ଆମକୁ ପ୍ରମାଣ କରିବାକୁ ହେବ ଯେ, ଆମେ ଚିନ୍ତାରେ ଯାହାକୁ ସତ୍ୟ ବୋଲି ଜାଣୁଛୁ ତାହା ଆମର ଆଚରଣରେ ମଧ୍ୟ ସତ୍ୟ ।

 

"ଆମର ନିଜଲୋକ ଭୟ ଓ ଲୋଭର ବଶବର୍ତ୍ତୀ ହୋଇ ଆମ ବିପକ୍ଷରେ ସାକ୍ଷ୍ୟଦେବେ ।"

 

"ସତକଥା, ତଥାପି ସତ୍ୟ ଅନୁସୃତ ହେବା ଆବଶ୍ୟକ ।"

 

"ପ୍ରଶଂସା ଓ ପୁରସ୍କାର ଦ୍ୱାରା ପ୍ରଲୁବ୍ଧ ହୋଇ ଆମ ନିଜଲୋକେ ପଛରୁ ଛୁରା ମାରିବେ-।"

 

"ତାହା ମଧ୍ୟ ସତ୍ୟ, ତଥାପି ସତ୍ୟାନୁସରଣ ବାଞ୍ଛନୀୟ ।" "ତୁମେ କଣ ଏତେ ବେଶୀ ଅଶୀ କରୁଛ ?"

 

"ହ, ଆମେ ଅଧିକହିଁ ଆଶା କରିବା ଉଚିତ ।"

 

ଗୋଟିଏ ଅଣୁ ମଧ୍ୟ ଉଣା ହେବ ଅନୁଚିତ । ସରକାରଙ୍କ ନିକଟରେ ଆମେ ଆମର ଦାବୀ ଉପସ୍ଥାପିତ କରିବୁ ସତ, କିନ୍ତୁ ଆମ ନିଜ ନିକଟରେ ବୃହତ୍ତର ଦାବୀ ଉପସ୍ଥାପିତ ନ କଲେ ସେ ଦାବୀ ଆମର ମଞ୍ଜୁର ହେବ ନାହିଁ । ମୁଁ ଜାଣୁଛି ଯେ, ଲୋକମାନେ ସବଳ ନୁହନ୍ତି ଏବଂ ଅଧିକାଂଶ ଲୋକ ହିଁ ପ୍ରକୃତପକ୍ଷେ ଦୁର୍ବଳ । କିନ୍ତୁ ପ୍ରତ୍ୟେକ ବିରାଟ ଦେଶରେ ପ୍ରତିଦିନ ମାନବଜାତିର ପ୍ରତିନିଧି ହେବା ଭଳି ବହୁ ବ୍ୟକ୍ତି ଜନ୍ମଗ୍ରହଣ କରୁଛନ୍ତି । ସମସ୍ତ ପୃଥିବୀର ଦୁଃଖ ଦୁର୍ଦ୍ଦଶାର ବୋଝ ଏହି ଲୋକମାନେ ହିଁ ନିଜ ପୃଷ୍ଠଦେଶରେ ବହନ କରୁଛନ୍ତି ଏବଂ ସେମାନେ ନିଜ ହାତରେ ସମସ୍ତଙ୍କର ଯାତ୍ରାପଥ ମଧ୍ୟ ନିର୍ମାଣ କରୁଛନ୍ତି । ସମସ୍ତ ବିରୋଧ ମଧ୍ୟରେ ସେମାନେ ମାନବିକତା ଉପରେ ବିଶ୍ୱାସ ସ୍ଥାପନ କରିଥାନ୍ତି ଏବଂ ବ୍ୟର୍ଥତାର ଘନାନ୍ଧକାର ମଧ୍ୟରେ ବିଶ୍ୱାସ ସ୍ଥାପନ ପ୍ରାଚୀ-ଦିଗ୍‍ବଳୟର ସୂର୍ଯ୍ୟୋଦୟ ଅପେକ୍ଷାରେ ଜାଗ୍ରତ ହୋଇ ରହିଥାନ୍ତି । ନାସ୍ତିକମାନଙ୍କର ବିଦ୍ରୁପ ସତ୍ତ୍ୱେ ସେମାନେ ଉଚ୍ଚକଣ୍ଠରେ ଘୋଷଣା କରିଥାନ୍ତି-" ସ୍ୱଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହୋତୋ ଭୟାତ୍"-ସାମାନ୍ୟ ଧର୍ମ ମଧ୍ୟ ଆମକୁ ମହତ୍ ଭୟରୁ ପରିତ୍ରାଣ କରିଥାଏ । ତେଣୁ ଆମେ ଭୟ ନିକଟରେ ନତମସ୍ତକ ହେବ ନାହିଁ ଏବଂ ରାଜନୀତିରେ ଯେଉଁଠି ଆମେ ନୈତିକତା ଲକ୍ଷ୍ୟ କରିବା, ତାହା ପ୍ରତି ଆମେ ସମ୍ମାନ ପ୍ରଦର୍ଶନ କରିବା । ଆମେ ଧର୍ମରେ ବିଶ୍ୱାସ କରୁ ଏବଂ ଜୀବନ ବିପନ୍ନ କରି ମଧ୍ୟ ଆମେ ଏହାର ସାଧନାରେ ବ୍ରତୀ ହେବୁ ।

 

ଭାରତବର୍ଷରେ ଇଂରେଜ ଶାସନର ଦେଢ଼ଶ ବର୍ଷ ପରେ ମଧ୍ୟ ଆମ ନିକଟରେ କୁହାଯାଇଛି ଯେ, ମାନ୍ଦ୍ରାଜ ସରକାରଙ୍କର ଦୁଷ୍କର୍ମ ସକାଶେ ସହାନୁଭୂତିର ନିଶ୍ୱାସ ପକାଇବାକୁ ମଧ୍ୟ ବଙ୍ଗବାସୀଙ୍କର ଅଧିକାର ନାହିଁ । କିନ୍ତୁ ଏ ପର୍ଯ୍ୟନ୍ତ ଆମକୁ କୁହାଯାଉଥିଲା ଯେ ଅବିଭାଜ୍ୟ ବ୍ରିଟିଶ୍ ଶାସନର ଅଧୀନରେ ମାନ୍ଦ୍ରାଜ, ବଙ୍ଗ, ପଞ୍ଜାବ ମହାରାଷ୍ଟ୍ର ଓ ଅନ୍ୟ ସକଳ ଭାରତୀୟ ପ୍ରଦେଶଗୁଡ଼ିକ ସେମାନଙ୍କର ଅନ୍ତରୀଣ ଓ ଆଭ୍ୟନ୍ତରୀଣ ବ୍ୟାପାରରେ ଏକତାବଦ୍ଧ ଏବଂ ବ୍ରିଟିଶ୍ ସାମ୍ରାଜ୍ୟର ମୁକୁଟଖଚିତ କୋହିନୁର୍ ହିଁ ସେମାନଙ୍କର ଏହି ସ୍ପର୍ଦ୍ଧିତ ଏକତା-ସାଧନାର ନିଦର୍ଶନ । ଠିକ୍ ଏହି ମୁହୂର୍ତ୍ତରେ ପାଶ୍ଚାତ୍ୟ ଜଗତରେ ଇଂରେଜମାନେ ଅନୁଭବ କରୁଛନ୍ତି ଯେ, ବେଲଜିଅମ୍ ଓ ଫ୍ରାନ୍ସର ଶତ୍ରୁମାନେ ସେମାନଙ୍କର ମଧ୍ୟ ଶତ୍ରୁ; ଏବଂ ବେଲଜିଅମ୍ ଓ ଫ୍ରାନ୍ସର ଯୁଦ୍ଧକ୍ଷେତ୍ରରେ ସେମାନେ ଜୀବନୋତ୍ସର୍ଗ କରିବାକୁ ଯାତ୍ରା କରୁଛନ୍ତି । ଏଭଳି ମୁହୂର୍ତ୍ତରେ ପ୍ରାଚ୍ୟରେ ଯେତେବେଳେ କୁହାଯାଇଛି ଯେ, ମାନ୍ଦ୍ରାଜ ଲୋକଙ୍କର ସୁଖ, ଦୁଃଖ, ଆନନ୍ଦ ଓ ବେଦନାସହିତ ବଙ୍ଗବାସୀଙ୍କର କୌଣସି ସମ୍ପର୍କ ନାହିଁ, ତାହାହେଲେ ଏ ନୀତି ପ୍ରାଚ୍ୟରେ ସଫଳ ହୋଇ ପାରେ କି ? ଏଭଳି ଏକ ଆଦେଶକୁ ଆମେ କଣ ନୀରବଭାବରେ ପାଳନ କରିବା ? ଦୃଢ଼କଣ୍ଠରେ ଯେତେ ଗର୍ଜନ କଲେ ମଧ୍ୟ, ଆମେ ନିର୍ଦ୍ଦିଷ୍ଟ ଭାବରେ ଜାଣୁ ଯେ, ସେମାନଙ୍କ ଆଦେଶର ଅନ୍ତରାଳରେ ଦୁଷ୍କର୍ମଜାତ ଏକ ଆତ୍ମଗ୍ଲାନି ରହିଛି ଏବଂ ସେହି ଗୁପ୍ତ ଆତ୍ମଗ୍ଳାନିକୁ ପୌରୁଷର ମୁକ୍ତ ଅଭିଯୋଗ ଦ୍ୱାରା ସମ୍ମୁଖୀନ ହେବା ଆବଶ୍ୟକ । ଇଂରେଜଜାତି ଭାରତସହିତ ସତ୍ୟର ବନ୍ଧନରେ ଆବଦ୍ଧ । ସେମାନେ ଇଉରୋପୀୟ ସଭ୍ୟତାର ଦାୟିତ୍ୱ ବହନ କରି ଏହି ପ୍ରାଚ୍ୟ ଦେଶକୁ ଆସିଛନ୍ତି । ଆମେ ମଧ୍ୟ ତାଙ୍କର ସେହି କର୍ମ ପ୍ରତି ଚରମସମ୍ମାନ ପ୍ରଦର୍ଶନ କରିବା ଏବଂ ସେମାନେ ଯେ ଭାରତର ମାଂସ ଖଣ୍ଡ ଖଣ୍ଡ କରିବାପାଇଁ ଦରିଆପାରି ହୋଇ ଦୂର ଦେଶରୁ ଆସିଛନ୍ତି ଏକଥା ଇଂରେଜଜାତିକୁ ଆମେ କେବେ କହିବାକୁ ଦେବା ନାହିଁ ।

 

ଗୋଟିଏ ଜାତିର ଅର୍ଜିତ ସମ୍ପତ୍ତିର ସକଳ ଜାତିର ଅଂଶ ରହିଛି ଏବଂ ଅନ୍ୟମାନଙ୍କ ସହିତ ସେ ତାହା ଭୋଗ କରିବା ଉଚିତ । କିନ୍ତୁ ସବୁସମ୍ପତ୍ତିକୁ ଜାତି ନିଜେ ଭୋଗ କରିବା ପାଇଁ ଯଦି ରଖେ, ତାହାହେଲେ ଜାତି ନିଜେ ମଧ୍ୟ ସେଥିରୁ ବଞ୍ଚିତ ହୋଇଥାଏ । ଇଉରୋପର ପ୍ରଧାନ ଐଶ୍ୱର୍ଯ୍ୟ ହେଉଛି–ବିଜ୍ଞାନ, ଜାତୀୟତା ଓ ଗଣତନ୍ତ୍ର ଏବଂ ଭାରତବର୍ଷକୁ ଏହା ପ୍ରଦାନ କରିବା, ବ୍ରିଟିଶ୍ ଶାସନର ହେଉଛି ଦୈବ ନିର୍ଦ୍ଦିଷ୍ଟ ରାଜକୀୟ ଅନୁଜ୍ଞା । ଆମର ଶାସକମାନଙ୍କୁ ଏହା ସ୍ମରଣ କରାଇଦେବା ମଧ୍ୟ ଆମର ହେଉଛି ଦାୟିତ୍ୱ । ଇଂରେଜଜାତି ହୁଏତ ତାର ନିଜ ଇତିହାସର ଦ୍ୱାହି ଦେଇ କହିବ ଯେ, ଗଣତନ୍ତ୍ରର ପ୍ରତିଷ୍ଠା ପାଇଁ ତାକୁ ବହୁ ଉଦ୍ୟମ କରିବାକୁ ପଡ଼ିଛି ଏବଂ ତାର ମହତ୍ତ୍ୱ ଉପଲବ୍ଧି କରିବା ପାଇଁ ବହୁ ବିପ୍ଳବ ମଧ୍ୟରେ ଗତି କରିବାକୁ ହୋଇଛି । ଏହି ଯୁକ୍ତି ମୁଁ ସ୍ୱୀକାର କରୁଛି, କିନ୍ତୁ ପୃଥିବୀର ଅଗ୍ରଣୀ ଜାତିଗୁଡ଼ିକ ସତ୍ୟର ବିଭିନ୍ନ ବିଭାବକୁ ବହୁପ୍ରକାରରେ ଆବିଷ୍କାର କରିଛନ୍ତି, ଏବଂ ପ୍ରତ୍ୟେକ ଆବିଷ୍କାର ପାଇଁ ପ୍ରଥମେ ତାଙ୍କୁ ବହୁ ଭ୍ରାନ୍ତି, ଯନ୍ତ୍ରଣା ଓ ତ୍ୟାଗର ସମ୍ମୁଖୀନ ହେବାକୁ ପଡ଼ିଛି । ଏହି ଆବିଷ୍କାରଗୁଡ଼ିକର ଉପକାରିତା ଯେଉଁ ଯେଉଁ ଜାତିଗୁଡ଼ିକ ଉପଭୋଗ କରୁଛନ୍ତି, ତାଙ୍କୁ କିନ୍ତୁ ସେହି ଭ୍ରାନ୍ତି, ଯନ୍ତ୍ରଣା ଓ ତ୍ୟାଗର ଦୀର୍ଘପଥରେ ଗତିକରିବାକୁ ପଡ଼ୁ ନାହିଁ । ବଙ୍ଗାଳି ଛାତ୍ରମାନେ ଆମେରିକା ଯାଇ ଆଦର୍ଶ ଓ ବ୍ୟବହାରିକ କ୍ଷେତ୍ରରେ ଗତିଶୀଳ ବାଷ୍ପୀୟ ଯନ୍ତ୍ର ନିର୍ମାଣ କରିବା ଓ ସେହି ବିଜ୍ଞାନରେ ଦକ୍ଷତା ଅର୍ଜନ କରୁଥିବାର ମୁଁ ଜାଣେ । ଅଳ୍ପ କେତେବର୍ଷ ମଧ୍ୟରେ ଏହା କରିବାକୁ ସେମାନେ ସମର୍ଥ ହୋଇଛନ୍ତି, କିନ୍ତୁ ସେମାନଙ୍କୁ ଯଦି ବାଷ୍ପୀୟ ଯନ୍ତ୍ର ପ୍ରସ୍ତୁତ କରିବାର ପ୍ରଣାଳୀ ଜାଣିବାକୁ କେଟଲି ଗରମ କରାଇବାଠାରୁ ଆରମ୍ଭକରି ସେହି ବିଜ୍ଞାନର ବିଭିନ୍ନ ଐତିହାସିକ ସ୍ତରଭିତରେ ଦେଇ ଗତି କରିବାକୁ ପଡ଼ନ୍ତା, ତାହାହେଲେ ବର୍ଣ୍ଣାଡ୍ ଶ'ଙ୍କ ନାଟକବର୍ଣ୍ଣିତ ମେଁଥୁସିଲା'ଙ୍କ ଅପେକ୍ଷା ମଧ୍ୟ ତାଙ୍କୁ ଅଧିକକାଳ ବଞ୍ଚିବାକୁ ପଡ଼ନ୍ତା । ଇଉରୋପୀୟ ବିଜ୍ଞାନ ନିଜ ଜନ୍ମ ମାଟିରେ ବହୁଯୁଗର ରୌଦ୍ର, ବୃଷ୍ଟି ଓ ଝଡ଼ବତାସ ମଧ୍ୟରେ ବିକାଶ ଲାଭ କରିଥିଲା, କିନ୍ତୁ ତାକୁ ନେଇ ଜାପାନରେ ରୋପଣ କରିବାକୁ ବେଶୀଦିନ ଲାଗି ନ ଥିଲା ।

 

ଆମ ଚରିତ୍ର ଓ ଆଚରଣରେ ଗାମ୍ଭୀର୍ଯ୍ୟର ଅଭାବ ପରିଲକ୍ଷିତ, ଏହା ଯଦି ପ୍ରକୃତରେ ସତ୍ୟ ହୋଇଥାଏ, ତାହାହେଲେ ମଧ୍ୟ ସେହି କାରଣରୁ ହିଁ ଆମେ କ୍ଷମତାର ଅଧିକାରୀ ହେବା ଉଚିତ । କୌଣସି ଲୋକ ଯଦି ପ୍ରଥମରୁ ଆରମ୍ଭ କରେ ଯେ, ଅମୁକ ଲୋକଠି କିଛି ନାହିଁ, ତାହାହେଲେ ସେ କେବେ ଆବିଷ୍କାର କରି ପାରିବ ନାହିଁ ଯେ, ପ୍ରକୃତରେ ତା’ଠି କିଛି ରହିଛି । ଇଂରେଜ ସରକାର ଆମକୁ ସ୍ୱାୟତ୍ତଶାସନର ଅଧିକାର ଦେବା ଦ୍ୱାରା, ଯେଉଁ ନୂତନ ପଥ ସୃଷ୍ଟି କରିବ, ତା'ଫଳରେ ଆମେ ନିଜ ମଧ୍ୟରେ ନୂତନ ଶକ୍ତି ଆବିଷ୍କାର କରି ପାରିବୁଁ । ଏହି ଅଧିକାରରୁ ବଞ୍ଚିତ କରିବା ଫଳରେ ସେମାନେ ଆମକୁ ଚିରକାଳ ସକାଶେ ପୃଥିବୀର ହସକୋଳି ଓ ଥଟା ବୋବାଳିର ଉପାଦାନ କରି ରଖିବେ ଏବଂ ସେମାଇନ ଯେ ଆମର ଚରମ ଶତ୍ରୁ, ତାହା ନିଜେ ପ୍ରମାଣିତ କରିବେ । ଯେଉଁଲୋକ ଏଭଳି ଗୋଟିଏ କ୍ଷୁଦ୍ର କକ୍ଷ ମଧ୍ୟରେ ଆବଦ୍ଧ ଯେ, ବାଁ ବା ଡାହାଣକୁ ପଦେ ଦି'ପଦ ମାତ୍ର ଅଗ୍ରସର ହେଲେ କାନ୍ଥ ଦେହରେ ତାର ମୁଣ୍ଡ ଧକ୍କା ଲାଗୁଚି, ସେ କେବେ ଜୀବନର ପ୍ରତି ପଦକ୍ଷେପରେ ନିଜର ମହତ୍ତ୍ୱ ପ୍ରମାଣ କରିବାର ମହତ୍ ଅଭିଳାଷ ପୋଷଣ କରି ପାରେ ନା ।

 

ମୁଁ ଜାଣେ ଯେ ଇତିହାସରେ କୌଣସି ନୂତନ ଦିବସର ଉଷାକାଳରେ ସୂର୍ଯ୍ୟ ପ୍ରାଚୀ ଦିଗ୍‍ବଳୟରେ ଆବିର୍ଭୂତ ହେବାମାତ୍ରେ ପଶ୍ଚିମ, ଉତ୍ତର ଓ ଦକ୍ଷିଣଦିଗକୁ ଆଲୋକଛଟା ବିଚ୍ଛୁରିତ ହୋଇଥାଏ । ଗୋଟିଏ ପଦକ୍ଷେପରେ ଗୋଟିଏ ଇଞ୍ଚ ମାତ୍ର ଗତି କରିବାଠୁଁ ଏହି ଆଲୋକର ଗତି ଯଦି ଦ୍ରୁତତର ହୋଇ ନ ଥାନ୍ତା, ତାହାହେଲେ ଅନନ୍ତକାଳ ଅତିବାହିତ ହୋଇଗଲେ ମଧ୍ୟ କୌଣସି ଜାତି ତାର ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଆସମ୍ଭବ ହୋଇପଡ଼ନ୍ତା । ଇଂରେଜ ଜାତି ଆମକୁ କହୁଛି ଯେ, ସ୍ୱାଧୀନତା ଲାଭ କରିବାକୁ ସମ୍ପୂର୍ଣ୍ଣ ଯୋଗ୍ୟତାର ଅଧକାରୀ ନ ହେବା ପର୍ଯ୍ୟନ୍ତ କୌଣସି ଦେଶ ସ୍ୱାଧୀନ ହୋଇ ନ ପାରେ । ଏହା ଯଦି ସତ୍ୟ ହୋଇଥାନ୍ତା, ତା'ହେଲେ ପୃଥିବୀର କୌଣସି ଦେଶ ଆଜି ପର୍ଯ୍ୟନ୍ତ ସ୍ୱାଧୀନ ହୋଇ ପାରି ନ ଥାନ୍ତା । ତାଙ୍କର ଗଣତନ୍ତ୍ର ଶାସନ ସକାଶେ ସେମାନେ ଗର୍ବ ଅନୁଭବ କରିଥାନ୍ତି, କିନ୍ତୁ ସେମାନେ ଭୁଲିଯାଆନ୍ତି ଯେ, ଇଉରୋପର ସାଧାରଣ ଲୋକଙ୍କର ବହୁଗୁରୁତର ତ୍ରୁଟି ବିଚ୍ୟୁତି ରହିଛି । ସେଗୁଡ଼ିକ ସମ୍ପର୍କରେ ମୁଁ କହିବାକୁ ଚାହୁଁ ନାହିଁ । ତେବେ କୌଣସି ଏକଛତ୍ର ଶାସକ ଯଦି ଆଦେଶ ଦିଅନ୍ତା, ଯେ ପର୍ଯ୍ୟନ୍ତ ସେହି ଲୋକଙ୍କର ତ୍ରୁଟି ବିଚ୍ୟୁତି ରହିଛି, ସେ ପର୍ଯ୍ୟନ୍ତ ସେମାନଙ୍କର ଗଣତାନ୍ତ୍ରିକ ଅଧିକାର ରହିବା ଅନୁଚିତ; ତାହାହେଲେ ତାଙ୍କର ତ୍ରୁଟିଗୁଡ଼ିକ ଯେ କେବଳ ରହନ୍ତା, ତା' ନୁହେ, ସେଗୁଡ଼ିକର ଦୂରୀକରଣ ସକାଶେ ସ୍ୱାଭାବିକ ଅବଲମ୍ବନରୁ ମଧ୍ୟ ସେମାନେ ବଞ୍ଚିତ ହୁଅନ୍ତେ ।

 

ଆମର ସାମାଜିକ ଓ ବ୍ୟକ୍ତିଗତ ଜୀବନରେ ଯେ ବହୁତ୍ରୁଟି ରହିଛି, ତାହା ଆମେ ଗୋପନ କରିବାକୁ ଚାହୁଁନା ଏବଂ ଗୋପନ କରି ରଖିବାରେ ଆମେ ସଫଳ ହେବ ମଧ୍ୟ ଅନୁଚିତ, କିନ୍ତୁ ତଥାପି ଆମେ ସ୍ୱାୟତ୍ତଶାସନ ଦାବୀ କରୁଁ । ଯଦି ମୋ କକ୍ଷର ଚାରୋଟିଯାକ କୋଣରେ ଚାରୋଟି ଦ୍ୱୀପ ପ୍ରଜ୍ଜ୍ଵଳିତ, ତା'ହେଲେ ଗୋଟିଏ ଦୀପ ନିଷ୍ପ୍ରଭ ହୋଇ ଜାଳିଲେ ମଧ୍ୟ ତଦ୍ୱାରା ଅନ୍ୟ ଗୋଟିଏ ଦୀପ ପ୍ରଜ୍ଜ୍ଵଳିତ କରିବାର ଅଧିକାରରୁ ମୁଁ ବଞ୍ଚିତ ହୋଇ ନ ଥାଏ । ଯେ କୌଣସି କୋଣର ଯେ କୌଣସି ଦୀପ ଶିଖାରୁ ମୁଁ ଯେ ଆଲୋକ ଚାହେ, ତାହାହିଁ ହେଉଛି ପ୍ରଧାନ କଥା । ମାନବିକତାର ମହାନ୍ ଆଲୋକାତ୍ସବରେ କୌଣସି ଜାତି ଏ ପର୍ଯ୍ୟନ୍ତ ତାର ପ୍ରଦୀପ ପ୍ରଜ୍ଜ୍ଵଳିତ କରିବାକୁ ସମର୍ଥ ହୋଇ ନାହିଁ; କିନ୍ତୁ ଉତ୍ସବର ବିରାମ ମଧ୍ୟ କେବେ ଘଟି ନାହିଁ । କିଛିକାଳ ହେଲା ଆମର ନିଜ ଦିପ୍ତୀ ନିର୍ବାପିତ ହୋଇଯାଇଛି ଏବଂ ଇଂଲଣ୍ଡର ପ୍ରଦୀପରୁ ଆମେ ପୁଣିଥରେ ତାକୁ ଜଳାଇନେବାକୁ କେବଳ ଚାହୁଁ । ଏହା ଫଳରେ କୌଣସି ବୈରଭାବ ଦେଖାଦେବା ଅନୁଚିତ । ଇଂଲଣ୍ଡର ପ୍ରଦୀପ ଏହା ଦ୍ୱାରା ମ୍ଳାନ ହୋଇଯିବ ନାହିଁ, ବରଂ ଆଲୋକର ଉତ୍ସବ ଅଧିକତର ଉଜ୍ଜ୍ୱଳରୂପ ଧାରଣ କରିବ ।

 

ଏଥିପାଇଁ ଆଶାନ୍ଵିତ ହେବାର ଯଥେଷ୍ଟ କାରଣ ରହିଛି ଏବଂ ତାହା ଆମ ନିଜ ମଧ୍ୟରେ ଓ ଇଂଲଣ୍ଡରେ ଉଭଯତ୍ର ବିଦ୍ୟମାନ । ବଙ୍ଗବାସୀଙ୍କୁ ମୁଁ ସମ୍ମାନ କରେ ଏବଂ ଜାଣେ ଯେ ଆମର ତରୁଣଦଳ ଅଭିଜ୍ଞତାର ଧାରକରା ମୁଖ ପିନ୍ଧି ନିଜକୁ ଜ୍ଞାନୀ ବୋଲି ପରିଚିତ କରାଇବାର ଚେଷ୍ଟା ଚିରକାଳ ପାଇଁ କେବେ କରିବେ ନାହିଁ । ଇଂରେଜ ଜାତିର ଅନେକ ମହାତ୍ମାଙ୍କୁ ମଧ୍ୟ ମୁଁ ଜାଣେ; ଯେଉଁମାନେ କି ତାଙ୍କ ଇତିହାସର ଅମୃତମୟ ଫଳ ଭାରତବର୍ଷକୁ ଆଣିବା ପାଇଁ ଆଗ୍ରହୀ । ଆମ ମଧ୍ୟରେ ଆଜି ବହୁ ସାହସିକ ବ୍ୟକ୍ତିଙ୍କର ପ୍ରୟୋଜନ ରହିଛି । ଯେଉଁମାନେ ସରକାରଙ୍କର ଦଣ୍ଡାଦେଶ ଗ୍ରହଣ କରିବାକୁ ଓ ନିଜ ଲୋକଙ୍କର ବିଦ୍ରୁପ ସହ୍ୟ କରିବାକୁ ପ୍ରସ୍ତୁତ ହେବେ ଏବଂ ପରାଜୟର ଆଶଙ୍କା ଅତିକ୍ରମ କରି ନିଜ ପୌରୁଷର ପରିଚୟ ଦେବାକୁ ସେମାନେ ସର୍ବଦା ଆଗ୍ରହୀ ହେବେ ।

 

ଭାରତର ଚିର ତରୁଣ ଚିର ଜାଗ୍ରତ ଭଗବାନ ଆଜି ଆମର ଆତ୍ମାକୁ ଆହ୍ୱାନ କରୁଛନ୍ତି । ଯଦିଚ ଆଜି ଆମର ଆତ୍ମା, ଧୂଳି ଓ ଅନ୍ଧ ସାମାଜିକ ପ୍ରଥା ଏବଂ ଅନ୍ଧ ରାଜନୀତିକ କ୍ଷମତା ମଧ୍ୟରେ ଆଚ୍ଛନ୍ନ, ତଥାପି ଆମର ଅନନ୍ତ ଓ ଅଜେୟ ଆତ୍ମାର ଏକ ଅନନ୍ୟ ସୁଲଭ ଅଧିକାର ଅମୃତରାଜ୍ୟରେ ରହିଛି । ଭାରତର ଭଗବାନ ଆଜି ତାଙ୍କର ପ୍ରତ୍ୟେକ ଆଘାତ ଓ ତାଙ୍କ ପ୍ରେରିତ ନିର୍ଯ୍ୟାତନା ମଧ୍ୟରେ ଆମକୁ ଆତ୍ମଚେତନ ହେବାକୁ ଆହ୍ୱାନ କରୁଛନ୍ତି । ଆଜି ଆମେ ପରିଷ୍କାର ଭାବରେ ଦେଖି ପାରୁଚୁ ଯେ, ମଣିଷର ସଂସାର କି ବିଶାଳ ଓ ମଣିଷର ଇତିହାସ କି ବିରାଟ । ମଣିଷ ମଧ୍ୟରେ ସେହି ଭୂମା, ସେହି ପରମାତ୍ମାଙ୍କର ପ୍ରକାଶ ଆଜି ଆମେ ଦେଖୁଚୁ । ଶକ୍ତି-ରଥରେ ଆରୂଢ଼ ହୋଇ ରୋଗ ବା ଯନ୍ତ୍ରଣା ବିପଦ ଅବା ମୃତ୍ୟୁର ଆଶଙ୍କା ଅତିକ୍ରମ କରି ସେ ମହାକାଳର ରାଜପଥରେ ନିୟତ ଭ୍ରାମ୍ୟମାଣ । ବିଶ୍ୱପ୍ରକୃତି ତାଙ୍କ ଗଳାରେ ନିଜର ପୁଷ୍ପମାଲ୍ୟ ଅର୍ପଣ କରିଛି । ତାଙ୍କର ଉନ୍ନତ ଲଲାଟ, ଜ୍ଞାନ ଦୀପ୍ତିରେ ଭାସ୍ୱର ଏବଂ ସୁଦୂର ଭବିଷ୍ୟତର ଶିଖର ପ୍ରଦେଶରୁ ଆରୋହୀ ଯାତ୍ରୀଦଳ ଦ୍ୱାରା ତାଙ୍କର ଅଭ୍ୟର୍ଥନା ଗୀତ ଶୁଣାଯାଉଛି । ଅକାଳ ବାର୍ଦ୍ଧକ୍ୟ ଦ୍ୱାରା ଆମେ ଯଦିଚ ଜରାଗ୍ରସ୍ତ, ଆତ୍ମ-ଅବିଶ୍ୱାସ ଦ୍ୱାରା ଆମେ ଯଦିଚ କାପୁରୁଷ ଏବଂ ମିଥ୍ୟାର ବୋଝ ଦ୍ୱାରା ଆମେ ଯଦିଚ ଅବିନୀତ ଓ ଭାରାକ୍ରାନ୍ତ ତଥାପି ସେହି ଭୂମା ପୁରୁଷ କେବଳ ମୋର ନୁହେ-ସମସ୍ତଙ୍କ ହୃଦୟ ସିଂହାସନରେ ଅଧିରୁଢ଼ ହେବାକୁ ଚାହାନ୍ତି ।

 

କ୍ଷୁଦ୍ର ଈର୍ଷା ଓ ପରଶ୍ରୀକାତରତା ମଧ୍ୟରେ କ୍ଷୁଦ୍ର ଶକ୍ତି ଓ କ୍ଷୁଦ୍ର ସମ୍ମାନ ପାଇଁ ଭିକ୍ଷୁକଭଳି ଆମ ନିଜ ମଧ୍ୟରେ ପ୍ରତିଦ୍ୱନ୍ଦିତା ଓ କଳହ କରିବାର ଦିନ ଆଜି ନୁହେ । ଯେଉଁ ମିଥ୍ୟା ଦାମ୍ଭିକତା ଫଳରେ ମନୁଷ୍ୟ ନିଜର କ୍ଷୁଦ୍ର ଗୃହର ଅନ୍ଧକାରାଚ୍ଛନ୍ନ କକ୍ଷରେ ଦର୍ପସହକାରେ ବିଚରଣ କରୁଥାଏ ଏବଂ ବିଶ୍ୱଦରବାର ସମ୍ମୁଖରେ ଉପହାସିତ ହୋଇଥାଏ, ସେହିଭଳି ମିଥ୍ୟା ଦର୍ପର ଭ୍ରାନ୍ତ ଦିବସ ଆଜି ଆଉ ନାହିଁ । ଅନ୍ୟକୁ ନିନ୍ଦା କରି ଆତ୍ମସନ୍ତୋଷ ଲାଭ କରିବା କେବଳ ଦୁର୍ବଳ ବ୍ୟକ୍ତିର ହିଁ ବିଳାସ ଏବଂ ସେ ଧରଣର କୌଣସି ଦୁର୍ବଳତା ଆମ ନିଜ ପାଖରେ ରଖିବା ନାହିଁ । ଏହା ହେଉଛି ଆତ୍ମା-ସମୀକ୍ଷାର ଦିନ । ଅସଂଖ୍ୟ ତ୍ରୁଟିର ସଞ୍ଚିତ ବୋଝ, ଯାହା ଆମର ପୌରୁଷକୁ ପଦଦଳିତ କରିଛି ଓ ଯୁକ୍ତି ବୁଦ୍ଧିକୁ ମୂକ କରିଛି-ଏବଂ ବହୁଶତାବ୍ଦୀ ଧରି ଯେଉଁ ଅସ୍ୱୀକୃତି ସ୍ତୂପୀଭୂତ ହୋଇଛି, ତାହାକୁ ଆମର ସମସ୍ତ ଶକ୍ତି ସାହାଯ୍ୟରେ ଦୁରକୁ ଫିଙ୍ଗି ଦେବା ପାଇଁ ଆତ୍ମସମାଲୋଚନାର ଦିନ ଆଜି ଆସିଛି । ଆମ ଅଗ୍ରଗତିର ଶ୍ରେଷ୍ଠ ପ୍ରତିବନ୍ଧକ ଆମ ପାଶ୍ଚାଦ୍ଦେଶରେ ହିଁ ରହିଛି । ଆମର ଅତୀତ ତାର ବଶୀକରଣର ଶର ଦ୍ୱାରା ଆମର ଭବିଷ୍ୟତକୁ ବଦ୍ଧ କରିଛି । ଯେଉଁ ଧୂଳି ଓ ଶୁଷ୍କପତ୍ର ଆମର ସେହି ଅତୀତକୁ ଆବୃତ୍ତ କରିଛି, ତଦ୍ଦ୍ୱାରା ଆମ ନବଯୁଗର ସୂର୍ଯ୍ୟୋଦୟ ପଥ ଆଜି ଅନ୍ଧକାରାଚ୍ଛନ୍ନ ଏବଂ ଏହା ଦ୍ୱାରା ଆମର ନବୋତ୍‍ଥିତ ଯୁବଶକ୍ତିର ପ୍ରାଣପ୍ରାଚୁର୍ଯ୍ୟ ଆଜି ଶୁଷ୍କ, ନିର୍ମମ ଭାବରେ ଆମର ସେହି ଅତୀତକୁ ଭାଙ୍ଗି ତାର କବଳରୁ ମୁକ୍ତ ହେବା ଆମର ଆବଶ୍ୟକ ଏବଂ ପୃଥିବୀବ୍ୟାପୀ ଯେଉଁ ନରନାରୀ ଆଜି ନିୟତ ପ୍ରଗତିଶୀଳ, ନିୟତଜୀବନ୍ତ, ନିୟତଜାଗ୍ରତ ଓ ନିୟତ ସନ୍ଧାନୀ, ସେହିମାନଙ୍କ ମଧ୍ୟରେ ଆମକୁ ଆସନ ଗ୍ରହଣ କରିବାକୁ ପଡ଼ିବ । ଏହି ନର ନାରୀ ହିଁ ସମଗ୍ର ପୃଥିବୀର ସ୍ରଷ୍ଟା ବିଶ୍ୱକର୍ମାଙ୍କର ଦକ୍ଷିଣ ହସ୍ତ ସ୍ୱରୂପ । ସତ୍ୟର ଅକ୍ଲାନ୍ତ ସନ୍ଧାନ ପାଇଁ ଯେଉଁ ସରଣୀରେ ସେମାନେ ଗତିଶୀଳ, ତାହା ଜ୍ଞାନଦୀପ୍ତିରେ ଉଜ୍ଜ୍ୱଳ ଏବଂ ତାଙ୍କର ବିଜୟଯାତ୍ରାର ଧ୍ୱନି ପ୍ରତ୍ୟେକ ଦେଶରେ ଓ ପ୍ରତ୍ୟେକ ଯୁଗରେ ପ୍ରତିଧ୍ୱନିତ । ଶ୍ରାବଣର ଅବିଶ୍ରାନ୍ତ ଧାରା ଭଳି ଦୁଃଖ-ଯନ୍ତ୍ରଣା ଆମ ଉପରେ ବୃଷ୍ଟି ହୋଇଛି ଏବଂ ଫଳରେ ଆମ ମଧ୍ୟରେ ଯେଉଁ ତାମସାଚ୍ଛନ୍ନ ଅପବିତ୍ରତା ଦେଖଦେଇଛି, ତାହାର ପ୍ରାୟଶ୍ଚିତ୍ତ ବିଧାନ ଆଜି ଆବଶ୍ୟକ । କିନ୍ତୁ କିପରି ଏହାର ପ୍ରାୟଶ୍ଚିତ୍ତ ହେବା ଉଚିତ ? ସେହି ଦୁଃଖ ଯନ୍ତ୍ରଣାକୁ ତ୍ୟାଗର ପବିତ୍ର ହୋମାନଳରୂପେ ବରଣ କରି ଆମ ପାପ, ଅଜ୍ଞତା ଓ ଜଡ଼ତାକୁ ଦଗ୍ଧ କରିବା ଦ୍ୱାରା ତାର ପ୍ରାୟଶ୍ଚିତ୍ତ କେବଳ ସମ୍ଭବ ।

 

ତେଣୁ ଚାଲ ଆମେ ସେହି ପରମାତ୍ମାକୁ ଆହ୍ୱାନ କରିବା ଏବଂ ତାଙ୍କୁ ଆମର କ୍ଷୁଦ୍ରତା ବଦଳରେ ଆମ ଅନ୍ତରର ମହାନ ଓ ଅମର ଦେବତା ଆମର ଜୀବାତ୍ମାକୁ ତାଙ୍କୁ ଉପହାର ଦେବା । ଆମର ଜୀବାତ୍ମା ତାଙ୍କର ସିଂହାସନର ଦକ୍ଷିଣ ପାର୍ଶ୍ୱରେ ଯେପରି ଆସୀନ ହୁଅନ୍ତି ସେଥିପାଇଁ ଚାଲ ସେହି ପରମାତ୍ମାଙ୍କୁ ଆମେ ପ୍ରାର୍ଥନା କରିବା । ଚାଲ ଆମେ ପ୍ରାର୍ଥନା କରିବା,-କ୍ଷୁଦ୍ରତା ଚିରକାଳ ହାସ୍ୟାସ୍ପଦ ହେଉ, ପରାଧିନତା ନିର୍ଯ୍ୟାତିତ ହେଉ ଏବଂ ନିର୍ବୋଧତା ଚିରକାଳ ସକାଶେ ଭର୍ତ୍ସିତ ଓ ନିର୍ବାସିତ ହେଉ ।

 

-୧୯୧୭

Image

 

Unknown

ଭାରତୀୟ ସଂସ୍କୃତିର ପ୍ରାଣ-କେନ୍ଦ୍ର

 

ଭାରତର ଯେ ନିଜସ୍ୱ ମନ ରହିଛି ଏବଂ ନିଜର ଆଲୋକରେ ଜୀବନର ବିଭିନ୍ନ ସମସ୍ୟାଗୁଡ଼ିକର ସମାଧାନରେ ଏହା ଯେ ବ୍ରତୀ, ଏ କଥା ପ୍ରମାଣିତ, ନିଜର ବ୍ୟକ୍ତିକ ଉପାୟରେ ଜ୍ଞାନାନ୍ଵେଷଣର ପିପାସା ଚରିତାର୍ଥ କରିବାକୁ ସମର୍ଥ ହେବା ହିଁ ଭାରତୀୟ ଶିକ୍ଷାର ଲକ୍ଷ୍ୟ । ଏହି କାରଣରୁ ଭାରତୀୟ ମନ ଶୃଙ୍ଖଳିତ ଓ ଆତ୍ମଚେତନ ହେବା ଆବଶ୍ୟକ । ତାହାହେଲେ ପ୍ରକୃତ ଭାବରେ ନିଜର ଶିକ୍ଷକମାନଙ୍କଠାରୁ ଶିକ୍ଷାଲାଭ କରିବାକୁ ଏହା ସମର୍ଥ ହେବ । ଶିକ୍ଷାର ନିଜସ୍ୱ ମୂଲ୍ୟର ମାନଦଣ୍ଡରେ ତାକୁ ବିଚାର କରିବ ଏବଂ ନିଜର ସୃଜନଶୀଳଶକ୍ତି ବଳରେ ଏହାର ଉପଯୁକ୍ତ ବ୍ୟବହାର କରି ପାରିବ । ଦାନ ଓ ଗ୍ରହଣ କରିବାକୁ ସେ କୃତାଞ୍ଜଳିବଦ୍ଧ ହେବା ଆବଶ୍ୟକ, ବିକ୍ଷିପ୍ତ ମନକୁ ଶୃଙ୍ଖଳିତ କରି ପାରିଲେ ଗ୍ରହଣ ଓ ସୃଷ୍ଟିକରିବା ପାଇଁ ସେମାନେ ସମର୍ଥ ହେବେ ଏବଂ ରନ୍ଧ୍ରପଥରେ ଜୀବନ ସଲିଳ କ୍ଷରିତ ହୋଇ ଭୂତଳକୁ ଆଉ ସିକ୍ତ କରିବ ନାହିଁ ।

 

ସୃଜନାତ୍ମକ କର୍ମର ଏକ ବାତାବରଣ ହିଁ ଶିକ୍ଷାକ୍ଷେତ୍ରରେ ସବୁଠୁଁ ଅଧିକ ପ୍ରୟୋଜନ ଏବଂ ସେଠାରେ ବୁଦ୍ଧିର ଆବିଷ୍କାର ସ୍ପୃହା ଚରିତାର୍ଥ କରିବାର ସକଳପ୍ରକାର ସୁଯୋଗ ରହିବା ବାଞ୍ଛନୀୟ । ଏକ ସାଂସ୍କୃତିକ ଉତ୍ସର ଉଚ୍ଛ୍ୱସିତ ଜଳପ୍ରବାହ ଭଳି ଶିକ୍ଷା ସ୍ୱତଃସ୍ଫୂର୍ତ୍ତ ଓ ଅପରିହାର୍ଯ୍ୟ ହେବ ଉଚିତ । ଶିକ୍ଷା ଏକ ଜୀବନ୍ତ ଓ ବିକାଶ ଧର୍ମୀ ଜ୍ଞାନ ବୃକ୍ଷର ଫଳ ରୂପରେ ଯେତେବେଳେ ଦେଖାଦିଏ ସେତେବେଳେ ତାହା ସ୍ୱାଭାବିକ ଓ ଶୁଭଙ୍କର ହୋଇଥାଏ ।

 

ପୁଣି ଆମର ଶିକ୍ଷା ଆମ ଆର୍ଥନୀତିକ, ବୌଦ୍ଧିକ, ସାମାଜିକ, ସୌନ୍ଦର୍ଯ୍ୟ ବିଷୟକ ଓ ଆଧ୍ୟାତ୍ମିକ ଜୀବନର ପୂର୍ଣ୍ଣରୂପ ସହିତ ସର୍ବଦା ସମ୍ପର୍କିତ ହେବ ଆବଶ୍ୟକ ଏବଂ ଆମର ବିଦ୍ୟାଳୟଗୁଡ଼ିକ ବହୁମୁଖୀ ସହଯୋଗିତାର ଜୀବନ୍ତ ବନ୍ଧନ ଦ୍ୱାରା ବିଜଡ଼ିତ ହୋଇ ଆମ ସମାଜର ପ୍ରାଣକେନ୍ଦ୍ରରେ ପ୍ରତିଷ୍ଠିତ ହେବା ଉଚିତ । କାରଣ ଆମର ପରିପାର୍ଶ୍ଵିକ ପରିବେଶ ସହିତ ଶିକ୍ଷା ଓ ଶିକ୍ଷାଦାନ ପଦ୍ଧତିର ଯେ ମୌଳିକ ସମ୍ପର୍କ ରହିଛି, ପ୍ରତି ପଦକ୍ଷେପରେ ପ୍ରକୃତ ଶିକ୍ଷା ଏହା ଅନୁଭବ କରିବା ଉଚିତ ।

 

(୨)

 

ଆମର ପ୍ରଚଳିତ ଶିକ୍ଷାପଦ୍ଧତି ସମ୍ବନ୍ଧରେ ଆଜି ସାରାଭାରତରେ ଏକ ଅସ୍ପଷ୍ଟ ଅସନ୍ତୋଷର ଭାବ ପରିଲକ୍ଷିତ, ନିକଟରେ ଶିକ୍ଷାର ପରିବର୍ତ୍ତନ ପାଇଁ ଆକାଂକ୍ଷାର ବହୁ ସୂଚନା ଦେଖାଯାଉଛି । ଆମ ଜାତିର ଅବଚେତନ ମନରେ ଜୀବନର ଏକ ନବ ପ୍ରେରଣା ଅନୁଭୂତ ହେଲାଭଳି ଆଜି ମନେହେଉଛି, ଫଳରେ ନୂତନ ଧରଣର ଅନୁଷ୍ଠାନ ଓ ନୂତନ ଧରଣର ପରୀକ୍ଷା ଦେଖାଯାଉଛି । କିନ୍ତୁ ମଣିଷର ଏହି ଅଭିଳାଷ ଏତେ ପ୍ରବଳ ଓ ଆକସ୍ମିକ ଯେ ଏହି ଉତ୍ସାହର କାରଣ ଯଥାଯଥ ଭାବେ ନିରୂପଣ କରିବା ଓ ଇପ୍‍ସିତ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ଅନେକ ସମୟରେ କଠିନ ହୋଇପଡ଼ୁଛି ।

 

ଯେଉଁ ପ୍ରଚଳିତ ଶିକ୍ଷାପଦ୍ଧତିରେ ଆମର ମନ ଶିକ୍ଷା ପ୍ରାପ୍ତ ହୋଇଆସିଛି, ତାହା ଆମର ଶରୀରଭଳି ସ୍ପର୍ଶଚେତନ ଏବଂ ସେଥିପାଇଁ ଏହା ଯେ ପରିବର୍ତ୍ତିତ ହୋଇ ପାରେ ଏ କଥା ଆମେ ଚିନ୍ତା କରି ପାରୁ ନା । ଆମର କଳ୍ପନା ନିଜ ନିର୍ଦ୍ଦିଷ୍ଟ ସୀମାର ବାହାରକୁ ଯିବା ପାଇଁ ସାହସୀ ହୁଏ ନା ଏବଂ ଆମେ ବାହାରରୁ ତାକୁ ଦେଖି ବିଚାର କରିବାକୁ ଅକ୍ଷମ । ପ୍ରଚଳିତ ଶିକ୍ଷାପଦ୍ଧତି ପରିବର୍ତ୍ତରେ ଆମେ ଅନ୍ୟ କିଛି ଯେ ଚାହୁଁ ଏ କଥା କହିବାକୁ ଆମର ହୃଦୟ କିମ୍ବା ସାହସ ନାହିଁ । କାରଣ ଯେଉଁ ବୌଦ୍ଧିକ ଜୀବନପ୍ରତି ଆମର ଏକ ସ୍ୱାଭାବିକ ପ୍ରବଣତା ରହିଛି, ତାହା ମଧ୍ୟ ଏହି ଶିକ୍ଷାପ୍ରାଣାଳୀରୁ ସମ୍ଭୁତ ।

 

ତଥାପି ଆମର ଆତ୍ମସନ୍ତୋଷ ମଧ୍ୟରେ କଣ୍ଟକାଘାତର ଏପରି ଏକ ବେଦନା ରହିଛି, ଯାହା ଫଳରେ ଆମର ସୁଖକର ନିଦ୍ରାରେ ସର୍ବଦା ବ୍ୟାଘାତ ଘଟୁଛି । ଏହି କଣ୍ଟକାଘାତ ଯେତେବେଳେ ଗୁପ୍ତଭାବରେ ଚାଲୁଥାଏ, ଆମେ କ୍ରୋଧାନ୍ୱିତ ହୋଇ ଆମର ଆଘାତ ପାଇଁ କୌଣସି ବାହାରର କାରଣକୁ ନିର୍ଦ୍ଦେଶ କରିଥାଉଁ । ଆମେ କହୁ ଯେ ଆମ ପ୍ରଚଳିତ ଶିକ୍ଷା ପଦ୍ଧତିର ଏକ ମାତ୍ର ଦୋଷ ହେଉଛି, ତାହା ଆମର ସମ୍ପୂର୍ଣ୍ଣ କର୍ତ୍ତୃତ୍ଵାଧୀନ ନୁହେ । ଅନ୍ୟଥା ସମୁଦ୍ର ଯାତାୟାତ ପାଇଁ ଏ ତରୀ ସର୍ବଥା ଉପଯୁକ୍ତ, କେବଳ ଆମେ ତାର କର୍ଣ୍ଣଧାର ହେଲେ ସଲିଳ ସମାଧିରୁ ଏହାକୁ ରକ୍ଷା କରି ପାରିବୁ । "ତେଣୁ ଆମର କେବଳ ବହିଃ ସ୍ୱାଧୀନତା ହିଁ ଆବଶ୍ୟକ" ଏହି ଧାରଣାରେ ଜାତୀୟ ବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ପ୍ରତିଷ୍ଠା କରିବାର ଉଦ୍ୟମ ପରେ ପରିଲକ୍ଷିତ ହେଉଥିଲା । ଯେଉଁ ଚାରିତ୍ରିକ ଓ ପରିପାର୍ଶ୍ଵିକ ଦୁର୍ବଳତା ଅନୁକରଣର ପିଛିଳ ପଥ ଆଡ଼କୁ ଆମକୁ ଦୁର୍ବାର ଭାବରେ ଆକର୍ଷଣ କରୁଛି, ଆମର ସ୍ୱାଧୀନତା ଯଦି କେବଳ ବହିରଙ୍ଗ ଉପରେ ପ୍ରତିଷ୍ଠିତ ହୁଏ, ତାହା ହେଲେ ତାହା ଆମକୁ ଯେ ସେହି ପଥ ଆଡ଼କୁ ପୁଣି ଟାଣି ନେବ, ଏକଥା ଆମେ ଭୁଲିଯାଉ । କାରଣ ଆମର ସ୍ୱାଧୀନତା କେବଳ ବିଦେଶୀ ଅନୁଷ୍ଠାନଗୁଡ଼ିକର ସ୍ୱାଧୀନ ଅନୁକରଣରେ ହିଁ ପର୍ଯ୍ୟବେସିତ ହେବ, ଏବଂ ତଦ୍ଦ୍ୱାରା ଆମର ମନ୍ଦଭାଗ୍ୟ ଉପରେ ଦୁଇଟି ଦୁଷ୍ଟଗ୍ରହ ସେମାନଙ୍କର ମିଳିତ ପ୍ରଭାବ ବିସ୍ତାର କରିବେ । ତାହା ହେଉଛି ଅନୁକରଣ ଓ ଅନୁକରଣର ମନ୍ଦ ଫଳ ଏବଂ ଖରାପ କଳ ଦ୍ୱାରା ପ୍ରସ୍ତୁତ ଏକ କଳତିଆରି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା-। ଗୋଟିଏ ପରାଜିତ ଖେଳାଳୀଦଳ, ସାଧାରଣତଃ ନିଜର ପରାଜୟ ସକାଶେ ପରସ୍ପରର ଅଯୋଗ୍ୟତାକୁ ଦାୟୀ କରିଥାନ୍ତି । ଆମର ଏହି ନିନ୍ଦିତ ଶିକ୍ଷାପ୍ରାଣାଳୀ ପାଇଁ ଆମେ ଓ ଆମର ବିଦେଶୀ ଶାସକମାନେ ଠିକ୍ ସେହିଭଳି ପରସ୍ପରକୁ ଅଭିଯୋଗ କରିଥାଉଁ । ଖୁବ୍ ସମ୍ଭବ ଯେ ଆମେ ଉଭୟ ସମାନ ଭାବରେ ଏହି ନିନ୍ଦାର ଅଧିକାରୀ, ତଥାପି ଏହି ସାଧାରଣ ବିଫଳତା ସକାଶେ ଆମର ପରସ୍ପରର ଦାୟିତ୍ୱବୋଧ କେଉଁ ପରିମାଣରେ ଦାୟୀ ସେ ସମ୍ପର୍କରେ ପରସ୍ପର ଭିତରେ ଯୁକ୍ତିତର୍କ ବା ବାଗ୍‍ବିତଣ୍ଡା କରିବା କେବଳ ଏକ କାଳ୍ପନିକ ଆଲୋଚନା ବୋଲି ମୁଁ ମନେକରେ । ଶିକ୍ଷା ବ୍ୟବସ୍ଥାର ଏହି ଅପୂର୍ଣ୍ଣତା ପାଇଁ ଆମେ ନିଜେ କେଉଁ ପରିମାଣରେ ଦାୟୀ ତାହା ଜାଣିବା ଆମର ବାସ୍ତବ କଲ୍ୟାଣ ଦୃଷ୍ଟିରୁ ଅଧିକ ପ୍ରୟୋଜନ । ଏ ସମ୍ପର୍କରେ ଅନ୍ୟପକ୍ଷ କଥା ଛାଡ଼ି ଦିଆଯାଉ । ବର୍ତ୍ତମାନ ଆମ ନିଜର ଦୁର୍ବଳତାକୁ ହିଁ ଦୋଷ ଦେବା ଉଚିତ । ଆମର ଯେ ନିଜର ଗୋଡ଼ ନାହିଁ ଏବଂ ସେହି କାରଣରୁ ବିଦେଶୀ ତିଆରି ଶିକ୍ଷାପଦ୍ଧତି ନକଲି କାଠ ଗୋଡ଼ ଦ୍ୱାରା ଆମେ ଚାଲିବାକୁ ସମର୍ଥ ହେବୁ, ଏହି ଧାରଣ ଆମ ମନକୁ ଆବିଷ୍ଟ କରିଛି । ଠିକ୍ ଏହି ଧରଣର ଜଣେ ମଣିଷର କଥା ମୁଁ ଶୁଣିଛି । ସେ ଖୁବ୍ ଗଭୀର ଜଳକୁ ଚାଲି ଯାଇଛି ବୋଲି କଳ୍ପନା କରି ଅତି ଅଗଭୀର ଜଳରେ ବୁଡ଼ି ମରିଥିଲା ।

 

ଅସଲ ବିପଦ ହେଉଛି ଯେ ଆମେ ଯେତେବେଳେ ବିଶ୍ୱ ବିଦ୍ୟାଳୟ କଥା କଳ୍ପନା କରୁ ସେତେବେଳେ ଅକ୍ସଫୋର୍ଡ, କେମ୍ବ୍ରିଜ, ଓ ଅନ୍ୟାନ୍ୟ ଇଉରୋପୀୟ ବିଶ୍ୱବିଦ୍ୟାଳୟର ଧାରଣା ଆସି ଆମ ମନକୁ ପୂର୍ଣ୍ଣ କରିଦିଏ । ତା' ପରେ ଆମେ ଚିନ୍ତାକରୁ ଯେ ପ୍ରତ୍ୟେକରୁ ଉତ୍ତମ ଉପାଦାନତକ ସଂଗ୍ରହ କରି ଏବଂ ସେଗୁଡ଼ିକୁ ଏକତ୍ରିତ କରି ଏକ ପୂର୍ଣ୍ଣ ରୂପ ପ୍ରଦାନ କରିବାରେ ହିଁ ଆମର ମୁକ୍ତି ନିହିତ । ଇଉରୋପୀୟ ଜୀବନର ଯେ ଅଙ୍ଗବିଶେଷ ଏବଂ ପ୍ରତ୍ୟେକ ସ୍ୱାଭାବିକ ଭାବରେ ଜନ୍ମ ଗ୍ରହଣ କରିଛନ୍ତି, ଏ କଥା ଆମ୍ଭେମାନେ ଭୁଲିଯାଉଁ, ଆଧୁନିକ ଶଲ୍ୟଚିକିତ୍ସାରେ ଗୋଟିଏ ବିଦେଶୀ ଅଙ୍ଗରୁ ଖଣ୍ଡେ ଚର୍ମ ଆଣି ଅନ୍ୟ ଏକ ଅଙ୍ଗରେ ସଂଯୋଜିତ କରିବା ସହଜ ହେଉଛି । କିନ୍ତୁ ସେହି ପ୍ରଣାଳୀରେ ଗୋଟିଏ ପୂର୍ଣ୍ଣ ମନୁଷ୍ୟକୁ ରୂପ ଦେବା ବୈଜ୍ଞାନିକ ସମ୍ଭାବନାର ବହିର୍ଭୂତ । କେବଳ ଆଜି ନୁହେ, ସବୁକାଳରେ ମଧ୍ୟ ଏହା ଯେ ଘଟିବ, ଏ କଥା ଆନ୍ତରିକତାର ସହିତ ଆମେ ବିଶ୍ୱାସ କରୁ ।

 

ଇଉରୋପୀୟ ବିଶ୍ଵବିଦ୍ୟାଳୟ ଆଜି ଆମ ଦୃଷ୍ଟି ସମକ୍ଷରେ ପୂର୍ଣ୍ଣ ମାତ୍ରାରେ ବିକଶିତ । ସେଥିପାଇଁ ଗୋଟିଏ ପୂର୍ଣ୍ଣ ବିକଶିତ ଅନୁଷ୍ଠାନ ବ୍ୟତୀତ ଏକ ବିଶ୍ୱବିଦ୍ୟାଳୟ ଅନ୍ୟ ଧାରଣା ଆମେ କରି ପାରୁ ନା । ମୁଁ ଯେତେବେଳେ ଦେଖେ ଯେ, ମୋର ଜଣେ ପ୍ରତିବେଶୀ ତା'ର ଗୋଟିଏ ସୁସ୍ଥସବଳ ପୁତ୍ର ନିକଟରୁ ସାହାଯ୍ୟ ସମର୍ଥନ ଲାଭ କରୁଛି, ସେତେବେଳେ ମୋ ମନରେ ମଧ୍ୟ ସନ୍ତାନ ପ୍ରାପ୍ତିର ଆଶା ଜାଗ୍ରତ ହେବା ସ୍ୱାଭାବିକ, କିନ୍ତୁ ମୁଁ ଯଦି ଗୋଟିଏ ବୟସ୍କ ସନ୍ତାନ ସହସା ପାଇବାକୁ ଅଧୀର ହୋଇପଡ଼େ, ତାହାହେଲେ ବ୍ୟଗ୍ରତାର ବଶବର୍ତ୍ତୀ ହୋଇ ଭ୍ରମରେ କୌଣସି ଗୋଟିଏ ବୟସ୍କ ସନ୍ତାନକୁ ପାଇଯାଇ ପାରେ ସିନା, କିନ୍ତୁ ସେ ତ ଆଉ ମୋର ପୁଅ ହେବ ନାହିଁ ! ତେଣୁ ଫଳପ୍ରାପ୍ତି ପାଇଁ ଏକ ଆକୁଳ ପିପାସା ଓ ଅନୁକରଣ ପାଇଁ ଏକ ଦୁଃଖଦାୟକ ଦୁର୍ବଳତାବଶତଃ, ଜନ୍ମରୁ ପୂର୍ଣ୍ଣ ବିକଶିତ ହୋଇଥିବା ଗୋଟିଏ ଜାତୀୟ ବିଶ୍ୱବିଦ୍ୟାଳୟ ପାଇଁ ଅସ୍ୱାଭାବିକ ଅଭିଳାଷ ଠିକ୍ ଏହିଭଳି ମନରେ ଆମେ ପୋଷଣ କରିଥାଉ, ସେଥିପାଇଁ ଆମର ସକଳ ଉଦ୍ୟମ ବ୍ୟର୍ଥ ହୁଏ ଏବଂ ଯଦିବା ତାହା ଫଳପ୍ରସୂ ହୁଏ, ସେ ଫଳ ହୁଏ ବିଷାକ୍ତ । ପୁନଶ୍ଚ ଏହାର ଆକାର ପ୍ରକାର ରୂପରଙ୍ଗ ଦେଖିଲେ ଯଦିଓ ପ୍ରକୃତ ଫଳ ବୋଲି ମନେହୁଏ ତଥାପି ଏହାକୁ ଚାଖିବା ବା ଖାଇବାପାଇଁ ସତର୍କତା ପ୍ରୟୋଜନ । ଆମର ଦେଶ ଯେଉଁ ପୂର୍ଣ୍ଣାଙ୍ଗପ୍ରାପ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକର ସମ୍ପର୍କରେ ଆଜି ଚିନ୍ତା କରୁଛି, ତାହା ଠିକ୍ ଉତ୍ତାପସିଦ୍ଧ ଡିମ୍ବ ସଦୃଶ । ସେଥିରୁ ଜୀବନ୍ତ କୁକ୍କୁଟ ଶାବକ ଆଶା କରିବା ବିଡ଼ମ୍ବନା ମାତ୍ର ।

 

ଆମେ କେବଳ ନୋହୁଁ, ଆମର ଇଉରୋପୀୟ ସ୍କୁଲ ଶିକ୍ଷକ ମଧ୍ୟ ଅନେକ ସମୟରେ ଭୁଲିଯାଇଥିବା ଭଳି ମନେହୁଏ ଯେ ତାଙ୍କର ବିଶ୍ୱବିଦ୍ୟାଳୟ ତାଙ୍କ ଜାତୀୟ ଜୀବନ ସହିତ ବିକାଶ ଲାଭ କରିଛି ଓ ତା'ର ବୈଷୟିକ ଗୌରବ ତା'ର ପ୍ରାଥମିକ ଅବସ୍ଥା ସହିତ ସମ୍ପର୍କହୀନ । ପୁଣି ମଧ୍ୟ ସେ ସ୍ଵଚ୍ଛନ୍ଦରେ ଭୁଲି ଯାଇଥାଏ ଯେ ଦରିଦ୍ର ଧର୍ମଯାଜକ ମାନେହିଁ ଥିଲେ ତା'ର ପ୍ରାଥମିକ ଜୀବନର ଶିକ୍ଷାଦାତା, ଏବଂ ଅଧିକାଂଶ ଛାତ୍ର ମଧ୍ୟ ଦିନେ ଥିଲେ ସମ୍ବଳହୀନ ।

 

ଭାରତ ଭଳି ଏକ ଦରିଦ୍ର ଦେଶରେ ଆବଶ୍ୟକତା ଅନୁପାତରେ ବିଶ୍ୱବିଦ୍ୟାଳୟର ବୈଷୟିକ ଦିଗ ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ ନୁହେ, କିମ୍ବା ସ୍କୁଲ କଲେଜ୍‍ଗୁଡ଼ିକର ସଂଖ୍ୟା ଅଭାବନୀୟ ଥିବା ସତ୍ତ୍ୱେ କେବଳ ଅସବବାପତ୍ରର ପରିମାଣ ବଢ଼ାଇ ଓ ସେଗୁଡ଼ିକର ବିକାଶର ସୁବିଧା ସୁଯୋଗ କାଟିଦେଇ ଉନ୍ନତିର ସମ୍ଭାବନାକୁ ସଙ୍କୀର୍ଣ୍ଣତର କରିଦେବା ଉଚିତ ନୁହେ । ଏ ସମ୍ପର୍କରେ ସେମାନେ ଯେତେବେଳେ ଜାଣି ମଧ୍ୟ ନ ଜାଣିବାର ଛଳନା କରନ୍ତି ବା ସମସ୍ୟାକୁ ଶିଥିଳ ଭାବରେ ଭୁଲିଯା'ନ୍ତି ସେତେବେଳେ ଆମ ଲୋକଙ୍କ ପକ୍ଷରେ ତାହା ଧ୍ୱଂସର କାରଣ ହୋଇଥାଏ ।

 

ମୁଁ ଅବଶ୍ୟ ଖାଇବାପାଇଁ ଖାଦ୍ୟସାମଗ୍ରୀ ଓ ବାସନକୁସନ ଉଭୟର ଆବଶ୍ୟକତା ରହିଛି, କିନ୍ତୁ ଖାଦ୍ୟସାମଗ୍ରୀର ଅଭାବ ପରିଲକ୍ଷିତ ହେଲେ ବାସନକୁସନ ଦିଗରେ ବ୍ୟୟ-ସଂକୋଚନ ବାଞ୍ଛନୀୟ । ଶିକ୍ଷାର ସାଜସଜ୍ଜାକୁ ବ୍ୟୟବହୁଳ କରିବା ଦ୍ୱାରା ପ୍ରକୃତ ଶିକ୍ଷାଲାଭ କଷ୍ଟକର ହୋଇପଡ଼େ ଏବଂ ଏହା ଠିକ୍ ମନିବ୍ୟାଗ୍ କିଣିବା ପାଇଁ ଜଣକର ସମସ୍ତ ଅର୍ଥ ବ୍ୟୟ କରିଦେବା ସଙ୍ଗେ ସମାନ ।

 

ଜୀବନର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରାଚ୍ୟ ଭୂମିରେ ଆମେ ଆମର ନିଜସ୍ୱପନ୍ଥା ଗ୍ରହଣ କରିଅଛୁଁ । ଯେତେଦୂର ସମ୍ଭବ ଆମେ ଆମର ଖାଦ୍ୟ ପୋଷାକକୁ ଦୁର୍ବହ ନ କରିବାକୁ ଚେଷ୍ଟା କରିଛୁଁ ଏବଂ ଆମର ଜଳବାୟୁ ମଧ୍ୟ ଏହା କରିବାକୁ ଆମକୁ ଶିକ୍ଷା ଦେଇଛି କାନ୍ଥ ଅପେକ୍ଷା କାନ୍ଥ ଦେହରେ ଆମେ ଅଧିକ ଝରକା ଖୋଲିଥାଉଁ, ତନ୍ତୀର ତନ୍ତ ଅପେକ୍ଷା ଆଲୋକ ଓ ପବନ ସହିତ ଆମ ପୋଷାକ ପରିଚ୍ଛଦର ସମ୍ପର୍କ ଅଧିକ । ଅନ୍ୟ କେଉଁଠି ଲୋକମାନେ ଖାଦ୍ୟରୁ ଶକ୍ତି ଆହରଣ କରୁଥିଲେ ମଧ୍ୟ ସୌରକିରଣ ଆମ ପରମରେ ଶକ୍ତି ସଞ୍ଚାର କରିଥାଏ । ଏହି ସମସ୍ତ ପ୍ରାକୃତିକ ସୁବିଧା ଆମର ଜୀବନକୁ ଏକ ନିର୍ଦ୍ଦିଷ୍ଟ ରୂପ ପ୍ରଦାନ କରିଛି । ଆମ ଶିକ୍ଷା କ୍ଷେତ୍ରରେ ମଧ୍ୟ ଏହା ବିସ୍ମୃତ ହେବ ଉଚିତ ନୁହେଁ । କିମ୍ବା ବିସ୍ମୃତ ହେଲେ ତାହା ଲାଭଜନକ ହେବ ନାହିଁ ବୋଲି ମୋର ବିଶ୍ୱାସ ।

 

ଦାରିଦ୍ର୍ୟର ଜୟଗାନ କରିବାକୁ ମୁଁ ଚାହୁଁ ନାହିଁ, କିନ୍ତୁ ବିଳାସର ପଲ୍ଲବୀକରଣ ଅପେକ୍ଷା ସାରଲ୍ୟ ଅଧିକ ମୂଲ୍ୟବାନ । ମୁଁ ଯେଉଁ ସରଳତାର କଥା କହୁଛି ତାହା ବାହୁଲ୍ୟର ଅଭାବଜନିତ ପରିଣତି ନୁହେ, ଏହା ପୂର୍ଣ୍ଣତାର ଏକ ନିଦର୍ଶନ । ମାନବର ଜୀବନ-ଆକାଶରେ ଯେତେବେଳେ ଏହା ଉଷା ସଦୃଶ ଆବିର୍ଭୂତ ହେବ, ମାନବ ସଭ୍ୟତାକୁ ଯେଉଁ ଅସ୍ୱାସ୍ଥ୍ୟକର କୁଝଟିକା ବର୍ତ୍ତମାନ ଆଚ୍ଛନ୍ନ କରି ରଖିଛି ତାହା ସେତେବେଳେ ଅନ୍ତର୍ହିତ ହୋଇଯିବ ।

 

ଏହି ସରଳତାର ଅଭାବରେ ହିଁ ଜୀବନର ଆବଶ୍ୟକୀୟ ଉପକରଣ ଆଜି ଏତେ ଦୁର୍ଲଭ ଓ ଦୁର୍ମୂଲ୍ୟ ହୋଇପଡ଼ିଛି, ଶିକ୍ଷା ଓ ସଂସ୍କୃତି, ଶାସନ ଓ ମାଲିମକଦ୍ଦମା, ଖାଇବାପିଇବା ଓ ଆମୋଦପ୍ରମୋଦ, ଆଜି ଅଧିକାଂଶ ବିଷୟ ସଭ୍ୟଜଗତରେ ସେମାନଙ୍କ ନ୍ୟାର୍ଯ୍ୟ ସ୍ଥାନ ଅପେକ୍ଷା ଅଧିକ ସ୍ଥାନ ଅଧିକାର କରିଛନ୍ତି । ସେଗୁଡ଼ିକର ଅଧିକାଂଶ ବୋଝ ଅପ୍ରୟୋଜନୀୟ ଏବଂ ତାହା ବହନ କରିବାରେ ସଭ୍ୟ ମାନବ ତା'ର ବିରାଟ ଶକ୍ତିର ପରିଚୟ ଦେଇ ପାରେ, କିନ୍ତୁ ଏଥିରେ କର୍ମକୁଶଳତାର ଅଭାବ ପରିଲକ୍ଷିତ । ଯେଉଁ ଦେବତାମାନେ ଆକାଶରେ ଏହା ଲକ୍ଷ୍ୟ କରୁଛନ୍ତି ସେମାନଙ୍କୁ ଏହା ଜଣାପଡ଼ିବ ଯେ ସତେ ଯେପରି ଗୋଟାଏ ରାକ୍ଷସ ଜଳରେ ନିମଜ୍ଜମାନ ଅବସ୍ଥାରେ ଥାଇ ଆତ୍ମରକ୍ଷା ପାଇଁ ଛଟପଟ ହେଉଅଛି, ଏବଂ ସନ୍ତରଣ-କୌଶଳ ମଧ୍ୟ ତାକୁ ଅଜଣା-। ସମୁଦାୟ ଜଳାଶୟକୁ ନିଜର ନିଷ୍ଫଳ ମନ୍ଥନ ଦ୍ୱାରା ସେ କେବଳ ପଙ୍କିଳ କରୁଛି ମାତ୍ର, କିନ୍ତୁ ତା'ର ଏହି ଶକ୍ତି ପ୍ରଦର୍ଶନ ଯେ ବ୍ୟର୍ଥ ଓ ନିରର୍ଥକ ତାହା ସେ ଚିନ୍ତା କରି ପାରୁ ନାହିଁ ।

 

(୪)

 

ପ୍ରତ୍ୟେକ ଜୀବନ୍ତ ପ୍ରାଣୀ ଗୋଟିଏ ଅଗ୍ନିଶିଖା ଭଳି ଜୀବନ ଧାରଣ କରନ୍ତି । ସେମାନଙ୍କର ଜୀବନ କେବଳ ନିଜ ମଧ୍ୟରେ ସୀମିତ ନୁହେ, ତାହା ଅସୀମ ଆଡ଼କୁ ପ୍ରସାରିତ । ତେଣୁ ସେମାନଙ୍କର ଗୋଟିଏ କ୍ଷୁଦ୍ର ରୂପ ଓ ଗୋଟିଏ ବୃହତ୍ ରୂପ ରହିଛି । କ୍ଷୁଦ୍ର ରୂପଟି ଆଖିକୁ ସଦୃଶ୍ୟ, ଏହାକୁ ସ୍ପର୍ଶ କରାଯାଇ ପାରେ, ଅଧିକାର କରାଯାଇ ପାରେ ଏବଂ ଶୃଙ୍ଖଳିତ ମଧ୍ୟ କରାଯାଇପାରେ, ଅନ୍ୟ ରୂପଟି ତା'ର ଅନିର୍ଦ୍ଧିଷ୍ଟ, ତା'ର ନିର୍ଦ୍ଧିଷ୍ଟ ସୀମା ନାହିଁ ଓ ତାହା ସ୍ଥାନ ଓ କାଳ ମଧ୍ୟରେ ସୁଧୁରିପ୍ରସାରୀ, ଆମେ ଯେତେବେଳେ ଗୋଟିଏ ବିଦେଶୀ ବିଦ୍ୟାଳୟକୁ ଦେଖୁଁ, ଆମେ କେବଳ ତା'ର କୋଠା-ବାଡ଼ି, ଆସବାବପତ୍ର, ନିୟମପଦ୍ଧତି ଓ ପାଠ୍ୟ ନିର୍ଘଣ୍ଟାଦି–ତା'ର କ୍ଷୁଦ୍ର ରୂପକୁ ହୀନ ଦେଖିଥାଉଁ । ତାହାର ବୃହତ୍ତର ରୂପ ଆମେ ଦେଖିବାକୁ ଅସମର୍ଥ । କିନ୍ତୁ ନଡ଼ିଆର ଶସ ଯେପରି ନଡ଼ିଆର ସମଗ୍ର ଦେହରେ ପରିବ୍ୟାପ୍ତ ହୋଇ ରହିଥାଏ, ସେହିପରି ଇଉରୋପୀୟ ବିଶ୍ୱବିଦ୍ୟାଳୟ ସେମାନଙ୍କର ସମାଜ, ଲୋକସଭା, ସାହିତ୍ୟ, ଓ ମିଳିତ ଜୀବନର ଅସଂଖ୍ୟ କର୍ମ ସହିତ ସଂଲଗ୍ନ ହୋଇ ରହିଥାଏ । ସେମାନଙ୍କର ଚିନ୍ତାସମୂହ କେବଳ ଯେ ତାଙ୍କର ଗ୍ରନ୍ଥ ମଧ୍ୟରେ ବିଗ୍ରହବନ୍ତ ହୋଇଛି ତାହା ନୁହେ, ପରନ୍ତୁ ଯେଉଁମାନେ ସେହି ଚିନ୍ତାସବୁ ଧ୍ୟାନ ଓ ସମାଲୋଚନା, ତୁଳନା ଓ ପ୍ରତ୍ୟାଖ୍ୟାନ କରନ୍ତି ସେମାନଙ୍କ ଭିତରେ ମଧ୍ୟ ତାହା ଜୀବନ୍ତ ହୋଇ ରହିଛି । ମନର ଏକ ସାଧାରଣ ମାଧ୍ୟମ ସେମାନଙ୍କର ଶିକ୍ଷକ ଓ ଛାତ୍ରସମାଜ ମଧ୍ୟରେ ଏକ ଜୀବନ୍ତ ଓ ଭାସ୍ୱର ସମ୍ପର୍କ ସ୍ଥାପନ କରିଥାଏ । ସଂକ୍ଷେପରେ ସେମାନଙ୍କ ଶିକ୍ଷାର ଚିରନ୍ତର ବାହନ ସେମାନଙ୍କର ମନ ମଧ୍ୟରେ ଯେପରି ନିହିତ, ତା'ର ଚିରନ୍ତନ ଉତ୍ସ ଠିକ୍ ସେହିଭଳି ସେମାନଙ୍କର ସାଂସ୍କୃତିକ ପ୍ରଭାବ ମଧ୍ୟରେ ଓ କୃଷିକର୍ମର ଶାଶ୍ୱତ କ୍ଷେତ୍ର ସେମାନଙ୍କ ସାମାଜିକ ଜୀବନ ମଧ୍ୟରେ ଅବସ୍ଥିତ । ମନ, ଜୀବନ ଓ ସଂସ୍କୃତିର ଏହି ମୌଳିକ ଐକ୍ୟ ବିଭିନ୍ନ ଦେଶ ଓ ବିଭିନ୍ନ କାଳ ମଧ୍ୟରୁ ସତ୍ୟ ଆହରଣ କରି ନିଜ ସଂସ୍କୃତି ମଧ୍ୟରେ ତାହାକୁ ଏକ ଅପରିହାର୍ଯ୍ୟ ଉପାଦାନରେ ପରିଣତ କରିବାକୁ ସେମାନଙ୍କୁ ସେମାନଙ୍କୁ ସମର୍ଥ କରିଛି ।

 

ଅନ୍ୟପକ୍ଷରେ ଯେଉଁମାନେ ଭାରତୀୟ ଛାତ୍ରଙ୍କ ଭଳି ନିଜର ମାନସିକ ପରିପୁଷ୍ଟି ବଦଳରେ କୌଣସି ବାହାରର ସୁବିଧା ହାସଲ କରିବାକୁ ପୁସ୍ତକ ଉପରେ କେବଳ ନିର୍ଭର କରୁଥିବା ଶିଶୁମାନଙ୍କ ଭଳି ବୁଦ୍ଧି ବୃତ୍ତିରେ ଦୁର୍ବଳ ହେବ ସୁନିଶ୍ଚିତ, ନିଜ ପରିପାର୍ଶ୍ଵ ଓ ଶିକ୍ଷାଲାଭ କରୁଥିବା ଚିନ୍ତାରାଶିର ବିକାଶ ପ୍ରଣାଳୀକୁ ବାସ୍ତବ ପରି ପ୍ରୋକ୍ଷୀରେ ଲକ୍ଷ୍ୟ କରୁ ନ ଥିବାରୁ ସେମାନଙ୍କର ସାହସିକତାର ଅଭାବ ମଧ୍ୟ ବୁଦ୍ଧିବୃତ୍ତିରେ ପରିଲକ୍ଷିତ ହୋଇଥାଏ । ସେମାନେ କେବଳ ମୁଦ୍ରିତ ଶବ୍ଦସମୂହର ସୂକ୍ଷ୍ମ ଚିନ୍ତାଧାରା ଦ୍ୱାରା ମନ୍ତ୍ରମୁଗ୍ଧ ହୋଇଥାନ୍ତି, ଏବଂ ନିଜର ମାନବିକ ସ୍ୱଭାବର ଉତ୍ସ ସେମାନେ ଭୁଲିଯାନ୍ତି, କେବଳ ବିଦେଶୀ ସଂସ୍କୃତି ନୁହେ, ବିଚାରର ଏକ ବିଦେଶୀ ମାନଦଣ୍ଡ ମଧ୍ୟ ସେମାନେ ଗ୍ରହଣ କରିଥାନ୍ତି । ସେମାନଙ୍କର ଶିକ୍ଷା ଏପରି ଗୋଟିଏ ରଥ ଯେ ତାହା ସେମାନଙ୍କୁ ନିଜ ଉପରେ ବସାଇ ବୋହିନେବା ବଦଳରେ ସେମାନଙ୍କୁ ନିଜ ପଛଆଡ଼େ ରଖି ଟାଣିଥାଏ, ଏହି ଦୃଶ୍ୟ ଅତୀବ ଦୟନୀୟ ଓ ଅନେକ ସମୟରେ ହାସ୍ୟାସ୍ପଦ ମଧ୍ୟ, ଆଧୁନିକ ଇଉରୋପୀୟ ସଭ୍ୟତାର ଶକ୍ତି ଓ ସତ୍ୟ, ତାର ଗତିଶୀଳତା ମଧ୍ୟରେ ହୀନ ନିହିତ, ଏବଂ ଆମର ଶାସ୍ତ୍ରଗୁଡ଼ିକୁ ଦୈବବାଣୀ ବୋଲି ମନେକରି, ଆମର ମନକୁ ଶାସ୍ତ୍ରବଚନ ସମ୍ପର୍କରେ ନିଷ୍କ୍ରିୟ, ଅଯୌକ୍ତିକ କରିଦେବା ଭଳି ଏହି ଇଉରୋପୀୟ ସଭ୍ୟତାକୁ ମଧ୍ୟ କଠୋର ନିୟମାନୁବଦ୍ଧ ଅନୁଶାସକ ଭଳି ଆମେ ଗ୍ରହଣ କରିଛୁଁ ।

 

ତେଣୁ ଜୀବନ୍ତ ସତ୍ୟର ଗତିଶୀଳ ଚରିତ୍ରକୁ ଆମେ ହରାଇ ଵାସୁଛୁଁ । ଭିକ୍ଟୋରିଆ ଯୁଗର ଆଦିକାଳଠାରୁ ପରବର୍ତ୍ତୀ କାଳ ପର୍ଯ୍ୟନ୍ତ ଇଂରେଜୀ ଜାତିର ମାନସିକ ବିକାଶ ବିଭିନ୍ନ ଅବସ୍ଥା ଓ ମୂଲ୍ୟବୋଧ ମଧ୍ୟରୁ କୌଣସି ଗୋଟିକୁ ବା ଅନ୍ୟଟିକୁ ନିର୍ଦ୍ଧିଷ୍ଟ ବୋଲି କେବଳ ଗ୍ରହଣ କରୁ । ଶିକ୍ଷକର ଗତିଶୀଳମନ ସହିତ ଆମେ ସ୍ଵଭାବତଃ ଗତି କରି ପାରୁ ନା, ଏବଂ କେବଳ ଗୋଟିଏ କଥାରୁ ଅନ୍ୟ କଥାକୁ ଲମ୍ଫ ପ୍ରଦାନ କରି ଜୀବନର ସ୍ୱରସାମ୍ୟ ହରାଇବସୁଁ । ଆମେ ଅତି ନିର୍ବିଘ୍ନରେ ଆମର ସମସ୍ତ ବୌଦ୍ଧିକ ବିଶ୍ୱାସକୁ ବେନ୍‍ଥାମ୍ ବା ମିଲ୍‍ଙ୍କର ହିତବାଦନୀତି, ବା କାର୍‍ଲାଇଲ ଓ ରସ୍‍କିନ୍‍ଙ୍କର ଅଧ୍ୟାତ୍ମବାଦ ମଧ୍ୟରେ ସୀମାବଦ୍ଧ କରିଥାଉ । ପୁଣି ହୁଏତ ଅଳସ ମନରେ ଚମକ ସୃଷ୍ଟି କରି ସତ୍ୟ ସନ୍ଧାନ କରୁଥିବା ଆପାତ ବିରୋଧୀମତବାଦ ଉପରେ ଆମର ବିଶ୍ୱାସକୁ ଅନେକ ସମୟରେ ସୀମିତ ରଖିଥାଉଁ । ଏଭଳି ମତବାଦର ପ୍ରତ୍ୟାଖ୍ୟାନ ଇଂରାଜୀ ସାହିତ୍ୟର ଚେଷ୍ଟରଟନ ଓ ବର୍ଣ୍ଣାଡ୍‍ଶଙ୍କ ପ୍ରତିଭା ଅଗ୍ରଗଣ୍ୟ । କିନ୍ତୁ ସେଗୁଡ଼ିକର ଅପରିହାର୍ଯ୍ୟ କ୍ରିୟା ଓ ପ୍ରତିକ୍ରିୟା ଲକ୍ଷ୍ୟ କରିବାକୁ ଆମେ ଭୁଲିଯାଉଁ । ଆମେ ଆମ ଶିକ୍ଷାର ଆଧୁନିକତା ନେଇ ଗର୍ବକରୁଁ ଏବଂ ବର୍ତ୍ତମାନକୁ ଅତିକ୍ରମ କରିଯିବା ଯେ ସକଳ ଶିକ୍ଷାର ଲକ୍ଷ୍ୟ ତାହା ଆମେ ବିସ୍ମୃତ ହେଉ ।

 

ଜୀବନର ଆଦାନପ୍ରଦାନ କେବଳ ଏକ ଜୀବନ୍ତ ମାଧ୍ୟମରେ ସମ୍ଭବପର । ପୁଣି ସଂସ୍କୃତି, ଯାହାକି ହେଉଛି ମନର ଜୀବନ, ତାହା ମଧ୍ୟ କେବଳ ମନୁଷ୍ୟ ଦ୍ୱାରା ମନୁଷ୍ୟ ନିକଟରେ ପହଞ୍ଚି ପାରେ । ପୁସ୍ତକଗତ ଶିକ୍ଷା ଆମକୁ ବିଦ୍ୟାଭିମାନୀ କରିଥାଏ । ଏହି ଶିକ୍ଷା ସ୍ଥିତିଶୀଳ ଓ ପରିମାଣ ସର୍ବସ୍ୱ ମାତ୍ର । ଏହା ସଞ୍ଚିତ ହୋଇ କେବଳ ସ୍ତୂପାକାର ଧାରଣ କରେ ଏବଂ ସଞ୍ଚିତ ଧାନ ପ୍ରହରୀର କଡ଼ା ନଜରରେ ଜମା ହୋଇ ରହିଥାଏ । ସଂସ୍କୃତି କିନ୍ତୁ ଜୀବନରେ ନିଜେ ବୃଦ୍ଧିପ୍ରାପ୍ତ ହୁଏ, ଗତିଶୀଳ ହୁଏ ଓ ନିଜକୁ ବହୁଗୁଣିତ କରିଥାଏ ।

 

ୟୁରୋପୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଛାତ୍ରମାନେ ସେମାନଙ୍କ ସଂସ୍କୃତିର ମାନବିକ ପରିବେଶ କେବଳ ଯେ ସାମାଜିକ ଜୀବନରେ ଅନୁଭବ କରିଥାନ୍ତି ତା’ ନୁହେ, ନିଜର ଶିକ୍ଷକମାନଙ୍କ ସହିତ ମଧ୍ୟ ନିବିଡ଼ ସମ୍ପର୍କ ସ୍ଥାପନ କରି ଜୀବନରେ ଲାଭବାନ୍ ହୋଇଥାନ୍ତି । ଛାତ୍ର ଓ ଶିକ୍ଷକ ମଧ୍ୟରେ ମାନବିକ ସୌହାର୍ଦ୍ର ବନ୍ଧନ ସେଠାରେ ପ୍ରତିଷ୍ଠିତ ହୋଇଥାଏ ଏବଂ ସୂର୍ଯ୍ୟସଦୃଶ ଏହା ସେମାନଙ୍କୁ ଜୀବନରେ ଆଲୋକ ଦାନ କରିଥାଏ । କିନ୍ତୁ ଆମ ହାତରେ ଯେଉଁ କଠିନ ଚକ୍‍ମକି ପଥର ରହିଛି, ଅତି ଦୃଢ଼ ଘର୍ଷଣ ଫଳରେ ସେଥିରୁ ଆମେ କେତେକ ବିଛିନ୍ନ ଅଗ୍ନିକଣା ପାଇଥାଉ । ଏଥିରେ ଆଲୋକର ମାତ୍ର ଅପେକ୍ଷା ସଂଘର୍ଷ କୋଳାହଳର ମାତ୍ର ଯଥେଷ୍ଟ ଅଧିକ । ଏହି ଚକମକି ପଥରଗୁଡ଼ିକ ହେଉଛନ୍ତି ଆମ ବିଦ୍ୟାର ସଂକ୍ଷିପ୍ତ ସାର । ସେଗୁଡ଼ିକ ସ୍ଥାଣୁ ଓ ପ୍ରାଣହୀନ କେତେକ କଠିନ ପ୍ରଣାଳୀ ମାତ୍ର ।

 

ଦୁର୍ଭାଗ୍ୟବଶତଃ ଆମ ଦେଶରେ ଇଉରୋପୀୟ ବିଶ୍ୱବିଦ୍ୟାଳୟର ଆସବାବପତ୍ରସବୁ ରହିଛି, କିନ୍ତୁ ଅସଲ ଅଭାବ ରହିଛି ପ୍ରାଣବନ୍ତ ଶିକ୍ଷକର । ତା ପରିବର୍ତ୍ତରେ ଆମେ ପାଇଥାଉଁ କେବଳ ପୁସ୍ତକ ଜ୍ଞାନର କେତେକ ସଂଗ୍ରାହକ । ସେମାନଙ୍କୁ ଦେଖିଲେ ମନେହୁଏ ସତେ ଯେପରି ବହି ଦୋକାନର କାଗଜ-ଦେବତା ତାଙ୍କ ଭିତରେ ମୂର୍ତ୍ତିମନ୍ତ ହୋଇ କଥା କହୁଛି । ଏହାର ସ୍ୱାଭାବିକ ପରିଣତି ହେଉଛି ଯେ ଆମର ଛାତ୍ରମାନେ, ଏପରି କି ଆମ ନିଜର ଅଧ୍ୟାପକମାନଙ୍କ ନିକଟରେ ମଧ୍ୟ ‘ଅସ୍ପୃଶ୍ୟ’ ହୋଇ ରହିଛନ୍ତି, ଏହି ଶିକ୍ଷକମାନେ ଛାତ୍ର ଓ ତାଙ୍କ ନିଜମଧ୍ୟରେ ନୋଟ୍ ବହିର ପ୍ରାଚୀର ଛିଡ଼ା କରାଇ ଏବଂ ଅତି ସତର୍କତାର ସହିତ ବେଶ୍ କିଛି ଦୂରରେ ରହି ଛାତ୍ରମାନଙ୍କୁ ମାନସିକ ଖାଦ୍ୟର ମୁଷ୍ଟିବିତରଣ କରିଥାନ୍ତି । ଏ ଧରଣର ଖାଦ୍ୟ ସ୍ୱାଦୁକର ନୁହେ, କିମ୍ବା ସ୍ୱାସ୍ଥ୍ୟକର ମଧ୍ୟ ନୁହେ । ଏହା ଠିକ୍ ଦୁର୍ଭିକ୍ଷକାଳୀନ ଦୈନିକ ଖୋରାକ ଭଳି ଦୃଢ଼ଭାବରେ ନିୟମିତ ଏବଂ ଶୀର୍ଣ୍ଣତା ପରିବର୍ତ୍ତେ ଏହା ଆମକୁ କେବଳ ମୃତ୍ୟୁମୁଖରୁ ରକ୍ଷା କରିଥାଏ । କେବଳ ଜୀବନଧାରଣୋପଯୋଗୀ ଆବଶ୍ୟକତା ଅପେକ୍ଷା ଯଥେଷ୍ଟ ପ୍ରାଚୁର୍ଯ୍ୟର ଅଧିକାରୀ ହୋଇଥିବା ସଂସ୍କୃତି ପାଇଁ ଏହା ମନରେ ଆଶାପୋଷଣ କରି ନ ଥାଏ । ପ୍ରାଚୁର୍ଯ୍ୟ ଅପେକ୍ଷା ତ ନିଶ୍ଚୟ କମ୍, ଗୋଟିଏ ଭୋଜିର ବହୁଳ ସାମଗ୍ରୀ ତୁଳନାରେ ଏହା ଯଥେଷ୍ଟ ପରିମାଣରେ କମ ।

 

ପୃଥିବୀ ପାଇଁ ଆମେ ଯେ ଆବଶ୍ୟକ ଓ ଆମର ସାହାଯ୍ୟ ବ୍ୟତୀତ ପୃଥିବୀ ଚଳିବାକୁ ଅସମର୍ଥ ଏବଂ ପ୍ରତିଦାନ ପାଇଁ ଅଯୋଗ୍ୟ ଓ ପରନିର୍ଭରଶୀଳ ଭିକ୍ଷାଶୀ ମାତ୍ର ଆମେ ନୋହୁ-ଏକଥା ପ୍ରମାଣିତ କରିବାର ଅବସ୍ଥା ନ ଆସିବା ଯାଏଁ ଆମର ସମସ୍ତ ଆଶା ଅନ୍ୟର ଅନୁଗ୍ରହ ଉପରେ ପ୍ରତିଷ୍ଠିତ ହେବାକୁ ବାଧ୍ୟ । ତାହା ମଧ୍ୟ କାକୁତି ମିନତୀ, ତୋଷାମଦ ଓ ପୁଚ୍ଛସଞ୍ଚାଳନର ନିୟମାନୁଗତ ପ୍ରଣାଳୀ ଦ୍ୱାରା ହିଁ କେବଳ ମିଳି ପାରେ ।

 

ସମ୍ମାନ ସହକାରେ ଗୃହୀତ ହେବା ଭଳି କୌଣସି ଯୋଗ୍ୟବସ୍ତୁ ଆମେ ଯଦି ଦେଖିବାକୁ ଅସମର୍ଥ, ତାହାହେଲେ ଆମ ସମ୍ପର୍କରେ କେହି ମଧ୍ୟ ଆଗ୍ରହୀ ନ ହେବା ସ୍ୱାଭାବିକ । ଏଥିପାଇଁ କାହାକୁ ଆମେ ଦୋଷ ଦେବା ? କେବଳ ମାତ୍ର ବଞ୍ଚିରହି ଉତ୍ପାଦନକ୍ଷମ ନ ହୋଇଥିବା ଏପରି ଆଳସ୍ୟପରାୟଣ ଲୋକମାନଙ୍କ ପାଇଁ କେଉଁଠି ବା ଆମ ଦେଶରେ ଏତେ ପ୍ରଚୁର ଅନାବାଦି ଜମି ପଡ଼ିରହିଛି ? ଦେଶ ଭଳି ବୃହତ୍ ଠିକ୍ ଏକ ବିରାଟ ଆତୁରାଳୟ ସେମାନେ କିପରି ବା ଖୋଲି ପାରିବେ ? ନିରାଟ ସତ୍ୟ ହେଉଛି, ଆମକୁ ଦାନ କରାଯାଇ ଥିବାରୁ ହିଁ କୌଣସି ଜିନିଷକୁ ନିଜର କରିବାକୁ ଆମେ ଅକ୍ଷମ । ମରୁଭୂମି ନୁହେ, କେବଳ ହ୍ରଦହିଁ ଆକାଶର ମେଘମାଳାର ଦାନାକୁ ଗ୍ରହଣ ଓ ସଂରକ୍ଷଣ କରିବାକୁ ସମର୍ଥ, କାରଣ ଏହାର ଗଭୀରତା ମଧ୍ୟରେ ଦାନ ଓ ଗ୍ରହଣ ଏକାକାର ହୋଇପାରିଛି । ଯାହାର ଅଛି କେବଳ ତାକୁ ହିଁ ଦିଆଯାଇଥାଏ । ଅନ୍ୟଥା କେବଳ ଡାଟା ଓ ଗ୍ରହୀତା ଉଭୟେ ଅପମାନିତ ହୋଇଥାନ୍ତି ।

 

ବର୍ତ୍ତମାନ ମୁଁ ଗୋଟିଏ ବିଶ୍ୱବିଦ୍ୟାଳୟର ଦୃଷ୍ଟାନ୍ତ ଦେଉଛି, ଯାହା ଜାତୀୟ ଭୂମିରେ ଜନ୍ମ ଓ ବିକାଶଲାଭ କରି ସୁଦ୍ଧା ଏହାର ଇତିହାସର ପରିବର୍ତ୍ତନ ହେତୁ ପରିଶେଷରେ ପୁଣି ଭାଙ୍ଗିପଡ଼ିଥିଲା ।

 

ଯେତେବେଳେ ରୋମର ସଭ୍ୟତା-ପ୍ରଦୀପ ବର୍ବରମାନଙ୍କ ଆକ୍ରମଣ ଫଳରେ ନିର୍ବାପିତ ହୋଇଥିଲା, ଇଉରୋପର ସେହି ଅନ୍ଧକାରାଛନ୍ନ ଯୁଗରେ ପାଶ୍ଚାତ୍ୟ ଦେଶମାନଙ୍କ ମଧ୍ୟରେ ଏକମାତ୍ର ଆୟାରଲାଣ୍ଡ ହିଁ ନିଜର ସାଂସ୍କୃତିକ ପରମ୍ପରା ରକ୍ଷା କରିଥିଲା, ଇଉରୋପର ଅଧିକାଂଶ ଅଞ୍ଚଳରୁ ଛାତ୍ରମାନେ ଶିକ୍ଷାଲାଭ ଉଦ୍ଦେଶ୍ୟରେ ସେଠାକୁ ଆସୁଥିଲେ, ଆମର ସଂସ୍କୃତି ପାଠଶାଳା ଭଳି ସେଠାରେ ଛାତ୍ରମାନଙ୍କୁ ରହିବା, ଖାଇବା ବା ପୁସ୍ତକ କ୍ରୟ କରିବା ଦିଗରେ କୌଣସି ଅର୍ଥ ବ୍ୟୟ କରିବାକୁ ପଡ଼ୁ ନ ଥିଲା, ଆୟାରଲାଣ୍ଡର ଧର୍ମଯାଜକମାନେ ଖ୍ରୀଷ୍ଟିଆନ ଧର୍ମ ଓ ସଂସ୍କୃତିର ନିଷ୍ପ୍ରଭ ଦୀପକୁ ପୁଣି ଥରେ ଇଉରୋପବ୍ୟାପୀ ଆଲୋକ ଦୀପ୍ତ କରିଥିଲେ, ପାରିସ୍‍ରେ ଗୋଟିଏ ବିଶ୍ୱବିଦ୍ୟାଳୟ ସ୍ଥାପନ କରିବା ସକାଶେ ଚାର୍ଲମାନ୍, କ୍ଲିମେନ୍‍ସ ନାମକ ଜଣେ ଜ୍ଞାନୀ ଆୟାରଲାଣ୍ଡବାସୀଙ୍କର ସାହାଯ୍ୟ ନେଇଥିଲେ । ସେତେବେଳେ ଆୟାରଲାଣ୍ଡର ସଂସ୍କୃତି ଯେଉଁ ଗୌରବ ଓ ପ୍ରତିଷ୍ଠା ଅର୍ଜନ କରିଥିଲା, ତା'ର ଅନ୍ୟାନ୍ୟ ଦୃଷ୍ଟାନ୍ତ ମଧ୍ୟ ରହିଛି । ଯଦିଚ ଏହି ସଂସ୍କୃତିର ଜନ୍ମନାଡ଼ି ରୋମ୍ ସହିତ ସଂଲଗ୍ନ, କିନ୍ତୁ ତାହା ସହିତ ଦୀର୍ଘକାଳର ବ୍ୟବଧାନ ଫଳରେ ଏହା ନିଜର ଜନସାଧାରଣଙ୍କର ମନ ଓ ଜୀବନ ସହିତ ଗଭୀର ସମ୍ପର୍କ ସ୍ଥାପନ କରିଥିଲା । ଫଳରେ ଏହା ଏଭଳି ଏକ ପ୍ରତିଭାର ଅଧିକାରୀ ହୋଇଥିଲା, ଯାହା ପୂର୍ଣ୍ଣମାତ୍ରାରେ କେବଳ ଆୟାରଲାଣ୍ଡର ହେଉଛି ନିଜସ୍ୱ । ଏହି ସଂସ୍କୃତିର ମାଧ୍ୟମ ଥିଲା ଆଇରିସ୍ ଭାଷା ।

 

ଇଂରେଜ ଓ ଡେନ୍‍ମାକବାସୀଗଣ ଆୟାରଲାଣ୍ଡ ଆକ୍ରମଣ କରିବା ସମୟରେ କଲେଜ, ପାଠାଗାରକୁ ସମ୍ପୂର୍ଣ୍ଣ ଧ୍ୱଂସ କରି ଦେଇଥିଲେ, ଏବଂ ଧର୍ମଯାଜକ ଓ ଛାତ୍ରମାନଙ୍କୁ ହତ୍ୟା କରିଥିଲେ ବା ସେମାନଙ୍କୁ ବିକ୍ଷିପ୍ତ କରି ଦେଇଥିଲେ । ପରନ୍ତୁ ଦେଶର ଯେଉଁ ଅଞ୍ଚଳ ଗୁଡ଼ିକ ତଥାପି ସ୍ୱାଧୀନ ଓ ଅତ୍ୟାଚାରମୂକ୍ତ ହୋଇ ରହିଥିଲା, ସେଠାରେ ମାତୃଭାଷା ମାଧ୍ୟମରେ ଶିକ୍ଷା ଦିଆଯାଉଥିଲା ଏବଂ ରାଣୀ ଏଲିଜାବେଥଙ୍କ ଅମଳରେ ଏ ଦେଶ ସମ୍ପୂର୍ଣ୍ଣ ପରାଜିତ ହୋଇ ନିଜର ଦେଶୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ହରାଇବା ପର୍ଯ୍ୟନ୍ତ ଏହି ପ୍ରଥା ସେଠାରେ ପ୍ରଚଳିତ ରହିଥିଲା । ସଂସ୍କୃତି ଓ ଅଧ୍ୟୟନର ବାତାବରଣରୁ ବଞ୍ଚିତ ହୋଇ ଆଇରସ୍ ଭାଷା ଘୃଣିତ ହେବା ସଙ୍ଗେ କେବଳ ତଳଶ୍ରେଣୀରେ ତାହା ପଠନୋପଯୋଗୀ ବୋଲି ବିବେଚିତ ହୋଇଥିଲା । ତା ପରେ ଉନବିଂଶ ଶତକରେ ଯେତେବେଳେ ଜାତୀୟ ବିଶ୍ୱବିଦ୍ୟାଳୟ ପାଇଁ ଆନ୍ଦୋଳନର ସୂତ୍ରପାତ ହେଲା, ସେତେବେଳେ ଆଇରସ୍ ଗଣ ସେମାନଙ୍କର ଜ୍ଞାନ ପ୍ରତି ମୌଳିକ ଶ୍ରଦ୍ଧା ହେତୁ ଏହି ଆନ୍ଦୋଳନକୁ ଗଭୀର ଉତ୍ସାହ ସହକାରେ ସମ୍ବର୍ଦ୍ଧନା ଜଣାଇଲେ । ଆଇରସ୍ ଜାତିକୁ ଆଙ୍ଗ୍ଳୋସାକ୍‍ସନ ଛାଞ୍ଚରେ ଗଢ଼ିବା ହିଁ ଥିଲା, ଏହି ତଥାକଥିତ ଜାତୀୟ ବିଦ୍ୟାଳୟର ଲକ୍ଷ୍ୟ, କିନ୍ତୁ ଭଲ ହେଉ ବା ମନ୍ଦ ହେଉ ଭଗବାନ ପ୍ରତ୍ୟେକ ଜାତିକୁ ବିଭିନ୍ନ ରୂପରେ ଗଢ଼ିଛନ୍ତି ଏବଂ ଗୋଟିଏ ଜାତି ଅନ୍ୟ ଜାତିର ପୋଷାକକୁ ଯଦି ବ୍ୟବହାର କରେ ତା’-ହେଲେ ତାକୁ ତାହା ନ ସାଜିବା ନିଶ୍ଚିତ । ଏହି ଜାତୀୟ ବିଦ୍ୟାଳୟର ଆନ୍ଦୋଳନ ଯେତେବେଳେ ଆରମ୍ଭ ହେଲା ସେତେବେଳେ ଶତକଡ଼ା ଅଶୀ ଜଣ ଆଇରସ୍ ନିଜର ମାତୃଭାଷା ବ୍ୟବହାର କରୁଥିଲେ । କିନ୍ତୁ ଦଣ୍ଡର ଧମକରେ ଆଇରସ୍ ପିଲାମାନେ ନିଜ ମାତୃଭାଷାକୁ ଛାଡ଼ି ଦେବାକୁ ବାଧ୍ୟ ହେଲେ ଏବଂ ଏପରି କି ନିଜର ଇତିହାସ ପଢ଼ିବାକୁ ମଧ୍ୟ ତାଙ୍କୁ ନିଷିଦ୍ଧ କରାଯାଇଥିଲା ।

 

ଏହା ଦ୍ୱାରା ଆଶାନୁରୂପ ପରିଣତି ମଧ୍ୟ ଦେଖାଯାଇଥିଲା । ଦେଶବ୍ୟାପୀ ମାନସିକ ଜଡ଼ତା ପରିବ୍ୟାପ୍ତ ହୋଇଥିଲା । ଆଇରସ୍ ଭାଷା ଭାଷୀ ଯେଉଁ ଛାତ୍ରଙ୍କର ବୁଦ୍ଧି ଓ କୌତୁହଳ ବିଦ୍ୟାଳୟରେ ପ୍ରବେଶ କରିବା ସମୟରେ ଜାଗ୍ରତ ରହୁଥିଲା, ସେମାନେ ବିଦ୍ୟାଳୟ ଛାଡ଼ିବା ସମୟରେ, ମାନସିକ ପଙ୍ଗୁତା ଓ ସକଳ ଅଧ୍ୟୟନ ପ୍ରତି ବୀତଶ୍ରଦ୍ଧ ଭାବ ଧରି ପ୍ରତ୍ୟାବର୍ତ୍ତନ କରୁଥିଲେ । ଏହାର କାରଣ ହେଉଛି ଯେ ଶିକ୍ଷାପ୍ରଣାଳୀ ଥିଲା ଯାନ୍ତ୍ରିକ; ଏବଂ ତା’ର ପରିଣତି ମଧ୍ୟ ପୋଷା ସୁଆର ଶିକ୍ଷା ଭଳି ହେବା ସ୍ୱାଭାବିକ ।

 

ଶିକ୍ଷାର ଉପଯୁକ୍ତ ବିକାଶ ପାଇଁ ଗୋଟିଏ ବିଦେଶୀ ଭାଷା ଉପଯୁକ୍ତ ମାଧ୍ୟମ ହୋଇ ନ ପାରେ । ନିଜ ଦେଶ ବ୍ୟତୀତ ଅନ୍ୟ ଯେ କୌଣସି ସ୍ଥାନରେ ଏହା ଯେ ଲୋକମାନଙ୍କୁ ଅବସନ୍ନ କରି ତନ୍ଦ୍ରାଳୁ କରିଦିଏ ଏବଂ ନିଜ ଦେଶ କଥା କହିଲେ ଲୋକମାନଙ୍କୁ ଏହା କହି ଯେ ବିପଜ୍ଜନକ ଧର୍ମବିରୁଦ୍ଧ କଥା ବୋଲି ମନେହୁଏ ତାହା ସ୍ୱତଃସିଦ୍ଧ । ଆମ ମନରେ ଶତ୍ରୁତାଭାବ ସୃଷ୍ଟି କରିବା ଦିଗରେ ଏହା ପ୍ରକୃତରେ ଏକ ଟନିକ୍ ଭଳି କାମ କରେ । ତେଣୁ ବରଂ ଆମର ପୁରାତନ କଥା ଅଧିକ ଶୁଭପ୍ରଦ ଏବଂ ସେଥିପାଇଁ ବାରମ୍ବାର ମୁଁ କହୁଛି ଯେ ଇଂରାଜୀ ଭାଷା ମାଧ୍ୟମରେ ଶିକ୍ଷାଲାଭ କରିବାକୁ ଆମକୁ ଯେତେବେଳେ ବାଧ୍ୟ କରାଯାଉଛି, ସେତେବେଳେ ଆମ ଜୀବନର ଶ୍ରେଷ୍ଠ ସମୟତକ ଦ୍ୱାରା ଦେଶରେ କେବଳ ଆଘାତ ଦେବା ଓ ତାଲା ଖୋଲିବାରେ ହିଁ ବ୍ୟୟିତ ହେଉଛି । କକ୍ଷ ମଧ୍ୟରେ ଆମ ପାଇଁ ହୁଏତ ଭୋଜିସାମଗ୍ରୀ ଅପେକ୍ଷା କରି ରହିଛି, କିନ୍ତୁ ସେଠାକୁ ପ୍ରବେଶ କରିବା ଯଦି କଷ୍ଟକର ଓ ବିଳମ୍ବଜନକ ହୁଏ, ତାହା ଆମ କ୍ଷୁଧା ନଷ୍ଟ କରିଦେଇଥାଏ ଏବଂ ଦୀର୍ଘସମୟ ଧରି ବଞ୍ଚିତ ହେବା ଫଳରେ ଆମର ପାକସ୍ଥଳୀ ମଧ୍ୟ ଆଘାତପ୍ରାପ୍ତ ହୋଇଥାଏ । ଚିନ୍ତା ସବୁ ପାରେ ଦେଖାଦିଏ ଏବଂ ବ୍ୟାକରଣର କ୍ଲାନ୍ତିକର ଆବୃତ୍ତି ଓ ଶବ୍ଦ ବନାନ କରି ଶିଖିବାର ହେତୁ-ହିଁ ପ୍ରଣାଳୀ ସବା ପଛରେ ଆସୁଥିବା ଖାଦ୍ୟ ପ୍ରତି ଆମର ରୁଚି ଓ ଆଗ୍ରହ ସମସ୍ତ ନଷ୍ଟ କରିଦିଅନ୍ତି । ଆମେ ଯଦି ବୃଷ୍ଟିହୀନ ଏକ ମରୁଭୂମିର ବାଲିଆ ଜମିରେ ଗୋଟିଏ ଗଛ ବଢ଼ାଇବାକୁ ଚାହୁଁ ତା’ହେଲେ କେବଳ ଯେ ଆମକୁ ଗୋଟିଏ ଦୂର ସ୍ଥାନରୁ ବୀଜ ଧାର କରିବାକୁ ପଡ଼ିବ ତାହା ନୁହେ, ଆମକୁ ଜଳ ଓ ମୃତ୍ତିକା ମଧ୍ୟ ସଂଗ୍ରହ କରିବାକୁ ପଡ଼ିବ । ତଥାପି ସମସ୍ତ ଯତ୍ନ ଓ କ୍ଳେଶ ସତ୍ତ୍ୱେ ସେ ଗଛଟି ଭଲ ଭାବରେ ବଢ଼ି ପାରିବ ନାହିଁ । ଯଦିବା ଏହା ଫଳଧାରଣ କରିବ ତା’ହେଲେ ବୀଜ ପରିପକ୍ଵ ହେବ ନାହିଁ, ଯେଉଁ ଶିକ୍ଷା ଆଜି ଆମେ ବିଶ୍ୱବିଦ୍ୟାଳୟଠାରୁ ଲାଭ କରିଛୁଁ ତାହା ସତ୍ୟ ବୋଲି ଗ୍ରହଣ କରି ନେଉଛୁ ଯେ ଏ ଦେଶର ନୀରସ ଭୂମିକୁ ଫଳପ୍ରସୂ କରିବା ପାଇଁ ସେ ଉଦ୍ଧିଷ୍ଟ ଏବଂ ସେଥିପାଇଁ କେବଳ ମାନସିକ ଦୃଷ୍ଟିକୋଣ ବା ଜ୍ଞାନ ନୁହେ, ଏପରି କି ସମସ୍ତ ଭାଷା ମଧ୍ୟ ସଶରୀରରେ ଦରିଆପାରିରୁ ଆମଦାନୀ ହେବା ଆବଶ୍ୟକ, ଏଥିସକାଶେ ଆମର ଶିକ୍ଷା ଏତେ ଅବାସ୍ତବ, ଦୂରବର୍ତ୍ତୀ, ଅସ୍ପଷ୍ଟ, ଜୀବନ ସହିତ ସମ୍ପର୍କହୀନ; ସମୟ, ସ୍ୱାସ୍ଥ୍ୟ ଓ ଅବଲମ୍ବନ ଦୃଷ୍ଟିରୁ ଅତି ଦୁର୍ମୂଲ୍ୟ ତଥାପି ଏହାର ଫଳାଫଳ ମଧ୍ୟ ସ୍ୱଳ୍ପ ।

 

ମୋ ନିଜ ଶିକ୍ଷାଦାନର ଅଭିଜ୍ଞତାରୁ ମୁଁ ଯେତେଦୂର ଜାଣେ ଯେ ଅଧିକାଂଶ ଛାତ୍ର ଗୁଡ଼ିଏ ଭାଷା ଶିକ୍ଷା କରିବା ଦିଗରେ ସ୍ଵଭାବତଃ ଦୁର୍ବଳ । ସେମାନେ ଇଂରାଜୀ ଭାଷା ଭଲ ଭାବରେ ଉପଲବ୍ଧି ନ କରି ମଧ୍ୟ ପ୍ରବେଶିକା ପରୀକ୍ଷାରେ କୌଣସି ପ୍ରକାରେ ଉତ୍ତୀର୍ଣ୍ଣ ହୋଇଥାନ୍ତି । କିନ୍ତୁ ଉଚ୍ଚତର ଶ୍ରେଣୀଗୁଡ଼ିକରେ ସେମାନଙ୍କର ଅବସ୍ଥା ଶୋଚନୀୟ ହୋଇପଡ଼େ । ଅଧିକାଂଶ ଭାରତୀୟ ବାଳକ ଇଂରାଜୀଭାଷାରେ କାହିଁକି ବ୍ୟୁତ୍‍ପତ୍ତି ଅର୍ଜନ କରି ପାରିବେ ନାହିଁ, ସେଥିପାଇଁ ଅନ୍ୟାନ୍ୟ କାରଣ ମଧ୍ୟ ରହିଛି । ପ୍ରଥମତଃ ଏହି ଭାଷାକୁ ମନ ମଧ୍ୟରେ ସ୍ଥାନ ଦେବାକୁ ସେମାନେ ଅସମର୍ଥ । କାରଣ ଗୋଟିଏ ପ୍ରାଚ୍ୟ ଭାଷାରେ ଚିନ୍ତା କରିବାର ଅଭ୍ୟାସ ସେମାନଙ୍କର ରହିଛି, ଯଦିବା ସେମାନଙ୍କ ମନରେ ତାହା ସ୍ଥାନ ପାଇବାକୁ ଯତ୍ନ କରାଯାଏ, ତାହାହେଲେ ଗୋଟିଏ ଇଂରାଜୀ ତରବାରୀକୁ ଖଡ୍‍ଗର ଖୋଲା ମଧ୍ୟରେ ରଖିବା ଭଳି ଅବସ୍ଥା ସୃଷ୍ଟି ହେବ । ପୁଣି ଜଣେ ସୁଦକ୍ଷ ଶିକ୍ଷକ ନିକଟରୁ ଇଂରାଜୀଭାଷାରେ ଗଭୀର ପ୍ରବେଶଲାଭ କଲାଭଳି ଶିକ୍ଷାଲାଭ କରିବାର ସାମର୍ଥ୍ୟ କ୍ଵଚିତ୍ ପିଲାଙ୍କର ରହିଛି । ଦରିଦ୍ର ଛାତ୍ରଙ୍କର ଯେ ସେ ସାମର୍ଥ୍ୟ ଆଦୌ ନାହିଁ ଏହା ନିଶ୍ଚିତ ।

 

ଏହାର ବିପକ୍ଷ ଯୁକ୍ତି କ’ଣ ହେବ ତାହା ମୁଁ ଜାଣେ । ତୁମେ କହିବ ଯେ ଭାରତୀୟ ଭାଷା ମାଧ୍ୟମରେ ଯଦି ଉଚ୍ଚ ଶିକ୍ଷା ଦେବାକୁ ଚାହୁଁଛ ତାହାହେଲେ ତୁମର ପାଠ୍ୟପୁସ୍ତକ କାହିଁ ? ଆମର ଯେ ନାହିଁ, ତାହା ମୋତେ ଜଣା । କିନ୍ତୁ ଆମ ନିଜ ଭାଷାରେ ଉଚ୍ଚଶିକ୍ଷା ଯଦି ନ ଦିଆଯାଏ ତା’ହେଲେ ପାଠ୍ୟପୁସ୍ତକ ବା ଆସିବ କେଉଁଠୁ ? ଯଦି ମୁଦ୍ରା ସବୁଦେଶରେ ଅଚଳ ହୁଏ ତାହେଲେ ଗୋଟିଏ ଟଙ୍କା ତିଆରି କାରଖାନା ଯେ ଚାଲିବ, ତାହା ଆମେ ଆଶା କରି ନ ପାରୁ ।

 

ଆଇରସ୍ ଦୃଷ୍ଟାନ୍ତରୁ ଆମେ ଅନ୍ୟ ଏକ ଶିକ୍ଷା ମଧ୍ୟ ଲାଭ କରୁ । ତାହା ହେଉଛି, ସ୍ୱାଭାବିକ ଗତିରେ ସାଧାରଣତଃ ଜଳ ପ୍ରଥମେ ଆସେ ଓ ତା’ପରେ ମାଛ ଆସିଥାଏ । ଠିକ୍ ସେହିଭଳି ବିଦ୍ୱାନ ବ୍ୟକ୍ତିମାନଙ୍କର ଉପସ୍ଥିତିହିଁ ନିଜର ଚାରି ପାଖରୁ ଛାତ୍ରମାନଙ୍କୁ ଆକର୍ଷଣ କରିଥାଏ । ଯେଉଁ ଯୁଗରେ ମାନସିକ ଶକ୍ତିର ଉତ୍କର୍ଷ ପ୍ରଚୁର ପରିମାଣରେ ଦେଖଦେଇଥିଲା ଏବଂ ଯେତେବେଳେ ନିଜର ଚତୁଃପାର୍ଶ୍ୱକୁ ଉତ୍‍ପ୍ଲାବିତ କରିବା ଭଳି ଚିନ୍ତା, ଜ୍ଞାନ ଓ ଶକ୍ତିସମ୍ପନ୍ନ ବ୍ୟକ୍ତିମାନେ ଏ ଦେଶରେ ଥିଲେ, ସେତେବେଳେ ନାଳନ୍ଦା ଓ ତକ୍ଷଶିଳା ଭଳି ସାଂସ୍କୃତିକ କେନ୍ଦ୍ର ଭାରତରେ ସ୍ୱାଭାବିକ ଭାବେ ଗଢ଼ି ଉଠିଥିଲା । କିନ୍ତୁ କେବଳ ଅନୁଷ୍ଠାନ ଉଦ୍‍ଘାଟନ କରିବାରେ ଅଭ୍ୟସ୍ତ ହୋଇ ପଡ଼ିଥିବାରୁ ଆମେ ଯେତେବେଳେ ଜାତୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ଉଦ୍ୟମ କରୁ, ସେତେବେଳେ ମଧ୍ୟ ଆମେ ଭୁଲ୍ ଦିଗରୁ ହିଁ ଆରମ୍ଭ କରିଥାଉ । ପ୍ରଥମେ ଆମେ ଛାତ୍ର ସଂଗ୍ରହ କରୁ ଓ ପରେ ଶିକ୍ଷକମାନଙ୍କର ସନ୍ଧାନ ନେଇଥାଉଁ । ଏହା ଠିକ୍ ଜଣେ ଅନ୍ୟମନସ୍କ ସ୍ରଷ୍ଟାର ବୁଦ୍ଧ ବିଭ୍ରମ ସଙ୍ଗେ ସମାନ । ସେ ଲାଙ୍ଗୁଳକୁ ରୂପରେଖ ଦେବା ପାଇଁ ବହୁତ କ୍ଳେଶ ସ୍ୱୀକାର କରି ସାରିଲା ପରେ ହଠାତ୍ ଆବିଷ୍କାର କରେ ଯେ ମୂର୍ତ୍ତିର ମସ୍ତକ ଅଂଶଟି ନାହିଁ । ଆମର ଅତିଥିମାନଙ୍କୁ ଖାଇବା ସକାଶେ ଆଗ ବସାଇ ଦେଇ ପରେ ଦେଖୁଁ ଯେ ରନ୍ଧା କାମ ହୁଏତ ସେ ପର୍ଯ୍ୟନ୍ତ ଆରମ୍ଭ ହୋଇ ନାହିଁ । ଆମର ମାନସିକ ସୁସ୍ଥତା ଓ ଉଦ୍ଦେଶ୍ୟର ଯୌକ୍ତିକତା ପାଇଁ ପାଠ୍ୟ ନିର୍ଘଣ୍ଟ ଓ ଛାତ୍ରସମସ୍ୟା ସମ୍ପର୍କରେ ସମସ୍ତ ବ୍ୟଗ୍ରତା ଥରକ ପାଇଁ ଫିଙ୍ଗିଦିଆଯାଉ । ତା ପରେ ଆମେ ପ୍ରାର୍ଥନା କରିବା ଉଚିତ ଯେ ଯେଉଁମାନେ ନିଜ ମନକୁ କର୍ଷଣ କରିବାର ଶୃଙ୍ଖଳା ମଧ୍ୟରେ ସଫଳତାର ସହିତ ଗତି କରିଛନ୍ତି, ଯେଉଁମାନେ ସୃଷ୍ଟି ଓ ବିତରଣ କରିବାକୁ ପ୍ରସ୍ତୁତ, କେବଳ ସେହିମାନେ ହିଁ ଏକତ୍ରିତ ହୋଇ ଜ୍ଞାନ ରାଜ୍ୟରେ ନିଜର ଆବିଷ୍କାର ଓ ଉଦ୍ଭାବନୀ ଶକ୍ତି ନିଷ୍ଠାର ସହିତ ବିକାଶ କରିବାକୁ ଅଧ୍ୟୟନର ସାଧନା ପାଇଁ ଆସନ ଗ୍ରହଣ କରନ୍ତୁ । ଏହିପରି ଭାବରେ ଶକ୍ତି ଜୀବନର ସମ୍ପୂର୍ଣ୍ଣ ସତ୍ୟ ବହନ କରି ଆମ ନିଜ ମଧ୍ୟରୁ ଘନୀଭୂତ ହେବା ଫଳରେ ଗୋଟିଏ ବିଶ୍ୱବିଦ୍ୟାଳୟ ସୃଷ୍ଟି ପାଇଁ ସ୍ୱାଭାବିକ କ୍ଷେତ୍ର ପ୍ରସ୍ତୁତ ହେବ । ଆମର ଜାଣି ରଖିବା ଉଚିତ ଯେ ଦେଶର ବୁଦ୍ଧୀଶକ୍ତିକୁ କେନ୍ଦ୍ରୀଭୂତ କରିବା ହିଁ ବିଶ୍ୱବିଦ୍ୟାଳୟର ହେଉଛି ମହତ୍ତମ ଲକ୍ଷ୍ୟ । କାରଣ ଏହା ଏକ ଜୀବନ୍ତ କୋଷର ମଧ୍ୟବର୍ତ୍ତୀ ପ୍ରାଣବିନ୍ଦୁ ସଦୃଶ, ଜାତୀୟମାନସର ସୃଜନଶୀଳ ଜୀବନର କେନ୍ଦ୍ରସ୍ଥଳି ।

 

ମୁଁ ଅନେକ ସମୟରେ ଶୁଣୁଛି ଯେ ଭାରତବର୍ଷରେ ବହୁ ଭାଷା ପ୍ରଚଳିତ ଥିବାରୁ ଚିନ୍ତାରାଜ୍ୟରେ ଏକତା ପ୍ରତିଷ୍ଠା କରିବା ଦୁଃସାଧ୍ୟ ଓ ଅସମ୍ଭବ ।

 

କିନ୍ତୁ ପୃଥିବୀର ପ୍ରତ୍ୟେକ ଜାତି ନିଜର ସମସ୍ୟାବଳୀ ସମାଧାନ କରିବା ଆବଶ୍ୟକ । ତା’ ନ ହେଲେ ତା’ର ପାଟଣା ଓ ପରାଜୟ ଅବଶ୍ୟମ୍ଭାବୀ । ପ୍ରକୃତ ସଭ୍ୟତା ବହୁ ବାଧାବିଘ୍ନ ମଧ୍ୟରେ ହିଁ ଗଢ଼ିଉଠେ । ଜଳ ଯୋଗାଣର ସୁବିଧା ପାଇଁ ଯେଉଁମାନଙ୍କର ନଦୀ ରହିଛି, ସେମାନଙ୍କ ପ୍ରତି ଅନ୍ୟମାନେ ଈର୍ଷାନ୍ୱିତ ହୋଇ ପାରନ୍ତି, କିନ୍ତୁ ସେ ସୁବିଧା ଯେଉଁମାନଙ୍କର ନାହିଁ କୂପଖନନ ପୂର୍ବକ ନିଜ ଦେଶମାଟିର ଗଭୀର ପ୍ରଦେଶରେ ସେମାନେ ଜଳ ସନ୍ଧାନ କରିବା ଆବଶ୍ୟକ । କିନ୍ତୁ ସହଜରେ କେବଳ ମିଳିଯିବ ବୋଲି ଯେ ପାଣିର ଅଭାବ ଧୂଳି ମେଣ୍ଟାଇ ପାରିବ, ଏହା ଆମେ ଭାବିବା ଅନୁଚିତ । ଭାଷା ବୈଷମ୍ୟର ଅସୁବିଧାଜନକ ସମସ୍ୟା ଆମର ଯେ ରହିଛି, ତାହା ସାହସିକତାର ସହିତ ଆମେ ଗ୍ରହଣ କରିନେବା ବିଧେୟ ଏବଂ ତା ସହିତ ଆମେ ସ୍ୱୀକାର କରିବା ଯେ ବିଦେଶୀ ମାଟିଭଳି ଏକ ବିଦେଶୀ ଭାଷା କେବଳ ଉଷ୍ଣଗୃହ (Hot House)ରେ ପାଳିତ ହେବା ପାଇଁ ଉତ୍ତମ ବୋଲି ବିବେଚିତ ହୋଇପାରେ । କିନ୍ତୁ ଜୀବନ ଧାରଣ ପାଇଁ ପ୍ରୟୋଜନୀୟ ବ୍ୟାପକ କୃଷିକର୍ମ ସକାଶେ ତାହା ଅନୁପଯୁକ୍ତ ।

 

ପୁଣି ସ୍ୱୀକାର କରାଯାଉ ଯେ ଭାରତବର୍ଷ ଇଉରୋପ ମହାଦେଶର ଏକ ଭାଷାଭାଷୀ କୌଣସି ବିରାଟ ଦେଶ ସହିତ ସମାନ ନୁହେ; କିନ୍ତୁ ବିଭିନ୍ନ ଜାତି ଓ ବିଭିନ୍ନ ଭାଷା ଥିବା ସମସ୍ତ ଇଉରୋପ ମହାଦେଶ ସହିତ ଏହା ସମାନ । ତଥାପି ଭାଷାଗତ ସାମଞ୍ଜସ୍ୟ ଉପରେ ପ୍ରତିଷ୍ଠିତ ନ ହେଲେ ହେଁ ଚିନ୍ତାସାମ୍ୟ ଥିବା ଏକ ସାଧାରଣ ସଭ୍ୟତା ଇଉରୋପର ରହିଛି ।

 

ଇଉରୋପୀୟ ସଂସ୍କୃତିର ପ୍ରାଥମିକ ସ୍ତରରେ ସମସ୍ତ ଇଉରୋପବ୍ୟପୀ ଶିକ୍ଷାର ମାଧ୍ୟମ ଥିଲା ଲାଟିନ୍ ଭାଷା । ସେ ସମୟ ହେଉଛି ତା'ର ବୌଦ୍ଧିକ ଜୀବନର କାଳିକାବସ୍ଥା ଏବଂ ସେତେବେଳେ ଆତ୍ମପ୍ରକାଶର ସମସ୍ତ ପାଖୁଡ଼ାଗୁଡ଼ିକ ଗୋଟିଏ ବିନ୍ଦୁରେ ମୁଦ୍ରିତ ହୋଇ ରହିଥିଲା । କିନ୍ତୁ ତା'ର ମାନସିକ ବିକାଶର ପରିପୂର୍ଣ୍ଣତା ଗୋଟିଏ ସାହିତ୍ୟିକ ମାଧ୍ୟମ ଦ୍ୱାରା ସାଧିତ ହୋଇ ନ ଥିଲା । ଯେତେବେଳେ ୟୁରୋପୀୟ ଦେଶସମୂହ ପ୍ରତ୍ୟେକେ ନିଜ ନିଜର ସ୍ୱତନ୍ତ୍ର ଭାଷାର ଅଧିକାରୀ ହୋଇଥିଲେ ସେତେବେଳେ ହିଁ ପାଶ୍ଚାତ୍ୟ ଜଗତର ବିଭିନ୍ନ ସଂସ୍କୃତିର ବାସ୍ତବ ମିଳନ ସମ୍ଭବ ହୋଇଥିଲା । ଚିନ୍ତା ପ୍ରଣାଳୀର ପାର୍ଥକ୍ୟ ଦ୍ୱାରା ହିଁ ୟୁରୋପର ଭାବ ବାଣିଜ୍ୟ ଏତେ ପ୍ରଚୁର ପରିମାଣରେ ସମୃଦ୍ଧ ଏବଂ ଏତେ ବିଚିତ୍ର ରୂପରେ ସକ୍ରିୟ ହୋଇ ଉଠିଲା । ଏହା ସତ୍ୟ ଯେ ସ୍ଵଭାବଗତ ପାର୍ଥକ୍ୟ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠିତ ହେଲେ ପ୍ରକୃତ ଐକ୍ୟ ସାଧିତ ହୋଇଥାଏ । କିନ୍ତୁ କୁତ୍ରିମ ସାମଞ୍ଜସ୍ୟର ପ୍ରତିଷ୍ଠା ଆମ୍ଭମାନଙ୍କୁ ପ୍ରାଣଶୂନ୍ୟତା ଆଡ଼କୁ ନେଇଯାଏ । ଫ୍ରାନ୍‍ସ, ଇଟାଲୀ, ଜର୍ମାନୀ ଓ ଇଂଲଣ୍ଡ ଯଦି ନିଜର ପୃଥକ୍ କର୍ତ୍ତୃତ୍ୱର ବ୍ୟକ୍ତିଗତ ଉପାର୍ଜନ ସାଧାରଣ ଅର୍ଥକୋଷକୁ ଦାନ ନ କରନ୍ତି, ଇଉରୋପ ସଭ୍ୟତାର କିପରି କ୍ଷତି ଘଟିବ ତାହା ଆମେ ସହଜରେ ଅନୁମାନ କରି ପରିବା । ସେଥିପାଇଁ ଜର୍ମାନୀର ସଂସ୍କୃତି ଯେତେବେଳେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଚେଷ୍ଟା କରିଥିଲା, ତାହାକୁ ଏକ ବିରାଟ ବିପତ୍ତି ବୋଲି ମନେ କରି ସମଗ୍ର ଇଉରୋପ ତାହାର ପ୍ରତିରୋଧ ସେତେବେଳେ କାହିଁକି କରିଥିଲା ତାହା ସମସ୍ତେ ଆମେ ଜାଣୁ ।

 

ଦିନ ଥିଲା ଯେତେବେଳେ ଭାରତରେ ମଧ୍ୟ ସଂସ୍କୃତିର ସାଧାରଣ ମାଧ୍ୟମ ଥିଲା ସଂସ୍କୃତ ଭାଷା । କିନ୍ତୁ ତା’ର ଭାବ ବିନିମୟର ପରିପୂର୍ଣ୍ଣତା ପାଇଁ ପ୍ରତ୍ୟେକ ଭାଷା ପୂର୍ଣ୍ଣ ଶକ୍ତିର ଅଧିକାରୀ ହେବା ବାଞ୍ଛନୀୟ ଏବଂ ପ୍ରତ୍ୟେକ ଜାତିର ସ୍ୱତନ୍ତ୍ର ପ୍ରତିଭା ତା'ର ଭାଷା ମଧ୍ୟରେ ଅଭିବ୍ୟକ୍ତ ହେବା ଆବଶ୍ୟକ । ଏକ ବିଦେଶୀ ଭାଷା ସାହାଯ୍ୟରେ ତାହା ସାଧିତ ହେବା ସମ୍ଭବ ନୁହେ । କାରଣ ତାର ନିଜସ୍ୱ ଓ ସ୍ୱତନ୍ତ୍ର ଆନୁସାଙ୍ଗିକତା ରହିଛି ଏବଂ ତାହା ଦ୍ୱାରା ଆମର ଚିନ୍ତା ଓ ସୃଷ୍ଟିର ସ୍ୱାଧୀନତା ଆବଦ୍ଧ ହେବା ସ୍ୱାଭାବିକ । ଇଂରାଜୀ ଭାଷାର ବ୍ୟବହାର ଫଳରେ ଆମର ମନ ପ୍ରେରଣାର ମୂଳ ଉତ୍ସ ସନ୍ଧାନ କରିବା ପାଇଁ ସ୍ଵଭାବତଃ ପଶ୍ଚିମାଭିମୁଖୀ ହୋଇଥାଏ, କିନ୍ତୁ ତା ସହିତ ଆମେ କେବେ ହେଲେ ଆନ୍ତରିକ ସମ୍ପର୍କ ସ୍ଥାପନ କରି ନ ପାରୁ । ସେଥିପାଇଁ ଆମର ଶିକ୍ଷା କୌଣସି ଫଳ ପ୍ରସବ କରିବାକୁ ଅସମର୍ଥ । ଯଦିବା ପ୍ରସବ କରେ ସେଗୁଡ଼ିକ ଅସଂଲଗ୍ନ ଓ ଆକୃତିହୀନ ହୋଇଥାନ୍ତି । ତେଣୁ ଭାଷା-ବୈଷମ୍ୟ ସକାଶେ ଆମେ ଆତଙ୍କିତ ହେବା ଅନୁଚିତ । ପରନ୍ତୁ ଗୋଟିଏ ସୁଦୂର ଦେଶର ଭାଷାକୁ ଧାର କରି, ଆମ ସଂସ୍କୃତିର ପ୍ରକାଶ ମଧ୍ୟମରୁପେ ବ୍ୟବହାର କରିବା କିପରି ନିଷ୍ଫଳ ଏବଂ ତଦ୍ଦ୍ୱାରା ଆମର ଜୀବନ ପ୍ରଭାବ କିପରି ଅଗଭୀର ଓ ଆବଦ୍ଧ ହୋଇଯିବ, ସେଥିପ୍ରତି ସଚେତନ ରହିବ କର୍ତ୍ତବ୍ୟ ।

 

ତେଣୁ ଭାରତୀୟ ବିଦ୍ୟାପୀଠ ବର୍ତ୍ତମାନର ବିଶ୍ୱବିଦ୍ୟାଳୟ ନିୟନ୍ତ୍ରିତ ସ୍କୁଲ କଲେଜମାନଙ୍କଠାରୁ ସମ୍ପୂର୍ଣ୍ଣ ସ୍ୱତନ୍ତ୍ର ହେବା ଉଚିତ । ଏହି ଅକର୍ମା କଳଗୁଡ଼ିକ ଆମର ଆଇନ ଅଦାଲତ, ଅଫିସ୍, କଏଦୀଖାନା, ଅନାଥାଶ୍ରମ ଓ ସଭ୍ୟତାର ଅନ୍ୟାନ୍ୟ ବହିଃକକ୍ଷଗୁଡ଼ିକ ମଧ୍ୟରେ ହୀନ ସ୍ଥାନଲାଭ କରନ୍ତୁ ।

 

ଆମ ଦେଶ ଯଦି ଛାୟା ଓ ଫଳ ଲାଭ କରିବାକୁ ଚାହେ, ତାହା ହେଲେ ଏହି ଇଟା ଚୂନ ସୁରକିର ସୌଧ ନିର୍ମାଣକାର୍ଯ୍ୟ ବନ୍ଦ ହେବା ଉଚିତ । ଆମେ କାହିଁକି ଆଜି ଦୃଢ଼ ଶପଥ ଗ୍ରହଣ ନ କରିବା ଯେ ବୈଦିକ ଯୁଗର ଅରଣ୍ୟାଶ୍ରମ, ବୌଦ୍ଧ ଯୁଗର ନାଳନ୍ଦା ଓ ତକ୍ଷଶୀଳା ଏବଂ ଏପରି କି ଆଜିର ଏହି ଅଧଃପତିତ ଯୁଗରେ ମଧ୍ୟ ଟୋଲ ଓ ପାଠଶାଲାଗୁଡ଼ିକ ପରି ଶିକ୍ଷକଙ୍କ ନିକଟରେ ଆସି ପରିଵୃତ୍ତ ହେଉଥିବା ଛାତ୍ରମାନଙ୍କଭଳି ଆମର ପ୍ରାଣଶକ୍ତିକୁ ସ୍ୱାଭାବିକ ସ୍ୱାଭାବିକ ଗତିରେ ପରିଚାଳିତ କରିବା ?

 

ଏହାକୁ ଗୋଟିଏ ବିଶ୍ୱବିଦ୍ୟାଳୟ ବୋଲି କହିବାକୁ ମଧ୍ୟ ଆମ୍ଭେ ସାବଧାନ ହେବା ଉଚିତ । କାରଣ ଏହି ନାମକରଣ ମଧ୍ୟ ତୁଳନା ଓ ଦୁର୍ବଳ ଅନୁକରଣ ସକାଶେ ମନରେ ଏକ ଅଦମ୍ୟ ଆଗ୍ରହ ସୃଷ୍ଟି କରିବା ସ୍ୱାଭାବିକ । ମୋର ମତ ହେଉଛି ଯେ ଦେଶରେ କୌଣସି ସ୍ଥାନରେ ଆମେ ଏପରି ଏକ କେନ୍ଦ୍ରାଭିମୁଖୀ ଶକ୍ତି ସୃଷ୍ଟି କରିବା, ଯାହାକି ଦେଶର ବିଭିନ୍ନାଂଶରୁ ଓ ବିଭିନ୍ନ ଯୁଗରୁ ଆମ ଜ୍ଞାନର ସକଳ ନିଜସ୍ୱ ଉପାଦାନ ଆକର୍ଷଣ କରି ଏକତ୍ରିତ କରିବ ଏବଂ ଫଳରେ ଭାରତୀୟ ସଂସ୍କୃତିର ଏକ ସମ୍ପୂର୍ଣ୍ଣ ଓ ଗତିଶୀଳ କକ୍ଷମଧ୍ୟ ନିର୍ମାଣ କରି ପାରିବ ।

 

ଏଲହାବାଦର ଗୋଟିଏ ଆଙ୍ଗ୍ଳୋଭରନାକୁଲର ସ୍କୁଲରେ ଗୋଟିଏ ଛାତ୍ରକୁ ନଦୀର ସଂଜ୍ଞା ଦେବାକୁ ପଚରାଗଲା । ସେହି ଚତୁର ଛୋଟ ପିଲାଟି ନଦୀର ପ୍ରକୃତ ସଜ୍ଞା ପ୍ରଦାନ କଲା, କିନ୍ତୁ କେଉଁ ନଦୀସବୁ ସେ ଦେଖିଚି ବୋଲି ଯେତେବେଳେ ତାକୁ ପଚରାଗଲା, ଗଙ୍ଗାଯମୁନାର ସଙ୍ଗମ ନିକଟରେ ବାସ କରୁଥିଲେ ମଧ୍ୟ ସେ କୌଣସି ନଦୀ ଦେଖି ନାହିଁ ବୋଲି ଉତ୍ତର ଦେଲା । ତା’ର ଏକ ଅସ୍ପଷ୍ଟ ଧାରଣା ଥିଲା ଯେ ତା’ର ପରିଚିତ ଜଗତ ଭୂଗୋଳରେ ଥିବା ବିରାଟ ଜ୍ଞାନ-ଜଗତ ଭଳି ହୋଇ ନ ପାରେ ଏବଂ ଏହି ତା’ର ପ୍ରତ୍ୟକ୍ଷ ଚେତନା ମାଧ୍ୟମରେ ଅତି ସହଜରେ ସେ ଅର୍ଜନ କରିଥିଲା । ପରବର୍ତ୍ତୀ ଜୀବନରେ ସେ ନିଶ୍ଚୟ ଶିକ୍ଷାଲାଭ କରିଥିବ ଯେ ଭୂଗୋଳରେ ତା'ର ନିଜ ଦେଶରେ ମଧ୍ୟ ସ୍ଥାନ ଅଛି ଏବଂ ବାସ୍ତବିକ୍ ତା’ର ନଦୀ ମଧ୍ୟ ରହିଛି । ମନେକରାଯାଉ ଯେ ଏକ ବିରାଟ ପର୍ବତମାଳା ଓ ତାର ସିନ୍ଧୁ ଗଙ୍ଗା, ବ୍ରହ୍ମପୁତ୍ର ଯେ ବୃହତ୍ ନଦୀ ଏ କଥା ନ କହିବା ପର୍ଯ୍ୟନ୍ତ ଏ ସମ୍ବାଦ ତା’ର ମାନସିକ ସମତା ନିଶ୍ଚୟ ନଷ୍ଟ କରିଦେବ ଏବଂ ଯେଉଁ ଆତ୍ମଗ୍ଲାନି ଏ ପର୍ଯ୍ୟନ୍ତ ସେ ପୋଷଣ କରିଥିଲା ତା'ର ପ୍ରତିକ୍ରିୟା ଫଳରେ ସେ ସହସା ରୁକ୍ଷ ଭାବରେ ଚିତ୍କାର କରିଉଠିବ ଯେ ଅନ୍ୟାନ୍ୟ ଦେଶସମୂହ କେବଳ ଦେଶ ମାତ୍ର, କିନ୍ତୁ ତା’ର ଦେଶ ହିଁ ଏକମାତ୍ର ଧରାସ୍ୱର୍ଗ । ପୃଥିବୀ ସମ୍ପର୍କରେ ତା’ର ପ୍ରଥମ ଉପଲବ୍ଧି ତାର ନିଜର ଅଜ୍ଞାତ ବଶତଃ ଭ୍ରାନ୍ତ ଥିଲା । କିନ୍ତୁ ତା’ର ପରବର୍ତ୍ତୀ ଉପଲବ୍ଧି ଏହାଠୁଁ ଅଧିକ ଖରାପ ଏବଂ ତାର ସେହି ମିଥ୍ୟା ଧାରଣା, କୁତ୍ରିମ ନିର୍ବୋଧତା ପାଇଁ ଅଧିକ ହାସ୍ୟାସ୍ପଦ ।

 

ଆମ ଭାରତୀୟ ସଂସ୍କୃତି କ୍ଷେତ୍ରରେ ତାହାହିଁ ଘଟୁଛି । ଆମ ଅଧ୍ୟୟନ ପ୍ରଣାଳୀରେ ଅନେକ ଶୂନ୍ୟସ୍ଥାନ ରହିଯାଇଥିବାରୁ ଆମେ ଧରିନେଉଛୁ ଯେ ଭାରତବର୍ଷର ସଂସ୍କୃତି ବୋଲି କିଛି ନ ଥିଲା, କିମ୍ବା ଯଦିବା ଥିଲା, ସେଭଳି ସଂସ୍କୃତି ଅନ୍ୟ କାହାରି ନ ଥିଲା । ତା ପାରେ ଆମେ ଯେତେବେଳେ ଜଣେ ବିଦେଶୀ ପଣ୍ଡିତ ମୁହଁରୁ ଭାରତୀୟ ସଂସ୍କୃତିର ପ୍ରଶଂସା ଶୁଣୁ, ସେତେବେଳେ ଆମ ଭିତରେ ଧୈର୍ଯ୍ୟର ବନ୍ଧ ଭାଙ୍ଗିଯାଏ ଏବଂ ଆମେ ଆକାଶ କମ୍ପାଇ ଚିତ୍କାର କରୁଁ ଯେ ଅନ୍ୟ ସମସ୍ତ ସଂସ୍କୃତି ହେଉଛି ମାନବଧର୍ମୀ । କେବଳ ଆମରି ହେଉଛି ସ୍ୱର୍ଗୀୟ, କିନ୍ତୁ ଆମର ସ୍ମରଣ ରଖିବା ଉଚିତ ଯେ ସ୍ୱତନ୍ତ୍ର ସୃଷ୍ଟିର ମତବାଦ ଆଜି ପୁରୁଣା ହୋଇଗଲାଣି, ଏବଂ ଗୋଟିଏ ଦୈବାନୁଗୃହୀତ ଜାତିର ଧାରଣା ଏକ ଅସଭ୍ୟ ଯୁଗର ଧାରଣା ବୋଲି ପରିଗଣିତ ହେଲାଣି । ଆଧୁନିକ ଯୁଗରେ ଆମେ ଉପଲବ୍ଧି କରିବାକୁ ସମର୍ଥ ଯେ ଗୋଟିଏ ନିର୍ଦ୍ଧିଷ୍ଟ ସଂସ୍କୃତି ଯଦି ସମ୍ପୂର୍ଣ୍ଣଭାବରେ ସାର୍ବଭୌମିକତାରୁ ବିଛିନ୍ନ ହୁଏ ତାହା ସତ୍ୟ ହୋଇ ନ ପାରେ । କେବଳ ନିଃସଙ୍ଗ କକ୍ଷ ମଧ୍ୟରେ ବନ୍ଦୀ ହୋଇଥିବା ଜଣେ କୟେଦୀ ହିଁ ପୃଥିବୀଠାରୁ ସମ୍ପର୍କହୀନ । ଯେଉଁ ବ୍ୟକ୍ତି ପ୍ରଚାର କରେ ଯେ ଭାରତବର୍ଷ ନିୟତି ଦ୍ୱାରା ଘୃଣିତ ହୋଇ ଜ୍ଞାନ ଜଗତରେ ଏକ ନିର୍ଜନ କକ୍ଷ ମଧ୍ୟରେ ବନ୍ଦୀ, ସେ କେବେ ତାକୁ ଗୌରବାନ୍ୱିତ କରେ ନା, ଆମ ସଂସ୍କୃତିର ଦୁର୍ବଳତା ଓ ଅନ୍ଧବିଶ୍ୱାସ ଯେ ରହିଛି, ତାହା ସହଜରେ ଦେଖାଇ ଦିଆଯାଇପାରେ । କିନ୍ତୁ ଇଉରୋପୀୟ ସଂସ୍କୃତିରେ ମଧ୍ୟ ତାହା ରହିଛି ଏବଂ ଏପରି କି ତାହାର ରାଜନୀତି ବିଜ୍ଞାନ ମଧ୍ୟ ତଦ୍ଦ୍ୱାରା ପରିପୂର୍ଣ୍ଣ, ତଥାପି ସେଗୁଡ଼ିକ ଏତେ ମାରାତ୍ମକ ନୁହନ୍ତି, କାରଣ ସର୍ବଦା ଗତିଶୀଳ ହୋଇଥିବାରୁ ଇଉରୋପର ଜାତିଭେଦ ଯେପରି ଏତେ ନିର୍ଯାତକ ବୋଲି ଅନୁଭୂତ ହୁଏ ନା, ଠିକ୍ ସେହିଭଳି ସେଗୁଡ଼ିକର ସ୍ୱଭାବ ମଧ୍ୟ ଗତିଧର୍ମୀ ଓ ପରିବତ୍ତନଶୀଳ ହୋଇଥିବାରୁ ଏପରି ଉତ୍କଟ ବୋଲି ମନେହୋଇ ନ ଥାନ୍ତି ।

 

କେବଳ ଅତି ଅଳ୍ପଦିନ ତଳେ ଏକ ବୈଜ୍ଞାନିକ ମନ୍ତ୍ରର କୁହେଳିକା ମାଧ୍ୟମରେ ଇଉରୋପ ସମଗ୍ର ବିଶ୍ୱକୁ ଦେଖିବାକୁ ଆରମ୍ଭ କଲା ଏବଂ ସେ ମନ୍ତ୍ର ହେଉଛି ‘‘ଜୀବନ ସଂଗ୍ରାମ’’ । ଏହା ତା’ର ଦୃଷ୍ଟିକୁ ଅନୁରଞ୍ଜିତ କରିବା ସଙ୍ଗେ, ତାର ମତବାଦକୁ ମଧ୍ୟ ନିର୍ଦ୍ଧାରଣ କରିଦେଲା, ଆମେ ମଧ୍ୟ ଜଣେ ଆଜ୍ଞାବହ ଛାତ୍ର ଭଳି ଇଉରୋପ ନିକଟରୁ ଏହି କଥାଟି ଗ୍ରହଣ କଲୁ ଏବଂ ଏଠି ପ୍ରତି ଅବିଶ୍ୱାସକୁ ଆମ ଶିକ୍ଷାର ଅପୂର୍ଣ୍ଣତାର ଏକ ନିଦର୍ଶନ ବୋଲି ମନେକଲୁ; କିନ୍ତୁ ଏହି ମତବାଦର ପରିବର୍ତ୍ତନର ଏକ ସୂଚନା ଦେଖାଗଲାଣି ଏବଂ ଏହା ପ୍ରମାଣିତ ହେଉଛି ଯେ ପ୍ରାକୃତିକ ନିର୍ବାଚନ ମୂଳରେ ଯେଉଁ ଗୁଣାତ୍ମକ ଶକ୍ତି କାମ କରୁଛି ତାହାହିଁ ସମ୍ମିଳିତ କରିବାର ସହାନୁଭୂତିମୂଳକ ଶକ୍ତି ।

 

ଉନବିଂଶ ଶତକରେ ଅନିୟନ୍ତ୍ରିତ ପ୍ରତିଯୋଗିତା ହୀନ ରାଜନୀତିକ ଅର୍ଥନୀତିର ଥିଲା ଏକ ବାର୍ତ୍ତା, କିନ୍ତୁ ବିଂଶ ଶତାବ୍ଦୀର ତାହା ସମବାୟ ନୀତିରେ ପରିବର୍ତ୍ତିତ ହେବାର ଉଦ୍ୟମ ପରିଲକ୍ଷିତ ହେଉଛି । ଦିନ ଥିଲା ଯେତେବେଳେ ଆମେ ଭରତବର୍ଷରେ ମଧ୍ୟ ଜୀବନର ସମସ୍ୟା ସମ୍ପର୍କରେ ସ୍ୱାଧୀନ ଭାବରେ ନାନାପ୍ରକାର ଚିନ୍ତା ଓ ପରୀକ୍ଷା କରିଥିଲୁଁ ଏବଂ ଯେଉଁ ସମାଧାନ ଆମେ ପହଞ୍ଚିଥିଲୁ, ଇଉରୋପୀୟ ସମାଧାନ ସହିତ ତାହାର ସାମ୍ୟ ନ ଥିବାରୁ ତାକୁ ଆଜି ଅବହେଳା କରାଯାଇ ନ ପାରେ, କିନ୍ତୁ ସେଗୁଡ଼ିକ ସ୍ଥାଣୁ ନ ହୋଇ ମନୁଷ୍ୟର ଆବିଷ୍କାରର ଶୋଭାଯାତ୍ରାରେ ଯୋଗଦାନପୂର୍ବକ ଜୀବନର ଜୟଯାତ୍ରା ସହିତ ଗତି କରିବା ଆବଶ୍ୟକ ।

 

ଦୀର୍ଘକାଳ ଧରି ଆମେ ଆମର ସଂସ୍କୃତିକୁ ନିଜ ଦେଶର ସଂସ୍କୃତ ପାଠଶାଳା ମଧ୍ୟରେ ବନ୍ଦୀ କରି ତାହାକୁ ସମାଜ ବାସନ୍ଦ କଲାଭଳି ରଖିଅଛୁ । ଅଯଥା ସମ୍ମାନ ଯେଉଁ ଅସ୍ପୃଶ୍ୟତା ସୃଷ୍ଟି କରେ ତାହା ଅଯଥା ଘୃଣା ଦ୍ୱାରା ସୃଷ୍ଟି ହେଉଥିବା ଅସ୍ପୃଶ୍ୟତାଠାରୁ କୌଣସି ଗୁଣରେ ଉଣା ନୁହେ । ସମୟ ଥିଲା ଯେତେବେଳେ ଅତ୍ୟଧିକ ସମ୍ମାନ ଫଳରେ ଜାପାନର ମିକାଦୋ ନିଜ ରାଜପ୍ରାସାଦ ମଧ୍ୟରେ ପ୍ରାୟ ଜଣେ ବନ୍ଦୀର ଜୀବନଯାପନ କରୁଥିଲେ ଏବଂ ଫଳରେ ତାଙ୍କ ବଦଳରେ ସୋଗାନ ଥିଲେ ପ୍ରକୃତ ଶାସକ, କିନ୍ତୁ ପରେ ଯେତେବେଳେ ପ୍ରକୃତ ଶାସନର ଆବଶ୍ୟକତା ସେ ଅନୁଭବ କରିଥିଲେ, ସେତେବେଳେ ତାଙ୍କର ନିର୍ଜ୍ଜନ କକ୍ଷରୁ ତାଙ୍କୁ ସାଧାରଣ ରାଜପଥକୁ ଆଣିବାକୁ ପଡ଼ିଥିଲା । ଆମ ସଂସ୍କୃତି ପାଠଶାଳାର ସଂସ୍କୃତି ମଧ୍ୟ ଠିକ୍ ସେହିପରି ଥିଲା । ଏହା ନିଜ ମଧ୍ୟରେ ସୀମାବଦ୍ଧ ହେବା ସଙ୍ଗେ ଅନ୍ୟ ସକଳ ସଂସ୍କୃତିକୁ ଘୃଣା ସହିତ ଅବହେଳା କରୁଥିଲା । ଏହାକୁ ଏପରି ଉଚ୍ଛ୍ୱସିତ ପ୍ରଶଂସା କରାଯାଉଥିଲା ଯେ, ସତେ ଯେପରି ଏହା ବ୍ରହ୍ମାଙ୍କ ମୁଖ ନିଃସୃତ ବା ଶିବଙ୍କ ଜଟାରୁ ପ୍ରବାହିତ ଏବଂ ସେଥିପାଇଁ ପୃଥିବୀର ଯେକୌଣସି ଜ୍ଞାନ ଅପେକ୍ଷା ମହତ୍ତମ ଓ ସ୍ୱର୍ଗୀୟ, ସୁତରାଂ ସାଧାରଣ ଲୋକଙ୍କ ସ୍ପର୍ଶ ଦ୍ୱାରା ଏହା କାଳେ ଅପବିତ୍ର ହୋଇଯିବ, ସେଥିସକାଶେ ଏହା ସ୍ୱତନ୍ତ୍ର ଭାବେ ସୁରକ୍ଷିତ ହେଉଥିଲା । ଆମ ସଂସ୍କୃତିର ଅବସ୍ଥା ମଧ୍ୟ ଠିକ୍ ଏହି ମିକାଦୋଙ୍କ ପରି । ମାତ୍ର ବିଦେଶୀ ସଂସ୍କୃତି ନିଜର ଗତି, ବିକାଶ ଓ ମାନବିକତାର ପୂର୍ଣ୍ଣ ସ୍ୱାଧୀନତା ଦ୍ୱାରା ଶକ୍ତି ସଂଚୟ କରି ନିଜର ଆଧିପତ୍ୟ ଏ ଦେଶରେ ବିସ୍ତାର କରିଥିଲା ।

 

ଆମର ସମ୍ମାନବୋଧ ଜଣକ ପାଇଁ ସଂରକ୍ଷିତ ହୋଇଛି, କିନ୍ତୁ ଆମର ସକଳ ରାଜସ୍ୱ ଆମେ ଅନ୍ୟଜଣକୁ ପ୍ରଦାନ କରୁଛି । ଆମେ ଘରେ ବସି ଦ୍ଵିତୀୟ ବ୍ୟକ୍ତିକୁ ଭୀଷଣ ଭର୍ତ୍ସନା କରି ପାରୁ, କିମ୍ବା ଏହାର ଅଧୀନତା ସ୍ୱୀକାର କରିଥିବାରୁ ନୀରବରେ ବିଳାପ କରି ପାରୁ, ଅନ୍ୟ ଦିଗରେ କିନ୍ତୁ ଆମେ ନିଜ ସ୍ତ୍ରୀର ଅଳାଙ୍କାରପତ୍ର ବିକ୍ରିକରି ଓ ଆମର ପୈତୃକ ଗୃହକୁ ବନ୍ଧାଦେଇ ନିଜର ପିଲାମାନଙ୍କୁ ଏହାର ଦରବାରକୁ ପଠାଇଥାଉଁ । ଆମର ସଂସ୍କୃତିକୁ ଏପରି ସ୍ଵର୍ଣ୍ଣଶିକୁଳିରେ ଆବଦ୍ଧ ରଖି କେବଳ ସମ୍ମାନ ପ୍ରଦର୍ଶନ କଲେ ଚଳିବ ନାହିଁ । ସମସ୍ତ କୁତ୍ରିମ ବନ୍ଧନ ଭାଙ୍ଗିଯିବାର ଯୁଗ ଆଜି ଆସିଛି । ଯାହା ମୌଳିକଭାବରେ ବିଶ୍ୱ ସହିତ ସଂଲଗ୍ନ, ତାହାହିଁ କେବଳ ବଞ୍ଚିରହିବ । ଜୀବନର ସାଧାରଣ ମାର୍ଗର ବହିର୍ଭୁତ ବୈଶିଷ୍ଟ୍ୟର କୌଣସି ଗହ୍ୱର ମଧ୍ୟରେ ଯେ ନିଜର ନିରାପତ୍ତା ସନ୍ଧାନ କରେ, ତାହାର ଧ୍ୱଂସ ଅନିବାର୍ଯ୍ୟ, ଶିଶୁର ଲାଳନ କକ୍ଷ ନିର୍ଜନ ଓ ତା’ର ଦୋଳି ନିରାପଦ ହେବ ଆବଶ୍ୟକ, କିନ୍ତୁ ଶିଶୁ ବଢ଼ିଯିବା ପରେ ସେହି ନିର୍ଜନ ପରିବେଶ ଯଦି ରକ୍ଷା କରାଯାଏ ତାହାହେଲେ ଦେହ ଓ ମନରେ ସେ ଦୁର୍ବଳ ହୋଇଯାଏ ।

 

ସମୟ ଥିଲା ଯେତେବେଳେ ଚୀନ, ପାରସ୍ୟ, ଇଜିପ୍ଟ, ଗ୍ରୀସ ଓ ରୋମ ପ୍ରତ୍ୟେକେ ନିଜର ସଭ୍ୟତାକୁ ଅନ୍ୟମାନଙ୍କ ତୁଳନାରେ ଅଧିକ ନିର୍ଜ୍ଜନତା ମଧ୍ୟରେ ଲାଳନପାଳନ କରିବାକୁ ଯତ୍ନ କରିଥିଲେ । ପ୍ରତ୍ୟେକର ବିଶ୍ୱ ପରିମାପର ମାନଦଣ୍ଡ ଥିଲା ସ୍ୱତନ୍ତ୍ର, ଏବଂ ପ୍ରତ୍ୟେକେ ନିଜର ବ୍ୟକ୍ତି ସ୍ୱାତନ୍ତ୍ର୍ୟର ରକ୍ଷାକାରୀ ଆବରଣ ମଧ୍ୟରେ ଶକ୍ତି ସଞ୍ଚୟ କରିଥିଲେ । ବର୍ତ୍ତମାନ ସମବାୟ ଓ ସମନ୍ୱୟର ଯୁଗ ଆସିଛି । ଯେଉଁ ଚାରା ଗଛଗୁଡ଼ିକ ନିଜର ବେଢ଼ାମଧ୍ୟରେ ପାଳିତ ହେଉଥିଲେ, ସେଗୁଡ଼ିକ ଆଜି ଖୋଲା ଜମିରେ ରୋପିତ ହେବ ଆବଶ୍ୟକ । ଯଦି ଆଜି ସେଗୁଡ଼ିକର ଚରମ ମୂଲ୍ୟ ପାଇବାକୁ ଆଶା ଥାଏ, ତା'ହେଲେ ସେଗୁଡ଼ିକୁ ସମସ୍ତ ପୃଥିବୀର ବଜାର ଦରର ସମ୍ମୁଖୀନ ହେବାକୁ ପଡ଼ିବ ।

 

ତେଣୁ ଆମେ ପୃଥିବୀର ବିଭିନ୍ନ ସଂସ୍କୃତିର ସମନ୍ୱୟ ଓ ଆଦାନପ୍ରଦାନ ପାଇଁ ଏକ ବିରାଟ କ୍ଷେତ୍ର ଆଜି ପ୍ରସ୍ତୁତ କରୁଛୁଁ । ତୁଳନାତ୍ମକ ଅଧ୍ୟୟନ ମାଧ୍ୟମରେ ଜ୍ଞାନର ଏହି ସମାଧାନ ଓ ଚିନ୍ତା ସମବାୟର ଏହି ପ୍ରଗତି ଆଗାମୀ ଯୁଗର ପ୍ରଧାନ ସ୍ୱର ହେବା ଆବଶ୍ୟକ । କାଳ୍ପନିକ ନିରାପତ୍ତାର ଏକ ଆଶ୍ରୟ କକ୍ଷ ମଧ୍ୟରେ ଆମେ ନିଜର ପବିତ୍ର ସ୍ୱାତନ୍ତ୍ର୍ୟକୁ ଆବୃତ୍ତ ରଖିବାକୁ ଚେଷ୍ଟା କରି ପାରୁ, କିନ୍ତୁ ଆମର ଆଶ୍ରୟସ୍ଥଳୀ ଅପେକ୍ଷା ପୃଥିବୀ ବଳବତ୍ତର ବୋଲି ପ୍ରମାଣିତ ହେବ । ତେଣୁ ପୃଥିବୀର ଅନ୍ୟାନ୍ୟ ସଂସ୍କୃତି ସହିତ ସହଯୋଗୀ ବା ପ୍ରତିଦ୍ୱନ୍ଦୀ ହେବାର ସାମର୍ଥ୍ୟ ଅର୍ଜନ କରିବା ପୂର୍ବରୁ ଭାରତବର୍ଷକୁ ଆସିଥିବା ବିଭିନ୍ନ ଉପାଦାନର ସମନ୍ୱୟ ସାଧନ ଦ୍ୱାରା ଆମେ ନିଜର ସଂସ୍କୃତି ପ୍ରଥମେ ନିର୍ମାଣ କରିବା ଆବଶ୍ୟକ । ଏହିପରି ଏକ କେନ୍ଦ୍ରସ୍ଥଳରେ ଛିଡ଼ାହୋଇ ଆମେ ଯଦି ପାଶ୍ଚାତ୍ୟ ଜଗତ ଆଡ଼କୁ ଦୃଷ୍ଟି ଦେଉଁ, ତାହାହେଲେ ଆମର ଦୃଷ୍ଟି ସ୍ତବ୍ଧ ବା ସନ୍ତ୍ରସ୍ତ ନ ହୋଇ ଶିର ଉନ୍ନତ ହେବା ସ୍ୱାଭାବିକ । କାରଣ ନିଜର ଗୋଟିଏ ସୁବିଧାଜନକ ସ୍ଥାନରୁ ସତ୍ୟ ପ୍ରତି ଦୃଷ୍ଟି ଦେବାକୁ ଆମେ ସେତେବେଳେ ସମର୍ଥ ହେବୁ ଏବଂ ଉଦାର ପୃଥିବୀ ସମ୍ମୁଖରେ ଚିନ୍ତାର ଏକ ନୂତନ ଦୃଷ୍ଟି ସୃଷ୍ଟି କରି ପାରିବୁଁ ।

 

ବୌଦ୍ଧିକ ଜୀବନ ପାଇଁ ପ୍ରତ୍ୟେକ ବିରାଟ ଦେଶର ନିଜସ୍ୱ ପ୍ରାଣ କେନ୍ଦ୍ର ରହିଛି । ସେଠାରେ ଶିକ୍ଷାର ଏକ ଉନ୍ନତ ମନ ନିର୍ଦ୍ଧାରଣ ଏବଂ ସ୍ୱାଭାବିକ ବାତାବରଣ ମଧ୍ୟରେ ଲୋକମାନେ ନିଜର ଯୋଗ୍ୟତାର ପରିଚୟ ମଧ୍ୟ ପ୍ରଦାନ କରିଥା'ନ୍ତି । ଦେଶର ସଂସ୍କୃତିକୁ ଦାନ କରିବା ସଙ୍ଗେ ତ୍ୟାଗର ଯେଉଁ ହୋମାନଳ ସେମାନେ ପ୍ରଜ୍ଜ୍ଵଳିତ କରିଥାନ୍ତି ତାହା ଚତୁର୍ଦ୍ଦିଗରେ ପବିତ୍ର ଜ୍ୟୋତି ବିକିରଣ କରିଥାଏ ।

 

ଏହି ଭଳି ପ୍ରାଣ-କେନ୍ଦ୍ର ଥିଲେ ଏଥେନ୍‍ସ ଓ ରୋମ, ଏବଂ ଆଜି ସେହିପରି ଏକ ପ୍ରାଣ-କେନ୍ଦ୍ର ହେଉଛି ପାରିସ୍ । ବହୁଦିନ ଧରି ଆମ ସଂସ୍କୃତି ଚର୍ଚ୍ଚାର ମଧ୍ୟ କେନ୍ଦ୍ର ଥିଲା ବାରଣାସୀ ଏବଂ ଆଜି ମଧ୍ୟ ତାହା ରହିଛି, କିନ୍ତୁ କେବଳ ମାତ୍ର ସଂସ୍କୃତି ଚର୍ଚ୍ଚା ଦ୍ୱାରା ଭାରତୀୟ ସଂସ୍କୃତିର ସକଳ ଉପାଦାନ ସହିତ ପରିଚିତ ହେବା ଅସମ୍ଭବ । ଅନେକ ଲୋକ ଯାହା ଧାରଣା କରିଥାନ୍ତି ସେହି ଧାରଣାକୁ ହୀନ ସତ୍ୟ ବୋଲି ଗ୍ରହଣ କରି ନିଆଯାଉ ଯେ ଆମର ଆଧୁନିକ ଯୁଗରେ ଏକମାତ୍ର ଇଉରୋପୀୟ ସଂସ୍କୃତି ହୀନ ଯଥାର୍ଥ ସଂସ୍କୃତି ପଦବାଚ୍ୟ । ତା’ପରେ ଆମ ମନରେ ପ୍ରଶ୍ନ ଆସେ, ଏହି ସଂସ୍କୃତିର କୌଣସି ସ୍ୱାଭାବିକ କେନ୍ଦ୍ର ଭାରତବର୍ଷରେ ରହିଛି କି ? ଏହାର ଉତ୍ତରରେ କୁହାଯାଇ ପାରେ, ସେଭଳି ଭାରତବର୍ଷରେ ନାହିଁ, କେବେ ମଧ୍ୟ ହୋଇପାରେ ନା; କାରଣ ଇଉରୋପୀୟ ସଂସ୍କୃତିର ଚିରନ୍ତନ ପ୍ରାଣକେନ୍ଦ୍ର ସେହି ଇଉରୋପରେ ହିଁ ରହିବା ସୁନିଶ୍ଚିତ । ଆଜି ତାହାକୁ ଯଦି ଆମ ଜୀବନର ଏକମାତ୍ର ଅବଲମ୍ବନ ବୋଲି ଗ୍ରହଣ କରିବା, ତାହା ଠିକ୍ ଆମର ନିଦ୍ରାଭଙ୍ଗ ସକାଶେ ନିଜ ସୂର୍ଯ୍ୟ ଉପରେ ନିର୍ଭର ନ କରି ଏକ ବିଦେଶୀ ତାରକା ଉପରେ ନିର୍ଭର କରିବା ଭଳି ହେବ । ଏଭଳି ଏକ ତାରକା ଆମକୁ ଆଲୋକ ଦେଇପାରେ, କିନ୍ତୁ ତଦ୍ଦ୍ୱାରା ଦିବସ ସୃଷ୍ଟି ହୁଏ ନା, ଆମ ଅବିଷ୍କାରର ଯାତ୍ରାରେ ଦିଗ ନିର୍ଣ୍ଣୟ କରିବା ପାଇଁ କରିବା ପାଇଁ ଏହା ସହାୟକ ହୋଇ ପାରେ, କିନ୍ତୁ ଆମ ସମ୍ମୁଖରେ ସତ୍ୟର ସମ୍ପୂର୍ଣ୍ଣଦୃଶ୍ୟ ଉଦ୍‍ଘାଟନ ଏହା କେବେ କରି ନ ପାରେ । ପ୍ରକୃତରେ ଆମର ଅଦୃଶ୍ୟ ଗଭୀରତା ମଧ୍ୟରୁ ରସ ସଞ୍ଚୟ କରି ଜୀବନକୁ ଅନୁରଞ୍ଜିତ ଓ ବିକଶିତ କରିବା ପାଇଁ ଏହି ତାରକା ଜ୍ୟୋତିକୁ ବ୍ୟବହାର କରି ନ ପାରୁଁ ।

 

ସେଥିପାଇଁ ଇଉରୋପୀୟ ଶିକ୍ଷା ଭାରବର୍ଷରେ ସଂସ୍କୃତି ପରିବର୍ତ୍ତେ କେବଳ ବିଦ୍ୟାଳୟ ଶିକ୍ଷାରେ ପରିଣତ ହୋଇଛି । ତାହା ଠିକ୍ ଗୋଟିଏ ନିଆଁ ପେଡ଼ି ପରି ନାନାପ୍ରକାର ବ୍ୟବହାରରେ ହୁଏତ ଲାଗୁଛି, କିନ୍ତୁ ଉପକାରିତା, ସୌନ୍ଦର୍ଯ୍ୟ ଓ ଜୀବନର ସୂକ୍ଷ୍ମ ରହସ୍ୟସମ୍ବଳିତ ଉଷାଲୋକ ପରି ତାହା ନୁହେ । ସେଥିପାଇଁ ଭାରତର ଅନ୍ତଃସ୍ୱର ଆଜି ଦେଶରେ ଏଭଳି ପ୍ରାଣ-କେନ୍ଦ୍ର ସବୁ ପ୍ରତିଷ୍ଠିତ କରିବାକୁ ଆହ୍ୱାନ କରୁଛି, ଯେଉଁଠି ସୃଷ୍ଟି ପାଇଁ ତାହାର ସକଳ ବିଜ୍ଞାନଶକ୍ତି ସଂଗୃହିତ ହେବ, ଏବଂ ପ୍ରାଚ୍ୟ ପାଶ୍ଚାତ୍ୟର ସମସ୍ତ ଜ୍ଞାନ ଓ ଚିନ୍ତାର ଉପାଦାନ ଓଉର୍ଣ୍ଣ ସମନ୍ୱୟ ମଧ୍ୟରେ ଏକତ୍ରିତ ହେବ । ସେ ବର୍ତ୍ତମାନ ତା'ର ଆଧୁନିକ ବ୍ରହ୍ମାବର୍ତ୍ତ, ଜନକଯୁଗର ମିଥିଳା ଓ ବିକ୍ରମାଦିତ୍ୟଙ୍କ ସମୟର ଉଜ୍ଜୟିନୀ ପୁଣି ସନ୍ଧାନ କରୁଛି । ସେ ଆଜି ସେହି ସୁବର୍ଣ୍ଣ ସୁଯୋଗର ସନ୍ଧାନୀ, ଯେତେବେଳେ କି ନିଜର ମନକୁ ଉପଲବ୍ଧି କରିବା ସଙ୍ଗେ ସ୍ୱାଧୀନ ଭାବରେ ପୃଥିବୀକୁ ତା’ର ଚିନ୍ତାଙ୍କଶି ଦାନ କରି ପାରିବ ଏବଂ ବିକ୍ଷିପ୍ତ ଶକ୍ତିର ବିଶୃଙ୍ଖଳା ଓ ପରସ୍ଵ ଜ୍ଞାନର କୃତ୍ରିମ ଜାଗରଣରୁ ନିଜକୁ ମୁକ୍ତ କରି ପାରିବ ।

 

ପରିସ୍କାର ଭାବରେ ମୁଁ କହି ରଖୁଛି ଯେ କେବଳ ଖାଲି ବିଦେଶୀ ବୋଲି ଯେ କୌଣସି ସଂସ୍କୃତି ପ୍ରତି ମୋର ଅବିଶ୍ୱାସ ରହିଛି, ତା’ ନୁହେ । ଅନ୍ୟ ଦିଗରେ ମୁଁ ବରଂ ବିଶ୍ୱାସ କରେ ଆମର ବୁଦ୍ଧିର ପ୍ରାଣ-ଶକ୍ତିକୁ ବଜାୟ ରଖିବା ପାଇଁ ବହିଃଶକ୍ତିର ଆଘାତ ପ୍ରୟୋଜନୀୟ, ଖ୍ରୀଷ୍ଟଧର୍ମର ଅଧିକାଂଶ ଭାବ କେବଳ ଯେ ଇଉରୋପର ପ୍ରାଚୀନ ପାରମ୍ପରିକ ସଂସ୍କୃତିର ପ୍ରତକୂଳ, ତା ନୁହେ; ତାହା ଇଉରୋପୀୟ ପ୍ରକୃତିର ମଧ୍ୟ ଯେ ବିରୋଧୀ ଏକଥା ଆଜି ସ୍ୱୀକୃତ । କିନ୍ତୁ ତଥାପି ଏହି ବିଜାତୀୟ ଚିନ୍ତାଧାରା ଇଉରୋପୀୟ ସ୍ୱାଭାବିକ ପ୍ରବୃତ୍ତି ବିରୁଦ୍ଧରେ ସର୍ବଦା ପ୍ରବାହିତ ହେଉଥିଲେ ହେଁ ତା’ର ସଭ୍ୟତାକୁ ବଳିଷ୍ଠ ଓ ସମୃଦ୍ଧ କରିବାରେ ପ୍ରଧାନ ସହାୟକ । ପ୍ରକୃତରେ ଏହାର ଗତିଧାରାର ପ୍ରତିକୂଳତା ହିଁ ଏହାକୁ ଅଧିକ ଫଳପ୍ରଦ କରିଛି । ପ୍ରାଚ୍ୟର ରୂପ ଓ ଭାବ ବହନ କରିଥିବା ଏହି ବିଦେଶୀ ଚିନ୍ତା ସହିତ ସଂସ୍ରବ ଫଳରେ ଇଉରୋପୀୟ ଭାଷାଗୁଡ଼ିକ ପ୍ରଥମେ ଜନ୍ମଗ୍ରହଣ କରିଥିଲେ ଏବଂ ପରିପକ୍ୱ ଶକ୍ତିର ଅଧିକାରୀ ହୋଇଥିଲେ । ଆମ ଭାରତରେ ମଧ୍ୟ ତାହା ହିଁ ଘଟୁଛି । ଇଉରୋପର ସଂସ୍କୃତି ଆମ ନିକଟକୁ କେବଳ ତା’ର ଜ୍ଞାନ ନେଇ ନୁହେ, ଗତି ବେଗ ବହନ କରି ମଧ୍ୟ ଆସିଛି । ଏପରି କି ଯେତେବେଳେ ଆମର ଆହରଣଶକ୍ତି ଅପୂର୍ଣ୍ଣ ଓ ଆମେ ପଥଭ୍ରଷ୍ଟ, ସେତେବେଳେ ମଧ୍ୟ ଗତାନୁଗତିକ ଅଭ୍ୟାସର ଜଡ଼ତା ମଧ୍ୟରୁ, ଆମର ବୌଦ୍ଧିକ ଜୀବନକୁ ଜାଗ୍ରତ କରୁଛି । ଆମର ପରମ୍ପରା ପ୍ରତି ପ୍ରତିକୂଳ ଭାବ ପ୍ରଦର୍ଶନ କଲେ ମଧ୍ୟ ତଦ୍ଦ୍ୱାରା ଆମର ଚେତନ ଶକ୍ତି ଜାଗ୍ରତ ହେଉଛି ।

 

କିନ୍ତୁ ମୋର ଅଭିଯୋଗ କରିବା କଥା ହେଉଛି ଯେ ଏହି ବିଦେଶୀ ଶିକ୍ଷାର କୃତ୍ରିମ ଆୟୋଜନ ହିଁ ଆମ ଜାତୀୟମନର ସକଳ ସ୍ଥାନ ଅଧିକାର କରିବାକୁ ଉନ୍ମୁଖ ଏବଂ ସତ୍ୟର ଏକ ନୂତନ ସମନ୍ୱୟ ଦ୍ୱାରା ନୂତନ ଚିନ୍ତା ସୃଷ୍ଟିର ମହତ୍‌ ସୁଯୋଗକୁ ଏହା ହତ୍ୟା ବା ପଙ୍ଗୁ କରି ଦେଉଛି, ଏହି କାରଣରୁ ମୁଁ ଦାବୀ କରୁଛି ଯେ ଆମ ନିଜ ସଂସ୍କୃତିର ସମସ୍ତ ଉପାଦାନଗୁଡ଼ିକୁ ଅଧିକ ବଳବତ୍ତର କରିବା ଆବଶ୍ୟକ ଏବଂ ପାଶ୍ଚାତ୍ୟ ସଭ୍ୟତାକୁ ପ୍ରତିରୋଧ ନ କରି ତାହାକୁ ଗ୍ରହଣ ଓ ଆହରଣ କରିବା ଉଚିତ । ଏହା ଆମ ପାଇଁ ବୋଝ ପରିବର୍ତ୍ତେ ଆହାର୍ଯ୍ୟ ସାମଗ୍ରୀ ହେବା ଆବଶ୍ୟକ । ପୁସ୍ତକଗତ ଜ୍ଞାନର ଧାରକ ବା ପାଠ୍ୟପୁସ୍ତକର ଚର୍ବଣକାରୀ ହେବାର ଅନୁଗ୍ରହ ଉପରେ ନ ବଞ୍ଚି ଆମେ ତାହା ଉପରେ ପ୍ରଭୂତ୍ୱ ବିସ୍ତାର କରିବା ଉଚିତ ।

 

ଭାରତୀୟ ସଂସ୍କୃତିର ମୁଖ୍ୟ ପ୍ରବାହ ଚାରୋଟି ଧାରାରେ ପ୍ରବାହିତ । ସେହି ଧାରାଗୁଡ଼ିକ ହେଉଛନ୍ତି ବୈଦିକ, ପୌରାଣିକ, ବୌଦ୍ଧ ଓ ଜୈନ । ଭାରତୀୟ ଚେତନାବୋଧର ଉନ୍ନତ ପ୍ରବେଶ ହିଁ ଏହି ପ୍ରବାହର ଉତ୍ପତ୍ତି ସ୍ଥଳ ।

 

କିନ୍ତୁ କୌଣସି ଦେଶର ଅଧିକାରଭୁକ୍ତ ହୋଇଥିବା ଗୋଟିଏ ନଦୀ କେବଳ ସେହି ଦେଶର ଜଳ ନିଜ ମଧ୍ୟରେ ଧାରଣ କରି ନ ଥାଏ । ତିକତର ବ୍ରହ୍ମପୁତ୍ର ନଦୀର ଜଳ ଭାରତର ଗଙ୍ଗାନଦୀରେ ମିଶିଛି । ଠିକ୍‌ ସେହିପରି ଭାରତର ମୌଳିକ ସଂସ୍କୃତିରେ ଅନ୍ୟମାନଙ୍କର ଦାନ ମଧ୍ୟ ରହିଛି । ଦୃଷ୍ଟାନ୍ତ ସ୍ୱରୂପ ମୁସଲମାନ ଜାତି ନିଜର ଅନୁଭୂତି ଓ ଜ୍ଞାନର ଭଣ୍ଡାର ଏବଂ ଧର୍ମର ଅଦ୍ଭୁତ ଗଣତାନ୍ତ୍ରିକ ଭାବ ବହନ କରି ଭାରତବର୍ଷର ବାହାରୁ ବାରମ୍ବାର ଏ ଦେଶକୁ ଆସିଛି । ଫଳରେ ଆମ ସଂସ୍କୃତିର ପ୍ରବାହରେ ମଧ୍ୟ ବହୁବାର ନୂତନ ବନ୍ୟା ଦେଖାଦେଇଛି । ଆମର ସଙ୍ଗୀତ, ସ୍ଥାପତ୍ୟ, ଚିତ୍ରକଳା ଓ ସାହିତ୍ୟ-ଜଗତକୁ ମୁସଲମାନ ଜାତିର ଦାନ ସ୍ଥାୟୀ ଓ ମୂଲ୍ୟବାନ୍‌ । ମୋଗଲ ଶାସନର ଯୁଗରେ ଦେଖା ଦେଇଥିବା ବିରାଟ ଧର୍ମ ଆନ୍ଦୋଳନସମୂହ ଏବଂ ମଧ୍ୟଯୁଗୀୟ ସନ୍ଥମାନଙ୍କର ଜୀବନୀ ଓ ରଚନା ଯେଉଁମାନେ ଅଧ୍ୟୟନ କରିଛନ୍ତି, ସେମାନେ ଜାଣନ୍ତି ଯେ ଆମର ଜୀବନ ସହିତ ନିବିଡ଼ ଭାବରେ ମିଶିଯାଇଥିବା ଏହି ବୈଦେଶିକ ସ୍ରୋତ ନିକଟରେ ଆମେ କିପରି ଗଭୀର ପରିମାଣରେ ଋଣୀ ।

 

ତା’ପରେ ପାଶ୍ଚାତ୍ୟ ସସ୍କୃତିର ବନ୍ୟା ବର୍ତ୍ତମାନ ଆମ ନିକଟରେ ଆସି ପହଞ୍ଚିଛି ଏବଂ ତାହା ନିଜର ବେଗବାନ୍‌ ଗତି ଦ୍ୱାରା ଅନ୍ୟସକଳ ସ୍ରୋତକୁ ଆଚ୍ଛନ୍ନ କରି ସମସ୍ତ କୂଳ ଓ ସୀମା ଲଙ୍ଘନ କରିବାକୁ ଆଜି ଉଦ୍ୟତ । ଏହାର ପ୍ରବାହ ପାଇଁ ଆମେ ଯଦି ଗୋଟିଏ ପ୍ରଣାଳୀ ଛାଡ଼ି ନ ଦେଉଁ ତା’ହେଲେ ଏହାର ବନ୍ୟା କୋପରୁ ଆମେ ନିଜକୁ ରକ୍ଷା କରି ପାରିବା ନାହିଁ । ଆମ ଭାରତୀୟ ଶିକ୍ଷାର ପ୍ରାଣ- କେନ୍ଦ୍ରରେ ବୈଦିକ, ପୌରାଣିକ, ବୌଦ୍ଧ, ଜୈନ, ଇସ୍‌ଲାମ୍‌, ଶିଖ ଓ ଜୋରାଷ୍ଟ୍ରାଦି ବିଭିନ୍ନ ସଂସ୍କୃତିର ସୁସଂହତ ଅଧ୍ୟୟନ ପାଇଁ ସୁଯୋଗ ଦେବା ଉଚିତ । ତାହା ସହିତ ଇଉରୋପୀୟ ସଂସ୍କୃତିର ଅଧ୍ୟୟନ ମଧ୍ୟ ଆବଶ୍ୟକ, କାରଣ ତଦ୍ଦ୍ୱାରା ତାକୁ ଆହରଣ କରିବାକୁ ଆମେ ସମର୍ଥ ହେବୁ । କୂଳ ମଧ୍ୟରେ ପ୍ରବାହିତ ହେଉଥିବା ନଦୀ ହିଁ ପ୍ରକୃତରେ ଆମର ନିଜସ୍ୱ, କିନ୍ତୁ ଗୋଟିଏ ବନ୍ୟା ସହିତ ଆମର ସମ୍ପର୍କ ଧ୍ୱଂସର ଆତଙ୍କ ଆନୟନ କରିଥାଏ । ଏହା କହିବା ନିଷ୍ପ୍ରୟୋଜନ ଯେ, ଯେଉଁ ଭାଷାଗୁଡ଼ିକ ମଧ୍ୟରେ ଆମ ପୂର୍ବପୁରୁଷଙ୍କର ଜ୍ଞାନର ଐଶ୍ୱର୍ଯ୍ୟ ସଞ୍ଚିତ, ତା’ ସହିତ ଆଧୁନିକ ଭାରତୀୟ ମନର ଜୀବନ୍ତ ସ୍ରୋତକୁ ବହନ କରୁଥିବା ଅନ୍ୟସମସ୍ତ ଭାଷାଗୁଡ଼ିକର ଅଧ୍ୟୟନ ମଧ୍ୟ ଏକାନ୍ତ ଆବଶ୍ୟକ । ଆମର ଜୀବନ୍ତ ଭାଷାଗୁଡ଼ିକର ଅଧ୍ୟୟନ ସହିତ, ଆମ ଜନସାଧାରଣଙ୍କର ମାନସିକତା ଓ ଆମ ଜୀବନର ଗୁପ୍ତ ସ୍ରୋତର ଗତିପଥ ନିର୍ଦ୍ଧାରଣ ପାଇଁ ଲୋକ- ସାହିତ୍ୟର ଅଧ୍ୟୟନ ମଧ୍ୟ ପ୍ରୟୋଜନ ।

 

କେତେକ ଲୋକ କେବଳ ଆଧୁନିକତାର ସୀମା ମଧ୍ୟରେ ଆବଦ୍ଧ ଏବଂ ସେମାନେ ବିଶ୍ୱାସ କରନ୍ତି ଯେ ଆମର ଅତୀତ ହେଉଛି ସମ୍ବଳଶୂନ୍ୟ । ଆମ ପାଇଁ ତାହା କୌଣସି ସମ୍ପତ୍ତି ରଖିଯିବା ପରିବର୍ତ୍ତେ ଆମକୁ କେବଳ ଋଣ ଦାୟଗ୍ରସ୍ତ କରିଯାଇଛି । ଯେଉଁ ସୈନ୍ୟବାହିନୀ ଆଗକୁ ଗତି କରୁଛି ତାକୁ ଯେ ପଛଆଡ଼ୁ ଖାଦ୍ୟ ଯୋଗାଇ ଦିଆଯାଇ ପାରେ ଏକଥା ବିଶ୍ୱାସ କରିବାକୁ ସେମାନେ କୁଣ୍ଠିତ । ଏ କ୍ଷେତ୍ରରେ ସେମାନଙ୍କୁ ସ୍ମରଣ କରାଇଦେବା ଉଚିତ ଯେ ମନୁଷ୍ୟ ଯେତେବେଳେ ତା’ର ଅତୀତର ଶସ୍ୟାଗାର ମଧ୍ୟରୁ ଚିନ୍ତାର ବୀଜ ସହସା ଆବିଷ୍କାର କରିଛି, ସେହି ସମୟହିଁ ଇତିହାସର ନବଜାଗରଣର ଏକ ବିରାଟ ଯୁଗ ବୋଲି ଖ୍ୟାତି ଲାଭ କରିଛି । ଯେଉଁ ଦୁର୍ଭାଗା ଦଳ ନିଜ ଅତୀତର ସିଦ୍ଧି ହରାଇଛନ୍ତି, ସେମାନେ ବର୍ତ୍ତମାନକୁ ମଧ୍ୟ ହରାଇଛନ୍ତି, ନିଜର କୃଷି ପାଇଁ ସେମାନଙ୍କ ନିକଟରେ ବିହନ ନାହିଁ ଏବଂ କେବଳ ବଞ୍ଚିରହିବା ପାଇଁ ସେମାନେ ଭିକ୍ଷାବୃତ୍ତି ଅବଲମ୍ବନ କରନ୍ତି । ଆମେ ପୃଥିବୀରେ ଏପରି ଏକ ସମ୍ବଳଶୂନ୍ୟ ଜାତିର ଦାୟାଦ ବୋଲି କଳ୍ପନା କରିବା ଉଚିତ ନୁହେ, ଆମ ପୂର୍ବପୁରୁଷଙ୍କର ଅର୍ଥକୋଷ ଭାଙ୍ଗି ନିଜ ଜୀବନର ବାଣିଜ୍ୟ ପାଇଁ ତାହା ବ୍ୟବହାର କରିବାର ଯୁଗ ଆଜି ଆସିଛି । ଏହାରି ସାହାଯ୍ୟରେ ଚାଲ ଆମେ ଆମର ଭବିଷ୍ୟତକୁ ନିରାପଦ କରିବା ଓ ଅନ୍ୟ ଜାତିର ମଇଲାଗଦାରୁ ଛିଣ୍ଡାକନା ଗୋଟାଇ ବଞ୍ଚି ରହିବାର ଚିରନ୍ତନ ଅଭ୍ୟାସ ମଧ୍ୟ ପରିହାର କରିବା ।

 

(୧୫)

 

ଏ ପର୍ଯ୍ୟନ୍ତ ମୁଁ କେବଳ ଶିକ୍ଷାର ବୌଦ୍ଧିକ ବିଭାବ ସମ୍ପର୍କରେ ଆଲୋଚନା କରିଛି । ତାର କାରଣ ହେଉଛି ଯେ ବିଶ୍ୱ ସଂସ୍କୃତିର ସୂର୍ଯ୍ୟ ନିକଟରେ ଚନ୍ଦ୍ର ସଦୃଶ ଆଧୁନିକ ଭାରତରେ ଆମେ କେବଳ ଗୋଟିଏ ଦିଗ, ଉପସ୍ଥାପିତ କରିଥାଉଁ, ଏବଂ ତାହା ହେଉଛି ଏହି ବୁଦ୍ଧିର ଦିଗ । ଆମ୍ଭେ ଏ ପର୍ଯ୍ୟନ୍ତ ପୂର୍ଣ୍ଣ ଭାବରେ ଉପଲବ୍ଧି କରିବାକୁ ଅସମର୍ଥ ଯେ, ଆମର ଅନ୍ୟାନ୍ୟ ଦିଗ ମଧ୍ୟ ସେଗୁଡ଼ିକର ଦୀପ୍ତି ପାଇଁ ସମାନ ଆଲୋକ ଆବଶ୍ୟକ କରିଥାନ୍ତି । ଇଉରୋପ କେଉଁ କ୍ଷେତ୍ରରେ ବୈଜ୍ଞାନିକ ବା ଖୁବ ବେଶୀ କେଉଁଠି ସାହିତ୍ୟିକ, ତାହା ଶିକ୍ଷା ଦୃଷ୍ଟିରୁ ଆମେ ଜାଣୁଁ, ଠିକ୍‍ ସେଇଭଳି ଆମର ଆଧୁନିକ ସଂସ୍କୃତିର ଧାରଣା ବ୍ୟାକରଣ ଓ ବୈଜ୍ଞାନିକ ପରୀକ୍ଷାଗାରର ସୀମାରେଖା ମଧ୍ୟରେ ଆବଦ୍ଧ । ଆମେ ପ୍ରାୟ ସଂପୂର୍ଣ୍ଣଭାବେ ମନୁଷ୍ୟ ଜୀବନର ସୌନ୍ଦର୍ଯ୍ୟର ଦିଗକୁ ଭୁଲି ଯାଇଥାଉଁ ଏବଂ ସେ କ୍ଷେତ୍ରକୁ ଆକର୍ଷିତ ରଖି କେବଳ ଅନାବନା ଗଛର ଜନ୍ମ ପାଇଁ ଆମେ ସେ ଭୂମିକୁ ଛାଡ଼ି ଦେଇଥାଉଁ ।

 

ତେଣୁ ପୁଣି ଥରେ ଗୋଟିଏ ସ୍ୱତଃସିଦ୍ଧ ସତ୍ୟର ପୁନରାବୃତ୍ତି କରି ମୁଁ କହୁଛି ଯେ ଜାତିର ଆତ୍ମପ୍ରକାଶର ଉନ୍ନତ ମାର୍ଗଗୁଡ଼ିକ ମଧ୍ୟରେ ସଙ୍ଗୀତ ଓ ସୂକ୍ଷ୍ମକଳା ମଧ୍ୟ ଅନ୍ତର୍ଭୂକ୍ତ, ଏବଂ ସେଗୁଡ଼ିକର ଅଭାବର ଜାତି ମୂକ ହୋଇ ରହିଥାଏ ।

 

ଆମର ଚେତନ ମନ ଆମ ଜୀବନର କେବଳ ଗୋଟିଏ ବହିଃସ୍ତରକୁ ଅଧିକାର କରିଥାଏ, କିନ୍ତୁ ଆମର ଅବଚେତନ ମନର ଗଭୀରତା ପ୍ରାୟ ଅତଳସ୍ପର୍ଶୀ । ସେଠାରେ ଆମ ଦୃଷ୍ଟିର ଅନ୍ତରାଳରେ ସଂଖ୍ୟାତୀତ ଯୁଗର ଜ୍ଞାନ ବିକାଶଲାଭ କରୁଥାଏ । ଆମର ଚେତନ ମନ ଯେଉଁ କର୍ମସମୂହ ମଧ୍ୟରେ ଅଭିବ୍ୟକ୍ତି ଲାଭ କରେ ସେଗୁଡ଼ିକ ଆମ ଚକ୍ଷୁ ସମକ୍ଷରେ ହିଁ ଗମନାଗମନ କରନ୍ତି । ଆମର ଅବଚେତନ ମଧ୍ୟରେ ଆମର ଆତ୍ମା ବାସ କରିଥାଏ ଏବଂ ସେ ଅବଚେତନର ଅଭିବ୍ୟକ୍ତି ପାଇଁ ଉପଯୁକ୍ତ ମାଧ୍ୟମ ରହିବା ଆବଶ୍ୟକ । ଏହି ମାଧ୍ୟମଗୁଡ଼ିକ ହେଉଛନ୍ତି କବିତା, ସଙ୍ଗୀତ, ଓ ବିଭିନ୍ନ କଳା । ସେଠାରେ ମନୁଷ୍ୟର ପୂର୍ଣ୍ଣ ବ୍ୟକ୍ତିତ୍ୱ ଅଭିବ୍ୟକ୍ତି ଲାଭ କରେ ।

 

ଜଣେ କାଠ ବେପାରୀ ହୁଏତ ଭାବି ପାରେ ଯେ ପତ୍ର ଓ ଫୁଲଗୁଡ଼ିକ ଗଛର ତୁଚ୍ଛ ଅଳଂକରଣ ମାତ୍ର, କିନ୍ତୁ ସେ ଜାଣିବା ଉଚିତ ଯେ ଯଦି ସେଗୁଡ଼ିକ ବାଦ ହୋଇଯାନ୍ତି ତାହାହେଲେ ଗଛର ଅସ୍ତିତ୍ୱ ମଧ୍ୟ ସମ୍ଭବ ନୁହେଁ ।

 

ମୋଗଲ ଯୁଗରେ କଳା ଓ ସଙ୍ଗୀତ ତା’ର ଶାସକମାନଙ୍କ ନିକଟରୁ ମହତ୍‌ ପ୍ରେରଣା ଲାଭ କରିଥିଲା । ଏହାର କାରଣ ହେଉଛି ଯେ ସେମାନଙ୍କର ଜୀବନ କେବଳ ସରକାରୀ କାର୍ଯ୍ୟାଳୟ ଭିତରେ ଆବଦ୍ଧ ନ ରହି ପୂର୍ଣ୍ଣଭାବରେ ଏ ଦେଶର ମାଟି ସହିତ ସଂଲଗ୍ନ ଥିଲା । ମନୁଷ୍ୟ ଜୀବନର ପୂର୍ଣ୍ଣତା ମଧ୍ୟରୁ ହିଁ କଲା ଜନ୍ମଲାଭ କରିଥାଏ । ଆମ ଇଂରାଜୀ ଶିକ୍ଷକମାନେ ବାଟୋଇ ପକ୍ଷୀ ଭଳି କେବଳ କୋଳାହଳ କରନ୍ତି ସିନା, କିନ୍ତୁ ଗୀତ ଗାଇବାକୁ ଅକ୍ଷମ । ସେମାନଙ୍କର ପ୍ରକୃତ ହୃଦୟ ତାଙ୍କର ନିର୍ବାସିତ ଦେଶ ମଧ୍ୟରେ ନ ଥାଏ । ସେମାନଙ୍କର ସଙ୍ଗୀତ ଓ କଳାର ସ୍ୱାଭାବିକ କ୍ଷେତ୍ର ହେଉଛି ଇଉରୋପ । ସେଠାରେ ସେମାନଙ୍କର ଜନ୍ମ ନାଡ଼ିର ସମ୍ପର୍କ ଏତେ ଗଭୀର ଓ ଅବିଚ୍ଛେଦ୍ୟ ଯେ ସେ ମାଟି ସ୍ଥାନାନ୍ତରିତ ନ ହେବା ଯାଏ, ସେମାନେ ମଧ୍ୟ ଦେଶାନ୍ତରିତ ହୋଇ ନ ପାରନ୍ତି ।

 

ଭାରତବର୍ଷରେ ଆମେ ଯେଉଁ ଇଉରୋପୀୟ ଦେଖୁଛୁ, ସେ ହେଉଛି ବିଦ୍ୱାନ୍‌, ସେ ହେଉଛି ପ୍ରଭୁ, ବାଣିଜ୍ୟ ଓ ରାଜନୀତିରେ ସେ ନିୟତ ନିର୍ମାଣକ୍ଷମ । କିନ୍ତୁ ସେ ଜଣେ ସୃଜନଧର୍ମୀ କଳାକାର ନୁହେ । ସେଥିପାଇଁ ଇଉରୋପର ପୂର୍ଣ୍ଣ ବ୍ୟକ୍ତିତ୍ୱ ଆମ ନିକଟରେ ପ୍ରକଟିତ ନୁହେ । କେବଳ ତା’ର ବୁଦ୍ଧିଶକ୍ତି ଓ ବୈଷୟିକ ଆକାଂକ୍ଷାକୁ ଜାଗ୍ରତ କରିଛି । ସଂସ୍କୃତିର ଏହି ସଂକୀର୍ଣ୍ଣତାଜନିତ ଜୀବନର ଅଙ୍ଗଚ୍ଛେଦକୁ ଆଉ ଅଧିକ କାଳ ବରଦାସ୍ତ କରାଯାଇ ନ ପାରେ । ଆମ ସଂସ୍କୃତିର ପ୍ରସ୍ତାବିତ ପ୍ରାଣକେନ୍ଦ୍ରରେ ସଙ୍ଗୀତ ଓ କଳା ସମ୍ମାନିତ ଆସନର ଅଧିକାରୀ ହେବା ଉଚିତ । କେବଳ ଚଳନୀୟ ଯୋଗ୍ୟତା ହାସଲ କରିବା ସେମାନଙ୍କ ହେବ ପକ୍ଷରେ ଯଥେଷ୍ଟ ନୁହେ-। ଏହା ଫଳରେ ସୌନ୍ଦର୍ଯ୍ୟ ରୁଚିର ଏକ ପ୍ରକୃତ ମାନ ବିକଶିତ ହେବ ଏବଂ ତାରି ସାହାଯ୍ୟରେ ଆମ ନିଜର କଳା, ଶକ୍ତି ଓ ସମୃଦ୍ଧିରେ କ୍ରମଶଃ ଉନ୍ନତ ହେବ । ତଦ୍ଦ୍ୱାରା ସମସ୍ତ ବିଦେଶୀ କଳାକୁ ଆମେ ଧୀର ଚିତ୍ତରେ ବିଚାର କରିବାକୁ ସମର୍ଥ ହେବୁ ଏବଂ ଚୌର୍ଯ୍ୟ ଅପରାଧରେ ଅଭିଯୁକ୍ତ ନ ହୋଇ ସେଗୁଡ଼ିକର ଆଙ୍ଗିକ ଓ ଚିନ୍ତା ଆହରଣ କରିବାକୁ ସକ୍ଷମ ହେବୁ-

 

(୧୬)

 

ଆମେ ଦୁଇଟି ବିରାଟ ସମସ୍ୟାର ସମ୍ମୁଖୀନ, ଗୋଟିଏ ହେଉଛି ଆମର ମାନସିକ ଜୀବନର ଦାରିଦ୍ର୍ୟ ଓ ଅନ୍ୟଟି ହେଉଛି ବୈଷୟିକ ଜୀବନର ଦୁଃସ୍ଥତା । ପ୍ରଥମଟି ସମ୍ପର୍କରେ ଏହି ପ୍ରବନ୍ଧର କେତେକାଂଶରେ ମୁଁ ବିସ୍ତୃତ ଆଲୋଚନା କରିଛି । ମୁଁ ଏହି ସିଦ୍ଧାନ୍ତରେ ଉପନୀତ ହୋଇଛି ଯେ, ଆମ ମାନସିକ ଜୀବନର ପରିପୂର୍ଣ୍ଣତା ପାଇଁ ଆମର ସମସ୍ତ ସାଂସ୍କୃତିକ ପନ୍ଥାଗୁଡ଼ିକର ସମନ୍ୱୟ ସାଧନ ଆବଶ୍ୟକ । ମୁଁ ଲକ୍ଷ୍ୟ କରିଛି, ବର୍ତ୍ତମାନର ଶିକ୍ଷା ଆମର ଏପରି ଏକ ମାନସିକ ଖାଦ୍ୟ ଯାହାକି ଜୀବନ ଧରଣ ପାଇଁ କେବଳ ଗୋଟିଏ ମାତ୍ର ନିର୍ଦ୍ଦିଷ୍ଟ ଉପାଦାନ ଧାରଣ କରିଛି । ତାହା ମଧ୍ୟ ସତେଜ ନୁହେ, ପରନ୍ତୁ ଶୁଷ୍କ ଓ ଟିଣ ଭିତରେ ଆବଦ୍ଧ । ସୁଷମ ଖାଦ୍ୟ ପାଇଁ ବିଭିନ୍ନ ଉପାଦାନଗୁଡ଼ିକର ସମନ୍ୱୟ ଆବଶ୍ୟକ ଏବଂ ଏଗୁଡ଼ିକ ମଧ୍ୟରୁ ଅଧିକାଂଶ ପରୀକ୍ଷାଗାରରେ ପ୍ରସ୍ତୁତ ହେବା ଅନୁଚିତ କିମ୍ବା ତାହା ନିର୍ଜିବ ଅବସ୍ଥାରେ ରହିବା ଅବାଞ୍ଛନୀୟ, ପରନ୍ତୁ ଆମର ଜୀବନ୍ତ ସ୍ନାୟୁଭଳି ସେଗୁଡ଼ିକ ସଜୀବ ହେବା ଆବଶ୍ୟକ । ଠିକ୍‌ ଏହିପରି ଆମର ବୈଷୟିକ ଦାରିଦ୍ର୍ୟ ମଧ୍ୟ ଆମର ବ୍ୟକ୍ତିଗତ ଶକ୍ତିର ସହଯୋଗ ଦ୍ୱାରା ଦୂରୀଭୂତ ହୋଇ ପାରେ, ଏବଂ ଏହି ଅର୍ଥନୀତିକ ସହଯୋଗିତା ଉପରେ ଆମର ଅନୁଷ୍ଠାନ ପ୍ରତିଷ୍ଠାନ ହେବା ଉଚିତ । ଏହା କେବଳ ଯେ ଉପଦେଶ ହେବ, ତା’ନୁହେ; କର୍ମରେ ମଧ୍ୟ ଜୀବନ୍ତ ହେବା ଆବଶ୍ୟକ । କେବଳ ଚିନ୍ତା କରିବ ତାହା ନୁହେ, ଉତ୍ପାଦନ ମଧ୍ୟ କରିବ । ସ୍ୱାଭାବିକ ବିଶ୍ୱବିଦ୍ୟାଳୟ ରୂପରେ ଗଢ଼ି ଉଠିଥିବା ଆମର ତପୋବନଗୁଡ଼ିକ ଜୀବନଠାରୁ ବିଚ୍ଛିନ୍ନ ନ ଥିଲେ । ସେଠାରେ ଶିକ୍ଷକ ଓ ଛାତ୍ରମାନେ ପୂର୍ଣ୍ଣ ଜୀବନ ଯାପନ କରୁଥିଲେ । ସେମାନେ ଫଳ ଓ ଇନ୍ଧନ ସଂଗ୍ରହ କରୁଥିଲେ ଏବଂ ଗୋଚାରଣ କରୁଥିଲେ । ଛାତ୍ରମାନେ ଯେଉଁ ଆଧ୍ୟାତ୍ମିକ ଶିକ୍ଷାଲାଭ କରୁଥିଲେ ତାହା ତାଙ୍କ ଆଧ୍ୟାତ୍ମ ଜୀବନର ଥିଲା ଅଙ୍ଗ ବିଶେଷ ଏବଂ ତଦ୍ଦ୍ୱାରା ତାଙ୍କର ସମଗ୍ର ଜୀବନ ପ୍ରଭାବିତ ହେଉଥିଲା । ଆମର ସାଂସ୍କୃତିକ କେନ୍ଦ୍ର କେବଳ ଯେ ଭାରତବର୍ଷର ବୌଦ୍ଧିକ ଜୀବନର ମଧ୍ୟ କେନ୍ଦ୍ର ହେବ ତାହା ନୁହେ, ଏହା ତାହାର ଅର୍ଥନୀତିକ ଜୀବନର ମଧ୍ୟ କେନ୍ଦ୍ର ହେବ । ଏହା ଭୂମିକର୍ଷଣ କରିବ, ଗୋପାଳନ କରିବ ଏବଂ ବିଜ୍ଞାନର ସାହାଯ୍ୟ ନେଇ ଉତ୍କୃଷ୍ଟ ପନ୍ଥା ଓ ଉତ୍କୃଷ୍ଟ ଉପାଦାନର ବିନିଯୋଗପୂର୍ବକ ନିଜର ଓ ଛାତ୍ରମାନଙ୍କର ଖାଦ୍ୟ ସଂଗ୍ରହ ପାଇଁ ସକଳ ଆବଶ୍ୟକୀୟ ଉପକରଣ ଉତ୍ପାଦନ କରିବ । ସମବାୟନୀତି ଦ୍ୱାରା ପରିଚାଳିତ ଶିଳ୍ପ ଉଦ୍ୟମର ସଫଳତା ଉପରେ ହିଁ ଏହାର ଅସ୍ତିତ୍ୱ ନିର୍ଭର କରିବ ଓ ଏହା ଫଳରେ ଶିକ୍ଷକ ଓ ଛାତ୍ରଗଣ ପ୍ରୟୋଜନର ଏକ ଜୀବନ୍ତ ଓ ସକ୍ରିୟ ସମ୍ପର୍କ ଦ୍ୱାରା ଏକତ୍ରିକ ହେବେ । ଏହା ମଧ୍ୟ ଆମକୁ ବାସ୍ତବ ଶିଳ୍ପଶିକ୍ଷା ପ୍ରଦାନ କରିବ, ଯାହାର ମୂଳ ଲକ୍ଷ୍ୟ କେବଳ ଲାଭ ଉପରେ ପ୍ରତିଷ୍ଠିତ ନୁହେ ।

 

ଏ ଭଳି ଏକ ଅନୁଷ୍ଠାନ ନିଜ ଚାରି ପାଖର ପଡ଼ୋଶୀ ଗ୍ରାମଗୁଡ଼ିକୁ ସଙ୍ଗବଦ୍ଧ କରିବ ଏବଂ ନିଜର ସମସ୍ତ ଅର୍ଥନୀତିକ ଉଦ୍ୟମରେ ସେଗୁଡ଼ିକୁ ନିଜ ସହିତ ଏକତ୍ରିତ କରିବ । ନୈତିକ ଓ ବୌଦ୍ଧିକ ଜୀବନ ସହିତ ସେମାନଙ୍କର ବସବାସ ଓ ସ୍ୱାସ୍ଥ୍ୟର ଉନ୍ନତି ଏହି କର୍ମପନ୍ଥାର ସାମାଜିକ ଦିଗର ଲକ୍ଷ୍ୟ ହେବା ଉଚିତ । ଅଳ୍ପ କଥାରେ ଏହା ପୃଥିବୀ ସହିତ ସମ୍ପର୍କହୀନ ଏକ ବିଚ୍ଛିନ୍ନ ଉଲ୍‍କା ସଦୃଶ ନ ହୋଇ ଏକ ସଂପୂର୍ଣ୍ଣ ପୃଥିବୀ ହେବା ଆବଶ୍ୟକ । ଏହା ଆତ୍ମନିର୍ଭରଶୀଳ ଓ ଜୀବନର ନିତ୍ୟ ନୂତନତାରେ ସମୃଦ୍ଧ ହେବା ବାଞ୍ଚନୀୟ । ଦେଶ କାଳକୁ ଅତିକ୍ରମ କରି ତାହାର ଆଲୋକ ବିକୀର୍ଣ୍ଣ ହେବ ଓ ଏହା ଉପରେ ନିର୍ଭର କରୁଥିବା ଅନେକ ଜୀବନକୁ ଗ୍ରହଜଗତ ଭଳି ଆକୃଷ୍ଟ ଓ ପରିଚାଳିତ କରିବ, ଏହା ଏପରି ଏକ ପୂର୍ଣ୍ଣମାନବକୁ ଜନ୍ମଦେବ ଯେକି ଏକା ଧାରରେ ହେବ ବୈଦ୍ଧିକ, ବୈଷୟିକ ଏବଂ ସମାର୍ଜିକ ଓ ଆଧ୍ୟାତ୍ମିକ ସ୍ୱାଧୀନତାର ଅଭିଲାଷୀ ।

 

ଉପସଂହାର ପୂର୍ବରୁ ଗୋଟିଏ ସୂକ୍ଷ୍ମ ପ୍ରଶ୍ନର ବିଚାର ଆବଶ୍ୟକ । ଆମ ଭାରତୀୟ ସଂସ୍କୃତିର ପ୍ରାଣ କେନ୍ଦ୍ର, ଯାହାକୁ ମୁଁ ବିଶ୍ୱଭାରତୀ ନାମ ଦେଇ ପାରେ, ସେଠାରେ କେଉଁ ଧରଣର ଧର୍ମଶିକ୍ଷା ପ୍ରଦାନ କରାଯିବ ? ଆମେ ଯାହାକୁ ଜାତୀୟ ବିଦ୍ୟାଳୟ ବୋଲି କହୁଛୁ ସେଗୁଡ଼ିକରେ ଏହି ପ୍ରଶ୍ନ ସାଧାରଣତଃ ପରିହାର କରାଯାଉଛି । ଆମ ମନରେ ଜାତୀୟ ବିଶ୍ୱବିଦ୍ୟାଳୟର ଧରଣା କେବଳ ହିନ୍ଦୁ ବିଶ୍ୱବିଦ୍ୟାଳୟର ହିଁ ରୂପାନ୍ତର ମାତ୍ର । ଆମେ ଏହି ପ୍ରଶ୍ନ ସମ୍ପର୍କରେ ଯେତେବେଳେ ଚିନ୍ତା କରୁ, ସେତେବେଳେ କେବଳ ହିନ୍ଦୁଧର୍ମ ସମ୍ପର୍କରେ ଭାବିଥାଉ । ବିରାଟ ଭାରତ ପ୍ରତି ଧ୍ୟାନ ଦେବାକୁ ଆମେ ଅକ୍ଷମ ହୋଇଥିବାରୁ ଆମର ଧର୍ମପଦ୍ଧତି ଓ ସାମାଜିକ ପ୍ରଥାଗୁଡ଼ିକ ଭଳି ସଂସ୍କୃତିକୁ ମଧ୍ୟ ବିଚ୍ଛିନ୍ନ କରିଥାଉଁ । ଅନ୍ୟ କଥାରେ ଏହି ଏକତାର ଯେଉଁ ଧରଣା ଆମ୍ଭମାନଙ୍କ ସକାଶେ ରୂପ ଦେବାକୁ ସମର୍ଥ ହୁଅନ୍ତୁ, ତାହା ସମସ୍ତଙ୍କ ପ୍ରାଣରେ ପ୍ରେରଣା ସୃଷ୍ଟି କରିବାକୁ ଯେ କେବଳ ଅସମର୍ଥ ହେଉଛି ତାହା ନୁହେ, କେତେକଙ୍କ ହୃଦୟରେ ବଦ୍ୱେଷଭାବ ମଧ୍ୟ ସୃଷ୍ଟି କରୁଛି । ସେ ଯାହା ହେଉନା କାହିଁକି, ସ୍ୱୀକାର କରିବାକୁ ପଡ଼ିବ ଯେ ପୃଥିବୀ ବିଭିନ୍ନ ଧର୍ମ ସମ୍ପ୍ରଦାୟ ଦ୍ୱାରା ପରିପୂର୍ଣ୍ଣ ଏବଂ ତାହା ଚିରକାଳ ରହିବ ମଧ୍ୟ । ଏ ସମ୍ବନ୍ଧରେ କଳହ ସୃଷ୍ଟି କରି ବା ଦୁଃଖ ପ୍ରକାଶ କରି କିଛି ଲାଭ ନାହିଁ । ମୋ ଘରେ ନିଜ ପାଇଁ ଗୋଟିଏ ସ୍ୱତନ୍ତ୍ର କକ୍ଷ ରହିଛି । ସେଠାରେ ଛୋଟ ଟେବୁଲଟିଏ ଅଛି ଓ ସେଥିରେ ଦୁଆତ କଲମ ଓ କାଗଜ ନିର୍ଦ୍ଦିଷ୍ଟ ସ୍ଥାନରେ ରଖାଯାଇଛି । ସେଠାରେ ମୋର ଲେଖାପଢ଼ା ଓ ଅନ୍ୟାନ୍ୟ କାମ ଖୁବ୍‌ ଭଲଭାବରେ ମୁଁ କରିପାରେ ।

 

ମୋର ସବୁ ବନ୍ଧୁ ଓ ଅତିଥିମାନଙ୍କୁ ନିମନ୍ତ୍ରଣ କରି ଏହି କକ୍ଷ ମଧ୍ୟରେ ସେମାନଙ୍କୁ ଆସନ ଦେବାକୁ ଅକ୍ଷମ ବୋଲି ସେ କକ୍ଷଛାଡ଼ି ପଲାଇ ଯିବା ବା ତାକୁ ନିନ୍ଦା କରିବା ମୋର ଉଚିତ ନୁହେ । ଏହା ହୋଇ ପାରେ ଯେ ବା ତାକୁ ନିନ୍ଦା କରିବା ମୋର ଉଚିତ ନୁହେ । ଏହା ହୋଇ ପାରେ ଯେ ଏହି କକ୍ଷଟି ଅତି ସଂକୀର୍ଣ୍ଣ, ଅତି ଅପ୍ରଶସ୍ତ ଓ ଅତି ଅପରିଷ୍କର, ଯାହା ଫଳରେ କି ମୋର ଡାକ୍ତର ଆପତ୍ତି କରି ପାରନ୍ତି, ମୋର ବନ୍ଧୁମାନେ ପ୍ରତିବାଦ କରି ପାରନ୍ତି ଓ ମୋର ଶତ୍ରୁମାନେ ନାସିକା କୁଞ୍ଚନ କରି ପାରନ୍ତି, କିନ୍ତୁ ବର୍ତ୍ତମାନର ପ୍ରସଙ୍ଗ ସହିତ ସେଗୁଡ଼ିକର କୌଣସି ସମ୍ପର୍କ ନାହିଁ । ମୋର ଯୁକ୍ତି ହେଉଛି, ମୋ ଘରେ ଯଦି ସବୁ କକ୍ଷ କେବଳ ମୋରି ନିଜ ସୁବିଧା ପାଇଁ ସଂପୂର୍ଣ୍ଣ ପୃଥକ ଭାବରେ ବ୍ୟବହୃତ ହୁଏ, ମୋର ବନ୍ଧୁ ଅଭ୍ୟର୍ଥନା ବା ଅତିଥି ସତ୍କାର ପାଇଁ ଯଦି କୌଣସି କକ୍ଷ ନ ରହେ ତାହାହେଲେ ପ୍ରକୃତରେ ମୁଁ ନିନ୍ଦିତ ହୋଇ ପାରେ । ଏଭଳି ପରିସ୍ଥିତିରେ ମୁଁ ନତମସ୍ତକରେ ସ୍ୱୀକାର କରିବି ଯେ ମୋର ବନ୍ଧୁମାନଙ୍କର କୌଣସି ବିରାଟ ମିଳନ ମୋ ଘରେ କଦାପି ସମ୍ଭବ ହୋଇ ନ ପାରେ ।

 

ଐତିହାସିକ କାରଣ ଯୋଗୁଁ ପ୍ରତି ଦେଶ ଓ ପ୍ରତି ଯୁଗରେ ଧର୍ମ ସମ୍ପ୍ରଦାୟଗୁଡ଼ିକ ସୃଷ୍ଟି ହୋଇଥାନ୍ତି । ପରମ୍ପରା ଓ ମନୋବୃତ୍ତି ସକାଶେ ଗୋଟିଏ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଅନ୍ତର୍ଭୁକ୍ତ ହେବାର ଅନେକ ଆଶ୍ୱସ୍ତ ହୋଇଥାନ୍ତି ଏବଂ ଏଭଳି ଲୋକ ସବୁସମୟରେ ବହୁତ ମିଳିବେ । ଏହିପରି ଅନ୍ୟମାନେ ମଧ୍ୟ ରହିବେ ଯେଉଁମାନେ ଭାବିବେ ଯେ ଏହି ପ୍ରକାରର ଶାନ୍ତି ଓ ଆଶ୍ୱାସନା ପ୍ରଦାନ କରିବା କେବଳ ତାଙ୍କର ଧର୍ମସଂପ୍ରଦାୟର ହିଁ ନ୍ୟାଯ୍ୟ ଅଧିକାର । ତେଣୁ ସେମାନଙ୍କ ମଧ୍ୟରେ କଳହ ଉପୁଜିବା ସ୍ୱାଭାବିକ । ଏଭଳି ବିବାଦର ସମ୍ଭାବନା ଥିଲେ ମଧ୍ୟ ଏପରି କୌଣସି ବ୍ୟାପକ ମିଳନକ୍ଷେତ୍ର କ୍ରମେ କଅଣ ସୃଷ୍ଟି ହୋଇ ପାରିବ ନି ଯେଉଁଠି ସବୁ ସମ୍ପ୍ରଦାୟର ଲୋକେ ଏକତ୍ରିକ ହୋଇ ପାରିବେ ଏବଂ ସେମାନଙ୍କର ସମସ୍ତ ଭେଦଭାବ ଭୁଲିଯାଇ ପାରିବେ ? ସମଗ୍ର ମାନବଜାତି ପାଇଁ ଦିବସର ସାଧାରଣ ଆଲୋକକୁ ଧାରଣ କରିବା ଏବଂ ମୁକ୍ତ ବାୟୁ ବିତରଣ କରିବା ସକାଶେ ଭାରତର ଧର୍ମୀଦର୍ଶରେ ଏପରି କୌଣସି ସ୍ଥାନ କ’ଣ ନାହିଁ ? ଜଣେ ସମ୍ପ୍ରଦାୟିକ ମତାନ୍ଧବ୍ୟକ୍ତି ଯେପରି ଦୃଢ଼ ଭାବରେ ଅନ୍ୟକୁ ଅସ୍ୱୀକାର କରେ, ଛୋଟ ଛୋଟ କାରଣ ପାଇଁ ଅନେକ ସମୟରେ ଯେପରି ରକ୍ତପାତ ଘଟିଥାଏ ଏବଂ ଧର୍ମର ଦ୍ୱାହିରେ ମନୁଷ୍ୟ ମନୁଷ୍ୟ ମଧ୍ୟରେ ଯେପରି ନିର୍ମମ ଓ ଅପମାନଜନକ ଭେଦଭାବ ସୃଷ୍ଟି ହୋଇଥାଏ, ତାହା ଦେଖିଲେ ଏହି ପ୍ରଶ୍ନ ଶୁଣି ଜଣେ ସନ୍ଦିଗ୍‌ଧ ହେବା ସ୍ୱାଭାବିକ । ଏହା ହେଲେ ମଧ୍ୟ ମୁଁ ଯେତେବେଳେ ସତ୍ୟ ମଧ୍ୟରେ ପ୍ରକାଶ ଲାଭ କରିଥିବା ଭାରତର ଅତୀତ ଯୁଗର ସଂସ୍କୃତିକୁ ଳକ୍ଷ୍ୟ କରେ, ସେତେବେଳେ ମୁଁ କହିବାକୁ ସାହାସୀ ହୁଏ ଯେ ଏହାର ସମାଧାନ ସେଠାରେ ହିଁ ରହିଛି । ଆମର ପୂର୍ବପୁରୁଷଗଣ କେବଳ ଗୋଟିଏ ମାତ୍ର ଗାଲିଚା ପକାଇଥିଲେ ଯେଉଁଠି ସମଗ୍ର ପୃଥିବୀ ବନ୍ଧୁତ୍ୱ ଓ ସୌଜନ୍ୟ ମଧ୍ୟରେ ଆସନ ଗ୍ରହଣ କରିବାକୁ ଆନ୍ତରିକତାର ସହିତ ନିମନ୍ତ୍ରିତ ହେଉଥିଲା । ସେଠାରେ କୌଣସି କଳହ ବା ଦ୍ୱନ୍ଦ୍ୱ ଦେଖାଯାଉ ନ ଥିଲା । କାରଣ ଯାହାଙ୍କ ନାମରେ ଚିରକାଳର ନିମନ୍ତ୍ରଣ ପ୍ରେରିତ ହେଉଥିଲା ସେ ହେଉଛନ୍ତି ଶାନ୍ତମ୍‌, ଶିବମ୍‌, ଅଦ୍ୱୈତମ୍‌-ସକଳ ଦ୍ୱନ୍ଦ ମଧ୍ୟରେ ସେ ହେଉଛନ୍ତି ଶାନ୍ତିମୟ, ସକଳ କ୍ଷତି ଓ ଦୁଃଖ ମଧ୍ୟରେ ସେ ହେଉଛନ୍ତି ମଙ୍ଗଳମୟ ଓ ସୃଷ୍ଟିର ସକଳ ବୈଷମ୍ୟ ମଧ୍ୟରେ ସେ ହେଉଛନ୍ତି ଏକକ । ତାଙ୍କରି ନାମରେ ହିଁ ପ୍ରାଚୀନ ଭାରତରେ ଚିରନ୍ତନ ସତ୍ୟ ଉଦ୍‌ଘୋଷିତ ହୋଇଥିଲେ ।

 

’ଯସ୍ତୁ ସର୍ବାଣି ଭୂତାନି ଆତ୍ମନ୍ୟେବାନୁପଶ୍ୟତି ।

ସର୍ବଭୁତେଷୁ ଚାତ୍ମାନଂ ତତୋ ନ ବିଜୁଗୁପ୍ସତେ ।

 

ଅର୍ଥାତ୍‌, ସମୁଦାୟ ବସ୍ତୁକୁ ଯେ ଆତ୍ମ ସଦୃଶ ମନେ କରନ୍ତି ସେହି କେବଳ ସତ୍ୟ ଦର୍ଶନଲାଭ କରନ୍ତି ।

 

-୧୯୧୯

 

‘‘ପୁଷ୍ପର ଚତୁଃପାର୍ଶ୍ୱସ୍ଥ ପତ୍ରାବଳୀ ହେଉଛନ୍ତି ନୀରବତାର ପ୍ରତିମୂର୍ତ୍ତି ଓ ତାହା ହେଉଛି ପୁଷ୍ପର ବାଙ୍‌ମୟ ଅଭିବ୍ୟକ୍ତି ।’’

 

-ରବୀନ୍ଦ୍ରନାଥ

Image

 

Unknown

ଶିକ୍ଷାର ମିଳନ

 

ଆଧୁନିକ ଜଗତ ଯେ ଇଉରୋପୀୟମାନଙ୍କର, ଏହା ସର୍ବଥା ସ୍ୱୀକାର କରିବାକୁ ହେବ-। କାମଧେନୁ ସ୍ୱରୂପ ଏହା ସେମାନଙ୍କର ଦୁଗ୍ଧ-ପାତ୍ର ପୂର୍ଣ୍ଣକରି ଉଚ୍ଛୁଲାଇ ଦେଇଥାଏ । ପ୍ରାଚ୍ୟରେ କିନ୍ତୁ ଆମ୍ଭେମାନେ ନିଷ୍କ୍ରିୟ, ଜଗତରେ ଆମ ଖାଦ୍ୟ ଓ ସମ୍ପଦର ଭାଗ ଖୁବ୍‌ଶ୍ରୀଘ୍ର କ୍ଷୟପ୍ରାୟ ହେଉଥିଲାବେଳେ କେବଳ ହତବୁଦ୍ଧି ହୋଇ ଆମେ ମୁଖବ୍ୟାଦାନ କରି ଚାହିଁ ରହୁ । କ୍ଷୁଧାର ଜ୍ୱାଲାବଶତଃ ଆମେ ପରିତୃପ୍ତ ଭୋଜନ ପାଉଥିବା ୟୁରୋପୀୟମାନଙ୍କ ଉପରେ କ୍ରୁଦ୍ଧ ହେଉ । ଆମର ଇଚ୍ଛା ହୁଏ ଆମେ କିପରି ତାଙ୍କ ଅପେକ୍ଷା ପ୍ରାଧାନ୍ୟ ଲାଭ କରନ୍ତୁ, କିନ୍ତୁ ଆମେ କିପରି ଏଥିପାଇଁ ସମର୍ଥ ହେବୁ ? ପ୍ରକୃତରେ ସେମାନେ ହିଁ ଅଧିକ ପ୍ରାଧାନ୍ୟ ଲାଭ କରିଅଛନ୍ତି । ଜୀବନ ଓ ଜଗତ ଯେଉଁ ସକଳ ସୁଯୋଗ ଦେଇ ପାରେ ଏ ପର୍ଯ୍ୟନ୍ତ ସେମାନେ ତାହାର ଅଧିକାରୀ ହୋଇ ପାରିଛନ୍ତି, ଆମେ କିନ୍ତୁ କିଛି ପାଇ ପାରି ନାହୁଁ ।

 

ଜୀବନପଥରେ ବହୁ ସୁଯୋଗରୁ ଆମେ କାହିଁକି ବଞ୍ଚିତ ହୋଇଅଛୁ ? କେଉଁ ଶକ୍ତିବଳରେ ୟୁରୋପୀୟମାନେ ଜଗତକୁ ଅଧିକାର କରି ଉପଭୋଗ କରୁଅଛନ୍ତି ? ଏହା ନିଶ୍ଚିତ ଭାବରେ କୌଣସି ସତ୍ୟର ବଳ । ଆମର ଇପ୍ସିତ ବସ୍ତୁ ଲାଭ କରିବା ନିମନ୍ତେ ଆମେ କୌଣସି ପ୍ରକାରେ ଏକତ୍ରିତ ହୋଇ ୟୁରୋପୀୟମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିବା ଯେ ଏକାନ୍ତ ଆବଶ୍ୟକ–ଆମର ଏ ଧାରଣର ଚିନ୍ତା ଏକ ବିରାଟ ଭ୍ରମ । ଗୋଟିଏ ରେଲ ଇଞ୍ଜିନ୍‌କୁ ଆମର ଇଚ୍ଛା ଅନୁସାରେ ଚଳାଇବା ନିମନ୍ତେ ଚାଳକର ମସ୍ତକରେ ଖଣ୍ଡେ ଯଷ୍ଟି ଦ୍ୱାରା ଆଘାତ କରି ତାକୁ ଭୂତଳଶାୟୀ କରିବାରେ ଧରଣା ଭଳି ଏହା ଏକ ବିରାଟ ଭ୍ରମ ମାତ୍ର । ଯନ୍ତ୍ରାଦିର ନିର୍ମାଣ କୌଶଳଜନିତ ବିଜ୍ଞାନ ଦ୍ୱାରା ରେଲ ଇଞ୍ଜିନ୍‌ ପରିଚାଳିତ ଏବଂ ଚାଳକ କେବଳ ତାର ନିମିତ୍ତ ମାତ୍ର,–ଏହି ସତ୍ୟ ଆମେ ଏହା ଦ୍ୱାରା ବିସ୍ତୃତ ହେଉଁ । ଆମ ମନର କ୍ରୋଧ ଦ୍ୱାରା ଉତ୍ପନ୍ନ ଅପରିମିତ ଉଷ୍ଣତା ରେଲ ଇଞ୍ଜିନ୍‌କୁ ତିଳେମାତ୍ର ଘୁଞ୍ଚାଇବାକୁ ସମର୍ଥ ହେବ ନାହିଁ, ଏବଂ ତାର ବିଜ୍ଞାନ ଆୟତ୍ତ କରିବା ପରେ ହିଁ ତାହା କେବଳ ଆମର ଆଜ୍ଞାନୁବର୍ତ୍ତୀ ହେବ ।

 

ଜଣେ ବ୍ୟକ୍ତିଙ୍କର ଗୋଟିଏ ମଟରଗାଡ଼ି ଥିଲା; ସେ ନିଜେ ଏହାକୁ ଚଳାଉଥିଲେ । ତାଙ୍କର ଦୁଇଟି ପୁଅ; ଯେଉଁ ପୁଅ ମଟରମାଡ଼ି ଭଲ ଚଳାଇବାକୁ ଶିଖିପାରିବ ତାକୁ ଗାଡ଼ଟି ଦେବା ପାଇଁ ସେ ଇଚ୍ଛା ପ୍ରକାଶ କଲେ । ଗୋଟିଏ ପୁଅ ଅତ୍ୟନ୍ତ ଚତୁର, ଶିଖିବାରେ ତାର ବଡ଼ ଆଗ୍ରହ ଏବଂ ସେ ତତ୍‌କ୍ଷଣାତ୍‌ ଗାଡ଼ିଟିକୁ ଟିକିନିଖି କରି ଜାଣିବାର ଚେଷ୍ଟା ଆରମ୍ଭ କରିଦେଲେ । ଅନ୍ୟ ପୁଅଟି ସରଳମନା; କିନ୍ତୁ ପିତାଙ୍କ ପ୍ରତି ଏକାନ୍ତ ଅନୁରନ୍ତ । ତାର ଅତ୍ୟଧିକ ଅନୁରାଗବଶତଃ ସେ ସବୁବେଳେ ପିତାଙ୍କର ପଦଯୁଗଳ ଉପରେ ନିଜ ଦୃଷ୍ଟି ନିବଦ୍ଧ ରଖୁଥିଲା । ଫଳରେ ସେ ନିଜ ହାତରେ ଷ୍ଟିଅରିଂ ଧରି ସୁଦ୍ଧା ତାକୁ କେଉଁ ଦିଗକୁ ବୁଲାଉଅଛି ଜାଣି ପାରିଲା ନାହିଁ । ଗାଡ଼ିର କଳକବଜା ବିଷୟରେ ପୁରା ଜ୍ଞାନଲାଭ କରି ଚତୁର ପୁଅ ଦିନେ ଇଞ୍ଜିନ୍‌ ଚଲାଇ ଦେଲା ଏବଂ ଅଣନିଶ୍ୱାସୀ ହୋଇ ଖୁବ୍‌ବେଗରେ ଗାଡ଼ି ଛୁଟାଇଲା । ଗାଡ଼ି ଗଳାଇବାରେ ତାର ଅତ୍ୟଧିକ ଆଗ୍ରହ ହେତୁ ଦିନରାତି ସବୁବେଳେ ସେ ଗାଡ଼ି ଚଳାଇଲା । ବାପା କଣ କହିବେ ଚିନ୍ତା କରିବାକୁ ତା’ର ଅବସର ନ ଥିଲା, କିନ୍ତୁ ବାପା କଣ ତାକୁ ଦଣ୍ଡ ଦେଲେ ନା ସେହି ଗାଡ଼ି ପୁନର୍ବାର ଛୁଇଁବା ପାଇଁ ବାରଣ କଲେ ? ଅନ୍ୟ ପକ୍ଷରେ ତାଙ୍କ ପୁଅ ତାଙ୍କ ଭଳି ଗାଡ଼ି ଚଳାଇବାକୁ ଅତ୍ୟନ୍ତ ପ୍ରିୟ କାର୍ଯ୍ୟ ମନେ କରିଥିବାରୁ ସେ ସନ୍ତୁଷ୍ଟ ହେଲେ । ଚତୁର ପୁଅ ତାର ଭାଇର ଜମିଜମା ଭିତରେ ମଧ୍ୟ ଗାଡ଼ି ଚଳାଇନେଲା, ଭାଇର ପ୍ରତିବାଦ ଓ ଧମକକୁ କର୍ଣ୍ଣପାତ ନ କରି ପାଚିଲା ଫସଲକୁ ଦଳିମକଚି ତଳେ ଜମାଇଦେଲା । ଜୋରରେ ଗାଡ଼ି ଚଳାଉଥିବାରୁ ସେତେବେଳେ ଗାଡ଼ିର ସମ୍ମୁଖୀନ ହେବା ଅର୍ଥ ନିଶ୍ଚିତ ମୃତ୍ୟୁ ବରଣ କରିବା ।

 

ସରଳମନା ପୁଅଟି ପୁଣି ଥରେ ପିତାଙ୍କ ପଦଯୁଗଳ ଉପରେ ଦୃଷ୍ଟି ସ୍ଥାପନ କରି କହିଲା, ‘‘ଯାହା ଘଟିଗଲା, ତାପରେ ଅଧିକ କିଛି ମୁଁ ଆଉ ଚାହେଁ ନାହିଁ ।’’

 

କିନ୍ତୁ ପ୍ରାଚ୍ୟରେ ଆମେ କୌଣସି ବସ୍ତୁ ଲାଭ କରିବାକୁ ଇଚ୍ଛୁକ ନୋହୁଁ–ଏହା କହି ଆମର ପ୍ରକୃତ ଅଭାବକୁ ଅସ୍ୱୀକାର କରିବା ଏକ ବିପଦଜନକ ପନ୍ଥା । ଆମର ଆବଶ୍ୟକତା ଅଗ୍ରାହ୍ୟ ହେବ ନାହିଁ, ଏବଂ ସେମାନଙ୍କ ସମସ୍ତ ଦେୟ ପୂରଣ କରି ସାରିଲେ କେବଳ ଆମ୍ଭେମାନେ ମୁକ୍ତ ହେବୁ । ସେଗୁଡ଼ିକୁ ଅସ୍ୱୀକାର କରିବା ଅର୍ଥ ସେମାନଙ୍କ ନିକଟରେ ରାଣୀ ରହି ଜୀବନସାରା କେବଳ ସୁଧା ଗଣିବା ହିଁ ସାର ହେବ । ପରୀକ୍ଷକମାନଙ୍କ କବଳରୁ ମୁକ୍ତ ହେବାର ଏକମାତ୍ର ଉପାୟ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା, ସେହିପରି ଅଭାବଗୁଡ଼ିକୁ ପୂରଣ କରିବା ହିଁ ସେଥିରୁ ମୁକ୍ତ ହେବାର ଏକମାତ୍ର ପନ୍ଥା ।

 

ବାହାର ଦିଗରୁ ଦେଖିବାକୁ ଗଲେ ଏହି ବିଶ୍ୱ ଏକ ବିରାଟ କଳ ଓ ନିଜର ନିୟମମାନଙ୍କରୁ ଏହା କେବେ ବିଚ୍ୟୁତ ହୁଏ ନାହିଁ, ଏହି ଭୌତିକ ଜଗତ ନାନା ଭାବରେ ଆମର ପ୍ରତିକୂଳତା ଆଚରଣ କରେ, ଆଳସ୍ୟପରାୟଣ ବା ନିର୍ବୋଧ ବ୍ୟକ୍ତିମାନେ ଏହାକୁ ପରିହାର କରିବାକୁ ଉଦ୍ୟତ ହୋଇ ବିଘ୍ନରୁ ମୁକ୍ତିଲାଭ କରିବା ପରିବର୍ତ୍ତେ ଶେଷରେ ଆତ୍ମ ପ୍ରତାରଣାକୁ ସାର କରନ୍ତି । ଅନ୍ୟ ପକ୍ଷରେ ବସ୍ତୁଜଗତର ନିୟମାବଳୀକୁ ଆୟତ୍ତ କରିଥିବା ଲୋକମାନେ ବସ୍ତୁର ପ୍ରତିବନ୍ଧକକୁ ଯେ କେବଳ ଜୟ କରିଛନ୍ତି ତାହା ନୁହେ, ବରଂ ଏହା ଦ୍ୱାରା ଉପକୃତ ହୋଇଛନ୍ତି । ବସ୍ତୁ ଜଗତର ରହସ୍ୟ ହସ୍ତଗତ ପୂର୍ବକ ଏହାର ଦୂରତମ ଅଂଶ ଭେଦ କରି ଏହାର ସମ୍ପଦ ଲାଭ ଦ୍ୱାରା ସେମାନେ ଉପକୃତ ହୋଇଅଛନ୍ତି । ଅଥଚ ଦୀର୍ଘସୂତ୍ରୀ ଆଳସ୍ୟପରାୟଣ ଲୋକମାନେ ନିଜ ନିମନ୍ତେ ଖୁବ୍‌ ସାମାନ୍ୟ ବା କିଛି ନ ଥିବାର ହିଁ ଲକ୍ଷ୍ୟ କରନ୍ତି ।

 

ଏହି ପରିସ୍ଥିତିରେ ପାଶ୍ଚାତ୍ୟ ନିଜର ଯେଉଁ ବିଦ୍ୟାବଳରେ ଜଗତ ଜୟ କରିଅଛି, ତାହାକୁ ନିନ୍ଦା କରିବା କେବେହେଲେ ପ୍ରାଚ୍ୟରେ ଆମ ପକ୍ଷରେ ସହାୟକ ହେବ ନାହିଁ । ବିଦ୍ୟା ହିଁ ସତ୍ୟ, ଏହାକୁ ନିନ୍ଦା କରି ଆମ୍ଭେମାନେ ନିଜକୁ ନିନ୍ଦା କରିବା ମାତ୍ର ।

 

ପଶୁମାନଙ୍କର ଜୀବନରେ ସଜ୍ଞାନ ଅଭିପ୍ରାୟ ନ ଥାଏ । ପ୍ରଶ୍ନ ନ କରି ସେମାନେ ଘଟଣାବଳୀକୁ ଗ୍ରହଣ କରନ୍ତି । ଘଟଣାମାନଙ୍କ ସମ୍ପର୍କରେ ପ୍ରଶ୍ନ କରିବା ମନୁଷ୍ୟର ଉଚ୍ଚତମ ପ୍ରକୃତିର କ୍ରିୟା, ଏହା ହିଁ ପ୍ରମାଣ କରେ ମନୁଷ୍ୟ ଜଣେ ବିଦ୍ରୋହୀ ଏବଂ ଏଇଠି ପଶୁ ସହ ତାର ପାର୍ଥକ୍ୟ । ମନୁଷ୍ୟର କର୍ତ୍ତୃତ୍ୱ ଓ ସମ୍ମତ ବ୍ୟତୀତ ଘଟଣାବଳୀ ସଂଘଟିତ ହେବ ଏହା ସ୍ୱୀକାର ନ କରି ଇତିହାସର ପ୍ରାରମ୍ଭରୁ ସେମାନଙ୍କର କାରଣ ଆବିଷ୍କାର ଓ ନିୟମାବଳୀ ଆୟତ୍ତପୂର୍ବକ ସେ ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ଉଦ୍ୟତ ହୋଇଅଛି । ଜୀବନ୍ତ ପ୍ରାଣୀମାନଙ୍କ ମଧ୍ୟରେ ମନୁଷ୍ୟ ଶ୍ରେଷ୍ଠସ୍ଥାନ ଅଧିକାର କରିଥିବାର ଏହାହିଁ ପ୍ରଧାନ କାରଣ । ସେହି କାରଣରୁ ସେ ଆଜି ଏକ ସକ୍ରିୟ ଶକ୍ତି, କର୍ମପଥ ରୋଧ କରୁଥିବା ନିଶ୍ଚେଷ୍ଟ ବସ୍ତୁ-ବିଶେଷ ନୁହେ । ଆଦିମ କାଳରେ ପୃଥିବୀ କୁହୁକ ବିଦ୍ୟା ଦ୍ୱାରା ନିୟମିତ ହେଉଥିଲା ଏବଂ ସେହି ବିଶ୍ୱାସର ବଶୀଭୂତ ହୋଇ ସମ୍ମୋହନ ବିଦ୍ୟା ଓ ଯାଦୁକର୍ମ ଦ୍ୱାରା ସେ ଶକ୍ତି ଲାଭ ନିମନ୍ତେ ନିଜ ସନ୍ଧାନ ଆରମ୍ଭ କରିଥିଲା, ତାର ଆଶା ଥିଲା ଗୂଢ଼ ମନ୍ତ୍ରଶକ୍ତିର ବିକାଶ ଘଟାଇ, ଘଟଣାମାନଙ୍କର ପ୍ରବାହକୁ ମଧ୍ୟ ସେ ପ୍ରଭାବିତ କରିବାକୁ ସମର୍ଥ ହେବ ।

 

ପରେ ପରେ ମନୁଷ୍ୟର ଶକ୍ତି ସନ୍ଧାନ କ୍ଷେତ୍ରରେ ବିଜ୍ଞାନ ଇନ୍ଦ୍ରଜାଲର ସ୍ଥାନ ଗ୍ରହଣ କରିଅଛି । ବିଜ୍ଞାନକୁ ଆୟତ୍ତ କରିଥିବା ଲୋକମାନେ ବର୍ତ୍ତମାନ ବାହାର ବିଶ୍ୱ ଉପରେ ପ୍ରଭୁତ୍ୱ ବିସ୍ତାର କରିଛନ୍ତି । ବିଜ୍ଞାନ ବିଶ୍ୱାସ କରେ, ବିଶ୍ୱର ନିୟମାବଳୀ ଅପରିବର୍ତ୍ତିତ । ବିଜ୍ଞାନ ଉପରେ ଆସ୍ଥା ପୋଷଣପୂର୍ବକ ପାଶ୍ଚାତ୍ୟ ଦେଶର ଲୋକମାନେ ବହିର୍ଜଗତର ବିପଦସମୂହକୁ ବଶୀଭୂତ କରି ବିଜୟୀ ହୋଇଅଛନ୍ତି । ତଥାପି ସେଠାରେ କେତେକ ଏ ପର୍ଯ୍ୟନ୍ତ ବିଶ୍ୱାସ କରନ୍ତି, ଜଗତ ଇନ୍ଦ୍ରଜାଲ ଦ୍ୱାରା ନିୟନ୍ତ୍ରିତ ଏବଂ ବିପଦର ଏହାହିଁ ସେମାନଙ୍କର ଅବଲମ୍ବନ ହୁଏ । ସେମାନେ ପରାହତ, ଅତ୍ୟାଚାରିତ ଓ ପରାଧୀନ ନିମ୍ନଶ୍ରେଣୀୟ ବ୍ୟକ୍ତି ।

 

ଅଷ୍ଟାଦଶ ଶତାବ୍ଦୀରେ ପ୍ରାଚ୍ୟ ଦେଶରେ ଆମ୍ଭମାନେ ଅସୁସ୍ଥ ହେଲେ ଗୁଣିଆ ଲୋଡ଼ୁଥିଲୁ । ବିପଦକାଳରେ ଗ୍ରହ ଶାନ୍ତି ନିମନ୍ତେ ଜ୍ୟୋତିଷମାନଙ୍କର ସାହାଯ୍ୟପ୍ରାର୍ଥୀ ହେଉଥିଲୁ, ବସନ୍ତର ପ୍ରାଦୁର୍ଭାବରୁ ଆମକୁ ରକ୍ଷା କରିବା ପାଇଁ ଶୀତଲା ଠାକୁରାଣୀଙ୍କୁ ପ୍ରାର୍ଥନା କରୁଥିଲୁ । ଆମର ଶତ୍ରୁମାନଙ୍କୁ ବିନାଶ କରିବା ଅଭିପ୍ରାୟରେ ଇନ୍ଦ୍ରଜାଲର ଆଶ୍ରୟ ନେଉଥିଲୁ । ୟୁରୋପୀୟମାନେ ସେ ଦେଶରେ କଣ କରୁଥିଲେ ତା’ର ଏକ ଦୃଷ୍ଟାନ୍ତ ମଧ୍ୟ ଦିଆଯାଉ । ଯାଦୁମନ୍ତ୍ର ପ୍ରୟୋଗ କରି ଦଳେ ମେଣ୍ଢାକୁ ମାରି ଦିଆଯାଇ ପାରିବା ସମ୍ଭବ ହେବ କି ନା ? ବୋଲି ଥରେ ଜଣେ ସ୍ତ୍ରୀଲୋକ ଭୋଲଟାୟାରଙ୍କୁ ପ୍ରଶ୍ନ କରିଥିଲେ । ଉତ୍ତରରେ ସେ କହିଲେ, ‘‘ଯଦି ପ୍ରଚୁର ପରିମାଣରେ ବିଷ ଏହି ମନ୍ତ୍ର ମଧ୍ୟରେ ମିଶାଇଦିଆଯାଇ ପାରେ ନିଶ୍ଚିତ ଭାବରେ ଏହା ସମ୍ଭବ ହେବ ।’’ ଇଉରୋପର କୌଣସି ସୁଦୂର ଅନ୍ଧକାରାଚ୍ଛନ କୋଣରେ ଇନ୍ଦ୍ରଜାଲର ବିଶ୍ୱାସ ନିଃସନ୍ଦେହ ଭାବରେ ପୋଷିତ, କିନ୍ତୁ ଆର୍ସେନିକ୍‌ ବିଷ ଉପରେ ସେମାନଙ୍କର ବିଶ୍ୱାସ ପ୍ରାୟ ସର୍ବତ୍ର ବିଦ୍ୟମାନ । ସେହି କାରଣରୁ ୟୁରୋପୀୟମାନେ ତାଙ୍କର ଇଚ୍ଛାନୁସାରେ ମାରି ପାରନ୍ତି ଏବଂ ଆମ୍ଭେମାନେ କେବଳ ସେମାନଙ୍କର ଦୟାର ପାତ୍ର ।

 

ବିଶ୍ୱର ଶକ୍ତି ଯେ ବିଶ୍ୱ ନିୟମର ଏକ ପ୍ରକାଶ, ଏହା କହିବା ଆଜି ବାହୁଲ୍ୟ ମାତ୍ର । ମନୁଷ୍ୟର ନିୟନ୍ତ୍ରିତ ବୁଦ୍ଧି ଏହି ଶକ୍ତି ଉପଲବ୍‌ଧି କରିପାରେ ଏବଂ ଏହି ନିୟମ ସହ ତାହାର ସାମଞ୍ଜସ୍ୟ ରହିଛି । ବିଶ୍ୱଜନୀନ ଆତ୍ମଶକ୍ତି ଉପରେ ନିର୍ଭର କରି ପାରିବ । ଆକସ୍ମିକ ସୁବିଧା ଉପରେ ଆସ୍ଥା ପୋଷଣ କରୁଥିବା ବ୍ୟକ୍ତିମାନେ ନିଜ ଉପରୁ ବିଶ୍ୱାସ ହରାଇଦିଅନ୍ତି ଏବଂ ସବୁବେଳେ ଆଗ୍ରହ ସହକାରେ ଅନ୍ୟର ନିର୍ଭରତା ଖୋଜି ବୁଲନ୍ତି । ନିଜର ବୁଦ୍ଧି ଉପରେ ପ୍ରତ୍ୟୟ ସ୍ଥାପନ ନ କରି ସେମାନେ ପ୍ରଶ୍ନ କରିବା ମନୋଭାବ ତ୍ୟାଗ କରନ୍ତି ଏବଂ ଅନୁସନ୍ଧିତ୍ସାରୁ ବିରତ ରହନ୍ତି । ନିଜ ନିଜର ବାହାରେ ଜଣେ କର୍ତ୍ତାଙ୍କର ସଂଧାନ ଖୋଜି ସେମାନେ ଯେ କୌଣସି ବ୍ୟକ୍ତି ଓ ବସ୍ତୁ, ପୋଲିସ ବା ମଶକର ଶକ୍ତିକୁ ସ୍ୱୀକାର କରିଥାନ୍ତି । ବୃଦ୍ଧିବୃତ୍ତ ଚାଳନାରେ କାପୁରୁଷତା ଦୁର୍ବଳତାର ପ୍ରଧାନ ଅବଲମ୍ବନ ।

 

କେବେଠାରୁ ବା ପାଶ୍ଚାତ୍ୟରେ ରାଜନୀତି କ୍ଷେତ୍ରରେ ସ୍ୱାୟତ୍ତଶାସନର ବିକାଶ ଆରମ୍ଭ ହେଲାଣି ? ଅନ୍ୟ କଥାରେ ରାଷ୍ଟନିୟମ ବ୍ୟକ୍ତିବିଶେଷ ବା ସଂପ୍ରଦାୟ ବିଶେଷରେ ଖାମଖିଆଲ ମନୋଭାବ ଉପରେ ନିର୍ଭର କରେ ନାହିଁ, ବରଂ ସକଳ ଲୋକଙ୍କର ଇଚ୍ଛାକୃତ ସମ୍ମତ ଉପରେ ଯେ ଏହା ନିର୍ଭରଶୀଳ, ପାଶ୍ଚାତ୍ୟ ଲୋକମାନେ କେବେଠାରୁ ଏହା ଉପଲବ୍ଧି କଲେଣି ? ପ୍ରାକୃତିକ ନିୟମାବଳୀ ବ୍ୟକ୍ତିଗତ ମତର ଅସ୍ଥିରତା ଦ୍ୱାରା ପରିବର୍ତ୍ତିତ କିମ୍ବା ଜଣଙ୍କର ଖିଆଲ ଦ୍ୱାରା ବିକୃତ ହୋଇ ପାରେ ନା, ବିଜ୍ଞାନ ସେମାନଙ୍କ ମନକୁ ଭୟ ମୁକ୍ତ କରି ଏହା ବାରମ୍ବାର ସେମାନଙ୍କୁ କହିବା ବଳରେ ଏହା ସମ୍ଭବ ହୋଇ ପାରିଅଛି ।

 

ବିଶ୍ୱର ନିୟମାବଳୀକୁ ଆମର ସହଜ ପ୍ରାପ୍ୟ ଭାବରେ ରଖି ଈଶ୍ୱର ତାଙ୍କ ବିଶ୍ୱରାଜ୍ୟରେ ଆମକୁ ସ୍ୱରାଜ ଦାନ କରିଛନ୍ତି । ତାଙ୍କର ସୂର୍ଯ୍ୟ ଓ ଚନ୍ଦ୍ର, ଗ୍ରହ ଓ ତାରକା ଦେହରେ ସେ ଆମ୍ଭମାନଙ୍କ ନିମନ୍ତେ ଏହି ସନ୍ଦେଶ ଲିପିବଦ୍ଧ କରିଅଛନ୍ତି, ‘‘ମୁଁ ବସ୍ତୁର ଅନ୍ତରାଳରେ ରହୁଅଛି କାରଣ ବସ୍ତୁ - ଜଗତରେ ମୋ ବ୍ୟତୀତ ତୁମର କର୍ମ ସାଧନ ଅସମ୍ଭବ ହେବ ନାହିଁ । ଏଇଠି ଏକ ପାର୍ଶ୍ୱରେ ବିଶ୍ୱର ନିୟମ ଓ ସେଠାରେ ଅନ୍ୟ ପାର୍ଶ୍ୱରେ ତୁମର ବୁଦ୍ଧିର ନିୟମ । ଏହି ଉଭୟକୁ ଏକତ୍ର କରି ତୁମେ ବଡ଼ ହେବ ଏବଂ ମୋର ବିଶ୍ୱ ରାଜ୍ୟର ଉତ୍ତରାଧିକାର ଲାଭ କରିବ । ମୁଁ ତୁମ୍ଭମାନଙ୍କୁ ଜୟ କରିବାର ଅସ୍ତ୍ର ଦେଉଅଛି । ଏହାକୁ ବ୍ୟବହାର କରି ଜୟୀ ହୁଅ,’’ ଈଶ୍ୱରଦତ୍ତ ଏହି ସ୍ୱରାଜ ସାଧନ କରି ପାରିଲେ ପ୍ରତ୍ୟେକ ଧରଣର ସ୍ୱରାଜ୍ୟ ଲାଭ ଓ ଏହାକୁ ଚିରକାଳ ନିମନ୍ତେ ରକ୍ଷା କରିବା ସହଜ ହେବ ।

 

କିନ୍ତୁ ବୃଦ୍ଧିବୃତ୍ତିର କ୍ଷେତ୍ରରେ ନିଜର ଉଦ୍ୟମକୁ କର୍ତ୍ତାଙ୍କୁ ନିକଟରେ ଯେଉଁମାନେ ସମର୍ପଣ କରନ୍ତି, ରାଷ୍ଟ୍ରନୀତିକ୍ଷେତ୍ରରେ ମଧ୍ୟ ସେମାନେ ତାହା କରିବାରେ ବିଫଳ ହେବେ ନାହିଁ; ବିଧାତା ସ୍ୱୟଂ ଯେଉଁ ବ୍ୟାପାରମାନଙ୍କରେ କର୍ତ୍ତୃତ୍ୱ ଦାବୀ କରନ୍ତି ନାହିଁ, ସେଇଠି ଯେଉଁମାନେ କର୍ତ୍ତା ଖୋଜି ବସନ୍ତି ଏବଂ ଈଶ୍ୱର ସେମାନଙ୍କୁ ସମ୍ମାନ ଦେବାକୁ ଇଚ୍ଛା କରୁଥିବା ସମୟରେ ଯେଉଁମାନେ ଆତ୍ମାବମାନନା କରନ୍ତି ସେମାନଙ୍କର ଉପଯୁକ୍ତ ପ୍ରାପ୍ୟ ସରକାର ହିଁ ହେଉଛି ‘ସ୍ୱରାଜହୀନ’ ।

 

ଅତି ପ୍ରାକୃତିକତା ଓ ମନ୍ତ୍ରବିଦ୍ୟାର ହାତମୁଠା ଭିତରୁ ମନୁଷ୍ୟର ବୃଦ୍ଧିକୁ ମୁକ୍ତ କରିବା ବ୍ୟକ୍ତିମାନେ ଇଉରୋପ ବା ଏସିଆର ଅଧିବାସୀ ହୁଅନ୍ତୁ ନା କାହିଁକି ପ୍ରକୃତ କର୍ତ୍ତା ଭାବରେ ସେମାନଙ୍କୁ ସମ୍ମାନ ଦେବା ଉଚିତ । ଜଗତର ଆଧ୍ୟାତ୍ମିକ ବିଭାଗ ଦେବତାମାନଙ୍କ ଦାୟିତ୍ୱରେ ରହିଅଛି । ଏବଂ ଏହାର ବସ୍ତୁଗତ ବିଭାଗ ଦାନବମାନଙ୍କର କଳଳିତ । ଦାନବ କହିଲେ ବିଶ୍ୱଶକ୍ତିର ସେହି ବିଭାଗକୁ ମୁଁ ବୁଝାଉଛି- ଯାହା ଗ୍ରହ ଓ ସ୍ୱର୍ଗରାଜ୍ୟର ଅନ୍ୟଶକ୍ତିର ସେହି ବିଭାଗକୁ ମୁଁ ବୁଝାଉଛି- ଯାହା ଗ୍ରହ ଓ ସ୍ୱର୍ଗରାଜ୍ୟର ଅନ୍ୟଶକ୍ତିଗୁଡ଼ିକୁ ଐକତାନିକ ଭାବରେ ନିଜର ବକ୍ର କକ୍ଷରେ ପେଣ୍ଡୁପରି ଘୂର୍ଣ୍ଣାୟମାନ କରିଥାଏ । ଆମର ବୈଷୟିକ ଜ୍ଞାନର ସର୍ବପ୍ରଧାନ ବିଭାଗ ଜୀବନତତ୍ତ୍ୱ । ଆଜି ଏହା ୟୁରୋପୀୟ ଭାବୁକ ଓ ବୈଜ୍ଞାନିକମାନଙ୍କର ଅଧିକାରର ଅନ୍ତର୍ଭୁକ୍ତ । ଏହା ଆମକୁ ମୁକ୍ତ ରଖେ, ପଶୁର ଆକ୍ରମଣ ଓ ମନୁଷ୍ୟର ଅତ୍ୟାଚାରରୁ ଆମକୁ ମୁକ୍ତ ରଖେ, ପଶୁର ଆକ୍ରମଣ ଓ ମନୁଷ୍ୟର ଅତ୍ୟାଚାରରୁ ଆମକୁ ସୁରକ୍ଷିତ କରେ । ଏହି ଜ୍ଞାନ ଆମ ଉପରେ ବିଧିଦତ୍ତ ଶକ୍ତି ତୁଲ୍ୟ ଅର୍ପିତ । ଏହା ଲାଭ କରି ପାରିଲେ ଭାରତରେ ଆମ୍ଭେମାନେ ସ୍ୱାୟତ୍ତଶାସନର ପ୍ରକୃତ ମୂଳଭିତ୍ତି ପକାଇବାକୁ ସମର୍ଥ ହେବୁ ।

 

ଏହି ଜ୍ଞାନକ୍ଷେତ୍ରରୁ ବିଚ୍ୟୁତିର ଏକ ଉଦାହରଣ ଦିଆଯାଉ । ଜଣେ ମୁସଲମାନ କୌଣସି କୁଅରୁ ପାଣି କାଢ଼ିଲେ ତାହା ହିନ୍ଦୁ ନିମନ୍ତେ ଅପବିତ୍ର ହୁଏ ବୋଲି କେତେକ ହିନ୍ଦୁଙ୍କର ବିଶ୍ୱାସ । ଏହା ପ୍ରକୃତରେ ଏକ ବିଚିତ୍ର ମନୋଭାବ । କାରଣ ଅପବିତ୍ରତା ଆତ୍ମାର ବ୍ୟାପାର କିନ୍ତୁ କୁଅର ପାଣି ଏହି ଜଗତର ବସ୍ତୁ । ମୁସଲମାନଙ୍କ ପ୍ରତି ଘୃଣା, ଚିତ୍ତକୁ ଅପବିତ୍ର କରେ, ଏହି ଉକ୍ତିର ଗୁରୁତ୍ୱ ମୁଁ ବୁଝି ପାରନ୍ତି–କିନ୍ତୁ ମୁସଲମାନର ଜଳପାତ୍ରରେ ଅପବିତ୍ରତା ଅଛି, ଏହା କହିବା ଦ୍ୱାରା ଗୋଟିଏ ତର୍କର ବିଷୟକୁ ଆମେ ତର୍କର ସୀମା ବହିର୍ଭୁତ ପ୍ରଦେଶକୁ ନେଇଯାଉ ଏବଂ ଆମ ବୁଦ୍ଧିକୁ ପ୍ରତାରିତ କରିଥାଉଁ ମାତ୍ର । ପାଶ୍ଚାତ୍ୟର ହିନ୍ଦୁ ଅନୁଗତମାନେ ଯୁକ୍ତି କରି ପାରନ୍ତି ଏହି ଅପବିତ୍ରତାର ଆରୋପ କେବଳ ଧର୍ମସମର୍ଥିତ ମାର୍ଗରେ ସ୍ୱାସ୍ଥ୍ୟରକ୍ଷାମୂଳକ ନୀତିର ପ୍ରକଟନ ମାତ୍ର । ଯାହାହେଉ ନା କାହିଁକି ସ୍ୱାସ୍ଥ୍ୟରକ୍ଷା ନୈତିକ ପବିତ୍ରତାକୁ କେବେ ବିବେଚନା କରେ ନାହିଁ । ତେଣୁ ବିଜ୍ଞାନର ଘଟଣା ପ୍ରତି ସମ୍ମାନପ୍ରଦର୍ଶନ କରୁ ନ ଥିବା ଲୋକମାନେ ଆଧ୍ୟାତ୍ମିକ ନାମଧାରୀ, ଭୌତିକ ବସ୍ତୁଗୁଡ଼ିକୁ ମାନି ଚଳନ୍ତି । ଏହା କିନ୍ତୁ ଯଥାର୍ଥ ମନୋଭାବ ନୁହେ; ସେହି ଲୋକମାନଙ୍କୁ କୌଣସି କାମ କରିବାକୁ ଦିଆଗଲା ସେମାନେ କେବେ ନିଜର ସ୍ୱାଧୀନ ଇଚ୍ଛାନୁସାରେ ତାହା କରିବାକୁ ସମର୍ଥ ହେବେ ନାହିଁ । ସବୁବେଳେ ମିଥ୍ୟା ଛଳନା କରି ପ୍ରଭୁର ଆଦେଶକୁ ଅପେକ୍ଷା କରିବେ ।

 

କୂଅର ପ୍ରସଙ୍ଗକୁ ପୁଣି ଫେରିଯିବା । ମୁସଲମାନର ଜଳପାତ୍ର ଜଳକୁ ଅପବିତ୍ର ନ କରି ଦୂଷିତ କରେ ଏପରି ପ୍ରସଙ୍ଗ ଉତ୍‌ଥାପିତ ହେଲେ ସେ ସଂପର୍କରେ ତର୍କ ଚଳିବା ସମ୍ଭବ । ସେତେବେଳେ ହିନ୍ଦୁ ଓ ମୁସଲମାନମାନଙ୍କର ବ୍ୟବହୃତ ଜଳପାତ୍ରର ପରିଚ୍ଛନତା, ସେମାନଙ୍କର କୂଅର ପରିଚ୍ଛନ୍ନତା, ଉଭୟ ଗୋଷ୍ଠୀ ବାସ କରୁଥିବା ଅଞ୍ଚଳର ସାଧାରଣ ଅବସ୍ଥା ସଂପର୍କିତ ସକଳ ଘଟଣାର ଏକ ତୁଳନାମୂଳକ ପରୀକ୍ଷା ଯଥାକ୍ରମେ ଆବଶ୍ୟକ ହୁଅନ୍ତା ।

 

ପୁଣି ଅପବିତ୍ରତା ହେଉଛି ଅନ୍ତରର । ଅର୍ଥାତ ତାହା ଏକ ଆଧ୍ୟାତ୍ମିକ ପ୍ରସଙ୍ଗ । କିନ୍ତୁ ଅପରିଚ୍ଛନତା ହେଉଛି ବାହାରର, ଅର୍ଥାତ ଏକ ସ୍ୱାସ୍ଥ୍ୟସମ୍ବନ୍ଧୀୟ ସମସ୍ୟା ଏବଂ ସ୍ୱାସ୍ଥ୍ୟ ସଂପର୍କାୟ ପନ୍ଥାନୁସରଣ ଦ୍ୱାରା ତାହାର ପ୍ରତିକାର ମଧ୍ୟ କରାଯାଇ ପାରେ । ଜଳ କୁମ୍ଭକୁ ପରିଚ୍ଛନ୍ନ କରି ରଖିବାର ଦାୟିତ୍ୱ ହିନ୍ଦୁ ଓ ମୁସଲମାନ ଉଭୟଙ୍କର ଏବଂ ପରସ୍ପରର କୂପ ସେମାନେ ଯଦି ବ୍ୟବହାର କରନ୍ତି, ତାହା ହେଲେ ଏହି କର୍ତ୍ତବ୍ୟ ଉତ୍ତମ ଭାବେ ପାଳିତ ହୋଇ ପାରବ, କିନ୍ତୁ ଅପରିଚ୍ଛନ୍ନତାକୁ ଅପବିତ୍ରତା ସହିତ ସମାନ କରି ଗୋଟିଏ ସ୍ୱାସ୍ଥ୍ୟ ସମସ୍ୟକୁ ଆଧ୍ୟାତ୍ମିକ ପ୍ରଶ୍ନରୂପେ ବିବେଚନା କରିବା ଦ୍ୱାରା ଆମେ ପ୍ରଥମେ ନିଜର ବୃଦ୍ଧିବୃତ୍ତିକୁ ମ୍ଳାନ କରିଦେଇଥାଉଁ ଏବଂ ପରେ ତଜ୍ଜନିତ ନିର୍ବୋଧତାକୁ ନିଜର ଲକ୍ଷ୍ୟସିଦ୍ଧି ପାଇଁ ବ୍ୟବହାର କରିଥାଉଁ । ଏହି ଧରଣର ବୁଦ୍ଧିଗତ ଭୀରୁତାରୁ ନିଜକୁ ଉଦ୍ଧାର କରିବା ପାଇଁ ଆମକୁ ଇଉରୋପୀୟ ଚିନ୍ତାନାୟକ ଓ ବୈଜ୍ଞାନିକମାନଙ୍କର ସାହାଯ୍ୟ ଗ୍ରହଣ କରିବାକୁ ପଡ଼ିବ । କେବଳ ପାଶ୍ଚାତ୍ୟର ବୋଲି ଯଦି ଆମେ ପାଶ୍ଚାତ୍ୟ ବିଜ୍ଞାନ ପ୍ରତି ବିପକ୍ଷତା ପ୍ରଦର୍ଶନ କରୁ, ତାହାହେଲେ ତାହା ଶିକ୍ଷା ଦେଉଥିବା ନୀତିସବୁ ଗ୍ରହଣ କରିବାରୁ ସେ ବଞ୍ଚିତ ହେବୁ ତାହା ନୁହେ, ତଦ୍ଦ୍ୱାରା ଆମ ପ୍ରାଚ୍ୟ ଆଧ୍ୟତ୍ମିକତାର ଅବନତ ପାଇଁ ମଧ୍ୟ ଆମେ ଦାୟୀ ହେବୁ ।

 

ମୁଁ ଦେଖି ପାରୁଛି ଯେ ବିବାଦର ସୀମା ପ୍ରାୟ ସ୍ପର୍ଶ କରିଛି । ମୋତେ ମଧ୍ୟ ପଚରା ଯାଇପାରେ - ‘‘ୟୁରୋପୀୟମାନେ ବର୍ବର ଜୀବନ ଯାପନ କରୁଥିବା ସମୟରେ ଭାରତୀୟମାନେ ଉନ୍ନତ ସଭ୍ୟତାର ଅଧିକାରୀ ହେଇଥିବା କଥା କ’ଣ ସତ୍ୟ ନୁହେଁ ? ଯୁରୋପୀୟମାନେ ପଶୁଚର୍ମ ପରିଧାନ କରି ଜଙ୍ଗଲରେ ଶିକାର କରୁଥିବା ବେଳେ ଭାରତୀୟମାନେ କ’ଣ ଉଚ୍ଚକୋଟୀର ଜୀବନଯାପନ କରୁଥିଲେ ? ୟୁରୋପୀୟମାନେ ଲୁଣ୍ଠନବୃତ୍ତି ଅବଲମ୍ବନ କରି ଜଳଦସ୍ୟୁର ଜୀବନ ସମୁଦ୍ରରେ କଟାଉଥିବାବେଳେ କ’ଣ ଭାରତୀୟମାନେ ଉତ୍ତମ ଶାସନ ବ୍ୟବସ୍ଥାର ନୀତି ଆବିଷ୍କାର କରି ନ ଥିଲେ ?’’ ସେ ସମସ୍ତ ସତ୍ୟ ବୋଲି ଆଜି ମୁଁ ସ୍ୱୀକାର କରୁଛି । କିନ୍ତୁ ମୁଁ କହୁଛି ଯେ ଭାରତୀୟମାନେ ୟୁରୋପୀୟମାନଙ୍କ ଅପେକ୍ଷା ପ୍ରାଧାନ୍ୟ ଅର୍ଜନ କରିଥିବାର କାରଣ ହେଉଛି ଯେ ସେମାନେ ଅଧିକ ପରିମାଣରେ ବିଜ୍ଞାନର ଅଧିକାରୀ । କେବଳ ବିଜ୍ଞାନର ଅଧିକତର ବଳର ଅଧିକାରୀ ହେବା ଫଳରେ ହିଁ ମନୁଷ୍ୟ ପଶୁଚର୍ମ ପରିଧାନ କରିବା ସ୍ତରରୁ ତନ୍ତବୁଣା । ସୂକ୍ଷ୍ମବସ୍ତ୍ର ପରିଧାନ କରିବା ସ୍ତରକୁ ଆଜି ଉନ୍ନୀତ । ପଶୁ ଶିକାର କରି ଖାଦ୍ୟ ସଂଗ୍ରହ କରିବା ଅବସ୍ଥାରୁ କୃଷି ଦ୍ୱାରା ଖାଦ୍ୟ ସଂଗ୍ରହ କରିବା ଅବସ୍ଥାରେ ଆଜି ଉପସ୍ଥିତ ଏବଂ ଦସ୍ୟୁବୃତ୍ତିର ସ୍ତରରୁ ଆଜି ଉତ୍ତମ ଶାସନ ବ୍ୟବସ୍ଥାର ସ୍ତରକୁ ସମ୍ମୁନ୍ନୀତି କିନ୍ତୁ ଅବସ୍ଥାରେ ଗତି ଆଜି କାହିଁକି ବିପରୀତମୁଖୀ ଏବଂ ୟୁରୋପୀୟମାନେ ଭାରତୀୟମାନଙ୍କ ଅପେକ୍ଷା ଅଧିକ ପ୍ରତିଷ୍ଠାର ଅଧିକାର । ତାହାର କାରଣ ନିୟତି ସୃଷ୍ଟ ନୁହେ, ଏହାର କାରଣ ହେଉଛି, ଯେ ୟୁରୋପୀୟଗଣ ବିଜ୍ଞାନକୁ ଅଧିକ କରାୟତ୍ତ କରି ପାରିଛନ୍ତି । ସେଥିପାଇଁ ଭାରତୀୟମାନେ ୟୁରୋପୀୟମାନଙ୍କ ସହିତ ଯଦି ପ୍ରତିଦ୍ୱନ୍ଦିତା କରିବାକୁ ଚାହାନ୍ତି, ତାହାହେଲେ ତାଙ୍କୁ ବିଜ୍ଞାନ ପକ୍ଷରେ ପ୍ରତିଦ୍ୱନ୍ଦୀ ହେବାକୁ ପଡ଼ିବ । ଭାରତର ସମସ୍ୟା ହେଉଛି ମୌଳିକଭାବେ ଏକ ଶିକ୍ଷା ସମସ୍ୟା ଏବଂ ଏହାର ସମାଧାନ ପାଇଁ ଭାରତୀୟମାନେ ୟୁରୋପୀୟ ଚିନ୍ତାଜୀନୀ ଓ ବୈଜ୍ଞାନିକମାନଙ୍କର ସାହାଯ୍ୟ ଗ୍ରହଣ କରିବା ଆବଶ୍ୟକ । ଏହି ପର୍ଯ୍ୟନ୍ତ ଆସି ଆଉଗୋଟିଏ ପ୍ରଶ୍ନ ଦ୍ୱାରା ମୋର ଗତିରୁଦ୍ଧ ହେବାର ସମ୍ଭାବନା ରହିଛି । ସେ ପ୍ରଶ୍ନ ହେଉଛି–‘‘ଆଚ୍ଛା ତୁମ କଥା ସବୁ କିଛି ଶୁଣାଗଲା, କିନ୍ତୁ ତୁମେ ଭ୍ରମଣ ସମୟରେ ପାଶ୍ଚାତ୍ୟର ଯେଉଁ ଶକ୍ତି ଆତ୍ମପ୍ରକାଶ କରିଥିବାର ତୁମେ ଲକ୍ଷ୍ୟ କଲ, ତାହା କ’ଣ ତୁମକୁ ସନ୍ତୁଷ୍ଟ କଲା ?’’

 

‘‘ନାଁ, ଏହା ମୋତେ ସନ୍ତୁଷ୍ଟ କରି ନ ଥିଲା ।’’ ମୁଁ ଲକ୍ଷ୍ୟ କରିଥିଲି ଯେ ପାଶ୍ଚାତ୍ୟ ଜଗତ ପ୍ରାଚୁର୍ଯ୍ୟ ମଧ୍ୟରେ ଗତି କରୁଛି ସତ, କିନ୍ତୁ ସେ ସୁଖୀ ନୁହେ । ଅସୀମ ଐଶ୍ୱର୍ଯ୍ୟର ଦେଶ ଆମେରିକାରେ ମୁଁ କ୍ରମାଗତ ସାତ ମାସ କାଳ ଅଖଣ୍ଡଭାବରେ ରହିଥିଲି । ମୋତେ ମାଡ଼ି ପଡ଼ୁଥିବା ଆକାଶଚୁମ୍ବୀ ପଇଁତିରିଶ ମହଲାରେ ଗୋଟିଏ ହୋଟେଲଖାନାର ବାତାୟନ ପାର୍ଶ୍ୱରେ ପ୍ରତିଦିନ ବସି ଆମର ଲକ୍ଷ୍ମୀ ଓ କୁବେରଙ୍କ ମଧ୍ୟରେ ଥିବା ପାର୍ଥକ୍ୟ ବିଷୟରେ ଚିନ୍ତା କରୁଥିଲି । ଲକ୍ଷ୍ମୀ ମଙ୍ଗଳଦାନ କରିଥାନ୍ତି ଏବଂ ତଦ୍ଦ୍ୱାରା ଆମର ଐଶ୍ୱର୍ଯ୍ୟ ହୁଏ ଲାବଣ୍ୟଯୁକ୍ତ । କୁବେର ଧନଲାଭ–ବର ପ୍ରଦାନ କରିଥାନ୍ତି ଏବଂ ତାହା ଫଳରେ ଐଶ୍ୱର୍ଯ୍ୟ ହୁଏ ବହୁଗଣିତ, କିନ୍ତୁ ତାହାର କୌଣସି ଚରମଲକ୍ଷ୍ୟ ନ ଥାଏ । ଦୁଇରେ ଦୁଇ ଗୁଣିଲେ ହୁଏ ଚାରି ଚାରିକୁ ଦୁଇରେ ଗୁଣିଲେ ହୁଏ ଆଠ- ଗଣିତର ସଂଖ୍ୟା ବେଙ୍ଗ ଡେଇଁଲା ଭଳି ଏହିଭଳି ବଢ଼ି ବଢ଼ି ଚାଲିଥାଏ । ଏହିପରି ଭାବରେ ଉନ୍ମଦଗ୍ରସ୍ତ ହୋଇ ମନୁଷ୍ୟ କେବଳ ଏହି ଚିନ୍ତାର ଉତ୍ତେଜନା ଦ୍ୱାରା ନିଜର ରକ୍ତରେ ଆଗ୍ନେୟସ୍ଫୁଲିଙ୍ଗ ସୃଷ୍ଠି କରିବା ପର୍ଯ୍ୟନ୍ତ ଅଧିକରୁ ଅଧିକତର ସଂଚୟ କରି ଚାଲିଥାଏ ଯେଉଁମାନେ ଏ ଉତ୍ତେଜନାର ବଶବର୍ତ୍ତୀ ନୁହନ୍ତି, ସେମାନେ ମୋ ଦୃଷ୍ଟାନ୍ତଙ୍କୁ କିପରି ଗ୍ରହଣ କରିବେ ତାହା ତୁମେ ଲକ୍ଷ୍ୟ କରିବ ।

 

କେତେବର୍ଷ ତଳେ ଏକ ଶାରଦୀୟ ପୂର୍ଣ୍ଣମା ରାତ୍ରିରେ ନଦୀ ଗର୍ଭରେ ମୁଁ ମୋ ନିଜ ଗୃହତରୀର ବାତାୟନ ପାର୍ଶ୍ୱରେ ବସିଥିଲେ । ତୀରର ବହୁ ଦୂରରେ ଉତ୍ତରାଞ୍ଚଳର କେତେକ ନାଉରୀ ତାଙ୍କର ଢୋଲ ଓ କରତାଳି ସାହାଯ୍ୟରେ ଆନନ୍ଦ ଅନୁଭବ କରୁଥିଲେ ଏବଂ ସ୍ୱରର ସଙ୍ଗୀତ ଅପେକ୍ଷା ସେମାନେ ତାଙ୍କର ବାହୁବଳ ଅଧିକ ମାତ୍ରାରେ ପ୍ରଦର୍ଶନ କରୁଥିଲେ । ସନ୍ଧ୍ୟା ଆଗେଇଯାଇ ମଧ୍ୟ ରାତ୍ରି କ୍ରମଶଃ ଘନେଇ ଆସୁଥିବା ସଙ୍ଗେ ସେମାନଙ୍କର କୋଳାହଳ ଅଧିକତର ଦ୍ରୁତ ଓ ମୁଖର ହେଉଥିଲା, କିନ୍ତୁ ତଥାପି ସେ କୋଳାହଳର ବିରାମ ଘଟୁ ନ ଥିଲା । ସେମାନେ କାହିଁକି ତାହା ବନ୍ଦ କରୁ ନ ଥିଲେ ? ଗୀତ ଯଦି ସେଠାରେ ଥାନ୍ତା, ତାହାହେଲେ ଗୋଟିଏ ସ୍ୱାଭାବିକ ମଧ୍ୟ ଦେଖାଯାଇଥାନ୍ତା । ବିଶୃଙ୍ଖଳ ଛନ୍ଦର ଗତିଅଛି ସତ କିନ୍ତୁ ବିଶ୍ରାମ ନାହିଁ, ଉତ୍ତେଜନା ଅଛି କିନ୍ତୁ ପରିତୃପ୍ତି ନାହିଁ । ମୁଁ ଯନ୍ତ୍ରଣାରେ ଚିତ୍କାର କରୁଥିବା ସମୟରେ ଏହି ଛନ୍ଦ ପାଗଳଦଳ ମଧ୍ୟ ରାତ୍ରି ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ତାଙ୍କର ମଦ୍ୟୋତ୍ସବର ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରୁଥିଲେ । ଆଟ୍‌ଲାଣ୍ଟିକର ଅପର ପାର୍ଶ୍ୱରେ ଇଷ୍ଟକ ଓ ପ୍ରସ୍ତର ନିର୍ମିତ ଅରଣ୍ୟାନୀ ମଧ୍ୟରେ ମୋର ରୁଗ୍ନ ହୃଦୟ ଠିକ୍ ଏହିଭଳି ଚିତ୍କାର କରି କହୁଥିଲା, ‘‘ଏଠାରେ ସେମାନେ ବିରାଟ କୋଳାହଳ ସୃଷ୍ଟି କରୁଛନ୍ତି ସତ କିନ୍ତୁ ସେମାନଙ୍କର ସଙ୍ଗୀତ କାହିଁ ? ?’’ ‘‘ମୁଁ ଅଧିକ ଚାହେଁ, ଅଧିକ ଚାହେଁ’’–ଏହା ଦ୍ୱାରା କେବେ ସଙ୍କୀତର ତାନ ସୃଷ୍ଟି ହୋଇ ନ ପାରେ । ସେଥିପାଇଁ ଆମେରିକାର ଆକାଶଚୁମ୍ବୀ ଓ ଭୀତିପ୍ରଦ ଐଶ୍ୱର୍ଯ୍ୟର ସମ୍ମୁଖରେ ଛିଡ଼ା ହୋଇ ଦରିଦ୍ର ଓ ବିନୀତ ଭାରତର ଜଣେ ସନ୍ତାନ ସଂଶୟ ଭିତରେ ବୁଡ଼ି ରହି ପ୍ରତିଦିନ ନିଜକୁ ପ୍ରଶ୍ନ କରୁଥିଲା, ‘‘ଏହାପରେ ପୁଣି କ’ଣ ?’’

 

ମୁଁ ବାରମ୍ବାର କହିବି ଯେ ମୁଁ କେବେ ସଂଯମର ପୋଷାକ ତଳେ ଥିବା ଶୂନ୍ୟତାକୁ ସମର୍ଥନ କରେ ନା । ମୁଁ ବିଶ୍ୱାସ କରେ ଯେ ସଙ୍ଗୀତ ଯଦି ପ୍ରାଣସ୍ପର୍ଶୀ ହୁଏ, ତାହାହେଲେ ସ୍ୱର ଓ ଛନ୍ଦ ଶୃଙ୍ଖଳିତ ହୋଇଥାନ୍ତା ଏବଂ ରୂପେ ସଂଯମ ଭାବପୂର୍ଣ୍ଣତାର ପରିଚାୟକ ହୋଇଥାଏ । ମଦ୍ୟୋତ୍ସବର କୋଳାହଳ ମଧ୍ୟରେ ସଂଯମର କୌଣସି ପ୍ରଶ୍ନ ନ ଥାଏ । ଅନ୍ତରରେ ଯଦି ପ୍ରକୃତ ଅନୁଭୂତି ଥାଏ, ତାହାହେଲେ ତାହାର ଅଭିବ୍ୟକ୍ତି ଶୁଦ୍ଧ ଓ ସଂଯତ ହେବାକୁ ବାଧ୍ୟ । ଶୁଦ୍ଧତାର ସଂଯମ ହିଁ ହେଉଛି ତପସ୍ୟା । ଧନ ଲକ୍ଷ୍ମୀଙ୍କ ସହିତ ଐଶ୍ୱର୍ଯ୍ୟ-ଅଭିଳାଷହୀନ ତ୍ୟାଗୀ ଦେବତାର ମିଳନ ହେଉଛି ପ୍ରକୃତ ମିଳନ । ଜାପାନରେ ମୁଁ କିଛିକାଳ ରହିଥିଲି ଓ ଜାପାନର ପ୍ରାଚୀନ ସଂସ୍କୃତି ଦେଖି ମୁଁ ଅତ୍ୟନ୍ତ ସନ୍ତୋଷଲାଭ କରିଥିଲି । କୌଣସି ଅତିରଞ୍ଜନ ବା ଆଧିକ୍ୟର ନିର୍ଦଶନ ନ ଥାଇ ଗଭୀରଭାବେ ଉପଳବ୍ଧି କରିଥିବା ଜୀବନରେ ସୌନ୍ଦର୍ଯ୍ୟ ଚେତନାର ତାହା ଏକ ପ୍ରାମାଣିକ ଅଭିବ୍ୟକ୍ତି । ଜାପାନୀମାନଙ୍କର ପ୍ରାଚୀନ ପୋଷାକ ପରିଚ୍ଛଦ ଓ କ୍ରୀଡ଼ାକୌଶଳ, ଗୃହ ଓ ଆସବାବପତ୍ର, ରାଜକୀୟ ବ୍ୟବହାର ଓ ଧାର୍ମିକ ଅନୁଷ୍ଠାନ ପଦ୍ଧତି ଦେଖି ମୋର ମନେ ହୋଇଥିଲା ଯେ ସବୁକିଛି ଏକ ବିରାଟ ଚିନ୍ତାର ମିଳନ ସୂତ୍ରରେ ଗ୍ରଥିତ । ଏହି ଐକଚେତନା ଯୋଗୁ ହିଁ ସେମାନଙ୍କର ଶିଳ୍ପସୃଷ୍ଟି ଏତେ ବିଚିତ୍ର ଓ ମନୋଜ୍ଞ ଅଭିବ୍ୟକ୍ତି ଲାଭ କରିଥିଲା । ଠିକ୍‌ ବାହୁଲ୍ୟ ଭଳି ଶୂନ୍ୟତା ମଧ୍ୟ ଫଳହୀନ ଏବଂ ପ୍ରାଚୀନ ଜାପାନୀ ସଂସ୍କୃତିର ଯେଉଁ ବିଭାଗ ମୋତେ ସବୁଠୁ ବେଶୀ ଆକୃଷ୍ଟ କରିଥିଲା ତାହା ଶୂନ୍ୟତା ବା ବାହୁଲ୍ୟ ନୁହେ—ତାହା ହେଉଛି ପରିପୂର୍ଣ୍ଣତା, ହୃଦୟର ଏହି ପରିପୂର୍ଣ୍ଣତା ଯୋଗୁ ହିଁ ମନୁଷ୍ୟ ତାର ବନ୍ଧୁମାନଙ୍କୁ ଦ୍ୱାରଦେଶରୁ ତଡ଼ିଦେବା ପରିବର୍ତ୍ତେ ଗୃହକୁ ନିମନ୍ତ୍ରଣ କରିଆଣି ଆତିଥ୍ୟ ପ୍ରଦାନ କରିଥାଏ । ଆଧୁନିକ ଜାପାନକୁ ମୁଁ ମଧ୍ୟ ଲକ୍ଷ୍ୟ କରିଛି ଏବଂ ମୋର ଜୋତ୍ସ୍ନାବିଧୌତ ରଜନୀକୁ ଅପମାନିତ କରିଥିବା ସେଇ ପାହାଡ଼ିଆ ଅଞ୍ଚଳର ନାଉରୀଆମାନଙ୍କ ଭଳି କେତେକ ଆଧୁନିକ ଜାପାନୀଙ୍କର ମଦୋନ୍ନତ କୋଳାହଳ ମଧ୍ୟ ଶୁଣିଛି । ଏଥିପାଇଁ ଯେ ମୁଁ ରେଲପଥ ଓ ତାରବାର୍ତ୍ତା ବିନିମୟ, ଯନ୍ତ୍ର ଓ କଳକାରଖାନା ଉଠାଇଦେବା ସପକ୍ଷରେ ଯୁକ୍ତି କରୁଛି—ତା’ ନୁହେ, ସେମାନଙ୍କର ଆବଶ୍ୟକତା ରହିଛି –କିନ୍ତୁ ଆମକୁ ସେମାନେ କୌଣସି ବାର୍ତ୍ତାଦେବାକୁ ଅକ୍ଷମ । ବିଶ୍ୱର କୌଣସି ତାନ ସହିତ ପ୍ରତିଧ୍ୱନି ତୋଳିବାକୁ ବା ହୃଦୟର କୌଣସି ଆହ୍ୱାନ ପ୍ରତି ଉତ୍ତର ଦେବାକୁ ସେମାନେ ଅସମର୍ଥ । ମଣିଷ ଯେତେବେଳେ ତା’ର ଅଭାବ ଦ୍ୱାରା କେବଳ ପ୍ରଣୋଦିତ ହୁଏ, ସେତେବେଳେ ତା’ର ଅଭାବର ପରିପୁରଣ ପାଇଁ ସେ ଅସ୍ତ୍ରଶସ୍ତ୍ର ନିର୍ମାଣ କରିଥାଏ । ତାହା ପରିପୂର୍ଣ୍ଣ ହେବା ପରେ ସେ ନିଜର ଅମୃତଆତ୍ମାକୁ ପ୍ରକାଶ କରେ । ଅଭାବ ଓ ଅସ୍ତ୍ରଶସ୍ତ୍ରର ପୃଥିବୀ ଅନ୍ୟର ମୂଲ୍ୟ ବିନିମୟରେ କେବଳ ଈର୍ଷା ଓ ପରଶ୍ରୀକାତରତା, ପ୍ରାଚୀର ଓ ପ୍ରହରୀ ଏବଂ ଆତ୍ମସ୍ଫୀତି ସୃଷ୍ଟି କରିଥାଏ; ଫଳରେ ଏହାର ଅବଶ୍ୟମ୍ଭାବୀ ପରିଣତି ହୁଏ ଯୁଦ୍ଧ । କିନ୍ତୁ ଯେଉଁ ପୃଥିବୀରେ ମନୁଷ୍ୟ ନିଜର ଆତ୍ମପ୍ରକାଶ ଦ୍ୱାରା ଅମୃତସର ଆସ୍ୱାଦନ କରେ ତାହା ଶାନ୍ତି, ମୈତ୍ରୀ ଓ କରୁଣା ବିତରଣ କରିଥାଏ । ବିଜ୍ଞାନର କଞ୍ଚିକାଠି ସାହାଯ୍ୟରେ ଇଉରୋପ ଯେତେବେଳେ ବିଶ୍ୱର ରହସ୍ୟ-ଦ୍ୱାରା ଉଦ୍‌ଘାଟନ କଲା, ଯେଉଁ ଦିଗକୁ ଦୃଷ୍ଟିପାତ କଲା ସେ ଦିଗରେ ସେ ନିର୍ଦ୍ଦିଷ୍ଟ ନିୟମ ଶୃଙ୍ଖଳା ଲକ୍ଷ୍ୟ କଲା । ସେଗୁଡ଼ିକ ସହିତ ନିୟମ ସମ୍ପର୍କ ସ୍ଥାପନ ଫଳରେ ମନେ ହେଉଛି, ଯେ ଇଉରୋପ ଏପରି ଏକ ଜିନିଷ ଦେଖିବାକୁ ଅକ୍ଷମ ହେଲା, ଯାହାକି ହେଉଛି ଏ ସମସ୍ତ ନିୟମର ଅତୀତ ଏବଂ ମାନବିକମୂଲ୍ୟବୋଧ ସହିତ ଗଭୀର ଭାବରେ ସଂଶ୍ଳିଷ୍ଟ । ଜଡ଼ଜଗତର ନିୟମଗୁଡ଼ିକର ବାସ୍ତବ ପ୍ରୟୋଗ ଦ୍ୱାରା ମନୁଷ୍ୟ ପାର୍ଥିବ ବିଜୟର ଅଧିକାରୀ ହୋଇପାରେ, କିନ୍ତୁ ମାନବିକତା ଦାବୀ କରୁଥିବା ଆହୁରୀ ଏକ ମହତ୍ତ୍ୱର ବିଷୟ ରହିଛି । ଚା’ ବଗିଚାର ଜଣେ ମ୍ୟାନେଜର ତା’ର କୁଲିମାନଙ୍କ ସମ୍ପର୍କରେ ନିର୍ଦ୍ଦିଷ୍ଟ ଆଇନଗୁଡ଼ିକୁ ପ୍ରୟୋଗ କଲେ ଅଧିକ ଓ ଉତ୍ତମ ଚା’ ଉତ୍ପାଦିତ ହୋଇଥାଏ, କିନ୍ତୁ ତାହାର ବନ୍ଧୁ ସମ୍ପର୍କ କ୍ଷେତ୍ରରେ କୌଣସି ନିୟମ କିମ୍ବା ସେ ସମ୍ବନ୍ଧରେ କୌଣସି ପ୍ରକାରର ପ୍ରଶ୍ନ ମଧ୍ୟ ନାହିଁ, ଚା’ ବଗିଚାରେ କୁଲିମାନଙ୍କ ପାଇଁ ଉଦ୍ଦିଷ୍ଟ ଆଇନ୍‌ ଜଡ଼ଜଗତର ନିୟମାବଳୀର ଅଂଶ ବିଶେଷ, କିନ୍ତୁ ବନ୍ଧୁତ୍ୱକୁ ଯଦି ସାର୍ବଜନୀନ ସତ୍ୟର ଅଂଶବିଶେଷ ବୋଲି ସ୍ୱୀକାର କରା ନ ଯାଏ, ତାହାହେଲେ ମାନବିକତା ମ୍ଳାନ ହୋଇଥାଏ । ଯନ୍ତ୍ର ମଧ୍ୟରେ ଆମେ କେବେ ବନ୍ଧୁତ୍ୱର ଉଷ୍ଣତା ଅନୁଭବ କରି ପାରୁ ନା । ଯନ୍ତ୍ର ବ୍ୟତୀତ ଯଦି ଅଧିକ କିଛି ନ ଥାଆନ୍ତା, ତାହାହେଲେ ଆମର ଏହି ଉଷ୍ଣତାର ଅଭାବକୁ କିପରି ଆମେ ଚରିତାର୍ଥ କରି ପାରନ୍ତେ ? ବିଜ୍ଞାନ ପ୍ରତି ଅତିରିକ୍ତ ଧ୍ୟାନ ଯୋଗୁଁ ଇଉରୋପୀୟମାନେ ତାଙ୍କର ଆତ୍ମାକୁ ପୃଥକ୍‌ କରି ଗୋଟିଏ ସ୍ଥାନରେ ରଖିଥିବା ଭଳି ମନେହୁଏ ଏବଂ ବିଭିନ୍ନ କାର୍ଯ୍ୟର ପରିକଳ୍ପନାରେ ତାହାକୁ ସେମାନେ ଆଦୌ ସ୍ଥାନ ଦେଇ ନ ଥାନ୍ତି । ଆଧ୍ୟାତ୍ମିକତା ପ୍ରତି ଅତିରିକ୍ତ ତନ୍ମୟଭାବ ପ୍ରାଚ୍ୟଜଗତକୁ ମଧ୍ୟ ଦୁର୍ବଳ ଓ ଆଳସ୍ୟପରାୟଣ କରିଛି, କିନ୍ତୁ ତା’ ବୋଲି କଅଣ କୁହାଯାଇ ପାରିବ ଯେ ପାଶ୍ଚାତ୍ୟ ଜଗତର ଏକ ଦେଶଦର୍ଶୀ ଜଡ଼ବାଦ ତାକୁ ତାହାର ଆତ୍ମସିଦ୍ଧିର ଇପ୍ୱିତ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇ ଦେବାକୁ ସମର୍ଥ ହୋଇ ପାରିଛି ?

 

ଚା’ ବଗିଚାର କୁଲିମାନଙ୍କ ସହିତ ମ୍ୟାନେଜରଙ୍କ ସମ୍ପର୍କ ଭଳି ଯେଉଁମାନେ ବିଶ୍ୱ ସହିତ ସମ୍ପର୍କ ସ୍ଥାପନ କରିଥାନ୍ତି ସେମାନଙ୍କର କାର୍ଯ୍ୟ ଦକ୍ଷତା ବେଶ୍ ଉଚ୍ଚସ୍ତରର ହୋଇଥାଏ । ମ୍ୟାନେଜରକୁ ତା’ର ନ୍ୟାଯ୍ୟପ୍ରାପ୍ୟ ଦେବାକୁ ଯାଇ ଏହା ନିଶ୍ଚୟ ସ୍ୱୀକାର କରିବାକୁ ହେବେ ଯେ ସେ ତା’ର କର୍ତ୍ତବ୍ୟ ସୂଚାରୁରୂପେ ପାଳନ କରି ନିଜ ଲୋକମାନଙ୍କର ଯତ୍ନ ନେଉଛି । କଇଞ୍ଚି ଦ୍ୱାରା ସିଧାସଳଖ ଓ ପରିଷ୍କାର ଭାବରେ କଟାଯାଇଥିବା ଲୁଗାଖଣ୍ଡ ଭଳି, କୁଲିବସ୍ତିର ଘରଗୁଡ଼ିକୁ ଧାଡ଼ି ଧାଡ଼ି କରି ସଳଖ ଭାବରେ ଛିଡ଼ା କରାଇଛି ଏବଂ ଚିକିତ୍ସାଳୟ, ବଜାର ଓ ଏଇଭଳି ଅନ୍ୟାନ୍ୟ ବିଷୟର ଚମତ୍କାର ବ୍ୟବସ୍ଥା ମଧ୍ୟ ସେ କରିଦେଇଛି, କିନ୍ତୁ ତା’ର ଏହି ନୈର୍ବ୍ୟକ୍ତିକ ଦୟାର୍ଦ୍ରତା ତା’ର ଶାସନଦକ୍ଷତାର ଏକ ଅଙ୍ଗ ମାତ୍ର—ଏବଂ କୁଲିମାନଙ୍କର ତାହା କିଛି ଉପକାର କରୁଥିଲେ ମଧ୍ୟ ଏହା ତାହାର ଲାଭାଂଶ ବୃଦ୍ଧି କରିଥାଏ । ଏହା ଦ୍ୱାରା କେହି ବାସ୍ତବ ସୁଖର ଅଧିକାରୀ ହୋଇ ନ ଥାନ୍ତି ।

 

କେହି କଳ୍ପନା କରିବା ଉଚିତ୍ ନୁହେ ଯେ ମୋ ମନ ଭିତରେ ପ୍ରାଚ୍ୟ ଓ ପାଶ୍ଚାତ୍ୟର କେବଳ ଶାସିତ ଓ ଶାସକର ସମ୍ପର୍କ ବିଦ୍ୟମାନ । ପାଶ୍ଚାତ୍ୟ ଜଗତର ଅନ୍ତରତମ ପ୍ରଦେଶରେ ଏହି ଯନ୍ତ୍ରଧର୍ମ ଆଜିମାନବିକ ସହୃଦୟତା ମଧ୍ୟରେ ବିଭେଦରେ ପ୍ରାଚୀର ସୃଷ୍ଟି କରିଅଛି । କାଗଜ ଖଣ୍ଡକୁ ଯେପରି ଅଠା ଦ୍ୱାରା ଯୋଡ଼ି ଦିଆଯାଇଥାଏ ବା ବିଭିନ୍ନ କାଠ ଖଣ୍ଡକୁ ସ୍କୃକଣ୍ଟା ସାହାଯ୍ୟରେ ଏକତ୍ରିତ କରିଦିଆଯାଏ, ଠିକ୍‌ ସେହିଭଳି କୃତ୍ରିମ ଉପାୟରେ ମନୁଷ୍ୟ ମନକୁ ଏକତ୍ରିତ କରିବାର ଉଦ୍ୟମ ସହଜ ଭାବରେ ସୃଷ୍ଟି କରୁଥିବା ମନୁଷ୍ୟର ଗଭୀର ଆତ୍ମିକ ମିଳନର ସ୍ୱାଭାବିକ ଓ ସୃଜନାତ୍ମକବନ୍ଧନକୁ କୋହଳ କରିଦେଇଥାଏ ।

 

ସେ ଯାହାହେଉ, ମନୁଷ୍ୟକୁ ଯନ୍ତ୍ର ଭାବରେ ବ୍ୟବହାର କରି ପାଶ୍ଚାତ୍ୟ ଜଗତ ଯେ ବିପୁଳ ଐଶ୍ୱର୍ଯ୍ୟ ସ୍ତୂପୀକୃତ କରିଛି, ଏଥିରେ କୌଣସି ସନ୍ଦେହ ନାହିଁ । ଏହା ବାଣିଜ୍ୟସାମଗ୍ରୀ ସ୍ତୂପାକାରରେ ଉତ୍ପାଦନ କରିଛି; ବିଶ୍ୱବଜାରରେ ତାକୁ ବିକ୍ରି କରିଛି ଏବଂ ଆକାଶଚୁମ୍ବୀ ଅଟ୍ଟାଳିକା ନିର୍ମାଣ କରିଛି । ପୁଣି ସମାଜର ବିଭିନ୍ନ ଶ୍ରେଣୀ ମଧ୍ୟରେ ଏହା ଶିକ୍ଷା ବିସ୍ତାର କରିଛି; ସମସ୍ତଙ୍କ ପାଇଁ ଚିକିତ୍ସାଳୟ ଓ ପରୀକ୍ଷାଗାର ଜୀବିକାର୍ଜ୍ଜନର ପନ୍ଥା ସୁଗମ କରିଛି ଏବଂ ଅନ୍ୟ ବହୁ ପ୍ରକାରରେ ମାନବଜାତିର କଲ୍ୟାଣ ସାଧନ କରିଛି । ତା’ର କାରଣ ହେଉଛି ଯେ ବିଶ୍ୱର ବର୍ହିବିଭାବରେ ଯନ୍ତ୍ରର ଏକ ନିଜସ୍ୱ ବାସ୍ତବତା ରହିଛି, ତଥାପି ଏହାର ପୂଜାରୀଦଳ ଅତ୍ୟଧିକ ଆବିଷ୍ଟ ହୋଇ ଅଧିକରୁ ଅଧିକତର ଫଳ ଶୀଘ୍ର ଲାଭ କରିବାକୁ ସର୍ବଦା ଲାଳସୀ ଏବଂ ଯେତେ ଅଧିକ ପରିମାଣରେ ସେମାନେ ପ୍ରଲୋଭିତ ହୁଅନ୍ତି, ସେମାନଙ୍କର ସହବାସୀମାନଙ୍କୁ ନୀଚ କରିବାକୁ ସେମାନେ ସେତେ ଅଳ୍ପ କୁଣ୍ଠାବୋଧ କରିଥାନ୍ତି ।

 

ପ୍ରଲୋଭନ ହେଉଛି ଏକ ମନ୍ଦ ପ୍ରବୃତ୍ତି ଏବଂ ସେଥିପାଇଁ ତାହା ସୃଷ୍ଟି କରିବାକୁ ଅସମର୍ଥ-। ଏହା ଯଦି ଗୋଟିଏ ସଭ୍ୟତାର ଚାଳକଶକ୍ତି ହୁଏ, ତାହାହେଲେ ମନୁଷ୍ୟର ଆଧ୍ୟାତ୍ମିକ ବନ୍ଧନ ଶିଥିଳ ହୋଇ ପଡ଼ିଥାଏ । ଏହି ଧରଣର ସଭ୍ୟତା ଯେତେ ବେଶୀ ପରିମାଣରେ ପାର୍ଥିବ ଐଶ୍ୱର୍ଯ୍ୟ, ଶକ୍ତି ଓ ସମୃଦ୍ଧି ପ୍ରଦାନ କରିଥାଏ, ସେହି ପରିମାଣରେ ମନୁଷ୍ୟର ଆଧ୍ୟାତ୍ମିକଶକ୍ତି ବଳହୀନ ହୋଇପଡ଼ିଥାଏ ।

 

ଗୋଟିଏ ରେଖାରେ ଚିତ୍ର କେବେ ପ୍ରସ୍ତୁତ ହୋଇ ନ ଥାଏ; ସେଥିପାଇଁ ଲୋଡ଼ା ହୁଏ ବହୁ ରେଖାର ସମଷ୍ଟିଗତ ଐକ୍ୟ । ଛୋଟ ହେଉ ବା ବଡ଼ ହେଉ, ପ୍ରତ୍ୟେକଟି ରେଖା ପରସ୍ପର ସହିତ ସଂଶ୍ଳିଷ୍ଟ ଏବଂ ସେଗୁଡ଼ିକର ସୁଷମ ସମ୍ପର୍କ ଦ୍ୱାରା ହିଁ ଚିତ୍ର ପ୍ରସ୍ତୁତ ହୋଇଥାଏ । ମହମବୋଳା କନା ଉପରେ ଗୃହ ନିର୍ମାଣର ଯେଉଁ ନକ୍ସା ଅଙ୍କିତ ହୋଇଥାଏ, ତାହାକୁ କେହି କେବେ ଚିତ୍ର ବୋଲି କହି ନ ଥାଏ । ତାହାର ରେଖାଗୁଡ଼ିକ ଅନ୍ତରର ଭାବବନ୍ଧନ ଦ୍ୱାରା ସଂପର୍କିତ ନୁହନ୍ତି । ତାଙ୍କ ଭିତରେ ବୈଷୟିକ ଆବଶ୍ୟକତାର କେବଳ ଏକ ବହିରଙ୍ଗ ସଂପର୍କ ବିଦ୍ୟାମାନ । ଚିତ୍ର ହେଉଛି ସୃଜନଧର୍ମୀ, କିନ୍ତୁ ନକ୍ସା କେବଳ ମାତ୍ର ନିର୍ମାଣକ୍ଷମ ।

 

କୌଣସି ସମାଜରେ ମଧ୍ୟ ଯେତେବେଳେ ଲୋଲୁପ ବ୍ୟବସାୟୀ ବୁଦ୍ଧି ପ୍ରବଳ ହୁଏ, ତାହା ସେତେବେଳେ ଚିତ୍ରର କୌଣସି ଧର୍ମ ବହନ କରିବା ପରିବର୍ତ୍ତେ ଗୋଟିଏ ବିରାଟ ନକ୍ସାରେ ପରିଣତ ହୋଇଥାଏ ଏବଂ ତା’ର ଲୋକମାନଙ୍କ ମଧ୍ୟରେ ଭାବ ସଂପର୍କ ମଧ୍ୟ ଶିଥିଳ ହୋଇପଡ଼ିଥାଏ । ଏପରି ସମାଜରେ ଐଶ୍ୱର୍ଯ୍ୟ ହିଁ ହେଉଛି ରଥ ଓ ଧନିକ ବ୍ୟକ୍ତି ହିଁ ହେଉଛି ତା’ର ସାରଥି ଏବଂ ଏହି ରଥ ଦୃଢ଼ ଗ୍ରନ୍ଥିରେ ଯୋଗ ହୋଇଥିବା ସାଧାରଣ ଜନତା ଦ୍ୱାରା ପରିଚାଳିତ ହୋଇଥାଏ । ରଥଚକ୍ର ଯେତେବେଳେ ଧ୍ୱନି ସୃଷ୍ଟି କରି ଗଡ଼ି ଚାଲେ, ସେତେବେଳେ ସଭ୍ୟତା ପ୍ରଗତି କରୁଛି ବୋଲି ତାକୁ କୁହାଯାଇଥାଏ । ଧନଦେବତା କୁବେରଙ୍କର ଏହି ବିଜୟଯାତ୍ରା ମନୁଷ୍ୟକୁ ଆନନ୍ଦ କୈବଲ୍ୟ ବିତରଣ କରିଥାଏ, କାରଣ ଏ ପ୍ରକାରର କୁତ୍ସିତ ଦେବତା ପ୍ରତି ଜନତାର ପ୍ରକୃତ ସମ୍ମାନବୋଧ ନ ଥାଏ । ଲୋକମାନଙ୍କୁ କେବଳ ଏକ ବହିରଙ୍ଗ ସଂପର୍କରେ ବନ୍ଧନ ଦ୍ୱାରା ଏକତ୍ରିତ କଲେ, ସେମାନେ ବିଦ୍ରୋହ ପ୍ରକାଶ କରିଥାନ୍ତି । ଇଉରୋପର ଆକାଶକୁ ଆଚ୍ଛନ୍ନ କରିଥିବା ସାମାଜିକ ବିପ୍ଳବର ବାତାବରଣ ମଧ୍ୟରେ ଏହା ଆଜି ସ୍ପଷ୍ଟଭାବେ ପରିଲକ୍ଷିତ । ଧର୍ମର ଆତ୍ମିକ ସାଧନା ପ୍ରତି ଦୃଷ୍ଟି ନ ଦେଇ କେବଳ ବାହ୍ୟାଚାରର ବନ୍ଧନ ମଧ୍ୟରେ ପ୍ରାଚୀନଭାରତ ଲୋକମାନଙ୍କୁ ସମ୍ମେଳିତ କରିବାର ଉଦ୍ୟମ କରିଥିବାରୁ ସମାଜ ହୋଇଥିଲା ପ୍ରାଣହୀନ, ଏବଂ ଆଜି ଠିକ୍‌ ସେହିପରି ୟୁରୋପ ମଧ୍ୟ ନୈତିକ ଓ ଆଧ୍ୟାତ୍ମିକ ନୀତିର ବନ୍ଧନ ମଧ୍ୟରେ ଲୋକଙ୍କୁ ଏକତ୍ରିତ କରିବାକୁ ଚେଷ୍ଟା ନ କରି କେବଳ ସାମାଜିକ ଓ ଅର୍ଥନୀତିକ ସଂପର୍କ ଦ୍ୱାରା ଏକତାବଦ୍ଧ କରିବାକୁ ଚେଷ୍ଟା କରୁଛି । ଏହି ଉଭୟ ପନ୍ଥାରେ ମନୁଷ୍ୟର ଆତ୍ମା ଅବହେଳିତ ଓ ଅସ୍ୱୀକୃତ ଏବଂ ଆଧ୍ୟାତ୍ମିକ ସତ୍ୟ ସହିତ ଦୁଇଟିଯାକ ମାର୍ଗ ସଂପର୍କହୀନ ।

 

ଆଧ୍ୟାତ୍ମିକ ସତ୍ୟ ତା’ହେଲେ କଅଣ ? ଯୀଶୁଖ୍ରୀଷ୍ଟ କହିଥିଲେ ଯେ ଈଶ୍ୱର ଓ ସେ ହେଉଛନ୍ତି ଏକ । ପିତା ସହିତ ପୁତ୍ରର ଏହି ଯେଉଁ ଏକତାବୋଧ, ତାହା ହିଁ ହେଉଛି ପ୍ରକୃତ ଏକତା-। କିନ୍ତୁ ଚା’ ବଗିଚାର ମ୍ୟାନେଜର ଓ କୁଲିମାନଙ୍କ ମଧ୍ୟରେ ସଂପର୍କ ଯେଉଁ ଧରଣର ହେଉ ନା କାହିଁକି ତାହା ଯଥାର୍ଥ ଏକତାବୋଧ ନୁହେ ।

 

ୟୁରୋପୀୟ ସଭ୍ୟତାର ହୃଦୟ-ସିଂହାସନରେ ଯେଉଁ ଭୋଗଳାଳସା ଆଜି ଅଭିଷିକ୍ତ, ମୁଁ ତାହାକୁ ତୀବ୍ରଭାବେ ନିନ୍ଦା କରିଛି । ଭୋଗଳାଳସା କାହିଁକି ନିନ୍ଦନୀୟ ହେବା ଆବଶ୍ୟକ ? ଈଶୋପନିଷଦ୍‌ ଏହାର ଉତ୍ତର ଦେଇ କହିଛି ଯେ, ଏହା ଆମକୁ ସତ୍ୟ ଆଡ଼କୁ ପରିଚାଳିତ କରେ ନାହିଁ । ଯେଉଁ ଲୋକମାନେ ସତ୍ୟ ପ୍ରତି ଭ୍ରୂକ୍ଷେପ ନ କରି କେବଳ ଆନନ୍ଦ ହିଁ ଅନ୍ୱେଷଣ କରନ୍ତି, ତାଙ୍କୁ ମଧ୍ୟ ଉପନିଷଦ୍‌ କହିଛି, ‘‘ସକଳ ପ୍ରକାରେ ତୁମେ ଆନନ୍ଦର ସନ୍ଧାନ କର, କିନ୍ତୁ ସତ୍ୟ ବିନା ପ୍ରକୃତ ଆନନ୍ଦ ମିଳେ ନାହିଁ ।’’ ବର୍ତ୍ତମାନ ତା’ହେଲେ ପ୍ରଶ୍ନ ଉଠୁଛି; ‘‘ସେହି ସତ୍ୟ ତେବେ କ’ଣ ? ଏହାର ଉତ୍ତର ହେଉଛି ସମସ୍ତ ବିଶ୍ୱ ଯେ ପରମେଶ୍ୱରଙ୍କ ସତ୍ତା ଦ୍ୱାରା ଆଚ୍ଛନ୍ନ; ଏହି ଜ୍ଞାନ ହିଁ ହେଉଛି ସତ୍ୟ । ଏହି ପୃଥିବୀ ଯଦି ଚରମ ସତ୍ୟ ହୋଇଥାନ୍ତା ଓ ଏହି ପୃଥିବୀର ବାହାରେ ଅନ୍ୟ କିଛି ଯଦି ନ ଥାନ୍ତା, ତା’ହେଲେ ପାର୍ଥିବୀ ସାମଗ୍ରୀର ଅଧିକାର ହିଁ ମନୁଷ୍ୟର ଚରମକୃତି ଏବଂ ଭୋଗଲାଳସା ତା’ର ଆତ୍ମତୃପ୍ତିର ପ୍ରଧାନ ସମ୍ବଳରୂପେ ବିବେଚିତ ହେଉଥାନ୍ତା, କିନ୍ତୁ ଚରମ ସତ୍ୟ ହେଉଛି ଯେ ଈଶ୍ୱର ହିଁ ସବୁ ପୂରଣ କରନ୍ତି । ଏଥିରୁ ଏହା ସ୍ପଷ୍ଟ ଯେ ସେହି ସତ୍ୟର ଆତ୍ମୋପଲବ୍ଧି ହିଁ ମନୁଷ୍ୟର ହେଉଛି ଚରମ କୃତିତ୍ୱ । ଉପନିଷଦ୍‌ ପୁଣି କହେ ଯେ; ସତ୍ୟୋପଲବ୍ଧି କେବଳ ତ୍ୟାଗ ଦ୍ୱାରା ସମ୍ଭବ, ଭୋଗଲାଳସା ଦ୍ୱାରା ନୁହେ । ଐଶ୍ୱର୍ଯ୍ୟର ନଭଶ୍ଚୂମ୍ବୀ ଅଟ୍ଟାଳିକା ମଧ୍ୟରେ ଆମେରିକାରେ ମୁଁ ଯେଉଁ ସାତମାସ କଟାଇଥିଲି, ତା’ ମଧ୍ୟରେ ସେ ଦେଶ ବିପରୀତ ଦିଗରେ ଗତି କରୁଥିବାରୁ ଲକ୍ଷ୍ୟ କରିଥିଲି । ଉପନିଷଦ୍‌ ଯେଉଁ ତୁଚ୍ଛ ଓ ନଶ୍ୱର ଜଗତର କଥା କହିଛି, ତାହା ସେଠାରେ ପୂର୍ଣ୍ଣରୂପରେ ବିଦ୍ୟମାନ ଏବଂ ପରମେଶ୍ୱର ଯେ କି ସକଳ କିଛି ନିଜର ପରମ ସତ୍ତା ଦ୍ୱାରା ଆବୃତ କରନ୍ତି, ସେଠାରେ ସେ ଧନରଧୂଳି ଆସ୍ତରଣତଳେ ଆଚ୍ଛନ୍ନ ।

 

ଐଶ୍ୱର୍ଯ୍ୟ ବିଭେଦ ଆନୟନ କରିଥାଏ, କିନ୍ତୁ ସତ୍ୟ ପ୍ରଦାନ କରେ ଏକତା । ଆତ୍ମାକୁ ଉପବାସରେ ରଖି ଐଶ୍ୱର୍ଯ୍ୟ ନିଜର ପରିତୃପ୍ତ ଅସ୍ଥିର ଓ କ୍ଷୟକାରୀ ସଞ୍ଚୟ ମଧ୍ୟରେ ସର୍ବଦା ଅନ୍ୱେଷଣ କରିଥାଏ । ଅଧିକ ଲାଭ କରିବା ସଙ୍ଗେ ଲୋଭ ତୃଷ୍ଣା ମଧ୍ୟ ଅଧିକରୁ ଅଧିକତର ଭାବେ ବୃଦ୍ଧିଲାଭ କରେ ଏବଂ ଏହା ମନୁଷ୍ୟକୁ ଆନନ୍ଦ ବା ବିଶ୍ରାମ ଦେଇ ନଥାଏ ।

 

ତାହାହେଲେ ଚରିତାର୍ଥତା କେଉଁଠି ? ଏହି ପ୍ରଶ୍ନର ଉତ୍ତର ପ୍ରାଚୀନ ଭାରତର ଋଷିଗଣ ଦିନେ ପ୍ରଦାନ କରିଥିଲେ । ସେମାନେ କହିଥିଲେ ଯେ ଚରିତାର୍ଥତା କେବଳ ପରମ ଐକ୍ୟ ମଧ୍ୟରେ ନିହିତ । ଗଛରୁ ଆପେଲ୍‌ ପଡ଼େ—ଆମେ ତାକୁ ଏକ, ଦୁଇ, ତିନି, ଚାରି କରି ଗଣିଥାଉଁ, ଏହି ଆପେଲ୍‌ ପଡ଼ିବାର ଅନ୍ତବିହୀନ ସଂଖ୍ୟା ଗଣନା ମଧ୍ୟରେ ଆପେଲ ପଡ଼ିବାର ସତ୍ୟ ନିହିତ, ଏକଥା ଭାବି ଯେ ପ୍ରତ୍ୟେକ ସଂଖ୍ୟା ନିକଟରେ ଆସି ପହଞ୍ଚେ, ତାକୁ ତାର ମନ ଧକ୍ୱା ଦେଇ ପ୍ରଶ୍ନ କରେ, ‘ତତଃ କିମ୍ ?’ ସଂଖ୍ୟାଗଣନା ତା’ର ବନ୍ଦ ହେବା ନାହିଁ କିମ୍ବା ପ୍ରଶ୍ନର ଉତ୍ତର ମଧ୍ୟ ତାକୁ ମିଳିବ ନାହିଁ, କିନ୍ତୁ ଅସଂଖ୍ୟ ଆପେଲ୍‌ ପଡ଼ିବା ଯେଉଁ ମୁହୂର୍ତ୍ତରେ ଆକର୍ଷଣ ତତ୍ତ୍ୱର ସନ୍ଧାନ ଦିଏ, ସେଇ ମୁହୂର୍ତ୍ତରେ ଆମେ ସୁଖୀ ହେଉ, ପରିତୃପ୍ତି ମଧ୍ୟ ହୋଇଥାଉଁ ।

 

ଏତ ଗଲା ଆପେଲ୍‌ ପଡ଼ିବାର ସତ୍ୟ । ମନୁଷ୍ୟର ସତ୍ୟ ତାହାହେଲେ କେଉଁଠି ? ତା’ କଣ ଜନଗଣନା ରିପୋର୍ଟରେ ? ନା-ଏକ, ଦୁଇ, ତିନି, ଚାରି କରି ଗଣିବା ମଧ୍ୟରେ ? ମନୁଷ୍ୟର ସ୍ୱରୂପ ପ୍ରକାଶ କଣ ଅନ୍ତହୀନ ସଂଖ୍ୟା ମଧ୍ୟରେ ନିହିତ ?

 

ତା’ ନୁହେ, ମନୁଷ୍ୟର ଏହି ସ୍ୱରୂପ ପ୍ରକାଶର ତତ୍ତ୍ୱଟି ଉପନିଷଦ୍‌ କହୁଛି—

 

ଯସ୍ତୁ ସର୍ବାଣି ଭୂତାନି ଆତ୍ମନ୍ୟେବାନୂପଶ୍ୟତି ।

ସର୍ବଭୂତେଷୁ ଚାତ୍ମାନଂ ନ ତତୋ ବିଜୁଗୁପ୍‌ସତେ ।

 

ଅର୍ଥାତ୍‌ ଯେ ସର୍ବଭୂତକୁ ଆପଣା ସଦୃଶ ଦେଖନ୍ତି ଏବଂ ଆତ୍ମାକୁ ସର୍ବଭୂତ ମଧ୍ୟରେ ଲକ୍ଷ୍ୟ କରନ୍ତି, ସେ ପ୍ରଚ୍ଛନ୍ନ ହୋଇ ରହନ୍ତି ନାହିଁ । ଆପଣାକୁ ଆପଣା ମଧ୍ୟରେ ଯେ ବଦ୍ଧ କରେ ସେ ନିଜକୁ ଲୁପ୍ତ କରେ; ନିଜକୁ ସକଳ ମଧ୍ୟରେ ଯେ ଉପଲବ୍‌ଧି କରେ ସେ ହୁଏ ପ୍ରକାଶିତ । ମନୁଷ୍ୟତ୍ୱର ଏହି ପ୍ରକାଶ ଓ ପ୍ରଚ୍ଛନ୍ନତାର ଗୋଟିଏ ବିରାଟ ଦୃଷ୍ଟାନ୍ତ ଇତିହାସରେ ରହିଛି । ବୁଦ୍ଧଦେବ ମୈତ୍ରୀ ବୁଦ୍ଧିରେ ସକଳ ମନୁଷ୍ୟକୁ ଏକ କରି ଦେଖିଥିଲେ ଏବଂ ତାଙ୍କର ସେହି ଐକ୍ୟତତ୍ତ୍ୱ ଚୀନ୍‌କୁ ଅମୃତଦାନ କରିଥିଲା, କିନ୍ତୁ ଯେଉଁ ବଣିକ୍‌ଦଳ ଲୋଭ ପ୍ରେରଣାର ବଶବର୍ତ୍ତୀ ହୋଇ ଚୀନ୍‌କୁ ଆସିଲେ, ସେମାନେ ଚତୁଃର୍ଦ୍ଦିଗରେ ମୃତ୍ୟୁ ଓ ଧ୍ୱସଂର ବିଭୀଷିକା ସୃଷ୍ଟି କଲେ । ମନୁଷ୍ୟ କିପରି ଆତ୍ମପ୍ରକାଶ କରିଛି ଏବଂ କିପରି ଅବଲୁପ୍ତ ହୋଉଛି, ୟାଠୁଁ ବୋଧହୁଏ ଇତିହାସରେ ଆଉ ଅଧିକତର ଉଜ୍ଜ୍ୱଳ ଦୃଷ୍ଟାନ୍ତ ନାହିଁ ।

 

ମୋର ପାଠକମାନଙ୍କ ଚିତ୍ତରେ ଏହା କିପରି ପ୍ରତିକ୍ରିୟା ସୃଷ୍ଟି କରିବ, ତାହା ମୁଁ ଜାଣେ । ସେମାନେ କହିବେ, ‘‘ୟୁରୋପୀୟମାନଙ୍କ ବିଷୟରେ ଠିକ୍‌ ଏହି କଥା ହିଁ ତ ଆମେ ସବୁବେଳେ କହି ଆସୁଛୁଁ ଏବଂ ସେହି କାରଣରୁ ସେମାନଙ୍କ ସହିତ ଆମର କୌଣସି ସଂପର୍କ ସ୍ଥାପିତ ହୋଇ ନ ପାରେ । ସେମାନେ ଚରମଭାବେ ଉଦ୍ଧତ ଏବଂ ଏତେ ଭୋଗଲାଳସୀ ଯେ ପୃଥିବୀକୁ ଏକାଥରକେ ଗିଳି ଦେବାକୁ ଉଦ୍ୟତ । ସେମାନେ ପକ୍‍କା ଜଡ଼ବାଦୀ ଏବଂ ବୈଷୟିକ ଜ୍ଞାନର ଉପାସକ । ତେଣୁ ‘‘ୟୁରୋପୀୟ ବିଦ୍ୟା ବିଷବତ୍‌ପରିତ୍ୟଜ୍ୟ’’, ଏହା ମଧ୍ୟ ଏକ ଚରମ ବର୍ଜନର ପନ୍ଥା ଏବଂ ତା’ ସହିତ ଏହା ସାଧାରଣ ବୁଦ୍ଧି ଅଭାବର ପରିଚାୟକ ମଧ୍ୟ, ଏ ଧରଣର ଚିନ୍ତା ପ୍ରାଚୀନ ଭାରତରେ କେବେ ସମର୍ଥନ ପାଇ ନଥାନ୍ତା । ମହର୍ଷି ମନୁ ସେଥିପାଇଁ କହିଛନ୍ତି ଯେ ଜୀବନର ଦାୟିତ୍ୱକୁ ପରିହାର କରିବା ଦ୍ୱାରା ମନୁଷ୍ୟ କେବେ ଶୃଙ୍ଖଲାର ଅଧିକାରୀ ହୋଇ ନ ପାରେ; ବରଂ ସେହି କର୍ତ୍ତବ୍ୟକୁ ସଂପନ୍ନ କରିବାର ପ୍ରାତ୍ୟହିକ ଜ୍ଞାନାର୍ଜ୍ଜନ ମାଧ୍ୟମରେ ହିଁ ମନୁଷ୍ୟ ତାହାର ଅଧିକାରୀ ହୋଇଥାଏ । ଜୀବନର ଦାୟିତ୍ୱ ବସ୍ତୁଜଗତ ପ୍ରତି ଆମର ଦାୟିତ୍ୱବୋଧର ଅଂଶ ବିଶେଷ ଏବଂ ଅଧ୍ୟାତ୍ମ ଜଗତକୁ ଉନ୍ନୀତ ହେବାକୁ ହେଲେ, ଆମକୁ ତାହାରି ମାଧ୍ୟମରେ ହିଁ ଗତି କରିବାକୁ ପଡ଼ିବ । ତାକୁ ପ୍ରତ୍ୟାଖ୍ୟାନ କରିବା ପରିବର୍ତ୍ତେ ଆମେ ତାହା ଉର୍ଦ୍ଧ୍ୱାୟିତ କରିବା ଆବଶ୍ୟକ । ମହର୍ଷି ମନୁଙ୍କର ଏହି ମତ ଉପନିଷଦ୍‌ଦ୍ୱାରା ମଧ୍ୟ ସମର୍ଥିତ, ଉପନିଷଦ୍‌ କହେ ଯେ ବୈଷୟିକ ଜ୍ଞାନ ସାହାଯ୍ୟରେ ପ୍ରଥମେ ଆମକୁ ମୃତ୍ୟୁମୁଖରୁ ନିଜକୁ ଉଦ୍ଧାର କରିବାକୁ ପଡ଼ିବ । ଏହା ବୈଷୟିକ ଜ୍ଞାନ ଆଜି ୟୁରୋପୀୟ ଚିନ୍ତା ନାୟକ ଓ ବୈଜ୍ଞାନିକମାନଙ୍କର କରାୟତ୍ତ ଏବଂ ତାହା ଲାଭ କରିବାକୁ ହେଲେ ପ୍ରାଚ୍ୟର ଅଧିବାସୀମାନଙ୍କୁ ସେମାନଙ୍କର ସାହାଯ୍ୟ ଗ୍ରହଣ କରିବାକୁ ପଡ଼ିବ ।

 

ବସ୍ତୁଜଗତର ପୀଡ଼ନରୁ ଆତ୍ମାର ମୁକ୍ତି ସାଧନ ସହିତ ଆଧ୍ୟାତ୍ମିକ ସଂସ୍କୃତିର ଗୋଟିଏ ଦିଗ ସଂପର୍କିତ । ସଂସ୍କୃତିର ତାହା ହିଁ ହେଉଛି ମୂଳଭିତ୍ତି ଏବଂ ତାହା ପାଶ୍ଚାତ୍ୟ ଜଗତର ନିୟନ୍ତ୍ରଣାଧୀନ । ଏହା ଭିତ୍ତି ଯଦି ସୁଦୃଢ଼ଭାବରେ ସ୍ଥାପିତ ନ ହୁଏ, ତାହାହେଲେ ଅଧିକାଂଶ ଲୋକଙ୍କର ପ୍ରାୟ ସମସ୍ତ ଶକ୍ତି କ୍ଷୁଧାର ତାଡ଼ନାରେ ବସ୍ତୁର ଦାସ୍ୟବୃତ୍ତି ଅବଲମ୍ବନରେ ହିଁ ବ୍ୟୟିତ ହେବ । ସେଥିପାଇଁ ପଶ୍ଚିମ ଆଜି ପାଇଜାମା ଭିଡ଼ି ବାହାରିଛି ଏବଂ ହାତରେ କୋଡ଼ କାଂକ ଧରି ନଇଁପଡ଼ି ମାଟି ଖୋଳିବାରେ ଏତେ ବ୍ୟସ୍ତ ରହିଛି, ଯେ ଆକାଶ ଆଡ଼କୁ ଅନାଇବା ପାଇଁ ତାର ଫୁରସତ୍‌ ପ୍ରାୟ ନାହିଁ କହିଲେ ଚଳେ । ଏହି ଦୃଢ଼ ଭିତ୍ତି ଉପରେ ଉପର ମହଲା ନିର୍ମିତ ହେବାପରେ ପବନ ଓ ଆଲୋକପ୍ରେମୀଗଣ କୌଣସି ମାନସିକ କ୍ଳେଶ ବିନା ଜୀବନ ଧାରଣ କରିବାକୁ ସମର୍ଥ ହେବେ ।

 

ଆମର ପ୍ରାଚୀନ ଋଷିଗଣ କହିଥିଲେ ଯେ ଅଜ୍ଞତା ହେଉଛି ବନ୍ଧନ ଓ ଜ୍ଞାନ ହେଉଛି ମୁକ୍ତି । ଏହା କହିବା ସମୟରେ ସେମାନେ ଅବଶ୍ୟ ଅଧ୍ୟାତ୍ମ ଜଗତର କଥା ଚିନ୍ତା କରିଥିଲେ, କିନ୍ତୁ ବସ୍ତୁଜଗତ ପ୍ରତି ଏହା ସମଭାବରେ ପ୍ରଯୁଜ୍ୟ । ଏହି ବସ୍ତୁ ଜଗତର ନିୟମକାନୁନ୍‌ ଯେ ଜାଣିଛି ସେ ହେଉଛି ସ୍ୱାଧିନ ଏବଂ ଯେ ଜାଣେନା ସେ ହେଉଛି ଜଣେ କ୍ରୀତଦାସ ମାତ୍ର । ଏହି ବସ୍ତୁଜଗତ ଦ୍ୱାରା ଯେଉଁ ପ୍ରତିବନ୍ଧକ ସୃଷ୍ଟିହୁଏ ତାହା ହେଉଛି ମାୟା ଏବଂ ବିଜ୍ଞାନଦ୍ୱାରା ତାହାକୁ ଜୟ କରାଯାଇପାରେ । ସେହି ବସ୍ତୁଜଗତର ମୁକ୍ତି ଲାଭପାଇଁ ପାଶ୍ଚାତ୍ୟ ଜଗତର ମନୁଷ୍ୟ ଆଜି କ୍ଷୁଧା, ତୃଷ୍ଣା, ରୋଗ ଓ ଦାରିଦ୍ର୍ୟ ମୂଳରେ କୁଠାରାଘାତ କରୁଛି, ଏବଂ ସଂକ୍ଷେପରେ ମୃତ୍ୟୁମୁଖରୁ ଉଦ୍ଧାର କରିବାକୁ ଚେଷ୍ଟା କରୁଛି । ଅନ୍ୟପକ୍ଷରେ ପ୍ରାଚୀନ କାଳରେ ଆମର ଏହି ପ୍ରାଚ୍ୟଜଗତ ଆମକୁ କହିଥିଲା ଯେ ଅମୃତତତ୍ତ୍ୱର ଗୁପ୍ତ ରହସ୍ୟ ହେଉଛି ଆତ୍ମାନୁସନ୍ଧାନ । ସେଥିପାଇଁ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଉଭୟ ଯଦି ସମ୍ପର୍କହୀନ ହୁଅନ୍ତି, ତାହା ହେଲେ ଉଭୟ ଶେଷକୁ ବ୍ୟର୍ଥତା ମଧ୍ୟରେ ଉପନୀତ ହେବେ । ସେମାନଙ୍କର ଐକ୍ୟମନ୍ତ୍ର ଉପନିଷଦ୍‌ ମଧ୍ୟରେ ନିହିତ । ଉପନିଷଦ୍‌ କହିଛି ଯେ ଅଜ୍ଞତା ହିଁ ଆମକୁ ମୃତ୍ୟୁ ଆଡ଼କୁ ଏବଂ ଜ୍ଞାନ ଆମକୁ ଅମରତ୍ୱ ଆଡ଼କୁ ପରିଚାଳିତ କରିଥାଏ ଏବଂ ବସ୍ତୁଜଗତପାଇଁ ବିଜ୍ଞାନର ଯେପରି ଆବଶ୍ୟକତା ରହିଛି, ପରମାତ୍ମାଙ୍କୁ ଜାଣିବାପାଇଁ ଆଧ୍ୟତ୍ମିକତା ସେହିପରି ପ୍ରୟୋଜନ । ପ୍ରାଚ୍ୟ ଓ ପାଶ୍ଚାତ୍ୟର ଏକତାଦ୍ୱାରା ବୈଜ୍ଞାନିକ ଓ ଆଧ୍ୟାତ୍ମିକ ଜ୍ଞାନର ସମନ୍ୱୟ ପ୍ରତିଷ୍ଠିତ ହେବ । ସେମାନଙ୍କ ମଧ୍ୟରେ ଏକତା ପ୍ରତିଷ୍ଠିତ ହୋଇନଥିବାରୁ ପ୍ରାଚ୍ୟ ଆଜି ଦାରିଦ୍ର୍ୟପୀଡ଼ିତ ଓ ନିର୍ଜୀବ, ଏବଂ ପାଶ୍ଚାତ୍ୟ ସୁଖ ଓ ଶାନ୍ତିହୀନ, ଏହି ଐକ୍ୟତତ୍ତ୍ୱ ସମ୍ୱନ୍ଧରେ ମୋ କଥାକୁ ଭୁଲ ବୁଝିବାର ଆଶଙ୍କା ରହିଛି । ତେଣୁ ମୁଁ ତାକୁ ସ୍ପଷ୍ଟକରି କହୁଛି ଯେ, ଏକାକାର ହେବା ଏକହେବା ନୁହେ । ଯେଉଁମାନେ ସ୍ୱତନ୍ତ୍ର ସେହିମାନେହିଁ କେବଳ ଏକ ହୋଇ ପାରନ୍ତି । ପୃଥିବୀରେ ଯେଉଁମାନେ ପରଜାତିର ସ୍ୱାତନ୍ତ୍ର୍ୟ ଅପହରଣ କରିପାରନ୍ତି, ସେହିମାନେହିଁ ଅନ୍ୟଜାତିର ପରସ୍ପରର ସହଯୋଗିତାଭାବକୁ ଧ୍ୱଂସ କରିଥାନ୍ତି । ସାମ୍ରାଜ୍ୟବାଦୀ ଜାତିଗୁଡ଼ିକ ଅନ୍ୟଜାତିମାନଙ୍କୁ ଅଜଗରଭଳି ଗିଳିପକାନ୍ତି ଏବଂ ତାହାକୁ ସେମାନେ ଏକତା ଆଖ୍ୟା ଦେଇଥାନ୍ତି । ଯଦି ଆଧ୍ୟାତ୍ମିକତା ମଣିଷର ବୈଷୟିକ ସ୍ୱାର୍ଥକୁ ଆତ୍ମସାତ୍‌ କରେ ସେ ପରିଣତିକୁ ବସ୍ତୁ ଓ ଭାବରେ ସମନ୍ୱୟ ବୋଲି କୁହାଯାଇ ନ ପାରେ । ସେମାନେ ସ୍ୱତନ୍ତ୍ର ରହିବା ସତ୍ତ୍ୱେ ଯଦି ମିଳିତ ହୋଇ ପାରନ୍ତି, ତାହାହେଲେ ସେତେବେଳେ ହିଁ ତାକୁ ସମନ୍ୱୟ ବୋଲି ଅଭିହିତ କରାଯାଏ । ମଣିଷ ଯେଉଁ କ୍ଷେତ୍ରରେ ସ୍ୱତନ୍ତ୍ର, ସେଠାରେ ଯଦି ତାର ବ୍ୟକ୍ତିତ୍ୱକୁ ସ୍ୱୀକାର କରୁଁ, ତାହାହେଲେ ସେମାନଙ୍କର ଏକାତ୍ମୀୟତାର ବାସ୍ତବ ଐକ୍ୟ ନିକଟରେ ପହଞ୍ଚିବାକୁ ଆମେ ସକ୍ଷମ ହୋଇ ପାରିବା ।

 

ସାନ ସାନ ୟୁରୋପୀୟ ଜାତିଗୁଡ଼ିକ ପ୍ରଥମ ମହାଯୁଦ୍ଧ ପରଠୁଁ ନିଜର ଆତ୍ମନିୟନ୍ତ୍ରଣାଧିକାର ଲାଭ କରିବାକୁ ଦାବୀ କରି ଆସୁଛନ୍ତି ଏବଂ ଇଉରୋପ ମଧ୍ୟ ଶାନ୍ତି ପାଇଁ ବ୍ୟାକୁଳିତ ହୋଇଛି । ଇଉରୋପରେ ନବଯୁଗର ସୂର୍ଯ୍ୟୋଦୟ ଆଜି ଆସନ୍ନ । ସେତେବେଳେ ବିରାଟ ଐଶ୍ୱର୍ଯ୍ୟ, ବିରାଟ ସାମ୍ରାଜ୍ୟ ଓ ବିରାଟ ସନ୍ଧି ସଂପର୍କର ଶକ୍ତି ଛିନ୍ନ ହୋଇଯିବ ଏବଂ ପ୍ରକୃତ ସ୍ୱାଧୀନତାର ଭିତ୍ତିରେ ବାସ୍ତବ ଐକ୍ୟ ପ୍ରତିଷ୍ଠିତ ହେବ । ଯେଉଁମାନେ ଆଜି ସେହି ନବଯୁଗ ପାଇଁ ସଂଗ୍ରାମରତ ସେମାନେ ସ୍ମରଣ ରଖିବା ଉଚିତ୍‌ ଯେ ତାଙ୍କର ସ୍ୱାଧୀନତା ସଂଗ୍ରାମ ଦ୍ୱାରା କୌଣସି ନିର୍ଦ୍ଦିଷ୍ଟ ଜାତି ଯେ କେବଳ ମୁକ୍ତିଲାଭ କରିବ ତାହା ନୁହେ, ସମଗ୍ର ମାନବଜାତିର ମୁକ୍ତି ତା’ମଧ୍ୟରେ ନିହିତ । ‘‘ଯେ ନିଜ ଆତ୍ମା ମଧ୍ୟରେ ସର୍ବଭୂତକୁ ଦେଖେ ଏବଂ ସର୍ବଭୂତ ମଧ୍ୟରେ ନିଜ ଆତ୍ମାକୁ ଉପଲବ୍‌ଧି କରେ ସେ ପ୍ରଚ୍ଛନ୍ନ ହୋଇ ରହି ନ ଥାଏ’’–ଏହି ପ୍ରାଚୀନ ନୀତି କ’ଣ ସମଗ୍ର ମାନବଜାତିର ଇତିହାସର ଏକ ଅଖଣ୍ତ ଅଭିବ୍ୟକ୍ତି ନୁହେ ? ଇତିହାସର ପ୍ରାକ୍‍କାଳରେ ଆମେ ଦେଖୁ ଯେ ଆଦିମ ଜାତିଗୁଡ଼ିକ ସାଗର ପର୍ବତର ପ୍ରତିବନ୍ଧକ ମଧ୍ୟରେ ବିଚ୍ଛିନ୍ନଭାବେ ଦଳବଦ୍ଧ ହୋଇ ବାସ କରୁଥିଲେ । ସେମାନଙ୍କ ମଧ୍ୟରୁ ଯେଉଁମାନେ ଏକତାବଦ୍ଧ ହୋଇ ନ ଥିଲେ ଏବଂ ପରସ୍ପର ମଧ୍ୟରେ କେବଳ ଅବିଶ୍ୱାସ, ଲୁଣ୍ଠନ ଓ ପ୍ରତିଦ୍ୱନ୍ଦିତା ମଧ୍ୟରେ ଲିପ୍ତ ରହିଥିଲେ ସେମାନେ ବହୁ କାଳରୁ ଅବଲିପ୍ତ ହୋଇ ଯାଇଛନ୍ତି, କିନ୍ତୁ ଯେଉଁମାନେ ତାଙ୍କର ପ୍ରତିବେଶୀମାନଙ୍କ ମଧ୍ୟରେ ବିଶ୍ୱାତ୍ମା ପ୍ରକଟିତ ହୋଇଥିବାର ଲକ୍ଷ୍ୟ କଲେ ସେହିମାନେ ହିଁ ବିରାଟ ଜାତି ଭାବରେ ନିଜକୁ ପ୍ରକାଶ କରିଛନ୍ତି । ଆଜି ଜଳ ସ୍ଥଳ ଓ ଆକାଶ ପଥରେ ବିଜ୍ଞାନ ବହୁ ଭ୍ରମଣପଥ ଉନ୍ମୋଚନ କରିବା ସଙ୍ଗେ, ପ୍ରତ୍ୟେକ କ୍ଷେତ୍ରରେ ଯାତାୟାତ ପାଇଁ ନାନାପ୍ରକାର ଯାନ ବ୍ୟବସ୍ଥା ମଧ୍ୟ କରିଛି ଏବଂ ଭୌଗୋଳିକ ପ୍ରତିବନ୍ଧକ ଆଜି ହୋଇଛି କହିଲେ ଚଳେ । ତେଣୁ କେବଳ ବହୁ ବ୍ୟକ୍ତି ନୁହନ୍ତି, ବହୁ ଜାତି ମଧ୍ୟ ଆଜି ଏକତ୍ରିତ ହେବା ଫଳରେ ପୂର୍ବକାଳ ଅପେକ୍ଷା ବର୍ତ୍ତମାନ ମାନବିକ ଏକତାର ସମସ୍ୟା ଅଧିକ ଜରୁରୀ ହୋଇ ପଡ଼ିଛି । ବିଜ୍ଞାନ ଯେଉଁମାନଙ୍କୁ ଆଜି ଏକତ୍ରିତ କରୁଛି; ସେମାନଙ୍କ ମଧ୍ୟରେ ଐକ୍ୟ ପ୍ରତିଷ୍ଠା ପାଇଁ କ’ଣ ତାହାହେଲେ ସମର୍ଥ ହେବ ? ଯେଉଁ ବହିଃଶକ୍ତି ସେମାନଙ୍କୁ ଏକତ୍ରିତ କରିଛି, ତାହା ଆଜି ପ୍ରବଳଭାବେ ସକ୍ରିୟ, କିନ୍ତୁ ଯେଉଁ ଅନ୍ତଃଶକ୍ତି ସେମାନଙ୍କୁ ସମ୍ମିଳିତ କରି ପାରନ୍ତା ତାହା ଆଜି ବହୁତ ପଛରେ । ଏହା ଦେଖିଲେ ମନେ ହେଉଛି ସତେ ଯେପରି ଗୋଟାଏ ବାଷ୍ପୀୟଯନ୍ତ୍ର ଟ୍ରେନ୍‌ ସହିତ ଦ୍ରୁତଗତିରେ ଧାବମାନ ଏବଂ ବିଚାର ଚାଳକ ପଛରେ ପଡ଼ି ଯାଉଥିବାରୁ ସେହି ଗାଡ଼ି ପଛରେ ହିଁ ଧାଇଛି । ଏହି ବାଷ୍ପୀୟ ଯନ୍ତ୍ରର ଗତି ଦ୍ୱାରା ବିସ୍ମିତ ହୋଇଥିବା ୟୁରୋପୀୟ ଦର୍ଶକମାନେ ଚିତ୍କାର କରୁଛନ୍ତି । ‘‘ବାଃ, ଏହା ହିଁ ତ ହେଉଛି ପ୍ରକୃତପ୍ରଗତି ।’’ କିନ୍ତୁ ଆମ ପ୍ରାଚ୍ୟର ସଚଳମନା ଓ ଧୀର ପଦଚାରୀଦଳଙ୍କୁ ଏହି ପ୍ରଗତିର ଆଘାତ କିପରି ସହ୍ୟ କରିବାକୁ ହେବ ତାହା ଶିକ୍ଷାଲାଭ କରିବାକୁ ପଡ଼ିବ । ଯେଉଁ ବସ୍ତୁଗୁଡ଼ିକ କେବଳ ଏକତ୍ରୀଭୂତ ହୋଇଛନ୍ତି କିନ୍ତୁ ସେମାନଙ୍କ ମଧ୍ୟରେ ବନ୍ଧନର କୌଣସି ଯୋଗସୂତ୍ର ନାହିଁ; ଗତ ସମୟରେ ସେଗୁଡ଼ିକ ପରସ୍ପର ସହିତ ସଘଂର୍ଷ ସୃଷ୍ଟି କରିବା ସୁନିଶ୍ଚିତ । କେତେକ ପରିସ୍ଥିତିରେ ହିତକର ହେଲେ ମଧ୍ୟ ଏହି ସଘଂର୍ଷର ପ୍ରତିଘାତ ସୁଖପ୍ରଦ ନୁହେ । ଯାହାହେଉ ଏ କଥା ଆଜି ସ୍ପଷ୍ଟ ଯେ ବିଭିନ୍ନ ଜାତିଗୁଡ଼ିକ ଏକତାବଦ୍ଧ ହେବା ପରିବର୍ତ୍ତେ କେବଳ ଏକତ୍ରିତ ହେଉଛନ୍ତି ଏବଂ ଏହାର ନିର୍ଯ୍ୟାତନା ଦ୍ୱାରା ସମଗ୍ର ବିଶ୍ୱ ଆଜି ପୀଡ଼ିତ । ଏହି ଯନ୍ତ୍ରଣା ଉପଶମ ନ ହେବାର କାରଣ କ’ଣ ? ଏହାର କାରଣ ହେଉଛି ଯେ ଯେଉଁ ଜାତିଗୁଡ଼ିକ ନିଜ ନିଜର ଭୌଗୋଳିକ ପରିଧି ମଧ୍ୟରେ ଏକତାବଦ୍ଧ ହେବାକୁ ଶିକ୍ଷାଲାଭ କରିଛନ୍ତି, ସେମାନେ ନିଜ ସୀମାର ବାହାରେ, ସେହି ଐକ୍ୟବୋଧ ପ୍ରକାଶ କରିବାକୁ ଅସମର୍ଥ ।

 

ବର୍ତ୍ତମାନ ପରିସ୍ଥିତିର ପ୍ରଭାବରେ ମନୁଷ୍ୟ ଯେତେବେଳେ ନିଜ ଦେଶରେ ଚତୁଃସୀମା ମଧ୍ୟରେ ସତ୍ୟର କୌଣସି ସାଦୃଶ୍ୟ ଲକ୍ଷ୍ୟ କରେ, ସେତେବେଳେ ସେ ସତ୍ୟ ଅପେକ୍ଷା ନିଜର ଦେଶକୁ, ଈଶ୍ୱରଙ୍କ ଅପେକ୍ଷା ପୁରୋହିତକୁ ଏବଂ ରାଜାଙ୍କ ଅପେକ୍ଷା ପୋଲିସ୍‌ କର୍ମଚାରୀକୁ ଅଧିକ ମୂଲ୍ୟ ଦେଇଥାଏ । ଜାତୀୟତା ବଳରେ ନୁହେ, କେବଳ ସତ୍ୟର ଶକ୍ତି ବଳରେହିଁ ଜାତିସବୁ ବିକାଶ ଲାଭ କରିଛନ୍ତି । ତଥାପି ଜାତୀୟତାର ଯଜ୍ଞବେଦୀରେ ନରବଳି ଦେବାପାଇଁ ପୃଥିବୀର ବିଭିନ୍ନ ସ୍ଥାନରୁ ଇଉରୋପ ମନୁଷ୍ୟ ସଂଗ୍ରହ କରିଛି । ବୈଦେଶିକଗଣ ବଳିରୂପେ ବ୍ୟବହୃତ ହେଉଥିବା ପର୍ଯ୍ୟନ୍ତ ଏଥିରେ କେହି ପ୍ରତିବାଦ କରୁ ନ ଥିଲେ । କିନ୍ତୁ ୧୯୧୪ ମସିହାରେ ୟୁରୋପ ନିଜର ଦେଶବାସୀଙ୍କୁ ଯେତେବେଳେ ବଳି ଦେବାକୁ ଲାଗିଲେ ଯେ ଜାତୀୟତାର ଇଷ୍ଟଦେବତା ପ୍ରକୃତରେ କଲ୍ୟାଣମୟ ନୁହନ୍ତି ଏବଂ ୟୁରୋପ ବା ୟୁରୋପ ବାହାରର ଯେକୌଣସି ଲୋକଙ୍କୁ ସେ ନିର୍ବିଚାର ଭାବରେ ବଳିରୂପେ ଗ୍ରହଣ କରି ପାରନ୍ତି, କିନ୍ତୁ ସେ ପର୍ଯ୍ୟନ୍ତ ଏହି ଜାତୀୟତା ଏସିଆ ମହାଦେଶର କୋମଳପ୍ରଦେଶଗୁଡ଼ିକୁ ଅତି ସ୍ୱାଦ୍ୟ ଚର୍ବ୍ୟରୂପେ ଗ୍ରହଣ କରି ଭୋଜି ଉତ୍ସବରେ ପୂର୍ଣ୍ଣଭାବେ ମଗ୍ନ ରହିଥିଲା, କିନ୍ତୁ ମୋଟ ଉପରେ ଏହା ପ୍ରଥମେ ଶୁଭ କାର୍ଯ୍ୟ କି ନା, ସେ ସଂପର୍କରେ ୟୁରୋପରେ କେତେକ ଲୋକେ ବର୍ତ୍ତମାନ ବିସ୍ମୟ ପ୍ରକାଶ କରୁଛନ୍ତି । ଯୁଦ୍ଧ ଯେତେବେଳେ ଘମାଘୋଟ ଭାବରେ ଚାଲିଥିଲା, ସେମାନେ ଭାବୁଥିଲେ ଯେ ଯୁଦ୍ଧ ଶେଷ ହେବା ସଙ୍ଗେ ସଙ୍ଗେ ଜାତୀୟତା ମଧ୍ୟ ଅନ୍ତର୍ହିତ ହୋଇଯିବ, କିନ୍ତୁ ଯୁଦ୍ଧ ଶେଷ ହେଲା ପୁଣିଥରେ ଶାନ୍ତିର ପୋଷାକ ତଳେ ଆତ୍ମପ୍ରକାଶ କରିବାକୁ । ଇଉରୋପୀୟ ଚିନ୍ତାନାୟକମାନେ ଆତଙ୍କିତ ଯେ ଏହି ଜାତୀୟତା ଦୁଃଖ ଯନ୍ତ୍ରଣା ପ୍ରଦାନ କରି ଓ ନିଜେ ଆାଘାତ ପାଇ ମଧ୍ୟ ଆଜି ତଥାପି ବଳବତ୍ତର ହୋଇ ରହିଛି । ଆତ୍ମ ଅହମିକାର ଯେଉଁ ମାରାତ୍ମକ ପ୍ରବୃତ୍ତି ମନୁଷ୍ୟକୁ ଆନ୍ତର୍ଜାତିକ ଐକ୍ୟ ପ୍ରତି ପରାଙ୍ମୂଖ କରିଥାଏ, ତାହା ଏକ ଜାତୀୟ ନିର୍ବୋଧତାର ନିଦର୍ଶନ, କିନ୍ତୁ ବିଶ୍ୱର ବିଭିନ୍ନ ଜାତି ଯେ ଆଜି ଏକତ୍ରିତ ହୋଇଛନ୍ତି, ଏ କଥା ମଧ୍ୟ କମ୍‌ ସତ୍ୟ ନୁହେ । ଗୋଟିଏ ଜାତି ଯେତେ ସବଳ ଓ ସାମ୍ରାଜ୍ୟବାଦୀ ହେଉ ନା କାହିଁକି ସେ ଏହା ଅସ୍ୱୀକାର କରି ନ ପାରେ ଏବଂ ସେଥିପାଇଁ ପ୍ରତ୍ୟେକ ଜାତି ଏହି ସତ୍ୟ ସହିତ ରଫାନାମା କରିବାକୁ ଆଜି ବାଧ୍ୟ । ତା’ ନ ହେଲେ କୂଟନୀତିଜ୍ଞ ଛଳନାଶ୍ରୟୀ ଜାତୀୟ ପ୍ରବୃତ୍ତିର ଉତ୍ତେଜନା ହେତୁ ଯୁଦ୍ଧପ୍ରଳୟ ସ୍ଥଗିତ ହୋବାର କୌଣସି ସମ୍ଭାବନା ନାହିଁ ।

 

ଆଧୁନିକ ଯୁଗର ଶିକ୍ଷା ସାଂପ୍ରତିକ କାଳଚେତନା ସହିତ ସମନ୍ୱୟ ରକ୍ଷା କରିବା ଆବଶ୍ୟକ । ଶିକ୍ଷା ମାଧ୍ୟମରେ ଆତ୍ମ ଅହମିକା ବର୍ଦ୍ଧନ କରିବା ସକାଶେ ଜାତୀୟତାର ଉକ୍ତଦଳ ଆଜି ନାନାପ୍ରକାରର ଛଳ ଉଦ୍ଭାବନ କରିବାକୁ ନିଜର କର୍ତ୍ତବ୍ୟ ବୋଲି ମନେ କରୁଛନ୍ତି । ଶିକ୍ଷାକୁ ରାଜନୈତିକ ଶତ୍ରୁତାର କ୍ରୀତଦାସରୂପେ ପରିଣତ କରିଥିବାରୁ ଅନ୍ୟାନ୍ୟ ୟୁରୋପୀୟ ଦେଶଗୁଡ଼ିକ ଜର୍ମାନୀକୁ ନିକଟରେ ନିନ୍ଦା ମଧ୍ୟ କରିଛନ୍ତି । କିନ୍ତୁ ଅତୀତରେ ୟୁରୋପର ପ୍ରତ୍ୟେକ ବଡ଼ ବଡ଼ ଜାତି ଏ ଦୋଷରେ ଅପରାଧୀ । ସେମାନେ ସମସ୍ତେ ଜାତୀୟତାର ଡିମ୍ବକୁ ଫୁଟାଇବା ପାଇଁ ଶିକ୍ଷାକୁ କୃତ୍ରିମ ତାପଯନ୍ତ୍ରରୂପେ ବ୍ୟବହାର କରିଛନ୍ତି, କିନ୍ତୁ ଜର୍ମାନୀର ପାର୍ଥକ୍ୟ ହେଉଛି ଯେ ସମସ୍ତଙ୍କ ମଧ୍ୟରେ ତାର ବୈଜ୍ଞାନିକ ବୁଦ୍ଧି ଅଧିକ ଥିବାରୁ ସେ ଶ୍ରେଷ୍ଠ ଯନ୍ତ୍ର ଉଭାବନ କରି ସବୁଠୁଁ ଉତ୍ତମ କୁକ୍କୁଟଶାବକ ପ୍ରସବ କରାଇବାକୁ ସମର୍ଥ ହୋଇଛି । ସେମାନଙ୍କର ସଂବାଦପତ୍ରସବୁ ମଧ୍ୟ ସେଇ ଲକ୍ଷ୍ୟରେ ମିଥ୍ୟା ପରିବେକ୍ଷଣ କରିବା ବ୍ୟତୀତ ଅଧିକ ଆଉ କ’ଣ କରୁଛନ୍ତି ?

 

ଜାତୀୟତାର ଅହମିକାରୁ କିପରି ମୁକ୍ତି ମିଳିବ, ତାହା ହିଁ ଆଜି ପ୍ରଧାନ ଶିକ୍ଷା ହେବା ଆବଶ୍ୟକ । ଆସନ୍ତାକାଲିର ଇତିହାସରେ ପ୍ରଥମ ଅଧ୍ୟାୟ ହେବ, ଆନ୍ତର୍ଜାତିକତା ଏବଂ ଯେଉଁ ସକଳ ଆଚରଣ, ପ୍ରଥା ବା ମନୋବୃତ୍ତି ବିଶ୍ୱଜନୀତ ଭାବର ବିରୋଧୀ, ତାକୁ ଯଦି ଆମେ ପ୍ରଶ୍ରୟ ଦେଉ ତାହାହେଲେ ଆଗାମୀକାଲି ପାଇଁ ଆମେ ସର୍ବଦା ଅଯୋଗ୍ୟ ବୋଲି ବିବେଚିତ ହେବୁ । ଜାତୀୟ ଗର୍ବ ବୋଲି ଗୋଟିଏ ବିଷୟ ଯେ ମୋ ମନରେ ରହିଛି, ତାହା ମୁଁ ଜାଣେ । କିନ୍ତୁ ଆନ୍ତରିକତାର ସହିତ ଇଚ୍ଛା କରେ ଯେ ଆମର ଭାରତୀୟ ଋଷିଗଣ ଅନୈକ୍ୟର ବିଲୋପ ପାଇଁ ଯେଉଁ ମହତ୍‌ ଉଦ୍ୟମ କରି ଯାଇଛନ୍ତି; ଏହି ଜାତୀୟ ଭାବର ବଶବର୍ତ୍ତୀ ହୋଇ ମୁଁ ଯେପରି ତାହା ବିସ୍ମୃତ ନ ହୁଏ । ସମୁଦ୍ର ସେପାରି ଆଜି ନରନାରୀଗଣ ନିଜକୁ ପ୍ରଶ୍ନ କରୁଥିବାର ଆମେ ଶୁଣି ପାରୁଛୁ । ‘‘କେଉଁ ଚିନ୍ତା, କେଉଁ ଶିକ୍ଷା ବା କେଉଁ କର୍ମ ମଧ୍ୟରେ ଆମର ଭ୍ରାନ୍ତି ଏପରି ପ୍ରଚ୍ଛନ୍ନ ହୋଇ ରହିଥିଲା ଯେ ଯେଉଁଥିପାଇଁ ବର୍ତ୍ତମାନର ସଙ୍କଟ ମଧ୍ୟରେ ଆମେ ଆଜି ନିକ୍ଷିପ୍ତ ।’’ ଏ ଦେଶରେ ଥାଇ ଆମେ ତାଙ୍କୁ କହିଦେଇ ପାରୁଁ ଯେ ସେମାନଙ୍କର ବହୁମୁଖୀ ସାଧନାକ୍ଷେତ୍ରରୁ ମନୁଷ୍ୟର ଐକ୍ୟ ଭାବକୁ ଜଳାଂଜଳି ଦେବା ହିଁ ତାଙ୍କର ସକଳ ଦୁଃଖଦୁର୍ଦ୍ଦଶାର ମୁଖ୍ୟ କାରଣ ।

 

‘ଯସ୍ମିନ୍‌ ସର୍ବାଣି ଭୂତାନି ଆତ୍ମେବାଭୂଦ୍‌ବିଜାନତଃ ।

ତତ୍ରକୋ ମୋହଃ କଃ ଶୋକ ଏକତ୍ତ୍ୱମନୁପଶ୍ୟତଃ ।’

 

–‘ଯେ ବିଶ୍ୱ ସହିତ ନିଜକୁ ଏକାତ୍ମୀୟ କରି ମନୁଷ୍ୟର ଐକ୍ୟଭାବ ଉପଲବ୍‌ଧ୍‌କରିଛି । ସେ ଶୋକ ଓ ମୋହ-ଅବିଦ୍ୟାରୁ ମୁକ୍ତ ।’

 

ଆମ୍ଭେମାନେ ଶୁଣିବାକୁ ପାଉଛୁ ଯେ ଦରିଆ ପାରୀର ନରନାରୀ ବ୍ୟାକୁଳ ହୋଇ ଚିତ୍କାର କରୁଛନ୍ତି, ‘‘ଆମେ; ଶାନ୍ତି ଚାହୁଁ,’’ ତାଙ୍କୁ ଆମେ କହିଦେବା ଆବଶ୍ୟକ ଯେ ଶାନ୍ତି କେବଳ ସେଇଠି, ଯେଉଁଠି ଅଛି ମଙ୍ଗଳ । ମଙ୍ଗଳ ସେଇଠି ଯେଉଁଠି ରହିଛି ଐକ୍ୟ । ଆମ ପ୍ରାଚୀନ ଭାରତର ବାର୍ତ୍ତା ଆମେ ତାଙ୍କୁ ଜଣାଇଦେବା ଉଚିତ । ଅଦ୍ୱୈତ ହିଁ ଶାନ୍ତ; କାରଣ ଅଦ୍ୱୈତ ହିଁ ଶିବ, ‘‘ଶାନ୍ତଂମ୍‌ଶିବଂ ଅଦ୍ୱୈତମ୍‌ ।’’ ଏକ ନୂତନ-ଯୁଗର ଉଷା ଅଭ୍ୟୁଦୟ ପ୍ରାୟ ଆସନ୍ନ । ପାଶ୍ଚାତ୍ୟ ଆଜି ଆରମ୍ଭ କଲାଭଳି ତାହାକୁ ମମ୍ବର୍ଦ୍ଧନା ଜଣାଇବାର ଉପଯୁକ୍ତ ମାର୍ଗ ହେଉଛି, ଆମର ଅତୀତ ଯୁଗର ସମସ୍ତ ଧୂଳି ଆବର୍ଜନାକୁ ଆମ ଗୃହ ମଧ୍ୟରୁ ପରିଚ୍ଛନ୍ନ କରିଦେବା । ମୁଁ ଭାବିବାକୁ ଲଜ୍ଜାବୋଧ କରୁଛି ଯେ, ଆମେ ଆଜିପର୍ଯ୍ୟନ୍ତ ଅତୀତର ସଞ୍ଚିତ ଆବର୍ଜ୍ଜନାକୁ ହିଁ ଭବିଷ୍ୟତକୁ ସ୍ୱାଗତ ଜଣାଇବା ସକାଶେ ତୋରଣଭାବେ ବ୍ୟବହାର କରୁଛୁ । ଜାତୀୟ ଗର୍ବ ବୋଲି ଯେ ଗୋଟାଏ ଜିନିଷ ଅଛି, କେବଳ ସେଥିପାଇଁ ମୁଁ ଏ କଥା କହୁଛି । ଅଦ୍ୱୈତ ଚିନ୍ତା ହେଉଛି ଆମର ନିଜସ୍ୱ । ତାହାହେଲେ ନୂତନ ଯୁଗର ପ୍ରଭାତକୁ ସମ୍ୱର୍ଦ୍ଧନା ଜଣାଇବା ସମୟରେ ସେହି ଧାରଣାକୁ ଆମର ଚିତ୍ତ ମଧ୍ୟରେ ଦୃଢ଼ଭାବେ ସ୍ଥାନ ଦେବାକୁ କାହିଁକି ଆମେ ଅସମର୍ଥ ହୋଇଛୁ ?

 

ମୁଁ ଗଭୀର ଭାବରେ ଆଶାନ୍ୱିତ ଯେ ଆମର ଶିକ୍ଷାକେନ୍ଦ୍ରଗୁଡ଼ିକ ହିଁ ପ୍ରାଚ୍ୟ ଓ ପାଶ୍ଚାତ୍ୟର ମିଳନଭୂମି ହେବ । ବସ୍ତୁଜଗତର ଲାଭ ସକାଶେ ମନୁଷ୍ୟ କେବେ ସଂଗ୍ରାମରୁ ବିରତ ହୋଇ ନାହିଁ କିମ୍ବା ସହଜରେ ମଧ୍ୟ ସେ ବିରତ ହେବ ନାହିଁ, କିନ୍ତୁ ସାଂସ୍କୃତିକ ଭାବ ବିନିମୟ କ୍ଷେତ୍ରରେ ତାହାର ମିଳନ ପାଇଁ କୌଣସି ପ୍ରତିବନ୍ଧକ ନାହିଁ । ଯେଉଁ ଲୋକ ଅତିଥିସତ୍କାର ନ କରି କେବଳ ଆତ୍ମସ୍ୱାର୍ଥ ପାଇଁ ବଞ୍ଚି ରହିଥାଏ, ସେ ହେଉଛି କ୍ଷୁଦ୍ରମନା ଏବଂ ଏହା ଗୋଟିଏ ଜାତି ପାଇଁ ମଧ୍ୟ ପ୍ରଯୁଜ୍ୟ । ନିଜର ସୁଖ ସ୍ୱାଚ୍ଛନ୍ଦ୍ୟ ଯୋଗାଇଦେବା ସଙ୍ଗେ ଗୋଟିଏ ଜାତିର ମଧ୍ୟ ପୃଥିବୀର ବିଭିନ୍ନ ସ୍ଥାନର ପରିଦର୍ଶନମାନଙ୍କ ପାଇଁ ଅତିଥିଶାଳା ଥିବା ଆବଶ୍ୟକ ଏବଂ ଜାତିର ଶିକ୍ଷାନୁଷ୍ଠାନ ଗୁଡ଼ିକ ହିଁ ହେଉଛି ତାର ଶ୍ରେଷ୍ଠ ଅତିଥିଶାଳା । ଦୁର୍ଭାଗ୍ୟବଶତଃ ଆମର ସ୍କୁଲ ଓ କଲେଜଗୁଡ଼ିକରେ ଆମକୁ ଯେଉଁ ଶିକ୍ଷା ଦିଆଯାଉଛି, ତାହା ପ୍ରାୟ ଅଭାରତୀୟ କହିଲେ ଚଳେ, ଏବଂ ଏହା ମୁଖ୍ୟତଃ ପାଶ୍ଚାତ୍ୟର ଭିକ୍ଷାଦାନ ଉପରେ ହିଁ ନିର୍ଭରଶୀଳ । ତେଣୁ ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକ ନିଜର ଆତ୍ମରକ୍ଷା ପାଇଁ କ୍ଷମା ମାଗିବାର ଅଭିନୟ ପ୍ରକାଶ କରି କହିଥାନ୍ତି ଯେ ଅନ୍ୟର ଭିକ୍ଷା ଦାନ ଉପରେ ସେମାନେ ବଞ୍ଚି ଥିବାରୁ ଅତିଥିସତ୍କାରର କର୍ତ୍ତବ୍ୟ ତାଙ୍କଠାରୁ ଆଶା କରିବା ବିଡ଼ମ୍ବନା, କିନ୍ତୁ ତାଙ୍କଠୁଁ କିଛି ଆଶା କରିବା କିଛି ଅସ୍ୱାଭାବିକ ନୁହେ । ପାଶ୍ଚାତ୍ୟ ଜଗତ୍‌ ବାରମ୍ବାର ପଚାରୁଥିବାର ମୁଁ ଶୁଣିଛି । ‘‘ତୁମ ଭାରତର ଆତ୍ମବାଣୀ କାହିଁ ?’’ କିନ୍ତୁ ଯେତେବେଳେ ପାଶ୍ଚାତ୍ୟର ସନ୍ଧାନୀଦଳ ଭାରତବର୍ଷକୁ ଆସନ୍ତି ଏବଂ ଭାରତର ଦ୍ୱାର ଦେଶରେ ତାର ପ୍ରାଣସ୍ୱର ଶୁଣନ୍ତି, ସେତେବେଳେ ସେମାନେ କେବଳ ତାଙ୍କ ନିଜ ପାଶ୍ଚତ୍ୟ ସ୍ୱରର ଏକ କ୍ଷୀଣ ପ୍ରତିଧ୍ୱନିମାତ୍ର ଶୁଣିଥାନ୍ତି, ଏବଂ ଏହା ତାଙ୍କୁ ଗୋଟାଏ ବ୍ୟଙ୍ଗ ଭଳି ଶୁଣାଯାଇଥାଏ ।

 

ମୁଁ ମଧ୍ୟ ଲକ୍ଷ୍ୟ କରିଛି ଯେ ଯେଉଁ ଭାରତୀୟମାନେ ମ୍ୟାକ୍‌ମୁଲାରଙ୍କୁ ପଡ଼ିସାରିବା ପରେ ସତେଜ ହୋଇ ଫେରିଥାନ୍ତି, ସେମାନେ ନିଜର ପ୍ରାଚୀନ ସଭ୍ୟତା ନେଇ ଗର୍ବ କରନ୍ତୁ ବା ପାଶ୍ଚାତ୍ୟ ଘୃଣା ଓ ବର୍ଜନ କରନ୍ତୁ, ପ୍ରତ୍ୟେକ କ୍ଷେତ୍ରରେ ସେମାନଙ୍କ କଣ୍ଠରେ ପାଶ୍ଚାତ୍ୟ ବାଦକଦଳର ସଙ୍ଗୀତଧ୍ୱନି ହିଁ ସମସ୍ୱରରେ ଶୁଣାଯାଇଥାଏ । ମୁଁ ଆଶା କରୁଛି ଯେ ପ୍ରାଚ୍ୟର ସମସ୍ତ ଦେଶ ସକାଶେ ଭାରତ ହିଁ ଖୁବ ଶୀଘ୍ର ଏପରି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବ ଆସି ସମବେତ ହେବେ-। ଏହା କରିବା ପାଇଁ ଆମ ଦେଶର ସମ୍ୱଳ ରହିଛି, ଯେଉଁ ଦେଶକୁ ଏହା ନିମନ୍ତ୍ରଣ କରିବ ସେ ଦେଶ ଦ୍ୱାରା ଏହା ନିଶ୍ଚୟ ଅଭ୍ୟର୍ଥିତ ହେବ ଏବଂ ଏକ ସମ୍ମାନିତ ଅତିଥି ଭାବରେ ସମ୍ୱର୍ଦ୍ଧନା ଲାଭ କରିବ, କିନ୍ତୁ ପ୍ରକୃତରେ ସମ୍ମାନ ବା ଅସମ୍ମାନର ପ୍ରଶ୍ନ ଉଠୁ ନାହିଁ । ଅସଲ କଥା ହେଉଛି ଯେ ସତ୍ୟ ନିଜର ଆତ୍ମା ମଧ୍ୟରେ ଉପଲବ୍ଧି ହେବା ସଙ୍ଗେ ବାହାରେ ତାହା ଅଭିବ୍ୟକ୍ତ ହେବା ଆବଶ୍ୟକ ଏବଂ ମାନବାତ୍ମାକୁ ମୁକ୍ତ ଓ ପ୍ରକାଶିତ କରିବା ତାହାର ପୂର୍ଣ୍ଣଲକ୍ଷ୍ୟ ହେବା ବାଞ୍ଛନୀୟ । ଆମର ଶିକ୍ଷା ମାଧ୍ୟମରେ ମନୁଷ୍ୟର ପ୍ରକାଶ ନୀତି ପ୍ରଚାରିତ ହେବା ସଙ୍ଗେ ଆମର କର୍ମ ମଧ୍ୟରେ ତାହାକୁ ଅଭ୍ୟାସ କରିବା ଉଚିତ୍‌ । ଆମେ କେବଳ ସେତେବେଳେ ହିଁ ସମ୍ମାନିତ ହେବା ଯେତେବେଳେ ଆମେ ସମଗ୍ର ମାନବ ଜାତିକୁ ସମ୍ମାନିତ ଦେବାକୁ ଶିକ୍ଷାଲାଭ କରିବା ଏବଂ ନବ ଯୁଗର ଉଦ୍‌ବୋଧନ ଦ୍ୱାରା ସ୍ଥବିରତାକୁ ଜୟ କରିବାକୁ ସମର୍ଥ ହେବା ।

 

‘‘ଯସ୍ତୁ ସର୍ବାଣି ଭୂତରନି ଆତ୍ମନ୍ୟେବାନୁପଶ୍ୟତି ।

ସର୍ବଭୂତେଷୁ ଚାତ୍ମନଂ ନ ତତୋ ବିଜଗୁପ୍ତତେ ।’’

 

–ଅର୍ଥାତ୍‌, ଯିଏ ନିଜର ଆତ୍ମା ମଧ୍ୟରେ ସର୍ବ ଭୂତକୁ ଲକ୍ଷ୍ୟକରେ ଏବଂ ସର୍ବଭୂତରେ ନିଜ ଆତ୍ମାକୁ ଅନୁଭବ କରେ ସେ କେବେ ପ୍ରଚ୍ଛନ୍ନ ହୋଇ ରହେ ନା–ଏହା ଆମର ଶିକ୍ଷାନୁଷ୍ଠାନର ମନ୍ତ୍ର ହେବା ବିଧେୟ ।

Image

 

Unknown

ସତ୍ୟର ଆହ୍ୱାନ

 

ପରାଙ୍ଗପୁଷ୍ଟ ଜୀବ ବା କୀଟ ସ୍ୱାଭାବିକ ଭାବେ ଖାଦ୍ୟକୁ ନିଜ ଦେହରେ ପରିଣତ କରିବାର କ୍ଷମତା ହରାଇବା ଦ୍ୱାରା ଶୀଘ୍ର ତାର ଜୀର୍ଣ୍ଣଶକ୍ତି କମିଯାଏ । ମାନବ-ଇତିହାସରେ ମଧ୍ୟ ଏହା ଦେଖାଯାଇଛି ଯେ ଶକ୍ତି ଯେତେବେଳେ ଅନ୍ୟକୁ ନିର୍ଜୀବ କରିବାର ପାପ ଅର୍ଜନ କରିଛି, ଯେତେବେଳେ ତାର ଅଧଃପତନ ଘଟିଛି । ଅନ୍ୟ ଉପରେ ନିର୍ଭର କରି ଜୀବନ ଧାରଣ କରୁଥିବା ମନୁଷ୍ୟକୁ ଯେ କେବଳ ପରାଙ୍ଗପୃଷ୍ଟ କୁହାଯାଏ ତାହା ନୁହେ; ପରନ୍ତୁ ଗତାନୁଗତିକ ପ୍ରଥା ଓ ବାହ୍ୟ ଘଟଣାରେ ବାଧ୍ୟ ହୋଇ ଯେତେବେଳେ ସେ ନିଜକୁ ଜଡ଼ିତ ରଖି କାଳସ୍ରୋତରେ ନିଜେ ନିଃସହାୟ ହୋଇ ଆତ୍ମସମର୍ପଣ କରେ, ସେତେବେଳେ ତାକୁ ମଧ୍ୟ ପରାଙ୍ଗପୃଷ୍ଟ ବୋଲି କୁହା ହାଇଥାଏ । ବାହ୍ୟ ଜୀବନ ପ୍ରତି ତାହାର ଏ ଯେଉଁ ଆତ୍ମସମର୍ପଣ ତାହା ଅନ୍ତରର ବଳ ଦ୍ୱାରା ଅନୁମୋଦିତ ନୁହେ । ଯେତେବେଳେ ମନୁଷ୍ୟ ନିଜ ଇଚ୍ଛାରେ କୌଣସି କାର୍ଯ୍ୟ କରିବାକୁ ଉଦ୍ୟମ ନ କରେ, ଏବଂ କେବଳ ଅଭ୍ୟାସବଶତଃ ଧରା ବନ୍ଧା ନୀତିରେ ଚାଲେ, ତାକୁ ମଧ୍ୟ ଏକପ୍ରକାର ପରାଙ୍ଗପୃଷ୍ଟ ବୋଲି ଅଭିହିତ କରାଯାଏ । କାରଣ ଅସାଧ୍ୟ ସାଧନ କରିବାର ଯେଉଁ କର୍ତ୍ତବ୍ୟ, ତାହା ପାଳନ କରିବାକୁ ସେ ହୁଏ ଅସମର୍ଥ ଏବଂ ମାନବିକ-ପ୍ରଗତିର ପ୍ରକୃତ ଲକ୍ଷ୍ୟ ପଥରେ ସେ ପହଞ୍ଚି ପାରେ ନା—

 

ଏହି ହିସାବରେ ତଳିଆ ପ୍ରାଣୀ ସମସ୍ତେ ପରାସକ୍ତ । ସ୍ୱ ପରିବେଷ୍ଟନୀରେ ଛାଡ଼ିଦେଇ ପ୍ରାକୃତିକ ନିର୍ବାଚନ କ୍ରମେ ସେମାନେ ମରନ୍ତି କିମ୍ବା ବଞ୍ଚନ୍ତି । ପ୍ରାକୃତିକ ଶାସନ ବା ନିୟମରେ ସେମାନେ ମରନ୍ତି କିମ୍ବା ବଞ୍ଚନ୍ତି । ପ୍ରାକୃତିକ ଶାସନ ବା ନିୟମରେ ସେମାନେ ଅଗ୍ରଗତି କରନ୍ତି କିମ୍ବା ପୁଣି ପଛକୁ ହଟି ଆସନ୍ତି । ବର୍ଦ୍ଧନ ଶକ୍ତିର ଅଭାବରେ କରନ୍ତି କିମ୍ବା ପୁଣି ପଛକୁ ହଟି ଆସନ୍ତି-। ବର୍ଦ୍ଧନ ଶକ୍ତିର ଅଭାବରେ ମାନସିକ ଅବସ୍ଥାର କୌଣସି ଉନ୍ନତ ସେମାନଙ୍କର ହୁଏ ନାହିଁ-। ଫଳରେ ସେମାନେ ଆଉ ବଢ଼ି ପାରନ୍ତି ନାହିଁ । ମହୁମାଛି ଲକ୍ଷ ଲକ୍ଷ ବର୍ଷ ଧରି ଯେଉଁ ମହୁଫେଣା ତିଆରି କରି ଆସୁଛି, ସେଥିରେ କୌଣସି ନୂତନତ୍ୱ ନାହିଁ, ମହୁଫେଣାର କେବଳ ଗୋଟିଏ ପ୍ରକାର ନମୁନା ଆମେ ଦେଖିବାକୁ ପାଉଛୁ । ଯେତେବେଳେ ମଧୁକୋଷ ଆକାରର ଏକ ପୂର୍ଣ୍ଣତାରେ ପହଞ୍ଚେ ସେତେବେଳେ ଏହି ଜୀବଟି ଅପରିବର୍ତ୍ତନୀୟ ଓ ସୀମାବଦ୍ଧ ଅଭ୍ୟାସର ଗଣ୍ଡି ମଧ୍ୟରେ ଆବଦ୍ଧ ହୁଏ ।

 

ଏହି ତଳିଆ ଜୀବଜନ୍ତୁଙ୍କ ବିଷୟରେ ପ୍ରକୃତି ଯେପରି ଏକ କୌତୁହଳମୟ ଭୀରୁତା । ପ୍ରଦର୍ଶନ କରିଛି, ଅଥଚ ସେମାନଙ୍କୁ ନିଜ କୋଳରେ ଧରି ରକ୍ଷା କରୁଛି । କାଳେ ସେମାନେ ଭୟାବହ ଓ ସାହସିକ ପରୀକ୍ଷାରେ ଲମ୍ଫ ପ୍ରଦାନ କରି ଅନିଷ୍ଟ ଘଟାଇ ପାରନ୍ତି, ଏହି ଆଶଂକାରେ ପ୍ରକୃତି ଯେପରି ସେମାନଙ୍କ ସ୍ୱଭାବକୁ ସୀମାବଦ୍ଧ କରିଅଛି ।

 

ବିଶ୍ୱସ୍ରଷ୍ଠା କିନ୍ତୁ ମାନବ ସୃଷ୍ଟିରେ ଏକ ନୂତନ ସୃଜନଧର୍ମୀ ସାହସିକତାର ପରିଚୟ ଦେଇଛନ୍ତି । ବାହ୍ୟତଃ ସେ ଦୁର୍ବଳ, ନିଃସହାୟ ଓ ନିଗ୍ନରୂପ ଧାରଣ କଲେ ମଧ୍ୟ, ଅନ୍ତଃପ୍ରକୃତିର କ୍ରିୟାକଳାପରେ ସେ ସ୍ୱାଧୀନତା ଲାଭ କରିଅଛି । ଏହି ମୁକ୍ତି ସାଧନରେ ସେ ଆନନ୍ଦରେ ଦଣ୍ଡାୟମାନ ଲାଭ କରିଅଛି । ଏହି ମୁକ୍ତି ସାଧନରେ ସେ ଆନନ୍ଦରେ ଦଣ୍ଡାୟମାନ ହୋଇ ତେଣୁ ଘୋଷଣା କଲା—‘‘ମୁଁ ଅସାଧ୍ୟ ସାଧନ କରିବି । ମୁଁ କଦାପି ଗତାନୁଗତିକ ଧାରାକୁ ଗ୍ରହଣ କରିବି ନାହିଁ । ଯାହା କେବେ ଦେଖା ନ ଥିଲା, ସେହିପରି ଅଦୃଷ୍ଟପୂର୍ବ ଘଟନା ମୁଁ ସୃଷ୍ଟି କରିବି ।’’ ସେଥିପାଇଁ ଇତିହାସର ଆଦିମ ଯୁଗର ଅତିକାୟ ନଖଦନ୍ତ ବିଶିଷ୍ଟ ପ୍ରାଣୀମାନଙ୍କ ମଧ୍ୟରେ ସେ ଯେତେବେଳେ ନିଜକୁ ସଂସ୍ଥାପିତ କଲା, ସେତେବେଳେ ସେ ହରିଣ ଭଳି ଭୟରେ ଦୌଡ଼ି ପଲାଇ ଯାଇ ନ ଥିଲା, କି କଚ୍ଛପଭଳି ଆତ୍ମାଗୋପନ କରି ନ ଥିଲା । ମାତ୍ର ଚକମକି ପଥର ଉତ୍କୃଷ୍ଟ ଅସ୍ତ୍ରଶସ୍ତ୍ର ତିଆରି କରିବାରେ ଆପଣାର ଶକ୍ତିକୁ ସେ ବିନିଯୋଗ କଲା । ସେ ଯେଉଁ ନୂତନ ଭୟଙ୍କର ନଖ-ଦନ୍ତ ସୃଷ୍ଟି କଲା, ତା’ ମୂଳରେ ଥିଲା ମାନବର ଅନ୍ତର୍ନିହିତ କର୍ମଶକ୍ତି, କିନ୍ତୁ ତାହା ପ୍ରକୃତିର ଦାନ ନୁହେ । ତା ପରେ ପ୍ରାକୃତିକ ନିର୍ବାଚନର ପରାଧିନତା ଓ ସ୍ୱେଚ୍ଛାଚାରିତାରୁ ସେ ନିଜକୁ ମୁକ୍ତ କରି ପାରିଲା ।

 

ଚକମକି ପଥରରୁ କ୍ରମେ ତାର ଅସ୍ତ୍ର ଲୁହାକୁ ଉନ୍ନୀତ ହେଲା । ସେ ପ୍ରମାଣ କରିଦେଲା ଯେ ତାର ମନ ସର୍ବଦା ଅନ୍ୱେଷଣଧର୍ମୀ; ସେ ବଦ୍ଧ ବା ମୃତକଳ୍ପ ନୁହେ; କିମ୍ବା ପାରିପାଶ୍ୱିକ ଅବସ୍ଥାରେ ସେ ସୀମିତି ନୁହେ । ଯାହା ତାକୁ ଅସମ୍ଭବ ବୋଲି ମନେ ହେଉଥିଲା, ତାହା ମଧ୍ୟ ତା’ର ଆୟତ୍ତାଧୀନ ହେଲା । ତାହା ପାଖରେ ଯେଉଁ ପଥର ଥିଲା, ସେଥିରେ ସେ ସନ୍ତୁଷ୍ଟ ନ ହୋଇ ଭୂଗର୍ଭରେ ଥିବା ଲୁହାପଥର ସନ୍ଧାନରେ ସେ ହେଲା ବ୍ରତୀ । ପଥର କଟାର ସହଜ ଉପାୟରେ ସେ ତୃପ୍ତ ନ ହୋଇ ଲୁହାକୁ ନିଆଁରେ ତରଳାଇ ଏବଂ ହାତୁଡ଼ିରେ ପିଟି ତାକୁ ଏକ ନୂତନ ରୂପ ଦେଲା । ଫଳରେ ଯାହା ତା’ ପକ୍ଷରେ ଅତିଶୟ କଠିନ ଓ ଦୁଃସାଧ୍ୟ ଥିଲା, ତାହା ତା’ର ସାହାଯ୍ୟକାରୀ ରୂପେ ପରିଗଣିତ ହେଲା ।

 

ମନୁଷ୍ୟର ଧର୍ମ ହେଉଛି—ଅବିରତ କାର୍ଯ୍ୟ କରୁଥିବାବେଳେ ସେ ଯେ କେବଳ ସଫଳତା ଚାହେ ତା’ ନୁହେ, ଆନନ୍ଦର ମଧ୍ୟ ସେ ଅନୁସନ୍ଧାନ କରେ । ବହିଃ ପ୍ରଦେଶରୁ ଅନ୍ତରତମ ପ୍ରଦେଶକୁ, ପ୍ରତ୍ୟକ୍ଷରୁ ଅପ୍ରତ୍ୟକ୍ଷ୍ୟକୁ, ସହଜରୁ କଠିନ ମଧ୍ୟକୁ, ପରାସକ୍ତିରୁ ଆତ୍ମକର୍ତ୍ତୃତ୍ୱକୁ ଏବଂ ପ୍ରବୃତ୍ତିର ତାଡ଼ନାରୁ ଆତ୍ମସଂଯମର ସ୍ଥିରତା ଆଡ଼କୁ ଗତି କରି ଅବିଶ୍ରାନ୍ତ ପରିଶ୍ରମ କରିବାକୁ ମନୁଷ୍ୟ ବାଧ୍ୟ । ଏହାହିଁ ତା’ର ବିଜୟର ପଥ ।

 

ଦଳେ ବ୍ୟକ୍ତି ଯୁକ୍ତି ପ୍ରଦର୍ଶନ କରି କହିଲେ, ‘‘ଏହି ପଥର ଆମ ପୂଜ୍ୟ ପିତୃ-ପିତାମହଙ୍କର ଅସ୍ତ୍ର ଥିଲା—ଏହାର ବ୍ୟତିକ୍ରମ ହିଁ ଆମର ଜାତୀୟ ଐତିହ୍ୟ ମୂଳରେ କୁଠାରଘାତ କରିବା ସଙ୍ଗେ ସମାନ ।’’ ତେଣୁ ସେମାନେ ମାନବଜାତିର ବୃହତ୍ତର ଐତିହ୍ୟ ରକ୍ଷା ପରିବର୍ତ୍ତେ ନିଜ ଜାତୀୟ ଐତିହ୍ୟର ସୁରକ୍ଷା ପାଇଁ ଯତ୍ନଶୀଳ ହେଲେ । ସେମାନେ ଭୁଲିଗଲେ ଯେ ବୃହତ୍ତର ଐତିହ୍ୟର ଅଧିକାରୀ ମଧ୍ୟ ସେଇମାନେ । ପ୍ରସ୍ତର ଯୁଗରେ ବାସ କଲାଭଳି ବ୍ୟକ୍ତି ଏ ପର୍ଯ୍ୟନ୍ତ ମଧ୍ୟ ଆମ ଦେଶରେ ଅଛନ୍ତି, କିନ୍ତୁ ସେମାନେ ସମାଜବାସନ୍ଦ ଲୋକଙ୍କ ଭଳି ଗୁମ୍ଫା ବା ବଣଜଙ୍ଗଲରେ ବସବାସ କରୁଛନ୍ତି । ପାରିପାର୍ଶ୍ୱକ ଅବସ୍ଥା ପ୍ରତି ଆସକ୍ତ ନ ହୋଇ, ପ୍ରଚଳିତ ଅବସ୍ଥା ପ୍ରତି ଆଖି ବୁଜିଦେଇ ନିଜ ଅନ୍ତରରେ ସେମାନେ ସ୍ୱରାଜ ଲାଭରୁ ବଂଚିତ ହୋଇଅଛନ୍ତି । ପୁନଶ୍ଚ, ବହିର୍ଜଗତର ସ୍ୱରାଜ୍ୟଲାଭରୁ ମଧ୍ୟ ଏମାନେ ଭ୍ରଷ୍ଟ । ସ୍ୱକୀୟ ଶକ୍ତି ସାମର୍ଥ୍ୟ ବଳରେ ଅସାଧ୍ୟ ସାଧନ କରିବା ଯେ ମାନବର ବାସ୍ତବ ଧର୍ମ ଓ ଅତୀତ ଘଟଣାରେ ଆବଦ୍ଧ ନ ହୋଇ ଭବିଷ୍ୟ ଘଟଣା ପ୍ରତି ଲକ୍ଷ୍ୟ କରି ସିଦ୍ଧି ପଥରେ ଅଗ୍ରସର ହେବା ଯେ ମାନବର କର୍ତ୍ତବ୍ୟ-ଏ କଥା ସେମାନେ ଜାଣି ପାରନ୍ତି ନାହିଁ ।

 

ତିରିଶ ବର୍ଷ ତଳେ ଯେତେବେଳେ ଇଂରେଜୀ ଶିକ୍ଷିତ ଭାରତ ରାଜନୀତିକ ସାଧନାରେ ଲାଗିଥିଲି । ମୋର ଦେଶବାସୀଙ୍କୁ ମୁଁ କହିଥିଲି ଯେ ସ୍ୱକୀୟ ଅଧିକାର ପାଇଁ ମନୁଷ୍ୟ ଅନ୍ୟ ପାଖରେ ଦାବି କରେ ନାହିଁ ବରଂ ନିଜ ଭିତରେ ନିଜର ଅଧିକାର ତାକୁ ସୃଷ୍ଟି କରିବାକୁ ପଡ଼େ ।

 

ମନୁଷ୍ୟ ତା’ର ଅନ୍ତରର ପ୍ରକୃତି ଦ୍ୱାରା ଜୀବନଧାରଣ କରେ ଏବଂ ସେଠାରେ ସେ ସ୍ୱୟଂକର୍ତ୍ତାରୂପେ ବିଦ୍ୟମାନ । ବାହାରର ଲାଭ ଉପରେ ନିର୍ଭର କରିବା ଅର୍ଥ ନିଜ ବ୍ୟକ୍ତିତ୍ୱକୁ ଅପମାନ କରିବା । ରାଜନୀତିକ ଅଧିକାରରୁ ବଂଚିତ ହେବାର ଅପମାନଠାରୁ ଲଜ୍ଜାଜନକଭାବେ ନିବେଦନ ଆବେଦନର ବୋଝ ଅଧିକ ଦୁଃସହ । ତତ୍ପରେ ଛୁରିକା ସାହାଯ୍ୟରେ ଧମକ ଦେଇ ବଙ୍ଗଭଙ୍ଗ ଆନ୍ଦୋଳନର ଅଶାନ୍ତ ଝଡ଼ ବଙ୍ଗପ୍ରଦେଶରେ ପ୍ରବାହିତ ହେବାକୁ ଲାଗିଲା ଓ ବ୍ରିଟିଶ ଦ୍ୱୀପପୁଞ୍ଜରୁ ଆମଦାନୀ ହେଉଥିବ ବସ୍ତ୍ରାଦି ବର୍ଜନ କରିବାକୁ ଦେଶବ୍ୟାପୀ ଏକ ଆନ୍ଦୋଳନ ମଧ୍ୟ ସୃଷ୍ଟି ହେଲା । ମାତ୍ର ଏହା ବମ୍ବେର ମିଲ୍‌ ମାଲିକମାନଙ୍କର ଲଭ୍ୟାଂଶକୁ ବହୁକାଂଶରେ ବୃଦ୍ଧି କରିବାରେ ହିଁ ସାହାଯ୍ୟ କଲା । ସେତେବେଳେ ମୁଁ କହିଥିଲି—‘‘ ଏ ପଥ ଠିକ୍‌ ନୁହେ । ଏହା ଶସ୍ତା ଧରଣର । ଏଥିରେ ଭାରତୀୟମାନେ କେବଳ ଉପଲକ୍ଷ୍ୟ, କିନ୍ତୁ ବୈଦେଶିକମାନେ ହିଁ ଆମର ଲକ୍ଷ୍ୟ ହୋଇପଡ଼ୁଛନ୍ତି ।’’ ଏହାର ମୁଖ୍ୟ ଉତ୍ତେଜନା ଦେଶଲୋକଙ୍କ ପ୍ରତି ପ୍ରେମ ନୁହେ, ପରନ୍ତୁ ବିଦେଶୀୟମାନଙ୍କ ପ୍ରତି କ୍ରୋଧ ।’’ ତା’ପରେ ମୁଁ ସାବଧାନ ବାଣୀ ଶୁଣାଇ କହିଥିଲି ଯେ—ଭାରତରେ ଏହି ବୈଦେଶିକ ମାନଙ୍କର ଆବିର୍ଭାବ ଇତିହାସର କେବଳ ଏକ ଆକସ୍ମିକ ଘଟଣା । ଏହାର ଗଭୀର ଅର୍ଥ ହେଉଛି ଆମ ଦେଶ ଯେଉଁଠି ସେଇଠି ରହିଛି ଏହାର ଅସ୍ତିତ୍ୱ ମଧ୍ୟ ରହିଛି । ଗୋଟିଏ ଯଦି ମାୟା ବା ଭ୍ରମ ହୁଏ ଅପରଟି ଗୁଢ଼ତମ ବାସ୍ତବ ତଥା ଅପରିବର୍ତ୍ତିତ ଅଖଣ୍ଡ ସତ୍ୟ ଯେତେବେଳେ କ୍ରୋଧ ବା ଅନୁରାଗବଶତଃ ଆମେ ମାୟାକୁ ଆମ ଉପରେ ପ୍ରଭାବ ବିସ୍ତାର କରିବାକୁ ଛାଡ଼ିଦେଉଁ ସେତେବେଳେ ମାୟା ଆମ ମୁଷ୍ଟିଯୁଦ୍ଧରେ ବ୍ୟାପୃତ ହେଉଁ ବା ଭକ୍ତିରେ ତା’ର ପଦାନୁଗତ ହେଉଁ—ଏହାର ଫଳ ହେଉଛି ସମାନ ।

 

ମାୟା ଅନ୍ଧକାର ସଦୃଶ—ଦ୍ରୃତଗାମୀ ବାଷ୍ପୀୟଯାନ ଦ୍ୱାରା ଆମେ କଦାପି ଅନ୍ଧକାରକୁ ଅତିକ୍ରମ କରି ପାରିବୁ ନାହିଁ କି ସପ୍ତ ସମୁଦ୍ରର ବାରିରାଶି ଦ୍ୱାରା ତାକୁ ଧୋଇଦେଇ ପାରିବୁ ନାହିଁ । ତଥାପି ସତ୍ୟର ପ୍ରଦୀପ ପ୍ରଜ୍ଜ୍ୱଳିତ ହେଉ ଏବଂ ତାହାର ସାମାନ୍ୟ ଜ୍ୟୋତିଃଶିଖାରେ ମାୟା ଅନ୍ତର୍ହିତ ହେଉ, ଏହାହିଁ ମୋର କାମନା ।

 

ଏଥିପାଇଁ ଶାସ୍ତ୍ର କହିଛି ଯେ ଏକ ସାମାନ୍ୟ ସତ୍ୟ ମଧ୍ୟ ଆମକୁ ମହତ୍‌ ଭୟରୁ ତ୍ରାଣ କରେ । ଭୟ ହେଉଛି ମନୁଷ୍ୟ ମନର ଏକ ନାସ୍ତିବାଚକ ଦିଗ । ଅନ୍ୟ ଏକ ନାସ୍ତିକ ବିଭାବ ଦ୍ୱାରା ଏହାକୁ ଅତିକ୍ରମ କରାଯାଇ ପାରିବ ନାହିଁ । ଥରେ ଭୟ ଅନ୍ତରରେ ପ୍ରବେଶ କଲେ ସେ ନୂତନ ଜୀବନ ପାଏ ଏବଂ ଏହି ଦୈତ୍ୟ ରକ୍ତବୀଜ ପରି କ୍ରମେ କ୍ରମେ ନିଜକୁ ବହୁଗୁଣିତ କରେ । ସତ୍ୟର ହିଁ କେବଳ ବାସ୍ତବ ଧର୍ମବୋଧ ଅଛି, ଯାହା ନାସ୍ତିକତାକୁ ବିଦୂରିତ କରି ପାରେ ।

 

ଭାରତରେ ବୈଦେଶିକଶାସନ ବହୁରୂପୀ ସଦୃଶ । ଆଜି ସେ ଇଂରେଜରୂପରେ, କାଲି ସେ ଅନ୍ୟ ଏକ ବିଦେଶୀୟ ମୂର୍ତ୍ତିରେ ଏବଂ ତା’ ପରଦିନ ତା’ର ବିଦ୍ୱେଷ ବୁଦ୍ଧିକୁ ପ୍ରଶମିତ ନ କଲେ ସେ ଆମ ନିଜ ଦେଶୀୟ ଲୋକର ମୂର୍ତ୍ତିରେ ଆବିର୍ଭୂତ ହେବ ।

 

ଆମେ ବିଦେଶୀଶାସନରୂପୀ ଏହି ଦୈତ୍ୟକୁ ମାରଣାସ୍ତ୍ର ଦ୍ୱାରା ବିତାଡ଼ିତ କରିପାରୁ; କିନ୍ତୁ ପ୍ରତିଥର ଏ ତା’ର ଚର୍ମ ଓ ରଙ୍ଗ ପରିବର୍ତ୍ତନ କରି ଆମକୁ ବିଚଳିତ କରିବ । ଆମେ ଯେତେବେଳେ ଅନୁଭବ କରିବୁଁ ଯେ ଦେଶ ଆମର ରହିଛି ଓ ତାହା ହେଉଛି ବାସ୍ତବ, ସେତେବେଳେ ହିଁ ମାୟା ଅନ୍ତର୍ହିତ ହେବ ।

 

‘‘ସ୍ୱଦେଶରେ ଜନ୍ମଗ୍ରହଣ କଲୁଁ ବୋଲି ଯେ ଦେଶ ଆମର’’—ଏହି ଧାରଣା କେବଳ ପରାଙ୍ଗପୁଷ୍ଟ ଭଳି ଦେଶର ବହିର୍ଜୀବନ ସହିତ ଆବଦ୍ଧ ରହିଥିବା ବ୍ୟକ୍ତିମାନେ ହିଁ ହୃଦୟରେ ପୋଷଣ କରିଥାଆନ୍ତି । କାରଣ ମାନବର ପ୍ରକୃତ ରୂପ ତାହାର ଅନ୍ତଃପ୍ରକୃତିରେ ହିଁ ପ୍ରକଟିତ । ଯେଉଁ ଦେଶକୁ ମନୁଷ୍ୟ ନିଜ ଜ୍ଞାନରେ, ବୁଦ୍ଧିରେ, ପ୍ରେମରେ ଓ କର୍ମରେ ସୃଷ୍ଟି କରି ତୋଳେ ସେତେବେଳେ ସେ ଦେଶ ହୁଏ ତା’ର ପ୍ରକୃତ ଜନ୍ମଭୂମି । ଏପରି କି ବିଶ୍ୱକର୍ମା ମଧ୍ୟ ନିଜ ସୃଷ୍ଟିରେ ନିଜକୁ ସନ୍ଧାନ କରିଥାଆନ୍ତି ।

 

ଆମେ ଯେତେବେଳେ ନିଜ ଦେଶକୁ ନିଜେ ସୃଷ୍ଟି କରିବା କଥା କହୁଁ, ସେତେବେଳେ ନିର୍ଦ୍ଦିଷ୍ଟ ଭାବରେ ଆମେ କ’ଣ ବୁଝୁଁ ଆମେ ବୁଝୁ ଯେ ନିଜ ଦେଶରେ ନିଜର ଆତ୍ମଶକ୍ତିକୁ ବ୍ୟାପକ ଭାବରେ ଉପଲବ୍‌ଧି କରି ଚିନ୍ତା, କର୍ମ ଓ ସେବାରେ ସେହି ଶକ୍ତିକୁ ବିନିଯୋଗ କରିବା । ମନୁଷ୍ୟର ଜନ୍ମଭୂମି ହିଁ ତା’ର ଆତ୍ମିକ ଜୀବନର ଦର୍ପଣ ଓ ପ୍ରତିଫଳନ ହେବା ବଞ୍ଛନୀୟ ।

 

ଯେଉଁ ଦେଶରେ ଆମେ ଜନ୍ମଗ୍ରହଣ କରିଛୁ କିପରି ସେ ଦେଶକୁ ଆମେ ନିଜର ଆପଣାର କରି ପାରିବା ସେ ସମ୍ବନ୍ଧରେ ବହୁକାଳ ପୂର୍ବେ ମୁଁ ମୋର ‘‘ସ୍ୱଦେଶ ଓ ସମାଜ’’ ଶୀର୍ଷକ ପ୍ରବନ୍ଧରେ ଆଲୋଚନା କରିଥିଲି । ମୁଁ ଜୋରଦେଇ କହିଥିଲି ଯେ ଆମ ଦେଶକୁ କେବଳ ଯେ ବିଦେଶୀ ହାତରୁ ଆମକୁ ଆଣିବାକୁ ପଡ଼ିବ ତାହା ନୁହେଁ, ପରନ୍ତୁ ଆମର ଔଦାସୀନ୍ୟ ଓ ନୈଷ୍କମ୍ୟରୁ ମଧ୍ୟ ଦେଶକୁ ମୁକ୍ତ କରିବାକୁ ପଡ଼ିବ । ଆମର ଉନ୍ନତି ସାଧନ ପାଇଁ ଯେତେବେଳେ ଆମେ ବିଦେଶୀ ସରକାରଙ୍କ ଦ୍ୱାରସ୍ଥ ହୋଇଛୁ, ଆମେ ଆମର ନିଶ୍ଚେଷ୍ଟତା ତଥା, ଜଡ଼ତାକୁ କେବଳ ନିବିଡ଼ତର କରିଅଛୁ । ଫଳରେ ସରକାର ଆମର ସକଳ ଉନ୍ନତି ପାଇଁ ସୁନାମ ଅର୍ଜନ କରିଛନ୍ତି, କିନ୍ତୁ ଆମେ ବହୁଳ ପରିମାଣରେ ଆମ ଦେଶକୁ ହରାଇ ବସିଛୁ । ଆମେ ଆମର ବୈଷୟିକ ସୁବିଧା ପାଇଁ ଆଧ୍ୟାତ୍ମିକ ମୂଲ୍ୟବୋଧକୁ ଜଳାଞ୍ଜଳି ଦେଉଛୁଁ । ଯାଜ୍ଞବଳ୍ଚ୍ୟ ଯଥାର୍ଥରେ କହିଛନ୍ତି—‘‘ନବା ଅରେ ପୁତ୍ରସ୍ୟ କାମାୟ ପୁତ୍ରଃ ପ୍ରିୟୋଭବତି, ଆତ୍ମନସ୍ତୁ କାମାୟ ପୁତ୍ରଃ ପ୍ରିୟୋଭବତି ।’’ ଆମେ ଗୋଟିଏ ପୁତ୍ର ପାଇବାକୁ ଇଚ୍ଛୁକ ବୋଲି ଯେ ପୁତ୍ର ଆମ ନିକଟରେ ଅତିପ୍ରିୟ ତାହା ନୁହେ; ତା’ ଭିତରେ ଆମକୁ ଆମେ ଉପଲବ୍‌ଧି କରୁଁ ବୋଲି ସେ ଆମରି ପ୍ରିୟ ।

 

ଆମର ଜନ୍ମଭୂମି ପକ୍ଷରେ ମଧ୍ୟ ଏହା ପ୍ରଯୂଜ୍ୟ । ଆମର ଆତ୍ମସତ୍ତାର ପ୍ରକାଶ ଯୋଗୁ ହିଁ ଦେଶ ଆମ ନିକଟରେ ପ୍ରିୟ । ଆମେ ଯେତେବେଳେ ଏହି ଭାବରେ ଉଦ୍‌ବୁଦ୍ଧ ହେବୁ, ସେତେବେଳେ ଆମ ଦେଶର ଗଠନମୂଳକ ପ୍ରଗତି ପାଇଁ ଅନ୍ୟ ଅନ୍ୟର ମର୍ଜି ଉପରେ ଆମକୁ ନିର୍ଭର କରିବାକୁ ପଡ଼ିବ ନାହିଁ । ଆମ ଦେଶପ୍ରେମୀଙ୍କର ଶ୍ରୂତିକଟୁ ହେବା ଭଳି ସେଥିରେ ଏପରି କୌଣସି ମତବାଦ ନ ଥିଲା, କିନ୍ତୁ ଏହା ଦ୍ୱାରା ପ୍ରତିବାଦର ଯେଉଁ ଝଡ଼ ସୃଷ୍ଟି ହୋଇଥିଲା, ତାହା ମୁଁ କଦାପି ଭୁଲି ପାରିବି ନାହିଁ । ଏହାର ଦୁଇଟି କାରଣ ଥିଲା—ଗୋଟିଏ କ୍ରୋଧ ଓ ଅପରିଟି ପ୍ରଲୋଭନ । ସ୍ୱକୀୟ କ୍ରୋଧର ପ୍ରକାଶ ହିଁ ଏକ ପ୍ରକାର ଭାବୋଚ୍ଛ୍ୱାସର ବିଲାସିତା । ଆମର ଏହି ଉଚ୍ଛୃଙ୍ଖଳାଜନିତ ବିଲାସକୁ ନିରୁଦ୍ଧ କରିବା ପାଇଁ ସେତେବେଳେ କିଛି ପନ୍ଥା ନ ଥିଲା । ଆନନ୍ଦରେ ଆମେ ପିକେଟିଂ କଲୁ—ଗାଣ୍ଠି ଗାଣ୍ଠି ଲୁଗା ପୋଡ଼ିଦେଲୁଁ ଏବଂ ଯେଉଁମାନେ ଆମ ପଥ ଅନୁସରଣ ନ କଲେ ଭାଷା ଓ ଆଚରଣରେ କୌଣସି ପ୍ରକାର ସଂଯମ ନ ରଖି ସେମାନଙ୍କୁ ସାବଧାନ ବାଣୀ ଶୁଣାଇଦେଲୁଁ । ଏହିସବୁ ଘଟଣା ଘଟିଯିବାର ଅଳ୍ପକାଳ ପରେ ଜଣେ ଜାପାନୀ ବନ୍ଧୁ ମୋତେ ପଚାରିଲେ ‘‘ତୁମେ କାର୍ଯ୍ୟ ତୁଲେଇ ପାରୁ ନା ? ନିଜ ଲକ୍ଷ୍ୟରେ ଉପନୀତ ହେବା । ପ୍ରଚେଷ୍ଟାରେ ଶକ୍ତିର ଅପଚୟ କଦାପି ଶ୍ରେଷ୍ଠ ପନ୍ଥା ନୁହେ ।’’ ଉତ୍ତର ଦେବାକୁ ଯାଇ ମୁଁ କହିଥିଲି ‘‘ଯଦି ଲକ୍ଷ୍ୟ ଆମ ଦୃଷ୍ଟିପଥରେ ପରିଷ୍କାର ଭାବରେ ପ୍ରତିଭାତ ହୁଏ, ତାହାହେଲେ ଆମକୁ ଆତ୍ମସଂଯମର ସହିତ ଆମ ଶକ୍ତିର ବିନିଯୋଗ କରିବାକୁ ପଡ଼ିବ, କିନ୍ତୁ ଯେତେବେଳେ କ୍ରୋଧର ତୃପ୍ତି ସାଧନ ପାଇଁ ଆମେ ଉନ୍ମତ୍ତତାର ଶୀର୍ଷ ସ୍ଥାନରେ ପହଞ୍ଚୁ, ସେତେବେଳେ ଆମର ଉଦ୍ଦେଶ୍ୟ ସିଦ୍ଧିଲାଭ କରେ ନାହିଁ; ପରନ୍ତୁ ଆମ ଶକ୍ତିର ଅପଚୟ ସଙ୍ଗେ ଶକ୍ତି ମଧ୍ୟ ନିଃଶେଷ ହୋଇଯାଏ ।

 

ସେ ଯାହାହେଉ ସେତେବେଳେ ମୋ ଦେଶବାସୀ ସେମାନଙ୍କ ଉତ୍କଟ ବିଦ୍ୱେଷ ଭାବର ପ୍ରଦର୍ଶନରେ କୌଣସି ବାଧା ସେମାନେ ସହ୍ୟ କରି ପାରୁ ନ ଥିଲେ । ଏଗୁଡ଼ିକ ମୋତେ ଏପରି ମୋତେ ଏପରି ହାସ୍ୟସ୍ପଦ ଓ କାଳ୍ପନିକ ବୋଧ ହୋଇଥିଲା ଯେ ଠିକ୍‌ ସେହି ସମୟରେ ମୁଁ ଦେଶରେ ବିରାଗଭାଜନ ହେବାସତ୍ତ୍ୱ ଏକ ଭିନ୍ନ କ୍ରିୟାନୁଷ୍ଠାନର ନଜୀର ଦେଇଥିଲି ।

 

ଏହାଛଡ଼ା ଆଉ ଗୋଟିଏ ବିଷୟ ହେଉଛି ଲୋଭ । କେବଳ କଠିନ ଦ୍ୱାରା ହିଁ ଦୁର୍ଲ୍ଲଭ ଓ ଯୋଗ୍ୟବସ୍ତୁ ଲାଭ କରାଯାଇଥାଏ । କିନ୍ତୁ ଆମେ ସେ ବସ୍ତୁ ଲାଭ କରିବାକୁ ଏକ ପ୍ରକାର ଶସ୍ତା ଉପାୟ ଅବଲମ୍ବନ କଲୁଁ । କେବଳ ହାତଯୋଡ଼ି ଭିକ୍ଷା କରିବାରେ ନୁହେଁ—ଏପରିକି ଆମ ଭିକ୍ଷା ବୃତ୍ତିରେ ଧମକ୍‌ ମଧ୍ୟ ରହିଥିଲା । ଏହା ସତେ କି ରାଜନୀତିକ ବଜାରରେ ଅତି ଶସ୍ତାଦରର ଏକ ପଣ୍ୟଦ୍ରବ୍ୟ ରୂପେ ପରିଗଣିତ ହେଲା ଓ କମ୍‌ ଦରରେ ବିକ୍ରି ହେବାକୁ ଲାଗିଲା । ଯେଉଁ ବ୍ୟକ୍ତି ସମ୍ବଳହୀନ ସେ ଶସ୍ତାଦର ଶୁଣିବା ମାତ୍ରେ ଆନନ୍ଦରେ ଏପରି ବିଭୋର ହୋଇଯାଏ ଯେ ଜିନିଷଟା ଭଲ କି ମନ୍ଦ ତାହା ଜାଣିବାକୁ ତା’ର ଧୈର୍ଯ୍ୟ ନ ଥାଏ ଏବଂ ଯିଏ ସେଥିରେ ସନ୍ଦେହ ପ୍ରକାଶ କରେ ତାକୁ ଆକ୍ରମଣ କରିବାକୁ କୁଣ୍ଠାବୋଧ କରି ନ ଥାଏ । ସେତେବେଳେ ମାୟା ଅର୍ଥାତ୍‌ ବାହାରର ରୂପ ଆମକୁ ଅଧିକାର କରିଥିଲା । ସେହି ସମୟରେ ଜଣେ ରାଜନୀତିକ ନେତା ଯଥାର୍ଥର କହିଥିଲା—‘‘ମୋର ଗୋଟିଏ ହାତ ଇଂରେଜ୍‌ ସରକାରଙ୍କ ଗଲାରେ ଆଉ ଗୋଟିଏ ତାର ପାଦତଳେ ରହିଛି ।’’ ତେଣୁକରି ଦେଶ ପାଇଁ ତାଙ୍କର ଆଉ ହାତ ନ ଥିଲା । ସେ ପ୍ରକାର ମନୋଭାବ ବହୁଦିନରୁ ଗଲାଣି । ଆମର ବର୍ତ୍ତମାନ ଗୋଟିଏ ଦଳ ଅଛି, ଯାହାର ଦୁଇଟି ହାତ ବିଦେଶୀ ସରକାରଙ୍କ ଗଳାରେ ରହିଛି, ମାତ୍ର ଆଉ ଏକ ଦଳର ହାତ ସରକାରଙ୍କ ପଦଦେଶରେ ନିହିତ । କେବଳ ଭାବଭଙ୍ଗୀ ଆମକୁ ସାହାଯ୍ୟ କରିପାରେ ନା—ଏପରି କି ବୈଦେଶିକମାନଙ୍କ ସହିତ ଲିପ୍ତ କୌଣସି ଭାବଭଙ୍ଗୀ ଆମକୁ ସାହାଯ୍ୟ କରିପାରେ ନାହିଁ ।

 

ସେଦିନ ସକଳ ଦିଗରୁ ଉଦ୍ଭୁତ ଉତ୍ତେଜନା ବଙ୍ଗର ହୃଦୟ ପ୍ରଦେଶକୁ ଅଧିକାର କରିଥିଲା, କିନ୍ତୁ ସେହି ହୃଦୟାବେଗ ଅଗ୍ନି ସଦୃଶ କେବଳ ତା’ର ଇନ୍ଧନକୁ ହିଁ ଧ୍ୱଂସ କରି ଭସ୍ମରେ ପରିଣତ କରିଥାଏ, କିନ୍ତୁ ତାର ସେ ସୃଷ୍ଟିଶକ୍ତି ନ ଥାଏ । ଧୈର୍ଯ୍ୟ, ନୈପୁଣ୍ୟ ଓ ଦୂରଦୃଷ୍ଟି ସହ ଏହି ଅଗ୍ନିଦ୍ୱାରା କଠିନ ଉପାଦାନକୁ ଦ୍ରବୀଭୂତ କରି ମନୁଷ୍ୟର ମନ ନିଜର ପ୍ରୟୋଜନୀୟ ବସ୍ତୁ ତିଆରି କରିପାରେ । ଆମର ମାନସିକ ତଥା ବୌଦ୍ଧିକ ଶକ୍ତିକୁ ଜାଗ୍ରତ କରିବାରେ ଅସମର୍ଥ ହୋଇଥିବାରୁ ଆମର ସେହି ସମୟର ଜାଜ୍ୱଲ୍ୟମାନ ଅସୀମ ଭବୋଚ୍ଛ୍ୱାସ ଭିତରେ ସ୍ଥାୟୀ ମୂଲ୍ୟର କୌଣସି ସଙ୍ଗଠନ ଆମେ ନିର୍ମାଣ କରିବାକୁ ଅକ୍ଷମ ହେଲୁ । ଆମ ଭିତରେ ହିଁ ଆମ ବିଫଳତାର କାରଣ ନ୍ୟସ୍ତ ଥିଲା । ଅତୀତରୁ ବହୁକାଳ ଧରି ଆମର ସମସ୍ତ କର୍ମ ଗୋଟିଏ ଦିଗରେ ଉଚ୍ଛ୍ୱାସ ଦ୍ୱାରା, ଅପର ଦିଗରେ ଅଭ୍ୟାସ ଦ୍ୱାରା ବଶୀଭୂତ ହୋଇପଡ଼ିଥିଲା । ଆମର ଚିନ୍ତାଶକ୍ତି ନିଶ୍ଚେଷ୍ଟ ହୋଇ ରହିଲା ଓ ଆମେ ଏହାର ସ୍ୱାଧୀନ ବିକାଶ ପାଇଁ କୌଣସି ସୁଯୋଗ ଦେଲୁ ନାହିଁ । ତେଣୁ ଯେତେବେଳେ କୌଣସି କାମ କରିବା ପାଇଁ ଡକରା ପଡ଼ିଲା, ସହସା ଆମର ଆବେଗକୁ ଅଧିକାର କରିବାକୁ ଚେଷ୍ଟା କରାଗଲା, ଏବଂ ଆମ ବୁଦ୍ଧିଶକ୍ତିକୁ ଜାଗ୍ରତ କରିବା ପାଇଁ ଉଦ୍ୟମ କରାଗଲା । ସେତେବେଳେ ରହସ୍ୟମୟ ଯାଦୁ ମନ୍ତ୍ରର ଆବଶ୍ୟକତା ଅନୁଭୂତ ହୋଇଥିଲା ।

 

ମନର ଏହି ଜଡ଼ତା ତଥା ମୃତାବସ୍ଥାରେ ହିଁ ଅତି ସହଜରେ ଭ୍ରାନ୍ତି ବା ମାୟା ଆସିଥାଏ-। ଆଲ୍ଲାଦିନ୍‌ଙ୍କର ପ୍ରଦୀପର ପ୍ରତିଶ୍ରୁତି କଥା ଶୁଣିଲେ ଲୋଭାବିଷ୍ଟ ହୃଦୟରେ ଶିହରଣ ସୃଷ୍ଟି ହୋଇଥାଏ । ଏହା ସର୍ବବାଦୀସମ୍ମତ ଯେ ଆମେ ଯଦି ପ୍ରକୃତରେ ଆଲ୍ଲାଦିନ୍‌ଙ୍କର ପ୍ରଦୀପ ଭଳି ଆଶ୍ଚର୍ଯ୍ୟକର ଏକ ପଦାର୍ଥ ପାଉଁ, ତାହାହେଲେ ତାକୁ ପରାସ୍ତ କଲା ଭଳି ଅନ୍ୟ ଏକ ପଦାର୍ଥ ମିଳିବା ଦୁର୍ଲ୍ଲଭ । ସେ ଯାହାହେଉ ଯାହାର ଲୋଭ ବେଶୀ ଆଉ ସାମର୍ଥ୍ୟ କମ୍‌-ଏପରି ବ୍ୟକ୍ତି କଦାପି ଏହା ସ୍ୱୀକାର କରି ପାରିବ ନାହିଁ । କେବଳ ପ୍ରଦୀପର ଦାନ କଥା ଶୁଣିବା ମାତ୍ରେ ତା’ର ହୃଦୟରେ ଗଭୀର ଉଦ୍ୱେଗ ଜାତ ହୁଏ; କିନ୍ତୁ ତା’ର ଆଶାର ନିରର୍ଥକଥା ପ୍ରତି ତାର ଦୃଷ୍ଟି ଆକର୍ଷଣ କଲେ ସେ ଏକାଥରକେ ବିଚଳିତ ହୋଇଯାଏ । ମନେହୁଏ ଯେପରି କି ତା’ର ସମସ୍ତ ସମ୍ପତ୍ତି କିଏ ଅପହରଣ କରି ନେଇଛି ।

 

ବଙ୍ଗ ବିଚ୍ଛେଦର ପ୍ରବଳ ଉତ୍ତେଜନା ସମୟରେ ଦଳେ ଯୁବକ ରାଷ୍ଟ୍ରବିପ୍ଳବ ଦ୍ୱାରା ଯୁଗାନ୍ତର ଆଣିବାକୁ ସଚେଷ୍ଟ ହୋଇଥିଲେ । ଯେଉଁ ଅଗ୍ନି ସେମାନେ ପ୍ରଜ୍ଜ୍ୱଳିତ କରିଥିଲେ, ସେହି ଅଗ୍ନିରେ ସେମାନେ ନିଜକୁ ଆହୂତି ଦେଲେ, ଏବଂ ସେଥିପାଇଁ ସେମାନେ ଆଜି କେବଳ ଆମ ଦେଶର ନୁହନ୍ତି, ସମଗ୍ର ପୃଥିବୀର ନମସ୍ୟ, ଏପରିକି ସେମାନଙ୍କର ନିଷ୍ଫଳତା ମଧ୍ୟ ଆଧ୍ୟାତ୍ମିକ ଗୌରବର ଦୀପ୍ତିରେ ସମୁଜ୍ଜ୍ୱଳ । ପରମ ଆତ୍ମାତ୍ୟାଗ ଓ ଅସହ୍ୟ ଦୁଃଖବଳରେ ସେମାନେ ଜାଣିଲେ ଯେ ଦେଶ ପ୍ରକୃତରେ ପ୍ରସ୍ତୁତ ନ ହେବାଯାଏ ବିପ୍ଳବ ଆମକୁ ବିପଥକୁ ଟାଣିଆଣେ ଓ ବ୍ୟର୍ଥତାରେ ପରିଣତ ହୁଏ । ଯେଉଁ କୃତ୍ରିମ ପଥ ସେମାନଙ୍କୁ ଅତି ସହଜ ପଥ ପରି ମନହୋଇଥିଲା, ସେ ପଥ ସାହାଯ୍ୟରେ ସେମାନେ ଲକ୍ଷ୍ୟସ୍ଥଳରେ ଉପନୀତ ହୋଇ ପାରିଲେ ନାହିଁ, ବରଂ ସେମାନଙ୍କର ପଦ କଣ୍ଟକବିଦ୍ଧ ହୋଇ ଚ୍ଛିନ୍ନବିଚ୍ଛିନ୍ନ ହେଲା । ଯେଉଁ ଜିନିଷର ଯାହା ମୂଲ୍ୟ ତାହା ତାକୁ ପୂରା ନ ଦେଲେ ଦାମ୍‌ ତ ଯାଏ, ଏପରି କି ଜିନିଷ ମଧ୍ୟ ମିଳେ ନା । ସେଦିନର ସେହି ଦୁଃସାହସିକ ଯୁବକମାନେ ଭାବିଥିଲେ ଯେ ସମଗ୍ର ଦେଶ ତରଫରୁ ଯଦି ସେମାନେ ଆତ୍ମୋତ୍ସର୍ଗ କରନ୍ତି, ତାହାହେଲେ ରାଷ୍ଟ୍ରବିପ୍ଲବ ଘଟିବା ସମ୍ଭବ । ସେମାନେ ତାଙ୍କ ଶକ୍ତି ଅନୁଯାୟୀ ସର୍ବସ୍ୱ ଦାନ କଲେ ସତ, କିନ୍ତୁ ଦେଶ ପକ୍ଷରେ ତାହା ଯଥେଷ୍ଟ ହେଲା ନାହିଁ । ଗୋଟିଏ ଦେଶର ମୁକ୍ତି କଳ୍ପନା ସମଗ୍ର ଜନସାଧାରଣଙ୍କର ଅନ୍ତଃକରଣରେ ହିଁ ଜାଗ୍ରତ ହେବା ଉଚିତ୍‌-କିନ୍ତୁ କେବଳ ଗୋଟିଏ ଅଂଶରୁ ତାହା ଜନ୍ମଲାଭ କରିବା ଅନୁଚିତ । ଗୋଟିଏ ରେଳଗାଡ଼ିର ପ୍ରଥମଶ୍ରେଣୀ ଡବାଟି ଯେତେ ସୁନ୍ଦର ଓ ମୂଲ୍ୟବାନ ଉପକରଣରେ ସଜ୍ଜିତ ହେଲେ ମଧ୍ୟ ତା’ ସହିତ ସଂଯୁକ୍ତ ତୃତୀୟ ଶ୍ରେଣୀ ଡବା ଅପେକ୍ଷା କଦାପି ଦ୍ରୁତ ବେଗରେ ଗତି କରିପାରେ ନା । ମୁଁ ନିଶ୍ଚିତ ଭାବରେ କହୁଛି ଯେ ସେହି ଦଳର ଯେଉଁମାନେ ଆଜି ଜୀବିତ, ସେମାନେ ବର୍ତ୍ତମାନ ବୁଝିଲେଣି ଯେ ଦେଶ କହିଲେ ଦେଶର ସମଗ୍ର ଜନସାଧାରଣଙ୍କର ସୃଷ୍ଟିକୁ ହିଁ ବୁଝାଏ । ଏହି ସୃଷ୍ଟି ତା’ର ସମସ୍ତ ହୃଦୟବୃତ୍ତି, ବୃଦ୍ଧିବୃତ୍ତି ଓ ଇଚ୍ଛାଶକ୍ତିର ବିକାଶ ମାତ୍ର ।

 

ଅନ୍ୟ ଦେଶର ପ୍ରଗତି ଉପରେ ଯେତେବେଳେ ଆମେ ଦୃଷ୍ଟିପାତ କରୁ ସେତେବେଳେ ରାଜନୀତିକ ଘୋଡ଼ାଗାଡ଼ି ପ୍ରଥମେ ଆମ ଦୃଷ୍ଟି ପଥରେ ପଡ଼ିଥାଏ । ଏହାର ଉପରେ ହିଁ ସେହି ଗାଡ଼ିର ଦ୍ରୂତଗତି ସଂପୂର୍ଣ୍ଣଭାବରେ ନିର୍ଭର କରିଥାଏ । ଆମେ ଭୁଲିଯାଉଁ ଯେ ଏହା ପଛରେ ଦେଶ ବୋଲି ଯେଉଁ ଗାଡ଼ିଟି ଅଛି ତାହା ମଧ୍ୟ ଠିକ୍‌ ଭାବରେ ଚାଲିବା ଉଚିତ । ଆହୁରି ମଧ୍ୟ ସେ ଗାଡ଼ିର ଚକଗୁଡ଼ିକ ମଧ୍ୟରେ ସାମଞ୍ଜସ୍ୟ ରହିବା ଓ ଏକ ଅଂଶ ଅପର ଅଂଶ ସହିତ ଠିକ୍‌ ଭାବରେ ସଂଯୁକ୍ତ ହେବା ଆବଶ୍ୟକ । ବିଭିନ୍ନ ଉପକରଣ ସହ ହାତୁଡ଼ି, କରତ ଓ କଳକବ୍‌ଜା ଦ୍ୱାରା କେବଳ ଏ ଗାଡ଼ି ତିଆରି ହୋଇ ନାହିଁ, ପରନ୍ତୁ ଏହା ମଧ୍ୟରେ ବହୁ ଚିନ୍ତା, ସାଧନା ଓ ତ୍ୟାଗ ରହିଛି । ଆମେ ଏପରି ଦେଶ ସବୁ ଦେଖୁଛୁ ଯେ କି ବାଲ୍ୟତଃ ସ୍ୱାଧୀନ, କିନ୍ତୁ ରାଜନୀତିକ ଘୋଡ଼ା ତାକୁ ଯେତେବେଳେ ଟାଣେ, ଗତି ଶବ୍ଦରେ ସମସ୍ତ ପ୍ରତିବେଶୀଙ୍କର ନିଦ ଭାଙ୍ଗିଯାଏ । ତା’ର ଧକ୍କା ଲାଗି ଯାତ୍ରୀମାନଙ୍କର ଅଙ୍ଗପ୍ରତ୍ୟଙ୍ଗ ବ୍ୟଥାପ୍ରାପ୍ତ ହୁଏ ଓ ପଥରେ ଚାଲୁ ଚାଲୁ ସେହି ଗୋଡ଼ିଟି ବହୁବାର ଭାଙ୍ଗିଯାଏ, ପୁଣି ସଜାଡ଼ିବାକୁ ବହୁ କଷ୍ଟ ସହ୍ୟ କରିବାକୁ ପଡ଼େ ।

 

ସେ ଯାହାହେଉ ସେଗୁଡ଼ିକ ଏକପ୍ରକାର ଗାଡ଼ି, କିନ୍ତୁ ଆମ ଦେଶ ପାଇଁ ଯେଉଁ ଖଣ୍ଡାଂଶ ସବୁ ସାଧାରଣରେ ରହିଯାଏ ସେଥିରେ ଯେ କୌଣସି ପ୍ରକାର ଜୋର ନ ଥାଏ, ତାହା ନୁହେ, ପରନ୍ତୁ ସେହି ଅଂଶଗୁଡ଼ିକ ପରସ୍ପର ବିରୋଧିତାରେ ପରିପୂର୍ଣ୍ଣ, କିନ୍ତୁ କ୍ରୋଧ, ଲୋଭ ଅଥବା ଅନ୍ୟ କୌଣସି ପ୍ରବୃତ୍ତିର ବାହୁ ବନ୍ଧନରେ ବାନ୍ଧି କୋଳାହଳ ଓ ଯନ୍ତ୍ରଣାର ସହିତ ତାକୁ ଟାଣିଲେ କ’ଣ ପ୍ରକୃତ ରାଜନୀତିକ ପ୍ରଗତି ବୋଲି କୁହାଯିବ ? ଟାଣିବାର ଶକ୍ତି ବା କେତେକାଳ ପର୍ଯ୍ୟନ୍ତ ତିଷ୍ଠି ପାରିବ ? ଅତଏବ ଘୋଡ଼ାଟିକୁ କିଛିସମୟ ପାଇଁ ଘୋଡ଼ାମେଳରେ ରଖିଦେଇ ପ୍ରଥମରେ ଗାଡ଼ିକୁ ସଜାଡ଼ି ତାକୁ ସୁନ୍ଦର ଆକାରରେ ରଖିବା କ’ଣ ବୁଦ୍ଧିମାନର କାର୍ଯ୍ୟ ନୁହେ ?

 

ମୃତ୍ୟୁର ସିଂହଦ୍ୱାରରୁ ବଙ୍ଗଳାର ଯେଉଁ ତରୁଣଦଳ ଫେରି ଆସିଛନ୍ତି, ସେମାନଙ୍କର ଲେଖାଲେଖିରୁ ମୁଁ ଅନୁମାନ କରୁଛି ଯେ ଏହି ଚିନ୍ତା ହିଁ ଆଜି ସେମାନଙ୍କର ମନକୁ ବିବ୍ରତ କରୁଛି । ତାଙ୍କ ମତରେ ବର୍ତ୍ତମାନ ପରିସ୍ଥିତିରେ ଆମର ସବୁଠାରୁ ଅଧିକ ପ୍ରୟୋଜନ ହେଉଛି ଆତ୍ମପ୍ରସ୍ତୁତି ଓ ଅନ୍ତର୍ନିହିତ ମାନବର ଉନ୍ନତ ସାଧନର ଦୃଢ଼ ଉଦ୍ୟମ, ଯାହା ଫଳରେ ଏକ ମିଳିତ ଓ ସାଧାରଣ ପ୍ରଚେଷ୍ଟାର ମୂଳଭିତ୍ତି ପ୍ରତିଷ୍ଠିତ ହେବ । ବାହାରର ବନ୍ଧନ ପ୍ରତି ଅନ୍ଧ ଭାବରେ ଆନୁଗତ୍ୟ ସ୍ୱୀକାର କରିବା ଦ୍ୱାରା ଏହା ସମ୍ଭବ ନୁହେ । କିନ୍ତୁ ଏକ ଶୃଙ୍ଖଳିତ ବିଚାରବୁଦ୍ଧି ଦ୍ୱାରା ହିଁ ଏହାକୁ ଲାଭ କରିବାକୁ ପଡ଼ିବ । ଯାହା ଦେଶର ମନକୁ ଉଦ୍‌ବୋଧିତ ନ କରି କେବଳ ଅଭିଭୂତ ବାସ୍ତବ୍ଧ କରିଦିଏ, ତାହା ଦେଶ ପକ୍ଷରେ ଅନ୍ତରାୟ ସ୍ୱରୂପ ।

 

ନିଜର ସୃଷ୍ଟିଶକ୍ତି ଦ୍ୱାରା ଦେଶକୁ ନିଜର କରି ତୋଳିବାର ଯେଉଁ ଆହ୍ୱାନ ତାହା ପ୍ରକୃତରେ ଏକ ମହତ୍‌ ଆହ୍ୱାନ । ଏହା କଦାପି କୌଣସି ଏକ ଯାନ୍ତ୍ରିକ ଅନୁଷ୍ଠାନର ତାଗିଦ୍‌ ନୁହେ, କାରଣ ମନୁଷ୍ୟ ମହୁମାଛି ପରି କେବଳ ଗୋଟିଏ ମାପରେ ମଧୁଚକ୍ର ନିର୍ମାଣ କରିବା ବା ମାଙ୍କଡ଼ସା ପରି ସର୍ବଦା ଗୋଟିଏ ଛାଞ୍ଚରେ ଜାଲ ବୁଣିବାରେ ତାର ଶକ୍ତିକୁ ସୀମିତ କରେ ନାହିଁ । ଅନ୍ତରରେ ହିଁ ତାର ସର୍ବୋକୃଷ୍ଟ ଶକ୍ତି ନିହିତ–ସେଥିରୁହିଁ ତା’ର ଶକ୍ତିକୁ ସେ ଆହରଣ କରିବ; କିନ୍ତୁ ଅଭ୍ୟାସ ଦ୍ୱାରା ନୁହେ, ‘‘ଚିନ୍ତା କର ନାହିଁ, କେବଳ କାମ କରିଯାଅ’’ ତାକୁ ଏକଥା କହିବା ଦ୍ୱାରା ଯେଉଁ ମାୟା ବହୁକାଳରୁ ଆମ ଦେଶକୁ ଭୟଙ୍କର ଭାବରେ ମୋହାବିଷ୍ଟ କରିଛି, ସେହି ମାୟାକୁହିଁ ପ୍ରଶ୍ରୟ ଦେବା । ଏତେକାଳ ଧରି ଆମେ ପବିତ୍ର ଅନୁଶାସନ ଓ ପ୍ରତିଷ୍ଠିତ ପ୍ରଥାର ଶକ୍ତି ନିକଟରେ ଅନ୍ଧ ଭାବରେ ଆମର ସର୍ବୋଚ୍ଚ ଅଧିକାର–ଅର୍ଥାତ୍‌ ବିଚାରାଧିକାରକୁ ସମର୍ପଣ କରି ସନ୍ତୁଷ୍ଟ ରହିଅଛୁଁ । ଆମେ କହିଛୁ ଆମେ ସମୁଦ୍ର ଲଂଘନ କରିବୁ ନାହିଁ–କାରଣ ମନୁ ଏହା ନିଷେଧ କରିଛନ୍ତି-। ଆମେ ଜଣେ ମୁସଲମାନ ପାଖରେ ବସି ଖାଇବୁ ନାହିଁ–କାରଣ ଏହା ଶାସ୍ତ୍ର ବିରୋଧୀ-। ଅନ୍ୟ କଥାରେ କହିଲେ ଠିକ୍‌ହେବ ଯେ ଆମ ଏ ପର୍ଯ୍ୟନ୍ତ ଏକ ନିର୍ଦ୍ଦିଷ୍ଟ କର୍ମପନ୍ଥା ଓ ଅଭ୍ୟାସକୁ ଅନୁସରଣ କରି ଆସିଅଛୁ, ଯେଉଁଠିକି ବୁଦ୍ଧିର ସ୍ଥାନ ନାହିଁ । ଜଣେ ପ୍ରଭୁ ଯେପରି ତାର ଭୃତ୍ୟ ଉପରେ କେବଳ ନିର୍ଭର କରି ଅକର୍ମା ହୋଇଯାଏ, ଠିକ୍‌ ସେହି ଅବସ୍ଥାରେ ଆମେ ଆସି ଉପନୀତ ହୋଇଅଛୁ । କାରଣ ମୁଁ ପୂର୍ବରୁ କହିଛି ଯେ ଆମ ଅନ୍ତର ହିଁ ଆମର ପ୍ରକୃତ ପ୍ରଭୁ । ଯେତେବେଳେ ସେ ଏକାନ୍ତ ଭାବରେ ବାହ୍ୟ ଘଟଣାରେ ଆସକ୍ତ ହୁଏ ସେତେବେଳେ ତାର ଆଉ ଦୁର୍ଗତିର ସୀମା ରହେ ନାହିଁ–ସେ ହୁଏ ଏକ ପରାସକ୍ତ ଜୀବ; କେବଳ ଦାସତ୍ୱର କାରଖାନାରେ ସେ ହୁଏ ଗୋଟିଏ ଯନ୍ତ୍ରଚାଳିତ କଳ । ଯଉଁ ଜଡ଼ତାରୁ ଆମ ଦାସ ମନୋଭାବର ସୃଷ୍ଟି ତାକୁ କଦାପି ଆଉ ବେଶୀ ପରିମାଣରେ ଅନ୍ଧ ଆନୁଗତ୍ୟ ବା ଯନ୍ତ୍ରଚାଳିତ ଗୋଟିଏ କଳ କଣ୍ଢେଇର ଚାପ ଦ୍ୱାରା ମୁକ୍ତ କରି ହେବ ନାହିଁ । ବଙ୍ଗ-ଭଙ୍ଗ ଆନ୍ଦୋଳନ ପରେ ଦେଶରେ ଆଉ ଯେଉଁ ଗୋଟିଏ ଆନ୍ଦୋଳନର ବର୍ତ୍ତମାନ ସୂତ୍ରପାତ ହୋଇଛି, ତାହା ବୃହତ୍‌ ଆକାର ଧରଣ କରିବା ସଙ୍ଗେ ସଙ୍ଗେ ସାରା ଭାରତରେ ତା’ର ପ୍ରଭାବ ପରିଲକ୍ଷିତ ହେଉଅଛି ।

 

ପୂର୍ବରୁ ଆମର ରାଜନୀତିକ ନେତାମାନେ ଇଂରେଜୀ ଶିକ୍ଷିତ ଶ୍ରେଣୀ ଛଡ଼ା ଆଉ ବାହାରକୁ ଦୃଷ୍ଟିପାତ କରି ନାହାନ୍ତି, କାରଣ ସେହିମାନେ ହିଁ ଏ ଦେଶରେ ପ୍ରାଧାନ୍ୟ ଲାଭ କରିଥିଲେ । ଆମ ଦେଶ ସେତେବେଳେ ଇଂରେଜ ଭାଷାର ବାଷ୍ପାବୃତ ଗୋଟିଏ ମରୀଚିକା ସଦୃଶ ପ୍ରତୀୟମାନ ହେଉଥିଲା ଏବଂ ସେଥିରେ ବାର୍କ, ଗ୍ଳାଡ଼ଷ୍ଟୋନ୍‌, ମାଜିନୀ ଓ ଗାରିବାଲ୍‌ଡ଼ିଙ୍କର ଅସ୍ପଷ୍ଟମୂର୍ତ୍ତି ଭାସମାନ ଆକାରରେ ଦେଖାଯାଉଥିଲା । ଦେଶ ମଧ୍ୟରେ ପ୍ରକୃତ ଆତ୍ମତ୍ୟାଗ ବା ଜନତା ପ୍ରତି ସହାନୁଭୂତି ପ୍ରଭୃତି ଉଚ୍ଚ ମାନବିକ ଧର୍ମର ପରିଚୟ ମିଳୁ ନ ଥିଲା ।

 

ତାହା ପରେ ଏହି ଘୋର ସଂକଟ ମୁହୂର୍ତ୍ତରେ ଭାରତର କୋଟି କୋଟି ଦୁଃସ୍ଥ ନିରନ୍ନ ଜନତାର ଦ୍ୱାରଦେଶରେ ତାଙ୍କରି ପୋଷାକ ପିନ୍ଧି ତାଙ୍କରି ଭାଷାରେ କଥା କହିବାକୁ ଠିଆହେଲେ ମହାତ୍ମା ଗାନ୍ଧୀ । ଏହା ଏକ ସତ୍ୟ ଘଟଣା- ଛପା ପୃଷ୍ଠାର ଗୋଟିଏ ଗଳ୍ପ ମାତ୍ର ନୁହେ ସେହି ସକାଶେ ସେ ପ୍ରକୃତ ମହାତ୍ମା ନାମରେ ପରିଚିତ । କାରଣ ଭାରତର ଏହି ବିପୁଳ ଜନତାକୁ ନିଜର ରକ୍ତମାଂସର–ନିଜର ଆପଣାର କରି ଆଉ କିଏ ଦେଖିଛି ? ସତ୍ୟର ସ୍ପର୍ଶ ମାତ୍ରକେ ଅଫୁରନ୍ତ ଶକ୍ତିର ଉତ୍ସ ଖୋଲିଯାଏ । ବାସ୍ତବିକ୍‌ ଯେଉଁ ମୁହୂର୍ତ୍ତରେ ପ୍ରେମ ଭାରତର ଦ୍ୱାରଦେଶରେ ଆସି ପହଞ୍ଚିଲା, ସଙ୍ଗେ ସଙ୍ଗେ ସେ ଦ୍ୱାର ଖୋଲିଗଲା । ସକଳ ପ୍ରକାର ଅନ୍ତର୍ନିହିତ କାର୍ପଣ୍ୟଭାବ ଅଦୃଶ୍ୟ ହୋଇଗଲା–ସତ୍ୟର ସ୍ପର୍ଶରେ ସତ୍ୟ ଜାଗିଉଠିଲା ।

 

ଚାତୁରୀ ଦ୍ୱାରା ଯେଉଁ ରାଷ୍ଟ୍ରନୀତି ଚାଳିତ ହୁଏ, ସେ ନୀତି ବନ୍ଧ୍ୟା । ଏ ଶିକ୍ଷା ବହୁକାଳରୁ ଆରମ୍ଭ ହେବା ଆବଶ୍ୟକ ଥିଲା । ଆମ ହୃଦୟରେ ସତ୍ୟବୋଧ ଜାଗ୍ରତ କରିବା ସମ୍ମାନର ଅଧିକାରୀ କେବଳ ହିଁ ମହାତ୍ମା, କିନ୍ତୁ ଚାତୁରୀ ହେଉଛି ଭୀରୁ ଓ ଦୁର୍ବଳର ସହଜ ଧର୍ମ-ଭୀରୁ ଓ ଦୁର୍ବଳ ବ୍ୟକ୍ତି କେବଳ ଶସ୍ତା ଧରଣର କୌଶଳ ଅବଲମ୍ବନ କରେ । ଆଜି ମଧ୍ୟ ବହୁ ବିଜ୍ଞବ୍ୟକ୍ତି ମହାତ୍ମାଙ୍କର ପ୍ରଚେଷ୍ଟାକୁ ନିଜ ନିଜର ରାଜନୀତିକ ଜୁଆଖେଳରେ ଗୋଟିଏ ଚାଲବାଜି ସହିତ ସମାନ କରିଥାନ୍ତି, ଏହା ମୁକ୍ତିର ଜନ୍ମଲଗ୍ନ–ଏହା ଅନ୍ୟ କିଛି ନୁହେ । ଏଥିରେ ହିଁ ଦେଶ ନିଜକୁ ଆବିଷ୍କାର କରିଛି । ଏହା ସହିତ ଭାରତର ବୈଦେଶିକ ଅଧିକାରର କୌଣସି ସମ୍ବନ୍ଧ ନାହିଁ । ଏହି ପ୍ରେମ ହିଁ ପବିତ୍ର; ସ୍ୱକୀୟ, ଜ୍ୟୋତିରେ ଉର୍ଜ୍ଜସ୍ୱଳ । ସେ ଅସ୍ୱୀକାର ସୂଚକ ମନୋଭାବ ସହିତ ତର୍କରେ ନିଜକୁ ଜଡ଼ିତ ରଖେ ନାହିଁ- କୌଣସି ପ୍ରକାରେ ଯୁକ୍ତି ତର୍କର ଅବକାଶ ସେଠାରେ ନାହିଁ ।

 

ପ୍ରେମର ଆହ୍ୱାନରେ ଭାରତବାସୀଙ୍କ ହୃଦୟରେ ଯେଉଁ ଉଦ୍‌ବୋଧନ ଦେଖାଗଲା ତାହାର ସ୍ୱର ଦରିଆ ପାରି ହୋଇ ବିଦେଶରେ ମୋ କାନରେ ପହୁଞ୍ଚିଥିଲା । ସେତେବେଳେ ଅତି ଆନନ୍ଦର ସହିତ ଏହି କଥା ମୋର ମନେହେଲା ଯେ ଉଦ୍‌ବୋଧନର ଦରବାରରେ ଏହିଥର ଆମ ସମସ୍ତଙ୍କୁ ଡକରା ପଡ଼ିବ, ଭାରତବାସୀଙ୍କ ଚିତ୍ତରେ ଯେଉଁ ଅପୂର୍ବ ଶକ୍ତି ପ୍ରଚ୍ଛନ୍ନ ଭାବରେ ନିହିତ, ସେ ଶକ୍ତି ଆଜି ପୂର୍ଣ୍ଣ ଭାବେ ପ୍ରକାଶିତ ହେବ । ଏହାକୁହିଁ ମୁଁ ଦେଶର ପ୍ରକୃତ ମୁକ୍ତି ବୋଲି ବିଶ୍ୱାସ କରିଥିଲି । ଯେତେବେଳେ ବୁଦ୍ଧ ଭାରତବର୍ଷରେ; ନିଜର ସତ୍ୟ ସାଧନାର ଭିତର ଦେଇ ସର୍ବଭୂତଙ୍କ ପ୍ରତି ମୈତ୍ରୀମନ୍ତ୍ର ଘୋଷଣା କରିଥିଲେ ସେତେବେଳେ ସେହି ସତ୍ୟର ପ୍ରେରଣା ଭାରତୀୟ ଜୀବନର ସକଳ ବିଭାବକୁ ସ୍ପର୍ଶ କରିଥିଲା ଓ ସୃଜନାତ୍ମକ ଶିଳ୍ପକଳାକୁ ମଧ୍ୟ ସମୃଦ୍ଧ କରିଥିଲା, କିନ୍ତୁ ଅତୀତର ସେହି ପୁରାତନ ଯୁଗରେ ରାଷ୍ଟୀୟ ଏକତା ଉପରେ ବାର ବାର ଆକ୍ରମଣ ହେବାରୁ ଭାରତ ଛିନ୍ନବିଚ୍ଛିନ୍ନ ହୋଇ ଯାଇଥିଲା । ସେହି ମୈତ୍ରୀ ଓ ମୁକ୍ତିର ପ୍ରଭାବ ଏପରି ଥିଲା, ଯାହା ଫଳରେ ତାହା ଭାରତର ସୀମାନ୍ତକୁ ଅତିକ୍ରମ କରି ଅନ୍ୟାନ୍ୟ ଜାତିର ଅନ୍ତର୍ନିହିତ ଐଶ୍ୱର୍ଯ୍ୟ ପ୍ରତି ସେମାନଙ୍କୁ ସଚେତନ କରିଥିଲା ।

 

କୌଣସି ମହାନ ବିଜେତା କିମ୍ବା କୌଣସି ଧନୀ ରାଜପୁତ୍ର ଏପରି କୃତିତ୍ୱ କେବେ ହାସଲ କରି ପାରିନି । ସେମାନେ କେବଳ ବିରୋଧ, ମନ୍ତ୍ରଣା ଓ ଅପମାନ ନିଜ ପାଇଁ ବହନ କରି ଆଣିଛନ୍ତି । ଜୀବନର ମୌଳିକ ଉପାଦାନକୁ ସ୍ପର୍ଶ କରି ପ୍ରେମ ତା’ର ମୁକ୍ତିପଥ ହାସଲ କରେ, କିନ୍ତୁ ପ୍ରଲୋଭନ ବଳ ପ୍ରୟୋଗପୂର୍ବକ ନିଜର ଲକ୍ଷ୍ୟବସ୍ତୁ ଲାଭ କରିଥାଏ । ବଙ୍ଗ ବିଚ୍ଛେଦ ବିରୁଦ୍ଧରେ ଯେତେବେଳେ ଆନ୍ଦୋଳନ ହୋଇଥିଲା, ସେତେବେଳେ ଆମେ ଏହା ଲକ୍ଷ୍ୟ କରିଥିଲୁ- ସେଦିନ ଲୋକେ ଅନ୍ତର୍ନିହିତ ପ୍ରେମ ଦ୍ୱାରା ନୁହେ- ବରଂ ଲୋଭାସକ୍ତ ହୋଇ ବାହାରର ନାନାପ୍ରକାର ଚାପରେ ତ୍ୟାଗସ୍ୱୀକାର କରିବାକୁ ବାଧ୍ୟ ହୋଇଥିଲେ । ଫଳଲାଭ ଅସ୍ଥାୟୀ ହେଲେ ସୁଦ୍ଧା ଲୋଭ ଅଳ୍ପସମୟ ମଧ୍ୟରେ ତାହା ପାଇବାକୁ ଚେଷ୍ଟା କରେ । ପ୍ରେମର ଫଳ ଦୀର୍ଘସ୍ଥାୟୀ ଓ ସ୍ୱୟଂ ସଂପୂର୍ଣ୍ଣ ।

 

ସେହି ସକାଶେ ଉତ୍କଣ୍ଠିତ ଆଶାରେ ନବଜାତ ମୁକ୍ତିର ବାୟୁ ସେବନ କରିବାକୁ ମୁଁ ମୋର ଜନ୍ମଭୂମିକୁ ଅତିଶୀଘ୍ର ଫେରିଆସିଲି, କିନ୍ତୁ ମୁଁ ଯାହା ଦେଖିଲି, ସେଥିରେ ମୁଁ ହତାଶ ହୋଇପଡ଼ିଲି । ମୁଁ ଦେଖିଲି, ସେଥିରେ ମୁଁ ହତାଶ ହୋଇପଡ଼ିଲେ । ମୁଁ ଦେଖିଲି ସତେ ଯେପରି ଦେଶର ମନ ଉପରେ ଏକ ଗଭୀର ଚାପ ସକ୍ରିୟ ଅବସ୍ଥାରେ ରହିଛି, ଫଳରେ ପ୍ରତ୍ୟେକ ବ୍ୟକ୍ତି ସମାନ ସ୍ୱରରେ କଥାବାର୍ତ୍ତା କରୁଛନ୍ତି ଓ ସେମାନଙ୍କର ଭାବଭଙ୍ଗୀରେ ମଧ୍ୟ ସାମ୍ୟ ପରିଦୃଷ୍ଟ ।

 

ମୁଁ ଯେତେବେଳେ ପ୍ରଶ୍ନ କରିବାକୁ ଯାଇଛି, ସେତେବେଳେ ମୋର ହିତୈଷୀ ବନ୍ଧୁମାନେ ମୋତେ କିଛି ନ କହିବାକୁ ବ୍ୟାକୁଳ ଭାବରେ ଅନୁରୋଧ କରି କହିଛନ୍ତି, ‘‘ଆଜି କିଛି ତୁମେ କୁହ ନାହିଁ, ତୁମକୁ ହାତଯୋଡ଼ି ପ୍ରାର୍ଥନା କରୁଛୁ ।’’ ଦେଶର ପବନରେ ମଧ୍ୟ ଏକ ଅଲକ୍ଷ୍ୟ ଉତ୍‌ପୀଡ଼ନ ଅଛି- ଯାହାକି ମୁକ୍ତ ହିଂସା ଅପେକ୍ଷା ମଧ୍ୟ ଆହୁରି ଭୟଙ୍କର । ଉଦ୍‌ଘୋଷିତ ନୀତିର ବିଚାରଶୀଳତା ଉପରେ ବର୍ତ୍ତମାନ ଜଣେ ସନ୍ଦେହ ପ୍ରକାଶ କଲେ ପରମୁହୂର୍ତ୍ତରେ ତାକୁ ଏକ ଶୃଙ୍ଖଳଗତ ଶାସ୍ତି ବିଧାନର ସମ୍ମୁଖୀନ ହେବାକୁ ପଡ଼ିବ । ଗୋଟିଏ ସମ୍ବାଦ ପତ୍ରର ସମ୍ପାଦକ ବିଦେଶୀ ବସ୍ତ୍ର ପୋଡ଼ିବା ବିରୁଦ୍ଧରେ ସାମାନ୍ୟ ଆପତ୍ତିର ସଙ୍କେତ ଦେବା ଦ୍ୱାରା ପାଠକମଣ୍ଡଳୀ ମଧ୍ୟରେ ଘୋର ପ୍ରତିବାଦ ସୃଷ୍ଟି ହୋଇଥିଲା । ଫଳରେ ଯେଉଁ ଅଗ୍ନିଶିଖା ଗାଣ୍ଠି ଗାଣ୍ଠି ମିଲ୍‌ ଲୁଗା ପୋଡ଼ି ଛାରଖାର କରି ଦେଇଥିଲା, ସେହି ଅଗ୍ନିଶିଖାରେ ତାହାର କାଗଜଟି ମଧ୍ୟ ଭସ୍ମୀଭୂତ ହେଲା ।

 

ମୁଁ ଦେଖୁଛି ଦଳେ ଲୋକ ସେମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟରେ ପ୍ରାଣପଣେ ଲାଗିଛନ୍ତି, କିନ୍ତୁ ଅନ୍ୟ ଦଳଟି ଭୀତତ୍ରସ୍ତ ଓ ମୂକ ଭଳି ନିର୍ବାକ୍‌ ହୋଇ ରହିଛନ୍ତି । ‘‘ସକଳପ୍ରକାର ପ୍ରଶ୍ନ ବା ଯୁକ୍ତି ବା ଯୁକ୍ତି ବନ୍ଦ କରିବାକୁ ହେବ, କେବଳ ଅନ୍ଧ ଭାବରେ ତୁମେ ଆଜ୍ଞା ପାଳନ କର’’–ଏହି ଭାବ ଆଜି ବାୟୁମଣ୍ଡଳରେ ଖେଳିଯାଇଛି ।

 

କାହା ପାଖରେ ଏ ବାଧ୍ୟତା ? କେବଳ କଅଣ କେତେକ ଶବ୍ଦର ଯାଦୁମନ୍ତ୍ର ଓ ବୁଦ୍ଧିହୀନ ଗୋଷ୍ଠୀ ନିକଟରେ ? କାହିଁକି ଏ ପ୍ରକାରର ଅଜ୍ଞାବହତା ? ପୁଣି ଆସିଛି ସେଇ ପ୍ରୟୋଜନ ପ୍ରଶ୍ନ–ଆମର ସେଇ ଆଧ୍ୟାତ୍ମିକ ମନ୍ତ୍ର ଲୋଭ । ଅତିଶୀଘ୍ର ଅତି ଦୁର୍ଲ୍ଲଭ ଧନ ଲାଭ କରିବାର ଏକ ଚିତ୍ତାକର୍ଷକ ପ୍ରତିଶ୍ରୁତି ଆଜି ଦେଶକୁ ଦିଆଯାଇଛି । ଏହି ପ୍ରତିଶ୍ରୂତିର ପ୍ରଲୋଭନରେ ମନୁଷ୍ୟ ଆଜି ନିଜର ବିଚାର ବୁଦ୍ଧି ଅନାୟାସରେ ଜଳାଞ୍ଜଳି ଦେଇଛି ଏବଂ ଅନ୍ୟମାନେ ଏଥିରେ ଅସମ୍ମତ ହେବା ଦ୍ୱାରା ସେମାନଙ୍କର ବିରାଗଭାଜନ ମଧ୍ୟ ହୋଇଛନ୍ତି । କ୍ଷୋଭର ବିଷୟ ଏହି ଯେ ଯେଉଁମାନେ ଏହି ପ୍ରତିଶ୍ରୂତିରେ ସଂପୂର୍ଣ୍ଣ ବିଶ୍ୱାସ କରି ନାହାନ୍ତି ସେମାନେ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଇବାକୁ ବ୍ୟଗ୍ର । ସେମାନେ କହନ୍ତି ଯେ ‘‘ଏହା ଏକ ସତ୍‌ଉଦ୍ଦେଶ୍ୟ ସାଧନ କରିବ ।’’ ସେମାନେ ନିଃସନ୍ଦିଗ୍ଧ ଭାବେ ଚିନ୍ତା କରି କହନ୍ତି, ଭାରତ ବାଣୀ ସେ ଭାରତ କଦପି ସ୍ୱରାଜ ଲାଭ କରି ପାରିବ ନାହିଁ ।

 

ଦୁଃଖର କଥା ଯେ ଯେଉଁ ଲାଭ ପାଇଁ ଏପରି ଦାବୀ କରାଯାଉଛି ତାକୁ ଗୋଟିଏ ନାମ ଦିଆଯାଇଛି ସତ, କିନ୍ତୁ ତାର ସଂଜ୍ଞା କିଛି ସ୍ଥିର ହୋଇ ନାହିଁ । ଭୟର କାରଣଟା ଅସ୍ପଷ୍ଟ ହେଲେ ସେ ଯେପରି ଅତି ଭୟଙ୍କର ହୁଏ, ଲୋଭ ବିଷୟଟି ଅସ୍ପଷ୍ଟ ହେଲେ ତାର ମଧ୍ୟ ପ୍ରାବଲ୍ୟ ବୃଦ୍ଧିପ୍ରାପ୍ତ ହୁଏ । କଳ୍ପନାକୁ ଛାଡ଼ିଦେଲେ ପ୍ରତ୍ୟେକ ବ୍ୟକ୍ତି ତାର ସୁବିଧା ଅନୁସାରେ ତାକୁ ଏକ ରୂପ ଦେଇ ପାରେ । ଏହାର ବାସ୍ତବ ପ୍ରକୃତି ସଂପର୍କରେ ଅନୁସନ୍ଧାନର ପ୍ରଚେଷ୍ଟା ବ୍ୟର୍ଥ ହୁଏ, କାରଣ ତାହା ନିଜକୁ ଅନାୟାସରେ ଆତ୍ମସାତ୍‌ କରିଦିଏ । ଏହିପରି ଯେତେବେଳେ ଲୋଭର ଲକ୍ଷ୍ୟ ଅନିର୍ଦ୍ଦିଷ୍ଟ ଭାବରେ ବଡ଼ ଆକାର ଧାରଣ କରେ ଲାଭର ଉପାୟ ଓ ମୁହୂର୍ତ୍ତ ନିର୍ଦ୍ଦିଷ୍ଟ ଭାବରେ ସୂଚିତ ହୋଇଥାଏ । ବହୁ ଲୋକ ନିଶ୍ଚିତ ଭାବରେ ଜାଣନ୍ତି ସେ ଅଳ୍ପସମୟ ମଧ୍ୟରେ ନିର୍ଦ୍ଦିଷ୍ଟ ମାସ ଓ ଦିନ ମଧ୍ୟରେ ସ୍ୱରାଜ୍ୟ ଲାଭ ହେବ । ନିଜେ ମନର ସ୍ୱାଧୀନତା ହରାଇ ସେମାନେ ଅନ୍ୟକୁ ସେଥିରୁ ବଞ୍ଚିତ କରି ଥାଆନ୍ତି । ଏହା ସତେ ଯେପରି ଭୂତ ଛଡ଼ାଇବାକୁ ଆମେ ଗୁଣିଆର ସନ୍ଧାନ ନେଉଁ, ଏବଂ ସେତେବେଳେ ସେହି ଭୂତ ଗୁଣିଆ ବେଶରେ ନିଜକୁ ପରିଣତ କରେ ।

 

ମହାତ୍ମାଗାନ୍ଧୀ ପ୍ରେମ ଦ୍ୱାରା ଭାରତବାସୀଙ୍କ ହୃଦୟ ଅଧିକାର କରିଛନ୍ତି । ସେଥିସକାଶେ ଆମ ମସ୍ତକ ସ୍ୱତଃ ତାଙ୍କ ପାଖରେ ଅବନତ । ଆମ ନିକଟରେ ସତ୍ୟର ପୂର୍ଣ୍ଣ ସ୍ୱରୂପକୁ ସେ ପ୍ରକାଶ କଲେ ଏବଂ ସେଥିପାଇଁ ଆମେ ତାଙ୍କ ନିକଟରେ ଋଣୀ । ଗ୍ରନ୍ଥମାନଙ୍କରୁ ଆମେ ଚିରନ୍ତନ ସତ୍ୟ ସମ୍ବନ୍ଧରେ ଜ୍ଞାନ ଅର୍ଜନ କରୁ ଆମେ ସେ ସମ୍ବନ୍ଧରେ ଆଲୋଚନା କରୁ । ଯେତେବେଳେ ସତ୍ୟକୁ ଆମେ ସମ୍ମୁଖରେ ଦେଖୁ ସେହି ମୁହୂର୍ତ୍ତଟି ଆମ ପକ୍ଷରେ ଏକ ମୁହୂର୍ତ୍ତ–ଯେଉଁ ମୁହୂର୍ତ୍ତର ସୁଯୋଗ ଜଣକ ଜୀବନରେ ଅତି ବିରଳ । ପ୍ରଦେଶରୁ ଆଉ ଏକ ପ୍ରଦେଶକୁ ଯାଇ ରାଜନୀତିକ ବକ୍ତୃତା ଦେବା ଖୁବ୍‌ ସହଜ ଏବଂ ଏପରି କି ଜାତୀୟ କଂଗ୍ରେସକୁ ଭାଙ୍ଗିବା ଗଢ଼ିବା ମଧ୍ୟ ଅତି ସହଜ, କିନ୍ତୁ ସତ୍ୟ ଓ ପ୍ରେମର କାଉଁରିକାଠିର ସ୍ପର୍ଶରେ ଯେପରି ଶତବର୍ଷର ସୁପ୍ତ ଚିତ୍ତ ଜାଗି ଉଠିଲା, ତାହା ପାଇବା ସହଜ ନୁହେ । ଯାହା ହାତରେ ଏହି ଦୁର୍ଲ୍ଲଭ ସୁନାକାଠି ଅଛି ତାଙ୍କୁ ଆମର କୋଟି କୋଟି ପ୍ରଣାମ ।

 

କିନ୍ତୁ ସତ୍ୟର ସ୍ୱରୂପ ଦର୍ଶନ କରି ସାରିଲା ପରେ ମଧ୍ୟ ଯଦି ଆମର ବିଶ୍ୱାସ ଏଥିରେ ଦୃଢ଼ୀଭୂତ ନ ହୁଏ, ତାହାହେଲେ ଏସବୁର ଫଳ କ’ଣ ? ଯେପରି ହୃଦୟ ପ୍ରେମର ସତ୍ୟକୁ ଗ୍ରହଣ କରେ ସେହିପରି ଆମର ମନ ବୌଦ୍ଧିକ ସତ୍ୟକୁ ଗ୍ରହଣ କରେ । ଏ ପର୍ଯ୍ୟନ୍ତ କଂଗ୍ରେସ ବା ଆଉ କୌଣସି ଅନୁଷ୍ଠାନ ଭାରତବାସୀଙ୍କ ହୃଦୟରେ ଏପରି ଶକ୍ତିଶାଳୀ ପ୍ରଭାବ ପକାଇ ପାରି ନ ଥିଲା । ପ୍ରେମର ସ୍ପର୍ଶ ଅପେକ୍ଷାରେ ଏହା ରହିଥିଲା, ମାତ୍ର ବର୍ତ୍ତମାନ ଯେତେବେଳେ ଆମେ ପ୍ରେମର ସତ୍ୟ ଅନୁଭବ କଲୁ, ସେତେବେଳେ କଣ ଆମେ ଆମର ବିଶ୍ୱାସ, ଅନ୍ୟ ସତ୍ୟ ତଥା ସ୍ୱରାଜ ଲାଭରୁ ଅପସାରଣ କରିବୁ ?

 

ମୁଁ ବର୍ତ୍ତମାନ ଗୋଟିଏ ଦୃଷ୍ଟାନ୍ତ ହେଉଛି । ଧର ମୁଁ ଗୋଟିଏ ବୀଣାବାଦକକୁ ଖୋଜୁଛି । ସବୁଠାରେ ଚେଷ୍ଟା କରିଛି, କିନ୍ତୁ କେଉଁଠି ଉପଯୁକ୍ତ ଲୋକ ପାଇ ନାହିଁ । ସେମାନେ ସମସ୍ତେ ସୁଦକ୍ଷ ଏବଂ ତାଙ୍କର ରୋଜଗାର ଖୁବ୍‌ ବେଶୀ । କୌଣସି ଆବେଗର ବଶବର୍ତ୍ତୀ ନ ହୋଇ ମୁଁ ତାଙ୍କର ଶିଳ୍ପକୌଶଳକୁ ପ୍ରଶଂସା କରୁଛି । ଶେଷରେ ମୁଁ ଜଣକୁ ପାଇଛି । ସେ ବୀଣାର ପ୍ରଥମ ସ୍ୱରରେ ହାତ ଦେବାମାତ୍ରେ ସ୍ୱରଲହରୀ ଯେପରି ସୃଷ୍ଟି ହୋଇଯାଏ । ତାଙ୍କୁ ମୁଁ ମୋର ଶିକ୍ଷକ ରୂପେ ଗ୍ରହଣ କଲି । ତା’ପରେ ମୁଁ ଗୋଟିଏ ବୀଣା ତିଆରି କରିବାକୁ ଚେଷ୍ଟା କଲି–ମାତ୍ର ମୋର ସମ୍ବଳ ଯଥେଷ୍ଟ ନ ଥିଲା । ଯଦି ମୋର ଗୁରୁ ମୋର ଦୁରବସ୍ଥା ପ୍ରତି ସମବେଦନା ଜ୍ଞାପନ କରି କହନ୍ତି–‘‘ତୁମେ ବ୍ୟସ୍ତ ହୁଅ ନାହିଁ, ଗୋଟାଏ କାଠି ଦେହରେ ଖଣ୍ଡିଏ ତାର ବାନ୍ଧି ଝଙ୍କାର ଦିଅ ଏବଂ ଏହିପରି ଅଭ୍ୟାସ କର । ତା’ହେଲେ ଏକ ନିର୍ଦ୍ଦିଷ୍ଟ ମାସର ନିର୍ଦ୍ଦିଷ୍ଟ ତାରିଖରେ ଏ କାଠି ପ୍ରକୃତି ବୀଣାରେ ପରିଣତ ହେବ ।’’

 

ଏ କ’ଣ ମୋତେ ଏ ଦିଗରେ ସାହାଯ୍ୟ କରିବ ? ମୋର ଅବସ୍ଥା ପ୍ରତି ସମବେଦନା ଜ୍ଞାପନ କରିବା ବାସ୍ତବିକ୍‌ ମୋର ଶିକ୍ଷକଙ୍କ ପକ୍ଷରେ ‘ଅପାତ୍ର ଦାନ’ ବୋଲି ଗଣ୍ୟ ହେବ । ତାଙ୍କ ପକ୍ଷରେ ଉଚିତ ହେବ ଯଦି ସେ ମୋତେ କହିଦିଅନ୍ତି ଯେ ଏ କାର୍ଯ୍ୟ ଅତି ଶସ୍ତାରେ କରାଯାଇ ପାରେ ନା, ବୀଣା ଗୋଟିଏ ମାତ୍ର ତାର ନୁହେ; ଏହାର ଉପକରଣ ଅନେକ, ଏହାର ରଚନା ପ୍ରଣାଳୀ ସୂଷ୍ମ, ନିୟମରେ ଟିକିଏ ମାତ୍ର ବ୍ୟତିକ୍ରମ ହେଲେ ଏହା ବେସୁରା ହୋଇଯିବ ।

 

ମହାତ୍ମାଙ୍କ ପ୍ରେମର ଗଭୀରତା ଉପରେ ଆମର ଶ୍ରଦ୍ଧା ଅକ୍ଷୂର୍ଣ୍ଣ ରହୁ–କିନ୍ତୁ ସ୍ୱରାଜ୍ୟ ଜିନିଷଟି ଗୋଟିଏ ବୀଣାର ଗୋଟିଏ ତାର ବା କାଠି ଭଳି କ୍ଷୂଦ୍ର ନୁହେଁ । ଏହା ଏକ ମହତ୍‌କାର୍ଯ୍ୟ ଏବଂ ଏହାକୁ ଗଢ଼ିବାକୁ ହେଲେ ପ୍ରୟୋଜନ ହୁଏ ଗଭୀର ଜ୍ଞାନ, ସୁସ୍ପଷ୍ଟ ଚିନ୍ତା ଓ ମାନବିକ ପ୍ରେରଣା ତଥା ଆବେଗର ଜଟିଳ ପ୍ରଣାଳୀ । ଅର୍ଥନୀତି ବିଶାରଦ, ଶିକ୍ଷାବିଦ୍‌, ମନ୍ତ୍ରତତ୍ତ୍ୱବିଦ୍‌, ସମସ୍ତେ ଏହି ବହୁମୁଖୀ ପ୍ରଚେଷ୍ଟାରେ ସେମାନଙ୍କର ଧ୍ୟାନ ଓ ଚିନ୍ତା ବିନିଯୋଗ କରିବେ । ଜନସାଧାରଣଙ୍କର ବୁଦ୍ଧିଶକ୍ତି ପୂର୍ଣ୍ଣ ଭାବରେ ବିକଶିତ ହେବ, ଯାହା ଫଳରେ ଅନୁସନ୍ଧିତ୍ସା ଓ ଜିଜ୍ଞାସାବୃତ୍ତି ନିର୍ମଳ ଓ ଚିରଉଜ୍ଜଳ ରହିବ । ପ୍ରକାଶ୍ୟ ଭାବରେ ହେଉ ବା ଗୋପନ ଭାବରେ ହେଉ ମନୁଷ୍ୟ ମନକୁ ବାଧ୍ୟବାଧକତା ସାହାଯ୍ୟରେ ନିଷ୍କ୍ରିୟ ବା ଭୟଭୀତ କରିବା ଉଚିତ୍‌ ନୁହେ ।

 

ଯେ କୌଣସି ଆହ୍ୱାନରେ ଦେଶ ଜାଗିଉଠେ ନା । ଆମର ଅତୀତ ଅଭିଜ୍ଞତାରୁ ଆମେ ତାହା ଜାଣୁ । ଯେହେତୁ ଜଣେ କେହି ଏ ପର୍ଯ୍ୟନ୍ତ ଦେଶର ସକଳ ଶକ୍ତିକୁ ସୃଷ୍ଟି କାର୍ଯ୍ୟରେ ବିନିଯୋଗ କରି ପାରି ନାହିଁ, ଫଳରେ ସମୟ ଅଯଥା ବ୍ୟୟିତ ହୋଇଛି । ସେଥିପାଇଁ ଏତେକାଳ ଆମେ ସେହି ବ୍ୟକ୍ତିର ଅପେକ୍ଷାରେ ବସିଛୁଁ ଯିଏ ଦେଶର ଲୋକଙ୍କୁ ଆହ୍ୱାନ କରିବାର ଶକ୍ତି ଓ ଅଧିକାର ହାସଲ କରିଛି । ଦିନେ ତପୋବନରୁ ଆମର ଗୁରୁମାନେ ସେମାନଙ୍କର ଗଭୀର ଜ୍ଞାନ ଓ ପ୍ରଭାବଳରେ ଆମକୁ ଏହିପରି ଆହ୍ୱାନ ଦେଇଥିଲେ–

 

‘‘ଯଥାପଃ ପ୍ରବଣୟନ୍ତି ଯଥାମାସା ଅହର୍ଜରମ୍‌

ଏବଂ ମା ବ୍ରାହ୍ମଚାରିଣୋ ଧାତ୍‌ ଆୟନ୍ତୁ ସର୍ଗତଃ ସ୍ୱାହା’’

 

ଯେପରି ଝରଣାଗୁଡ଼ିକ ନିମ୍ନଗାମୀ ହୁଅନ୍ତି, ମାସଗୁଡ଼ିକ ଯେପରି ସମ୍ୱତ୍ସର ଦିଗକୁ ଧାବିତ ହୁଅନ୍ତି, ସେହିପରି ସକଳ ଦିଗରୁ ବ୍ରହ୍ମଚାରୀମାନେ ମୋ ନିକଟକୁ ଆସନ୍ତୁ । ସେହି ପୁରାତନ ଯୁଗର ସତ୍ୟ ଦୃଷ୍ଟି ଏପର୍ଯ୍ୟନ୍ତ ବଞ୍ଚି ରହିଛି । ଏହାର ସ୍ୱର ଚତୁର୍ଦ୍ଦିଗରେ ପରିବ୍ୟାପ୍ତ ଓ ପ୍ରତିଧ୍ୱନିତ । କାହିଁକି ଆଉ ଆମର ସର୍ବଶ୍ରେଷ୍ଠ ନେତା ସେହିପରି ଦେଶର କର୍ମଶକ୍ତିକୁ ଆହ୍ୱାନ ଚ୍ଛରୁ ନାହାନ୍ତି ? କାହିଁକି ସେ କହୁ ନାହାନ୍ତି ଯେ ‘‘ଆୟାନ୍ତ ସର୍ବତଃ ସ୍ୱାହା’’ ସେମାନେ ସକଳ ଦିଗରୁ ମୋ ନିକଟକୁ ଆସନ୍ତୁ । ସ୍ୱାଧୀନତାର ଅର୍ଥ ଦେଶରୁ ସଂମ୍ପୂର୍ଣ୍ଣରୂପେ ଜାଗ୍ରତ କରିବା । ପରମେଶ୍ୱର ମହାତ୍ମା ଗାନ୍ଧୀଙ୍କ କଣ୍ଠରେ ଆହ୍ୱାନ କରିବାର ଶକ୍ତି ଦେଇଛନ୍ତି–ଏହା କାହିଁକି ଆମର ଚରମ ଶୁଭମୁହୂର୍ତ୍ତ ହେବ ନାହିଁ ?

 

କିନ୍ତୁ ତାଙ୍କର ଆହ୍ୱାନ କେବଳ ସୀମାବଦ୍ଧ କ୍ଷେତ୍ରରେ ପହଞ୍ଚିଲା । ସମସ୍ତଙ୍କୁ ସେ କହିଲେ ‘‘ସୂତାକାଟ, - ଲୁଗାବୁଣ’’–ଏହା କ’ଣ ନବଯୁଗର ବିଶାଳ ସୃଷ୍ଟି ପାଇଁ ଏକ ବୈପ୍ଲବିକ ଆହ୍ୱାନ ? ଯେତେବେଳେ ପ୍ରକୃତି ମହୁମାଛିକୁ ଏକ ସଂକୀର୍ଣ୍ଣ ମଧୁଚକ୍ରର ଜୀବନ-ଯାପନ କରିବାକୁ ଆହ୍ୱାନ କରିଛି, ସେତେବେଳେ ଲକ୍ଷ ଲକ୍ଷ ମହୁମାଛି ନିଜର କର୍ମଶକ୍ତିର ବିକାଶ ପାଇଁ ନିଜ ନିଜକୁ କ୍ଳୀବ କରିଛନ୍ତି । କିନ୍ତୁ ଆପଣାକୁ ଖର୍ବ କରି ସେମାନେ ଯେଉଁ ଆତ୍ମତ୍ୟାଗ କଲେ ତାଙ୍କ ମୁକ୍ତି ପନ୍ଥାର ବିରୋଧୀ । ସେହିପରି ଯେଉଁ ବ୍ୟକ୍ତିମାନେ କୌଣସି ଆଦେଶ ପାଳନ ପାଇଁ ନିଜ ଶକ୍ତିର କ୍ଳୀବତ୍ୱ ସାଧନରେ କୁଣ୍ଠାବୋଧ କରନ୍ତି ନାହିଁ, ସେମାନେ ନିଜ ମଧ୍ୟରେ ନିଜର ବନ୍ଦୀଶାଳା ବହନ କରିଥାଆନ୍ତି । ସହଜପନ୍ଥା ପାଇଁ ଯେ ଆହ୍ୱାନ ତାହା ମହୁମାଛି ପାଇଁ ସିନା, ମନୁଷ୍ୟ ପାଇଁ ନୁହେ । ମନୁଷ୍ୟ ନିକଟରେ ତା’ର ଚୂଡ଼ାନ୍ତ ଶକ୍ତି ପାଇଁ ଦାବିକଲେ ସେତେବେଳେ ସେ ନିଜକୁ ତାର ସକଳ ଐଶ୍ୱର୍ଯ୍ୟସହ ପ୍ରକାଶ କରିଥାଏ ।

 

ସ୍ପାର୍ଟା ତାର ମାନବିକ ଶକ୍ତିକୁ ସଂକୀର୍ଣ୍ଣ କ୍ଷେତ୍ରରେ ବିନିଯୋଗ କରି ଶକ୍ତିଶାଳୀ ଦେବାକୁ ଚେଷ୍ଟା କରିଥିଲା, କିନ୍ତୁ ସେ ତାର ଲକ୍ଷ୍ୟ ହାସଲ କରି ପାରିଲା ନାହିଁ । ଏଥେନ୍ସ କିନ୍ତୁ ମଣିଷର ସମଗ୍ର ଶକ୍ତିକୁ ଉନ୍ମୁକ୍ତ କରି ତାକୁ ପୂର୍ଣ୍ଣତା ଦେବାକୁ ଚାହିଁଥିଲା । ଫଳରେ ସେ ଜୟଯୁକ୍ତ ହେଲା- ତା’ର ସେହି ଜୟଧ୍ୱଜା ଆଜି ମଧ୍ୟ ମାନବ ସଭ୍ୟତାର ଶିଖର ପ୍ରଦେଶରେ ଉଡ଼ୀୟମାନ । ଇଉରୋପର ସେନାନିବାସ ଓ କାରଖାନା ମାନଙ୍କରେ ମାନବ ଶକ୍ତିର କ୍ଲୀବତ୍ୱ ସାଧନ କରାଯାଉଛି–ନିୟମିତ ଭାବରେ ମନୁଷ୍ୟର ଆକୃତି କ୍ଷୁଦ୍ରାକାର ଧରଣ କରୁଛି । ସଂକୀର୍ଣ୍ଣ ଆତ୍ମସ୍ୱାର୍ଥ ନିକଟରେ ଆଜି ମାନବିକତାକୁ ବଳି ଦିଆଯାଉଛି । ଏହି କାରଣରୁ ହିଁ ଆଉ ପାଶ୍ଚାତ୍ୟର ଦୁଃଖ ତମିସ୍ରା ଇଉରୋପର ଆକାଶକୁ ଅନ୍ଧକାରାଚ୍ଛନ୍ନ କରିଅଛି । ବଡ଼ ସାନ ଉଭୟ ପ୍ରକାର କଳ, ବିରାଟ ଇଂଜିନ୍‌ ବା କ୍ଷୁଦ୍ର ଚରଖା ଦ୍ୱାରା ଆଜି ମାନବକୁ ଛୋଟ କରି ଦିଆଯାଇଛି । ଚରଖା ଯଥା ସ୍ଥାନରେ ରହିଲେ ମଙ୍ଗଳକାରକ ହୁଏ । କିନ୍ତୁ ଯେଉଁଠି ମନୋଭାବର ବୈଚିତ୍ର୍ୟ ବଶତଃ ଚରଖା ଅପାତ୍ରରେ ରଖାଯାଏ, ସେଠାରେ ସୂତାକଟା ହେବା ସଙ୍ଗେ ସଙ୍ଗେ ମନକୁ ମଧ୍ୟ କଟା ଯାଇଥାଏ । ମନ ଜିନିଷଟି କଦାପି ଚରଖା ସୂତା ଅପେକ୍ଷା କମ୍‌ ମୂଲ୍ୟବାନ୍‌ ନୁହେଁ ।

 

ଯୁକ୍ତିଛଳରେ କୁହାଯାଇଥାଏ ଯେ ଶତକଡ଼ା ୮୦ ଜଣ ଲୋକ ଭାରତର ଚାଷ କାର୍ଯ୍ୟରେ ନିଯୁକ୍ତ ଏବଂ ପ୍ରାୟ ୬ ମାସ ସେମାନେ କର୍ମହୀନ ହୋଇ ବସନ୍ତି । ଏମାନଙ୍କୁ ଉତ୍ସାହିତ କରିବା ପାଇଁ କିଛି ସମୟ ଭଦ୍ରଲୋକମାନେ ଚରଖା ଧରିବା ଉଚିତ । କିନ୍ତୁ ପ୍ରଥମରୁ ତା’ର ମୌଳିକ ତଥ୍ୟ ବା ସତ୍ୟକୁ ପ୍ରମାଣିତ କରିବା ଉଚିତ । ‘‘କେତେ ଜଣ ଚାଷୀ କେତେକାଳ ପାଇଁ ବେକାର ହୋଇ ବସି ରହନ୍ତି ?’’ ସେମାନେ କ’ଣ ସୂତାକଟାଠାରୁ ଅନ୍ୟ ପନ୍ଥାରେ ବେଶୀ ରୋଜଗାର କରିବେ ? ‘‘ଚାଷ ବ୍ୟତୀତ ଜୀବିକା ଉପାର୍ଜନର ଅନ୍ୟ କୌଣସି ପନ୍ଥା ଚାଷୀମାନଙ୍କ ପାଇଁ ସ୍ଥିର କଲେ ତାହା କଲ୍ୟାଣକର ହେବ କି ନା, ଏ ବିଷୟରେ ମଧ୍ୟ ଘୋର ସନ୍ଦେହ ଅଛି । ଗୋଟିଏ କଥାରେ କେବଳ ମାତ୍ର ଅନୁମାନ ଉପରେ ନିର୍ଭର କରି ସେମାନଙ୍କ ପାଇଁ ଏକ ସାଧାରଣ ପନ୍ଥା ନିର୍ଦ୍ଦେଶ କରିବା ଆମ ପକ୍ଷରେ ଉଚିତ ହେବ ନାହିଁ । ଆମେ ବୈଜ୍ଞାନିକ ରୀତିରେ ଏହାର ଗବେଷଣା କରିବାକୁ ଦାବି କରୁ, ତାହାହେଲେ ଯାଇ ଏହାର ଯଥାଯୋଗ୍ୟ ବିଚାର କରିବା ସମ୍ଭବପର ହେବ ।

 

ପ୍ରତିବାଦର ସ୍ୱର ମୋ କାନରେ ବାଜିଲା । ‘‘କୁହାଗଲା ଆମେ ଚିରକାଳ ମନକୁ ପଙ୍ଗୁ କରିବାକୁ ଚାହୁଁନା, କେବଳ ଅଳ୍ପକାଳ ସକାଶେ ।’’ ଅଳ୍ପକାଳ ସକାଶେ ବା କାହିଁକି ? ଏହାର କ’ଣ କାରଣ ଏହି ଯେ ଆମର ସଂକ୍ଷିପ୍ତକାଳ ସ୍ୱରାଜ ସୃଷ୍ଟି କରିଥାଏ । ପୃଥିବୀର କୌଣସି ପ୍ରାନ୍ତରେ ଏହି ସ୍ୱରାଜ ସୃଷ୍ଟି କାର୍ଯ୍ୟ ଶେଷ ହୋଇ ନାହିଁ । ସବୁ ଦେଶର କୌଣସି କୌଣସି ଅଂଶରେ ଲୋଭ ବା ମୋହର ପ୍ରରୋଚନାରେ ଏହି ବନ୍ଧନଦଶା ରହିଯାଇଛି । କିନ୍ତୁ ସେହି ବନ୍ଧନ ମାନବର ମନରେ ହିଁ ନିହିତ । ସବୁ ଦେଶ ଭଳି ଏ ଦେଶରେ ମଧ୍ୟ ଜ୍ଞାନରେ, ବୈଜ୍ଞାନିକ ଚିନ୍ତାଧାରାରେ ଓ ମାନସିକ ବିକାଶ ଉପରେ ହିଁ ସ୍ୱରାଜ୍ୟକୁ ପ୍ରତିଷ୍ଠା କରିବାକୁ ପଡ଼ିବ, କିନ୍ତୁ କୌଣସି ଅଗଭୀର ଭାବଭଙ୍ଗୀ ଉପରେ ନୁହେ ।

 

କିଛି କାଳ ପାଇଁ ଚରଖା କାଟି ଆମେ ଯେ ସ୍ୱରାଜ ଲାଭ କରି ପାରିବୁ ଏହା କହିବାରେ କୌଣସି ଯୁକ୍ତି ନାହିଁ । ଯଦି ଆମେ ମାନବ ମୁଖରୁ ଏହା କହିବାରେ କୌଣସି ଯୁକ୍ତି ନାହିଁ । ଯଦି ଆମେ ମାନବ ମୁଖରୁ ଦୈବବାଣୀ ଶୁଣିବାକୁ ସମ୍ମତ ହେଉ ତାହାହେଲେ ହଜାର ପ୍ରକାର କୁସଂସ୍କାର ଆସି ମନକୁ ଆଚ୍ଛନ୍ନ କରିବ । ଯଦି ଥରେ ଦେଖାଯାଏ ଯେ ଦୈବବାଣୀ ଛଡ଼ା ଆଉ କୌଣସିଥିରେ ଆମ ଦେଶ ଗତି କରୁ ନାହିଁ, ତାହାହେଲେ ରାତ୍ରଦିନ ପ୍ରୟୋଜନ ଦୃଷ୍ଟିରେ କେବଳ ସେହି ଦୈବବାଣୀ ସୃଷ୍ଟି କରିବାକୁ ପଡ଼ିବ । ଅନ୍ୟ ସକଳ ପ୍ରକାର ସ୍ୱର ନିସ୍ତବ୍ଧ ହୋଇଯିବ । ଯୁକ୍ତି ପରିବର୍ତ୍ତରେ ଯଦି ଅନ୍ଧବିଶ୍ୱାସ ସ୍ଥାନ ପାଏ, ତାହାହେଲେ ସ୍ୱାଧୀନତା ସ୍ୱେଚ୍ଛାଚାରିତାରେ ପରିଣତ ହୁଏ । ଏହା କିଛି ନୂତନ ନୁହେ । ଆମ ଭାରତବର୍ଷରେ ଆମେ ଯଥେଷ୍ଟ ପରିମାଣରେ ଅଲୌକିକ ଘଟଣା ଓ ଗୁଢ଼ ରହସ୍ୟମୟ କ୍ରିୟା ଦେଖିଛୁଁ । ଆହୁରି ମଧ୍ୟ ଜାଗତିକ ବିଭିନ୍ନ ବିଷୟରେ ଆମେ ଐନ୍ଦ୍ରଜାଲିକ ଓ ସକଳ ପ୍ରକାର ଦୈବୀକ୍ରିୟାର ପରିଚୟ ପାଇଛୁଁ । ସେହି କାରଣରୁ ମୁଁ ସେହି ନଷ୍ଟବେଦୀ ଉପରେ ପୁଣି ଥରେ ଯୁକ୍ତିର ସ୍ତମ୍ଭ ସ୍ଥାପନ କରିବାକୁ ବ୍ୟାକୁଳ ।

 

ଆଜି ବସ୍ତ୍ରାଭାବରେ ଲଜ୍ଜ୍ୟାଶୀଳା ଜନ୍ମଭୂମିର ପ୍ରାଙ୍ଗଣରେ ରାଶି ରାଶି ମିଲ୍ ଲୁଗାରେ ଅଗ୍ନି ସଂଯୋଗ କରାଯାଉଛି । କେବଳ ଅନ୍ଧବିଶ୍ୱାସ ଛଡ଼ା ଏପରି ଅପଚୟର କାରଣ ମୁଁ କିଛି ଦେଖି ପାରୁ ନାହିଁ । ବିଦେଶୀ ଲୁଗାକୁ ବ୍ୟବହାର କରିବା କି ବର୍ଜନ କରିବା, ଏ ବିଷୟ ଅର୍ଥନୀତିଜ୍ଞମାନେ ହିଁ ବିଚାର କରିବେ । ଏହାକୁ ବିଚାର କରିବାକୁ ଗଲେ ଅର୍ଥନୀତିକ ଭାଷାର ପ୍ରୟୋଜନ ହେବ । ଯଦି ଲୋକେ ବୈଜ୍ଞାନିକ ରୀତିରେ ଚିନ୍ତା କରିବାକୁ ଅସମର୍ଥ ହୁଅନ୍ତି, ତାହାହେଲେ ଆମକୁ ପ୍ରଥମରୁ ହିଁ ସେହି ବିଷାଦ ଭାରାକ୍ରାନ୍ତ ମନୋଭାବ ବିରୁଦ୍ଧରେ ଯୁଦ୍ଧ କରିବାକୁ ପଡ଼ିବ । ଏପ୍ରକାର ଅଯୋଗ୍ୟତା ଆମର ଆଦିମ ପାପ ସହିତ ତୁଳନୀୟ. ଯେଉଁଠାରୁ କି ସକଳ ପ୍ରକାର ଅମଙ୍ଗଳ ସୃଷ୍ଟି ହୋଇଥାଏ । ସେତେବେଳେ ହିଁ ସେହି ମୌଳିକ ପାପ ସମର୍ଥନ ପାଏ, ଯେତେବେଳେ ଘୋଷଣା କରାଯାଏ ଯେ ବିଦେଶୀ ବସ୍ତ୍ର ଅପବିତ୍ର ଓ ତା'ର ଧ୍ୱଂସ ବାଞ୍ଛନୀୟ । ଅସତ୍ୟ ଯେତେବେଳେ ଧର୍ମନୀତିରୂପରେ ଦେଖାଦିଏ ସେତେବେଳେ ଅର୍ଥନୀତିର ଦୋଦୁଲ୍ୟମାନ ଅବସ୍ଥା ହେବା ସ୍ୱାଭାବିକ-। କେବଳ ଆମର ଉଦ୍ଦେଶ୍ୟ ସାଧନ କରିବାକୁ ଅସମର୍ଥ ହେଲା ବୋଲି ପରିତ୍ୟଜ୍ୟ । ତାହାର ଆଉ ଯାହା ପ୍ରଭାବ ଥାଉ ନା କାହିଁକି ଏହା ଆମର ଅନ୍ତର୍ନିହିତ ପ୍ରକୃତିକୁ ଅପବିତ୍ର କରେ । ଏହା ଅର୍ଥନୀତି ଓ ରାଜନୀତିର ସ୍ତର ଉପରେ କେବଳ ଗୋଟିଏ ନୈତିକ ଭିତ୍ତି ମାତ୍ର । ଏହା ଛଡ଼ା ଯଦି ଏକ ନିର୍ଦ୍ଦିଷ୍ଟ ଧରଣର ଲୁଗା ବ୍ୟବହାର କରିବାରେ କୌଣସି ଭୁଲ ରହେ ସେ ଭୁଲ ଅର୍ଥନୀତି, ସ୍ୱାସ୍ଥ୍ୟନୀତି ଓ ସୌନ୍ଦର୍ଯ୍ୟତତ୍ତ୍ୱର ସିନା, କିନ୍ତୁ ସେ ଭୁଲ ପାଇଁ କଦାପି ନୀତିଶାସ୍ତ୍ର ଦାୟୀ ନୁହେ ।

 

ବିପରୀତ ଯୁକ୍ତି ଦର୍ଶାଇ କେହି କେହି କହନ୍ତି ଯେ ଯେଉଁ ଭ୍ରାନ୍ତି ଦୁଃଖ ଆନୟନ କରେ ତାହା ନୈତିକ ଭ୍ରାନ୍ତି ବା ଅଧର୍ମ । ତାହାର ଉତ୍ତରରେ ମୁଁ କହେ ଯେ ପ୍ରତ୍ୟେକ ଭୁଲରେ ଦୁଃଖ ରହିଛି । ଜ୍ୟାମିତି ଶାସ୍ତ୍ରରେ ଭୁଲ ହେଲେ ତାହା ରାସ୍ତାକୁ ଅତି ଦୀର୍ଘ ବା ଗୋଟିଏ ଭିତ୍ତିକୁ ଦୁର୍ବଳ କରେ; ଅଥବା ଗୋଟିଏ ପୋଲକୁ ବିପଜ୍ଜନକ କରିଦିଏ, କିନ୍ତୁ ଗାଣିତିକ ଭୁଲ୍ ନୀତିଶାସ୍ତ୍ର ଦ୍ୱାରା ସଂଶୋଧିତ ହୋଇ ନ ପାରେ । ଯଦି ଜଣେ ଛାତ୍ର ଜ୍ୟାମିତିର କୌଣସି ସମସ୍ୟା ପୂରଣ କରିବାରେ ଭ୍ରମ କରେ, ତାହାହେଲେ ଖାଲି ଜ୍ୟାମିତି ଖାତାକୁ ଚିରିଦେଲେ ଚଳିବ ନାହିଁ-ପୁଣି ନୂତନ ଭାବରେ ଜ୍ୟାମିତିକ ସତ୍ୟର ନିୟମରେ ତାକୁ ଭୁଲ୍ ସଂଶୋଧନ କରିବାକୁ ପଡ଼ିବ । ଯଦି ଶିକ୍ଷକ କହନ୍ତି, ଯେ ପର୍ଯ୍ୟନ୍ତ ସେହି ଖାତାକୁ ପୋଡ଼ି ନ ଦିଆଯାଇଛି, ସେ ପର୍ଯ୍ୟନ୍ତ ଛାତ୍ରଟି ଭୁଲ ଧରି ପାରିବ ନାହିଁ, ଏହା ଯଦି ଠିକ୍ ହୁଏ ମୁଁ କହିପାରେ ସ୍କୁଲପାଠ୍ୟ ଜାଣିବା ଅପେକ୍ଷା ଛାତ୍ରଟି ସଂସ୍କାରମୁକ୍ତ ହେବା ଉଚିତ ।

 

ବିଦେଶୀ ବସ୍ତ୍ର ପୋଡ଼ିବାକୁ ଆମକୁ ଆଦେଶ ଦିଆଯାଇଛି, କିନ୍ତୁ ମୁଁ ଏହା ସ୍ୱୀକାର କରିବାକୁ ଅସମର୍ଥ । ପ୍ରଥମତଃ ମୁଁ ବିଶ୍ୱାସ କରେ ଯେ ଅନ୍ଧ ଆନୁଗତ୍ୟର ଅଭ୍ୟାସ ବିରୁଦ୍ଧରେ ସଂଗ୍ରାମ କରିବା ମୋର କର୍ତ୍ତବ୍ୟ । ଦ୍ଵିତୀୟ ମୁଁ ଅନୁଭବ କରେ ଯେ ଯେଉଁ ଲୁଗା ପୋଡ଼ିବାକୁ ପଡ଼ିବ, ତାହା ମୋର ନୁହେ । ଯେଉଁମାନଙ୍କର ଏହା ଅତୀବ ପ୍ରୟୋଜନ, ଏହା ସେହିମାନଙ୍କର । ଯେଉଁମାନେ ଏହି ଅଗ୍ନିଦାହ ଜରିଆରେ ଗୋଟିଏ ତ୍ୟାଗ କଲେ ବୋଲି ଭାବୁଛନ୍ତି, ସେମାନଙ୍କର ଲୁଗାଯୋଗାଣର ଅନ୍ୟ ପନ୍ଥା ରହିଛି, କିନ୍ତୁ ଯେଉଁମାନେ ପ୍ରକୃତରେ ବସ୍ତ୍ରାଭାବରେ ପୀଡ଼ିତ, ନଗ୍ନତା ହେତୁ ସେମାନେ ଘରୁ ବାହାରକୁ ଆସି ପାରନ୍ତି ନାହିଁ । ବାଧ୍ୟତାମୂଳକ ପ୍ରାୟଶ୍ଚିତ୍ତ ଆମର ପାପକ୍ଷାଳନ କରି ପାରେ ନା । କୌଣସି ବାହ୍ୟ ସୁବିଧା ଲାଭ ଯୁକ୍ତି-ନିଷ୍ଠ ଇଚ୍ଛାର ଶୂନ୍ୟତାକୁ ପୂରଣ କରି ପାରେ ନାହିଁ ।

 

ଯେଉଁ ଯନ୍ତ୍ରବଳରେ ସମସ୍ତ ପୃଥିବୀ ଅତ୍ୟାଚାରିତ ସେହି ଯନ୍ତ୍ରର ଦୌରାତ୍ମ୍ୟ ବିରୁଦ୍ଧରେ ମହାତ୍ମାଗାନ୍ଧୀ ଯୁଦ୍ଧ ଘୋଷଣା କରିଅଛନ୍ତି । ଏଠାରେ ଆମେ ସମସ୍ତେ ତାଙ୍କରି ପତାକା ତଳେ ସମବେତ । ଆମ ଜାତୀୟ ଜୀବନର ଦୁଃଖ ଅପମାନ ମୂଳରେ ଯେଉଁ ଦାସତ୍ୱ ମନୋଭାବ ରହିଛି ଏହା ବିରୁଦ୍ଧରେ ସଂଗ୍ରାମ କରିବାକୁ ଯାଇ ତାକୁ ଆମେ କେବେହେଲେ ଆମର ସହାୟକ ବୋଲି ଗ୍ରହଣ କରି ପାରିବୁ ନାହିଁ । ସେହି ଦାସତ୍ୱ ହିଁ ବାସ୍ତବିକ ଆମର ପ୍ରକୃତ ଶତ୍ରୁ । ଏହାକୁ ପରାଜିତ କରି ପାରିଲେ ଆମର ଅନ୍ତର ଓ ବାହାରେ ସ୍ୱରାଜ ଲାଭ ହୋଇ ପାରିବ ।

 

ଲୁଗା ପୋଡ଼ିବାକୁ ମୁଁ ପ୍ରସ୍ତୁତ–କିନ୍ତୁ କୌଣସି ଅନ୍ଧ ଆଦେଶରେ ଚାପରେ ନୁହେ । ବିଶେଷଜ୍ଞ ବ୍ୟକ୍ତିମାନେ ଆଜି ଯଥେଷ୍ଟ ସମୟ ନେଇ ଚିନ୍ତା କରି ପ୍ରମାଣ ସଂଗ୍ରହ କରନ୍ତୁ ଏବଂ ସୁଯୁକ୍ତି ଦ୍ୱାରା ଆମକୁ ବୁଝାଇ ଦିଅନ୍ତୁ ଯେ ବିଦେଶୀ ଲୁଗା ବ୍ୟବହାର କରିବା ଦ୍ୱାରା ଆମେ ଯେଉଁ ଆର୍ଥନୀତିକ ରୋଗରେ ପୀଡିତ ତାହା କିପରି ସେହି ଆର୍ଥନୀତିକ ଉପାୟରେ ହିଁ ଉପଶମ ହୋଇ ପାରିବ । ବିନା ପ୍ରମାଣରେ, ବିନା ଯୁକ୍ତିରେ କିପରି ଆମେ ନିଶ୍ଚିତ ଭାବରେ କହିବୁ ଯେ ବିଶେଷ ଧରଣର ଲୁଗାପିନ୍ଧି ଆମେ ଯେଉଁ ଆର୍ଥନୀତିକ ଅପରାଧ କରିଛୁ, ଲୁଗା ପୋଡ଼ିଦେଇ ସେହି ଅପରାଧର ମୂଳୋତ୍ପାଟନ କରି ପାରିବୁ ? ଏହାଦ୍ୱାରା ଅପରାଧର ମୂଳକୁ କ'ଣ ଅଧିକ ବିସ୍ତୃତ କରୁ ନାହୁଁ ? ଫଳରେ କ'ଣ ମାଞ୍ଚେଷ୍ଟର ସୁରକ୍ଷିତ ସ୍ଥାନଟି ଆହୁରି ଦୃଢ଼ତର ହେବ ନାହିଁ ? ମୁଁ ଜଣେ ସୁଦକ୍ଷ ବ୍ୟକ୍ତି ହିସାବରେ ଏ ଯୁକ୍ତି ଉପସ୍ଥାପିତ କରୁ ନାହିଁ-ମୁଁ କେବଳ ଜିଜ୍ଞାସୁ ଭାବରେ ଭାବରେ ଏ ପ୍ରଶ୍ନ ପଚାରୁଛି । ବିଶେଷଜ୍ଞମାନେ ବର୍ତ୍ତମାନ ଯାହା କହିବେ ମୁଁ ତାକୁ ଦେବବାକ୍ୟ ବୋଲି ଗ୍ରହଣ କରିବି, କିନ୍ତୁ ଦେବବାକ୍ୟର ଭାଷା ଛଳରେ ସେମାନେ ଏହା କୁହନ୍ତି ନାହିଁ । ଆମର ବୁଦ୍ଧିଶକ୍ତିକୁ ଜାଗ୍ରତ କରିବା ନିମନ୍ତେ ଏକ ଆହ୍ୱାନ ସେମାନେ ଦେଇଥାନ୍ତି ଏବଂ ପ୍ରକାଶ୍ୟ ଭାବରେ ଯୁକ୍ତି କରିବାକୁ ଆମକୁ ତାଗିଦ୍ କରନ୍ତି ।

 

ଆଉ ଏକ ବିଷୟ ଆଜି ଆମର ଚିନ୍ତା କରିବା ଉଚିତ୍ । ତା'ହେଉଛି ଭାରତର ଏ ଯେଉଁ ଉଦ୍‍ବୋଧନର ଅଙ୍ଗ । ମହା ସମରର ତୁର୍ଯ୍ୟ ନାଦରେ ନବଯୁଗର ଦ୍ୱାର ଉନ୍ମୁକ୍ତ-ପୃଥିବୀର ଲୋକେ ଆଜି ଅଜ୍ଞତାଭାବରେ ପରସ୍ପରର ନିକଟବର୍ତ୍ତୀ, କିନ୍ତୁ ଯେତେବେଳେ ସମଗ୍ର ପୃଥିବୀର ଲୋକେ ଯୁଦ୍ଧ ଆଘାତରେ ବିଚଳିତ ହେଲେ, ସେତେବେଳେ ସେମାନଙ୍କର ପାରସ୍ପରିକ ନିର୍ଭରଶୀଳତା ଯେ ନ ଥିଲା-ଏହା କଦାପି ଅସ୍ୱୀକାର କରାଯାଇ ପାରେ ନା । ହଠାତ୍ ଦିନେ ସଭ୍ୟତାର ଭିତ୍ତି ଅର୍ଥାତ୍ ପାଶ୍ଚାତ୍ୟ ସଭ୍ୟତାର ଭିତ୍ତି କମ୍ପିତ ହେଲା । ବୁଝାଗଲା ଯେ ଏହି କମ୍ପନର କାରଣ ସ୍ଥାନୀୟ ନୁହେଁ ବା କ୍ଷଣିକ ନୁହେଁ; ଏହା ସମଗ୍ର ପୃଥିବୀବ୍ୟାପୀ । ଯେତେବେଳ ପର୍ଯ୍ୟନ୍ତ ମାନବିକ ସମ୍ପର୍କ ତଥା ଆତ୍ମୀୟତା କ୍ରମେ କ୍ରମେ ଏକ ମହାଦେଶରୁ ଆଉ ଏକ ମହାଦେଶରେ ପରିବ୍ୟାପ୍ତ ହୋଇ ପ୍ରକୃତ ଐକ୍ୟ ଉପରେ ପ୍ରତିଷ୍ଠିତ ନ ହୁଏ, ସେତେବେଳ ପର୍ଯ୍ୟନ୍ତ ଏହାର ନିବୃତ୍ତି ହେବ ନାହିଁ ।

 

ଏଣିକି ଯେ କୌଣସି ଜାତି ଯଦି ନିଜ ଦେଶକୁ ଏକାନ୍ତ ସ୍ୱତନ୍ତ୍ର ବୋଲି ମନେକରେ, ତେବେ ବର୍ତ୍ତମାନ ଯୁଗ ସଙ୍ଗରେ ତା'ର ବିରୋଧ ଘଟିବ; ସେ କଦାପି ଶାନ୍ତି ପାଇବ ନାହିଁ । ଆଜିଠାରୁ ପ୍ରତ୍ୟେକ ଜାତିର ଚିନ୍ତାର ସ୍ତର ଆନ୍ତର୍ଜାତିକ ହେବା ଆବଶ୍ୟକ । ବର୍ତ୍ତମାନ ଏହି ନବୀନ ଯୁଗର ଲକ୍ଷ୍ୟ ହେଉଛି ମନରେ ଏହି ବିଶ୍ଵଜନୀନ ଭାବର ସମୃଦ୍ଧି ସାଧନ କରିବା । ଅଳ୍ପଦିନ ହେଲା ଭାରତର ରାଷ୍ଟ୍ର ଶାସନରେ ଏକ ମୌଳିକ ପରିବର୍ତ୍ତନ ଆମେ ଲକ୍ଷ୍ୟ କରି ଆସୁଅଛୁ । ଭାରତୀୟ ସମସ୍ୟାକୁ ବିଶ୍ୱାସମସ୍ୟାର ଅନ୍ତର୍ଭୁକ୍ତ କରିବାର ପ୍ରଚେଷ୍ଟା ଆଜି ଦେଖାଯାଉଛି । ଆମର ମାନସିକ ଦୃଷ୍ଟିକୁ ସୀମିତ କରି ରଖୁଥିବା ପରଦା ଆଜି ଯୁଦ୍ଧ ଫଳରେ ଅପସାରିତ ହୋଇଛି । ଯାହା ବିଶ୍ୱ ସ୍ୱାର୍ଥର ବିରୋଧୀ ତାହା ମଧ୍ୟ ଆମ ସ୍ୱାର୍ଥର ପରିପନ୍ଥୀ । ବହୁଦିନ ଧରି ଗ୍ରନ୍ଥପୃଷ୍ଠାରେ ଥିବା ଏହି ପ୍ରବାଦ ଆଜି ବାସ୍ତବକ୍ଷେତ୍ରରେ କାର୍ଯ୍ୟକାରୀ ହୋଇଅଛି । ଅନ୍ୟାୟ ଭାବରେ ଅର୍ଜନ କରିଥିବା ଲାଭାଧିକାର ଯେ ଅସ୍ଥାୟୀ ତାହା ଆଜି ମାନବଜାତି ହୃଦୟଙ୍ଗମ କଲାଣି । ବାହ୍ୟାଧିକାରକୁ ଜଳାଞ୍ଜଳି ଦେଇ ଯଦି ସତ୍ୟାଧିକର ମିଳେ ତେବେ ତାହା ଲାଭ ସିନା, ଲୋକସାନ ନୁହେ । ମନୋଭାବରେ ଏହି ଯେଉଁ ସୁଦୂରସ୍ପର୍ଶୀ ପରିବର୍ତ୍ତନ ମନୁଷ୍ୟର ମନକୁ ସଂକୀର୍ଣ୍ଣତାରୁ ବିଶାଳତା ଆଡ଼କୁ ନେଇଯାଉଛି, ତାହା ଆଜି ମଧ୍ୟ ଭାରତୀୟ ରାଜନୀତିକୁ ରୂପାନ୍ତରିତ କରୁଛି । କେତେକ ଅନ୍ତରାୟକୁ ଅତିକ୍ରମ କରିବାକୁ ପଡ଼ିବ । ସ୍ୱାର୍ଥ-ବୁଦ୍ଧି ପ୍ରତିସ୍ତରରେ ଚେତନ-ବୁଦ୍ଧିକୁ ଆକ୍ରମଣ କରିଛି-କିନ୍ତୁ ସ୍ୱାର୍ଥ-ବୁଦ୍ଧି ଯେ ଏକମାତ୍ର ସଦ୍‍ବୁଦ୍ଧି ତାହା ଭାବିବା ଅନ୍ୟାୟ ।

 

ମୋର ୬୦ ବର୍ଷ ଅଭିଜ୍ଞତାରୁ ମୁଁ ଜାଣି ପାରିଛି ଯେ ଖାଣ୍ଟି କପଟତା ଭଳି ଦୁଃସାଧ୍ୟ ଓ ଦୁର୍ଲଭ ପଦାର୍ଥ ଆଉ କିଛି ନାହିଁ । ପକ୍କା କପଟୀ ଲୋକ ବିରଳ । କଥା ହେଉଛି ପ୍ରତ୍ୟେକ ଚରିତ୍ର କମ୍ ବେଶୀ ଦ୍ୱୈତଭାବାପନ୍ନ । ଏକାବେଳକେ ଦୁଇଟି ବିରୋଧାତ୍ମକ ମନୋଭାବ ଏକତ୍ରିତ ହୋଇ ପାରନ୍ତି-ଏହା ସ୍ୱୀକାର କରିବାକୁ ଆମର ତାର୍କିକ ବୁଦ୍ଧି ଅସମର୍ଥ । ଆମେ ଯେତେବେଳେ ଭଲକୁ ମନ୍ଦ ସହିତ ଦେଖୁ ଆମେ ହଠାତ୍ ସିଦ୍ଧାନ୍ତରେ ଉପନୀତ ହେଉ ଯେ ସେ ଭଲ ନ କରେ ଭଲ । ଆନ୍ତର୍ଜାତିକ ସଂପର୍କ କ୍ଷେତ୍ରରେ ଏହି ଦ୍ୱୈତବୋଧ ସୁସ୍ପଷ୍ଟ । ଆମେ ଯଦି ଏହାକୁ ଆମ ଅତୀତ ଅରିଷ୍ଟତା ଦିଗରୁ ବିଚାର କରୁ ଆମେ ଏଥିରେ ପ୍ରଭାବିତ ହୋଇଥାଉଁ । କିନ୍ତୁ ଭବିଷ୍ୟତ ପ୍ରତିଶୃତି ଦୃଷ୍ଟିରୁ ବିଚାର କଲେ ମନୋଭାବର ଏ ପରିବର୍ତ୍ତନକୁ ଖାଣ୍ଟି ବୋଲି ଅବଶ୍ୟ ଗ୍ରହଣ କରିବୁ ।

 

ଆଜି ଆମେ ଯେଉଁ ଭାବୀଯୁଗର ପ୍ରେରଣା ହୃଦୟରେ ଅନୁଭବ କରୁ ତାହା ବିଶ୍ଵମାନବର ଏକତ୍ଵ ସାଧନ ଦିଗରେ ପ୍ରସାରିତ । ମିଳିତ ଜାତିସଂଘ ବା ଭାରତ ଶାସନସଂସ୍କାର ପ୍ରତିଷ୍ଠା-ଏସବୁ ହେଉଛି ଭାବୀଯୁଗ ସମ୍ବନ୍ଧରେ ପଶ୍ଚିମର ବାଣୀ । ଯଦ୍ୟପି ଏହି ବାଣୀ ସତ୍ୟକୁ ପୂର୍ଣ୍ଣଭାବେ ପ୍ରକାଶ କରି ପାରେ ନା, ତଥାପି ସମସ୍ତ ଆନ୍ତରିକତା ସହିତ ସତ୍ୟରେ ପହଞ୍ଚିବା ପାଇଁ ସେ ଚେଷ୍ଟା କରେ । ବିଶ୍ୱ ଜାଗରଣର ପ୍ରତ୍ୟୁଷରେ ଯଦି ଆମର ଜାତୀୟ ପ୍ରଚେଷ୍ଟା ଓ ପ୍ରେରଣା ବିଶ୍ୱଜନନୀ ବାଣୀ ପ୍ରଚାର ନ କରେ, ତାହାହେଲେ ଅତି କରୁଣ ଭାବରେ ଆମର ଚିନ୍ତା ଦୈନ୍ୟ ପ୍ରକଟିତ ହେବ । ଆମ ହାତରେ ବର୍ତ୍ତମାନ ଯେଉଁ କର୍ତ୍ତବ୍ୟ ଅଛି ତାକୁ ଅବହେଳା କରିବାକୁ ମୁଁ କହୁ ନାହିଁ । କିନ୍ତୁ ଯେତେବେଳେ ଗୋଟିଏ ପକ୍ଷୀ ପ୍ରତ୍ୟୁଷରୁ ଉଠେ, ସେ କେବଳ ଆହାର ଅନ୍ୱେଷଣରେ ନିଜକୁ ନିଯୁକ୍ତ କରେ ନା, ପରନ୍ତୁ ଆକାଶର ଆହ୍ୱାନରେ ତାର ପକ୍ଷଯୁଗଳ ଚଞ୍ଚଳ ହୋଇଉଠେ ଏବଂ ନୂତନ ଆଲୋକର ଆନନ୍ଦରେ ତା'କଣ୍ଠରେ ସଙ୍ଗୀତର ସଞ୍ଚାର ହୁଏ । ବିଶ୍ୱ ମାନବିକତାର ଏହି ଜରୁରୀ ଆହ୍ୱାନ ଆମ ନିକଟକୁ ପ୍ରେରଣ କରିଛି, ଆଜି ଆମର ମନ ନିଜ ଭାଷାରେ ତା'ର ଉତ୍ତର ଦେଉ । ପୂର୍ବେ ଆମେ ଆମର ଶାସକମାନଙ୍କ ଦୋଷତୃଟି ଆବିଷ୍କାର କରିବା ଓ ଦର୍ଶାଇବାରେ ବୁଡ଼ି ରହିଥିଲୁ । ଆଜି ଯେତେବେଳେ ଆମେ ପର ନିର୍ଭରତାଠାରୁ ରାଜନୀତିକୁ ପୃଥକ୍ ବା ଛିନ୍ନ କରିବାକୁ ଚାହୁଁଛୁ, ବର୍ଜନନୀତି ପୋଷଣ ପାଇଁ ଆମେ କ'ଣ ବାର ବାର ଖାଦ୍ୟ ଯୋଗାଇବୁ ? କ୍ରୋଧ ଓ ମାନସିକ ଉତ୍ତେଜନାର ଧୂଳି କେବଳ ବୃହତ୍ ଜଗତଠାରୁ ଆମର ଦୃଷ୍ଟିଶକ୍ତିକୁ ଆଚ୍ଛନ୍ନ କରି ରଖିବ । ବିଶ୍ୱ ସହିତ ଯୁକ୍ତ ହୋଇ ଆମେ ଯଦି ଭାରତର ବିରାଟ ରୂପ ନିଜ ଆଖିରେ ଦେଖିବାକୁ ଅକୃତକାର୍ଯ୍ୟ ହେଉଁ, ତାହାହେଲେ ଆମ ଦେଶର କେବଳ ଏକ ଦୈନ୍ୟ ରୂପ ଆମେ ଅନ୍ୟ ନିକଟରେ ପ୍ରକାଶ କରିବୁ । ପରିତାପର ବିଷୟ ଏହି ଯେ ଭୌତିକ ଆଶା ପାଇଁ ଆମେ ଆମର ଦୃଷ୍ଟିଶକ୍ତିକୁ ସଂକୀର୍ଣ୍ଣ କରିଛୁ । କିନ୍ତୁ ଏପରି କି ପାଶ୍ଚାତ୍ୟ ଜଗତରେ ମଧ୍ୟ ବୈଷୟିକ ସ୍ୱାର୍ଥକୁ ଅତିକ୍ରମ କରି ଉଚ୍ଚତର ସିଦ୍ଧି ଲକ୍ଷ୍ୟରେ ପହଞ୍ଚିବାକୁ ଏକ ପ୍ରବଳ ଆକାଂକ୍ଷା ଦେଖାଯାଇଛି । ସେଠାରେ ମୁଁ ବହୁ ଲୋକ ଦେଖିଚି ଯେଉଁମାନଙ୍କ ହୃଦୟରେ ନୂତନ ଆତ୍ମତ୍ୟାଗବୋଧ ମୂର୍ତ୍ତିମନ୍ତ ହୋଇ ରହିଛି । ସେମାନେ ଜାତୀୟତାର ସଂକୀର୍ଣ୍ଣ ବନ୍ଧନରୁ ନିଜକୁ ମୁକ୍ତ କରି ହୃଦୟରେ ମାନବଜାତିର ଅନ୍ତର୍ନିହିତ ଏକତ୍ଵର ଉପଲବ୍ଧି କରିଥାନ୍ତି, ସେମାନେ ସେହି ମହତ୍ ଆଦର୍ଶର ପୂର୍ଣ୍ଣତା ପାଇଁ ଯେ କୌଣସି ତ୍ୟାଗରେ ନିଜକୁ ଦୀକ୍ଷିତ କରିବାକୁ ଉଦ୍ୟତ ହୋଇଥାନ୍ତି । ଇଂଲଣ୍ଡରେ ଏହିପରି ମହାପୁରୁଷ ମୁଁ ଦେଖିଛି । ଶକ୍ତିମାନର ଅତ୍ୟାଚାରରୁ ପରାଧୀନ ଜାତିକୁ ମୁକ୍ତି କରିବାକୁ ସଂଗ୍ରାମରେ ଅବତୀର୍ଣ୍ଣ ହୋଇ ସେମାନେ ନିଜ ଦେଶବାସୀଙ୍କ ଠାରୁ ନିନ୍ଦା ଅପମାନ ଏପରି କି ଆଘାତ ମଧ୍ୟ ପାଇଛନ୍ତି । ଫ୍ରାନ୍ସରେ ମଧ୍ୟ ଏହିପରି ତ୍ୟାଗୀ ବ୍ୟକ୍ତି ମୁଁ ଦେଖିଛି-ଉଦାହରଣ ସ୍ୱରୂପ ତାଙ୍କ ନିଜ ଦେଶରେ ରୋମାଁ ରୋଲାଁ ଜଣେ ସମାଜଚ୍ୟୂତ ବ୍ୟକ୍ତିରୂପେ ବିବେଚିତ । ଇଉରୋପର କ୍ଷୁଦ୍ର କ୍ଷୁଦ୍ର ରାଜ୍ୟରେ ମଧ୍ୟ ମୁଁ ଏହିପରି ଲୋକ ଦେଖିଛି । ମୁଁ ଇଉରୋପୀୟ ଛାତ୍ରମାନଙ୍କୁ ମଧ୍ୟ ଦେଖିଛି, ଯେଉଁମାନଙ୍କର ମୁଖମଣ୍ଡଳ ସକଳ ମାନବର ଐକ୍ୟ ସାଧନର ଦୀପ୍ତିରେ ସମୁଜ୍ଜ୍ଵଳ । ସେମାନେ ସେହି ଗୌରବମୟ ଭାବୀଯୁଗର କଳ୍ପନାରେ ସକଳପ୍ରକାର ଧୈର୍ଯ୍ୟ ଓ ସାହସ ବରଣ କରିବାକୁ ମଧ୍ୟ ପ୍ରସ୍ତୁତ ।

 

ଏହି ଶୁଭ ପ୍ରଭାତରେ ଆମେ କ’ଣ କେବଳ ଅନ୍ୟର ତ୍ରୁଟି ଦର୍ଶନରେ ସନ୍ତୁଷ୍ଟ ହୋଇ ଆମର ଗଠନମୂଳକ ଯୋଜନାକୁ ବିଦ୍ୱେଷର ଭିତ୍ତି ଉପରେ ଛିଡ଼ା କରାଇବୁ ? ଏହି ନବୀନ ଭାଷାରେ ଆମେ କଣ ତାକୁ ସ୍ମରଣ କରିବୁ ନାହିଁ-‘‘ଯଃ ଏକଃ, ଯିଏ ଏକ, ଅବର୍ଣ୍ଣଃ–ଯିଏ ବର୍ଣ୍ଣହୀନ ବହୁଧା ଶକ୍ତିଯୋଗାତ୍ ବର୍ଣ୍ଣାନନେକାନ୍ ନିର୍ହତାର୍ଥେ, ଦଧାତି-ଯିଏ ବହୁଧାଶକ୍ତି ଯୋଗେ ଅନେକ ବର୍ଣ୍ଣର ଲୋକ ସଙ୍ଗେ ସେମାନଙ୍କର ଅନ୍ତର୍ନିହିତ ପ୍ରୟୋଜନ ସାଧନ କରୁଛନ୍ତି ।’’ ଏବଂ ତାଙ୍କରି ନିକଟରେ କ’ଣ ଆମେ ପ୍ରାର୍ଥନା କରିବାନି ? ‘‘ସ ଯେ ବୃଦ୍ଧ୍ୟା ଶୁଭୟା ସଂଯୁନକ୍ତୁ’’–ସେ ଆମ ସମସ୍ତଙ୍କୁ ଶୁଭବୁଦ୍ଧି ଦ୍ୱାରା ସଂଯୁକ୍ତ କରନ୍ତୁ ।

 

-୧୯୨୧

 

‘‘ତୁଷାରସ୍ତୂପ ହେଉଛି ପର୍ବତର ନିଜସ୍ୱ ବୋଝ, କିନ୍ତୁ ତାର

ନିର୍ଝରଣୀର ପ୍ରବାହ ସମଗ୍ର ଧରିତ୍ରୀର ହେଉଛି ଐଶ୍ୱର୍ଯ୍ୟ ।’’

 

-ରବୀନ୍ଦ୍ରନାଥ

Image

 

ସ୍ୱରାଜ ସାଧନ

 

ଆମ ଦେଶର ବିଜ୍ଞବ୍ୟକ୍ତିଗଣ ସଂସ୍କୃତଭାଷାରେ ଉପଦେଶ ଦେଇଛନ୍ତି ଯେ ଯେତେ ଇଚ୍ଛା କଥାରେ କୁହ, କିନ୍ତୁ ଲେଖ ନାହିଁ । ମୁଁ ଏହି ବିଜ୍ଞ ଉପଦେଶକୁ ସବୁବେଳେ ଯେ ଗ୍ରହଣ କରି ନାହିଁ ତା’ର ଭୁରି ଭୁରି ପ୍ରମାଣ ଅଛି । କେବଳ ନିହାତି ଆବଶ୍ୟକୀୟ ମୁହୂର୍ତ୍ତରେ ଏହି ଉପଦେଶକୁ ମୁଁ ଅନୁସରଣ କରିଛି । ଗଦ୍ୟରେ ହେଉ ବା ପଦ୍ୟରେ ହେଉ ଯେତେବେଳେ ମୁଁ କିଛି କହିବାର ଆବଶ୍ୟକତା ଅନୁଭବ କରିଛି ତାହା ଲିପିବଦ୍ଧ କରିବାକୁ କୁଣ୍ଠାବୋଧ କରି ନାହିଁ, କେବଳ ବାଦ ପ୍ରତିବାଦ ସମୟରେ ମୋର ଲେଖନୀ ନୀରବ ।

 

ଆମର ବିଶ୍ୱାସ ସମୂହ ଅନେକ ସ୍ଥଳରେ ଯୁକ୍ତିନିର୍ଭର ନୁହେ ବରଂ ଏହା ଆମର କୌଣସି ବିଶେଷ ମୁହୂର୍ତ୍ତରେ ମନୋଭଙ୍ଗୀ ବା ମାନସିକ ପ୍ରକୃତି ଉପରେ ପ୍ରତିଷ୍ଠିତ । ଆମେ କ୍ଵଚିତ୍ ସ୍ଥଳରେ ବିଶୁଦ୍ଧ ଯୁକ୍ତି ଉପରେ ନିର୍ଭର କଋଥାଉଁ; ଅଧିକାଂଶ କ୍ଷେତ୍ରରେ ଆମର ସିଦ୍ଧାନ୍ତ ରାଗ ବିରାଗର ଆକର୍ଷଣ ଦ୍ୱାରା ବ୍ୟକ୍ତିଗତ ଇଚ୍ଛାକୁ ହିଁ କେନ୍ଦ୍ର କରିଥାଏ । ତେଣୁ ଏକ ନିର୍ଦ୍ଧିଷ୍ଟ ପରିଣତିର ଆକାଂକ୍ଷାରୁ ଆମର ବିଶ୍ୱାସ ଯେତେବେଳେ ଅଙ୍କୁରିତ ହୁଏ, ସେତେବେଳେ ମତ ପ୍ରତିଷ୍ଠା ସକାଶେ ଏକ ଯୌକ୍ତିକ ପନ୍ଥା ଗ୍ରହଣର ଆବଶ୍ୟକତା ଆମେ ଅନୁଭବ କରୁ ନା । ଆମେ କେବଳ ଲକ୍ଷ୍ୟ କରୁଁ ଯେ ଆମର ପନ୍ଥା ସହଜ ସିଦ୍ଧିର ଏକ ସୋପାନ, କି ନା ଏବଂ ତଦ୍ଦ୍ୱାରା ଆମର ସିଦ୍ଧି କେଉଁ ପରିମାଣରେ ସହଜସାଧ୍ୟ । ଖୁବ୍ ସହଜରେ ଏବଂ ଖୁବ୍ ଶୀଘ୍ର ସ୍ଵରାଜ୍ୟ ଲାଭ ସମ୍ଭବପର ହୋଇ ପାରେ, ଏ ଚିନ୍ତା କେତେଦିନ ହେଲା ଦେଶର ମନକୁ ଆନ୍ଦୋଳିତ କରିଅଛି । ଗଣମନର ଏହି ବିକ୍ଷୁବ୍‍ଧ ଅବସ୍ଥାରେ ଏ ସମ୍ବନ୍ଧରେ କୌଣସି ପ୍ରଶ୍ନ ନେଇ ବାଦ ପ୍ରତିବାଦ କଲେ ତାହା କେବଳ ବାକ୍ ବିତଣ୍ଡାର ଝଡ଼ ସୃଷ୍ଟି କରେ ଏବଂ ତଦ୍ଦ୍ୱାରା ଆମର ଯୁକ୍ତିପୋତ ଇପ୍ସିତ ବନ୍ଦରର ଲକ୍ଷ୍ୟ ସ୍ଥଳରେ ଉପନୀତ ହୋଇ ପାରେ ନାହିଁ । ବହୁକାଳ ଧରି ଆମର ଧାରଣା ଥିଲା ଯେ ସ୍ଵରାଜ୍ୟ ସାଧନ ଅସମ୍ଭବ । ଅନ୍ୟ ପକ୍ଷରେ ଦେଶର ଏହି ମାନସିକ ଅବସ୍ଥାରେ ଆମେ ଯେତେବେଳେ ଜାଣିଲୁଁ ଯେ ସ୍ଵରାଜ୍ୟ ଲାଭ କରିବା ଖୁବ୍ ସହଜ ଏବଂ ଖୁବ୍ ଅଳ୍ପଦିନ ମଧ୍ୟରେ ପାଇବା ମଧ୍ୟ ଅସାଧ୍ୟ ନୁହେ, ସେତେବେଳେ ଏ ସମ୍ବନ୍ଧରେ ବିଚାର ବା ପ୍ରଶ୍ନ କରିବାକୁ ଲୋକମାନଙ୍କର ବା ଆଉ ଧୈର୍ଯ୍ୟ କାହିଁ-? ଜଣେ ସନ୍ୟାସୀ ତାମ୍ରମୁଦ୍ରାକୁ ସ୍ୱର୍ଣ୍ଣମୁଦ୍ରାରେ ପରିଣତ କରିପାରେ, ଏ ବିଶ୍ୱାସ ଯେଉଁ ଜନସାଧାରଣଙ୍କର ଅଛି, ସେମାନେ ନିର୍ବୋଧ ନୁହନ୍ତି; କେବଳ ଲୋଭହିଁ ତାଙ୍କର ବୁଦ୍ଧି ପ୍ରୟୋଗର ପ୍ରଧାନ ପ୍ରତିବନ୍ଧକ ।

 

‘ସ୍ଵରାଜ୍ୟ ଆମର ଅତି ନିକଟବର୍ତ୍ତୀ’ ଏହି ଚିନ୍ତା ଅଳ୍ପଦିନ ହେଲା ଆମ ଦେଶର ଲୋକମାନଙ୍କୁ ଆନନ୍ଦରେ ଅଭିଭୂତ କରିଛି । ତା'ପରେ ନିଧାର୍ଯ୍ୟ ସମୟ ଅତିବାହିତ ହୋଇଗଲା ଏବଂ ଆମକୁ କୁହାଗଲା ଯେ ନିର୍ଦ୍ଦିଷ୍ଟ ସର୍ତ୍ତ ଆମେ ପାଳନ କରି ନାହୁଁ ବୋଲି ଆମେ ସ୍ଵରାଜ୍ୟ ଲାଭରୁ ବଞ୍ଚିତ । ସର୍ତ୍ତ ପାଳନ କରିବା ଯେ ଆମର ଅସଲ ସମସ୍ୟା ଏ ସମ୍ପର୍କରେ ଖୁବ୍ ଅଳ୍ପ ଲୋକ ଚିନ୍ତା କଲେ । ଏହା କହିବା ବାହୁଲ୍ୟ ଯେ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ଯଦି ପ୍ରକୃତ ଆତ୍ମୀୟତା ସୂତ୍ରରେ ଆବଦ୍ଧ ହୁଅନ୍ତେ, ତେବେ ଆମର ସ୍ଵରାଜ୍ୟ ଲାଭର ପଥ ସୁଗମ ହୁଅନ୍ତା । କିନ୍ତୁ ହିନ୍ଦୁ ଓ ମୁସଲମାନ ଯେ ଏକତାବଦ୍ଧ ହେଉ ନାହାନ୍ତି, ତାହା ଏ କ୍ଷେତ୍ରରେ ଏକ ଅନ୍ତରାୟ । ସେମାନଙ୍କର ମୈତ୍ରୀ ସ୍ଵରାଜ୍ୟ ସାଧନ ପାଇଁ ପ୍ରତିଦିନ ଏକ ଶୁଭଦିନରୂପେ ପରିଗଣିତ ହୁଅନ୍ତା । ଏ ସମ୍ପର୍କରେ ଏକ ନିର୍ଦ୍ଦିଷ୍ଟ ସମୟରେ ଘୋଷଣା ଜନସାଧାରଣଙ୍କର ପ୍ରାଣରେ ଏକ ଉତ୍ତେଜିତ ପ୍ରତିକ୍ରିୟା ସୃଷ୍ଟି କରି ପାରେ, କିନ୍ତୁ ଏଭଳି ଏକ ପଙ୍କିଳ ମାନସିକ ଅବସ୍ଥା ମଧ୍ୟରେ ଜାତିର ବାସ୍ତବ ପ୍ରଗତି ଅସମ୍ଭବ-

 

ସ୍ଵରାଜ୍ୟ ପ୍ରାପ୍ତିର ନିର୍ଦ୍ଦିଷ୍ଟ ସମୟ ଆମ୍ଭମାନଙ୍କ ନିକଟରୁ ବର୍ତ୍ତମାନ ବହୁ ଦୂରରେ । ତଥାପି ଲକ୍ଷ୍ୟସ୍ଥଳରେ ଉପନୀତ ହେବା ସକାଶେ ଗୋଟିଏ ବା ଦୁଇଟି ଅସ୍ପଷ୍ଟ ପନ୍ଥା ଉପରେ ଆମେ ଅସ୍ଥାବାନ୍, କିନ୍ତୁ ଏହାର ପ୍ରେରଣା ଆମ୍ଭର ଦ୍ରୁତଗତିରେ ବିଶୃଙ୍ଖଳା ସୃଷ୍ଟି କରିଛି । ଏହି ପନ୍ଥାମାନଙ୍କ ମଧ୍ୟରେ ଚରଖା ହିଁ ଆମର ତୀବ୍ର ଓ ତୀକ୍ଷ୍ଣ ଦୃଷ୍ଟି ଆକର୍ଷଣ କରିଛି । ତେଣୁ ବର୍ତ୍ତମାନ ଆମର ପ୍ରଶ୍ନ ହେଉଛି, ସ୍ଵରାଜ୍ୟ କ’ଣ ? ଆମର ନେତାମାନେ ଏହାର ଯଥାର୍ଥ ସଜ୍ଞା ପ୍ରଦାନ କରି ନାହାନ୍ତି । ସ୍ୱାଧୀନତା ଶବ୍ଦଟିର ବ୍ୟାଖ୍ୟା ବିଭିନ୍ନ ପ୍ରକାରରେ କରାଯାଇ ପାରେ । ବସ୍ତୁତଃ ଚରଖା ସାହାଯ୍ୟରେ ନିଜର ବସ୍ତ୍ର ପାଇଁ ସୂତ୍ରବୟନ କରିବାର ସ୍ୱାଧୀନତା ଆମର ରହିଛି । ଏଥିରେ ଆମେ ବିଫଳ ହୋଇଥିବାର କାରଣ ହେଉଛି ଯେ, ଆମର ହାତକଟାସୂତା କଳାସୂତା ସହିତ ପ୍ରତିଦ୍ୱନ୍ଦୀ ହେବାକୁ ଅସମର୍ଥ । ଯଦି ଭାରତର ଲକ୍ଷ ଲକ୍ଷ ଜନତା ତାଙ୍କର ଅବସର ମୁହୂର୍ତ୍ତକୁ ଚରଖା ସାହାଯ୍ୟରେ ସୂତ୍ରୋତ୍ପାଟନ କରିବାରେ ବ୍ୟୟ କରନ୍ତେ, ତାହାହେଲେ ଅବସ୍ଥା ଅନ୍ୟ ଧରଣର ହୁଅନ୍ତା ଓ ହାତକଟାସୂତାର ଦ୍ୱାରା ମଧ୍ୟ ହ୍ରାସଲାଭ କରନ୍ତା, କିନ୍ତୁ ଏଭଳି ଆଶା କରିବା ଆମ୍ଭମାନଙ୍କ ପକ୍ଷରେ ବୃଥା । କାରଣ ଚରଖା ସପକ୍ଷରେ ଯେଉଁମାନେ ଲେଖନୀ ଧାରଣ କରିଛନ୍ତି ସେମାନଙ୍କର ଚରଖା ପ୍ରତି ଆନ୍ତରିକ ସମର୍ଥନ ନାହିଁ ।

 

ଦ୍ୱୀତୀୟତଃ କେତେକ ମତ ଦିଅନ୍ତି, ଦେଶର ସମସ୍ତେ ଯଦି ଚରଖା ବ୍ୟବହାର କରନ୍ତି, ତାହାହେଲେ ଆମର ଦାରିଦ୍ର୍ୟ କେତେକ ପରିମାଣରେ ଦୂର ହୁଅନ୍ତା ? କିନ୍ତୁ ଏହା ଦ୍ୱାରା ମଧ୍ୟ ସ୍ଵରାଜ୍ୟ ସାଧନ ସମ୍ଭବପର ନୁହେ–ତାହାହେଲେ ସ୍ଵରାଜ୍ୟ ସାଧନ କ'ଣ ? ଜାତୀୟ ସମ୍ପତ୍ତିର ଅଭିବୃଦ୍ଧି ଦାରିଦ୍ର୍ୟ ପୀଡ଼ିତ ଏକ ଦେଶ ପକ୍ଷରେ ଅବଶ୍ୟ ଏକ ସାମାନ୍ୟ କଥା ନୁହେ । ମାତ୍ର କୃଷକଗଣ ତାଙ୍କର ଅବସର ସମୟ ନଷ୍ଟ ନ କରି ଯଦି ଏହି ଧରଣର ଉତ୍ପାଦନ କାର୍ଯ୍ୟରେ ବିନିଯୋଗ କରନ୍ତେ, ତାହା ଦେଶ ପକ୍ଷରେ ଯଥେଷ୍ଟ ଲାଭଜନକ ହୁଅନ୍ତା ।

 

ଏହା ଧରି ନିଆଯାଉ ଯେ କୃଷକମାନଙ୍କ ବଳକା ସମୟକୁ ଲାଭଜନକ ଦିଗରେ ବ୍ୟବହାର କରିବା ଦେଶ ପକ୍ଷରେ ଏକ ପ୍ରଧାନ ଆବଶ୍ୟକତା, ତାହାହେଲେ ମଧ୍ୟ, ଏ କଥା ଯେତେ ସହଜ ଶୁଣାଯାଉଛି, ଏ ସମସ୍ୟା ସେତେ ସରଳ ନୁହେ । ଏ ସମ୍ପର୍କରେ ଆହୁରି ସ୍ପଷ୍ଟ ଚିନ୍ତା ଆବଶ୍ୟକ । ‘‘ସେମାନେ ସୂତା କାଟନ୍ତୁ’’ ସଂକ୍ଷେପରେ ଏତକ କହିଦେଲେ ଯଥେଷ୍ଟ ନୁହେ । ବ୍ୟକ୍ତିଗତ ଓ ଚିରାଭ୍ୟସ୍ତ କାର୍ଯ୍ୟରେ କୃଷକର ଏକ ନିର୍ଦ୍ଦିଷ୍ଟ ମନୋଭଙ୍ଗୀ ଓ ହସ୍ତକୁଶଳତା ରହିଛି । ଭୂମିକର୍ଷଣ କୃଷକ ପକ୍ଷରେ ଅତି ସହଜସାଧ୍ୟ । ଯେ ପର୍ଯ୍ୟନ୍ତ କୃଷକ ତା’ର ଭୂମିରେ ରହିଛି, ବିଭିନ୍ନ ଧରଣର ଶସ୍ୟ ଉତ୍ପାଦନରେ ତା’ର ଧ୍ୟାନ ସର୍ବଦା ନିବଦ୍ଧ । ଯେଉଁ ସମୟରେ ଏ ପରିଶ୍ରମରୁ ସେ ମୁକ୍ତ ଓ କର୍ମହୀନ, ସେତେବେଳେ ତାକୁ ଆଳସ୍ୟପରାୟଣ ବୋଲି ଅଭିଯୁକ୍ତ କରିବା ଅନ୍ୟାୟ । କୃଷିକାର୍ଯ୍ୟ ଯଦି ବର୍ଷବ୍ୟାପୀ ହୋଇଥାଆନ୍ତା, ତାହାହେଲେ ମନେହୁଏ, କ୍ରମାଗତଭାବେ ସେ ଏଥିରେ ନିଯୁକ୍ତ ରହୁଥାଆନ୍ତା ।

 

କର୍ମହୀନତା ଯେ ମନକୁ ନିଷ୍କ୍ରିୟ କରିଦିଏ ଏହା ହିଁ କୃଷି ଭଳି ଯେ କୌଣସି ଦୁଃସହ କର୍ମର ଏକ ସହଜାତ ଦୁର୍ଲକ୍ଷଣ । କେବଳ ସକ୍ରିୟ ମନ ହିଁ ଦୈନନ୍ଦିନ ଜୀବନର ଏକ କାର୍ଯ୍ୟରୁ, କାର୍ଯ୍ୟାନ୍ତରକୁ ଗତି କରିବା ପାଇଁ ସମର୍ଥ ହୋଇଥାଏ । ଗୋଟିଏ ଟ୍ରାମଗାଡ଼ି ଯେପରି ତା’ର ନିର୍ଦ୍ଦିଷ୍ଟ ଗୁଳାରେ ଗତି କରେ ଏବଂ ସହଜରେ ତା’ର ଗତିପଥ ପରିବର୍ତ୍ତନ କରି ପାରେ ନା, କୃଷି ପରି ହସ୍ତ-ଶ୍ରମସମ୍ବଳୀ କର୍ମରେ ଅବସ୍ଥା ମଧ୍ୟ ତଦନୁରୂପ । କୃଷକ ସୂତାକଟାରେ ନିଯୁକ୍ତ ହେଲେ-ତାହାର ମନ ପଥଚ୍ୟୁତ ହୁଏ ଏବଂ ବହୁ ଆୟାସ ଓ ଶକ୍ତି ବ୍ୟୟ କରି ଏହି କାର୍ଯ୍ୟ କିଛି ସମୟ ପାଇଁ ସେ କରି ପାରେ ।

 

ବଙ୍ଗ ପ୍ରଦେଶରେ ଦୁଇଟି ଜିଲ୍ଲାର କୃଷକମାନଙ୍କ ସହିତ ମୋର ଘନିଷ୍ଠ ପରିଚୟ ଘଟିଛି-। ଅଭ୍ୟାସର ଶୃଙ୍ଖଳା ସେମାନଙ୍କ ପକ୍ଷରେ କେତେ କଠିନ, ତାହା ମୁଁ ଅଭିଜ୍ଞତାରୁ ହିଁ ଜାଣେ-। ଏଇ ଦୁଇଟି ଜିଲ୍ଲା ମଧ୍ୟରୁ ଗୋଟିକରେ ପ୍ରଧାନତଃ ଧାନ୍ୟଶସ୍ୟ ହିଁ ଉତ୍ପନ୍ନ ହୁଏ ଏବଂ ତାହାର କୃଷକମାନେ ଏହି ଗୋଟିଏ ମାତ୍ର ଶସ୍ୟକୁ ଅତ୍ୟନ୍ତ ପରିଶ୍ରମ ସହକାରେ ଉତ୍ପାଦନ କରନ୍ତି-। ତା ନ ହେଲେ ବଳକା ସମୟରେ ନିଜ ଘର ଡିହରେ ସେମାନେ ପନିପରିବା ଚାଷ କରି ପାରନ୍ତେ-। ତାହା କରିବାକୁ ମୁଁ ସେମାନଙ୍କୁ ଉତ୍ସାହ ଦେଇଛି, କିନ୍ତୁ ସେଥିରେ ମୋର ଉଦ୍ୟମ ବ୍ୟର୍ଥ ହୋଇଛି-। ଯେଉଁ ଲୋକମାନେ ଧାନ୍ୟ ଉତ୍ପାଦନ ପାଇଁ ସ୍ୱେଚ୍ଛାରେ ନିଜର ଶ୍ରମ ଓ ସ୍ୱେଦ ଦାନ କରିଛନ୍ତି, ପନିପରିବା ଉତ୍ପାଦନ ପାଇଁ ଶ୍ରମ ଦାନ କରିବାକୁ କୁଣ୍ଠିତ ହେବା ସେମାନଙ୍କ ପକ୍ଷରେ ସ୍ୱାଭାବିକ । ଅନ୍ୟ ଜିଲ୍ଲାର କୃଷକମାନେ ଧାନ, ଝୋଟ, ଆଖୁ, ସୋରିଷ ଓ ଅନ୍ୟାନ୍ୟ ରବିଫସଲ ଉତ୍ପାଦନ ପାଇଁ ବର୍ଷସାରା ବ୍ୟସ୍ତ, କିନ୍ତୁ ଏହି ସକଳ ଶସ୍ୟ ପାଇଁ ଯେଉଁ ଜମି ଅନୁପଯୁକ୍ତ, ତାହା ଅନାବାଦୀ ହୋଇ ପଡ଼ିରହେ ଏବଂ ଜମିଦାରର ଖଜଣା ଦୃଷ୍ଟିରୁ କେବଳ କ୍ଷତିଜନିତ ହୋଇଥାଏ । ଏହି ସ୍ଥାନକୁ ଉତ୍ତରାଞ୍ଚଳର କୃଷକମାନେ ଆସି ଅନାବାଦୀ ଜମିକୁ ପଟା ନେଇ ଚାଷ କରନ୍ତି ଏବଂ ଫୁଟିକାକୁଡ଼ି ଓ ତରଭୁଜ ଆଦି ବିଭିନ୍ନ ଜାତୀୟ ଫସଲ ପଡ଼ିଆ ଜମିରେ ଉତ୍ପାଦନ କରନ୍ତି ଓ ବେଶ୍ ଲାଭବାନ ହୋଇ ଘରକୁ ଫେରିଥାନ୍ତି । ଝୋଟ ଉତ୍ପାଦନକାରୀ ଚାଷୀକୁ କୌଣସି ପ୍ରକାରେ ଆଳସ୍ୟପରାୟଣ ବୋଲି କୁହାଯାଇ ନ ପାରେ । ମୁଁ ଶୁଣିଚି ଯେ ପୃଥିବୀରେ ଏପରି ଅନେକ ଅଞ୍ଚଳ ଅଛି ଯାହାକୁ ଝୋଟଚାଷ ପାଇଁ ଅନୁକୂଳ, କିନ୍ତୁ ପରିଶ୍ରମଜନିତ କ୍ଳେଶ ପାଇଁ କୃଷକମାନେ ଏହା ଚାଷ କରିବାକୁ କୁଣ୍ଠାବୋଧ କରିଥାଆନ୍ତି । ଝୋଟ ଉତ୍ପାଦନ କ୍ଷେତ୍ରରେ ବଙ୍ଗଦେଶ ଯେ ଏକଚାଟିଆ ସ୍ଥାନ ଅଧିକାର କରିଛି, ତାହାର କାରଣ ହେଉଛି ସେ ଦେଶର ମାଟି ଓ କଠୋର ପରିଶ୍ରମୀ କୃଷକର ସ୍ୱଭାବ । ତଥାପି ଝୋଟ ଚାଷୀମାନେ ଯେ ପ୍ରତିବର୍ଷ ଲାଭବାନ ହେଉଥିବା ଉତ୍ତରାଞ୍ଚଳର ଚାଷୀମାନଙ୍କୁ ଦେଖି ମଧ୍ୟ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଉ ନାହାନ୍ତି ବା ପଡ଼ିଆ ଜମିରେ ଫସଲ ଉତ୍ପାଦନ କରୁ ନାହାନ୍ତି, ତାର କାରଣ ହେଉଛି, ଏହି ପଥରେ ପଦକ୍ଷେପ କରିବାକୁ ସେମାନେ ଅନଭ୍ୟସ୍ତ ।

 

ଆମର ପ୍ରଧାନ ସମସ୍ୟା ହେଉଛି, ଏକ ପୁରୁଣା ପଥରୁ ନୂତନ ପଥ ପ୍ରତି ଲୋକମନକୁ ଆକୃଷ୍ଟ କରିବା । ମୋର ବିଶ୍ୱାସ କେବଳ ଗୋଟିଏ ବାହାରିଆ ଓ ସହଜ ସାଧନ ପ୍ରଣାଳୀ ନିର୍ଦ୍ଦେଶ କରିବା ଦ୍ୱାରା କୌଣସି କଲ୍ୟାଣ ସାଧିତ ହୋଇ ନ ପାରେ । କେବଳ ମାନସିକତାର ପରିବତ୍ତନ ଦ୍ୱାରା ହିଁ ଏହାର ସମାଧାନ ସମ୍ଭବପର । ହିନ୍ଦୁ ଓ ମୁସଲମାନ ଏକତ୍ରିତ ହୁଅନ୍ତୁ' ଏପରି ଏକ ଇସ୍ତହାର ଦେବା ଅତି ସହଜ । ଏହି ଅନୁଜ୍ଞାପାଳନ କରି ହିନ୍ଦୁମାନେ ଖିଲାଫତ ଆନ୍ଦୋଳନରେ ଯୋଗଦେବା ମଧ୍ୟ କଠିଣ ନୁହେ । ଏପରି କି ନିଜର ଆର୍ଥିକ ସ୍ୱଚ୍ଛଳତା ମୁସଲମାନଙ୍କସକାଶେ ଅନେକ ପରିମାଣରେ ସେମାନେ ତ୍ୟାଗ କରି ପାରନ୍ତି, କିନ୍ତୁ ହିନ୍ଦୁ ଓ ମୁସଲମାନମାନଙ୍କର ମିଳନ ପଥରେ ସେମାନଙ୍କର ମାନସିକ ସଂସ୍କାର ହିଁ ପ୍ରକୃତ ଅନ୍ତରାୟ । ଏହା ହିଁ ହେଉଛି ସମସ୍ୟାର ପ୍ରକୃତ ସ୍ୱରୂପ । ହିନ୍ଦୁ ପାଖରେ ମୁସଲମାନ ଅପବିତ୍ର ଏବଂ ମୁସଲମାନ ନିକଟରେ ହିନ୍ଦୁ କାଫେରରୂପେ ବିବେଚିତ । ସ୍ୱରାଜଲାଭ ପାଇଁ ସେମାନଙ୍କର ପ୍ରବଳ ଆଗ୍ରହ ସତ୍ତ୍ୱେ ଏହି ମାନସିକ ସଂସ୍କାରକୁ ସେମାନେ ଅତିକ୍ରମ କରି ପାରୁ ନାହାନ୍ତି । ମୁଁ ଜଣେ ଇଂରେଜ ନବିଶଙ୍କ କଥା ଜାଣିଥିଲି-। ୟୁରୋପୀୟ ହୋଟେଲଖାନା ପ୍ରତି ତାଙ୍କର ବିଶେଷ ରୁଚି ଥିଲା । ହୋଟେଲର ପ୍ରତ୍ୟେକ ଖାଦ୍ୟ ସେ ଆନନ୍ଦର ସହିତ ଖାଉଥିଲେ, କିନ୍ତୁ ହୋଟେଲର ରନ୍ଧା ଭାତ ପ୍ରତି ତାଙ୍କର ଘୃଣା ଥିଲା । ସେ କହୁଥିଲେ ଯେ ମୁସଲମାନ ଖାନସମା ଦ୍ୱାରା ରନ୍ଧାଭାତ ଗ୍ରହଣ କରିବା ତାଙ୍କ ପକ୍ଷରେ ଅସମ୍ଭବ । ଭାତ ସମ୍ପର୍କରେ ଯେଉଁ ସଂସ୍କାର ତାହା ହିଁ ହିନ୍ଦୁ ମୁସଲମାନଙ୍କ ମୈତ୍ରୀ ସାଧନ ପଥରେ ପ୍ରତିବନ୍ଧକରୂପେ ଦଣ୍ଡାୟମାନ । ଧର୍ମାଚାରର ଆଦେଶ ଦ୍ୱାରା ମନରେ ଯେଉଁ ସମସ୍ତ ଅଭ୍ୟାସ ଆମର ଗଢ଼ିଉଠିଛି, ତାହା ଆମ ମଧ୍ୟରେ ସାମ୍ପ୍ରଦାୟିକ ଭାବନାରେ ଏକ ପ୍ରାଚୀନ ଦୁର୍ଗା ନିର୍ମାଣ କରିଛି । ଖିଲାଫତ ଆନ୍ଦୋଳନ ବା କେତେକ ସୁବିଧାଜନକ ସନ୍ଧିସର୍ତ୍ତ ସାହାଯ୍ୟରେ ବାହ୍ୟିକ ଏକତା ସାଧନ ଦ୍ୱାରା ଏହାର ସମାଧାନ ହୋଇ ନ ପାରେ ।

 

ଏହି ଧରଣର ସମସ୍ୟା ଆଭ୍ୟନ୍ତରୀଣ ଅଚଳ ପ୍ରକୃତି ଯୋଗୁଁ ତାର ସମାଧାନ ଦୁରୁହ । ଏହାର ମୂଳ ଅତି ଗଭୀରଭାବେ ଆମ ମନ ସହିତ ସଂଶ୍ଲିଷ୍ଟ ଏବଂ ତାହାର ମୁଳୋତ୍ପାଟନ ପାଇଁ କୌଣସି ପ୍ରସ୍ତାବ ହେଲେ ଆମେ ତତ୍‍କ୍ଷଣାତ୍ ପ୍ରତିକ୍ରିୟାଶୀଳ ହୋଇଉଠୁ । ଏହି କାରଣରୁ କୌଣସି ସହଜ ଓ ବାହ୍ୟିକ ସମାଧାନ କଥା ଶୁଣିଲେ ତାହାକୁ ଆମେ ଏକ ଆଶୀର୍ବାଦ ବୋଲି ମନେକରୁଁ । ନ୍ୟାୟ ପଥରେ ଅର୍ଥ ଉପାର୍ଜନ କରିବାକୁ ଯେ କୁଣ୍ଠିତ, ସେହି ବ୍ୟକ୍ତି ହିଁ ଜୁଆଖେଳି ଗତାଗତ ବଡ଼ଲୋକ ହେବାର ଦୁରାଶାରେ ନିଜର ସର୍ବନାଶ ସାଧନ କରିବାକୁ କୁଣ୍ଠାବୋଧ କରେ ନାହିଁ । ଚରଖା କାଟିବାର ସ୍ୱରାଜ ସାଧନର ଏକ ପ୍ରଧାନ ଅଙ୍ଗ, ଏହା ଯଦି ଆମ ଦେଶବାସୀ ସ୍ୱୀକାର କରନ୍ତି, ତାହାହେଲେ ମାନିବାକୁ ପଡ଼ିବ ଯେ ସ୍ୱରାଜପ୍ରାପ୍ତି ଏକ ବାହ୍ୟିକ ସିଦ୍ଧି ମାତ୍ର । ଏଥିସକାଶେ ଦେଶର ମଙ୍ଗଳ ସାଧନ ପାଇଁ ଆତ୍ମପ୍ରଭାବର ଯେଉଁସବୁ ଚରିତ୍ରଗତ ଓ ସାମାଜିକ ପ୍ରଥାଗତ ବାଧା ରହିଛି, ସେହି ପ୍ରଧାନ ବିଷୟରୁ ଆମ୍ଭମାନଙ୍କ ମନକୁ ଅପସାରଣ କରି ଚରଖା ଉପରେ ନ୍ୟସ୍ତ କଲେ ଲୋକମାନେ ବିସ୍ମିତ ନ ହୋଇ ବରଂ ଆଶ୍ୱସ୍ତ ହୁଅନ୍ତେ । ଏପରି ଅବସ୍ଥାରେ ଧରି ନିଆଯାଉ ଯେ ଚାଷୀମାନେ ସେମାନଙ୍କର ଅବସର ସମୟକୁ ଯଦି କୌଣସି ଲାଭଜନକ କାର୍ଯ୍ୟରେ ବିନିଯୋଗ କରନ୍ତି ତାହାହେଲେ ଆମର ସ୍ୱରାଜଲାଭର ଗୋଟିଏ ପ୍ରଧାନ ଅନ୍ତରାୟ ଦୂରୀଭୂତ ହୁଅନ୍ତା, ଚାଷୀମାନଙ୍କର ଅବସର ସମୟ କିପରି ସବୁଠି ବେଶୀ ଲାଭଜନକ ଉପାୟରେ ବ୍ୟବହୃତ ହୋଇ ପାରିବ ସେ ସମ୍ପର୍କରେ ଆମ ଦେଶର ନେତାମାନଙ୍କୁ କର୍ମପନ୍ଥା ଚିନ୍ତା କରିବାକୁ ପଡ଼ିବ । ଏଥିରୁ କ’ଣ ସ୍ପଷ୍ଟ ନୁହେ ଯେ କୃଷିକର୍ମ ମଧ୍ୟରେ ହିଁ ଏହି ଧରଣର ସୁବିଧା ପ୍ରକୃଷ୍ଟ ଭାବରେ ନିହିତ-?

 

ଧରିନିଆଯାଉ ମୋ ଜୀବନରେ ଆର୍ଥିକ ସଙ୍କଟ ଦେଖାଦେଇଛି । ଏହି କ୍ଷେତ୍ରରେ ମୋର କେହି ହିତେଷୀ ମୋତେ ଯଦି ପ୍ରକୃତ ପରାମର୍ଶ ଦେବାକୁ ଚାହାନ୍ତି, ତାଙ୍କର ପ୍ରଥମତଃ ଚିନ୍ତା କରିବା ଉଚିତ ଯେ ମୁଁ ଦୀର୍ଘକାଳ ଧରି ସାହିତ୍ୟ ସୃଷ୍ଟିରେ ଅଭ୍ୟସ୍ତ । ଏହି କର୍ମ ପ୍ରତି ପରାମର୍ଶଦାତା ଯେତେ ବୀତଶ୍ରଦ୍ଧ ହେଲେ ମଧ୍ୟ ମୋର ଜୀବିକାର୍ଜନ ପ୍ରତି ଉପଦେଶ ଦେବାକୁ ଗଲେ ତାଙ୍କୁ ଏଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ । ସେ ହୁଏ ତ ମୋତେ ହିସାବ କରି ଦେଖାଇଦେଇ ପାରନ୍ତି ଯେ ଛାତ୍ରମାନଙ୍କ ସକାଶେ କଲେଜ ବସ୍ତିରେ ଯଦି ଚାହା ଦୋକାନଟିଏ ଖୋଲାଯାଏ, ତାହାହେଲେ ଶତକଡ଼ା ପଞ୍ଚସ୍ତରୀ ଭାଗ ମୁନାଫା ଆସିବ । ଗାଣିତିକ ହିସାବରୁ ମଣିଷ ମନକୁ ବାଦ୍ ଦେଲେ ଲାଭାଙ୍କକୁ ଦେଖାଇବା ଅତି ସହଜ ।

 

ଚା’ଦୋକାନ କରିବାକୁ ଯାଇ ମୁଁ ସର୍ବସ୍ୱାନ୍ତ ହୋଇ ପାରେ ତା’ର କାରଣ ନୁହେ ଯେ ସୁଯୋଗ୍ୟ ଚା’ଦୋକାନୀ ଭଳି ମୋର ବୁଦ୍ଧି ନାହିଁ; ତା’ର ଅସଲ କାରଣ ହେଉଛି ଚା’ବାଲାଠାରୁ ମୋର ମନ ଭିନ୍ନ ଉପାଦାନରେ ଗଢା । ତେଣୁ ହିତୈଷୀ ବନ୍ଧୁ ଯଦି ମୋତେ ଗୋଇନ୍ଦା ଗଳ୍ପ ବା ସ୍କୁଲ କଲେଜର ପାଠ୍ୟପୁସ୍ତକର ନୋଟବହି ଲେଖିବାକୁ କହନ୍ତି, ତାହାହେଲେ ପରିସ୍ଥିତିର ଅଧୀନ ହୋଇ ମୁଁ ଏହି ଉପଦେଶ ଗ୍ରହଣ କରି ପାରେ, କିନ୍ତୁ ମୋର ବିଶ୍ୱାସ ଚା’ଦୋକାନ ଖୋଲିବାଠାରୁ ଏଥିରେ ମୋର କ୍ଷତିର ସମ୍ଭାବନା କମ୍ । ଅବଶ୍ୟ ଲାଭ ସମ୍ପର୍କରେ ମୋର ସନ୍ଦେହ ରହିଛି । କାରଣ ଜଣେ ଲେଖକଙ୍କର ମନକୁ କବିତା କ୍ଷେତ୍ରରୁ ଅପସାରିତ କରି ଜନପ୍ରିୟ କଥାସାହିତ୍ୟ ସୃଷ୍ଟି କରିବାର ନିଯୁକ୍ତ କରିବା ସେତେ ସହଜସାଧ୍ୟ ନୁହେ । ଚିରଜୀବନ ଧରି ଚାଷୀର ଦେହ ମନରେ ଯେଉଁ ଶିକ୍ଷା ଅଭ୍ୟାସଗତ ହୋଇଯାଇଛି ସେଥିରୁ ତାକୁ ହଠାତ୍ ବଞ୍ଚିତ କରି ସୁଖୀ ବା ଧନୀ କରାଇବା ସହଜ ନୁହେ । ପୂର୍ବରୁ ମୁଁ ସୁଚାଇଦେଇଛି ଯେ ଯେଉଁମାନେ ମନର ଉପଯୁକ୍ତ ଚର୍ଚା ବା ବ୍ୟବହାର ନ କରନ୍ତି ସେମାନଙ୍କଠାରେ କେତେଗୁଡ଼ିଏ ବଦ୍ଧମୂଳ ଅଭ୍ୟାସ ସୃଷ୍ଟି ହୁଏ ଏବଂ ଫଳରେ ସାମାନ୍ୟ ପରିମାଣର ପରିବର୍ତ୍ତନ ମଧ୍ୟ ସେମାନଙ୍କ ପକ୍ଷରେ ଗ୍ରହଣ କରିବା କଷ୍ଟକର ହୋଇପଡ଼େ-। ନିଜ ଯୋଜନାଟି କିପରି ଅତି ସହଜରେ କାର୍ଯ୍ୟକାରୀ ହେବ ସେଥିପ୍ରତି ଆସକ୍ତ ହୋଇ ମନସ୍ତତ୍ତ୍ୱର ଏହି ନିୟମଟିକୁ କେହି ଯଦି ଲଙ୍ଘନ କରେ, ସେଥିରେ ମନସ୍ତତ୍ତ୍ୱର କୌଣସି ପରିବର୍ତ୍ତନ ଘଟିବ ନାହିଁ, କିନ୍ତୁ ଯୋଜନାଟି ବିଫଳ ହେବାକୁ ବାଧ୍ୟ ।

 

ଅନ୍ୟାନ୍ୟ କୃଷିପ୍ରଧାନ ଦେଶରେ କୃଷି ପ୍ରଣାଳୀର ଉନ୍ନତି ପାଇଁ ସଫଳ ଉଦ୍ୟମ କରାଯାଉଛି । ବିଜ୍ଞାନର ବ୍ୟବହାର ଦ୍ୱାରା ଆମ ଦେଶ ଅପେକ୍ଷା ପ୍ରାୟ ଚାରିଗୁଣ ଅଧିକ ଫସଲ ସେଠାରେ ଉତ୍ପନ୍ନ ହେଉଛି । ଜ୍ଞାନପଥ ସହଜ ନୁହେ, କିନ୍ତୁ ତାହା ହିଁ ଏକମାତ୍ର ସତ୍ୟପଥ । କୃଷିର ଉନ୍ନତି ବିଧାନ ପାଇଁ କୃଷକର ସମସ୍ତ ଶକ୍ତିକୁ ବିନିଯୋଗ କରିବାକୁ ଉପଦେଶ ନ ଦେଇ, ଚରଖା ସାହାଯ୍ୟରେ ତାକୁ ସୂତା କାଟିବାକୁ ନିର୍ଦ୍ଦେଶ ଦେବା ଦୁର୍ବଳତାର ଏକ ନିଦର୍ଶନ । ଆଳସ୍ୟ-ପରାୟଣାତା ସକାଶେ ଚାଷୀକୁ ଆମେ ଦୋଷ ଦେଉଁ, କିନ୍ତୁ ଆମ ଉପଦେଶ ଅନେକାଂଶରେ ଆମ ମାନସିକ ଆଳସ୍ୟରେ ଅଭିବ୍ୟକ୍ତ । ହାତକଟା ସୂତା ଓ ଲୁଗାର ବହୁଳ ଉତ୍ପାଦନ ଶ୍ରମିକର ଆର୍ଥିକ ଲାଭ ଦୃଷ୍ଟିରୁ କଲ୍ୟାଣକାରକ ବୋଲି ଏପର୍ଯ୍ୟନ୍ତ ମୁଁ ସ୍ୱୀକାର କରିଆସିଛି । ତାହା କେବଳ ଏକ ଯୁକ୍ତି । ଏ ସମ୍ବନ୍ଧରେ ଯେଉଁମାନଙ୍କର ଅଭିଜ୍ଞତା ଅଛି, ଏଥିରେ ସେମାନେ ଗଭୀର ସନ୍ଦେହ ପ୍ରକାଶ କରିଥାନ୍ତି । ମୋ ପରି ଜଣେ ଅନଭିଜ୍ଞ ବ୍ୟକ୍ତି ଏ ବିଷୟରେ ବାଦାନୁବାଦ ଭିତରେ ପଶିବା ଅନାବଶ୍ୟକ । ମୋର ଅଭିଯୋଗ ଯେ ଚରଖା ସଙ୍ଗରେ ସ୍ୱରାଜକୁ ଜଡ଼ିତ କରି ସ୍ଵରାଜ୍ୟ ସମ୍ବନ୍ଧରେ ଦେଶର ଜନସାଧାରଣଙ୍କୁ ବିଚଳିତ କରି ଦିଆଯାଉଛି । ଦେଶର କଲ୍ୟାଣ କହିଲେ କ’ଣ ବୁଝାଏ, ସେ ସମ୍ପର୍କରେ ଆମ ମନରେ ଏକ ସ୍ପଷ୍ଟ ବ୍ୟାପକ ଧାରଣା ସୃଷ୍ଟି ହେବା ଆବଶ୍ୟକ । ଧାରଣା ଯଦି ସଂକୀର୍ଣ୍ଣ ବା ଅପୂର୍ଣ୍ଣ ହୁଏ, ତାହାହେଲେ ଆମ ଶକ୍ତି ମଧ୍ୟ ବାଧାପ୍ରାପ୍ତ ହୋଇଥାଏ । ମନର ଦାବି ହ୍ରାସ ହେଲେ ମାନସିକ ଆଳସ୍ୟ ବୃଦ୍ଧିପ୍ରାପ୍ତ ହୁଏ । ଆମ ଜାତୀୟ ଉନ୍ନତିରେ ଚରଖାକୁ ପ୍ରଥମସ୍ଥାନ ଦେବା ଅର୍ଥ ଆମ ବୁଦ୍ଧିବୃତ୍ତିକୁ ଅପମାନିତ କରିବା । ଦେଶକଲ୍ୟାଣର ଏକ ଚିତ୍ର ତାର ସମସ୍ତ ବୃହତ୍ତର ବିଭାବ ସହିତ ଆମ ଚକ୍ଷୁ ସମକ୍ଷରେ ଯଦି ପାଞ୍ଜଳ ଭାବରେ ଉପସ୍ଥାପିତ କରାଯାଏ, ତାହାହେଲେ ସମସ୍ତ ଆବେଗ ଓ ବୁଦ୍ଧିପୁଷ୍ଟ ଜନସାଧାରଣଙ୍କ ପ୍ରଖର ଶକ୍ତି-ସ୍ରୋତ ତାରି ଅଭିମୁଖରେ ହିଁ ପ୍ରଧାବିତ ହୁଏ । ସେହି ଚିତ୍ରକୁ ଯଦି ସଂକୀର୍ଣ୍ଣ କରିଦିଆଯାଏ ଆମର ସାଧନା ମଧ୍ୟ ସଂକୀର୍ଣ୍ଣତା ପ୍ରାପ୍ତ ହୁଏ । ପୃଥିବୀର ଯେଉଁ ମହାମାନବଗଣ ନିଜ ଦେଶ ଓ ମାନବଜାତି ପାଇଁ ଅସାମାନ୍ୟ ତ୍ୟାଗ ସ୍ୱୀକାର କରିଛନ୍ତି, ସେମାନେ ମଙ୍ଗଳର ଏକ ବିରାଟ ଓ ଉଜ୍ଜ୍ୱଳରୂପ ଦ୍ୱାରା ଅଭିଭୂତ ହୋଇଥାନ୍ତି । ଆତ୍ମତ୍ୟାଗ ସେହିଭଳି ଏକ ମହାନ ଦୃଷ୍ଟିର ପ୍ରେରଣା ପାଇଁ ଅପେକ୍ଷା ରଖେ-। ସ୍ତୂପୀକୃତ ସୂତ୍ରସମ୍ଭୀର ଦ୍ୱାରା ସେ ପ୍ରେରଣା ସୃଷ୍ଟି ହେବା ଅସମ୍ଭବ । ଗୋଟିଏ ହିସାବି ମନ ପରିସଂଖ୍ୟାନର କେତେଗୁଡ଼ିଏ ଅଙ୍କର ଚିତ୍ର ପ୍ରଦାନ କରି ପାରେ, କିନ୍ତୁ ଯେଉଁ ବୃହତ୍ତର ଶକ୍ତି ବଳରେ ବଳିୟାନ୍ ହୋଇ ଜଣେ ମନୁଷ୍ୟ ପ୍ରତିବନ୍ଧନ ଓ ବିଫଳତାକୁ ଭୃକ୍ଷେପ ନ କରି ଯେ କୌଣସି ଯନ୍ତ୍ରଣା, ଏପରି କି ମୃତ୍ୟୁ ବେଦନାକୁ ସହ୍ୟ କରିବାକୁ ପ୍ରସ୍ତୁତ ହୁଏ ସେହି ବୃହତ୍ତର ଶକ୍ତିର ଜାଗରଣ ଏହି ପରିସଂଖ୍ୟାନ ଦ୍ୱାରା ହୋଇ ନ ଥାଏ ।

 

ଶିଶୁ ଆନନ୍ଦର ସହିତ ଭାଷା ଶିଖେ । କାରଣ ସେ ନିଜର ପିତାମାତାଙ୍କ ମୁଖରେ ସବୁବେଳେ ଭାଷାର ଆକାର ପ୍ରକାର ଲକ୍ଷ୍ୟ କରେ । ସ୍ପଷ୍ଟ ଭାବରେ ବୁଝି ନ ପାରିଲେ ମଧ୍ୟ ଭାଷାର ସାମଗ୍ରିକ ରୂପ ତା ପ୍ରାଣରେ ଶିହରଣ ସୃଷ୍ଟି କରେ ଏବଂ ଉତ୍କଣ୍ଠାର ସହିତ ତାହା ଶିଖିବାକୁ ସେ ଚେଷ୍ଟା କରିଥାଏ । ଭାଷାର, ପ୍ରାଚୁର୍ଯ୍ୟ ପରିବର୍ତ୍ତେ ଯଦି ଶିଶୁ ସମ୍ମୁଖରେ କେବଳ ବ୍ୟାକରଣ ଗ୍ରନ୍ଥ ରଖିଯାଆନ୍ତା, ମାତୃଭାଷା ଶିକ୍ଷା ପାଇଁ ତାର ସମସ୍ତ ଆଗ୍ରହ ନଷ୍ଟ ହୁଅନ୍ତା, ଏବଂ ଯଦିବା କିଛି ସେ ଶିଖନ୍ତା ତାହା କେବଳ ବେକ୍ରାଘାତର ଭୟରେ । ଏହା ଫଳରେ ତାର ଶିକ୍ଷା ହୁଅନ୍ତା ସମୟସାପେକ୍ଷ ।

 

ଏହି କାରଣରୁ ମୁଁ ମନେକରୁଛି ଯେ ଦେଶକୁ ଯଦି ସ୍ଵରାଜ୍ୟ ସାଧନର ପ୍ରକୃତ ଦୀକ୍ଷା ଦେବାକୁ ଆମେ ଚାହୁଁ, ତାହାହେଲେ ଏକ କ୍ଷୁଦ୍ର ଅଂଶ ବଦଳରେ ସ୍ୱରାଜର ସମଗ୍ର ମୂର୍ତ୍ତି ଦେଶ ସମକ୍ଷରେ ସ୍ଥାପନ କରିବା ଉଚିତ୍ । ତାହାର ସମଗ୍ର ରୂପର ଆକାର ବୃହତ୍ ହୋଇ ନ ପାରେ, କିନ୍ତୁ ଏହା ବାସ୍ତବ ଓ ସମ୍ପୂର୍ଣ୍ଣ ହେବା ଉଚିତ । ପ୍ରତ୍ୟେକ ପ୍ରାଣବନ୍ତ ପଦାର୍ଥ ବିନାଶର ପ୍ରତ୍ୟେକ ସ୍ତରରେ ପୂର୍ଣ୍ଣ ରୂପର ଅଧିକାରୀ । ଗୋଟିଏ ଶିଶୁର ଜୀବନ କେବଳ ବୁଢାଆଙ୍ଗୁଳିରୁ ଆରମ୍ଭ ହୋଇ କ୍ରମଶଃ ଗୋଟିଏ ଗୋଡ଼ରେ ପରିଣତ ହୁଏ ନାହିଁ ବା ପନ୍ଦର କୋଡ଼ିଏ ବର୍ଷ ପରେ ମନୁଷ୍ୟର ପୂର୍ଣ୍ଣ ଆକାର ପାଏ ନାହିଁ । ମନୁଷ୍ୟର ପୂର୍ଣ୍ଣାକୃତି ତା’ର ଶୈଶବରେ ହିଁ ପରିଦୃଷ୍ଟ । ସେଥିପାଇଁ ତା’ ମଧ୍ୟରେ ଆମେ ଏତେ ଆନନ୍ଦ ପାଉଁ ଓ ସେହି ଆନନ୍ଦ ହେତୁ ତାକୁ ମଣିଷ କରିବାର କଠିଣ ଦୁଃଖ ମଧ୍ୟ ପିତାମାତା ଆଗ୍ରହ ସହକାରେ ବରଣ କରିଥାଆନ୍ତି । ତା’ ନ ହୋଇ ଯଦି ଅଂଶ ବିଶେଷର ଲାଳନପାଳନରେ ସେମାନଙ୍କର ବହୁ ବର୍ଷ ଅତିବାହିତ ହୁଅନ୍ତା ଓ ତାକୁ ମନୁଷ୍ୟାକୃତି ଦେବାର ଶ୍ରମକ୍ଳେଶ ସେମାନେ ବରଣ କରନ୍ତେ ତାହା ନିଶ୍ଚୟ ସେମାନଙ୍କ ପକ୍ଷରେ ଦୁଃସହ ହୋଇଉଠନ୍ତା ।

 

ଯଦି ସ୍ୱରାଜ ଠିକ୍ ସେହିପରି ଚରଖା ସୁତା ଆକାରରେ ଆମ ନିକଟକୁ ଆସେ, ଆମର ଅବସ୍ଥା ମଧ୍ୟ ସେହିଭଳି ଅସହନୀୟ ହୋଇଉଠିବ । ଏଭଳି ପରିସ୍ଥିତିରେ ମହାତ୍ମାଗାନ୍ଧୀଙ୍କ ଭଳି ଜଣେ ଉଚ୍ଚକୋଟୀର ବ୍ୟକ୍ତି କିଛିକାଳ ପାଇଁ ତାଙ୍କ ବ୍ୟକ୍ତିତ୍ୱର ମହତ୍ୱ ଯୋଗୁଁ ଆମ ଦେଶର କେତେକ ଲୋକଙ୍କୁ ଭବିଷ୍ୟତ ଉନ୍ନତିର ସମ୍ଭାବନାହୀନ ଏହି କାର୍ଯ୍ୟରେ ଅନୁପ୍ରାଣିତ କରିବାକୁ ସଫଳ ହୋଇ ପାରନ୍ତି । କାରଣ ତାଙ୍କର ବ୍ୟକ୍ତିଗତ ମାହାତ୍ମ୍ୟ ଉପରେ ଆମର ଯଥେଷ୍ଟ ଆସ୍ଥା ଅଛି-। ସେଥିପାଇଁ ତାଙ୍କର ଆଦେଶ ପାଳନ କରିବାକୁ ଅଧିକାଂଶ ମଧ୍ୟ ଏକ ଫଳ ଲାଭ ବୋଲି ମନେ କରିଥାନ୍ତି, ମୋ ମତରେ ଏ ପ୍ରକାରର ମତିଗତି ସ୍ୱରାଜ୍ୟପ୍ରାପ୍ତି ଦିଗରେ ଅନୁକୂଳ ନୁହେ ।

 

କେବଳ ସୁତାକଟାରେ ନୁହେ, ନିଜ ଦେଶର ଦାୟିତ୍ୱକୁ ସମ୍ୟକ୍ ଭାବରେ ଗ୍ରହଣ କରିବାର ସାଧନ ପାଇଁ ଦେଶର ନାନା ସ୍ଥାନରେ କେନ୍ଦ୍ରମାନ ପ୍ରତିଷ୍ଠିତ ହେବା ଆବଶ୍ୟକ ବୋଲି ମୁଁ ମନେକରେ । ଜନକଲ୍ୟାଣ ବିଭିନ୍ନ ଉପାଦାନର ଏକ ସମାହାର । ସେଥିରୁ ଗୋଟିଏ ପୃଥକ୍ କରିଦେଲେ ସୁଫଳ ମିଳେ ନାହିଁ । ସ୍ୱାସ୍ଥ୍ୟ, ଅବସର ବିନୋଦନ, ଦୈହିକ ଓ ମାନସିକ କ୍ରିୟାର ଏକତ୍ରୀକରଣ ଦ୍ୱାରା ମଙ୍ଗଳର ପୂର୍ଣ୍ଣଚିତ୍ର ମିଳିଥାଏ । ଆମେ ସ୍ୱଦେଶର ସେହି ମଙ୍ଗଳର ପୂର୍ଣ୍ଣରୂପକୁ ଆଖି ଆଗରେ ଦେଖିବାକୁ ଚାହୁଁ । ଯାହାକି ଆମକୁ ନିର୍ଦ୍ଦିଷ୍ଟ ଉପଦେଶ ଅପେକ୍ଷା ଅଧିକ ଶିକ୍ଷାଦେବ-। ଦେଶର ବିଭିନ୍ନ ସ୍ଥାନରେ ନବଜୀବନର ନିଦର୍ଶନ ଆମ ଚକ୍ଷୁ ସମକ୍ଷରେ ଉପସ୍ଥାପିତ ହେବା ବାଞ୍ଛନୀୟ । ତା’ ନ ହେଲେ କେବଳ ଚରଖା ଘୁରାଇ, ସୂତାକାଟି, ଗୁରୁଗମ୍ଭୀର ଆଳାପ କରି ସ୍ୱରାଜ ଚିତ୍ର କଳ୍ପନା କରିବା ଅସମ୍ଭବ । କୌଣସି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଭାରତବର୍ଷର ସାମଗ୍ରିକ ରୂପ, ଆମ ପାଇଁ ପ୍ରଥମେ ବାସ୍ତବ ଓ ମୂର୍ତ୍ତିମନ୍ତ ହେବା ଆବଶ୍ୟକ । ତା’ହେଲେ ପ୍ରତ୍ୟକ୍ଷ ଅଭିଜ୍ଞତା ଦ୍ୱାରା ଆତ୍ମନିୟନ୍ତ୍ରଣର ମୂଲ୍ୟ ଉପଲବ୍‍ଧି କରିବାକୁ ଆମେ ସକ୍ଷମ ହେବୁ । ଭାରତବର୍ଷରେ ଯଦି ଗୋଟିଏମାତ୍ର ଗ୍ରାମର ଲୋକେ ଆତ୍ମଶକ୍ତି ଦ୍ୱାରା ସମଗ୍ର ଗ୍ରାମଟିକୁ ଆପଣାର କରି ପାରନ୍ତି, ତାହାହେଲେ ସ୍ଵରାଜ୍ୟ ସାଧନାର ପ୍ରଥମ ପଦକ୍ଷେପ ସେହିଠାରେ ହିଁ ଆରମ୍ଭ ହୁଅନ୍ତା । ଭାରତ ପକ୍ଷରେ ଆଜି ଯେଉଁ ବହୁମୁଖୀ ଓ ସୃଜନଶୀଳ ଉଦ୍ୟମ ଆବଶ୍ୟକ ସେଥିପାଇଁ ଆମ ଶକ୍ତିକୁ ପ୍ରାୟ ନିଃଶେଷ କରି ବିନିଯୋଗ କରିବା ଉଚିତ । ଗୋଟିଏ ଲକ୍ଷ୍ୟସ୍ଥଳରେ ଉପନୀତ ହେବା ପାଇଁ ଓ ଆମର ପୂର୍ଣ୍ଣତା ପାଇଁ ଏହି ଶକ୍ତି ବିଭିନ୍ନ ପନ୍ଥାରେ ସର୍ବୋତ୍କୃଷ୍ଟ ଭାବରେ ବିନିଯୁକ୍ତ ହେବା ବିଧେୟ । ଏହି କାର୍ଯ୍ୟ ସୁଦୂରପ୍ରସାରୀ ହେବା ପରିବର୍ତ୍ତେ ଆମର ନିକଟବର୍ତ୍ତୀ ପରିବେଶ ମଧ୍ୟରେ ହିଁ ଆରମ୍ଭ ହେବା ଉଚିତ । ଆମେ ଯଦି ପ୍ରଥମରୁ ଏହି ମୌଳିକ ଓ ସାମାନ୍ୟ କାର୍ଯ୍ୟକୁ ଘୃଣାବ୍ୟଞ୍ଜକ ଦୃଷ୍ଟିରେ ଦେଖୁଁ ତାହାହେଲେ ଗୀତାର ଏହି ଉପଦେଶ ଆମ ପକ୍ଷରେ ସ୍ମରଣୀୟ ।

 

‘‘ସ୍ୱଳ୍ପମପ୍ୟସ୍ୟ ଧର୍ମସ୍ୟ ତ୍ରାୟତେ ମହତୋ ଭୟାତ୍’’ ଅର୍ଥାତ୍ ଧର୍ମର ସାମାନ୍ୟ ସ୍ପର୍ଶ ମଣିଷକୁ ମହତ୍ ଭୟରୁ ପରିତ୍ରାଣ କରେ । ଅନ୍ୟ କଥାରେ ସତ୍ୟର ଶକ୍ତି, ତା’ର ସତ୍ୟସ୍ୱରୂପ ମଧ୍ୟରେ ହିଁ ନିହିତ । ଏହିପରି ବାସ୍ତବ ରୂପରେ ସମ୍ମିଳିତ ଆତ୍ମକର୍ତ୍ତୃତ୍ୱର ଚର୍ଚ୍ଚା ଓ ପ୍ରସାର ଗର୍ବ ଓ ଗୌରବବୋଧର ଆନ୍ତରିକ ଅଭିଜ୍ଞତା ଦ୍ୱାରା ସ୍ୱରାଜ୍ୟର ମୂଳଭିତ୍ତି ସ୍ଥାପନ ସମ୍ଭବପର । ଭିତରେ ଓ ବାହାରେ ଏହାର ଅଭାବ ହିଁ, ଖାଦ୍ୟ, ସ୍ୟସ୍ଥ୍ୟ, ଶିକ୍ଷା, ଜ୍ଞାନ ଓ ଆନନ୍ଦ ପ୍ରଭୃତି ସକଳ କ୍ଷେତ୍ରରେ ଆମ ନିଗ୍ରହର ମୂଳକାରଣ । ଏହି ଭାବ-ଦାରିଦ୍ର୍ୟ ସତ୍ତ୍ୱେ ଆମେ ଯେ ସ୍ୱରାଜ ଲାଭ କରିବା, ଏଭଳି ଚିନ୍ତା ଅର୍ଥହୀନ ।

 

ସୂତାକଟା ଯେ ଏକ ସୃଷ୍ଟି ଏହା କହିବା ଯଥାର୍ଥ ନୁହେ । କାଠତିଆରି ଗୋଟିଏ ଚକକୁ ଘୁରାଇବା ଦ୍ୱାରା ମଣିଷ କେବଳ ତା’ର ଅଙ୍ଗ ବିଶେଷ ବା ଗୋଟିଏ ଯନ୍ତ୍ରରେ ପରିଣତ ହୁଏ । ମନହୀନ ଏକ ଯନ୍ତ୍ର ନିଜ ମଧ୍ୟରେ ପ୍ରାଚୁର୍ଯ୍ୟର ଅଧିକାରୀ । ନିଜ ବ୍ୟତୀତ ଏହା କିନ୍ତୁ ଅଧିକ କିଛି ଜାଣେ ନାହିଁ । ଚରଖାଧାରୀ ମନୁଷ୍ୟ ହେଉଛି ଏହି ଶ୍ରେଣୀୟ । ଯେଉଁ ସୂତା ସେ କାଟେ ଅନ୍ୟ ସହିତ ସେ ସୂତାର ଆବଶ୍ୟକୀୟ ସମ୍ବନ୍ଧ ନାହିଁ । ଏପରିକି ନିଜ ପ୍ରତିବେଶୀମାନଙ୍କ ସମ୍ପର୍କରେ ମଧ୍ୟ ସଚେତନ ହେବାର ପ୍ରୟୋଜନୀୟତା ସେ ଅନୁଭବ କରେ ନା । ରେଶମ ପୋକଭଳି ତା’ର ସମସ୍ତ କର୍ମ ଆତ୍ମକେନ୍ଦ୍ରିକ । ଯନ୍ତ୍ରାଧର୍ମୀ ମନୁଷ୍ୟ ଏକାକୀ ବିଛିନ୍ନ ଓ ବନ୍ଧୁହୀନ ହେବାକୁ ବାଧ୍ୟ । ଜଣେ କଂଗ୍ରେସ ସଭ୍ୟ ସୂତାକଟାରେ ଯେତେବେଳେ ନିଯୁକ୍ତ, ଠିକ୍ ସେହି ସମୟରେ ସେ ତାଙ୍କ ଦେଶ ପାଇଁ ଏକ ଧରାସ୍ୱର୍ଗର ପରିକଳ୍ପନା କରି ପାରନ୍ତି, କିନ୍ତୁ ଏଭଳି ସ୍ୱପ୍ନ ମୂଳରେ ଅବଶ୍ୟ ଅନ୍ୟ କିଛି ପ୍ରେରଣା ନିହିତ ।

 

ଅନ୍ୟ ପକ୍ଷରେ ଯେଉଁ ମନୁଷ୍ୟ ଏକାକୀ ନିଜ ଗ୍ରାମରୁ ମହାମାରୀ ଭୟ ଦୂର କରିବାରେ ଯତ୍ନଶୀଳ, ପ୍ରତି ପଦକ୍ଷେପରେ ସମଗ୍ର ଗ୍ରାମଜୀବନ ପାଇଁ ତା’ର ଜୀବନ ଉତ୍ସର୍ଗୀକୃତ । ସାଧାରଣ କଲ୍ୟାଣ ପାଇଁ ତା’ର କର୍ମ ମାଧ୍ୟମରେ ସମସ୍ତ ଗ୍ରାମଜୀବନକୁ ନିଜ ମଧ୍ୟରେ ସେ ଉପଲବ୍‍ଧି କରିବାକୁ ସମର୍ଥ ହୁଏ । ତା’ର କର୍ମମୂଳରେ ଆନନ୍ଦଦାୟକ ଓ ସୃଜନଶୀଳ ଏକ ମହତ୍ ଉଦ୍ଦେଶ୍ୟ ବର୍ତ୍ତମାନ ଏବଂ ଏହାରି ମଧ୍ୟରେ ହିଁ ସ୍ୱରାଜ୍ୟସାଧନ ପାଇଁ ଉଦ୍ୟମର ପ୍ରକୃତ ଅୟମାରମ୍ଭ ବିଦ୍ୟମାନ-। ସେହି କାର୍ଯ୍ୟରେ ଯଦି ଗ୍ରାମର ସମସ୍ତ ଲୋକେ ପରସ୍ପର ଯୋଗଦାନ କରନ୍ତି ତାହାହେଲେ ବୁଝାଯିବ ଯେ ଗ୍ରାମ ନିଜକୁ ନିଜେ ସୃଷ୍ଟି କରିବା ଦ୍ୱାରା ନିଜକୁ ନିଜେ ଯଥାର୍ଥ ଭାବରେ ଲାଭ କରିବା ଦିଗରେ ଗତିଶୀଳ । ଏହା ହିଁ ପ୍ରକୃତ ସ୍ୱରାଜ୍ୟସାଧନ ଓ ଏହା ପରିମାଣ ଦିଗରୁ କମ୍ ହେଲେ ମଧ୍ୟ ସତ୍ୟ ହିସାବରେ କମ୍ ନୁହେ । ଯେଉଁ ଗ୍ରାମର ଲୋକେ ଶିକ୍ଷା, ସ୍ୱାସ୍ଥ୍ୟ, ଅର୍ଥୋପାର୍ଜନ ଓ ଆନନ୍ଦ ବିଧାନ କ୍ଷେତ୍ରରେ ସମଗ୍ର ଭାବରେ ସମ୍ମିଳିତ ହୋଇ ପାରିଛନ୍ତି, ସେହି ଗ୍ରାମରେ ହିଁ ସମଗ୍ର ଭାରତର ସ୍ଵରାଜ୍ୟ ପ୍ରଥମେ ଆତ୍ମପ୍ରକାଶ କରିବ । ସେହି ସ୍ଵରାଜ୍ୟ ହିଁ କ୍ରମଶଃ ନିଜର ଅନ୍ତର୍ନିହିତ ବିକାଶପରାୟଣ ଆତ୍ମଶକ୍ତି ସାହାଯ୍ୟରେ ଅଗ୍ରସର ହେବ, କିନ୍ତୁ ଚରଖାର ଯାନ୍ତ୍ରିକ ଘୂର୍ଣ୍ଣନ ଦ୍ୱାରା ସେପରି ଅଗ୍ରଗତି ସମ୍ଭବପର ନୁହେ ।

 

-୧୯୨୫

 

ତାଙ୍କୁ ଅସ୍ୱୀକାର କରିବାର ସ୍ୱାଧୀନତା ଈଶ୍ୱର ମୋତେ ଦେଇଥିବାରୁ ତାଙ୍କୁ ପ୍ରେମ କରିବାକୁ ମୁଁ ସମର୍ଥ

 

-ରବୀନ୍ଦ୍ରନାଥ

Image

 

Unknown

କବିର ବିଦ୍ୟାଳୟ

 

ମୋତେ ବାରମ୍ବାର ଯେଉଁ ପ୍ରଶ୍ନ କରାଯାଇଛି ସେଥିରୁ ମୁଁ ଅନୁଭବ କରି ପାରିଛି ଯେ, ଅବିମୃଶ୍ୟକାରୀଭାବେ ଗୋଟିଏ ସ୍କୁଲ ବସାଇଥିବାରୁ ସାଧାରଣ ଲୋକେ କବିଙ୍କଠାରୁ କୈଫିୟତ୍ ଦାବୀ କରନ୍ତି । ଅବଶ୍ୟ ସ୍ୱୀକାର କରିବାକୁ ହେବ ଯେ ସୂତା କାଟୁଥିବା ରେଶମ ପୋକ ଓ ଶୂନ୍ୟରେ ଉଡ଼ି ବୁଲୁଥିବା ପ୍ରଜାପତି ପରସ୍ପର ବିପରୀତ ଦୁଇଟି ଜୀବନଧାରାର ପ୍ରତୀକ । ବୋଧହୁଏ ରେଶମ ପୋକ ଯେତିକି କାମ କରେ ସେହି ଅନୁଯାୟୀ ଟଙ୍କା କଉଡ଼ିରେ ତାର ମୂଲ୍ୟ ପ୍ରକୃତିର ହିସାବନିକାଶ ବିଭାଗରେ ତା ନାମରେ ଜମା ରହିଥାଏ । କିନ୍ତୁ ପ୍ରଜାପତି ଦାୟିତ୍ୱହୀନ । ଏହାର ହୁଏତ କିଛି ତାତ୍ପର୍ଯ୍ୟ ଥାଇ ପାରେ, କିନ୍ତୁ ତାହାର ଗୁରୁତ୍ୱ ନାହିଁ କି ପ୍ରୟୋଜନ ନାହିଁ । ଏହାର ନର୍ତ୍ତନଶୀଳ ଡେଣାଯୋଡ଼ିକ ତାକୁ ଧୀରେ ଧୀରେ ବହି ନିଏ । ସମ୍ଭବତଃ ହିସାବକିତାବ ସହିତ ସମ୍ପର୍କହୀନ ଏବଂ ଅପଚୟ କଳାରେ ସମ୍ପୂର୍ଣ୍ଣ ନିପୁଣ ଥିବା ସୂର୍ଯ୍ୟାଲୋକର ଅନ୍ତର୍ନିହିତ କେହି ଜଣେ ରଙ୍ଗର ଅଧିପତିକୁ ସେ ଆନନ୍ଦ ଦେଇଥାଏ ।

 

ସେହି ନିର୍ବୋଧ ପ୍ରଜାପତି ସହିତ କବିଙ୍କୁ ତୁଳନା କରାଯାଇ ପାରେ । ସେ ମଧ୍ୟ ଆନନ୍ଦମୟ ରଙ୍ଗସମୂହକୁ କବିତାରେ ରୂପାୟିତ କରିବାକୁ ଚେଷ୍ଟା କରନ୍ତି । ତେଣୁ ନିଜକୁ ସେ କର୍ତ୍ତବ୍ୟ ମଧ୍ୟରେ ଅବରୁଦ୍ଧ ରଖିବେ କାହିଁକି ? ଯେଉଁମାନେ ତାଙ୍କର ଉତ୍ପାଦନକୁ ତଦ୍ଦ୍ୱାରା ଅର୍ଜିତ ଲାଭର ପରିମାଣ ଦ୍ୱାରା ନିରୂପଣ କରିବେ ସେମାନଙ୍କ ନିକଟରେ ସେ ନିଜକୁ ହିସାବ ଦାୟୀ କରିବେ ବା କାହିଁକି ?

 

ମୁଁ ମନେ କରୁଛି, ଏହି କବିର ଉତ୍ତର ହେବ ଯେ ଶୀତକାଳର ଏକ ସୂର୍ଯ୍ୟାଲୋକିତ ଦିନରେ ସେ ଯେତେବେଳେ ପ୍ରଶାନ୍ତ ସୁଶୋଭିତ ଶାଖାବିଶିଷ୍ଟ ଉଚ୍ଚ ସଳଖ ଶାଳବୃକ୍ଷମାନଙ୍କ ଉଷ୍ଣ ଛାୟା ମଧ୍ୟରେ କେତେକ ବାଳକଙ୍କୁ ଆଣି ସମବେତ କଲା ସେତେବେଳେ ସେ ଶବ୍ଦଭିନ୍ନ ଅନ୍ୟ ଏକ ମାଧ୍ୟମରେ ଗୋଟିଏ କବିତା ରଚନା କରିବାକୁ ଆରମ୍ଭ କରିଥିଲା ।

 

ମନଃ ସମୀକ୍ଷଣର ଏହି ଆତ୍ମଚେତନ ଦିନରେ ଚତୁରମତି ବ୍ୟକ୍ତିଗଣ କବିତାର ଗୁପ୍ତ ଉତ୍ସ ଆବିଷ୍କାର କରିଛନ୍ତି ନିଷ୍ପେଷିତ ମୁକ୍ତିର କୌଣସି ଅସ୍ପଷ୍ଟ ସ୍ତରରେ, ବ୍ୟର୍ଥ ଆତ୍ମୋପଲବ୍ଧିର କୌଣସି ଅବିରତ କ୍ରୋଧଶୀଳତାରେ । ସ୍ପଷ୍ଟତଃ ଏ ବିଷୟରେ ସେମାନେ ଠିକ୍ । ମୋର ବହୁଦିନରୁ ଅତୀତ ବାଲ୍ୟାବସ୍ଥାର ଛାୟାମୂର୍ତ୍ତି ଏହାର ପ୍ରାରମ୍ଭିକ ଅବସ୍ଥାରେ ପୁନଃ ପୁନଃ ଆସି ଦେଖାଦେଇଥିଲା ଏବଂ ଚାହିଁଥିଲା ଅନ୍ୟ ବାଳକମାନଙ୍କ ଜୀବନରେ ବଞ୍ଚି ରହିବାକୁ ଓ ଯେଉଁ ଉପାଦାନଗୁଡ଼ିକର କୌଣସି ରକ୍ଷଣଶୀଳତା କିମ୍ବା ନିର୍ଦ୍ଧାରିତ ପରିମାଣ ବା ମୂଲ୍ୟ ନ ଥିବ ସେଗୁଡ଼ିକୁ ନେଇ ତାହାର ହଜିଥିବା ସ୍ୱର୍ଗ ଗଠନ କରିବାକୁ ।

 

ମୋର ମନେପଡ଼ୁଛନ୍ତି ପ୍ରାଚୀନ ଭାରତର ଜଣେ କବି କାଳିଦାସ । ପଣ୍ଡିତମାନଙ୍କ ସୌଭାଗ୍ୟକୁ କାଳିଦାସ ତାଙ୍କ ଜନ୍ମସ୍ଥାନ ବିଷୟରେ କୌଣସି ସ୍ପଷ୍ଟ ସୂଚନା ଦେଇ ଯାଇ ନାହାନ୍ତି, ତେଣୁ ଅବିଛିନ୍ନ ମତଭେଦ ପାଇଁ ଯଥେଷ୍ଟ ପରିସର ରହିଛି । ମୋର ପାଣ୍ଡିତ୍ୟ ଗଭୀର ବୋଲି ମୁଁ ଛଳନା କରୁ ନାହିଁ, କିନ୍ତୁ ମୁଁ କେଉଁଠି ପଡ଼ିଥିବାର ମନେ ହେଉଛି ଯେ, ସେ ମନୋରମ କାଶ୍ମୀରରେ କେଉଁଠି ଜନ୍ମଗ୍ରହଣ କରିଥିଲେ । କାଳେ ସମଭାବରେ ବିଶ୍ଵାସଜନକ କୌଣସି ପାଣ୍ଡିତ୍ୟପୂର୍ଣ୍ଣ ପ୍ରତିବାଦ ଦେଖିବାକୁ ପାଇବି ସେଥିପାଇଁ ସେଦିନୁ ମୁଁ ତାଙ୍କ ଜନ୍ମସ୍ଥାନ ବିଷୟକ ଆଲୋଚନା ପାଠ କରିବା ଛାଡ଼ି ଦେଇଛି । ଯାହାହେଉ କାଳିଦାସ କାଶ୍ମୀରରେ ଜନ୍ମଗ୍ରହଣ କରିଥିବା ଯଥୋପଯୁକ୍ତ । ମୋର ତାଙ୍କ ପ୍ରତି ଇର୍ଷା ହେଉଛି, କାରଣ ମୁଁ କଲିକତାରେ ଜନ୍ମଲାଭ କରିଥିଲି ।

 

କିନ୍ତୁ ମନଃ ସମୀକ୍ଷଣ ନିରାଶ ହେବା ଅନାବଶ୍ୟକ, କାରଣ ସେ ସମତଳ ଅଞ୍ଚଳର ଏକ ନଗରକୁ ନିର୍ବାସିତ ହୋଇଥିଲେ । ମେଘଦୂତ ଦୁଃଖର ସଂଗୀତ ନେଇ ସ୍ପନ୍ଦିତ ଯାହାର ମୌଳିକ ସ୍ୱର ଅଧିକ ସୁଖକର ବିଷୟଗୁଡ଼ିକର ସ୍ମରଣରେ ହିଁ ନିହିତ । ଏହା ତାତ୍ପର୍ଯ୍ୟାପୂର୍ଣ୍ଣ ଯେ ଏହି କାବ୍ୟରେ ଶାଶ୍ୱତ ସୌନ୍ଦର୍ଯ୍ୟର ଅଳକାପୁରୀବାସିନୀ ପ୍ରିୟାର ଅନ୍ୱେଷଣରେ ପ୍ରଣୟୀର ଭ୍ରାମ୍ୟମାଣ କଳ୍ପନା ଯେଉଁ ଯେଉଁ ପାହାଡ଼, ନଦୀ ବା ବନ ଉପର ଦେଇ ଗତି କରିଛି ସେଥିରୁ ପ୍ରତ୍ୟେକଟି ପାଖରେ ଆମୋଦ ସହିତ ସେ ରହି ରହି ଯାଇଛି; ଆଷାଢ଼ ମାସର ବର୍ଷାଭରା ମେଘମାଳାକୁ ସ୍ୱାଗତ କରୁଥିବା କୃଷକ ବାଳିକାମାନଙ୍କ କୃତଜ୍ଞତାଭରା କଲା ଆଖି ସେ ନିରୀକ୍ଷଣ କରିଛି; କୌଣସି ଗ୍ରାମର ବୟୋଜ୍ୟେଷ୍ଠ ବ୍ୟକ୍ତି ବଟବୃକ୍ଷ ତଳେ ପୁରୁଷାନୁକ୍ରମେ ସରଳ ହୃଦୟ ନରନାରୀଙ୍କ ଅଶ୍ରୁ ଓ ହାସ୍ୟର ସତେଜ ରହିଥିବା ଏକ ଜଣାଶୁଣା ପ୍ରେମ କାହାଣୀ ଆବୃତ୍ତି କରୁଥିବା ସେ ଶୁଣିଛି-। ଏ ସବୁଥିରେ ଆମେ ଅନୁଭବ କରୁଛୁ, ପାଷାଣ ହୃଦୟ ନଗରର ବନ୍ଦୀ ପରି ଆନନ୍ଦ-ସ୍ୱପ୍ନରେ ବିହ୍ଵଳ ହୋଇପଡ଼ିଛି, ଯାହାକି ତାର କାଳ୍ପନିକ ଯାତ୍ରାରେ ପାହାଡ଼କୁ ପାହାଡ଼ ବ୍ୟତିକ୍ରମ କରି ତାକୁ ଅନୁସରଣ କରିଛି ଏବଂ ମର୍ତ୍ତ୍ୟରେ ନିର୍ବାସିତ ଓ ପରସ୍ପରଠାରୁ ବିଚ୍ଛିନ୍ନ ପ୍ରେମିକ ପ୍ରେମିକାଙ୍କ ପାଇଁ ସ୍ୱର୍ଗର ପଥପ୍ରଦର୍ଶକ ନିଶାଣସ୍ତମ୍ଭ ଧାରଣ କରିଥିବା ପ୍ରତ୍ୟେକ ପଥ ମୋଡ଼ରେ ଅପେକ୍ଷା କରିଛି ।

 

ଏହା କବିଙ୍କର ଶାରୀରିକ ଗୃହକାତର ବ୍ୟାଧି ନୁହେ, ଏହା ଆହୁରି ଅଧିକ ମୌଳିକ ଆତ୍ମାର ଗୃହ କାତରତା । ତାଙ୍କର ପ୍ରାୟ ସହସ୍ର ଗ୍ରନ୍ଥରେ ଆମେ ଅନୁଭବ କରୁ ତତ୍କାଳୀନ ରାଜପ୍ରାସାଦର ବିଳାସ ଓ ଆତ୍ମସନ୍ତୋଷଜନିତ ଉଦାସୀନତାର ବାତାବରଣ । ତଥାପି ଏହା ଥିଲା ମାର୍ଜିତ ସଂସ୍କୃତି ଓ ଅମିତାଚାରୀ ସଭ୍ୟତାର ବାତାବରଣ ।

 

ରାଜସଭାର କବିଙ୍କୁ ଯେପରି କି ନିର୍ବାସନରେ ରହିବାକୁ ହେଉଥିଲା । ସେ ଜାଣିଥିଲେ ଯେ ଏହା କେବଳ ତାଙ୍କ ନିଜର ନିର୍ବାସନ ନୁହେ, ସେ ଯେଉଁ ଯୁଗରେ ଜନ୍ମଗ୍ରହଣ କରିଥିଲେ ଓ ଯେଉଁ ଯୁଗ ଧନ ସମୃଦ୍ଧି ହାସଲ କରିଥିଲେ ହେଁ ବିଶ୍ୱର ପଟ୍ଟଭୂମି ହରାଇଥିଲା, ତାହା ହେଉଛି ସେହି ଯୁଗର ନିର୍ବାସନ । ତାଙ୍କ ପୂର୍ଣ୍ଣତାର ଅଭିଳାଷ ତାଙ୍କ କାବ୍ୟ ନାଟ୍ୟକରେ କି ପ୍ରକାର ପ୍ରତିରୂପ ଗ୍ରହଣ କରି ବାରମ୍ବାର ପ୍ରକାଶିତ ହେଉଥିଲା ? ତାହା ହେଉଛି ପ୍ରାଚୀନ ଭାରତର ଧର୍ମାଧ୍ୟକ୍ଷ ସମାଜର ଅରଣ୍ୟ ନିବାସ-ତପୋବନ । ସଂସ୍କୃତ ସାହିତ୍ୟ ସହିତ ସୁପରିଚିତ ବ୍ୟକ୍ତିମାନେ ଜାଣନ୍ତି ଯେ ଏହା କେବଳ ଆଦିମ ସଂସ୍କୃତିବିଶିଷ୍ଟ ଲୋକଙ୍କର ଉପନିବେଶ ମାତ୍ର ନ ଥିଲା । ସେମାନେ ଥିଲେ ସତ୍ୟାନ୍ୱେଷୀ, ଏବଂ ସେଥିପାଇଁ ସେମାନେ କେବଳ ପଉରିଟାନ ମତବାଦରେ ନୁହେ, ପବିତ୍ରତା ମଧ୍ୟରେ ହିଁ ଜୀବନଯାପନ କରୁଥିଲେ । ସେମାନଙ୍କର ଜୀବନଯାପନ ପ୍ରଣାଳୀ ଥିଲା ସରଳ; ସେଥିରେ ଆତ୍ମବଞ୍ଚନାର ସ୍ଥାନ ନ ଥିଲା । ସେମାନେ ଅବିବାହିତାବସ୍ଥା ସମର୍ଥନ କରୁଥିଲେ ଓ ସାଂସାରିକମାନଙ୍କ ସହିତ ଘନିଷ୍ଠ ସମ୍ପର୍କ ରଖୁଥିଲେ । ଉପନିଷଦର ନିମ୍ନୋକ୍ତ ପଂକ୍ତିରେ ସେମାନଙ୍କ ଲକ୍ଷ୍ୟର ସଂକ୍ଷିପ୍ତ ସୂଚନା ନିହିତ ।

 

ତେ ସର୍ବଗମ୍ ସର୍ବତଃ ପ୍ରାପ୍ୟ ଧୀରା ।

ଯୁକ୍ତତ୍‍ମନାଃ ସର୍ବମେବାଭି ଶାନ୍ତି ।

 

ଅର୍ଥାତ୍–ସେହି ନିର୍ମଲମତି ଲୋକମାନେ ସର୍ବତ୍ର ବିଦ୍ୟମାନ ପରମାତ୍ମାକୁ ଉପଲବ୍ଧି କରି ଓ ତାହା ସହିତ ପ୍ରତ୍ୟେକ ସ୍ଥାନରେ ମିଳିତ ହୋଇ ନିଖିଳ ମଧ୍ୟରେ ପ୍ରବେଶ କରନ୍ତି ।

 

ଏହା ତ୍ୟାଗର ଅଭାବବୋଧକ ଦର୍ଶନ ନୁହେ । ବିକ୍ରମାଦିତ୍ୟଙ୍କ ଗୌରବମୟ ରାଜତ୍ୱ କାଳରେ ସମୃଦ୍ଧିଶାଳୀ ଉଜ୍ଜୟିନୀରେ ବାସ କରୁଥିଲେ କାଳିଦାସ । ତାଙ୍କର ମନ ଭୌତିକ ବସ୍ତୁ ଓ ନିଜର ଚାହିଦା ଦ୍ୱାରା ଉତ୍ପୀଡ଼ିତ ହୋଇଥିବାରୁ ତାଙ୍କର ଚିନ୍ତାକୁ ତପୋବନ-କଳ୍ପନାର ଜୀବନ, ଆଲୋକ ଓ ମୁକ୍ତିର ଭିତରକୁ ସେ ଛାଡ଼ିଦେଇଥିଲେ ।

 

ଆଧୁନିକ ଭାରତର ଜଣେ କବି ନିଜ ଅନ୍ତରରେ ଆଧ୍ୟାତ୍ମିକ ନିର୍ବାସନର ଦୁର୍ଦ୍ଦଶା ଭୋଗୁଥିବାବେଳେ ଯେ ଅନୁରୂପ କଳ୍ପନା କରିବ, ଏହା ତାର ଇଚ୍ଛାପ୍ରଣୋଦିତ ନକଲ ନୁହେ, ସ୍ୱାଭାବିକ ସମସାମୟିକ ସଙ୍ଘଟନ ମାତ୍ର । କାଳିଦାସଙ୍କ ସମୟରେ ଅରଣ୍ୟ ଉପନିବେଶ ତପୋବନରେ ଲୋକଙ୍କର ଦୃଢ଼ବିଶ୍ୱାସ ଥିଲା ଏବଂ ସେ ଯୁଗରେ ମଧ୍ୟ ପ୍ରକୃତି କୋଳରେ ବାସ କରୁଥିଲା ଜନସମାଜ । ସେମାନେ କେବଳ ଧୀର ଆତ୍ମହତ୍ୟା ପ୍ରୟାସୀ ସଂକଳ୍ପବଦ୍ଧ ସନ୍ନ୍ୟାସୀ ମାତ୍ର ନୁହନ୍ତି, ସେମାନେ ପ୍ରଶାନ୍ତମନା ମନୁଷ୍ୟ, ଯେଉଁମାନେ କି ସେମାନଙ୍କ ଜୀବନର ମର୍ମ ଉପଲବ୍ଧ କରିବାକୁ ଚାହୁଁଥିଲେ । ଯେତେବେଳେ କାଳିଦାସ ତପୋବନର ଗୌରବ ଗାନ କରୁଥିଲେ ସେତେବେଳେ ତାଙ୍କ କବିତା ତାଙ୍କ ଶ୍ରୋତାମାନଙ୍କ ଜୀବନ୍ତ ବିଶ୍ୱାସକୁ ସ୍ପର୍ଶ କରୁଥିଲା, କିନ୍ତୁ ଆଜି ତପୋବନର ଧାରଣା ବାସ୍ତବତା ସହିତ ସମସ୍ତ ସାଦୃଶ୍ୟ ହରାଇଛି ଓ ପ୍ରାଚୀନ କାହାଣୀର ସ୍ତରକୁ ତାହା ଖସି ଯାଇଛି । ତେଣୁ ଆଧୁନିକ କବିତାରେ ଏହା କେବଳ ସାହିତ୍ୟର ବିଷୟ ହୋଇ ରହିବ । ପୁନଶ୍ଚ ଜୀବନର ବର୍ତ୍ତମାନ ଅବସ୍ଥାର ଛାଞ୍ଚରେ ଯଦି ତପୋବନର ଧାରଣା ପୁନର୍ଗଠିତ ନ ହୁଏ ତେବେ ତାହା ବର୍ତ୍ତମାନ ଯୁଗରେ ଏକ ଅଦ୍ଭୁତ ଓ ଅସଙ୍ଗତ ବିଷୟ ବୋଲି ବିବେଚିତ ହେବ । ସେହି କାରଣରୁ ହିଁ ଆଧୁନିକ ଯୁଗର କବିକୁ ଆପାତତଃ ଯୁକ୍ତିଯୁକ୍ତ ଭାଷାରେ ତାର କବିତା ରଚନା କରିବାକୁ ପଡ଼ିଲା ।

 

କିନ୍ତୁ ସେହି ଇତିହାସର କିଛି ବର୍ଣ୍ଣନା ମୋତେ ବର୍ତ୍ତମାନ ଦେବାକୁ ପଡ଼ିବ ।

 

ସଭ୍ୟ ମାନବ ତାର ସ୍ୱାଭାବିକ ଜୀବନର କକ୍ଷରୁ ବହୁ ଦୂରକୁ ଆଜି ଚାଲିଆସିଛି । ମହୁଫେଣା ତୁଲ୍ୟ ସଂସାର ସହିତ ନିଜକୁ ଖାପ ଖୁଆଇବା ପାଇଁ ମହୁମାଛି ପରି କେତେକ ରୀତି ସେ କ୍ରମେ କ୍ରମେ ସୃଷ୍ଟି କରିଛି ଓ ତାକୁ ତୀବ୍ରତର କରିଛି । ଆଧୁନିକ ମାନବ ତାର ପରିବେଶ ବିରୁଦ୍ଧରେ ବିଦ୍ରୋହଜନିତ ଭବ-ଶ୍ରାନ୍ତି ଭୋଗୁଥିବାର ଅନେକ ସମୟରେ ଆମେ ଦେଖିବାକୁ ପାଉଁ । ଆତ୍ମଘାତୀ ପ୍ରଚଣ୍ଡତା ସହିତ ସାମାଜିକ ବିପ୍ଳବ ଦେଖାଦିଏ । ଆମର ଜୀବନ-ବ୍ୟବସ୍ଥା ଠିକ୍ ମହୁଫେଣାର କାନ୍ଥି ଭଳି ଓ ତାହା ଆମର ଜୀବନଯାପନ କଳାରେ ଲୋଡ଼ା ହେଉଥିବା ଦୃଷ୍ଟିଭଙ୍ଗୀରୁ ଆମକୁ ବଞ୍ଚିତ କରିଥାଏ ଏବଂ ତାହା ହିଁ ହେଉଛି ସାମାଜିକ ବିପ୍ଲବର ମୂଳ କାରଣ । ମନୁଷ୍ୟ ଯେ ପ୍ରକୃତରେ ମହୁମାଛି ଆଦର୍ଶରେ ଗଠିତ ନୁହେ ଏ ସମସ୍ତ ହେଉଛି ତାହାର ସୂଚନା । ତେଣୁ ଯେତେବେଳେ ଅଧିସାମାଜିକ ହେବା ପାଇଁ ତାର ସ୍ୱାଧୀନତାକୁ ପ୍ରତ୍ୟାଖ୍ୟାନ କରାଯାଏ, ସେତେବେଳେ ସେ ବେପରୁଆ ଭାବରେ ସମାଜ ବିରୋଧୀ ହୋଇପଡ଼େ ।

 

ଆମର ଅତି ଜଟିଳ ଆଧୁନିକ ଅବସ୍ଥାରେ ଯାନ୍ତ୍ରିକ ଶକ୍ତିକୁ ଏପରି ଦକ୍ଷତା ସହକାରେ ସଂଗଠିତ କରାଯାଇଛି ଯେ ମନୁଷ୍ୟର ସ୍ୱଭାବ ଓ ଆବଶ୍ୟକତାର ଉପଯୋଗୀ ହେବା ଭଳି ଉତ୍ପାଦିତ ସାମଗ୍ରୀଗୁଡ଼ିକୁ ବାଛିବାକୁ ଓ କାମରେ ଲଗାଇବାକୁ ତାର ସାମର୍ଥ୍ୟଠାରୁ ସେହି ସାମଗ୍ରୀଗୁଡ଼ିକର ବୃଦ୍ଧି ଢେର ଆଗେଇ ଯାଇଛି । ଗ୍ରୀଷ୍ମ କଟିବନ୍ଧର ଉଦ୍ଭିଦ ବୃଦ୍ଧି ପରି ଏପରି ଅତିଶୟ ବୃଦ୍ଧି ମନୁଷ୍ୟକୁ ଅବରୁଦ୍ଧ କରି ପକାଇଛି । ନୀଡ଼ ସରଳ । ଆକାଶ ସହିତ ଏହାର ସ୍ୱଚ୍ଛନ୍ଦ ସମ୍ପର୍କ ରହିଛି । ପିଞ୍ଜରା ଜଟିଳ ଓ ମହାର୍ହ । ବାହାରର କାହା ସହିତ ଏହାର ସମ୍ପର୍କ ନାହିଁ । ଆଧୁନିକ ମାନବ ତାର ପିଞ୍ଜରା ଗଢ଼ିବାରେ ବ୍ୟସ୍ତ । ଏହାର ସୀମା ମଧ୍ୟରେ ନିଜକୁ ସୀମାବଦ୍ଧ କରି ଏହାର ପ୍ରାଣହୀନ କୋଣର ବୈଶିଷ୍ଟ୍ୟ ସହିତ ନିଜକୁ ଖାପ ଖୁଆଇବାରେ ସେ ସବୁବେଳେ ନିଯୁକ୍ତ-। ତେଣୁ ସେ ମଧ୍ୟ ଶେଷରେ ଏହି ପ୍ରାଣହୀନ ପିଞ୍ଜରାର ଅଂଶବିଶେଷ ହୋଇପଡ଼େ ।

 

ମୋର ଶ୍ରୋତାମାନଙ୍କ ମଧ୍ୟରୁ କେତେକଙ୍କୁ ଏହା ଅତି ପ୍ରାଚ୍ୟ ଦେଶୀୟ କଥା ବୋଲି ବୋଧ ହୋଇପାରେ । ମୁଁ ଶୁଣିବାକୁ ପାଇଲି ଯେ ଜଡ଼ବସ୍ତୁ ପାଇଁ ଏକ କୃତ୍ରିମ କ୍ଷୁଧା ପ୍ରସୂତ ଜୀବନ ଧାରଣର ଅବିରାମ ଗୁରୁ ଚାପରେ ସେମାନେ ବିଶ୍ୱାସୀ । ସେମାନଙ୍କ ମତରେ ସଭ୍ୟତାକୁ ତାର ଅନନ୍ତ ଯାତ୍ରା ପଥରେ ପରିଚାଳିତ କରିବାର ଶକ୍ତିକୁ ଏହା ଜନ୍ମ ଦିଏ ଓ ପୁଷ୍ଟ କରେ, କିନ୍ତୁ ଏହା ଯେ କେବେ କୌଣସି ମହାନ ସଭ୍ୟତାର ମୁଖ୍ୟ ଚାଳନ ଶକ୍ତି ହୋଇଛି, ତାହା ବ୍ୟକ୍ତିଗତ ଭାବରେ ମୁଁ ବିଶ୍ୱାସ କରେ ନାହିଁ, କିନ୍ତୁ ବିଶେଷଜ୍ଞ ଓ ଶିକ୍ଷାଗତ ପାଣ୍ଡିତ୍ୟ ବିଶିଷ୍ଟ ବ୍ୟକ୍ତିମାନଙ୍କ ପାଇଁ ସୁରକ୍ଷିତ କ୍ଷେତ୍ରରେ ଜଣେ କବିର ଅନଧିକାର ପ୍ରବେଶକୁ ବୁଝାଇ ଦେବା ଉଦ୍ଦେଶ୍ୟରେ ମୁଁ ଏହି ପ୍ରସଙ୍ଗର ଅବତାରଣା କଲି ।

 

ବ୍ରିଟିଶ୍ ଭାରତର ତତ୍କାଳୀନ ରାଜଧାନୀରେ ମୁଁ ଜନ୍ମଗ୍ରହଣ କରିଥିଲି । ଇଷ୍ଟଇଣ୍ଡିଆ କମ୍ପାନୀର ଅନିଶ୍ଚିତ ଭାଗ୍ୟର ପ୍ରଥମ ଜୁଆରରେ କଲିକତାକୁ ଭାସି ଆସିଥିଲେ ଆମର ପୂର୍ବ ପୁରୁଷଗଣ । ଆମ ପରିବାରର ଜୀବନଯାପନ ପଦ୍ଧତି ହିନ୍ଦୁ, ମୁସଲମାନ ଓ ବ୍ରିଟିଶ୍–ଏହି ତିନୋଟି ସଂସ୍କୃତିରେ ଗଠିତ ହୋଇଥିଲା । ମୋର ପିତାମହ ସେହି ସମୟର ଲୋକ ଯେଉଁ ସମୟରେ କି ପୋଷାକପତ୍ର ଓ ସୌଜନ୍ୟରେ ଅମିତାଚାର ଓ ଉଦାର ଅବକାଶ କ୍ରମେ କ୍ରମେ କାଟଛାଣ୍ଟ ହୋଇ ଭିକ୍ଟୋରିଆ ଯୁଗର ଆଚାର ବ୍ୟବହାରରେ ପରିଣତ ହେଉଥିଲା । ମୁଁ ଏପରି ଏକ ଜଗତକୁ ଆସିଲି ଯେଉଁଠାରେ କି ପ୍ରଗତିର ଆଧୁନିକ ନାଗରିକଭାବ ଆମ ପ୍ରାଚୀନ ପଲ୍ଲୀସମାଜର ସରସ ସବୁଜ ଜୀବନ ଉପରେ ଏଇମାତ୍ର ବିଜୟୀ ହୋଇ ସାରିଥିଲା ।

 

ଯଦିଓ ମୋର ଚଉପାଶର ଦଳାଦଳି ପ୍ରକ୍ରିୟା ପ୍ରାୟ ସଂପୂର୍ଣ୍ଣ ହୋଇ ସାରିଥିଲା ତଥାପି ଅତୀତର କେତେକ କଥା ଧ୍ଵଂସାବଶେଷ ମଧ୍ୟରେ ରହି ଯାଇଥିଲା । ଅତିଥି ପରାୟଣତା, ଦୟା, ସରଳ ବିଶ୍ୱାସ ଓ ଜୀବନର ଉତ୍ସବମୟ କବିତାରେ ପୂର୍ଣ୍ଣ ହୋଇଥିବା ଏକ ସମାଜ ବିଷୟରେ ମୋର ବଡ଼ଭାଇ ଦୁଃଖର ସହିତ ବରାବର ଆଲୋଚନା କରୁଥିବା, ମୁଁ ମୋର ପିଲାଦିନେ ଶୁଣିଛି । ସେସବୁ ଚକ୍ରବାଳର ଗୋଧୂଳିକାଳୀନ କୁହେଳିକାର ଅନ୍ତରାଳରେ ଲୁଚି ରହିଥିବା ଅସ୍ପଷ୍ଟ ଛାୟାମୂର୍ତ୍ତି ମାତ୍ର । ସର୍ବବ୍ୟାପକ ବିଷୟ ହେଉଛି ପାଶ୍ଚାତ୍ୟ ବଣିକ୍ କମ୍ପାନୀ ଦ୍ୱାରା ନବ ନିର୍ମିତ ଆଧୁନିକ ନଗର ଓ ଅଗଣିତ ଅସ୍ୱାଭାବିକ ପରିସ୍ଥିତିର ସମ୍ମୁଖୀନ ହୋଇଥିବା ଆମ ପ୍ରାଣ ଉପରେ ନୂତନ ଯୁଗର ପ୍ରଭାବ । ମାତ୍ର ସବୁବେଳେ ମୋ ପକ୍ଷରେ ବିସ୍ମୟକର ହୋଇଛି ଯେ, ଗୋଟିଏ ନଗରର କଠିନ ଭୂମି ଛଡ଼ା ଦୁନିଆର ଅନ୍ୟ ଅଭିଜ୍ଞତା ମୋର ନ ଥିବା ସ୍ଥଳେ ନିର୍ବାସନର ଗୃହାଭିମୁଖୀ କଳ୍ପନା, ଅବିରତ ମୋ ମନରେ ଉଦିତ ହେଉଥିଲା ।

 

ମନେହୁଏ ଯେପରି ଏକ ପ୍ରାଚୀନ ବାସସ୍ଥାନ, ଯେଉଁଠି କି ଆମ ପୂର୍ବପୁରୁଷଙ୍କ ମନରେ ଅସ୍ପଷ୍ଟ ପାହାଡ଼, ଦ୍ରୁତଗାମୀ ଜଳପ୍ରବାହ, ଅରଣ୍ୟର ଦୁର୍ବୋଧ୍ୟ ନିରବ ଶବ୍ଦର ରହସ୍ୟ ଅଙ୍କିତ ଓ ପ୍ରକଟିତ ହେଉଥିଲା, ତାହାର ଅବଚେତନ ସ୍ମୃତି ଅବିରାମ ଆହ୍ୱାନରେ ମୋର ରକ୍ତକୁ ଆଲୋଡ଼ିତ କରୁଥିଲା । (ମାଟି, ପାଣି ଓ ପବନର ଅସୀମ କୁହୁକରେ ଆଦିମ ଜୀବନ ସହିତ ଦିନେ ଯେଉଁ ଖେଳ ପଡ଼ିଆର ସେ ଭାଗୀଦାର ହୋଇଥିଲା ତା’ପାଇଁ ମୋର ଅନ୍ତରରେ ଏକ ସଜୀବ ସ୍ମୃତି ବ୍ୟଥିତ ହେଲା ପରି ଜଣା ଯାଉଥିଲା ।) ଉଜ୍ଜ୍ୱଳ ଭାରତୀୟ ମଧ୍ୟାନ୍ତର ପ୍ରଖର ସୂର୍ଯ୍ୟ କିରଣରେ ଅତି ଉଚ୍ଚରେ ଉଡ଼ୁଥିବା ଗୁଡ଼ିର ତୀବ୍ର ସରୁ ଶବ୍ଦ ଜଣେ ନିଃସଙ୍ଗ ବାଳକକୁ ଏକ ସୁଦୂର ମୁକ ସମ୍ପର୍କର ସଂକେତ ଦେଉଥିଲା । ଏହି ପୃଥିବୀର ପୁରୁଣା ଆକ୍ରମଣକାରୀ ସେନା ମଧ୍ୟରୁ କେତୋଟି ଯୁଦ୍ଧବନ୍ଦୀ ପରି ଆମ ଘରର ପାଚେରୀ ପାଖରେ ଥିବା କେତୋଟି ନଡ଼ିଆ ଗଛ ବରାବର ମନୁଷ୍ୟକୁ ଦେଉଥିବା ବୃକ୍ଷ ସମାଜର ଶାଶ୍ୱତ ସାହଚର୍ଯ୍ୟର ବିଷୟ ମୋତେ କହୁଥିଲେ । ଅରଣ୍ୟର ନିମନ୍ତ୍ରଣ ପ୍ରତି ସେମାନେ ମୋର ଅନ୍ତରକୁ କମ୍ପିତ କରୁଥିଲେ । ମୋର ଦଶବର୍ଷ ବୟସରେ ଯେତେବେଳେ ହିମାଳୟ ପର୍ବତଶ୍ରେଣୀ ଉପରେ ଦେବଦାରୁ ବୃକ୍ଷ ଛାୟାରେ ଜୀବନର ପ୍ରାଥମିକ ଆଭିଜାତ୍ୟରେ ଅନ୍ଧକାରାଛନ୍ନ ସମ୍ଭ୍ରମ ଓ ତାହାର ଭୟାନକ ତଥା ସୌଜନ୍ୟପୁର୍ଣ୍ଣ ପ୍ରବଳ ଦୃଢ଼ତା ଦ୍ୱାରା ଭୀତତ୍ରସ୍ତ ହୋଇ ମୁଁ ଏକାକୀ ଛିଡ଼ା ହୋଇଥିଲି; ସେତେବେଳେ ଏହି ନିମନ୍ତ୍ରଣର ଜବାବ ଦେବାର ସୌଭାଗ୍ୟ ମୁଁ ପାଇଥିଲି ।

 

ମୋର ବାଲ୍ୟାବସ୍ଥାର ଯେଉଁ ମୁହୂର୍ତ୍ତଗୁଡ଼ିକରେ ମୋର ମନ ଆକାଶ ଓ ଆଲୋକର ବିଶାଳ ଅନୁଭୂତି ଉପରେ ସମଭରା ଅବସ୍ଥାରେ ଭାସମାନ ହେଲାପରି ବୋଧ ହେଉଥିଲା; ସେଥିପ୍ରତି ଫେରି ଚାହିଁଲେ ମୁଁ ବିଶ୍ୱାସ ନ କରି ରହି ପାରେ ନାହିଁ ଯେ ମୋର ଭାରତୀୟକୁଳ ତାହାର ଦର୍ଶନର ଦାୟଦାନ ମୋ ମଧ୍ୟରେ ଛାଡ଼ି ଯାଇଛି । ଏହି ଦର୍ଶନ ପ୍ରକୃତି ସହିତ ସାମଞ୍ଜସ୍ୟ ରକ୍ଷା କରିବା ଜରିଆରେ ପୂର୍ଣ୍ଣତା ପ୍ରାପ୍ତିର ଦର୍ଶନ । ମନୁଷ୍ୟକୃତ ଜଗତ ଛାଡ଼ି ବିଶ୍ୱର ଗଭୀର ପ୍ରଦେଶରେ ଆମ୍ଭମାନଙ୍କ ମୁକ୍ତିର ଅନ୍ୱେଷଣ କରିବାର ପ୍ରବଳ ଇଚ୍ଛା, ଏହା ଆମ୍ଭମାନଙ୍କ ମଧ୍ୟରେ ଜାଗ୍ରତ କରେ । ଅଗ୍ନି, ଜଳ ଓ ବୃକ୍ଷରେ ପ୍ରତ୍ୟେକ ସଞ୍ଚରଣଶୀଳ ଓ ବର୍ଦ୍ଧିଷ୍ଣୁ ବସ୍ତୁରେ ନିହିତ ଥିବା ଦେବତ୍ୱ ପ୍ରତି ଭକ୍ତି ଅର୍ପଣ କରିବାକୁ ଏହା କରି ଯିବାପରି ବୋଧ ହେଉଥିବା ମୁକ୍ତି ସ୍ପୃହାର ସ୍ମୃତି ମଧ୍ୟରେ ହିଁ ମୋ ସ୍କୁଲ ପ୍ରତିଷ୍ଠାର ଉତ୍ପତ୍ତିସ୍ଥଳ ନିହିତ ।

 

କେବଳ ସ୍ୱାଧୀନତା ଅର୍ଥରେ ମୁକ୍ତି ଅର୍ଥହୀନ । ସଂପୂର୍ଣ୍ଣ ମୁକ୍ତି ସମ୍ବନ୍ଧର ସାମଞ୍ଜସ୍ୟରେ ନିହିତ, ଯାହାକି କେବଳ ଜାଣିବାରେ ନୁହେ, ନିୟତ ଅଭିବୃଦ୍ଧି ମଧ୍ୟରେ ହିଁ ଆମେ ଧାରଣା କରି ପାରିବା । ଜାଣିବା ଲୋକଙ୍କଠାରୁ ଜ୍ଞାନର ବସ୍ତୁ ବହୁ ଦୂରରେ । କାରଣ ଜ୍ଞାନ ମିଳନ ନୁହେ । ପୂର୍ଣ୍ଣ ସହାନୁଭୂତି ମାଧ୍ୟମରେ ଆମେ ମୁକ୍ତି ରାଜ୍ୟରେ ପହଞ୍ଚିବାକୁ ସମର୍ଥ ହେବା ।

 

ପିଲାମାନେ ସେମାନଙ୍କ ଜ୍ଞାନେନ୍ଦ୍ରିୟର ସତେଜଟା ନେଇ ପ୍ରତ୍ୟକ୍ଷ ଭାବରେ ଜଗତର ଘନିଷ୍ଠ ସଂପର୍କରେ ଆସନ୍ତି । ଏହା ସେମାନଙ୍କ ପ୍ରତି ପ୍ରଥମ ଓ ଶ୍ରେଷ୍ଠ ଦାନ । ସେମାନଙ୍କୁ ନଗ୍ନ ଓ ସରଳ ଭାବରେ ଏହା ଗ୍ରହଣ କରିବାକୁ ପଡ଼ିବ ଓ ସେମାନଙ୍କ ଦ୍ରୁତ ସଂଯୋଗସ୍ଥାପନ ଶକ୍ତି କଦାପି ହରାଇବାକୁ ହେବ ନାହିଁ । ଆମର ପୂର୍ଣ୍ଣତା ପାଇଁ ଆମକୁ ଏକାଧାରରେ ଅସଭ୍ୟ ଓ ସଭ୍ୟ ହେବାକୁ ପଡ଼ିବ । ଆମକୁ ପ୍ରକୃତି ସହିତ ଓ ମାନବସମାଜ ସହିତ ମାନବିକ ହେବାକୁ ପଡ଼ିବ । ଯେଉଁ ନଗରରେ ସବୁଆଡ଼େ ମନୁଷ୍ୟ, ଯେଉଁଠି ବଡ଼ ଅଣମନୁଷ୍ୟ ପାଇଁ ତିଳେହେଲେ ଫାଙ୍କ ନାହିଁ ସେଠାରେ ଜନଗହଳିରେ ନିର୍ଜନତାରେ ବାସ କରୁଥିବା ଯୋଗୁଁ ମୁଁ କଷ୍ଟ ଅନୁଭବ କରୁଥିଲି । ନଗର-ଜୀବନର ବିଚ୍ଛିନ୍ନ ଅବସ୍ଥାରେ ମୋର ନିର୍ବାସିତ ଆତ୍ମା ମୋ ଭିତରେ ନୂଆ ଦିଗ୍‍ବଳୟ ପାଇଁ କାନ୍ଦୁଥିଲା । କବିତାର ବିଚ୍ଛିନ୍ନ ଧାଡ଼ି ପରି ମୁଁ ସବୁବେଳେ ଅନିଶ୍ଚିତ ଅବସ୍ଥାରେ ରହୁଥିଲି । ଅନ୍ୟ ଯେଉଁ ଧାଡ଼ିଟି ସହିତ ଏହାର ଯତିପାତ ହୋଇଥିଲା ଓ ଯାହା ଏହାକୁ ପୂର୍ଣ୍ଣତା ଦେଇ ପାରୁଥିଲା ତାହା ଅସ୍ପଷ୍ଟ ହୋଇ ପଡ଼ିଥିଲା । ସୁଖୀ ହେବାର ଯେଉଁ ସହଜ ଶକ୍ତି ମୁଁ ଅନ୍ୟ ପିଲାମାନଙ୍କ ସହିତ ଏ ଜଗତକୁ ଆଣିଥିଲି ତାହା ଜୀବନରେ ଇଟା ଓ ବାଲି-ଚୂନର ବିନ୍ୟାସ, ଯନ୍ତ୍ରବତ୍ ଅଭ୍ୟାସ ଓ ସମ୍ମାନବୋଧର ଚିରାଚରିତ ରୀତି ସହିତ ସଂଘର୍ଷ ଯୋଗୁ ଅବିରାମ କ୍ଷୟପ୍ରାପ୍ତ ହେଉଥିଲା ।

 

ସାଧାରଣ ରୀତିର ମୋତେ ସ୍କୁଲକୁ ପଠାଯାଇଥିଲା, କିନ୍ତୁ ଅଧିକାଂଶ ପିଲାଙ୍କ ତୁଳନାରେ ମୋର କଷ୍ଟ ଥିଲା ଅସାଧାରଣ ବେଶୀ । ମୋ ଭିତରର ଅସଭ୍ୟତା ଥିଲା ଅଭିମାନୀ । ରଙ୍ଗ ପାଇଁ, ସଂଗୀତ ପାଇଁ, ଜୀବନର ଗତି ପାଇଁ ଏହାର ଖୁବ୍ ତୃଷ୍ଣା ଥିଲା । ଆମର ନଗରଗଢ଼ା ଶିକ୍ଷା ସେହି ଜୀବନ୍ତ ବିଷୟ ପ୍ରତି କୌଣସି ଧ୍ୟାନ ଦେଇ ନ ଥିଲା । ସେ ତାହାର ମାଲ୍-ଗାଡ଼ିକୁ ବଜାର ଉପଯୁକ୍ତ ଫଳାଫଳର ମାର୍କାଦିଆ ଗାଣ୍ଠିଗୁଡ଼ିକ ପାଇଁ ପ୍ରସ୍ତୁତ ରଖୁଥିଲା । ଆମ୍ଭମାନଙ୍କ ଭୂମଣ୍ଡଳରେ ଜଳର ପ୍ରାଧାନ୍ୟ ଥାଇ ଜଳ ଓ ସ୍ଥଳ ଯେଉଁ ଅନୁପାତରେ ଅଛି, ମନୁଷ୍ୟ ଭିତରର ଅସଭ୍ୟତା ଓ ସଭ୍ୟତା ସେହି ଅନୁପାତରେ ରହିବା ଉଚିତ, କିନ୍ତୁ ଅସଭ୍ୟତାର କ୍ରମାଗତ ସଂସ୍କାର ଥିଲା ସ୍କୁଲର ଉଦ୍ଦେଶ୍ୟ । ପ୍ରାଣବନ୍ତ ଜଳର ଏପରି ନିଷ୍କାସନ ଯେଉଁ ଶୁଷ୍କତା ଆଣିଦିଏ ତାହା କୌଣସି ନଗରରେ ପରିତାପର ବିଷୟ ବୋଲି ବିବେଚିତ ହୋଇ ନ ପାରେ, କିନ୍ତୁ ମୋର ସ୍ୱଭାବ ସେ ଧରଣର ଅବସ୍ଥା ସହିତ କେବେ ଅଭ୍ୟସ୍ତ ହୋଇ ପାରି ନ ଥିଲା । ଅସଭ୍ୟତା ମୋ ଭିତରେ ଖୁବ୍ ଶୀଘ୍ର ଜୟୀ ହେଲା ଓ ମୋର ତେର ଚଉଦ ବର୍ଷ ବୟସବେଳେ ମୋତେ ସ୍କୁଲରୁ ତଡ଼ିଦେଲା ।

 

ଅଜ୍ଞାନତାର ନିର୍ଜନ ଦ୍ୱୀପରେ ନିଜକୁ ଅସହାୟ ଅବସ୍ଥାରେ ପରିତ୍ୟକ୍ତ ହୋଇଥିବାର ମୁଁ ଦେଖିଲି ଏବଂ ମୂଳରୁ ମୋର ଶିକ୍ଷା ଗଠନ ପାଇଁ ଏକମାତ୍ର ମୋ ନିଜର ପ୍ରବୃତ୍ତି ଉପରେ ମୋତେ ନିର୍ଭର କରିବାକୁ ପଡ଼ିଲା ।

 

ମୋର ମନେ ପଡ଼ୁଛି, ମୁଁ ଯେତେବେଳେ ପିଲା ସେତେବେଳେ ରବିନ୍‍ସନ୍ କୃସୋର ଖଣ୍ଡେ ବଙ୍ଗଳା ଅନୁବାଦ ପାଇବାର ବଡ଼ ସୌଭାଗ୍ୟ ମୋର ହୋଇଥିଲା । ଅଦ୍ୟାପି ମୋର ବିଶ୍ୱାସ ଯେ ପିଲାମାନଙ୍କ ପାଇଁ ଲେଖାଯାଇଥିବା ଉତ୍କୃଷ୍ଟ ପୁସ୍ତକମାନଙ୍କ ମଧ୍ୟରେ ଏହା ଅନ୍ୟତମ । ପିଲାବେଳେ ନିଜଠାରୁ ଦଉଡ଼ି ପଳାଇବାକୁ ଓ ପ୍ରକୃତିର ପ୍ରତ୍ୟେକ ବସ୍ତୁ ସହିତ ମିଶି ଏକାକାର ହୋଇଯିବାକୁ ମୋର ଉତ୍କଣ୍ଠା ବିଷୟ ମୁଁ କହି ସାରିଛି । ଏହି ମନୋଭାବକୁ ମୁଁ ବିଶେଷତଃ ଭାରତୀୟ ବୋଲି ବର୍ଣ୍ଣନା କରିଛି । ଏହା ଚୈତନ୍ୟର ସଂପ୍ରସାରଣ ପାଇଁ ପାରମ୍ପରିକ ଅଭିଳାଷର ପରିଣାମ । ସ୍ୱୀକାର କରିବାକୁ ହେବ ଯେ ଏପରି ଅଭିଳାଷ ଆଧ୍ୟତ୍ମୀୟ, କିନ୍ତୁ ଆମର ଭୌଗଳିକ ପରିସ୍ଥିତିରେ ଏହା ଅନିବାର୍ଯ୍ୟ । କେବଳ ବଞ୍ଚି ରହିବାର ଅଧିକାର ପାଇଁ ପ୍ରତ୍ୟେକ ମୁହୂର୍ତ୍ତରେ ଅତ୍ୟଧିକ ଶୁଳ୍କ ଦେଇ ଗ୍ରୀଷ୍ମମଣ୍ଡଳର ଅତ୍ୟାଚାର ମଧ୍ୟରେ ଅମ୍ଭେମାନେ ବାସ କରୁ । ଉତ୍ତାପ, ସନ୍ତସନ୍ତିଆ ଭୂମି, ବଡ଼ ବଡ଼ ପ୍ରାଣୀଙ୍କ ଉପରେ ବଞ୍ଚୁଥିବା କ୍ଷୁଦ୍ର ପ୍ରାଣୀମାନଙ୍କର ଅକଥନୀୟ ଉତ୍ପାଦିକା ଶକ୍ତି, ଦୃଶ୍ୟ ହେଉ ବା ଅଦୃଶ୍ୟ ହେଉ, ବିରକ୍ତିର ଚିରସ୍ଥାୟୀ ଉତ୍ପତ୍ତିସ୍ଥଳଗୁଡ଼ିକ ଯୋଗୁ ଅମିତାଚାରୀ ପରୀକ୍ଷା ପାଇଁ ଟିକିଏ ହେଲେ ଅବକାଶ ଆମର ଆଉ ରହେ ନାହିଁ ।

 

ଶକ୍ତିର ଆଧିକ୍ୟ ଲଢ଼ିବାକୁ ଓ ପରାସ୍ତ କରିବାକୁ ଖୋଜେ ପ୍ରତିବନ୍ଧକ । ସେହି କାରଣରୁ ପାଶ୍ଚାତ୍ୟ ସାହିତ୍ୟରେ ପ୍ରକୃତିର ବିଦ୍ୱେଷପରାୟଣତା ଉପରେ ଅବିରତ ଜୋର ଦିଆଯାଉଥିବାର ଆମେ ଦେଖୁ । କେବଳ ତାକୁ ଲଢ଼େଇକୁ ଆହ୍ୱାନ କରିବାର ଆନନ୍ଦ ପାଇଁ ପାଶ୍ଚାତ୍ୟ ଜଗତରେ ଲୋକେ ତା ମଧ୍ୟରେ ଏକ ଶତ୍ରୁକୁ ଆବିଷ୍କାର କରିଥାନ୍ତି । ଯେଉଁ କାରଣରୁ ଏହି ଜଗତକୁ ଜୟ କରିସାରି ଆଲେକ୍‍ଜାଣ୍ଡର୍ ଅନ୍ୟ ଜଗତକୁ ଜୟ କରିବାକୁ ଇଚ୍ଛା କରିଥିଲେ ସେହି କାରଣରୁ ଏହି ଅତିଶୟ ଜୀବନୀଶକ୍ତିମାନ ଲୋକେ ନିଜ ବାଟରୁ ବାହାରିଯାଇ ଅନ୍ୟ ଲୋକଙ୍କ ରାସ୍ତାରେ ସେମାନଙ୍କ ପୋଷାକର ପୁଚ୍ଛ ପ୍ରସାରି ବସନ୍ତି ଓ ତାହା ପଦଦଳିତ ହେଲେ କ୍ଷତିପୂରଣ ଦାବି କରନ୍ତି-। ନିଜେ ଆହତ ହେବାର ବିପଦକୁ ଉପଭୋଗ କରିବା ପାଇଁ ସେମାନେ ଅନାକ୍ରମଣକାରୀମାନଙ୍କୁ, ଉଡ଼ି ପଳାଇ ଜାଣିଥିବା ପକ୍ଷିମାନଙ୍କୁ, ଅଗମ୍ୟ ସ୍ଥାନରେ ବାସ କରୁଥିବା ଭୀରୁ ପ୍ରାଣୀମାନଙ୍କୁ ଆଘାତ କରିବାକୁ ପ୍ରସ୍ତୁତ । ଏ କ୍ଷେତ୍ରରେ ଉଚ୍ଚ ଜାତିମାନଙ୍କୁ ଉଲ୍ଲେଖ କରିବାର ଅଶିଷ୍ଟତା ମୁଁ ଏଡ଼ିଦେଉଛି ।

 

ଜୀବନର ଅଗ୍ରଗତି ପାଇଁ ପ୍ରତିବନ୍ଧକ ଅବଶ୍ୟ ଆବଶ୍ୟକ । ଯେଉଁ ମାଟିଦେଇ ନଦୀ ବାଟ କାଟିବ ତାହାର ବାଧା ବ୍ୟତିରେକେ ତାର ପ୍ରବାହର ବେଗ ସେ ହରାଇଥାଏ । ଲଢ଼ୁଆଭାବ ଜୀବନର ବୁଦ୍ଧି ବୃତ୍ତିର ଅଂଶ । ସଙ୍ଗୀତର ସଂପୂର୍ଣ୍ଣ ଉପଲବ୍ଧି ପାଇଁ ବାଦ୍ୟଯନ୍ତ୍ରର ସ୍ଵରସଂଯୋଗ ସାହାଯ୍ୟ କରିଥାଏ । ଆମ୍ଭେମାନେ ଆନନ୍ଦିତ ହେବା ଯେ ପାଶ୍ଚାତ୍ୟ ଜଗତରେ ପ୍ରତିବନ୍ଧକ ସହିତ ଲଢ଼େଇ ଦ୍ୱାରା ସମସ୍ତ ତନ୍ତ୍ରୀରେ ଜୀବନ-ଯନ୍ତ୍ରର ସ୍ୱର ମିଳିଯାଉଛି । ବିଶ୍ୱର ଅନ୍ତର୍ନିହିତ ସୃଜନକ୍ଷମତା କେବେ ହେଲେ ପ୍ରତିବନ୍ଧକଗୁଡ଼ିକୁ ପୁରାପୁରି ଦୂର କରିବାକୁ ହେବ ନାହିଁ । ଲଢ଼ୁଆ ଭାବଟି ଯେ ଶ୍ରେଷ୍ଠ-ଏହି ପୂର୍ଣ୍ଣତାର ଆଦର୍ଶ ହିଁ ତାର ଏକମାତ୍ର କାରଣ ।

 

ରବିନ୍‍ସନ୍ କୃସୋରେ ପ୍ରକୃତି ସହିତ ମିଳନର ଆନନ୍ଦ ଏକ ଦୁଃସାହସିକ କାହାଣୀରେ ପ୍ରକାଶିତ । ସେଥିରେ ଏକ ସଙ୍ଗହୀନ ମାନବ ସଙ୍ଗହୀନା ପ୍ରକୃତି ସହିତ ମୁହାଁମୁହିଁ ଭେଟ ହୋଇଛି, ତାକୁ ମନୋତୋଷିଆ କଥା କହୁଛି, ତା ସହିତ ସହଯୋଗ କରୁଛି, ତାର ଗୁପ୍ତରହସ୍ୟ ଉଦ୍‍ଘାଟନ କରୁଛି, ତାର ସାହାଯ୍ୟ ଲାଭ କରିବାକୁ ତାର ସମସ୍ତ ବୁଦ୍ଧିବୃତ୍ତି ପ୍ରୟୋଗ କରୁଛି । ଏ ବହିଟି ପଢ଼ି ମୁଁ ଯେଉଁ ଆନନ୍ଦ ପାଇଲି ତାହା କୃପଣା ପ୍ରକୃତିର ବଦ୍ଧମୁଷ୍ଟି ବିରୁଦ୍ଧରେ ମାନବିକ ସାଫଲ୍ୟର ଗୌରବରେ ଭାଗୀ ହେବାରେ ନୁହେ, ସେ ଆନନ୍ଦ ବୁଦ୍ଧିମତ୍ତାର କାର୍ଯ୍ୟ ଦ୍ୱାରା ପ୍ରାପ୍ତ ପ୍ରକୃତି ସହିତ ସାମଞ୍ଜସ୍ୟ ମଧ୍ୟରେ ନିହିତ । ଏହା ହିଁ ପାଶ୍ଚାତ୍ୟ ଜଗତର ବୀରତ୍ୱପୂର୍ଣ୍ଣ ପ୍ରେମ ସାହସିକତା ଓ ପୃଥିବୀର ସକ୍ରିୟ ପ୍ରଣୟପ୍ରାର୍ଥନା ।

 

ମୋର ମନେପଡ଼େ କିପରି ମୋର ଯୌବନରେ ଇଉରୋପରେ ବ୍ରିଣ୍ଡିସିଠାରୁ କାଲାଇସ୍ ପର୍ଯ୍ୟନ୍ତ ରେଳଯାତ୍ରାବେଳେ ସେ ମହାଦେଶର ସାହସୀ ପ୍ରେମିକ-ପାଶ୍ଚାତ୍ୟ ଜନସମାଜର ଯୁଗ ଯୁଗର ଯତ୍ନରେ ସମୃଦ୍ଧିଶାଳୀ ହୋଇଥିବା ସେହି ଅଞ୍ଚଳକୁ ମୁଁ ଅତ୍ୟନ୍ତ ଆନନ୍ଦ ଓ ବିସ୍ମୟର ସହିତ ଲକ୍ଷ୍ୟ କରିଥିଲି । ସେ ତାକୁ ଲାଭ କରିଛି, ତାକୁ ନିଜର କରି ନେଇଛି, ତା ହୃଦୟର ଅସରନ୍ତି ଉଦାରତାକୁ ଖୋଲି ଦେଇଛି । ମୋର ଏକାନ୍ତ ଇଚ୍ଛା ହୋଇଥିଲା ଯେ ପ୍ରାଚ୍ୟ ଦେଶର ଭକ୍ତ ତାର ମନର ନିର୍ଜନତାରେ ଯେଉଁ ବିଶ୍ୱାତ୍ମାକୁ ଅନୁଭବ କରେ ତାର ଅର୍ନ୍ତଦୃଷ୍ଟି ଏହି ସେବାଭାବ ସହିତ ମିଳିତ ହୋଇ ପାରନ୍ତା କି ।

 

ମୋର ମନେପଡ଼େ ଗୋଟିଏ ସକାଳ ଯେତେବେଳେ କି ବଙ୍ଗର ଗୋଟିଏ ଗ୍ରାମରେ ଗୋଟିଏ ଭିକାରୁଣୀ ମୋ ଟେବୁଲ ଉପରର ଫୁଲଦାନିରୁ ଫୋପଡ଼ା ହେବାକୁ ଯାଉଥିବା ବସି ଫୁଲଗୁଡ଼ିକ ତା' ଶାଢ଼ୀର ପଣତରେ ତୋଳିନେଇ ଉଲ୍ଲାସର କୋମଳ ଚାହାଣିରେ "ମୋ ହୃଦୟର ନିଧି" ବୋଲି ଚିତ୍କାର କରିଉଠି ସେଗୁଡ଼ିକରେ ତାର ମୁହଁକୁ ପୋତି ପକାଇଥିଲା । ତାର ଆଖିଯୋଡ଼ିକ ସହଜରେ ବାହାର ଆକୃତିର ଆବରଣ ଭେଦ କରି ଏହି ଫୁଲଗୁଡ଼ିକରେ ଅନ୍ତରର ରାଜ୍ୟରେ ପହୁଞ୍ଚି ପାରିଥିଲା, ଯେଉଁଠି କି ସେ ତା ପ୍ରିୟର ଅନ୍ତରଙ୍ଗ ସ୍ପର୍ଶ ପାଇଥିଲା, କିନ୍ତୁ ଏସବୁ ସତ୍ତ୍ୱେ ତାର ନ ଥିଲା ସେହି ଭକ୍ତିର ଶକ୍ତି, ପାଶ୍ଚାତ୍ୟ ଆକାରର ପ୍ରତ୍ୟକ୍ଷ ଦେବସେବା, ଯାହା କି ପୃଥିବୀକୁ ତାର ଫୁଲଗୁଡ଼ିକ ଫୁଟାଇବା ଓ ମରୁଭୂମିର ଧୂଳିରେ ସୌନ୍ଦର୍ଯ୍ୟର ରାଜୁତି ବିସ୍ତାର କରିବାରେ ସାହାଯ୍ୟ କରେ । ପ୍ରାଚ୍ୟ ଓ ପାଶ୍ଚାତ୍ୟର ଯାଆଁଳା ଭାବ, ମେରୀ ଓ ମାର୍ଥା, ସତ୍ୟର ଉପଲବ୍ଧିକୁ ସଂପୂର୍ଣ୍ଣ କରିବାକୁ ଯେ କେବେହେଁ ମିଳିତ ହୋଇ ପାରିବେ ନାହିଁ, ଏପରି ଚିନ୍ତା କରିବାକୁ ମୁଁ ନାରାଜ । ଆମର ଭୌତିକ ଦରିଦ୍ରତା ଓ ସମୟର ବିରୋଧସତ୍ତ୍ୱେ ଏହି ମିଳନ ପାଇଁ ମୁଁ ଧୈର୍ଯ୍ୟ ସହିତ ଅପେକ୍ଷା କରୁଛି ।

 

ଯେଉଁଠି କେବଳ ପ୍ରେମ ଦ୍ୱାରା ନୁହେ, ସକ୍ରିୟ ସଂଯୋଗ ସ୍ଥାପନ ଦ୍ୱାରା ମାନବ ଓ ପ୍ରକୃତିର ପୂର୍ଣ୍ଣମିଳନର ପ୍ରଥମ ମହାପାଠ ଅବାଧରେ ଶିକ୍ଷା କରାଯାଇ ପାରିବ ସେପରି ଏକ ଅନୁଷ୍ଠାନର ଚିନ୍ତା କଲାବେଳେ ରବିନ୍ ସନ୍ କୃସୋଙ୍କ ଦ୍ୱୀପ ମୋ ମନରେ ଉଦୟ ହୁଏ । ଆମକୁ ସ୍ମରଣ ରଖିବାକୁ ହେବ ଯେ କେବଳ ପ୍ରେମ ଓ କାର୍ଯ୍ୟ ମାଧ୍ୟମରେ ପୂର୍ଣ୍ଣ ଜ୍ଞାନ ଲାଭ କରାଯାଇ ପାରେ, କାରଣ ଜ୍ଞାନର ଉଦ୍ଦେଶ୍ୟ ବୃଥା ପାଣ୍ଡିତ୍ୟ ନୁହେ, କବିତା । ଏ ପ୍ରକାରର ଗୋଟିଏ ଅନୁଷ୍ଠାନ କେବଳ ସମସ୍ତ ଜରୁରୀ ଅବସ୍ଥା ପାଇଁ ପ୍ରସ୍ତୁତ ହେବାକୁ ନୁହେ, ଜୀବନ ଓ ଜଗତ ମଧ୍ୟରେ ପ୍ରତିକ୍ରିୟା ସହିତ ସ୍ୱର ମିଳାଇବାକୁ, ସେମାନଙ୍କ ସମନ୍ୱୟର ଭାରସାମ୍ୟ, ଯାହାକି କବିତା ତାହା ଲାଭ କରିବାକୁ ଜଣକର ଅଙ୍ଗ ପ୍ରତ୍ୟଙ୍ଗ ଓ ମନକୁ ତାଲିମ କରିବ । ଏପରି ଏକ ସ୍ଥାନରେ ପିଲାମାନଙ୍କ ପାଇଁ ପ୍ରଥମ ଓ ପ୍ରଧାନ ଶିକ୍ଷା ହେବ ବିନା ପ୍ରସ୍ତୁତିରେ କାର୍ଯ୍ୟ କରିବାର ଶିକ୍ଷା, ଅପ୍ରତ୍ୟାଶିତ କୃତିତ୍ୱ ଦେଇ ଜଣକର ସାମର୍ଥ୍ୟ ଅନୁସନ୍ଧାନ କରିବାକୁ ଅବିରାମ ସୁଯୋଗ ସୁବିଧା ଦେବା ଉଦ୍ଦେଶ୍ୟରେ ପୂର୍ବ ପ୍ରସ୍ତୁତ ନିର୍ବାସିତ ହେବାର ଶିକ୍ଷା । ସ୍ପଷ୍ଟ କଥାରେ ଏହା ସରଳ ଜୀବନ ମଧ୍ୟରେ ନୁହେ ସୃଜନକାରୀ ଜୀବନ ମଧ୍ୟରେ ଶିକ୍ଷା । କାରଣ ଜୀବନ ଜଟିଳ ହୋଇ ପଡ଼ିପାରେ, ତଥାପି ଯଦି ଏହାର କେନ୍ଦ୍ରସ୍ଥଳରେ ଏକ ଜୀବନ୍ତ ବ୍ୟକ୍ତିତ୍ୱ ଥାଏ ତେବେ ଏହାର ସୃଜନର ଏକତା ରହିବ, ଏହା ପୂର୍ଣ୍ଣ ପ୍ରସନ୍ନତାରେ ନିଜର ଭାର ବହନ କରିବ ଏବଂ କେବଳ ଗୋଟିଏ ଗହଳିବର୍ଦ୍ଧକ ସଂଖ୍ୟାରେ ତାହା ପରିଣତ ହେବ ନାହିଁ ।

 

ମୋର ଇଚ୍ଛା ହୁଏ, ଆମ ସ୍କୁଲ୍‍ରେ ଏହି ସ୍ୱପ୍ନ ସଫଳ ହୋଇଛି ବୋଲି ମୁଁ କହି ପାରନ୍ତି । ଆମେ କେବଳ ଆରମ୍ଭ ମାତ୍ର କରିଛୁ । ପ୍ରକୃତିକୁ ଭଲ ପାଇବାକୁ ସମର୍ଥ ହେବା ଦ୍ୱାରା ତହିଁରେ ସେମାନଙ୍କ ମୁକ୍ତି ପାଇବାକୁ ଆମେ ପିଲାମାନଙ୍କୁ ସୁଯୋଗ ଦେଇଚୁ । କାରଣ ପ୍ରେମ ହିଁ ମୁକ୍ତି । ଅତ୍ୟନ୍ତ ଶସ୍ତା ଜିନିଷ ପାଇଁ ଆମ ଆତ୍ମାକୁ ମୂଲ୍ୟ ଦେବାରୁ ଏହା ଆମକୁ ରକ୍ଷା କରେ । ଯେଉଁ ଲୋକେ ଦରିଦ୍ରତାର ଆଧ୍ୟାତ୍ମିକ ମୂଲ୍ୟକୁ ପ୍ରଶଂସା କରି ସରଳ ଜୀବନର ଧର୍ମତତ୍ତ୍ୱ ପ୍ରଚାର କରନ୍ତି ସେମାନଙ୍କୁ ମୁଁ ଜାଣେ । ଯେତେବେଳେ ଦରିଦ୍ରତା କେବଳ ଅଭାବ, ସେତେବେଳେ ତହିଁରେ କୌଣସି ବିଶେଷ ମୂଲ୍ୟ ଅଛି ବୋଲି କଳ୍ପନା କରିବାକୁ ମୁଁ ସ୍ୱୀକୃତ ନୁହେ । କେବଳ ଯେତେବେଳେ ବାସ୍ତବତାର ଗଭୀର ଆହ୍ୱାନ ପ୍ରତି ମନ ସଂବେଦନଶୀଳ ସେତେବେଳେ ସେ କାଳ୍ପନିକର ପ୍ରଲୋଭନ ଛାଡ଼ି ଦୂରେଇ ଯାଏ । ଅନୁଭୂତିହୀନ ଜଡ଼ତା ଆମର ସରଳ ଉପଭୋଗ ଶକ୍ତିରୁ ଆମକୁ ବଞ୍ଚିତ କରେ ଏବଂ ଆସବାବପତ୍ର ଓ ବହୁମୂଲ୍ୟ ଜିନିଷର ନିର୍ବୋଧ ବୋଝର ବଡ଼ିମାଜନିତ ଅମର୍ଯ୍ୟାଦା ଆମ ଭାଗ୍ୟରେ ଆଣିଦିଏ । ବିଳାସର ଜଡ଼ତା ବିରୁଦ୍ଧରେ ଆତ୍ମନିଗ୍ରହର ଜଡ଼ତାକୁ ଠିଆ କରାଇବା ହେଉଛି ଗୋଟିଏ ଅନିଷ୍ଟ ସହିତ ଆଉ ଗୋଟିଏ ଅନିଷ୍ଟ ଦ୍ୱାରା ଲଢ଼ିବା, ଜଙ୍ଗଲର ଅବିବେକୀ ପିଶାଚ ସ୍ଥାନର ମରୁଭୂମିର ନିର୍ମମ ପିଶାଚକୁ ନିମନ୍ତ୍ରଣ କରି ଆଣିବା ।

 

ସାହିତ୍ୟ ଆନନ୍ଦମୟ ଉତ୍ସବ ଅନୁଷ୍ଠାନ ଓ ଧର୍ମ ଶିକ୍ଷା ସାହାଯ୍ୟରେ ମୋ ସ୍କୁଲର ଛାତ୍ରମାନଙ୍କୁ ମଧ୍ୟରେ ପ୍ରକୃତି ପାଇଁ ସେମାନଙ୍କ ଅନୁଭୂତି ଏବଂ ସେମାନଙ୍କର ମାନବିକ ପାରିପାର୍ଶ୍ଵିକ ଅବସ୍ଥା ପ୍ରତି ସଂବେଦନଶୀଳତାର ଉନ୍ନତି ବିଧାନ କରିବାକୁ ମୁଁ ଚେଷ୍ଟା କରିଥିଲି, ସେମାନଙ୍କ ପାଇଁ ଏହି ଜଗତକୁ ବାସ୍ତବ ଗୃହାଗମନର ପଥ ମୁଁ ପ୍ରସ୍ତୁତ କରିଥିଲି । ଖୋଲା ହାଉଆରେ, ଗଛ ଛାଇରେ ସେମାନେ ଶିକ୍ଷା କରୁଥିବା ବିଷୟଗୁଡ଼ିକ ମଧ୍ୟରେ ଥିଲା ସଙ୍ଗୀତ ଓ ଚିତ୍ରକଳା ଏବଂ ସେମାନେ ନାଟକ ଅଭିନୟ ମଧ୍ୟ କରୁଥିଲେ ।

 

ଏତିକି ଯଥେଷ୍ଟ ନ ଥିଲା । ଚରିତ୍ର ଗଠନ ଉପଯୋଗୀ କାର୍ଯ୍ୟ ଆମ ସ୍କୁଲରେ ପ୍ରବର୍ତ୍ତନ କରିବା ପାଇଁ ସମର୍ଥ ହେବାକୁ ଲୋକେ ଓ ସମ୍ବଳ ସକାଶେ ମୁଁ ଅପେକ୍ଷା କରିଥିଲି । ବାସ୍ତବ ମଙ୍ଗଳକରକାର୍ଯ୍ୟ ହାସଲ କରିବାର ଶକ୍ତି ମୋ ଶିକ୍ଷାର ଆଦର୍ଶକୁ ଦେବାପାଇଁ ମୁଁ ପାଶ୍ଚାତ୍ୟ ପ୍ରତିଭାର ଆବଶ୍ୟକତା ଅନୁଭବ କରିଥିଲି ।

 

ଅସଂଖ୍ୟ ବାଧା ବିଘ୍ନ ଥିଲା । ଶିକ୍ଷିତ ବୋଲାଉଥିବା ସମ୍ପ୍ରଦାୟର ପରମ୍ପରା ପିତା ମାତାଙ୍କ ପ୍ରତ୍ୟାଶା, ନିଜେ ଶିକ୍ଷକମାନଙ୍କ ତାଲିମ, ସରକାରୀ ବିଶ୍ୱ ବିଦ୍ୟାଳୟର ଦାବୀ ଓ ଗଠନତନ୍ତ୍ର କିନ୍ତୁ, ଏସମସ୍ତ ମୋର ପୋଷତ କଳ୍ପନା ବିରୁଦ୍ଧରେ ଅତି ପ୍ରବଳଭାବରେ ସଜ୍ଜିତ ହୋଇ ରହିଥିଲେ । ଅଧିକନ୍ତୁ ଛାତ୍ରସଂଖ୍ୟା ଅବଶ୍ୟ କମ୍ ହେଉଥିବା ଏକ ଅନୁଷ୍ଠାନର ପୋଷକତା ପାଇଁ ଆମର ଯଥେଷ୍ଟ ପାଣ୍ଠି ନ ଥିବାରୁ ନିଜ ଦେଶବାସୀଙ୍କଠାରୁ କ୍ଵଚିତ୍ କୌଣସି ଦାନ ଆମେ ପାଉଥିଲୁ-

 

ସୌଭାଗ୍ୟବଶତଃ ଜଣେ ଇଂରେଜ ବନ୍ଧୁଙ୍କଠାରୁ ଆମେ ସାହାଯ୍ୟ ପାଇଲୁ । ବିଶ୍ୱଭାରତୀ ସହିତ ସଂପୃକ୍ତ ଗ୍ରାମସଙ୍ଗଠନ ବିଭାଗର ସୃଷ୍ଟି ଓ ପରିକଳ୍ପନାରେ ସେ ମୁଖ୍ୟ ଅଂଶ ଗ୍ରହଣ କଲେ । ଶାରୀରିକ ଓ ମାନସିକ ସମସ୍ତ ପ୍ରତିହାର ସାଧାରଣ ଉଦୀପନା ଆବଶ୍ୟକ କରୁଥିବା ମାନବିକ ବ୍ୟକ୍ତିତ୍ୱର ଆଙ୍ଗିକ ପୂର୍ଣ୍ଣତାର ଶିକ୍ଷା ସାଧନାରେ ସେ ମୋପରି ବିଶ୍ୱାସ କରନ୍ତି । ଏହି ଧାରଣା କାର୍ଯ୍ୟକାରୀ କରିବାକୁ ସ୍ୱାଧୀନତା ପାଇବା ଉଦ୍ଦେଶ୍ୟରେ, ଯେଉଁ ବାଳକମାନେ ପିତୃମାତୃ-ହୀନ ବା ଯେଉଁମାନଙ୍କୁ କୌଣସି ପ୍ରକାରର ସ୍କୁଲକୁ ପଠାଇବାକୁ ସେମାନଙ୍କ ବାପ ମା ନିହାତି ଦରିଦ୍ର, ସେପରି କେତେକ ବାଳକଙ୍କୁ ନେଇ ଆମେ କାର୍ଯ୍ୟ ଆରମ୍ଭ କଲୁ ।

 

ଅନତି ବିଳମ୍ବରେ ଆମେ ଲକ୍ଷ୍ୟକଲୁ ଯେ ଯେଉଁମାନଙ୍କର ମନ ସକ୍ରିୟ ଭାବରେ ଗଠନମୂଳକ କାର୍ଯ୍ୟରେ ନିୟୋଜିତ ଥିଲା, ଜ୍ଞାନ ଆହରଣ କରିବାକୁ ସେମାନଙ୍କର ଖୁବ୍ ଶୀଘ୍ର ଉତ୍ସାହ ଓ ବ୍ୟଗ୍ରତା ପ୍ରକାଶ ପାଇଲା । ଏପରିକି ଅଧିକା ପାଠ ପଢ଼ିବା ପାଇଁ ମଧ୍ୟ ସେମାନେ ବ୍ୟଗ୍ର ହୋଇ ଉଠିଲେ । ଏହି ବାଳକମାନଙ୍କ ମନ ଏପରି ତତ୍ପର ହୋଇ ପଡ଼ିଲା ଯେ ଗୋଟିଏ ଅତି ସରଳ କଥାରୁ ସେମାନେ ସଙ୍ଗେ ସଙ୍ଗେ ସେମାନଙ୍କ ପାଠ୍ୟକ୍ରମରେ ନ ଥିବା ଇଂରାଜୀ ଶିକ୍ଷାର ସୁବିଧା ବୁଝି ପାରିଲେ । ଦିନେ କେତେଗୁଡ଼ିଏ ଚିଠି ଡାକରେ ପକାଇବା ବେଳେ ଏ ଧାରଣା ସେମାନଙ୍କ ମନକୁ ଆସିଲା । ପୋଷ୍ଟମାଷ୍ଟର ଲଫାପାଗୁଡ଼ିକ ଉପରେ ବଙ୍ଗଳାରେ ଆଗରୁ ଲେଖାଥିବା ଠିକଣା ଇଂରାଜୀରେ ଲେଖିଲେ । ସଙ୍ଗେ ସଙ୍ଗେ ସେମାନେ ଶିକ୍ଷକଙ୍କ ନିକଟକୁ ଯାଇ ଏକ ଅତିରିକ୍ତ ଘଣ୍ଟାରେ ସେମାନଙ୍କୁ ଇଂରାଜୀ ପଢ଼ାଯାଉ ବୋଲି କହିଲେ । ଏହି ବାଳକମାନେ ସେମାନଙ୍କ ସତ୍ୱର ଅନୁରୋଧ ପାଇଁ କେବେହେଲେ ଦୁଃଖ କରି ନାହାନ୍ତି । ତଥାପି ଆଜି ପର୍ଯ୍ୟନ୍ତ ମୋର ମନେ ଅଛି ମୋ ନିଜର ଇଂରାଜୀ ଶିକ୍ଷକ ଯେତେବେଳେ ଆମ ଘରକୁ ଯାଉଥିବା ଗଳି ମୋଡ଼ରେ ଦେଖାଯାନ୍ତି, ସେତେବେଳେ ମୋର ପିଲା ମନ କି ଅପରାଧମୂଳକ ଚିନ୍ତାରେ ପୂରିଉଠେ-

 

ଏହି ବାଳକମାନଙ୍କ ପକ୍ଷରେ ଚୁଟିର କିଛି ଅର୍ଥ ନାହିଁ । ସେମାନଙ୍କ ପାଠ ପଢ଼ା ଶ୍ରମସାଧ୍ୟ ହେଲେ ମଧ୍ୟ ତାହା ସେମାନଙ୍କ ରୋଷେଇଶାଳ, ପରିବା ବଗିଚା, ଲୁଗାବୁଣା, ଛୋଟ ଛୋଟ ମରାମତି କାମ ଆକାରରେ ଛୁଟିଦିନିଆ ଭାବ ସହିତ ଜଡିତ ଥିବାରୁ କଷ୍ଟକର କାର୍ଯ୍ୟ ହୁଏ ନାହିଁ । ଏହାର କାରଣ ସେମାନଙ୍କ କ୍ଲାସ କାମ ତାଙ୍କର ସ୍ୱାଭାବିକ କାର୍ଯ୍ୟଠାରୁ ପୃଥକ ନୁହେ । ଏହା ସେମାନଙ୍କ ଦୈନନ୍ଦିନ ଜୀବନ ସ୍ରୋତର ଏକ ଅଂଶ । ଅଗ୍ରାଭିମୁଖୀ ପ୍ରବାହରେ ଏହା ନିଜକୁ ସହଜରେ ବହିନିଏ ।

 

ଆମର ଅଧିକାଂଶ ବାଳକ ପ୍ରଥମେ ଆସିବା ସମୟରେ ଦେହ ଓ ମନରେ ଦୁର୍ବଳ ଥିଲେ । ମେଲେରିଆ ଓ ଅନ୍ୟ ଗ୍ରୀଷ୍ମ ମଣ୍ଡଳୀୟ ରୋଗର ଧ୍ବଂସକ୍ରିୟା ସେମାନଙ୍କର ଉତ୍ତରାଧିକାର-। ସେମାନେ ସଙ୍ଗରେ ଆଣିଥିଲେ ଦୁଃସହ ମାନସିକ ବିକାର । ବ୍ରାହ୍ମଣ ଥିଲା ଉଦ୍ଧତ ଓ ଅ-ବ୍ରାହ୍ମଣ ସଂକୋଚ ଓ ଆତ୍ମ ଅବମାନନାରେ ଦାୟର ପାତ୍ର । କାଳେ ନିଜ ଛଡ଼ା ଅନ୍ୟ କେହି ତିଳେ ସୁବିଧା ପାଇଯିବ, ସେଥିପାଇଁ କୌଣସି ସାଧାରଣ ହିତକର କାର୍ଯ୍ୟ କରିବାକୁ ସେମାନଙ୍କର ଘୃଣା । ଯେଉଁ କାମ ଦରମାଦିଆ ଚାକର କରିବା ଉଚିତ ବୋଲି ସେମାନେ ଭାବୁଥିଲେ ସେପରି କାମ ନିଜର ଉପକାର ପାଇଁ ସେମାନଙ୍କୁ କରିବାକୁ କୁହାଗଲେ ସେମାନେ ମୁହଁ ଭାରି କରୁଥିଲେ । ସେମାନେ ଅନ୍ୟର ଦାନ ଉପରେ ଚଳିବାକୁ ପରାଉନ୍ମୁଖ ନ ଥିଲେ, କିନ୍ତୁ ଆତ୍ମ ସାହାଯ୍ୟ ଦ୍ୱାରା ଚଳିବାକୁ ଲଜ୍ଜାବୋଧ କରୁଥିଲେ । ଏହି ନୀଚତା ଓ ନୈତିକ ନିଶ୍ଚେଷ୍ଟତା ସେମାନଙ୍କ ସ୍ଵଭାବଗତ ବୋଲି ମନେ କରାଯାଇଥାନ୍ତା, କିନ୍ତୁ ଅତି ଅଳ୍ପସମୟ ମଧ୍ୟରେ ସେ ସମସ୍ତ ପରିବର୍ତ୍ତିତ ହୋଇଗଲା-। ଯେଉଁ ତ୍ୟାଗ ଓ ବନ୍ଧୁତ୍ୱର ଭାବ ଏହି ବାଳକମାନଙ୍କଠାରେ ବିକଶିତ ହୋଇଛି ତାହା ଉତ୍ତମ ସୁଯୋଗ ପ୍ରାପ୍ତ ପିଲାମାନଙ୍କଠାରେ ମଧ୍ୟ ବିରଳ । ସକ୍ରିୟ ସ୍ୱଚ୍ଛ ଜୀବନ ଯୋଗୁହିଁ ସେମାନଙ୍କ ଭିତରେ ଯାହା କିଛି ଭଲ ଥିଲା, ସେ ସମସ୍ତ ପ୍ରକାଶ ପାଇଲା ଓ ଜମି ରହିଥିବା ମଇଳା ଆବର୍ଜନା ସଫା ହୋଇଗଲା । ସେମାନେ କରୁଥିବା ଦୈନନ୍ଦିନ କାର୍ଯ୍ୟରୁ ଏପରି କେତେକ ସମସ୍ୟାର ଉଦ୍ଭବ ହେଲା, ଯାହାର କି ଆବଶ୍ୟକ ପଡ଼ିଲା ଗୋଟାଏ ସମାଧାନ । ଘଟଣାବଳିର ଯୁକ୍ତି ସେମାନଙ୍କୁ ଦେଖାଇ ଦେଲା ଜୀବନର ନୈତିକ ତତ୍ତ୍ୱର ବାସ୍ତବତା । ବର୍ତ୍ତମାନ ଅନ୍ୟ ପିଲାମାନେ ଏପରି ତତ୍ତ୍ୱ ହୃଦୟଙ୍ଗମ ନ କରି ପାରିଲେ ସେମାନେ ଆଶ୍ଚର୍ଯ୍ୟାନ୍ୱିତ ହୁଅନ୍ତି । ରୋଷେଇ, ଲୁଗାବୁଣା, ବଗିଚା କାମ ଓ ନିଜ ଚତୁଃପାର୍ଶ୍ୱରେ ଉନ୍ନତି ବିଧାନ କରିବାରେ ଏବଂ କାଳେ ବିବ୍ରତ ହେବାକୁ ପଡ଼ିବ ସେଥିପାଇଁ ଅଧିକାଂଶ ସମୟରେ ଗୋପନରେ ମଧ୍ୟ ପିଲାଙ୍କ ସେବା କରିବାରେ ସେମାନେ ଖୁବ୍ ଆନନ୍ଦ ପାଆନ୍ତି । ମେସ୍‍ରେ ରହୁଥିବା ପିଲାମାନେ ସାଧାରଣତଃ ସେମାନଙ୍କୁ ଯେତିକି ଯୋଗାଇ ଦିଆଯାଏ ତା'ଠାରୁ ଅଧିକ ପାଇବାକୁ ଗୋଳମାଳ କରିଥାନ୍ତି, କିନ୍ତୁ ଏହି ବାଳକମାନେ ଇଚ୍ଛାକ୍ରମେ ସେମାନଙ୍କ ଆବଶ୍ୟକତାକୁ ସରଳ କରନ୍ତି । ସେମାନଙ୍କର ଦାୟିତ୍ୱବୋଧ ବଢ଼ିଛି । ଅଭାବରେ ଅସନ୍ତୋଷ ପ୍ରକାଶ କରିବା ପରିବର୍ତ୍ତେ ସେମାନେ ନିଜେ ନିଜ ପାଇଁ ଚିନ୍ତା କରନ୍ତି ଓ ଚଳେଇ ନିଅନ୍ତି । ସେମାନଙ୍କ ଭୋଜନ ବ୍ୟବସ୍ଥାରେ ଉନ୍ନତି କରିବାକୁ ସେମାନଙ୍କୁ ସେମାନଙ୍କ ପରିବାକିଆରି ଗୁଡ଼ିକର ଯେ ଉତ୍କର୍ଷ ସାଧନ କରିବାକୁ ହେବ, ତାହା ସେମାନେ ଅନୁଭବ କରନ୍ତି । ସେମାନେ ସାମାନ୍ୟ ଫଳ ପାଇଲେ ମଧ୍ୟ ଏଗୁଡ଼ିକର ଏପରି ମୂଲ୍ୟ ଅଛି ଯାହାକି ବଜାର ଦାମ୍‍ରେ ନିରୂପଣ କରାଯାଇ ପାରିବ ନାହିଁ ।

 

ମୋର ବର୍ଣ୍ଣନାକୁ ଟିକିଏ ଶିଳ୍ପକଳାର ସ୍ପର୍ଶ ଦେବାକୁ ଇଚ୍ଛାକରି ମୁଁ ଭାବୁଛି, ଆମ ଯୋଜନା ଭାଙ୍ଗିପଡ଼ିବା ବିଷୟରେ, ଆମ ଆୟୋଜନର ସୌଷ୍ଠବ ନଷ୍ଟ କରିବାକୁ ଚେଷ୍ଟା କରୁଥିବା କୌଣସି ଅପ୍ରତ୍ୟାଶିତ ଅନୁପଯୁକ୍ତ ଉପାଦାନ ବିଷୟରେ ମୁଁ କିଛି କହିପାରନ୍ତି କି । ଯାହାହେଉ ମୋତେ ସ୍ୱୀକାର କରିବାକୁ ହେବ ଯେ ଏ ପର୍ଯ୍ୟନ୍ତ ତାହା ଘଟି ନାହିଁ । ଆମର ବାୟୁମଣ୍ଡଳରେ ଏହି ମାନ୍ଦା ଶାନ୍ତ ଅବସ୍ଥା ପାଇଁ, ଯେଉଁ ଅଧିକା କର୍ମଶକ୍ତି ପ୍ରାୟ ବିପର୍ଯ୍ୟୟର କାରଣ ହୁଏ ତାର ଅଭାବ ପାଇଁ ସମ୍ଭବତଃ ଆମର ଗ୍ରୀଷ୍ମମଣ୍ଡଳୀୟ ଜଳବାୟୁ ଦାୟୀ । ହୋଇପାରେ ଆମର ଏହି ପରୀକ୍ଷା ନିରୀହ ବାଳକମାନଙ୍କ ପାଇଁ ଗୋଟିଏ ଆଦର୍ଶ ସ୍ୱର୍ଗ ହେବାକୁ ଯାଉନାହିଁ । ମୁଁ ନିଶ୍ଚିତ ଯେ ଆମର ମତବାଦ ଓ ଆମ ଆଦର୍ଶରେ ଆମର ବିଶ୍ୱାସକୁ ପରୀକ୍ଷା କରିବାକୁ ଅବିଳମ୍ବେ କେତେକ ଅକଳନୀୟ ସମସ୍ୟାର ଉଦ୍ଭବ ହେବ ।

 

ଏଥିମଧ୍ୟରେ ଜୀବନର ଆବଶ୍ୟକତା ସହିତ ମନ ଓ ଶରୀରର ସମୀକରଣରେ ଏ ଧରଣର ଦୈନିକ ଅଭ୍ୟାସ ଏହି ବାଳକମାନଙ୍କୁ ବୁଦ୍ଧିବୃତ୍ତିରେ ତତ୍ପର କରିଛି ବୋଲି ଉପଲବ୍ଧି କରି ଏହି ପଦ୍ଧତିକୁ ଆମ ସ୍କୁଲର ପ୍ରାଥମିକ ବିଭାଗ ପର୍ଯ୍ୟନ୍ତ ପ୍ରସାର କରିବାକୁ ଆମେ ସାହସୀ ହୋଇଛୁ-। ଶିକ୍ଷା ଦେବାକୁ ଶିକ୍ଷା କରିବା ବୋଲି ବିଶ୍ୱାସ କରୁଥିବା ଜଣେ ଆଦର୍ଶ ଶିକ୍ଷକଙ୍କ ଅଧୀନରେ ସେହି ବିଭାଗର ପିଲାମାନେ, ଏଇ ମାତ୍ର ସେମାନଙ୍କର ପ୍ରଥମ କୁଟୀର ନିର୍ମାଣ ଶେଷ କରିଛନ୍ତି, ଯାହା ପାଇଁ କି ସେମାନେ ଅଯୌକ୍ତିକ ଭାବରେ ଗର୍ବ ଅନୁଭବ କରନ୍ତି । ଆପାତତଃ ସେମାନେ ଭାବିବାକୁ ଲାଗିଲେଣି ଯେ ଶିକ୍ଷା ଜୀବନର ସାହସିକ କାର୍ଯ୍ୟର ଏକ ସ୍ଥାୟୀ ଅଂଶ, ଏହା ସେମାନଙ୍କର ସହଜାତ ଅଜ୍ଞାନତା ବ୍ୟାଧିରୁ ସେମାନଙ୍କୁ ଆରୋଗ୍ୟ କରିବାକୁ ଯନ୍ତ୍ରଣାଦାୟକ ହାସପିଟାଲ ଚିକିତ୍ସା ପରି ନୁହେ । ଏହା ସ୍ୱାସ୍ଥ୍ୟର ଧର୍ମ, ସେମାନଙ୍କ ମାନସିକ ଜୀବନୀଶକ୍ତିର ସ୍ୱାଭାବିକ ପ୍ରକାଶ । ଏହିରୂପେ ଆମ ସଂଗଠନର ଏକ କ୍ଷୁଦ୍ର କୋଣରେ ଜୀବନର ପ୍ରଥମ ପଲ୍ଲଵ ଉଙ୍କି ମାରିବା ଲକ୍ଷ୍ୟ କରିବାର ସୌଭାଗ୍ୟ ମୁଁ ଏହି ମାତ୍ର ଲାଭ କରିଛି । ମୋର ଧାରଣା ହେଉଛି କୌଣସି ଏକ ପାଣ୍ଡିତ୍ୟବୋଧକ ନାମର ସ୍ୱତନ୍ତ୍ର ଟିକଟ୍ ନ ଲଗାଇ ଏହି ଲତାଟିକୁ ବଢ଼ିବାକୁ ଦେବା; ଯେଉଁ ନିର୍ଜୀଵ ଦଣ୍ଡ ପ୍ରାକୃତିକ ଫୁଲ ବା ଫଳ ଧରେ ନାହିଁ, କିନ୍ତୁ ପରୀକ୍ଷା କୃତକାର୍ଯ୍ୟତାର ଚର୍ମ କାଗଜ ନିର୍ମିତ ପତାକା ଉଡ଼ାଉଥାଏ, ତାକୁ ପୁରାପୁରି ଲୁଚେଇ ଦେବା ପର୍ଯ୍ୟନ୍ତ ଏହାକୁ ବଢ଼ିବାକୁ ଦେବା ।

 

ବନ୍ଦ କରିବା ପୂର୍ବରୁ ଆମ ଶିକ୍ଷା କାର୍ଯ୍ୟକ୍ରମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏକ ବିଷୟରେ ଅଧିକ କିଛି କହିବି ।

 

ପିଲାମାନଙ୍କର ସକ୍ରିୟ ଅବଚେତନ ମନ ରହିଛି, ଯାହାର କି ବୃକ୍ଷ ପରି ପାରିପାର୍ଶ୍ଵିକ ବାୟୁମଣ୍ଡଳରୁ ଖାଦ୍ୟ ଗ୍ରହଣ କରିବାର ଶକ୍ତି ଅଛି । ବାୟୁମଣ୍ଡଳ ସେମାନଙ୍କ ପକ୍ଷରେ ନିୟମ ଓ ପଦ୍ଧତି, ଉପକରଣ, ପାଠ୍ୟପୁସ୍ତକ ଓ ପାଠ ଅପେକ୍ଷା ଖୁବ୍ ଗୁରୁତ୍ୱପୂର୍ଣ୍ଣ । ପୃଥିବୀ ତାର ମାଟି ଓ ପାଣିରୁ ତାର ଉପାଦାନ ପାଇଛି, କିନ୍ତୁ ଆଳଙ୍କାରିକ ଭାଷାରେ କହିଲେ ସେ ତାର ବାୟୁମଣ୍ଡଳରୁ ତାର ଉଦ୍ଦୀପନା ପାଏ । ତାହା ତା'ଠାରୁ ପ୍ରତିକ୍ରିୟା ପ୍ରକାଶ କରାଏ ରଙ୍ଗ ଓ ସୁଗନ୍ଧିରେ, ସଙ୍ଗୀତ ଓ ଗତିରେ । ମନୁଷ୍ୟ ସମାଜରେ ମଧ୍ୟ ତାର ଚତୁଃପାର୍ଶ୍ୱରେ ରହିଛି ସଂସ୍କୃତିର ପରିବ୍ୟାପ୍ତ ବାୟୁମଣ୍ଡଳ-। ତାର ଜାତିଗତ ଉତ୍ତରାଧିକାର ପ୍ରତି, ପରମ୍ପରାଗତ ପ୍ରଭାବଗୁଡ଼ିକର ସ୍ରୋତ ପ୍ରତି ତାର ମନକୁ ଏହା ସମ୍ବେଦନଶୀଳ କରି ରଖେ । ଯୁଗ ଯୁଗର ଘନୀଭୂତ ପ୍ରଜ୍ଞା ଅଜ୍ଞାତସାରରେ ଗ୍ରହଣ କରିବା ପାଇଁ ଏହା ତାକୁ ସମର୍ଥ କରାଏ ।, କିନ୍ତୁ ଆମର ଶିକ୍ଷାନୁଷ୍ଠାନମାନଙ୍କରେ ଆମେ ଖଣିର ଶ୍ରମିକ ପରି କାମ କରୁ ଓ କେବଳ ବସ୍ତୁ ପାଇଁ ଖନନ କରୁ; କିନ୍ତୁ ପ୍ରକୃତି ସହିତ ପୂର୍ଣ୍ଣ ସହଯୋଗ ରଖିଥିବା ମାଟିର କୃଷକ ପରି ଆମେ କାର୍ଯ୍ୟ କରୁ ନା ।

 

ମୁଁ ମୋର ସ୍କୁଲରେ ଗୋଟାଏ ବାୟୁମଣ୍ଡଳ ସୃଷ୍ଟି କରିବାକୁ ଚେଷ୍ଟା କରିଥିଲି ତାହା ମୋର ପ୍ରଧାନ କାର୍ଯ୍ୟ । ଆମର ମନକୁ ତାର ସ୍ୱାଧୀନତା ଦେବା, କଲା ଜଗତ ପାଇଁ ଆମର ସହାନୁଭୁତିକୁ ଆଲୋକିତ କରିବା ଉଦ୍ଦେଶ୍ୟରେ ଶିକ୍ଷାନୁଷ୍ଠାନମାନଙ୍କରେ ଆମର ବୁଦ୍ଧିବୃତ୍ତିକୁ ପୁଷ୍ଟ କରିବାକୁ ହେବ । ଶେଷୋକ୍ତ ଉଦ୍ଦେଶ୍ୟଟି ବିଦେଶର ଭୂଗୋଳ ଶିକ୍ଷା କରିବାଠାରୁ ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ ।

 

ଆଜିକାଲି ପିଲାମାନଙ୍କ ମନକୁ ପ୍ରାୟ ଇଚ୍ଛାମୂଳକ ଭାବରେ ଭିନ୍ନ ଭାଷା ଓ ଆଚାରବ୍ୟବହାର ବିଶିଷ୍ଟ ଅନ୍ୟାନ୍ୟ ଲୋକଙ୍କୁ ବୁଝିବାକୁ ଅସମର୍ଥ କରି ଦିଆଯାଉଛି । ଫଳ ହେଉଛି ଯେ ପରେ ସେମାନେ ଅଜ୍ଞତାବଶତଃ ପରସ୍ପରକୁ ଆଘାତ କରୁଛନ୍ତି ଏବଂ ଏ ଯୁଗର ହୀନତମ ଅନ୍ଧଦଶା ଭୋଗୁଛନ୍ତି । ନିଜେ ଖ୍ରୀଷ୍ଟିଆନ ମିସନାରୀମାନେ ମଧ୍ୟ ବିଦେଶୀ ଜାତି ଓ ସଭ୍ୟତା ପ୍ରତି ଘୃଣାଭାବ ବୃଦ୍ଧି କରିବା ଦିଗରେ ସହାୟକ ହେଉଛନ୍ତି । ସମସ୍ତ ମାନବଜାତି ପାଇଁ ଭ୍ରାତୃତ୍ୱଭାବ ପ୍ରଚାର କରୁଥିବା ସମୟରେ ସାଂପ୍ରଦାୟିକ ଅହଙ୍କାରଦ୍ୱାରା ପରିଚାଳିତ ହୋଇ ସେମାନେ ଭାବପ୍ରବଣ କିଶୋର ମନକୁ କଳୁଷିତ କରିବା ପାଇଁ ସ୍କୁଲମାନଙ୍କରେ ପାଠ୍ୟପୁସ୍ତକ ସବୁ ପ୍ରଚଳନ କରୁଛନ୍ତି, ଆମର ପିଲାମାନଙ୍କୁ ଏ ଧରଣର ବିପଥଗାମିତାରୁ ରକ୍ଷା କରିବା ସକାଶେ ମୁଁ ଯତ୍ନ କରିଛି ଏବଂ ଏ କ୍ଷେତ୍ରରେ ମୋର ପାଶ୍ଚାତ୍ୟ ବନ୍ଧୁମାନଙ୍କର ସହୃଦୟ ସହଯୋଗିତା ନିକଟରେ ମୁଁ ଗଭୀର ଭାବେ ଋଣୀ ।

 

-୧୯୨୬

 

"ଦେବାଳୟକୁ ଅବହେଳା କରି ଶିଶୁଗଣ ଧୂଳିଖେଳକୁ ହିଁ ସୁଖ ପାଆନ୍ତି ଏବଂ ସେଇ ଶିଶୁ ଖେଳରେ ଈଶ୍ୱର ପୁରୋହିତକୁ ମଧ୍ୟ ଭୁଲି ଯାଆନ୍ତି ।"

 

-ରବୀନ୍ଦ୍ରନାଥ

Image

 

ପଲ୍ଲୀ ଓ ସହର

 

ମଧୁମକ୍ଷିକା ପ୍ରଥମେ ଯେତେବେଳେ ମଧୁକୋଷ ନିର୍ମାଣ କଲା, ସେତେବେଳେ ତା'ର ପ୍ରଧାନ ଲକ୍ଷ୍ୟ ଥିଲା, ଖାଦ୍ୟ କିନ୍ତୁ ଯେତେବେଳେ ବିଭିନ୍ନ ଫୁଲର ମଧୁ ସଂଗ୍ରହ କରିବାକୁ ମହୁମାଛିସବୁ ଏକତ୍ରିତ ହେଲେ ଏବଂ ଅସମୟ ପାଇଁ ତାହା ସଞ୍ଚୟ କଲେ, ସେତେବେଳେ ସେମାନେ ମଧୁକୋଷ ମଧ୍ୟରେ ତାଙ୍କର ସଂପ୍ରଦାୟ ସୃଷ୍ଟି କଲେ । ତାହା କେବଳ ସେମାନଙ୍କର କେତେଗୁଡ଼ିଏ ସଂଖ୍ୟାରେ ଗାଣିତିକ ବିଭାଗ ମାତ୍ର ନ ଥିଲା, ପରନ୍ତୁ ପାରସ୍ପରିକ ସେବାରେ ନୈତିକ ଦିଗ ମଧ୍ୟ, ତା'ମଧ୍ୟରେ ପରିସ୍ଫୁଟ ହେଲା । ଏହିପରି ଭାବରେ ଯାହା ବହୁର ଆନନ୍ଦ ଉପଭୋଗ ସକାଶେ ଆରମ୍ଭ ହୋଇଥାଏ, ତାହାର ପରିସମାପ୍ତି ବାହୁର ତ୍ୟାଗ ମଧ୍ୟରେ ପର୍ଯ୍ୟବସିତ ହୁଏ । ସମସ୍ତଙ୍କ ପାଇଁ ଉଦ୍ଧିଷ୍ଟ କାର୍ଯ୍ୟ ବ୍ୟକ୍ତିଗତ କାର୍ଯ୍ୟରେ ମଧ୍ୟ ପରିଣତ ହୋଇଥାଏ-। ବ୍ୟକ୍ତିଗତ ଜୀବନ ସଂପ୍ରଦାୟର ଜୀବନ ମଧ୍ୟରେ ବିକାଶର ବିସ୍ତୃତ ପରିବେଶ ଲାଭ କରେ । ଏହିପରି ଭାବରେ ଜଣେ ବର୍ତ୍ତମାନକୁ ଅତିକ୍ରମ କରି ଆଗମୀକୁ ଅନୁଭବ କରିବାକୁ ସମର୍ଥ ହୋଇଥାଏ । ଏପରି କି ଜଣକର ଉଦ୍ୟମ ଜୀବଦଶାରେ ଫଳପ୍ରସୂ ନ ହେଲେ ମଧ୍ୟ ଏଥିରେ ନଷ୍ଟ ହୋଇ ନ ଥାଏ । ସଂପ୍ରଦାୟ ମିଳନର ଏକ ସାଧାରଣ ଭୂମିରେ ପରିଣତ ହୁଏ ଏବଂ ସେଠାରେ ବ୍ୟକ୍ତିର ସମ୍ପର୍କ ଅନ୍ୟମାନଙ୍କ ସହିତ ଓ ବର୍ତ୍ତମାନର ସମ୍ପର୍କ ଭବିଷ୍ୟତ ସହିତ ସ୍ଥାପିତ ହୋଇଥାଏ । ଖାଦ୍ୟ ପ୍ରଚ୍ୟୁର ହେବା ଫଳରେ ତା'ର ବସ୍ତୁ ବିଭବକୁ ଅତିକ୍ରମ କରି ଏକ ଆଧ୍ୟାତ୍ମିକ ମୂଲ୍ୟ ପ୍ରକାଶ କରିବା ସଙ୍ଗେ ସଙ୍ଗେ ବ୍ରହ୍ମର ଅସୀମତାକୁ ପ୍ରକଟିତ କରେ ।

 

ଆଦିମ ଯୁଗର ମନୁଷ୍ୟ ଏକାକୀ ବିଚରଣ କରୁଥିଲା ଏବଂ ପ୍ରତ୍ୟେକ ମନୁଷ୍ୟ ଜୀବନଯାତ୍ରା କରିବା ଉଦ୍ଦେଶ୍ୟରେ ସଂଗ୍ରାମ କରୁଥିଲା । ସେମାନଙ୍କର ସ୍ଵଭାଵ ଥିଲା ଭୀଷଣ, ଅଭ୍ୟାସ ଥିଲା ଲୁଣ୍ଠନଧର୍ମୀ ଓ ଆଚରଣ ଥିଲା ଅସାମାଜିକ । ନଦୀ କୂଳରେ ଖାଦ୍ୟ ଯେତେବେଳେ ପ୍ରଚୁର ପରିମାଣରେ ଉତ୍ପନ୍ନ ହେଲା, ସେତେବେଳେ ସମାଜ ଗଠିତ ହେବା ସଙ୍ଗେ ସଙ୍ଗେ ସଭ୍ୟତା ଜନ୍ମଲାଭ କଲା । ନଦୀର ଉର୍ବର ମୃତ୍ତିକା କର୍ଷଣ କରି ମନୁଷ୍ୟ ବର୍ଷ ବର୍ଷ ଧରି ପ୍ରଚୁର ଶସ୍ୟ ଉତ୍ପାଦନ କଲା । ସେ ଅନୁଭବ କଲା ଯେ ପାରସ୍ପରିକ ସାହାଯ୍ୟ ଦ୍ୱାରା ମନୁଷ୍ୟ ଯେପରି ଲାଭବାନ ହୁଏ, ପରସ୍ପରକୁ ବଞ୍ଚିତ କରିବାର ଉଦ୍ୟମ ଦ୍ଵାରା ସେହି ଲାଭ ମିଳି ନ ଥାଏ ।

 

ଖାଦ୍ୟ ସମସ୍ୟାର ସମାଧାନ ପରେ ମନୁଷ୍ୟ ପ୍ରକୃତିର ଅନ୍ତର୍ନିହିତ ସାମାଜିକ ପ୍ରବୃତ୍ତି ଅନୁପ୍ରାଣିତ ହେଲା । ବସୁଧାମାତାର ନିୟନ୍ତ୍ରଣରେ ମନୁଷ୍ୟ ଯେତେବେଳେ ଏକତ୍ରିତ ହୋଇ ଭୋଜ୍ୟ ସାମଗ୍ରୀ ଗ୍ରହଣ କରିବାକୁ ଉପବେଶନ କଲା, ସେତେବେଳେ ସେମାନଙ୍କର ବିଚ୍ଛିନ୍ନ ଜୀବନ ସାଧାରଣ ଖାଦ୍ୟ ଗ୍ରହଣ ମଧ୍ୟରେ ଭ୍ରାତୃତ୍ଵର ବିକାଶ ପାଇଁ ଗୋଟିଏ ମୂଳଭିତ୍ତି ସ୍ଥାପନ କଲା-। ସମ୍ମେଳନ ଦ୍ଵାରା କେବଳ ଯେ ଉପକାରିତା ଅଛି ତା' ନୁହେଁ, ତୃପ୍ତି ଓ ଆନନ୍ଦ ମଧ୍ୟ ରହିଛି । ଏହି ଅନୁଭୂତି ମନୁଷ୍ୟ କ୍ରମେ କ୍ରମେ ଲାଭ କଲା । ଏହାପାଇଁ ବ୍ୟକ୍ତି ବିଶେଷ ଯନ୍ତ୍ରଣା ଓ ମୃତ୍ୟୁବରଣ କରିବାକୁ ପ୍ରସ୍ତୁତ ହେଲା । ବସୁମତୀ ଆମକୁ ଏପରି ଭାବରେ ଖାଦ୍ୟ ଦାନ କରିଥାଏ, ଯାହା ଫଳରେ ଆମର ଚକ୍ଷୁ ଉଲ୍ଲସିତ ହେବା ସଙ୍ଗେ ସଙ୍ଗେ ମନ ମଧ୍ୟ ନିରତିଶୟ ଆନନ୍ଦ ଅନୁଭବ କରେ-

 

ଆକାଶବ୍ୟାପୀ ସ୍ୱର୍ଣ୍ଣାଭ ସୌରକିରଣ ଦିଗନ୍ତପ୍ରସାରୀ ସ୍ଵର୍ଣ୍ଣଶସ୍ୟ ମଧ୍ୟରେ ପ୍ରତିଫଳିତ ହୋଇଥାଏ । ଏହି ମନୋଜ୍ଞ ଦୃଶ୍ୟର ଚମତ୍କାରିତାରେ ମନୁଷ୍ୟ କେବଳ ତା'ର ଖାଦ୍ୟ ଚିନ୍ତା ଯେ କରେ, ତାହା ନୁହେ, ଉତ୍ସଵ ଆନନ୍ଦର ପରିକଳ୍ପନା ମଧ୍ୟ ସେ କରିଥାଏ, ଧରିତ୍ରୀର ଗନ୍ତାଘରରେ ଆମର କ୍ଷୁଧା ବ୍ୟବସ୍ଥା ସହିତ ଆନନ୍ଦାମୃତର ବ୍ୟବସ୍ଥା ମଧ୍ୟ ରହିଛି । ଐଶ୍ଚର୍ଯ୍ୟର ଅଧିଷ୍ଠାତ୍ରୀ ଦେବୀ ଲକ୍ଷ୍ମୀ ଏକାଧାରରେ ସୁନ୍ଦରୀ ଓ କଲ୍ୟାଣୀ । କେବଳ ପୁଷ୍ଟିକର ଖାଦ୍ୟ ବୋଲି ଯେ ଫଳ ପ୍ରତି ଆମେ ଲାଳସୀ ହୋଇଥାଉଁ, ତାହା ନୁହେ ଆମେ ତା'ର ରୂପ ମାଧୂର୍ଯ୍ୟ ଓ ସୌରଭ ଦ୍ଵାରା ମଧ୍ୟ ଆକୃଷ୍ଟ ହେଉ । ତେଣୁ ଯେଉଁ ଖାଦ୍ୟ ଏକାକୀ ଆମେ ଗ୍ରହଣ କରୁ, ତାହା ପୁଷ୍ଟିକର ହୋଇ ପାରେ, କିନ୍ତୁ ଯେଉଁ ଖାଦ୍ୟ ଆମେ ବନ୍ଧୁ ମେଳରେ ଖାଉଁ ସେଥିରେ ପୁଷ୍ଟିକାରକ ଶକ୍ତି ସହିତ ସ୍ନେହାର୍ଦ୍ର ସମତାବୋଧ ମଧ୍ୟ ରହିଅଛି । ହାର୍ଦ୍ଦିକ ମିଳନର ଏହି ଭୋଜୀରେ ବାସନକୁସନଗୁଡ଼ିକ ସଫାସୁତରା ହେବା ସଙ୍ଗେ ପରିବେଷଣ ଶୃଙ୍ଖଳିତ ଓ ଖାଦ୍ୟସାମଗ୍ରୀ ରୁଚିକର ହୋଇଥାଏ ।

 

ଯେଉଁ ଆତିଥେୟତା ଉପରେ ସମାଜ ପ୍ରତିଷ୍ଠିତ, ମନୁଷ୍ୟର ସେହି ଆତିଥ୍ୟ ଭାବକୁ ଅଭାବ ନଷ୍ଟ କରି ଦେଇଥାଏ । ସେଥିପାଇଁ ପୃଥିବୀର ଖାଦ୍ୟଭଣ୍ଡାର ଭିତ୍ତି ଉପରେ ହିଁ ଗ୍ରାମଗୁଡ଼ିକ ବିକାଶଲାଭ କରିଥିଲା । ମନୁଷ୍ୟ ନିଜର ପୁନର୍ମିଳନ ମାଧ୍ୟମରେ ତା'ପ୍ରାଣର ଅମରସତ୍ତାକୁ ଅଭିବ୍ୟକ୍ତ କରିବାକୁ ସମର୍ଥ ହେଲା । ତା'ର ନୈତିକତା, ସାହିତ୍ୟ, ସଙ୍ଗୀତ, କଳା ଓ ବିଭିନ୍ନ ପର୍ବପର୍ବାଣି ମାଧ୍ୟମରେ ମନୁଷ୍ୟର ଅମର ରୂପ ପ୍ରକଟିତ ହେଲା । ଏହି ଗୁଡ଼ିକର ଜରିଆରେ ସେ ନିଜର ପ୍ରାଣର ଗଭୀରତା ପ୍ରତି ସଚେତନ ହେବାକୁ ଆରମ୍ଭ କଲା । ଏବଂ ତା'ର ନିଜର ପରିପୂର୍ଣ୍ଣତାର ଆଦର୍ଶ ତା'ନିକଟରେ ମୂର୍ତ୍ତିମନ୍ତ ହୋଇଉଠିଲା । ଗ୍ରାମଗୁଡ଼ିକର ବୃଦ୍ଧି ସଙ୍ଗେ ସଙ୍ଗେ ସହରଗୁଡ଼ିକ ମଧ୍ୟ ବିକାଶଲାଭ କଲା । ସହରରେ ସରକାରଙ୍କର ସବୁ ଶକ୍ତି କେନ୍ଦ୍ରୀଭୂତ ହେଲା । ସେଠାରେ ସେନାବାହିନୀ ପାଇଁ ଦୁର୍ଗ, ବ୍ୟବସାୟୀମାନଙ୍କ ପାଇଁ ବାଣିଜ୍ୟାଳୟ, ଜ୍ଞାନ ସାଧନା ପାଇଁ ଶିକ୍ଷକ, ଛାତ୍ରଙ୍କ ସକାଶେ କଲେଜ ଏବଂ ବହିର୍ଜଗତ ସହିତ ବାଣିଜ୍ୟ ଯୋଗାଯୋଗ ପାଇଁ କେନ୍ଦ୍ରସ୍ଥଳୀମାନ ପ୍ରତିଷ୍ଠିତ ହେଲା ।

 

ସେଠାରେ କଠିଣ ଶିଳା ମଧ୍ୟରେ ମନୁଷ୍ୟର ଆତ୍ମା ଆବଦ୍ଧ ଜୀବନଯାତ୍ରା କଠୋର ଓ ଶକ୍ତି, ଶକ୍ତି ମଧ୍ୟରେ ପ୍ରତିଯୋଗିତା ବିଦ୍ୟମାନ । ସେଠାରେ ବ୍ୟକ୍ତି ଅନ୍ୟମାନଙ୍କର ବ୍ୟୟରେ ବଞ୍ଚିବାକୁ ଯତ୍ନଶୀଳ, ଏହିସବୁ ଯଦି ଚରମ ସୀମାରେ ନ ପହଞ୍ଚେ, ତେବେ ତାର ମୂଲ୍ୟ ରହିଛି । ଯଦି ଅଧିକ ପରିମାଣରେ ବ୍ୟକ୍ତି ସ୍ଵାତନ୍ତ୍ର୍ୟକୁ ଦମନ କରାଯାଏ, ତାହାହେଲେ ମନୁଷ୍ୟ ପୂର୍ଣ୍ଣାବୟବ ହୋଇ ପାରେ ନା । ବଣର ଗୋଟିଏ ଛୋଟ ପୁଆଗଛ ଯତ୍ନ ଯଦି ପ୍ରଚୁର ଗୁଳ୍ମାଦି ଦ୍ୱାରା ଶ୍ୱାସରୁଦ୍ଧ ହୋଇଯାଏ, ତେବେ ତା'ର ବୃଦ୍ଧି ବାଧାପ୍ରାପ୍ତ ହୁଏ । ଅନ୍ୟପକ୍ଷରେ ବ୍ୟକ୍ତିର ଉଚ୍ଚାଭିଳାଷର ଆଗ୍ନେୟସ୍ପର୍ଶ ଜନତାର ସାଧନାସ୍ଥରକୁ ଉନ୍ନୀତ କରିଥାଏ । କୃତୀରମାନ ମଧ୍ୟ ଉନ୍ନୀତ ହୁଏ । ପ୍ରତିଯୋଗିତା ଫଳରେ ଶକ୍ତିର ଅଭିବୃଦ୍ଧି ଘଟେ । ଜ୍ଞାନ ଓ କର୍ମକ୍ଷେତ୍ରରେ ଚୀରନୂତନ ସୃଷ୍ଟି ପରିଲକ୍ଷିତ ହୁଏ । ବିଭିନ୍ନ ଦେଶ ଓ ଜାତିର ସଂସ୍କୃତିର ସମାଗମ ଫଳରେ ଜ୍ଞାନର ପରିସର ମଧ୍ୟ ବିସ୍ତୃତି ଲାଭ କରିଥାଏ । ତେଣୁ ସହରରେ ସମାଜର ଚାପ କୋହଳ ହେବା ଫଳରେ ଗଣ ମାନସର ସାଧାରଣ ଅନୁନ୍ନତ ମାନସିକାତାଠାରୁ ଉପରକୁ ଉଠିବା ପାଇଁ ବ୍ୟକ୍ତି-ମାନସ ସୁଯୋଗ ଲାଭ କରେ । ଗାଉଁଲି କଥାଟି ପ୍ରତ୍ୟକ ସ୍ଥାନରେ ମାନସିକ ସଂକୀର୍ଣ୍ଣତାର ଏକ ପ୍ରତିଶବ୍ଦ ।

 

ସ୍ୱାଭାବିକ ଅବସ୍ଥାରେ ଅର୍ଥାତ୍‍ ସମାଜ କୌଣସି ଗୋଟିଏ ଦିଗକୁ ଅଧିକ ପରିମାଣରେ ଢଳି ନ ଥିବାବେଳେ ପଲ୍ଲୀ ଓ ସହର ମଧ୍ୟରେ ପାରସ୍ପରିକ ମିଳନ ସଂଘଟିତ ହୋଇଥାଏ । ଗୋଟିକରୁ ଆସେ ଖାଦ୍ୟ, ସହାନୁଭୂତି ଏବଂ ଅପରଟିରୁ ପ୍ରତିଦାନ ଆକାରରେ ଆସେ ଐଶ୍ଵର୍ଯ୍ୟ, ଜ୍ଞାନ ଓ ଶକ୍ତି । ଯେଉଁ ସଭ୍ୟତା ମୁଖ୍ୟତଃ ଗ୍ରାମ୍ୟଜୀବନ ଉପରେ ପ୍ରତିଷ୍ଠିତ, ତାହା ଖୁବ୍ ବେଶୀ ଅଗ୍ରଗତି କରି ପାରେ ନା । ସେଠାରେ ବ୍ୟକ୍ତି ଜୀବନର ପ୍ରାଧାନ୍ୟ ନାହିଁ-ସମାଜ ହେଉଛି ସେଠାରେ ସର୍ବେସର୍ବା । ସେଠାରେ ଆମେ ପକ୍ଷୀରାଜ ଅଶ୍ଵାରୋହଣ ପୂର୍ବକ ଦେବା ସେନାପତି କାର୍ତ୍ତିକେୟଙ୍କ ପ୍ରଥମେ ଦେଖୁନା-ଆମେ ଦେଖୁଁ ଲମ୍ବୋଦର, ଗଜାନନ, ଗଣପତି ଗଣେଶଙ୍କୁ ।

 

ଅନ୍ୟପକ୍ଷରେ ସହର ପ୍ରାଧାନ୍ୟ ଅର୍ଜନ କଲେ ବ୍ୟକ୍ତି ସର୍ବଶକ୍ତିମାନ ହୁଏ, ଏବଂ ସମାଜ ହୁଏ ଅବହେଳିତ । ସେଠାରେ ସଭ୍ୟତା ନିଜ ଅଗ୍ନୀରେ ନିଜକୁ ଦଗ୍ଧ କରେ । ଏହାର ଅଗ୍ନିଶିଖା ଯେତେ ଅଧିକ ପରିମାଣରେ ଉଜ୍ଜ୍ଵଳ ହୁଏ, ତାହାର ଇନ୍ଧନ ସାମଗ୍ରୀ ଠିକ୍ ସେତିକି ପରିମାଣରେ ଅଧିକତର ଭାବେ କାଳିମାଯୁକ୍ତ ହୁଏ, ଏବଂ ବିଶେଷତଃ ଏହା ଭସ୍ମରେ ପରିଣତ ହୋଇଥାଏ । ବହୁ ସଭ୍ୟତା ଏପରି ଭାବରେ ନିଜକୁ ଶିକାର କରିବା ଦ୍ୱାରା ଧ୍ଵଂସପ୍ରାପ୍ତ ହୋଇଛନ୍ତି । ଆଧୁନିକ ଇଉରୋପୀୟ ସଭ୍ୟତା ଯେ ଏହି ଧରଣର ଆତ୍ମକ୍ଷୟକାରୀ ସଭ୍ୟତା ନୁହେ, ତାହା ଏତେ ଆଗରୁ କହିହେବ ନାହିଁ ।

 

ସହର ହେଉଛି ବିଭିନ୍ନ କର୍ମର କେନ୍ଦ୍ରବିନ୍ଦୁ । ଆମ ଶରୀରର ପ୍ରାଣଶକ୍ତି ବିଭିନ୍ନ କେନ୍ଦ୍ରରେ ସଂଚିତ । ଇତର ପ୍ରାଣୀ ବିଶେଷଙ୍କ ଠାରେ ଏହି କେନ୍ଦ୍ରଗୁଡ଼ିକ ଶୃଙ୍ଖଳିତ ନୁହେ । ବିବର୍ତ୍ତନ ମଧ୍ୟଦେଇ ମସ୍ତିସ୍କ, ଫୁସ୍‍ଫୁସ୍‍, ହୃଦୟ ଓ ପାକସ୍ଥଳୀର କର୍ମ ପ୍ରାଧାନ୍ୟ ଅର୍ଜ୍ଜନ କରିଥାଏ । ଏହାକୁ ସହର ସହିତ ତୁଳନା କରାଯାଇ ପାରେ । ନାଗରିକ ସମାଜର ବିଶେଷ ଅଭାବଗୁଡ଼ିକର ପରିପୂରଣ ହେବା ପାଇଁ ସହରଗୁଡ଼ିକ ହେଉଛନ୍ତି ଶୃଙ୍ଖଳିତ କେନ୍ଦ୍ର । ପ୍ରାଚୀନ କାଳରେ ଏହି ଅଭାବଗୁଡ଼ିକର ପରିପୂର୍ଣ୍ଣତା ଦିଗରେ ମନ୍ତ୍ରର ଭୂମିକା ଥିଲା ଗୌଣ । ସୃଷ୍ଟି କରିବାର ଆନନ୍ଦ ହିଁ ଥିଲା ସେତେବେଳେ ଉତ୍ପାଦନର ପ୍ରଧାନ ଉଦ୍ଦେଶ୍ୟ । କେବଳ ଫଳ ଲାଭର କ୍ଷୁଧାକୁ ସେତେବେଳେ କେହି ବଡ଼ ମନେ କରୁ ନଥିଲେ । ଆଧୁନିକ ଯୁଗରେ ଯନ୍ତ୍ର ଯେ କେବଳ କାର୍ଯ୍ୟଦକ୍ଷତା ବହୁଗୁଣିତ କରିଛି, ତାହା ନୁହେ ଲାଭ ଓ ଲାଭର ପରିମାଣ ପ୍ରତି ମଧ୍ୟ କ୍ଷୁଧାର ମାତ୍ର ବୃଦ୍ଧି କରିଛି । ସେଥିପାଇଁ ବ୍ୟକ୍ତି ଓ ସମାଜର ସ୍ୱାର୍ଥ ମଧ୍ୟରେ ବୈଷମ୍ୟ ଦେଖାଦେଇଛି, ଏବଂ ତାହା ଫଳରେ ସଂଘର୍ଷ ମଧ୍ୟ ସୃଷ୍ଟି ହୋଇଛି । ଲାଭ ସକାଶେ ଆଜି ପଲ୍ଲୀ ଓ ସହରର ସଂପର୍କ ଛିନ୍ନ । ସହର ପଲ୍ଲିନିକଟରେ ନର୍ଦ୍ଧମା ରୂପେ ବିବେଚିତ । କାରଣ ପଲ୍ଲୀକୁ କିଛି ଦାନ କରିବାର ଶକ୍ତି ଆଜି ସହର ହରାଇଛି । ସହରର କୃନ୍ତ୍ରିମ ଆଲୋକ ଆଜି ଉଦ୍ଭାସିତ, କିନ୍ତୁ ସେହି ଆଲୋକର ତାରକା, ସୂର୍ଯ୍ୟ ଓ ଚନ୍ଦ୍ର ସହିତ କୌଣସି ସଂପର୍କ ନାହିଁ, କିନ୍ତୁ ଅନ୍ୟପକ୍ଷରେ ପଲ୍ଲୀର ବିନୀତ ପ୍ରଦୀପଗୁଡ଼ିକ ଆଜି ନିର୍ବାପିତ । ପଲ୍ଲୀଜୀବନର ଶାନ୍ତିମୟ ବିଶ୍ରାମ କ୍ରୋଡ଼ ପରିହାର କରି ସାହରାଭିମୁଖୀ ହେବା ପାଇଁ କାରଖାନାର ସିଙ୍ଗା ଆଜି ପଲ୍ଲୀବାସୀକୁ ପ୍ରଲୁବ୍ଧ କରୁଛି । ମନୁଷ୍ୟ ଆଜି ଦ୍ରୁତ ବେଗରେ ତା’ର ଆଦିମ ଆରଣ୍ୟକ ପ୍ରବୃତ୍ତି ଆଡ଼କୁ ଗତି କରୁଛି । ସେହି ଆଦିମ ଯୁଗର ବ୍ୟକ୍ତି-ସ୍ଵାତନ୍ତ୍ର୍ୟ ପୁଣି ଠାରେ ନବରୂପରେ ବିରାଟ କଳେବର ଧାରଣ କରି ଜୀବନରେ ଦେଖାଦେଇଛି ।

 

ପାରସ୍ପରିକ କଲ୍ୟାଣ ପାଇଁ ବିଭିନ୍ନ ସାମଗ୍ରୀ ସଂଗ୍ରହ ଓ ସଂଚୟ କରିବାକୁ ମନୁଷ୍ୟ ପ୍ରଥମେ ଗ୍ରାମଗୁଡ଼ିକରେ ଦଳବଦ୍ଧ ହୋଇଥିଲା । ବର୍ତ୍ତମାନ ମଧ୍ୟ ସେମାନେ ବହୁ ଅଧିକ ସଂଖ୍ୟାରେ ଏକାଠି ଦଳବଦ୍ଧ ହୋଇ ରହୁଛନ୍ତି, କିନ୍ତୁ ବର୍ତ୍ତମାନ ପ୍ରତ୍ୟେକ ବ୍ୟକ୍ତି ନିଜେ ହେଉଛି ତାର ସଞ୍ଚୟ ଓ ଆନନ୍ଦ ଉପଭୋଗର ଏକମାତ୍ର କେନ୍ଦ୍ର । ତେଣୁ ସାମାଜିକ ଅନୁଶାସନ ସ୍ଥାନରେ ଅଧିକତର କଠୋର ପୋଲିସଶାସନ ଆଜି ଦେଖାଦେଇଛି ଏବଂ ସହାନୁଭୂତିର ସାମାଜିକ ଏକ ସୁତ୍ରତା ପରିବର୍ତ୍ତେ ଦେଖାଦେଇଛି ଜଟିଳ ଆଇନ ପ୍ରଣାଳୀର କଠୋର ପ୍ରଭାବ । ଯେଉଁଠି ଆତ୍ମତୃପ୍ତି ହେଉଛି ଜୀବନର ଏକମାତ୍ର ଧର୍ମ, ସେଠାରେ ନିଜର ହେଉ ବା ଅନ୍ୟର ହେଉ, ଆମେ ହେଉଛୁ କ୍ରୀତଦାସ ଏବଂ ଯେ କୌଣସି ସ୍ଥଳରେ ଆମେ କେବଳ କ୍ରୀତଦାସ ମାତ୍ର । ଯେଉଁ କର୍ମ ମଧ୍ୟରେ ସ୍ୱେଚ୍ଛାକୃତ ତ୍ୟାଗର ଅବକାଶ ନ ଅଥାଏ, ତାହାକୁ ବନ୍ଧନ ବୋଲି ଆଖ୍ୟା ଦିଆଯାଇ ପାରେ । ଆବଶ୍ୟକତାର ଅନୁରୋଧରେ ଯଦି ଚିର-ବର୍ଦ୍ଧିଷ୍ଣୁ ବହୁସଂଖ୍ୟକ ବ୍ୟକ୍ତି ଏକ ସୂତ୍ରରେ ଆବଦ୍ଧ ହୁଅନ୍ତି କିନ୍ତୁ ସେମାନଙ୍କ ମଧ୍ୟରେ ବନ୍ଧୁତ୍ୱର ଆଭ୍ୟନ୍ତରୀଣ ସଂପର୍କ ନ ରହେ, ତା ହେଲେ ପ୍ରତିଯୋଗିତା ଓ ପରଶ୍ରୀକାତରତା ସେମାନଙ୍କ ମଧ୍ୟରେ ଉତ୍ତରୋତ୍ତର ବୃଦ୍ଧି ଲାଭ କରିଥାଏ ।

 

ବିକଳାଙ୍ଗ ସାମଜିକ ଜୀବନକୁ ଶ୍ରୀସମ୍ପନ୍ନ କରିବା ପାଇଁ ଏବଂ ପଲ୍ଲୀ ଓ ସହର ମଧ୍ୟରେ ସୁବିଧାବାଦୀ ଶ୍ରେଣୀ ଓ ଜନସାଧାରଣ ମଧ୍ୟରେ କ୍ଷମତା, ଦର୍ପ ଓ ମୈତ୍ରୀଭାବ ମଧ୍ୟରେ ନିହିତ ଭେଦଭାବ ଦୂର କରି ସେମାନଙ୍କ ମଧ୍ୟରେ ସମନ୍ୱୟ ପ୍ରତିଷ୍ଠା କରିବା କର୍ତ୍ତବ୍ୟ ଆଜି ଆମ ସମ୍ମୁଖରେ ବିଦ୍ୟମାନ । ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଯେଉଁମାନେ ବିପ୍ଳବ ଉପରେ ବିଶ୍ୱାସ କରନ୍ତି, ସେମାନେ ଏହି ପନ୍ଥାକୁ ସୁଗମ କରିବାପାଇଁ ସତ୍ୟକୁ ଖଣ୍ଡିତ କରିବାକୁ ଚାହାନ୍ତି । ସେମାନେ ଯେତେବେଳେ ସୁଖର ସନ୍ଧାନୀ, ତ୍ୟାଗମାର୍ଗକୁ ସେମାନେ ପୂର୍ଣ୍ଣଭାବେ ବିସର୍ଜନ ଦିଅନ୍ତି ଓ ତ୍ୟାଗ ଆଡ଼କୁ ସେମାନେ ଯତେବେଳେ ଉନ୍ମୁଖ, ସେତେବେଳେ ଦେଶରୁ ସେମାନେ ଆନନ୍ଦକୁ ନିର୍ବାସିତ କରିବା ସଙ୍ଗେ ସଙ୍ଗେ ମନୁଷ୍ୟର ମନକୁ ସଂକୁଚିତ କରି ଦମନ କରିଥାନ୍ତି । ଆମ ବିଶ୍ଵଭାରତୀର ବାର୍ତ୍ତା ହେଊଛି ଯେ ମନୁଷ୍ୟ ସତ୍ୟକୁ ଯଦି ପୂର୍ଣ୍ଣ ମାତ୍ରାରେ ଉପଲବ୍‍ଧି ନ କରେ ତା’ହେଲେ ତାର ସ୍ଵଭାବ ନିଗୃହୀତ ହୋଇଥାଏ, ଏଥିରୁ ବଞ୍ଚିତ ହେବା ଫଳରେ ଜୀବନରେ ନୈରାଶ୍ୟ ଓ ଯନ୍ତ୍ରଣା ଦେଖାଦିଏ ।

 

କଳକାରଖାନା, ମନୁଷ୍ୟର ବହୁ ମନ୍ଦକର୍ମର ଅସ୍ତ୍ରବିଶେଷ ହେଲେ ମଧ୍ୟ, ତାହାକୁ ଆମେ ବିସର୍ଜନ ଦେଇ ନ ପାରୁ । ଯନ୍ତ୍ର ଆମ ପ୍ରାଣ-ଶକ୍ତିର ଗୋଟିଏ ଗୋଟିଏ ଅଙ୍ଗ, ଆମର ହାତ ଯଦି ଦସ୍ୟୁବୃତ୍ତି ଆଚରଣ କରେ । ତାକୁ କାଟି ଫିଙ୍ଗି ଦେଲେ, ତା’ର ପ୍ରତିକାର ହୋଇ ନପାରେ । ସେଥିପାଇଁ ପାପ କ୍ଷାଳନ ଆବଶ୍ୟକ, ଉନ୍ନତି ପାଇଁ ନିଜକୁ ପଙ୍ଗୁ କରିବାକୁ ଉପଦେଶ ଦେବା ଭୀରୁତାର ଉପଦେଶ ମାତ୍ର । ମନୁଷ୍ୟର ପ୍ରତ୍ୟେକ ଶକ୍ତିର ଉନ୍ନତି ଓ ବିସ୍ତୃତ ଆବଶ୍ୟକ ।

 

ଅତି ଆଦିମ ଯୁଗର ମନୁଷ୍ୟ ଅସ୍ତ୍ର ନିର୍ମାଣ କରିବାକୁ ଚେଷ୍ଟା କରିଛି । ଯେଉଁ ମୁହୂର୍ତ୍ତରେ ସେ ପ୍ରକୃତିରାଜ୍ୟରେ ଏକ ନୂତନ ଗୋପନୀୟ ତଥ୍ୟ ଆବିଷ୍କାର କରିଛି, ସେହି ମୁହୂର୍ତ୍ତରେ ହିଁ ସେ ତାକୁ କୌଣସି ଯନ୍ତ୍ର ସାହାଯ୍ୟରେ କରାୟତ୍ତ ଓ ନିଜସ୍ଵ କରିବାକୁ ଚେଷ୍ଟା କରିଛି । ମନୁଷ୍ୟର ସଭ୍ୟତା ଏହି ପ୍ରକାରେ ହିଁ ଅଗ୍ରଗତି କରିଆସିଛି । ମନୁଷ୍ୟ ଯେଉଁଦିନ ଭୂମି କର୍ଷଣ କରି ତାର ଉର୍ବରତାକୁ ବିନିଯୋଗ କରିବାକୁ ସମର୍ଥ ହେଲା, ସେଦିନ ତା’ର ପ୍ରଗତି ପଥରେ ଏକ ପ୍ରଧାନ ପ୍ରତିବନ୍ଧକ ଦୂରୀଭୂତ ହୋଇଥିଲା । ଏହା ଯେ କେବଳ ତା’ର ଖାଦ୍ୟସଂସ୍ଥାର ଗୋଟିଏ ଉଚ୍ଚ ତା’ନିକଟରେ ପ୍ରକାଶ କରିଥିଲା ତା’ ନୁହେ, ଏହା ମଧ୍ୟ ତା’ ମନର ଏକ ଅଜ୍ଞାନ କକ୍ଷକୁ ଉଦ୍ଭାସିତ କରିଥିଲା । ପ୍ରଥମେ ସେ ଯେତେବେଳେ ଚରଖା ଓ ତନ୍ତ ଆବିଷ୍କାର କଳା, ସେଗୁଡ଼ିକ ସେତେବେଳେ ଯେ କେବଳ ତା’ର ନଗ୍ନତାକୁ ଆବୃତ କରିବାକୁ ସମର୍ଥ ହେଲା ତାହା ନୁହେ ସେଗୁଡ଼ିକ ତା’ଜୀବନରେ କ୍ରମଶଃ ବହୁ ସ୍ଥାନ ଅଧିକାର କରିଥିବା ‘ସୌନ୍ଦର୍ଯ୍ୟ-ଚେତନା’ ମଧ୍ୟ ସୃଷ୍ଟି କରିଥିଲା ଆଜି ମନୁଷ୍ୟର ଶରୀର ଯେପରି ଆଚ୍ଛାଦିତ, ମନ ମଧ୍ୟ ସେହିପରି ଆବୃତ । ମନୁଷ୍ୟ ରାଜ୍ୟ ଏହି ଉଭୟ ପରିଚ୍ଛଦ ଉପରେ ନିର୍ଭରଶୀଳ ।

 

ଯଦି କୌଣସି ସନ୍ନ୍ୟାସୀ ଯୁକ୍ତି କରେ ଯେ ବହିର୍ବିଶ୍ଵ ସହିତ ମଣିଷର ଏହି ବ୍ୟାପକ ବାଣିଜ୍ୟ ସଂକୁଚିତ ହେବା ଆବଶ୍ୟକ, ତାହାହେଲେ ସେ ଉଲ୍ଲିଖିତ ହସ୍ତାପରାଧଘଟଣା ଭଳି ଯୁକ୍ତି ଆରମ୍ଭ କରିବାକୁ ବାଧ୍ୟ ହେବ । ଏହିପରି ଜଣେ ସନ୍ନ୍ୟାସୀ ସେହି ଚରମ ସୀମା ପର୍ଯ୍ୟନ୍ତ ଯାଇ ପାରେ । ସେ ଯେ ମୁକ୍ତି ଅର୍ଜ୍ଜନ କରିଛି । ଏହା ଜଣାଇ ଦେବାକୁ ପୃଥିବୀକୁ ଅସ୍ୱୀକାର କରିବା ଭଙ୍ଗୀରେ ଯୋଗାଭ୍ୟାସ ପୂର୍ବକ ନିଜର ହସ୍ତକୁ ସର୍ବଦା ଉତ୍ତୋଳିତ କରି ରଖିବା ଦ୍ଵାରା ତା’ର କାର୍ଯ୍ୟକାରୀଶକ୍ତି ଲୋପ ହୋଇଥାଏ । ମଣିଷର ହାତକୁ ସଂଯତ କରିବାକୁ ଯଦି ଆଦେଶ ଦିଆଯାଏ ଯେ, ‘‘ଏହି ପର୍ଯ୍ୟନ୍ତ ତୁମେ ଯାଅ, ତା’ ଠାରୁ ଅଧିକ ତୁମେ ଯାଇ ନ ପାର’’ ତାହାହେଲେ ଏହି ଆଦେଶ ହାତଟେକ ସଂପ୍ରଦାୟର ନୀତି ସହିତ ସମାନ ହେବ । ବିଶ୍ୱସ୍ରଷ୍ଟା ମନୁଷ୍ୟକୁ କାର୍ଯ୍ୟ କରିବାକୁ ଯେତେଦୂର ପର୍ଯ୍ୟନ୍ତ ଆହ୍ୱାନ କରୁଛନ୍ତି ମନୁଷ୍ୟ ସେତେଦୂର ପର୍ଯ୍ୟନ୍ତ ଗତି କରି ପାରେ ନା,-ଏହାକହି ମନୁଷ୍ୟର ଈଶ୍ୱରଦତ୍ତ ଶକ୍ତିକୁ ପଙ୍ଗୁ କରିବାକୁ ଏପରି ଏକ ନିଷେଧାଜ୍ଞା ଦେବାକୁ କାହାର ଅଧିକାର ଅଛି ? ଆମ୍ଭର କଲ୍ୟାଣ ପାଇଁ କ୍ଷମତା ପ୍ରୟୋଗକୁ ଆମେ ନିୟନ୍ତ୍ରିତ କରି ପାରୁ, କିନ୍ତୁ ତା’ର ବିସ୍ତୃତିର ପାଠ ଅବରୋଧ କରିବା ଅନୁଚିତ ।

 

ପ୍ରାଚୀନ କାଳରେ ମଣିଷ ତା’ର ତନ୍ତ ଓ ଲଙ୍ଗଳ, ତୀର ଓ ଧନୁ ଏବଂ ଚକ ଗାଡ଼ି ଜୀବନର ପ୍ରଗତି ପାଇଁ ବ୍ୟବହାର କରୁଥିଲା । ଠିକ୍ ସେହିଭଳି ଆଜି ମଧ୍ୟ ମାନବଜାତିର ଅଭାବ ପୁରାଣ ପାଇଁ ଆଧୁନିକ ଯନ୍ତ୍ରପାତିର ପ୍ରଚଳନ ହେବା ଆବଶ୍ୟକ । ଏହା ଅବଶ୍ୟ ସତ୍ୟ ଯେ, ଯନ୍ତ୍ର ସକାଶେ ଆଜି ସହସ୍ର ଲୋକ ଜଣେ ଧନୀ ପାଖରେ ଖଟୁଛନ୍ତି ଏହା ଦ୍ଵାରା ପ୍ରମାଣ ହେଉଛି ଯେ, ଯନ୍ତ୍ର ବଳରେ ଜଣେ ମନୁଷ୍ୟ ସହସ୍ର ଲୋକର ଶକ୍ତି ସଞ୍ଚୟ କରି ପାରିଛି । ଯନ୍ତ୍ର ଦ୍ଵାରା ମଣିଷ ଆଜି ଯେଉଁ ଶକ୍ତିର ଅଧିକାରୀ, ତାହାକୁ ଅଳ୍ପ କେତେଜଣ ବ୍ୟକ୍ତି ଏକଚାଟିଆ କରିବା ଅନୁଚିତ । ବହୁର ମଙ୍ଗଳ ପାଇଁ ତାହାର ବିନିଯୋଗ ହେବା ଆବଶ୍ୟକ । ମନୁଷ୍ୟକୁ ବିଛିନ୍ନ କରି ରଖିବା ପାଇଁ ଶକ୍ତି କେନ୍ଦୀଭୂତ ହେବା ଅବାଞ୍ଛନୀୟ ଏବଂ ଏହା ଦାୟିତ୍ୱହୀନ ହେବା ମଧ୍ୟ ଅନୁଚିତ । ପ୍ରକୃତିର ଦାନ ସହିତ ମନୁଷ୍ୟର ବୁଦ୍ଧିବୃତ୍ତିର ସଂଯୋଜନା ଫଳରେ ସଭ୍ୟତା ବିକାଶଲାଭ କରିଛି । ଏହି ଉଭୟ ଅଂଶୀଦାର ଭାବରେ ସର୍ବଦା କାମ କରିବା ଆବଶ୍ୟକ । ବୁଦ୍ଧିର ଅର୍ଜ୍ଜନ ଯେତେବେଳେ ଗୋଟାଏ ଭଣ୍ଡାରଘର ଭିତରେ ସଞ୍ଚିତ ହୋଇ ରହେ, ସେତେବେଳେ ସଞ୍ଚୟ କ୍ରମଶଃ କ୍ଷୟପ୍ରାପ୍ତ ହୋଇଥାଏ । ଗୋଟିଏ ଅତୀତ ଯୁଗର ସଞ୍ଚିତ ଧନରେ ଆମେ ଦୀର୍ଘକାଳ ବଞ୍ଚି ରହି ନ ପାରୁ ।

 

ମନୁଷ୍ୟର ଏହି ନୂତନ ଶକ୍ତି ମଧ୍ୟ ଆମ ଗ୍ରାମଗୁଡ଼ିକ ଭିତରେ ପହଞ୍ଚିବା ଉଚିତ । ତାହା ନ ହୋଇଥିବା ଯୋଗୁଁ ଯେଉଁଆଡ଼କୁ ଅନାଇଲେ ବି କେବଳ ଦୈନ୍ୟ ଓ ପରାଜୟର ଚିତ୍ର ଆମେ ଦେଖୁଛୁଁ । ସବୁଠି ଆମର ଦେଶବାସୀ ଚିତ୍କାର କରୁଛନ୍ତି, ‘‘ଆମେ ହାରିଗଲୁ !’’ ଆମର ଜୀର୍ଣ୍ଣଶୂନ୍ୟ ଗର୍ଭରୁ, ଫଳହୀନ କ୍ଷେତ ମଧ୍ୟରୁ ଓ ବିରାମହୀନ ମରଣର ଚିତାନଳ ମଧ୍ୟରୁ ସେହି ଗୋଟାଏ ଚିତ୍କାର ଶୁଣାଯାଉଛି–‘‘ଆମେ ହାରି ଗଲୁ !’’ ଯେଉଁ ବିଜ୍ଞାନ ଏହି ଯୁଗକୁ ଶକ୍ତିଶାଳୀ କରିଛି, ଆମେ ଯଦି ତା’ର ଅଧିକାରୀ ହୋଇ ପାରିବା, ତାହାହେଲେ ଆମେ ଜୟଲାଭ କରିବା, ତଥାପି ଆମେ ବଞ୍ଚି ରହିପାରିବା ।

 

ଆର୍ଥିକ ଅସମତା ଯେଉଁ ବଡ଼-ସାନ ଭାବି ସୃଷ୍ଟି କରିପାରେ, ତାହା ଯଦି ଗୋଟିଏ ନିର୍ଦ୍ଦିଷ୍ଟ ସୀମା ମଧ୍ୟରେ ରହେ, ତାହାହେଲେ ତାହା ସ୍ଵାସ୍ଥ୍ୟକର । ଗୋଟିଏ ଦେଶ ଯଦି ଉତ୍ତୁଙ୍ଗ ପର୍ବତ ଦ୍ଵାରା ବହୁଧା ବିଭକ୍ତ ହୁଏ, ଏବଂ ତା'ର ସ୍ୱାଭାବିକ ଗମନାଗମନ ପାଠ ବାଧାପ୍ରାପ୍ତ ହୁଏ, ସେଠାରେ ଏକ ଉନ୍ନତ ସଭ୍ୟତା ଜନ୍ମଲାଭ କରିବା ଅସମ୍ଭବ । ବିଶାଳ ସମ୍ପତ୍ତି ଓ ବିଳାସମୟ ଜୀବନଯାତ୍ରା ଠିକ୍ ପର୍ବତମାଳା ପରି ଭେଦର ଉନ୍ନତ ପ୍ରାଚୀର ଦେଶରେ ସୃଷ୍ଟିକରିଥା'ନ୍ତି । ପ୍ରାକୃତିକ ପ୍ରତିବନ୍ଧକ ଅପେକ୍ଷା ଏହି ବିଭାଗୀକରଣ ଅତି ଦୁର୍ଭାଗ୍ୟର କାରଣ ହୋଇଥାଏ । କେତେକ ଲୋକ ବିଶ୍ଵାସ କରନ୍ତି ଯେ ସମ୍ପତ୍ତିଚିନ୍ତା ସମ୍ପୂର୍ଣ୍ଣ ପରିହାର କରିବା ଦ୍ଵାରା ଏହି ସମସ୍ୟାର ସମାଧାନ ହୋଇ ପାରେ । କିନ୍ତୁ ଆମର ସ୍ମରଣ ରଖିବା ଉଚିତ ଯେ ମନୁଷ୍ୟ ଯେଉଁ ପ୍ରେରଣାର ବଶବର୍ତ୍ତୀ ହୋଇ ବ୍ୟକ୍ତିଗତ ସମ୍ପତ୍ତି ଅର୍ଜନ କରେ, ମନୁଷ୍ୟର ପ୍ରକୃତି ସହିତ ତାହାର ମୌଳିକ ସମ୍ପର୍କ ରହିଛି । କ୍ଷମତା ପ୍ରୟୋଗ ଦ୍ଵାରା ବ୍ୟକ୍ତିଗତ ସମ୍ପତ୍ତିର ଉଚ୍ଛେଦ ସାଧନ ଆମେ କରିପାରୁ । କିନ୍ତୁ ମନୁଷ୍ୟ ପ୍ରକୃତିର ପରିବର୍ତ୍ତନ ଅସମ୍ଭବ ।

 

ବ୍ୟକ୍ତିତ୍ୱର ଅଭିବ୍ୟକ୍ତି ପାଇଁ ସମ୍ପତ୍ତି ହେଉଛି ଗୋଟାଏ ମାଧ୍ୟମ । ଆମେ ଯଦି ବ୍ୟକ୍ତିତ୍ୱର ନିଷିଦ୍ଧ ବିଭବ ପ୍ରତି ଦୃଷ୍ଟି ଦେଉଁ ତାହାହେଲେ ମଣିଷକୁ ମଣିଷଠୁଁ ବିଚ୍ଛିନ୍ନ କରୁଥିବା ବହୁ ସଙ୍କୀର୍ଣ୍ଣତାର ସନ୍ଧାନ ପାଇଥାଉଁ । ପୁଣି ଯେତେବେଳେ ଏହି ପାର୍ଥକ୍ୟ ଜ୍ଞାନ କେତେକ ବ୍ୟକ୍ତିଙ୍କଠାରେ ଗଭୀର ମାତ୍ରାରେ ପରିଲକ୍ଷିତ ହୋଇଥାଏ, ଆମେ ତାକୁ ସ୍ଵାର୍ଥପର ବୋଲି କହିଥାଉଁ, କିନ୍ତୁ ନିରପେକ୍ଷ ଓ ବାସ୍ତବ ବିଭାଗ ଦୃଷ୍ଟିରୁ ବିଚାର କଲେ ଏହା ହିଁ ହେଉଛି ଏକମାତ୍ର ମାଧ୍ୟମ, ଯଦ୍ୱାରା ମନୁଷ୍ୟ ପରସ୍ପର ମଧ୍ୟରେ ଭାବି ବିନିମୟ କରିବାକୁ ସମର୍ଥ । ସ୍ଵାର୍ଥପର ହେବାର ଆଶଙ୍କାରେ ଆମେ ଯଦି ବ୍ୟକ୍ତିତ୍ୱକୁ ହତ୍ୟା କରୁ ତାହାହେଲେ ମନୁଷ୍ୟର ଭାବି ପ୍ରକାଶ ମଧ୍ୟ ଅର୍ଥହୀନ ହୋଇପଡ଼ିବ । ସେ ଯାହାହେଉ, ଆମେ ଏହାକୁ ବିକଶିତ ହେବାର ସୁଯୋଗ ଦେଲେ, ସ୍ଵଭାବତଃ ସୃଜନଶୀଳ ହୋଇ ଏହା ନିଜସ୍ଵ ଜଗତ ନିର୍ମାଣ କରିବ । ବହୁ ସମୟରେ ଓ ବହୁ ଲୋକଙ୍କ ପାଇଁ ସମ୍ପତ୍ତି ହେଉଛି, ଏକମାତ୍ର ଛାଞ୍ଚ, ଯଦ୍ୱାରା କି ମନୁଷ୍ୟ ତା'ର ବ୍ୟକ୍ତିଗତ ସଂସାର ସୃଷ୍ଟି କରିଥାଏ । ଏହା କେବଳ ଠିକ୍ ତାଙ୍କ ବା ଆସବାବପତ୍ର ନୁହେ, କିମ୍ବା ଏହା ଆମର କେବଳ ଅର୍ଜ୍ଜନସ୍ପୃହା ପ୍ରକାଶ କରି ନ ଥାଏ । ଅନ୍ୟ ପକ୍ଷରେ ଏହା ଆମର ରୁଚି, କଳ୍ପନା, କାର୍ଯ୍ୟଦକ୍ଷତା ଓ ଆତ୍ମତ୍ୟାଗର ସ୍ପୃହା ମଧ୍ୟ ପ୍ରକାଶ କରିଥାଏ ।

 

ଆମ ବ୍ୟକ୍ତିତ୍ୱର ଏହି ପ୍ରତୀକ ମାଧ୍ୟମରେ ଆମେ ଗ୍ରହଣ କରୁଁ, ଦାନ କରୁ ଏବଂ ନିଜକୁ ମଧ୍ୟ ପ୍ରକାଶ କଋଥାଉଁ । ତେଣୁ ସାମାଜିକ ଶିକ୍ଷାର ଶ୍ରେଷ୍ଠ ଲକ୍ଷ ହେଉଛି ଆମର ଅନ୍ତନିର୍ହିତ ମହତ୍ତମ ବିଭବ । ସେଥିପାଇଁ ଆମର ବ୍ୟକ୍ତିତ୍ୱକୁ ସମୃଦ୍ଧରୂପେ ପ୍ରକାଶ କରିବାକୁ ସମ୍ପତ୍ତିକୁ ସହାୟକ କରି ତୋଳିବା ଏବଂ ପ୍ରେମ ହିଁ ହେଉଛି ସେହି ବ୍ୟକ୍ତିତ୍ୱର ଉଜ୍ଜ୍ଵଳତମ ଜ୍ୟୋତି । ବ୍ୟକ୍ତିବିଶେଷଙ୍କ ଏକ ସତ୍ତାର ସମନ୍ୱୟ ଦ୍ୱାରା ସମାଜ ଯେପରି ସଂଗଠିତ ହୋଇଥାଏ, ସେହିପରି ସମ୍ପତ୍ତି ମଧ୍ୟ ଯେତେବେଳେ କର୍ମକ୍ଷେତ୍ରରେ ସଚଳ ଥାଏ, ତାହା ଏକକ ଐଶ୍ଵର୍ଯ୍ୟରେ ପରିଣତ ହୁଏ, ଏବଂ ତଦ୍ଦ୍ଵାରା ସାମାଜିକ ଉନ୍ନତି ସାଧିତ ହୋଇଥାଏ । ବିଭିନ୍ନ ସତ୍ତାର ଏକକ ତାକୁ ଧ୍ଵଂସ ନ କରି, ଦୃଢ଼ ଭାବରେ ସେଗୁଡ଼ିକ ମଧ୍ୟରେ ଐକ୍ୟ ସ୍ଥାପନ କରିବା ହିଁ ପ୍ରଜ୍ଞାର ପରିଚାୟକ ।

 

ଜୀବନ ଯେତେବେଳେ ସରଳ, ସେତେବେଳେ ଐଶ୍ୱର୍ଯ୍ୟର ପ୍ରାଧାନ୍ୟ ନ ଥାଏ । ବ୍ୟକ୍ତିଗତ ସମ୍ପତ୍ତି ସେତେବେଳେ ଜନତା ପ୍ରତି ତା'ର ଦାୟିତ୍ୱ ସମ୍ପର୍କରେ ସଚେତନ, କିନ୍ତୁ ଜୀବନଯାତ୍ରାର ମାଁ ଉନ୍ନତ ହେବା ସଙ୍ଗେ, ସମ୍ପତ୍ତି ମଧ୍ୟ ତା’ର ଆଭିମୁଖ୍ୟ ପରିବର୍ତ୍ତନ କରିଥାଏ । ସମାଜ ମଧ୍ୟରେ ଭାବ ବିନିମୟର ପ୍ରଧାନ ମାଧ୍ୟମ ହେଉଛି ଆତିଥ୍ୟ, କିନ୍ତୁ ସେହି ଆତିଥ୍ୟର ଦ୍ଵାରା ଏହା ଫଳରେ ଅବରୁଦ୍ଧ ହୋଇଥାଏ ଏବଂ ଅନାବଶ୍ୟକ ବ୍ୟୟ ମଧ୍ୟରେ ଏହା ନିଜର ସ୍ୱରୂପ ପ୍ରକାଶ କରିବା ସଙ୍ଗେ କଠୋର ଶ୍ରେଣୀ ବିଭାଗ ମଧ୍ୟ ସୃଷ୍ଟି କରିଥାଏ । ସଂକ୍ଷେପରେ ଏହା ହୁଏ ସମାଜବିରୋଧୀ । ବୈଷୟିକ ପ୍ରଗତି ସମ୍ପତ୍ତି ଆଜି ଅତି ପ୍ରବଳ ଭାବରେ ବ୍ୟକ୍ତିଧର୍ମୀ ହୋଇପଡ଼ିଛି-। ଏହା ଲାଭ କରିବାର ପ୍ରଣାଳୀ ଆଜି ବୈଜ୍ଞାନିକ ବିଷୟବସ୍ତୁ ରୂପର ଗୃହୀତ ଏବଂ ତାହା ଆଉ ସାମାଜିକ ନୀତି ହୋଇ ରହି ନାହିଁ । ଏହା ସମାଜର ବନ୍ଧନ ଭାଙ୍ଗିଦେଇଛି ଓ ସମାଜର ଜୀବନରସକୁ ନିଃଶେଷ କରିଦେଇଛି । ଏହାର ନ୍ୟାୟାନ୍ୟାୟ ବିଚାରହୀନତା ଆଜି ଧ୍ଵଂସର ଆତଙ୍କ ସୃଷ୍ଟି କରିଛି । ଜାଳେଣିକାଠ ସହିତ ନିଜେ ସମ୍ପୂର୍ଣ୍ଣ ରୂପେ ନିଃଶେଷ ହୋଇଯିବା ପର୍ଯ୍ୟନ୍ତ ବନାଗ୍ନି ଯେଉଁ କାଠରୁ ଉତ୍ପନ୍ନ ହୋଇଥାଏ, ସେହି କାଠକୁ ହିଁ ଭକ୍ଷଣ କରି ନିଜର ଉଦାର ପୁରଣ କରିଥାଏ-। ଠିକ୍ ସେହିପରି ଲୋଭ ଭଳି ଗୋଟେ କୌଣସି ଭୋଗ ପ୍ରବୃତ୍ତି ଯେତେବେଳେ ସାମାଜିକ ବନ୍ଧନର ପ୍ରାଚୀର ଅତିକ୍ରମ କରେ । ସେତେବେଳେ ତାହା ଏହି ବନାଗ୍ନି ସଦୃଶ୍ୟ ସାମାଜିକ ଜୀବନକୁ ଧ୍ଵଂସ କରି ଧ୍ଵଂସପ୍ରାପ୍ତ ହୋଇଥାଏ । ତେଣୁ ଆଧ୍ୟାତ୍ମିକ ଶିକ୍ଷାର ଚିରନ୍ତନ ଲକ୍ଷ୍ୟ ହେଉଛି, ସମାଜ ବିରୋଧୀ ଭୋଗ ପ୍ରବୃତ୍ତିଗୁଡ଼ିକ ବିରୁଦ୍ଧରେ ସଂଗ୍ରାମ କରିବା ଓ ତାକୁ ଶୃଙ୍ଖଳିତ କରିବା । ଆମର ଶସ୍ୟକ୍ଷେତ୍ରରେ କେତେକ କୀଟପତଙ୍ଗ ଦେଖାଯା'ନ୍ତି, ସେଗୁଡ଼ିକର ଲୁଣ୍ଠନ ସତ୍ତ୍ୱେ ଭୂମିର କୃଷକ ପାଇଁ ଯଥେଷ୍ଟ ବ୍ଲକ ଶସ୍ୟ ଏବଂ ସେଗୁଡ଼ିକୁ ବାହାର କରିଦେବା ପାଇଁ ବହୁଗୁଣିତ କରିବାର ପ୍ରବଳ ଶକ୍ତି ଥିବା ଗୋଟିଏ ମଡ଼କ ଦେଖାଦିଏ, ସେତେବେଳେ ତାକୁ ଗୋଟିଏ ଭୀଷଣ ବିପଦ ବୋଲି ଭାବି ତା’ର ପ୍ରତିକାର କରିବା ଉଚିତ । ମଣିଷ ସମାଜରେ ମଧ୍ୟ, ସାଧାରଣ ପରିସ୍ଥିତିରେ ଅପଚୟର ବହୁ କାରଣ ଦେଖାଦେଇଥାଏ । ତଥାପି ସେଠି ପ୍ରତି ଆମେ ଅବହେଳା ପ୍ରକାଶ କଋଥାଉଁ । ସେ ଯାହାହେଉ, ଆମର ସାମାଜିକ ଜୀବନ ଓ ତା’ର ସମ୍ବଳ ଉପରେ ଯେଉଁ ଧ୍ଵଂସର ଛାୟା ଆଜି ପ୍ରତିଫଳିତ, ତାହା ଅତି ଭୟଙ୍କର । କାରଣ ନିର୍ଦ୍ଦିଷ୍ଟ ଅଞ୍ଚଳ ମଧ୍ୟରେ ଏହା ସୀମିତ ନୁହେ, ଏବଂ ଏହି ସର୍ବକ୍ଷୟକାରୀ ମହାମାରୀ, ସଭ୍ୟତାର ସମସ୍ତ ରୂପକୁ ଆଜି ସଂକ୍ରମିତ କରିଛି । ଆମର ସାମର୍ଥ୍ୟ ଥିବାପର୍ଯ୍ୟନ୍ତ ଆନନ୍ଦ ଉପଭୋଗ ପାଇଁ ଅପବ୍ୟୟ କରିବାର ଅଧିକାର ଯେ ରହିଛି, ଏହା ଆମେ ଦାବୀ କଋଥାଉଁ । ଆମର ପଡ଼ୋଶୀ ଭଳି ଆମର ବ୍ୟକ୍ତିଗତ ସନ୍ତୋଷ ପାଇଁ ଖର୍ଚ୍ଚ କରିବାକୁ ଆମେ ଯଦି ସମର୍ଥ ହୋଇ ନ ଥାଉଁ, ତାହାହେଲେ ଆମେ ଲଜ୍ଜିତ ହେଉଁ । ସମ୍ମାନ ବୋଧର ଅତ୍ୟାଚାର ହିଁ ଆମକୁ ଧ୍ଵଂସ ଆଡ଼କୁ ନେଇ ନେଇଯାଏ । ଆଜି ସୁଖ ସୁବିଧାର ଧାରଣା ଉପରେ ସବୁଠି ଜୋର ଦିଆଯାଉଛି । ଏଥିରେ ଶକ୍ତିର ପରିଚୟ ହେଉଥିବାରୁ ଆଶାନୁରୂପ ଫଳ ଲାଭ ହେଉ ନାହିଁ । ଉତ୍ପାଦନର ଅଭିବୃଦ୍ଧି ସହିତ ଯେଉଁ ଓ ଜୀବନ-ଶକ୍ତିର ପ୍ରଚୁର ଅପବ୍ୟୟ ହେଉଛି । ସଭ୍ୟତା ଆଜି ଏକ ବିରାଟ ସରବରାହ ସଂସ୍ଥାରେ ପରିଣତ । ଉଦର ସର୍ବସ୍ଵ ଲୋକମାନଙ୍କ ପାଇଁ ଏହା ସର୍ବଦା ଭୋଜି ଓ ଉତ୍ସବର ଆୟୋଜନ କରୁଛି । ଅଳ୍ପ ଲୋକଙ୍କର ଅମିତଚାର ହୁଏ ତ ସହନୀୟ ହୋଇ ପାରନ୍ତା, କିନ୍ତୁ ତାହା ଆଜି ସର୍ବବ୍ୟାପୀ ଲାଳସା ତା ଆଜି ଦେଖା ଦେଇଛି, ତାହାହିଁ ରାଜନୀତି ଓ ବାଣିଜ୍ୟ କ୍ଷେତ୍ରରେ ସଂକୀର୍ଣ୍ଣତା, ନିର୍ମମତା ଓ ମିଥ୍ୟାର କାରଣ ହୋଇଛି, ଏବଂ ତଦ୍ୱାରା ସମଗ୍ର ମାନବିକ ବାତାବରଣ ଆଜି କଳୁଷିତ । ଯେଉଁ ସଭ୍ୟତାର କୃତିମ କ୍ଷୁଧା ରହିଛି । ସେ ନିଶ୍ଚୟ ତା’ର ପରିତୃପ୍ତି ପାଇଁ ଅସଂଖ୍ୟ ବଳ ଆବଶ୍ୟକ କରିବ ଏବଂ ଯେଉଁଠି ନରମାଂସ ଅତି ଶସ୍ତା, ପୃଥିବୀର ସେହିଭଳି ସ୍ଥାନରେ ତାହା ଖୋଜା ଯାଉଛି । ଉକ୍ତଟ ରୁଚିକୁ ସମ୍ମାନର ତୁଚ୍ଛ ସାମଗ୍ରୀର ଏକ ବିରାମ ହୀନ-ପ୍ରବାହ ଯୋଗାଇଦେବା ପାଇଁ ଆଜି ଏସିଆ ଓ ଆଫ୍ରିକାର ସମସ୍ତ ଲୋକଙ୍କର ସୁଖ ଶାନ୍ତି ବଳି ଦିଆଯାଉଛି ।

 

ଯେଉଁ ସମାଜରେ ଲୋଭ ଅସଂଯତ ଭାବରେ ବଢ଼ିଚାଲିଛି, ଉତ୍ସାହିତ ହେଉଛି, ଏପରିକି ଲୋକଙ୍କ ଦ୍ଵାରା ପ୍ରଶଂସିତ ହେଉଛି, ପାଶ୍ଚାତ୍ୟ ଜଗତର ଯାହାକୁ ଗଣତନ୍ତ୍ର ବୋଲି କହୁଛନ୍ତି; ତା’ର ସତ୍ୟ ରୂପ ପ୍ରକାଶିତ ହୋଇ ନପାରେ । ଏହିଭଳି ଏକ ବାତାବରଣରେ ନିଜର ବ୍ୟକ୍ତିଗତ ସ୍ୱାର୍ଥ ହାସଲ କରିବା ପାଇଁ ସାଧାରଣ ଅନୁଷ୍ଠାନଗୁଡ଼ିକୁ ଅଧିକାର କରିବା ସକାଶେ ବ୍ୟକ୍ତିମାନଙ୍କ ମଧ୍ୟରେ ଚିରନ୍ତନ ସଂଗ୍ରାମ ଚାଲିଛି, ସେଠାରେ ଗଣତନ୍ତ୍ର ଗୋଟିଏ ହାତୀ ଭଳି, ଯାହା ଜୀବନର ଏକମାତ୍ର ଲକ୍ଷ୍ୟ ହେଉଛି, କେବଳ ଚତୁର ଓ ଧନୀ ବ୍ୟକ୍ତିକୁ ହିଁ ସେମାନଙ୍କର ଆନନ୍ଦ ସକାଶେ ଆରୋହଣର ସୁଯୋଗ ଦେବା । ଏଭଳି ପରିବେଶରେ ଯେଉଁ ଅଙ୍ଗଗୁଡ଼ିକ ସାହାଯ୍ୟରେ ଶାସନକଳ ସହିତ ଲୋକମତ ମଧ୍ୟ ସଂଗଠିତ ହୁଏ, ତାହା ଅଳ୍ପ କେତେଜଣ ଧନଶାଳୀ ବ୍ୟକ୍ତି ଦ୍ଵାରା ଖୋଲାଖୋଲି ବା ଗୋପନୀୟ ଭାବେ ପରିଚାଳିତ ହୋଇଥାଏ । ସେମାନଙ୍କୁ ପୁରୁଣା କାଳର ସେହି ଓଟ ସହିତ ତୁଳନା କରାଯାଇପାରେ, ଯେ କି ଗୋଟିଏ ଛୁଞ୍ଚିର ରନ୍ଧ୍ର ମଧ୍ୟରେ ପ୍ରବେଶ କରିବାକୁ ଅକ୍ଷମ, କିନ୍ତୁ ସେହି ଦ୍ଵାରହିଁ ଆଦର୍ଶର ରାଜ୍ୟ ଆଡ଼କୁ ସଂପ୍ରସାରିତ । ଯେଉଁମାନେ ଆଧ୍ୟାତ୍ମିକ ସ୍ୱାଧୀନତାର ମାତ୍ର ପ୍ରଚାର କରନ୍ତି, ସେମାନଙ୍କ ପ୍ରତି ଏ ଧରଣର ସମାଜ ଶିଥିଳ ଓ ନିର୍ମମ । ଏଭଳି ସମାଜରେ ତଥାକଥିତ ପ୍ରଗତିର ଅବିରାମ ଉତ୍ତେଜନା ଦ୍ଵାରା ଲୋକମାନେ ମଦମତ୍ତ ଏବଂ ଖାଦ୍ୟ ଅପେକ୍ଷା ମଦ୍ୟକୁ ଅଧିକ ପସନ୍ଦ କରୁଥିବା ବ୍ୟକ୍ତି ସଦୃଶ ସେମାନେ ସଭ୍ୟତାକୁ ବିକ୍ରୟ କରି ଏହି ପ୍ରଗତି କିଣିବାକୁ ଆଗ୍ରହୀ । ପଲ୍ଲୀ ଠିକ୍ ନାରୀ ସଦୃଶ, ତା’ରି ସଂରକ୍ଷଣରେ ସମସ୍ତ ଜାତିର ଲାଳନ ପାଳନର ଦୋଳା ନିହିତ, ତାହା ସହର ଅପେକ୍ଷା ପ୍ରକୃତିର ଅଧିକ ନିକଟବର୍ତ୍ତୀ ଏବଂ ଜୀବନନିର୍ଝର ସହିତ ନିବିଡ଼ଭାବେ ସଂପର୍କିତା, ଆରୋଗ୍ୟର ଏକ ସ୍ୱାଭାବିକ ଶକ୍ତି ତା’ର ରହିଛି । ନାରୀ ଭଳି ପଲ୍ଲୀର କାର୍ଯ୍ୟ ହେଉଛି ଜୀବନର ମୌଳିକ ଆବଶ୍ୟକତାଗୁଡ଼ିକୁ ମଣିଷକୁ ଯୋଗାଇଦେବା । ଖାଦ୍ୟ ଓ ଆନନ୍ଦ ସରଳ ଜୀବନର କବିତା ଏବଂ ପଲ୍ଲୀ ନିଜେ ଯେଉଁଥିରେ ଆନନ୍ଦ ଅନୁଭବ କରିଥାଏ, ସ୍ୱାଭାବିକ ଭାବରେ ଜନ୍ମ ଦେଇଥିବା ସେହିଭଳି ରୂପର ଉତ୍ସବ ମଣିଷକୁ ଯୋଗାଇ ଦେଇଥାଏ । କିନ୍ତୁ ଯେତେବେଳେ ତା’ ଉପରେ ଚାପା ଅବିରାମ ଭାବରେ ପଡ଼ିଥାଏ ଓ ତା’ର ସମ୍ବଳ ଅତିମାତ୍ରାରେ ଲୁଣ୍ଠିତ ହୋଇଥାଏ, ସେତେବେଳେ ସେ ନିର୍ଜୀବ ହେବା ସଙ୍ଗେ ସୃଜନକ୍ଷମତା ହରାଇ ବସେ । ବିବାହିତ ପତ୍ନୀର ଚିରନ୍ତନ ମର୍ଯ୍ୟାଦା ହରାଇ ସେ ପରିଚାରିକା ସ୍ତରକୁ ଅବନମିତ ହୁଏ । ନିଜର ମୌଳିକ ପ୍ରାଣଉତ୍ସ, ନିଜ ସ୍ୱାସ୍ଥ୍ୟ ଓ ସୁଖ ସହର ଯେପରି ଆଘାତ ଦିଏ, ଗର୍ବ ଓ ଅହଂଭାବ ଭିତରେ ଗଭୀର ଭାବେ ବୁଡ଼ି ରହିଥିବାରୁ ତାହା ଜାଣିବାକୁ ସେ ସମର୍ଥ ହୋଇ ନ ଥାଏ ।

 

ସଂସ୍କୃତ କାବ୍ୟ ‘ମେଘଦୂତ’ ଯେତେବେଳେ ପଢ଼ୁ, ଆମେ ମେଘଦୂତର ପାଠ ଅନୁସରଣ କରି କଳ୍ପନାରେ ପ୍ରାଚୀନ ପୃଥିବୀର ବହୁ ମନୋଜ୍ଞ ନାମଧାରୀ ସହରଗୁଡ଼ିକୁ ଅତିକ୍ରମ କଋଥାଉଁ, ଆମେ ଅନୁଭବ କରୁଁ ଯେ ପୃଥିବୀର ଅନ୍ୟ କୌଣସି ବିଷୟ ଅପେକ୍ଷା ଏହି ସହରଗୁଡ଼ିକ ମଣିଷର ପ୍ରେମ ଓ ଆଶାକୁ ହିଁ ଅଭିବ୍ୟକ୍ତି ପ୍ରଦାନ କରିଛନ୍ତି । ମଣିଷ ଆତ୍ମାର ସୌନ୍ଦର୍ଯ୍ୟ କେତେକାଂଶରେ ନାରୀ ହସ୍ତର ପବିତ୍ର ସାଜସଜ୍ଜା ଦ୍ୱାରା ପ୍ରତ୍ୟହ ପରିଶୋଭିତ ଗୃହ ଓ ଦେବାଳୟଗୁଡ଼ିକରେ ଏବଂ ଏପରି କି ପଣ୍ୟଶାଳାର ଦ୍ରବ୍ୟ ବିନିମୟର ଦୃଶ୍ୟ ମଧ୍ୟରେ ଦିନେ ସଂରକ୍ଷିତ ହୋଇଥିଲା ।

 

ଦିଲ୍ଲୀ ଓ ଆଗ୍ରାର ରୂପ ସେ ଯୁଗରେ କ'ଣ ଥିଲା, ତାହା ଆମେ କେବଳ କଳ୍ପନାରେ ହିଁ ଅନୁଭବ କରି ପାରୁ । ଗୋଟିଏ ବିରାଟ ସାମାଜ୍ୟର ସୃଜନଶୀଳ ଓ ମାନବିକ ବିଭାବଗୁଡ଼ିକ ସେଠାରେ ମୂର୍ତ୍ତିମନ୍ତ ହୋଇଥିଲା । ଏପରି କି ସେଗୁଡ଼ିକର ଧ୍ଵଂସ ପରେ ମଧ୍ୟ, ମନୁଷ୍ୟର ଗୌରବ ସେଠାରେ ଆଜି ସଂରକ୍ଷିତ, କିନ୍ତୁ ଆଧୁନିକ ସହରଗୁଡ଼ିକ କେବଳ ସୁଯୋଗ ଦେଇଥାନ୍ତି ସିନା, ଆଦର୍ଶ କିଛି ଦେଇ ନ ଥାନ୍ତି । ଉଚ୍ଚତର ପ୍ରାଣୀଗୁଡ଼ିକ ମଧ୍ୟରେ ମସ୍ତିଷ୍କ, ହୃଦୟ ବା ପାକସ୍ଥଳୀ ଭଳି ଯେପରି ଶୃଙ୍ଖଳିତ ପ୍ରାଣ କେନ୍ଦ୍ର ରହିଥାଏ, ଠିକ୍ ସେହିଭଳି ସଭ୍ୟତାର ମଧ୍ୟ ସହରଗୁଡ଼ିକ ପ୍ରାଣକେନ୍ଦ୍ର ଭଳି ରହିବା ଆବଶ୍ୟକ ଶରୀରର ଜୀବନ୍ତ ପୂର୍ଣ୍ଣତା ଏହା ଦ୍ଵାରା କେବେ ଅଭିଭୂତ ହୋଇ ନ ଥାଏ । ଅନ୍ୟ ଦିଗରେ ସେମାନଙ୍କର କାର୍ଯ୍ୟର ପୂର୍ଣ୍ଣ ମିଳନ ଦ୍ଵାରା ଶରୀର ବରଂ ରୁଦ୍ଧିମନ୍ତ ହୋଇଥାଏ । କିନ୍ତୁ ରକ୍ତ ଜମି ଯାଇଥାଏ ଦେହର କୌଣସି ଅଂଶରେ ଏକ ଆବୁ ଦେହର ଶତ୍ରୁରୂପେ ଦେଖାଦେଇଥାଏ । ଏବଂ ନିଜର ସ୍ଫୀତ ସଙ୍ଗେ ସଙ୍ଗେ ଦେହରୁ ରକ୍ତ ସଂଗ୍ରହ କରି ଏହା ବଞ୍ଚିବାକୁ ଚେଷ୍ଟା କରେ । ଆମର ଆଧୁନିକ ସହରଗୁଡ଼ିକ ଠିକ୍ ସେହିପରି ଗ୍ରାମ ମଧ୍ୟରେ ପ୍ରବାହିତ ହେଉଥିବା ସାମାଜିକ ପ୍ରାଣ-ଶକ୍ତିକୁ ଶୋଷଣ କରି ଜୀବନଧାରଣ କରିଥାଏ । ସେମାନେ ସମାଜର ଜୀବନୀଶକ୍ତିକୁ ଆତ୍ମସାତ କରିବା ସଙ୍ଗେ ଅନ୍ୟ ଦିଗରେ ସମୃଦ୍ଧିର କୃତିମ ଛଳନା ପ୍ରକାଶ କରିଥାନ୍ତି-

 

ଏହିପରିଭାବେ ସହରଗୁଡ଼ିକ ହୃଦୟର ଜୀବନୀଶକ୍ତି ହରାଇ ବସନ୍ତି ଏବଂ ମନୁଷ୍ୟର ରକ୍ତପ୍ରବାହକୁ ନଷ୍ଟ ଓ ରୁଦ୍ଧ କରି ବିଷାକ୍ତ କେନ୍ଦ୍ରସବୁ ସୃଷ୍ଟି କରିଥାନ୍ତି । ତେଣୁ କୌଣସି ବୈଷୟିକ ଉଦ୍ଦେଶ୍ୟରେ ଯେତେବେଳେ ସହରର ସମସ୍ତ ଲୋକେ ଏମିତି ହୁଅନ୍ତି, ସେମାନେ ମିଳିତ ବି ସମବେତ ହେବା ପରିବର୍ତ୍ତେ କେବଳ ସଂଗୃହୀତ ହୋଇ ସଂକଳିତ ମାତ୍ର ହୁଅନ୍ତି । ସେଥିପାଇଁ ସେମାନଙ୍କର ନୈତିକ କ୍ଷୟ ଦେଖାଯାଏ, ପାଶ୍ଚାତ୍ୟ ଜଗତର ତଥାକଥିତ ପ୍ରଗତି ପ୍ରକୃତ ସଭ୍ୟତାର ସ୍ଥାନ ଗ୍ରହଣ କରିଥିବାରୁ ଏହି ପରିଣତି ଦେଖାଦେଇଛି । ମୁଁ ପ୍ରଗତିର ପରିପନ୍ଥି ନୁହେ; କିନ୍ତୁ ତା’ ବୋଲି ସଭ୍ୟତାର ଆତ୍ମାକୁ ଯଦି ଏହା ପାଇଁ ବିକ୍ରି କରିଦେବାକୁ ପଡ଼େ, ତାହାହେଲେ ମୁଁ ବରଂ ଆଦିମ ଅବସ୍ଥାରେ ରହିବାକୁ ପସନ୍ଦ କରିବି ।

 

ଯୁଗ ଯୁଗ ଧରି ଆମ ଭାରତରେ ପାରିବାରିକ ସଂସ୍ଥା ରହିଥିଲା । ବୃହତ ଓ ମିଶ୍ର ହୋଇଥିବାରୁ ପ୍ରତ୍ୟେକ ପରିବାର ନିଜ ରୂପରେ ସମାଜର ଏକ କ୍ଷୁଦ୍ର ଛବି ବହନ କରିଥିଲା । ଏହାର ଉପଯୋଗିତା ସମ୍ପର୍କରେ ମୁଁ ବର୍ତ୍ତମାନ ଆଲୋଚନା କରିବାକୁ ଚାହୁଁ ନାହିଁ, କିନ୍ତୁ ସାଂପ୍ରତିକ ଯୁଗରେ ତା’ର ଯେପରି ଦ୍ରୁତ ପତନ ଦେଖାଦେଇଛି ଓ ସେହିପରି ବର୍ତ୍ତମାନ କାର୍ଯ୍ୟ କରୁଥିବା ଧ୍ୱଂସ ନୀତିର ସ୍ଵଭାବ ଓ ପ୍ରଣାଳୀ ସ୍ପଷ୍ଟ ହେଉଛି । ଜୀବନ ଯେତେବେଳେ ସରଳ ଓ ତା’ର ଅଭାବ ଯେତେବେଳେ ସ୍ୱାଭାବିକ ଏବଂ ସ୍ଵାର୍ଥପର ପ୍ରବୃତ୍ତିଗୁଡ଼ିକ ସଂଯତ-ଏହି ଧରଣର ପ୍ରଥା ସେତେବେଳେ ସଂପୂର୍ଣ୍ଣ ସ୍ୱାଭାବିକ ଓ ସୁଖକର ଥିଲା । ପାରିବାରିକ ସମ୍ବଳ ସମସ୍ତଙ୍କ ପାଇଁ ଯଥେଷ୍ଟ ଥିଲା ଏବଂ କୌଣସି ବ୍ୟକ୍ତି ଅତିରିକ୍ତ ଦାବୀ କରୁ ନ ଥିଲେ । କିନ୍ତୁ ଯେତେବେଳେ ଆବଶ୍ୟକତା ତୁଳନାରେ କୌଣସି ସଭ୍ୟ ବ୍ୟକ୍ତିଗତ ସ୍ଵାର୍ଥ ପାଇଁ ଅଧିକ ଲାଳସା ପ୍ରକାଶ କରେ ଏବଂ ସାଧାରଣ କଲ୍ୟାଣକୁ ବଳିଦେଇ ନିଜ କାମନାର ପରିପୂର୍ତ୍ତି ପାଇଁ ସମସ୍ତପ୍ରକାର ସୁବିଧା ସୁଯୋଗର ସନ୍ଧାନ କରେ, ସେ ପରିସ୍ଥିତିରେ ଏ ପ୍ରକାର ପାରିବାରିକ ଏକତା ନଷ୍ଟ ହୋଇଥାଏ, ସେତେବେଳେ ଭାଇ ଭାଇ ମଧ୍ୟରେ ସମ୍ପତ୍ତିବଣ୍ଟନ ହୁଏ ଏବଂ ସେମାନେ ପରସ୍ପରର ଶତ୍ରୁ ମଧ୍ୟ ହୁଅନ୍ତି । ପେଟେଙ୍କ ଜର୍ମାନୀ, ବିସମାର୍କଙ୍କ ଜର୍ମାନୀ ଅପେକ୍ଷା ଦରିଦ୍ରତର ବୋଲି ବିବେଚିତ ହୋଇଥିଲା । ପ୍ଲାଟୋଙ୍କ ଚିନ୍ତା ବା ଅଶୋକଙ୍କ ସାଧନାଦୀପ୍ତ ସଭ୍ୟତାର ବୋଧହୁଏ ଆଧୁନିକ କାଳର ଉଦ୍ଧତ ସନ୍ତାନଙ୍କ ଦ୍ଵାରା ଘୃଣିତ; କିନ୍ତୁ ଚିନ୍ତାହୀନ ଓ ମୁଦ୍ରାଯନ୍ତ୍ର ସର୍ବସ୍ଵ ଆଧୁନିକ ଯୁଗର କିଶୋରମାନଙ୍କ ଦ୍ଵାରା ସେ ଯୁଗର ମଣିଷ ତାହାହେଲେ କ’ଣ କେବଳ କୃପାପାତ୍ର ବୋଲି ବିବେଚିତ ହେବେ ? ଅନେକ ସମୟରେ କଳ୍ପନାରେ ମୋତେ ଭାବିବାକୁ ଭାରି ସୁଖଲାଗେ ଯେ ଚନ୍ଦ୍ର ପୃଥିବୀ ପ୍ରଥମେ ସେ ଜୀବନ ସୃଷ୍ଟି କରିଥାଏ । ଏକଦା ସେ ଚନ୍ଦ୍ରର ବର୍ଣ୍ଣ, ସଙ୍ଗୀତ, ଗତିର ଉତ୍ସବମଧ୍ୟ ଥିଲା ଏବଂ ତା’ର ଗନ୍ତାଘର ମଧ୍ୟ ଖାଦ୍ୟଦ୍ଵାରା ସର୍ବଦା ପୂର୍ଣ୍ଣ ଥିଲା । ତା’ପରେ ସେହି ଚନ୍ଦ୍ରଲୋକରେ ଏଭଳି ଏକ ଜାତି ଜନ୍ମଗ୍ରହଣ କଲା, ଯେ କି ଲୋଭର ବଶବର୍ତ୍ତୀ ହୋଇ ତା’ର ସମଗ୍ର ପରିପାର୍ଶ୍ୱକୁ ଗର୍ଭସାତ କରିବାକୁ ଚେଷ୍ଟିତ ହେଲା । ଏହା ଏପରି ପ୍ରାଣୀସବୁ ସୃଷ୍ଟିକଲା ଯେଉଁମାନଙ୍କର ବୃଦ୍ଧି ବୃତ୍ତି ସହିତ ପାଶବିକ ଭାବରାଜ୍ୟକୁ ମଧ୍ୟ ପ୍ରବେଶ କରିବାର ଅଧିକାର ରହିଥିଲା, କିନ୍ତୁ କେବଳ ମିଶ୍ରଣ ଯେ ପରିପୂର୍ଣ୍ଣତା ସୃଷ୍ଟିକରିବାକୁ ଅସମର୍ଥ, ଏହା ଅନୁଭବ କରିବାକୁ କଲ୍ପନାଶକ୍ତି ସେମାନଙ୍କର ନ ଥିଲା; କିମ୍ବା ସଞ୍ଚୟର ବିଶାଳତା ଯେ ସୁଖ ପ୍ରଦାନ କରେ ନାହିଁ, ଗତି ଯେ କେବଳ ତା’ର ଆବେଗ ସକାଶେ ପ୍ରଗତି ସମ୍ପାଦନ କରେ ନାହିଁ ଓ ଆଦର୍ଶର ପରିପୂର୍ଣ୍ଣତା ସହିତ ପ୍ରଗତିର ସମ୍ପର୍କ ଯେ ବିବିଦଭାବେ ନିହିତ, ଏହାର ଅନୁଭବ ଶକ୍ତି ମଧ୍ୟ ସେମାନେ ହରାଇଥିଲେ । ସେମାନଙ୍କର ଲୁଣ୍ଠନ ସ୍ପୃହା ଖୁବ୍ ଶୀଘ୍ର ପ୍ରକୃତିର ପୁର୍ନଜନ୍ମ ଶକ୍ତିକୁ ଅତିକ୍ରମ କରାଗଲା ସେମାନଙ୍କର ଲାଭ ଖୋର୍‍ ଦଳ ଅସ୍ୱାଭାବିକ ଅଭାବସବୁ ସୃଷ୍ଟି କରିଥିଲେ । ସେମାନେ ପ୍ରକୃତିର ସଞ୍ଚିତ ମୂଲଧନ ଆଶାରେ ଗଭୀର ଖନନ କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ନିର୍ମମ ଭବରେ ତା’ର ସମ୍ବଳସବୁ ଲୁଣ୍ଠନ କରିବାକୁ ଲାଗିଲେ । ପ୍ରକୃତ ଯୋଗାଇ ଦେଇଥିବା ତା’ର ସୀମିତ ସମ୍ପତ୍ତିକୁ ଯେତେବେଳେ ସେମାନେ ନିଃଶେଷ କଲେ, ସେତେବେଳେ ସେମାନେ ଅଧିକ ଭାଗ ଲାଳସାରେ ପରସ୍ପର ମଧ୍ୟରେ ସଂଗ୍ରାମରତ ହେଲେ । ସ୍ୱାଧୀକାର ପ୍ରତିଷ୍ଠା ପାଇଁ ନିଜ ମଧ୍ୟରେ ପ୍ରତିଦ୍ୱନ୍ଦିତା ସୃଷ୍ଟି କରିବା ସମୟରେ ସେମାନେ ନୀତିଶାସ୍ତ୍ରକୁ ଉପହାସ କଲେ ଏବଂ ତାହାକୁ ଜାତିଗତ ପ୍ରଧାନ୍ୟର ନିଦର୍ଶନରୂପେ ଗ୍ରହଣ କରି ଆକାଙ୍‍କ୍ଷାର ପୁରାଣ ପାଇଁ ନିର୍ମମଭାବେ ପଦଦଳିତ କରିବାକୁ ଲାଗିଲେ । ସେମାନେ ଜଳଭଣ୍ଡାର ଶୁନ୍ୟ କଲେ, ବୃକ୍ଷସବୁ ଛେଦନ କଲେ ଏବଂ ସେହି ଗ୍ରହର ଉପରିଭାଗକୁ ଶସ୍ୟହୀନ ଗହ୍ୱରର ଏକ ମରୁଭୂମିରେ ଏବଂ ଅନ୍ତଃପୁରକୁ ଐଶ୍ଵର୍ଯ୍ୟହୀନ ଏକ ଶୁନ୍ୟ ବନ୍ଧୁକଖୋଳରେ ପରିଣତ କଲେ । ଅନେକ ସମୟରେ ଯେଉଁ କୀଟସବୁ ଫଳ ଦେହରେ ଆଶ୍ରୟ ନେଇଥାନ୍ତି, ସେମାନେ ସେହି ଫଳର ଶସକୁ ସମ୍ପୂର୍ଣ୍ଣଭାବେ ନିଜ ଖାଦ୍ୟରେ ପରିଣତ କରିବା ଦ୍ୱାରା ତାହା ଅନ୍ତଃସାରଶୁନ୍ୟ ହୋଇଥାଏ ଏବଂ ଠିକ୍ ସେହିଭଳି ଯେଉଁ ସର୍ବଗ୍ରାସୀ ପ୍ରାଣୀସବୁ ଚନ୍ଦ୍ର ଦେହରେ ଜ୍ଞନଲାଭ କରିଥିଲେ, ସେମାନେ ତାହାର ଭୂମିକୁ ଗ୍ରାସ କରିବା ଫଳର ଚନ୍ଦ୍ର ପରିଣାମରେ ଏକ ପ୍ରାଣହୀନ କୋଷରେ ପରିଣତ ହେଲା । ଆଜି ପୃଥିବୀରେ ମନୁଷ୍ୟମାନେ ଯେଉଁପରି ଭାବରେ ବ୍ୟବହାର କରୁଛନ୍ତି, ମୋର କଳ୍ପିତ ଚନ୍ଦ୍ରଲୋକର ଅଧିବାସୀଙ୍କ ଆଚରଣ ଠିକ୍ ସେହିପରି ଥିଲା । ବସୁଧାମାତା ତା’ର ସନ୍ତାନସନ୍ତତିଙ୍କ ସ୍ୱାଭାବିକ କ୍ଷୁଧା ପାଇଁ ଯଥେଷ୍ଟ ଖାଦ୍ୟ ନିଜ ଭଣ୍ଡାରରେ ସଞ୍ଚୟ କରି ରଖିଛି । ଏପରିକି କ୍ୱଚିତ ଅସ୍ୱାଭାବିକ ପରସ୍ଥିତି ପାଇଁ ମଧ୍ୟ କିଛି ଅଧିକ ଖାଦ୍ୟ ତା’ ନିକଟରେ ସଞ୍ଚିତ, କିମ୍ବା ସହସା ଯଦି ସମଗ୍ର ପୃଥିବୀ ଭୋଜନସର୍ବସ୍ଵ ଓ ବିଳାସପ୍ରିୟ ବିପଥଗାମୀ ସନ୍ତାନସନ୍ତତିଙ୍କ ଦ୍ଵାରା ପରିପୂର୍ଣ୍ଣ ହୋଇଉଠେ, ତା’ ହେଲେ ପ୍ରାୟ ସେମାନଙ୍କର ବିଶ୍ଵଗ୍ରାହୀ କ୍ଷୁଧା ପାଇଁ ଏତେ ଅଧିକ ପରିମାଣର ଖାଦ୍ୟ, ବସୁଧାମାତା ସଞ୍ଚୟ କରି ରଖି ନାହିଁ ।

 

ନିଜର ଜୀବନ ଧାରଣ ପାଇଁ ମନୁଷ୍ୟ ବସୁମତୀର ସଞ୍ଚୟନର ଶେଷ ସମ୍ବଳକୁ ଲୁଣ୍ଠନ କରିବାକୁ ଗର୍ତ୍ତ ଖନନ କରିବା ସଙ୍ଗେ ନିଜର ଜୀବନ ପାଇଁ ମଧ୍ୟ ଗର୍ତ୍ତ ଖନନ କରୁଛି ଏବଂ ନିଜ ଶରୀରକୁ ଖାଦ୍ୟ ଭାବରେ ଗ୍ରହଣ କରି ସେ ଜୀବନ ଧାରଣ କରିବାକୁ ଚେଷ୍ଟିତ । ମଣିଷର ଏ ବିଚାରହୀନ ଅପଚୟର ଶ୍ରେଷ୍ଠ ନମୁନା ସେହି ପଲ୍ଲୀ । ସେଠାରେ ଜୀବନର ଆଲୋକ ନିଷ୍ପ୍ରଭ । ଜୀବନ ଧାରଣର ଆନନ୍ଦ ନିର୍ଜୀବ ଓ ସାମାଜିକ ମିଳନର ଯୋଗସୂତ୍ର ଛିନ୍ନ । ସମାଜର ଏହି ଅବହେଳିତ ସ୍ନାୟୁଗୁଡ଼ିକରେ ଜୀବନରକ୍ତର ପ୍ରବାହ ପୁଣି ସୃଷ୍ଟିକରିବା ଆମର ଲକ୍ଷ୍ୟ ହେବା ଉଚିତ-। ପଲ୍ଲୀବାସୀମାନେ ଯେପରି ସ୍ୱାସ୍ଥ୍ୟ ଓ ଜ୍ଞାନର ଅଧିକାରୀ ହୋଇ ବଞ୍ଚିବା ସକାଶେ ପ୍ରଚୁର ସ୍ଥାନ ଓ କାର୍ଯ୍ୟ କରିବା ପାଇଁ ଯଥେଷ୍ଟ ସମୟ ପାଇ ପାରିବେ, ଅବସର ସଙ୍ଗେ ଆନନ୍ଦ ଉପଭୋଗ ଓ ପଦମର୍ଯ୍ୟାଦା ଲାଭ କରିବା ପାଇଁ ସମ୍ମାନର ଅଧିକାରୀ ହେବେ; ମାନବଜଗତ ସହିତ ସେମାନଙ୍କର ଆତ୍ମୀୟତା ଅନୁଭବ କରିବାକୁ ସହାନୁଭୂତି ଲାଭ କରିବେ ଏବଂ କେବଳ ସହରବାସୀଙ୍କର ଆନୁଗତ୍ୟ ସ୍ୱୀକାର କରି ତାଙ୍କର କ୍ରୀଡ଼ାପୁତ୍ତଳିକା ନ ହେବେ, ସେଥିପ୍ରତି ଆମକୁ ଦୃଷ୍ଟି ଦେବାକୁ ପଡ଼ିବ ।

 

ସ୍ରୋତସ୍ଵିନୀ, ହ୍ରଦ ବା ସାଗର ନିଜର ସୀମା ମଧ୍ୟରେ ଜଳ ସଞ୍ଚୟ କରିବାକୁ କେବଳ ରହି ନ ଥାନ୍ତି; ସେମାନଙ୍କର ଜଳୀୟବାଷ୍ପରେ ମେଘମାଳା ଆକାଶରେ ସୃଷ୍ଟିହୁଏ ଏବଂ ବୃଷ୍ଟି ଫଳରେ ଜଳର ବ୍ୟାପକ ବିତରଣ ହୋଇଥାଏ । ସହରରେ ସେହିପରି ଧନ ଓ ଜ୍ଞାନାର୍ଜ୍ଜନର ସାଧନା କେନ୍ଦ୍ରୀଭୂତ ହୋଇ ରହିଛି । ଏହି ସାଧନା କେବଳ ଆତ୍ମସର୍ବସ୍ଵ ହେବ ଉଚିତ ନୁହେ । ଜଳସେଚନ କେନ୍ଦ୍ରଭଳି ତାହା ବିତରଣ ଉଦ୍ଦେଶ୍ୟରେ ହିଁ ସଞ୍ଚୟ କରିବା ଆବଶ୍ୟକ ଏବଂ ନିଜକୁ କେବଳ ବିରାଟ ନ କରି ସର୍ବସଧାରଣ ସମ୍ପତ୍ତିକୁ ସମୃଦ୍ଧ କରିବା ବାଞ୍ଛନୀୟ । ନିଜର ଆଲୋକ କେବଳ ପରିଧି ମଧ୍ୟରେ ସୀମିତ ନ ରଖି ଦୀପସ୍ତମ୍ଭ ଭଳି ତାହା ଚତୁର୍ଦ୍ଦିଗକୁ ବିକିରଣ କରିବା ଉଚିତ-

 

ସହଯୋଗିତା ଓ ଆତ୍ମତ୍ୟାଗରଭାବ ସମାଜରେ ଏକ ଜୀବନ୍ତ ଆଦେଶ ହୋଇଥିବା ପର୍ଯ୍ୟନ୍ତ ପଲ୍ଲୀ ଓ ସହର ମଧ୍ୟରେ ପାରସ୍ପରିକ କଲ୍ୟାଣର ସମ୍ପର୍କ ସ୍ଥାପିତ ହୋଇଥାଏ । ଏହି ଆଦର୍ଶ ଯେତେବେଳେ କୌଣସି ପ୍ରଲୋଭନ ଦ୍ୱାରା ପରାଜିତ ହୁଏ ଓ ସ୍ଵାର୍ଥପର ମନୋବୃତ୍ତି ପ୍ରାଧାନ୍ୟ ଲାଭ କରେ, ସେତେବେଳେ ପଲ୍ଲୀ ଓ ସହର ମଧ୍ୟରେ ଏକ ବ୍ୟବଧାନ ସୃଷ୍ଟି ହୋଇ ଉଠେ ଓ ତାହା କ୍ରମଶଃ ବିସ୍ତୃତ ଲାଭ କରେ । ପଲ୍ଲୀ ଓ ସହର ମଧ୍ୟରେ ସେତେବେଳେ ଭକ୍ଷ ଓ ଭକ୍ଷକର ସମ୍ପର୍କ ସ୍ଥାପିତ ହୁଏ ।

 

ଭାରତରେ ଆମ ବିଶ୍ଵଭାରତୀରେ ଏହି ଗ୍ରାମ ପୁନର୍ଗଠନର କାର୍ଯ୍ୟ ଆରମ୍ଭ ହୋଇଛି । ଜାତିକୁ ଅତ୍ମହତ୍ୟାର ପନ୍ଥାରୁ ନିବୃତ୍ତ କରିବା ଏହାର ଲକ୍ଷ୍ୟ । ଆପଣମାନଙ୍କୁ ଏହାର କର୍ମପନ୍ଥାର ବିସ୍ତୃତ ବିବରଣୀ ଦେବାକୁ ଯଦି ମୁଁ ଚେଷ୍ଟାକରେ, ତାହାହେଲେ ତାହା ଆପଣଙ୍କ ଦୃଷ୍ଟିରେ ଅତି ସାମାନ୍ୟ ବୋଲି ପ୍ରତୀତ ହେବ, କିନ୍ତୁ ଏହାର କ୍ଷୁଦ୍ରରୂପରେ ଆମେ ଆତଙ୍କିତ ନୋହୁଁ; କାରଣ ଜୀବନ ଉପରେ ଆମର ଅଖଣ୍ଡ ବିଶ୍ୱାସ ରହିଛି । ଆମେ ଜାଣୁଛୁ ଯେ ଯଦି ଆମର ଅନ୍ତର୍ନିହିତ ସତ୍ୟର ଭୃଣକୁ ଏହା ଯଦି ପ୍ରକାଶ କରୁଥାଏ, ତାହାହେଲେ ଏହା ସକଳ ବିରୋଧକୁ ଅତିକ୍ରମ କରି ଦେଶ କାଳକୁ ଜୟ କରିବ ।

 

ଆମେ ଜାଣୁଛୁଁ ଯେ ଦାରିଦ୍ର୍ୟ ଅପେକ୍ଷା, ଅସନ୍ତୋଷ ହିଁ ହେଉଛି ଆମର ଶ୍ରେଷ୍ଠ ସମସ୍ୟା-। ବିଭିନ୍ନ ସାମଗ୍ରୀର ଉତ୍ପାଦନ ଓ ସଂଗ୍ରହ ହିଁ ହେଉଛି ସମ୍ପତ୍ତିର ନାମାନ୍ତର ମାତ୍ର, ଏବଂ ମନୁଷ୍ୟ ଏହାକୁ ନିର୍ଦ୍ଦୟ ଭାବରେ ବ୍ୟବହାର କରି ପାରେ । ପୃଥିବୀକୁ ବିଦୀର୍ଣ୍ଣ କରି ମନୁଷ୍ୟ ଜୀବନ ସଞ୍ଚୟ କରି ପାରେ; କିନ୍ତୁ ବୈଷୟିକ ଉତ୍ପାଦନ ଦୃଷ୍ଟିରୁ ଐଶ୍ଵର୍ଯ୍ୟ ସହିତ ସୁଖ-ସନ୍ତୋଷ ପ୍ରତିଯୋଗିତା କରିବାକୁ ସମର୍ଥ ନ ହେଲେ ମଧ୍ୟ, ତାହା ହିଁ ହେଉଛି ଚରମ ସତ୍ୟ ଓ ସୃଜନକ୍ଷମ ମଧ୍ୟ । ତାହାର ଅନ୍ତର ମଧ୍ୟରେ ଐଶ୍ଵର୍ଯ୍ୟର ଉତ୍ସ ନିହିତ ।

 

ପଲ୍ଲୀ ଜୀବନର ମୃତ୍ତିକା ଶଯ୍ୟାକୁ ସୁଖ ସ୍ରୋତରେ ଵନ୍ୟାପ୍ଲୁତ କରିବା ହେଉଛି ଆମର ଲକ୍ଷ୍ୟ । ପଣ୍ଡିତ, କବି, ସଙ୍ଗୀତଜ୍ଞ ଓ କଳାକାରମାନେ ସହଯୋଗ କରି ତାଙ୍କର ଦାନ ଏଥିପାଇଁ ବିନିଯୋଗ କରିବା ଉଚିତ । ଅନ୍ୟଥା ସେମାନେ ପରାଙ୍ଗପୁଷ୍ଟ ଜୀବ ଭଳି ଜୀବନଧାରଣ କରିବେ ଏବଂ ଜନତାର ଜୀବନରୁ ରସ ସଞ୍ଚୟ କଲେ ମଧ୍ୟ ସେମାନଙ୍କୁ କିଛି ପ୍ରତିଦାନ ଦେବାକୁ ଅସମର୍ଥ ହେବେ, ଆମର ଦାରିଦ୍ର୍ୟ ସମସ୍ୟା ସମ୍ପର୍କରେ ଯେଉଁମାନେ ଚିନ୍ତା କରନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ କେବଳ ଉତ୍ପାଦନର ଗଭୀର ଉଦ୍ୟମ ଉପରେ ଜୋର ଦେଇଥା'ନ୍ତି, କିନ୍ତୁ ଆମେ ଭୁଲି ଯାଉଁ ଯେ, ଏହା ଦ୍ଵାରା ମାନବତା ଓ ଉପାଦାନ ଉଭୟର ଅଧିକ କ୍ଷୟ ଘଟିଥାଏ । ଏହା ବହୁର ଜୀବନମୂଲ୍ୟ ବିନିମୟରେ ଅଳ୍ପ କେତେକଙ୍କୁ ଲାଭର ଅତିରିକ୍ତ ସୁଯୋଗ ପ୍ରଦାନ କରିଥାଏ । ଅର୍ଥ ନୁହେ, କେବଳ ଖାଦ୍ୟ ହିଁ ଆମକୁ ଲାଳନ ପାଳନ ଓ ସୁସ୍ଥ ସବଳ କରିଥାଏ, ଏବଂ ଟଙ୍କାଥଳୀର ପୂର୍ଣ୍ଣତା ନୁହେ, କେବଳ ଜୀବନର ପରିପୂର୍ଣ୍ଣତା ହିଁ ମନୁଷ୍ୟକୁ ସୁଖୀ କରିଥାଏ । ଐଶ୍ଵର୍ଯ୍ୟର ପରିମାଣ ବୃଦ୍ଧି ହିଁ କେବଳ ଧନୀ ଓ ନିର୍ଦ୍ଧନ ମଧ୍ୟରେ ଅସମତକୁ ଗଭୀର ଓ ଦୃଢ଼ତର କରିଥାଏ ଏବଂ ସାମାଜିକ ସଂସ୍ଥା ଉପରେ ଏହା ଏପରି ଏକ ଗଭୀର କ୍ଷତ ସୃଷ୍ଟି କରେ ଯା ଫଳରେ ସମଗ୍ର ସମାଜ–ଶରୀର ରକ୍ତକ୍ଷୟ ହେତୁ ମୃତ୍ୟୁବରଣ କରିବାକୁ ବାଧ୍ୟ ହୁଏ ।

 

ମୋର ଯାହା କହିବାର କଥା, ତାହା ମୁଁ ପୂର୍ବରୁ ବହୁବାର କହିଛି, କହିବାର ଆଉ କିଛି ବାକି ନାହିଁ । ସେତେବେଳେ ମୋର ବଳ ବୟସ ଥିଲା ଏବଂ ମୋର ଚିନ୍ତାସ୍ରୋତ ମଧ୍ୟ ଥିଲା ଅପ୍ରତିହତ । ବୟସ ଓ ରୁଗ୍‍ଣ ସ୍ୱାସ୍ଥ୍ୟ ଦ୍ଵାରା ମୋର ଶକ୍ତି ବର୍ତ୍ତମାନ ଅପହୃତ ଏବଂ ମୋଠାରୁ ବର୍ତ୍ତମାନ ଆପଣମାନେ କିଛି ଆଶା କରିବା ବୃଥା ।

 

ଦୀର୍ଘକାଳ ପରେ ମୁଁ ବର୍ତ୍ତମାନ ଆପଣଙ୍କ ସମକ୍ଷରେ ଉପସ୍ଥିତ । ଆପଣମାନଙ୍କ ଭିତରୁ କେତେକଙ୍କୁ ମୁଁ ସମୟ ସମୟରେ ଦେଖିଛି ଓ ବର୍ତ୍ତମାନ ଆପଣଙ୍କୁ କେବଳ ମୋର ସାନ୍ନିଧ୍ୟ ଓ ସହଯୋଗ ପ୍ରଦାନ କରି ପାରେ । ପ୍ରଥମେ ଏ ଘରଟିକୁ ଯେତେବେଳେ ମୁଁ କିଣିଲି, ସେତେବେଳେ ମୋର କୌଣସି ନିର୍ଦ୍ଧିଷ୍ଟ ଲକ୍ଷ୍ୟ ନ ଥିଲା । କିନ୍ତୁ ଏତିକି କେବଳ ମୁଁ ସେତେବେଳେ ଭାବୁଥିଲି ଯେ, ଶାନ୍ତିନିକେତନ ଜନାକୀର୍ଣ୍ଣ ଜୀବନଠାରୁ ବହୁ ଦୂରରେ ଅବସ୍ଥିତ ଏବଂ ପରୀକ୍ଷାରେ କୃତକାର୍ଯ୍ୟ ହେବାକୁ ସୁଯୋଗ ଦେବା ସଙ୍ଗେ, ଶିକ୍ଷା ବିଭାଗ ଦ୍ଵାରା ନିର୍ଦ୍ଦିଷ୍ଟ ପ୍ରାତ୍ୟହିକ ଖାଦ୍ୟ ଅପେକ୍ଷା ଏହା ପିଲାମାନଙ୍କୁ ଅଧିକ କିଛି ପ୍ରଦାନ କରୁଛି ।

 

କିନ୍ତୁ ମୋର ମନରେ ଆଉ ଗୋଟିଏ ସ୍ରୋତ ପ୍ରବାହିତ ହେଉଥିଲା । ସିଆଲ୍‍ଦା ଓ ପାତିସର ଗାଁଗୁଡ଼ିକରେ ରହୁଥିବାବେଳେ ପ୍ରଥମେ ପଲ୍ଲୀଜୀବନ ସହିତ ମୋର ସମ୍ପର୍କ ସ୍ଥାପିତ ହେଲା । ଜମିଦାରୀ ବୁଝିବା ସେତେବେଳେ ମୋର କର୍ତ୍ତବ୍ୟ ଥିଲା । ପ୍ରଜାମାନେ ତାଙ୍କର ଆନନ୍ଦ, ବେଦନା, ଅନୁରୋଧ ଓ ଅଭିଯୋଗ ଧରି ମୋ ନିକଟକୁ ଆସୁଥିଲେ ଏବଂ ତାହାରି ମାଧ୍ୟମରେ ହିଁ ଗ୍ରାମର ସମ୍ପୂର୍ଣ୍ଣ ରୂପ ମୋ ନିକଟରେ ଆବିଷ୍କୃତ ହୋଇଥିଲା । ଏକ ଦିଗରେ ତାହାର ନଦୀ, ପ୍ରାନ୍ତର, କୃଷିକ୍ଷେତ୍ର ଓ ବୃକ୍ଷତଳାଶ୍ରୟୀ କୁଟୀରର ବହିର୍ଦୃଶ୍ୟ, ମୋ ନିକଟରେ ଯେପରି ପ୍ରତିଭାତ ହେଉଥିଲା, ଅନ୍ୟ ଦିଗରେ ତା'ର ଅନ୍ତରର ଗୋପନ କାହାଣୀ ମୋ ନିକଟରେ ମଧ୍ୟ ଉନ୍ମୋଚିତ ହୋଇଥିଲା । ମୋର କର୍ତ୍ତବ୍ୟର ଭିତର ଦେଇ ସେମାନଙ୍କର ଦୁଃଖ ଯନ୍ତ୍ରଣା ଅନୁଭବ କରିବାକୁ ସମର୍ଥ ହେଲି । ସହରଜାତ ମୁଁ ଏକ ନାଗରିକ ମାନବ । ମୋର ପୂର୍ବପୁରୁଷଗଣ କଲିକତାର ପ୍ରାଚୀନ ଆଧିବାସୀମାନଙ୍କର ଅନ୍ତର୍ଗତ ଏବଂ ଶୈଶବ, ପଲ୍ଲୀର କୌଣସି ସ୍ପର୍ଶଲାଭ କରି ନ ଥିଲା । ଯେତେବେଳେ ଜମିଦାରୀ ପରିଚାଳନାରେ ମୁଁ ନିଯୁକ୍ତି ହେଲି, ସେତେବେଳେ ମୋର କର୍ତ୍ତବ୍ୟ କ୍ଳାନ୍ତିକର ହେବ ବୋଲି ମୁଁ ଭାବିଥିଲି । ଜମାଖର୍ଚ୍ଚ ରଖିବା, ଖଜଣା ଆଦାୟ ଓ ଲାଭ କ୍ଷତି ବିଷୟ ବୁଝିବା କାଯ୍ୟରେ ମୁଁ ଆଦୌ ଅଭ୍ୟସ୍ତ ନ ଥିଲି ଏବଂ ମୋର ଅଜ୍ଞାତ ହିଁ ମୋ ମନରେ ଏକ ବୋଝ ଭଳି ମାଡ଼ି ବସିଥିଲା । ହିସାବ କିତାବ ଓ ଅଙ୍କ ଭିତରେ ଆବଦ୍ଧ ହେଲେ ବି, ମୁଁ ଯେ ତଥାପି ମନୁଷ୍ୟ ଓ ସ୍ୱାଭାବିକ ଅବସ୍ଥାରେ ରହି ପାରେ-ଏକଥା ମୋର ଥିଲା କଳ୍ପନାତୀତ ।

 

କିନ୍ତୁ ଯେତେବେଳେ ଏହି କର୍ତ୍ତବ୍ୟ ଭିତରେ ମୁଁ ପ୍ରବେଶ କଲି, ସେତେବେଳେ ଏହା ମୋତେ ସମ୍ପୂର୍ଣ୍ଣଭାବେ ଅଧିକାର କଲା । ମୋର ସ୍ଵଭାଵ ହେଉଛି ଯେ ମୁଁ ଯେତେବେଳେ କୌଣସି ଦାୟିତ୍ୱ ଗ୍ରହଣ କରେ, ସେତେବେଳେ ତାହା ମଧ୍ୟରେ ନିଜକୁ ପୂର୍ଣ୍ଣମାତ୍ରାରେ ହରାଇ ଦେଇଥାଏ ଏବଂ ପାରୁପର୍ଯ୍ୟନ୍ତ ତାହା ସମ୍ପନ୍ନ କରିବାକୁ ମଧ୍ୟ ଚେଷ୍ଟା କରିଥାଏ । ଜୀବନରେ ଥରେ ମୋତେ ଶିକ୍ଷାଦାନ କରିବାକୁ ପଡ଼ିଥିଲା, ସେତେବେଳେ ମୋର ସମସ୍ତ ହୃଦୟ ତା'ପ୍ରତି ମୁଁ ସମର୍ପଣ କରିଥିଲି ଏବଂ ତାହା ହିଁ ଥିଲା ମୋ ପକ୍ଷରେ ଯଥେଷ୍ଟ ଆନନ୍ଦଦାୟକ । ଜଟିଳ ଜମିଦାରୀ କାମକୁ ସହଜ କରିବା ସକାଶେ ମୁଁ ଯେତେବେଳେ ନିଜକୁ ନିୟୋଜିତ କଲି, ସେତେବେଳେ କେତେ ନୂତନ ପ୍ରଣାଳୀ ସୃଷ୍ଟି କରିଥିବାରୁ ମୁଁ ପ୍ରଶଂସାଭାଜକ ହୋଇଥିଲି ଏବଂ ସେହି ପ୍ରଣାଳୀ ଶିଖିବା ସକାଶେ ପଡ଼ୋଶୀ ଜମିଦାରମାନେ ମଧ୍ୟ ତାଙ୍କ କର୍ମଚାରୀମାନଙ୍କୁ ମୋ ନିକଟକୁ ପଠାଉଥିଲେ । ଏହା ଦ୍ଵାରା ଜମିଦାରୀ ମାହାଲରେ ଥିବା ବୃଦ୍ଧ କର୍ମଚାରୀଗଣ ଆତଙ୍କିତ ହେଲେ । ଏଭଳି ଏକ ଉପାୟରେ ସେମାନେ ଜମିଦାରୀ ହିସାବପତ୍ର ରଖୁଥିଲେ ଯେ, ତାହା ଧାରଣା କରିବା ମୋ ପକ୍ଷରେ ଥିଲା ଅସମ୍ଭବ । ତାଙ୍କର ଧାରଣା ଥିଲା ଯେ ସେମାନେ ଯାହାକୁ ପସନ୍ଦଯୋଗ୍ୟ ଭାବି ମୋତେ ବୁଝେଇଦେବାକୁ ଚେଷ୍ଟା କରୁଛନ୍ତି, ତହିଁରୁ ଅଧିକ ଜାଣିବାକୁ ଆଗ୍ରହ ପ୍ରକାଶ କରିବା ମୋ ପକ୍ଷରେ ଅନୁଚିତ । ପ୍ରଣାଳୀର ପରିବର୍ତ୍ତନ ଦ୍ଵାରା ଗଣ୍ଡଗୋଳ ଘଟିବ ବୋଲି ସେମାନେ ମୋତେ ବାରମ୍ବାର ସାବଧାନ କରାଉଥିଲେ । ପୁଣି ସେମାନେ ମୋତେ ସୂଚାଇ ଦେଇଥିଲେ ଯେ, ଯେଉଁ-ନୂତନ ପ୍ରଣାଳୀରେ ହିସାବ କିତାବସବୁ ରଖାଯାଇଛି, କୌଣସି ମାଲିମକଦ୍ଦମାର ପ୍ରଶ୍ନ ଉଠିଲେ, ଅଦାଲତ ନିଶ୍ଚୟ ତାକୁ ସନ୍ଦେହଚକ୍ଷୁରେ ଦେଖିବ । ଏ ସମସ୍ତ ସତ୍ତ୍ୱେ ବିଷୟର ଆମୂଳଚୂଳ ପରିବର୍ତ୍ତନ ଉପରେ ମୁଁ ଜୋର୍‍ ଦେଇଥିଲି ଏବଂ ଫଳ ମଧ୍ୟ ବେଶ ସନ୍ତୋଷଜନକ ହୋଇଥିଲା ।

 

ପ୍ରଜାମାନେ ଅନେକ ସମୟରେ ମୋତେ ଦେଖା କରିବାକୁ ଆସୁଥିଲେ ଏବଂ ସେମାନଙ୍କ ପାଇଁ ମୋର ଦ୍ୱାର ଦିନରାତି ଖୋଲାଥିଲା । ସେମାନଙ୍କର ଅଭିଯୋଗ ଶୁଣିବାରେ କେତେବେଳେ ମୋର ସାରାଦିନ କଟୁଥିଲା ଏବଂ ମୋର ଖାଇବାବେଳ ମଧ୍ୟ ଗଡ଼ି ଯାଉଥିଲା । ଆନନ୍ଦ ଓ ଉତ୍ସାହର ସହିତ ଏହି ସକଳ କାର୍ଯ୍ୟ ମୁଁ କରୁଥିଲି । ପିଲାଦିନୁ ମୁଁ ନିଛାଟିଆ ଭାବେ ରହିଥିଲି ଏବଂ ଏହିଠାରେ ହିଁ ପଲ୍ଲୀଜୀବନର ଅଭିଜ୍ଞତା ହେଉଛି ମୋର ପ୍ରଥମ । ନୂତନ ପଥରେ ଗତି କରିବାରୁ ମୁଁ ସନ୍ତୁଷ୍ଟ, ଉତ୍ସାହିତ ଓ ଆନନ୍ଦିତ ଥିଲି । ପଲ୍ଲୀଜୀବନର ସୁକ୍ଷ୍ମ ବିବରଣୀ ଜାଣିବାକୁ ମୁଁ ସର୍ବଦା ଆଗ୍ରହୀ ଥିଲି । କର୍ତ୍ତବ୍ୟର ଅନୁରୋଧରେ ନଦୀ, କେନାଲ ଓ ଅନ୍ୟ ଜଳ ପ୍ରଣାଳୀ ସାହାଯ୍ୟରେ ମୋତେ ବିଭିନ୍ନ ଦୂରବର୍ତ୍ତୀ ସ୍ଥାନକୁ ଯିବାପାଇଁ ପଡ଼ୁଥିଲା । ତଦ୍ଦ୍ୱାରା ଜୀବନର ପରିବର୍ତ୍ତନମାନ ଦୃଶ୍ୟ ଦେଖିବାର ସୁଯୋଗ ମଧ୍ୟ ମୋର ଘଟିଥିଲା । ପଲ୍ଲୀବାସୀଙ୍କର ପ୍ରାତ୍ୟହିକ କର୍ମ୍ମ ଓ ସେମାନଙ୍କର କାର୍ଯ୍ୟର ବିଚିତ୍ର ଗତି ଦ୍ୱାରା ମୁଁ ବିସ୍ମିତ ହୋଇଥିଲି । ସହର ମଧ୍ୟରେ ଲାଳିତ ପାଳିତ ହୋଇ ମୁଁ ସିଧାସଳଖ ପଲ୍ଲୀମାଧୁରୀ ମଧ୍ୟରେ ପ୍ରବେଶ କରିଥିଲି ଏବଂ ସେଥିରେ ମୋର ପ୍ରାଣପ୍ରାଚୂର୍ଯ୍ୟ ମଧ୍ୟ ପରିପୂର୍ଣ୍ଣ ହୋଇ ଉଠିଥିଲା । ତା'ପରେ କ୍ରମଶଃ ଲୋକମାନଙ୍କର ଦୁଃଖ ଦୈନ୍ୟର ଚିତ୍ର ମୋ ନିକଟରେ ସ୍ପଷ୍ଟ ହୋଇ ଉଠିଲା ଏବଂ ସେମାନଙ୍କ ପ୍ରତି ମୋର କର୍ତ୍ତବ୍ୟ ସମ୍ପର୍କରେ ମୁଁ ଚିନ୍ତା କରିବାକୁ ଲାଗିଲି । ମୁଁ ଲଜ୍ଜିତ ହେଲି ଯେ ମୁଁ ଜଣେ ଜମିଦାର-ମୋର ବୁଦ୍ଧିକେବଳ ଅର୍ଥକରୀ ଏବଂ କେବଳ ରାଜସ୍ୱ ଆଦାୟରେ ମୁଁ ସର୍ବଦା ନିମଗ୍ନ । ଏହି ଅନୁଭୂତି ଫଳରେ ଲୋକମାନଙ୍କୁ ଜାଗ୍ରତ କରିବାକୁ ଏବଂ ତାଙ୍କରି ଦାୟିତ୍ୱ ତାଙ୍କରି ହାତରେ ସମର୍ପଣ କରିବାକୁ ମୁଁ ଉଦ୍ୟମ କଲି । କୌଣସି ବାହାରିଆ ସାହାଯ୍ୟ ଦେବାକୁ ଚେଷ୍ଟା କରିବା ଦ୍ୱାରା ଗ୍ରାମବାସୀଙ୍କର କୌଣସି ମଙ୍ଗଳ ସାଧିତ ହୋଇ ପାରି ନ ଥାନ୍ତା । ତେଣୁ ତାଙ୍କରି ଭିତରେ ଜୀବନଶିଖା ମୁଁ କିପରି ପ୍ରଜ୍ଜ୍ଵଳିତ କରିବି,–ତାହା ହିଁ ମୋ ପକ୍ଷରେ ଅସଲ ସମସ୍ୟା । ତାଙ୍କୁ ସାହାଯ୍ୟ ଦେବା କଷ୍ଟକର ହେବାର କାରଣ ହେଉଛି ଯେ ସେମାନଙ୍କଠି ଥିଲା ଆତ୍ମସମ୍ମାନବୋଧର ଅଭାବ-।'' ଆମେ ହେଉଛୁ ନିହାତି ଅପଦାର୍ଥ କେବଳ ଚାବୁକ ହିଁ ଆମକୁ ସଳଖ କରି ପାରେ''-ଏହା ହିଁ ଥିଲା ତାଙ୍କ ମୁହଁର ଭାଷା ।

 

ନିକଟବର୍ତ୍ତୀ ଏକ ଗ୍ରାମରେ ଦିନେ ନିଆଁ ଲାଗିଲା । ଲୋକମାନେ ସେଥିରେ ଏତେ ହତବୁଦ୍ଧି ହୋଇ ପଡ଼ିଲେ ଯେ ସେମାନେ କିଛି କରିବାକୁ ହେଲେ ଅସମର୍ଥ । ତା'ପରେ ଏକ ପଡ଼ୋଶୀ ମୁସଲମାନ ବସ୍ତିରୁ ଲୋକମାନେ ଧାଇଁ ଆସି ନିଆଁ ସହିତ ବେଶ ଯୁଦ୍ଧକଲେ । ପାଣି ସେଠାରେ ନ ଥିବାରୁ ଚାଳଛପରକୁ ନିଆଁ ଲିଭାଇବା ସକାଶେ ଓଲାରୀ ଦେବାକୁ ପଡ଼ିଥିଲା । ଯେଉଁଠି ବା ନିଆଁ ଲାଗିଥିଲା, ତାହା ସମ୍ପୂର୍ଣ୍ଣ ଜଳିଯିବା ପୂର୍ବରୁ ତାକୁ ବାଡ଼େଇ ଲିଭେଇ ଦେବାକୁ ହୋଇଥିଲା । କଲ୍ୟାଣ ପାଇଁ ମଧ୍ୟ କ'ଣ ଶକ୍ତିବଳ ଆବଶ୍ୟକ ? ତାପରେ ସେମାନେ ଆସି ମୋତେ କହିଲେ, ''ଯାହାହେଉ ଭାଗ୍ୟବଳରୁ ଆମ ଚାଳସବୁ ଭାଙ୍ଗି ଦିଆଯିବାରୁ ଆମେ ଅଳ୍ପକେ ରକ୍ଷା ପାଇଗଲୁ ।'' ସେମାନେ ସୁଖୀ ହେଲେ ଯେ ମୁସଲମାନମାନେ ତାଙ୍କ ଛପରକୁ ବାଡ଼େଇବା ଦ୍ୱାରା ତାଙ୍କର ଉପକାର ହେଲା-କିନ୍ତୁ ମୁଁ ତାଙ୍କର ଵଶ୍ୟତା ସ୍ୱୀକାରରେ ଅତିଶୟ ଲଜ୍ଜିତ ହେଲି । ଗାଁ ମଝିରେ ଛୋଟ କୋଠାଟିଏ ଗାଁବାଲାଙ୍କ ପାଇଁ ତିଆରି କରିବାକୁ ମୁଁ ସ୍ଥିର କଲି । ସେଠାରେ ସନ୍ଧ୍ୟାବେଳେ ସମସ୍ତେ ଏକାଠି ହୋଇ ପାରିବେ, ଖବରକାଗଜ ପଢ଼ି ପାରିବେ ଏବଂ ରାମାୟଣ ମହାଭାରତ ମଧ୍ୟ ଶୁଣିବେ । ସେମାନଙ୍କ ପାଇଁ ତାହାହେବ ଗୋଟିଏ କ୍ଲବଘର । କାରଣ ସେମାନଙ୍କର ସନ୍ଧ୍ୟା ଯେପରି ଆନନ୍ଦହୀନଭାବେ ଅତିବାହିତ ହେଉଥିଲା, ତାହା ଚିନ୍ତାକରି ମୁଁ ଦୁଃଖିତ ହୋଇଥିଲି । ସେମାନଙ୍କର ସଂଧ୍ୟାର ଜୀବନଧାରା ଦେଖି ମୋତେ ଜଣାପଡୁଥିଲା, ସତେ ଯେପରି ଗୀତର ଗୋଟିଏ କ୍ଳାନ୍ତିକର ପଂକ୍ତି ପ୍ରତିଦିନ ବିରାମହୀନ ଭାବରେ ବୋଲାଯାଉଛି । କାଳକ୍ରମେ କୋଠାଟି ଛିଡ଼ାହେଲା, କିନ୍ତୁ ତଥାପି କେହି ତାକୁ ବ୍ୟବହାର କଲେ ନାହିଁ । ଶିକ୍ଷକ ଜଣେ ମୁଁ ନିଯୁକ୍ତ କଲି ସତ୍ୟ, କିନ୍ତୁ ନାନାପ୍ରକାର ଛଳନା ଦେଖାଇ ପିଲାମାନେ ତା'ପାଖକୁ ଆସିଲେ ନାହିଁ । ଏହାରି ତୁଳନାରେ ବରଂ ଗୋଟିଏ ମୁସଲମାନ ବସ୍ତିର ଲୋକମାନେ ଆସି ମୋତେ ଜଣେ ଶିକ୍ଷକ ସକାଶେ ଅନୁରୋଧ କଲେ ଏବଂ ଶିକ୍ଷକର ସମସ୍ତ ଖର୍ଚ୍ଚ ବହନ କରିବାକୁ ମଧ୍ୟ ସେମାନେ ମୋତେ ପ୍ରତିଶ୍ରୁତି ଦେଲେ । ଏହି ପ୍ରସ୍ତାବରେ ମୁଁ ସମ୍ମତ ହେଲି, ତାଙ୍କ ଗ୍ରାମରେ ସ୍କୁଲଟିଏ ସ୍ଥାପିତ ହେଲା ଏବଂ ବୋଧହୁଏ ଏବେ ସୁଦ୍ଧା ତାହା ରହିଛି । ମୋ ନିଜ ଗାଁରେ କିଛି ଆଉ କରାଯାଇପାରିଲାନି । ଗ୍ରାମବାସୀମାନେ ସମସ୍ତେ ନିଜ ଉପରୁ ସମସ୍ତ ଆସ୍ଥା ହରାଇ ବସିଲେ । ଅନ୍ୟ ଉପରେ ନିର୍ଭର କରିବାର ଅଭ୍ୟାସ କେଉଁ ସ୍ମରଣାତୀତ କାଳରୁ ଆମର ଅସ୍ତି ମଜ୍ଜାଗତ ହୋଇଯାଇଛି । ପ୍ରାଚୀନ କାଳରେ ଜଣେ ଧନୀବ୍ୟକ୍ତି ପଲ୍ଲୀଜୀବନର ଥିଲେ ମୂଳାଧାର ଓ ପରିଚାଳକ । ଶିକ୍ଷା, ସ୍ୱାସ୍ଥ୍ୟ ଓ ସବୁ କିଛି ତାଙ୍କ ଦାୟିତ୍ୱରେ ରହୁଥିଲା । ଏହି ପ୍ରଥା ଯୋଗୁଁ ହିଁ ସାଧାରଣ ମନୁଷ୍ୟର ଆତ୍ମବିଶ୍ଵାସ ଶକ୍ତି ଦୁର୍ବଳ ହୋଇଯାଇଥିଲା ।

 

ମୋ ଜମିଦାରୀ ଇଲାକାରେ ନଦୀ ଥିଲା ବହୁ ଦୂରରେ ଏବଂ ଜଳାଭାବ ଥିଲା ଗୋଟାଏ ପ୍ରଧାନ ସମସ୍ୟା । ପ୍ରଜାମାନଙ୍କୁ କହିଲି ଯେ ଯଦି ସେମାନେ କୂଅଟିଏ ଖୋଳି ଦିଅନ୍ତି, ମୁଁ ତାହାହେଲେ ତା'କୁ ପଲସ୍ତରା କରିଦେବି । ମୋ କଥାରେ ସେମାନେ ଉତ୍ତର ଦେଲେ, ‘‘ତୁମେ ତାହାହେଲେ ମାଛତେଲରେ ମାଛ ଭାଜିବାକୁ ଚାହଁ ।’’ ଆମେ ଯଦି କୂଅଟିଏ ଖୋଳିଦେଉଁ, ତୁମେ ସେଥିରୁ ଶୋଷୀକୁ ଜଳଦାନ କରି ପୂଣ୍ୟ ସଞ୍ଚୟ କରିବା ଫଳରେ ଶେଷରେ ସ୍ଵର୍ଗକୁ ଯିବ, କିନ୍ତୁ କାମଟି କରିବୁ ଆମେ । ଏହି ଧରଣାର ମୂଳ ହେଉଛି ଏ ସକଳ ପ୍ରକାର କାର୍ଯ୍ୟର ତାଲିକା ସ୍ୱର୍ଗରେ ରହୁଛି ଏବଂ ମୁଁ ଯେତେବେଳେ ବିରାଟ ପୁଣ୍ୟ ଅର୍ଜନ କରି ସପ୍ତସ୍ୱର୍ଗକୁ ଗମନ କରିବି, ସେତେବେଳେ ଗ୍ରାମବାସୀ କେବଳ କିଛି ଜଳମାତ୍ର ପିଇବେ । ଏଥିପାଇଁ ବାଧ୍ୟ ହୋଇ ମୋର ପ୍ରସ୍ତାବ ପ୍ରତ୍ୟାହାର କରିବାକୁ ପଡ଼ିଲା । ଆଉ ଗୋଟିଏ ଦୃଷ୍ଟାନ୍ତ ମୁଁ ଦେଉଛି । ଆମ ଜମିଦାରୀ ଅଫିସରୁ ଖୁସ୍ତିଆ ପର୍ଯ୍ୟନ୍ତ ମୁଁ ଏକ ରାସ୍ତା ତିଆରି କରିଥିଲି । ସେହି ରାସ୍ତା ପାଖାପାଖି ରହୁଥିବା ଗ୍ରାମବାସୀଙ୍କୁ ମୁଁ କହିଲି, "ଏ ରାସ୍ତାଟିକୁ ଠିକ୍ ରଖିବା ହେଉଛି ତୁମ୍ଭମାନଙ୍କର ଦାୟିତ୍ୱ, ଅତି ସହଜରେ ତୁମ୍ଭେମାନେ ଏକାଠି ହୋଇ ପାରିବ ଏବଂ ରାସ୍ତାଟିର ଖାଲଢ଼ିମାକୁ ମଧ୍ୟ ମରାମତି କରିଦେଇପାରିବ । ପ୍ରକୃତ ପକ୍ଷେ ସେହିମାନଙ୍କର ଶଗଡ଼ଚକ ଦ୍ଵାରା ହିଁ ରାସ୍ତାଟି ନଷ୍ଟ ହୋଇଥିଲା ଏବଂ ବର୍ଷା ଦିନରେ ତାକୁ କେହି ବ୍ୟବହାର କରିପାରୁ ନ ଥିଲେ । ସେମାନେ ଉତ୍ତର ଦେଲେ, "ଖୁସ୍ତିଆର ଭଦ୍ରଲୋକମାନେ ସହଜରେ ଯିବା ଆସିବା କରି ପାରିବେ ବୋଲି ଆମେ କ'ଣ ରାସ୍ତାଟିର ଯତ୍ନନେବୁ ? "ଅନ୍ୟମାନେ ଯେ ତାଙ୍କର ଶ୍ରମର ଫଳ ଉପଭୋଗ କରି ପାରିବେ, ଏ ଧାରଣା ସେମାନେ ସହ୍ୟକରି ପାରୁ ନ ଥିଲେ । ତାହା ଘଟୁ ପଛକେ ସେମାନେ ଅସୁବିଧା ଭିତରେ ରହିବାକୁ ସୁଖ ପାଉଥିଲେ । ଆମ ଗ୍ରାମଗୁଡ଼ିକରେ ନିର୍ଧନଲୋକେ ବହୁ ଅପମାନ ସହ୍ୟ କରିଛନ୍ତି ଏବଂ କ୍ଷମତାଶାଳୀ ଲୋକମାନେ ମଧ୍ୟ ଅନେକ ଭୁଲ କରିଛନ୍ତି । ଅନ୍ୟ ଦିଗରେ କ୍ଷମତାପନ୍ନ ଲୋକକୁ ହିଁ ସମସ୍ତ ଜନହିତକର କାର୍ଯ୍ୟ କରିବାକୁ ପଡ଼ୁଥିଲା ।

 

ଅତ୍ୟାଚାର ଓ କରୁଣା ମଧ୍ୟରେ ରହି ଗ୍ରାମବାସୀମାନଙ୍କର ଆତ୍ମସମ୍ମାନବୋଧ ଶୂନ୍ୟ ହୋଇ ଯାଇଛି । ତାଙ୍କର ଦୁଃଖକୁ ପୂର୍ବ ଜନ୍ମର ଅର୍ଜିତ ପାପର କାରଣ ବୋଲି ସେମାନେ ଭାବନ୍ତି ଏବଂ ବିଶ୍ୱାସ କରନ୍ତି ଯେ ଗୋଟିଏ ଭଲ ଜୀବନ ପାଇବାକୁ ହେଲେ ଅଧିକ ଶକ୍ତିଧରି ପୁଣି ଥରେ ନବଜନ୍ମ ଲାଭ କରିବା ଉଚିତ । ଦୁଃଖ ଯନ୍ତ୍ରଣାରୁ ଯେ ଆଉ ନିଷ୍କୃତ ନାହିଁ–ଏ ଦୃଢ଼ ସଂସ୍କାର ଫଳରୁ ହିଁ ସେମାନେ ଅସହାୟ ହୋଇ ପଡ଼ିଥାନ୍ତି ।

 

ଦିନଥିଲା ଯେତେବେଳେ ଜଳଦାନ ବି ଶିକ୍ଷାଦାନ କରିବାକୁ ଧନୀଲୋକେ ଗୋଟିଏ ପୂଣ୍ୟ କାର୍ଯ୍ୟ ବୋଲି ଭାବୁଥିଲେ । ସେମାନଙ୍କର ଶୁଭେଚ୍ଛା ଫଳରେ ଗ୍ରାମବାସୀମାନେ ସୁଖରେ ଚଳୁଥିଲେ । କିନ୍ତୁ ଏହି ଧନୀଲୋକମାନେ ଯେତେବେଳେ ସହରକୁ ଯିବା ଆରମ୍ଭ କଲେ, ଜଳଯୋଗାଣ ବନ୍ଦ ହୋଇଗଲା, ହଇଜା ଓ ମେଲେରିଆ ପ୍ରବଳ ଭାବରେ ଦେଖାଦେଲା ଏବଂ ସୁଖର ସ୍ରୋତ ଗାଁ ଗାଁ ଧରି ଶୁଖିଗଲା । ପଲ୍ଲୀ ଅଂଚଳରେ ଜୀବନ କିପରି ନିରାନନ୍ଦମୟ, ତାହା କଳ୍ପନା କରିବା ମଧ୍ୟ କଷ୍ଟକର । ଏହାର ନିଷ୍କୃତିର ପନ୍ଥା ମୁଁ କିଛି ପାଇଲି ନାହିଁ । ଯେଉଁ ଲୋକମାନେ ବହୁ ଶତାବ୍ଦୀ ଧରି ନିଜ ଭିତରେ ଦୁର୍ବଳତାକୁ ପ୍ରଶ୍ରୟ ଦେଇ ପାଳନ କରିଛନ୍ତି ଏବଂ ସ୍ଵାବଲମ୍ବନଶୀଳତା କଣ ଜାଣି ନାହାନ୍ତି, ସେମାନଙ୍କ ପାଇଁ କିଛି କରିବା ଅତି କଷ୍ଟକର । ତଥାପି ମୁଁ ଗୋଟାଏ ଆରମ୍ଭ କଲି । ସେତେବେଳେ ମୋର ଏକମାତ୍ର ସହାୟକ ଥିଲା କାଳିମୋହନ । ପ୍ରତିଦିନ ସଂଜ ସକାଳେ ତାକୁ ଜର ଆସୁଥିଲା, ମୋ ଔଷଧ ବାକ୍ସ ସାହାଯ୍ୟରେ ମୁଁ ନିଜେ ତା'ର ଚିକିତ୍ସା କରିଥିଲି ଏବଂ ତାକୁ ଯେ ବଞ୍ଚାଇ ପାରିବି-ଏ ଧାରଣା ମୋର ନ ଥିଲା । ଶାସ୍ତ୍ର କହେ, ‘‘ଶ୍ରଦ୍ଧୟା ଦେୟମ୍"–ଯଦି ଦେଉଛ, ତେବେ ଶ୍ରଦ୍ଧା ସହକାରେ ଦାନ କର । ସେହି ଦୃଷ୍ଟିରୁ ମୁଁ କାମ କରିବାକୁ ଆରମ୍ଭ କଲି । କୃଷକମାନେ ବଳଦ ଓ ଲଙ୍ଗଳ ଧରି ତାଙ୍କ କୃଷିକ୍ଷେତ୍ରକୁ ଯାଉଥିବାର ଦୃଶ୍ୟ ଅଫିସ କୋଠାରେ ଥାଇ ମୁଁ ବହୁବାର ଲକ୍ଷ୍ୟ କରିଥିଲି । ସେମାନଙ୍କର କ୍ଷେତସବୁ ଛୋଟ ଛୋଟ କିଆରୀରେ ବିଭକ୍ତ ଏବଂ ପ୍ରତ୍ୟେକ ଲୋକ ତା'ର ନିଜର ଜମିଜୁମା ଚାଷ କରୁଥିଲା । ଶକ୍ତିର ତାହା ଏକ ବିରାଟ ଅପଚୟ ବୋଲି ମୁଁ ଜାଣୁଥିଲି । ତେଣୁ ଲୋକମାନଙ୍କୁ ଡକାଇଆଣି କହିଲି, "ଜମିସବୁ ଏକାଠି ହଳ କର, ସମସ୍ତଙ୍କର ଶକ୍ତି ଓ ସମ୍ୱଳକୁ ମଧ୍ୟ ଏକାଠି କର, ତାହା ହେଲେ ତୁମେ ଟ୍ରାକ୍ଟର ମଧ୍ୟ ବ୍ୟବହାର କରିପାରିବ । ତୁମେ ସବୁ ଯଦି ଏକାଠି କାମ କରନ୍ତ, ତାହାହେଲେ ବ୍ୟକ୍ତିଗତ ଜମିଜମାର ଯେଉଁ କ୍ଷୁଦ୍ର ପାର୍ଥକ୍ୟ ରହିଛି, ତାହା ଆଉ ବିଶେଷ ବଡ଼ ବୋଲି ମନେ ହେବ ନାହିଁ । ଲାଭ ଯାହାକିଛି ହେବ, ତୁମେମାନେ ସମାନଭାବରେ ଭୋଗ କରିବ । ଗାଁର ସବୁ ଫସଲକୁ ଗୋଟିଏ ସ୍ଥାନରେ ତୁମେ ସଞ୍ଚୟ କର, ତାହାହେଲେ ତୁମେ ମଧ୍ୟସ୍ଥ ବେପାରୀଠୁଁ ଫସଲ ପାଇଁ ଭଲ ଦାମ ମଧ୍ୟ ପାଇ ପାରିବ । ଲୋକମାନେ ତାହା ଶୁଣି କହିଲେ, "ଧାରଣାଟି ବେଶ୍‍ ଭଲ କିନ୍ତୁ, କିପରି ତାକୁ ଆମେ କାର୍ଯ୍ୟରେ ପରିଣତ କରିବୁ ?" ସେ ସମ୍ପର୍କରେ ଯଦି ମୋର ଜ୍ଞାନ ଓ ଶିକ୍ଷା ଥା'ନ୍ତା, ତାହାହେଲେ ସେ ଦାୟିତ୍ୱବହନ କରିବାକୁ ମୁଁ ସମ୍ମତି ଦେଇଥାନ୍ତି । ସେମାନେ ମୋତେ ଜାଣିଥିଲେ; କିନ୍ତୁ କେବଳ ଖାଲି ଚାହିଁଦେଲେ ଜଣେ କେବେ ଅନ୍ୟର ଉପକାର କରି ନ ପାରେ । ଆଜି ସାହାଯ୍ୟ ଅପେକ୍ଷା ଅଧିକ ବିପଜ୍ଜନକ କଥା ଆଉ କିଛି ନାହିଁ । ଥରେ ସହରର ଦଳେ ଯୁବକ ଗ୍ରାମବାସୀମାନଙ୍କୁ ସାହାଯ୍ୟ କରିବାକୁ ଗଲେ । କିନ୍ତୁ ଲୋକମାନେ ଥଟ୍ଟା କରି ଚିତ୍କାର କରି ଉଠିଲେ, "ଦେଖ, ଚାରିଅଣିଆ ଭଦ୍ରଲୋକସବୁ ଆସୁଛନ୍ତି ।" ଏଥିରେ ବିସ୍ମିତ ହେବାର କିଛି ନାହିଁ । ଏହି ଯୁବକ ଦଳ ଗ୍ରାମବାସୀମାନଙ୍କର ଭାଷା ବା ସେମାନଙ୍କର ମାନସିକ କ୍ରିୟାକଳାପ ସମ୍ପର୍କରେ ସମ୍ପୂର୍ଣ୍ଣ ଅନଭିଜ୍ଞ ଥିଲେ ।

 

କିନ୍ତୁ କିଛି ନା କିଛି କରିବାର ଆବଶ୍ୟକତା ମୋତେ ପଡ଼ିଥିଲା । ମୋର ପୁଅ ସନ୍ତୋଷକୁ କୃଷି ଓ ଗୋପାଳନ ସମ୍ବନ୍ଧରେ ଶିକ୍ଷାଲାଭ କରିବା ସକାଶେ ବିଦେଶକୁ ପଠାଇଥିଲି ଏବଂ ଅନ୍ୟ କେତେ ପ୍ରକାର ମଧ୍ୟ କାମ ଓ ଚିନ୍ତା କରିବାକୁ ଲାଗିଥିଲି । ପ୍ରାୟ ସେହି ସମୟରେ ଘରଟିକୁ କିଣି ସିଆଲଦାରେ ଆରମ୍ଭ କରିଥିବା କାର୍ଯ୍ୟକୁ ପୁଣି ସେଠାରେ ଆରମ୍ଭ କରିବାକୁ ଭାବିଥିଲି । ଏହି ପତନୋନ୍ମୁଖ ଗୃହଟି ପୁଣି ଭୂତପ୍ରେତଙ୍କ ଆଶ୍ରୟସ୍ଥଳୀ ବୋଲି ବିବେଚିତ ହେଉଥିଲା । ଏହାର ମରାମତି କାର୍ଯ୍ୟରେ ଗୁଡ଼ାଏ ଅର୍ଥ ବ୍ୟୟ ମଧ୍ୟ କରିଥିଲି । ତା'ପରେ କିଛିକାଳ ମୁଁ ନୀରବ ହୋଇ ବସିଗଲି । ଘରଟିକୁ ବିକ୍ରି କରିଦେବା ପାଇଁ ଏଣ୍ଡ୍ରୁଜ ମୋତେ ପରାମର୍ଶ ଦେଲେ । କିନ୍ତୁ ମନେ ମନେ ଭାବିଲି, ଘରଟିକୁ ଯେତେବେଳେ ମୁଁ କିଣିଛି, ତାର କିଛି ଅର୍ଥ ହୁଏତ ଥାଇପାରେ-। ମୋ ଜୀବନର ଦୁଇଟି ଲକ୍ଷ୍ୟ ମଧ୍ୟରୁ କୌଣସି ଗୋଟିଏ ହୁଏତ ଏଠାରେ ପରିପୂର୍ଣ୍ଣ ହୋଇପାରେ-। କିନ୍ତୁ କିପରି ଓ କେତେବେଳେ ତାହା ପୂର୍ଣ୍ଣ ହେବ ? ମୋର କୌଣସି ଧାରଣା ନ ଥିଲା । ଏକ ମାହେନ୍ଦ୍ର ମୁହୂର୍ତ୍ତରେ ଅନୁର୍ବର ଜମିରେ ବୀଜ ବପନ କଲେ ମଧ୍ୟ ସହସା ସେଥିରେ ଲକ୍ଷଣ ମଧ୍ୟ ଦେଖାଯାଉ ନ ଥିଲା । ପ୍ରତ୍ୟେକ ବସ୍ତୁ ଥିଲା ଦୁର୍ଲଭ । ଯାହା ହେଉ ଧୀରେ ଧୀରେ ବୀଜ ଅଙ୍କୁରିତ ହେବାକୁ ଲାଗିଲା । ବନ୍ଧୁ ଆମହାର୍ତ୍ ମୋତେ ଯଥେଷ୍ଟ ସାହାଯ୍ୟ କଲେ । କେବଳ ତାଙ୍କରି ଯୋଗୁଁ ହିଁ ଏହି ସ୍ଥାନ ଏକ ସ୍ଵାଧୀନ କର୍ମକ୍ଷେତ୍ରରେ ପରିଣତ ହେଲା ଓ ତା'ର ଦ୍ରୁତପ୍ରଗତି ମଧ୍ୟ ପରିଲକ୍ଷିତ ହେଲା । ଶାନ୍ତିନିକେତନ ସହିତ ଏହାକୁ ଏକାଠି କରି ଗଣିବା ଉଚିତ ହୋଇ ନ ଥାନ୍ତା ।

 

ଆପଣମାନକୁ ମୋର ଆଉ ଗୋଟିଏ କଥା କହିବାକୁ ଅଛି । ଆମେ ଦେଖିବା ଉଚିତ ଯେ ଲୋକଙ୍କ ମଧ୍ୟରୁ ଗୋଟିଏ ଶକ୍ତି ଆସି କାମ କରିବାକୁ ଆରମ୍ଭ କରିଛି । "ସ୍ଵଦେଶ ସମାଜ" ଲେଖିବା ସମୟରେ ସେହି ଚିନ୍ତା ହିଁ ମୋ ମନରେ ଆସିଥିଲା । ସେତେବେଳେ ମୁଁ କହିଥିଲି ଯେ ସମଗ୍ର ଦେଶ ବିଷୟରେ ଭାବିବା ଆମର ଦରକାର ନାହିଁ, ଏବଂ ଗୋଟିଏ ବା ଦୁଇଟି ଗ୍ରାମରେ ଆମେ ଆମର କାର୍ଯ୍ୟ ଆରମ୍ଭ କରିଦେବା । ଯଦି ଆମେ ଗୋଟିଏ ଗାଁକୁ ମଧ୍ୟ ଅସହାୟତା ଓ ଅଜ୍ଞତାର ଶୃଙ୍ଖଳା ଭିତରୁ ମୁକ୍ତ କରିଦେଇ ପାରିବା, ତାହାହେଲେ ସମଗ୍ର ଭାରତ ପାଇଁ ଗୋଟିଏ ଆଦର୍ଶ ପ୍ରତିଷ୍ଠିତ ହୋଇପାରିବ । ସେତେବେଳେ ତାହା ହିଁ ମୁଁ ଭାବିଥିଲି ଏବଂ ଏପର୍ଯ୍ୟନ୍ତ ମଧ୍ୟ ମୁଁ ତାହା ଭାବୁଛି । ଏହି ପ୍ରକାରେ ଅଳ୍ପ କେତୋଟି ଗାଁ ଅନ୍ତତଃ ପୁନର୍ଗଠିତ ହୁଅନ୍ତୁ, ଏବଂ ମୁଁ କହିବି ସେଗୁଡ଼ିକ ହିଁ ମୋର ଭାରତବର୍ଷ, ପ୍ରକୃତ ଭାରତବର୍ଷକୁ ଆବିଷ୍କାର କରିବାର ତାହା ହିଁ ହେଉଛି ଯଥାର୍ଥ ମାର୍ଗ ।

 

-୧୯୨୮

Image

 

Unknown

ସମବାୟ

 

ପ୍ରତ୍ୟେକ ଦେଶରେ ଧନୀକ ଶ୍ରେଣୀ ଅପେକ୍ଷା ଗରିବ ଶ୍ରେଣୀର ଲୋକସଂଖ୍ୟା ଅଧିକ-। ତାହାହେଲେ କେଉଁ ଦେଶକୁ ଆମେ ନିର୍ଦ୍ଦିଷ୍ଟ ଭାବରେ ଦରିଦ୍ର ଦେଶ ବୋଲି ଗ୍ରହଣ କରିବା ? ଯେଉଁଠି ଜୀବନଧାରଣର ପନ୍ଥା ସ୍ୱଳ୍ପ ଓ ସେଗୁଡ଼ିକ ମଧ୍ୟ ଅବରୁଦ୍ଧ, ତାହାକୁ ହିଁ ଦରିଦ୍ର ଦେଶ ବୋଲି ଗ୍ରହଣ କରାଯାଇ ପରେ । ଯେଉଁଠି ଦରିଦ୍ର ଓ ନିଃସ୍ଵମାନେ ଉନ୍ନତ ଜୀବନ ଜାପନ କରିବାକୁ ଆଶାନ୍ଵିତ, ସେଠାରେ ସେହି ଆଶା ହିଁ ପ୍ରକୃତରେ ଏକ ବିଭବ । ଆମ ଦେଶରେ ମୁଳପାଣ୍ଠିର ଯେ ଅଭାବ ଅଛି, ତାହା ନୁହେ, ତା'ଠୁଁ ଅଧିକ ଶୋଚନୀୟ ଭାବେ ଆମ ଉନ୍ନତି କାମନାର ଅଭାବ ରହିଛି । କ୍ଷୁଧାର ଯନ୍ତ୍ରଣା ସହ୍ୟ କଲାବେଳେ ଆମେ ଭାଗ୍ୟକୁ ନିନ୍ଦା କରୁଁ । ଆମେ ଭୁଲୁଣ୍ଠିତ ହୋଇ ଅତି ହୀନ ଅବସ୍ଥାରେ ଜୀବନଯାପନ କରୁଁ । ଆମ ମନରେ ଦୃଢ଼ ବିଶ୍ଵାସ ଥାଏ ଯେ କେବଳ ଦୈବୀ ଅନୁଗ୍ରହ ବା ବାହାର ଲୋକଙ୍କର ଅନୁକମ୍ପା ଦ୍ଵାରା ବିପନ୍ନ ଅବସ୍ଥାରୁ ଆମେ ଉଦ୍ଧାର ପାଇ ପାରୁ । ଏହାର ପ୍ରତିକାର ଯେ ଆମ ନିଜ ହାତରେ ହିଁ ରହିଛି ଏକଥା ଆମେ ଚିନ୍ତାକରି ପାରୁ ନା । ସେଥିପାଇଁ ଅନ୍ୟ ନିକଟରେ ଭିକ୍ଷାର୍ଥୀ ହେବା ଅପେକ୍ଷା ନିଜ ହୃଦୟରେ ଆଶା ପୋଷଣ କରିବା ଶ୍ରେୟସ୍କର । ମନୁଷ୍ୟ ନିଜର ଶକ୍ତିହୀନତା ଯୋଗୁଁ ହିଁ ଦାରିଦ୍ର୍ୟ ମଧ୍ୟରେ ନିମଜ୍ଜିତ ହୁଏ ସିନା କିନ୍ତୁ ଭାଗ୍ୟଲିପି ତାର କାରଣ ନୁହେ । ଏହି ଦାରିଦ୍ର୍ୟ ଯେ ବିଧିନିର୍ଦ୍ଦିଷ୍ଟ ଏବଂ ସେଥିରୁ ତାର ପରିତ୍ରାଣ ନାହିଁ, ଏକଥା ସେ ଯେତେବେଳେ ଚିନ୍ତା କରେ, ସେତେବେଳେ ଦାରିଦ୍ର୍ୟ ମଧ୍ୟ ତାର ଚିର ସହଚର ହୋଇ ରହେ । ନିତ୍ୟ ନୂତନ ଭାବରେ ଶକ୍ତି ସଞ୍ଚୟ କରି ନୂତନ ପଥର ସନ୍ଧାନୀ ହେଲେ ପ୍ରଗତି ସମ୍ଭବପର ହୁଏର–ଏହା ହିଁ ହେଉଛି ପ୍ରଗତିର ଚିରନ୍ତନ ରହସ୍ୟ । ଭାଗ୍ୟଚକ୍ରର ଆଶାରେ ମନୁଷ୍ୟ ଅସହାୟ ଭାବରେ ଯେତେବେଳେ ଅପେକ୍ଷା କରି ବସେ ସେତେବେଳେ ମନୁଷ୍ୟ ଜାତିର ଏକ ଅଭିଶାପ ରୂପେ ସେ ବିବେଚିତ ହୋଇଥାଏ ।

 

ନିଜର ପ୍ରତିବେଶୀମାନଙ୍କ ସହିତ ସମ୍ପୂର୍ଣ୍ଣ ଭାବରେ ମିଳାମିଶା କରିବାକୁ ଯଦି ସେ ଅକୃତକାର୍ଯ୍ୟ ହୁଏ, ତାହାହେଲେ ତାର ମନୁଷ୍ୟତାର ରୂପ ଖର୍ବ ହୋଇପଡ଼େ । ଏହି ସମ୍ମିଳିତ ହେବାର ଦକ୍ଷତା ଯେଉଁମାନଙ୍କର ରହିଛି, ସେ ପୂର୍ଣ୍ଣତାର ଅଧିକାରୀ, ମାତ୍ର ଜଣେ ନିଃସଙ୍ଗ ବ୍ୟକ୍ତି ସର୍ବଦା ଅପୂର୍ଣ୍ଣ । ଆମେ ଜାଣୁ ଯେ ଶିଶୁ ଏକୁଟିଆ ଥିବା ଅବସ୍ଥାରେ ଭୂତ ପ୍ରେତଙ୍କୁ ଭୟ କରିଥାଏ । ଏକୁଟିଆ ମନୁଷ୍ୟର ନିଜ ଦୁର୍ବଳତା ମଧ୍ୟରୁ ହିଁ ଏହି ଭୟର ଜନ୍ମ । ଆମର ଅଧିକାଂଶ ଭୟ ମୂଳରେ ଏହି ଭୂତ ଭୟ ଭଳି ସ୍ଵକୀୟ ଦୁର୍ବଳତାର ଚିତ୍ର ହିଁ ନିହିତ ।

 

ଦାରିଦ୍ର୍ୟଜନିତ ଭୟ ମଧ୍ୟ ଆମର ରହିଛି । ଆମେ ଯଦି ଦଳ ବାନ୍ଧି ଛିଡ଼ାହୋଇ କାମ କରୁଁ, ତାହାହେଲେ ଏହି ଭୟର ଦୂରୀକରଣ ସମ୍ଭବପର ହେବ । କେବଳ ମିଳିତ ଉଦ୍ୟମ ଦ୍ୱାରା ହିଁ ମନୁଷ୍ୟ ଜ୍ଞାନ, ବିଶ୍ଵାସ, ଶକ୍ତି ଓ ସମ୍ପତ୍ତି ଆଦି ଜୀବନର ମୂଲ୍ୟବାନ ବିଭବଗୁଡ଼ିକ ହାସଲ କରି ପାରିଛି । ବାଲିଆ ମାଟିରେ କୌଣସି ଶସ୍ୟ ଉତ୍ପନ୍ନ ହୁଏନି । ତାର କାରଣ ଏ ମୂର୍ତ୍ତିକା ବିଭିନ୍ନ ଓ ଅସଲଗ୍ନ । ସେ ମୃତ୍ତିକାରେ ରସ ସଞ୍ଚିତ ହୋଇ ପାରେନା, ଏବଂ ବିଭିନ୍ନ ରନ୍ଧ୍ର ପଥରେ ତାହା କ୍ଷରିତ ହୋଇଥାଏ । ଏହି ରନ୍ଧ୍ରପଥକୁ ଯଦି ବିଭିନ୍ନ ଉପକରଣ ଦ୍ଵାରା ଆବଦ୍ଧ କରାଯାଏ, ତାହାହେଲେ ମାଟି ଉର୍ବର ଓ ଉତ୍ପାଦନକ୍ଷମ ହୋଇଥାଏ । ଏହି ନୀତି ମାନବଜଗତରେ ମଧ୍ୟ ପ୍ରଯୁଜ୍ୟ । ଯେଉଁଠି ସେମାନଙ୍କ ମଧ୍ୟରେ ବ୍ୟାପକ ବ୍ୟବଧାନ ରହିଛି । ସେମାନଙ୍କର ଶକ୍ତି କୌଣସି କାର୍ଯ୍ୟରେ ଲାଗି ପାରେନା ।

 

ମଣିଷ ଯେ ଅନ୍ୟମାନଙ୍କ ସହିତ ସମ୍ମିଳିତ ସେବା ଦ୍ୱାରା ଆପଣାକୁ ପୂର୍ଣ୍ଣ ଭାବରେ ଉପଲବ୍ଧି କରେ, ଏହି ମୂଳ କଥାଟିକୁ ବର୍ତ୍ତମାନ ପରୀକ୍ଷା କରାଯାଉ । ମଣିଷର ଭାଷା ଅଛି ଏବଂ ସେ କଥାବାର୍ତ୍ତା କରିପାରେ । ମାତ୍ର ଜୀବଜନ୍ତୁଙ୍କର ଭାଷା ନାହିଁ । ଭାଷାର ଏକତ୍ରୀକରଣ ଶକ୍ତି ସାହାଯ୍ୟରେ ମନୁଷ୍ୟର ମନ ଅନ୍ୟମାନଙ୍କ ସହିତ ସମ୍ମିଳିତ ହୋଇଥାଏ । ଅନ୍ୟଥା ଏହା କେବଳ ନିଜ ମଧ୍ୟରେ ହିଁ ନିମଜ୍ଜିତ ହୋଇ ରହୁଥନ୍ତା । କେବଳ ଭାଷା ମାଧ୍ୟମରେ ହିଁ ମୋର ନିଜ ମନକୁ ଅନ୍ୟମାନଙ୍କ ମନରେ ପ୍ରତିବିମ୍ବିତ କରିପାରେ ଏବଂ ସେମାନଙ୍କର ମନ ମୋର ମାନସିକ ସତ୍ତାରେ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥାଏ । ଏହି ମିଳିତ ଚିନ୍ତାର ଐଶ୍ଵର୍ଯ୍ୟ ଫଳରେ ଆମେ ଅନ୍ତରରେ ଦାରିଦ୍ର୍ୟ ଅନୁଭବ କରୁ ନା । ଲିପି ସାହାଯ୍ୟରେ ନିଜ ଭାଷାର ସଂରକ୍ଷଣ ପାଇଁ ମନୁଷ୍ୟ ଜାତି ଯେତେବେଳେ ଶିକ୍ଷାଲାଭ କଲା, ସେତେବେଳେ ମାନସିକ ସମ୍ପର୍କର ପରିଧି କ୍ରମଶଃ ବିସ୍ତୃତ ହେଲା-। କଥିତ ଭାଷାର ଗତି ସୀମିତ । ତାହା ସମୟ ପ୍ରବାହରେ ବିସ୍ମିତ ହୋଇଯାଏ, ଏବଂ ଏକ ମୁହଁରୁ ଅନ୍ୟ ମୁହଁକୁ ଯିବା ପଥରେ ଅନେକ ସମୟରେ ବିକୃତ ହୋଇପଡ଼େ । କିନ୍ତୁ ଲିଖିତ ଭାଷା ସାଗର, ପର୍ବତ, ଲଙ୍ଘନ କରି ଗତି କରେ ଓ ଅପରିବର୍ତ୍ତିତ ରହିଥାଏ । ପ୍ରତ୍ୟେକ ମନୁଷ୍ୟ ଏହିଭଳି ଭାବରେ ଅସଂଖ୍ୟ ମାନବର ଚିନ୍ତାର ଅଧିକାରୀ ହୋଇଥାନ୍ତି ।

 

ତାହା ମଧ୍ୟ ଯଥେଷ୍ଟ ନୁହେ । ଲିଖିତ ଭାଷାର ଶକ୍ତି କେବଳ ଯେ ଜୀବନ୍ତ ମାନବର ମନକୁ ଏକତ୍ରିତ କରିଥାଏ ତାହା ନୁହେ, ପରନ୍ତୁ ଏହା ବର୍ତ୍ତମାନ ଓ ସୁଦୂର ଅତୀତର ମଣିଷ ମନ ମଧ୍ୟରେ ଥିବା କାଳର ବ୍ୟବଧାନ ମଧ୍ୟ ଅପସାରିତ କରିଥାଏ । ଚିନ୍ତା ଜଗତର ଏହି ସମ୍ପର୍କ ଦ୍ୱାରା ହିଁ ମାନଵସଭ୍ୟତାର ଜନ୍ମ । ବ୍ୟକ୍ତିବିଶେଷର ଶକ୍ତିକୁ ସାମୁହିକ ଶକ୍ତି ପାଇଁ ଏବଂ ସାମୁହିକ ଶକ୍ତିକୁ ବ୍ୟକ୍ତିର ବିକାଶ ପାଇଁ ବିନିଯୋଗ କରିବାକୁ ମିଳନକ୍ଷେତ୍ର ସୃଷ୍ଟି କରିବା ବ୍ୟତୀତ ସଭ୍ୟତା ବା ଆଉ ଅଧିକ କ'ଣ ?

 

ଆମ ଦେଶର ଚରମ ଦାରିଦ୍ର୍ୟ ମୂଳରେ ଏକ ପ୍ରଧାନ ଘଟଣା ହେଉଛି ଯେ ଆମେ ପରସ୍ପର ବିଭିନ୍ନ ହୋଇ ରହିଥାଉଁ ଏବଂ ଆମର ସମସ୍ତ ବ୍ୟକ୍ତିଗତ ଦୁର୍ବହ ଭାରକୁ ନିଜେ ନିଜେ ବୋହିବାକୁ ଚେଷ୍ଟା କରିଥାଉଁ । ୟୁରୋପରେ ଯେତେବେଳେ ବାଷ୍ପୀୟ ଯନ୍ତ୍ର ପ୍ରଚଳିତ ହେଲା, ସେତେବେଳେ ହସ୍ତଶିଳ୍ପର କାରିଗରମାନେ ବେକାର ହୋଇପଡ଼ିଲେ । ବ୍ୟକ୍ତିବିଶେଷର ଶକ୍ତି ଯନ୍ତ୍ରଶକ୍ତି ସହିତ ପ୍ରତିଦ୍ୱନ୍ଦୀ ହେବାକୁ କିପରି ବା ସମର୍ଥ ହୁଅନ୍ତା ? କିନ୍ତୁ ସଭ୍ୟତା ଯେଉଁଠି ଏକ ପ୍ରବଳ ଶକ୍ତିବିଶେଷ, ସେଠାରେ ପ୍ରତିବେଶୀ ପାଇଁ ସହାନୁଭୂତି ମଧ୍ୟ ଗଭୀର ହେବା ସ୍ଵାଭାବିକ । ସଙ୍କଟ ସମୟରେ ୟୁରୋପର ଅଧିବାସୀ ପରସ୍ପର ପାଇଁ ତେଣୁ ଚିନ୍ତା କରନ୍ତି । ସେମାନେ କ୍ରମେ ଅନୁଭବ କଲେ ଯେ ଜନସାଧାରଣଙ୍କର ସମବେତ ଉଦ୍ୟମ ହିଁ ସେମାନଙ୍କର ଶକ୍ତି ଓ ମୂଳଧନ ସ୍ୱରୂପ । ଅନେକ ଲୋକଙ୍କର ମିଳିତ ଚିନ୍ତାର ଆହରଣ ଦ୍ଵାରା ସଭ୍ୟ ମଣିଷର ମନ ଯେପରି ପରିପୁଷ୍ଟ ହୁଏ ଠିକ୍ ସେହିଭଳି ଅନେକ ଲୋକଙ୍କର ମିଳିତ କର୍ମ ଏକ ନୂତନ ଗୌରବର ଅଧିକରୀ ହୋଇପାରେ । ଏହି ଏକତାଭାବ ୟୁରୋପରେ କ୍ରମଶଃ ସମୃଦ୍ଧିର ପାଠ ବିସ୍ତୃତ କରିଛି ଏବଂ ଏହାଠାରୁ ଅନ୍ୟ ଏକ ଉତ୍ତମ ମାର୍ଗ ମୁଁ ଅନ୍ୟ କୌଣସିଠି ଲକ୍ଷ୍ୟ କରି ନାହିଁ । ମୋତେ ସମୟ ସମୟରେ ଗୋଟିଏ କ୍ଷୁଦ୍ର ଗ୍ରାମ ପରିଦର୍ଶନ କରିବାକୁ ପଡ଼ିଥାଏ । ଗୋଟିଏ ବାରଣ୍ଡାରେ ଛିଡ଼ାହୋଇ ମାଇଲ ମାଇଲ ଧରି ବିସ୍ତୀର୍ଣ୍ଣ ହୋଇଥିବା କ୍ଷେତସମୂହ ମୁଁ ଲକ୍ଷ୍ୟ କରେ ।

 

ଏହାକୁ ବହୁ କୃଷକ ଚାଷ କରନ୍ତି । କାହାର ସେଥିରୁ ମାଣେ ଦୁଇ ପ୍ରମାଣ, କାହାରବା ୪/୫ ମାଣ ଆଉ କାହାରବା ୬/୭ ମାଣ ପର୍ଯ୍ୟନ୍ତ ଜମି ରହିଛି । କିନ୍ତୁ କେବଳ ଅଳ୍ପ କେତେକ କୃଷକଙ୍କର ଚାଷକାର୍ଯ୍ୟ ସକାଶେ ପ୍ରୟୋଜନୀୟ ହଳ ବଳଦ ରହିଛି । କେତେକଙ୍କର ଆବଶ୍ୟକତା ତୁଳନାରେ ଖୁବ୍ ଅଳ୍ପ ଏବଂ ଆଉ କେତେକଙ୍କର ଯଥେଷ୍ଟ ଅଧିକ ବଳଦ ମଧ୍ୟ ରହିଛି । ଏହି ଦୃଶ୍ୟ ହିଁ ଆଖିରେ ପ୍ରଥମେ ପଡ଼ିଥାଏ । ହଳକାମ କୃଷକର ଶକ୍ତି ଅନୁଯାୟୀ ଠିକ୍ ସମୟରେ ବା ବିଳମ୍ବରେ ଆରମ୍ଭ ହୋଇଥାଏ ଓ ଜମିଗୁଡ଼ିକର ସୀମା ଅଙ୍କାବଙ୍କା ହୋଇଥିବାରୁ ଏବଂ ହଳିଆର ଗତି ବାରମ୍ବାର ଏପଟ ସେପଟ ହୋଇଥିବାରୁ ବଳଦର ଅଧିକାଂଶ ଶ୍ରମ ମଧ୍ୟ ନିରର୍ଥକ ହୋଇଥାଏ-। ଯଦି ପ୍ରତ୍ୟେକ ଚାଷୀ ତା'ର ସ୍ଵଳ୍ପ ଜମିଜମାଙ୍କୁ ଗୋଟିଏ ସ୍ଵାଧୀନ ସଂସ୍ଥା ବୋଲି ଭାବୁ ନ ଥାନ୍ତା, ଯଦି ପାଖାପାଖି ସମସ୍ତ ଜମି ଗୋଟିଏ ସଂସ୍ଥାର ଅନ୍ତର୍ଭୁକ୍ତ ହୁଅନ୍ତା, ତାହାହେଲେ ଅଳ୍ପ ବଳଦ ଦ୍ଵାରା ଚାଷକାର୍ଯ୍ୟ ଉତ୍ତମରୂପେ ନିର୍ବାହ ହୋଇ ପାରନ୍ତା' ଏବଂ ବହୁ ନିରର୍ଥକ ଶ୍ରମ ମଧ୍ୟ ବାଦ୍‍ ପଡ଼ନ୍ତା । ପୁଣି ଅମଳ ପରେ ଯଦି ଚଷିଗଣ ମିଳିତଭାବରେ ନିଜ ନିଜର ଫସଲକୁ ଏକାଠି ଜମା କରନ୍ତେ ଓ ତାର ବିକ୍ରି ବ୍ୟବସ୍ଥା କରନ୍ତେ ତାହାହେଲେ ବହୁ ଶକ୍ତି ଓ ଅର୍ଥ ଅପଚୟରୁ ରକ୍ଷା ପାଆନ୍ତେ ।

 

ଅଳ୍ପ ସମୟ ମଧ୍ୟରେ ଯେ ଅଧିକ ପରିମାଣ କାର୍ଯ୍ୟ କରିପାରେ, ସେ ବିଜୟର ଅଧିକାରୀ ହୁଏ । ସେଥିପାଇଁ ମନୁଷ୍ୟ ଯନ୍ତ୍ରର ବ୍ୟବହାର କରିଥାଏ । ଦୁଇଟି ହାତରେ ସେ ଯାହା କରି ପାରିଥାନ୍ତା ତାର ପାଞ୍ଚ ଗୁଣ ବା ଦଶ ଗୁଣ କାମ ଏହା ଦ୍ଵାରା କରିବାକୁ ସେ ସମର୍ଥ । ଲଙ୍ଗଳ ବ୍ୟବହାର କରୁଥିବା ମନୁଷ୍ୟ ନିକଟରେ ହାତରେ ମାଟି ଖୋଳୁଥିବା ବନ୍ୟ ମନୁଷ୍ୟ ପରାଜିତ ହେବା ସ୍ୱାଭାବିକ । କୃଷି, ରପ୍ତାନି ବା ବସ୍ତ୍ରବୟନ, ତୈଳ ଓ ଚିନି ଉତ୍ପାଦନ କ୍ଷେତ୍ରରେ ମନୁଷ୍ୟ ନିଜର ଶାରୀରିକ ଶ୍ରମ ଦ୍ୱାରା ଯେ ଆଶାନୁରୂପ ପ୍ରାଚୁର୍ଯ୍ୟର ଅଧିକାରୀ ହୋଇଛି, ତା' ନୁହେ, ଯନ୍ତ୍ରର ପ୍ରୟୋଗ ଦ୍ଵାରା ହିଁ ତାହା ସମ୍ଭବପର ହୋଇଅଛି । ଲଙ୍ଗଳ, ତନ୍ତ, ବଳଦ ଗାଡ଼ି ଘୋଡାଗାଡ଼ି ଓ ତେଲକଳ–ଏ ସମସ୍ତ ଦ୍ଵାରା ମନୁଷ୍ୟର ପରିଶ୍ରମ ଲାଘବ ହୋଇଛି ଏବଂ ଆମଦାନୀ ମଧ୍ୟ ବୃଦ୍ଧି ପାଇଛି । ଏହା ଫଳରେ ମନୁଷ୍ୟର ପ୍ରଗତି ଆଜି ସମ୍ଭବ ହୋଇଛି । ତା' ନ ହୋଇଥିଲେ ବାନର ଓ ମନୁଷ୍ୟ ମଧ୍ୟରେ ପାର୍ଥକ୍ୟର କିଛି ନିଦର୍ଶନ ହୁଏତ ନ ଥାନ୍ତା ।

 

ବାଷ୍ପ ଓ ବିଦ୍ୟୁତ ପରିଚାଳିତ ଆଧୁନିକ ଯନ୍ତ୍ରର ପ୍ରଚଳନ ଏ ପର୍ଯ୍ୟନ୍ତ ମନୁଷ୍ୟ ତାର ଛୋଟ ଛୋଟ ଯନ୍ତ୍ର ସାହାଯ୍ୟରେ କାର୍ଯ୍ୟନିର୍ବାହ କରୁଥିଲା । ଯନ୍ତ୍ର ବ୍ୟବହାର କରୁଥିବା ହାତ ପାଖରେ ତୁଚ୍ଛା ହାତ ଯେପରି ପରାଭାବ ସ୍ୱୀକାର କରିଥିଲା, ବଡ଼ ବଡ଼ ଯନ୍ତ୍ର ନିକଟରେ ଛୋଟ ଛୋଟ ଯନ୍ତ୍ର ଗୁଡ଼ିକ ସେହିପରି ପରାଜିତ ହୋଇଥିଲେ । ଆମର କୃଷକମାନେ ମଧ୍ୟ ଏସବୁ ବିଷୟରେ ବିଚାର କରିବାର ସମୟ ଆଜି ଆସିଛି, ଅନ୍ୟଥା ସେମାନେ ତିଷ୍ଠି ରହିବା ସମ୍ଭବ ନୁହେ-। ଏ ସମ୍ପର୍କରେ କେବଳ ଆଦର୍ଶ କଳ୍ପନା କଲେ କୌଣସି କାର୍ଯ୍ୟ ସାଧନ ହୋଇ ନ ପାରେ ବ୍ୟବହାରିକ ବାସ୍ତବ କ୍ଷେତ୍ରରେ ଆଦର୍ଶ କାର୍ଯ୍ୟକାରୀ ହେବା ଆବଶ୍ୟକ । ୟୁରୋପ ଓ ଆମେରିକାର ସମସ୍ତେ ଦ୍ରୁତଗତିରେ ସେ ଦିଗରେ ଆଗେଇ ଚାଲିଛନ୍ତି । ହଳ କରିବା, ଅମଳ କରିବା, ବିଡ଼ା ବାନ୍ଧିବା, ଅମାରରେ ନେଇ ସାଇତି ରଖିବା ଆଦି ସମସ୍ତ କାର୍ଯ୍ୟ ଯନ୍ତ୍ର ସାହାଯ୍ୟରେ ସେମାନେ କରିଥାନ୍ତି ।

 

ଆମ ଦେଶରେ ଏହି ପ୍ରଣାଳୀର ବ୍ୟବହାର ବହୁ ଦିଗରୁ ଶୁଭଙ୍କର ହେବ । କୃଷିକର୍ମ ଆରମ୍ଭ ହେବା ପୂର୍ବରୁ ଅନେକ ସମୟରେ ବୃଷ୍ଟି ଅପେକ୍ଷାର ରହିବାକୁ ପଡ଼ିଥାଏ । ଯଦି କୌଣସି ଦିନ ଛୋଟ ଅସରାଏ ବର୍ଷା ଦୈବାତ୍‍ ହୋଇଯାଏ, ଲଙ୍ଗଳ ସାହାଯ୍ୟରେ ଅରାଏ ଜମି ହୁଏତ ଅତି ହାଲୁକା ଭାବରେ ହଳ କରାଯାଏ, କିନ୍ତୁ ବହୁ ସପ୍ତାହ ଧରି ବର୍ଷା ଯଦି ନ ହୁଏ, ବୁଣା କାମ ବିଳମ୍ବ ହୋଇଯାଏ ଏବଂ ଭଲଭାବରେ ବଢ଼ି ନ ଥିବା ତଳିଗୁଡ଼ିକ ପରେ ମୌସୁମୀ ପ୍ରବାହ ଦ୍ୱାରା ଅତ୍ୟାଧିକ ବୃଷ୍ଟି ଜଳରେ ବୁଡ଼ି ରହିବାର ସମ୍ଭାବନା ଥାଏ । ପୁଣି ଶସ୍ୟ ଅମଳ ସମୟରେ ମଧ୍ୟ ବିପଦର ସମ୍ଭାବନା ରହିଛି । ଗାଁଆରେ ବଳକା ମଜୁରିଆଙ୍କ ସଂଖ୍ୟା ଖୁବ୍ ଅଳ୍ପ । ଫସଲ ଅମଳ ପାଇଁ ଗାଁଆ ବାହାରୁ ମଜୁରିଆଙ୍କୁ ତେଣୁ ଅଣାଯାଏ । ଏଇ ସମୟରେ ଫସଲ ଜମିରେ ପଡ଼ି ରହିଥିବା ଅବସ୍ଥାରେ ଯଦି ଖୁବ୍ ଜୋର ଅସରାଏ ବର୍ଷା ହୁଏ, ତାହାହେଲେ ଯଥେଷ୍ଟ କ୍ଷତି ହୁଏ । ପାଣି ପାଗର ଯେକୌଣସି ଅନୁକୂଳ ପରିବର୍ତ୍ତନ ପୂର୍ଣ୍ଣ ସୁଯୋଗ ଗ୍ରହଣ କଳଲଙ୍ଗଳ ଓ କୃଷକ ପକ୍ଷରେ ସମ୍ଭବପର । ଏହା ଦ୍ୱାରା କୃଷିକର୍ମ ଶୀଘ୍ର ସମ୍ପନ୍ନ ହୋଇ ପାରିବ ଏବଂ ପକ୍ୱ ଶସ୍ୟ ମଧ୍ୟ ଅମଳ ହୋଇ ପାରିବ ।

 

ଅବଶ୍ୟ ଏହା ସତକଥା ଯେ କେବଳ ବିସ୍ତୃତ ଜମି ଉପରେ ଏହି ଯନ୍ତ୍ରଗୁଡ଼ିକର ବ୍ୟବହାର ହୋଇ ପାରିବ ଏବଂ ସେଗୁଡ଼ିକର ଆହରଣ ଓ ବ୍ୟବହାର ପାଇଁ ଯଥେଷ୍ଟ ପରିମାଣରେ ପାଣ୍ଠି ମଧ୍ୟ ଆବଶ୍ୟକ । ତା' ବୋଲି ଆମେ ଯଦି କହୁଁ ଯେ ଆମର କୃଷକସମାଜ, ତାହା ବ୍ୟବହାର କରିବାକୁ ଅସମର୍ଥ ଓ ସମ୍ବଳହୀନ ଏହା କହି, ଆମେ ଯଦି ସମସ୍ତ ଆଶା ତ୍ୟାଗ କରୁଁ ତାହାହେଲେ କେବଳ ଧ୍ଵଂସ ନିମନ୍ତ୍ରଣ କରିବା ହିଁ ସାର ହେବ । ଆଜିର ଯନ୍ତ୍ରଯୁଗରେ ଆମର ଦେଶବାସୀ, କୃଷକ ଓ କାରିଗରମାନେ ଯନ୍ତ୍ର ବ୍ୟବସ୍ଥା ଯଦି ଗ୍ରହଣ ନ କରନ୍ତି, ସେମାନେ ଉନ୍ନତି ବଦଳରେ ପଛକୁ ଗତି କରିବେ ଏବଂ କ୍ରମେ ଏକ ବିପଦସଂକୁଳ ଗହ୍ୱର ମଧ୍ୟରେ ନିପତିତ ହେବେ ।

 

ଆଶାହୀନ ବ୍ୟକ୍ତି ଧ୍ଵଂସ ହେବାକୁ ବାଧ୍ୟ । କୌଣସି ବ୍ୟକ୍ତି ତାକୁ ଭିକ୍ଷା ବା ଅନ୍ୟ କୌଣସି ପ୍ରକାରର ସାହାଯ୍ୟ ଦେଇ ରକ୍ଷା କରି ନ ପାରେ । ବ୍ୟକ୍ତିବିଶେଷ ଦ୍ଵାରା ଯେଉଁ କାର୍ଯ୍ୟ ସମ୍ଭବପର ନୁହେ, ତାହା ପଚାଶ ଜଣ ଲୋକ ଗୋଟିଏ ଦଳରେ ଏକାତାବଦ୍ଧ ହେଲେ ସହଜସାଧ୍ୟ ହୋଇଥାଏ । ଏହି ଧାରଣା ତା’ ମନରେ ସୃଷ୍ଟି କରିବା ଆବଶ୍ୟକ ।

 

ଯେଉଁ ପଚାଶ ଜଣ ଲୋକ ସେମାନଙ୍କର ପୃଥକ୍ ଜମିଜମା ସ୍ଵତନ୍ତ୍ରଭାବରେ ଚାଷ କରୁଥିଲେ ସେମାନେ ଯଦି ନିଜର ଜମି, ଶ୍ରମ ଓ ଶସ୍ୟଗାର ଆଦି ସମସ୍ତ ସଂଗତିକୁ ଏକତ୍ରିତ କରନ୍ତି ତାହାହେଲେ ସେମାନେ ଏକ ବିରାଟ ସକ୍ରିୟ ମୂଳଧନର ସକଳ ସୁଯୋଗ ଲାଭ କରି ପାରିବେ । ଯନ୍ତ୍ରପାତି କ୍ରୟ କରିବା ତାଙ୍କ ପକ୍ଷରେ ସେତେବେଳେ କଷ୍ଟକର ହେବ ନାହିଁ । ଜଣେ କୃଷକ ତାର ପ୍ରତିଦିନର ବଳକା ସେରେ ମାତ୍ର ଦୁଧରେ ଭଲ ବ୍ୟବସାୟ କରି ନ ପାରେ । ଯଦି ଶଏ ଜଣ ଲୋକ ତାଙ୍କ ବଳକା ଦୁଧକୁ ସଂଗ୍ରହ କରି ଏକାଠି କରନ୍ତି, ତାହାହେଲେ ସେମାନେ ଲହୁଣିକଢ଼ାଯନ୍ତ୍ର ଆଣି ଘିଅ ତିଆରି କରି ବିକ୍ରି କରି ପାରିବେ । ଇଉରୋପରେ ଏହା ଏକ ସାଧାରଣ ବ୍ୟବସ୍ଥା । ଡେନମାର୍କ ଓ ଅନ୍ୟାନ୍ୟ ଛୋଟ ଛୋଟ ଦେଶଗୁଡ଼ିକରେ ଲୋକମାନେ ସଙ୍ଘବଦ୍ଧ ହୋଇ ସର, ଲହୁଣି ଓ ଛେନା ଉପଯୁକ୍ତ ଭାବରେ ବିକ୍ରି କରି ଦାରିଦ୍ର୍ୟ ଘୁଞ୍ଚାଇ ଦେଇଛନ୍ତି-। ଏହାଛଡ଼ା ବାଣିଜ୍ୟ ସଂପର୍କ ଦ୍ୱାରା ସମଗ୍ର ପୃଥିବୀବାସୀଙ୍କ ସହିତ ତାଙ୍କର ନିବିଡ଼ କୁଟୁମ୍ବିତା ଥିବାର ଅନୁଭୂତି ଏହି କୃଷକ ଓ ଦୁଗ୍ଧବିକ୍ରେତାମାନେ ଅର୍ଜ୍ଜନ କରିଛନ୍ତି ।

 

ସେମାନଙ୍କର ମନ ମଧ୍ୟ ଜ୍ଞାନୋପଲବ୍ଧି ଦ୍ଵାରା ସମୃଦ୍ଧ ହୋଇ ଉଠିଛି । ଜୀବିକା ଅର୍ଜ୍ଜନ ପାଇଁ ବହୁ ଲୋକଙ୍କର ଏହି ସମ୍ମିଳିତ ଉଦ୍ୟମ ୟୁରୋପରେ ‘‘ସମବାୟ ପ୍ରଥା’’ ନାମରେ ଅଭିହିତ । ଏହି ପ୍ରଥା ଦ୍ୱାରା ହିଁ ଯୁଗଯୁଗର ଦାରିଦ୍ର୍ୟ ଓ ଅଚଲତାରୁ ଆମ ଦେଶକୁ ଉଦ୍ଧାର କରାଯାଇ ପାରିବ-। ଆମର ଶିକ୍ଷିତ ଲୋକେ ଦେଶସେବା ସକାଶେ ବ୍ୟାକୁଳ । ରୋଗୀର ସେବା କରିବା, ଭୋକୀକୁ ଖୁଆଇବା ଓ ଭିକାରୀକୁ ଭିକ ଦେବା ଆଦି କେତୋଟି ପନ୍ଥା ଏ ଦେଶରେ ରହିଛି । କିନ୍ତୁ ସମଗ୍ର ଗ୍ରାମକୁ ଆକ୍ରାନ୍ତ କରିଥିବା ଅଗ୍ନି ଶିଖାକୁ ଫୁଙ୍କିଦେଇ ନିଭାଇବାର ଉଦ୍ୟମ କରିବା ଭଳି ଏ ପନ୍ଥା ନିରର୍ଥକ । ଉପସର୍ଗଗୁଡ଼ିକର ଚିକିତ୍ସାବିଧାନ ଦ୍ୱାରା ଆମ୍ଭମାନଙ୍କର ରୋଗ ଆରୋଗ୍ୟ ହୋଇ ନ ପାରେ । ରୋଗର ନିଦାନଗୁଡ଼ିକ ହିଁ ପ୍ରଥମେ ଦୂରୀଭୂତ ହେବ ଆବଶ୍ୟକ । ପ୍ରଥମେ ଲୋକମାନଙ୍କୁ ସଂକୀର୍ଣ୍ଣତା ପରିହାର କରିବାକୁ ପଡ଼ିବ । ସେମାନେ ଯେ ଏକ ବିଶ୍ଵ ପରିବାରର ଅଂଶ-ଏହା ଅନୁଭବ କରିବା ଉଚିତ । ଦ୍ୱିତୀୟତଃ ଅର୍ଥନୀତି କ୍ଷେତ୍ରରେ ଅନ୍ୟ ଲୋକମାନଙ୍କର ଉଦ୍ୟମ ସହିତ ସେମାନଙ୍କର ଉଦ୍ୟମ ସମନ୍ୱିତ ହେବ ଆବଶ୍ୟକ । ଅନ୍ୟ କଥାରେ ବିରାଟ ବନସ୍ପତି ସଦୃଶ୍ୟ ଭୂଗର୍ଭରେ ସେଗୁଡ଼ିକର ମୂଳର ବିସ୍ତୃତ ପାଇଁ ଓ ଆଲୋକ ପବନରେ ଶାଖାର ବିସ୍ତାର ପାଇଁ ବ୍ୟାପକ ପରିସର ପ୍ରୟୋଜନ । ତା’ ହେଲେ ଏଇ ସହଜରେ ପ୍ରଚୁର ପରିମାଣରେ ଫଳ ଫଳିବା ସମ୍ଭବ । ସେଥିପାଇଁ କାହାରି ବିଚଳିତ ହେବାର ଆବଶ୍ୟକତା ନାହିଁ ।

 

ସଭ୍ୟତାର ଏକ ସ୍ତରରେ ସହର, ପଲ୍ଲୀ ଅପେକ୍ଷା ଅଧିକ ପ୍ରତିଷ୍ଠା ଅର୍ଜ୍ଜନ କରିଥାଏ । ତାର କାରଣ ନୁହେ ଯେ ଦେଶର ଜୀବନ ସହର ମଧ୍ୟରେ ଅଧିକ ଗଭୀର ଭାବରେ ଅଭିବ୍ୟକ୍ତ ଲାଭ କରିଥାଏ । ଦେଶର ଶକ୍ତି ସହର ମଧ୍ୟରେ ସଂହତ ହେବା ଫଳରେ ସହର ଏହି ନୂତନ ସମ୍ମାନର ଅଧିକାରୀ ହୁଏ ।

 

ବଙ୍ଗଳାରେ ଗ୍ରାମର ସାମାଜିକ ଜୀବନର ସ୍ଵଭାବ କେତେକ ପରିମାଣରେ ସହର ମଧ୍ୟରେ ପ୍ରକଟିତ । ବହିଃରୂପରେ ସହର ଗ୍ରାମ ସଦୃଶ୍ୟ ନ ହେଲେହେଁ କେତେକ କ୍ଷେତ୍ରରେ ପରସ୍ପରର ଆଚରଣରେ ସାମଞ୍ଜସ୍ୟ ବିଦ୍ୟମାନ । ଅତି ବଡ଼ ବଡ଼ ସହରର ଅବସ୍ଥା ମଧ୍ୟ ଏଇ ଧରଣର । ନିଜର ସମସ୍ତ ସ୍ପର୍ଦ୍ଧା ସତ୍ତ୍ୱେ ଗ୍ରାମ ସହିତ ନିଜର କୁଟୁମ୍ବିତା ସେମାନେ ଆନୁଭଵ କରୁଥିଲେ । ଗୋଟିଏ ଗୃହର ଅନ୍ତଃକକ୍ଷ ଓ ବହିଃକକ୍ଷ ଭଳି ପଲ୍ଲୀ ଓ ସହର ଏକାଠି ରହୁଥିଲେ । ପଲ୍ଲୀର ଅନ୍ତଃକକ୍ଷରେ ରହୁଥିଲା ଆରମ୍ଭ ଓ ଅବକାଶ ଏବଂ ସହରର ବହିଃକକ୍ଷରେ ରହୁଥିଲା ଐଶ୍ଵର୍ଯ୍ୟ ଓ ଆଡ଼ମ୍ବର । କିନ୍ତୁ ଦୁହିଁଙ୍କ ମଧ୍ୟରେ ଥିଲା ନିବିଡ଼ ସାନ୍ନିଧ୍ୟ । ବର୍ତ୍ତମାନ ଆଉ ସେ ଅବସ୍ଥା ନାହିଁ । କିନ୍ତୁ ଗତ ପଚାଷବର୍ଷ ମଧ୍ୟରେ ନଗର ବହୁ ପରିମାଣରେ ନାଗରିକ ଜୀବନ ହାସଲ କରିବାକୁ ପ୍ରୟାସୀ ଏବଂ ପଲ୍ଲୀ ପଛ ଦରଜାରୁ ମଧ୍ୟ ଏହା ଭିତରେ ପ୍ରବେଶ କରିବାକୁ ଅକ୍ଷମ । ‘‘ତୁମ ନିଜ ଘରଟି ଏକ ବିଦେଶ’’-ଏହି କଥାଟିର ତାତ୍ପର୍ଯ୍ୟ ଏଥିରୁ ହିଁ ସ୍ପଷ୍ଟ । ସହରର ଚାରିପାଖରେ ଅସଂଖ୍ୟ ଗ୍ରାମ ବିଦ୍ୟମାନ, କିନ୍ତୁ ସେମାନଙ୍କ ମଧ୍ୟରେ ଶହ ଶହ ମାଇଲର ଦୂରତ୍ୱ ଓ ବ୍ୟବଧାନ ସତେ ଯେପରି ବିଦ୍ୟମାନ । ଏହି ଅସ୍ୱାଭାବିକ ବିଚ୍ଛେଦ ଦ୍ୱାରା କୌଣସି ମଙ୍ଗଳ ସାଧିତ ହୋଇ ନ ପାରେ । ଏହା ଯେ ଆମ ଦେଶ ପକ୍ଷରେ ଏକ ବିଚିତ୍ର କଥା ତା ନୁହେ । ଏହା ଆଧୁନିକ ଯୁଗର ଏକ ନିଦର୍ଶନ । ପଶ୍ଚିମ ପବନ ସାମାଜିକ ବୈଷମ୍ୟର ବୀଜ ପୃଥିବୀବ୍ୟାପୀ ବପନ କରିଛି । ଏହାଦ୍ୱାରା ଯେ କେବଳ ଆମର ସୁଖ ଶାନ୍ତି ବିନଷ୍ଟ ହୋଇଛି ତାହା ନୁହେ, ଆମର ପ୍ରାଣକେନ୍ଦ୍ର ମଧ୍ୟ ନଷ୍ଟ ହୋଇଯାଇଛି । ଏହି ସମସ୍ୟା ଉପରେ ପ୍ରତ୍ୟେକ ଦେଶର ଲୋକ ଚିନ୍ତା କରିବା ଉଚିତ ।

 

ୟୁରୋପୀୟ ସଭ୍ୟତା ଏକ ନୂତନ ଧରଣର ଶକ୍ତିର ଅଧିକାରୀ ହେବା ପାଇଁ ଜନସାଧାରଣଙ୍କ ଜୀବନୀଶକ୍ତିକୁ ଶୋଷଣ କରିବାରେ ବ୍ୟସ୍ତ । ଏହାର ଅବସ୍ଥା ଠିକ୍ ବାଉଁଶ ଗଛରେ ଫୁଲ ଫୁଟିଲା ଭଳି । ଏହାର ଫୁଲ ଉଦ୍ଭିଦର ସମସ୍ତ ଜୀବନଶକ୍ତିକୁ ଯେପରି ନିଃଶେଷ କରିଦିଏ, ଠିକ୍ ସେହିପରି ଏହି ସଭ୍ୟତା ଦେଶର ସେନାଗ୍ର ଜୀବନକୁ କବଳିତ କରଛି । ଏହି କାର୍ଯ୍ୟର ଉପଯୁକ୍ତ ପ୍ରତିଶବ୍ଦ ହେଉଛି ‘‘ଶୋଷଣ’’ । ଛୋଟ ଅଂଶଟି ବୃହତ୍ତର ଅଂଶକୁ ଶୋଷଣ କରି ଆପଣାକୁ ପରିପୁଷ୍ଟ କରିବାକୁ ଚାହେ । ବୃହତ ଅଂଶର ଜୀବନ ଯେତେବେଳେ ଶୁଷ୍କ ହୋଇଯାଏ, ଏହି କ୍ଷୁଦ୍ର ଅଂଶଟି କ୍ରମେ ସ୍ଫୀତ ହୋଇଉଠେ । ଫଳରେ ଏକ ସମାଜବିରୋଧୀ ଓ ବିଚ୍ଛିନ୍ନ ବ୍ୟକ୍ତି ସ୍ଵାତନ୍ତ୍ର୍ୟବୋଧ ଗଭୀରଭାବେ ବୃଦ୍ଧିଲାଭ କରିଥାଏ । ମୁଁ ପୂର୍ବରୁ ଉଲ୍ଲେଖ କରିଛି ଯେ ଦେଶର ପ୍ରାଣକେନ୍ଦ୍ର ପଲ୍ଲୀ ମଧ୍ୟରେ ଥିଲେହେଁ, ରାଜନୈତିକ ଓ ଗଣତାନ୍ତ୍ରିକ ଶକ୍ତିର ବିକାଶ ପାଇଁ ପନ୍ଥାର ଉଦ୍ଭାବନ ସହର ମଧ୍ୟରେ ହିଁ ହୋଇଥାଏ । ଏହି ପନ୍ଥାଗୁଡ଼ିକ ଅନେକ ସମୟରେ ସାମାଜିକ ନୁହେ-। ଏଠାରେ ମାନବିକ ମୂଲ୍ୟବୋଧ ଅପେକ୍ଷା ଯନ୍ତ୍ରର ପ୍ରାଧାନ୍ୟ ଅଧିକ ସ୍ୱୀକୃତ । ଯେଉଁମାନେ ଯନ୍ତ୍ରକୁ ନିୟନ୍ତ୍ରଣ କରନ୍ତି, ସେମାନଙ୍କର କ୍ଷମତା ହିଁ ଅଧିକ । ସେଥିପାଇଁ ସହରଗୁଡ଼ିକ ପ୍ରତିଯୋଗିତାରସ୍ଥଳୀ ଏବଂ ପାରସ୍ପରିକ ସାହାଯ୍ୟର ପ୍ରେରଣା ପାଇଁ ଉତ୍ସାହପୂର୍ଣ୍ଣ ବାୟୁମଣ୍ଡଳ ଏଠାରେ ନାହିଁ । ପ୍ରତିଯୋଗିତା ଓ ବ୍ୟକ୍ତିସ୍ଵାତନ୍ତ୍ର୍ୟ ଶକ୍ତିର ଉତ୍ପତ୍ତି ପାଇଁ ଆବଶ୍ୟକ । କିନ୍ତୁ ସୀମା ଲଙ୍ଘନ କରିଛି । ଏହା ବହୁ ଅଙ୍ଗବିଶିଷ୍ଟ ହୋଇଥିବାରୁ ଏହାର ଅଭିବ୍ୟକ୍ତ ଓ ସଂରକ୍ଷଣ ପାଇଁ ବହୁପ୍ରକାର ଆନୁସଙ୍ଗିକତା ଆବଶ୍ୟକ । ଅପ୍ରଚୁର ସମ୍ବଳ ଏହାର ଜୀବନ ଶୃଙ୍ଖଳାରେ ଏକ ଅପରାଧ ସଦୃଶ୍ୟ ଏବଂ ଉପାଦାନର ବହୁତ ନିର୍ବାଚନ ଉପରେ ହିଁ ଏହାକୁ ଦଣ୍ଡାୟମାନ ହେବାକୁ ପଡ଼ିଥାଏ ।

 

ଶିକ୍ଷା, ସ୍ୱାସ୍ଥ୍ୟ, ନ୍ୟାୟ ଓ ଆଇନ, ଯାତାୟାତର ସୁବିଧା, ରପ୍ତାନି, ଖାଦ୍ୟ, ବାସବ୍ୟବସ୍ଥା, ସାମରିକ ଆଦର୍ଶ, ଶାନ୍ତି ଓ ଶୃଙ୍ଖଳା ସ୍ଥାପନାଦି ପ୍ରତ୍ୟେକ କ୍ଷେତ୍ରରେ ବିପୁଳ ଅର୍ଥର ପ୍ରୟୋଜନ । ଦାରିଦ୍ର୍ୟ ଏହି ସଭ୍ୟତାର ପ୍ରଗତି ପଥରେ ଏକ ଅନ୍ତରାୟ ଏବଂ ଏହା ସହିତ ହୀନତା ବିଜଡ଼ିତ ।

 

ଅର୍ଥ ହିଁ ବର୍ତ୍ତମାନ ଯୁଗରେ ସବୁ ଶକ୍ତିର ମୂଳଉତ୍ସ ଏବଂ ସବୁଠୁଁ ଅଧିକ ସମ୍ମାନିତ । ଏପରି କି ସାର୍ବଭୌମ ଶକ୍ତିର ବିସ୍ତାର ଅପେକ୍ଷା ଅର୍ଥନୀତିର ସଂପ୍ରାସରଣ ଉପରେ ରାଷ୍ଟ୍ରନୀତି ବର୍ତ୍ତମାନ ଅଧିକ ପରିମାଣରେ ପର୍ଯ୍ୟବସିତ । ତା’ ପକ୍ଷରେ ବର୍ତ୍ତମାନ ବ୍ୟବସାୟ ବାଣିଜ୍ୟର ଅଭିବୃଦ୍ଧି ହିଁ ଅଧିକ ଆକର୍ଷଣୀୟ । କାରଣ ନୂତନ ଧନଲାଭର, ତାହା ହିଁ ହେଉଛି ଏକମାତ୍ର ପନ୍ଥା । ସଭ୍ୟତା ଯେଉଁ ଯୁଗରେ ବର୍ତ୍ତମାନ ଭଳି ବହୁ ଅଂଶରେ ବିଭକ୍ତ ହୋଇ ନ ଥିଲା, ସେତେବେଳେ ଜ୍ଞାନୀ ଓ ସାଧୁ, ବୀର ଓ ଜନସେବକ ଧନୀ ଅପେକ୍ଷା ସମାଜରେ ଅଧିକ ସମ୍ମାନ ଲାଭ କରୁଥିଲେ-। ସେମାନଙ୍କୁ ସମ୍ମାନ ପ୍ରଦାନ କରିବା ଦ୍ଵାରା ମାନବିକତାର ମର୍ଯ୍ୟାଦା ହିଁ ବଢ଼ୁଥିଲା । ସେତେବେଳେ ଅର୍ଥଗୃଧ୍ନବ୍ୟକ୍ତି ସମାଜ ଚକ୍ଷୁରେ ଘୃଣିତ ହେଉଥିଲା । ପ୍ରତ୍ୟେକ ସଭ୍ୟତା ବର୍ତ୍ତମାନ ପରାଙ୍ଗପୁଷ୍ଟ ଭଳି ଧନ ଉପରେ ପ୍ରତିଷ୍ଠିତ । କେବଳ ଧନର ଉପାର୍ଜ୍ଜନ ନୁହେ, ଧନର ଆରାଧନା ହିଁ ବର୍ତ୍ତମାନ ପ୍ରାଧାନ୍ୟ ଅର୍ଜ୍ଜନ କରିଛି । ଏହି କୁତ୍ସିତ ଧନକୁବେର ମାନବ ହୃଦୟର ଶୁଭ ବୃଦ୍ଧିକୁ ଆଜି ନଷ୍ଟ କରିଛି । ଏହା ପୂର୍ବରୁ ମଣିଷ କେବେ ମଣିଷର ଏଭଳି ବିରାଟ ଶତ୍ରୁ ହୋଇ ଦେଖାଦେଇ ନ ଥିଲା । କାରଣ ଏହି ସ୍ଵର୍ଣ୍ଣ ପିପାସା ଅପେକ୍ଷା ଅଧିକତର ଅସାଧୁତା ଓ ନିର୍ମମତାର ପରିକଳ୍ପନା ହୋଇ ପାରେ ନା ।

 

ଏହି ସର୍ବଗ୍ରାସୀ କ୍ଷୁଧା ଆଧୁନିକ ସଭ୍ୟତାରୁ ହିଁ ଜନ୍ମଲାଭ କରିଛି ଏବଂ ଏହାକୁ ଚରିତାର୍ଥ କରିବାର ପନ୍ଥା ଅନ୍ୟ ସକଳପ୍ରକାର ଉଦ୍ୟମକୁ ଅତିକ୍ରମ କରିଛି । ଲୋଭରୁ ପାପ ଏବଂ ପାପରୁ ଧ୍ଵଂସ ଦେଖାଦିଏ । ଲୋଭ ଏକ ସମାଜବିରୋଧୀ ପ୍ରବୃତ୍ତି । ମାନବର ସାମାଜିକ ଚେତନାକୁ ଯେଉଁ ଶକ୍ତିସମୂହ ଦୁର୍ବଳ କରିଦିଅନ୍ତି ସେଗୁଡ଼ିକ ପ୍ରତି ପଦକ୍ଷେପରେ ତାହା ପ୍ରାଣରେ ଅନ୍ତର୍ଦ୍ୱନ୍ଦ୍ୱ ସୃଷ୍ଟି କରିଥାନ୍ତି ଏବଂ ମନୁଷ୍ୟର ସାମାଜିକ ଅସ୍ତିତ୍ୱର ମୂଳଭିତ୍ତି ଭୀଷଣ ଭାବରେ ବଧାପାଇ ବିଦୀର୍ଣ୍ଣ ଓ ଅପରିହାର୍ଯ୍ୟ ଧ୍ଵଂସର ସମ୍ମୁଖୀନ ହେବା ପର୍ଯ୍ୟନ୍ତ ପ୍ରାଣରେ ଅସନ୍ତୋଷର ବହ୍ନି ତଦ୍ଦ୍ଵାରା ଅନିର୍ବାଣ ହୋଇ ଜଳୁଥାଏ ।

 

ପାଶ୍ଚାତ୍ୟ ଜଗତରେ ଯେଉଁମାନେ ବିରାଟ ପୁଞ୍ଜିର ମାଲିକ ଓ ସେଇ ପୁଞ୍ଜି ସୃଷ୍ଟି ପାଇଁ ଯେଉଁମାନେ ଯନ୍ତ୍ରଭାବରେ ବ୍ୟବହୃତ, ଏହି ଉଭୟ ଗୋଷ୍ଠୀ ମଧ୍ୟରେ ଏକ ବିରାମହୀନ ସଂଘର୍ଷ ଆଜି ଚାଲିଛି । ଏହି ସଂଘର୍ଷର ସମାଧାନ ପାଇଁ କୌଣସି ସନ୍ତୋଷଜନକ ପନ୍ଥା ମଧ୍ୟ ଦେଖାଯାଉ ନାହିଁ । କାରଣ, ପୁଞ୍ଜିପତିଙ୍କ ଲୋଭ ସହିତ ଶ୍ରମିକଶ୍ରେଣୀର ଲୋଭ ମଧ୍ୟ ସେଠାରେ ସମାନ । ସଭ୍ୟତାର ଦାନ କିପରି ପୂର୍ଣ୍ଣମାତ୍ରାରେ ସମସ୍ତେ ଉପଭୋଗ କରି ପାରିବେ, ଏଥିପାଇଁ ପ୍ରତ୍ୟେକ ଅଧିକ ଅର୍ଥଲାଳସାର ବଶବର୍ତ୍ତୀ । ତେଣୁ ଏହି ସଂଘର୍ଷର ବିରାମ କେଉଁଠି ଘଟିବ,ଏହା ଆଶା କରିବା ଏକ ବିଡ଼ମ୍ବନା ।

 

ଲୋଭ ଓ ଶକ୍ତି ଆରାଧନା ସାମାଜିକ ଜୀବନରେ ଯେତେବେଳେ ଅବାରିତ ଭାବରେ ବଢ଼ିଚାଲେ, ସେତେବେଳେ ନିଜ ମାନବିକତାର ବିକାଶ ପାଇଁ ଧ୍ୟାନ ଦେବା ମନୁଷ୍ୟ ପକ୍ଷରେ ଅସମ୍ଭବ ହୋଇଉଠେ । ଆତ୍ମାର ପୂର୍ଣ୍ଣତା ସାଧନ ପରିବର୍ତ୍ତେ ସେ କ୍ଷମତା ଲୋଭୀ ହୋଇଥାଏ । ଏଭଳି ଅବସ୍ଥାରେ ପଲ୍ଲୀ ଅବହେଳିତ ହୁଏ ଏବଂ ସହର ପ୍ରତିପତ୍ତି ଅର୍ଜ୍ଜନ କରେ । ଜୀବନକୁ ଉପଭୋଗ କରିବା ପାଇଁ ଯେଉଁ ସୁବିଧା ସୁଯୋଗ ଆବଶ୍ୟକ, ତାହା ସହର ମଧ୍ୟରେ ସବୁ ପୁଞ୍ଜୀଭୂତ ହୋଇ ରହିଯାଏ, ଏବଂ ପଲ୍ଲୀ କେବଳ ଭୃତ୍ୟଭଳି ସହରକୁ ଖାଦ୍ୟ ଯୋଗାଇ କୌଣସି ପ୍ରକାରେ ନିଜେ ବଞ୍ଚି ରହିବାକୁ ଚେଷ୍ଟା କରେ । ଏହା ଦ୍ଵାରା ସାମଜ ଦ୍ୱିଧା ବିଭକ୍ତ ହୋଇଯାଏ । ଗୋଟିଏ ପାଖରେ ଆଲୋକର ପ୍ରାଚୁର୍ଯ୍ୟ ଓ ଅନ୍ୟ ପାଖରେ ଗହନ ଅନ୍ଧକାର । ତେଣୁ ୟୁରୋପର ନଗର ସଭ୍ୟତା ମାନବଜାତିର ଏକତା ମୂଳରେ କୁଠାରଘାତ କରିଅଛି । ପ୍ରାଚୀନ ଗ୍ରୀସର ସଭ୍ୟତା ମଧ୍ୟ ଥିଲା ନଗର କେନ୍ଦ୍ରିକ ଏବଂ ପ୍ରଭୁ ଓ ଭୃତ୍ୟ ମଧ୍ୟରେ ଭୁବଧାନ ଥିଲା ନିର୍ଦ୍ଦିଷ୍ଟ ଓ ସ୍ପଷ୍ଟ । ତେଣୁ ଉନ୍ନତିର ତା ଚରମ ସୋପାନରେ ଦିନେ ଅଧିରୂଢ଼ ହେବା ପରେ ପାଟନାର ସମ୍ମୁଖୀନ ସେ ହୋଇଥିଲା । ପ୍ରାଚୀନ ଇତାଲୀର ସଭ୍ୟତା ମଧ୍ୟ ଦିନେ ଥିଲା ନଗର ସର୍ବସ୍ଵ ଏବଂ କିଛିକାଳ ପାଇଁ ବିରାଟ ଶକ୍ତିର ଅଧିକାରୀ ସେ ହୋଇଥିଲା । ଶକ୍ତି ସ୍ଵଭାବତଃ ହେଉଛି ଅସାମାଜିକ । ପ୍ରଭୁ ଓ ଭୃତ୍ୟ ମଧ୍ୟରେ ଶ୍ରେଣୀଗତ ବ୍ୟବଧାନ ଏହା ଦୃଢ଼ ଭାବରେ ସୃଷ୍ଟି କରିଥାଏ । ଅସଂଖ୍ୟ ଶ୍ରମିକଙ୍କର ଶ୍ରମରେ ଅଳ୍ପ କେତେଜଣ ମାଲିକ ପରାଙ୍ଗପୃଷ୍ଟ ହୋଇ ଜୀବନଧାରଣ କରନ୍ତି । ଏହି ପରାଙ୍ଗପୁଷ୍ଟ ମନୋଭାବ ସେମାନଙ୍କର ମାନବିକତାର ମୂଳଭିତ୍ତିକୁ ସମ୍ପୂର୍ଣ୍ଣ ନଷ୍ଟ କରିଦିଏ ।

 

ଆଲୋକ ଓ ଅନ୍ଧକାରର ବ୍ୟବଧାନ ପାଶ୍ଚାତ୍ୟ ଜଗତ, କେବଳ ନିଜ ପ୍ରଦେଶଗୁଡ଼ିକରେ ନୁହେ, ପୃଥିବୀବ୍ୟାପୀ ସେ ଆଜି ସୃଷ୍ଟି କରିଛି । ଏହାର ଜୀବନଧାରଣ ପାଇଁ ଆବଶ୍ୟକୀୟ ସାମଗ୍ରୀର ପରିମାଣ ମାତ୍ରାତୀତ ହୋଇଥିବାରୁ ନିଜ ଦେଶର ସୀମା ମଧ୍ୟରେ ସେଗୁଡ଼ିକର ପରିପୂରଣ ଅସମ୍ଭବ । ତେଣୁ ବ୍ରିଟେନ ନିଜ କବଳରେ ଭାରତବର୍ଷକୁ ରଖିବାକୁ ଚାହେ । କାରଣ ସଭ୍ୟ ଜୀବନ ଯାପନ ପାଇଁ ଯେଉଁ ଅର୍ଥ ଅତ୍ୟାବଶ୍ୟକ ବୋଲି ସେମାନେ ମନେ କରନ୍ତି ସେହି ଅର୍ଥ ଭାରତବର୍ଷରୁ ହିଁ ସେମାନେ ସଂଗ୍ରହ ଓ ସଂଚୟ କରିବେ । ଭାରତବର୍ଷକୁ ନିଜ ହାତରୁ ଯଦି ଛାଡ଼ିଦିଅନ୍ତି ତା’ ହେଲେ ବିଳାସ-ଉପଭୋଗର ମାତ୍ରା କମାଇ ଦେବା ବ୍ୟତୀତ ସେମାନଙ୍କର ଗତ୍ୟନ୍ତର ନାହିଁ । ଶକ୍ତିର ପ୍ରତିଷ୍ଠା ପାଇଁ କ୍ରୀତଦାସଗଣ ତାଙ୍କର ଅସ୍ତ୍ର ଭଳି ରହିବା ଆବଶ୍ୟକ । ତେଣୁ ସମଗ୍ର ଇଂରେଜଜାତି ଭାରତବର୍ଷର ରସ ଶୋଷଣ କରି ପରାଙ୍ଗପୁଷ୍ଟ ଭାବରେ ଜୀବନଧାରଣ କରିଥାଏ । ସେଥିପାଇଁ ୟୁରୋପର ଶକ୍ତିଶାଳୀ ରାଷ୍ଟ୍ରଗୁଡ଼ିକ ଏସିଆ ଓ ଆଫ୍ରିକାକୁ ଖଣ୍ଡ ଖଣ୍ଡ କରି ନିଜର କରାୟତ୍ତ କରିବାକୁ ଆଗ୍ରହୀ । ତା’ ନ ହେଲେ ତାଙ୍କର ଭୋଗଧିର୍ମୀ ସଭ୍ୟତା ଅର୍ଦ୍ଧାଶନରେ ରହିବ ।

 

ଅସୀମ ଉପଭୋଗ ପାଇଁ ସଙ୍ଗତି ଆବଶ୍ୟକ, ତାହା ସମସ୍ତଙ୍କ ମଧ୍ୟରେ ସମାନ ଭାବରେ ବଣ୍ଟନ କରାଯାଇ ନ ପାରେ । ଅଳ୍ପ କେତେଜଣ ଲୋକ ନିଜର ଗଚ୍ଛିତ ଧନର ପରିମାଣ ବୃଦ୍ଧି କରିବାକୁ ପ୍ରୟାସୀ ହେଉଥିବା ସମୟରେ ଅନ୍ୟ ଅନେକ ଲୋକ ସେଥିରୁ ବଞ୍ଚିତ ହେବା ସ୍ୱାଭାବିକ । ପାଶ୍ଚାତ୍ୟ ଜଗତ ପକ୍ଷରେ ଏହାହିଁ ହେଉଛି ସବୁଠୁଁ ସଙ୍କଟଜନକ ସମସ୍ୟା । ଶାସିତଜାତି ଓ ବିଦେଶୀ ଶାସକଗୋଷ୍ଠୀ ମଧ୍ୟରେ ଯେପରି ବ୍ୟବଧାନ ଆଜି ସୃଷ୍ଟି ହୋଇଛି, ସେମାନଙ୍କର ନିଜ ନିଜ ରାଜ୍ୟରେ ମଧ୍ୟ ଲୋଭ ହେତୁ ଧନୀ ନିର୍ଦ୍ଧନ ମଧ୍ୟରେ ଭେଦର ପ୍ରାଚୀର ସମାନଭାବେ ଦେଖାଦେଇଛି । ବିଶ୍ଵମାନବର ଧର୍ମ ପକ୍ଷରେ ଏହି ଚରମ ବୈଷମ୍ୟ ଏକ ଭୀଷଣ ଅନ୍ତରାୟ । ମନୁଷ୍ୟର ଐକ୍ୟବୋଧ ଯେଉଁଠି ବିପନ୍ନ, ସେଠାରେ ବିଭେଦକାରୀ ଶକ୍ତିସମୂହ ମୁକ୍ତ ବା ଗୋପନ ଭାବରେ ଦେଖାଦିଅନ୍ତି । ପ୍ରଭୁ ଖୋଲାଖୋଲି ଭାବରେ ଭୃତ୍ୟକୁ ଆଘାତ କରେ କିନ୍ତୁ, ଗୁପ୍ତ ଭାବରେ ତାଠୁଁ ଅଧିକ ଆଘାତ ଭୃତ୍ୟ ତାର ପ୍ରଭୁକୁ ଦେଇଥାଏ । କାରଣ ପ୍ରଭୁର ନୈତିକ ଚେତନାକୁ ସେ ନଷ୍ଟ କରିଦିଏ । ଏହା ଏକ ବିରାଟ ବିପଦ, କାରଣ ଖାଦ୍ୟାଭାବରେ ପ୍ରାଣୀ ସିନା ମରିଯାଏ, କିନ୍ତୁ ନୈତିକ ଚେତନା ଅଭାବରେ ମନୁଷ୍ୟ ମୃତ୍ୟୁବରଣ କରିଥାଏ ।

 

ଏ ସମ୍ପର୍କ କଥାବଳୀରେ ଆମେ ଗୋଟିଏ ଏକଆଖିଆ ହରିଣର ଗପ ପଢ଼ୁ । ତାର ଫୁଟିଯାଇଥିବା ଆଖିଟି ଆଡ଼ୁ ଦିନେ ସେ ତୀରବିଦ୍ଧ ହେବା ଫଳରେ ମୃତ୍ୟୁବରଣ କରିଥିଲା । ଆଧୁନିକ ସଭ୍ୟତାର କେବଳ ଭୌତିକ ବିଭାବର ଦିଗଟି ହିଁ ମନୁଷ୍ୟର ସେଇ ଅନ୍ଧ ଚକ୍ଷୁର ଦିଗ । ଜ୍ଞାନ ଆହରଣ କ୍ଷେତ୍ରରେ ଆଜି ଆମେ ୟୁରୋପର ବିଭିନ୍ନ ଧରଣର ପ୍ରବଳ ସହଯୋଗୀତାର ଭାବି ଲକ୍ଷ୍ୟ କରୁଁ । କିନ୍ତୁ ଧନାର୍ଜନ କ୍ଷେତ୍ରରେ ତୀବ୍ର ପ୍ରତିଯୋଗିତା ପରିଲକ୍ଷିତ । ଏକମାତ୍ର ଜ୍ଞାନର ପ୍ରଦୀପ ୟୁରୋପରେ ଆଜି ସହସ୍ର ଦୀପ ପ୍ରଜ୍ଜ୍ଵଳିତ କରିଛି ଏବଂ ସେଗୁଡ଼ିକର ଆଲୋକଛଟାରେ ଆଧୁନିକ ଯୁଗ ଉଦ୍‍ଭାସିତ । ଏହିପରି ଭାବରେ ଇଉରୋପ ଅନ୍ୟାନ୍ୟ ମହାଦେଶମାନଙ୍କ ମଧ୍ୟରେ ଅଗ୍ରଣୀ । ସାରସ୍ୱତ ଆରାଧନାର ଆବାହକ ଓ ପୁରୋହିତ ଭାବରେ ୟୁରୋପ ଆଜି ବିଭିନ୍ନ ସ୍ଥାନରୁ ଏପରି ବିଭିନ୍ନ ସମିଧ ସଂଗ୍ରହ କରିଛି ଯେ, ତାର ପୂଜାବେଦୀର ପବିତ୍ର ହୋମଶିଖା ଚିରଦିନ ପ୍ରଜ୍ଜ୍ଵଳିତ ହୋଇ ରହିବ । ସମବାୟ ନୀତିଜ୍ଞାନ ରାଜ୍ୟରେ ଏପରି ବ୍ୟାପକ ଭାବରେ ସକ୍ରିୟ ହେବା ମାନବଜାତିର ଇତିହାସରେ ଏହାହିଁ ହେଉଛି ପ୍ରଥମ । ପ୍ରାଚୀନ ଯୁଗରେ ପ୍ରତ୍ୟେକ ଦେଶ ସ୍ଵାଧୀନ ଭାବରେ ଅନ୍ୟଦେଶଠାରୁ ବିଚ୍ଛିନ୍ନ ରହି ଜ୍ଞାନ ସାଧନାରେ ବ୍ରତୀ ହେଉଥିଲା । ଗ୍ରୀସ ଓ ରୋମର ଜ୍ଞାନ ସେହି ଗ୍ରୀସ ଓ ରୋମ ମଧ୍ୟରେ ଆବଦ୍ଧ ହୋଇ ରହୁଥିଲା । ଚୀନ ଓ ଭାରତବର୍ଷରେ ମଧ୍ୟ ଅବସ୍ଥା ଥିଲା ଏଇ ଧରଣର । ସୌଭାଗ୍ୟବଶତଃ ୟୁରୋପୀୟ ମହାଦେଶର ରାଷ୍ଟ୍ର ଓ ପ୍ରଦେଶଗୁଡ଼ିକ ଅତି ସନ୍ନିକଟ ଭାବରେ ଅବସ୍ଥିତ ଏବଂ ସେମାନଙ୍କ ମଧ୍ୟରେ ଥିବା ପ୍ରାକୃତିକ ସୀମା ଲଙ୍ଘନ କରିବା ମଧ୍ୟ ବିଶେଷ କଷ୍ଟକର ନୁହେ । ସେମାନଙ୍କ ମଧ୍ୟରେ ପ୍ରତିବନ୍ଧକ ସୃଷ୍ଟି କରୁଥିବା ଉଚ୍ଚ ପର୍ବତମାଳା ବା ମରୁଭୂମି ମଧ୍ୟ ନାହିଁ । ଧର୍ମ ଦୃଷ୍ଟିରୁ ମଧ୍ୟ ସେମାନେ ଗୋଟିଏ ଜାତିର ଅନ୍ତର୍ଭୁକ୍ତ ଏବଂ ବହୁକାଳ ଧରି ଏହି ଧର୍ମ ରୋମ ନଗରୀକୁ କେନ୍ଦ୍ରକରି ଗଢ଼ି ଉଠିଥିଲା ।

 

ବହୁ ଶତାବ୍ଦୀଧରି ସମଗ୍ର ୟୁରୋପରେ ଜ୍ଞାନପ୍ରସାରର ଏକମାତ୍ର ମାଧ୍ୟମ ଥିଲା ଲାଟିନ ଭାଷା । ଏହା ବ୍ୟତୀତ ଧର୍ମ ମଧ୍ୟ ଏକ ହୋଇଥିବାରୁ ସେମାନଙ୍କ ମଧ୍ୟରେ ଏକତା ପ୍ରତିଷ୍ଠା ଦିଗରେ ତାହା ଅଧିକଭାବେ ସହାୟକ ହୋଇଥିଲା । ସମନ୍ଵୟସାଧନ ହେଉଛି ଏହି ଧର୍ମର ମୂଳନୀତି ଏବଂ ଯୀଶୁ ପ୍ରେମ ହିଁ ଏହାର ଅନ୍ତଃସ୍ଥଳରେ ବିଦ୍ୟମାନ । ମାନବଜାତିର ସେବା କରିବାକୁ ଏହି ଧର୍ମ ଶାସ୍ତ୍ରୀୟ ନିର୍ଦ୍ଦେଶ ପ୍ରଦାନ କରିଛି । କାଳକ୍ରମେ ପ୍ରତ୍ୟେକ ଦେଶ ଲାଟିନଭାଷାର ମାତୃକୋଳ ଯେତେବେଳେ ପରିତ୍ୟାଗ କଲେ, ସେମାନେ ନିଜ ନିଜର ଭାଷା ମାଧ୍ୟମରେ ଜ୍ଞାନର ପରିସର ବୃଦ୍ଧି କରିବାକୁ ଲାଗିଲେ । ସେ ଯାହାହେଉ, ଜ୍ଞାନ-ସ୍ରୋତ ଗୋଟିଏ ଧାରାରେ ପ୍ରବାହିତ ହେଲା ଏବଂ ଗୋଟିଏ କୋଷାଗାରରେ ମଧ୍ୟ ତାହା ସଞ୍ଚିତ ହେଲା ।

 

ଏହାରି ମଧ୍ୟରୁ ପାଶ୍ଚାତ୍ୟ ସଭ୍ୟତାର ଜନ୍ମ ଏବଂ ଜ୍ଞାନର ସମବାୟ ଉପରେ ଏହି ସଭ୍ୟତାର ପ୍ରାଣ ପ୍ରତିଷ୍ଠିତ । ଆମେ ଅନେକ ସମୟରେ ପ୍ରାଚ୍ୟ ସଭ୍ୟତାର କଥା ଉଲ୍ଲେଖ କଋଥାଉଁ । କିନ୍ତୁ ଏହା ଯେ ୟୁରୋପୀୟ ସଭ୍ୟତା ନୁହେ, କେବଳ ଏହି ନିଶେଦ୍ଧାର୍ଥକ ସୂଚନା ଦେବା ପାଇଁ ଏହାର ବ୍ୟବହାର ସାଧାରଣତଃ ହୋଇଥାଏ । ଚୀନ ଓ ଆରବ ମଧ୍ୟରେ ମନାସିକାସାମ୍ୟ ନାହିଁ, ବରଂ ଅନେକ ଦିଗରେ ପ୍ରତିକୂଳଭାବ ରହିଛି । ଭାରତର ହିନ୍ଦୁ ଓ ପଶ୍ଚିମ ଏସିଆର ସୁମେରୀୟ ଜାତିମାନଙ୍କ ମଧ୍ୟରେ ସମ୍ପୂର୍ଣ୍ଣ ସାଂସ୍କୃତିକ ବୈଷମ୍ୟ ବିଦ୍ୟମାନ । ଜ୍ଞାନ ସାଧନା କ୍ଷେତ୍ରରେ ସହଯୋଗିତାର ଇତିହାସ ବହୁ ଭାଗରେ ବିଭକ୍ତ । ଇତିହାସର ପରିସ୍ଥିତି ହୁଏତ କେତେକ ଅଂଚଳରେ ସାଂସ୍କୃତିକ ଭାବବିନିମୟ ସକାଶେ ଲୋକଙ୍କୁ ବାଧ୍ୟ କରିଛି, କିନ୍ତୁ ସମଗ୍ର ମହାଦେଶର ମନ ମିଳନ ସୂତ୍ରରେ କେବେ ଏକତାବଦ୍ଧ ହୋଇ ନାହିଁ । ତେଣୁ ଆମେ ଯେତେବେଳେ ପ୍ରାଚ୍ୟ ସଭ୍ୟତାର କଥା କହିଥାଉଁ, ସେତେବେଳେ କେବଳ ଆମ ନିଜ ସଭ୍ୟତାର ବିଷୟ ହିଁ ଚିନ୍ତା କରୁଁ । ତେଣୁ ଆଧୁନିକଯୁଗ ସହିତ ସୁଦୃଢ଼ ସମ୍ପର୍କ ସ୍ଥାପନ କରି ନିଜର ଶକ୍ତିମତ୍ତାର ପରିଚୟ ଦେବାରେ ୟୁରୋପ ଭଳି ଏସିଆ ସମର୍ଥ ହୋଇ ପାରି ନାହିଁ ।

 

ତା’ହେଲେ ୟୁରୋପର ଏହି ସଭ୍ୟତାରେ ଧ୍ଵଂସବୀଜ କେଉଁଠି ନିହିତ ? ବୈଷୟିକ ଉନ୍ନତି ସାଧାଣକ୍ଷେତ୍ରରେ ତା’ର ସହଯୋଗୀତାର ଅଭାବ ହିଁ ଏହି ଧ୍ଵଂସବୀଜ ବହନ କରିଛି । ଏହି କ୍ଷେତ୍ରରେ ୟୁରୋପର ଦେଶସମୂହ ପରସ୍ପରଠାରୁ ବିଚ୍ଛିନ୍ନ ଏବଂ ଅସ୍ୱାଭାବିକ ଭାବରେ ପରସ୍ପର ପ୍ରତି ବିଦ୍ଵେଷୀ । ବିଜ୍ଞାନ ସାହାଯ୍ୟରେ ଏହି ଭୌତିକ ଉନ୍ନତି ବିଶାଳ ଓ ବହୁମୁଖୀ ହେବା ସଙ୍ଗେ ସଙ୍ଗେ ବିଚିତ୍ର ଧରଣର ଦ୍ଵନ୍ଦ୍ଵ ମଧ୍ୟ ସେଠାରେ ଦେଖାଦେଉଛି । ଗୋଟିଏ ଦିଗରେ ମନୁଷ୍ୟର ଜୀବନରକ୍ଷାକାରୀ ଜ୍ଞାନର ଦ୍ରୁତ ଉନ୍ନତି ସାଧିତ ହେଉଛି । ଏହା ପୂର୍ବରୁ ମନୁଷ୍ୟ କେବେ ତା’ର ଶାରୀରିକ ସ୍ୱାସ୍ଥ୍ୟ, ଭୂମିର ଉତ୍ପାଦନ ଓ ଜୀବନଧାରଣର ସକଳ ପ୍ରକାରର ପ୍ରତିବନ୍ଧକ ଉପରେ ଏପରି ଆଧିପତ୍ୟ ଅର୍ଜ୍ଜନ କରି ନ ଥିଲା । ମନୁଷ୍ୟ ସତେ ଯେପରି ଅମରତ୍ୱ ପ୍ରଦାନ କରୁଥିବା ସ୍ୱର୍ଗର ଅମୃତ, ଆଜି ଲୁଣ୍ଠନ କରିବାକୁ ଉଦ୍ୟତ । ଅନ୍ୟ ଦିଗରେ ଆମେ ସଂପୂର୍ଣ୍ଣ ବିପରୀତ ଦୃଶ୍ୟ ଲକ୍ଷ୍ୟ କରୁଁ । ମୃତ୍ୟୁ ସହିତ ନିଃଶଙ୍କ ଚିତ୍ତରେ କ୍ରୀଡ଼ା କରିବାର ଏପରି ନିଷ୍ଠାପର ଉଦ୍ୟମ ଏଥିପୂର୍ବରୁ କେବେ ଲକ୍ଷିତ ହୋଇ ନ ଥିଲା । ୟୁରୋପରେ ପ୍ରତ୍ୟେକ ଦେଶ ଆଜି ଉତ୍ସାହ ସହକାରେ ଏହି ଉଦ୍ୟମରେ ବ୍ୟସ୍ତ । ଜ୍ଞାନର ସମନ୍ୱୟ ସାଧନା ଦ୍ଵାରା ୟୁରୋପ ଶକ୍ତିଶାଳୀ ହୋଇଥିଲା । କିନ୍ତୁ ସେହି ଶକ୍ତିକୁ ନିଜର ଧ୍ଵଂସ ସାଧନ ପାଇଁ ସେ ପ୍ରୟୋଗ କରିବାକୁ ବର୍ତ୍ତମାନ ପ୍ରସ୍ତୁତ । ଜ୍ଞାନ ଅନ୍ୱେଷଣ କ୍ଷେତ୍ରରେ ୟୁରୋପ ଜୀବନ ରକ୍ଷାକାରୀ ମାର୍ଗରେ ଗତିଶୀଳ, କିନ୍ତୁ ପାର୍ଥିବ ଐଶ୍ୱର୍ଯ୍ୟର ଅନ୍ୱେଷଣ କ୍ଷେତ୍ରରେ ଜୀନବର ଧ୍ଵଂସକାରୀ ପଥରେ ସେ ଅଗ୍ରସର । କେଉଁ ଶକ୍ତି ପରିଣାମରେ ବିଜୟ ହାସଲ କରିବ, ତା’ ପୂର୍ବରୁ କହିବା କଷ୍ଟକର ।

 

ଧ୍ଵଂସ ମୁଖରୁ ପରିତ୍ରାଣ ପାଇବା ପାଇଁ ଅନେକ ମତ ଦିଅନ୍ତି ଯେ ମନୁଷ୍ୟ ଦ୍ଵାରା ବ୍ୟବହୃତ ଯନ୍ତ୍ରସମୂହ ପରିତ୍ୟକ୍ତ ହେବା ଆବଶ୍ୟକ । କିନ୍ତୁ ଏ ଧରଣର ଯୁକ୍ତି ଅର୍ଥହୀନ । ଚତୁଷ୍ପଦ ପ୍ରାଣୀଙ୍କର ଚାରୋଟି ଲେଖାଏଁ ପାଦ ଅଛି, କିନ୍ତୁ ସେମାନଙ୍କର ହାତ ନାହିଁ । କେବଳ ଜୀବନଧାରଣ ପାଇଁ ଯେଉଁ କ୍ରିୟାର ଅଭାବ ସେମାନେ ଅନୁବଭ କରନ୍ତି, କୌଣସି ପ୍ରକାରେ ଚଳେନେଇ ସେମାନେ ତାହା ପୁରଣ କରିଥାନ୍ତି । ଏହି କେବଳ ମାତ୍ର ଜୀବନଧାରଣର ଅର୍ଥ ହେଉଛି ଦାରିଦ୍ର୍ୟ ଓ ପରାଜୟ । କିନ୍ତୁ ମନୁଷ୍ୟ ଯାହା ହେଉ ଭାଗ୍ୟବାନ ଯେ ପ୍ରକୃତି ତାକୁ ହସ୍ତଯୁଗଳ ପ୍ରଦାନ କରିଛି । ଏହା ଫଳରେ ତାର କରାଦକ୍ଷତା ଅଧିକ ବୃଦ୍ଧିଲାଭ କରିବା ସଙ୍ଗେ ଅନ୍ୟାନ୍ୟ ପ୍ରାଣୀମାନଙ୍କ ମଧ୍ୟରେ ବିସ୍ତାର କରିବାର ସୁଯୋଗ ସେ ଲାଭ କରିଛି । ପୁଣି ଯନ୍ତ୍ର ସାହାଯ୍ୟରେ ସେ ଯତେବେଳେ ନିଜର କର୍ମକୁଶଳତା ଅଧିକତର ବୃଦ୍ଧି କରିବାକୁ ସମର୍ଥ ହେଲା, ପ୍ରଗତି ପଥରେ ତାର ଏକ ନୂତନ ପଦକ୍ଷେପ ଲକ୍ଷିତ ହେଲା । ମନୁଷ୍ୟର ଏହି ଶକ୍ତିକୁ ବାଧା ଦେବାକୁ ଉପଦେଶ ଦେବା ତେଣୁ ନିର୍ବୋଧତାର ପରିଚାୟକ । ମନୁଷ୍ୟ ନିକଟରେ ଅନ୍ୟାନ୍ୟ ପ୍ରାଣୀ ପରାଜୟ ସ୍ୱୀକାର କରିବା ଭଳି ଯେଉଁ ଜାତିସବୁ ଯନ୍ତ୍ରଶକ୍ତିର ଅଧିକାରୀ ହୋଇନାହାନ୍ତି ସେମାନେ ଅନ୍ୟ ଜାତିମାନଙ୍କ ନିକଟରେ ପରାଜିତ ହେବାକୁ ବାଧ୍ୟ

 

କିନ୍ତୁ ବ୍ୟକ୍ତିବିଶେଷ ବା ଦଳବିଶେଷ ଯେତେବେଳେ କୌଣସି ସୁଯୋଗ ବଳରେ ଶକ୍ତିର ଉପାୟ ଓ ଉପକରଣର ଅଧିକାରୀ ହୁଏ, ସେତେବେଳେ ସମସ୍ୟା ଦେଖାଦେଇଥାଏ । ଦିନ ଥିଲା, ଯେତେବେଳେ ପ୍ରତ୍ୟେକ ଦେଶର ସମସ୍ତ ରାଜନୀତିକ କ୍ଷମତା ଜଣେ ବ୍ୟକ୍ତିବେଶଷଙ୍କ ହାତରେ ରହିଥିଲା ଓ ତାଙ୍କରି ମତକୁ ହିଁ ଦେଶବାସୀ ସ୍ୱୀକାର କରିବାକୁ ବାଧ୍ୟ ହୋଇଥିଲେ । ଶକ୍ତିର ଅପପ୍ରୟୋଗରୁ ତାଙ୍କୁ ନିରୋଧ କରିବାକୁ ହେଲେ ତାଙ୍କ ବିଚାରବୁଦ୍ଧି ନିକଟରେ ଆବେଦନ କରିବା ବ୍ୟତୀତ ଅନ୍ୟ କୌଣସି ପନ୍ଥା ନ ଥିଲା । କିନ୍ତୁ ଶକ୍ତିଧର ଶାସକ ଅନେକ ସମୟରେ ଏଭଳି ଆବେଦେନକୁ କର୍ଣ୍ଣପାତ କରୁ ନ ଥିଲେ । ତେଣୁ କେତେକ ଦେଶରେ ଲୋକମାନେ ବଳପ୍ରୟୋଗ ପୂର୍ବକ ଶାସକ ନିକଟରୁ କ୍ଷମତା କାଢ଼ି ଆଣିବାର ଦେଖାଗଲା । ସେମାନେ କହିଲେ ଯେ, ଶାସକର କ୍ଷମତା ହେଉଛି ଜନସାଧାରଣଙ୍କର କ୍ଷମତାର ସମଷ୍ଟି ମାତ୍ର ।

 

କ୍ଷମତା ବ୍ୟକ୍ତିବିଶେଷ ନିକଟରେ କେନ୍ଦ୍ରୀଭୂତ ହେବା ଦ୍ୱାରା ସେମାନେ ଶକ୍ତିହୀନ ହୋଇ ପଡ଼ିଛନ୍ତି । ତା’ ପରେ ସେମାନେ ଚିନ୍ତା କଲେ ଯେ ସେହି ଶକ୍ତିକୁ ପ୍ରତ୍ୟେକ ବ୍ୟକ୍ତିବିଶେଷ ବ୍ୟବହାର କରିବାର ଉପାୟ ଯଦି ଖୋଜି ପାଆନ୍ତି ତାହାହେଲେ ସେମାନଙ୍କର ସମସ୍ତ ଶକ୍ତିର ସମ୍ମେଳନ ଦ୍ୱାରା ସେମାନେ ମିଳିତ ରାସ୍ତା ଗଢ଼ିବାକୁ ସମର୍ଥ ହେବେ ଇଂଲଣ୍ଡ ଏହି ଚିନ୍ତାର ସୁଯୋଗ ଗ୍ରହଣ କଲା । ଅନ୍ୟାନ୍ୟ କେତେକ ଦେଶରେ ଏହା ନ ଘଟିବାର କାରଣ ହେଉଛି ଯେ କେନ୍ଦ୍ରୀଭୂତ ଶକ୍ତିକୁ ବିଭକ୍ତ କରି ବ୍ୟାବହାରିକ କ୍ଷେତ୍ରରେ ତାର ପ୍ରୟୋଗ ପାଇଁ ତାକୁ ପୁଣି ନୂତନ ଭାବରେ ସମ୍ମିଳିତ କରିବାକୁ ଯେଉଁ ଶିକ୍ଷା ଓ ମାନସିକ ଦକ୍ଷତା ଆବଶ୍ୟକ, ତାହା ସେହି ଦେଶମାନଙ୍କରେ ନ ଥିଲା ।

 

ଗୋଟିଏ ନିର୍ଦ୍ଧିଷ୍ଟ ଶ୍ରେଣୀ ନିକଟରେ ଆବଦ୍ଧ ଧନ-ଶକ୍ତି ପକ୍ଷରେ ମଧ୍ୟ ଏହା ସତ୍ୟ । ଧନୀକ ବ୍ୟକ୍ତି ବହୁ ଲୋକଙ୍କର କାର୍ଯ୍ୟଦକ୍ଷତା ନିଜ ହାତରେ କୌଶଳ ସହକାରେ ସଂଗ୍ରହ କରି ଐଶ୍ୱର୍ଯ୍ୟର ଅଧିକାରୀ ହୋଇଥାନ୍ତି । ସେମାନଙ୍କର ମୂଲଧନ ବହୁ ବ୍ୟକ୍ତିଙ୍କର ଶ୍ରମଶକ୍ତିର ହିଁ ସମଷ୍ଟି ଏବଂ ଧାନ ମଧ୍ୟରେ ତାହା ବାସ୍ତବରୂପ ଗ୍ରହଣ କରିଥାଏ । ପ୍ରତି ଶ୍ରମିକର ଅନ୍ତର୍ନିହିତ ଶ୍ରମଶକ୍ତି ହେଉଛି ପ୍ରକୃତ ମୂଲଧନ । ଆମର ସମସ୍ତ ଶକ୍ତି ଆମେ ଏକତ୍ରିତ କରିବୁ, ଏହି କଥା ଯଦି ଶ୍ରମିକଗଣ କହି ପାରନ୍ତି, ତାହାହେଲେ ସେମାନଙ୍କର ପ୍ରକୃତ ମୂଲଧନ ସେଇମାନଙ୍କ ହାତରେ ହିଁ ରହିବ । ଯେଉଁମାନେ ଏକାଠି ମିଳିତ ହେବାକୁ ଅସମର୍ଥ, ସେମାନେ ଦୁଃଖଭୋଗ କରିବାକୁ ବାଧ୍ୟ । ଅନ୍ୟମାନଙ୍କୁ ଗାଳିଦେବା ବା ସେମାନଙ୍କୁ ଲୁଣ୍ଠନ କରିବା ଦ୍ୱାରା କୋଣସି ଚିରନ୍ତନ କଲ୍ୟାଣ ସେମାନଙ୍କର ସାଧିତ ହୁଏ ନାହିଁ ।

 

ବୈଷୟିକ କ୍ଷେତ୍ରରେ ମନୁଷ୍ୟ ଦୀର୍ଘକାଳ ଧରି ତାର ମାନବିକତା ପ୍ରତି ଅବହେଳା ପ୍ରଦର୍ଶନ କରିଛି ଏବଂ ସମସ୍ତ ଶକ୍ତି କେବଳ ଲୋଭର ପ୍ରତିଷ୍ଠା ଦିଗରେ ହିଁ ବ୍ୟୟିତ ହୋଇଛି । ଐଶ୍ଵର୍ଯ୍ୟର ରଥଚକ୍ର ସହିତ ଅସଂଖ୍ୟ କ୍ରୀତଦାସ ସଂଲଗ୍ନ ହୋଇଛନ୍ତି, ଏବଂ ମାଲିକର ଚାବୁକ ସହି ଏହି ରଥକୁ ଆଗକୁ ସେମାନେ ଟାଣିଛନ୍ତି । ତେଣୁ ଅତ୍ୟାଚାରିତଦଳ ନିଜ ମଧ୍ୟରେ କଥାବାର୍ତ୍ତା ହେବା ସ୍ୱାଭାବିକ ଯେ, ତାଙ୍କର ବିଚ୍ଛିନ୍ନ ଶକ୍ତି ହିଁ ଶକ୍ତିଶାଳୀ ହାତରେ କେନ୍ଦ୍ରୀଭୂତ ହୋଇ ତାହାଙ୍କୁ ଶକ୍ତି ପ୍ରଦାନ କରିଛି । ସେହି ଶକ୍ତିକୁ ଆକ୍ରମଣ କରି ତାହାକୁ ସେମାନେ ଧ୍ଵଂସ କରି ଦେଇପାରନ୍ତି, କିନ୍ତୁ ପୁଣି ଏକାଠି ସେହି ଶକ୍ତିକୁ ଏକତ୍ରିତ କରିବାକୁ ସେମାନେ ଅକ୍ଷମ । ତେଣୁ ଏହା ସେମାନଙ୍କ ପକ୍ଷରେ କୌଣସି ଦିଗରୁ ଶୁଭକର ନୁହେ । ସୁତରାଂ ସେମାନଙ୍କର ଶ୍ରମଶକ୍ତି ଏକତ୍ରିତ କରିବା ଆବଶ୍ୟକ ଏବଂ ତଦ୍ଦ୍ୱାରା ଯେଉଁ ଅର୍ଥନୀତିକ ଲାଭର ସେମାନେ ଅଧିକାରୀ ହେବେ, ତାହା ସମସ୍ତେ ଉପଭୋଗ କରିପାରିବେ ।

 

ଏହାହିଁ ହେଉଛି ସମବାୟ ନୀତି । ଏହି ନୀତି ଯୋଗୁ ହିଁ ମନୁଷ୍ୟ ଜ୍ଞାନ-ରାଜ୍ୟରେ ମହତ୍ତ୍ଵର ଆଜି ଅଧିକାରୀ ଏବଂ ଏହା ବୈଷୟିକ କ୍ଷେତ୍ରରେ ମଧ୍ୟ ତାହାକୁ ଏକ ନୈତିକ ଭିତ୍ତି ପ୍ରଦାନ କରିଛି । ଏହାର ଅଭାବ ଯେଉଁଠି ପରିଲକ୍ଷିତ, ସେଠାରେ ଯନ୍ତ୍ରଣା, ଇର୍ଷା, ମିଥ୍ୟା, ବର୍ବରତା ଓ ସଂଘର୍ଷ ଦେଖାଯାଇଥାଏ ।

 

ଶକ୍ତି ସହିତ ଶକ୍ତିର ସଙ୍ଘର୍ଷଦ୍ଵାରା ସକଳକ୍ଷେତ୍ରରେ ଅଗ୍ନିକୁ ପ୍ରଜ୍ଜ୍ଵଳିତ ହୋଇଥାଏ । ବ୍ୟକ୍ତିଗତ ପ୍ରଲୋଭନରେ ବେଦୀ ଉପରେ ମଣିଷ ଆଜି ବଳିରୁପେ ବ୍ୟବହୃତ । ଏହା ସ୍ଥଗିତ ନ ହେଲେ ଇତିହାସରେ ଭୀଷଣ ପ୍ରଳୟ ସୃଷ୍ଟି ହେବ । ଶକ୍ତିମାନ ଓ ଦୁର୍ବଳ ମଧ୍ୟରେ ଯେଉଁ ମନୋମାଳିନ୍ୟ ବୈଷୟିକ କ୍ଷେତ୍ରରେ ଦେଖାଦେଇଛି, ତାହାହିଁ ଆଜିର ସବୁଠୁଁ ଚରମ ବିପଦ । ମୂର୍ଖ ଓ ବିଦ୍ୱାନ ମଧ୍ୟରେ ପାର୍ଥକ୍ୟ ଅବଶ୍ୟ ରହିଛି, କିନ୍ତୁ ଜ୍ଞାନର ଅଧିକାର କ୍ଷେତ୍ରରେ ମଣିଷ କେବେ ବିଭେଦର ପ୍ରାଚୀନ ସୃଷ୍ଟି କରି ନାହିଁ । ଦଳ ସୃଷ୍ଟି ଦ୍ୱାରା ବୁଦ୍ଧମାନ ଶ୍ରେଣୀ ନିଜର କ୍ଷମତା ହାସଲ କରିବାକୁ କେବେ ବ୍ୟଗ୍ର ନୁହେ । କିନ୍ତୁ ଅସଂଯତ ଅର୍ଥଲୋଭ ଆଜି ପ୍ରତି ଦେଶ ଓ ପ୍ରତି ପରିବାର ମଧ୍ୟରେ ଭେଦର ପ୍ରାଚୀର ସୃଷ୍ଟି କରିଛି । ପ୍ରାଚୀନ ଯୁଗରେ ଲୋକମାନଙ୍କ ମଧ୍ୟରେ ବୈଷମ୍ୟ ରହିଥିଲା, କିନ୍ତୁ ଏହି ଭେଦର ପ୍ରାଚୀର ଏପରି ଉନ୍ନତ ନ ଥିଲା । ଲୋଭ ଏଭଳି ଭାବରେ ଉତ୍କୂଳ ହୋଇ ନ ଥିଲା ଏବଂ ସାହିତ୍ୟ, କଳା ରାଜନୀତି ଓ ପାରିବାରିକ ଜୀବନକୁ ଏପରି କଳୁଷିତ କରି ନ ଥିଲା । ଆର୍ଥିକ କ୍ଷେତ୍ର ବ୍ୟତୀତ ଅନ୍ୟାନ୍ୟ ବୃହତ୍ତର କ୍ଷେତ୍ର ମଧ୍ୟ ଥିଲା, ଯେଉଁଠି ଲୋକମାନେ ସମ୍ମିଳିତ ହେଉଥିଲେ । ଅର୍ଥପ୍ରାଚୁର୍ଯ୍ୟର ଏହି ଦୁର୍ବହ ବୋଝରୁ କେବଳ ଗରୀବ ଶ୍ରେଣୀ ହିଁ ସମାଜକୁ ଉଦ୍ଧାର କରି ପାରିବେ । ଧନିକ ଶ୍ରେଣୀ ଦ୍ୱାରା ଏହା ହେବା ସମ୍ଭବ ନୁହେ । ଆର୍ଥନୀତିକ କ୍ଷେତ୍ରରୁ ଗୁରୁତର ଭାବରେ ବଞ୍ଚିତ ହୋଇଥିବା ଏହି ଦରିଦ୍ର ଶ୍ରେଣୀ ହିଁ ତା’ମଧ୍ୟରେ ପ୍ରବେଶ କରିବାର ପଥ ନିର୍ମାଣର ଦାୟିତ୍ୱ ଗ୍ରହଣ କରିବା ଉଚିତ । ଦରିଦ୍ରର ଦୁର୍ବଳତା ହିଁ ଏ ପର୍ଯ୍ୟନ୍ତ ସଭ୍ୟତାକୁ ଦୁର୍ବଳ ଓ ଅପୂର୍ଣ୍ଣ କରି ରଖିଛି । କ୍ଷମତାକୁ ଜୟ କରି ସେମାନେ ଏହାକୁ ସଜାଡ଼ି ଦେବା ଆବଶ୍ୟକ ।

 

ୟୁରୋପୀୟ ରାଷ୍ଟ୍ରଗୁଡ଼ିକରେ ସମବାୟ ନୀତି ଆଜି ଦ୍ରୁତ ଗତିରେ ଆଗେଇ ଚାଲିଛି । ଆମ ଅପେକ୍ଷା ସେମାନଙ୍କର ଗୋଟିଏ ଅଧିକ ସୁବିଧା ରହିଛି, ତାହା ହେଉଛି ସେମାନଙ୍କର ଅଭିଜ୍ଞତା ଓ ସଂଘ-ଚେତନା ।

 

ଆମ ଭାରତୀୟଗଣ, ବିଶେଷତଃ ହିନ୍ଦୁମାନେ ଏ କ୍ଷେତ୍ରରେ ଅନୁନ୍ନତ । କିନ୍ତୁ ଆମେ ମଧ୍ୟ ଆମର ଅସହନୀୟ ଦାରିଦ୍ର୍ୟ ସତ୍ତ୍ୱେ ଏକ ଉନ୍ନତତର ଜୀବନ ଜାପାନ ପାଇଁ ଆଗ୍ରହ ଫଳରେ ଦିନେ ବାଧ୍ୟହୋଇ ଏହି ସମବାୟ ନୀତିକୁ ଯେ ଗ୍ରହଣ କରିବୁ, ତାହା ଆଶା କରିବା ସ୍ୱାଭାବିକ । ଏଥିରେ ଯଦି ଆମେ ବିଫଳ ହେଉଁ ଦୁଃଖ ଦାରିଦ୍ର୍ୟରୁ ଆମର ଆଉ ନିସ୍ତାର ନାହିଁ ଏବଂ ସେହି କାରଣରୁ କାହାକୁ ଦୋଷ ଦେବା ମଧ୍ୟ ନିରର୍ଥକ । ଅନେକ ସମୟରେ କୁହାଯାଉଛି ଯେ ଆମେ ଯଦି ପ୍ରାଚୀନ ଯୁଗ ଭଳି ଆମର ଅତ୍ୟାବଶ୍ୟକୀୟ ଉପକରଣ ମାତ୍ର ଧରି ଜୀବନ ଯାପନ କରୁଁ, ତାହାହେଲେ ଦାରିଦ୍ର୍ୟ ସମସ୍ୟା ଦେଶରୁ ସମୂଳେ ଉତ୍ପାଟିତ ହେବ । ତାର ଅର୍ଥ ହେଉଛି ଏହି ଯେ ଯେଉଁ ଲୋକ ତଳେ ପଡ଼ିରହିଛି, ସେ ଆଉ ଅଧିକ ତଳକୁ ଯାଇ ପାରେନା, କିନ୍ତୁ ଏହା ଏକ ଯଥାର୍ଥ ସମାଧାନ ନୁହେ ।

 

ମନୁଷ୍ୟର ଇତିହାସ ଆମକୁ କେବେ ସୂଚନା ଦେଇ ନାହିଁ ଯେ ମନୁଷ୍ୟ ପୁଣି ଥରେ ପଛକୁ ଫେରି ପାରେ । ଯୁଗ ଯୁଗ ଧରି ନୂତନ ସୃଷ୍ଟି ମାଧ୍ୟମରେ ଆପଣାର ବୃଦ୍ଧିକୁ ସେ ଅଭିବ୍ୟକ୍ତ ଦେଇଆସିଛି । ନୂତନ ଯୁଗ ସବୁବେଳେ ନୂତନ ଦାବୀ ଉପସ୍ଥାପିତ କରିଥାଏ । ଯେଉଁମାନେ ଏହି ଦାବୀ ପୁରଣ କରିବାରେ ଅସମର୍ଥ ହୁଅନ୍ତି, ସେତେବେଳେ ସେମାନେ ପଛରେ ପଡ଼ିଯାନ୍ତି । ମନୁଷ୍ୟ ତାର ଉଦ୍ଭାବନୀ ଶକ୍ତି ବଳରେ ନିଜ ପାଇଁ ନୂତନ ସୁଯୋଗ ସର୍ବଦା ସୃଷ୍ଟି କରେ ଏବଂ ତାର ଅଭାବଗୁଡ଼ିକ ମଧ୍ୟ ବହୁଗୁଣିତ ହୋଇଥାନ୍ତି ।

 

ଏପରି କି ଲଙ୍ଗଳ ଆସିବା ପୂର୍ବରୁ ମନୁଷ୍ୟ ଅରଣ୍ୟରୁ ସଂଗ୍ରହ କରୁଥିବା ଫଳମୂଳ ଖାଇ ଜୀବନଧାରଣ କରୁଥିଲା । ତାର ଯେ କୌଣସି ଅଭାବ ଅଛି, ଏ କଥା ହୁଏତ ସେତେବେଳେ କେହି ଅନୁଭବ ନ କରି ଥିଲେ । ଲଙ୍ଗଳ ଯେତେବେଳେ ଉଦ୍ଭାବିତ ହେଲା, ଓ କୃଷିକର୍ମ ଆରମ୍ଭ ହେଲା, ସେତେବେଳେ ସେଥିରୁ କ୍ରମେ ବାଣିଜ୍ୟ ବ୍ୟବସାୟ ଓ ଆଇନ ପଦ୍ଧତିର ସୃଷ୍ଟି ହେଲା । ସେଥିରୁ ହିଂସା, ଚୋରୀ, ଡକାୟତି, ଠକାମି ଓ ଜାଲିଆତି ଏବଂ ମିଥ୍ୟାଦିଜନିତ ଦୁଃଖ ମଧ୍ୟ ଦେଖାଦେଲା । ତା’ ବୋଲି ଆମେ ଯଦି ଲଙ୍ଗଳକୁ ଏହି କାରଣରୁ ପରିତ୍ୟାଗ କରିବାକୁ ଉପଦେଶ ଦେବା, ତାହା ହେଲେ ଆମକୁ ଗତି କରିବା ସମୟରେ ପଛକୁ ଫେରିବା ପାଇଁ ପରାମର୍ଶ ଦେବା ସଙ୍ଗେ ଏହା ସମାନ ହେବ । ଇତିହାସରୁ ଆମ୍ଭେମାନେ କେତେକ ଜାତିର ପରିଚୟ ପାଉଁ, ଯେଉଁମାନେ କି ନୂତନ ସୃଷ୍ଟିର ପଥରେ ଅଗ୍ରଗତି କରିବା ବଦଳରେ ନିଜର ଅତୀତର ଐଶ୍ଵର୍ଯ୍ୟ ଆଡ଼କୁ କେବଳ ଅନାଇ ସ୍ଥାଣୁହୋଇ ରହିଥିଲେ । ସେମାନେ ମୃତ ଅପେକ୍ଷା ମଧ୍ୟ ଅଧିକ ଦୁର୍ଗତି, କାରଣ ସେମାନେ ଜୀବନମୃତ । ବ୍ୟୟ କରିବା ପାଇଁ ମୃତର ଯେ କୌଣସି ଅର୍ଥର ଆବଶ୍ୟକତା ନାହିଁ, ଏହା ଅବଶ୍ୟ ସ୍ୱୀକାର କରାଯାଇ ପାରେ । କିନ୍ତୁ ଏହି କାରଣରୁ ଆମେ କଣ କହିବା ଯେ ମୃତ୍ୟୁ ହେଉଛି ଦାରିଦ୍ର୍ୟ ସମସ୍ୟାର ଏକମାତ୍ର ସମାଧାନ ।

 

ଅତୀତ ଯୁଗର ସ୍ମୃତିଚିହ୍ନକୁ ଧରି କେବଳମାତ୍ର ବଞ୍ଚି ରହିବା ମନୁଷ୍ୟ ପକ୍ଷରେ ଉଚିତ ନୁହେ । ମନୁଷ୍ୟର ଅଭାବ ହେଉଛି ବହୁମୁଖୀ । ତାର ଆବଶ୍ୟକତା ହେଉଛି ଅପରିସୀମ, କିନ୍ତୁ ନିଜର ଦାବୀକୁ ପୁରାଣ କରିବାକୁ ତାର ଦକ୍ଷତା ମଧ୍ୟ ଆବଶ୍ୟକ ।

 

ବିଳାସ କଣ ? ଜଡ଼ାତେଲର ଦୀପ ଛାଡ଼ି କିରାସିନି ତେଲର ଲଣ୍ଠନ ଜାଳିବା ଏବଂ କିରାସିନି ତେଲର ଲଣ୍ଠନ ଜାଗାରେ ଆଲୁଅ ଜଳିବାକୁ ଆମେ କଣ ଗୋଟିଏ ବିଳାସ ବୋଲି ଧରିବା ? ଦିବାଲୋକ ପରେ ଆମର ଯଦି କୌଣସି କୃତିମ ଆଲୋକ ସଜ୍ଜାର ଆବଶ୍ୟକତା ନ ଥାଏ, ତାହାହେଲେ ବିଜୁଳି ଆଲୁଅ ପରିତ୍ୟାଗ କରିବା କଥା ଆମେ କଣ ଚିନ୍ତା କରି ପାରିବ ? ସନ୍ଧ୍ୟା ଆସିବା ପରେ ଯେଉଁ ଅଭାବ ଲୋକେ ଅନୁଭବ କରି ତୈଳପ୍ରଦୀପ ଦିନେ ଜାଳୁଥିଲେ ସେହି ଅଭାବ ହିଁ ଏହି ଆଲୋକ ଦ୍ଵାରା ଦୂରୀଭୂତ । ଏହା କେବଳ ଅଭାବ ପୁରାଣ କରିବାରେ ଏକ ଉନ୍ନତ ପ୍ରଣାଳୀ ମାତ୍ର । ଆଜି ଯଦି ଆମ୍ଭେମାନେ ବିଜୁଳି ଆଲୁଅ ଜାଳୁଁ, ତାହା ବିଳାସ ବୋଲି ପରିଗଣିତ ହେବ ନାହିଁ । ବରଂ ଏହା ବ୍ୟବହାର ନ କରିବା ହିଁ ଦାରିଦ୍ର୍ୟର ନିଦର୍ଶନ । ବଳଦଗାଡ଼ି ଯେତେବେଳେ ପ୍ରଥମେ ସୃଷ୍ଟିହେଲା, ତାହା ଥିଲା ସେତେବେଳେ ଐଶ୍ୱର୍ଯ୍ୟର ଏକ ଅଭିବ୍ୟକ୍ତି, କିନ୍ତୁ ତାହାରି ମଧ୍ୟରେ ହିଁ ମଟରଗାଡ଼ିର ଧାରଣା ଲୁକ୍କାୟିତ ହୋଇ ରହିଥିଲା । ଯେଉଁ ଲୋକ ଦିନେ ବଳଦଗାଡ଼ି ବ୍ୟବହାର କରୁଥିଲା, ସେ ଯଦି ଆଜି ମଟର ନ ଚଢ଼େ, ତଦ୍ଦ୍ଵାରା ତାର ପରବର୍ତ୍ତୀ ଯୁଗର ବିଚାରରେ ଦାରିଦ୍ର୍ୟ ରୂପେ ବିବେଚିତ । କେବଳ ଅତୀତ ଯୁଗକୁ ଫେରି ଯିବାରେ ହିଁ ଆମର ଦୈନ୍ୟ ଦୂରୀଭୂତ ହେବ-ଏ ପରାମର୍ଶ କେବଳ ଦୁର୍ବଳମନା ବ୍ୟକ୍ତିଗଣ ଦେଇଥାନ୍ତି । ଏହା ଏକ ଦୁର୍ଭାଗ୍ୟ ଯେ ଆଧୁନିକ ଯୁଗର ଅଧିକାଂଶ ସୁବିଧା କେବଳ ମୃଷ୍ଟିମେୟ ଲୋକେ ଉପଭୋଗ କରିଥାନ୍ତି ଓ ଅଧିକାଂଶ ଲୋକ ସେଥିରୁ ବଞ୍ଚିତ ହୋଇଥାନ୍ତି ଏବଂ ସେଥିପାଇଁ ସମାଜକୁ ପ୍ରାୟଶ୍ଚିତ୍ତ କରିବାକୁ ପଡ଼ିବ । ଧନର ବ୍ୟବହାରକୁ ସୀମାବଦ୍ଧ କରିବା ଦ୍ଵାରା ବା ଅନ୍ୟଠୁଁ ବଳ ପ୍ରୟୋଗ ପୂର୍ବକ ତାହାକୁ କାଢ଼ିନେବା ଦ୍ଵାରା କିମ୍ବା ତାହାକୁ ଦାନ କରିବା ଦ୍ଵାରା ଏହାର ପ୍ରତିକାର ହୋଇ ନ ପାରେ ।

 

ନୂତନ ସମ୍ପତ୍ତିର ଜନ୍ମ ପାଇଁ ସବୁ ଲୋକଙ୍କ ପ୍ରାଣରେ ଦକ୍ଷତାର ପ୍ରେରଣା ସୃଷ୍ଟି କରିବା ମଧ୍ୟରେ ହିଁ ଏହାର ପ୍ରତିକାର ନିହିତ । ଅନ୍ୟ କଥାରେ ଲୋକମାନଙ୍କ ନିକଟରେ ସମବାୟ ନୀତି ପ୍ରଚାର କରିବା ଦ୍ଵାରା ଏହାର ପ୍ରତିକାର ସମ୍ଭବପର । ଧନ ବୈଷମ୍ୟ ବଳପ୍ରୟୋଗ ଦ୍ଵାରା ସଂପୂର୍ଣ୍ଣ ଭାବେ ଲୁପ୍ତ ହୋଇଯିବ, ଏ ବିଶ୍ଵାସ ମୋର ନାହିଁ । ମଣିଷର ଅନ୍ତର୍ନିହିତ ବୈଷମ୍ୟ ନିଜକୁ ଜାହିର କରିବା ସୁନିଶ୍ଚିତ । ଏହା ବ୍ୟତୀତ ମନୋଭାବ ଭିତରେ ମଧ୍ୟ ପାର୍ଥକ୍ୟ ରହିଛି । ଅନେକ ଧନ ସଞ୍ଚୟ କରିବାକୁ ସୁଖ ପାଆନ୍ତି ଏବଂ ଆଉ କେତେକଙ୍କର ଏ ଧରଣର ମନୋଭାବ ନାହିଁ । ସେଥିପାଇଁ ଧନ ବୈଷମ୍ୟ ସୃଷ୍ଟି ହୋଇଥାଏ । ଯାନ୍ତ୍ରିକ ଉପାୟରେ ସମତା ବିଧାନ ସମ୍ଭବ କିମ୍ବା ତାହା କାମ୍ୟ ମଧ୍ୟ ନୁହେ । ପ୍ରକୃତ-ଜଗତ ଭଳି ମାନବ-ଜଗତରେ ସଂପୂର୍ଣ୍ଣ ସମତା ବ୍ୟକ୍ତିଗତ ଉଦ୍ୟମକୁ ପଙ୍ଗୁ ଏବଂ ବୃଦ୍ଧିକୁ ଆଳସ୍ୟପରାୟଣ କରିଦିଏ । କିନ୍ତୁ ଅତ୍ୟଧିକ ପରିମାଣର ଅସମାନତା ମଧ୍ୟ ସମାନ ଭାବେ ନିନ୍ଦନୀୟ । କାରଣ ଲୋକମାନଙ୍କ ମଧ୍ୟରେ ବ୍ୟବଧାନ ସୃଷ୍ଟି କରି ସେମାନଙ୍କର ସାମାଜିକ ସଂପର୍କର ଉନ୍ନତି-ପଥରେ ବିରାଟ ପ୍ରତିବନ୍ଧକ ଏହା ସୃଷ୍ଟି କରିଥାଏ । ପ୍ରତ୍ୟେକ ଲୋକ ଯଥେଷ୍ଟ ପରିମାଣର ମଜୁରୀ ଓ ଅବସର ପାଇଁ ହକଦାର । କେବଳ ବଞ୍ଚି ରହିବାର ଉପକରଣ ମାତ୍ର ରହିବା ମନୁଷ୍ୟ ନିକଟରେ ଏକ ଅପମାନ । ଆଜି କେତେକ ନିର୍ଦ୍ଦିଷ୍ଟ ମୁଷ୍ଟିମେୟ ବ୍ୟକ୍ତି କେବଳ ସଭ୍ୟ ଜୀବନଯାପନର ଅଧିକାରୀ ଏବଂ ସେମାନେ ବହୁ ଲୋକଙ୍କର ଅନିଚ୍ଛାକୃତ ଶ୍ରମରେ ଜୀବନ ନିର୍ବାହ କରିଥାନ୍ତି । ଅଗଣିତ ଜନତା ଶିକ୍ଷା, ସ୍ୱାସ୍ଥ୍ୟ ଉପଭୋଗର ଉପାୟରୁ ବଞ୍ଚିତ ହୋଇ ଆଜି ନିର୍ବୋଧ ଭଳି ବଞ୍ଚି ରହିବାକୁ ବାଧ୍ୟ ହୋଇଛନ୍ତି । ପରିଣତି ସମ୍ପର୍କରେ ଆମେ କ୍ୱଚିତ ଚିନ୍ତା କଋଥାଉଁ, କିନ୍ତୁ ଦୀର୍ଘକାଳ ଅନାସକ୍ତ ହୋଇ ଆମେ ରହି ନ ପାରୁ । ସୀମିତ ପରିସର ମଧ୍ୟରେ ଶକ୍ତିକୁ ଗାଢ଼ କରିବା ଫଳରେ ଆଜି ପୃଥିବୀବ୍ୟାପୀ ଭୀଷଣ ସାମାଜିକ ଉତ୍ତେଜନା ଦେଖାଦେଇଛି । ସେହି ଶକ୍ତି ବର୍ତ୍ତମାନ ମୁକ୍ତି ପାଇବା ଆବଶ୍ୟକ ଓ ତାହା ବ୍ୟାପକ ଭିତ୍ତିରେ ପ୍ରତିଷ୍ଠିତ ହେବ ବାଞ୍ଛନୀୟ । ଏହି ସମବାୟ ନୀତି ଦିନେ ଆମର ଗ୍ରାମ୍ୟ ଜୀବନାଶ୍ରୟୀ ଅର୍ଥନୀତିରେ ଅନୁସୃତ ହେଉଥିଲା । କିନ୍ତୁ ସେଦିନ ଭଳି ଆଜିର ଜୀବନ ସେତେ ସରଳ ନୁହେ । ତା’ଛଡ଼ା ବର୍ତ୍ତମାନ ଯୁଗରେ ଧନୀକ ନିଃସ୍ଵାର୍ଥପର ହେବ ଯଥେଷ୍ଟ କଷ୍ଟକର । ଯଦିବା ହୁଅନ୍ତା ତାହା ଅଧିକ ସୁଖର କଥା ହେବ । କିନ୍ତୁ ଜନସାଧାରଣ ବର୍ତ୍ତମାନ ନିଜର ଅନ୍ତର୍ନିହିତ କ୍ଷମତାକୁ ବିକଶିତ କରିବା ଆବଶ୍ୟକ ଏବଂ ତାହା ହିଁ ତାଙ୍କୁ ସ୍ଥାୟୀ ମୂଲ୍ୟ ପ୍ରଦାନ କରିବ । ଯଦି ଭାରତୀୟ ଅର୍ଥନୀତି ଆଉ ଥରେ ସମବାୟ ଉପରେ ପ୍ରତିଷ୍ଠିତ ହୁଏ, ତାହାହେଲେ ସଭ୍ୟତାର ଧାତ୍ରୀରୂପିଣୀ ଆମ ଗ୍ରାମଗୁଡ଼ିକ ପୁଣି ଥରେ ପ୍ରାଣବନ୍ତ ହେବେ ଏବଂ ସମଗ୍ର ଦେଶ ଏକ ନବଜୀବନ ଲାଭ କରିବ । ଦେଶରେ ଦାରିଦ୍ର୍ୟର ଦୃଶ୍ୟ ହିଁ ବର୍ତ୍ତମାନ ଅଧିକ ପ୍ରକଟିତ ଏବଂ ଦରିଦ୍ର ଜନତାର ପଥରେ ପୁଞ୍ଜିଭୂତ ଅର୍ଥର ଦୁର୍ଗ ଏପର୍ଯ୍ୟନ୍ତ ପ୍ରତିବନ୍ଧକ ରୂପେ କ୍ୱଚିତ ଦଣ୍ଡାୟମାନ । ତେଣୁ ସମବାୟ ନୀତିକୁ ପ୍ରତିନ୍ଦ୍ଵନ୍ଦିତାର ସମ୍ମୁଖୀନ ହେବାକୁ ବିଶେଷ ପଡ଼ିବ ନାହିଁ । ତେଣୁ ମୋର ଆନ୍ତରିକ ପ୍ରାର୍ଥନା ଯେ ଧନର ମୁକ୍ତି ଓ ତାର ପୁନର୍ବଣ୍ଟନ ଏ ଦେଶରେ ପୂର୍ଣ୍ଣମାତ୍ରାରେ କାର୍ଯ୍ୟକାରୀ ହେଉ ଏବଂ ଫଳରେ ସମସ୍ତ ଦେଶବାସୀଙ୍କର ମିଳିତ ଉଦ୍ୟମ ଦ୍ୱାରା ଅନ୍ନ ଓ ଐଶ୍ୱର୍ଯ୍ୟର ଲକ୍ଷ୍ୟ ଦୃଢ଼ ଭାବରେ ଚିରକାଳ ପାଇଁ ସିଂହାସନରେ ଅଭିଷିକ୍ତ ହୁଅନ୍ତୁ ।

 

-୧୯୨୯

 

ପ୍ରଭାତୀ ତାରା ଉଷା କନାରେ ଚୁପ୍ ଚୁପ୍ କରି କହେ,

‘‘ତୁମେ କହ, ତୁମେ କେବଳ ଏକା ମୋଅରି ପାଇଁ ।’’

ଉଷା କହେ, ‘‘ହଁ ସେକଥା ସତ; କିନ୍ତୁ କେବଳ

ସେଇ ବେନାମୀ ଫୁଲଟି ପାଇଁ ମଧ୍ୟ ମୁଁ ଆସିଛି ।’’

 

-ରବୀନ୍ଦ୍ର ନାଥ

Image

 

Unknown

କାଳାନ୍ତର

 

ଏହା ବେଶୀ ଦିନର କଥା ନୁହେ, ଯେତେବେଳେ ଆମର ପଲ୍ଲୀବାସୀ ଦଳବଦ୍ଧ ହୋଇ ସେମାନଙ୍କର ଅବସର ମୁହୂର୍ତ୍ତକୁ ମନ୍ଦିର ମଣ୍ଡପରେ ଗଳ୍ପ ଗୁଜବ୍ ବା ତାସ ଖେଳରେ ଅତିବାହିତ କରୁଥିଲେ । ଗ୍ରାମ୍ୟ ଜୀବନକୁ କେନ୍ଦ୍ର କରି ସେମାନଙ୍କର କାର୍ଯ୍ୟକଳାପ ବା ଚିନ୍ତା ସୀମାବଦ୍ଧ ରହୁଥିଲା । ଅନ୍ୟ କୌଣସି ବିଷୟ ସେମାନେ ଚର୍ଚ୍ଚା କରୁ ନ ଥିଲେ । ଏହା ବ୍ୟତୀତ ମଝିରେ ମଝିରେ ସେମାନଙ୍କର ଚିତ୍ତାନୁଶୀଳନ ଓ ସାଂସ୍କୃତିକ ଜୀବନଯାପନ ପାଇଁ ଭ୍ରାମ୍ୟମାଣ ଯାତ୍ରାଦଳ ଦ୍ଵାରା ନାଟକାଭିନୟ, ରାମାୟଣ ପାଠ, ଓ କବିତାଗାନ ବା କବିତା ପ୍ରତିଯୋଗିତାର ମଧ୍ୟ ଆୟୋଜନ କରାଯାଉଥିଲା । ଏଗୁଡ଼ିକ ପାଇଁ ବିଷୟବସ୍ତୁ ସେମାନେ ପୁରାଣର କାହାଣୀ ଭଣ୍ଡାରରୁ ନିର୍ବାଚନ କରୁଥିଲେ ।

 

ସଂକୀର୍ଣ୍ଣ ଦିଗ୍‍ବଳୟର ଏହା ଏକ ସୁପରିଚିତ ଜଗତ, ଯାହାକି ନିଜ କକ୍ଷରେ ନିଜେ ଥିଲା ଘୂର୍ଣ୍ଣାୟମାନ ଏବଂ ଯାହାର ସମସ୍ତ ତଥ୍ୟ ଓ ରସଧାରା ବର୍ଷ ବର୍ଷ ଧରି ବଂଶାନୁକ୍ରମେ ଅପରିବର୍ତ୍ତିତ ଓ ପୁନରାବୃତ୍ତ ହୋଇ ରହୁଥିଲା । କିନ୍ତୁ ଏହି ସଂସାରର ବାହାରେ ମାନବଜଗତର ଦିଗ ଦିଗନ୍ତରେ ବିରାଟ ଇତିହାସର ଅଭିବ୍ୟକ୍ତି ସର୍ବଦା ପରିଲକ୍ଷିତ ହେଉଥିଲା । ପୁନଶ୍ଚ ତାହାର ଆଦ୍ୟପ୍ରାନ୍ତ ସନାତନ ପ୍ରଥା ଓ ଶାସ୍ତ୍ର ବଚନରେ ଚିରକାଳ ସ୍ଥାବର ହୋଇ ରହି ନଥିଲା । ବରଂ ତା' ମଧ୍ୟରେ ଅଂଶ ଅଂଶ ଭିତରେ ଘାତ ପ୍ରତିଘାତ ବା ସଂଘର୍ଷ ଫଳରେ ନବ ନବ ସମସ୍ୟାର ସୃଷ୍ଟି ହେବା ସଙ୍ଗେ ଇତିହାସର ରୂପ ମଧ୍ୟ ପରିବର୍ତ୍ତିତ ହେଉଥିଲା । ଏହା କିନ୍ତୁ ଆମର ଦୃଷ୍ଟି ସୀମାକୁ କେବେ ସ୍ପର୍ଶ କରି ପାରୁ ନ ଥିଲା ।

 

ମୁସଲମାନଙ୍କର ଭାରତ ଅଧିକାର ହିଁ ଆମର ଶାନ୍ତି ସନ୍ତୁଷ୍ଟିର ସଂକୀର୍ଣ୍ଣ ପ୍ରାଚୀର ଉପରେ ପ୍ରଥମ ଥର ପାଇଁ ଆକ୍ରମଣ କରିଥିଲା । କିନ୍ତୁ ସେହି ମୁସଲମାନ ମଧ୍ୟ ପରିବର୍ତ୍ତନକୁଣ୍ଠ ପ୍ରାଚ୍ୟର ଅଧିବାସୀ ଏବଂ ସେମାନେ ନିଜ ଅତୀତ ମଧ୍ୟରେ ହିଁ ବନ୍ଦୀ । ବାହୁ ବଳରେ ସେମାନେ ଏକ ସାମ୍ରାଜ୍ୟ ସୃଷ୍ଟି କଲେ ସିନା, କିନ୍ତୁ ସେମାନଙ୍କର ମନୋରାଜ୍ୟରେ କୌଣସି ପ୍ରକାର ସୃଜନଧର୍ମୀ ଉଚ୍ଛ୍ୱାସ ନ ଥିଲା । ସେମାନେ ଯେତେବେଳେ ଆମ ସୀମାନ୍ତ ମଧ୍ୟରେ ବସବାସ କଲେ ସେତେବେଳେ ତାଙ୍କ ସଙ୍ଗରେ ଆମର ଘନ ଘନ ସଂଘର୍ଷ ସୃଷ୍ଟି ହେଲା । କିନ୍ତୁ ସେ ସଂଘର୍ଷ ବାହ୍ୟିକ–ଗୋଟିଏ ଅନମନୀୟ ଜୀବନଧାରା ସହିତ ଆଉ ଗୋଟିଏ ଅନମନୀୟ ଜୀବନଧାରାର ସଂଘର୍ଷ ମାତ୍ର । ଆମର ରାଷ୍ଟ୍ରୀୟ ଶାସନ ପ୍ରଣାଳୀକୁ ସେମାନେ ଗଭୀର ଭାବରେ ପ୍ରଭାବିତ କଲେ ସତ, କିନ୍ତୁ ସେମାନେ ଆମ ଚିତ୍ତରାଜ୍ୟକୁ ଅଧିକାର କରିବାକୁ ଅକୃତକାର୍ଯ୍ୟ ହେଲେ । ଫାର୍ସି ଭାଷା ବହୁଳ ପରିମାଣରେ ସମ୍ଭ୍ରାନ୍ତବଂଶୀୟ ଲୋକମାନଙ୍କ ଦ୍ୱାରା ବ୍ୟବହୃତ ହେବାକୁ ଲାଗିଲା । ଏପରି କି କେତେକ ଫାର୍ସି ଶବ୍ଦ ମଧ୍ୟ ବଙ୍ଗଳା ଭାଷା ମଧ୍ୟରେ ପ୍ରବେଶ ଲାଭ କଲା । ତଥାପି ସମକାଳୀନ ବଙ୍ଗଳା ସାହିତ୍ୟରେ ଫାର୍ସି ବିଦ୍ୟାର ସ୍ପଷ୍ଟ ନିଦର୍ଶନ ପ୍ରାୟ ମିଳି ନ ଥାଏ ଏବଂ ଏହାର ବିଷୟବସ୍ତୁ ଓ ଅନ୍ତଦୃଷ୍ଟିରେ ମୁସଲମାନ ସାହିତ୍ୟିକ ପରମ୍ପରାର ସଙ୍କେତ ପରିଦୃଷ୍ଟ ହୁଏ ନାହିଁ । କେବଳ ମାତ୍ର ଭାରତଚନ୍ଦ୍ରଙ୍କର ବିଦ୍ୟାସୁନ୍ଦର ଏକ ବ୍ୟତିକ୍ରମ-ଯାହାର କୃତିମ ଭାଷା ଓ ସଂଯତ ଛନ୍ଦରେ ଫାର୍ସି ସାହିତ୍ୟର ରସବୈଦଗ୍ଧ୍ୟର ପରିଚୟ ମିଳିଥାଏ ।

 

ସୁତରାଂ ଭାରତ ଭୂମିରେ ଦୁଇଟି ପ୍ରଚୀରାବଦ୍ଧ ସଭ୍ୟତା ସ୍ଵ ସ୍ଵ ଦୃଢ଼ ବିଶ୍ୱାସ ଘେନି ପାଖାପାଖି ଦଣ୍ଡାୟମାନ ହୋଇଥିଲେ ମଧ୍ୟ କେହି କାହାରି ମୁଖ ଦର୍ଶନ କରି ନ ଥିଲେ । ସେମାନଙ୍କ ମଧ୍ୟରେ ଯେ କିଛି ପ୍ରତିକ୍ରିୟା ସୃଷ୍ଟି ହୋଇ ନାହିଁ ତାହା ନୁହେ, କିନ୍ତୁ ତାହା ମଧ୍ୟ ଅତି ସାମାନ୍ୟ । ମୁସଲମାନମାନଙ୍କର ଶାରୀରିକ ବିକ୍ରମ ଦେଶକୁ ପ୍ରବଳ ଭାବରେ ଆଘାତ ଦେଇଛି ସତ, କିନ୍ତୁ କୌଣସି ନୂତନ ସୃଷ୍ଟି ପ୍ରଚେଷ୍ଟା ବା ଚିନ୍ତାରେ ସେମାନଙ୍କ ମନକୁ ଉଦ୍‍ବୁଦ୍ଧ କରି ନହିଁ । ତା' ଛଡ଼ା ଆଉ ଗୋଟିଏ ବିଷୟ ଲକ୍ଷ୍ୟ କରିବାର କଥା ଯେ ଯଦିଓ ବାହାରୁ ମୁସଲମାନମାନେ ଆଘାତ ଓ ଆକ୍ରମଣ ଦ୍ୱାରା ହିନ୍ଦୁସ୍ଥାନରେ ବଳପୂର୍ବକ ପ୍ରବେଶ କଲା, ତଥାପି ସେମାନେ ଆମ ଦୃଷ୍ଟିକୁ ବହିର୍ଜଗତ ପ୍ରତି ସଂପ୍ରସାରିତ କଲେ ନାହିଁ । ବସତି ସ୍ଥାପନ କରିସାରିଲା ପରେ ସେମାନେ ଯେଉଁ ଦ୍ଵାର ଦେଇ ପ୍ରବେଶ କରିଥିଲେ, ବାହାରର ସେହି ଦ୍ୱାର ମଧ୍ୟ ବନ୍ଦ କରିଦେଲେ । ଯଦିଓ ମଝିରେ ମଝିରେ ସେହି ଦ୍ୱାର ଦେଇ ନୂତନ ଆକ୍ରମଣ ହୋଇଛି, କିନ୍ତୁ ଏପରି କିଛି ଘଟିନାହିଁ ଯେଉଁଥିରେ କି ଆମେ ବହିର୍ବିଶ୍ଵ ପ୍ରତି ଆକୃଷ୍ଟ ହୋଇଛୁଁ । ସେହି କାରଣରୁ ଆମେ ଆମର ଗ୍ରାମ, ଦେବାଳୟ, ମଣ୍ଡପର ସଂକୀର୍ଣ୍ଣ ଦିଗ୍‍ବଳୟ ପ୍ରତି ଦୃଷ୍ଟି ଦେଉଥିଲୁ ଓ ସେହି ପରିଚିତ ଗଳ୍ପଗୁଜବ ଏବଂ ତାସ ଖେଳରେ ସନ୍ତୁଷ୍ଟ ଥିଲୁ । ତା' ପରେ ଇଂରେଜ ଏ ଭୂମିରେ ପଦାର୍ପଣ କଲେ; କେବଳ ମାନବ ରୂପରେ ନୁହେ, ସେମାନେ ଦେଖାଦେଲେ ଇଉରୋପୀୟ ଚିନ୍ତାଧାରା ଓ ନବଜୀବନର ବିଶ୍ୱସ୍ତ ବାର୍ତ୍ତାବହ ରୂପେ । ଇଂରେଜମାନଙ୍କ ଆଗମନ ଏ ଦେଶର ଇତିହାସରେ ଏକ ବିଚିତ୍ର ଘଟଣା । ମନୁଷ୍ୟ ହିସାବରେ ଏହି ଆଗନ୍ତୁକମାନେ ମୁସଲମାନମାନଙ୍କ ଅପେକ୍ଷା ଆମଠାରୁ ବହୁ ଦୂରରେ ରହିଲେ ସତ; କିନ୍ତୁ ଇଉରୋପୀୟ ସଭ୍ୟତାର ଦୂତ ରୂପେ ପୂର୍ବବର୍ତ୍ତୀ ବୈଦେଶୀକମାନଙ୍କ ଅପେକ୍ଷା ଏମାନେ ଆମ ସହିତ ଗଭୀର ଓ ବ୍ୟାପକ ସମ୍ପର୍କ ସ୍ଥାପନ କଲେ । ଯେପରି ସୁଦୂର ଆକାଶର ବୃଷ୍ଟିଧାରା ମାଟି ଆଘାତ କରେ, ଭୂଗର୍ଭର ନିର୍ଜୀବ ଅନ୍ତରକୁ ସ୍ପର୍ଶ କରେ, ଭୂଗର୍ଭରେ ପ୍ରାଣଶକ୍ତି ସଞ୍ଚାରକରେ ଓ ସେହି ଉଦ୍ୟମକୁ ନବଜୀବନ ପ୍ରଦାନ କରେ, ଠିକ୍ ସେହିଭଳି ଇଉରୋପୀୟ ଚିତ୍ତରେ ଜଙ୍ଗମ ଶକ୍ତି ଆମର ସ୍ଥାବର ମନରେ ପ୍ରଥମ ଥର ପାଇଁ ଆଘାତ ସୃଷ୍ଟିକଲା-। ନବଜାଗରଣର ବନ୍ୟା ଇଟାଲୀ ଭୂମିରୁ ଉତ୍କୁଳ ହୋଇ ଠିକ୍ ଏହିଭଳି ଭାବରେ ସମଗ୍ର ମହାଦେଶକୁ ଦିନେ ପ୍ଲାବିତ କରିଥିଲା । ଏହାର ବିଚିତ୍ର ଓ ସମୃଦ୍ଧ ପ୍ରଭାବ ଜାତୀୟ ସମ୍ମାନ ପାଇଁ ଯେ ଅନୁକୂଳ ଏ କଥା ସମସ୍ତେ ଅନୁଭବ କରିଥିଲେ । ଗ୍ରହଣଶୀଳ ମନ ନୂତନ ଚିନ୍ତାର ଐଶ୍ୱର୍ଯ୍ୟକୁ ଗ୍ରହଣ କରିବାକୁ ବାଧ୍ୟ । ବୁଦ୍ଧି ଯେଉଁଠି ଜୀବନ୍ତ ଓ ଜାଗ୍ରତ ସେଠାରେ ଆଦାନ ପ୍ରଦାନର ଏହି ପାରସ୍ପରିକ ସ୍ରୋତ ପ୍ରଖର ହେବା ସ୍ୱାଭାବିକ । ବର୍ତ୍ତମାନ ଯୁଗର ମାନସିକ ଜ୍ୟୋତି ମୁଖତଃ ପଶ୍ଚିମ ଦିଗନ୍ତରୁ ତା'ର ଆଲୋକଛଟା ବିକୀରଣ କରିଛି, ଏବଂ ଏହା ଦ୍ଵାରା ମାନବ ଇତିହାସର ସମଗ୍ର ଆକାଶ ଆଜି ଉଦ୍ଭାସିତ । ଏକ ପ୍ରବଳ ଆବେଗରେ ଇଉରୋପୀୟ ମନ ସମଗ୍ର ପୃଥିବୀରେ ଆଜି ପ୍ରତିବିମ୍ବିତ । ଯେଉଁଠି ସେ ପ୍ରବେଶ କରିଛି ସେଠାରେ ସେ ବିଜୟ ହାସଲ କରିଛି । ଏହି ମାନସିକ ଶକ୍ତିର ଗୁପ୍ତରହସ୍ୟ କଣ ? ଅଖଣ୍ଡ ଭାବରେ ସତ୍ୟର ଅନୁସନ୍ଧାନ ହିଁ ହେଉଛି ଏହାର ଏକମାତ୍ର ଉତ୍ତର । ବୁଦ୍ଧିର ଆଳସ୍ୟ, କଳ୍ପନାର କୁହୁକ, ଆପାତ ପ୍ରତୀୟମାନ ସଦୃଶ୍ୟ, ପ୍ରାଚୀନ ପାଣ୍ଡିତ୍ୟର ଅନ୍ଧ ଅନୁବର୍ତ୍ତନରେ ସେ ବିସ୍ମିତ ହୋଇ ନାହିଁ, ଏବଂ ଯେଉଁ ବିଶ୍ଵାସରେ ମନୁଷ୍ୟର ସ୍ୱାଭାବିକ ପ୍ରବୃତ୍ତି ନିଶ୍ଚିନ୍ତ ରହିବାକୁ ଚାହେଁ, ତାହାର ପ୍ରଲୋଭନକୁ ମଧ୍ୟ ସେ ନିର୍ମମ ଭାବରେ ଦମନ କରିଛି । ନିଜର ବ୍ୟକ୍ତିଗତ ଚିନ୍ତାନୁଯାୟୀ ସତ୍ୟକୁ ସେ ପରିଚାଳିତ କରିବାକୁ ଚେଷ୍ଟା କରି ନାହିଁ । ଜ୍ଞାନ-ଜଗତକୁ ସେ ପ୍ରତିଦିନ ଜୟ କରିଛି, କାରଣ ତାହାର ବୁଦ୍ଧିର ସାଧନା ବିଶୁଦ୍ଧ ଓ ବ୍ୟକ୍ତିଗତ ମୋହରୁ ବିମୁକ୍ତ । ଯଦିଚ ଭାରତବର୍ଷରେ ଆଜି ଆମେ ଚତୁର୍ଦ୍ଦିଗରେ ପଞ୍ଜିକାର ପ୍ରାଚୀର ଦ୍ଵାରା ସୀମାବଦ୍ଧ, ତଥାପି ତା ରନ୍ଧ୍ର ମଧ୍ୟରେ ଇଉରୋପୀୟ ଚିତ୍ତ ଆମ୍ଭମାନଙ୍କ ପ୍ରାଙ୍ଗଣରେ ପ୍ରବେଶ କରିଅଛି । ଏହା ଆମ ଆଖି ଆଗରେ ଜ୍ଞାନର ବିଶ୍ଵରୂପ ଉପସ୍ଥାପିତ କରିଛି । ଆମ ବୁଦ୍ଧିରେ ଏପରି କି ଏକ ସର୍ଵଵ୍ୟାପୀ ଔତ୍ସୁକ୍ୟ ସୃଷ୍ଟି କରିଛି ଯାହା ଫଳରେ ଅହେତୁକ ଆଗ୍ରହରେ ଆମେ ନିକଟତମ ଓ ଦୂରତମ, ଅଣୁତମ ଓ ବୃହତ୍ତମ, ଏବଂ ପ୍ରୟୋଜନୀୟ ଓ ଅପ୍ରୟୋଜନୀୟ ସମସ୍ତ ପଦାର୍ଥକୁ ସନ୍ଧାନ କରିବାକୁ ଆଜି କୌତୁହଳୀ । ଏହା ଆମକୁ ଦେଖାଇଦେଇଛି ଯେ ଜ୍ଞାନରାଜ୍ୟ ଅବିଭାଜ୍ୟ ଏବଂ ସକଳ ତଥ୍ୟ ଅଚ୍ଛେଦ୍ୟ ସୂତ୍ରରେ ପରସ୍ପର ସହିତ ଗ୍ରଥିତ । ପ୍ରଚଳିତ ନୀତି ଯେତେ ସୁପ୍ରାଚୀନ ଓ ପରିଶୁଦ୍ଧ ହେଉ ନା କାହିଁକି, ତାହା ପ୍ରାକୃତିକ ଘଟଣାର କ୍ଷୁଦ୍ରତମ ପ୍ରମାଣ ବିରୁଦ୍ଧରେ ମଧ୍ୟ ସାକ୍ଷ୍ୟ ଦେଇ ପାରେ ନା-

 

ଏହା ଯେପରି ଭୌତିକ ଜଗତ ପକ୍ଷରେ ସତ୍ୟ, ସେହିପରି ନୈତିକ ଜଗତ ପକ୍ଷରେ ମଧ୍ୟ ସତ୍ୟ । ଆଧୁନିକ ଯୁଗର ନୀତି ଉପଦେଶ ଯାହାକି ଆଜି ଆମ ନିକଟରେ ଆସି ପହଞ୍ଚିଛି, ତାହା ଆଇନ ଚକ୍ଷୁରେ ସମସ୍ତଙ୍କୁ ସମାନ ଆସନ ପ୍ରଦାନ କରିଛି । ଜଣେ ବ୍ରାହ୍ମଣ ଜଣେ ଶୁଦ୍ରକୁ ଵଧ କରୁ ବା ଜଣେ ଶୁଦ୍ର ଜଣେ ବ୍ରାହ୍ମଣକୁ ବଧ କରୁ, ଏହା ଯେ ଏକ ହତ୍ୟା ଓ ଏହି ଅପରାଧ ସମଭାବରେ ଦଣ୍ଡନୀୟ ଏହାହିଁ ଆଜି ଆମ ଆଇନର ନୀତି । କୌଣସି ଶାସ୍ତ୍ରୀୟ ଅନୁଶାସନ ଏ କ୍ଷେତ୍ରରେ ଏ ଯୁଗର ନ୍ୟାୟାଦର୍ଶକୁ ପ୍ରଭାବିତ କରି ପାରେ ନା ।

 

ଆଜି ଆମର ମନୋଭାବ ଓ ଚିନ୍ତା ଜଗତରେ ଏକ ବୈପ୍ଲବିକ ପରିବର୍ତ୍ତନ ସୃଷ୍ଟି ହୋଇଛି । ସାମାଜିକ ପ୍ରଥା ଯେଉଁମାନଙ୍କୁ ଦିନେ ଅସ୍ପୃଶ୍ୟ ଶ୍ରେଣୀରେ ଗଣ୍ୟ କରିଥିଲା, ଆଜି ସେମାନଙ୍କର ମନ୍ଦିର ପ୍ରବେଶ ଉଚିତ ବୋଲି ଯେଉଁ ପ୍ରସ୍ତାବ ଆଗତ ହୋଇଛି–ଏହାହିଁ ତା'ର ପ୍ରମାଣ । ବର୍ତ୍ତମାନ ମଧ୍ୟ ଏକ ଶ୍ରେଣୀୟ ନୈଷ୍ଠିକ ଶକ୍ତି ଅଛନ୍ତି ଯେଉଁମାନେ ଜାତିହୀନ ବ୍ୟକ୍ତିମାନଙ୍କର ମନ୍ଦିର ପ୍ରବେଶକୁ ନୈତିକ ଭିତ୍ତିରେ ସମର୍ଥନ ନ କରି ଧର୍ମଶାସ୍ତ୍ରର ଅନୁଶାସନ ଉପରେ ନିର୍ଭର କରି ସମର୍ଥନ କରିବାକୁ ଆଗ୍ରହୀ ମାତ୍ର-ଦୂରଦୃଷ୍ଟିହୀନ ଏପରି ସମର୍ଥନ କଦାପି କୌଣସି ପ୍ରଭାବ ପକାଇ ପାରେ ନାହିଁ ।

 

ବର୍ତ୍ତମାନ ଜନସାଧାରଣଙ୍କର ଅନ୍ତରର ବାଣୀ ହିଁ ତାଙ୍କୁ ସଚେତନ କରିଛି ଯାହା ଫଳରେ ସେମାନେ ଜାଣୁଛନ୍ତି ଯେ କୌଣସି ଶାସ୍ତ୍ରଗତ, ପରମ୍ପରାଗତ ବା ବ୍ୟକ୍ତିଗତ ପ୍ରଭାବ କଦାପି ଅନ୍ୟାୟକୁ ନ୍ୟାୟରେ ପରିଣତ କରି ପାରିବ ନାହିଁ । ମୁସଲମାନ ଅମଳର ବଙ୍ଗସାହିତ୍ୟ ପ୍ରତି ଦୃଷ୍ଟିପାତ କଲେ ଆମେ ଦେଖୁଁ ଯେ ବିନା ବାଧାରେ ଅନ୍ୟାୟ କରିବାର ଯେଉଁ ଅସୀମ ଅଧିକାର ବ୍ୟକ୍ତି ପ୍ରାପ୍ତ ହୁଏ ତାହା ଯେ ବୃହତ୍ତମ ଶକ୍ତିର ନିଦର୍ଶନ-ଏହି ଭାବ ହିଁ ଐଶ୍ଵରିକ କଳ୍ପନାକୁ ନିଷ୍ପ୍ରଭ କରିଛି । ଶକ୍ତିମାନ ପୁରୁଷ ନିର୍ମମ ଅତ୍ୟାଚାର ଦ୍ଵାରା ଯେତେବେଳେ ତାର ସାମ୍ରାଜ୍ୟକୁ ଦୃଢ଼ କରିବାକୁ ଚେଷ୍ଟା କରିଛି, ସେତେବେଳେ ହିଁ ସେହି ବିଭୀଷିକାରେ ଦେବଦେବୀର କଳ୍ପନା ଆମ ମନରେ ଉଭାସିତ ହୋଇଅଛି ଏବଂ ଆତଙ୍କ ସୃଷ୍ଟି କରିବାର ଦକ୍ଷତା ଦ୍ଵାରା ହିଁ ସେମାନଙ୍କର ଯୋଗ୍ୟତା ମଧ୍ୟ ପ୍ରମାଣିତ ହୋଇଅଛି ।

 

ସାଧାରଣ ଲୋକେ ସାମାଜିକ ଓ ଶାସନ ପ୍ରଥା ମାନି ଚଲୁଥିଲେ; କିନ୍ତୁ ଯେ କୌଣସି ଆଇନ ଭଙ୍ଗ କରିବାରେ ଦୁର୍ଦ୍ଦମନୀୟ ଅଧିକାର ଥିଲା କେବଳ ଅସାଧାରଣ ବ୍ୟକ୍ତିମାନଙ୍କର । ଅପରିମିତ ଶକ୍ତିର ଔଦ୍ଧତ୍ୟ ଓ ଦୁଃସାହାସିକତାକୁ ମନୁଷ୍ୟ ଈଶ୍ଵରତତ୍ତ୍ଵର ଲକ୍ଷଣ ବୋଲି ସ୍ୱୀକାର କରିଛି । ସେହି ସମୟର ପ୍ରଚଳିତ ପ୍ରବାଦ ଥିଲା ‘‘ଦିଲ୍ଳୀଶ୍ଵରେ ବା ଜଗଦୀଶ୍ଵରେ ବା’’–ଉଭୟ ଏହି ଭାବର ସମାନ ଅଧିକାରୀ ଥିଲେ; କିନ୍ତୁ ନ୍ୟାୟପରାୟଣତାର ଆଶୁ ଦାୟିତ୍ୱ ତୁଲେଇବାରେ ନୁହେ, ପରନ୍ତୁ ଶକ୍ତିର ଯଥେଷ୍ଟ ଅପବ୍ୟୟ କରିବାରେ ଏହି ଅଧିକାର ପର୍ଯ୍ୟବସିତ ଥିଲା ।

 

ବ୍ରାହ୍ମଣମାନେ ସେତେବେଳେ ଭୂଦେବ ଅର୍ଥାତ୍‍ ପୃଥିବୀର ଦେବତା ରୂପେ ପରିଗଣିତ ହେଉଥିଲେ । ତାଙ୍କର ଶ୍ରେଷ୍ଠତ୍ୱର ଦାବୀ କୌଣସି ଦେବତ୍ୱର ମହତ୍ତ୍ୱ ଉପରେ ପ୍ରତିଷ୍ଠିତ ନ ଥିଲା; ଏଥିରେ ମଧ୍ୟ ନୀତିଶାସ୍ତ୍ରର କୌଣସି କର୍ତ୍ତୃତ୍ୱ ନଥିଲା । ନୀଚ ବା ଅନୁନ୍ନତ ଜାତି ଉପରେ ଅନ୍ୟାୟ ଆଚରଣ କରିବାର ପୈତୃକ ତଥା ଅଲଂଘ୍ୟ ଅଧିକାର ସେମାନେ ସ୍ମୃତିଶାସ୍ତ୍ରର ପରମ୍ପରା ସୂତ୍ରରେ ପାଇଥିଲେ ।

 

ଯଦିଓ ମୋଗଲ ସାମ୍ରାଜ୍ୟ ଅପେକ୍ଷା ବ୍ରିଟିଶ ସାମ୍ରାଜ୍ୟ ଅଧିକତର ବ୍ୟାପକ ଓ ଶକ୍ତିଶାଳୀ, ତଥାପି ଜଣେ ନିର୍ବୋଧ ବ୍ୟକ୍ତି ମଧ୍ୟ ଲର୍ଡ ଉଲିଂଡ଼ନଙ୍କ ଜଗଦୀଶ୍ଵର ଆଖ୍ୟାରେ ଆଖ୍ୟଟି କରିବାକୁ ସାହସ କରିବ ନାହିଁ । ଆକାଶରୁ ବୋମା ବର୍ଷଣପୂର୍ବକ ପଲ୍ଲୀର ଧ୍ୱଂସ ସାଧନ କ୍ରିୟାକୁ ମଧ୍ୟ ଈଶ୍ୱରଙ୍କ କାର୍ଯ୍ୟ ବୋଲି ମାନେ କରୁ ନାଁ । ଆମେ ଯେତେବେଳେ ବ୍ରିଟିଶ ଶାସନ ଅଧୀନରେ ଦୁଃଖ କଷ୍ଟ ଭୋଗ କରୁଥିଲୁ । ନ୍ୟାୟ ଅନ୍ୟାୟର ସାଧାରଣ ଆଦର୍ଶ ଦ୍ୱାରା ଆମେ ତାକୁ ବିଚାର କରୁଥିଲୁ । କିନ୍ତୁ ଆମେ ଶକ୍ତିମାନଠାରୁ ଯଥୋଚିତ ବ୍ୟବହାର ଦାବୀ କରିବାକୁ ମଧ୍ୟ କୁଣ୍ଠାବୋଧ କରୁ ନ ଥିଲୁ । ବାସ୍ତବରେ ସାର୍ବଭୌମା ନ୍ୟାୟଦର୍ଶକୁ ସ୍ୱୀକାର କରି ବ୍ରିଟିଶ ସାମ୍ରାଜ୍ୟ ନିଜର ଦୁର୍ବଳତମ ପ୍ରଜାମାନଙ୍କ ପରି ଏକ ସମାନ ନୈତିକ ସ୍ତରରେ ଦଣ୍ଡାୟମାନ ହୋଇଥିଲା ।

 

ଯେତେବେଳେ ପ୍ରଥମ ଇଂରାଜୀ ସାହିତ୍ୟ ସହିତ ଆମର ପରିଚୟ ଘଟିଲା, ସେତେବେଳେ କେବଳ ଯେ ଆମେ ତା'ଠାରୁ ଅଭିନବ ସାହିତ୍ୟିକ ରସ ଆହରଣ କଲୁ ତାହା ନୁହେ; ମାନବ ଉପରେ ମାନବର ଅତ୍ୟାଚାର ଦୂରୀଭୂତ କରିବାରେ ସଂଗ୍ରାମ କରିବାର ପ୍ରେରଣା ଆମେ ତା'ଠାରୁ ପାଇଲୁ । ରାଜନୀତିକ ଦାସତ୍ୱର ଶୃଙ୍ଖଳା ଚ୍ଛିନ୍ନ କରିବାର ଘୋଷଣା ଆମ କର୍ଣ୍ଣ କୁହରରେ ନିନାଦିତ ହେବାକୁ ଲାଗିଲା । ମାନବିକ ପରିଶ୍ରମକୁ ପଣ୍ୟଦ୍ରବ୍ୟରେ ପରିଣତ କରିବାର କଠୋର ସ୍ପର୍ଦ୍ଧା ବିରୁଦ୍ଧରେ ପ୍ରତିବାଦ କରିବାକୁ ଆମେ ଶିକ୍ଷାଲାଭ କଲୁ । ଏହା ଆମ ପକ୍ଷରେ ଥିଲା ଏକ ନୂତନ ଦୃଷ୍ଟିଭଙ୍ଗୀ । ଆମେ ଧରି ନେଇଥିଲୁ ଯେ ଆମର କର୍ମଫଳେ ଓ ଜନ୍ମଗତ ବିଧିବିଧାନ ସବୁ ପୂର୍ବ ଜନ୍ମାର୍ଜିତ ଓ ଅପରିବର୍ତ୍ତନୀୟ । ଆମର ଆହୁରି ଏ ବିଶ୍ଵାସ ଥିଲା ଯେ ଦୁଃଖ କଷ୍ଟର ଫଳାଫଳ ଏବଂ ଏକ ନିକୃଷ୍ଟ ଜାତି ହିସାବରେ ଯେଉଁ ଘୃଣା ଓ ଲାଞ୍ଛନା ଆମେ ଶିରୋଧାର୍ଯ୍ୟ କରିଛୁ ତାହା ଆମର ଭାଗ୍ୟଲିପି ।

 

ଏବେବି ଆମ ଶିକ୍ଷିତ ମଣ୍ଡଳୀରେ ମଧ୍ୟ ଏପରି କେତେକ ବ୍ୟକ୍ତି ଅଛନ୍ତି, ଯେଉଁମାନେ ରାଷ୍ଟ୍ରୀୟ ନିଗ୍ରହ ବିରୁଦ୍ଧରେ ପ୍ରତିବାଦ କରିବାରେ ବାଶ୍ଵାସ କରନ୍ତି, ଅଥଚ ଭାଗ୍ୟର ଦ୍ୱାହିଦେଇ ସାମାଜିକ ଓ ଧର୍ମ ବିଧାନର ଅପମାନକୁ ସହ୍ୟ କରିବାକୁ ପରାମର୍ଶ ଦିଅନ୍ତି । ସେମାନେ ଭୁଲିଯାଆନ୍ତି ଯେ ଭାଗ୍ୟ ନିର୍ଦ୍ଦିଷ୍ଟ ବା ଅନିବାର୍ଯ୍ୟ ବିଧିବିଧାନକୁ ନିର୍ବିବାଦରେ ମାନିବାର ମନୋବୃତ୍ତି ହିଁ ରାଜନୀତିକ ଦାସତ୍ୱ ବନ୍ଧନର ଏକ ବଳିଷ୍ଠ ଶୃଙ୍ଖଳା ବିଶେଷ । ସେ ଯାହାହେଉ, ଇଉରୋପ ସହିତ ଆମର ସମ୍ପର୍କ ଆଜି ଆମକୁ ବିଶ୍ଵପ୍ରକୃତିର କାର୍ଯ୍ୟକାରଣ ବିଧିର ସାର୍ବଭୌମିକତା ପ୍ରତି ଆମକୁ ସଚେତନ କରାଇଛି, ଯାହା ଫଳରେ ଶାସ୍ତ୍ରାବାକ୍ୟରେ ନିର୍ଦ୍ଦେଶ, ପୁରାତନ ପ୍ରଚଳିତ ପ୍ରଥାର ଅନୁଶାସନ ଆଜି ଆମ ନିକଟରେ ବ୍ୟର୍ଥ ବୋଲି ଅନୁମିତ ହେଉଛି ।

 

ଆମର ତୃଟିସତ୍ତ୍ୱେ ଆଜି ଆମେ ସେହି ଭିତ୍ତି ଉପରେ ଦଣ୍ଡାୟମାନ ହୋଇ ଆମର ରାଜନୀତିକ ମର୍ଯ୍ୟାଦାର ଉନ୍ନତି ପାଇଁ ସଚେଷ୍ଟ ହଇଛୁ । ଦିନେ ଯେଉଁସକଳ ଦାବୀ ଆମେ କୌଣସି ଦିନ ମୋଗଲ ସମ୍ରାଟଙ୍କ ନିକଟରେ ଉପସ୍ଥାପିତ କରିବାର କଳ୍ପନା କରି ନ ଥିଲୁ, ସେହି ଦାବୀ ଆଜି ଆମର ଶାସକମାନଙ୍କ ନିକଟରେ ଉପସ୍ଥାପିତ କରି ପାରୁଛୁ । ତାର କାରଣ ହେଉଛି, ‘‘ମଣିଷ ହିଁ ମଣିଷ ଏବଂ ତାହା ହିଁ ହେଉଛି ଚରମ ସତ୍ୟ’’–କବିବାଣୀର ଏହି ଆଦର୍ଶ ଉପରେ ଆଜି ଆସ୍ଥାବାନ ।

 

ମୁଁ ଆଜି ୭୦ ବର୍ଷ ବୟସ ଅତିକ୍ରମ କରି ଏକ ନୂତନ ଯୁଗରେ ପଦାର୍ପଣ କଲି, ଯାହାକୁ ଯଥାର୍ଥ ରୂପେ ୟୁରୋପୀୟ ଯୁଗ ବୋଲି କୁହାଯାଇଥାଏ । ଏହି ସମୟ ହେଉଛି ଉନବିଂଶ ଶତାବ୍ଦୀର ପ୍ରାୟ ମଧ୍ୟକାଳ । ଆଧୁନିକ ଯୁଗର ଯୁବକମାନେ ପରିହାସରେ ଏହାକୁ ଭିକ୍ଟୋରିଆନ ଯୁଗ ବୋଲି କହିଥାଆନ୍ତି ।

 

ବ୍ରିଟେନ ଯେତେବେଳେ ଇଉରୋପର ପ୍ରତିନିଧି ଭାବେ ରାଜୈଶ୍ଵର୍ଯ୍ୟ ଓ ରାଷ୍ଟ୍ରୀୟ କ୍ଷମତାର ଶୀର୍ଷ ସ୍ଥାନରେ ଅଧିରୂଢ଼, ସେତେବେଳେ କେହି ଭାବି ନ ଥିଲେ ଦିନେ ଦୁର୍ଭାଗ୍ୟବଶତଃ ତା'ର ବିରାଟ ସୌଧରେ ଛିଦ୍ରପଥ ସୃଷ୍ଟିହେବ । ଇତିହାସର ଶିକ୍ଷା ଯାହା ଥାଉ ନା କାହିଁକି, ବର୍ତ୍ତମାନର ଇଉରୋପୀୟ ସଭ୍ୟତା ଦିନେ ଯେ ଚରମ ଦୁର୍ଗତି ଓ ଦୁଃସମୟର ସମ୍ମୁଖୀନ ହେବ, ତାର କୌଣସି ନିଦର୍ଶନ ସେତେବେଳେ ପରିଲକ୍ଷିତ ହୋଇ ନ ଥିଲା; ଅଥବା ବ୍ୟକ୍ତି ସ୍ଵତନ୍ତ୍ର, ମତ ପ୍ରକାଶର ସ୍ୱାଧୀନତା ଓ ମୂଲ୍ୟବୋଧକୁ ହ୍ରାସ କରି ପାରେ, ଏପରି କୌଣସି ଘଟଣା ମଧ୍ୟ ଘଟି ନ ଥିଲା । ଏହି ଆଦର୍ଶବାଦ ଉପରେ ହିଁ ଫରାସୀ ବିପ୍ଳବ ଓ ସଂସାର ଯୁଗର ଯୁଦ୍ଧସମୂହ ସଂଘଟିତ ହୋଇଥିଲା । ସେହି ଭିକ୍ଟୋରିଆ ଯୁଗରେ ନିଗ୍ରୋ ଜାତିକୁ ଦାସତ୍ୱବନ୍ଧନରୁ ମୁକ୍ତି ଦେବା ନିମନ୍ତେ ଯୁକ୍ତରାଷ୍ଟ୍ର ଗୃହଯୁଦ୍ଧରେ ଲିପ୍ତ ହୋଇଥିଲା । ମାଜିନି ଓ ଗାରିବାଲଡ଼ିଙ୍କ ଅମର ବାର୍ତ୍ତାରେ ସେହି ଯୁଗ ପ୍ରତିଧ୍ଵନିତ ହେଲା । ତୁର୍କୀ ଅତ୍ୟାଚାରର ନିନ୍ଦାରେ ଗ୍ଲାଡଷ୍ଟୋନ୍‍ର ବଜ୍ରସ୍ୱର ମନ୍ଦ୍ରିତ ହୋଇଥିଲା । ସେହି ସମୟରେ ହିଁ ଭାରତବାସୀମାନେ ଦେଶ ମୁକ୍ତିର ସ୍ଵପ୍ନ ହୃଦୟରେ ପୋଷଣ କରିଥିଲେ । ଏହା ସତ୍ୟ ଯେ ସେହି ସ୍ଵପ୍ନରେ ବ୍ରିଟିଶ ବିଜେତାମାନଙ୍କ ପ୍ରତି ଯେପରି ଶତ୍ରୁ ମନୋଭାବ ଥିଲା, ସେହିପରି ଇଂରେଜ ଜାତିର ଚରିତ୍ର ପ୍ରତି ଆମର ଅଗାଧ ବିଶ୍ଵାସ ମଧ୍ୟ ନିହିତ ଥିଲା । ତା'ନ ହେଲେ କିପରି ଆମ ମନରେ ଏ ଧାରଣା ଜନ୍ମିଲା, ଯାହା ଫଳରେ ଆମେ ମନୁଷ୍ୟରତ୍ୱର ଦ୍ୱାହି ଦେଇ ଭାରତର ରାଷ୍ଟ୍ର ଶାସନରେ ସମାନ ଅଧିକାରର ଦାବୀ ଉପସ୍ଥାପିତ କରି ପାରିଲୁ ।

 

ଅତି ଦ୍ରୁତ ବେଗରେ ଆମେ ଗୋଟିଏ ଯୁଗରୁ ଆଉ ଅନ୍ୟ ଏକ ଯୁଗରେ ପଦାର୍ପଣ କଲୁ-। ଏ ଯୁଗ ନୂତନ ତାତ୍ପର୍ଯ୍ୟ ଓ ମୂଲ୍ୟବୋଧ ଉପରେ ପ୍ରତିଷ୍ଠିତ । ଆମ ଘରେ, ବାହାରେ, ପ୍ରତିବେଶରେ, ସଂପ୍ରଦାୟରେ ଓ ସମାଜରେ ମଧ୍ୟ ମନୁଷ୍ୟର ଅଧିକାର, ମନୁଷ୍ୟର ମର୍ଯ୍ୟାଦାବୋଧ ଓ ଶ୍ରେଣୀ ସଂପର୍କରେ ଆମେ ସଚେତନ ନ ଥିଲୁ । ସେ ସମୟରେ ପରସ୍ପର ବିରୋଧୀଭାବ ଥିବା ସତ୍ତ୍ୱେ ବିଜ୍ଞାନ ପ୍ରତି ଆମର ସନ୍ଦେହୀ ମନୋଭାବ ପ୍ରଦର୍ଶିତ । ଯେତେବେଳେ ବିଜ୍ଞାନ ଆମ ଦ୍ୱାର ଦେଶରେ ଉପସ୍ଥିତ ସେତେବେଳେ ମଧ୍ୟ ପବିତ୍ର ପଞ୍ଜିକାର ଗ୍ରହଗଣନ ଆମ ମନରେ ଦୃଢ଼ ଆସନ ଲାଭ କରିଛି । ତଥାପି ପଶ୍ଚିମୀ-ସଭ୍ୟତାର ଯୁକ୍ତି ଧର୍ମୀ-ମନର ପ୍ରଭାବ ଆମ ପକ୍ଷରେ ବାସ୍ତବ । ତେଣୁ ଭିକ୍ଟୋରିଆ ଯୁଗ ହିଁ ଇଉରୋପ ସହିତ ଆମ୍ଭମାନଙ୍କର ଗଭୀର ସହଯୋଗିତାର ଯୁଗ । ବସ୍ତୁତଃ ଇଉରୋପୀୟ ମନ ସହିତ ଆମ ଚିତ୍ତବୃତ୍ତିର ସଂପର୍କ ଯେଉଁଠି ସ୍ଥାପିତ ନୁହେ ବା ଆମର ଶିକ୍ଷାପ୍ରାଣାଳୀ ଇଉରୋପୀୟ ପ୍ରଣାଳୀ ସହିତ ସମାନ ଭାବରେ ଗତିଶୀଳ ନୁହେ, ସେ କ୍ଷେତ୍ରରେ ପରାଜୟ କେବଳ ଆମ୍ଭମାନଙ୍କର । ଇଉରୋପ ପ୍ରତି ଆମର ସମ୍ମାନବୋଧରେ ଯେ ପର୍ଯ୍ୟନ୍ତ କିଛି ଆଘାତ ସୃଷ୍ଟି ହୋଇ ନ ଥିଲା, ସେ ପର୍ଯ୍ୟନ୍ତ ଏହି ସହଯୋଗିତା ଥିଲା ଅକ୍ଷୁର୍ଣ୍ଣ । ସେଥିପାଇଁ ମୁଁ ପୂର୍ବରୁ କହିଛି ଯେ ଇଉରୋପ ପ୍ରତି ଅସୀମ ଶ୍ରଦ୍ଧା ଭାବରୁ ହିଁ ଆମ ଦେଶରେ ନୂତନ ଯୁଗର ସୂତ୍ରପାତ ହୋଇଅଛି । କାରଣ ବୁଦ୍ଧି କ୍ଷେତ୍ରରେ ଇଉରୋପ କିପରି ମହାମୁକ୍ତ, ଯୁକ୍ତିକୁ ସମ୍ମାନ ପ୍ରଦର୍ଶନ କାରିଥିଲେ ଏବଂ ବାସ୍ତବ ଜୀବନ କ୍ଷେତ୍ରରେ ମାନାବାଧିକାରର ପ୍ରତିଷ୍ଠା ପାଇଁ କିପରି ଉଦ୍ୟମ କରିଥିଲା, ତାହା ଆମେ ଲକ୍ଷ୍ୟ କରିଥିଲୁଁ । ତେଣୁ ସମସ୍ତ ପ୍ରତିକୂଳ ପରିବେଶ ସତ୍ତ୍ୱେ ଆମ ମନରେ ଆତ୍ମସମ୍ମାନବୋଧ ଓ ନିଜ ଦେଶବାସୀଙ୍କର ଭବିଷ୍ୟତ ଉନ୍ନତି ପାଇଁ ଆଶା ଜାଗ୍ରତ ହୋଇଥିଲା । ତାଙ୍କର ଆଲୋକରେ ହିଁ ତାଙ୍କର ଅଖଣ୍ଡ କ୍ଷମତାକୁ ବିଚାର କରିବାକୁ ଆମେ ଶିକ୍ଷା କଲୁଁ । ଆମର ପୂର୍ବବର୍ତ୍ତୀ ଶାସକମାନଙ୍କ ନିକଟରେ ଆମ ଦାବୀ ଜଣାଇବାର କୌଣସି ପନ୍ଥା ଆମ ନିକଟରେ ନ ଥିଲା । ଆମର ଭାଗ୍ୟୋଦୟ ହେଲେ ଶାସକମାନଙ୍କର ଅନୁଗ୍ରହ ଲାଭ କରିଥିଲୁଁ, କିନ୍ତୁ ଏହି ଅନୁଗ୍ରହ ସାଧାରଣ ନ୍ୟାୟନୀତି ବା ମନୁଷ୍ୟ ନିକଟରେ ମନୁଷ୍ୟ ଦାବୀ କରୁଥିବା ହୃଦୟ ବିଚାର ଉପରେ ପ୍ରତିଷ୍ଠିତ ନ ଥିଲା । ଏହା ପରେ ଇତିହାସ ନିଜ ଗତି ପଥରେ ଆଗେଇ ଚାଲିଛି । ବହୁକାଳରୁ ସୁପ୍ତ ଏସିଆ ପ୍ରାଣରେ ଆଜି ନବଜାଗରଣର ଉଦ୍ୟମ ଦେଖାଦେଇଛି । ଜାପାନ ମଧ୍ୟ ପାଶ୍ଚାତ୍ୟ ସହ ସଂପର୍କ ଓ ସଂଘର୍ଷ ଫଳରେ ଆଜି ବିଶ୍ୱର ଶକ୍ତିଗୋଷ୍ଠୀ ମଧ୍ୟରେ ସମାନ ଆସନର ଅଧିକାରୀ । ସୁଦୂର ଅତୀତର ଏକ ଅସ୍ପଷ୍ଟ ଗୋଧୂଳି ମଧ୍ୟରେ ସେ ଆଉ ଯେ ବଞ୍ଚି ନାହିଁ ତାହା ଆଜି ସେ ପ୍ରମାଣିତ କରିଛି ।

 

ଅନ୍ୟାନ୍ୟ ପ୍ରାଚ୍ୟ ଜାତିସମୂହ ମଧ୍ୟ ଆଜି ଏକ ନୂତନ ଯୁଗରେ ପଦାର୍ପଣ କରିଛନ୍ତି । ଏହି ସମୟ ମଧ୍ୟରେ ଆମେ ସର୍ବଦା ଅପେକ୍ଷା କରିଥିଲୁଁ ଯେ ବିଶ୍ଵଇତିହାସର ଅଗ୍ରଗତି ସହିତ ଆମେ ମଧ୍ୟ ସାମନ୍ତରାଳଭାବେ ଗତି କରିବୁ । ଆମ ଆତ୍ମନିୟନ୍ତ୍ରଣର ରଥଚକ୍ର ପ୍ରଗତି ପଥରେ ହିଁ ଗତି ଲାଭ କରିବ ଏବଂ ଏହି ଅଗ୍ରଗତିର ପ୍ରେରଣା ଇଂରେଜ ଜାତିଠାରୁ ଆମେ ଲାଭ କରିବୁ, କିନ୍ତୁ ଦୀର୍ଘକାଳ ଧରି ଅପେକ୍ଷା କରି ଆମେ ଅନୁଭବ କରୁଛୁଁ ଯେ ଏହି ରଥଚକ୍ରର ଗତି ଅଚଳ । ଭାରତବର୍ଷ ସହିତ ଇଂରେଜମାନଙ୍କର ଯେଉଁ ସମ୍ପର୍କ ତାହା କେବଳ ଆଇନଶୃଙ୍ଖଳା ଓ ନିୟମ ପଦ୍ଧତିର ସମ୍ପର୍କ । ଦେଶର ଆବଶ୍ୟକାନୁଯାୟୀ ଆମର ଶିକ୍ଷା ଓ ସ୍ଵାସ୍ଥ୍ୟର ଉନ୍ନତି ସେମାନେ ସାଧନ କରୁ ନାହାନ୍ତି କି ଆମର ଐଶ୍ଵର୍ଯ୍ୟ ବୃଦ୍ଧି ସକାଶେ କୌଣସି ଉଦ୍ୟମ ସେମାନେ କରୁ ନାହାନ୍ତି । ଆମର ଭବିଷ୍ୟତ ଅନ୍ଧକାରାଚ୍ଛନ୍ନ ଏବଂ କେବଳ ଆଇନ ଶୃଙ୍ଖଳା ମଧ୍ୟରେ ଆମ ଉନ୍ନତିର ସକଳ ସମ୍ଭାବନା ଆଜି ଅବଲୁପ୍ତ । ଇଉରୋପ ସହିତ ଭାରତର ସମ୍ପର୍କ ସେ ଆଜି ଭାରତକୁ ଯୁଗୋଚିତ ଅନୁଗ୍ରହରୁ ବଞ୍ଚିତ କରିଛି, ତାହା ଭାଗ୍ୟର ଏକ ବିଦ୍ରୂପ ।

 

ନବଯୁଗ ଆଜି ଯେତେବେଳେ ସୌରଲୋକରେ ଉଦ୍ଭାସିତ, ଭାରତବର୍ଷ ସେହି ବର୍ଣ୍ଣୋଜ୍ଜ୍ୱଳ ସୌରମଣ୍ଡଳ ମଧ୍ୟରେ ଏକ ତାମସାଚ୍ଛନ୍ନ ଅଂଶ ସଦୃଶ୍ୟ ବିଦ୍ୟମାନ । ଆଜି ଇଂଲଣ୍ଡ, ଫ୍ରାନ୍ସ ଓ ଜର୍ମାନୀ ଯୁକ୍ତରାଷ୍ଟ୍ର ନିକଟରେ ଗଭୀରଭାବେ ଋଣୀ । କିନ୍ତୁ ଏହି ଋଣର ପରିଣାମ ଦ୍ଵିଗୁଣ ହେଲେ ମଧ୍ୟ ଯଦି ସେମାନେ ନିଜର ଜୀବନଧାରଣର ମାନ ଯଥେଷ୍ଟ ଭାବରେ ତଳକୁ ଖସାଇ କେବଳ ଆଇନଶୃଙ୍ଖଳା ବଜାୟ ରଖନ୍ତେ, ତାହାହେଲେ ଏ ଋଣ ପରିଶୋଧ କରିବା ସହଜସାଧ୍ୟ ହୁଅନ୍ତା । ଆବଶ୍ୟକୀୟ ଖାଦ୍ୟର ପରିମାଣ ଯଦି ଅଧା ହୁଅନ୍ତା, ପାନୀୟ ଜଳର ପରିମାଣ ତୃଷାନୁପାତରେ ଅଳ୍ପ ହୁଅନ୍ତା, ଶତକଡା ପାଞ୍ଚ ସାତ ଜଣ ମଣିଷ ପାଇଁ ଶିକ୍ଷା ବ୍ୟବସ୍ଥା ରହିଲେ ଚଳିଯାଆନ୍ତା ଓ ଚିରସ୍ଥାୟୀ ରୋଗ ଦେଶର ଅସ୍ଥିମଜ୍ଜାଗତ ହେଲେ ମଧ୍ୟ ଆରୋଗ୍ୟର ବ୍ୟବସ୍ଥା କ୍ୱଚିତ କ୍ଷେତ୍ରରେ ଥିଲେ ଚଳିଯାଉଥାନ୍ତା, ତାହାହେଲେ ଏପରି ପରିବେଶରେ ଋଣ ପରିଶୋଧ ସମ୍ଭବପର ହୁଅନ୍ତା, କିନ୍ତୁ ଜୀବନଯାତ୍ରାର ସଭ୍ୟାଦର୍ଶ ବଜାୟ ରଖିବା ପାଇଁ ଏସମସ୍ତ ଅଭାବ ଏକାବେଳେକେ ମାରାତ୍ମକ । ସେଥିପାଇଁ ଋଣ ଅସ୍ୱୀକାର କରି ଅନେକ ସମୟରେ ଋଣଗ୍ରହୀତା କହିଥାଏ ଯେ ଋଣ ପରିଶୋଧ କରିବାକୁ ସେ ବାଧ୍ୟ ନୁହେ । ଜୀବନର ଏହି ସାଧାରଣ ଆବଶ୍ୟକତା ଦୃଷ୍ଟିରୁ ଭାରତବର୍ଷ ମଧ୍ୟ ଆଜି ହୁଏତ କହିପାରେ ଯେ ସରକାରଙ୍କର ଯେଉଁ ଦୁଃସହ ଓ ବ୍ୟୟସାଧ୍ୟ ଶାସନପ୍ରଣାଳୀ ଆଜି ତାକୁ ସର୍ବସ୍ଵାନ୍ତ କରିଛି ଏବଂ ଯାହାର ରୂପ ଏକ ଅସହନୀୟ ପ୍ରସ୍ତରଖଣ୍ଡ ପରି ତାକୁ ଭାରାକ୍ରାନ୍ତ କରି ଆଦିମ ଓ ବର୍ବର ଅବସ୍ଥାରେ ତାକୁ ନିକ୍ଷେପ କରିଛି-ତାହା ସେ କଦାପି ବରଦାସ୍ତ କରି ନ ପାରେ । ଯେଉଁ ସଭ୍ୟତାର ଆଦର୍ଶକୁ ଇଉରୋପ ଆଜି ନିଜ ପାଇଁ ଗ୍ରହଣ କରିଛି, ଅନ୍ୟକୁ ତାହା ପ୍ରଦାନ କରିବାରେ ଏପରି ସଂକୀର୍ଣ୍ଣ ଦୃଷ୍ଟିର ପରିଚୟ ସେ ବା ଦେଉଛି କାହିଁକି ? ସମଗ୍ର ବିଶ୍ଵ ପ୍ରତି କଣ' ଇଉରୋପୀୟ ସଭ୍ୟତାର ଦାୟିତ୍ୱବୋଧ ନାହିଁ ? କ୍ରମେ କ୍ରମେ ଏହା ସ୍ପଷ୍ଟ ହୋଇଉଠିଲା ଯେ ଇଉରୋପର ବାହାରେ ଇଉରୋପୀୟ ସଭ୍ୟତାର ମଶାଲଟି ଆଲୋକ ଦେଖାଇବା ପାଇଁ ନୁହେ, ଅଗ୍ନି ପ୍ରଜ୍ଜ୍ଵଳିତ କରିବା ପାଇଁ ଉଦ୍ଦିଷ୍ଟ । ତେଣୁ ଦିନେ ଦେଖାଗଲା ଯେ କମାଣ ଗୋଳା ସହିତ ଅଫିମ ପିଣ୍ଡ ଚୀନ୍‍ର ମର୍ମସ୍ଥାନ ଉପରେ ବୃଷ୍ଟି ହୋଇଛି । ଏପରି ସର୍ବନାଶ, ଇତିହାସରେ କୌଣସି ଦିନ କୌଣସିଠାରେ ଆଜି ପର୍ଯ୍ୟନ୍ତ ସଂଘଟିତ ହୋଇନି । କେବଳ ଗୋଟିଏ ସ୍ଥାନରେ ହୋଇଥିଲା ଏବଂ ତାହା ହେଉଛି ଇଉରୋପୀୟ ସଭ୍ୟ ଜାତିଗଣ ଯେତେବେଳେ ନବାବିଷ୍କୃତ ଆମେରିକାରେ ସ୍ୱର୍ଣ୍ଣପିଣ୍ଡ ଲୋଭରେ ଛଳେ ବେଳେ କୌଶଳରେ ମାୟାଜାତିର ଅପୂର୍ବସଭ୍ୟତାକୁ ଧ୍ଵଂସ କରିଥିଲେ । ମଧ୍ୟଯୁଗରେ ଅସଭ୍ୟତା ତାର ଜାତି ବିଦିତ ଦେଶରେ ନରମୁଣ୍ଡର ସ୍ତୁପ ଉଚ୍ଚ କରି ଉତ୍ତୋଳନ କରିଥିଲେ । ଅବଶ୍ୟ ଅଳ୍ପ କାଳ ପରେ ସେ ବେଦନାଲୁପ୍ତ ହୋଇଛି । କିନ୍ତୁ ଚୀନ ଭଳି ଏକ ବିରାଟ ଦେଶକୁ ଇଉରୋପ ଯେଉଁ ହଳାହଳ ବଳପୂର୍ବକ ପାନ କରାଇଛି ଚିରକାଳ ପାଇଁ ସେଥିରେ ତା'ର ଅସ୍ଥିମଜ୍ଜା ଜର୍ଜରିତ ହୋଇଯାଇଛି । ଯୁଗ ଯୁଗର ସଂଜ୍ଞାହୀନତାର ଜାଗରଣ ପାଇଁ ପାରସ୍ୟରେ ଯେତେବେଳେ ଯୁବ-ଆନ୍ଦୋଳନ ଦେଖାଯାଇଥିଲା, ସେତେବେଳେ ସଭ୍ୟ ଇଉରୋପ ସେହି ଆନ୍ଦୋଳନକୁ କିପରି ନିର୍ମମଭାବେ ଦମନ କାରିଥିଲେ, ତାହାର ଶୋକବାହ କାହାଣୀ ମୁସ୍ତାରଙ୍କର "ଶ୍ୱାସରୁଦ୍ଧ ପାରସ୍" (Strangling of Persia) ପୁସ୍ତକ ଅଧ୍ୟୟନ କଲେ ଜଣାପଡ଼େ । ଏ ଦିଗରେ ଆଫ୍ରିକାର କଙ୍ଗୋ ପ୍ରଦେଶରେ ଇଉରୋପୀୟ ଶାସକ କିପରି ବିଭୀଷିକାର ପରିଣତ ହୋଇଥିଲା, ତାହା ସମସ୍ତଙ୍କ ନିକଟରେ ବିଦିତ । ଆଜି ମଧ୍ୟ ଆମେରିକାର ଯୁକ୍ତରାଷ୍ଟ୍ରରେ ନିଗ୍ରୋଜାତି ସାମାଜିକ ଅସମ୍ମାନ ଦ୍ଵାରା ଲାଞ୍ଛିତ ।

 

ପାଶ୍ଚାତ୍ୟ ଇତିହାସରେ ପରଦା ଉତ୍ତୋଳନ କରି ତା'ପରେ ଅକସ୍ମାତ ମହାଯୁଦ୍ଧ ଦେଖାଦେଲା । ମନେହେଲା, ସତେ ଯେପରି ଜଣେ ମାତାଲ ଲୋକ ସମସ୍ତ ନଗ୍ନ ଓ ବିଭତ୍ସରୂପ ଧରି ସହସା ଆତ୍ମପ୍ରକାଶ କରିଛି । ଏତେ ମିଥ୍ୟା, ଏତେ ବିଭତ୍ସ ହିଂସ୍ରତା ନିବିଡ଼ ହୋଇ ସୁଦୂର ଅତୀତର ଅନ୍ଧକାର ଯୁଗରେ ହୁଏତ କ୍ଷଣକଳ ସକାଶେ ସାମୟିକ ଭାବେ ଉତ୍ପାତ ସୃଷ୍ଟି କରିଛି; କିନ୍ତୁ ଏପରି ଭୀଷଣ ଉଗ୍ରମୂର୍ତ୍ତିରେ ଆପଣାକୁ କେବେ ପ୍ରକାଶ କରି ନାହିଁ । ଅତୀତର ଏହି ଉତ୍ପାତ ଏକ ଘୁର୍ଣ୍ଣିବାଯୁ ସଦୃଶ୍ୟ ଧୂଳିରେ ଆପଣାକୁ ଆବୃତ କରି ହୁଏତ ଦେଖାଦେଉଥିଲା । କିନ୍ତୁ ଏ ବିଭତ୍ସତା ଆଜି ଆଗ୍ନେୟଗିରି ଅଗ୍ନିସ୍ରାବ ସଦୃଶ୍ୟ ଅବରୁଦ୍ଧ ପାପର ବାଧାମୁକ୍ତ ଉଚ୍ଚବାସରେ ଦିଗ ଦିଗନ୍ତକୁ ଅନୁରଞ୍ଜିତ କରି ପୃଥିବୀର ଦୂର ଦୁରାନ୍ତର ଶ୍ୟାମଳ ଶ୍ରୀକୁ ଦଗ୍ଧୀଭୂତ କରିଦେଇଛି । ସେହିଦିନଠାରୁ ଇଉରୋପ ନିଜର ଶୁଭ-ବୁଦ୍ଧି ଉପରେ ଆପଣାର ଆସ୍ଥା ହରାଇଛି ଏବଂ ସାର୍ବଜନୀନ ମାନବ କଲ୍ୟାଣର ଆଦର୍ଶକୁ ଏହା ଉପହାସ କରିବାକୁ ଆଗଭର ହୋଇଛି । ଦିନେ ଇଂରେଜ ଜାତିର ସଂସ୍ରାବରେ ଆସି ଆମେ ଯେଉଁ ଇଉରୋପକୁ ଜାଣିଥିଲୁ, କୁତ୍ସିତତା ସମ୍ବନ୍ଧରେ ସେ ଇଉରୋପର ଲଜ୍ଜା ଓ ସଂକୋଚବୋଧ ରହିଥିଲା । କିନ୍ତୁ ଆଜି ତାହା ସୌଜନ୍ୟର ଏକ ଛଳନା ବୋଲି ପ୍ରମାଣିତ-

 

ଆମେ ଦେଖୁଛୁ ଯେ ନିଜକୁ ଭାଦ୍ରବୋଲି ପ୍ରମାଣିତ କରିବା ସକାଶେ ପାଶ୍ଚାତ୍ୟ ସଭ୍ୟତାର କୌଣସି ଦାୟିତ୍ୱବୋଧ ଆଜି ନାହିଁ । ଅମାନୁଷିକ ନିର୍ମମତା ପ୍ରକାଶ୍ୟ ଭାବରେ ସ୍ପର୍ଦ୍ଧାର ସହିତ ଆତ୍ମପ୍ରକାଶ କରିଛି । ଇଉରୋପୀୟ ସଭ୍ୟତାର ଯେଉଁ ଶିଷ୍ୟଦଳ ଏସିଆ ଓ ଜାପାନରେ ରହିଅଛନ୍ତି, ସେମାନେ କୋରିଆ ଓ ଚୀନରେ ନିଜର ପ୍ରଭୁତ୍ୱ ଅଧିକାର ସାବ୍ୟସ୍ତ କରିବାକୁ କିପରି ନିଷ୍ଠୁରତା ପ୍ରଦର୍ଶନ କରୁଛନ୍ତି, ତାହା ଆମେ ଲକ୍ଷ୍ୟ କଲୁଁ । ଆୟର୍ଲାଣ୍ଡରେ ରକ୍ତପିଙ୍ଗଳ ଦଳର ଯେଉଁ ଉନ୍ନତ ବର୍ବରତା ଦେଖାଗଲା, ତାହା ଆମେ କୌଣସି ଦିନ କଳ୍ପନା କରି ନ ଥିଲୁ । ତା' ପରେ ଆମ ଭାରତବର୍ଷରେ ଆମ ଚକ୍ଷୁ ସମକ୍ଷରେ ଦେଖିଲୁ ଜାଲିଆନାବାଲା ବାଗର ବିଭୀଷିକା । ଦିନେ ଆମେ ଲକ୍ଷ୍ୟ କରିଥିଲୁ ଯେଉଁ ଇଉରୋପ ତତ୍କାଳୀନ ତୁର୍କକୁ ଅମନୁଷ୍ୟ ବୋଲି ନିନ୍ଦା କରୁଥିଲା, ତାହାର ମୁକ୍ତ ପ୍ରାଙ୍ଗଣରେ ଦେଖାଦେଲା ଫାର୍ସିଜିମ୍‍ର ନିର୍ବିଚାର ନିଦାରୁଣତା । ଆତ୍ମପ୍ରକାଶର ସ୍ୱାଧୀନତା ମାନବ ସଭ୍ୟତାକୁ ଇଉରୋପର ଏକ ମହତ ଦାନ ବୋଲି ଆମେ ଜାଣିଥିଲୁଁ । ଆଜି ଆମେ ଦେଖଛୁଁ ଯେ ସେଠାରେ ସ୍ୱାଧୀନତାର କଣ୍ଠ ପ୍ରତିଦିନ ରୁଦ୍ଧ ହେଉଛି । ବ୍ୟକ୍ତିଗତ ଵିଵେକବୋଧ ପାଇଁ ଶ୍ରଦ୍ଧା କରିବାର ବାଣୀ ଇଉରୋପର ବେଦୀରୁ ଆମେ ଦିନେ ଶୁଣିବାକୁ ପାଉଥିଲୁଁ । କିନ୍ତୁ ସେଠାରେ ଯୀଶୁଙ୍କର ବାଣୀକୁ ବିଶ୍ୱାସ କରୁଥିବା ଓ ଶତ୍ରୁକୁ ମଧ୍ୟ ପ୍ରେମ କରିବାକୁ ଉପଦେଶ ପାଇଥିବା ସେହି ଇଉରୋପୀୟମାନଙ୍କର ଅବସ୍ଥା ଆଜି କଣ ? ରାଜନୀତିକ ମତଭେଦ ସକାଶେ ଇଟାଲୀ ଦ୍ୱୀପାନ୍ତର ବାସର ଯେଉଁ ଶାସ୍ତି ବିଧାନ କରିଛି ତାହା କିପରି ଏକ ଦୁଃସହ ନରକାବାସ, ତାହା ସମସ୍ତଙ୍କୁ ବିଦିତ । ଯେଉଁ ଜର୍ମାନୀରେ ଦିନେ ଇଉରୋପୀୟ ସଭ୍ୟତାର ଜ୍ୟୋତି ଉଜ୍ଜ୍ଵଳତମ ଭାବେ ପ୍ରକାଶିତ ହୋଇଥିଲା, ଆଜି ସେଠାରେ ସଭ୍ୟତାର ସକଳ ଆଦର୍ଶ ଚୂର୍ଣ୍ଣୀଭୂତ ଓ ଉନ୍ନତ ମାନବିକତା କିପରି ସହଜ ଭାବରେ ସମଗ୍ର ଦେଶକୁ ଅଧିକାର କରିଛି, ତାହା ଅବର୍ଣ୍ଣନୀୟ ।

 

ଶାନ୍ତିକାମୀ ଫରାସୀ ଯୁବକ ରେନେରେମ୍‍ଙ୍କ ଦ୍ୱାରା ଲିଖିତ କିୟଦଂଶ ମୁଁ ବର୍ତ୍ତମାନ ଉଦ୍ଧାର କରୁଛି ।

 

"ଯୁଦ୍ଧ ପରେ ମୁଁ ଗିନିଆକୁ ପ୍ରେରିତ ହେଲି । ଦୀର୍ଘ ୧୫ ବର୍ଷର କାରାବାସ ବରଣ କରି ତିକ୍ତତାର ହଳାହଳ ମୁଁ ଆକଣ୍ଠ ପାନ କରିଛି; କିନ୍ତୁ ଏହି କାରାବାସର କାଳ ପୂର୍ଣ୍ଣ ହୋଇଗଲେ ମଧ୍ୟ ମୋ ପାଇଁ ଆହୁରି ଶାସ୍ତିବିଧାନ ରହିଛି । ତାହା ହେଉଛି ଏକ ଆଜୀବନ ନିର୍ବାସନ ଦଣ୍ଡ । ଗିନିଆରେ ଜଣେ ତା'ର ସ୍ୱାସ୍ଥ୍ୟ, ତାରୁଣ୍ୟ, ବଳିଷ୍ଠତା ଧରି ପହଞ୍ଚିଥାଏ; କିନ୍ତୁ ଫେରିଲା ବେଳକୁ ଯଦିବା ସେ ଫେରିବାକୁ ସମର୍ଥ ହୁଏ, ତାହାହେଲେ ସେ ରୁଗ୍ଣତା, ଦୁର୍ବଳତା ଓ ବାର୍ଦ୍ଧକ୍ୟ ଧରି ଫେରିଥାଏ । ଜଣେ ସାଧୁଲୋକ ସେଠାରେ ପହଞ୍ଚିଲେ ମଧ୍ୟ ଅଳ୍ପ କେତେମାସ ପରେ ତାର' ଚରିତ୍ର କଳୁଷିତ ହୋଇଥାଏ । ଦ୍ୱୀପାନ୍ତରିତ ବ୍ୟକ୍ତିମାନେ ଏହି ଭୂମିର ଜ୍ୱର, ଆମାଶୟ, କ୍ଷୟରୋଗ ଓ ସବୁଠୁଁ ମାରାତ୍ମକ କୁଷ୍ଠରୋଗର ସହଜ ଶିକାର ହୋଇଥାନ୍ତି ।

 

ଯୁଦ୍ଧର ପରବର୍ତ୍ତୀ କାଳୀନ ଇଉରୋପର ବର୍ବର ନିର୍ଦ୍ଦୟତା ଆଜି ଯେତେବେଳେ ପୃଥିବୀ ପରିବ୍ୟାପ୍ତ, ସେତେବେଳେ ବାରମ୍ବାର ଆମେ ନିଜକୁ ପ୍ରଶ୍ନ କରୁ ଯେ ଅନ୍ୟାୟ ଅତ୍ୟାଚାରର ଶିକାର ହୋଇଥିବା ମନୁଷ୍ୟର ନିବେଦନ ଶୁଣିବାକୁ ମଣିଷର ସେହି ଚରମ ଦରବାର ଆଜି କେଉଁଠି ? ମନୁଷ୍ୟତା ଉପରେ ଆଜି କ'ଣ ଆମେ ସକଳ ଆସ୍ଥା ହରାଇଦେବୁ ? ଏହି ବର୍ବରତାର ପ୍ରତିରୋଧ କ'ଣ କେବଳ ବର୍ବରତା ଦ୍ଵାରା ହିଁ ସମ୍ଭବ ? କିନ୍ତୁ ସେହି ନୈରାଶ୍ୟ ମଧ୍ୟରେ ଆଜିର ଦୁର୍ଗତି ଯତେ ଭୟଙ୍କର ହେଉ ନା କାହିଁକି ଆମେ ଏହି ସମସ୍ୟାର ବିଚାର ନିର୍ଭୀକ ଭାବରେ କରିବାକୁ ସମର୍ଥ । ଏହା ଘୃଣ୍ୟ ଓ ନିନ୍ଦନୀୟ ବୋଲି ଆମେ ଘୋଷଣା କରି ପାରୁ । ଏବଂ ଏହା ଧ୍ୱଂସ ହେଉ ବୋଲି ଆମେ ଆଭିଶାପ ମଧ୍ୟ ଦେଇ ପାରୁ । ସତ୍ୟ ପ୍ରକାଶ ପାଇଁ ଆଜିର ଅନ୍ଧକାରଛନ୍ନ ଦୁର୍ଦ୍ଦିନ ମଧ୍ୟରେ ଜୀବନ ପଣ କରି ପ୍ରତିବାଦ କରିବାକୁ ଯେ ଲୋକ ଅଛନ୍ତି, ତାହା ହିଁ ଦୁଃଖ ଓ ଆତଙ୍କ ମଧ୍ୟରେ ଆମ ପକ୍ଷରେ ଯଥେଷ୍ଟ ଆଶାର କାରଣ । ଅତ୍ୟାଚାରୀର ପୀଡ଼ନରେ ଆଜି ଜଣେ ଶକ୍ତିର ମେରୁଦଣ୍ଡ ଚୂର୍ଣ୍ଣବିଚୂର୍ଣ୍ଣ ହୋଇଯାଇ ପାରେ, ବୋଲି କହି ନ ପାରେ, କିମ୍ବା ଶକ୍ତିମାନର ଯେ କୌଣସି ଭୁଲ ନାହିଁ, ଏକଥା ସେ ସ୍ୱୀକାର କରି ନ ପାରେ । ବରଂ ମୁକ୍ତକଣ୍ଠରେ ସେ କହି ପରେ ଯେ ଶକ୍ତିମାନର ଦାୟିତ୍ୱ ହେଉଛି ସର୍ବାଧିକ ଏବଂ ତା'ର ଆଦର୍ଶର ମାନଦଣ୍ଡରୁ ବିଚାର କଲେ ତାର ଯେ କୌଣସି ଅନ୍ୟାୟ କାର୍ଯ୍ୟ, ନିନ୍ଦନୀୟ ହେବା ବାଞ୍ଚନୀୟ ।

 

ଦଳିତ ଓ ଅତ୍ୟାଚାରିତ ଜନତା ନିଜର ନ୍ୟାଯ୍ୟ ଦାବୀକୁ ଅତ୍ୟାଚାରର ହିଂସ୍ର ଗର୍ଜନ ଉପରେ ଯଦି ଜାହିର ନ କରେ ଏବଂ ଅତ୍ୟାଚାରକୁ ଲଜ୍ଜାଜନକ ବୋଲି ଧିକ୍କାର କରିବାର ଅଧିକାର କୌଣସି ଦିନ ଯଦି ହରାଇବସେ, ସେହି ଦିନ ହିଁ ଆମେ ଜାଣିବୁ ଯେ ନବଯୁଗ ନିଜର ସକାଳ ଐଶ୍ଵର୍ଯ୍ୟ ହରାଇ ସର୍ବଶ୍ୱାନ୍ତ ହୋଇଯାଇଛି ।

 

(୧୯୩୩)

 

ବନ୍ଧୁ, ମୋର ପ୍ରେମ ତୁମଠି ଯେମିତି ଗୋଟିଏ ବୋଝ ବୋଲି ମନେ ନ ହେଉ; ତୁମେ ଜାଣିରଖ ଯେ ଏହା ନିଜେ ନିଜକୁ କରେ ୠଣମୁକ୍ତ ।

 

-ରବୀନ୍ଦ୍ର ନାଥ

Image

 

ସଭ୍ୟତାର ସଂକଟ

 

ଆଜି ମୋର ଜୀବନର ଅଶୀ ବର୍ଷ ପୂର୍ଣ୍ଣହେଲା ଏହି ଦୀର୍ଘ ଅତୀତକୁ ମୁ ଆଜି ଯେତେବେଳେ ପଶ୍ଚାତ୍‍ ଦୃଷ୍ଟିରେ ଦେଖେଁ ଏବଂ ଏକ ନିର୍ମଳତର ପରିପ୍ରେକ୍ଷୀରେ ଅବଲୋକନ କରେ, ମୋର ଦେଶବାସୀଙ୍କର ମାନସିକତା ଏବଂ ମୋର ନିଜ ମନୋଭାବରେ କିପରି ଏକ କରୁଣ ପରିବର୍ତ୍ତନ ଆସିଛି ତାହା ଲକ୍ଷ କରି ମୁଁ ବିସ୍ମୟରେ ଅଭିଭୂତ ହୋଇପଡ଼େ ।

 

ଇଂରେଜ ଜାତି ସହିତ ଆମର ଯେତେବେଳେ ଐତିହାସିକ ସଂପର୍କ ସ୍ଥାପିତ ହେଲା, ସେତେବେଳେ ପ୍ରଥମ ଥର ପାଇଁ ମାନବିକତାର ବୃହତ୍ତର ପୃଥିବୀ ସହିତ ଆମର ପ୍ରତ୍ୟକ୍ଷ ସମ୍ବନ୍ଧ ସ୍ଥାପିତ ହେଲା । ସେମାନେ ଏକ ମହାନ ସାହିତ୍ୟର ପରମ୍ପରା ଧରି, ଆମର ଆଖି ଆଗରେ ଦେଖାଦେଲେ ଏବଂ ସେ ସାହିତ୍ୟରେ ସେ ଜାତିର ନିର୍ମଳ ଓ ବାସ୍ତବ ରୂପ ଆମେ ଲକ୍ଷ୍ୟ କଲୁ । ସେତେବେଳେ ଯେଉଁ ଶିକ୍ଷା ଆମେ ଲାଭ କଲୁ ତା' ପରିମାଣରେ ଥିଲା ସ୍ୱଳ୍ପ ଏବଂ ବୈଚିତ୍ରହୀନ । ବିଜ୍ଞାନ ଆମଠାରୁ ଥିଲା ବହୁତ ଦୂରରେ । ଇଂରାଜୀ ସାହିତ୍ୟ ଆମେ ଗଭୀରଭାବେ ଅଧ୍ୟୟନ କଲୁ ଏବଂ ଏହାର ଅନୁଶୀଳନ ସଂସ୍କୃତିର ଏକ ନିଦର୍ଶନ ରୂପେ ଏ ଦେଶରେ ଗୃହୀତ ହୋଇଥିଲା । ବାର୍କଙ୍କର ବାଗ୍ନିତାପୂର୍ଣ୍ଣ ଭାଷା ଓ ମେକଲେଙ୍କର ଆଳଙ୍କରିକ ଶବ୍ଦସମ୍ଭାର ପ୍ରଚୁର ପରିମାଣରେ ଏ ଦେଶରେ ପ୍ରତିଧ୍ଵନିତ ହେଲା । ସେକ୍ସପିଅର ଓ ବାଇରନ୍‍ଙ୍କର ସାହିତ୍ୟ ସହିତ ସେମାନଙ୍କର ତତ୍କାଳୀନ ମାନଵଧମୀ ରାଜନୀତିକ ଦର୍ଶନ ମଧ୍ୟ ଆଗ୍ରହ ସହକାରେ ଆମେ ଯଥେଷ୍ଟ ଆଲୋଚନା କଲୁ । ଜାତୀୟ ମୁକ୍ତିର ସଂକଳ୍ପ ଆମ ପ୍ରାଣରେ ସୃଷ୍ଟିହେଲା ସତ, କିନ୍ତୁ ଇଂରାଜୀ ଜାତିର ଉଦାରତାରେ ଆମର ଯଥେଷ୍ଟ ବିଶ୍ଵାସ ଥିଲା ଏବଂ ଆମେ ଭାବିଥିଲୁ ଯେ ସେହିମାନଙ୍କ ଦ୍ଵାରା ହିଁ ଦିନେ ଆମେ ସ୍ଵାଧୀନତାର ସ୍ୱାଦୁ ଲାଭ କରିବୁ । ଦେଶର ମୁକ୍ତି ସଂଗ୍ରାମରେ ଯୋଗ ଦେଇ ଯେଉଁମାନେ ବିଭିନ୍ନ ଦେଶରେ ନିର୍ଯ୍ୟାତନା ସହ୍ୟ କରୁଥିଲେଏବଂ କୌଣସି କାରଣରୁ ଦେଶ ତ୍ୟାଗ କରିବାକୁ ବାଧ୍ୟ ହେଉଥିଲେ, ସେହି ପଳାତକ ରାଜନୀତିକମାନଙ୍କ ସକାଶେ ସେତେବେଳେ ଇଂଲଣ୍ଡ ଥିଲା ଏକ ଆଶ୍ରୟସ୍ଥଳୀ । ଇଂରେଜ ଜାତିର ଏହି ମାନବିକତା ସକାଶେ ସେମାନେ ଆମର ଗଭୀର ଶ୍ରଦ୍ଧାରପାତ୍ର ହୋଇଥିଲେ । ଏ ପ୍ରସଙ୍ଗରେ ଆଉ ଗୋଟିଏ କଥା ମୁଁ ଉଲ୍ଲେଖ କରୁଛି । ପ୍ରଥମ ଥର ପାଇଁ ମୋର ଆଦ୍ୟ ଯୌବନରେ ମୁଁ ଯେତେବେଳେ ବ୍ରିଟେନ ପରିଦର୍ଶନରେ ଯାଇଥିଲି, ପାର୍ଲାମେଣ୍ଟ ଭବନରେ ଓ ବାହାରେ ମଧ୍ୟ ଜନବ୍ରାଇଟଙ୍କର ବକ୍ତୃତା ଶୁଣିବାର ସୁଯୋଗ ମୁଁ ଲାଭ କରିଥିଲି । ଯେ କୌଣସି ଜାତୀୟ ସକୀର୍ଣ୍ଣ ବିଶ୍ଵାସଠାରୁ ବହୁ ଉର୍ଦ୍ଧ୍ୱରେ ଥିବା ତାଙ୍କର ଉଦାର ମୌଳିକ ନୀତି ମୋ ପ୍ରାଣରେ ଏକ ଗଭୀର ପ୍ରଭାବ ସୃଷ୍ଟି କରିଥିଲା । ଆଜିର ମୋହ ମୁକ୍ତି ପ୍ରାଣରେ ଗଭୀର ବେଦନା ଜାତ କରୁଥିଲେ ମଧ୍ୟ ସେ ଘଟଣାର କ୍ଷୀଣ ସ୍ମୃତି ଏବେ ମଧ୍ୟ ମୋ ମନରେ ଜୀବିତ ।

ଶାସକମାନଙ୍କର ବଦାନ୍ୟତା ଉପରେ ନିର୍ଭର କରିବା ଯେ ଏକ ଗୌରବର ବସ୍ତୁ ତା' ନୁହେ । କିନ୍ତୁ ସେମାନେ ଅନେକାଂଶରେ ଏହି ପ୍ରଂଶସାର ଯୋଗ୍ୟ ଅଧିକାରୀ ଥିଲେ । ବିଦେଶୀ ଜାତି ହେଲେହେଁ ସେମାନଙ୍କର ଚରିତ୍ରରେ ମାନବିକ ଗୁଣାବଳୀର ନିଦର୍ଶନ ଆମେ ଯେତେବେଳେ ଲକ୍ଷ୍ୟ କଲୁ, ସେତେବେଳେ ସେମାନଙ୍କୁ ସମ୍ମାନ ଦେବାରେ ଆମେ କୁଣ୍ଠିତ ହୋଇ ନ ଥିଲୁ । ମଣିଷ ଯୁଗ ଯୁଗ ଧରି ଯେଉଁ ମହତ ଦାନ ମାନବ ସଭ୍ୟତାକୁ ଦାନ କରିଆସିଛି, ସେଥିରେ କୌଣସି ନିର୍ଦ୍ଦିଷ୍ଟ ଦେଶ ବା ଜାତିର ଏକଚାଟିଆ ଅଧିକାର ନାହିଁ; କିମ୍ବା ତାହା କୌଣସି କୃପଣର ଗୁପ୍ତଧନ ନୁହେ, ଯେ ତାକୁ ବ୍ୟୟ କରିବାର ଅଧିକାର ଅନ୍ୟମାନଙ୍କର ନାହିଁ । ତେଣୁ ଇଂରାଜୀ ସାହିତ୍ୟର ଆମେ ସାରବାନ ଓ ମୂଲ୍ୟବାନ ବସ୍ତୁ ଲାଭ କରିଥିବାରୁ, ଆଜିପର୍ଯ୍ୟନ୍ତ ମଧ୍ୟ ଗଭୀର ଅନୁରକ୍ତି ଆମ ପ୍ରାଣରେ ସୃଷ୍ଟି କରିଥାଏ । ଇଂରାଜୀ ଶବ୍ଦଟିର ଖାଣ୍ଟି ବଙ୍ଗଳା ପ୍ରତିଶବ୍ଦ ପାଇବା କଷ୍ଟକର । ଆମ ପ୍ରାଚୀନ ଯୁଗର ସଭ୍ୟତା ମହର୍ଷିମନୁଙ୍କ ଦ୍ଵାରା ସଦାଚାର ବା ନ୍ୟାୟ ଆଚରଣ ବୋଲି ଅଭିହିତ ହୋଇଥିଲା । ଏହା ଭିତରେ କେତେଗୁଡ଼ିଏ ନିର୍ଦ୍ଦିଷ୍ଟ ପ୍ରଥା ଥିଲା ଯାହାକି ଆମ ସାମାଜିକ ଜୀବନର ବିଧାନରୂପେ ଗୃହୀତ ହୋଇଥିଲା । ସ୍ଵାଧୀନ-ଚିନ୍ତାକୁ ଜଳାଞ୍ଜଳି ଦେଇ ଅନେକ ସମୟରେ ଅନ୍ୟାୟ ଓ ଅତ୍ୟାଚାରପୂର୍ଣ୍ଣ ତଥାକଥିତ ନିୟମାନୁବର୍ତ୍ତିତ ପରିଲକ୍ଷିତ ହେଉଥିଲା । ମନୁ ଯେଉଁ ଆଚରଣର ବିଧାନସବୁ ଗଢ଼ି ଦେଇଗଲେ ତାହା କ୍ରମଶଃ ବହୁକାଳ ଧରି ସୁଦୃଢ଼ ପରମ୍ପରା ଭାବରେ ସ୍ୱୀକୃତ ଓ ସମ୍ମାନିତ ହେଲା ।

ମୁଁ ପିଲାଦିନେ ଦେଖିଛି ଯେ ଆମର କେତେକ ଇଂରାଜୀ ଶିକ୍ଷିତ ବ୍ୟକ୍ତି ଏହି କଠୋର ନିୟମାନୁବଦ୍ଧ ସାମାଜିକ ବିଧାନ ବିରୁଦ୍ଧରେ ବିଦ୍ରୋହୀ ମନୋଭାବ ପୋଷଣ କରିଥିଲେ । ସେହି ବିଦ୍ରୋହର ସ୍ଵାକ୍ଷର ସମକାଳୀନ ବଙ୍ଗଳା ସାହିତ୍ୟରେ ଉତ୍କୀର୍ଣ୍ଣ । ଆମ ନିର୍ଦ୍ଦିଷ୍ଟ ସାମାଜିକ ବିଧାନ ପରିବର୍ତ୍ତରେ ଇଂରାଜୀ ଶବ୍ବ ଦ୍ଵାରା ପ୍ରକାଶ ପାଉଥିବା ଓ ଇଂରାଜୀ ଚରିତ୍ର ଦ୍ଵାରା ପ୍ରକଟିତ ହେଉଥିବା ସଭ୍ୟତାର ଆଦର୍ଶ ଓ ଅର୍ଥକୁ ଗ୍ରହଣ କରିବାକୁ ଲାଗିଲୁ । ଯୁକ୍ତି ଉପରେ ପ୍ରତିଷ୍ଠିତ ଏହି ପରିବର୍ତ୍ତନର ମୂଲ୍ୟବୋଧ ମୋ ନିଜ ପରିବାରରେ ମଧ୍ୟ ଅଭିନନ୍ଦିତ ହୋଇଥିଲା ଏବଂ ଆଦର୍ଶ ଓ ବାସ୍ତବ କ୍ଷେତ୍ରରେ ଏହାର ଫଳଫଳ ଅନୁଭୂତ ହୋଇଥିଲା । ଏ ଭଳି ଏକ ବାତାବରଣରେ ଜନ୍ମଗ୍ରହଣ କରିଥିବାରୁ ଏବଂ ସାହିତ୍ୟ ପ୍ରତି ମୋର ସ୍ୱାଭାବିକ ଆଗ୍ରହ ଥିବାରୁ ମୋ ଦୃଷ୍ଟିରେ ଇଂରେଜ ଜାତି ସେତେବେଳେ ଗୌରବର ସିଂହାସନରେ ଅଧିରୂଢ଼ ।

ମୋହମୁକ୍ତିର ବେଦନା ମଧ୍ୟରେ ହିଁ ମୋ ଜୀବନର ସେହି ଆଦି କାଳର ଅବସାନ ଘଟିଥିଲା । କ୍ରମେ କ୍ରମେ ମୁଁ ଅଧିକଭାବେ ଆବିଷ୍କାର କଲି ଯେ ଯେଉଁମାନେ ସଭ୍ୟ ମାନବର ଚରମ ମୂଲ୍ୟବୋଧର ପ୍ରଚାରକ ସେମାନେ ନିଜ ଜାତିର ସ୍ଵାର୍ଥ ବ୍ୟାହତ ହେଉଥିବାବେଳେ ସମସ୍ତ ମୂଲ୍ୟବୋଧକୁ ସହଜରେ ଅସ୍ୱୀକାର କରିବାକୁ ପ୍ରସ୍ତୁତ । ତା'ପରେ ମୋ ଜୀବନରେ ଏପରି ସମୟ ଆସିଲା, ଯେତେବେଳେ ମୁଁ ବାଧ୍ୟହୋଇ ସାହିତ୍ୟ ସେବାରୁ ନିଜକୁ ଅପସାରଣ କଲି, କାରଣ ଭାରତୀୟ ଜନତାର ଭୟଙ୍କର ଦୁଃଖ ଦୈନ୍ୟର ଦୃଶ୍ୟ କ୍ରମଶଃ ମୋ ଚକ୍ଷୁରେ ଅସହନୀୟ ହୋଇ ଉଠିଲା । ମୁଁ ଅନୁଭବ କଲି ଯେ ଅନ୍ୟ କୌଣସି ଆଧୁନିକ ରାଷ୍ଟ୍ର ଏପରି ଭାବରେ ଜୀବନଧାରଣର ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ନୁହେ । ଖାଦ୍ୟ, ପରିଧେୟ, ଶିକ୍ଷା ଓ ସ୍ୱାସ୍ଥ୍ୟାଦି ସକଳ କ୍ଷେତ୍ରରେ ଭାରତବର୍ଷ ବଞ୍ଚିତ । ତଥାପି ବର୍ଷ ବର୍ଷ ଧରି ଏହି ଇଂରେଜ ଜାତି ଏ ଦେଶକୁ ଲୁଣ୍ଠିତ କରି ନିଜର ସମୃଦ୍ଧି ସାଧନ କରୁଅଛି । ବ୍ରିଟିଶ ଜାତିର ସାଂସ୍କୃତିକ ବିଭବର ଚାକଚକ୍ୟରେ ମୁଗ୍ଧହୋଇ ମୁଁ କେବେ ଦିନେ ଭାବି ନ ଥିଲି ଯେ ଆମର ବହୁଦିନର ଇଷ୍ପିତ ମୂଲ୍ୟ ପ୍ରାପ୍ତିରେ ସେମାନେ ଏପରି ନିର୍ମମ ଆଘାତ ଦେବେ । ଆମ ଦେଶର ଅଗଣିତ ଜନସାଧାରଣଙ୍କର ଦାବୀ ପ୍ରତି ଗୋଟିଏ ସଭ୍ୟ ଜାତି କିପରି ଘୃଣା ଓ ଉଦାସୀନତା ପ୍ରକାଶ କରି ପାରେ, ତାହା ହିଁ ପରିଶେଷରେ ସେ ଜାତିର ଚରମ ନିର୍ମମତାର ପ୍ରତୀକ ରୂପେ ମୋ ମନରେ ଗଭୀର ବେଦନା ସୃଷ୍ଟି କରିଥିଲା । ଯେଉଁ ଯନ୍ତ୍ରଶକ୍ତି ସାହାଯ୍ୟରେ ଇଂରେଜ ଜାତି ଆଜି ପୃଥିବୀର ଶ୍ରେଷ୍ଠଶକ୍ତି ବୋଲି ପରିଗଣିତ, ସେହି ଯନ୍ତ୍ରଶକ୍ତି ଉପରେ ପ୍ରଭୂତ୍ୱ ବିସ୍ତାର କରିବାର ଅଧିକାର,ଏହି ଅସହାୟ ଦେଶକୁ ସେ ଜାତି ଦେଇ ନାହିଁ । ଏହି ଅଳ୍ପ କେତେ ବର୍ଷ ମଧ୍ୟରେ ଜାପାନ ଯନ୍ତ୍ରଶକ୍ତିର ଅଧିକାରୀ ହେବା ଫଳରେ ତାର ଅର୍ଥନୀତିରେ ବୈପ୍ଲବିକ ପରିବର୍ତ୍ତନ ଆଣିବାକୁ ସମର୍ଥ । ମୁଁ ନିଜ ଚକ୍ଷୁରେ ଜାପାନର ସେହି ଜାତୀୟ ଉନ୍ନତି ଓ ସମୃଦ୍ଧିର ଚିତ୍ର ଦେଖିଆସିଛି । ମସ୍କୋରେ ମଧ୍ୟ ମୁଁ ଲକ୍ଷ୍ୟ କରି ଆସିଛି କିପରି ରୁଷୀୟଗଣ ଅଦମ୍ୟ ଓ ଅକ୍ଲାନ୍ତ ଶକ୍ତି ବଳରେ ଦେଶରୁ ନିରକ୍ଷରତା, ଅଜ୍ଞତା, ଦୁଃଖ, ଦାରିଦ୍ର୍ୟ, ରୋଗ ଆଦି ଯେ କୌଣସି ଲଜ୍ଜ୍ୟାଜନକ ନିଦର୍ଶନକୁ ମୂଳପୋଛ କରିଦେବାକୁ ଆଗଭର-। ଯେ କୌଣସି ଜାତୀୟ କୁସଂସ୍କାରରୁ ମୁକ୍ତ ହୋଇ ରୁଷୀୟଗଣ ଦେଶବ୍ୟାପୀ ଗୋଟିଏ ମାନବିକ ମୈତ୍ରୀ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ଯେଉଁ ଦ୍ରୁତ ଓ ବିସ୍ମୟକର ପ୍ରଗତିର ଆଜି ସେମାନେ ଅଧିକାରୀ, ତାହା ଦେଖି ମୁଁ ଖୁସି ହେବା ସଂଗେ ସଂଗେ ଈର୍ଷାନ୍ୱିତ ମଧ୍ୟ ହୋଇଥିଲି । ସୋଭିଏଟ ଜୀବନର ଅନ୍ୟ ଏକ ଅସାଧାରଣ ବିଭାବ ମସ୍କୋରେ ମୋତେ ଅଭିଭୂତ କରିଥିଲା । ତାହା ହେଉଛି, ସାଧାରଣ ସ୍ୱାର୍ଥଗୁଡ଼ିକୁ ଗୋଟିଏ ସୂତ୍ରରେ ଗ୍ରଥିତ କରି ସେମାନେ ଗୋଟିଏ ମହାନ ସମ୍ମିଳିତ ଉଦ୍ୟମ କରିବାରେ ପ୍ରୟାସୀ । ଏହା ଫଳରେ ରାଜନୀତିକ ସଂଘର୍ଷରେ ପରିଣତ ହେଉଥିବା ସାଂପ୍ରଦାୟିକ ବୈଷମ୍ୟର ଦୂରୀକରଣ ସେଠାରେ ସମ୍ଭବପର ହୋଇ ପାରିଛି । ଆଜି ପୃଥିବୀରେ ଇଂଲଣ୍ଡ ଓ ରୁଷିଆ ଦୁଇଟି ବିରାଟ ଶକ୍ତିରୂପେ ବିବେଚିତ ଏବଂ ଅନେକ ଜାତି ଉପରେ ସେମାନେ ଆଜି ପ୍ରତିପତ୍ତି ବିସ୍ତାର କରିଛନ୍ତି । ଇଂରେଜ ଜାତି ଯେଉଁ ଜାତିଗୁଡ଼ିକୁ ଆଜି ଶାସନାଧୀନ କରି ରଖିଛନ୍ତି, ସେ ଜାତିଗୁଡ଼ିକର ମାନବିକତା ଆଜି ପଦଦଳିତ ହୋଇଛି ଏବଂ ସେମାନଙ୍କର ଅବସ୍ଥା ମଧ୍ୟ ମୁମୂର୍ଷୁ । କିନ୍ତୁ ଯେଉଁ ମୁସଲମାନ ସଂପ୍ରଦାୟଗୁଡ଼ିକ ସୋଭିଏଟ ରୁଷିଆର ଉପନିବେଶ ମଧ୍ୟରେ ରହିଛନ୍ତି ସେମାନଙ୍କର ଅବସ୍ଥା ଅନ୍ୟ ପ୍ରକାର । ଏହି ଜାତିଗୁଡ଼ିକର ଉନ୍ନତି ପାଇଁ ଏବଂ ଜନସାଧାରଣଙ୍କର ସ୍ଵାର୍ଥକୁ ଐକ୍ୟ ସୂତ୍ରରେ ଆବଦ୍ଧ କରିବା ପାଇଁ ସେଠାକାର ସରକାର ଅବିରତ ଦୃଢ଼ ଉଦ୍ୟମ କରିଆସିଛି ।

ଦୁଇ ଇଉରୋପୀୟ ଶକ୍ତିର ପ୍ରସ୍ତରଖଣ୍ଡ ମଧ୍ୟରେ ଦୀର୍ଘକାଳ ନିଷ୍ପେସିତ ହୋଇ ରହିଥିବା ଓ ବର୍ତ୍ତମାନ ମୁକ୍ତିଲାଭ କରି ନିଜର ଭାଗ୍ୟ ନିର୍ଣ୍ଣୟ କରିବାକୁ ଯତ୍ନଶୀଳ ହେଉଥିବା ଇରାନକୁ ମଧ୍ୟ ମୁଁ ଦେଖିଛି । ଅତି ନିକଟରେ ମୁଁ ଇରାନ ପରିଦର୍ଶନ କଲାବେଳେ ଆନନ୍ଦର ସହିତ ଲକ୍ଷ୍ୟ କଲି ଯେ ବୃହତ୍ତର ସଂପ୍ରଦାୟଗୁଡ଼ିକର ଅନୁଗ୍ରହ ଭିକ୍ଷା କରୁଥିବା ଜୋରାଷ୍ଟୀୟଗଣ ବର୍ତ୍ତମାନ ପୀଡ଼ନ ଓ ଅବଦମନରୁ ମୁକ୍ତ । ଯେଉଁ ସମୟରୁ ଇଉରୋପର କୂଟନୀତିର ବନ୍ଧନରୁ ଇରାନ ନିଜକୁ ମୁକ୍ତ କରିଛି, ସେହି ସମୟରୁ ହିଁ ତା'ର ନବଜୀବନର ଆରମ୍ଭ ହୋଇଛି । ଇରାନ୍‍ର ଉନ୍ନତି ପାଇଁ ମୁଁ ଆନ୍ତରିକ ଶୁଭେଚ୍ଛା ଜଣାଉଛି । ତା'ର ଆଉ ଏକ ପଡ଼ୋଶୀରାଷ୍ଟ୍ର ଆଫଗାନିସ୍ଥାନକୁ ଦେଖି ମୁଁ ଲକ୍ଷ୍ୟ କରିଛି ଯେ ଯଦିଚ ଶିକ୍ଷା ଓ ସାମାଜିକ ଉନ୍ନତି କ୍ଷେତ୍ରରେ ଅନେକ କାର୍ଯ୍ୟ କରିବା ପାଇଁ ତାର ବାକୀ ରହିଛି, ତଥାପି ପ୍ରଗତିର ଯଥେଷ୍ଟ ବାସ୍ତବ ସମ୍ଭାବନା ସେଠାରେ ରହିଛି, କାରଣ କୌଣସି ଇଉରୋପୀୟ ଶକ୍ତି ଆଫଗାନମାନଙ୍କର ଏହି ଭୂମିକୁ କରକବଳିତ କରି ତାକୁ ଶ୍ୱାସରୁଦ୍ଧ କରିବାରେ ସଫଳ ହୋଇ ନାହିଁ ।

ସେ ଯାହାହେଉ ଭରତବର୍ଷ ଇଂରେଜ ଶାସନର ମରଣାନ୍ତକ ବୋଝ ସହି ଆଜି ନିଦ୍ରିତ ଓ ଉଦ୍ୟମହୀନ ଅବସ୍ଥାରେ ରହିଛି । ଗୋଟିଏ ବିରାଟ ପ୍ରାଚୀନ ସଭ୍ୟତାର ଦେଶ, ଚୀନର କରୁଣ ଇତିହାସର କଥା ମୁଁ ଆଜି ସ୍ମରଣ କରୁଛି । ଇଂରେଜ ଜାତି ଚୀନର ଅଧିବାସୀମାନଙ୍କ ଅଫିମ ନିଶାରେ ମସଗୁଲ ରଖି ଔପନିବେଶିକ ଆକ୍ରମଣ ଚଳାଇଥିଲା । ଏହି ଘଟନାଗୁଡ଼ିକର ସ୍ମୃତି ସେମାନଙ୍କର ମାନସପଟରୁ ସମ୍ପୂର୍ଣ୍ଣରୂପେ ଲିଭି ନ ଯାଉଣୁ ସେମାନଙ୍କୁ ଆଉ ଏକ ଆକ୍ରମଣର ସମ୍ମୁଖୀନ ହେବାକୁ ପଡ଼ିଲା । ଜାପାନ ଉତ୍ତର ଚୀନକୁ ଗ୍ରାସ କରିବାକୁ ଚେଷ୍ଟା କଲା । ଏବଂ ଏହି ଲୁଣ୍ଠନ କାର୍ଯ୍ୟକୁ ଇଂରେଜ ରାଜନୀତିକଗଣ ଏକ ସାଧାରଣ ଘଟଣା ବୋଲି ଭୃକ୍ଷେପରେ ଉଡ଼ାଇଦେଲେ । ପରବର୍ତ୍ତୀ କାଳରେ ଏହି ରାଜନୀତିକଗଣ ହିଁ ସ୍ପେନର ସାଧାରଣତନ୍ତ୍ରକୁ ଭାଙ୍ଗିଦେବା ପାଇଁ ନିଜର କୌଶଳୀ ହାତ ପ୍ରୟୋଗ କଲେ ।

ଅନ୍ୟପକ୍ଷରେ ଦଳେ ସାହସିକ ଇଂରେଜ ସ୍ପେନର ସ୍ଵାଧୀନତା ପାଇଁ ସଂଗ୍ରାମ କରି କିପରି ଜୀବନଉତ୍ସର୍ଗ କରିଥିଲେ, ତାହା ମୁଁ ଲକ୍ଷ୍ୟ କରିଥିଲି । କିନ୍ତୁ ଏସିଆର ଗୋଟିଏ ଦେଶ ଚୀନ ଯେତେବେଳେ ବିପଦର ସମ୍ମୁଖୀନ ହୋଇଥିଲା, ସେତେବେଳେ ଏହି ଉଦାର ପ୍ରେରଣା କୌଣସି ଇଂରେଜ ପ୍ରାଣକୁ ଯେ ବିଚଳିତ କରି ନ ଥିଲା, ଏକଥା ସତ୍ୟ । ଅନ୍ୟ ଦିଗରେ ଗୋଟିଏ ଇଂରେଜ ସାଧାରଣତନ୍ତ୍ର ଯେତେବେଳେ ବିପନ୍ନ ହେଲା, ତା’ର ରକ୍ଷା ପାଇଁ ବୀର ଭାବରେ ଆତ୍ମୋତ୍ସର୍ଗ କରିବାକୁ ପ୍ରକୃତ ଇଂରେଜ ପ୍ରାଣ ସଂଗ୍ରାମଶୀଳ ହୋଇଉଠିଲା ଏବଂ ଇଂରେଜ ପ୍ରାଣର ଏହି ମହତ୍ତ୍ଵକୁ ହିଁ ମୋର ପ୍ରାଥମିକ ଜୀବନରେ ମୁଁ ଦିନେ ସମ୍ମାନ ପ୍ରଦର୍ଶନ କରିଥିଲି । ଏହି ପାର୍ଥକ୍ୟ ଦ୍ଵିଗୁଣ ବେଗରେ ମୋତେ ଆଘାତ ଦେଇଥିଲା । ଏବଂ ସେଥିପାଇଁ ପାଶ୍ଚାତ୍ୟ ସଭ୍ୟତାରେ କ୍ରମେ ବିଶ୍ଵାସ ହରାଇବାର କାହାଣୀ ମୁଁ ଏଠାରେ ବର୍ଣ୍ଣନା କରୁଛି ।

କିନ୍ତୁ ଭାରତବର୍ଷ ତା'ର ଖାଦ୍ୟ, ପରିଧେୟ, ଶିକ୍ଷା ଓ ସ୍ୱାସ୍ଥ୍ୟାଦି ବିଭିନ୍ନ କ୍ଷେତ୍ରରେ ତାର ଜୀବନର ମୌଳିକ ଆବଶ୍ୟକୀୟ ଉପକରଣର ଅଧିକାରରୁ ପ୍ରବଳ ଭାବେ ବଞ୍ଚିତ ହେବ ମଧ୍ୟରେ ସଭ୍ୟ ଇଂରେଜ ଜାତିର ଶାସନ-ଦୁର୍ଗତି ଯେ ସ୍ପଷ୍ଟ ହୋଇଛି ତାହା ନୁହେ । ଆହୁରି ଅଧିକ ଶୋଚନୀୟ ଭାବରେ ଏ ଜାତି ଛିନ୍ନ ବିଛିନ୍ନ ହୋଇଛି ଓ ଦେଶ ମଧ୍ୟ ବହୁଧା ବିଭକ୍ତ ହୋଇଛି । ଘଟଣାକୁ ଅଧିକତର ଜଟିଳ କରିବା ପାଇଁ ଆମର ସାମାଜିକ ଅବସ୍ଥାକୁ ହିଁ ଆମର ଶୋଚନୀୟ ଅବସ୍ଥାର କାରଣ ବୋଲି ଗ୍ରହଣ କରାଯାଉଛି । କିନ୍ତୁ ଶାସନର ଶୀର୍ଷସ୍ତରରେ ଶାସକମାନଙ୍କର ଗୁପ୍ତ ସମର୍ଥନ ନ ଥିଲେ ଆମର ଏପରି ଶୋଚନୀୟ ଅବସ୍ଥା ସୃଷ୍ଟି ହୋଇ ନ ଥାନ୍ତା ।

ବୌଦ୍ଧିକ ସ୍ତରରେ ଜାପାନୀମାନଙ୍କ ଅପେକ୍ଷା ଭାରତୀୟମାନେ ଯେ ନିକୃଷ୍ଟ ଏହା ମୁଁ ବିଶ୍ଵାସ କରେ ନାହିଁ । କିନ୍ତୁ ଏହି ଦୁଇଟି ପ୍ରାଚ୍ୟଜାତିର ଭାଗ୍ୟ ମଧ୍ୟରେ ସୂକ୍ଷ୍ମତମ ପାର୍ଥକ୍ୟ ହେଉଛି ଯେ ଭାରତବର୍ଷ ଯେତେବେଳେ ଇଂରେଜ ଶକ୍ତିର ଅନୁଗ୍ରହପ୍ରାର୍ଥୀ, ସେତେବେଳେ ଜାପାନ କୌଣସି ବୈଦେଶିକ ଶକ୍ତିର ଆଧିପତ୍ୟର ନିର୍ଯ୍ୟାତନା ସହ୍ୟ କରି ନାହିଁ । ଆମର କେଉଁ ଐଶ୍ଵର୍ଯ୍ୟ କୁଣ୍ଠିତ, ଆମେ ତାହା ପ୍ରକୃତରେ ଜାଣୁ । ତଥାକଥିତ ସଭ୍ୟ ଶାସନ ଆମକୁ ଯାହା ପ୍ରଦାନ କରିଛି ତାହା କେବଳ ଆଇନ ଓ ଶୃଙ୍ଖଳା ଏବଂ ଗୋଟିଏ ପୋଲିସ ରାଜ୍ୟର କେତେକ ଉପକରଣ ମାତ୍ର । ନିର୍ଲଜ୍ଜ ଶକ୍ତି ନିକଟରେ ଜାତିର ସ୍ଵାଧୀନତା ସ୍ପୃହା ଆଜି ଅବଦମିତ, ମାନବିକ ମୈତ୍ରୀର ମୂଲ୍ୟବାନ ଉପାଦାନଗୁଡ଼ିକର ଅବରୋଧ ଫଳରେ ଆମ ପ୍ରଗତିର ମାର୍ଗ ଆଜି ଅବରୁଦ୍ଧ ।

ତଥାପି କେତେକ ଶୁଭବୁଦ୍ଧିସମ୍ପନ୍ନ ମହାମନା ଇଂରେଜ ବ୍ୟକ୍ତିଙ୍କର ସଂସର୍ଗ ଲାଭ କରିଥିବାର ସୁଯୋଗ ମୁଁ ପାଇଛି ଏବଂ କେବଳ ସେହିମାନଙ୍କ ସକାଶେ ମୁଁ ସେ ଜାତି ଉପରେ ବିଶ୍ଵାସ ହରାଇ ନାହିଁ । ଏ କ୍ଷେତ୍ରରେ ଏଣ୍ଡୃଜଙ୍କୁ ମୁଁ ଦୃଷ୍ଟାନ୍ତ ଭାବରେ ଗ୍ରହଣ କରୁଛି । ବନ୍ଧୁଭାବରେ ତାଙ୍କ ଭିତରେ ମୁଁ ଜଣେ ଯଥାର୍ଥ ଇଂରେଜ ବ୍ୟକ୍ତି, ଜଣେ ପ୍ରକୃତ ଖ୍ରୀଷ୍ଟିୟାନ ଓ ଜଣେ ପ୍ରକୃତ ଭଦ୍ର ବ୍ୟକ୍ତିର ସନ୍ଧାନ ମୁଁ ପାଇଥିଲି । ମୃତ୍ୟୁର ପରିପ୍ରେକ୍ଷୀରେ ତାଙ୍କର ସମ୍ପୂର୍ଣ୍ଣ ନିସ୍ଵାର୍ଥପରତା ଓ ଉଚ୍ଚ ମହାନୁଭାବତା ଆଜି ଅଧିକତର ଉଜ୍ଜଳ । ଆମେ ଭାରତୀୟମାନେ, ତାଙ୍କର ସ୍ନେହ ଓ ନିଷ୍ଠା ମୂଳକ ବହୁ କାର୍ଯ୍ୟ ସକାଶେ ତାଙ୍କ ନିକଟରେ କୃତଜ୍ଞ, କିନ୍ତୁ ବ୍ୟକ୍ତିଗତ ଦୃଷ୍ଟିକୋଣରୁ ମୁଁ ବିଶେଷତଃ ତାଙ୍କ ନିକଟରେ ଏହି କାରଣରୁ ଋଣୀ ଯେ ଇଂରେଜ ଜାତି ପ୍ରତି ତାଙ୍କ ସାହିତ୍ୟ ଅଧ୍ୟୟନ ମାଧ୍ୟମରେ ଯେଉଁ ଆନ୍ତରିକ ସମ୍ମାନବୋଧ ମୋର ଜାଗୃତ ହୋଇଥିଲା, ମୋର ବର୍ଦ୍ଧକ୍ୟରେ ପୁଣି ଥରେ ତାହା ଫେରି ପାଇବା ଦିଗରେ ସେ ମୋତେ ସାହାଯ୍ୟ କରିଥିଲେ । ଇଂରେଜ ଜାତିର ହୃଦୟରେ ମହତ୍ତ୍ୱ କିପରି ନିହିତ, ଏଣ୍ଡୃଜଙ୍କର ସ୍ମୃତି ହିଁ ମୋତେ ଆଜି ସ୍ମରଣ କରାଇ ଦେଉଛି । ତାଙ୍କରି ପରି ମଣିଷଙ୍କୁ ମୋର ଅନ୍ତରଙ୍ଗ ବନ୍ଧୁ ହିସାବରେ ଗ୍ରହଣ କରିଛି ଏବଂ କେବଳ ମୋର କାହିଁକି ସେମାନେ ସମଗ୍ର ମାନବ ଜାତିର ବନ୍ଧୁ । ସେଭଳି ଲୋକଙ୍କୁ ଲାଭ କରି ମୋ ଜୀବନ ରୁଦ୍ଧିମନ୍ତ ହୋଇଛି ବୋଲି ମୁଁ ମନେକରେ । ସେମାନେ ହିଁ ଇଂରେଜ ଜାତିର ସମ୍ମାନକୁ ମୃତ୍ୟୁ ମୁଖରୁ ରକ୍ଷା କରିବେ । ଯାହାହେଉ ସେମାନଙ୍କୁ ଯଦି ମୁଁ କେବେ ଦେଖି ନ ଥାନ୍ତି ବା ଜାଣି ନଥାନ୍ତି ପଶ୍ଚାତ୍ୟ ଜାତିମାନଙ୍କ ପ୍ରତି ମୋର ଯେଉଁ ଭ୍ରାନ୍ତ ଧାରଣା ସୃଷ୍ଟି ହୋଇଥିଲା ତାହା ସେହିପରି ଅପରିବର୍ତ୍ତିତ ହୋଇ ରହିଥାଆନ୍ତା ।

ଇତି ମଧ୍ୟରେ ନଖ ଦନ୍ତ ବିସ୍ତାର ପୂର୍ବକ ବିଭୀଷିକାର ଭୈରବୀ ଗାନ କରି ବର୍ବରତାର ଏକ ନୂତନ ପୈଶାଚିକ ଲୀଳା ସମଗ୍ର ଇଉରୋପବ୍ୟପୀ ପରିଲକ୍ଷିତ । ଏହି ମହାଦେଶର ଗୋଟିଏ ପ୍ରାନ୍ତରୁ ଅପର ପର୍ଯ୍ୟନ୍ତ ସମଗ୍ର ବାୟୁମଣ୍ଡଳ ଅତ୍ୟାଚାରର ଧୂମ ଦ୍ଵାରା ଆଜି କଳୁଷିତ । ପାଶ୍ଚାତ୍ୟର ଚିତ୍ତ-ବୃତ୍ତିରେ ଯେଉଁ ହିଂସାଭାବ ଗୁପ୍ତ ହୋଇ ରହିଥିଲା, ତାହା ହିଁ ବୋଧହୁଏ ଆଜି ଜାଗୃତ ହୋଇ ମାନବିକତାକୁ ଅପବିତ୍ର କରିବାକୁ ଉଦ୍ୟତ ।

ଭାଗ୍ୟଚକ୍ରର ପରିବର୍ତ୍ତନ ଦ୍ଵାରା ଇଂରେଜ ଜାତି ଭାରତ ସାମ୍ରାଜ୍ୟ ପରିତ୍ୟାଗ କରିବାକୁ ଦିନେ ବାଧ୍ୟ ହେବ । କିନ୍ତୁ କେଉଁ ଧରଣର ଭାରତ ଓ କିପରି ମର୍ମନ୍ତୁଦ ଦୁଃଖଦୈନ୍ୟ ତାଙ୍କ ପଛରେ ସେମାନେ ଛାଡ଼ି ନ ଯିବେ ? ଦୀର୍ଘ ଦୁଇ ଶତାଦ୍ଦୀର ଶାସନ-ସ୍ରୋତର ପ୍ରବାହ ଯେତେବେଳେ ଏ ଦେଶ ମାଟିରେ ଶୁଷ୍କ ହୋଇଯିବ, ଚରମ ବିଫଳତାର କାହାଣୀ ବହନ କରି ପଙ୍କ ନର୍ଦ୍ଦମାର କି କ୍ଷୟରୂପ ବା ଏ ଦେଶରେ ପ୍ରକଟିତ ନ ହେବ !

ଦିନ ଥିଲା ମୁଁ ଯେତେବେଳେ ବିଶ୍ଵାସ କରୁଥିଲି ଯେ ଏକ ପ୍ରକୃତ ସଭ୍ୟତାର ଉତ୍ସ ଇଉରୋପେର ଅନ୍ତଃପ୍ରଦେଶରୁ ହିଁ ନିସୃତ ହେବ । କିନ୍ତୁ ମୁଁ ଆଜି ପୃଥିବୀରୁ ବିଦାୟ ନେବାକୁ ଯେତେବେଳେ ପ୍ରସ୍ତୁତ, ମୋର ସେ ବିଶ୍ଵାସ ସମ୍ପୂର୍ଣ୍ଣ ଅନ୍ତର୍ହିତ ହୋଇଯାଇଛି ।

କେବଳ ଏହି ବିଶ୍ଵାସରେ ମୁଁ ଆଜି ବଞ୍ଚିଛି ଯେ ପୃଥିବୀର ପରିତ୍ରାତାଙ୍କର ଆବିର୍ଭାବ ନିଶ୍ଚୟ ହେବ ଏବଂ ସେ ଭାରତର ଦୈନ୍ୟ ପୀଡ଼ିତ କୁଟୀରରେ, ଆମର ମଧ୍ୟରେ ହିଁ ଆବିର୍ଭୂତି ହେବେ । ଏହି ପ୍ରାଚୀ ଦିଗ୍‍ବଳୟରୁ ସମସ୍ତ ମାନବଜାତିର ଶ୍ରୋତାମାନଙ୍କ ପ୍ରାଣରେ ଶକ୍ତି ଓ ବିଶ୍ଵାସ ସୃଷ୍ଟି କରିବା ନିମନ୍ତେ ଚରମ ଆଶ୍ୱାସର ବାଣୀ ସେ ବହନ କରି ଆସିବେ, ତାହା ଶୁଣିବା ସକାଶେ ମୁଁ ଅପେକ୍ଷା କରି ରହିଛି । ପଛରେ ଛାଡ଼ି ଆଇଥିବା ଅତୀତର ବହୁବର୍ଷର ଦୀର୍ଘ ସମୟ ପ୍ରବାହକୁ ମୁଁ ଆଜି ଲକ୍ଷ୍ୟ କରୁଛି ଓ ଦେଖୁଛି ଯେ ଏକ ସ୍ପର୍ଦ୍ଧିତ ସଭ୍ୟତାର ଧ୍ଵଂସାବଶେଷ ଇତିହାସରେ ଏକ ଘୃଣିତ ଏବଂ ପରିତ୍ୟକ୍ତ ଅଂଶ ଭଳି ସ୍ତୂପୀକୃତ । ତଥାପି ବର୍ତ୍ତମାନର ପରାଜୟକୁ ଶେଷ କଥା ବୋଲି ସ୍ୱୀକାର କରି ମଣିଷ ଉପରେ ଆସ୍ଥା ହରାଇବାର ମହାପାପ ଜୀବନରେ ମୁଁ ଅର୍ଜନ କରି ନ ପାରେ । ଆଜିର ଖଣ୍ଡପ୍ରଳୟ ପରେ ଆକାଶ ଯେ ପୁଣି ଦିନେ ମେଘମୁକ୍ତ, ନିର୍ମଳ ଓ ସଂଘର୍ଷହୀନ ହେବ, ଏବଂ ଇତିହାସର ଗତିଧାରା ପରିବର୍ତ୍ତିତ ହେବ, ସେହି ସୁଦିନର ଅପେକ୍ଷାରେ ମୁଁ ରହିଛି । ଯେଉଁ ଦିଗ୍‍ବଳୟରେ ସୂର୍ଯ୍ୟ ପ୍ରତିଦିନ ଉଦିତ ହୁଅନ୍ତି, ମୋର ବିଶ୍ଵାସ ନୂତନ ଉଷାର ଅଭ୍ୟୁଦୟ ସେହି ପ୍ରାଚୀ ଦିଗ୍‍ବଳୟରେ ହିଁ ଦିନେ ସଂଘଟିତ ହେବ । ସେତେବେଳେ ଅପରାଜିତ ମାନବ ସକଳ ବାଧା ବିଘ୍ନ ଅତିକ୍ରମ କରି ତା'ର ଲୁପ୍ତ ଐତିହ୍ୟ ଉଦ୍ଧାର କରିବା ସକାଶେ ବିଜୟପଥର ସନ୍ଧାନ ପୁଣି ଲାଭ କରିବ । ଶକ୍ତିର ଔଦ୍ଧତ୍ୟ ଯେ ପରିଣତିରେ ବିରାଟ ବିପଦର ସମ୍ମୁଖୀନ ହୁଏ, ସତ୍ୟ ପ୍ରକାଶିତ ହେବାର ମୁହୂର୍ତ୍ତ ନିକଟବର୍ତ୍ତୀ । ଆମର ପ୍ରାଚୀନ ମହର୍ଷିଗଣ ଘୋଷଣା କରିଥିବା ସତ୍ୟ, ପୂର୍ଣ୍ଣ ରୂପରେ ସେତେବେଳେ ପ୍ରକଟିତ ହେବ ଯେ ଅଧର୍ମ ମାର୍ଗରେ ମାନବ ଉନ୍ନତି କରିପାରେ, ନିଜର ଇପ୍ସିତ ବସ୍ତୁ ଲାଭ କରି ପାରେ, ଏପରି କି ଶତ୍ରୁକୁ ମଧ୍ୟ ପରାଜିତ କରି ପାରେ; କିନ୍ତୁ ପରିଶେଷରେ ସେ ସମୂଳେ ବିନଷ୍ଟ ହୁଏ ।

"ଅଧର୍ମେ ନୈଧତେ ତାବତ୍

ତତୋ ଭଦ୍ରାଣି ପଶ୍ୟତି,

ତତଃ ସପତ୍ନାନ୍ ଜୟତି

ସମୁଳସ୍ତୁ ବିନଷ୍ୟତି ।’’

 

୧୯୪୧

Image